ଚତୁର୍ଥ ସ୍କନ୍ଧ
ତ୍ରୟୋବିଂଶ ଅଧ୍ୟାୟ
ଶୁଣି ବିଦୁର କୃତକୃତ । ନମେ ମୈତ୍ରେୟ ପାଦଗତ ॥ ୧
ଭୋମୁନି କରିବା ନିସ୍ତାର । କହ ସଂଶୟ ଯାଉ ଦୂର ॥ ୨
ପୃଥୁ କି କଲେ ଏ ଅନ୍ତରେ । ବୈକୁଣ୍ଠ ଗଲେ କି ପ୍ରକାରେ ॥ ୩
ବିଦୁର ତହୁଁ ଏହା ଶୁଣି । କହେ ମୈତ୍ରେୟ ମନେ ଗୁରି ॥ ୪
ମୈତ୍ରେୟ ଉବାଚ
ଶୁଣ ବିଦୁର ଶୁଦ୍ଧଚିତ୍ତେ । ରାଜାର କିଛିକାଳ ଅନ୍ତେ ॥ ୫
ବୃଦ୍ଧ ଶରୀର ଗ୍ରାସେ କାଳ । ଦେଖି ବିଷାଦ ମହୀପାଳ ॥ ୬
ମୁଁ ଯେ ଦ୍ୱିତୀୟ ପ୍ରଜାପତି । ଯେଣୁ ମୁଁ କଳି ସର୍ବସ୍ଥିତି ॥ ୭
ଅନ୍ନାଦି ଉତ୍ପତ୍ତି ମୁଁ କଲି । ନଗର ପୁର ବସାଇଲି ॥ ୮
ସ୍ଥାବର ଢଙ୍ଗମାଦି ଯେତେ । ଅନ୍ନ ମୁଁ ଦେଲି ଯେଝାମତେ ॥ ୯
ସାଧୁଙ୍କ ଧର୍ମ ରକ୍ଷା କଲି । ଈଶ୍ୱର ବଚନ ପାଳିଲି ॥ ୧୦
ଏ ଧର୍ମ-ରକ୍ଷା ଅର୍ଥେ ମୁହିଁ । ଜନ୍ମ ଲଭିଲି କର୍ମଭୂଇଁ ॥ ୧୧
ଏବେ ଶରୀର ବୃଦ୍ଧ ହେଲା । କାମାଦି କର୍ମହିଁ ସରିଲା ॥ ୧୨
ଏବେ କି ଅର୍ଥେ ଥିବି ମୁହିଁ । ବନେ ପଶିବି କୃଷ୍ଣ ଧ୍ୟାୟି ॥ ୧୩
ଏବେ ଶମନ ନିଜ ସ୍ଥିତି । କରିବ ବିଚାରେ ନୃପତି ॥ ୧୪
ଦୁହିତା ପ୍ରତୁଲ୍ୟେ ଧରଣୀ । ପୁତ୍ରେ ନିବେଶି ନୃପମଣି ॥ ୧୫
ପୁତ୍ରକୁ ଦେଇ ସିଂହାସନ । ଦଣ୍ତ ଛତ୍ରାଦି ନୃପ ଚିହ୍ନ ॥ ୧୬
ସକଳ ସମପି କୁମରେ । ଗମନ କଲେ ବନ ଘୋରେ ॥ ୧୭
ପୃଥିବୀ ପୃଥୁ ତ୍ୟାଗଭରେ । ଶୋକେ ରହିଲା ପୁତ୍ରଠାରେ ॥ ୧୮
ସଙ୍ଗତେ ଘେନି ଅର୍ଚ୍ଚି ନାରୀ । ରୋଦନ୍ତି ପ୍ରଜା ନଗ୍ର ପୂରୀ ॥ ୧୯
ସ୍ୱଇଚ୍ଛା ମନେ ଦୁଃଖ-ଶ୍ରମେ । ତପ ଆରାଧି ଯୋଗଧର୍ମେ ॥ ୨୦
କଠୋର ଉଗ୍ରତପେ ରାୟେ । ଯେମନ୍ତେ ପୂର୍ବେ ରାଜ୍ୟ ଜୟେ ॥ ୨୧
ଯେ ବାନପ୍ରସ୍ଥର ବିଧାନ । ନିୟମ କଲେ ସେ ରାଜନ ॥ ୨୨
ଫଳାଦି ଶାକ କଦମୂଳ । ଭୋଜନ କଲେ ମହୀପାଳ ॥ ୨୩
ଏମନ୍ତେ କେତେ କାଳାନ୍ତରେ । ତାହା ତେଜିଲେ ନୃପବରେ ॥ ୨୪
ନୀରସ-ପତ୍ର ଭୋଗ କରି । ତୁଷ୍ଟେ ଆନନ୍ଦେ ପ୍ରାଣ ଧରି ॥ ୨୫
ତାହା ଭକ୍ଷିଣ କିଛିଦିନ । ତପ ସାଧିଲେ ତୋଷମନ ॥ ୨୬
ସେ ପତ୍ରାଶନ ତେଜି ରାୟେ । ଜଳ ଆହାରେ ସୁଖମୟେ ॥ ୨୭
ଏମନ୍ତେ କିଛି କାଳାନ୍ତରେ । ଜଳ ତେଜିଲେ ନୃପବରେ ॥ ୨୮
ନିର୍ଜଳ ତପସ୍ୟା କଠୋର । କେବଳ ପବନ ଆହାର ॥ ୨୯
ପୁଣି ନିଦାଘକାଳେ ନୃପ । ତପସ୍ୟା କଲେ ପଞ୍ଚ ତାପ ॥ ୩୦
ଅଗ୍ନି ଜାଳି ଦିଗ ସକଳେ । ନିର୍ବିଘ୍ନେ ରାଜନ ବସିଲେ ॥ ୩୧
ସୂର୍ଯ୍ୟ-ମଣ୍ତଳେ ଦୃଷ୍ଟି ଧରି । ପରମ ବ୍ରହ୍ମେଧ୍ୟାନ କରି ॥ ