ଚତୁର୍ଥ ସ୍କନ୍ଧ

ଷଡ଼୍‌ବିଂଶ ଅଧ୍ୟାୟ ଅଧ୍ୟାୟ

ମୈତ୍ରେୟ ଉବାଚ

ପୁଣି ନାରଦ ମହାମୁନି । କହନ୍ତି ହରିଭାବ ଘେନି ॥

ନାରଦ ଉବାଚ

ଶୁଣ ପ୍ରାଚୀନ ନୃପବର । ସେ ପୁରଞ୍ଜନ ସେ ମନ୍ଦିର ॥

ରହିଲା ସ୍ତିରୀବଶ ଭୋଗେ । ଅଜ୍ଞାନ-ମୋହ-ଅନୁରାଗେ ॥

ସେ ଏକଦିନେ ଦଣ୍ତଧର । ମୃଗୟା ଅର୍ଥେ ବନଘୋର ॥

ଉଦ୍ୟମ କଲା ସେ ରାଜନ । ସଙ୍ଗେ ଦୁର୍ଜୟ-ଭଟ୍ଟମାନ ॥

ରଥ ଆରୋହୀ ଶୀଘ୍ର ଗତି । ଅରଣ୍ୟେ ପ୍ରବେଶ ନୃପତି ॥

ସେ ପୁରଞ୍ଜନ ଦିବ୍ୟଯାନ । ଅତି ସୁନ୍ଦର ନିରୁପମ ॥

ପଞ୍ଚ ତୁରଙ୍ଗ ରଥ ବହେ । ଗମନ୍ତି ପଞ୍ଚମାର୍ଗେ ହୟେ ॥

ଅଶେଷ ବେଗ ତାହାଙ୍କର । ଗମନେ ନ ପାରେ ସମୀର ॥

ସେ ବେନିଚକ୍ରେ ଶୋଭାବନ । ଏକଇ ଅକ୍ଷେ ନିବନ୍ଧନ ॥ ୧୦

ଧର୍ମ ଅଧର୍ମ ଚକ୍ର ଦୁଇ । ପବନ ଅଶ୍ୱ ରୂପେ ଯହିଁ ॥ ୧୧

ଧ୍ୱଜ ତ୍ରିବର୍ଣ୍ଣ ରୂପେ ସାଜେ । ସେ ରଥ ଉପରେ ବିରାଜେ ॥ ୧୨

ପଞ୍ଚବନ୍ଧନେ ସୁଶୋଭିତ । ଏକ ସାରଥୀ ତେଜବନ୍ତ ॥ ୧୩

ଏକଇ ନୀଡ ଶୋଭାବନ । ସେ ରାଜା ବସିବା ଆସନ ॥ ୧୪

ସେ ବେନି କୂବରେ ଶୋଭିତ । ପଞ୍ଚ ପ୍ରହରଣ ସଂଯୁତ ॥ ୧୫

ସପ୍ତ ଆବରଣ ସଙ୍ଗତି । ଏ ରୂପେ ସେ ରଥେ ଶୋଭନ୍ତି ॥ ୧୬

ସେ ହେମ ଭୂଷଣେ ଶୋଭନ । ସାଞ୍ଜୁଆ ପିନ୍ଧି ସେ ରାଜନ ॥ ୧୭

ବସିଲେ ମନୋଜ୍ଞ ବିମାନେ । ଦେଖି ଶଙ୍କିତ ରିପୁଜନେ ॥ ୧୮

ଅକ୍ଷୟ ତୁରୀର ବାନ୍ଧିଣ । ଭୂପତି ଅତି ହରଷେଣ ॥ ୧୯

ସେ ଏକାଦଶ ସେନାପତି । ସଙ୍ଗତେ କରିଣ ନୃପତି ॥ ୨୦

ଚଳନ୍ତି ଅତ୍ୟନ୍ତ ହରଷେ । ଦିଗ ବିଦିଗ ଚାହିଁ ତୋଷେ ॥ ୨୧

ପଞ୍ଚମ-ପ୍ରସ୍ଥ ନାମ ଯେହି । ପ୍ରବେଶ ଅରଣ୍ୟରେ ଯାଇ ॥ ୨୨

