ଚତୁର୍ଥ ସ୍କନ୍ଧ
ଉନତ୍ରିଂଶ ଅଧ୍ୟାୟ
ମୈତ୍ରେୟ ଉବାଚ
ସେ ଯେ ପ୍ରାଚୀନନୃପବର । ନାରଦ ପାଦେ ଦେଇ ଶିର ॥ ୧
କହଇ ଅତି ହରଷରେ । ସେ ମୁନି ବ୍ରହ୍ମାର କୁମରେ ॥ ୨
ପ୍ରାଚୀନବର୍ହି ଉବାଚ
ଭୋ ମୁନି ତୁମ୍ଭେ ଜ୍ଞାନପାର । କହିଲ ଅଧ୍ୟାତ୍ମ ବିଚାର ॥ ୩
ତୁମ୍ଭେ ଯେ ପରୋକ୍ଷବାଦେଣ । କହିଲ ଯେ ସାଂଖ୍ୟ କାରଣ ॥ ୪
ମୁଁ ହେଜି ନ ପାରିଲି ଚିତ୍ତେ । ଛେଦି ସଂଶୟ କହ ମୋତେ ॥ ୫
ଯେ ମାର୍ଗେ ବୁଝିବଇଁମୁହିଁ । ସେ ମାର୍ଗେ କହିବା ଗୋସାଇଁ ॥ ୬
ଯେବା ପଣ୍ତିତ ଦୃଢମତି । ଏ ଅନୁଭବ ସେ ଜାଣନ୍ତି ॥ ୭
ଆମ୍ଭର ଏଣେ ନାହିଁ ଜ୍ଞାନ । ବିଷୟ-ଜଡେ ମନ ଛନ୍ନ ॥ ୮
ଏଣୁ ନଧରେ ଜ୍ଞାନେ ରତି । ବିବେକ ନୋହେ ଆମ୍ଭ ମତି ॥ ୯
ଭୋମୁନି ଫେଡ ପୁଣ ତାହା । ମୋ ଅର୍ଥେ କହ ପୁଣ୍ୟଦେହା ॥ ୧୦
ସେ ପୁରଜ୍ଞନର ବିଚାର । ଶ୍ରବଣେ ଜ୍ଞାନ ହେବ ମୋର ॥ ୧୧
ଶୁଣି ନାରଦ ମହାଋଷି । ତା ଭାବେ କହନ୍ତି ବିଶେଷି ॥ ୧୨
ନାରଦ ଉବାଚ
ଶୁଣ ରାଜନ ସାବଧାନ । କହିବା ପରୋକ୍ଷ ଯେ ଜ୍ଞାନ ॥ ୧୩
ପୁରୁଷ ପୁରଞ୍ଜନ ଯେହି । କର୍ମରୁ ପୁର କଲା ସେହି ॥ ୧୪
କେ ଏକ ତ୍ରୟ ବେନିପାଦ । ବହୁ ଚତ୍ୱାର କେ ନିଷ୍ପାଦ ॥ ୧୫
ଏମନ୍ତେ ନାନ ପୁର କରି । ଏ ଜୀବ ତା ମଧ୍ୟେ ବିହରି ॥ ୧୬
ଅଜ୍ଞାତ-ସଖା ଯାକୁ କହି । ଈଶ୍ୱର ନାମ ଅଟେ ସେହି ॥ ୧୭
ସେ ନାମ-ରୂପରୁ ବାହାର । ଏଣୁ ଅଜ୍ଞାତ ନାମ ତାର ॥ ୧୮
ସମଗ୍ର ପ୍ରକୃତି ଗୁଣକୁ । ପୁରୁଷ ଇଚ୍ଛିଲେ ଭୋଗକୁ ॥ ୧୯
ତେବେ ଏ ପୁର ନବଦ୍ୱାରେ । ରଚନା କରେ ସେ ବେଭାରେ ॥ ୨୦
ଯେ ପୁରେ ହସ୍ତପଦ ଘେନି । କରଇ କର୍ମ ଲାଭହାନି ॥ ୨୧
ସେ ପୁରେ ଥାଇ କରେ ଭୋଗ । ମାୟା ନିର୍ବନ୍ଧେ ଅନୁରାଗ ॥ ୨୨
ଏ ପୁରୁ ଅନ୍ୟ ପୁର ଯେହି । ଭୋଗ ସୁଖାଦି ନୋହେ ତହିଁ ॥ ୨୩
ଏ ଯେ ମାନବ କଳେବର । ଅଶେଷ ଦେହ ମଧ୍ୟେ ସାର ॥ ୨୪
ସେ ପୁର ମଧ୍ୟେ ଜୀବ ରହି । ଇନ୍ଦ୍ରି-ବିଷୟ ରସେ ମୋହି ॥ ୨୫
ବିବିଧ ସୁଖ ଭୋଗ ସାର । ଜୀବ ଭୁଞ୍ଜଇ ଏ ମନ୍ଦିର ॥ ୨୬
ସେ ପୁର ମଧ୍ୟେ ବୁଦ୍ଧି ନାରୀ । ଏକା ସେ ସର୍ବତ୍ର ବିହରି ॥ ୨୭
ସେ ଯେ ମମତ୍ତ୍ୱେ ହୋଏ ଛନ୍ନ । ବୋଲଇ ଏ ମୋର ସଦନ ॥ ୨୮
ସେ ନାରୀ ବଶେ ଜୀବ ଥାଇ । ଇନ୍ଦ୍ରିୟ ଭୋଗେ ତୋଷ ହୋଇ ॥ ୨୯
ଇନ୍ଦ୍ରିୟଗଣ ବୁଦ୍ଧି ସଖା । ବିଷୟ ମାନେ ସଖୀ ଲେଖା ॥ ୩୦
ଯେ ଜ୍ଞାନ କର୍ମେନ୍ଦ୍ରିୟ ଗଣେ । ପୁରୁଷେ ଭୋଗ-ବିଷେ ଟାଣେ ॥ ୩୧
ଏ ଜ୍ଞାନ-କର୍ମ-ଇନ୍ଦ୍ରିଦଶ । ଏହାଙ୍କ ଭୋଗେ ଜୀବ ବଶ ॥ ୩୨
ଏ ପାପ ପୁଣ୍ୟ ଆଦି କରି । ବଳେ ଭୁଜ୍ଞଇ କର୍ମ ଧରି ॥ ୩୩
ଏ ପୁର ଦ୍ୱାରୀ ସର୍ପ ଯେହି । ଏ ଦେହେ ପ୍ରାଣ ଅଟେ ସେହି ॥ ୩୪
ସେ ପଞ୍ଚବୃତ୍ତିରେ ସଞ୍ଚାର । ଏଣୁ କହିଲୁଁ ପଞ୍ଚଶିର ॥ ୩୫
ପଞ୍ଚମସ୍ତକ ଏଣୁ ତାର । କହିଲୁ ତେଣୁ ନୃପବର ॥ ୩୬
ମହତ ଭଟ୍ଟ ଯାହା କହି । ମନର ନାମ ଅଟେ ସେହି ॥ ୩୭
ସେ ଦଶଇନ୍ଦ୍ରିଙ୍କ ନାୟକ । ତାକୁ ଜିଣନ୍ତା ନାହିଁ ଲୋକ ॥ ୩୮
ତାକୁ ଜିଣଇ ଯେବେ ଜନ । ସେ ଯୋଗୀ ଏ ତିନି ଭୁବନ ॥ ୩୯
ଉତ୍ତର ଦକ୍ଷିଣ ଯା କହି । ରାଜା ପଞ୍ଚାଳ ଦେଶ ସେହି ॥ ୪୦
ଏ ପଞ୍ଚବିଷୟର ଆଳ । ଏହା ତୁ ବୁଝ ମହୀପାଳ ॥ ୪୧
ଇନ୍ଦ୍ରିୟ ଛିଦ୍ର ଯେତେ କହି । ଏ ପୁରେ ନବଦ୍ୱାର ସେହି ॥ ୪୨
ଏ ବେନି ଚକ୍ଷୁ ନାସା କର୍ଣ୍ଣେ । ଯେ ମୁଖ ଗୁହ୍ୟ ଲିଙ୍ଗ ସ୍ଥାନ ॥ ୪୩
ଏହାକୁ ନବଦ୍ୱାର କହି । ଇନ୍ଦ୍ରିୟଗଣ ସ୍ଥାନ ଏହି ॥ ୪୪
ଏ ସଙ୍ଗେ ଜୀବର ଗମନ । ବିଷୟ କରେ ଆସ୍ୱାଦନ ॥ ୪୫
ନୟନ ମୁଖ ନାସା ତାର । ଏ ପୂର୍ବ ଦିଗ ପଞ୍ଚଦ୍ୱାର ॥ ୪୬
ଉତ୍ତର ଦକ୍ଷିଣ ଯା କହି । ଏ ବେନି କର୍ଣ୍ଣଦ୍ୱାର ସେହି ॥ ୪୭
ପଶ୍ଚିମ ଦିଗେ ବେନି ଦ୍ୱାର । ଏ ଲିଙ୍ଗ ଗୃହ୍ୟ ନୃପବର ॥ ୪୮
ଏ ନବଦ୍ୱାରେଣ ନିର୍ମିତ । ଯେଝା ବିଷୟେ ଆସ୍ୱାଦିତ ॥ ୪୯
ସେବନ୍ତି ଆତ୍ମାରେ ବିହରି । ଏକ ଆରେକ ଆଗସରି ॥ ୫୦
ଖଦ୍ୟୋତା ଆବିର୍ମୁଖୀ ଦୁଇ । ଚକ୍ଷୁର ନାମ ଏ ବୋଲାଇ ॥ ୫୧
ଏ ବେନିଦ୍ୱାରେ ପୁରଞ୍ଜନ । କରଇ ରୂପ ସମ୍ପାଦନ ॥ ୫୨
ନଳିନୀ ନାଳିନୀ ଯେ ଦୁଇ । ନାସିକା ନାମ ସେ ଅଟଇ ॥ ୫୩
ଏ ଦ୍ୱାରେ ଅବଧୂତ ନାମ । ଗନ୍ଧାଦି ଆମୋଦ ପବନ ॥ ୫୪
ସୁଗନ୍ଧ ଦୁର୍ଗନ୍ଧ ସହିତେ । ଏ ଦ୍ୱାରେ ଘେନଇ ନିରତେ ॥ ୫୫
ବଦନ ନାମେ ମୁଖ୍ୟ ଦ୍ୱାର । ରସଜ୍ଞ ବାକ୍ୟ ତା ମଧୁର ॥ ୫୬
ସ୍ୱାଦୁ ଅସ୍ୱାଦୁ ଦ୍ରବ୍ୟ ଯେତେ । ଏ ଦ୍ୱାରେ ଆସ୍ୱାଦେ ନିରତେ ॥ ୫୭
ପିତୃହୂ ଦେବହୂ ଯେ ନାମ । ଏ ବେନି କର୍ଣ୍ଣ ଦକ୍ଷ ବାମ ॥ ୫୮
ପିତୃହୂ ଦକ୍ଷିଣ ଅଟଇ । ଦେହହୂ ବାମେଣ ବସଇ ॥ ୫୯
ଏ ବେନି ଇନ୍ଦ୍ରିୟେ ରାଜନ । ବାକ୍ୟାଦି ରସ ଆସ୍ୱାଦନ ॥ ୬୦
