ଚତୁର୍ଥ ସ୍କନ୍ଧ
ପଞ୍ଚବିଂଶ ଅଧ୍ୟାୟ
ମୈତ୍ରେୟ ଉବାଚ
ଶୁଣ ସୁମନେ ହେ ବିଦୁର । ଏମନ୍ତେ ପ୍ରଭୁ ମହେଶ୍ୱର ॥ ୧
କୃପା ଯେ କଲେ ସେମାନଙ୍କୁ । କହିଲେ ରୁଦ୍ରଗୀତା ତାଙ୍କୁ ॥ ୨
ସେ ସେର୍ବେ ହରଷ ହୋଇଲେ । ବିଧାନେ ଶିବଙ୍କୁ ପୂଜିଲେ ॥ ୩
ତାହାଙ୍କୁ ଦେଇ ଦିବ୍ୟଜ୍ଞାନ । ଶିବ ହୋଇଲେ ଅନ୍ତର୍ଦ୍ଧାନ ॥ ୪
ସେ ଦଶଭାଇ ପ୍ରଚେତସ । ଜ୍ଞାନରେ ହୋଇଲେ ହରଷ ॥ ୫
ଭଗବାନଙ୍କ ସ୍ତୋତ୍ର-ଗାନେ । ନିମଗ୍ନ ପ୍ରଚେତସ ମାନେ ॥ ୬
ବୁଡିଣ ସମୁଦ୍ର-ସଲିଳେ । ସେ ଘୋର-ତପସ୍ୟା ନିଶ୍ଚଳେ ॥ ୭
ଅୟୁତେ-ସମ୍ବତ୍ସର ଶେଷ । ତପ ସାଧିଲେ ଭାଇ ଦଶ ॥ ୮
ରହିଲେ ଷଡ-ରିପୁ ମାରି । ମନ-ପବନ ହୃଦେ ଧରି ॥ ୯
ନିତ୍ୟେ ପଢ଼ନ୍ତି ରୁଦ୍ରଗୀତା । ତପେ ହୋଇଲେ ଉର୍ଦ୍ଧ୍ୱରେତା ॥ ୧୦
ତଦନ୍ତେ ଶୁଣ ହେ ବିଦୁର । ସେ ଯେ ପ୍ରାଚୀନ ନୃପବର ॥ ୧୧
ରାଜ୍ୟ କରନ୍ତି ଅବିବେକ । ସ୍ୱଭାବେ ଅଜ୍ଞାନୀ କାମୁକ ॥ ୧୨
ହିଂସକ-କର୍ମ ଜାଣି ତାର । ମନେ ଚିନ୍ତନ୍ତି ମୁନିବର ॥ ୧୩
ଏ ମହୀପତି ପୃଥୁ ବଂଶ । ଅକର୍ମ-ମାର୍ଗେ ଗଲା ନାଶ ॥ ୧୪
ବିପ୍ର ବଚନେ ଭ୍ରମ ହେଲା । ଅନେକ ପଶୁ ବଧ କଲା ॥ ୧୫
ନିର୍ଦ୍ଦୋଶ-ଜୀବ ଯଜ୍ଞେ ମାରି । ଯେ ତାର ନୁହନ୍ତି ବଇରୀ ॥ ୧୬
ଦୁର୍ଲଭ-ଜନ୍ମ କଲା ନାଶ । କର୍ମେ ହୋଇଲା ଜ୍ଞାନଭ୍ରଂଶ ॥ ୧୭
ଏମନ୍ତ ସ୍ମରି ଦୟା-ଚିତ୍ତ । ସେ ମୁନି ସତ୍ୱରେ ଆଗତ ॥ ୧୮
ସେ ସର୍ବଘଟେ ଦୟା ପର । ଅଧ୍ୟାତ୍ମ-ବିଦ୍ୟା ଜ୍ଞାନେ ସାର ॥ ୧୯
କରୁଣା କରି ସେ ରାଜାଙ୍କୁ । ଦର୍ଶନ ଦେଲେ ଆସି ତାଙ୍କୁ ॥ ୨୦
ମୁନିଙ୍କି ଦେଖିଣ ରାଜନ । ଉଠିଲା ଆସନ ତେଜିଣ ॥ ୨୧
ସତ୍ୱରେ କରି ନମସ୍କାର । ଆନନ୍ଦେ ପୂଜିଲା ପୟର ॥ ୨୨
ଆସନେ ବସାଇଲା ନେଇ । ପାଦକମଳ ଦେଲା ଧୋଇ ॥ ୨୩
ତାର ଭକତି-ଭାବେ ତୋଷ । ସେ ମୁନିବର ହେଲେ ବଶ ॥ ୨୪
କହନ୍ତି ତାରେ ଦୟାବହି । ଭୋ ରାଜା ତୋର ଜ୍ଞାନ ନାହିଁ ॥ ୨୫
ତୁ କର୍ମମାର୍ଗେ ହେଲୁ ହୀନ । ବିଅର୍ଥେ ଗଲା ତୋର ଦିନ ॥ ୨୬
ନିରତେ କର୍ମେ ନିମଜ୍ଜିଲୁ । ଆତ୍ମାର ହିତ ନ ଜାଣିଲୁ ॥ ୨୭
ଯେ କର୍ମେ ମୋକ୍ଷମାର୍ଗ ହାନି । ତୁ ତାହା ଶ୍ରେୟ ପ୍ରାୟ ମଣି ॥ ୨୮
ଯେ ସଙ୍ଗ-ଦୋଷେ ଜ୍ଞାନ କ୍ଷୟେ । ବୁଝି ତୁ ନପାରିଲୁ ରାୟେ ॥ ୨୯
ତୁ ଅତିସ୍ନେହେ ତହିଁ ବଦ୍ଧ । ସେ ସଙ୍ଗ-ଦୋଷ ଧର୍ମବାଧ ॥ ୩୦
ତା ଶୁଣି ଭୟେ ନୃପମଣି । ବଜ୍ର ପଡିଲା ପ୍ରାୟ ମଣି ॥ ୩୧
ଉଚ୍ଛନ୍ନେ କହଇ ନୃପତି । ଭୋ ମୁନି ମୁଁ ଯେ ମୂଢ଼ମତି ॥ ୩୨
ସ୍ୱକର୍ମ ମାର୍ଗେ ବଦ୍ଧ ହୋଇ । ମୁଁ ମୂଢ଼ଜ୍ଞାନ ନ ଜାଣଇ ॥ ୩୩
ଯେବେ ଅଇଲ ମୋର ହିତେ । ମୋ ଭାଗ୍ୟବଶେ ଦୟା ଚିତ୍ତେ ॥ ୩୪
ଯେବେ ସଦୟ ମୁନିବର । ଯେମନ୍ତେ ଜ୍ଞାନ ହୋଏ ମୋର ॥ ୩୫
ଯେଣେ ନୋହିବି କର୍ମେ ବଦ୍ଧ । ହୋଇବ ମୋକ୍ଷମାର୍ଗେ ସଧ ॥ ୩୬
ଯେଣୁ ତୁମ୍ଭର ଦରଶନ । ହରଇ ବିଷୟ-ବଦ୍ଧନ ॥ ୩୭
ଏ ଘୋର-ଜଡ କର୍ମ ମୋର । ସୁଜ୍ଞାନ-ଦାନେ ଦୂର କର ॥ ୩୮
ତୁମ୍ଭେ ସଂସାରେ ପ୍ରାଣୀ ହିତେ । ଭ୍ରମଣ କରୁଥାଅ ନିତ୍ୟେ ॥ ୩୯
ଅବ୍ୟକ୍ତଗତି ଯେ ତୁମ୍ଭର । ଦେବ ମାନବେ ଅଗୋଚର ॥ ୪୦
ଯେହ୍ନେ ଆଗମ ମୃତ୍ୟୁ ଜନ । ତେସନେ ତୁମ୍ଭ ଦରଶନ ॥ ୪୧
ଏ ଗୃହଦ୍ୱନ୍ଦେ ମୋ ପୀରତି । ଏ ପୁତ୍ର ଦାରା ମୋହେ ମତି ॥ ୪୨
ଏଣୁ ନୋହିଲା ଜ୍ଞାନେ ସଧ । ରାଜବିଭୂତି ମଦେ ଅନ୍ଧ ॥ ୪୩
ଇନ୍ଦ୍ରିୟରସ ଭୋଗ ମୁହିଁ । ନିରତେ ଛାଡି ନ ପାରଇ ॥ ୪୪
ଯେବେ ସୁଦୟା ତୁମ୍ଭ ଚିତ୍ତେ । ଘୋର ବନ୍ଧନୁ ଫେଡ ମୋତେ ॥ ୪୫
ପ୍ରସନ୍ନେ କହ ମୁନିବର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୪୬
ଏମନ୍ତ ତାର ବାକ୍ୟ ଶୁଣି । ଅତି ଆନନ୍ଦେ ଦେବମୁନି ॥ ୪୭
କହନ୍ତି ଚିତ୍ତେ ଦୟା ବହି । ଶୁଣ ପ୍ରାଚୀନ ପୁଣ୍ୟଦେହୀ ॥ ୪୮
ତୁ କର୍ମଜ୍ଞାନେ ବିଶାରଦ । ତେଣୁ ହୋଇଲୁ କର୍ମବଦ୍ଧ ॥ ୪୯
ତୁ ଯେ ମମତ୍ୱେ ମହୀପତି । ଏ ଯଜ୍ଞକର୍ମେ ମୂଢ଼ ମତି ॥ ୫୦
