ଚତୁର୍ଥ ସ୍କନ୍ଧ

ତ୍ରିଂ‌ଶ ଅଧ୍ୟାୟ

ବିଦୁର ଉବାଚ

ତଦନ୍ତେ ପଚାରେ ବିଦୁର । ଶୁଣ ମୈତ୍ରେୟ ମୁନିବର ॥

ତୁମ୍ଭେ ଯେ କହିଥିଲ ପୂର୍ବେ । ତପେ ପ୍ରଚେତା ଭାଇ ସର୍ବେ ॥

ସେମାନେ ରୁଦ୍ରଗୀତା ସ୍ତବେ । ହରି ଭଜିଲେ ଏକଭାବେ ॥

କହ ହେ ଦେବଗୁରୁ-ଶିଷ୍ୟ । ତାହାଙ୍କ ସିଦ୍ଧି ହେଲା କିସ ॥

ସେ ସର୍ବେ ବଡ଼ ଭାଗ୍ୟବନ୍ତ । ଦେଖିଳେ ଉମାଦେବୀକାନ୍ତ ॥

ସେ ତାଙ୍କୁ ରୁଦ୍ରଗୀତା ଦେଲେ । ସେ ତହିଁ ଯୋଗଶିକ୍ଷା କଲେ ॥

ହରିଙ୍କି ପାଇଲେ କେମନ୍ତେ । ଇହକାଳରେ କିବା ଅନ୍ତେ ॥

ଏକଥା କ‌ହ ମୁନିବର । ତାହା ଶ୍ରବଣେ ଇଚ୍ଛା ମୋର ॥

ମୈତ୍ରେୟ ଉବାଚ

ଶୁଣ ବିଦୁର ସୁଚେତନ । ତଦନ୍ତେ ଯେବଣ ବିଧାନ ॥

ସେ ପିତାବାକ୍ୟେ ହୋଇ ତୋଷ । ତପ ସାଧନେ ଭାଇଦଶ ॥ ୧୦

ବାଟରେ ଭେଟିଲେ ଈଶାନ । ସେ ତାଙ୍କୁ ଦେଲେ ଦିବ୍ୟଜ୍ଞାନ ॥ ୧୧

ସେ ଦୀକ୍ଷା ପାଇ ଦଶଭାଇ । ସମୁଦ୍ରେ ପ୍ରବେଶିଲେ ଯାଇ ॥ ୧୨

ବୁଡିଣ ସମୁଦ୍ର ମଧ୍ୟରେ । ତପ ସାଧିଲେ ନିରାହାରେ ॥ ୧୩

ଅୟୁତ-ସମ୍ବତ୍ସର ଯାଏଁ । ତପ ସାଧିଲେ ନିରାହାରେ ॥ ୧୪

ତଦନ୍ତେ ଦେବ ନାରାୟଣ । ଦର୍ଶନ ଦେଲେ ତ‌ତ‌କ୍ଷଣ ॥ ୧୫

ହରିଙ୍କ କାନ୍ତି ଶୋଭା କଳା । ତା ଦେଖି ତାଙ୍କ ଦୁଃଖ ଗଲା ॥ ୧୬

ଖରୋଦ୍ର-ପୃଷ୍ଠେ ଦିବ୍ୟଅଙ୍ଗେ । ଯେହ୍ନେ ଜୀମୂତ ମେରୁଶୃଙ୍ଗେ ॥ ୧୭

ପୀତବସନ ପରିଧାନ । ଯେହ୍ନେ ତଡିତେ ନବଘନ ॥ ୧୮

ଅତି ସୁନ୍ଦର ସୁଭୂଷଣ । ସୁଗ୍ରୀବେ ରତ୍ନମଣିଗଣ ॥ ୧୯

ରତ୍ନ ସମୂହେ ଶୁଦ୍ଧକାନ୍ତି । ସେ ଦିଗ ତିମିର ନାଶନ୍ତି ॥ ୨୦

ଶୋଭନେ ନାହିଁ ପଟାନ୍ତର । ଅଶେଷ-ଭୁବନ-ସୁନ୍ଦର ॥ ୨୧

ମକର-କୁଣ୍ତଳ ଶ୍ରବଣେ । ଖଚିତ ନାନା ମଣିଗଣେ ॥ ୨୨

କଞ୍ଜବଦନ ଶୋଭାକର । ଅନଙ୍ଗ-କୋଟି-ଦର୍ପ‌ହର ॥ ୨୩

ଶିରେ କିରୀଟ ଶୋଭମାନ । କାମ ନିନ୍ଦିତ ତନୁବର୍ଣ୍ଣ ॥ ୨୪

ଅଷ୍ଟ ଆୟୁଧ କରେ ଛନ୍ତି । ସେବକେ ସେବନ କରନ୍ତି ॥ ୨୫

ଦେବ-ସମୂହେ ମୁନିଜନେ । ସ୍ତୁବନ୍ତି ନିଗମ-ବଚନେ ॥ ୨୬

ଖଗେନ୍ଦ୍ର-ପକ୍ଷ-ନାଦ-ସ୍ୱର । ସୁର-ମୁନୀନ୍ଦ୍ର ମନୋହର ॥ ୨୭

ଶୁଭଇ ସାମଗାନ ପ୍ରାୟେ । ଶୁଣି କିନ୍ନରଜନ ମୋହେ ॥ ୨୮

ପୀନ ଆୟତ ଅଷ୍ଟଭୁଜ । ସୁର ଅଇରି ନାଶେ ବୀଜ ॥ ୨୯

ତା ମେଧ୍ୟ ଶୋହେ ବନମାଳ । ମଧୁ-ଲୋଭିତ ଭୃଙ୍ଗକୁଳ ॥ ୩୦

ଭ୍ରମିଣ ଗୁଞ୍ଜରନ୍ତି ପାଶେ । ଲୋଭିତ ମକରନ୍ଦ ଆଶେ ॥ ୩୧

ଶୋଭନେ ନାହିଁ ପଟାନ୍ତର । ମନ-ବଚନେ ଆଗୋଚର ॥ ୩୨