ଏ ସାରାସାର ଭାବ ଯେତେ । ଏ ଦ୍ୱାରେ ଘେନଇ ନିରତେ ॥ ୬୧
ଏ ଶ୍ରୁତିଯୁଗେ ପୁରଞ୍ଜନ । କରଇ ଶବ୍ଦ ଆସ୍ୱାଦନ ॥ ୬୨
ନିନ୍ଦା ସ୍ତବନ ବାକ୍ୟ ଯେତେ । ଏ ଦ୍ୱାରେ ଘେନନ୍ତି ଏ ନିତ୍ୟେ ॥ ୬୩
ପ୍ରବୃତ୍ତି ନିବୃତ୍ତି ଏ ଦୁଇ । ଶାସ୍ତ୍ର ପାଞ୍ଚାଳ ବୋଲି କହି ॥ ୬୪
ଏ ପିତୃଯାନ ଦେବଯାନ । ଗତିରେ କରନ୍ତି ଗମନ ॥ ୬୫
ଏ ମାର୍ଗେ ଥାନ୍ତି ନିରନ୍ତର । ସେ ଇଚ୍ଛା ସୁଖେ ନୃପବର ॥ ୬୬
ଆସୁରୀ ଦ୍ୱାର ଲିଙ୍ଗସ୍ଥାନ । ଦୁର୍ମଦ ଉପସ୍ଥର ନାମ ॥ ୬୭
ବ୍ୟାବାୟ ନାମ ରତି କହି । ପ୍ରଜା ସର୍ଜନ କରେ ତହିଁ ॥ ୬୮
ତା ଅଧୋଭାଗେ ଗୃହ୍ୟଦ୍ୱାର । ନିଋତି ନାମଟି ତାହାର ॥ ୬୯
ବୈଶସ ନାମ ନର୍କ କହି । ସେ ଦ୍ୱାରେ ମଳ ଉତ୍ସର୍ଗଇ ॥ ୭୦
ଅନ୍ଧ ବୋଲି ବୋଇଲୁ ଯାହା । ଏ ପାଣିପାଦ ବୋଲି ତାହା ॥ ୭୧
ଏ ବେନି ଇନ୍ଦି୍ରଙ୍କ ବିଷୟ । କହିବା ଶୁଣ ତା ନିର୍ଣ୍ଣୟ ॥ ୭୨
ଆଦାନ ପ୍ରଦାନ ସେ କରେ । ଯେଝା ବିଷୟ ଅଧିକାରେ ॥ ୭୩
ଦ୍ୱିତୀୟ ଅନ୍ଧ ଯେ ପୟର । କହିବା ଏଥିର ବିଚାର ॥ ୭୪
ଏ ଇନ୍ଦ୍ରି ଯୋଗେ ପୁରଞ୍ଜନ । କାମାର୍ଥେ କରଇ ଗମନ ॥ ୭୫
ଅନ୍ତର ପୁର ବୋଲି ଯାହା । ହୃଦୟପଦ୍ମ କେହି ତାହା ॥ ୭୬
ବିଷୂଚି ନାମଟି ଯାହାର । ଏ ମନ ନାମ ନୃପବର ॥ ୭୭
ତା ବଶେ ଥାଇଣ ପୁରୁଷ । ଭଜଇ ହରଷ ବିରସ ॥ ୭୮
ଏ ଜୀବ ପ୍ରକାଶ୍ୟେ ଚଳଇ । ବୁଦ୍ଧି ଯହିଁକି ପ୍ରବର୍ତ୍ତାଇ ॥ ୭୯
ତା ବଶେ ପୁରୁଷ ଅଧୀନ । କରଇ ନାନା କର୍ମମାନ ॥ ୮୦
ଏ ଦେହ ରଥ ସ୍ୱରୂପେଣ । ତୋତେ କହିଛି ନୃପରାଣ ॥ ୮୧
ଏ ରଥେ ଅଶ୍ୱରୂପ ହୋଇ । ଇନ୍ଦ୍ରିୟଗଣେ ଛନ୍ତି ରହି ॥ ୮୨
ପଞ୍ଚ ବିଷୟ ମାର୍ଗେ ହୟେ । ଗମନ୍ତି ସମ୍ବତ୍ସର ଯାଏ ॥ ୮୩
ଈଶ୍ୱର ଆଜ୍ଞାରେ ନିର୍ମିତ । ଏ ରଥେ ସକଳ ସଂଯୁତ ॥ ୮୪
ଏ ରଥେ ପୁଣ୍ୟ ପାପ ଦୁଇ । ସେ ଚକ୍ର ରୂପେ ତହିଁ ରହି ॥ ୮୫
ଧ୍ୱଜ ସ୍ୱରୂପେ ତିନିଗୁଣ । ରଥ ବନ୍ଧନ ପଞ୍ଚପ୍ରାଣ ॥ ୮୬
ବୁଦ୍ଧି ସାରଥି ରୂପେ ରହି । ଏ ମନ ରଶ୍ମି ଅଟେ ତହିଁ ॥ ୮୭
ହୃଦୟ ପଙ୍କଜରେ ରଥୀ । ବସିବା ଆସନ ତା ତଥି ॥ ୮୮
ରଥ କୂବର ଦ୍ୱନ୍ଦ୍ୱ ଭାର । ଇନ୍ଦ୍ରି ବିଷୟ ତହିଁ ଶର ॥ ୮୯
ସପତ ଧାତୁ ଆବରଣ । ତାର ବିକ୍ରମ ମୂର୍ତ୍ତ ଜାଣ ॥ ୯୦
ଇନ୍ଦ୍ରିୟ ରସେ ରସୁଥାଇ । ସେ ମୃଗତୃଷ୍ଣାରେ ଧାମଇଁ ॥ ୯୧
ଯେ ଯାହା ବିଷୟେ ରସିଣ । ଆସ୍ୱାଦ କରି ଅନୁକ୍ଷଣ ॥ ୯୨
ଧନ୍ୟ ଯେ କର୍ମ ଏହାଙ୍କର । ଦୁର୍ଜୟ ଦୁଷ୍ଟ ଦୁରାଚାର ॥ ୯୩
ଏ ଜୀବ ଭୁଞ୍ଜେ ଇନ୍ଦ୍ରି ମୁଖେ । ଅଜ୍ଞାନ ମତି ମୋହ ଦୁଃଖେ ॥ ୯୪
ମୃଗତୃଷ୍ଣାରେ ଜଳ କରି । ଭୁଞ୍ଜଇ ମାୟା ମିଥ୍ୟା ଭରି ॥ ୯୫
କାଳର ଗତି ନ ଜାଣଇ । ଏ ମାୟାଭୋଗେ ମତ୍ତ ହୋଇ ॥ ୯୬
ଇନ୍ଦ୍ରିଙ୍କ ଅନ୍ୟାୟ ବିଷୟେ । ଭୁଞ୍ଜଇ ମୃଗୟାର ପ୍ରାୟେ ॥ ୯୭
ନିରତେ ହରେ ନିଜ ପ୍ରାଣ । ନ ଜାଣେ ଏ ମୂଢ଼ ଅଜ୍ଞାନ ॥ ୯୮
ଏ ସମ୍ବତ୍ସର ରୂପେ କାଳ । ଚଣ୍ତବେଗ ନାମେ ଭୂପାଳ ॥ ୯୯
ଗନ୍ଧ ଗନ୍ଧର୍ବୀ ଦିବା ନିଶି । ତ୍ରିଶତ-ଷାଠିଏ ପ୍ରକାଶି ॥ ୧୦୦
ଏ ସର୍ବେ କାଳ ସଙ୍ଗେ ଥାନ୍ତି । ଜୀବର ଆୟୁଷ ହରନ୍ତି ॥ ୧୦୧
କାଳ ଦୂହିତା ଯାକୁ କହି । ଜାରର ନାମ ଅଟେ ସେହି ॥ ୧୦୨
ସେ ପ୍ରାଣୀ ରୂପ କାନ୍ତି ହରେ । ଦେଖିଲେ ପ୍ରାଣୀ ତାକୁ ଡରେ ॥ ୧୦୩
ଏଣୁ ତାହାକୁ ପ୍ରାଣୀ ଭଲେ । ବରଣେ କେହି ନ ଇଚ୍ଛଲେ ॥ ୧୦୪
ସେ ମୃତ୍ୟୁ ତାରେ ଭଗ୍ନୀ ପ୍ରାୟେ । ସ୍ନେହେ ଆବୋରି ନିତ୍ୟେ ରହେ ॥ ୧୦୫
ସେ ପ୍ରାଣୀଙ୍କର ରୂପ ହରେ । ମୃତ୍ୟୁର ପର୍ଯ୍ୟନ୍ତ ପୀଡା କରେ ॥ ୧୦୬
ଯବନ ଅଧିପତି ଯେହି । ମୃତ୍ୟୁର ନାମ ଅଟେ ସେହି ॥ ୧୦୭
ଏ ମୃତ୍ୟୁ ଯମ ରୂପ ଧରି । ଜୀବ ବିନାଶେ ଅଧିକାରୀ ॥ ୧୦୮
ଯବନେ ତାର ସେନାପତି । ଏ ଆଧିବ୍ୟାଧି ଯେତେ ଛନ୍ତି ॥ ୧୦୯
ଏ ଜୀବ-ଶରୀରେ ପୀଡନ୍ତି । ଏଣୁ ଏ ମୃତ୍ୟୁର ସଙ୍ଗତି ॥ ୧୧୦
ପ୍ରଜ୍ୱାର ଆଦି ଯେତେ ଜ୍ୱର । ପ୍ରବେଶେ ନାଶନ୍ତି ଶରୀର ॥ ୧୧୧
ବିବିଧ ଦୁଃଖ ତାପତ୍ରୟେ । ପୀଡନ୍ତି ପ୍ରାଣ ଶେଷ ଯାଏ ॥ ୧୧୨
ଶତ ସମ୍ବତ୍ସର ପ୍ରମିତେ । ଶରୀରେ ଥାନ୍ତି ଅବିରତେ ॥ ୧୧୩
ପ୍ରାଣ ଇନ୍ଦ୍ରିୟ ମନ ଧର୍ମ । ନିର୍ଗୁଣ ଆତ୍ମାରେ ଅର୍ପିଣ ॥ ୧୧୪
ଏ କାମ ସୁଖ ଲବ ମାତ୍ରେ । ଭୁଞ୍ଜଇ ଦୁଃଖ ସୁଖ ଗାତ୍ରେ ॥ ୧୧୫
ଏ ମୋର ବୋଲି ଅହଙ୍କାର । ବହିଛି ଦୁଃଖ ନିରନ୍ତର ॥ ୧୧୬
ପରମଆତ୍ମା ଭଗବାନ । ସେ ସର୍ବହେତୁ ଚଇତନ ॥ ୧୧୭
ଯାବତ ତାଙ୍କୁ ନ ଜାଣଇ । ଏ ଜୀବ ଭ୍ରମେ ଭ୍ରମୁଥାଇ ॥ ୧୧୮
ତାବତ ପ୍ରକୃତି ଗୁଣରେ । ଏ ଜୀବ ପଡେ ମାୟା ଘୋରେ ॥ ୧୧୯
