ଚତୁର୍ଥ ସ୍କନ୍ଧ

ଅଷ୍ଟବିଂଶ ଅଧ୍ୟାୟ

ଶ୍ରୀକୃଷ୍ଣ ପାଦପଦ୍ମ ଚିନ୍ତି । ସହର୍ଷେ ମୈତ୍ରେୟ କହନ୍ତି ॥

ମୈତ୍ରେୟ ଉବାଚ

ତଦନ୍ତେ ଶୁଣ ହେ ବିଦୁର । ସେ ପୁରଞ୍ଜନର ବିଚାର ॥

ନାରଦ ଉବାଚ

ନାରଦ କହନ୍ତି ରାଜନ । ଏବେ କହିବା ଦିବ୍ୟଞ୍ଜାନ ॥

ଯବନ ଅଧିପତି ଯେହି । ତାହାର ନାମ ଭୟ କହି ॥

ସୈନ୍ୟାଦି ବ୍ୟାଧିଗଣେ ତାର । ସଙ୍ଗତେ ଥାନ୍ତି ନିରନ୍ତର ॥

ପ୍ରଜ୍ୱର କାଳକନ୍ୟା ବେନି । ଏହାଙ୍କୁ ରାଜା ସଙ୍ଗେ ଘେନି ॥

ଏ ସର୍ବେ ସଙ୍ଗତେ ଚଳନ୍ତି । ଯେ ଦିଗେ ବିଜୟେ ନୃପତି ॥

ସେ ଏକଦିନେ ନୃପବର । ସଙ୍ଗତେ ସୈନ୍ୟ ଜରା-ଜ୍ୱର ॥

ସେ ମହୀ ଭ୍ରମଣ କରନ୍ତେ । ଦେଖିଲା କାଳକର୍ମଗତେ ॥

ଯେ ପୁରେ ଥିଲା ପୁରଞ୍ଜନ । ତା ବେଗେ ବେଢିଲା ଯବନ ॥ ୧୦

ଯେ କିଛି ପୃଥ୍ୱୀରେ ବୈଭୋଗ । ସକଳ ସେ ପୁରେ ସଂଯୋଗ ॥ ୧୧

ସେ ପୁରେ ଦ୍ୱାରୀ ବୃଦ୍ଧ ଅହି । ନିର୍ଭୟେ ପୁର ଜଗିଥାଇ ॥ ୧୨

ଏ ପଞ୍ଚଭୂତେ ଦେହ ଯେତେ । ତାକୁ ନଛାଡେ କଦାଚିତେ ॥ ୧୩

ବ୍ରହ୍ମାଣ୍ତ ମଧ୍ୟେ ଦେହ ବହି । ତାକୁ ଜିଣନ୍ତା କେହି ନାହିଁ ॥ ୧୪

ବ୍ରହ୍ମାଦି ସୁରମୁନି ଦେବା । ଭୟେ କରନ୍ତି ତାକୁ ସେବା ॥ ୧୫

ତାକୁ ଜିଣନ୍ତା ଯେବା ଜନ । ନିଶ୍ଚିନ୍ତେ ରହେ ନିଜସ୍ଥାନ ॥ ୧୬

ଯବନେ ସେ ପୁର ନାଶିଲେ । ଯେ ପୁରେ ଗୁରଞ୍ଜନ ଥିଲେ ॥ ୧୭

ସେ କାଳକନ୍ୟା ସଙ୍ଗେ ଥିଲା । ସତ୍ୱରେ ସେ ପୁରେ ପଶିଲା ॥ ୧୮

ବଳେ ସେ କଲା ବଇଭୋଗ । କାନ୍ତି ବଳ ବୀର୍ଯ୍ୟ ସଂଯୋଗ ॥ ୧୯

ସେ ନାରୀ ଯାରେ ସ୍ପରଶଇ । ସେ ପ୍ରାଣୀ ଉଠି ନ ପାରଇ ॥ ୨୦

ଅଗ୍ରେ ସେ ନାରୀ ପ୍ରବେଶିଲା । ଯେତେ ଯବନବଳ ଥିଲା ॥ ୨୧

ସର୍ବେ ସେ ଦ୍ୱାରମାର୍ଗେ ଗଲେ । ପ୍ରବେଶି ପୁର ବିନାଶିଲେ ॥ ୨୨

ପୁର ଉଜାଡେ ଭୟ କରି । ସେ ପୁରଞ୍ଜନ ଦଣ୍ତଧାରୀ ॥ ୨୩

ବହୁତ ସନ୍ତାପ ସେ କଲା । ନିର୍ବଳେ ଶଙ୍କିତେ ରହିଲା ॥ ୨୪

ସେ ରାଜା କ୍ରୋଧେ ଅଭିମାନୀ । ଦେଖିଲା ସ୍ୱକୁଟୁମ୍ବ ହାନି ॥ ୨୫

ସ୍ନେହାନୁବନ୍ଧ ନ ଛାଡଇ । ଆକୁଳେ ସନ୍ତାପେ ଶୋଚଇ ॥ ୨୬

ସେ କାଳକନ୍ୟା ଆସି ବେଗେ । ରାଜାକୁ କୋଳ କଲା ସୋଗୋ ॥ ୨୭

ତାର ସ୍ପରଶେ ମହାରାୟେ । ହୋଇଲା ନଷ୍ଟ-କାନ୍ତି-କାୟେ ॥ ୨୮

କୃପଣ-ବିଷୟୀ ରାଜନ । ହୋଇଲା ତା ସଙ୍ଗ ପାଇଣ ॥ ୨୯

ପ୍ରଜ୍ଞା ଯେ ହେଲା ତାର ନାଶ । ସଘନେ ଛାଡଇ ନିଃଶ୍ୱାସ ॥ ୩୦

ଯବନ-ଗନ୍ଧର୍ବେ ପଶିଲେ । ରାଜ ଐଶ୍ୱର୍ଯ୍ୟ ବିନାଶିଲେ ॥ ୩୧

ସେ ପୁର କ୍ଷୀଣ ଦେଖି ତାର । ପୁତ୍ରାଦି ଛାଡିଲେ ଆଦର ॥ ୩୨

ଆତ୍ମୀୟ ଲୋକ ଯେତେ କହି । ଦେଖିଲା ପୂର୍ବସ୍ନେହ ନାହିଁ ॥ ୩୩