ନାହିଁ ପ୍ରତୁଲ୍ୟ ରୂପ ଶୋଭା । ଅଗ୍ରେ ହୋଇଲେ ଆସି ଉଭା ॥ ୩୩

ତାହାଙ୍କୁ ଦେଖି ଦଶଭାଇ । ଚରଣେ ପ୍ରଣମିଲେ ଯାଇ ॥ ୩୪

ସନ୍ତୋଷ ତାଙ୍କୁ ଦାମୋଦର । କହନ୍ତି ବଚନ ମଧୁର ॥ ୩୫

ଭଗବାନ ଉବାଚ

ଶୁଣ ହେ ନୃପତି-ନନ୍ଦନ । ତୁମ୍ଭରେ ହୋଇଲୁ ପ୍ରସନ୍ନ ॥ ୩୬

ଯେଣୁ କଠୋର-ତପ କଲ । ଏଣୁ ହୋଇବ ତୁମ୍ଭ ଭଲ ॥ ୩୭

ହେ ପୁତ୍ରେ ବରମାଗ ଦେବା । ଯେଣୁ ଆମ୍ଭରେ କଲ ସେବା ॥ ୩୮

ଯେଣୁ ଗୋବିନ୍ଦେ ଦଶଭାଇ । ସେବିଲ ଭେଦାଭେଦ ନୋହି ॥ ୩୯

ସମାନଧର୍ମ ସମଶୀଳ । ଏଣୁ ଆମ୍ଭଙ୍କୁ ତୋଷ କଲ ॥ ୪୦

ତୁମ୍ଭର ଗୁଣ-କୀର୍ତ୍ତ-ଯଶ । ଶ୍ରବଣେ କଳୁଷ ବିନାଶ ॥ ୪୧

ଯେ ନର ଶଯ୍ୟାରୁ ଉଠିଣ । ତୁମ୍ଭରେ କରିବ ସ୍ମରଣ ॥ ୪୨

ନୋହିବ ତାଙ୍କ ଭାଇ ଭେଦ । ସେମାନେ ନ ପାଇବେ ଖେଦା ॥ ୪୩

ସକଳ-ଭୂତେ ସମଭାବ । ଖଣ୍ତିବେ ଦୁଃଖ-ପରାଭବ ॥ ୪୪

ସେ ନିତ୍ୟେ ପ୍ରଭାତ-ସନ୍ଧ୍ୟାରେ । ଏ ରୁଦ୍ରଗୀତା ସ୍ତବକରେ ॥ ୪୫

ମୁଁ ତାରେ ଦେଇ କାମ୍ୟବର । ଶୋଭନ ହେବ ମତି ତାର ॥ ୪୬

ଯେଣୁ ଏ ତୁମ୍ଭେ ଦଶଭାଇ । ପିତାର ଆଜ୍ଞା ଶିରେ ବହି ॥ ୪୭

ସନ୍ତୋଷେ ତପ ଆଚରିଲ । ଏଣୁ ଲଭିବ କୀର୍ତ୍ତି ଭଲ ॥ ୪୮

ବିମଳ ସୁଯଶ ତୁମ୍ଭର । ବିଖ୍ୟାତ ରହିବ ସଂସାର ॥ ୪୯

ତଦନ୍ତେ କିଛିକାଳ ଅନ୍ତେ । ଏ ତୁମ୍ଭ ପତ୍ନୀ ଗର୍ଭଗତେ ॥ ୫୦

ହୋଇବ ଏକଇ ତନୟ । ସେ ହେବ ବ୍ରହ୍ମଗୁଣମୟ ॥ ୫୧

ଯେ ପୁତ୍ର ଆତ୍ମବୀର୍ଯ୍ୟବଳେ । ପୂରିବ ଏ ଲୋକ ଶୟଳେ ॥ ୫୨

ବଂଶର ସଂଖ୍ୟା ତ ନଥିବ । ସୃଷ୍ଟି ସୃଜନ ତେବେ ହେବ ॥ ୫୩

ଯେ କନ୍ୟା ବିଭା ହେବ ତୁମ୍ଭେ । କହିବା ତାର ଜନ୍ମ ଏବେ ॥ ୫୪

ଶୁଣ ହେ ନୃପତିନନ୍ଦନେ । ସେ କଣ୍ତୁଋଷି ତପୋବନେ ॥ ୫୫

ତପ ସାଧନ ମୋକ୍ଷ ଆଶେ । ବସି ନିର୍ଜନ-ଘୋର-ଦେଶେ ॥ ୫୬

ତାଙ୍କ ଆଶ୍ରମ ଅନୁସରି । ଅଇଲା ଏକଇ ସୁନ୍ଦରୀ ॥ ୫୭

ପ୍ରମ୍ଳୋଚା ନାମ ଯେ ତାହାର । ଅପ୍‌ସରାଗଣେ ଶ୍ରେଷ୍ଠ ସାର ॥ ୫୮

ତାହାକୁ ଦେଖି ମୁନିବର । ଅନଙ୍ଗେ ହୋଇଲେ ଅସ୍ଥିର ॥ ୫୯

ଛାଡି ତପସ୍ୟା ଆଦି ଧ୍ୟାନ । ତା ରୂପେ ପାଶୋରିଲେ ଜ୍ଞାନ ॥ ୬୦

ତାର ସଙ୍ଗତେ ମୁନିବର । ଗୃହସ୍ଥଧର୍ମେ ସୁବିଚାର ॥ ୬୧

ବଞ୍ଚିଲେ କାମଭୋଗେ ତୋଷେ । ଅଜ୍ଞାନେ ଇନ୍ଦ୍ରିୟ-ଅବଶେ ॥ ୬୨

ଏମନ୍ତେ କିଛି କାଳନ୍ତରେ । ଅମୋଘ-ବୀର୍ଯ୍ୟ ତା ଉଦରେ ॥ ୬୩

ରହିଲା କାଳ-କର୍ମ ଫଳେ । ବିଧି-ସଂଯୋଗେ କର୍ମବଳେ ॥ ୬୪

ତାହାର ଗର୍ଭେ ଏକକନ୍ୟା । ହୋଇଲା ରୂପଗୁଣେ ଧନ୍ୟା ॥ ୬୫

