ଚତୁର୍ଥ ସ୍କନ୍ଧ
ସପ୍ତବିଂଶ ଅଧ୍ୟାୟ
ନାରଦ ଉବାଚ
କହନ୍ତି ବ୍ରହ୍ମାଙ୍କ ନନ୍ଦନ । ତଦନ୍ତେ ସେ ଯେ ପୁରଞ୍ଜନ ॥ ୧
ଅନେକମତେ ପ୍ରବୋଧିଲା । ରାଣୀର ମାନ ଦୂର କଲା ॥ ୨
ପ୍ରସନ୍ନ ବଦନେ ସୁନ୍ଦରୀ । ସ୍ନାନ ମାର୍ଜନା ବେଗେ ସାରି ॥ ୩
କୁଙ୍କୁମ କସ୍ତୁରୀ ଲଗାଇ । ସୁବାସଗନ୍ଧେ ମନ ମୋହି ॥ ୪
କଜ୍ୱଳ ସିନ୍ଦୁର ମଣ୍ତିଲା । ସୁଦିବ୍ୟ ବସନ ପିନ୍ଧିଲା ॥ ୫
ସୁଗନ୍ଧ ପୁଷ୍ପମାଳା ଦେଇ । କବରୀ ବାନ୍ଧିଲା ସଜାଇ ॥ ୬
ଖଞ୍ଜିଣ ନାନା ଅଳଙ୍କାର । ମୁକୁରେ ନିରୋଖି ଶରୀର ॥ ୭
ଭୋଜନ ସାରି ଷଡ଼ରସେ । ତାମ୍ବୁଳ ଭୁଞ୍ଜିଲା ହରଷେ ॥ ୮
ନୃପତି ସମୀପେ ମିଳିଲା । ହସି ପଲଙ୍କେ ବିଜେ କଲା ॥ ୯
ସେ କାମବିକାରେ ରାଜନ । ରାଣୀକି କଲା ଆଲିଙ୍ଗନ ॥ ୧୦
ବିବିଧ ସକାମ ବିକାରେ । ହାସ୍ୟ କଟାକ୍ଷ ମନୋହରେ ॥ ୧୧
ଏକାନ୍ତ ରତିରସରଙ୍ଗେ । ସେ ରାଣୀ ପୁରଞ୍ଜନ ସଙ୍ଗେ ॥ ୧୨
ଭୂରୁ-କମାଣେ ସନ୍ଧି ଶର । ଦ୍ରହାସ କଟାକ୍ଷ ବିକାର ॥ ୧୩
ଷଟଚତ୍ୱାରିଂଶ ବିକାରେ । ସେ ରସ-ସଙ୍ଗମ ରତିରେ ॥ ୧୪
ରାତ୍ର ଦିବସ ନ ଜାଣିଲା । ଅଜ୍ଞାନ-ମୋହେ ନିମଜ୍ଜିଲା ॥ ୧୫
ସେ କାମଭୋଗେଣ ନପତି । ଫୁଟିଣ ଶାନ୍ତ ହେଲା ଅତି ॥ ୧୬
ଉପଧି କରି ପତ୍ନୀ କର । ସୁଖେ ଶୋଭଲା ନୃପବର ॥ ୧୭
ପଲଙ୍କେ ସୁଖେ ନିଦ୍ରା ଗଲା । ସେ କାଳ-ଗତି ନ ଜାଣିଲା ॥ ୧୮
ନିତ୍ୟେ ହରନ୍ତେ ଆୟୁ ବଳ । ସେ ରାଜା ହୋଇଲା ନିର୍ବଳ ॥ ୧୯
ସେ କାମ ଭୋଗେ ନୃପବର । ସ୍ତିରୀ ସଙ୍ଗମେ ମନ ସ୍ଥିର ॥ ୨୦
ଅଜ୍ଞାନେ କ୍ରୀଡାରସେ ରତ । ନ ଦେଲା ଜ୍ଞାନମାର୍ଗେ ଚିତ୍ତ ॥ ୨୧
ନବୀନ ବୟସ ରାଜନ । ନାଶିଲା ଏ ସ୍ତିରୀ ଭୋଗେଣ ॥ ୨୨