ତା ପତ୍ନୀଠାରେ ଯେତେ ପ୍ରୀତି । ଦେଖିଲା ଅସ୍ନେହ ଅନୀତି ॥ ୩୪

ଆତ୍ମାକୁ ଜରା ଗ୍ରସ୍ତ କଲା । ପଞ୍ଚାଳ ବିଷୟ ତା ଗଲା ॥ ୩୫

ଦୁରନ୍ତ ଚିନ୍ତା ପାଇ ରାୟେ । ନ ଦେଖେ ତରିବା ଉପାୟେ ॥ ୩୬

ସେ କନ୍ୟା ସ୍ପରଶେ ନିର୍ବଳ । ଏକାନ୍ତେ ଝୁରେ ମହୀପାଳ ॥ ୩୭

ନିର୍ବଳ ଦେଖି ନିଜ ଦେହ । ଛାଡିଲା ପୁତ୍ର ଆଦି ସ୍ନେହ ॥ ୩୮

ସ୍ୱ-ପରଲୋକ ଚିନ୍ତା ଗଲା । ସେ କାଳକନ୍ୟା ଏହା କଲା ॥ ୩୯

ସେପୁର ଛାଡିବାରେ ମନ । ରୋଦନ କରେ ଅନୁକ୍ଷଣ ॥ ୪୦

ନ ପାରେ ସହି ଦୁଃଖଘୋର । ସେ ନିଶ୍ଚେ ଛାଡିବ ଶରୀର ॥ ୪୧

ଭ୍ରମ ତା ହେଲା ନିଜ ମତି । ଆତୁରେ ଭାଳଇ ନୃପତି ॥ ୪୨

ଭୟର ଅଗ୍ରଜ ପ୍ରଜ୍ୱର । ଆଚ୍ଛାଦି ରହିଲା ସେ ପୂର ॥ ୪୩

ଏ ସର୍ବେ ପୁରମାର୍ଗେ ରହି । ପ୍ରଚଣ୍ତ ତେଜେ କୋପ ବହି ॥ ୪୪

ସାନ-ଭ୍ରାତାର ପ୍ରିୟ ଅର୍ଥେ । ସେ ପୁର ଦହିଲା ତୁରିତେ ॥ ୪୫

ପୁର ଦହନ ଯହୁଁ ହେଲା । ସେ ରାଜା ମହାଭୟ କଲା ॥ ୪୬

ସେ ପୂରବାସୀ ଯେତେ ଥିଲେ । ସଭୟେ ସକଳେ କମ୍ପିଲେ ॥ ୪୭

ଯବନେ ପୁର ଦେଲେ ଦହି । କାଳକନ୍ୟାର ପଛେ ରହି ॥ ୪୮

ସଭୟେ ନ ପାରନ୍ତି ଯାଇ । ଦୁଃଖେ ରୋଦନ୍ତି ଛନ୍ନ ହୋଇ ॥ ୪୯

ଯବନ-ପୁର ନେଲେ ବେଗେ । ସେ କାଳକନ୍ୟା ଘେନି ସଙ୍ଗେ ॥ ୫୦

ଭୟର ଅଗ୍ରଜ ପ୍ରଜ୍ୱର । ପୁର ନାଶିଲେ ବେଗେ ତାର ॥ ୫୧

ଦେଖିଣ ବିଷାଦେ ନୁପତି । ରୋଦନ କଲା ଭୟେ ଅତି ॥ ୫୨

ବହୁତ କଷ୍ଟେ ସେ ରାଜନ । ପୁର ଛାଡିତେ କଲା ମନ ॥ ୫୩

ଯେସନେ ବୃକ୍ଷକ୍ରୋଟେ ଅନ୍ଦି । ଅନଳ ତେଜ ତାପେ ଦହି ॥ ୫୪

ସେ ଯେହ୍ନେ ସେ ସ୍ଥାନ ଉପେକ୍ଷି । ରହେ ଅତ୍ୟନ୍ତ ଭୟେ ଦୁଃଖୀ ॥ ୫୫

ତେସନେ ଛାଡି ନିଜ ପୁରୀ । ସେ ରାଜା ବହୁ ଚିନ୍ତା କରି ॥ ୫୬

ହସ୍ତ ଚରଣ ତା ନ ଚଳେ । ପୌରୁଷ ଗନ୍ଧର୍ବେ ହରିଲେ ॥ ୫୭

ଯବନ-ଶତ୍ରୁ ବ୍ୟାଧି ରୂପେ । କଷ୍ଠ ନିରୋଧ କଲା କୋପେ ॥ ୫୮

ମୂଢ଼ ଦୁର୍ମତି ସେ ରାଜନ । ରୋଦଇ ନ ଛାଡି ଜୀବନ ॥ ୫୯

ନ ଛାଡିପାରେ ସ୍ନେହ ଚିତ୍ତେ । ରାତ୍ର ଦିବସ ଭାଳେ ନିତ୍ୟେ ॥ ୬୦

ଏ ମୋର ପୁତ୍ର କନ୍ୟା ଯେତେ । ମୋ ବିନା ବଞ୍ଚିବେ କେମନ୍ତେ ॥ ୬୧

ଜାମାତା ବନ୍ଧୁ ପରିଷଦ । ଅପରେ ଗୃହାଦି ସମ୍ପଦ ॥ ୬୨

ମୁଁ ଏବେ ପୁର ପ୍ରତେଜିଲେ । ଏ ସର୍ବେ ନ ବର୍ତ୍ତିବେ ଭଲେ ॥ ୬୩

ସ୍ୱପତ୍ନୀ ସହିତେ ରାଜନ । ଅନେକ କରନ୍ତି ରୋଦନ ॥ ୬୪

ମୁଁ ଏବେ ନିଶ୍ଚୟ ମରିବି । ଏ ବହୁ ଦୁଃଖ ନ ସହିବି ॥ ୬୫

ମୋର ଅଭାବେ ଏ କାମିନୀ । ଭାଳିବ ସ୍ୱକୁଟୁମ୍ବ ଘେନି ॥ ୬୬

ବାଳକ କନ୍ୟା ଯେତେ ମୋର । ପାଇବେ ବହୁ ଦୁଃଖ ଘୋରା ॥ ୬୭