ଗୁଣାଭିମାନୀ ନିରନ୍ତରେ । ଅବଶେ କର୍ମରେ ସଞ୍ଚରେ ॥ ୧୨୦
ସାତ୍ତ୍ୱିକ ରଜ ତମ ଆଦି । କର୍ମେ ଯେ ହୋଏ ତ୍ରୟବିଧି ॥ ୧୨୧
ପୁରୁଷ ଯେ କର୍ମ କରଇ । ସେ ଅନୁସାରେ ଦେହ ବହି ॥ ୧୨୨
ସାତ୍ତ୍ୱିକ କର୍ମ ଯେବା କରେ । ଅଧିକ ପ୍ରକାଶ ଲୋକରେ ॥ ୧୨୩
ଏ ତିନିଲୋକେ ଯଶ ତାର । ଗାବନ୍ତି ଦେବାସୁର ନର ॥ ୧୨୪
ରାଜସ କର୍ମ ଯେ କରନ୍ତି । ଆଦ୍ୟରେ ସୁଖ ସେ ଲଭନ୍ତି ॥ ୧୨୫
ପଶ୍ଚାତେ ଲଭେ ବହୁ ଦୁଃଖ । ଏ ଭାବ ନ ଜାଣେ ମୂରୁଖ ॥ ୧୨୬
ତାମସ କର୍ମର ଯେ ଫଳ । ସେ ଶୋକ ଦୁଃଖ ମୋହ ଆଳ ॥ ୧୨୭
ଅଜ୍ଞାନ ଭାବେ ମୂଢଦେହୀ । ସ୍ୱକର୍ମବେଶ ଭ୍ରମୁ ଥାଇ ॥ ୧୨୮
କେବେ ପୁରୁଷ ନାରୀ ହୋଇ । ଏ ଚରାଚର ଭ୍ରମେ ସେହି ॥ ୧୨୯
ନପୁଂସ ଜନ୍ମ କେବେ ଧରେ । ଏ ରୂପେ କର୍ମ ଅନୁସାରେ ॥ ୧୩୦
କେବେ ବା ଦେବତନୁ ପାଇ । ମନୁଷ୍ୟ ଜନ୍ମ କେ ଲଭଇ ॥ ୧୩୧
ଖଗାଦି ପଶୁ ଚରାଚରେ । ସ୍ୱକର୍ମ ଭୁଞ୍ଜନ୍ତି ପାମରେ ॥ ୧୩୨
ପଶୁ ପତଙ୍ଗ କୀଟ ଯେବେ । ଏ ଯୋନି ଲଭେ କର୍ମଭାବେ ॥ ୧୩୩
ଭୁଞ୍ଜନ୍ତି ସ୍ୱକର୍ମ ଆବୋରି । ଏ ପାପ ପୁଣ୍ୟ ଆଦି କରି ॥ ୧୩୪
ଯେସନେ କ୍ଷୁଧାତୁର ହୋଇ । ବିକଳେ କୁକୁର ଭ୍ରମଇ ॥ ୧୩୫
ଆହାର ଅର୍ଥେ ନିରନ୍ତରେ । ଭ୍ରମୁଣ ଥାଇ ନାନା ପୁରେ ॥ ୧୩୬
କାହିଁ ବା ଆହାର ମିଳଇ । କାହିଁ ନିର୍ଘାତେ ଦଣ୍ତ ପାଇ ॥ ୧୩୭
କାହାରି ଚିତ୍ତେ ଦୟା ନାହିଁ । ପଥେ ଗମନ୍ତେ ପୀଡେ କେହି ॥ ୧୩୮
ସର୍ବେ ବୋଲନ୍ତି ମାର ମାର । ଦୁଷ୍ଟ ସଜ୍ଜନ ଆଦି ନର ॥ ୧୩୯
ତା ଭାବେ କର୍ମ ଶତ୍ରୁପଣେ । ନିରତେ ଦଣ୍ତେ ଅନୁକ୍ଷଣେ ॥ ୧୪୦
ପ୍ରାଭବ ଭର୍ତ୍ସନା ଅନେକ । ପାଇ ସେ ଭ୍ରମେ ଅତିରେକ ॥ ୧୪୧
ସେ ରୂପେ ଏ ଜୀବ ସଂଜାତ । ସ୍ୱକର୍ମବଳେ ଆତଜାତ ॥ ୧୪୨
ଏଣୁ ଏ କାମ ଆଶେ ମୋହି । ନିରତେ କର୍ମେ ଭ୍ରମେ ମହୀ ॥ ୧୪୩
କେବେ ବା ଉର୍ଦ୍ଧ୍ୱେ ଭୋଗକରେ । କେବେ ବା ଅଦୋ ମଧ୍ୟ ପୁରେ ॥ ୧୪୪
ଏମନ୍ତ ଉଚ୍ଚ-ନୀଚେ ଭ୍ରମି । କର୍ମ ଭୁଞ୍ଜଇ ଦୁଃଖେ ଶ୍ରମୀ ॥ ୧୪୫
ସ୍ୱବଶ ନୋହେ ପ୍ରିୟା-ପ୍ରିୟେ । କାହିଁବା ଦୁଃଖ-ସୁଖ ଭୟେ ॥ ୧୪୬
କାହିଁ ଦଣ୍ତାଦି ପରାଭବ । କାହିଁ ଐଶ୍ୱର୍ଯ୍ୟ ବଇଭୋଗ ॥ ୧୪୭
ଏ ଦୁଃଖ-ସୁଖାଦି ସହିତେ । ଆତ୍ମା ବନ୍ଧନ ଏ ସଙ୍ଗତେ ॥ ୧୪୮
ଏଣେ ତା ନୋହେ ପ୍ରତିକାର । ଦୁଃସହ ଦୁଃଖ ମହାଘୋର ॥ ୧୪୯
ଯାବତ ତାପତ୍ରୟ ଅଛି । ତାବତ ସୁଖ ନାହିଁ କିଛି ॥ ୧୫୦
ଯେବେ ପ୍ରତିକାର ଇଚ୍ଛଇ । ଅତି ଦୁଃଖରେ ଦୁଃଖୀ ହୋଇ ॥ ୧୫୧
ଯେସନେ ପ୍ରାଣୀ ଶିରଭାର । ଉଶ୍ୱାସି ରଖଇ କନ୍ଧର ॥ ୧୫୨
ସେ କି ତାହାର ଭାର ନୋହେ । ତେସନ ଦୁଃଖ ପ୍ରତି ଦେହେ ॥ ୧୫୩
କର୍ମର କର୍ମଟି କେବଳ । ନୋହେ ଏକାନ୍ତ ପ୍ରତିକାର ॥ ୧୫୪
ଅବିଦ୍ୟା ମାର୍ଗ କର୍ମ ଦୁଇ । କର୍ମେ କି କର୍ମ ନାଶ ହୋଇ ॥ ୧୫୫
ଯେସନେ ଶୟନେ ସ୍ୱପନ । ଦେଖଇ ବିବିଧ ବିଧାନ ॥ ୧୫୬
ପ୍ରତୀତ ହୋଏ ନିଦ୍ରାଗତେ । ଅସତ୍ୟ ମଣେ ତା ଜାଗ୍ରତେ ॥ ୧୫୭
ତେସନେ କର୍ମେ କର୍ମ ନାଶେ । ଧାମଇଁ ମିଥ୍ୟା ଅଭିଳାଷେ ॥ ୧୫୮
ଯାବତ ଆତ୍ମଜ୍ଞାନ ନାହିଁ । ସଂସାରେ ନିବୃତ୍ତି ତା କାହିଁ ॥ ୧୫୯
ଉପାଧି ବିଷୟକୁ ମନ । ବଳେ ଆଣଇ ସନ୍ନିଧାନ ॥ ୧୬୦
ସ୍ୱପନ ପ୍ରତ୍ୟକ୍ଷ ସେ କରେ । କୁମତି-ଜନ ଏ ସଂସାରେ ॥ ୧୬୧
ଅନର୍ଥ ହେତୁ ଏ ସଂସାରେ । ନିରତେ ଘୋର ଭୟଙ୍କର ॥ ୧୬୨
ନିରତେ ଗତାଗତେ ଭ୍ରମି । ଜନ୍ମ-ମରଣେ ପଥ ଶ୍ରମି ॥ ୧୬୩
ଏଣୁ ଜୀବର ପାର ନାହିଁ । ଏ ଚରାଚରେ ଭ୍ରମେ ମୋହି ॥ ୧୬୪
ପରମଗୁରୁ ଭଗବାନ । ତା ପାଦେ ଭକ୍ତି ଭାବେ ଧ୍ୟାନ ॥ ୧୬୫
ତେବେ ଏ ସଂସାର ବିନାଶ । ଏ ବିନେ ବନ୍ଦୀ ମୋହପାଶ ॥ ୧୬୬
ଯାବତ କୃଷ୍ଣ ନ ଭଜଇ । ତାବତ ଜୀବଗତି କାହିଁ ॥ ୧୬୭
ଯେବେ ଭକତି ଯୋଗେ ନର । ଭଜଇ ଗୋବିନ୍ଦ ପୟର ॥ ୧୬୮
ତେବେ ବୈରାଗ୍ୟ ଜ୍ଞାନ ଜାତ । ପ୍ରକାଶି ନାଶଇ ଦୁରିତ ॥ ୧୬୯
ସେ ଜ୍ଞାନେ କୃଷ୍ଣପାଦେ ମତି । ହରି ଭଜନେ ହୋଏ ରତି ॥ ୧୭୦
ଶ୍ରଦ୍ଧାନୁଭାବେ ଗୁଣ ଗାଇ । ରୋମ ପୁଲକେ ଅଶ୍ରୁବହି ॥ ୧୭୧
ଜ୍ଞାନ-ଭକତି-ଯୋଗାନଳେ । ଦହନ ହୋନ୍ତି ଅମଙ୍ଗଳେ ॥ ୧୭୨
ତେବେ ସେ ଜ୍ଞାନଯୋଗେ ହରି । ଲଭଇ କର୍ମ ପରିହିର ॥ ୧୭୩
ଯେ ଭଗବତ ସାଧୁଜନେ । ବିଶ୍ରାମ କରନ୍ତି ଯେ ସ୍ଥାନେ ॥ ୧୭୪
କୃଷ୍ଣ ଚରିତ ଅନୁକ୍ଷଣେ । ଗାବନ୍ତି ଶୁଣନ୍ତି ଶ୍ରବଣେ ॥ ୧୭୫
ବିଷୟ ସୁଖ ଘେନନ୍ତି । ନିରତେ ନାମ ଆସ୍ୱାଦନ୍ତି ॥ ୧୭୬
ସେ ସ୍ଥାନେ ନାମ-ସୁଧା-ନଈ । ଶ୍ରବଣେ ସର୍ବଦିଗେ ଯାଇ ॥ ୧୭୭
ପବିତ୍ର କରେ ତ୍ରିଭୁବନ । ଶ୍ରୋତା ବକତା ଯେତେ ଜନ ॥ ୧୭୮
ଶ୍ରବଣେ ପଶି ପାପ ଦହେ । ଛାଡଇ ଜନ୍ମ ମୃତ୍ୟୁ ଭୟେ ॥ ୧୭୯
