ଚତୁର୍ଥ ସ୍କନ୍ଧ

ଚତୁବିଂଶ ଅଧ୍ୟାୟ

ମୈତ୍ରେୟ ଉବାଚ

ମୈତ୍ରେୟ କହନ୍ତି ବିଦୁର । ଯେ ପଞ୍ଚ ପୃଥୁଙ୍କ କୁମର ॥

ବିଜିତଅଶ୍ୱ ନାମ ଯାର । ବସିଲା ନୃପାସନେ ବୀର ॥

ତାର ଅନୁଚାଜା-ତରି ଭ୍ର । ରାଜ୍ୟ-ବିଭାଜେ ଯଥୋଚିତ ॥

ଉତ୍ତର ଦକ୍ଷିଣ ପଶ୍ଚିମେ । ପୂର୍ବାଦି ଚାରି ଅନୁକ୍ରମେ ॥

ହର୍ଯ୍ୟାକ୍ଷ ନାମେ ଯେ କୁମର । ତାହାକୁ ପୂର୍ବେ ଅଧିକାର ॥

ଧୂମ୍ରକେଶକୁ ଦେଲେ ଭୂପ । ଦକ୍ଷିଣଦିଗେ ସେ ଅଧିପ ॥

ପଶ୍ଚିମେ ବୃକ ନୃପରାଣ । ଉତ୍ତର ଦିଗେଣ ଦ୍ରବିଣ ॥

ବିଜିତଅଶ୍ୱ ନାମ ଯାର । ସେ ଜ୍ୟେଷ୍ଠ ପୃଥୁଙ୍କ କୁମର ॥

ଦ୍ୱିତୀୟେ ଅନ୍ତର୍ଦ୍ଧାନ ନାମ । ତାହାକୁ ଦେଲେ ସୁରୋତ୍ତମ ॥

ଶୁଣି ବିଦୁର ହରଷିତ । ନାମେ ମୈତ୍ରେୟ ପାଦଗତ ॥ ୧୦

ବିଦୁର ଉବାଚ

କିମର୍ଥେ ଅନ୍ତର୍ଦ୍ଧାନ ନାମ । ତାହାକୁ ଦେଲେ ମଘବାନ ॥ ୧୧

ଏ ବଡ ସଂଶୟ ମୋ ଚିତ୍ତ । ଭୋ ମୁନି କହିବା ତଦନ୍ତ ॥ ୧୨

ଏମନ୍ତ ତାର ବାକ୍ୟ ଶୁଣି । କହେ ମୈତ୍ରେୟ ମହାମୁନି ॥ ୧୩

ମୈତ୍ରେୟ ଉବାଚ

ହେ କୁରୁଶ୍ରେଷ୍ଠ ଭାଗ୍ୟବନ୍ତ । ଅମୃତ ପୃଥୁର ଚରିତ ॥ ୧୪

ଶ୍ରବଣେ ଇଚ୍ଛା ଯେବେ ତୋର । କହିବା ସେ ପୂର୍ବ ବିଚାର ॥ ୧୫

ପୃଥୁ ଯେ ଅଶ୍ୱମେଧ କଲେ । ସକଳ ଦେବଙ୍କୁ ବରିଲେ ॥ ୧୬

ଯଜ୍ଞେ ପୂଜିଲେ ଭଗବାନ । ବେଦୋକ୍ତ କର୍ମେ ଧରି ମନ ॥ ୧୭

ଯଜ୍ଞ-ବିଧାନେ ବିଧି ଯେତେ । ସମ୍ଭାର କରି ନାନାମତେ ॥ ୧୮

ଏମନ୍ତେ ଯଜ୍ଞାହୁତି କାଳେ । ଅଶ୍ୱ ହରିଲା ଇନ୍ଦ୍ର ଛଳେ ॥ ୧୯

ବିଜିତଅଶ୍ୱ ତାହା ଜାଣି । ଇନ୍ଦ୍ର ନ ମାରି ଅଶ୍ୱ ଆଣି ॥ ୨୦

ତା ଦେଖି ତୋଷେ ପୁରନ୍ଦର । ଭୋ ବୀର ବେଗେ ମାଗ ବର ॥ ୨୧

ତା ଶୁଣି ସେ ପୃଥୁ ନନ୍ଦନ । ଅତି ଆନନ୍ଦେ ତୋଷମନ ॥ ୨୨

ମୋହର ବରେ କାର୍ଯ୍ୟ ନାହିଁ । ଯେବେ ଯାଚିଲ ସୁରସାଇଁ ॥ ୨୩

ଏ ତୋର ଅନ୍ତର୍ଦ୍ଧନ ଗତି । ପ୍ରସନ୍ନେ ଦିଅ ଶଚୀପତି ॥ ୨୪

ଶୁଣି ସନ୍ତୋଷ ମଘବାନ । ତାହାକୁ ଦେଲେ ଅନ୍ତର୍ଦ୍ଧାନ ॥ ୨୫

ସେ ଘେନି ଅନ୍ତର୍ଦ୍ଧନ ନାମ । ଜଗତେ କରନ୍ତି ଗାୟନ ॥ ୨୬

ସେ ବୀର ନିଜ ରାଜ୍ୟେ ରାଜା । ଧର୍ମେ ପାଳଇ ଜନ ପ୍ରଜା ॥ ୨୭

ତାର ଶିଖଣ୍ତୀ ନାମେ ନାରୀ । ରୂପେ କାମିନୀ ମନୋହାରୀ ॥ ୨୮

ତାହାର ଗର୍ଭେ ନୃପ-ବୀର୍ଯ୍ୟେ । ପୁତ୍ରେ ଜନ୍ମିଲେ ମହାତେଜେ ॥ ୨୯

ପାବକ ପବମାନ ଶୁଚି । ତେଜ ଶରୀର ଶୁଭ୍ରରୁଚି ॥ ୩୦

ଅଗ୍ନି ଯେ ବଶିଷ୍ଠ ଶାପରୁ । ଜନ୍ମିଲେ ଏ ତିନି ଯୋଗରୁ ॥ ୩୧

ଆର ଯେ ପତ୍ନୀ ନଭସ୍ୱତୀ । ସେ ଅନ୍ତର୍ଦ୍ଧାନର ଯୁବତୀ ॥ ୩୨

ତାହାର ଗର୍ଭେ ଯେ କୁମର । ହବିର୍ଦ୍ଧାନ ନାମ ତାହାର ॥ ୩୩

ତାହାକୁ କଲେ ସେ ନୃପତି । ତା ଅଶେ ରାଜାର ସନ୍ତତି ॥ ୩୪

ସେ ଅନ୍ତଦ୍ଧାନ ନୃପରାୟେ । ବିଷୟଭୋଗ ନ ଯୋଗାଏ ॥ ୩୫

ସେ ଜ୍ଞାନ-ବୈରାଗ୍ୟେ ନୃପତି । ତେଜିଣ ଅଚଳ ବିଭୂତି ॥ ୩୬

ମନେ ବିଚାରେ ନୃପରାଣ । ଏ ସର୍ବ ଅନର୍ଥ କାରଣ ॥ ୩୭

ରାଜସମ୍ପଦେ ଅନ୍ଧ ହୋଇ । ଅଜ୍ଞାନେ ଧର୍ମ ନ ଜାଣଇ ॥ ୩୮

କରଇ ଶତ୍ରୁ-ମିତ୍ରଭାବ । ସକଳ-ଘେଟ ଏକ -ଜୀବ ॥ ୩୯

ରାଜତ୍ୱ-ଧର୍ମେ କ୍ରୋଧ ବହି । ପ୍ରଜା ପୀଡ଼ନ୍ତି ଧନ ପାଇଁ ॥ ୪୦

ଅଧର୍ମ-ମାର୍ଗେ ନ୍ୟନ୍ତି ବଳେ । ପ୍ରଜା କ୍ଷୋଭିତ କ୍ଷୁଧାକୁଳେ ॥ ୪୧

ପ୍ରଜାବିନାଶେ ଘୋର-ପାପ । ନରକେ ପଡନ୍ତି ଅଧିପ ॥ ୪୨

ପୋଡୁ ଏ ରାଜ୍ୟେ କାର୍ଯ୍ୟ ନାହିଁ । ଯଜ୍ଞ କରିବା ସୁଖେ ରହି ॥ ୪୩

ଯଜ୍ଞର ଛଳେ ସେ ରାଜନ । ତେଜିଲେ ନୃପ ସିଂହାସନ ॥ ୪୪

ନିଷ୍କାମ-ପଥ ଆଶ୍ରେ କଲେ । ପରମ ପୁରୁଷ ଭଜିଲେ ॥ ୪୫

ସେ ହଂସଦୀକ୍ଷାରେ ରାଜନ । ଗମିଲେ ବୈକୁଣ୍ଠ ଭୁବନ ॥ ୪୬

ସେ ହବିର୍ଦ୍ଧାନ ତା କୁମର । ବସିଳା ନୃପାସନେ ବୀର ॥ ୪୭

ତା ପତ୍ନୀ ନାମ ହବିର୍ଦ୍ଧାନୀ । ସୁର-ମୋହିନୀ ସୁଲୋଚନୀ ॥ ୪୮

ତାହାର ଗର୍ଭେ ଷଡ଼ ସୁତ । ଜନ୍ମିଲେ ତେଜେ ବଳବନ୍ତ ॥ ୪୯

ବର୍ହିଷଦ ଯେ ଶୁକ୍କ ସତ୍ୟ । କୃଷ୍ଣ ଗୟ ଯେ ଜିତବ୍ରତ ॥ ୫୦

ସେ ହବିର୍ଦ୍ଧାନର ସନ୍ତତି । ମହତ-ଗୁଣ ତାର ଅତି ॥ ୫୧

ଏ ଛଅ ମଧ୍ୟେ ବର୍ହିଷଦ । ହୋଇଲେ ଭୂପ ଭାଗ୍ୟବନ୍ତ ॥ ୫୨

ସୌଭାଗ୍ୟବାନ ପ୍ରଜାପତି । ରଖିଲେ ଜଗତରେ ଖ୍ୟାତି ॥ ୫୩