କନ୍ୟାକୁ ଛାଡି ସେ ସୁନ୍ଦରୀ । ତକ୍ଷଣେ ଗଲା ନିଜ ପୁରୀ ॥ ୬୬

ସେ ବନେ ଯେତେ ବୃକ୍ଷ ଥିଲେ । ସର୍ବେ କନ୍ୟାକୁ ଘେନିଗଲେ ॥ ୬୭

ସେ କନ୍ୟା କ୍ଷୁଧାର ବିକଳେ । ରୋଦନ କରେ ବୃକ୍ଷମୂଳେ ॥ ୬୮

ତାହାକୁ ଦେଖି ନିଶାକର । ଦୟା ବସିଲା ତା କଣ୍ଠର ॥ ୬୯

ତର୍ଜନୀ ଅଙ୍ଗୁଳି ତାଙ୍କର । ତା ମୁଖେ ଦେଲେ ନିଶାକର ॥ ୭୦

ଚନ୍ଦ୍ରର କରେ ସୁଧା ଥିଲା । ତା ପାନେ କ୍ଷୁଧା ଦୂର ହେଲା ॥ ୭୧

ଏମନ୍ତେ ସେ ବନେ ସୁନ୍ଦରୀ । ରହିଲା କର୍ମ ଅନୁସରି ॥ ୭୨

ସେ ଗୁଣବତୀ କନ୍ୟାସାର । ତା ଅନୁରୂପେ ତୁମ୍ଭେ ବର ॥ ୭୩

ଆମ୍ଭର ଭକ୍ତ ତୁମ୍ଭ ପିତା । ସୃଷ୍ଟି-ସର୍ଜନେ କରି ଚିନ୍ତା ॥ ୭୪

ଏଣୁ ତୁମ୍ଭଙ୍କୁ ଆଜ୍ଞା ଦେଲେ । ଏ ସୃଷ୍ଟିକର ତୁମ୍ଭେ ଭଲେ ॥ ୭୫

ଏଣୁ ଯେ ତୁମ୍ଭେ ଦଶଭାଇ । ସେ କନ୍ୟା ବିଭା ହୁଅ ଯାଇ ॥ ୭୬

ସମାନଧର୍ମୀ ତୁମ୍ଭେମାନେ । ଏ ମୋର ବାକ୍ୟେ ତୋଷମନେ ॥ ୭୭

ସେ କନ୍ୟା ତୁଲେ ସୃଷ୍ଟିକର । ସେ ଯୋଗ୍ୟ ଅଟଇ ତୁମ୍ଭର ॥ ୭୮

ସହସ୍ରବର୍ଷ ଦେବମାନେ । ଜୀବିତେ ରହ ସୁକଲ୍ୟାଣେ ॥ ୭୯

ପୃଥିବୀ ମୁଖେ ଭୋଗକର । ତ୍ରିବିଧତାପ ପରିହର ॥ ୮୦

ମୋ ପାଦେ କରିବ ଭକତି । ବୈକୁଣ୍ଠେ ଲଭିବ ବସତି ॥ ୮୧

ଏ କର୍ମବନ୍ଧ ବିନାଶିବ । ବିଷୟଭୋଗ ନ ଲାଗିବ ॥ ୮୨

ଭୋଗାନ୍ତେ ମୋକ୍ଷ ଦଶଭାଇ । ହେବ ସଂଶୟ ଏଥି ନାହିଁ ॥ ୮୩

ଏ ଗୃହଧର୍ମେ ବସ୍ତୁ ଯେତେ । ମୋତେ ସମର୍ପି ଶୁଦ୍ଧଚିତ୍ତେ ॥ ୮୪

ଉଦାସୀଜନ ପ୍ରାୟ ହୋଇ । ମୋର ଭକତି ହୃଦେ ଧାୟି ॥ ୮୫

ମୁଁ ବ୍ରହ୍ମ ପରମ ପୁରୁଷ । ସକଳଘଟେ ମୋ ପ୍ରକାଶ ॥ ୮୬

ଯେ ମୋର ଭକତି ଲଭନ୍ତି । ସେ ଆର କିଛି ନ ଜାଣନ୍ତି ॥ ୮୭

ତାଙ୍କୁ ନ ଲାଗେ ମାୟାମୋହ । ଛିଡେ ଦୁର୍ଜୟ-ବନ୍ଧ-ସ୍ନେହ ॥ ୮୮

ତାହାଙ୍କୁ ଗୃହ ନ ଲାଗଇ । ମୋ ଭକ୍ତିବଳେ ନିସ୍ତରଇ ॥ ୮୯

ମୈତ୍ରେୟ ଉବାଚ

ମୈତ୍ରେୟ କହନ୍ତି ବିଦୁର । ଏମନ୍ତ କହନ୍ତେ ଈଶ୍ୱର ॥ ୯୦

ଅଞ୍ଜଳି କରି ଦଶଭାଇ । ପ୍ରଣାମ କରନ୍ତି ବିନୋୟି ॥ ୯୧

ଶ୍ରୀମୁଖ ନିରେଖି ଚାହିଁଲେ । ଆନନ୍ଦସାଗରେ ବୁଡିଲେ ॥ ୯୨

ଦୂରତ ହେଲା ରଜ ତମ । ଖଣ୍ତିଲେ ବିଷୟ ବିଭ୍ରମ ॥ ୯୩

ସଂଭ୍ରମେ ନ ପାରନ୍ତି ଚାହିଁ । ରୋମ ପୁଲକେ ଅଶ୍ରୁ ଦେହୀ ॥ ୯୪

ଆନନ୍ଦ ସାଗରେ ବୁଡିଣ । କହନ୍ତି ଗଦ୍‌ଗଦ ବଚନ ॥ ୯୫

ଦେହ ଜୀବନ ପାଶୋରିଲେ । ଚରଣ-ପଙ୍କଜେ ନମିଲେ ॥ ୯୬

ସ୍ତୁତି କରଣେ ଶକ୍ୟ ନୋହି । ପ୍ରେମ ଆନନ୍ଦେ ପୂର୍ଣ୍ଣ ଦେହୀ ॥ ୯୭