ଅନଳ ସ୍ପରଶେ ଯେସନ । ଦହଇ ସୂକ୍ଷ୍ମ-ବସ୍ତ୍ର-ମାନ ॥ ୧୮୦
ଯେ ଶ୍ରୁତିଦ୍ୱାରେ ତା ପିବନ୍ତି । ଏ ମାୟାବନ୍ଧୁ ନିସ୍ତରନ୍ତି ॥ ୧୮୧
ଏ ଶୋକ ମୋହ ପରିହରେ । ସ୍ୱଚ୍ଛନ୍ଦେ ଭବବନ୍ଧୁ ତରେ ॥ ୧୮୨
ଯେଣୁ ଅଜ୍ଞାନ ଶୋକ ମୋହେ । ବିବେକହୀନେ ଦୁଃଖ ସହେ ॥ ୧୮୩
ଏଣୁ ଶ୍ରୀକୃଷ୍ଣେ ନୋହେ ରତି । ତା ନାମେ ନ ବଳଇ ମତି ॥ ୧୮୪
ଭ୍ରମେ ଭ୍ରମଇ ତାର ମନ । ନୁହଇ ନିଜ ଆତ୍ମଜ୍ଞାନ ॥ ୧୮୫
କୃଷ୍ଣ ସ୍ମରଣ ନ ସ୍ଫୁରଇ । ଅଜ୍ଞାନ ଜଡଭାବେ ଥାଇ ॥ ୧୮୬
ଯାବତ ସାଧୁସଙ୍ଗ ତାର । ନୋହିଛି ଶୁଣ ନୃପବର ॥ ୧୮୭
ତାବତ ନୋହେ ସଦଗତି । ଯଜ୍ଞାଦି କର୍ମେ ନ ତରନ୍ତି ॥ ୧୮୮
ନିଶ୍ଚୟେ କହିଲୁ ରାଜନ । ସତ୍ସଙ୍ଗ ଭକ୍ତି ଉପାଦାନ ॥ ୧୮୯
କୃଷ୍ଣ ପ୍ରାପତ ମାର୍ଗ ଏହି । ଅନ୍ୟତ୍ର ଜୀବଗତି ନାହିଁ ॥ ୧୯୦
ଯେ ସଙ୍ଗୁ ଭବାର୍ଣ୍ଣବ ପାର । ଅଶେଷ ଯେ ମାର୍ଗେ ନିସ୍ତାର ॥ ୧୯୧
ବ୍ରହ୍ମା ଶଙ୍କର ଦକ୍ଷ ମନୁ । ବିଶୁଦ୍ଧ ସନକାଦି ତନୁ ॥ ୧୯୨
ମରୀଚି ଅତ୍ରି ଅଙ୍ଗିରସ । ପୁଲହ ପୁଲସ୍ତ୍ୟ ପ୍ରକାଶ ॥ ୧୯୩
କ୍ରତୁ ଅଗସ୍ତି ବଶିଷ୍ଠାଦି । ଅପରେ ଯେତେ ବ୍ରହ୍ମବାଦୀ ॥ ୧୯୪
ଭୃଗ୍ୱାଦି ଆମ୍ଭେ ଯେତେ ମୁନି । ଅଦ୍ୟାପି ନ ପାରିଲୁ ଚିହ୍ନି ॥ ୧୯୫
ଆମ୍ଭେ ସମାଧି ଯୋଗବଳେ । ଦେଖି ନ ଦେଖୁଁ ତାଙ୍କୁ ଡୋଳେ ॥ ୧୯୬
ସେ ଦେଖି ଦେଖାନ୍ତି ସର୍ବକୁ । ଦୃଷ୍ଟିର ଦୃଷ୍ଟି ବୋଲି ତାଙ୍କୁ ॥ ୧୯୭
ସେ ଆତ୍ମା ସର୍ବଜୀବ ହେତୁ । ଜୀବ ଭ୍ରମେ ନ ଜାଣି ତତ୍ତ୍ୱ ॥ ୧୯୮
ଯେ ବେଦଶାସ୍ତ୍ରେ ଅଗୋଚର । ଅଦୃଶ୍ୟ ଅତସୂକ୍ଷ୍ମତର ॥ ୧୯୯
ଏଣୁ କେ ବେଦମାର୍ଗେ ଜାଣେ । ଅବ୍ୟକ୍ତ ବ୍ରହ୍ମ ସୁରଗଣେ ॥ ୨୦୦
ସେ ବେଦ ଦୁସ୍ତର ବିସ୍ତାର । ତାହାରନ ନାହିଁ ଅନ୍ତଃ ପାର ॥ ୨୦୧
ବେଦବିହିତ ଯେତେ କର୍ମ । ଯଜ୍ଞ ଆଚରି ମୁନି ଭ୍ରମ ॥ ୨୦୨
କ୍ଷୀଣ ମନ୍ତ୍ରେ ଲିଙ୍ଗ ଦେବତା । ବାଞ୍ଛନ୍ତି ଧ୍ୟାନେ କର୍ମେ ଶ୍ରୋତା ॥ ୨୦୩
ଋତି ନିମନ୍ତେ କର୍ମଫଳ । କର୍ମ ବିନାଶେ ଜ୍ଞାନବଳ ॥ ୨୦୪
ମଳିନ ବୁଦ୍ଧି ଯେବା ହୋନ୍ତି । ସେମାନେ ବେଦ କର୍ମ ଚିନ୍ତି ॥ ୨୦୫
ଇନ୍ଦ୍ରାଦି ଦେବଙ୍କୁ ପୂଜନ୍ତି । ଏଣୁ ଏ ବ୍ରହ୍ମ ନ ଜାଣନ୍ତି ॥ ୨୦୬
ଅଜ୍ଞାନୀ ବୋଲି ତାଙ୍କୁ ଜାଣ । ଯେ ଆତ୍ମା ନ କଲା ପ୍ରମାଣ ॥ ୨୦୭
ଯାହାର ଆତ୍ମାଜ୍ଞାନ ନାହିଁ । ସଂସାରୁ ସେ ତରିବ କାହିଁ ॥ ୨୦୮
ସେ ହରି ଯାରେ କରେ ଦୟେ । ତା ମତି ବେଦେ ନିଷ୍ଠା ନୋହେ ॥ ୨୦୯
ସେ ଆତ୍ମାତତ୍ତ୍ୱେ ହରି ପାଇ । ତାହା ନବୁଝି କର୍ମେ ବାଇ ॥ ୨୧୦
ତୁ ରାଜା କର୍ମକାଣ୍ତେ ଭୋଳ । ତୋ ଯଜ୍ଞକର୍ମୁ ମହୀସ୍ଥଳ ॥ ୨୧୧
ଅଚ୍ଛାଦି ପ୍ରାଚୀନଗ୍ର ତୋର । କୁଶେ ପୂରିଲା ନୃପବର ॥ ୨୧୨
ପ୍ରଜାଏ ଶସ୍ୟ କରଷଣେ । ନ ପାରି କ୍ଷୁଧା ପ୍ରତୋଷଣେ ॥ ୨୧୩
ଅନ୍ନ ବିହୀନେ ସର୍ବଜନ୍ତୁ । ଦୁର୍ଭିକ୍ଷେ ମଲେ ତୋର ହେତୁ ॥ ୨୧୪
ଏ ସର୍ବଜୀବ ବିନାଶିଲୁ । ଏ ହତ୍ୟା ଦୋଷେ ଭାଗୀ ଦେଲୁ ॥ ୨୧୫
ତୁ ବିପ୍ରବାକ୍ୟେ ବିମୋହିତ । ନ ଜାଣି ବେଦର ବୃତ୍ତାନ୍ତ ॥ ୨୧୬
ଏ ଯଜ୍ଞକର୍ମେ ହେଲୁ ଅନ୍ଧ । ନ ଜାଣୁ ତୁ ଆମବା ଦୁର୍ବୋଧ ॥ ୨୧୭
ଯେ କର୍ମ ମୋକ୍ଷ ମାର୍ଗଦୂର । ତୁ ତାହା ନ କଲୁ ବିଚାର ॥ ୨୧୮
ପରମତତ୍ତ୍ୱେ ନୋହେ ମତି । ଲଭିବୁ ଦୁଃସହ ଦୁର୍ଗତି ॥ ୨୧୯
ଏ ବିପ୍ରେ ତୋ ହିତ ନ ଜାଣି । ନରକ ମାର୍ଗେ ତୋତେ ଟାରି ॥ ୨୨୦
ଏହାଙ୍କ ବାକ୍ୟେ ତୁ ରାଜନ । ଭ୍ରମେ ହୋଇଲୁ ହତଜ୍ଞାନ ॥ ୨୨୧
ତୁ ଗୃହ-କୂପେ ଜନ୍ମଅନ୍ଧ । ଏ ବିପ୍ରେ କର୍ମକାଣ୍ତେ ବଦ୍ଧ ॥ ୨୨୨
ଅନ୍ଧକୁ ଅନ୍ଧ ପଥ କହି । ସେ ଯେହ୍ନେ କାର୍ଯ୍ୟେ ନ ଘଟଇ ॥ ୨୨୩
ତେସନେ ଏହାଙ୍କ ବଚନ । ହେ ରାଜା ଚିତ୍ତେ ତୁ ନ ଘେନ ॥ ୨୨୪
ତୋତେ ଭଣ୍ତିଲେ ଧନ ଆଶେ । ଇନ୍ଦ୍ରିୟ-ସୁଖ ଗୃହବାସେ ॥ ୨୨୫
ତୋ ପୂର୍ବପୁଣ୍ୟ ବିନାଶିଲେ । ଜୀବ ହିଂସନେ ଶିକ୍ଷା ଦେଲେ ॥ ୨୨୬
ହରି ଆଶ୍ରିତ ର୍କମ ଯେତେ । ନ କହି ଭ୍ରମାଇଲେ ତୋତେ ॥ ୨୨୭
ଏ ବିପ୍ରେ ନ ଜାଣନ୍ତି ତାହା । ତେଣୁ ଭଣ୍ତିଲେ ନରନାହା ॥ ୨୨୮
ତୁ ତର୍କି ନ ପାରି ରାଜନ । ବିଅର୍ଥେ ଗଲା ତୋର ଦିନ ॥ ୨୨୯
ଯେ କର୍ମେ ହରି ତୋଷ ହୋଏ । ତାହାକୁ କର୍ମ ବୋଲି ରାୟେ ॥ ୨୩୦
ଉତ୍ତମ ବିଦ୍ୟା ହେ ରାଜନ । ଯେ ହରି କରନ୍ତି ଭଜନ ॥ ୨୩୧
ଜ୍ଞାନୀଙ୍କ ମଧ୍ୟେ ସେହୁ ବର । ଯେ ହରିକର୍ମେ ତତପର ॥ ୨୩୨
ଯଜ୍ଞାଦି ଦାନ ପୁଣ୍ୟ ସେହି । ଯେବେ ଜୀବରେ ଦୟା ବହି ॥ ୨୩୩
ସର୍ବଭୂତରେ ଆତ୍ମା ହରି । ପ୍ରକୃତି ସ୍ୱରୂପେ ବିହରି ॥ ୨୩୪
ସେ ଏକ ଆତ୍ମା ବେନି ଅଂଶ । ପ୍ରକୃତି ଭେଦେ ବହୁ ଦୃଶ୍ୟ ॥ ୨୩୫
ଏମନ୍ତ ହରିରେ ଶରଣ । ତୁ ଯାଇ ପଶ ନୁପରାଣ ॥ ୨୩୬