ଯେ ପୂର୍ବ ପୁଣ୍ୟ ତୋର ଥିଲା । ଏ ଯଜ୍ଞକର୍ମେ ନଷ୍ଟ ଗଲା ॥ ୫୧
ତୁ ବିପ୍ରବାକ୍ୟେ ହେଲୁ ଅନ୍ଧ । ଅନେକ କଲୁ ପଶୁ ବଧ ॥ ୫୨
ଅଦୋଷୀ ଜୀବ ଯଜ୍ଞେ ମାରି । ସେ ତୋର ନୁହଁନ୍ତି ବଇରୀ ॥ ୫୩
ତୁ ରାଜା ଏଡେ ଅବିବେକ । ଦୟା ନ ବସିଲା ତିଳେକ ॥ ୫୪
ଏ ପଶୁଗଣେ କୋପ ବହି । ତୋ ମୃତ୍ୟୁବାଟ ଛନ୍ତି ଚାହିଁ ॥ ୫୫
ସେ ତୋତେ ନିଶ୍ଚେ ବିନାଶିବେ । ତୁ ନୃପ ବୋଲି ନ ଡରିବେ ॥ ୫୬
ତୁ ପୀଡା ଦେଇଅଛୁ ଯେତେ । ସେ କୋପେ ସୁମରନ୍ତି ନିତ୍ୟେ ॥ ୫୭
ତାହାଙ୍କ ଯାଇ ନାହିଁ କ୍ରୋଧ । ଦୁଃଖ ଦେବାକୁ ତାଙ୍କ ସଧ ॥ ୫୮
ତୋତେ ପାଇଲେ ପରଲୋକେ । କାଟି ଭକ୍ଷିବେ ଏକେ ଏକେ ॥ ୫୯
ତାହାଙ୍କ ଶୃଙ୍ଗ ତୀକ୍ଷ୍ଣ ଧାର । ସେ ଲୌହସମାନ କଠୋର ॥ ୬୦
ସେ ଶୃଙ୍ଗେ ତୋତେ ବିନାଶିବେ । ତେବେ ସେ କ୍ରୋଧଉପେକ୍ଷିବେ ॥ ୬୧
ଆମ୍ଭେଦେଖିଲୁ ସ୍ୱର୍ଗପଥେ । ତୋ ପ୍ରତିଆଶେ ପଶୁଯୂଥେ ॥ ୬୨
ଦଶନେ ଅଧର ମାମୋଡି । କୋପେ ଦିଅନ୍ତି ଘୋର ରଡି ॥ ୬୩
ଦଶନ ଅତି ବିକରାଳ । କ୍ଷୁରେ ଖୋଳନ୍ତି ଦିବ୍ୟ ସ୍ଥଳ ॥ ୬୪
ସେ ତୋତେ ପାଇଲେ ରାଜନ । କରିବେ ଅବଶ୍ୟ ଭୋଜନ ॥ ୬୫
ତାହାଙ୍କ ସୁଖରେ ରାଜନ । ପଡି କେ ପାଇବ ଜୀବନ ॥ ୬୬
ଆମ୍ଭେ ଦେଖିଣ ଦୟା ଚିତ୍ତେ । ଶୀଘ୍ରେ ଅଇଲୁ ତୋର ହିତେ ॥ ୬୭
କହିଲୁ ସତ୍ୟ ନିରାଧାର । ଏ ମିଥ୍ୟା ନୋଦ୍ରେ ନୃପବର ॥ ୬୮
ଯେବେ ସଂଶୟ ତୋର ଚିତ୍ତେ । ପ୍ରତ୍ୟକ୍ଷେ ଦେଖାଇବା ତୋତେ ॥ ୬୯
ଏମନ୍ତ କହି ମୁନିବର । ଯୋଗନିଦ୍ରାରେ ତା ଶରୀର ॥ ୭୦
ହରିଲେ ମନ-ବୁଦ୍ଧିଜ୍ଞାନ । ତକ୍ଷଣେ ନୃପତି ଅଜ୍ଞାନ ॥ ୭୧
ସେ ଯୋଗନିଦ୍ରାର ସ୍ୱପନେ । ପ୍ରବେଶ ଯମର ଭୁବନେ ॥ ୭୨
ତହିଁ ଦେଖିଲା ନୃପରାଣ । ବେଢି ସକଳ ପଶୁଗଣ ॥ ୭୩
ଦେଖିଲା ତହିଁ ନୃପଗଣେ । ଦୁଃଖିତ ବିବିଧ କାରଣେ ॥ ୭୪
ଯେ ଯାହା କର୍ମ ଅନୁସାରେ । ପୀଡନ୍ତି ଯେ ଶତ୍ରୁ ଯାହାରେ ॥ ୭୫
ଯେ ଶସ୍ତ୍ରେ ଯାକୁ ଯେବା ମାରି । ସେ ରୂପେ ଶୃଙ୍ଗ ଛନ୍ତି ଧରି ॥ ୭୬
ଗଦା ମୁଦ୍ଗର ଅସିବର । କୁନ୍ତ କୁଠାର ଶକ୍ତିଶୂଳ ॥ ୭୭
ଏ ଆଦି ଅସ୍ତ୍ର ଅପ୍ରମିତେ । ପ୍ରକୋପେ ପ୍ରହାରନ୍ତି ନିତ୍ୟେ ॥ ୭୮
ତା ପୂର୍ବ-ଦଣ୍ତ ଅନୁକ୍ରମେ । ସୁମରି ଦ୍ୟନ୍ତି ଶତ୍ରୁ ଜନେ ॥ ୭୯
କେ ବୃକ୍ଷେ ବାନ୍ଧିଣ ପିଟନ୍ତି । କେ ରୋଷେ ତୋଳି କଚାଡନ୍ତି ॥ ୮୦
ଅଧୋବଦନ ଉର୍ଦ୍ଦ୍ୱେ ପାଦ । ଏ ଆଦି ଅଶେଷ ବିଷାଦ ॥ ୮୧
ନାନା-କଦର୍ଥନେ ପୀଡନ୍ତି । ପ୍ରକୋପ ନୟନେ ଚାହାଁନ୍ତି ॥ ୮୨
ଅଧର ଚାପି ଦନ୍ତେ ଭିଡି । କୋପେ କରନ୍ତି ଘୋର ରଡି ॥ ୮୩
ପଶୁଙ୍କ ଦଣ୍ତ ଉପତାପେ । ଉଚ୍ଚେଣ ରୋଦନ୍ତି ଅଧୀପେ ॥ ୮୪
ଦୁଃସଦ-ଦୁଃଖେ ଭୟେ ଛନ୍ନ । ସ୍ରବିତ ମୂତ୍ରଦ୍ୱାରମାନ ॥ ୮୫
ତା ଦେଖି ପ୍ରାଚୀ ନୃପରାଣ । ଭୟେ ଉତ୍ସର୍ଗ ପଞ୍ଚପାଣ ॥ ୮୬
ଭ୍ରମ ହୋଇଲା ତାର ମତି । ପଳାଇ ଇଚ୍ଛଇ ନୃପତି ॥ ୮୭
ତା ଯାଗେ ବଧ ପଶୁଗଣେ । ତାକୁ ବେଢିଲେ ତତକ୍ଷଣେ ॥ ୮୮
ନିଜ ଶତ୍ରୁକୁ ପାଇ କୋପେ । ବେଢି ଭକ୍ଷିଲେ କ୍ଷୁଧା ତାପେ ॥ ୮୯
ବୃକ-ସମୂହ ମୃଗେ ଯେହ୍ନେ । ରାଜାକୁ ଭକ୍ଷିଲେ ତେସନେ ॥ ୯୦
ଆବୋରି ଶତେପୁର କରି । ଏକ-ଆରେକ ବଳେ ଧରି ॥ ୯୧
ଦଶନେ ଧରି ଓଟାରନ୍ତି । ଏକ-ଆରକେ ନ ଛାଡନ୍ତି ॥ ୯୨
ଦୁଃସହ ଦୁଃଖେ ସେ ରାଜନ । ବ୍ୟାକୁଳେ କରଇ ରୋଦନ ॥ ୯୩
ନିର୍ଦ୍ଦୟ-ପଶୁ ଦୁଷ୍ଟପଣେ । ମାଂସ ଭକ୍ଷନ୍ତି ଅନୁକ୍ଷଣେ ॥ ୯୪
ଭକ୍ଷନ୍ତି ଅସ୍ଥି ଶେଷ ଯାଏ । ଯାବତ କ୍ରୋଧ ଶାନ୍ତି ନୋହେ ॥ ୯୫
ତଦନ୍ତେ ଅନ୍ୟ ପଶୁଗଣେ । ବେଢି ସେ ଭକ୍ଷନ୍ତି ତକ୍ଷଣେ ॥ ୯୬
ମାୟାରେ ପୁନରପି କାୟେ । ପ୍ରକାଶେ ପୂର୍ବତନୁ ପ୍ରାୟେ ॥ ୯୭
ଦୁଃସହ-ଦୁଃଖେ ସେ ନୃପତି । ଭୟେ ପଳାଇ ଚଉକତି ॥ ୯୮
ତେଣେ ଗୋଡାନ୍ତି ପଶୁଗଣେ । କୋପେ ଭକ୍ଷନ୍ତି ଅନୁକ୍ଷଣେ ॥ ୯୯
ଏମନ୍ତ ଦୁଃଖ ମହାଘୋରେ । ରୋଦନ କରେ ଉଚ୍ଚସ୍ୱରେ ॥ ୧୦୦
ତାରେ ରକ୍ଷକ କେହି ନାହିଁ । ଶତ୍ରୁ ସମୂହେ ପୀଡେ ଦେହୀ ॥ ୧୦୧