ବିଦେଶୀ ରାଜା ରାଜ୍ୟ ନେବେ । ଏହାଙ୍କୁ ବହୁ ଦୁଃଖ ଦେବେ ॥ ୬୮

ବାଳକେ ହୋଇବେ ଅନାଥ । ତା ଦେଖି ରୋଦିବ ବହୁତ ॥ ୬୯

ଏ ସ୍ତିରୀ ପ୍ରାଣ ଗୁଣମଣି । ମୋ ବିନୁ ନଶିବ ତରୁଣୀ ॥ ୭୦

ସ୍ନାନ ଭୋଜନ ମୁଁ ନ କଲେ । ଏ ରାଣୀ ନ କରେ ବିକଳେ ॥ ୭୧

ସୁଗୁଣବତୀ ମୋ ଘରଣୀ । କେମନ୍ତେ ପ୍ରତେଜିବି ପୁଣି ॥ ୭୨

ଏହାର ଗୁଣ ଅଛି ଯେତେ । ମୁଁ କହି ପାରିବଇଁ କେତେ ॥ ୭୩

ସେ ମୋର କ୍ରୋଧ-କାଳ ଜାରି । ଜ୍ଞାନେ ପ୍ରବୋଧ ଦେଇ ଭଲେ ॥ ୭୪

ମୁଁ ଯେବେ କ୍ରୋଧ ବହି ତାରେ । ସ୍ଥିର ସେ ରହଇ ଭୟରେ ॥ ୭୫

ମୋର ବିଚ୍ଛେଦ ଏ ସୁନ୍ଦରୀ । ଦିରହ-ଦୁଃଖେ ନିତ୍ୟେ ଝୁରି ॥ ୭୬

ମୋର ଆପଦ ଚିନ୍ତାକାଳେ । ସେ ପ୍ରତିବୋଧ ଦେଇ ଭଲେ ॥ ୭୭

ଏ ଗୃହଧର୍ମ ନ କରିବ । ବ୍ୟାକୁଳ ଚିନ୍ତାରେ ମଜ୍ଜିବ ॥ ୭୮

ଏ ପୁତ୍ର-କନ୍ୟା ନ ଚାହିଁବ । ମୋ ଅନ୍ତେ ଅବଶ୍ୟ ମରିବ ॥ ୭୯

ଏ ପୁତ୍ର କନ୍ୟା ମାତୃ ହୀନେ । ଦୁଃଖିତ ହେବେ ଆଶ୍ରେ ବିନେ ॥ ୮୦

ମୋ ଅନ୍ତେ ଏ ସର୍ବେ ମରିବେ । କିବା ଭକ୍ଷିବେ କାହିଁ ଥିବେ ॥ ୮୧

ଆଶ୍ରୟ ନ ପାଇ ଶୟଳେ । ଅବଶ୍ୟ ମରିବେ ଆକୁଳେ ॥ ୮୨

ସମୁଦ୍ର ମଧ୍ୟେ ଯେହ୍ନେ ନାବ । ଭଗ୍ନେ ନଶନ୍ତି ପ୍ରାଣୀ ସର୍ବ ॥ ୮୩

ଏ ସର୍ବେ ତେସନେ ମରିବେ । ମୋ ଅନ୍ତେ କେହି ନ ଜୀଇବେ ॥ ୮୪

ଏମନ୍ତ ଅଜ୍ଞାନ-ବୁଦ୍ଧିରେ । ସେ ନିତ୍ୟେ ବହୁ-ଶୋକ କରେ ॥ ୮୫

ଏମନ୍ତ ଭାଳନ୍ତେ ରାଜନ । କାଳ ହୋଇଲା ଅବସାନ ॥ ୮୬

ରାଜାକୁ ଧରି ନେବା ପାଇଁ । ଭୟ ମିଳିଲା ବେଗ ହୋଇ ॥ ୮୭

ପଶୁର ପ୍ରାୟ ବନ୍ଦୀ କଲା । ତକ୍ଷଣେ ଉପ୍ରୋଧ ତେଜିଲା ॥ ୮୮

ଧରିଣ ଯବନଙ୍କ ବଳେ । ଆପଣା ସ୍ଥାନକୁ ସେ ନେଲେ ॥ ୮୯

ତା ଅନୁଚର ଯେତେ ଥିଲେ । ଜଣେ ହେଁ ସପକ୍ଷ ନୋହିଲେ ॥ ୯୦

ସେ ସର୍ବେ ଆକୁଳେ ଶୋଚନ୍ତି । ରାଜାକୁ ସୁମରି କାନ୍ଦନ୍ତି ॥ ୯୧

ଦ୍ୱାରେ ଯେ ଥିଲା ବୁଦ୍ଧ ଅହି । ସେ ଛାଡିଗଲା ବେଗ ହୋଇ ॥ ୯୨

ସେ ରାଜା ସଙ୍ଗତେ ଗମିଲା । ତା ଅନ୍ତେ ପୁର ନଷ୍ଟ ଗଲା ॥ ୯୩

ଯବନବଳ ବଳବନ୍ତେ । ରାଜାକୁ ଧରି ଓଟରନ୍ତେ ॥ ୯୪

ସେ ଅତି ବ୍ୟାକୁଳେ ରାଜନ । ରୋଦନ କରେ ଉଚ୍ଚସ୍ୱନ ॥ ୯୫

ମୃତ୍ୟୁଦଣ୍ତେ ତା ପୀଡେ ଦେହୀ । ସେ ଦୁଃଖ କେବା ପାରେ ସହି ॥ ୯୬

ଯେସନେ ସୂଚୀ-ରନ୍ଧ୍ରଗତେ । ମତ୍ତ-ବାରଣ ଉଛୁଡନ୍ତେ ॥ ୯୭

ତେସନେ ପୀଡ଼ିତ ଶରୀର । ଦୁଃସହ ଦୁଃଖ ମୃତ୍ୟୁଘୋର ॥ ୯୮

ଏମନ୍ତେ ପ୍ରାଣତ୍ୟାଗ କାଳେ । ଜୀବ ଭ୍ରମଇ ଦୟାକୁଳେ ॥ ୯୯

ସେ ରାଜା ଅଜ୍ଞାନ ହୋଇଲା । ବେଳେ ଶ୍ରୀହରି ନ ଚିନ୍ତିଲା ॥ ୧୦୦

ଶ୍ରୀକୃଷ୍ଣ ନ ଭଜିଲା ଯେଣୁ । ଏ ମୃତ୍ୟୁଭୟ ତାର ତେଣୁ ॥ ୧୦୧