ସେ ସର୍ବଆତ୍ମା ପ୍ରିୟ ହରି । ଯାନାମ ଆଶ୍ରେ ଭବୁ ତରି ॥ ୨୩୭
ସେ କାଳଭୟ ବିନାଶନ୍ତି । ନିର୍ଭୟେ ନିଶ୍ଚିନ୍ତେ ରହନ୍ତି ॥ ୨୩୮
ଏ କତା ଯେ ବୁଝେ ପଣ୍ତିତ । ସେ ସର୍ବ ଚାରୁଟି ଅଚ୍ୟୁତ ॥ ୨୩୯
ତୁମ୍ଭର ସନ୍ଦେହ ଫେଡିଲୁ । ଏ ଆତ୍ମଜ୍ଞାନ ଶିକ୍ଷା ଦେଲୁ ॥ ୨୪୦
ଅପରେ ଗୁପ୍ତ ଦୃଷ୍ଟାନ୍ତର । ତୋତେ କହିବା ନୃପବର ॥ ୨୪୧
ତା ତୋତେ ବୁଝାନ୍ତେ ରାଜନ । ତେବେ ନୋହିଲା ତୋର ଜ୍ଞାନ ॥ ୨୪୨
କୁସୁମବାଡି ମଧ୍ୟେ ମୃଗ । ଇଚ୍ଛଇ ମଇଥୁନ ଯୋଗ ॥ ୨୪୩
ହରିଣୀ ବଶେ ବଶ ହୋଇ । ଅଜ୍ଞାନେ ମୃତ୍ୟୁ ନ ଜାଣଇ ॥ ୨୪୪
ଅଳପ ସୁଖ-ଲୋଭେ ମତି । ଭ୍ରମର-ଗୀତେ ଡେରି ଶ୍ରୁତି ॥ ୨୪୫
ତା ଅଗ୍ରେ ବୃକମାନେ ଛନ୍ତି । ତା ମାଂସ ଭକ୍ଷଣ କରନ୍ତି ॥ ୨୪୬
ତାହାଙ୍କ ମୁଖକୁ ରାଜନ । ସତ୍ୱରେ କରଇ ଗମନ ॥ ୨୪୭
ତା ପଚ୍ଛେ ବ୍ୟାଧ ଗୋଡାଇଛି । ସଘନେ ବାଣ ସେ ବିନ୍ଧୁଛି ॥ ୨୪୮
ତାହାକୁ ନ କରିଣ ଭୟେ । ଆନନ୍ଦେ ମୃଗୀରସେ ରହେ ॥ ୨୪୯
ଭେଦିଣ ବ୍ୟାଧ ତୀକ୍ଷ୍ଣ ଶର । ମିଳାଇ ଅର୍ଦ୍ଧ ତା ଶରୀର ॥ ୨୫୦
ଗଲା ନ ଜାଣେ କାମସୁଖେ । ତେବେ ଉଛୁଛି ଲତା ଭକ୍ଷେ ॥ ୨୫୧
କାହାକୁ ନ କରିଣ ଭୟେ । ସଧୀରେ ଲତା ବୃକ୍ଷୁ ଖାଏ ॥ ୨୫୨
ଏମନ୍ତ ମୃଗ କେ ରାଜନ । ବିବେକୀ ଖୋଜ ତୁ ବହନ ॥ ୨୫୩
ତେବେ ଜାଣିବା ସୀଧୁମତି । ବିଷୟ ରସ ତ୍ୟାଗ ଗତି ॥ ୨୫୪
ଏ ଅନୁଭବ ବୁଝି ରାୟେ । ବିବେକୀ ଜାଣିବୁ ଥୋକାଏ ॥ ୨୫୫
ତା ଶୁଣି ସଂଭ୍ରମେ ରାଜନ । ମୁନିଙ୍କି ଚାହିଁ ତୋଷମନ ॥ ୨୫୬
କହେ ବିନୟ ଶୁଦ୍ଧଚିତ୍ତେ । ଅତି ଆନନ୍ଦେ ହରଷିତେ ॥ ୨୫୭
ରାଜା ଉବାଚ
ଆମ୍ଭର ଏଣେ ନାହିଁ ମତି । ବିବେକୀ ନୋହେ ଆତ୍ମଗତି ॥ ୨୫୮
ଯେବେ ମୋହେରେ ଦୟା ବହୁ । ଏ କଥା ଫେଡି ମୋତେ କହ ॥ ୨୫୯
ତୁମ୍ଭେ ଦୟାଳୁ ଯୋଗେଶ୍ୱର । ସକଳ ଘଟେ ଦୟାପର ॥ ୨୬୦
ମୁଁ ବୁଝି ନ ପାରିଲି ଚିତ୍ତେ । ଛାଡୁ ସଂଶୟ କହ ମୋତେ ॥ ୨୬୧
କେ ମୃଗ ବୃକ ବ୍ୟାଧ କେହି । ଭୋ ମୁନିବର ଦେବା କହି ॥ ୨୬୨
ନାରଦ ଉବାଚ
ଶୁଣ ରାଜନ ଶୁଦ୍ଧଚିତ୍ତେ । ତା ଫେଡି କହିଦେବା ତୋତେ ॥ ୨୬୩
ହେ ରାଜା ମୃଗରୂପ ତୁହି । ତୋ ପତ୍ନୀଗଣେ ପୁଷ୍ପଦେହୀ ॥ ୨୬୪
ସେ ତୋତେ ବେଢି ଅଗ୍ରେଛନ୍ତି । ତୋ ପ୍ରାଣ ବିବାଦେ ନାଶନ୍ତି ॥ ୨୬୫
ତୁ ତାହା ତର୍କି ନ ପାରିଲୁ । ସୁବେଶେ ତାହାଙ୍କୁ ପୂଜିଲୁ ॥ ୨୬୬
ସର୍ପାଗ୍ନି ସ୍ତିରୀ ଯେ ଦୁର୍ଜନ । ବିଶ୍ୱାସ ନ ଯିବ ଏମାନ ॥ ୨୬୭
ତାଙ୍କ ବଶେ ନିମଜ୍ଜିଲୁ । ପ୍ରାଣୁ ଅଧିକ ସ୍ନେହ କଲୁ ॥ ୨୬୮
ସେ ତୋର ବଶ କଲେ ମନ । ବନ୍ଧନେ ପଶୁଏ ଯେସନ ॥ ୨୬୯
ଏ ତୋତେ ନିଶ୍ଚୟ ନାଶିବେ । ତୋ ସ୍ନେହଭରେ ପ୍ରାଣ ନେବେ ॥ ୨୭୦
ଏ ସଙ୍ଗଦୋଷୁ ନୃପବର । ହୋଇବ ମୋକ୍ଷମାର୍ଗ ଦୂର ॥ ୨୭୧
ତୁ ଅନୁଭବେ ବୁଝ ଏବେ । ତୋତେ କହିବା ଫେଡି ଭାବେ ॥ ୨୭୨
କୁସୁମବନ ବୋଲି ଯାହା । ନାରୀଙ୍କ ଧର୍ମ କହି ତାହା ॥ ୨୭୩
ତା ସଙ୍ଗେ ଏ ପୁରୁଷବର । କରଇ ଅଜ୍ଞାନେ ବିହାର ॥ ୨୭୪
ବିଷୟ ସୁଖେ ଉନମତ୍ତ । ସୁରତି ରସେ ଦେଇ ଚିତ୍ତ ॥ ୨୭୫
ଭ୍ରମରେ ଯେହ୍ନେ ଗୁଞ୍ଜରନ୍ତି । ତେସନେ ଯୁବତୀ ଭାଷନ୍ତି ॥ ୨୭୬
ସେ ବାକ୍ୟେ କର୍ଣ୍ଣ ଡେରିଥାଇ । କାଳ-ବୃକକୁ ଭୟ ନାହିଁ ॥ ୨୭୭
ତା ପଛେ କାଳ ଗୋଡାଇଛି । ଏକଥା ଜୀବ ନ ବୁଝୁଛି ॥ ୨୭୮
ଏବେ ତୁ ବୁଝ ମହୀପତି । ଏ ମୃଗତୃଷ୍ଣା ଜୀବଗତି ॥ ୨୭୯
ଆପଣେ ଚିତ୍ତେ ତୁ ବିଚାର । ଏମନ୍ତ ବୁଦ୍ଧି ଦୃଢ଼େ ଧର ॥ ୨୮୦
ଶ୍ରବଣ ନଦେଇ ବିଷୟେ । ଏ ସର୍ବହିତେ କର ଲୟେ ॥ ୨୮୧
କାମୁକ କାମ ସୁଖ ପାଇଁ । ଗୃହ-କାରଣେ ବନ୍ଦୀ ହୋଇ ॥ ୨୮୨
ଯେହ୍ନେ ମଧୁପ ମଧୁ ଆଶେ । ଲୋଭେ ବନ୍ଧନ ପଦ୍ମକୋଷେ ॥ ୨୮୩
ଅବଶେ ସ୍ନେହ ନ ତେଜିଲା । ପଦ୍ମ ମୁଦ୍ରିତେ ପ୍ରାଣ ଦେଲା ॥ ୨୮୪
ସେ ରୂପେ ସ୍ତିରୀ ମୁଖାମ୍ବୁଜେ । ଯହିଁ ଯୋଗୀନ୍ଦ୍ର ଯୋଗ ଭାଞ୍ଜେ ॥ ୨୮୫
ପୁଣ୍ୟାଦି କର୍ମ କରେ ନାଶ । ଏଣୁ ସ୍ତିରୀସଙ୍କ ଦୋଷ ॥ ୨୮୬
ସତ୍ୟ ଶଉଚ ଦୟା ଧର୍ମ । ଅପରେ ଯେବା ଶ୍ରେୟକର୍ମ ॥ ୨୮୭
ଏ ସର୍ବ କରଇ ବିନାଶ । ସେ ସଙ୍ଗେ ନାହିଁ ସୁଖ ଲୋ ॥ ୨୮୮
ତୁ ଗୃହ ଛାଡି ହରି ଭଜ । ବିଷୟ କର୍ମ ଦୂରେ ତେଜ ॥ ୨୮୯
ରାଜା ଉବାଚ
ତା ଶୁଣି ବୋଲଇ ରାଜନ । ଭୋ ମୁନି ଏ ତୁମ୍ଭ ବଚନ ॥ ୨୯୦
ବିଚାରି ବୁଝିଲଇଁ ଚିତ୍ତେ । ମୋ ରାଜ୍ୟେ ବିପ୍ରେ ଛନ୍ତି ଯେତେ ॥ ୨୯୧
ଏ ସର୍ବେ ନ ଜାଣନ୍ତି ଜ୍ଞାନ । ବିଦ୍ୟା ବିଭ୍ରମେ ଅଭିମାନ ॥ ୨୯୨
ସେ ଯବେ ଜାଣନ୍ତେ ନା ଏହା । କିମ୍ପାଇ ନ କହନ୍ତେ ତାହା ॥ ୨୯୩
ଏଣୁ ଏ କର୍ମେ ମୋତେ ଟେକି । ଯେଣୁ ଅଟନ୍ତି ଅବିବେକୀ ॥ ୨୯୪