ନିମିଷ ମାତ୍ର ସେ ମଣିଲା । ଏ ଯୁବାକାଳ ବିନାଶିଲା ॥ ୨୩
ଏମନ୍ତେ ବହୁ ସମ୍ବତ୍ସର । କାମିନୀ ବଶେ ନୃପବର ॥ ୨୪
ଭୋଗାନ୍ତେ ପୁରଞ୍ଜନ ଠାରେ । ଜନ୍ମିଲେ ଦୁହିତା କୁମରେ ॥ ୨୫
ଏଗାରଶତ ଯେ କୁମର । ଜନ୍ମ ଲଭିଲେ ଆଦ୍ୟେ ତାର ॥ ୨୬
ଦଶ ଉତ୍ତର କନ୍ୟା ଶତ । ସୁଗୁଣଶୀଳେ ହେଲେ ଜାତ ॥ ୨୭
ସେ କନ୍ୟା-ପୁତ୍ରେ ବିଭା ଦେଇ । ନିଶ୍ଚିନ୍ତ ହେଲା ନରସାଇଁ ॥ ୨୮
ବିଭା-ନିର୍ବନ୍ଧେ ନିମଜ୍ଜିଲା । ଅର୍ଦ୍ଧେ ଆୟୁଷ ତାର ଗଲା ॥ ୨୯
ପୁତ୍ର-କନ୍ୟାଙ୍କ ପୁତ୍ର ଶହେ । ପଞ୍ଚାଳେ ଚଞ୍ଚନ୍ତି ସେ ରାୟେ ॥ ୩୦
ଏ ସର୍ବେ ରାଜାର ଭଣ୍ତାର । ଲୁଟିଣ କଲେ ସେ ବିହାର ॥ ୩୧
ତେବେ ହେଁ ମନେ କ୍ଷୋଭ ନାହିଁ । ବିଷୟ-ରସେ ମନ ମୋହି ॥ ୩୨
ଗାନ୍ଧର୍ବ ଭୋଗେ ସେ ନୃପତି । ବିଭ୍ରମେ ଅତି ମୂଢ ମତି ॥ ୩୩
ବିଷୟେ ମମତା ବଢ଼ାଇ । ବନ୍ଦୀ ହୋଈଲା ନୃପସାଇ ॥ ୩୪
ତଦନ୍ତେ ଘୋର ଯଜ୍ଞ କଲା । ଅନେକ ପଶୁଙ୍କୁ ବଧିଲା ॥ ୩୫
ଦେବତା-ପିତୃ-ଭୂତପତି । ସେ ଯଜ୍ଞେ ପୂଜିଲା ନୃପତି ॥ ୩୬
ଯେ ରୂପେ ତୁମ୍ଭେ ହେ ରାଜନ । କରୁଛ ଘୋର ଯଜ୍ଞ ମାନ ॥ ୩୭
ସେ ରୂପେ ପୁରଞ୍ଜନ ରାୟେ । ଅନେକ ପଶୁ କଲା କ୍ଷୟେ ॥ ୩୮
ବିଷୟ ଜଡେ ଉନମତ୍ତ । କୁଟୁମ୍ବେ ବନ୍ଦୀ କଲା ଚିତ୍ତ ॥ ୩୯
ତଦନ୍ତେ ପ୍ରବେଶିଲା କାଳ । ଯେ ହରେ ପ୍ରାଣୀ ଆୟୁବଳ ॥ ୪୦
ତାହାର ନାମ ଚଣ୍ତବେଗ । ଗନ୍ଧର୍ବ-ରାଜ୍ୟ କରେ ଭୋଗ ॥ ୪୧
ଗନ୍ଧର୍ବମାନଙ୍କର ପତି । ଅତି ପ୍ରଚଣ୍ତ ତାର ଗତି ॥ ୪୨
ତ୍ରିଶତଷାଠି ତା ପ୍ରମାଣ । ଗନ୍ଧର୍ବେ ଅତି ବଳବାନ ॥ ୪୩
ମିଥୁନ ଭାବେ କରି ସ୍ଥିତି । ଏତେ ଗନ୍ଧର୍ବୀ ତହିଁ ଥାନ୍ତି ॥ ୪୪