ସଭୟେ ଭାଳଇ ରାଜନ । ନିଶ୍ଚେ ନାଶିବେ ମୋ ଜୀବନ ॥ ୧୦୨
ଏମନ୍ତ ଭାଳନ୍ତେ ଆକୁଳେ । ମୁନି ଜାଣିଲେ ଯୋଗବଳେ ॥ ୧୦୩
ଏ ମିଥ୍ୟା-ଭୟେ ନୃପରାଣ । ଅବଶ୍ୟ ଛାଡିବ ପରାଣ ॥ ୧୦୪
ଉଚ୍ଛନ୍ନ ଦେଖି ନୃପବର । ହରିଲେ ଯୋଗନିଦ୍ରା ତାର ॥ ୧୦୫
ତକ୍ଷଣେ ସେ ଜ୍ଞାନ ଲଭିଲା । ବିହ୍ୱଳେ ସତ୍ୱରେ ଉଠିଲା ॥ ୧୦୬
ମୁନିଙ୍କି କୋଳାଗ୍ରତ କରି । ସେ ମିଥ୍ୟା ନୃପଭୟେ ଡରି ॥ ୧୦୭
ଭୟେ ନ ଛାଡେ ନୃପବର । ଭୋ ମୁନି ମୋତେ ରକ୍ଷାକର ॥ ୧୦୮
ଏ ଦୁଷ୍ଟ-ପଶୁ ଭୟଙ୍କର । ନିଶ୍ଚେ ଭକ୍ଷିବେ ମୋ ଶରୀର ॥ ୧୦୯
ଏମନ୍ତ କହି ସେ ରାଜନ । ଉତ୍ସନ୍ନେ କରଇ ରୋଦନ ॥ ୧୧୦
ମତି ବିକ୍ରମ ଦେଖି ତାର । ପ୍ରବୋଧ କଲେ ମୁନିବର ॥ ୧୧୧
ଏମିଥ୍ୟା ଭୟେ ତୁ ରାଜନ । ବିଅର୍ଥେ ହେଉଛୁ ଉତ୍ସନ ॥ ୧୧୨
ଏବେ ପ୍ରତ୍ୟକ୍ଷେ ଦେଖ ରାୟେ । ନୟନ ଫେଡି ତୁ ନିର୍ଭୟେ ॥ ୧୧୩
ଏ ଘୋର ଭୟ ପୀଡା ତୋତେ । ଅଜ୍ଞାନେ ଦେଲେ ଶତ୍ରୁଯୂଥେ ॥ ୧୧୪
ଦେଖ ପ୍ରତ୍ୟକ୍ଷେ ନୃପରାଣ । ତୋ ଭୟଙ୍କର ଶତ୍ରୁଗଣ ॥ ୧୧୫
ଅଦୃଶ୍ୟ ହେଲେ ଆମ୍ଭ ଡରେ । ତୋ ଅନ୍ତେ ପୀଡିବେ ସେଠାରେ ॥ ୧୧୬
ତୁ ତାଙ୍କୁ ଦୁଃଖ ଦେଲୁ ଯେତେ । ଅବଶ୍ୟ ପୀଡିବେ ସେ ତୋତେ ॥ ୧୧୭
ଶୁଣି ସଂଭ୍ରମେ ନୃପରାଣ । ବୋଲେ ମୁନିଙ୍କି ରଖ ପ୍ରାଣ ॥ ୧୧୮
ପଶୁଙ୍କ କଷଣୁ କେମନ୍ତେ । ତରିବି କହ ମୁନି ମୋତେ ॥ ୧୧୯
ତୁମ୍ଭେ ସର୍ବଜ୍ଞ ସର୍ବଜାଣ । କହିବା ଏଥିର କାରଣ ॥ ୧୨୦
ଏମନ୍ତ ଶୁଣି ମହାଋଷି । ରାଜା ବିଭ୍ରମେ ମନ୍ଦେ ହତି ॥ ୧୨୧
ଶୁଣ ସୁମନେ ନୃପବର । କହିବା ଏଥିର ବିଚାର ॥ ୧୨୨
ଏବେ ତୁ ଛାଡ ସୁତ-ବିତ୍ତ । ଦାରା-ବନ୍ଧୁରେ ସ୍ନେହଚିତ୍ତ ॥ ୧୨୩
ଅଷ୍ଟ ଐଶ୍ଚର୍ଯ୍ୟ-ଭୋଗ ଯେତେ । ଏ ରାଜ ବିଭୂତି ସହିତେ ॥ ୧୨୪
ଏ ସର୍ବ ତେଜି କୃଷ୍ଣପାଦେ । ଏକାନ୍ତେ ଭଜ ଅପ୍ରମାଦେ ॥ ୧୨୫
ତେବେ ଏ ହତ୍ୟା ଦୁଃଖ ଘୋର । ବେଗେ ଛାଡିବ ନୃପବର ॥ ୧୨୬
ଏ ବିନେ ତୋର ଅନ୍ୟ ଗତି । ଅପରେ ନ ଦେଖି ନୃପତି ॥ ୧୨୭
ତା ଶୁଣି ବୋଲଇ ରାଜନ । ଭୋ ମୁନି ମୁଁ ମୂଢ ଅଜ୍ଞାନ ॥ ୧୨୮
ଏ ପୁତ୍ର ଦାରା ସ୍ନେହ ଅତି । ଇନ୍ଦ୍ରିୟ ଭୋଗ ରସେ ମାତି ॥ ୧୨୯
ଏ ଆଦି ଗୃହବସ୍ତୁ ଯେତେ । ମୁଁ ଛାଡି ପାରିବି କେମନ୍ତେ ॥ ୧୩୦
ଉପାୟ ଥିଲେ ମୁନିବର । ଏ ମାୟାବନ୍ଧ ପରିହର ॥ ୧୩୧
ତା ବାକ୍ୟେ ହସି ମୁନି ତୋଷ । କହିବା ତୋତେ ଇତିହାସ ॥ ୧୩୨
ଶ୍ରବଣେ ହେବ ତୋର ଜ୍ଞାନ । ସେ ପୁରଞ୍ଜନର ଆଖ୍ୟାନ ॥ ୧୩୩
ଏ ଘୋରଭୟ ସ୍ନେହ ତୋର । ଶ୍ରବଣେ ବେଗେ ହେବ ଦୂର ॥ ୧୩୪
ସେ ପୁରଞ୍ଜନ ଏକ ରାଜା । ପୂର୍ବେ ସେ ଥିଲା ମହାତେଜା ॥ ୧୩୫
ବିଜ୍ଞାତ ନାମେ ସଖା ତାର । ଜ୍ଞାନ-ଚେଷ୍ଟାରେ ସେହୁ ଧୀର ॥ ୧୩୬
ସେ ନିଜ-ସଖା ପରିହରି । ଇନ୍ଦ୍ରିୟଭୋଗ ଇଚ୍ଛା କରି ॥ ୧୩୭
ନିରତେ ଭାବେ ଅନୁଦିନ । ଇନ୍ଦିୟ ବଶେ ହୋଇ ଛନ୍ନ ॥ ୧୩୮
ସେ ରାଜା ପୃଥିବୀ ଭ୍ରମଇ । ଉତ୍ତମ-ସ୍ଥାନ ସେ ଇଚ୍ଛଇ ॥ ୧୩୯
ନ ପାଇ ନିଜ ରୂପେ ସ୍ଥିତି । ବିଷାଦମନ ସେ ନୃପତି ॥ ୧୪୦
ଯାବତ-ପୁର ମହୀତଳେ । ସେ ରାଜା ଦେଖଇ ନିରୋଳେ ॥ ୧୪୧
ତା ନିଜ କାମ ପୂର୍ଣ୍ଣ ପାଇଁ । ସେ ରାଜା ସନ୍ତତେ ଭ୍ରମଇ ॥ ୧୪୨
ଏମନ୍ତେ ଏକାନ୍ତେ ଭ୍ରମନ୍ତେ । ଗଲା ସେ ହିମାଳୟ ପଥେ ॥ ୧୪୩
ସେ ଗିରି ଦକ୍ଷିଣ ଭାଗରେ । ପ୍ରବେଶ ହୋଇଲା ସଧୀରେ ॥ ୧୪୪
ସୁଦିବ୍ୟପୁର ତହିଁ ଥିଲା । ସେ ରାଜା ସନ୍ତୋଷେ ଦେଖିଲା ॥ ୧୪୫
ନାନା ଲକ୍ଷଣେ ବିରାଜଇ । ସେ ନବଦ୍ୱାରେ ଶୋଭାପାଇ ॥ ୧୪୬
ସେ ପୁରେ ପାଚେରୀ ଶୋଭନ । ତା ଚଉପାଶେ ଉପବନ ॥ ୧୪୭
ଗୃହାଦି ଅଟ୍ଟାଳୀ ଶୋଭନ୍ତି । ପରିଖା ତ୍ରୋଣ ବିରାଜନ୍ତି ॥ ୧୪୮
ହେମ-ରଜତ-ଲୌହ-ଶୃଙ୍ଗ । ବିଚିତ୍ର-ବର୍ଣ୍ଣେ ନାନାରଙ୍ଗ ॥ ୧୪୯
ରତ୍ନ-ସମୁହେ ବିରାଜନ୍ତି । ଶୁଭ୍ର-ସୁନ୍ଦର ପୁର କାନ୍ତି ॥ ୧୫୦
ନୀଳାଦି ସ୍ଫଟିକ ପୋଏଳା । ମୋତି ମର୍କତ ଆଦି ଶିଳା ॥ ୧୫୧