ସ୍ତୁତି କରନ୍ତି ଏକେ ଏକେ । ବାକ୍ୟେ ନ ସ୍ଫୁରେ ଅଶ୍ରୂଦକେ ॥ ୯୮

ପ୍ରଚେତଗଣ ଉବାଚ

ନମସ୍ତେ ପ୍ରଭୁ ନାରାୟଣ । ଅଶେଷ ଦୁଃଖ ନିବାରଣ ॥ ୯୯

ଉଦାର ଗୁଣ ଯେ ତୁମ୍ଭର । ତୋ ନାମ ଦେବେ ଅଗୋଚର ॥ ୧୦୦

ତୁମର ବେଗ ବଳବନ୍ତ । ମନ-ବଚନେ ନୋହେ ଅନ୍ତ ॥ ୧୦୧

ଇନ୍ଦ୍ରିୟଗଣ ନ ଜାଣନ୍ତି । କି ରୂପେ ଜାଣିବେ ତୋ ଗତି ॥ ୧୦୨

ଏମନ୍ତ ପ୍ରଭୁ ଯେ ଈଶ୍ୱର । ସେ ପାଦେ ଆମ୍ଭ ନମସ୍କାର ॥ ୧୦୩

ତୁମ୍ଭେ ବିଶୁଦ୍ଧ ଶାନ୍ତରୂପେ । ବସ ନିର୍ମଳ-ମନ-କୂପେ ॥ ୧୦୪

ନମସ୍ତେ ପ୍ରଭୁ ଭଗବାନ । ଏ ଭବୁ କର ପରିତ୍ରାଣ ॥ ୧୦୫

ଜଗତ ଉଦେ ସ୍ଥିତି ଲୟେ । ହୋଇ ଯେ ଅଛି ଗୁଣମୟେ ॥ ୧୦୬

ମାୟା-ଗୁଣରୁ ରୂପ ଧରି । ସୃଷ୍ଟି ସର୍ଜନେ ଅଧିକାରୀ ॥ ୧୦୭

ନୋହିଁଲେ ତୁମ୍ଭେ ଶୁଦ୍ଧସ‌ତ୍ତ୍ୱ । କେହି ନ ପାରି ତୁମ୍ଭ ତ‌ତ୍ତ୍ୱ ॥ ୧୦୮

ନମୋ ଶ୍ରୀକୃଷ୍ଣ ବାସୁଦେବ । ସକଳ-ସାତ୍ୱତ-ପ୍ରଭବ ॥ ୧୦୯

କମଳନାଭିଟି ଯାହାର । ସେ ପାଦେ ମୋର ନମସ୍କାର ॥ ୧୧୦

ନମସ୍ତେ କମଳମାଳିନେ । ପଙ୍କଜଲୋଚନ-ଚରଣେ ॥ ୧୧୧

କମଳ-କିଞ୍ଜଳ୍‌କ ଯେସନ । ନିର୍ମଳ-ବସନ ତେସନ ॥ ୧୧୨

ସେ ପୀତବାସଙ୍କୁ ନମଇଁ । ଚରଣେ ପରିମୁଣ୍ତା ଯାଇ ॥ ୧୧୩

ସକଳଭୂତେ ଯାର ବାସ । ସେ ସାକ୍ଷୀ ରୂପେ ସୁପ୍ରକାଶ ॥ ୧୧୪

ସେ ରୂପ ଭାବି ପ୍ରଣମିଲୁ । ଯେଣୁଟି ଦର୍ଶନ ଲଭିଲୁ ॥ ୧୧୫

ଭୋ ପ୍ରଭୁ ତୁମ୍ଭେ ଭଗବାନ । ଏ ଦୟା କରିବ କେ ଆନ ॥ ୧୧୬

ଆମ୍ଭଙ୍କୁ ଏ ରୁପ ଦେଖାଇ । ଦୁରିତଖଣ୍ତିଲ ଗୋସାଇଁ ॥ ୧୧୭

ଏ ରୂପ ଯେ କରେ ଦର୍ଶନ । ସେ ଦୁଃଖେ ନୁହଁନ୍ତି ଭାଜନ ॥ ୧୧୮

ଭୋନାଥ ମହିମା ତୋ ଯେତେ । ଦେଖିଲୁ ପ୍ରଭୁପଣ ତେତେ ॥ ୧୧୯

ବୁଝିଲୁ ତୁମ୍ଭେ ଦୟାସିନ୍ଧୁ । ଯେ ହୀନ-ଦୀନଜନ-ବନ୍ଧୁ ॥ ୧୨୦

ଆମ୍ଭେ ଯେ ଅତି ଦୀନହୀନ । ଆମ୍ଭଙ୍କୁ କର ନିସ୍ତାରଣ ॥ ୧୨୧

ଯେଉଁ ସ୍ମରଣେ ଆହେ ନାଥ । ସୁଶାନ୍ତି ଲଭି ସୁଖ ଜାତ ॥ ୧୨୨

ବୁଝିଲୁ ତୁମ୍ଭେ ଦୂରେ ନାହିଁ । ହୃଦୟପଦ୍ମେ ଗୁପ୍ତେ ଥାଅ ॥ ୧୨୩

ଏରୁ ଭକତ-ଚିତ୍ତ-କଥା । ଜାଣିଣ ପାଅ ମନେ ବ୍ୟଥା ॥ ୧୨୪

ଯେଣୁ ତୋ ସର୍ବଘାଟେ ବାସ । ଭକ୍ତ ଡାକିଲେ ଶ୍ରୀଘ୍ର ଆସ ॥ ୧୨୫

ଭୋ ନାଥ ଜଗତଗୋସାଇଁ । ଏଣୁ ଉତ୍ତାରେ ବର ନାହିଁ ॥ ୧୨୬

ତୁମ୍ଭେ ଜଗତ-ଗୁରୁ-ପତି । ପ୍ରସନ୍ନ ହୋଇଲ ତଡ଼ତି ॥ ୧୨୭

ଏ ବର ହେବ କି ଆମ୍ଭର । ଭୋ ନାଥ ତୁମ୍ଭେ କୃପାକର ॥ ୧୨୮

ତୁମ୍ଭ ବିଭୂତି ଅନ୍ତନାହିଁ । ଏଣୁ ଅନନ୍ତ ନାମକହି ॥ ୧୨୯