ଗନ୍ଧର୍ବ-ଗନ୍ଧର୍ବୀ ପ୍ରବଳ । କେ କୃଷ୍ଣ କେ ଅବା ଶୁକଳ ॥ ୪୫
ଏ ସର୍ବେ ଚଣ୍ତବେଗଙ୍କର । ହୋଇଣ ଥାନ୍ତି ଅନୁଚର ॥ ୪୬
ସେ ଚଣ୍ତବେଗ ଆଜ୍ଞା ପାଇ । ବେଢିଲେ ରାଜାପୁର ଯାଇ ॥ ୪୭
ସେ ପୁରଞ୍ଜନ ଦିବ୍ୟପୁରୀ । ଗନ୍ଧର୍ବେ ବଳେ ଜୁର କରି ॥ ୪୮
ସେ ନଗ୍ରେ ସେନାପତି ଏକ । ରକ୍ଷଣେ ଥିଲା ସେ ଅଧ୍ୟକ୍ଷ ॥ ୪୯
ତାହାର ନାମ ପ୍ରଜାଗର । ସେ ବେଗେ ମିଳିଲା ଆଗର ॥ ୫୦
ତାହାଙ୍କୁ ମାରି ଘଉଡିଲା । ଅନେକ ଘୋରଯୁଦ୍ଧ କଲା ॥ ୫୧
ସେ ଶତ-ସମ୍ବତ୍ସର ନିତ୍ୟେ । ଯୁଝିଲା ଗନ୍ଧର୍ବ ସଙ୍ଗତେ ॥ ୫୨
ଗନ୍ଧର୍ବେ ଅତି ବଳବାନ । ତାହାକୁ ମାରି କଲେ କ୍ଷୀଣ ॥ ୫୩
କ୍ଷୀଣ ହୁଅନ୍ତେ ପ୍ରଜାଗର । ସେ ଘୋରତାପେ ନୃପବର ॥ ୫୪
ସେ ପୁରବାସୀ ଯେତେ ଥିଲେ । ସେ ସର୍ବେ ଆକୁଳେ ରୋଦିଲେ ॥ ୫୫
ଅନ୍ୟତ୍ର ନ ପାରନ୍ତି ଯାଇ । ଦୁଃଖେ ରୋଦନ୍ତି କ୍ଷୋଭ ପାଇ ॥ ୫୬
ସେ ନଗ୍ରେ ନୃପ ପୁରଞ୍ଜନ । ସଙ୍ଗତେ ଘେନି ପ୍ରଜାଗଣ ॥ ୫୭
ପାଞ୍ଚାଳଦେଶେ ନାନା ସୁଖ । ଯେଣୁ ଭୁଞ୍ଜିଲା ଅବିବେକ ॥ ୫୮
ତା ଦିନ ପତ୍ନୀସ୍ନେହେ ଗଲା । କୁତ୍ସିତ-ସୁଖେ ନିମଜ୍ଜିଲା ॥ ୫୯
ଇନ୍ଦ୍ରିୟ-ରସେ ଅନୁରାଗୀ । ସେ ମୋକ୍ଷ ତେଜିଲା ଦୁର୍ଭାଗୀ ॥ ୬୦
ଅଳପ ସୁଖ-ଭୋଗେ ରତ । ନ ଦେଲା ଜ୍ଞାନମାର୍ଗେ ଚିତ୍ତ ॥ ୬୧
ନ କଲା ସେ ଭଲ ବିଚାର । ଏଣୁ ହୋଇଲା ଦୁଃଖ-ଘୋର ॥ ୬୨
ପ୍ରାଚୀନବର୍ହିକୁ ନାରଦ । କହିଲେ ଅପୂର୍ବ ସମ୍ବାଦ ॥ ୬୩
କାଳର କନ୍ୟା ଏକ ଥିଲା । ତାହାକୁ କେହି ନ ବରିଲା ॥ ୬୪
ଏ ତିନିଲୋକେ ସେ ଭ୍ରମଇ । ଡରେ କେ ତାକୁ ବିଭା ନୋହି ॥ ୬୫
ସେ ଯାରେ ବର ଇଚ୍ଛା କରେ । ସେ ଦେଖି କମ୍ପେ ଥରହରେ ॥ ୬୬