ନିର୍ମିତ ହେମମୟ ସ୍ଥଳୀ । କାନ୍ତି ସମୂହେ ଅତି ଝଳି ॥ ୧୫୨
ସେ ପୁର ଦେଖିଣ ନୃପତି । କିଏ ଦ୍ୱିତୀୟ ଭୋଗବତୀ ॥ ୧୫୩
ସଭା ଚତ୍ୱର ରାଜ ବାଟ । ପଶା-ଖେଳନ ସ୍ଥାନ ହାଟ ॥ ୧୫୪
ବିଶ୍ରାମ-ସ୍ଥାନ ପ୍ରାଣୀଙ୍କର । ଏ ଆଦି ଅଛି ଯେ ମନ୍ଦିର ॥ ୧୫୫
ପତାକା ଶୋହେ ନାନାବିଧି । ଶୁଦ୍ଧ ସୁବର୍ଣ୍ଣେ ଶୋହେ ବେଦୀ ॥ ୧୫୬
ଯେ ପୁର ବାହ୍ୟେ ଉପବନ । ଶୋଭିତ ନାନା ଦ୍ରୁମମାନ ॥ ୧୫୭
ପୁଷ୍ପିତ-ସରୋବର ଶୋହି । ବିହଙ୍ଗ କୁଳ କୂଳେ ଯହି ॥ ୧୫୮
ହିମ-ନିର୍ଝର-ବିନ୍ଦୁଯୋଗେ । କୁସୁମାକର-ବାୟୁ ବେଗେ ॥ ୧୫୯
ପ୍ରଚଳେ ଦଳ ବିଟପୀରେ । ସରସୀତଟ୍ ସମ୍ପଦରେ ॥ ୧୬୦
ନାନାବର୍ଣ୍ଣର ମୃଗମାନେ । ଚିହରୁଛନ୍ତି ଉପବନେ ॥ ୧୬୧
ଯହିଁ କୋକିଳ କୂଢ଼ଛନ୍ତି । କିବା ସେ ପାନ୍ଥକୁ ଲୋଡନ୍ତି ॥ ୧୬୨
ଏମନ୍ତେ ନାନା ଜୀବ କୁଳେ । କ୍ରୀଡନ୍ତି କାମମତ୍ତ ଭୋଳେ ॥ ୧୬୩
ସେ ଦିବ୍ୟବନେ ହେ ରାଜନ । କହିବା ଅପର ବିଧାନ ॥ ୧୬୪
କାମିନୀରତ୍ନ ସେହୁ ବନେ । ଆସି ଯେ ଥିଲା ସ୍ୱଚ୍ଛ ମନେ ॥ ୧୬୫
ରମଣିରତ୍ନ ସେହୁ ବାଳା । ତାହାକୁ ନୃପତି ଦେଖିଲା ॥ ୧୬୬
ସଙ୍ଗେ ତା ଦଶ ପରିବାରୀ । ଘେନିଣ ଆସିଛି ସୁନ୍ଦରୀ ॥ ୧୬୭
ଭୃତ୍ୟମାନଙ୍କେ ଏକେ ଏକେ । ସଙ୍ଗତେ ଶତ ସ୍ୱନାୟିକେ ॥ ୧୬୮
ପଞ୍ଚମସ୍ତକ ଏକ ଅହି । ସେ ନାରୀ ଦ୍ୱାରପାଳ ସେହି ॥ ୧୬୯
ସେ କାମରୂପୀ ଦିବ୍ୟନାରୀ । ବିବାହ ନୋହିଛି ତାହାରି ॥ ୧୭୦
ତହୁଁ ସେ ସ୍ୱାମୀଙ୍କି ଶଙ୍ଖୋଳେ । ତା ଯୋଗ୍ୟ ବର ହିଁ ନ ମିଳେ ॥ ୧୭୧
ଲାବଣ୍ୟ-ସମୂହେ ତରୁଣୀ । କେ ତା ନିର୍ମାଣିଲା ନ ଜାଣି ॥ ୧୭୨
ସୁସଞ୍ଚ-ନାସା ଦନ୍ତପନ୍ତି । ଯେହ୍ନେ ସୁନ୍ଦର ଗଜମୋତି ॥ ୧୭୩
ଅରୁଣ-ବିମ୍ବାଧାର ରାଜେ । ପକ୍ୱ-ଡାଳିମ୍ବ-ବୀଜ ଗଞ୍ଜେ ॥ ୧୭୪
ଅରୁଣ-ପଙ୍କଜ ଲୋଚନ । ସୁଧାଂଶୁ -ଆନନ ଶୋଭନ ॥ ୧୭୫
ସୁଚାରୁ-ଭ୍ରୂଭଙ୍କ ସୁନ୍ଦର । ଅତନୁଚାପ ପଟାନ୍ତର ॥ ୧୭୬
ଦଗ୍ଧ ହାଟକ ସୁକପୋଳ । ଅଳକାରବୃତ୍ତ ଭୃଙ୍ଗମାଳ ॥ ୧୭୭
ତା ପ୍ରତିଲକ୍ଷଣେ ଶୋଭନ । ନ ଦେଖି ଏ ତିନି ଭୁବନ ॥ ୧୭୮
ଶ୍ରବଣେ କୁଣ୍ତଳ ଝଲକେ । ତୁଳନା ନାହିଁ ତିନିଲୋକେ ॥ ୧୭୯
କନକ ମେଖଳା ନିତମ୍ବୀ । ଚାରୁ ସୁସଞ୍ଚ ତାର ନାଭି ॥ ୧୮୦
ଗମଇ ମତ୍ତଗତ ଠାଣି । ଚରଣେ ନୂପୁର ବାଜେଣି ॥ ୧୮୧
କର୍ଣ୍ଣାଭିରାମ ସୁମଧୁର । ଶ୍ରବଣେ କାମଦର୍ପହର ॥ ୧୮୨
ରତ୍ନସମୂହେ ଝଟକନ୍ତି । ପଥେ କି ଦେବତା ଗମନ୍ତି ॥ ୧୮୩
ସେ ନବଯୌବନ-ଶୋଭିନୀ । ସମ ବର୍ତ୍ତୁଳ ପୀନସ୍ତନୀ ॥ ୧୮୪
ତା ବସ୍ତ୍ର ଅଞ୍ଚଳେ ଢାଙ୍କନ୍ତି । ଯେହ୍ନେ ବିଦ୍ୟୁତେ ଗଜମୋତି ॥ ୧୮୫
ଅପାଙ୍ଗ-ଲଙ୍ଗିତ ବିଶିଖ । ଭୂରୁ କମାଣେ ସନ୍ଧି ଲାଖ ॥ ୧୮୬
ରାଜାକୁ ସତ୍ୱରେ ବିନ୍ଧିଲା । ତକ୍ଷଣେ ନୃପ ମୋହ ହେଲା ॥ ୧୮୭
ସେ ବୀର ଲଜ୍ଜା ପାଇ ମନେ । ନାରୀକି ପଚାରେ ଅଙ୍କନେ ॥ ୧୮୮
ଭୋ ସଖି ନାମ ଗୋତ୍ର ତୋର । କହ କିମର୍ଥେ ବନଘୋର ॥ ୧୮୯
ଭ୍ରମଣ କରୁଛୁ ସୁନ୍ଦରୀ । ସୁର-ମୁନୀଦ୍ର ମନୋହାରୀ ॥ ୧୯୦
ଏ ଦିବ୍ୟପୁର- ଉପବନେ । କହ କି ଅଛି ତୋର ମନେ ॥ ୧୯୧
କି କାମ-ମୃଗ ବିଦାରଣେ । ବିହାର କରୁ ଏ କାରଣେ ॥ ୧୯୨
ମୋ କାମ-ଶତ୍ରୁ ବିନାଶନେ । ସଦନ ତେଜି ଏ ବିପିନେ ॥ ୧୯୩
ମୁଁ ନିଶ୍ଚେ ଜାଣିଲଇ ଚିତ୍ତେ । ସ୍ୱଗୁଣ ଘେନି ମୋର ହିତେ ॥ ୧୯୪
ଏ ପୁରେ କରୁ ତୁ ବିହାର । ମୁଁ ଯେ ତୋହର ପରିଚାର ॥ ୧୯୫
ଭୋ ସଖି ଏ ତୋ ସଖୀଜନ । କହ କାହାର କିସ ନାମ ॥ ୧୯୬
ଏ ଦଶ ଏକୁ ଏକ ଶୋଭା । ଏ ତୁମ୍ଭ କି କରନ୍ତି ସେବା ॥ ୧୯୭
ଏ ସର୍ପ କେ ତୁମ୍ଭ ଛାମୁର । ପଞ୍ଚମସ୍ତକ କିମ୍ପା ତାର ॥ ୧୯୮
ଏହାଙ୍କ ନାମ-କର୍ମ ଯେତେ । ଭୋ ସଖି କହ ମୋ ଅଗ୍ରତେ ॥ ୧୯୯
ତୁମ୍ଭେ କି ଲଜ୍ଜାରୂପ ଧରି । ଧର୍ମ ପତିକି ଅନୁସରି ॥ ୨୦୦
କି ଅବା ତୁମ୍ଭେ ଗୋ ଭବାନୀ । ଶଙ୍ଖୋଳୁ ଅଛ ଶୁଳପାଣି ॥ ୨୦୧
କି ଅବା ତୁମ୍ଭେ ପଦ୍ମାଳୟା । ଲୋଡୁଛ କୃଷ୍ଣ-ପଦଛାୟା ॥ ୨୦୨
