ଚତୁର୍ଥ ସ୍କନ୍ଧ
ଷଡ଼୍ବିଂଶ ଅଧ୍ୟାୟ ଅଧ୍ୟାୟ
ମୈତ୍ରେୟ ଉବାଚ
ପୁଣି ନାରଦ ମହାମୁନି । କହନ୍ତି ହରିଭାବ ଘେନି ॥ ୧
ନାରଦ ଉବାଚ
ଶୁଣ ପ୍ରାଚୀନ ନୃପବର । ସେ ପୁରଞ୍ଜନ ସେ ମନ୍ଦିର ॥ ୨
ରହିଲା ସ୍ତିରୀବଶ ଭୋଗେ । ଅଜ୍ଞାନ-ମୋହ-ଅନୁରାଗେ ॥ ୩
ସେ ଏକଦିନେ ଦଣ୍ତଧର । ମୃଗୟା ଅର୍ଥେ ବନଘୋର ॥ ୪
ଉଦ୍ୟମ କଲା ସେ ରାଜନ । ସଙ୍ଗେ ଦୁର୍ଜୟ-ଭଟ୍ଟମାନ ॥ ୫
ରଥ ଆରୋହୀ ଶୀଘ୍ର ଗତି । ଅରଣ୍ୟେ ପ୍ରବେଶ ନୃପତି ॥ ୬
ସେ ପୁରଞ୍ଜନ ଦିବ୍ୟଯାନ । ଅତି ସୁନ୍ଦର ନିରୁପମ ॥ ୭
ପଞ୍ଚ ତୁରଙ୍ଗ ରଥ ବହେ । ଗମନ୍ତି ପଞ୍ଚମାର୍ଗେ ହୟେ ॥ ୮
ଅଶେଷ ବେଗ ତାହାଙ୍କର । ଗମନେ ନ ପାରେ ସମୀର ॥ ୯
ସେ ବେନିଚକ୍ରେ ଶୋଭାବନ । ଏକଇ ଅକ୍ଷେ ନିବନ୍ଧନ ॥ ୧୦
ଧର୍ମ ଅଧର୍ମ ଚକ୍ର ଦୁଇ । ପବନ ଅଶ୍ୱ ରୂପେ ଯହିଁ ॥ ୧୧
ଧ୍ୱଜ ତ୍ରିବର୍ଣ୍ଣ ରୂପେ ସାଜେ । ସେ ରଥ ଉପରେ ବିରାଜେ ॥ ୧୨
ପଞ୍ଚବନ୍ଧନେ ସୁଶୋଭିତ । ଏକ ସାରଥୀ ତେଜବନ୍ତ ॥ ୧୩
ଏକଇ ନୀଡ ଶୋଭାବନ । ସେ ରାଜା ବସିବା ଆସନ ॥ ୧୪
ସେ ବେନି କୂବରେ ଶୋଭିତ । ପଞ୍ଚ ପ୍ରହରଣ ସଂଯୁତ ॥ ୧୫
ସପ୍ତ ଆବରଣ ସଙ୍ଗତି । ଏ ରୂପେ ସେ ରଥେ ଶୋଭନ୍ତି ॥ ୧୬
ସେ ହେମ ଭୂଷଣେ ଶୋଭନ । ସାଞ୍ଜୁଆ ପିନ୍ଧି ସେ ରାଜନ ॥ ୧୭
ବସିଲେ ମନୋଜ୍ଞ ବିମାନେ । ଦେଖି ଶଙ୍କିତ ରିପୁଜନେ ॥ ୧୮
ଅକ୍ଷୟ ତୁରୀର ବାନ୍ଧିଣ । ଭୂପତି ଅତି ହରଷେଣ ॥ ୧୯
ସେ ଏକାଦଶ ସେନାପତି । ସଙ୍ଗତେ କରିଣ ନୃପତି ॥ ୨୦
ଚଳନ୍ତି ଅତ୍ୟନ୍ତ ହରଷେ । ଦିଗ ବିଦିଗ ଚାହିଁ ତୋଷେ ॥ ୨୧
ପଞ୍ଚମ-ପ୍ରସ୍ଥ ନାମ ଯେହି । ପ୍ରବେଶ ଅରଣ୍ୟରେ ଯାଇ ॥ ୨୨