ହୋଇଲେ ଶୁଭକାର୍ଯ୍ୟେ ବ୍ରତୀ । ପ୍ରାଣାୟାମାଦି ଯୋଗେ ରତି ॥ ୫୪

ସେ ଭାଗ୍ୟବନ୍ତ ଦଣ୍ତଧର । ତା ଯଶ ତ୍ରୈଲୋକ୍ୟେ ବିସ୍ତାର ॥ ୫୫

ସେ କ୍ରିୟାକାଣ୍ତରେ ନିପୁଣ । ଅଦ୍ଭୁତ ତାର କର୍ମମାନ ॥ ୫୬

ଯେ କର୍ମ କଲା ଏ ଜଗତେ । ଶୁଣ ବିଦୁର କହୁଁ ତୋତେ ॥ ୫୭

ଭୂତ ଭବିଷ୍ୟ ବର୍ତ୍ତମାନେ । ନ ଦେଖି ଏ ତିନି ଭୁବନେ ॥ ୫୮

ତା ଯଜ୍ଞେ ପ୍ରାଚୀ-ନଗ୍ର ସ୍ଥଳ । କୁଶେ ଆଚ୍ଛାଦିଲା ସକଳ ॥ ୫୯

ଏଣୁ ତା ନାମ ମହୀତଳେ । ପ୍ରାଚୀନ-ବରହିଷ ବୋଲେ ॥ ୬୦

ସେ ଯେ ପ୍ରାଚୀନ ମହୀପତି । ବିବାହ ସମୁଦ୍ର ଦୁହିତୀ ॥ ୬୧

ସେ ଶତଦ୍ରୁତି କନ୍ୟା ସାର । ତ୍ରୈଲୋକ୍ୟେ ନାହିଁ ପଟାନ୍ତର ॥ ୬୨

ତାର ଚରିତ ପୂର୍ବ-କଥା । ହୋଇଲା ଯେବଣ ବ୍ୟବସ୍ଥା ॥ ୬୩

ବ୍ରହ୍ମା ତାହାର ପୁରେ ଆସି । କନ୍ୟାକୁ କହିଲେ ବିଶ୍ୱାସି ॥ ୬୪

ବ୍ରହ୍ମା ବଚନେ ସିନ୍ଧୁପତି । ରାଜାରେ ବରିଲେ ଦୁହିତୀ ॥ ୬୫

ସେ ଯେ ପ୍ରାଚୀନ ନୃପବରା । ବିଭା-ସଂଯୋଗେ କନ୍ୟାବର ॥ ୬୬

ଅଗ୍ନି-ପ୍ରଦକ୍ଷିର କରନ୍ତେ । ଯେହ୍ନେ ଚଣ୍ତାଂଶୁ ଭୂମିଗତେ ॥ ୬୭

ସେ କନ୍ୟା ରୂପେ ହୁତାଶନ । ଅନଙ୍ଗେ ହୋଇଲା ଅଧୀନ ॥ ୬୮

ସପ୍ତର୍ଷି-ଯଜ୍ଞେ ଋଷିପତ୍ନୀ । ଦେଖି କାମୁକ ହେଲେ ଅଗ୍ନି ॥ ୬୯

ତାହାଙ୍କ ପତ୍ନୀ ସ୍ୱାହା ଜାଣି । ଋଷିପତ୍ନୀଙ୍କ ରୂପ ଘେନି ॥ ୭୦

ଅଗ୍ନିଙ୍କ ଠାରେ ଉଭା ହେଲେ । ଅଗ୍ନି ଯେ ଆଲିଙ୍ଗନ କଲେ ॥ ୭୧

ଏହି ପ୍ରକାରେ ହୁତାଶନ । ଶତଦ୍ରୁତିର ପ୍ରେମେ ମଗ୍ନ ॥ ୭୨

ସେ ଶତଦ୍ରୁତି ରୂପବତୀ । ଚରଣେ ନୂପୁର ଶୋଭନ୍ତି ॥ ୭୩

ସେ ମତ୍ତ ଦ୍ୱିରଦ ଗାମିନୀ । ଚରଣେ ନୂପୁର ବାଜେଣି ॥ ୭୪

ଶ୍ରବଣେ ଅନଙ୍ଗ ପୀଡ଼ିତ । ମୂର୍ଖ ପଣ୍ତିତ ଶୂରବନ୍ତ ॥ ୭୫

ତା ରୂପ ଦେଖି ବୁଦ୍ଧଜନେ । ମୋହେ ପଡ଼ିଲେ ହତଜ୍ଞାନେ ॥ ୭୬

ଅମର କିନ୍ନର ଉରଗ । ସିଦ୍ଧ ଚାରଣ ଖଗମୃଗ ॥ ୭୭

ଇତ୍ୟାଦି ପଶୁଜୀବ ଯେତେ । ତା ରୂପେ ହେଲେ ବିମୋହିତେ ॥ ୭୮

ତାହାଙ୍କ ତୁଲ୍ୟ ଏ ଜଗତେ । ନ ଦେଖି ସ୍ୱର୍ଗ-ମର୍ତ୍ତ୍ୟଗତେ ॥ ୭୯

ପ୍ରାଚୀନବରହି ରାଜନ । ତାରୂପେ ହୋଇଲା ଅଧୀନ ॥ ୮୦

ସକଳ-ଧର୍ମ ପରିହରି । ତା ବଶେ ନିତ୍ୟେ ଦଣ୍ତଧାରୀ ॥ ୮୧

ସେ କ୍ରୀଡାମୃଗ ଜୀବ ପ୍ରାୟ । ତା ବଶେ ଧର୍ମ କଲା କ୍ଷୟ ॥ ୮୨

ତା ବିନା-ଆଜ୍ଞାରେ ରାଜନ । ନ କରେ ଅନ୍ୟ କର୍ମମାନ ॥ ୮୩

ରାତ୍ର-ଦିବସ ନ ଜାଣିଲା । ତା ଅଙ୍ଗସଙ୍ଗେ ଦିନ ନେଲା ॥ ୮୪

ସେ ପତ୍ନୀ-ଗର୍ଭେ ତାର ବୀର୍ଯ୍ୟେ । ପୁତ୍ରେ ଜନ୍ମିଲେ ମହାତେଜେ ॥ ୮୫

ଦଶକୁମର ଆତ୍ମା ଏକ । ଶୁଭ୍ର ସୁନ୍ଦର ସୁବିବେକ ॥ ୮୬

ସମ ଆକୃତି ରୂପ-ବେଶ । ଏକଇ ନାମ ପ୍ରଚେତସ ॥ ୮୭

ତାହାଙ୍କୁ ଚାହିଁ ନୃପବର । ବୋଇଲେ ପ୍ରଜା ସୃଷ୍ଟି କର ॥ ୮୮

ତକ୍ଷଣେ ପିତା ଆଜ୍ଞା ପାଇ । ସେ ପ୍ରଚେତସ ଦଶ ଭାଇ ॥ ୮୯

ତପ-ସାଧନେ ଆଗମନ । ପଥରେ ଭେଟିଲେ ଈଶାନ ॥ ୯୦

ବୃଷଭ-ବାହନେ ମହେଶ । ଡ଼ମ୍ବରୁ ବାଦ୍ୟ ନାଦ ଘୋଷ ॥ ୯୧

ଶିରେ ସୁଧାଂଶୁ ଶୋଭକର । ଜାହ୍ନବୀ ସ୍ରବେ ଜଟାଭାର ॥ ୯୨

ଉଚ୍ଚେ ଉଚାରି ମୁଖେ ନାମ । ରାମ ଗୋବିନ୍ଦ କୃଷ୍ଣ ଶ୍ୟାମ ॥ ୯୩

ଗୋବିନ୍ଦ ଗୋପାଳ ଶ୍ରୀହରି । ହେ ହୃଷୀକେଶ ଦଇତ୍ୟାରି ॥ ୯୪

ଆନନ୍ଦେ ରୋମ ପୁଲକିତ । ପ୍ରେମ ଗଦ୍‌ଗଦେ ଅଶ୍ରୁପାତ ॥ ୯୫

ଏମନ୍ତ ସମୟେ କୁମର । ଦର୍ଶନ କଲେ ଦେବହର ॥ ୯୬

ଭେଟିଲେ ପୂର୍ବ ପୁଣ୍ୟ ଫଳେ । ଯା ନାମ ଧରି ଅନ୍ତଃକାଳେ ॥ ୯୭

ପ୍ରାଣୀ ତରନ୍ତି ଅଘାର୍ଣ୍ଣବ । ଯେ ଶିବ ଦେବଙ୍କୁ ଦୁର୍ଲ୍ଲଭ ॥ ୯୮

ତାହାଙ୍କୁ ଚାହିଁଣ ଗିରୀଶ । ବୋଲନ୍ତି ଶୁଣ ବାଳଶିଷ ॥ ୯୯

କାହାର ପୁତ୍ର ତୁମ୍ଭେମାନେ । କି ନାମ ଗୋତ୍ର ବାଞ୍ଛା ମନେ ॥ ୧୦୦

ବୟ ଆକୃତି ସମ-ଦୃଶ । ବାଳ ନବୀନ ତୁମ୍ଭେ ଦଶ ॥ ୧୦୧

କିମର୍ଥେ ଶ୍ରମେ ଆଗମନ । କହ ସଂଶୟ ତେଜି ମନ ॥ ୧୦୨

ସେ ଦେବବାକ୍ୟ ସୁମଧୁର । ଅମୃତ ଜିଣି ସୁଧାକର ॥ ୧୦୩

ଶୁଣି ପ୍ରଚେତା ଦଶଭାଇ । ବୋଲନ୍ତି ଶିରେ କର ଦେଇ ॥ ୧୦୪

ଶୁଣିମା ପ୍ରଭୁ ଦେବ ଈଶ । ପ୍ରଚେତା ନାମେ ଆମ୍ଭେ ଦଶ ॥ ୧୦୫

ସୁପ୍ରାଚୀ ନଗ୍ର ଅଧିପତି । ତା ବୀର୍ଯ୍ୟେ ଆମ୍ଭେ ଉତପତ୍ତି ॥ ୧୦୬

ପିତା ବଚନେ ତପ ଅର୍ଥେ । ଅଇଲୁ ପ୍ରାଚୀ ଦିଗ ପଥେ ॥ ୧୦୭

କଠୋର-ତପ ସିଦ୍ଧ କରି । ଭାବେ ସେବିବୁ ନରହରି ॥ ୧୦୮

ତୁମ୍ଭ ଦର୍ଶନେ ଯୋଗେ ଶ୍ୱର । ଆମ୍ଭ ସଂଶୟ ହେଉ ଦୂର ॥ ୧୦୯

ତା ଶୁଣି ଦେବ-ଉମାସାଇଁ । ସନ୍ତୋଷେ ତାଙ୍କୁ ଦୀକ୍ଷା ଦେଇ ॥ ୧୧୦

ସେ ତପେ ତୋଷି ଭଗବାନ । ଆନନ୍ଦେ ଗଲେ ନିଜ ସ୍ଥାନ ॥ ୧୧୧

ଶୁଣି ବିଦୁର ବିପରୀତ । ପୁଣି ସଂଶୟ କରି ଚିତ୍ତ ॥ ୧୧୨

କହେ ମୈତୈୟ ମୁଖ ଚାହିଁ । ଅଦ୍ଭୁତ କହିଲ ଗୋସାଇଁ ॥ ୧୧୩

ନର ଅମରେ କାହିଁ ସଙ୍ଗ । କେସନେ ହୋଇଲା ସଂଯୋଗ ॥ ୧୧୪

ଏ ବଡ ସଂଶୟ ମୋ ଚିତ୍ତେ । ଭୋ ମୁନି ଫେଡି କହ ମୋତେ ॥ ୧୧୫

ଯେ କାଳ ରୁଦ୍ର ରୂପେ ସ୍ଥିତି । ଉତ୍ପତ୍ତି ପାଳିଣ ନାଶନ୍ତି ॥ ୧୧୬

ସେ ଯେ ପ୍ରଚେତା ଭାଇ ଦଶ । କିରୂପେ ତାଙ୍କୁ କଲେ ତୋଷ ॥ ୧୧୭

ଦେବ ମାନବେ ଭେଟ କାହିଁ । ସେ ଯେ ଭେଟିଲେ ଉମାସାଇଁ ॥ ୧୧୮

ଅତି ଦୁର୍ଲ୍ଲଭ ମୋକ୍ଷ ଅଙ୍ଗ । ମନୁଷ୍ୟେ ହୋଇଲା ସଂଯୋଗ ॥ ୧୧୯

ବିମୁକ୍ତ-ସଙ୍ଗ ଯୋଗୀଜନେ । ଯାଙ୍କୁ ଭାବନ୍ତି ତତ୍ତ୍ୱଜ୍ଞାନେ ॥ ୧୨୦

ଧ୍ୟାନ-ଧାରଣେ ନ ଦେଖନ୍ତି । କେହ୍ନେ ତୋଷିଲେ କାଳମୂର୍ତ୍ତି ॥ ୧୨୧

ସେ ଆତ୍ମନିରତ ପୁରୁଷ । ଘୋର ଶକ୍ତିଏ ଯାର ପାଶ ॥ ୧୨୨

ସେ ଶିବ ମୃତ୍ୟୁଦଣ୍ତ ଧରେ । ଏ ଚରାଚର ପ୍ରାଣ ହରେ ॥ ୧୨୩

ତେଣୁ ସଂଶୟ ମୋର ଚିତ୍ତ । ଭୋମୁନି କହିବା ତଦନ୍ତ ॥ ୧୨୪

କି ରୂପେ ତୋଷ ଶୂଳଧର । ବିସ୍ତାରି କହ ମୁନିବର ॥ ୧୨୫

ମୈତ୍ରେୟ ଉବାଚ

ଶୁଣ ବିଦୁର ସାବଧାନେ । ଯେ ପୂର୍ବ ଆଦ୍ୟନ୍ତ ବିଧାନେ ॥ ୧୨୬

ଯେ ଶିବ ଶରୀରେ ଅଶେଷ । ସ୍ଥିତି ପାଳନ କରେ ନାଶ ॥ ୧୨୭

କର୍ମାନୁସାରେ ପ୍ରାଣୀଙ୍କର । ସୃଜନ ପାଳନ ସଂହାର ॥ ୧୨୮

ଅବିଦ୍ୟା-କର୍ମେ କାଳରୂପୀ । ସେ ଶିବ ମୃତ୍ୟୁରୂପେ ବ୍ୟାପି ॥ ୧୨୯

ସୁବିଦ୍ୟା-ଆଚାର ଯାହାର । ତାଙ୍କୁ ପ୍ରସନ୍ନ ଶୂଳଧର ॥ ୧୩୦

ସମ-ବିଷମ ତାଙ୍କ ନାହିଁ । ମିତ୍ର-ଅଇରି ଅବା କାହିଁ ॥ ୧୩୧

ଏଣୁ ସେମତେ ଯେ ଭାବନ୍ତି । ଏ ଘୋର-ମୃତ୍ୟୁ ନିସ୍ତରନ୍ତି ॥ ୧୩୨

ସେ ଯେ ପ୍ରଚେତା ଭାଇ ଦଶ । ପିତା ବଚନେ ଯେଣୁ ତୋଷ ॥ ୧୩୩

ତପ ସାଧନେ ଆଗମନ । ତେଜି ଅଚଳ-ଭୋଗମାନ ॥ ୧୩୪

ସମୁଦ୍ର ନିକଟେ ମିଳିଲେ । ସୁରସ୍ୟ-ସରସୀ ଦେଖିଳେ ॥ ୧୩୫

ସେ ଜଳ ଅତ୍ୟନ୍ତ ନିର୍ମଳ । ଦର୍ଶନେ ହରେ ତୃଷାକୁଳ ॥ ୧୩୬

ସୁଖ ଆନନ୍ଦ ଶୀତକର । ଅମୃତ-ତୁଲ୍ୟ ସୁମଧୁର ॥ ୧୩୭

ନିର୍ମଳ ଯେହ୍ନେ ସାଧୁମନ । ତେସନ ଦିଶଇ ଶୋଭନ ॥ ୧୩୮

ପୁଷ୍ପ ସମୂହେ ବିରାଜନ୍ତି । ଯେହ୍ନେ ଆକାଶେ ଗ୍ରହପନ୍ତି ॥ ୧୩୯

ପ୍ରସନ୍ନ ଛଳେ ସୁମଞ୍ଜୁଳ । ନାନାଦି ବର୍ଣ୍ଣେ ଯହିଁ ଠୁଳ ॥ ୧୪୦

ନୀଳଉତ୍ପଳ ଆଦି କରି । ପୁଷ୍ପ ସମୂହେ ଛନ୍ତି ପୂରି ॥ ୧୪୧

ପଙ୍କଜ-ଅରୁଣ ପ୍ରକାଶେ । ଶୋଭନ୍ତି ଇନ୍ଦୀବର ପାଶେ ॥ ୧୪୨

ସେ ଜଳେ ନାନା ପକ୍ଷୀ କୁଳେ । କ୍ରୀଡ଼ନ୍ତି କାମେ ମତ୍ତଭୋଳେ ॥ ୧୪୩

ହଂସ ସାରସ ଚକ୍ରବାକ । କାରଣ୍ତବ ବକ ଡାହୁକ ॥ ୧୪୪

ମତ୍ତ ଭ୍ରମରେ ସ୍ୱନ ଦ୍ୟନ୍ତି । ଆନନ୍ଦେ ମଧୁପାନେ ମାତି ॥ ୧୪୫

ତୀରେ ଶୋଭନ୍ତି ତରୁଗଣେ । ବିବିଧ ଲତା ଆଚ୍ଛାଦନେ ॥ ୧୪୬

ଶୁକ କୋକିଳ ପକ୍ଷୀଗଣେ । ସୁସ୍ୱର ନାଦେ ଅନୁକ୍ଷଣେ ॥ ୧୪୭

ପଦ୍ମକେଶର ରଜ ନେଇ । ଶୀତଳ-ପବନ ବହଇ ॥ ୧୪୮

ସୁଗନ୍ଧ ପୁଷ୍ପ ସୌରଭରେ । ଯେ ଦିଗ ବିଦିଗ ପ୍ରସରେ ॥ ୧୪୯

ସେ ଗନ୍ଧବାୟୁ ଘ୍ରାଣେ ମୋଦ । ସୁଖେ ସଙ୍ଗୀତ ବାଦ୍ୟନାଦ ॥ ୧୫୦

ତାଳ ମୃଦଙ୍ଗ ଯନ୍ତ୍ର ବୀଣା । ସ୍ୱର ମୂର୍ଚ୍ଛନା ନିର୍ଘୋଷଣା ॥ ୧୫୧

ଗନ୍ଧର୍ବେ ଗାବନ୍ତି ଆନନ୍ଦେ । ସଙ୍ଗେଣ ଅପସରୀ ବୃନ୍ଦେ ॥ ୧୫୨

ବୃଷଭ ଆରୋହୀ ମହେଶ । ସେ ଜଳେ ହୋଇଲେକ ଦୃଶ୍ୟ ॥ ୧୫୩

ଦେଖି ପ୍ରଚେତା ଦଶ ଭାଇ । ରୋମ ପୁଲକେ ଅଶ୍ରୁ ଦେହୀ ॥ ୧୫୪

ବେନି ପାରୁଶେ ଦେବ ଗଣେ । ସ୍ତୁବନ୍ତି ବିବିଧ-ସ୍ତବନେ ॥ ୧୫୫

ପ୍ରସାଦ-ମୁଖ ସୁପ୍ରସନ୍ନ । ସେ ଦେବ ଦେବ ତ୍ରିଲୋଚନ ॥ ୧୫୬

ତପ୍ତ କାଞ୍ଚନ ପ୍ରାୟ କାନ୍ତି । ରତ୍ନ-ସମୂହେ ବିରାଜନ୍ତି ॥ ୧୫୭

ସୁଗ୍ରୀବ କଣ୍ଠ ସୁଶୋଭନ । ସୁନୀଳ ପ୍ରଭା ତ୍ରିଲୋଚନ ॥ ୧୫୮

ଏମନ୍ତ ସମୟେ କୁମରେ । ଦେଖି ସାନନ୍ଦ ସୁଖଭରେ ॥ ୧୫୯

ସତ୍ୱରେ ଦଣ୍ତବତ କଲେ । ପ୍ରସନ୍ନ-ରକ୍ଷଣ ବୋଇଲେ ॥ ୧୬୦

ଭୋ ଧର୍ମରକ୍ଷଣ ଈଶାନ । ତୋ ପାଦେ ନ ସେବି ଅଜ୍ଞାନ ॥ ୧୬୧

ପ୍ରାଣୀ ବୃଜିନ-ଦୁଃଖାନଳେ । ଦଗ୍ଧ-ସନ୍ତପ୍ତ ମହାକୁଳେ ॥ ୧୬୨

ଦାରା-ତନୟ ସ୍ନେହେ ଜଡି । ଦୁଃଖ-ସଙ୍କଟେ ନିତ୍ୟେ ପଡି ॥ ୧୬୩

ଏ ଘେନି ତୋ ପାଦ-କମଳେ । ତା ଚିତ୍ତ ନ ରହେ ନିଶ୍ଚଳେ ॥ ୧୬୪

ତୁ ନାଥ ଭକତ-ସୋଦର । ଅଧମ ଦୀନ ତାପ ହର ॥ ୧୬୫

ତୋ ନାମ ଭଜନ୍ତି ଯେ ନିତ୍ୟେ । ସେ ତରି ତାରନ୍ତି ଜଗତେ ॥ ୧୬୬

ଏମନ୍ତେ ପ୍ରଚେତାଙ୍କ ବାଣୀ । ଶୁଣି ସନ୍ତୋଷ ଶୂଳପାଣି ॥ ୧୬୭

ପ୍ରସନ୍ନ-ଚିତ୍ତେ ଶୂଳହସ୍ତ । ଦେଖି ତାହାଙ୍କ ଶୀଳବନ୍ତ ॥ ୧୬୮

କହନ୍ତି ପ୍ରଚେତସମାନେ । ଜାଣିଲୁ ତୁମ୍ଭ ମନ ଜ୍ଞାନେ ॥ ୧୬୯

ତେଣୁ ଦର୍ଶନ ଦେଲୁ ଆଗେ । ଭୋପୁତ୍ରେ ବର ମାଗ ବେଗୋ ॥ ୧୭୦

ଶୁଣି ସାନନ୍ଦ ପ୍ରଚେତସ । ଯେହ୍ନେ ଆପ୍ୟାନେ ସୁଧାରସ ॥ ୧୭୧

ସତ୍ୱରେ ଦଣ୍ତବତେ ପଡି । କହନ୍ତି ଶିରେ କରଯୋଡି ॥ ୧୭୨

ଭୋ ପ୍ରଭୁ ତୋ ପଦ-କମଳେ । ନ ଭଜି ମଜ୍ଜିଲୁ ଶୟଳେ ॥ ୧୭୩

ବିଫଳେ ଗଲା ଆମ୍ଭ ଦିନ । ତୋ କୃପା ବିହୀନେ ଈଶାନ ॥ ୧୭୪

ଏବେ ଜାଣିଲୁ ଶୁଦ୍ଧଚିତ୍ତେ । ତୋର ଦର୍ଶନ ଆମ୍ଭ ହିତେ ॥ ୧୭୫

ଅଶେଷ-କର୍ମ ଗଲା ନାଶ । ତୋର ପ୍ରସନ୍ନେ ଦେବ ଈଶ ॥ ୧୭୬

ଭୋ ଦେବ କରୁଣାସାଗର । ପ୍ରସନ୍ନ ଜନ ଦୁଃଖ ହର ॥ ୧୭୭

ତୋର ପ୍ରସନ୍ନେ ପ୍ରାଣୀଙ୍କର । ସ୍ୱର୍ଗାପବର୍ଗ ନୋହେ ଦୂର ॥ ୧୭୮

ଭୋ ଯୋଗେଶ୍ୱର ତୋ ମହିମା । ନ ଜାଣି ପାରେ ସୁରବ୍ରହ୍ମା ॥ ୧୭୯

ଆମ୍ଭେ ବାଳକ ଶିଶୁମତି । କାହୁଁ ଜାଣିବୁ ତୋରଗତି ॥ ୧୮୦

ଏ ଆଜ୍ଞା ହେବ ପ୍ରଭୁ ତୋର । ଧର୍ମାର୍ଥ କାମ ମୋକ୍ଷ ଦ୍ୱାର ॥ ୧୮୧

ଏମନ୍ତେ ନାନା ସ୍ତୁତି କରି । ପ୍ରେମ-ଆନନ୍ଦେ ଅଶ୍ରୁପୂରି ॥ ୧୮୨

ଶୁଣି ସାନନ୍ଦ ଭମାକାନ୍ତ । ପ୍ରସନ୍ନେ କହନ୍ତି ତଦନ୍ତ ॥ ୧୮୩

ରୁଦ୍ର ଉବାଚ

ହେ ପୁତ୍ରେ ଶୁଣ ମୋ ଉତ୍ତର । ହରିଭକତେ ପ୍ରିୟ ମୋର ॥ ୧୮୪

ଭକତଜନ ମୋ ହୃଦୟ । ଏଣୁ ଭକତ ମୋର ପ୍ରିୟ ॥ ୧୮୫

ଯେ ଯଜ୍ଞେଶ୍ୱର ବାସୁଦେବ । ଯାହାର ନାମ ଦୟାର୍ଣ୍ଣବ ॥ ୧୮୬

ତ୍ରିଗୁଣ ପରେ ଯା ବିହାର । ପ୍ରଧାନ-ପୁରୁଷ ଈଶ୍ୱର ॥ ୧୮୭

ତାଙ୍କ ଭକତ ଯେତେ ଜନ । ସେ ମୋର ଅଟନ୍ତି ଜୀବନ ॥ ୧୮୮

ଏଣୁ ମୁଁ ତୁମ୍ଭରେ ପ୍ରସନ୍ନ । ବୈଷ୍ଣବେ ନୁହଁନ୍ତି ଅଭିନ୍ନ ॥ ୧୮୯

ତାଙ୍କ ମହିମା ଯଶ ଗୁଣ । ମୋ ତହୁଁ ସାବଧାନେ ଶୁଣ ॥ ୧୯୦

ଯେ ପ୍ରାଣୀ ଶତ-ଜନ୍ମାନ୍ତରେ । ସ୍ୱଧର୍ମ ନିଷ୍ଟାରେ ଆଚରେ ॥ ୧୯୧

ତଦନ୍ତେ ବ୍ରହ୍ମପଦ ପାଇ । ଅଶେଷ କଳୁଷ ନାଶଇ ॥ ୧୯୨

ଯେ ବିପ୍ରଦେହେ ନିତ୍ୟାଚାରେ । ଯେ ପୁଣ୍ୟକରେ ନିରନ୍ତରେ ॥ ୧୯୩

ଅଶେଷ ପୁଣ୍ୟକର୍ମଫଳେ । ସେ ମୋତେ ଲଭେ ଅନ୍ତଃକାଳେ ॥ ୧୯୪

ତେବେ ବୈଷ୍ଣବ ପଦ ପାଇ । ଏ ଲିଙ୍ଗ ଶରୀର ନାଶଇ ॥ ୧୯୫

ଲିଙ୍ଗ-ଭଞ୍ଜନେ ମୋକ୍ଷଯୋଗ । ନ ଲଭେ ମୃତ୍ୟୁ ଭୟ ସଙ୍ଗ ॥ ୧୯୬

ତୁମ୍ଭେ ଭକତ-ଜନ ସାର । ଲକ୍ଷଣ ଜାଣିଲୁ ତୁମ୍ଭର ॥ ୧୯୭

ଆମ୍ଭର ପ୍ରିୟ ଯେଣୁ ହରି । ତୁମ୍ଭେ ତେସନେ ମୋତେ ସରି ॥ ୧୯୮

ଏଣୁ ମାନବେ ଭକ୍ତ ଯେହି । ମୋ ପ୍ରିୟ ତହୁଁ କେହି ନାହିଁ ॥ ୧୯୯

ହେ ପ୍ରଚେତସ ଭାଇ ଦଶ । ତୁମ୍ଭର ବାକ୍ୟେ ହେଲୁତୋଷ ॥ ୨୦୦

ହରି-ଭଜନ ଯେ ପ୍ରକାର । କହିବା ଦୃଢ଼ଚିତ୍ତେ ଧର ॥ ୨୦୧

ସେ ହରି ପ୍ରସନ୍ନ ଯେମନ୍ତେ । ତାହା କହିବା ଆମ୍ଭେ ତୋତେ ॥ ୨୦୨

ଏ ସର୍ବ-ସ୍ତୋତ୍ର ମଧ୍ୟେ ସାର । ତୁମ୍ଭେ ସକଳ ଚିତ୍ତେ ଧର ॥ ୨୦୩

ମୈତ୍ରେୟ ଉବାଚ

ଏମନ୍ତ କହିଣ ମହେଶ । ଶୁଣ ବିଦୁର ଜ୍ଞାନରସ ॥ ୨୦୪

ନୃପକୁମରେ ଦୟାବହି । ପ୍ରସନ୍ନେ କହନ୍ତି ଗୋସାଇଁ ॥ ୨୦୫

ସର୍ବେ ଯୋଡିଣ ବେନି କର । ଶୁଣନ୍ତି ଡ଼େରି ଶ୍ରୁତିଦ୍ୱାର ॥ ୨୦୬

ରୁଦ୍ର ଉବାଚ

ନିରାତିଶୟ ଯେ ପରମ । ଆନନ୍ଦ ସୂକ୍ଷ୍ମ ନିରଞ୍ଜନ ॥ ୨୦୭

ସ୍ୱରୂପେ ସିଦ୍ଧ ହୁଅ ତୁମ୍ଭେ । ଏଣୁ ଆନନ୍ଦ ନାମ ଭାବେ ॥ ୨୦୮

ତୁମ୍ଭର ଯେବା ବଡ ପଣ । ଜ୍ଞାନୀଙ୍କ ଆନନ୍ଦ କାରଣ ॥ ୨୦୯

ଏଣୁ ଆନନ୍ଦଲାଭ ମୋର । କରୁଣା କର ଚକ୍ରଧର ॥ ୨୧୦

ତୁ ସର୍ବ ଆତ୍ମା ତୋତେ ମାର । ନିରତେ ହେଉ ନମସ୍କାର ॥ ୨୧୧

ତୋ ନାଭିପଦ୍ମ ନାରୟଣ । ଏ ବିଶ୍ୱ ଉତ୍ପତ୍ତି କାରଣ ॥ ୨୧୨

ଏଣୁ ତୋ ନାମ ପଦ୍ମନାଭ । ବୋଲନ୍ତି ସଂସାର ଉଦ୍‌ଭବ ॥ ୨୧୩