ତୁମ୍ଭେ କି ଅଟ ଅରୁନ୍ଧତୀ । ବାଞ୍ଛା କି କର ନିଜପତି ॥ ୨୦୩
ଭୋ ସଖି ତୋ ରୂପ-ପ୍ରଭା । ଦେଖି ଟଳିବେ ସୁରଦେବା ॥ ୨୦୪
କାମୀଜନଙ୍କ ପୂର୍ଣ୍ଣ କାମ । ବାଞ୍ଛାକୁ ଅଟୁ କଳ୍ପଦ୍ରୁମ ॥ ୨୦୫
ଅଶେଷ ସୁଖ ସେ ଲଭନ୍ତି । କାମାଦି ଶତ୍ରୁ ବିନାଶନ୍ତି ॥ ୨୦୬
ମୁନିମୋହିନୀ ରୂପ ଧରି । ଏ କାନ୍ତେ ଭ୍ରମୁ ତୁ କିଶୋରୀ ॥ ୨୦୭
ତୋ ଗୁଣ କୀର୍ତ୍ତିପ୍ରଭା ଚାହିଁ । ଦେବତା ପ୍ରାୟେ ମୁଁ ମଣଇଁ ॥ ୨୦୮
ଭୂମିରେ ନ ଚାଲେ ଦେବତା । ଏଣୁ ମୋ ମନେ ଗରୁ ଚିନ୍ତା ॥ ୨୦୯
ତୋ ଗୁଣ ବର୍ଣ୍ଣବଇଁ କେତେ । ତୋ ସମ ନାହିଁ ଏ ଜଗତେ ॥ ୨୧୦
ଏବେ ନିଶ୍ଚୟେ ମୋତେ ଘେନି । ଏ ପୁରେ ବିହର କାମିନୀ ॥ ୨୧୧
ତୋହର ଲଜ୍ଜା-ଭାବ ସ୍ମିତ । ଏ କାମୀଜନଙ୍କୁ ପୀଡିତ ॥ ୨୧୨
ଅନଙ୍ଗ-ଶର ବାଧେ ମୋତେ । ମୁଁ ଫେଡି କହିଲିଇଁ ତୋତେ ॥ ୨୧୩
ତୋ ମୁଖ ଅପାଙ୍ଗ-ଲକ୍ଷଣ । ସ୍ଥକିତ ଏ ମୋର ଚରଣ ॥ ୨୧୪
ତୁ ଅନୁଗ୍ରହ ମୋତେ କର । ଏ କାମାନଳ ପରିହର ॥ ୨୧୫
ସେ ତାପେ ଦହି ମୁଁ ହେଉଛି । ତୁ ଶାନ୍ତି କର ଗୋ ମୃଗାକ୍ଷି ॥ ୨୧୬
ସଖି ତୋ ରୁଚିର ଆନନ । ଶୁଭ୍ର ସୁନ୍ଦର ସୁଲୋଚନ ॥ ୨୧୭
ଅଳକ କପୋଳେ ଝଲକେ । ଟେକିଣ ନ ଚାହୁଁ ତୁ କିକେ ॥ ୨୧୮
କହ ତୁ ମଧୁର ବଚନ । ନିଶ୍ଚେ ମୋ ଗଲାଟି ଜୀବନ ॥ ୨୧୯
ତୁ ଲଜ୍ଜାଭରେ ନ ଚାହୁଁଛୁ । ଭୋ ସଖି ପ୍ରାଣେ ତୁ ମାରୁଛୁ ॥ ୨୨୦
ତୁ ହସି ସୁମଧୁର ଭାଷ । ମୁଁ ନିଶ୍ଚେ ହେବି ତୋର ଦାସ ॥ ୨୨୧
ଅନେକ ବିନୟ-ବଚନ । ସେ ନାରୀବଶେ ପୁରଞ୍ଜନ ॥ ୨୨୨
ନାରଦ ଉବାଚ
ହେ ନୃପ ତୋର ପ୍ରାୟ ସେହି । ସ୍ତିରୀରେ ବଶ କଲା ଦେହୀ ॥ ୨୨୩
ପ୍ରଭୁତ୍ୱ ପଣ ସେ ତେଜିଲା । ତା ବଶେ ଜ୍ଞାନ ପାଶୋରିଲା ॥ ୨୨୪
ସ୍ତିରୀରେ ବଶ ଯେଉଁ ପ୍ରାଣୀ । ତାହାକୁ ମନୁଷ୍ୟେ ନ ଗଣି ॥ ୨୨୫
ଯେ ଅଶ୍ୱ ବିଡାଳ ଗର୍ଦ୍ଦଭ । ତାଙ୍କ ସମାନେ ସେହୁ ଜୀବ ॥ ୨୨୬
ପଣ୍ତିତ ବୋଲି ତା ନ ଗଣି । ସ୍ତିରୀରେ ବଶ ଯେଉଁ ପ୍ରାଣୀ ॥ ୨୨୭
ଭୋ ନୃପ ମନେ ତୁ ବିଚାର । କାହିଁ ପଣ୍ତିତ ଜ୍ଞାନ ତାର ॥ ୨୨୮
ଏମନ୍ତ ସେ ଯେ ପୁରଞ୍ଜନ । ବୋଧିଲା ଚାଟୁବାକ୍ୟେ ମନ ॥ ୨୨୯
ସନ୍ତୋଷ ଲଭିଲା ତରୁଣୀ । ତାର କାର୍ପଣ୍ୟ ବାକ୍ୟ ଶୁଣି ॥ ୨୩୦
ସେ ନାରୀ ବୁଝିଲା ମନର । ଏ କାମେ ହୋଇଛି ଅସ୍ଥିର ॥ ୨୩୧
ନୃପକୁ ଆତ୍ମହରା ଦେଖି । ଅଳପ ହସିଲା ସୁମୁଖୀ ॥ ୨୩୨
କହେ ଲଳିତ ସୁବଚନ । ଶୁଣ ହେ ବୀର ପୁରଞ୍ଜନ ॥ ୨୩୩
ଆମ୍ଭର ଭର୍ତ୍ତା କେହି ନାହିଁ । ବିହରୁଁ ଏ ପୁରରେ ରହି ॥ ୨୩୪
ସ୍ୱନାମ ଗୋତ୍ର ତା ନ ଜାଣି । ଏ ତନୁ କେ ଅଛି ନିର୍ମାଣି ॥ ୨୩୫
ଏତେକ ଜାଣୁ ଆମ୍ଭେମାନେ । ସକଳେ ଅଛୁ ଏ ଭୁବନେ ॥ ୨୩୬
ଅପରେ ନ ଜାଣୁ ନା କିଛି । ଏ ପୁରେ କେ ମୋତେ ରଖିଛି ॥ ୨୩୭
ଦେଖ ଏ ଯେତେ ପରିଜନ । ଏ ମୋର ନୁହଁନ୍ତି ଅଭିନ୍ନ ॥ ୨୩୮
ଏହାଙ୍କ ନାମ-କର୍ମ-ଗୁଣ । ପୁଚ୍ଛିଲ ଶୁ ନୃପରାଣ ॥ ୨୩୯
ମୁଁ ଯେବେ ନିଦ୍ରାଗତ ହୋଇ । ଏ ସର୍ପ ପୁର ଜଗିଥାଇ ॥ ୨୪୦
ଏ ଆମ୍ଭ ପାଳକ ପୁରର । ସକଳ-କାର୍ଯ୍ୟରେ ତତ୍ପର ॥ ୨୪୧
କରନ୍ତି ଆମ୍ଭ ଅନୁମତେ । ଯେ ଭୋଗବାଞ୍ଛା ଯାର ଚିତ୍ତେ ॥ ୨୪୨
ଯେ ଶୁଭାଶୁଭ ଫଳ ଦେଇ । ବିଧି-ନିଷେଧ ମାର୍ଗେ ନେଇ ॥ ୨୪୩
ଏଣୁ ଆତ୍ମିକ ପ୍ରିୟ ମୋର । ଯେଣୁ ଏ ସେବେ ନିରନ୍ତର ॥ ୨୪୪
ଏହାର ବେନି-ପତ୍ନୀ ନାମ । ପ୍ରବୃତ୍ତି ନିବୃତ୍ତି ରାଜନ ॥ ୨୪୫
ପ୍ରବୃତ୍ତି ପତ୍ନୀ ନାମ ଯାର । ସେ ସେବେ ପ୍ରବୃତ୍ତି ମାର୍ଗର ॥ ୨୪୬
ନିବୃତ୍ତି ନାମେ ଯେ ଯୁବତୀ । ସେ ଧର୍ମ ମାର୍ଗେ ସେବେ ପତି ॥ ୨୪୭
ସେ ବେନିନାରୀଙ୍କ କୁମର । କେ ସାଧୁ କେବା ଦୁରାଚାର ॥ ୨୪୮
ଏ ଯେତେ ପ୍ରବୃତ୍ତି ନନ୍ଦନ । ଯେ କାମ କ୍ରୋଧ ଅଭିମାନ ॥ ୨୪୯
ଅଜ୍ଞାନ ଲୋଭ ମୋହ ହିଂସା । ବିବାଦ ତର୍କ ମିଥ୍ୟାଭାଷା ॥ ୨୫୦
ଅପରେ କହିବଇଁ କେତେ । ଏ ଆଦି ପୁତ୍ରେ ଛନ୍ତି ଯେତେ ॥ ୨୫୧
ଏ ସର୍ବେ ଧର୍ମରେ ବିବାଦୀ । ପିତୃ ସେବନ୍ତି ନିରବଧି ॥ ୨୫୨