କରେଣ ଧରି ଶରାସନ । ମୃଗୟା ଛଳେ ସେ ରାଜନ ॥ ୨୩
ଛାଡି ତା ପ୍ରିୟବତୀ ନାରୀ । ଏକାନ୍ତେ ଗଲା ନ ବିଚାରି ॥ ୨୪
ଆସୁରୀ ବୁଦ୍ଧି ଧରି ରାୟେ । କଠୋର ନିର୍ଦ୍ଦୟ ହୃଦୟେ ॥ ୨୫
ନାହିଁ ତା ଅନୁଗ୍ରହ ଚିତ୍ତେ । ମୃଗୟା ଛଳେ ବିମୋହିତେ ॥ ୨୬
ନିଶିତ-ବାଣ ଶରାସନ । ବଧିଲା ବନ୍ୟ-ପଶୁମାନ ॥ ୨୭
ସେ ରାଜା ହୋଇ ଅପଣ୍ତିତ । ଲୋଭେ ବଧଇ ମୃଗଯୂଥ ॥ ୨୮
ଯେ ପ୍ରାଣୀ ଜୀବବଧ କରେ । ସେ ପଶୁଯୋନିରେ ବିହରେ ॥ ୨୯
ସେ ନୃପ ଅଜ୍ଞାନ ଅଧମ । ତାର ଆୟୁଷ-ବୁଦ୍ଧି ହୀନ ॥ ୩୦
ଅଜ୍ଞାନେ ଯେବା ଜୀବ ମାରେ । ସେ ଜନ ନରକେ ସଞ୍ଚରେ ॥ ୩୧
ଯଜ୍ଞେ କେବଳ ପଶୁ ବଧ । ଅବଶ୍ୟ କରି ହେ ବିବୁଧ ॥ ୩୨
ଯେ ପିତୃଦେବ-ଶ୍ରାଦ୍ଧ ଅର୍ଥେ । ପଶୁ ବଧିବ ବେଦମତେ ॥ ୩୩
ତେବେ ହେଁ ପଶୁ-ବଧ ତାର । କେବଳ ଦୁଃଖ ମହାଘୋର ॥ ୩୪
ଯେ ବେଦ କର୍ମ ନ କରନ୍ତି । ସେ ଆତ୍ମାବଧେ ଭାଗୀ ହୋନ୍ତି ॥ ୩୫
ଯେ ବିଧିହୀନେ ବଧ କରେ । ଯେ ପ୍ରାଣୀ ସଂସାରୁ ନ ତରେ ॥ ୩୬
ଅଜ୍ଞାନେ ଧର୍ମ-ମାର୍ଗ ହୁଡେ । ଯା ଚିତ୍ତ ପଶୁବଧେ ବଢେ ॥ ୩୭
ତାହାର ମୋକ୍ଷ କାହୁଁ ଆର । ମନୁଷ୍ୟ ଜନ୍ମ ହୋଏ ଦୂର ॥ ୩୮
ସେ ପଶୁଯୋନିରେ ଭ୍ରମଇଁ । ଯାତନା-କର୍ମ ନ ଛାଡଇ ॥ ୩୯
ପଶୁର ଦେହେ ରୋମ ଯେତେ । ଜନ୍ମ ଲଭଇ ସେହିମତେ ॥ ୪୦
ଏହା ନ ଜାଣି ନୃପବର । ସେ ପଶୁ ବଧିଲା ଅପାର ॥ ୪୧
ତାହାର ଘୋର ତୀଷ୍ଣ-ବାଣ । ପଶୁଏ ଲଭିଲେ ମରଣ ॥ ୪୨
ବରାହ ଗୟଳ ହରିଣ । ଶଶା ମହିଷ ପଶୁଗଣ ॥ ୪୩
ମେଧ୍ୟ ଅମେଧ୍ୟ ପଶୁ ଯେତେ । ଇତ୍ୟାଦି ଜୀବ ଯେ ବନସ୍ତେ ॥ ୪୪