କରେଣ ଧରି ଶରାସନ । ମୃଗୟା ଛଳେ ସେ ରାଜନ ॥ ୨୩

ଛାଡି ତା ପ୍ରିୟବତୀ ନାରୀ । ଏକାନ୍ତେ ଗଲା ନ ବିଚାରି ॥ ୨୪

ଆସୁରୀ ବୁଦ୍ଧି ଧରି ରାୟେ । କଠୋର ନିର୍ଦ୍ଦୟ ହୃଦୟେ ॥ ୨୫

ନାହିଁ ତା ଅନୁଗ୍ରହ ଚିତ୍ତେ । ମୃଗୟା ଛଳେ ବିମୋହିତେ ॥ ୨୬

ନିଶିତ-ବାଣ ଶରାସନ । ବଧିଲା ବନ୍ୟ-ପଶୁମାନ ॥ ୨୭

ସେ ରାଜା ହୋଇ ଅପଣ୍ତିତ । ଲୋଭେ ବଧଇ ମୃଗଯୂଥ ॥ ୨୮

ଯେ ପ୍ରାଣୀ ଜୀବବଧ କରେ । ସେ ପଶୁଯୋନିରେ ବିହରେ ॥ ୨୯

ସେ ନୃପ ଅଜ୍ଞାନ ଅଧମ । ତାର ଆୟୁଷ-ବୁଦ୍ଧି ହୀନ ॥ ୩୦

ଅଜ୍ଞାନେ ଯେବା ଜୀବ ମାରେ । ସେ ଜନ ନରକେ ସଞ୍ଚରେ ॥ ୩୧

ଯଜ୍ଞେ କେବଳ ପଶୁ ବଧ । ଅବଶ୍ୟ କରି ହେ ବିବୁଧ ॥ ୩୨

ଯେ ପିତୃଦେବ-ଶ୍ରାଦ୍ଧ ଅର୍ଥେ । ପଶୁ ବଧିବ ବେଦମତେ ॥ ୩୩

ତେବେ ହେଁ ପଶୁ-ବଧ ତାର । କେବଳ ଦୁଃଖ ମହାଘୋର ॥ ୩୪

ଯେ ବେଦ କର୍ମ ନ କରନ୍ତି । ସେ ଆତ୍ମାବଧେ ଭାଗୀ ହୋନ୍ତି ॥ ୩୫

ଯେ ବିଧିହୀନେ ବଧ କରେ । ଯେ ପ୍ରାଣୀ ସଂସାରୁ ନ ତରେ ॥ ୩୬

ଅଜ୍ଞାନେ ଧର୍ମ-ମାର୍ଗ ହୁଡେ । ଯା ଚିତ୍ତ ପଶୁବଧେ ବଢେ ॥ ୩୭

ତାହାର ମୋକ୍ଷ କାହୁଁ ଆର । ମନୁଷ୍ୟ ଜନ୍ମ ହୋଏ ଦୂର ॥ ୩୮

ସେ ପଶୁଯୋନିରେ ଭ୍ରମଇଁ । ଯାତନା-କର୍ମ ନ ଛାଡଇ ॥ ୩୯

ପଶୁର ଦେହେ ରୋମ ଯେତେ । ଜନ୍ମ ଲଭଇ ସେହିମତେ ॥ ୪୦

ଏହା ନ ଜାଣି ନୃପବର । ସେ ପଶୁ ବଧିଲା ଅପାର ॥ ୪୧

ତାହାର ଘୋର ତୀଷ୍ଣ-ବାଣ । ପଶୁଏ ଲଭିଲେ ମରଣ ॥ ୪୨

ବରାହ ଗୟଳ ହରିଣ । ଶଶା ମହିଷ ପଶୁଗଣ ॥ ୪୩

ମେଧ୍ୟ ଅମେଧ୍ୟ ପଶୁ ଯେତେ । ଇତ୍ୟାଦି ଜୀବ ଯେ ବନସ୍ତେ ॥ ୪୪