ସେ ନାମେ ପ୍ରଣତି ମୋହର । ଏ ବିନୁ ନାହିଁ ବାଞ୍ଛା ଆର ॥ ୨୧୪

ପୃଥିବୀ ଆପ ତେଜ ବାୟୁ । ଆକାଶ ପଞ୍ଚଭୂତ ଯେହୁ ॥ ୨୧୫

ଶବ୍ଦ ସ୍ପରଶ ରୂପ ରସ । ଗନ୍ଧ ଯେ ଇନ୍ଦ୍ରି ଏକାଦଶ ॥ ୨୧୬

ଏହାଙ୍କ ଅନ୍ତରାତ୍ମା ହୋଇ । ଯେ ବିଶ୍ୱ ସଂସାର ସର୍ଜଇ ॥ ୨୧୭

ତାହାଙ୍କୁ ପ୍ରଣତି ମୋହର । ଏଭବୁ କରେ ଯେ ନିସ୍ତାର ॥ ୨୧୮

ଯେ ଅନ୍ତଃକରଣ ଚତ୍ୱାର । ଏ ମନ ବୁଦ୍ଧି ଅହଙ୍କାର ॥ ୨୧୯

ତାଙ୍କ ଅନ୍ତର ଆତ୍ମା ହୋଇ । ପ୍ରକାଶ କରୁ ତୁ ଗୋସାଇଁ ॥ ୨୨୦

ଯେ ପ୍ରଭୁ ଚିତ୍ତ ଅଧିଷ୍ଠାତା । ଶ୍ରୀବାସୁଦେବ ଶୁଦ୍ଧଚେତା ॥ ୨୨୧

ସେ ଅତି ଶାନ୍ତ ନିର୍ବିକାରେ । ନମଇଁ ଭକ୍ତିଯୋଗେ ତାରେ ॥ ୨୨୨

ଅଧିଷ୍ଠ ଅହଙ୍କାରେ ଯେହୁ । ସଙ୍କରଷଣ ମହାବାହୁ ॥ ୨୨୩

ସେ ଯେ ଅନନ୍ତ ସୂକ୍ଷ୍ମମୟେ । ମୋର ପ୍ରଣାମ ତାଙ୍କ ପାୟେ ॥ ୨୨୪

ଯେ ପ୍ରଭୁ ରୁଦ୍ଧି ଅଧିଷ୍ଠାତା । ପ୍ରଦ୍ୟୁମ୍ନ ରୂପେ ବିଚାରନ୍ତା ॥ ୨୨୫

ଯେ ବିଶ୍ୱ ପ୍ରବୋଧ କରନ୍ତି । ସେ ପ୍ରଭୁ ପାଦେ ମୋ ପ୍ରଣତି ॥ ୨୨୬

ତାଙ୍କ ପ୍ରସନ୍ନେ ମୋ ଅଜ୍ଞାନ । ତକ୍ଷଣେ ହୋଇବ ଦହନ ॥ ୨୨୭

ଇନ୍ଦ୍ରିୟ ଅଧିପ ଯେ ମନ । ତାହାଙ୍କ ଅଧିଷ୍ଠାତା ନାମ ॥ ୨୨୮

ସେ ଅନିରୁଦ୍ଧ ଯେ ଈଶ୍ୱର । କରିବେ ସଂସାରୁ ନିସ୍ତାର ॥ ୨୨୯

ଯେ ସୂର୍ଯ୍ୟ ରୂପେଣ ପ୍ରକାଶ । ପ୍ରତ୍ୟକ୍ଷେ ସେ ପରମହଂସ ॥ ୨୩୦

ସେ ଜ୍ୟୋତିର୍ମୟ ରୂପ ଧରି । ଏ ବିଶ୍ୱ ପ୍ରକାଶକୁ କରି ॥ ୨୩୧

ସ୍ୱାର୍ଗାପବର୍ଗ ଦ୍ୱାର ବେନି । ନାହିଁ ଯାହାର ବୁଦ୍ଧି-ହାନି ॥ ୨୩୨

ପବିତ୍ର-ଚିତ୍ତେ ଯାର ସ୍ଥିତି । ସେ ପ୍ରଭୁ ପାଦେମୋ ପ୍ରଣତି ॥ ୨୩୩

ଯେ ଅଗ୍ନି-ରୂପୀ ଭଗବାନ । ଯଜ୍ଞାଦି ଯାହାରେ ସାଧନ ॥ ୨୩୪

ପ୍ରବୃତ୍ତି ନିବୃତ୍ତି ଯେ କରି । ଯେ ହରି ସଂସାରେ ବିହରି ॥ ୨୩୫

ସେ ପିତୃଦେବଙ୍କ କାରଣ । ହୋଇଲେ ଅନ୍ନ ସ୍ୱରୂପେଣ ॥ ୨୩୬

ସେ ସୋମରୂପୀ ନାରାୟଣ । ଧଇଲେ ପୋଥି ଉଦ୍ଧାରିଣ ॥ ୨୩୭

ତ୍ରିପତି ପାଦେ ମୋ ପ୍ରଣତି । ଯେଣେ ହୋଇବ ମୋରଗତି ॥ ୨୩୮

ସେ ଆପରୂପ ଭଗବାନ । ରସ ସ୍ୱରୂପେ ଆସ୍ୱାଦନ ॥ ୨୩୯

ଯେ ପୃଥ୍ୱୀ ରୂପେ ସର୍ବକାୟେ । ବିଶ୍ୱ ସଂସାର ଯାର ଦେହ ॥ ୨୪୦

ସେ ପ୍ରଭୁ ଚରଣେ ମୋ ମନ । ନିରତେ ବହୁ ଅନୁକ୍ଷର ॥ ୨୪୧

ବିରାଟ ରୂପ ଭଗବାନ । ବନ୍ଦଇ ସେ ପ୍ରଭୁ ଚରଣ ॥ ୨୪୨

ଯାହାର ରୋମ-କୂପ ମୂଳେ । ଅଶେଷ-ବ୍ରହ୍ମାଣ୍ତ ନିଶ୍ଚଳେ ॥ ୨୪୩

ଅଛନ୍ତି ପରମାଣୁ ବତ । ସେ ପାଦେ ମୋର ପ୍ରତିପାତ ॥ ୨୪୪

ଯେ ପ୍ରଭୁ ବାୟୁ-ରୂପ ଧରେ । ପ୍ରାଣ-ସ୍ୱରୂପ ସର୍ବଠାରେ ॥ ୨୪୫

ସେ ରୂପେ ପାଳନ୍ତି ଜଗତ । ସେ ସହ-ଓଜ-ବଳବନ୍ତ ॥ ୨୪୬

ସେ ପ୍ରଭୁ ରଖନ୍ତୁ ମୋ ପ୍ରାଣ । ତା ପାଦେ ପଶିଲି ଶରଣ ॥ ୨୪୭

ଆକାଶ-ରୂପୀ ଭଗବାନ । କରନ୍ତି ଯେ ବିଧିବିଧାନ ॥ ୨୪୮

ଶବ୍ଦ-ସ୍ୱରୂପେ ଶୂନ୍ୟେ ରହେ । ଯେ ଶଦ୍ଦେ ଅର୍ଥ-ବୋଧ ହୁଏ ॥ ୨୪୯

ଯେ ବାହ୍ୟାନ୍ତରେ ଛନ୍ତି ପୂରି । ସେ ପାଦେ ପ୍ରଣତି ମୋହରି ॥ ୨୫୦

ସ୍ୱର୍ଗାଦି-ପୁଣ୍ୟଲୋକ ଯେହି । ପ୍ରବୃତ୍ତି-ନିବୃତ୍ତିରେ ରହି ॥ ୨୫୧

ସେ ସର୍ବ-କର୍ମଫଳ-ଦାତା । ଏ ଭବ ସଙ୍କଟୁ ତାରନ୍ତା ॥ ୨୫୨

ଅଧର୍ମେ ମୃତ୍ୟୁରୂପ ଧରି । ଦୁଃଖ-ପୀଡିତ କର୍ମ କରି ॥ ୨୫୩

ଯେ ଶୁଭକର୍ମେ ମୋକ୍ଷାଦାତା । ସେ ହରି ପାଦେ ମୋର ଚିନ୍ତା ॥ ୨୫୪

ନମସ୍ତେ କୃଷ୍ଣରୂପ ହରି । ପୁରାଣ-ପୁରୁଷ ମୁରାରି ॥ ୨୫୫

ନମସ୍ତେ ସାଂଖ୍ୟ-ଯୋଗେଶ୍ୱର । ପରମ ଆତ୍ମା ରୂପ ଧର ॥ ୨୫୬

ଯେ କର୍ମେ ବିଷ୍ଣୁରୂପ ଧରେ । ବ୍ୟାପକବନ୍ତ ଏ ସଂସାରେ ॥ ୨୫୭

ଯେ ରୁଦ୍ର ରୂପ ଧରିଛନ୍ତି । କାଳାନ୍ତେ ତ୍ରୈଲୋକ୍ୟ ନାଶନ୍ତି ॥ ୨୫୮

ସେ ରୁଦ୍ରଦେବ ପାଦେ ମୋର । ପ୍ରଣତି ହେଉ ନିରନ୍ତର ॥ ୨୫୯

ସେ ମୋର ତି୍ରତାପ ନାଶିବେ । ଅବିଦ୍ୟା-ବନ୍ଧୁ ନିସ୍ତାରିବେ ॥ ୨୬୦

ଯେ ବ୍ରହ୍ମସ୍ୱରୂପ ଗୋସାଇଁ । ଏ ସୃଷ୍ଟି ସର୍ଜିବାର ପାଇଁ ॥ ୨୬୧

ଏ ରୂପେ ଯେବା ଭଗବାନ । ସେ ପ୍ରଭୁ ଚରଣେ ଶରଣ ॥ ୨୬୨

ସେ ଆମ୍ଭ ଭକତି ଘେନିବେ । ଦର୍ଶନେ ଆଶା ପୂରାଇବେ ॥ ୨୬୩

ଯେ ରୂପ ଭକତେ ପୂଜନ୍ତି । ଇନ୍ଦ୍ରିୟଗୁଣ ପ୍ରକାଶନ୍ତି ॥ ୨୬୪