ଏମନ୍ତେ ନାନା ଜୀବ ମାରି । ସେ ଧର୍ମ ପଥ ନ ବିଚାରି ॥ ୪୫
ବନ ଭ୍ରମଣେ ନୃପବର । ବହୁତ ଶ୍ରମ ହେଲା ତାର ॥ ୪୬
କ୍ଷୋଭିତ କ୍ଷୁଧା ତୃଷାକୁଳେ । ଆତ୍ମା ପୀଡିତ ଶ୍ରମ ବଳେ ॥ ୪୭
ସତ୍ୱରେ ସଦନେ ପ୍ରବେଶ । ସ୍ନାନାଦି ଭୋଜନ ସୁବେଶ ॥ ୪୮
ସୁଶାନ୍ତି କରାଇ ଶରୀର । ଅତି ଆନନ୍ଦେ ନୃପବର ॥ ୪୯
ସୁଗନ୍ଧ ଦ୍ରବ୍ୟ ପୁଷ୍ପମାଳ । ଭୂଷଣ ହେଲା ମହୀପାଳ ॥ ୫୦
ଖଞ୍ଜିଣ ନାନା-ଆଭରଣ । ସ୍ୱକାମ-ଭୋଗେ ନୃପରାଣ ॥ ୫୧
ଇଚ୍ଛଇ ପତ୍ନୀର ସଙ୍ଗତି । ଅନଙ୍ଗ-ପୀଡାରେ ନୃପତି ॥ ୫୨
ପ୍ରବେଶ ଅନ୍ତପୁରେ ଯାଇ । ପତ୍ନୀ-ବିଷୟ ମନେ ଧ୍ୟାୟି ॥ ୫୩
ସକଳ ପୁରେ ସେ ରାଜନ । ଆପଣା ପତ୍ନୀକି ଖୋଜିଣ ॥ ୫୪
ନ ପାଇ ସେ ନିଜ ଯୁବତୀ । ସଖୀଙ୍କି ରାଇ ପଚାରନ୍ତି ॥ ୫୫
ବିଷାଦେ ପୁଛଇ ରାଜନ । ଶୁଣଗୋ ଏ ମୋର ବଚନ ॥ ୫୬
ମୋ ପ୍ରାଣସଖୀ ଛନ୍ତି କାହିଁ । କହି ସନ୍ତୋଷ କର ଦେହୀ ॥ ୫୭
ସେ ଅର୍ଦ୍ଧଆତ୍ମାଟି ମୋହର । ଅର୍ଦ୍ଧକେ କେ ଧରେ ଶରୀର ॥ ୫୮
ସଦନେ ଅଛନ୍ତି ନା ଭଲେ । ସଖୀଗଣଙ୍କ ସଙ୍ଗ ମେଳେ ॥ ୫୯
ତୁମ୍ଭେ ତାହାଙ୍କ ଅନୁଚର । କହ କୁଶଳ ତାହାଙ୍କର ॥ ୬୦
ଏମନ୍ତ ବିହ୍ୱଳ ରାଜନ । ବାତୁଳେ କହଇ ବଚନ ॥ ୬୧
ସେ ଯେ ମୋହର ପ୍ରାଣଶାଖା । ତା ବିନୁ ନ ବର୍ତ୍ତଇ ଏକା ॥ ୬୨
ଶୁଣ ଗୋ ସଖୀଗଣ ମୋର । ଏ ଗୃହଧର୍ମର ବେଭାର ॥ ୬୩
ପତ୍ନୀ ନ ଥିଲେ ନ ଶୋଭନ୍ତି । ଏ ରାଜସମ୍ପଦ-ବିଭୂତି ॥ ୬୪
ସେ ଗୃହେ ନାହିଁ ଯେବେ ମାତା । ସୁପୁତ୍ରବତୀ ପତିବ୍ରତା ॥ ୬୫
ସେ ଗୃହପତି ଜୀବ ହୀନ । ସୁଖେ ତା ନାହିଁ ପ୍ରୟୋଜନ ॥ ୬୬