ଏମନ୍ତେ ନାନା ଜୀବ ମାରି । ସେ ଧର୍ମ ପଥ ନ ବିଚାରି ॥ ୪୫

ବନ ଭ୍ରମଣେ ନୃପବର । ବହୁତ ଶ୍ରମ ହେଲା ତାର ॥ ୪୬

କ୍ଷୋଭିତ କ୍ଷୁଧା ତୃଷାକୁଳେ । ଆତ୍ମା ପୀଡିତ ଶ୍ରମ ବଳେ ॥ ୪୭

ସତ୍ୱରେ ସଦନେ ପ୍ରବେଶ । ସ୍ନାନାଦି ଭୋଜନ ସୁବେଶ ॥ ୪୮

ସୁଶାନ୍ତି କରାଇ ଶରୀର । ଅତି ଆନନ୍ଦେ ନୃପବର ॥ ୪୯

ସୁଗନ୍ଧ ଦ୍ରବ୍ୟ ପୁଷ୍ପମାଳ । ଭୂଷଣ ହେଲା ମହୀପାଳ ॥ ୫୦

ଖଞ୍ଜିଣ ନାନା-ଆଭରଣ । ସ୍ୱକାମ-ଭୋଗେ ନୃପରାଣ ॥ ୫୧

ଇଚ୍ଛଇ ପତ୍ନୀର ସଙ୍ଗତି । ଅନଙ୍ଗ-ପୀଡାରେ ନୃପତି ॥ ୫୨

ପ୍ରବେଶ ଅନ୍ତପୁରେ ଯାଇ । ପତ୍ନୀ-ବିଷୟ ମନେ ଧ୍ୟାୟି ॥ ୫୩

ସକଳ ପୁରେ ସେ ରାଜନ । ଆପଣା ପତ୍ନୀକି ଖୋଜିଣ ॥ ୫୪

ନ ପାଇ ସେ ନିଜ ଯୁବତୀ । ସଖୀଙ୍କି ରାଇ ପଚାରନ୍ତି ॥ ୫୫

ବିଷାଦେ ପୁଛଇ ରାଜନ । ଶୁଣଗୋ ଏ ମୋର ବଚନ ॥ ୫୬

ମୋ ପ୍ରାଣସଖୀ ଛନ୍ତି କାହିଁ । କହି ସନ୍ତୋଷ କର ଦେହୀ ॥ ୫୭

ସେ ଅର୍ଦ୍ଧଆତ୍ମାଟି ମୋହର । ଅର୍ଦ୍ଧକେ କେ ଧରେ ଶରୀର ॥ ୫୮

ସଦନେ ଅଛନ୍ତି ନା ଭଲେ । ସଖୀଗଣଙ୍କ ସଙ୍ଗ ମେଳେ ॥ ୫୯

ତୁମ୍ଭେ ତାହାଙ୍କ ଅନୁଚର । କହ କୁଶଳ ତାହାଙ୍କର ॥ ୬୦

ଏମନ୍ତ ବିହ୍ୱଳ ରାଜନ । ବାତୁଳେ କହଇ ବଚନ ॥ ୬୧

ସେ ଯେ ମୋହର ପ୍ରାଣଶାଖା । ତା ବିନୁ ନ ବର୍ତ୍ତଇ ଏକା ॥ ୬୨

ଶୁଣ ଗୋ ସଖୀଗଣ ମୋର । ଏ ଗୃହଧର୍ମର ବେଭାର ॥ ୬୩

ପତ୍ନୀ ନ ଥିଲେ ନ ଶୋଭନ୍ତି । ଏ ରାଜସମ୍ପଦ-ବିଭୂତି ॥ ୬୪

ସେ ଗୃହେ ନାହିଁ ଯେବେ ମାତା । ସୁପୁତ୍ରବତୀ ପତିବ୍ରତା ॥ ୬୫

ସେ ଗୃହପତି ଜୀବ ହୀନ । ସୁଖେ ତା ନାହିଁ ପ୍ରୟୋଜନ ॥ ୬୬