ଯଜ୍ଞାଦି ପୁଣ୍ୟକର୍ମ ଯେତେ । ରକ୍ଷଣେ ନୋହିଲେ ସମର୍ଥେ ॥ ୧୦୨

ସେ କାମ୍ୟକର୍ମେ ଯଜ୍ଞ କରି । ଅନେକ ପଶୁ ଥିଲା ମାରି ॥ ୧୦୩

ନିର୍ଦ୍ଧୋଷ-ଜୀବଙ୍କୁ ରାଜନ । ଯଜ୍ଞେ ବଧିଲା ପ୍ରତିଦିନ ॥ ୧୦୪

ସେ ରୋଷ ମନେ ଧରିଥିଲେ । ତକ୍ଷଣେ ରାଜାକୁ ଭେଟିଲେ ॥ ୧୦୫

ବେଗେ ବେଢିଲେ ପଶୁଗଣ । କୁଠାର କଲେ ପ୍ରହାରଣ ॥ ୧୦୬

ନାନାଦି ତୀକ୍ଷ୍ଣ ଶସ୍ତ୍ର ଧରି । କାଟନ୍ତି ସେ ଦୁଃଖ ସୁମରି ॥ ୧୦୭

ତୁଳା ପ୍ରମାଣେ ଅବଶେଷେ । ସେ ପଶୁଗଣେ ଅତି ରୋଷେ ॥ ୧୦୮

ଭକ୍ଷନ୍ତି ଅସ୍ଥି ଶେଷ ଯାଏ । ନିର୍ଦ୍ଦୟ-ଚିତ୍ତେ ସେ ନିର୍ଭୟେ ॥ ୧୦୯

ଦୁଃସହ-ଦୁଃଖ-ପୀଡା ଯେତେ । ସହଇ କର୍ମର ଆୟତ୍ତେ ॥ ୧୧୦

ଏଣୁ କୁସଙ୍ଗ-ଦୋଷ ତାର । ହୋଇଲା ମହା-ଦୁଃଖ ଘୋର ॥ ୧୧୧

ସେ ସ୍ତିରୀବଶେ ବଶ ହୋଇ । ସେବକ ଜନ ପ୍ରାୟ ଥାଇ ॥ ୧୧୨

ତା ବଶେ ହୋଇଲା ଅଧୀନ । ହରିଲା ତାର ପୂର୍ବ-ଜ୍ଞାନ ॥ ୧୧୩

ହରି-ଚରଣେ ନ ଭଜିଲା । ଏ ଘେନି ଏ କଷ୍ଟ ଲଭିଲା ॥ ୧୧୪

ପଡିଲା ଅକ୍ଷତମ ଘୋରେ । କିଛି ନ ସ୍ଫୁରେ ତା ମନରେ ॥ ୧୧୫

କୃଷ୍ଣ ଅଭାବେ ମୂଢ଼ମତି । ଏଣୁ ତୁରନ୍ତ ମ୍ଳେଚ୍ଛଗତି ॥ ୧୧୬

ନରକେ ବହୁ ସମ୍ବତ୍ସର । ଭୋଗ ସେ କଲା ନୃପବର ॥ ୧୧୭

ପୀଡିତ କର୍ମର ଅବଶେ । ସେ ପୂର୍ବ-କର୍ମ ପାପ ଦୋଷେ ॥ ୧୧୮

ଏମନ୍ତେ ନାନା ଦୁଃଖେ ପଡି । ଯେଣୁ ସ୍ୱଧର୍ମ-ମାର୍ଗ ହୁଡି ॥ ୧୧୯

ଈଶ୍ୱର-ବାକ୍ୟ ବେଦବାଣୀ । ଅଜ୍ଞାନେ ତେଜିଲା ନ ଜାଣି ॥ ୧୨୦

ସେ ପାପ ଅନ୍ତେ ଜନ୍ମ ତାର । ବିଦର୍ଭ-ରାଜାର ମନ୍ଦିର ॥ ୧୨୧

ସେ ରାଜା ମରଣ ସମୟେ । ସ୍ତ୍ରୀ ସଙ୍ଗ ଭାବିଲା ହୃଦୟେ ॥ ୧୨୨

ତେଣୁ ସେ ପ୍ରମଦା ହୋଇଲା । ପୁରୁଷ ଅଙ୍ଗ ପ୍ରତେଜିଲା ॥ ୧୨୩

ସେ ପ୍ରତିବ୍ରତା ସଙ୍ଗ ଫଳେ । ଜନ୍ମ ଲଭିଲା ସାଧୁକୁଳେ ॥ ୧୨୪

ଏଣୁ ସୁସଙ୍ଗେ ମୋକ୍ଷ ପ୍ରାଣୀ । ଜ୍ଞାନେ ଭକତି ପରିମାଣି ॥ ୧୨୫

ବିଦର୍ଭ-ମନ୍ଦିରେ ସୁନ୍ଦରୀ । ଜନ୍ମ ଲଭିଲା ଦେହ ଧରି ॥ ୧୨୬

ମଳୟଧ୍ୱଜ ନାମେ ରାଜା । ସେ କୃଷ୍ଣଭକ୍ତ ମହାତେଜା ॥ ୧୨୭

କନ୍ୟାର ରୂପ-ଗୁଣ ଶୁଣି । ଚିତ୍ତେ କଳ୍ପିଲା ନୃପମଣି ॥ ୧୨୮

ସେ ସୈନ୍ୟସାମନ୍ତ ସାଜିଲା । ବିଦର୍ଭ-ଦେଶେ ବିଜେ କଲା ॥ ୧୨୯

ସେ ରାଜା ସଙ୍ଗତେ ରାଜନ । ଯୁଦ୍ଧେ ଜିଣିଲା ରାଜ୍ୟ-ଧନ ॥ ୧୩୦

ବଳେ ହରିଲା ତା ଦୁଲଣୀ । ବିବାହ କଲା ନୃପମଣି ॥ ୧୩୧

ମଳୟଧ୍ୱଜ ନୃପବର । ଦ୍ରାବିଡଦେଶେ ଅଧିକାର ॥ ୧୩୨

ସେ କନ୍ୟା ଗର୍ଭେ ତା ସନ୍ତତି । ଜନ୍ମିଲା ସୁଗୁଣ ସୁମତି ॥ ୧୩୩

ସେ ରାଜା ସଦୃଶ କୁମାରୀ । ପ୍ରସବ କଲା ତାର ନାରୀ ॥ ୧୩୪

ଶ୍ରୀକୃଷ୍ଣ ସୋବରୁଚି ନାମ । ତା ନାମ ଦେଲେ ସେ ରାଜନ ॥ ୧୩୫