ନରରୁଚିର ଘନଶ୍ୟାମ । ପ୍ରତୁଲ୍ୟ ନୋହେ କୋଟିକାମ ॥ ୨୬୫

ଯେ ରୂପ ପ୍ରକାଶେ ଶୋଭନ୍ତି । ଅଶେଷ-ଗୁଣ ସେ ବହନ୍ତି ॥ ୨୬୬

ଅବ୍ୟୟ ଗୁଣ ଏକ ଯାର । କୋଟି-ଅନଙ୍ଗ ଦର୍ପ ହର ॥ ୨୬୭

ଏ ସର୍ବ ମୋହର ତ୍ରିତାପ । ଦର୍ଶନେ ହରିବେ ସନ୍ତାପ ॥ ୨୬୮

ଆଜାନୁ ଲମ୍ବିତ ଶ୍ରୀଭୁଜ । ଶଙ୍ଖାଦି ଚାରିଚିହ୍ନ ତେଜ ॥ ୨୬୯

ନୀଳ ଜୀମୂତ ଦିବ୍ୟକାନ୍ତି । ବଳୟ ମଣି ବିଭାଜନ୍ତି ॥ ୨୭୦

ସେ କରେ ଆଶ୍ରୟ ଯେ କରି । ସେ ମୋକ୍ଷପଦେ ଅଧିକାରୀ ॥ ୨୭୧

ଏ ମୃତ୍ୟୁ ଜରା ଭୟ ଯେତେ । ସେ ସର୍ବ ନାଶିବେ ତୁରିତେ ॥ ୨୭୨

ଅତି ସୁଠାମ ସୁଆନନ । ଅରୁଣ ପଙ୍କଜ ଲୋଚନ ॥ ୨୭୩

ଆବୃତ୍ତ ଶୋଭା ଚାରିକର । ଭକ୍ତଜନଙ୍କ ତାପ ହର ॥ ୨୭୪

ଶିରେ ସୁନୀଳ ସୁକୁନ୍ତଳ । ଦେଖି ଅନଙ୍ଗକୋଟି ଭୋଳ ॥ ୨୭୫

ଜୁଡା ପ୍ରବନ୍ଧ ଶିଖେ ସାଜେ । ରତ୍ନକିରୀଟ ତେଜ ପୁଞ୍ଜେ ॥ ୨୭୬

ଦେଖି ଅନଙ୍ଗ ଭ୍ରମ କି ସେ । ଭକତଜନ ରିପୁ ଧ୍ୱଂସେ ॥ ୨୭୭

ସୁଚାରୁ କପୋଳ ଅଳକା । ଯେହ୍ନେ ଶୋଭିତ ରାହୁରେଖା ॥ ୨୭୮

ଚାରୁ ସୁନ୍ଦର ସୁକପୋଳ । ଅଳାକା ବେଢ଼ି ଭୃଙ୍ଗମେଳ ॥ ୨୭୯

ଭ୍ରୂଭଙ୍ଗ ଯୁଗଳ ସୁଠାଣି । ଅତନୁ-ଚାପ ପ୍ରଭା ଜିଣି ॥ ୨୮୦

ଶୋଭନେ ନାହିଁ ପଟାନ୍ତର । ମନ ବଚନେ ଅଗୋଚର ॥ ୨୮୧

ଦିବ୍ୟ ସୁସଞ୍ଚ ନାସା ଠାଣି । ତିଳ ପ୍ରସୂନ ପ୍ରଭା ଜିଣି ॥ ୨୮୨

ତା ପରେ ସିନ୍ଧୁଫଳ ରାଜେ । ଦେଖି ଅନଙ୍ଗ ଦର୍ପ ଗଞ୍ଜେ ॥ ୨୮୩

ଅରୁଣାଙ୍କିତ ବିମ୍ବାଧର । ଉପମା ନାହିଁ ତିନିପୁର ॥ ୨୮୪

ନବ-ଅରୁଣ ଜିଣି ଶୋଭା । ଦେଖି ଅନଙ୍ଗକୋଟି ଲୋଭା ॥ ୨୮୫

ଶୁଭ୍ର ଦଶନ ବେନି-ପଙ୍‌କ୍ତି । ଜିତ ଡାଳିମ୍ବ ବୀଜ କାନ୍ତି ॥ ୨୮୬

ସସ୍ମିତେ ବିମ୍ବାଧର ରାଜେ । ଭକତଜନ ମନ ରଞ୍ଜେ ॥ ୨୮୭

ତା ତୁଲେ ନାହିଁ ପଟାନ୍ତର । ସେ ଅତି ଶୁଭ୍ର ନିଶାକର ॥ ୨୮୮

ଶ୍ରୁତି ଯୁଗଳେ ଝଟକନ୍ତି । ମକର କୁଣ୍ତଳ ସୁକାନ୍ତି ॥ ୨୮୯

ଇଷିତ ଅପାଙ୍ଗ ଈଷଣ । ମୋହିତ ସୁର ମୁନିଗଣ ॥ ୨୯୦

ନୀଳସୁନ୍ଦର କଳେବର । ତଡିତ ଜିଣି ପୀତାମ୍ବର ॥ ୨୯୧

ନୀଳସୁନ୍ଦର ଘନେ ଯେହ୍ନେ । ଝଟକେ ବସନ ତେସନେ ॥ ୨୯୨

ନୀଳମର୍କତ ଚାରୁ ପ୍ରଭା । ଚାରୁ ଚତ୍ୱାର ଭୁଜ ଆଭା ॥ ୨୯୩

ନିଜ ଆୟୁଧେ ବିରାଜନ୍ତି । ଅଜ୍ଞାନତମ ବିନାଶନ୍ତି ॥ ୨୯୪

ସେ ଶଙ୍ଖ ଚକ୍ର ଶୋଭାକର । କୋଟି ଆଦିତ୍ୟ ତେଜହର ॥ ୨୯୫

ଗଦା କମଳ ଆଦି ଯେତେ । ଶୋଭନ୍ତି ନାନା ତେଜବନ୍ତେ ॥ ୨୯୬

କିରୀଟ କୁଣ୍ତଳ ନୂପୁର । କଟୀ-ମେଖଳା ଶୋଭାକର ॥ ୨୯୭

ଆଜନୁ ଲମ୍ବେ ବନମାଳ । ଶୋଭେ ଶ୍ରୀବତ୍ସ ବକ୍ଷସ୍ଥଳ ॥ ୨୯୮

ସେ ରୂପ କେ ପାରିବ ଚିନ୍ତି । ଦେଖି ଅନଙ୍ଗ ଭ୍ରମ ଯାନ୍ତି ॥ ୨୯୯

ସୁଗ୍ରୀବ କଣ୍ଠ ଯେ ସୁନ୍ଦର । ଶୋଭେ କୌସ୍ତୁଭମଣି ସାର ॥ ୩୦୦

ଏ ମନ୍ତ ରୂପ ଦେଖାଇବ । ଆମ୍ଭର ତାପ ବିନାଶିବ ॥ ୩୦୧

ଯେ ହୃଦେ କମଳା ଶୋଭନ । ନୀଳ ପାଷାଣେ ଯେହ୍ନେ ହେମ ॥ ୩୦୨

ରେଚକ ପୂରକ ଯେ ଶ୍ୱାସେ । କି ଜଳ-ଲହରୀ ସଦୃଶେ ॥ ୩୦୩

ସୁନୀଳ ରୋମଶ୍ରେଣୀ ଜଳେ । ଦିଶନ୍ତି ଯେସନେ ପ୍ରଚଳେ ॥ ୩୦୪

ଉଦରେ ତ୍ରିବଳୀ ମଞ୍ଜୁଳ । ଶୋଭିତ ସୁନାଭି ଗଭୀର ॥ ୩୦୫

ଯେ ଦ୍ୱାରେ ଏ ବିଶ୍ୱ ନିର୍ଗତ । ଫେରି ପ୍ରବେଶେ କି ଆବର୍ତ୍ତ ॥ ୩୦୬

ସେ ଶ୍ୟାମ-ନିତମ୍ବେ ଦୁକୂଳ । ବିରାଜେ ସୁବର୍ଣ୍ଣ ମେଖଳ ॥ ୩୦୭

ସୁସମ ଚାରୁ ଅଂଘ୍ରିବର । ଜଘନ-ଜାନୁ ଶୋଭାକର ॥ ୩୦୮

ଉରୁ-ଯୁଗଳ ଶୋଭା ଠାଣି । ଉଲଟ-ରମ୍ଭାକୁ ସେ ଜିଣି ॥ ୩୦୯

ଶ୍ରୀଯୁତ ଚରଣ-କମଳ । ଶୋଭିତ ନଖଶ୍ରେଣୀ କୁଳ ॥ ୩୧୦

କୋଟି-ଶଶାଙ୍କ ଶୁଭ୍ରକାନ୍ତି । ଜିତ ସୁଶ୍ରେଣୀ ନଖପନ୍ତି ॥ ୩୧୧

ସରୋଜ-ପାଦଯୁଗ ଯହିଁ । ଦର୍ଶନେ ଭବ-ଭୟ ନାହିଁ ॥ ୩୧୨

ଏ ସର୍ବେ ମୋହର ତ୍ରିତାପ । ଦର୍ଶନେ ହରିବେ ଦୁରାପ ॥ ୩୧୩

ଏମନ୍ତ ରୂପ ପ୍ରକାଶିବ । ଆମ୍ଭ ସଂଶୟ ବିନାଶିବ ॥ ୩୧୪

ତୁ ଗୁରୁ ରୂପେ ନାରାୟଣ । ମୂଢ ଅଜ୍ଞାନୀଙ୍କ କାରଣ ॥ ୩୧୫

ସକଳ ଭୂତେ ତୁମ୍ଭେ ଥାଇ । ପ୍ରାଣୀଙ୍କି ଜ୍ଞାନଦୀକ୍ଷା ଦେଇ ॥ ୩୧୬

ସେ ଜ୍ଞାନେ ପ୍ରାଣୀଙ୍କ ନିସ୍ତାର । ଅଜ୍ଞାନୀ ମଜ୍ଜେ ଏ ସଂସାର ॥ ୩୧୭

ଆତ୍ମାର ସିଦ୍ଧି ଯେ ଇଚ୍ଛନ୍ତି । ତୋ ରୂପ ଦର୍ଶନ ବାଞ୍ଛନ୍ତି ॥ ୩୧୮