ଯେସନେ ଚକ୍ରହୀନ ରଥ । ବସିଲେ କାହିଁ ସୁଖ ଜାତ ॥ ୬୭

ତେସନେ ଗୃହିଣୀ ବିହୀନେ । ଗୃହସ୍ଥ ନ ଶୋହେ ସଦନେ ॥ ୬୮

ଆତ୍ମା ବିହୁନେ ଯେହ୍ନେ ଦେହୀ । ତା ଗୃହ ତେହ୍ନେ ନ ଶୋଭଇ ॥ ୬୯

କହ ମୋ କାହିଁ ସୁଲକ୍ଷଣୀ । ସେ ମୋର ପ୍ରାଣ ଉଦ୍ଧାରିଣୀ ॥ ୭୦

ତା ବିନୁ ନ ସ୍ଫୁରଇ ଜ୍ଞାନ । କହି ଗୋ ରଖ ମୋ ଜୀକନ ॥ ୭୧

ବୁଡିଲି ମୁଁ ଦୁଃଖସାଗରେ । ଉଦ୍ଧରି ରଖ ପ୍ରାଣ ଭଲେ ॥ ୭୨

ତା ଶୁଣି ସଖୀଗଣ ଭୟେ । ବୋଲନ୍ତି ଶୁଣ ମହାରାୟେ ॥ ୭୩

ଆମ୍ଭେ ନ ଜାଣୁ ସେ କିମ୍ପାଇଁ । ଭୂମିଶଯ୍ୟାରେ ଛନ୍ତି ଶୋଇ ॥ ୭୪

ଦେଖିଲେ ଦେଖ ମହାରାୟ । ଆମ୍ଭେ ନଜାଣୁ ଅଭିପ୍ରାୟ ॥ ୭୫

ଶୁଣିଣ ସତ୍ୱରେ ରାଜନ । ଅନ୍ତଃପୁରେ କଲା ଗମନ ॥ ୭୬

ରାଣୀକି ଦେଖି ସେ ରାଜନ । ସତ୍ୱରେ କଲା ଆଲିଙ୍ଗନ ॥ ୭୭

ଭୂମିରୁ କୋଳରେ ବସାଇ । ଅନେକ ଚାଟୁବାକ୍ୟ କହି ॥ ୭୮

କାମିନୀ ଦୁଃଖ-ବିମୋଚନେ । କହେ କାକୁସ୍ଥ ଭୟମନେ ॥ ୭୯

ଭୋ ସଖି ମୁଁ ଯେ ଅପରାଧୀ । ତୋ ସଙ୍ଗ ତେଜି ମୁଁ ଦୁର୍ବଦ୍ଧି ॥ ୮୦

ମୃଗୟା ଛଳେ ବନେ ଗଲି । ଏଣୁ ଅପ୍ରିୟ ତୋର ହେଲି ॥ ୮୧

ତୁ କ୍ଷମା ନ କଲେ ସୁନ୍ଦରୀ । ମୁଁ ପ୍ରାଣ ନ ପାରବି ଧରି ॥ ୮୨

ପତି ବିନୟ ବାକ୍ୟ ଶୁଣି । ମାନ ନ ତେଜେ ସେ ମାନିନୀ ॥ ୮୩

ଅନେକ ବିନୟେ ରାଜନ । ଚରଣେ ପଡିଲା ତକ୍ଷଣ ॥ ୮୪

ଚରଣ ଧରି ତାର ରାୟେ । ଅତି ବିଭ୍ରମ ଶୋକେ କହେ ॥ ୮୫

ଭୋ ସଖି ତୋର ଚିନ୍ତାଭରେ । ମୋ ପ୍ରାଣ ନ ରହେ ଶରୀରେ ॥ ୮୬

ସୁବାକ୍ୟ ହସି ଏବେ କହ । ବିକଳ ହେଉଅଛି ଦେହ ॥ ୮୭

ଭୋ ସ୍ତିରୀରତ୍ନ ଶିରୋମଣି । ମୋ କାମ ଦୁର୍ଗତି-ତାରିଣୀ ॥ ୮୮