ସପତ ତନୟ ଅନ୍ତରେ । ଜନ୍ମିଲେ ସେ ନାରୀ ଉଦରେ ॥ ୧୩୬

ଶ୍ରବଣ କୀର୍ତ୍ତନ ଯେ ଆଦି । ଏ ସପ୍ତନାମେ ଭକ୍ତିସିଦ୍ଧି ॥ ୧୩୭

ଏକୁ ଅନେକ ତାହାଙ୍କର । ଅର୍ବୁଦ ଅର୍ବୁଦ କୁମର ॥ ୧୩୮

ବଂଶର ସଂଖ୍ୟା ତା ନ ଯାଇ । ଅସଂଖ୍ୟ ଅପ୍ରମିତ ହୋଇ ॥ ୧୩୯

ସେ ମନ୍ୱନ୍ତର ଭୋଗ କଲେ । ଆନନ୍ଦେ କୃଷ୍ଣଙ୍କୁ ଭଜିଲେ ॥ ୧୪୦

ମଳୟଧ୍ୱଜର ଦୁହିତା । ସେ ଜ୍ଞାନବତୀ ଧୃତବ୍ରତା ॥ ୧୪୧

ଅଗସ୍ତି ତାରେ ବିଭା ହେଲେ । ତା ଗର୍ଭେ ଦୃଢ଼ଚ୍ୟୁତ ହେଲେ ॥ ୧୪୨

ମଳୟଧ୍ୱଜ ରାଜଋଷି । ପୁତ୍ରଙ୍କୁ ଡକାଇଲେ ବସି ॥ ୧୪୩

ବିଭାଗ କରି ରାଜ୍ୟ-ଖଣ୍ତ । ପୁତ୍ରଙ୍କୁ ଦେଲେ ଛତ୍ର-ଦଣ୍ତ ॥ ୧୪୪

କୃଷ୍ଣ ଭଜନେ ନରସାଇଁ । ରହିଲେ କୁଳାଚଳେ ଯାଇ ॥ ୧୪୫

ତାର ବୈଦର୍ଭୀ ନାମେ ଜାୟା । ଛାଡିଣ ଗୃହ-ସୁତ ମାୟ ॥ ୧୪୬

ସେ ରଜା ପଛେ ଗୋଡାଇଲା । ସୁଧାଂଶୁ ପଛେ ଶୋଭା ଗଲା ॥ ୧୪୭

ସେ କୁଳାଚଳ ଗିରିବର । ସକଳ ତୀର୍ଥଙ୍କ ମନ୍ଦିର ॥ ୧୪୮

ତୀର୍ଥଙ୍କ ନାମ ଏକା ଏକା । ଯେ ତାମ୍ରପର୍ଣ୍ଣୀ ବଟୋଦକା ॥ ୧୪୯

ଅପରେ ଚନ୍ଦ୍ରବସା ନାମ । ଏ ଆଦି ପୁଣ୍ୟତୀର୍ଥ ଧାମ ॥ ୧୫୦

କୃଷ୍ଣ-ଭକତି ସୁସାଧନେ । ତପ ଆଚରି ଶୁଦ୍ଧମନେ ॥ ୧୫୧

ସେ ପୁଣ୍ୟ-ତୀର୍ଥ-ଜଳେ ନିତି । ସ୍ନାନାଦି କର୍ମ ଯେ କରନ୍ତି ॥ ୧୫୨

ଦୁରନ୍ତ ବାହ୍ୟ-ଅନ୍ତଃମଳ । ସେ ଜଳେ ହୋଇଲା ନିର୍ମଳ ॥ ୧୫୩

ତପ ସାଧନେ ଅତିରେକ । ଭକ୍ଷି ଫଳ-ମୂଳ-ଶୋକ ॥ ୧୫୪

ପୁଷ୍ପ କୋମଳ ପତ୍ର ଜଳ । ତୃଣାଦି ଶଯ୍ୟାରେ ନିଶ୍ଚଳ ॥ ୧୫୫

କଠୋର ତପ ଆଚରିଲେ । ଶରୀର ତପେ ଶୁଭାଇଲେ ॥ ୧୫୬

ଶୀତ ଉଷ୍ଣାଦି ତ୍ରୟତାପ । କ୍ଷୁଧା ପିପାସା ତେଜି ଭୂପ ॥ ୧୫୭

ଦୁଃଖ-ସୁଖାଦି ସମ ତାରେ । ଶୋକ ହରଷ ଏକ କରେ ॥ ୧୫୮

ଏ ସର୍ବ ଜିଣି ସେ ରାଜନ । ନିର୍ମଳ ପ୍ରକାଶିଲା ମନ ॥ ୧୫୯

ମିତ୍ର ଅଇରି ସମ ତାର । ଲାଭ ଅଲାଭ ଏକାକାର ॥ ୧୬୦

ଏ ରୂପେ ଘୋର-ତପ କଲେ । ବ୍ରହ୍ମରେ ଆତ୍ମା ନିରୋପିଲେ ॥ ୧୬୧

ମନ ପବନ ବଶ କରି । ଦୁର୍ଜୟ-ଇନ୍ଦ୍ରିୟ ନିବାରି ॥ ୧୬୨

ଦୃଢ଼-ଆସନେ ନୃପବର । ସ୍ଥାଣୁ ସମାନେ ହୋଇ ସ୍ଥିର ॥ ୧୬୩

ଶତେ-ବରଷ ଦେବମାନେ । ନିଶ୍ଚଳେ ବସି ଯୋଗଧ୍ୟାନେ ॥ ୧୬୪

ଶ୍ରୀବାସୁଦେବେ କରି ରତି । ଦେହ-ବିଷୟ ନ ଜାଣନ୍ତି ॥ ୧୬୫

ଆତ୍ମାକୁ ଆତ୍ମାରେ ଦେଖିଲେ । ଆନନ୍ଦ-ସାଗରେ ବୁଡିଲେ ॥ ୧୬୬

ସେ ଆତ୍ମା ବ୍ୟାପିତ ସକଳ । ନ ଘେନେ ବିଷୟ ଜଞ୍ଜାଳ ॥ ୧୬୭

ନିଶ୍ଚେ ଜାଣିଲେ ମିଥ୍ୟାମୟେ । ଏ ସର୍ବ ସପନର ପ୍ରାୟେ ॥ ୧୬୮

ଯେସନେ ସ୍ୱପ୍ନ ମନୋରଥେ । ଭ୍ରମଇ ନିଦ୍ରାର ଆୟତ୍ତେ ॥ ୧୬୯