ପାରିଜାତକ ପୁଷ୍ପ ପାଇ । ସାରଙ୍ଗ ଅନ୍ୟ କି ଲୋଡଇ ॥ ୧୩୦

ଲଭିଣ ତୋ ପାଦକମଳ । ଅନ୍ୟ ଏ ବରେ କିବା ଫଳ ॥ ୧୩୧

ଭୋ ନାଥ ନିବେଦୁଁ ଛାମୁରେ । ଏ ଆଜ୍ଞା ହେବ କି ଆମ୍ଭରେ ॥ ୧୩୨

ଯାବତ ତୁମ୍ଭ ମାୟା ଘେନି । ଜନ୍ମ ଲଭିବୁ ନାନା ଯୋନି ॥ ୧୩୩

ସ୍ୱକର୍ମବଶେ ଦେହ ବହି । ଭୋଗ ନକଲେ ନାଶ ନୋହି ॥ ୧୩୪

ନିଜସ୍ୱ କର୍ମ ଭୁଞ୍ଜୁଥିବୁ । ତୋ ସଙ୍ଗୀ ସଙ୍ଗତ ଲଭିବୁ ॥ ୧୩୫

ସୁକର୍ମ ସୁଯଜ୍ଞ ସୁଦାନ । ତୋ କଥାମୃତ ନିତ୍ୟେ ପାନ ॥ ୧୩୬

ସୁତୀର୍ଥେ ସୁବିପ୍ରଙ୍କ ଗୋଷ୍ଠୀ । ତୋ ସେବା ସ୍ମରଣ ମୁକତି ॥ ୧୩୭

ତୋ ଭକ୍ତସଙ୍ଗର ମହିମା । କେ ଜାଣିପାରେ ଗୁଣସୀମା ॥ ୧୩୮

ସେ ସଙ୍ଗୁ ଯେବା ସୁଖ ହୋଇ । ସେ ସୁଖ ସ୍ୱର୍ଗେ ଅଛି କାହିଁ ॥ ୧୩୯

ଯହିଁ ମୁକତି ତୁଲ୍ୟ ନୋହେ । ମନୁଷ୍ୟ ସୁଖ କାହିଁ ରହେ ॥ ୧୪୦

ଆମ୍ଭେ ବୁଝିଲୁ ଅନୁଭବେ । ସାଧୁ-ସଙ୍ଗମେ ସୁଖ ଲଭେ ॥ ୧୪୧

ତା ତୁଲେ ନୋହେ ସ୍ୱର୍ଗ-ମୋକ୍ଷ । ଏ ମର୍ତ୍ତ୍ୟଭୋଗ ଅତି ତୁଚ୍ଛ ॥ ୧୪୨

ଯେ ଠାରେ ସାଧୁଏ ବସନ୍ତି । ଯେ ନିତ୍ୟେ ହରି-ଯଶ ଗାନ୍ତି ॥ ୧୪୩

ତୋ ଅବତାର ପୁଣ୍ୟ ଯଶ । ଯେ ଯଶେ କଳୁଷ ବିନାଶ ॥ ୧୪୪

ଗାବନ୍ତି ତୋ ନାମ ଚରିତ । ତୋ ଯଶ-କର୍ମ ଅବିରତ ॥ ୧୪୫

ଯେ ତାହା ପିବେ ଶ୍ରୁତିଦ୍ୱାରେ । ଜ୍ଞାନେ ଅଜ୍ଞାନେ ପାପ ହରେ ॥ ୧୪୬

ତେବେ ବିଷୟ ଶାନ୍ତ ହୋଏ । ଜୀବେ ବଇରୀଭାବ ନୋହେ ॥ ୧୪୭

ଅହିଂସା-ଧର୍ମ ହୋଏ ଜାତ । ତହୁଁ ଉଦେଗ ନୋହେ ଚିତ୍ତ ॥ ୧୪୮

ଯେ ହରିଦାସଙ୍କର ଗତି । ଯା ପାଦେ ଭକତେ ସେବନ୍ତି ॥ ୧୪୯

ସଙ୍ଗ ଉପେକ୍ଷି ସାଧୁଜନେ । ଏକାନ୍ତେ ଥାନ୍ତି ତୁମ୍ଭ ଧ୍ୟାନେ ॥ ୧୫୦

ସେ ନିତ୍ୟେ ଭୂମି ପର୍ଯ୍ୟଟନ୍ତି । ଭ୍ରମିଣ ପ୍ରାଣୀ ନିସ୍ତାରନ୍ତି ॥ ୧୫୧

ତୀର୍ଥାଦି କରନ୍ତି ପବିତ୍ର । ଏମନ୍ତ ସାଧୁଙ୍କ ଚରିତ ॥ ୧୫୨

ତାହାଙ୍କ ଦର୍ଶନ ଯାହାଙ୍କୁ । ନ ରୁଚେ କହିବା ଆମ୍ଭଙ୍କୁ ॥ ୧୫୩

ତୁମ୍ଭର ପ୍ରିୟସଖା ରୁଦ୍ର । ସେ ପ୍ରଭୁ ଦୟାର ସମୁଦ୍ର ॥ ୧୫୪

ପାଇଲୁ ତାଙ୍କ ସଙ୍ଗ ଯେଣୁ । ତେଣୁ ତରିଲୁ ଘୋରବଣୁ ॥ ୧୫୫

ସେ ସାଧୁସଙ୍ଗ ଭାଗ୍ୟେ କରି । ତୋତେ ଦେଖିଲୁ ନରହରି ॥ ୧୫୬

ଏ ଭବ-ବ୍ୟାଧି ମହାଘୋର । ଚିକିତ୍ସା ନାହିଁ ଯେ ଏଥିର ॥ ୧୫୭

ଏଥକୁ ବୈଦ୍ୟ ଅଟ ତୁମ୍ଭେ । ଏଣୁ ଆଶ୍ରୟ କଲୁ ଆମ୍ଭେ ॥ ୧୫୮

ତୋହର ନାମ ଦୀନବନ୍ଧୁ । ତୁହି କରୁଣାମୟ ସିନ୍ଧୁ ॥ ୧୫୯