ଅଧର୍ମ-ମାର୍ଗେ ନିରନ୍ତର । ସୁସେବା କରନ୍ତି ପିଅର ॥ ୨୫୩
ଯେ କାମଭୋଗେ ତୁମ୍ଭ ଇଚ୍ଛା । ସେ ଦେଇ ପୂରାଇବେ ବାଞ୍ଛା ॥ ୨୫୪
ଏଣୁ ଏ ତୁମ୍ଭ ସଙ୍ଗେ ଥିବେ । ସେବାଦି କର୍ମରେ ତୋଷିବେ ॥ ୨୫୫
ଏହାଙ୍କୁ କ୍ଷଣେ ନ ଛାଡିବ । ଆମ୍ଭରେ ଯେବେ ଦୟା ଥିବ ॥ ୨୫୬
ଏ ଯେତେ ନିବୃତ୍ତି ନନ୍ଦନ । ଦୟା ବିବେକ ଧର୍ମ ଜ୍ଞାନ ॥ ୨୫୭
କ୍ଷମା ସନ୍ତୋଷ ଧୀର ଶାନ୍ତି । ଏ ଅନୁକ୍ରମେ ଯେତେ ଛନ୍ତି ॥ ୨୫୮
ଅଧର୍ମ-ମାର୍ଗେ ଏ ଦାରୁଣ । ଇଚ୍ଛନ୍ତି ପିତାର ମରଣ ॥ ୨୫୯
ଏ ନିଶ୍ଚେ ମାରି ନିଜ ତାତ । ରଖିବେ ପିତାର ପିତାନ୍ତ ॥ ୨୬୦
ଏଣୁ ଏହାଙ୍କୁ ପ୍ରତେଜିବ । ଭୋଗାଦି ବାଞ୍ଛା ଯେବେ ଥିବ ॥ ୨୬୧
ଏ ଦୁଷ୍ଟେ ଅଧର୍ମ ନାଶନ୍ତି । ଭୋଗାଦି ସୁଖ ନ ଦେଖନ୍ତି ॥ ୨୬୨
ଯେ ପିତୃବଧେ ଛିଦ୍ର ବାଞ୍ଛ । ତୁମ୍ଭେ ପାଇବ କାହିଁ ରକ୍ଷା ॥ ୨୬୩
ତୁମ୍ଭେ ନ ଜାଣ ପୁରଞ୍ଜନ । କେ ସାଧୁ କେ ଅବା ଦୁର୍ଜନ ॥ ୨୬୪
ଆମ୍ଭର କହିବା ଉଚିତ । ତୁମ୍ଭେ ଯେ ଆମ୍ଭ ନିଜକାନ୍ତ ॥ ୨୬୫
ସ୍ୱାମୀ କପଟୀ ଯେବା ନାରୀ । ସେ ଟି ଅଜ୍ଞାନୀ ବ୍ୟଭିଚାରୀ ॥ ୨୬୬
ତୁମ୍ଭେ ଯେ ଭୋଗାଦି ଈଶ୍ୱର । ଇଚ୍ଛା-ସଂଯୋଗେ ଭୋଗ କର ॥ ୨୬୭
ଏ ସର୍ବେ ଭୋଗ ବିନାଶିବେ । କାମାଦି ବାଞ୍ଛା ଏ ନ ଦେବେ ॥ ୨୬୮
ଏହାଙ୍କ ସଙ୍ଗତେ ରାଜନ । ପଡି ହୋଇବ ଭୋଗେ ହୀନ ॥ ୨୬୯
ଏ ପୁରେ ଭୋଗ-ବାଞ୍ଛା ଯାର । ଏ ସଙ୍ଗ ନୁହେଁ ନୃପବର ॥ ୨୭୦
ତୁମ୍ଭେ ଏ ସଙ୍ଗ ପରିହର । ନିଶ୍ଚିନ୍ତେ ଏ ପୁରେ ବିହର ॥ ୨୭୧
ଏବେ ଆମ୍ଭର ସଙ୍ଗେ ତୁମ୍ଭେ । ସୁକୃତ କରି ରହ ଦମ୍ଭେ ॥ ୨୭୨
ଏ ସଙ୍ଗ ସଙ୍ଗତେ ଆମ୍ଭର । ପ୍ରୀତି ନୋହିବ ନୃପବର ॥ ୨୭୩
ସେ ନାରୀ ବାକ୍ୟେ ନୃପମଣି । ଅଜ୍ଞାନେ ମଜ୍ଜିଲା ନ ଜାଣି ॥ ୨୭୪
ଅଜ୍ଞାନ-ମାର୍ଗେ ଚିତ୍ତ ଦେଲା । ସ୍ୱ ପର ଭେଦ ବୁଦ୍ଧି କଲା ॥ ୨୭୫
ତାର ସ୍ୱବଶେ ନେଲା ଦିନ । ଅଜ୍ଞାନ ପୁରୁଷ ଯେସନ ॥ ୨୭୬
ଭୋ ସଖି ଯାବତ ଏ ପୁରେ । ଥିବି ତୋ ଆଜ୍ଞା ଅନୁସାରେ ॥ ୨୭୭
ଶୁଣି ସନ୍ତୋଷେ ସେ ସୁନ୍ଦରୀ । ରାଜାଙ୍କୁ ଘେନିଲା ଆଦରି ॥ ୨୭୮
ହେ ନୃପ ଶୁଣ ପୁରଞ୍ଜନ । ଏ ମୋର ଯେତେ ପରିଜନ ॥ ୨୭୯
ସୁସେବା କରିବେ ନିରତେ । ଯେ ଭୋଗବାଞ୍ଛା ତୁମ୍ଭ ଚିତ୍ତେ ॥ ୨୮୦
ଏ ସର୍ବେ ନିତ୍ୟେ ନିଯୋଜିବେ । ତୁମ୍ଭଙ୍କୁ କ୍ଷଣେ ନ ଛାଡିବେ ॥ ୨୮୧
ଯେ କାମ-ଭୋଗେ ଇଚ୍ଛା ମନ । ଏ ନିତ୍ୟେ ଖଟିବେ ରାଜନ ॥ ୨୮୨
ଭଜିବେ ଯେଝା ନିଜସ୍ଥାନେ । ନିର୍ଭୟ-ଚିତ୍ତେ ତୋଷମନେ ॥ ୨୮୩
ଏମନ୍ତ ପ୍ରବୋଧ ବଚନ । କହିଣ ତୋଷିଲା ରାଜନ ॥ ୨୮୪
ତା ବାକ୍ୟେ ରାଜା ବିମୋହିତ । କନ୍ଦୁକ-ପ୍ରତିମା ଯେମନ୍ତ ॥ ୨୮୫
ତା ବଶେ କହେ ଚାଟୁ ବାଣୀ । ଭୋ କାମାନଳ ଉଦ୍ଧାରିଣ ॥ ୨୮୬
ପ୍ରମଦାକୁଳ ମଧ୍ୟେ ସାର । ତୋ ତୁଲେ ନାହିଁ ପଟାନ୍ତର ॥ ୨୮୭
ତୋ ରୂପ ନିର୍ମାଣିଲା ବିହି । ଦେଖି ଅନଙ୍ଗ ଚିତ୍ତ ମୋହି ॥ ୨୮୮
ତୁ କାମ-ଶତ୍ରୁ ବିନାଶନେ । ଅଇଲୁ ଏ ମର୍ତ୍ତ୍ୟ-ଭୁବନେ ॥ ୨୮୯
ମୋହର ତୁଲେ କାମୀ ଯେତେ । ନିସ୍ତାର ହେବେ ଏ ଜଗତେ ॥ ୨୯୦
କାମଯାଚକ ପ୍ରାଣୀଙ୍କର । ତୋ ବିନା ଅନ୍ୟ କାହିଁ ଆର ॥ ୨୯୧
ଭୋ ସ୍ତିରୀରତ୍ନ ସୀମନ୍ତିନି । କେ ତୁମ୍ଭ ପିଅର ଜନନୀ ॥ ୨୯୨
କହ ତାହାଙ୍କ ନାମ ଗୁଣ । ଶ୍ରବଣେ ମୋର ନିସ୍ତାରଣ ॥ ୨୯୩
ତା ବାକ୍ୟ ଶୁଣିଣ ହରଷେ । ସେ ନାରୀ କହେ ମଦହାସେ ॥ ୨୯୪
ଶୁଣ ହେ ଦେବ ପୁରଞ୍ଜନ । କହିବା ପୂର୍ବର ବିଧାନ ॥ ୨୯୫
ଆମ୍ଭର କେ ବା ତାତମାତ । ନ ଜାଣି ଜନ୍ମର ଚରିତ ॥ ୨୯୬
ଏ ତୁମ୍ଭ ଆମ୍ଭ ଦେହଧାରୀ । ସଚରାଚର ଆଦି କରି ॥ ୨୯୭
ଏ ପଞ୍ଚଭୂତ ଦେହ ଯେତେ । କେ ଜାଣି ପାରେ ତା ତଦନ୍ତେ ॥ ୨୯୮
ଯେସନେ ତୁମ୍ଭେ ନୃପରାଣ । ନ ଜାଣ ଜନ୍ମାଦି କାରଣ ॥ ୨୯୯
ଆମ୍ଭର ଏଣେ ନାହିଁ ଜ୍ଞାନ । ବିବେକୀ ବୁଝ ହେ ରାଜନ ॥ ୩୦୦
ତୁମ୍ଭେ କି ନ ଜାଣ ତୁମ୍ଭଙ୍କୁ । ଏ ଭେଦ ପଚାର ଆମ୍ଭଙ୍କୁ ॥ ୩୦୧