ସେ ସର୍ବ-ଅଭାଗ୍ୟର ଧାମ । ଏଣୁ ଦୁର୍ଭାଗା ତାର ନାମ ॥ ୬୭
ସେ କନ୍ୟା ପୂର୍ବେ ଏକକାଳେ । ଯଯାତି ବଳେ ବିଭା ହେଲେ ॥ ୬୮
ତା ଠାରେ ବଇଭୋଗ ସାରି । ପୁତ୍ରକୁ ବରେ ଇଚ୍ଛା କରି ॥ ୬୯
ତାହାକୁ ଯଯାତି ରାଜନ । ପୁତ୍ରକୁ କଲେ ସମର୍ପଣ ॥ ୭୦
ତା ଜ୍ୟେଷ୍ଠ ଯେତେକ କୁମର । କେହି ନ କଲେ ଅଙ୍ଗୀକାର ॥ ୭୧
କନିଷ୍ଠପୁତ୍ର ପୁରୁ ଥିଲା । ସେ ପିତା ଆଜ୍ଞାରେ ବରିଲା ॥ ୭୨
ତାହାର ସଙ୍ଗେ ନୃପବଳା । ଅନେକ ଦିନ ଭୋଗ କଲା ॥ ୭୩
ବର ଇଚ୍ଛଇ ନିରନ୍ତରେ । ଦେଖିଣ ପ୍ରାଣୀ ତାଙ୍କ ଡରେ ॥ ୭୪
ଏମନ୍ତେ ସେ କାଳ ଦୁହିତୀ । ସେ ବରେ ନୋହେ ତୁଷ୍ଟମତି ॥ ୭୫
ତା କାମଭୋଗେ ବଳ ହରି । ତଦନ୍ତେ ସଂସାରେ ବିହରି ॥ ୭୬
ମୁଁ ଦିନେ ବ୍ରହ୍ମଲୋକ ଠାରୁ । ଏ ମହୀ ଭ୍ରମଣ ଇଚ୍ଛାରୁ ॥ ୭୭
ଆସନ୍ତେ କୃଷ୍ଣରସେ ରସି । ମୋତେ ଭେଟିଲା ଦୁଷ୍ଟାଆସି ॥ ୭୮
ବୋଇଲା ଶୁଣ ମୁନିବର । ମୋ କାମଦୁଃଖ ପରିହର ॥ ୭୯
ଯତିତ୍ୱପଣ ମୋର ଜାଣେ । ତଥାପି ବରେ ଭ୍ରମ ପଣେ ॥ ୮୦
ତୁମ୍ଭ ମହିମା ଶୁଣି ନିତ୍ୟେ । ମୁଁ ଅନୁସରି ଅବିରତେ ॥ ୮୧
ଏବେ ଭେଟିଲି ଭାଗ୍ୟଫଳେ । ତୋ ସଙ୍ଗେ ରତି ତୋଷ ବଳେ ॥ ୮୨
ତୁମ୍ଭେ ଯେ ଦୟାଳୁ ଈଶ୍ୱର । ମୋ କାମ-ବାଞ୍ଛା ପୂର୍ଣ୍ଣକର ॥ ୮୩
ହେ ମୁନିଶ୍ରେଷ୍ଠ ଯୋଗେଶ୍ୱର । ମୋ ତୁଲେ ଗୃହଧର୍ମ କର ॥ ୮୪
ତୁମ୍ଭେ ମୋହାର ନିଜ ପତି । ଏଣୁ ଅଇଲି ତୁମ୍ଭ କତି ॥ ୮୫
ପୁରୁଷ ସ୍ୱଧର୍ମଟି ଏହି । ପ୍ରାପତ-କନ୍ୟା ନ ତେଜଇ ॥ ୮୬
ଯାଚକ କନ୍ୟା ପ୍ରତେଜିଲେ । ସେ ସୁଖ ନ ଲଭଇ ଭଲେ ॥ ୮୭
ଯେ ସାଧୁଜନ ଏ ଜଗତେ । ପ୍ରିୟ ଅପ୍ରିୟ ସମ ଚିତ୍ତେ ॥ ୮୮
ପ୍ରାଣୀଙ୍କ ହିତାର୍ଥ କାରଣେ । ଏଣୁ ଭ୍ରମନ୍ତି ଅନୁକ୍ଷଣେ ॥ ୮୯