ଆମ୍ଭେ ଯେ ଦୀନ ଅଭାଜନ । ପଶିଲୁ ତୋ ପାଦେ ଶରଣ ॥ ୧୬୦

ରଖ ନ ରଖ ଭାବଗ୍ରାହୀ । ତୋ ବିନୁ ଅନ୍ୟ ଗତି ନାହିଁ ॥ ୧୬୧

ତୋର ପ୍ରସନ୍ନେ ଭଗବାନ । କେବଳ ଆମ୍ଭର ଜୀବନ ॥ ୧୬୨

ଏ ଚତୁର୍ବର୍ଗ ଆଶ୍ରେ ଯହିଁ । ଅନ୍ୟତ୍ର ତୋଷେ ଶକ୍ୟ ନାହିଁ ॥ ୧୬୩

ଏଣୁ ଯେ ତୋ ପାଦକମଳେ । ଶରଣାଶ୍ରିତ ଏ ଶୟଳେ ॥ ୧୬୪

ସେ କାଳଦଣ୍ତ ପରିହରେ । ଆନନ୍ଦ-ସାଗରେ ବିହରେ ॥ ୧୬୫

ଭେନାଥ ଆମ୍ଭେ ଦଶଭାଇ । ବେଦ ପଢ଼ିଲୁ ଯେତେଠାଇଁ ॥ ୧୬୬

ଗୁରୁଙ୍କ ଚରଣ ପୂଜିଲୁ । ବୃଦ୍ଧ-ବ୍ରାହ୍ମଣ ସେବା କଲୁ ॥ ୧୬୭

ଅହିଂସା ଧର୍ମ ବ୍ୟବହାରେ । ବନ୍ଧୁଙ୍କୁ ତୋଷିଲୁ ସଂସାରେ ॥ ୧୬୮

ଅନେକ କାଳ ସିନ୍ଧୁଜଳେ । ତପସ୍ୟା କଲୁ ନିରାହାରେ ॥ ୧୬୯

ଯେତେକ କଷ୍ଟେ ତପ କଲୁ । ତୋ ପାଦେ ଏହା ସମର୍ପିଲୁ ॥ ୧୭୦

ଗୁରୁସେବନ ଆଦି ଯେତେ । ତୁମ୍ଭ ପ୍ରତୋଷେ ହେଉ ନିତ୍ୟେ ॥ ୧୭୧

ଆମ୍ଭର ବର ପ୍ରଭୁ ଏହି । ଆବର ବରେ ଇଚ୍ଛା ନାହିଁ ॥ ୧୭୨

ମନୁ ବିଧାତା ରୁଦ୍ର ଆଦି । ଅପରେ ଯେତେ ଶୁଦ୍ଧବୁଦ୍ଧି ॥ ୧୭୩

ତୁମ୍ଭ ମହିମା ଅନ୍ତ କେହି । ଏ ଦେଖି ନ ପାରିଲେ ଯହିଁ ॥ ୧୭୪

ସେ ତୁମ୍ଭ ରୂପ ଧ୍ୟାଉଥାନ୍ତି । ହୃଦୟ-କମଳେ ଭାବନ୍ତି ॥ ୧୭୫

ସେ ସର୍ବେ ଜ୍ଞାନର ସାଗର । ସ୍ତବନ କରନ୍ତି ତୁମ୍ଭର ॥ ୧୭୬

ଆମ୍ଭେ ବାଳକ ଜ୍ଞାନହୀନ । ବିଦ୍ୟାରେ ନୋହିଛୁ ପ୍ରବୀଣ ॥ ୧୭୭

ତଥାପି ଜ୍ଞାନ ଅନୁସାରେ । ମନ ଅର୍ପିଲୁ ତୁମ୍ଭଠାରେ ॥ ୧୭୮

ସେ ଦୋଷ କ୍ଷମ କୃପାଦେହୀ । ତୁମ୍ଭେ କେବଳ ଭାବଗ୍ରାହୀ ॥ ୧୭୯

ନମସ୍ତେ ପ୍ରଭୁ ଶୁଦ୍ଧସମ । ପରମ-ପୁରୁଷ-ଉତ୍ତମ ॥ ୧୮୦

ତୁମ୍ଭେ ଯେ ସତ୍ୟ ବାସୁଦେବ । ଆମ୍ଭଙ୍କୁ ଅନୁଗ୍ରହ ଥିବ ॥ ୧୮୧

ତୁମ୍ଭ ଚରଣେ ପ୍ରଣମିତ । ଆମ୍ଭଙ୍କୁ ରଖ ଜଗନ୍ନାଥ ॥ ୧୮୨

ମୈତ୍ରେୟ ଉବାଚ

ମୈତ୍ରେୟ କହନ୍ତି ବିଦୁରେ । ଏମନ୍ତେ ପ୍ରଭୁଙ୍କ ଛାମୁରେ ॥ ୧୮୩

ସ୍ତୁତି ପଠନେ ଦଶଭାଇ । ଶୁରି ସନ୍ତୋଷ ଭାବଗ୍ରାହୀ ॥ ୧୮୪

ସେ ସର୍ବେ ହରି ରୂପ ଚାହିଁ । ସନ୍ତୋଷ ନ ଭଜିଲେ କେହି ॥ ୧୮୫

ମନଆନନ୍ଦେ ସେ ଭାବନ୍ତି । ଏ ରୂପେ ହରି ଯେବେ ଥାନ୍ତି ॥ ୧୮୬

ସତୃଷ୍ଣ-ନୟନେ ଦେଖିବା । ନିରତେ ଚରଣେ ସେବିବା ॥ ୧୮୭

ଏମନ୍ତ ସେ ବାଞ୍ଛନେତ ମନ । ହରି ହୋଇଲେ ଅନ୍ତର୍ଦ୍ଧାନ ॥ ୧୮୮

ସେ ଯେ ପ୍ରଚେତା ଭାଇଦଶ । ଆକୁଳେ ଚାହିଁ ଦଶଦିଶ ॥ ୧୮୯

ନ ଦେଖି ପ୍ରଭୁ ଚକ୍ରଧର । ସେ ଦିଗେ କରି ନମସ୍କାର ॥ ୧୯୦