ଯେସନେ ଚକ୍ରହୀନ ରଥ । ବସିଲେ କାହିଁ ସୁଖ ଜାତ ॥ ୬୭
ତେସନେ ଗୃହିଣୀ ବିହୀନେ । ଗୃହସ୍ଥ ନ ଶୋହେ ସଦନେ ॥ ୬୮
ଆତ୍ମା ବିହୁନେ ଯେହ୍ନେ ଦେହୀ । ତା ଗୃହ ତେହ୍ନେ ନ ଶୋଭଇ ॥ ୬୯
କହ ମୋ କାହିଁ ସୁଲକ୍ଷଣୀ । ସେ ମୋର ପ୍ରାଣ ଉଦ୍ଧାରିଣୀ ॥ ୭୦
ତା ବିନୁ ନ ସ୍ଫୁରଇ ଜ୍ଞାନ । କହି ଗୋ ରଖ ମୋ ଜୀକନ ॥ ୭୧
ବୁଡିଲି ମୁଁ ଦୁଃଖସାଗରେ । ଉଦ୍ଧରି ରଖ ପ୍ରାଣ ଭଲେ ॥ ୭୨
ତା ଶୁଣି ସଖୀଗଣ ଭୟେ । ବୋଲନ୍ତି ଶୁଣ ମହାରାୟେ ॥ ୭୩
ଆମ୍ଭେ ନ ଜାଣୁ ସେ କିମ୍ପାଇଁ । ଭୂମିଶଯ୍ୟାରେ ଛନ୍ତି ଶୋଇ ॥ ୭୪
ଦେଖିଲେ ଦେଖ ମହାରାୟ । ଆମ୍ଭେ ନଜାଣୁ ଅଭିପ୍ରାୟ ॥ ୭୫
ଶୁଣିଣ ସତ୍ୱରେ ରାଜନ । ଅନ୍ତଃପୁରେ କଲା ଗମନ ॥ ୭୬
ରାଣୀକି ଦେଖି ସେ ରାଜନ । ସତ୍ୱରେ କଲା ଆଲିଙ୍ଗନ ॥ ୭୭
ଭୂମିରୁ କୋଳରେ ବସାଇ । ଅନେକ ଚାଟୁବାକ୍ୟ କହି ॥ ୭୮
କାମିନୀ ଦୁଃଖ-ବିମୋଚନେ । କହେ କାକୁସ୍ଥ ଭୟମନେ ॥ ୭୯
ଭୋ ସଖି ମୁଁ ଯେ ଅପରାଧୀ । ତୋ ସଙ୍ଗ ତେଜି ମୁଁ ଦୁର୍ବଦ୍ଧି ॥ ୮୦
ମୃଗୟା ଛଳେ ବନେ ଗଲି । ଏଣୁ ଅପ୍ରିୟ ତୋର ହେଲି ॥ ୮୧
ତୁ କ୍ଷମା ନ କଲେ ସୁନ୍ଦରୀ । ମୁଁ ପ୍ରାଣ ନ ପାରବି ଧରି ॥ ୮୨
ପତି ବିନୟ ବାକ୍ୟ ଶୁଣି । ମାନ ନ ତେଜେ ସେ ମାନିନୀ ॥ ୮୩
ଅନେକ ବିନୟେ ରାଜନ । ଚରଣେ ପଡିଲା ତକ୍ଷଣ ॥ ୮୪
ଚରଣ ଧରି ତାର ରାୟେ । ଅତି ବିଭ୍ରମ ଶୋକେ କହେ ॥ ୮୫
ଭୋ ସଖି ତୋର ଚିନ୍ତାଭରେ । ମୋ ପ୍ରାଣ ନ ରହେ ଶରୀରେ ॥ ୮୬
ସୁବାକ୍ୟ ହସି ଏବେ କହ । ବିକଳ ହେଉଅଛି ଦେହ ॥ ୮୭
ଭୋ ସ୍ତିରୀରତ୍ନ ଶିରୋମଣି । ମୋ କାମ ଦୁର୍ଗତି-ତାରିଣୀ ॥ ୮୮