ଅନ୍ୟତ୍ର ବାଞ୍ଛା ନାହିଁ ମୋର । ଏ କାମ-ଶତ୍ରୁ ମୋ ନିବାର ॥ ୯୦
ଭୋ ମୁନିବର ତୁମ୍ଭ ବିନେ । ମୋ ଚିତ୍ତ ନ ବଳଇ ଆନେ ॥ ୯୧
ଏ ତୁମ୍ଭ ଆମ୍ଭ କାମଭୋଗ । ଦଇବ କରିଛି ସଂଯୋଗ ॥ ୯୨
ଏମନ୍ତ ବାକ୍ୟ ତାର ଶୁଣି । ଆମ୍ଭେ ପ୍ରକୋପେ ତାକୁ ଭଣି ॥ ୯୩
ବୋଇଲୁ ତୁ ନୀଚ ଯୁବତୀ । ପ୍ରମଦାକୁଳେ ନୋହୁ ସତୀ ॥ ୯୪
କୁଳ-ଦୂଷଣ-କର୍ମ ତୋର । ନ ମରି ଧରିଛୁ ଶରୀର ॥ ୯୫
ତୋତେ ଦେଖିଲେ ଲଭି ଦୋଷ । ଅଶେଷ ପୁଣ୍ୟ ହୁଏ ନାଶ ॥ ୯୬
ଯେ ସ୍ତିରୀ ବିଟପୀ ସଂସାରେ । ଉଭୟଲୋକ ପରିହରେ ॥ ୯୭
ତୁ ଛାର କହିଲୁ ଏମନ୍ତ । ନ ଜାଣୁ ଆମ୍ଭେ ତପୋବନ୍ତ ॥ ୯୮
ପାତ୍ର ଅପାତ୍ର ତୁ ନ ଜାଣୁ । ଦୂଷଣ କଥା ମୁଖେ ଭଣୁ ॥ ୯୯
ଶୁଣସି ତୁ ମୂଢ଼ ଅଜ୍ଞାନୀ । ଆମ୍ଭେ ଯେ ଅଟୁ ବ୍ରହ୍ମଜ୍ଞାନୀ ॥ ୧୦୦
ଗୃହସ୍ଥଧର୍ମ ଆମ୍ଭ ନାହିଁ । ତୋର ବରଣେ ଇଚ୍ଛା କାହିଁ ॥ ୧୦୧
ତୋହର ବରେ ଯେବେ ଇଚ୍ଛା । କହିବା ପୂରିବ ତୋ ବାଞ୍ଛା ॥ ୧୦୨
ଯବନମାନଙ୍କ ଈଶ୍ୱର । ତୁ ଯାଇ ବେଗେ ତାକୁ ବର ॥ ୧୦୩
ଯେ କାମ ଭୋଗେ ତୋର ଇଚ୍ଛା । ସେ ତୋର ପୂରାଇବେ ବାଞ୍ଛା ॥ ୧୦୪
ତା ଶୁଣି ବିମୁଖେ ତରୁଣୀ । ସକ୍ରୋଧେ ଶାପ ମୋତେ ଭଣି ॥ ୧୦୫
ବୋଇଲା ଶୁଣ ମୁନିବର । ମୋ ପ୍ରୀତି-ଆଶା କଲୁ ଦୂର ॥ ୧୦୬
ତୁ ଏକଠାବେ ନ ରହିବୁ । ଜୀବନ୍ତେ ଯେତେକାଳ ଥିବୁ ॥ ୧୦୭
ବ୍ରହ୍ମାଣ୍ତ ମଧ୍ୟେ ସ୍ଥାନ ଯେତେ । ଭ୍ରମଣ କରୁଥିବୁ ନିତ୍ୟେ ॥ ୧୦୮
କାହିଁ ତୁ ନ ଲଭିବୁ ସୁଖ । ଭୋଗାଦି ନାମେଣ ବିମୁଖ ॥ ୧୦୯
ଏ ଘୋରଶାପ ମୋତେ । ବରିଲା ଭୟପତି ଯାଇ ॥ ୧୧୦
ଭୋ ଦେବ ଯବନ ଈଶ୍ୱର । ତୁ ବୀର ବଳେ ବଳୀୟାର ॥ ୧୧୧