ବିଚ୍ଛେଦ-ଶୋକେ ନିମଜ୍ଜିଲେ । ସେ ଦୁଃଖସାଗରେ ବୁଡିଲେ ॥ ୧୯୧

ପଡିଲେ ମୃତ୍ୟୁତୁଲ୍ୟ ଜାଣି । ସେ ହରି ବିଚ୍ଛେଦେ ଧରଣୀ ॥ ୧୯୨

ଆତ୍ମାବିହୀନେ ଯେହ୍ନେ ଦେହୀ । ଶୂନ୍ୟ ପ୍ରକାଶେ ସର୍ବଠାଇଁ ॥ ୧୯୩

ପୁଣି ସଚେତ ଜ୍ଞାନ ପାଇ । ଜଳୁ ଉଠିଲେ ଦଶଭାଇ ॥ ୧୯୪

ଧୀରେ ଚାହାଁନ୍ତେ ଦଶଦିଗ । ତ୍ରୁମେ ଆଚ୍ଛନ୍ନ ଭୂମିଭାଗ ॥ ୧୯୫

ଆକାଶ-ଘୋଟି ବେଢିଛନ୍ତି । ଦେଖିଣ ପ୍ରକୋପେ ଜଳନ୍ତି ॥ ୧୯୬

ସର୍ବେ ବିଚାରି ଏକମନେ । ବୃକ୍ଷ ନ ରଖିବା ଭୁବନେ ॥ ୧୯୭

ଅଗ୍ନି-ପବନ ବେଗେ ଦୁଇ । ମୁଖରୁ ଜାତ କଲେ ସେହି ॥ ୧୯୮

ସେ ଅଗ୍ନି ପବନେ ବଢ଼ିଲା । ସକଳ ଦ୍ରୁମ ଭସ୍ମକଲା ॥ ୧୯୯

ଅନଳ ଅନିଳ ପ୍ରତାପେ । ଅତି ଉତ୍ସର୍ଗେ ଧୂମ ବ୍ୟାପେ ॥ ୨୦୦

ବ୍ରାହ୍ମଣ-ଘୋଟେ ଅନ୍ଧକାର । ଅଦୃଶ୍ୟ ଚନ୍ଦ୍ର ଦିବାକର ॥ ୨୦୧

ତା ଦେଖି ବେଗେ ପିତାମହ । ଜାଣିଳେ ଗା ମହୀରୁହ ॥ ୨୦୨

ନିଜଲୋକରୁ ବିଜେ କଲେ । ସେ ଦ୍ରୁମ ବିନାଶୁଁ ରଖିଲେ ॥ ୨୦୩

କ୍ରୋଧସାନ୍ତ୍ୱନା କରି ତାଙ୍କ । ପ୍ରବୋଧି କହିଲେ ଅନେକ ॥ ୨୦୪

ହେ ପ୍ରଚେତସଗଣେ ଶୁଣ । ବୃକ୍ଷେ ହୋଇଲେ ଅତି କ୍ଷୀଣ ॥ ୨୦୫

ତୁମ୍ଭେ ଯେ ଅଟ ସର୍ବଜ୍ଞାନୀ । କିମ୍ପା କରୁଛ ସୃଷ୍ଟି ହାନି ॥ ୨୦୬

ତୁମ୍ଭେ ପାଳନେ ପ୍ରଜାପତି । ପ୍ରାଣୀଙ୍କ ହିତେ ଉତପତ୍ତି ॥ ୨୦୭

ଏବେ ଯେତେକ ବୃକ୍ଷ ଶେଷ । ରହନ୍ତୁ ଯାଇ ବନଦେଶ ॥ ୨୦୮

ବୃକ୍ଷଙ୍କୁ ଡାକି ପଦ୍ମଯୋନି । ବୋଇଲେ କନ୍ୟା ଆସ ଘେନି ॥ ୨୦୯

ଦଶଭାଇଙ୍କି କନ୍ୟା ଦେଇ । ନିର୍ଭୟେ ବନେ ରହ ଯାଇ ॥ ୨୧୦

ପାଦପେ ବିଧି-ବାକ୍ୟ ଶୁଣି । ତାହାଙ୍କୁ କନ୍ୟା ଦେଲେଆଣି ॥ ୨୧୧

ସେ କନ୍ୟା ନାମ ଯେ ମାରିଷା । ପଦ୍ମଲୋଚନୀ ପିକଭାଷା ॥ ୨୧୨

ସୁଚାରୁ ତନୁ ଚନ୍ଦ୍ରାନନୀ । ଦେଖି ମୋହିତ ସୁର ମୁନି ॥ ୨୧୩

ଭ୍ରୁଭଙ୍ଗଯୁଗଳ ସୁନ୍ଦର । ଅତନୁ-ଚାପ-ପ୍ରଭାହର ॥ ୨୧୪

ଅପାଙ୍ଗେ ମୁନି-ମନ-ମୋହେ । ତା ରୂପେ ରତି ସମ ନୋହେ ॥ ୨୧୫

ସେ ସର୍ବଲକ୍ଷଣେ ସୁନ୍ଦର । ତା ତୁଲ୍ୟ ନାହିଁ ପଟାନ୍ତର ॥ ୨୧୬

ବିଧି ବୋଇଲେ ପ୍ରଚେତସ । ଏ କନ୍ୟା ବର ତୁମ୍ଭେ ଦଶ ॥ ୨୧୭

ଏ ପତ୍ନୀଗର୍ଭରେ ତୁମ୍ଭର । ହୋଇବ ଯେବଣ କୁମର ॥ ୨୧୮

ସେ ପୁତ୍ର ହେତୁ ଏ ଜଗତେ । ପ୍ରଜା ହୋଇବେ ଅପ୍ରମିତେ ॥ ୨୧୯

ତୁମ୍ଭର ହେବ ପଉରୁଷ । ସଂସାରେ ଆଚ୍ଛାଦିବ ଯଶ ॥ ୨୨୦

ଏମନ୍ତ ଧାତାର ବଚନେ । ସନ୍ତୋଷ ଭଜିଲେ ସେମାନେ ॥ ୨୨୧

ତଷଣେ କନ୍ୟାକୁ ବରିଲେ । ବିଧାତା ନିଜପୁରେ ଗଲେ ॥ ୨୨୨