ତୋ ବିନୁ ଅନ୍ୟ କେବା ପାରେ । ଏ ଦୋଷ କ୍ଷମା କରିବାରେ ॥ ୮୯
ଯେ ପୁଣ୍ୟବନ୍ତ ଭୃତ୍ୟ ଠାରେ । ଦୋଷେ ଦଣ୍ତନ୍ତି ପ୍ରଭୁତ୍ୱରେ ॥ ୯୦
ଦୋଷାନୁକ୍ରମେ ପାଇ ଦଣ୍ତ । ତା ଅପରାଧ ହୋଏ ଖଣ୍ତ ॥ ୯୧
ଯେ ସ୍ୱାମୀ ଭୃତ୍ୟେ ନ ଦଣ୍ତନ୍ତି । କପଟଭାବ ତାଙ୍କ ମତି ॥ ୯୨
ସେ ନିତ୍ୟେ ଭୟ-ଦୁଃଖେ ଦହେ । ସେବକଭାବ କାହିଁ ରହେ ॥ ୯୩
ସ୍ୱାମୀ ସେବକେ ଯେବେ ଦଣ୍ତି । ଦିଅନ୍ତି ଅନୁଗ୍ରହେ ମଣ୍ତି ॥ ୯୪
ତା ଯେବେ ଭୃତ୍ୟ ନ ବୁଝଇ । ସେ ମୂଢ଼ ଅଧମ ଅଟଇ ॥ ୯୫
ତାହାର କାହିଁ ଜ୍ଞାନ-ବୁଦ୍ଧି । ଚିନ୍ତା-ବିଭ୍ରମେ ନିରବଧି ॥ ୯୬
ଯେସନେ ପିତା ଅଭିମାନେ । ବାଳକ ରୋଦେ ଭୟଚ୍ଛନ୍ନେ ॥ ୯୭
ସେ ପୁତ୍ର ଦୋଷ ନ ଧରନ୍ତି । ପୁଣି ବାଳକେ ଆଶ୍ୱାସନ୍ତି ॥ ୯୮
ସେ ରୂପେ ମୋର ଅଭିମାନ । ଭୋ ସଖି କର ବିମୋଚନ ॥ ୯୯
ମୁଁ ଯେ ତୁମ୍ଭର ନିଜ ପତି । ମୃଗୟା ଶ୍ରମେ ଦୁଃଖ ଅତି ॥ ୧୦୦
ଏବେ ତୁ ତେଜି ଅଭିମାନ । ଆପଣା କରି ମୋତେ ଘେନ ॥ ୧୦୧
ହେ ନାରୀବର ଶୁଣ ଏବେ । ତୋ ଅପରାଦୀ ଆନ ଯେବେ ॥ ୧୦୨
ବିପ୍ର ବୈଷ୍ଣବ ନୋହିଥିଲେ । ଅବଶ୍ୟ ଦଣ୍ତିବଇଁ ଭଲେ ॥ ୧୦୩
ପଳାଇ ଏ ତିନିଭୁବନେ । ଯେବେ ପଶିବ ଭୟଛନ୍ନେ ॥ ୧୦୪
ତାରେ ଶରଣ ରଖେ କେବା । ତୋ ବିନୁ ଅନ୍ୟ ସୁରଦେବା ॥ ୧୦୫
ଏବେ ମୋ ଚିନ୍ତା-ତାପ-ଜ୍ୱର । ତୋର କଟାକ୍ଷେ ଦୂର କର ॥ ୧୦୬
ଭୋ ସଖି ତୋ ଚାରୁ ଆନନ । ତିଳେ ହେଁ ଦେଖିଲେ ମଳିନ ॥ ୧୦୭
ମୋର ଜୀବନ ହୋଏ ଦୁଃଖୀ । ସ୍ନାନାଦି ଭୋଜନ ଉପେକ୍ଷି ॥ ୧୦୮
ଏ ଶୁଭ୍ରତନୁ ତୋ ଧୂସର । ଶୟନ କରିଛୁ ଭୂମିର ॥ ୧୦୯