ଭୋ ମୁନି ତୁମ୍ଭ ପ୍ରାୟେ ଯେତେ । ସାଧୁଏ ଅଛନ୍ତି ଜଗତେ ॥ ୨୯୫
ସେ ତୁମ୍ଭ ପ୍ରାୟେ ଦୟା କରି । କେହି ନ ଆସନ୍ତି ମୋ ପୁରୀ ॥ ୨୯୬
ଏ କଥା କହ ମୁନିବର । ମୋର ସଂଶୟ ହେଉ ଦୂର ॥ ୨୯୭
ଏମନ୍ତେ ଦେବ ମହାଋଷି । କହନ୍ତି ତା ବାକ୍ୟ ପ୍ରଶଂସି ॥ ୨୯୮
ନାରଦ ଉବାଚ
ତୁ ଯାହା ପୁଚ୍ଛିଲୁ ରାଜନ । କହିବା ଏଥିର ବିଧାନ ॥ ୨୯୯
ଯେ ପଦ୍ମନାଭ ପଦାଶ୍ରିତ । ତେଣେ ଭାବିତ ଯାର ଚିତ୍ତ ॥ ୩୦୦
ସ୍ୱର୍ଗାପବର୍ଗ ତୁଚ୍ଛ ମଣି । ତୋ ରାଜଭୋଗ ମୃତ୍ୟୁ ଗଣି ॥ ୩୦୧
ଏଣୁ ସାଧବେ ତାହା ଦେଖି । ଭୟେ ବିମୁଖ ତା ଉପେକ୍ଷି ॥ ୩୦୨
ଆତ୍ମା ବିଯୋଗେ ପିଣ୍ତ ଯେହ୍ନେ । ସଭୟେ ତେଜନ୍ତି ଯେସନେ ॥ ୩୦୩
ତେସନେ ଏ ରାଜ-ବିଭୂତି । ଭୟେ ସାଧବେ ନ ଇଚ୍ଛନ୍ତି ॥ ୩୦୪
ତୁ ରାଜା ଚିତ୍ତେ ପରିମାଣ । ଭୋଗାଦି ଅନର୍ଥ କାରଣ ॥ ୩୦୫
ତା ଶୁଣି ସଂଭ୍ରମେ ରାଜନ । ଚିନ୍ତା ବିମୁଖେ ଖେଦମନ ॥ ୩୦୬
ରାଜା ଉବାଚ
ଏ ବିପ୍ରଗଣେ ଅନୁକ୍ଷଣେ । କହନ୍ତି ଯଜ୍ଞାଦି କାରଣେ ॥ ୩୦୭
ଏହାଙ୍କ ଶିକ୍ଷା କର୍ମ ଯେତେ । ଛାଡିଲା ତୁମ୍ଭ ବାକ୍ୟମତେ ॥ ୩୦୮
ଏ କର୍ମେ ଯୋଗୀଜନ ମୋହେ । ଏଣୁ ପ୍ରତୀତ ସର୍ବଠାଏ ॥ ୩୦୯
ଏକ ସଂଶୟ ମୋର ଅଛି । ଭୋ ମୁନି କହ ପଚାରୁଛି ॥ ୩୧୦
ଯେ ଦେହେ ପ୍ରାଣୀ କର୍ମକରେ । ତା ଛାଡି ପରଲୋକେ ଗଲେ ॥ ୩୧୧
କର୍ମ ଭୁଞ୍ଜଇ ଅନ୍ୟ ଦେହେ । ଏକଥା ସର୍ବବେଦ କହେ ॥ ୩୧୨
କର୍ତ୍ତା ଭୋକତା ବେନି ଭେଦ । ଏ ବେନି ସଂଶୟ ମୋ ଛେଦ ॥ ୩୧୩
ଫେଡିଣ କହିବା ଗୋସାଇଁ । ଆବର ସଂଶୟ ଅଛଇ ॥ ୩୧୪
ତାହା ପୁଚ୍ଛଇ ମୂଢ଼ଭାବେ । ମୋ ମନ ସୁମରୁଛି ଏବେ ॥ ୩୧୫
ବେଦ ବିହିତ ଯେତେ କର୍ମ । ଲୋକ ଆଚରେ ବିଧିଧର୍ମ ॥ ୩୧୬
କର୍ମ ଉତ୍ତାରେ ତା ନ ଜାଣି । କି ରୂପେ କର୍ମ ଭୁଞ୍ଜେ ପ୍ରାଣୀ ॥ ୩୧୭
ଅଦୃଷ୍ଟ କର୍ମେ ସଂଯୋଗଇ । ଏଣେ ସଂଶୟ ମୋର ହୋଇ ॥ ୩୧୮
ଏମନ୍ତ ରାଜା ମୁଖୁ ଶୁଣି । ନାରଦ କହେ ମନେ ଗୁଣି ॥ ୩୧୯
ନାରଦ ଉବାଚ
ଶୁଣ କହିବା ନୃପରାଣ । ଏ ବେନି ସଂଶୟ ଫେଡିଣ ॥ ୩୨୦
ଯେ ଦେହେ ଜୀବ କର୍ମ କରେ । ପରଲୋକେ ତା ଭୋଗ କରେ ॥ ୩୨୧
ଯେ ପାପପୁଣ୍ୟ ତାର ଥାଇ । ସେକାଳେ ତାହା ସେ ଭୁଞ୍ଜଇ ॥ ୩୨୨
ଏ ସ୍ଥୂଳଦେହ ଗଲେ ନାଶ । ଏ ଲିଙ୍ଗ ଅନ୍ୟ ଦେହେ ବାସ ॥ ୩୨୩
କର୍ତ୍ତା ଭୋକତା ନୋହେ ଭିନ୍ନ । ସ୍ୱପ୍ନେ ଦୃଷ୍ଟାନ୍ତର ଯେସନେ ॥ ୩୨୪
ଶୟନେ ଦେହ ପଡ଼ିଥାଇ । ଶ୍ୱାସ କ୍ଷେପଣ ନ ଜାଣଇ ॥ ୩୨୫
ଏ ଦେହ ସ୍ନେହ ପରିହରି । ଏ ମନ ଲିଙ୍ଗଦେହ ଧରି ॥ ୩୨୬
ଅନ୍ୟଭୂତ କର୍ମ ବ୍ୟାପାର । ଏ ମନ କରେ ଅଙ୍ଗୀକାର ॥ ୩୨୭
ଏ ମନ୍ତ ଜାଣି ଦୃଷ୍ଟାନ୍ତରେ । ଏମନ୍ତ ଅନ୍ୟତ୍ର ଶରୀରେ ॥ ୩୨୮
ଧରିଣ ସ୍ଥୁଳଦେହ ମନ । ମୁଁ କୁଳଶ୍ରେଷ୍ଠ ବିଦ୍ୱଜ୍ଜନ ॥ ୩୨୯
ଏ ପୁତ୍ର-ଦାରାଦି ମନ୍ଦିର । ବୋଲିଣ କରେ ଅହଙ୍କାର ॥ ୩୩୦
ଏ ଅଭିମାନ କର୍ମ କରେ । ସ୍ୱକର୍ମ ବଶେ ଦେହ ଧରେ ॥ ୩୩୧
କର୍ମ ନ ଥିଲେ ଜନ୍ମ ନାହିଁ । ତା ପୂର୍ବକର୍ମ ଭୋଗ କାହିଁ ॥ ୩୩୨
ଏ ମନ ଲିଙ୍ଗ ଦେହ ବେନି । ଭୋଗାର୍ଥେ ସ୍ଥୂଳ ଦେହ ଘେନି ॥ ୩୩୩
ଯାହା ତୁ ପୁଚ୍ଛିଲୁ ନୃପତି । ବିନଷ୍ଟକର୍ମ ଉତପତ୍ତି ॥ ୩୩୪
ତା ଫେଡି କହିବାକ ତୋତେ । ସଂଶୟ ଫିଟିବ ଯେମନ୍ତେ ॥ ୩୩୫
ଏ ଜ୍ଞାନ କର୍ମ ଭେଦେ ଦୁଇ । ଇନ୍ଦ୍ରିୟ କର୍ମାଦି କରଇ ॥ ୩୩୬
ଏ ପୁଣ୍ୟପାପାଦି ବିଷୟ । କରଇ ଏ ମନ ଇନ୍ଦ୍ରିୟ ॥ ୩୩୭
ଚିତ୍ତ ବିଷୟ କର୍ମ ଜାଣି । ନୋହିଲେ କେବା ପରିମାଣି ॥ ୩୩୮
ଏ ରୂପେ ଜାଣ ଚିତ୍ତବୁଦ୍ଧି । ଭୂଞ୍ଜଇ ପୂର୍ବକର୍ମ ସିଦ୍ଧି ॥ ୩୩୯
କର୍ମ ନ ଥିଲେ ଭୋଗ କାହିଁ । ବିବେକୀ ବୁଝ ନରସାଇଁ ॥ ୩୪୦
ଏ ପ୍ରତିଲକ୍ଷ୍ୟେ ଦୃଷ୍ଟାନ୍ତର । ତୋତେ କହିବା ନୃପବର ॥ ୩୪୧
ତୋ ଅନ୍ୟ ଦେହ ଥାଉଁ ଏବେ । ଏ ଦେହେ ବୁଝ ଅନୁଭବେ ॥ ୩୪୨
ଜାଗ୍ରତେ ଯେତେ ରୂପମାନ । ଏ ଦେହେ ଭାବିଥାଇ ମନ ॥ ୩୪୩
ଦୃଷ୍ଟି ଶ୍ରବଣେ ଯେ ବିଷୟ । ସ୍ୱପନ ଗତେ ସେ ଉଦୟ ॥ ୩୪୪
ଏ ଲିଙ୍ଗଦେହ ଧରି ମନ । ବିଷୟକର୍ମ କରେ ଧ୍ୟାନ ॥ ୩୪୫
ବିଷୟକର୍ମେ ହୋଇ ବଶ । ଆନନ୍ଦେ ଘେନେ ଭୋଗରସ ॥ ୩୪୬
ଯେ କଥା ଅନୁଭବି ନାହିଁ । ସ୍ୱପନେ ଦେଖିବ ତା କାହିଁ ॥ ୩୪୭
ଏହାର ପୂର୍ବକର୍ମ ଦୋଷ । ଯାବତ ନୋହିଛି ବିନାଶ ॥ ୩୪୮
ତା ଅନ୍ୟଦେହେ ଭୋଗ କରେ । ସେ ଶୁଭାଶୁଭ ତା ବେଭାରେ ॥ ୩୪୯
ପୂର୍ବ ଅକର୍ମ- ଦୋଷେ ଜୀବ । ଜନ୍ମି ଲଭଇ ମୂଢ଼ଭାବ ॥ ୩୫୦
ଫଳାନୁସାରେ ଦେହ ପାଇ । ପୁଣ ସେ କର୍ମେ ପ୍ରବେଶଇ ॥ ୩୫୧
ଯାହା ଏ ଅନୁଭବି ନାହିଁ । ଏ ମନ ଚୁଇଁବ ତା କାହିଁ ॥ ୩୫୨
ଶୁଣ ରାଜନ ସାବଧାନ । ସକଳ କର୍ମେ ସାକ୍ଷୀ ମନ ॥ ୩୫୩