ତଦନ୍ତେ ଯେ ଯେ ଦଶଭାଇ । ବସିଲେ ନୃପାସନେ ଯାଇ ॥ ୨୨୩

ଯେ ବିଷ୍ଣୁ-ବାକ୍ୟେ ପ୍ରଚେତସ । ସୁଖେ ପାଳିଲେ ପ୍ରଜାଦେଶ ॥ ୨୨୪

ଅନେକ ଦାନ-ଯଜ୍ଞ କଲେ । ହରିଙ୍କି ସ୍ୱଧର୍ମେ ତୋଷିଲେ ॥ ୨୨୫

ତଦନ୍ତେ ଶୁଣ ହେ ବିଦୁର । ସେ କନ୍ୟା ଉଦରେ ତାଙ୍କର ॥ ୨୨୬

ଜନ୍ମିଳେ ଦକ୍ଷ ପ୍ରଜାପତି । ଯେ ପୂର୍ବେ ବ୍ରହ୍ମାର ସନ୍ତତି ॥ ୨୨୭

ପୂର୍ବେ ନିନ୍ଦିଳେ ଶିବ ଯେଣୁ । ଗର୍ଭ-ଯାତନା-ଦୁଃଖ ତେଣୁ ॥ ୨୨୮

ସେ ପାପବୀଜ କୂଟେ ଥିଲା । କେବେ ହେଁ ମୋଚନ ନ ଗଲା ॥ ୨୨୯

ସାଧୁଙ୍କ ଅପରାଧ ଦୋଷ । ସେ କୋଟିକଳ୍ପେ ନୋହେ ନାଶ ॥ ୨୩୦

ଚାକ୍ଷୁଷ ମନ୍ୱନ୍ତର ଅନ୍ତେ । ପୂର୍ବ ଶରୀର ଲୋପ ଯାନ୍ତେ ॥ ୨୩୧

ସେ ଦକ୍ଷ ଜନମ ଲଭିଲେ । ଏବେ ଯେ ପ୍ରଜା ସୃଷ୍ଟି କଲେ ॥ ୨୩୨

ଜନ୍ମିଳା ମାତ୍ରକେ କୁମର । ତା ତେଜ ହେଲାକ ଅପାର ॥ ୨୩୩

ତେଜସ୍ୱୀମାନେ ଯେତେ ଥିଲେ । ତା ତେଜେ ସର୍ବେ ଲୀନହେଲେ ॥ ୨୩୪

ସେ ସର୍ବକର୍ମେ ଦକ୍ଷ ଯହୁଁ । ତା ନାମ ଦକ୍ଷ ହେଲା ତହୁଁ ॥ ୨୩୫

ବିବିଧ ମତେ ପ୍ରଜାପତି । ସୃଷ୍ଟି ସେ କଲେ ମହାମତି ॥ ୨୩୬

ତାହାଙ୍କୁ ପ୍ରଜାରକ୍ଷା ପାଇଁ । ନିଯୋଗ କଲେ ବେଦସାଇଁ ॥ ୨୩୭

ଦ୍ୱିତୀୟ ଦକ୍ଷ ଜନ୍ମକଥା । ଶୁଣ ବିଦୁର ଶୁଦ୍ଧଚେତା ॥ ୨୩୮

ଯେଣୁ ସେ ପ୍ରଜା ସୃଷ୍ଟି କଲେ । ତେଣୁ ରାଜତ୍ୱ ପ୍ରତେଜିଲେ ॥ ୨୩୯

ଏଣୁ ଏ ଧ୍ରୁବବଂଶେ ରାଜ । ନୋହିଲେ ହେ ବ୍ୟାସତନୁଜ ॥ ୨୪୦

ପ୍ରିୟବ୍ରତରେ ରାଜ୍ୟ ଦେଲେ । ସେ ଦକ୍ଷ-ବାକ୍ୟେ ସୃଷ୍ଟି କଲେ ॥ ୨୪୧

ସେ ପ୍ରିୟବ୍ରତର ଚରିତ । ପଞ୍ଚମ ସ୍କନ୍ଧରେ ଭାକତ ॥ ୨୪୨

ପୂର୍ବେ ପଚାରିଥିଲୁ ମୋତେ । ପ୍ରଚେତା-ବଂଶାନୁଚରିତେ ॥ ୨୪୩

ସେ ଧ୍ରୁବବଂଶେ ଉତପନ । ପ୍ରାଚୀନବରହୀ-ନନ୍ଦନ ॥ ୨୪୪

ବିସ୍ତାରି କହିବାକ ତୋତେ । ପ୍ରଚେତା ଜ୍ଞାନ-ଉପଗତେ ॥ ୨୪୫

ଏହା ଯେ ଶ୍ରବଣେ ଶୁଣନ୍ତି । ତ୍ରିତାପ-ଭୟ ନିବାରନ୍ତି ॥ ୨୪୬

ତିରିଶ ଅଧ୍ୟା ଏହୁ ବାଣୀ । ମୈତ୍ରେୟ ବିଦୁରେ ବଖାଣି ॥ ୨୪୭

ଏ ଶୁକ-ପରୀକ୍ଷ ସମ୍ବାଦ । ହରଇ ଅଶେଷ-ଆପଦ ॥ ୨୪୮

ଇହ ଲୋକରେ ହୋଏ ଯଶ । ଅନ୍ତେ ତା ବଇକୁଣ୍ଠେ ବାସ ॥ ୨୪୯

ଗ୍ରହାଦି ପୀଡା ଶତ୍ରୁଭୟ । ଏ ସର୍ବଦୁଃଖ ହୋଏ କ୍ଷୟ ॥ ୨୫୦

କହଇ ଦାସ ଜଗନ୍ନାଥ । ଚତୁର୍ଥ ସ୍କନ୍ଧେ ଭାଗବତ ॥ ୨୫୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଚତୁର୍ଥସ୍କନ୍ଧେ ତ୍ରିଂଶୋଽଧ୍ୟାୟଃ ॥

* * *