କେ ପ୍ରାଣୀ ଧରିବ ଜୀବନ । ଦେଖି ତୋ ବିବର୍ଣ୍ଣ-ବଦନ ॥ ୧୧୦
ସୁନ୍ଦର ସୁକାନ୍ତି ତୋ ପ୍ରଭା । ଦେଖି ଟଳିବେ ସୁରଦେବା ॥ ୧୧୧
ତୋର ପଙ୍କଜାରୁଣାଧର । ଅଶେଷ ଭୁବନ ସୁନ୍ଦର ॥ ୧୧୨
ସେ ମୁଖେ ହସି ମୃଦୁବାଣୀ । କହି ତୁ ରଖ ପ୍ରାଣମଣି ॥ ୧୧୩
ମୁଁ ଯେ ତୋହର ପ୍ରାଣସଖା । ମୃଗୟା ଶ୍ରମେ ଭ୍ରମି ଏକା ॥ ୧୧୪
ତୁ ଶାନ୍ତି କର ଗୋ ମୃଗାକ୍ଷି । ମୋ ପ୍ରାଣ ଶରୀରୁ ଛାଡୁଛି ॥ ୧୧୫
ବିପଦ କାଳେ ଯେ ଯୁବତୀ । ନିଜ ସ୍ୱାମୀକୁ ନ ସେବନ୍ତି ॥ ୧୧୬
ସେ ନାରୀ ଜ୍ଞାନହୀନ-ମତି । ଜନାପବାଦେ ସେ ମରନ୍ତି ॥ ୧୧୭
ସେ ସ୍ତିରୀକୁଳେ ଲଜ୍ଜା ପାଇ । ଉଭୟଲୋକ ତାର ନାହିଁ ॥ ୧୧୮
ଅନେକ ପ୍ରବୋଧ ବଚନ । କହିଣ ତୋଷିଲେ ରାଜନ ॥ ୧୧୯
ସେ ନାରୀ ମାନ ଦୂର କଲା । ସନ୍ତୋଷେ ସତ୍ୱରେ ଉଠିଲା ॥ ୧୨୦
ଏମନ୍ତେ ଶୁଣ ହେ ବିଦୁର । ସେ ପୁରଞ୍ଜନ ନୃପବର ॥ ୧୨୧
ତା ବଶେ ହୋଇଲା ଆୟତ୍ତ । ବିଭ୍ରମ ହେଲା ତାର ଚିତ୍ତ ॥ ୧୨୨
ଏ ସର୍ବ ଅନୁଭବ ବାଣୀ । ନାରଦ ନୃପରେ ବଖାଣି ॥ ୧୨୩
ଏ ସର୍ବ ଜ୍ଞାନମୟ ସାର । ଶୁଣନ୍ତେ ଖଣ୍ତେ ମାୟା ଘୋର ॥ ୧୨୪
ଶ୍ରବଣେ ହରଇ ପ୍ରମାଦ । ନ ଲାଗେ ଗୃହବନ୍ଧ ଦ୍ୱନ୍ଦ୍ୱ ॥ ୧୨୫
ବିବେକ ହୋଏ ବୁଦ୍ଧିମତି । କୃଷ୍ଣ-ବିଷୟେ ବଢେ ମତି ॥ ୧୨୬
ଏ ସାଧୁଜନଙ୍କ ବିଚାର । ସଂସାରବନ୍ଧୁ ହୁଅ ପାର ॥ ୧୨୭
ଚତୁର୍ଥସ୍କନ୍ଧେ ଭାଗବତ । ଛବିଶ ଅଧ୍ୟାୟ ଚରିତ ॥ ୧୨୮
ଅମୃତ ଜ୍ଞାନମୟ ଗୀତ । କହିଲେ ବିପ୍ର ଜଗନ୍ନାଥ ॥ ୧୨୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ ଷଡ୍ ବିଂଶୋଽଧ୍ୟାୟଃ ॥
* * *