ଏଣୁ ବରିଲି ମୁହିଁ ତୋତେ । ମୋର ବିନୟ ଘେନ ଚିତ୍ତେ ॥ ୧୧୨
ତୁମ୍ଭଙ୍କୁ ଯେବା ମାଗେ ଯାହା । ବିନାଶ ନୋହେ କାମ ତାହା ॥ ୧୧୩
ଶୁଣ ଯବନ ଅଧିପତି । ଏ ବେନିଲୋକେ ଶିଶୁମତି ॥ ୧୧୪
ଯେ ଲୋକ-ଶାସ୍ତ୍ରର ଭକତ । ଦ୍ରବ୍ୟ ହୋଇଲେ ଉପଗତ ॥ ୧୧୫
ଯାଚକ ଜନେ ତା ନ ଦେଇ । ଅଥବା ଦେଲେ ନ ଘେନଇ ॥ ୧୧୬
ଏ ବେନି ଶିଶୁ ସଙ୍ଗେ ସରି । ଏଣୁ ତାହାଙ୍କୁ ମୁଁ ନ ବରି ॥ ୧୧୭
ତୁମ୍ଭେ ଦୟାଳୁ ଶୂରବନ୍ତ । ଯବନମାନଙ୍କ ସାମନ୍ତ ॥ ୧୧୮
ମୁଁ କାମେ ତୁମ୍ଭଙ୍କୁ ଭଜିଲି । ଲଜ୍ଜା ସଙ୍କୋଚ ଉପେକ୍ଷିଲି ॥ ୧୧୯
ମୋ ସଙ୍ଗେ କର ବଇଭୋଗ । ହର ଦୁର୍ଜୟ କାମରୋଗ ॥ ୧୨୦
ପୁରୁଷ ସ୍ୱଧର୍ମଟି ଏହି । ଦୀନଜନଙ୍କୁ ଦୟା ବହି ॥ ୧୨୧
ମୁଁ ଜନ୍ମକାଳୁ କାମଦୁଃଖେ । ତୁ ମୋତେ ନ ତେଜ ବିମୁଖେ ॥ ୧୨୨
ଯାଚକ ଜନ ନ ତୋଷିଲେ । ସ୍ୱଧର୍ମ ନାଶ ଯାଇ ଭଲେ ॥ ୧୨୩
ତାର କାର୍ପଣ୍ୟ ବାକ୍ୟ ଶୁଣି । ଯବନେଶ୍ୱର ମନେ ଗୁଣି ॥ ୧୨୪
ଦେବଙ୍କ ଗୁପ୍ତ ଯେ ମରଣ । ଏହାରେ ସାଧିବି ପ୍ରମାଣ ॥ ୧୨୫
ଏମନ୍ତ ମନେ ବିଚାରିଲା । କନ୍ୟାକୁ ପ୍ରତିବାକ୍ୟ ଦେଲା ॥ ୧୨୬
ଶୁଣ ଗୋ କାଳର ଦୁହିତି । ତୋ ସମେ ବରିଅଛି ପତି ॥ ୧୨୭
ଆପଣା ସମାଧି-ଯୋଗରେ । ମୁଁ ବର ବରିଅଛି ତୋରେ ॥ ୧୨୮
ଏ ଯେତେ ଲୋକବୃନ୍ଦ ଛନ୍ତି । ତୋର ସମୀପେ ନ ଗଚ୍ଛନ୍ତି ॥ ୧୨୯
ତୋ ରୂପ ଦେଖି ଅମଙ୍ଗଳ । ଡରନ୍ତି ଏ ଲୋକ ସକଳ ॥ ୧୩୦
ତୁ ଯେ ଅଲକ୍ଷ୍ୟ ଯୋଗେଶ୍ୱରୀ । ତାହାଙ୍କୁ ଭୋଗକର ଧରି ॥ ୧୩୧
ଏକାକୀ ବୋଲି ଭୟ ଯେବେ । ମୋ ସେନା ସଙ୍ଗେ ନିଅ ତେବେ ॥ ୧୩୨
ଏ ସର୍ବେ ତୋର ସଙ୍ଗେ ଥିବେ । ତୋ ଆଜ୍ଞା କ୍ଷଣେ ନ ଛାଡିବେ ॥ ୧୩୩