ମନଟି ସୁଖଦୁଃଖଦାତା । ଏ ପାପପୁଣ୍ୟର କରତା ॥ ୩୫୪
ମନହୁଁ କର୍ତ୍ତା ଆର ନାହିଁ । ଇନ୍ଦ୍ରିୟ ଗୁଣ ଅର୍ଥ ବହି ॥ ୩୫୫
ତା ପୂର୍ବ ଶୁଭାଶୁଭ କର୍ମ । ସେ ଅନୁସାରେ ଲଭେ ଜନ୍ମ ॥ ୩୫୬
କେ ଦାତା କୃପଣ ଈଶ୍ୱର । ସାଧୁ ଦୁର୍ଜନ କେବା ଚୋର ॥ ୩୫୭
ଏ ମନ କର୍ମର ଆୟତ୍ତେ । ଭ୍ରମଇ ଦୁଃଖସୁଖେ ନିତ୍ୟେ ॥ ୩୫୮
ଏ ବର୍ତ୍ତମାନ ଦେହେ ଯାହା । ଯେ ରୂପେ ଦେଖି କରେ ସ୍ନେହା ॥ ୩୫୯
ତା ଅନାଗତ ଦେହେ ଦେଖେ । ଏ ବର୍ତ୍ତମାନ ଦେହୀ ପକ୍ଷେ ॥ ୩୬୦
ଯେ କଥା ଅନୁଭବି ନାହିଁ । ସ୍ୱପ୍ନରେ କେବେ ବା ଦିଶଇ ॥ ୩୬୧
ସମୁଦ୍ର ଗିରିଶିଖେ ଯେହ୍ନେ । ପ୍ରତୀତ କରଇ ସେ ମନେ ॥ ୩୬୨
ନକ୍ଷତ୍ର ଆଦି ଗ୍ରହମାନ । ଦିବସେ ଦୃଶ୍ୟ ଦୁର୍ଘଟନ ॥ ୩୬୩
ଆପଣା ଶିରଚ୍ଛେଦ ହୋଇ । ଏ ବିପରୀତ ସେ ଦେଖଇ ॥ ୩୬୪
ମିଥ୍ୟାଭିଳାଷେ ଏହୁ ଭ୍ରମ । ପ୍ରତ୍ୟକ୍ଷ କରେ ତାହା ମନ ॥ ୩୬୫
ଏ ସର୍ବ ନିଦ୍ରାଦୋଷେ ଜାଣେ । ଦେଶ-କାଳ-କ୍ରିୟା ପ୍ରମାଣେ ॥ ୩୬୬
ଇନ୍ଦ୍ରିୟ ବିଷୟ ସକଳ । ମନରେ ହୋନ୍ତି ସବୁ ଠୁଳ ॥ ୩୬୭
ସେ ସର୍ବେ ହୋନ୍ତି ଯାନ୍ତି ନିତ୍ୟେ । ଏଣୁ ଏ ମନ ବିପରୀତେ ॥ ୩୬୮
ଯେ ମନ କୃଷ୍ଣପାଦତଳେ । ସତ୍ତ୍ୱ-ନିଷ୍ଠାରେ ଥାଇ ଭୋଳେ ॥ ୩୬୯
ଏ ବିଶ୍ୱ ପ୍ରକାଶ ହୁଅଇ । ସଂଯୋଗେ ପରିପ୍ରକାଶଇ ॥ ୩୭୦
ତଥାପି ବିଷୟ ପ୍ରବଳ । ମନକୁ କରଇ ଚଞ୍ଚଳ ॥ ୩୭୧
ଯେହ୍ନେ ଚନ୍ଦ୍ରକୁ ରାହୁ ଗ୍ରାସେ । ତେସନ ଗୁଣେ ମନ ମିଶେ ॥ ୩୭୨
ଏ ଗୁଣ ସମୂହ ଅନାଦି । ଯାବତ ଅଛି ମନ ବୁଦ୍ଧି ॥ ୩୭୩
ତାବତ ଅହଙ୍କାର ବହେ । ଯେଣୁ ତ୍ରିଗୁ ଅଛି ଦେହେ ॥ ୩୭୪
ଏ ପ୍ରାଣ-ମାର୍ଗର ସନ୍ତାପେ । ସ୍ୱପନ-ମୂର୍ଚ୍ଛା-ଉପତାପେ ॥ ୩୭୫
ଏ ଗୁଣ ଜ୍ଞାନ ନ ଛାଡଇ । ମୃତ୍ୟୁ ପ୍ରଜ୍ୱର କାଳେ ସେହି ॥ ୩୭୬
ଏ ଗର୍ଭବାସେ ଥିଲା ଯେବେ । ବାଲ୍ୟ ଅବସ୍ଥା ଅବା ଯେବେ ॥ ୩୭୭
ଏ ଲିଙ୍ଗ ସୂକ୍ଷ୍ମରୂପେ ରହେ । କେବଳ ପ୍ରକାଶିତ ନୋହେ ॥ ୩୭୮
ଯେସନେ କହୁ-ତିଥି ପାଇ । ଚନ୍ଦ୍ରକିରଣ ନ ଦିଶଇ ॥ ୩୭୯
ସେ ରୂପେ ବାଲ୍ୟାଦି କାଳରେ । ଏ ଗୁଣ ପ୍ରକାଶ ନ କରେ ॥ ୩୮୦
ଗୁଣେ ବନ୍ଧନ ଲିଙ୍ଗ ଦେହ । କର୍ମରେ କରୁଥାଇ ସ୍ନେହ ॥ ୩୮୧
ଏ ଦେହ ଯେକାଳେ ନ ଥାଇ । ତେବେ ତା ଜନ୍ମ ଅବା କାହିଁ ॥ ୩୮୨
ବିଷୟ ଧ୍ୟାନ ଯେଣୁ ଅଛି । ତେଣୁ ଏ ଶରୀର ଧରିଛି ॥ ୩୮୩
ସ୍ୱପ୍ନ ଦୃଷ୍ଟାନ୍ତର କରିଣ । ଭୋଗାଦି ବୁଝ ନୃପରାଣ ॥ ୩୮୪
ନାରଦ ବଚନ ଶୁଣିଣ । କହଇ ପ୍ରାଚୀ ନୃପରାଣ ॥ ୩୮୫
ରାଜା ଉବାଚ
ଭୋ ମୁନିବର ତୁମ୍ଭେ ଶୁଣ । ଜୀବର କି କି କହ ଗୁଣ ॥ ୩୮୬
ଯାହାକୁ ଜୀବ ବୋଲି କହ । ତାହାର କିବା ରୂପ ଦେହ ॥ ୩୮୭
ନାରଦ ଶୁଣି ନୃପବାଣୀ । ଆନନ୍ଦଚିତ୍ତେ ମନେ ଗୁଣି ॥ ୩୮୮
ବୋଲନ୍ତି ଶୁଣ ନୃପବର । ସ୍ୱରୂପ କହିବା ଜୀବର ॥ ୩୮୯
ଶବଦ ଆଦି ମାତ୍ରା ପଞ୍ଚ । ଅପରେ ତ୍ରିଗୁଣ ପ୍ରପଞ୍ଚ ॥ ୩୯୦
ଦଶଇନ୍ଦ୍ରିୟ ପଞ୍ଚପ୍ରାଣି । ଯେ ମନ ବୁଦ୍ଧି ସଙ୍ଗତେଣ ॥ ୩୯୧
ଏହାଙ୍କୁ ଲିଙ୍ଗ-ଦେହ କହି । ଯାବତ ଚେତନା ଏ ବହି ॥ ୩୯୨
ତାବତ ଜୀବ ବୋଲି ଜାଣ । ଯେଣୁ ଏ ଘେନେ ଦେହଗୁଣ ॥ ୩୯୩
ଦେହାଦି ଛାଡେ ଘେନେ ଏହି । ଶୋକ ହରଷ ବେନି ବହି ॥ ୩୯୪
ଯେସନେ ତୃଣେ ଜୋକମାନ । ଏକକୁ ଧରି ଛାଡେ ଆନ ॥ ୩୯୫
ସେ ରୂପେ ଏ ଲିଙ୍ଗ-ଶରୀର । ଦେହ ସମ୍ଭବେ ବୁଝ ବୀର ॥ ୩୯୬
ଯାବତ ଅନ୍ୟଦେହ ନୋହେ । ତାବତ ଅଛି ପୂର୍ବଦେହେ ॥ ୩୯୭
ଏ ପୂବକର୍ମ ନ ଛାଡଇ । ସଙ୍ଗତେ ଘେନି ତା ଭୁଞ୍ଜଇ ॥ ୩୯୮
ଯାବତ ଅଛି ମାୟା ଦ୍ୱନ୍ଦ୍ୱ । ତାବତ ଏକର୍ମେ ସେ ବଦ୍ଧ ॥ ୩୯୯
ଏ ଜୀବ ପଡି ମାୟାବନ୍ଧେ । କର୍ମ କରଇ ନାନାଛନ୍ଦେ ॥ ୪୦୦
ଏ ମାୟାବନ୍ଧ ଛାଡେ ଯେବେ । କୃଷ୍ଣଚରଣେ ଭଜେ ତେବେ ॥ ୪୦୧
ସକଳ-ଘଟେ ଆତ୍ମା ରୂପେ । ଯେ ହରି ଛନ୍ତି ଦେହ-କୂପେ ॥ ୪୦୨
ସୃଷ୍ଟି-ପାଳନ-ସଂହାରଣ । ଯାହାର ତହୁଁ ଏ ଭିଆଣ ॥ ୪୦୩
ତା ପାଦେ ଭଜିଲେ ମୁକତି । ତା ବିନୁ ନାହିଁ ଅନ୍ୟଗତି ॥ ୪୦୪
ମୈତ୍ରେୟ ଉବାଚ
କହେ ମୈତ୍ରେୟ ମୁନିବର । ସୁମନେ ଶୁଣ ହେ ବିଦୁର ॥ ୪୦୫
ଜୀବ ଆତ୍ମାର ଗତି ମାନ । ନାରଦମୁନି ପ୍ରଭେଦେଣ ॥ ୪୦୬
ରାଜାଙ୍କୁ କହିଲେ ବୁଝାଇ । ଏ ଲିଙ୍ଗ-ଶରୀର ଭେଦାଇ ॥ ୪୦୭
ଶୁଣି ସାନନ୍ଦ ନୃପବର । ଉଠି ଯୋଡିଲା ବେନିକର ॥ ୪୦୮
ସାଷ୍ଟାଙ୍ଗେ କରି ଦଣ୍ତବତ । ହରଷେ ହୋଇ କୃତକୃତ୍ୟ ॥ ୪୦୯
ରୋମ ଉଦ୍ଗମ ଅଶ୍ରୁପାତ । ବୋଲଇ ହୋଇ ହରଷିତ ॥ ୪୧୦
ଭୋ ମୁନିବର ଯୋଗେଶ୍ୱର । ମୋ ମୋହବନ୍ଧ କଲ ଦୂର ॥ ୪୧୧
ଏବେ ନିଷ୍କାମଭାବ ମୁହିଁ । କି ରୂପେ କରିବି ଗୋସାଇଁ ॥ ୪୧୨