ଏକଇ ଆତ୍ମା ବେନି ଅଂଶ । ପ୍ରକୃତି ଭେଦେ ବହୁ ଦୃଶ୍ୟ ॥ ୩୦୨
ଈଶ୍ୱର-ଇଚ୍ଛା ଏ ବିହରେ । ପ୍ରକୃତି ଭେଦେ ସୃଷ୍ଟି କରେ ॥ ୩୦୩
ଏ ଘେନି କେ ଜାଣେ ତଦନ୍ତ । ଏ ମାୟା-ଜଡେ ବିମୋହିତ ॥ ୩୦୪
ସ୍ୱନାମ-ଗୋତ୍ରେ କିବା ଫଳ । ମୋ ଭାଗ୍ୟେ ତୁମ୍ଭେ ଯେ ମିଳିଲ ॥ ୩୦୫
ଆଜ ମୋ ଭାଗ୍ୟ ଅଗୋଚର । ଦେଖିଲି ନୟନେ ମୋହର ॥ ୩୦୬
ଯାକୁ ଅଷ୍ଟାଙ୍ଗ ଯୋଗଧ୍ୟନେ । ଯୋଗୀ ଭାବନ୍ତି ଅନୁଦିନେ ॥ ୩୦୭
ସେ ତୁମ୍ଭେ ମୋ ଭାଗ୍ୟେ ଆଗତ । ଏଣୁ ମଣିଲି ଅଦଭୁତ ॥ ୩୦୮
ଏ ପୁରେ କରିବା ବିଶ୍ରାମ । ଭୁଞ୍ଜ ସ୍ୱଇଚ୍ଛାସୁଖେ କାମ ॥ ୩୦୯
ମୁଁ ଆଣି ସର୍ବ ନିଯୋଜିବି । ଏହାଙ୍କ ତୁଲେ ମୁଁ ସେବିବି ॥ ୩୧୦
ଏ ମୋର ନବମୁଖ-ପୁର । ଏ ପୁରେ ଅଧିଷ୍ଠାନ କର ॥ ୩୧୧
ମୋ ସଙ୍ଗେକର ରତି ଯୋଗ । ଏ ଶତ ସମ୍ବତ୍ସର ଭୋଗ ॥ ୩୧୨
ଏ ତୁମ୍ଭ ବିନୁ ଯେବା ଜନ । କେ ରତି କରେ ତା ସଙ୍ଗେଣ ॥ ୩୧୩
ସେ ଅପଣ୍ତିତ ହୀନଦେହୀ । ତା ରତି ସୁଖେ ଜ୍ଞାନ ନାହି ॥ ୩୧୪
ନାହିଁ ତା ପରଲୋକ ଚିନ୍ତା । ନ ଜାଣେ କାଳର ବାରତା ॥ ୩୧୫
କେବଳ ପଶୁ ତୁଲ୍ୟ ସେହି । ତା ସଙ୍ଗେ କେବା ବିଳସଇ ॥ ୩୧୬
ତା ପୁରେ ସର୍ବ କର୍ମ ସାଧି । ଧର୍ମାର୍ଥ-କାମ-ମୋକ୍ଷ ଆଦି ॥ ୩୧୭
ପୁତ୍ର କଳତ୍ର ସୁଖ ଯଶ । ଏ ପୁରେ ଏ ସର୍ବ ପ୍ରକାଶ ॥ ୩୧୮
ଯେ ଲୋକ ନିର୍ମଳ ବିଶୋକ । ତାକୁ ଭାବନ୍ତି ଜ୍ଞାନୀଲୋକ ॥ ୩୧୯
ସେ ଲୋକ ଏଥି ସୁଖ ପାଇ । ଯେଣୁ ଏ ପୁରୀ ସୁଖମୟୀ ॥ ୩୨୦
ପିତୃ ଦେବତା ମହାଋଷି । ସୁଖ ଲଭନ୍ତି ଯହିଁ ଆସି ॥ ୩୨୧
ଏ ଭାବେ ଗୃହସ୍ଥ ଆଶ୍ରମ । ରଖଇ ସର୍ବ ଲୋକ ଧର୍ମ ॥ ୩୨୨
ଏମନ୍ତ ଦିବ୍ୟପୁରେ ଥାଇ । ଯେ ଭୋଗେ ବାଞ୍ଛା ନ କରଇ ॥ ୩୨୩
ତାହାକୁ ବୋଲିଟି ଅଜ୍ଞାନ । ବିବେକ ନୋହେ ତାର ମନ ॥ ୩୨୪
କେ ଅବା ଅଜ୍ଞାନ ଯୁବତୀ । ତୁମ୍ଭର ପ୍ରାୟେ ପାଇ ପତି ॥ ୩୨୫
ବିହାର ନ କରେ ତା ତୁଲେ । ତା ସ୍ୱାମୀ ଆସି ଯେବେ ମିଳେ ॥ ୩୨୬
ବିଅର୍ଥ ସେ ନାରୀ ଜୀବନ । ନ କଲା ଭୁଜେ ଆଲିଙ୍ଗନ ॥ ୩୨୭
ସ୍ୱଇଚ୍ଛା ଆସି ଯେବେ ମିଳେ । ବରଣ ନ କରେ ଯେ ଭଲେ ॥ ୩୨୮
ଧିକ ସେ ନାରୀର ଜୀବନ । ତାଙ୍କ ବିଶ୍ୱାସେ ଧର୍ମ ହୀନ ॥ ୩୨୯
ଯେ ସୁଖ-ଭୋଗ ନ ଇଚ୍ଛିବ । ସେ ବ୍ୟର୍ଥ-ଜୀବନେ ବଞ୍ଚିବ ॥ ୩୩୦
ତୁମ୍ଭେ ଯେ ବଡ ଭାଗ୍ୟବନ୍ତ । ଦୀନ-ଉଦ୍ଧାରଣେ ସାମନ୍ତ ॥ ୩୩୧
ଏବେ ଯେ ତୁମ୍ଭେ ଦୟାକରି । ଅଇଲ ମୋ ଦୁଃଖ ଉଦ୍ଧରି ॥ ୩୩୨
ଯେବେ ସଦୟ ମୋତେ ହେବ । ଶତେ ବରଷ ଏଥି ଥିବ ॥ ୩୩୩
ଏମନ୍ତ ଶୁଣି ତା ବଚନ । ସେ ନାରୀ ବଶେ ପୁରଞ୍ଜନ ॥ ୩୩୪
ସେ ପୁରେ କଲେକ ବସତି । ଶତେ ବରଷ ରଙ୍ଗେ ମାତି ॥ ୩୩୫
ଗାୟକମାନେ ଯେ ଗାବନ୍ତି । ସେ ବେନି ବିହାର କରନ୍ତି ॥ ୩୩୬
ସେ ସଖୀମାନଙ୍କୁ ଘେନିଣ । ସରସୀ ଜଳରେ ପଶିଣ ॥ ୩୩୭
ନିଦାଘ କାଳେ ସେ କ୍ରୀଡନ୍ତି । ସେପୁର କେବେ ନ ଛାଡନ୍ତି ॥ ୩୩୮
ଏବେ ସେପୁର ଦ୍ୱାରମାନ । କହିବା ଯେ ଦିଗେ ଯେବଣ ॥ ୩୩୯
ଉର୍ଦ୍ଧ୍ୱେ ସପତ-ଦ୍ୱାର ତାର । ତା ଅଧୋଭାଗେ ବେନି ଦ୍ୱାର ॥ ୩୪୦
ଏ ଦ୍ୱାରମାନଙ୍କେ ନୃପତି । ଯେଝା ବିଷୟ ଆସ୍ୱାଦନ୍ତି ॥ ୩୪୧
ଏ ପୁରେ ଈଶ୍ୱରଟି ସେହି । ତାହାକୁ ନ ଜାଣନ୍ତି କେହି ॥ ୩୪୨
ଉପର ସପ୍ତଦ୍ୱାର ଶୁଣ । ଯେ ରୂପେ ହୋଇଛି ନିର୍ମାଣ ॥ ୩୪୩
ଯେ ପୂର୍ବେ ତହିଁ ପଞ୍ଚ ଦ୍ୱାର ଶୁଣ । ଅଗ୍ରେ କହିବା ନାମ ତାର ॥ ୩୪୪
ଖଦ୍ୟୋତା ଆବିର୍ମୁଖୀ ଦୁଇ । ଯେ ଦ୍ୱାରେ ରୂପ ସମ୍ପାଦଇ ॥ ୩୪୫
ନଳିନୀ ନାଳିନୀ ଯେ ଦ୍ୱାର । ଏ ପୂର୍ବଭାବେ ଅଛି ତାର ॥ ୩୪୬
ଏ ଦ୍ୱାରେ ଅବଧୂତ ସଖା । ସୁଗନ୍ଧ ଘେନୁଥାଇ ଏକା ॥ ୩୪୭
ମୁଖ୍ୟା ନାମେ ଏକ ଦ୍ୱାର । ଉଭୟ କର୍ମ ସାଧ୍ୟକର ॥ ୩୪୮
ବିବିଧ ଆସ୍ୱାଦ ବଚନ । ଏ ଦ୍ୱାରେ ଘେନେ ପୁରଞ୍ଜନ ॥ ୩୪୯
ରସ ଆସ୍ୱାଦ ବାକ୍ୟ ଦୁଇ । ଏ ବେନି ଦ୍ୱାରେ ସେ ଘେନଇ ॥ ୩୫୦
ଦେବହୂ ପିତୃହୂ ଯେ ନାମ । ଏ ବେନିଦ୍ୱାର ଦକ୍ଷ ବାମ ॥ ୩୫୧