ତୋ ବିନୁ ଅନ୍ୟ କେବା ପାରେ । ଏ ଦୋଷ କ୍ଷମା କରିବାରେ ॥ ୮୯

ଯେ ପୁଣ୍ୟବନ୍ତ ଭୃତ୍ୟ ଠାରେ । ଦୋଷେ ଦଣ୍ତନ୍ତି ପ୍ରଭୁତ୍ୱରେ ॥ ୯୦

ଦୋଷାନୁକ୍ରମେ ପାଇ ଦଣ୍ତ । ତା ଅପରାଧ ହୋଏ ଖଣ୍ତ ॥ ୯୧

ଯେ ସ୍ୱାମୀ ଭୃତ୍ୟେ ନ ଦଣ୍ତନ୍ତି । କପଟଭାବ ତାଙ୍କ ମତି ॥ ୯୨

ସେ ନିତ୍ୟେ ଭୟ-ଦୁଃଖେ ଦହେ । ସେବକଭାବ କାହିଁ ରହେ ॥ ୯୩

ସ୍ୱାମୀ ସେବକେ ଯେବେ ଦଣ୍ତି । ଦିଅନ୍ତି ଅନୁଗ୍ରହେ ମଣ୍ତି ॥ ୯୪

ତା ଯେବେ ଭୃତ୍ୟ ନ ବୁଝଇ । ସେ ମୂଢ଼ ଅଧମ ଅଟଇ ॥ ୯୫

ତାହାର କାହିଁ ଜ୍ଞାନ-ବୁଦ୍ଧି । ଚିନ୍ତା-ବିଭ୍ରମେ ନିରବଧି ॥ ୯୬

ଯେସନେ ପିତା ଅଭିମାନେ । ବାଳକ ରୋଦେ ଭୟଚ୍ଛନ୍ନେ ॥ ୯୭

ସେ ପୁତ୍ର ଦୋଷ ନ ଧରନ୍ତି । ପୁଣି ବାଳକେ ଆଶ୍ୱାସନ୍ତି ॥ ୯୮

ସେ ରୂପେ ମୋର ଅଭିମାନ । ଭୋ ସଖି କର ବିମୋଚନ ॥ ୯୯

ମୁଁ ଯେ ତୁମ୍ଭର ନିଜ ପତି । ମୃଗୟା ଶ୍ରମେ ଦୁଃଖ ଅତି ॥ ୧୦୦

ଏବେ ତୁ ତେଜି ଅଭିମାନ । ଆପଣା କରି ମୋତେ ଘେନ ॥ ୧୦୧

ହେ ନାରୀବର ଶୁଣ ଏବେ । ତୋ ଅପରାଦୀ ଆନ ଯେବେ ॥ ୧୦୨

ବିପ୍ର ବୈଷ୍ଣବ ନୋହିଥିଲେ । ଅବଶ୍ୟ ଦଣ୍ତିବଇଁ ଭଲେ ॥ ୧୦୩

ପଳାଇ ଏ ତିନିଭୁବନେ । ଯେବେ ପଶିବ ଭୟଛନ୍ନେ ॥ ୧୦୪

ତାରେ ଶରଣ ରଖେ କେବା । ତୋ ବିନୁ ଅନ୍ୟ ସୁରଦେବା ॥ ୧୦୫

ଏବେ ମୋ ଚିନ୍ତା-ତାପ-ଜ୍ୱର । ତୋର କଟାକ୍ଷେ ଦୂର କର ॥ ୧୦୬

ଭୋ ସଖି ତୋ ଚାରୁ ଆନନ । ତିଳେ ହେଁ ଦେଖିଲେ ମଳିନ ॥ ୧୦୭

ମୋର ଜୀବନ ହୋଏ ଦୁଃଖୀ । ସ୍ନାନାଦି ଭୋଜନ ଉପେକ୍ଷି ॥ ୧୦୮

ଏ ଶୁଭ୍ରତନୁ ତୋ ଧୂସର । ଶୟନ କରିଛୁ ଭୂମିର ॥ ୧୦୯