ତୋ ସଙ୍ଗ ଛାଡିଲେ ଗୋସାଇଁ । ମୋ ମନ ନରହିବ କାହିଁ ॥ ୪୧୩
ଏଥକୁ କହିବା କାରଣ । ତୁମ୍ଭେ ସର୍ବଜ୍ଞ ସର୍ବଜାଣ ॥ ୪୧୪
କହିବା ମୋତେ ଦୟାଚିତ୍ତ । କେମନ୍ତେ ହେବି ବନ୍ଧମୁକ୍ତ ॥ ୪୧୫
ପ୍ରସନ୍ନେ କହ ମୁନିବର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୪୧୬
ଏମନ୍ତେ ତାର ବାକ୍ୟେ ତୋଷି । କହେ ନାରଦ ମହାଋଷି ॥ ୪୧୭
ନିରତେ ସାଧୁ-ସଙ୍ଗ ଯେବେ । ମନ ନିଶ୍ଚଳ ରହେ ତେବେ ॥ ୪୧୮
ଏ ବିନେ ଅନ୍ୟତ୍ର ରାଜନ । ନ ଦେଖି ମନ ସମାଧାନ ॥ ୪୧୯
ସେ ସାଧୁସଙ୍ଗ ସେବା ଫଳେ । ଜ୍ଞାନ-ଭକତି-ଯୋଗବଳେ ॥ ୪୨୦
ଜନ୍ମ-ବିନାଶ-ଲିଙ୍ଗ ତୋର । ତେବେ ଛାଡିବ ନୃପବର ॥ ୪୨୧
ଅପରେ ନାହିଁ ମୋକ୍ଷ ଆର । ନ ଦେଖି ଶୁଣ ନୃପବର ॥ ୪୨୨
ତା ଶୁଣି ପଚାରେ ନୃପତି । କିରୂପେ ସାଧୁଙ୍କୁ ସେବନ୍ତି ॥ ୪୨୩
କହ ବିଧାନ ମୁନିବର । ଅଳପେ ସାଧି ମୋକ୍ଷ-ଦ୍ୱାର ॥ ୪୨୪
ହସି ନାରଦ ମହାଋଷି । ତା ବୋକ୍ୟେ କହନ୍ତି ପ୍ରତୋଷି ॥ ୪୨୫
ଶୁଣ ରାଜନ ଶୁଦ୍ଧ-ଚିତ୍ତେ । ବିଧାନ କହିବା ଯୁଗତେ ॥ ୪୨୬
ଏ ସର୍ବ-ଚିନ୍ତା ପରିହର । ମନ-ଇନ୍ଦ୍ରିୟ ଦୃଢ଼େ ଧର ॥ ୪୨୭
ଏକାଗ୍ର-ଚିତ୍ତେ ତୁ ନିଶ୍ଚଳେ । ବସ ତୁ ହୃଦୟ-ନିର୍ମଳେ ॥ ୪୨୮
ଯେ ଧର୍ମାଚାର ସାଧୁଜନ । ସେ ଧର୍ମ କର ତୁ ରାଜନ ॥ ୪୨୯
ସାଧୁଙ୍କ ମୁଖୁଁ ହରିରସ । ଶ୍ରବଣ-ପୁଟେ କର ଗ୍ରାସ ॥ ୪୩୦
ସେ ନାମାମୃତ ପାନେ ମତ୍ତ । ଯେ ପ୍ରାଣୀ ଭଜେ ଅବିରତ ॥ ୪୩୧
ତାଙ୍କୁ ପ୍ରତୋଷ ସାଧୁଜନେ । ଯେଣୁ ଦୟାଳୁ ନିଷ୍କିଞ୍ଚନେ ॥ ୪୩୨
ସାଧୁଙ୍କ ସେବାକର୍ମ ଏହି । ଯେ କୃଷ୍ଣରସ ଆସ୍ୱାଦଇ ॥ ୪୩୩
ଏବେ ତୁ ଶୁଣ ମହୀପାଳ । କପିଳାଶ୍ରମେ ବେଗେ ଚଳ ॥ ୪୩୪
ସେ ମୁନିବର ଆଶ୍ରେ ତୋର । ଖଣ୍ତିବ ଜନ୍ମ-ବନ୍ଧ-ଘୋର ॥ ୪୩୫
ତା ଶୁଣି ସତ୍ୱରେ ରାଜନ । ପୁତ୍ରକୁ ଡକାଇ ବହନ ॥ ୪୩୬
ରାଜ୍ୟ-ପାଳନେ ଆଜ୍ଞା ଦେଲା । ଦଣ୍ତ-ଛତ୍ରାଦି ସମର୍ପିଲା ॥ ୪୩୭
ସେ ସର୍ବ ତେଜି ନୃପବର । ମୁନିଙ୍କି କହେ ଯୋଡିକର ॥ ୪୩୮
ଭୋମୁନି ଯେବେ ଆଜ୍ଞା ହୋଇ । ମୋ ପତ୍ନୀ ପ୍ରବୋଧି ଆସଇ ॥ ୪୩୯
ରାଜ୍ୟ-ବିଭବ ଦେଇ ତାକୁ । ନିଶ୍ଚିନ୍ତେ ଯିବଇଁ ବନକୁ ॥ ୪୪୦
ଏମନ୍ତ ବାକ୍ୟ ଶୁଣି ତାର । କୋପେ ବୋଲନ୍ତି ମୁନିବର ॥ ୪୪୧
ତୁ ବଡ ଅଜ୍ଞାନୀ ମୂରୁଖ । ନ ଜାଣୁ ପରଲୋକ ଦୁଃଖ ॥ ୪୪୨
ଏମନ୍ତ କହି ମୁନିବର । ଶ୍ୱାସ ଉପେକ୍ଷି ଚିନ୍ତାଭର ॥ ୪୪୩
ସେ ସ୍ତିରୀ ମୁଖାବଲୋକନ । କେ କାମୀ ତେଜିବ ଅଜ୍ଞାନ ॥ ୪୪୪
ଯହିଁ ଯୋଗୀନ୍ଦ୍ରେ ଭ୍ରମ ଯାନ୍ତି । ତା ମୁଖୁଁ କେ ମୂଢ଼ ତରନ୍ତି ॥ ୪୪୫
ତୃଣାଦି ଯେହ୍ନେ ହୁତାଶନେ । ସ୍ପରଶେ ହୋନ୍ତି ଦହ୍ୟମାନେ ॥ ୪୪୬
ତେସନେ ସ୍ତିରୀ-ସଙ୍ଗ-ଦୋଷ । ଦେଖନ୍ତେ ଜ୍ଞାନ ହେବ ଧ୍ୱଂସ ॥ ୪୪୭
ଯେଣୁ ପ୍ରମଦା ନାମ ତାର । ତା ମୁଖେ ପଡି କେ ନିସ୍ତାର ॥ ୪୪୮
ଏମନ୍ତ କହି ଅନୁରାଗେ । ତା କର ଧରି ମୁନି ବେଗେ ॥ ୪୪୯
ପଶ୍ଚିମ-ଦ୍ୱାର-ମାର୍ଗେ ନେଇ । ବାହାର କରି ବେଗେ ଦେଇ ॥ ୪୫୦
ତକ୍ଷଣେ ନିଜ-ଲୋକେ ଗଲେ । ବ୍ରହ୍ମାଙ୍କ ଛାମୁରେ ମିଳିଲେ ॥ ୪୫୧
ସେ ଯେ ପ୍ରାଚୀନ ନୃପବର । ମୁନିଙ୍କ ଭୟେ ଛନ୍ନାତୁର ॥ ୪୫୨
ପ୍ରବେଶ କପିଳଆଶ୍ରମେ । ଗମିଲା ପଥ ପଦ-ଶ୍ରମେ ॥ ୪୫୩
ସେ ମୁନିବର ପାଶେ ଯାଇ । ତପ ଆଚରି ଯୋଗ ଧ୍ୟାୟି ॥ ୪୫୪
ଏକାଗ୍ର-ଚିତ୍ତେ ମହାରାଜ । ଭଜିଲେ ହରି-ପାଦାମ୍ବୁଜ ॥ ୪୫୫
ମନ-ପବନ ଦୃଢ଼େ ଧରି । ସର୍ବ କୁସଙ୍ଗ ପରିହରି ॥ ୪୫୬
ସେ ହରି-ଚରଣ-ପ୍ରସନ୍ନେ । ଗମିଲେ ବୈକୁଣ୍ଠ ଭୁବନେ ॥ ୪୫୭
ଶୁଣ ବିଦୁର ଜ୍ଞାନମୟେ । ନାରଦ ନୃପରେ ସଦୟେ ॥ ୪୫୮
ପରୋକ୍ଷ-ବାଦେ ଆତ୍ମଜ୍ଞାନ । କହିଲେ ଦିବ୍ୟ-କଥା-ମାନ ॥ ୪୫୯
ଏହା ଯେ ଶ୍ରବଣ କରନ୍ତି । ଅଥବା ବଦନେ ଗୁଣନ୍ତି ॥ ୪୬୦
ସେ ସର୍ବେ ହୋନ୍ତି ମୋକ୍ଷ ପର । କହିଲୁ ବ୍ରହ୍ମତତ୍ତ୍ୱ-ସାର ॥ ୪୬୧
ଆତ୍ମା ବନ୍ଧନୁ ମୁକ୍ତ ହୋଏ । ଅଜ୍ଞାନେ ଗୃହବାସ ନୋହେ ॥ ୪୬୨
ପରୋକ୍ଷ ତତ୍ତ୍ୱଜ୍ଞାନ ସାର । ତୋ ଆଗେ କହିଲୁ ବିଦୁର ॥ ୪୬୩
ଏବେ ଶ୍ରବଣେ କିବା ଇଚ୍ଛା । କହ ସଂଶୟ ତେଜି ବାଞ୍ଛା ॥ ୪୬୪
ଏମନ୍ତ ମୁନି ମୁଖୁଁ ଶୁଣି । ଶିରେ ନିବେଶି ବେନି-ପାଣି ॥ ୪୬୫
କହଇ ବିପ୍ର ଜଗନ୍ନାଥ । ମୈତ୍ରେୟ-ବିଦୁର-ଚରିତ ॥ ୪୬୬
ଚତୁର୍ଥ ସ୍କନ୍ଧେ ଏହୁ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୪୬୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରହଂସ୍ୟାଂ
ସଂହିତାୟାଂଚତୁର୍ଥସ୍କନ୍ଧେ ବିଦୁରମୈତ୍ରେୟ ସମ୍ବାଦେ
ପ୍ରାଚୀନବର୍ହି ନାରଦ ସମ୍ବାଦୋନାମ ଏକନେତ୍ରିଂଶୋଽଧ୍ୟାୟଃ ॥
* * *