ନାନା ବିକାର ସେ ଦେଖଇ । ଶିର-ଛେଦନ ହେଉଥାଇ ॥ ୧୭୦

ପ୍ରତ୍ୟକ୍ଷେ ମଣେ ତାହା ସତ୍ୟ । ଅଜ୍ଞାନ-ମୋହେ ଭ୍ରମ ଚିତ୍ତ ॥ ୧୭୧

ତହିଁ ଆତ୍ମାର ଲିପ୍ତି ନାହିଁ । ଏ ରୂପେ ଆତ୍ମା ସର୍ବଦେହୀ ॥ ୧୭୨

ଯେ ହରି ଗୁରୁ ଭଗବାନ । କହିଣ ଥିଲେ ଦିବ୍ୟଜ୍ଞାନ ॥ ୧୭୩

ସେ ଜ୍ଞାନ-ଦୀକ୍ଷା-ଦୀପ ପାଇ । ଦେଖିଲେ ଆତ୍ମା ସର୍ବଠାଇଁ ॥ ୧୭୪

ବ୍ରହ୍ମକୁ ଆତ୍ମାରେ ଦେଖିଳେ । ଆତ୍ମାକୁ ବ୍ରହ୍ମେ ନିରୋପିଲେ ॥ ୧୭୫

ଯେ କିଛି ଭେଦବୁଦ୍ଧି ଥିଲା । ସେସର୍ବ ଅଜ୍ଞାନ ଖଣ୍ତିଲା ॥ ୧୭୬

ଏ ରୂପେ ଛାଡି କଳେବର । ସେ ଯୋଗବଳେ ଯୋଗେଶ୍ୱର ॥ ୧୭୭

ନିଶ୍ଚଳ ଯୋଗାସନେ ରାୟେ । ଦିଶନ୍ତି ଧ୍ୟାନେ ଥିଲା ପ୍ରାୟେ ॥ ୧୭୮

ବିଦର୍ଭସୁତା ପବିତ୍ରତା । ଛାଡି ବିଷୟ-ଭୋଗ ଚିନ୍ତା ॥ ୧୭୯

ଖଣ୍ତି ଅମ୍ବର ପରିଧାନ । ବେଣୀ-ପ୍ରବନ୍ଧ କେଶମାନ ॥ ୧୮୦

ପତି ସମୀପେ ବସିଥାଇ । ଦେଖନ୍ତେ ଅତି ଶୋଭା ପାଇ ॥ ୧୮୧

ଯେସନେ ଅଗ୍ନି ଶିଖା-ହୀନ । ସେ ରୂପେ ଦିଶନ୍ତି ରାଜନ ॥ ୧୮୨

ରାଜା ହୋଇଲେ ମୃତ୍ୟୁଗତ । ରାଣୀକି ନୋହିଲା ବିଦିତ ॥ ୧୮୩

ସୁସ୍ଥିର ଆସନେ ନୃପତି । ରାଣୀ ସେବାରେ ନ ଜାଣନ୍ତି ॥ ୧୮୪

ସ୍ୱାମୀ-ଚରଣେ ହସ୍ତ ଦେଲେ । ଉଷ୍ମତା-ଭାବ ନ ଜାଣିଲେ ॥ ୧୮୫

ଦେଖିଲେ ପ୍ରାଣ ନାହିଁ ଦେହେ । ରାଣୀ ଅଜ୍ଞାନ-ଶୋକ-ମୋହେ ॥ ୧୮୬

ଦୁରନ୍ତ ଚିନ୍ତାଭରେ ରାଣୀ । ପଡିଲା ମୃତ୍ୟୁ-ଶବ ଜାଣି ॥ ୧୮୭

ଅତି ବିଚ୍ଛେଦ ମନଦୁଃଖେ । ବଚନ ନ ସ୍ପୁରେ ତା ମୁଖେ ॥ ୧୮୮

ଯୂଥ-କୁରଙ୍ଗୀ ସଙ୍ଗ ହୀନେ । ଏକାକୀ ଭାଳଇ ଯେସନେ ॥ ୧୮୯

ତେସନେ ରାଣୀ ଛନ୍ନ ହୋଇ । ଦୁଃଖେ ସେ ରୋଦନ କରଇ ॥ ୧୯୦

ନିକଟେ ଜ୍ଞାତି-ବନ୍ଧୂଜନ । ନ ଦେଖି ଅତି ଭୟେ ଛନ୍ନ ॥ ୧୯୧

ରୋଦଇ ବିଚିତ୍ର-ବିଳାପେ । ସେ ଘୋର ବନେ ମନ୍ତସ୍ତାପେ ॥ ୧୯୨

ଉଠ ହେ ନୃପତି କେଶରୀ । ଏ ଘୋରନିଦ୍ରା ପରିହରି ॥ ୧୯୩

କ୍ଷତ୍ରିୟ-ଧର୍ମ ଏ ନୁହଁଇ । ଶତ୍ରୁ ହସିବେ ନିନ୍ଦା ବହି ॥ ୧୯୪

ଏ ଯେ ଦୁର୍ଜୟ ଶୋକ ମୋର । ଭୋ ନାଥ ବେଗେ ପରିହର ॥ ୧୯୫

ଶୋକେ ଅଜ୍ଞାନ ମନତାପେ । ସେ ଅତି ରୋଦଇଁ ଦୁରାପେ ॥ ୧୯୬

ଉଦଧି-ଧର୍ମ ଏ ତୁମ୍ଭର । ଆରତ ଜନ ଦୁଃଖ ହର ॥ ୧୯୭

ପ୍ରଜାଏ ହୋଇବେ ନିରେଖ । ଆଶ୍ରୟ ନ ପାଇଁ ବିମୁଖ ॥ ୧୯୮

ରାଜତ୍ୱ-ଧର୍ମ ଏ ତୁମ୍ଭର । ଆରତ ଜନ ଦୁଃଖ ହର ॥ ୧୯୯

ଏମନ୍ତେ ଅତି ମନସ୍ତାପେ । କହେ ବିଭ୍ରମେ ସେ ବିଳାପେ ॥ ୨୦୦

ମୁଁ ଏବେ କେମନ୍ତେ ବଞ୍ଚିବି । କାହାର ଚରଣେ ସେବିବି ॥ ୨୦୧

ତୋ ମୁଖ-କମଳ ଅଭାବେ । ମୋ ପ୍ରାଣ ରହେ କିମ୍ପା ହୃଦେ ॥ ୨୦୨

ଏ ମୂଖ-ଦାରୁଣ-ଜୀବନ । ନ ଯାଇ ରହିଛି ଅଜ୍ଞାନ ॥ ୨୦୩