ଯେ ଦ୍ୱାର ବିଷୟେ ରାଜନ । ଶବ୍ଦାଦି କରେ ସମ୍ପାଦନ ॥ ୩୫୨
ଦକ୍ଷିଣ ଉତ୍ତର ପଞ୍ଚାଳ । ରାଜ୍ୟ ପାଳଇ ମହୀପାଳ ॥ ୩୫୩
ପଶ୍ଚିମେ ଆସୁରୀ ତା ନାମ । ସେ ବେନିଦ୍ୱାରେ ଯେବା କର୍ମ ॥ ୩୫୪
ଗ୍ରାମକ ନାମେ ଯେ ବିଷୟ । ଯାହାକୁ ବୋଲିଟି ବ୍ୟବାୟ ॥ ୩୫୫
ସେ ଦ୍ୱାରେ ପ୍ରଜା ଉତପତ୍ତି । ଦୁର୍ମଦ ସହିତେ ନୃପତି ॥ ୩୫୬
ନିର୍ଋତି ନାମଟି ଯାହାର । ମଳ ଉତ୍ସର୍ଗେ ସେହୁ ଦ୍ୱାର ॥ ୩୫୭
ବୈଶସ ବିଷୟକୁ ଯାଇ । ଲୁବ୍ଧକୁ ମନ୍ତ୍ରି ସଙ୍ଗେ ଥାଇ ॥ ୩୫୮
ଏ ପୁରେ ଯେତେକ ଅଛନ୍ତି । ଏ କେହି ଅନ୍ଧ ଯେ ନୁହଁନ୍ତି ॥ ୩୫୯
ନିର୍ବାକ ପେଶସ୍କୃତ ଦୁଇ । ଏ ଥାଇ ଅନ୍ଧ ରୂପେ ତହିଁ ॥ ୩୬୦
ଏକଇ ଅନ୍ଧେ ସେ ରାଜନ । କରଇ ଆଦାନ ପ୍ରଦାନ ॥ ୩୬୧
ଯେ ଆର ଅନ୍ଧ ତା ପୟର । ତହିଁ ଗମଇ ନୃପବର ॥ ୩୬୨
ସେ ରାଜା ଅନ୍ତପୁରେ ବସେ । ବିଷୁଚୀ ଘେନି ଥାଇ ପାଶେ ॥ ୩୬୩
ବିଷୁଚୀ ନାମେ ଯେହୁ ଏକ । ତାହାର ସର୍ବଦିଗେ ମୁଖ ॥ ୩୬୪
ନିତ୍ୟେ ସେ ରାଜା ସଙ୍ଗେ ଥାଇ । ଯେଣେ ପେଷଇ ତେଣେ ଯାଇ ॥ ୩୬୫
ସେ କ୍ଷଣେ ନ ଛାଡଇ ତାକୁ । ଅନାଇ ଥାଇ ତ ଅଜ୍ଞାକୁ ॥ ୩୬୬
ଏ ରୂପେ ରାଜା ପୁରଞ୍ଜନ । ସେ ପୁରେ ଥାଇ ଅନୁକ୍ଷଣ ॥ ୩୬୭
ତହିଁ ସେ ମୋଦ ପାଉଥାଇ । ବିରସ କେବେ ନ ଭଜଇ ॥ ୩୬୮
କ୍ଷଣକେ ହୋଇ ହତଜ୍ଞାନ । କ୍ଷଣକେ ଲଭଇ ଚେତନ ॥ ୩୬୯
ସେ କାମସୁଖେ ଦେଇ ଚିତ୍ତ । ଏଣୁ ହୋଇଲା ଜ୍ଞାନହତ ॥ ୩୭୦
ତା ପତ୍ନୀ ଯେଣେ ପ୍ରବର୍ତ୍ତଇ । ସେ ମାର୍ଗେ ରାଜନ ଗମଇ ॥ ୩୭୧
ସେ ମଦ୍ୟପାନ ଯେବେ କରେ । ରାଜା ପିବଇ ସ୍ନେହ ଭରେ ॥ ୩୭୨
ଯେବେ ସେ କରଇ ଭୋଜନ । ତା ପ୍ରାୟେ ଭକ୍ଷଇ ରାଜନ ॥ ୩୭୩
ସେ ଯେବେ ଆନନ୍ଦ ଭଜଇ । ତା ଲାଗି ରାଜା ମୋଦ ହୋଇ ॥ ୩୭୪
ସେ ଯେବେ କରଇ ରୋଦନ । ତା ପଛେ ବିଳପେ ରାଜନ ॥ ୩୭୫
ସେ ଗୀତ ଗାବନ୍ତେ ସୁନ୍ଦରୀ । ରାଜନ ଗାଏ ଅନୁସରି ॥ ୩୭୬
ଆନନ୍ଦେ ହସେ ଯେବେ ରାଣୀ । ତା ଭାବେ ହସେ ନୃପମଣି ॥ ୩୭୭
ବଚନ କହନ୍ତେ ରମଣୀ । ସେ ଭାବେ କହେ ନୃପମଣି ॥ ୩୭୮
ସେ ଯେବେ ବ୍ୟଗ୍ର ଗତେ ଯାଇ । ସେ ଭାବେ ରାଜନ ଗମଇଁ ॥ ୩୭୯
ତା ପତ୍ନୀ କରନ୍ତେ ଆସନ । ସେ ଭାବେ ବସଇ ରାଜନ ॥ ୩୮୦
ଏମନ୍ତେ ସେ ନାରୀ ରାଜାକୁ । ସ୍ୱବଶେ ରଖିଲା ତାହାକୁ ॥ ୩୮୧
ତା ବିନା ଆଜ୍ଞାରେ ରାଜନ । ନ କରେ ଅନ୍ୟ କର୍ମମାନ ॥ ୩୮୨
ତା ବଶେ ହୋଇଲା ଆୟତ୍ତ । ରାଜାର ଜନ୍ମ ହେଲା ବ୍ୟର୍ଥ ॥ ୩୮୩
ସେ କ୍ରୀଡାମୃଗ ଜୀବ ପ୍ରାୟେ । ସ୍ତିରୀବଶରେ ରହେରାୟେ ॥ ୩୮୪
ତୁମ୍ଭେ ଯେସନେ ଭୋ ରାଜନ । ସ୍ତ୍ରୀ ବଶେ ହରାଇଲା ଜ୍ଞାନ ॥ ୩୮୫
ସେ ଭାବେ ପୁରଞ୍ଜନ ରାୟେ । ସ୍ତ୍ରୀ ବେଶ ଜ୍ଞାନ କଲା କ୍ଷୟେ ॥ ୩୮୬
ସେ ଭାବେ ସେ ଶେଷ ହୋଇଲା । ସେ ପୁଣ୍ୟମାର୍ଗ ଉପେକ୍ଷିଲା ॥ ୩୮୭
ତା ଦିନ ଗଲା ପତ୍ନୀ ବଶେ । ଅସତ୍ୟ ମିଥ୍ୟା ଅଭିଳାଷେ ॥ ୩୮୮
ଯେ ପ୍ରାଣୀ ସ୍ତିରୀବଶ ହୋନ୍ତି । ସେ ପୂର୍ବ-ପୁଣ୍ୟ ବିନାଶନ୍ତି ॥ ୩୮୯
ଇହଲୋକରେ ଅପଯଶ । ଦେହାନ୍ତେ ନରକେ ପ୍ରବେଶ ॥ ୩୯୦
ସ୍ତିରୀଙ୍କ ସଙ୍ଗ-ଦୋଷେ ରାୟେ । ଧର୍ମାଦି ଜ୍ଞାନମାର୍ଗ କ୍ଷୟେ ॥ ୩୯୧
ସ୍ତିରୀଙ୍କ ସଙ୍ଗ ଫଳ ଏହି । କିିଞ୍ଚିତ ଶ୍ରେୟ ନାହିଁ ଯହିଁ ॥ ୩୯୨
ଏହା ତୁ ଶୁଦ୍ଧ ଚିତ୍ତେ ଧର । ଏ ସଙ୍ଗ ଦୂରେ ପରିହର ॥ ୩୯୩
ତୁ ଶାସ୍ତ୍ରମାର୍ଗେ ହେ ରାଜନ । ବିଚାରି କର ଅନୁମାନ ॥ ୩୯୪
ଏମନ୍ତେ ନାନା ଧର୍ମବାଟେ । ସେ ମୁନି ବୁଝାଏ ଉଚ୍ଚାଟେ ॥ ୩୯୫
ପ୍ରାଚୀନରହି ନାରଦ । ଏ ପୁରଞ୍ଜନର ସମ୍ବାଦ ॥ ୩୯୬
ଏହା ଯେ ଶ୍ରବଣେ ଶୁଣନ୍ତି । ଅଥବା ବଦନେ ଗୁଣନ୍ତି ॥ ୩୯୭
ଖଣ୍ତଇ ମାୟା ଦ୍ୱନ୍ଦ୍ୱ ବନ୍ଧ । ଜ୍ଞାନ ବର୍ଦ୍ଧିତ ଆତ୍ମା ଶୁଦ୍ଧ ॥ ୩୯୮
ଭଣଇ ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥ ୩୯୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ପୁରଞ୍ଜନୋପାଖ୍ୟାନେ ପଞ୍ଚବିଂଶୋଽଧ୍ୟାୟଃ ॥
* * *