ଯେ ନିତ୍ୟେ ସ୍ୱଧର୍ମ ଆଚରେ । ତୁମ୍ଭ ଭକତି ନିଷ୍ଠାପରେ ॥ ୩୧୯

ତୋ ପଦେ ଅଭୟ ଭକତି । ସୁସ୍ଥିରେ ରହେ ତାର ମତି ॥ ୩୨୦

ସକଳ ଦେହେ ତୁ ଦୁର୍ଲଭ । ଭକତେ ହେଉ ତୁ ସୁଲଭ ॥ ୩୨୧

ଯେ ସୁଖ-ଭୋଗ ନିତ୍ୟ କରେ । ସେ କାହିଁ ଦେଖିବ ତୁମ୍ଭରେ ॥ ୩୨୨

କେବଳ ଆତ୍ମାଜ୍ଞାନୀ ଜନ । ତୋତେ ଲଭନ୍ତି ଭଗବାନ ॥ ୩୨୩

ଏକାନ୍ତ ଭକ୍ତିଯୋଗେ ନର । ଯେ ଭଜେ ତୁମ୍ଭର ପୟର ॥ ୩୨୪

ସ୍ୱର୍ଗାଦି ନ ବାଞ୍ଛଇ ମନେ । ତୋ ପାଦପଦ୍ମ ସୁଧାପାନେ ॥ ୩୨୫

ନିରତେ ଚିତ୍ତେ ଦୃଢ଼େ ଧ୍ୟାୟି । ତରନ୍ତି ଭବ-ଦୁଃଖୁ ସେହି ॥ ୩୨୬

ଯେ ତୁମ୍ଭ ଚରଣେ ସେବିବ । ସେ କାଳ ଭୟ ବିନାଶିବ ॥ ୩୨୭

ଭ୍ରୂକୁଟି କୁଟିଳ ପ୍ରକାଶେ । ତକ୍ଷଣେ ସଂସାର ବିନାଶେ ॥ ୩୨୮

ଯେ କାଳ ଅତି ଭୟଙ୍କର । ତୋର ସେବକେ ସେ କିଙ୍କର ॥ ୩୨୯

ଏଣୁ ଭକତ ସଙ୍ଗେ ତୋର । କ୍ଷଣେ ନିମିଷେ ଯେଉଁ ନର ॥ ୩୩୦

ସେ ସଙ୍ଗୁ ଯେବା ସୁଖ ହୋଇ । ସ୍ୱର୍ଗାପବର୍ଗ ସମ ନୋହି ॥ ୩୩୧

ଏ ମର୍ତ୍ତ୍ୟଭୋଗ ତୁଚ୍ଛ ମଣି । ତୋ ଭକ୍ତ ସଙ୍ଗେ ଯେତେ ପ୍ରାଣୀ ॥ ୩୩୨

ତୋର ପଙ୍କଜ-ଅଂଘ୍ରି-ରସ । ଯେ ରସେ କଳୁଷ ବିନାଶ ॥ ୩୩୩

ଯେବା ପିବନ୍ତି ଅନୁଦିନେ । ବ୍ରହ୍ମ ଆନନ୍ଦ ସୁଧାପାନେ ॥ ୩୩୪

ଯେ ଗଙ୍ଗାସ୍ନାନ ନିତ୍ୟେ କରେ । ଅଶେଷ-ପାପୁ ସେ ନିସ୍ତରେ ॥ ୩୩୫

ତୋର ଭକତ ସଙ୍ଗେ ଯେବେ । ଯେ କ୍ଷଣେ ବସେ ଶୁଦ୍ଧ ଭାବେ ॥ ୩୩୬

ପବିତ୍ର ହୋଏ ତତକ୍ଷଣେ । ଜନ୍ମ ମରଣ ନିବାରଣେ ॥ ୩୩୭

ଏ ସାଧୁ-ସଙ୍ଗ ଭାଗ୍ୟେ ପାଇ । ସକଳ-ଭୂତେ ଦୟାବହି ॥ ୩୩୮

ସୁସାଧୁଜନଙ୍କ ସଙ୍ଗତ । ଯେ ପ୍ରାଣୀ କରେ ଅବିରତ ॥ ୩୩୯

ସେ ଯେ ତୁମ୍ଭର କୃପା ପାଇ । ମାୟା-ପଟଳୁ ନିସ୍ତରଇ ॥ ୩୪୦

ଯେ ଶୁଦ୍ଧ ଭକ୍ତିରେ ଭଜନ୍ତି । ବିଶୁଦ୍ଧ ହୋଏ ତାଙ୍କ ମତି ॥ ୩୪୧

ବିଷୟ ଭ୍ରମେ ଭ୍ରମ ନୋହେ । ଅଜ୍ଞାନ ନାଶି ଜ୍ଞାନ ରହେ ॥ ୩୪୨

ଏଣୁ ଭକତ ସଙ୍ଗ ମେଳେ । ଲଭେ ଭକତି ସୁନିଶ୍ଚଳେ ॥ ୩୪୩

ଯେ ତ‌ତ୍ତ୍ୱେ ଏ ବିଶ୍ୱ ବ୍ୟକତ । ବିଶ୍ୱେ ଶୋଭିତ ଯେଉଁ ତ‌ତ୍ତ୍ୱ ॥ ୩୪୪

ତ‌ତ୍ତ୍ୱ ପରମ ବ୍ରହ୍ମଜ୍ୟୋତି । ଆକାଶ ପ୍ରାୟେ ବ୍ୟାପି ଛନ୍ତି ॥ ୩୪୫

ଏ ବିଶ୍ୱ ମିଥ୍ୟା ସତ୍ୟ ପରି । ସର୍ଜି ପାଳିଣ ତା ସଂହରି ॥ ୩୪୬

ଯା ମାୟା ବହୁରୂପ ଧରେ । ଜୀବରେ ଭେଦ-ବୁଦ୍ଧି କରେ ॥ ୩୪୭

ମାୟା ସ୍ପରଶ ଯାର ନାହିଁ । ଜାଣିବ ବ୍ରହ୍ମରୂପ ସେହି ॥ ୩୪୮

ଯେ ଅନ୍ତଃ ବିକାର ବିହୀନ । ସେହିଟି ଜାଣ ତ‌ତ୍ତ୍ୱଜ୍ଞାନ ॥ ୩୪୯

ନିର୍ଗୁଣେ ସଗୁଣ ବୋଲନ୍ତି । କ୍ରିୟା କଳାପେ ଯୋଗୀ ଚିନ୍ତି ॥ ୩୫୦

ଏହାଙ୍କ ପ୍ରାୟେ ଭଜେ ଯେହୁ । ପଣ୍ତିତ ବେଦାର୍ଗମେ ସେହୁ ॥ ୩୫୧

ପୁରୁଷ-ଆଦି ତୁମ୍ଭେ ପର । ଅଶେଷ-ବ୍ରହ୍ମାଣ୍ତ-ଈଶ୍ୱର ॥ ୩୫୨

ତୁମ୍ଭର ଶକ୍ତି ଗୁପ୍ତେ ଥିଲା । କାଳାନ୍ତେ ଶୟନୁ ଉଠିଲା ॥ ୩୫୩

ସେ ଶକ୍ତି ତୋର ଆଜ୍ଞା ଭାବେ । ସ‌ତ୍ତ୍ୱାଦି ଭେଦ କଲା ତେବେ ॥ ୩୫୪

ତହୁଁ ମହତ-ଅହଙ୍କାର । ଜଳାଗ୍ନି-ଆକାଶ-ସମୀର ॥ ୩୫୫

ଭୂଦେବ-ଋଷି-ସର୍ବଭୂତେ । ଜନ୍ମିଲେ ଏ ନାନା ଜଗତେ ॥ ୩୫୬

ମାୟାରୁ ଏ ଚାରି ପ୍ରକାର । ଯେ ତ‌ତ୍ତ୍ୱେ ସଞ୍ଚରିଲା ପୁର ॥ ୩୫୭

ନିର୍ମିତ କଲେ ଭଗବାନ । ଯେ ପ୍ରଭୁ ଜଗତ ଜୀବନ ॥ ୩୫୮

ଅଶେଷ ଶରୀରେ ପ୍ରବେଶ । ଏଣୁ ଜୀବ ନାମ ପୁରୁଷ ॥ ୩୫୯

ଅବିଦ୍ୟା-ବନ୍ଧେ ବଦ୍ଧ ହୋଇ । ଏ ଦୁଃଖ-ସୁଖ ସେ ଭୁଞ୍ଜଇ ॥ ୩୬୦

ମାୟାରୁ ସୃଜନ ସେ କଲେ । ନିୟନ୍ତା-ପୁରୁଷ ହୋଇଲେ ॥ ୩୬୧

ଭୂତରୁ ଭୂତକୁ ନିଅନ୍ତି । ଯେହ୍ନେ ଆକାଶେ ମେଘପନ୍ତି ॥ ୩୬୨

ପବନେ ନାନା ଦିଗେ ଯାନ୍ତି । ଏ ଭାବେ ଭୂତେ ସଞ୍ଚରନ୍ତି ॥ ୩୬୩

ଜୀବକୁ କର୍ମବଳେ ଟାଣି । ସଂହାରି ନିସ୍ତାରୁ ତୁ ପୁଣି ॥ ୩୬୪

ଏ ଜୀବ କର୍ମେ ହୋଇ ମତ୍ତ । ଲୋଭେ ବିଷୟେ ଦେଇ ଚିତ୍ତ ॥ ୩୬୫

ତୁ ହେଉ ଅପ୍ରମିତ ଅସି । ତକ୍ଷଣେ ଜୀବକୁ ବିନାଶି ॥ ୩୬୬

କାଳ ସ୍ୱରୂପେ ପ୍ରାଣହର । ଯେ ତୋତେ ନ ଭଜେ ପାମର ॥ ୩୬୭

ଏମନ୍ତ ପ୍ରଭୁ ତୋର ମାୟା । ଜୀବ ନ ଜାଣି ଭୋଗେ ଏହା ॥ ୩୬୮

କ୍ଷୁଧା-ଅନଳେ ଓଷ୍ଠ ଅହି । ଚାଟିଣ ମୂଷା ଯେହ୍ନେ ଖାଇ ॥ ୩୬୯

ତେସନ ଅନ୍ତକ ତୁ ହରି । ଜୀବ ବିନାଶୁ ଭୋଗେ କରି ॥ ୩୭୦

ତୋ ମାୟା-ଭୋଗେ ଜୀବ ବଶ । ଏ ଘେନି ତୁ କାଳ-ପୁରୁଷ ॥ ୩୭୧