ତା ଅଶ୍ରୁ ଉଦକ ନିର୍ଝରେ । ନୟନୁ ପଡଇ ଭୂମିରେ ॥ ୨୦୪

ହିମାଦ୍ରି-ଶିଖେ ଚନ୍ଦ୍ର ଯେହ୍ନେ । ତା ମୁଖପଙ୍କଜ ତେସନେ ॥ ୨୦୫

କୁଚ-ଅମ୍ବର ଧୌତ କରି । ଯେହ୍ନେ ସ୍ରବିତ ସୁରବାରି ॥ ୨୦୬

ଏରୂପେ ଚିନ୍ତାର୍ଣ୍ଣବ-ଘୋରେ । ସେ ରାଣୀ ବୁଡିଲା ନିର୍ଭରେ ॥ ୨୦୭

ଏମନ୍ତେ ପତିପାଦେ ପଡି । ରୋଦଇ ଶିରେ କର ତାଡି ॥ ୨୦୮

ସେ ରାଣୀ କରନ୍ତେ ରୋଦନ । ବେଳ ହୋଇଲା ଅବସାନ ॥ ୨୦୯

ଏ ବନ-ଘୋରେ ସଙ୍ଗ ନାହି । ରୋଦନ କାଳଏ ନୁହଁଇ ॥ ୨୧୦

ସତ୍ୱରେ ଉଠିଣ ତରୁଣୀ । ଶୁଷ୍କ ଇନ୍ଧନ ବେଗେ ଆଣି ॥ ୨୧୧

ଚିତା ସଂଯୋଗି ବେଗବନ୍ତେ । ସେ ବନେ ନିର୍ଜନେ ଏକାନ୍ତେ ॥ ୨୧୨

ସ୍ୱାମୀଙ୍କି ତହିଁ ନିବେଶିଲା । ବିଧାନେ ମୁଖାଗ୍ନି ସେ ଦେଲା ॥ ୨୧୩

ଅନୁଗମନେ ଯିବା ପାଇଁ । ବସିଲା ସ୍ୱାମୀ-ପଦ ଧ୍ୟାୟି ॥ ୨୧୪

ଅନଳ ପ୍ରଦକ୍ଷିଣ କଲେ । ସ୍ୱାମୀ ସଙ୍ଗତେ ଯିବା ବେଳେ ॥ ୨୧୫

ଅଦଘଭୁତେ ବ୍ରାହ୍ମଣ ମିଳିଲେ । ସେ ତାର ପୂର୍ବେ ସଖା ଥିଲେ ॥ ୨୧୬

ସେ ବିପ୍ର ରାଣୀ ହସ୍ତ ଧରି । କହେ ପ୍ରବୋଧି ଶାନ୍ତ କରି ॥ ୨୧୭

ବ୍ରାହ୍ମଣ ଉବାଚ

ଶୁଣ ସୁନ୍ଦରି ମନୋହାରୀ । କେ ତୁମ୍ଭେ ଅଟ କାହା ନାରୀ ॥ ୨୧୮

ଏ କେ ଶୟନେ ତୋର କତି । କା ପାଇଁ ବିଳପୁ ଯୁବତୀ ॥ ୨୧୯

ସୁମରି କାନ୍ଦୁଯାର ପାଇଁ । ଏ ତୋର ଦୁଃଖ ନ ଘେନଇ ॥ ୨୨୦

ତୁ ଯେ ବିଳପୁ ଅବିଚାରେ । ଏ ତୋର ସ୍ନେହ ଛାଡି ଦୂରେ ॥ ୨୨୧

ଗମିଲା ନିଜ କର୍ମବଳେ । ତୋତେ ନିବେଶି ଶୋକାନଳେ ॥ ୨୨୨

ତୁ ତାହା ନ ବୁଝୁ ସୁନ୍ଦରୀ । ବିଅର୍ଥେ ମରୁ ଶୋକ କରି ॥ ୨୨୩

ଯେ ପତି ହୋଇଥିଲା ତୋର । ସେ ଜୀବଆତ୍ମାଟି ମୋହର ॥ ୨୨୪

ଯେଣୁ ତୁ ଆତ୍ମା ନ ଚିହ୍ନିଲୁ । ଏଣୁ ଅଜ୍ଞାନେ ମିମଜ୍ଜିଲୁ ॥ ୨୨୫

ମୁଁ ପୂର୍ବସଖାଟି ତୋହର । ତୁ ପ୍ରାଣସଖୀ ଅଟୁ ମୋର ॥ ୨୨୬

ଆପଣା ସଖା ନ ଚିହ୍ନିଲୁ । ଏ ମାୟା ମୋହେ ନିମଜ୍ଜିଲୁ ॥ ୨୨୭

ତୁ ମୋତେ ଛାଡି ଏକା କରି । ଅଇଲୁ ମୃତ୍ୟୁଭୟ-ପୁରୀ ॥ ୨୨୮

ଏ ଭୂମି ବଇଭୋଗ କଲୁ । ମୋ ସଙ୍ଗ ଏ ରସୁ ତେଜିଲୁ ॥ ୨୨୯

ତୁ ଆମ୍ଭେ ଏକ ବେନିଅଂଶ । ଏ ମାନସରୋବରେ ବାସ ॥ ୨୩୦

ଏ ବେନିଅଂଶ ହଂସ ହୋଇ । ସେ ଗୃହ ଛାଡି ଯେ ନ ଯାଇ ॥ ୨୩୧

ସହସ୍ରେ ଯୁଗ ପରିଯନ୍ତେ । ମାନସେ ରହିଲୁ ଏକାନ୍ତେ ॥ ୨୩୨

ତୁ ମୋତେ ଛାଡିଣ ସେଠାରେ । ଅଇଲୁ ଏ ମହୀ ଭୋଗରେ ॥ ୨୩୩

ପ୍ରବେଶି ଏ ମର୍ତ୍ତ୍ୟମଣ୍ତଳ । ଏଥି ଦେଖିଲୁ ଦିବ୍ୟସ୍ଥଳ ॥ ୨୩୪

ସେ ପୁରେ ଏକ ନାରୀ ଥିଲା । ସେ ତୋର ମନ ବନ୍ଦୀ କଲା ॥ ୨୩୫

ତା ବଶେ ନୋହେ ତୋ ଆୟତ୍ତ । ମିଥ୍ୟାଭିଲାଷେ ମୋହ ଚିତ୍ତ ॥ ୨୩୬