କେ ପ୍ରାଣୀ ଧରିବ ଜୀବନ । ଦେଖି ତୋ ବିବର୍ଣ୍ଣ-ବଦନ ॥ ୧୧୦

ସୁନ୍ଦର ସୁକାନ୍ତି ତୋ ପ୍ରଭା । ଦେଖି ଟଳିବେ ସୁରଦେବା ॥ ୧୧୧

ତୋର ପଙ୍କଜାରୁଣାଧର । ଅଶେଷ ଭୁବନ ସୁନ୍ଦର ॥ ୧୧୨

ସେ ମୁଖେ ହସି ମୃଦୁବାଣୀ । କହି ତୁ ରଖ ପ୍ରାଣମଣି ॥ ୧୧୩

ମୁଁ ଯେ ତୋହର ପ୍ରାଣସଖା । ମୃଗୟା ଶ୍ରମେ ଭ୍ରମି ଏକା ॥ ୧୧୪

ତୁ ଶାନ୍ତି କର ଗୋ ମୃଗାକ୍ଷି । ମୋ ପ୍ରାଣ ଶରୀରୁ ଛାଡୁଛି ॥ ୧୧୫

ବିପଦ କାଳେ ଯେ ଯୁବତୀ । ନିଜ ସ୍ୱାମୀକୁ ନ ସେବନ୍ତି ॥ ୧୧୬

ସେ ନାରୀ ଜ୍ଞାନହୀନ-ମତି । ଜନାପବାଦେ ସେ ମରନ୍ତି ॥ ୧୧୭

ସେ ସ୍ତିରୀକୁଳେ ଲଜ୍ଜା ପାଇ । ଉଭୟଲୋକ ତାର ନାହିଁ ॥ ୧୧୮

ଅନେକ ପ୍ରବୋଧ ବଚନ । କହିଣ ତୋଷିଲେ ରାଜନ ॥ ୧୧୯

ସେ ନାରୀ ମାନ ଦୂର କଲା । ସନ୍ତୋଷେ ସତ୍ୱରେ ଉଠିଲା ॥ ୧୨୦

ଏମନ୍ତେ ଶୁଣ ହେ ବିଦୁର । ସେ ପୁରଞ୍ଜନ ନୃପବର ॥ ୧୨୧

ତା ବଶେ ହୋଇଲା ଆୟତ୍ତ । ବିଭ୍ରମ ହେଲା ତାର ଚିତ୍ତ ॥ ୧୨୨

ଏ ସର୍ବ ଅନୁଭବ ବାଣୀ । ନାରଦ ନୃପରେ ବଖାଣି ॥ ୧୨୩

ଏ ସର୍ବ ଜ୍ଞାନମୟ ସାର । ଶୁଣନ୍ତେ ଖଣ୍ତେ ମାୟା ଘୋର ॥ ୧୨୪

ଶ୍ରବଣେ ହରଇ ପ୍ରମାଦ । ନ ଲାଗେ ଗୃହବନ୍ଧ ଦ୍ୱନ୍ଦ୍ୱ ॥ ୧୨୫

ବିବେକ ହୋଏ ବୁଦ୍ଧିମତି । କୃଷ୍ଣ-ବିଷୟେ ବଢେ ମତି ॥ ୧୨୬

ଏ ସାଧୁଜନଙ୍କ ବିଚାର । ସଂସାରବନ୍ଧୁ ହୁଅ ପାର ॥ ୧୨୭

ଚତୁର୍ଥସ୍କନ୍ଧେ ଭାଗବତ । ଛବିଶ ଅଧ୍ୟାୟ ଚରିତ ॥ ୧୨୮

ଅମୃତ ଜ୍ଞାନମୟ ଗୀତ । କହିଲେ ବିପ୍ର ଜଗନ୍ନାଥ ॥ ୧୨୯

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ ଷଡ୍ ବିଂଶୋଽଧ୍ୟାୟଃ ॥

* * *