ଏ ବେନି ତୋ ପାଦ-କମଳେ । ଶରଣ ରଖ ତୁହି ବେଳେ ॥ ୩୭୨

ଆମ୍ଭେ ବ୍ରହ୍ମାଦି ଯା ଚରଣେ । ସେବୁ ଏ ସୃଷ୍ଟିର କାରଣେ ॥ ୩୭୩

ଉତ୍ପତ୍ତି ନ ପାରୁ ଯେ କରି । ତୋ ପାଦ ବିନୁ ନରହରି ॥ ୩୭୪

ଏଣୁ ଏ ମନୁ ଚତୁର୍ଦ୍ଦଶ । ତୋ ପାଦେ ଭଜେ ହୃଷୀକେଶ ॥ ୩୭୫

ଅନେକ ସୃଷ୍ଟିକି ସୃଜନ୍ତି । ଅନ୍ତେ ତୋ ଶରୀରେ ପଶନ୍ତି ॥ ୩୭୬

ସେ ଘେନି ତୋ ପାଦକମଳ । କେ ବୁଧ ଛାଡେ ଆଦିମୂଳ ॥ ୩୭୭

ଯାବତ ଜୀବ ଏ ଶରୀରେ । ଛାଡି ନ ପାରନ୍ତି ନିର୍ଭରେ ॥ ୩୭୮

ତୋ ପାଦ-ଧ୍ୟାନେ ନିଜ ଦେହୀ । ଯେ ତ୍ୟାଗେ ଅନୁରାଗ ବହି ॥ ୩୭୯

ତାହାକୁ ବୋଲି ସୁପଣ୍ତିତ । ସେ ପ୍ରାଣୀ ତୁମ୍ଭର ଭକତ ॥ ୩୮୦

ଏଣୁ ଏ ତୋ ପାଦକମଳେ । ଶରଣ ଇଚ୍ଛୁ ଆମ୍ଭେ ବଳେ ॥ ୩୮୧

ଏ ବିଶ୍ୱ-ଭୟ ରୁଦ୍ର କୋପେ । ବିନାଶ କରେ କାଳ ରୁପେ ॥ ୩୮୨

ଏଣୁ ତୁମ୍ଭରେ କରୁ ସ୍ତୁତି । ଭୋନାଥ ହୁଅ ଆମ୍ଭ ଗତି ॥ ୩୮୩

ଏ ତୁମ୍ଭ ପଙ୍କଜ-ଚରଣ । ଯେ ପ୍ରାଣୀ ପଶନ୍ତି ଶରଣ ॥ ୩୮୪

ଅଶେଷ-ଦ୍ୱନ୍ଦ୍ୱ-ମାୟା-ଭୟେ । ଖଣ୍ତନ୍ତି ପ୍ରଭୁ ଦେବରାୟେ ॥ ୩୮୫

ସେ ରୁବ୍ର କହଛି କୁମର । ଏ ଗୀତା ଶୁଦ୍ଧ ଚିତ୍ତେ ଧର ॥ ୩୮୬

ଏ ସ୍ତବ ପଢ଼ନ୍ତେ ତୁମ୍ଭର । ଅଜ୍ଞାନ ତମ ହେବ ଦୂର ॥ ୩୮୭

ନିତ୍ୟେ ସ୍ୱଧର୍ମ-ମାର୍ଗେ ଥିବ । ସକଳ କୃଷ୍ଣେ ସମର୍ପିବ ॥ ୩୮୮

ମନ ନିବେଶି ପଦ୍ମପାଦେ । ଭବୁ ତରିବ ଅପ୍ରମାଦେ ॥ ୩୮୯

ସେ ଆତ୍ମା ସର୍ବ -ଘଟଧାରୀ । ଦୃଶ୍ୟେ ଅଦୃଶ୍ୟେ ଛନ୍ତି ପୂରି ॥ ୩୯୦

ତାଙ୍କୁ ଏ ରୂପେ ଧ୍ୟାନ କର । ବଦନେ ତା ନାମ ଉଚ୍ଚାର ॥ ୩୯୧

ଶ୍ରବଣ କର ନିରବଧି । ତା ପାଦେ ଦେଇ ଚିତ୍ତ ବୁଦ୍ଧି ॥ ୩୯୨

ଏ ଯୋଗ ସର୍ବେ ଚିତ୍ତେ ଧର । ଏ ମୁନିବ୍ରତ ଦୃଢେ କର ॥ ୩୯୩

ସମତା ଭାବେଣ ଆରଧି । ହୃଦରେ ଘୋଷ ନିରବଧି ॥ ୩୯୪

ଏ ଗୀତା ପୂର୍ବେ ଧାତା ମୋତେ । କହିଲେ ଭୃଗ୍ୱାଦି ସହିତେ ॥ ୩୯୫

ଏ ସ୍ତବ ପଢ଼ନ୍ତେ ଆମ୍ଭର । ଅଜ୍ଞାନଦଶା ଗଲା ଦୂର ॥ ୩୯୬

ଅଜ୍ଞାନ ଶେଷେ ଜ୍ଞାନ ଦୃଶ୍ୟ । ସକଳେ ହୋଇଲୁ ହରଷ ॥ ୩୯୭

ତେବେ ବିବିଧମତେ ଆମ୍ଭେ । ସୃଷ୍ଟି ସର୍ଜିଲୁ କ୍ରିୟା ଦମ୍ଭେ ॥ ୩୯୮

ଏ ଗୀତା ପଠନ ଶ୍ରବଣେ । ଯେ ଫଳ ହୋଇବ ବିଧାନେ ॥ ୩୯୯

କହିବା ଶୁଦ୍ଧ-ଚିତ୍ତେ ଶୁଣ । ବେଦ ବେଦାନ୍ତେଯେ ପ୍ରମାଣ ॥ ୪୦୦

ଏହା ଯେ ନିରତେ ଶୁଣନ୍ତି । ତ୍ରିବିଧ-ତାପ ବିନାଶନ୍ତି ॥ ୪୦୧

ଯେବା ଆଦରେ ଦୃଢେ ସ୍ମରେ । ସକଳ ଆପଦୁ ଉଦ୍ଧରେ ॥ ୪୦୨

ଏ ସର୍ବ-ଧର୍ମ ମଧ୍ୟେ ସାର । ଏ ବିନୁ ନାହିଁ ଶ୍ରେୟ ଆର ॥ ୪୦୩

ହେ ପୁତ୍ରେ ଦୃଢ଼ଚିତ୍ତେ ଧର । ଦୁଃଖସାଗରୁ ହେବ ପାର ॥ ୪୦୪

ଇହ ଲୋକରେ ସୁଖ ଭାବ । ତୃତୀୟ-ତାପ ନ ଲାଗିବ ॥ ୪୦୫

ଏ ସ୍ତବେ ପୂଜ ହରିପାଦ । ଖଣ୍ତିବ ବିଷୟା-ବିଷାଦ ॥ ୪୦୬

ତୁମ୍ଭର ଭକ୍ତି ସେ ଘେନିବେ । କାମାଦି-ଶତ୍ରୁ ନିବାରିବେ ॥ ୪୦୭

କାମନା-ଭୋଗେ ଇଚ୍ଛା ଯାର । ସମ୍ପୁର୍ଣ୍ଣେ ଲଭିବ ସେ ନର ॥ ୪୦୮

ପ୍ରଭାତ ମଧ୍ୟାହ୍ନ ସନ୍ଧ୍ୟାରେ । ଯେବା ପଢ଼ନ୍ତି ନିରନ୍ତରେ ॥ ୪୦୯

ନିର୍ମଳେ ପ୍ରକାଶଇ ଜ୍ଞାନ । ଅସତ୍ୟ ଦେଖେ ଭୋଗମାନ ॥ ୪୧୦

ଯେ ଶ୍ରଦ୍ଧାବିଧାନେ ପଢ଼ନ୍ତି । ଅଜ୍ଞାନ-ଭ୍ରମେ ନ ପଡନ୍ତି ॥ ୪୧୧

ଅଜ୍ଞାନ ଗୃହବାସ ତାର । ସେ ଜନ୍ମ ନୋହେ ପୁନର୍ବାର ॥ ୪୧୨

ମହେଶ କହିଲେ କର୍ଣ୍ଣରେ । ଆନନ୍ଦେ ଶୁଣି ତା କୁମରେ ॥ ୪୧୩

ସାଷ୍ଟାଙ୍ଗେ ତାହାଙ୍କ ଚରଣେ । ନମିଲେ ପ୍ରଚେତସ ଗଣେ ॥ ୪୧୪

କଲ୍ୟାଣ କଲେ ଶୂଳଧର । ସକଳ-ବାଞ୍ଛା ପୂର୍ଣ୍ଣକର ॥ ୪୧୫

ସେ ଗୁରୁ-ଶିଷ୍ୟଙ୍କ ଚରିତ । ମୈତ୍ରେୟ-ବିଦୁର କଥିତ ॥ ୪୧୬

କହିଲୁ ତୁମ୍ଭଙ୍କୁ ପ୍ରସନ୍ନେ । ଯେ ଏହା ଶୁଣେ ଶୁଦ୍ଧମନେ ॥ ୪୧୭

ଏ ଘୋର ସଂସାରୁ ତରନ୍ତି । ମରଣେ ନାହିଁ ତାଙ୍କ ଭୀତି ॥ ୪୧୮

ମୈତ୍ରେୟ-ବିଦୁର ସମ୍ବାଦ । କହିଲୁ ଶୁଣ ଭକ୍ତି ଭେଦ ॥ ୪୧୯

ଯେ ଏହା ଶ୍ରଦ୍ଧାରେ ଶୁଣନ୍ତି । ଚତୁରବର୍ଗ ଫଳ ପାନ୍ତି ॥ ୪୨୦

ଭଣଇ ବିପ୍ର ଜଗନ୍ନାଥ । ଚତୁ୍ର୍ଥସ୍କନ୍ଧେ ଭାଗବତ ॥ ୪୨୧

ଇତି ଶ୍ରୀମଦ୍ଭାଗବତ ମହାପରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ରୁଦ୍ରଗୀତଂ ନାମ ଚତୁର୍ବିଂଶୋଽଧ୍ୟାୟଃ ॥

* * *