ସେ ନଗ୍ରେ ପଞ୍ଚ-ଉପବନ । ନବ-ଦୁଆରେ ଶୋଭାବନ ॥ ୨୩୭

ସେ ନବଦ୍ୱାରେ ନିରୁପମ । ଦେବ-ମାନବେ ମନୋରମ ॥ ୨୩୮

ରକ୍ଷଣେ ଏ ଦ୍ୱାରପାଳ । ସେ ତ୍ରୟ କୋଠାରେ ବିସ୍ତାର ॥ ୨୩୯

ଅପରେ ଅଛି କୁଳ ଷଟ । ବସାଇ ଭଲେ ପଞ୍ଚ ହାଟ ॥ ୨୪୦

ପଞ୍ଚ ଯେ ପ୍ରକାରେ ପ୍ରକୃତି । ଏକଇ ନାରୀ ରୂପବତୀ ॥ ୨୪୧

ଏ ପଞ୍ଚଇନ୍ଦ୍ରିଙ୍କ ବିଷୟ । ଆରାମ ତହିଁରେ ନିଶ୍ଚୟ ॥ ୨୪୨

ଏକଇ ପ୍ରାଣ ତହିଁ ଦ୍ୱାରୀ । ସେ ନବଦ୍ୱାର ରକ୍ଷାକାରୀ ॥ ୨୪୩

ପୃଥିବୀ ଆପ ତେଜ ମାନ । ଏକା ସେ ତାହାର ସଦନ ॥ ୨୪୪

ଜ୍ଞାନ ଇନ୍ଦ୍ରିୟ ପାଞ୍ଚମନ । ତହିଁରେ ଷଟକୁଳ ଜାଣ ॥ ୨୪୫

ଏ କ୍ରିୟାଶକ୍ତି ତହିଁ ହାଟ । ପଞ୍ଚ ବିଷୟ ତହିଁ ବାଟ ॥ ୨୪୬

ପ୍ରକୃତି ପଞ୍ଚବିଂଶ ଗୁଣ । ଏ ରୂପେ ସେ ହାଟ ଭିଆଣ ॥ ୨୪୭

ଏ ପାପ-ପୁଣ୍ୟ କର୍ମ ଦୁଇ । କ୍ରୟ ବିକ୍ରୟ ତହିଁ ହୋଇ ॥ ୨୪୮

ଏ ସଙ୍ଗେ ମନ ସଞ୍ଚରଇ । ସୁକର୍ମ ବିକର୍ମ ଚଳଇ ॥ ୨୪୯

ସେ ହାଟେଶ୍ୱରୀ ବୁଦ୍ଧି ଥିଲା । ସେ ତୋର ମନ ବନ୍ଦୀ କଲା ॥ ୨୫୦

ତୁ ଭୋଗ କଲୁ ତାକୁ ତହିଁ । ମୋତେ ତୁ ସମ୍ପାଦିଲୁ ନାହିଁ ॥ ୨୫୧

ଏକାନ୍ତେ ନାରୀସଙ୍ଗ କଲୁ । ଏ ପାପଦଶା ତୁ ଲଭିଲୁ ॥ ୨୫୨

ନୋହୁ ତୁ ବିଦର୍ଭ ଦୁହିତ । ଏ ବୀର ନୋହେ ତୋର କାନ୍ତ ॥ ୨୫୩

ନୋହୁ ତୁ ବିଦର୍ଭ ଦୁହିତ । ଯା ଲାଗି ତୋର ଏ ଦୁର୍ଗତି ॥ ୨୫୪

ମୁଁ କରି ଅଛି ଏହୁ ମାୟା । ପୁରୁଷ-ପ୍ରକୃତିରେ କାୟା ॥ ୨୫୫

ଛାଡ ଏ ମାୟା-ମୋହ ମତି । ଆମ୍ଭେ ବେନି ହଂସ ସଙ୍ଗତି ॥ ୨୫୬

ଏ ତୁମ୍ଭ ଆମ୍ଭ ନୋହେ ଭିନ୍ନ । ଏ ବେନି ଏକ କରି ଚିହ୍ନ ॥ ୨୫୭

ଯେବା ପଣ୍ତିତ ଜ୍ଞାନମତି । ଏ ବେନି ଭେଦ ନ କରନ୍ତି ॥ ୨୫୮

ଅଜ୍ଞାନେ ଜ୍ଞାନ ଧର୍ମଭେଦ । ଅବିଦ୍ୟା ବିଦ୍ୟାର ଏ ଖେଦ ॥ ୨୫୯

ଯେହ୍ନେ ମୁକୁରେ ଦେଖେ ଦେହୀ । ଏକଇ ଅଙ୍ଗ ଭିଶେ ଦୁଇ ॥ ୨୬୦

ମୁକୁର ନ ଥିଲେ ନ ଦିଶେ । ଏମନ୍ତ ଏ ଭେଦ ବିଶେଷେ ॥ ୨୬୧

ନାରଦ କହନ୍ତି ସଦୟେ । ଶୁଣ ପ୍ରାଚୀନ ନୃପରାୟେ ॥ ୨୬୨

ଏ ଯେ ଆଧ୍ୟାତ୍ମ ଦିବ୍ୟଜ୍ଞାନ । କହିଲୁ ପରୋକ୍ଷ ବାଦେଣ ॥ ୨୬୩

ପରୋକ୍ଷବାଦ ପ୍ରିୟ ହରି । ଏଣୁ ଯେ କହିଲୁ ବିସ୍ତାରି ॥ ୨୬୪

ଚତୁର୍ଥ ସ୍କନ୍ଧେ ଭାଗବତ । ଏ ପୁରଞ୍ଜନ ଚରିତ ॥ ୨୬୫

ଏ ଅଷ୍ଟବିଂଶତି ଅଧ୍ୟାରେ । ପ୍ରାକୃତଭାଷା ଏ ପ୍ରକାରେ ॥ ୨୬୬

ଏହା ଶ୍ରବଣେ ପ୍ରାଣୀଙ୍କର । ଖଣ୍ତିବ ବହୁ ଦୁଃଖ ଘୋର ॥ ୨୬୭

ସନ୍ଥ ଚରଣେ ଦେଇ ଚିତ୍ତ । ବର୍ଣ୍ଣଇ ବିପ୍ର ଜଗନ୍ନାଥ ॥ ୨୬୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ ଅଷ୍ଟାବିଂଶୋଽଧ୍ୟାୟଃ ॥

* * *