ଏମନ୍ତେ ପ୍ରଜାନ୍ତ ବିନାଶ । ଏ ସର୍ବେ ହୋନ୍ତୁ ତୋର ବଶା ॥ ୧୩୪
ମୋହର ଭାଇ ଯେ ପ୍ରଜ୍ୱର । ତୁ ଭଗ୍ନୀ ହେବୁ ଯେ ମୋହର ॥ ୧୩୫
ଏକତ୍ୱେ ଭାଇ ଭଗ୍ନୀ ଥିବ । ମୋ ସେନାଗଣ ସଙ୍ଗେ ନେବ ॥ ୧୩୬
ଲୋକେ ନ ଜାଣିବେ ତୋ ଗତି । ଭ୍ରମୁଣ ଥିବୁ ଚଉକତି ॥ ୧୩୭
ଜୀବଙ୍କ ଭୋଗ ଅନୁସାରେ । ପୀଡିବୁ ଲୋଭାଦି ବ୍ୟାଧିରେ ॥ ୧୩୮
ଏମନ୍ତ ଶିକ୍ଷା ତାକୁ ଦେଇ । ଅଗ୍ରେ ପେଷିଲା ଭଗ୍ନୀଭାଇ ॥ ୧୩୯
ତା ସୈନ୍ୟ ସର୍ବବ୍ୟାଧିଗଣ । ଘେନାଇ ଚଳେ ନୃପରାଣ ॥ ୧୪୦
ଅପରେ କାମ କ୍ରୋଧ ଯେତେ । ପାରୁଶେ ଥାନ୍ତି ଅବିରତେ ॥ ୧୪୧
ଏ ସର୍ବେ ପ୍ରାଣୀ ଅଙ୍ଗେ ଯାଇ । କୁକର୍ମ ମାର୍ଗେ ଲୋଭେ ନେଇ ॥ ୧୪୨
ନିତ୍ୟେ ପୀଡନ୍ତି ଅନୁକ୍ଷଣ । ଜୀବକୁ ରୋଗ ପ୍ରଭେଦେଣ ॥ ୧୪୩
ମୈତ୍ରେୟ ଉବାଚ
ଏମନ୍ତେ ଶୁଣ ହେ ବିଦୁର । ସେ କାଳକନ୍ୟା ଯେ ପ୍ରଜ୍ୱର ॥ ୧୪୪
ଯବନପତି ଆଜ୍ଞା ପାଇ । ଏ ସୈନ୍ୟବଳ ସଙ୍ଗେ ନେଇ ॥ ୧୪୫
ଭ୍ରମନ୍ତି ଏ ମହୀମଣ୍ତଳେ । ହରନ୍ତି ଜୀବଆୟୁ ବଳେ ॥ ୧୪୬
ଭୋଗ ପ୍ରଲୋଭେ ବିନାଶନ୍ତି । ନିରତେ ଛିଦ୍ର ଉଦ୍ଦେଶନ୍ତି ॥ ୧୪୭
ପୃଥିବୀ ପର୍ଯ୍ୟଟନ କଲେ । କର୍ମାନୁସାରେ ଭୋଗ ଦେଲେ ॥ ୧୪୮
ଚତୁର୍ଥସ୍କନ୍ଧେ ଭାଗବତ । ନାରଦ ପ୍ରାଚୀନ ଭକତ ॥ ୧୪୯
ଏ ପୁରଞ୍ଜନର ଆଖ୍ୟାନ । ସପ୍ତବିଂଶ ଅଧ୍ୟା ସମ୍ପୂର୍ଣ୍ଣ ॥ ୧୫୦
ଏହା ଯେ ଶ୍ରବଣେ ଶୁଣନ୍ତି । ସଂସାର-ବନ୍ଧୁ ନିସ୍ତରନ୍ତି ॥ ୧୫୧
ସେ ପ୍ରାଚୀନ ଗ୍ରନ୍ଥ ପୁରାଣ । ନାରଦ ତାହାରେ ବଖାଣ ॥ ୧୫୨
ଭଣଇ ଜଗନ୍ନାଥ ଦାସ । ଏକାଳେ ହୋଇଲା ପ୍ରକାଶ ॥ ୧୫୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ ସପ୍ତବିଂଶୋଽଧ୍ୟାୟଃ ॥
* * *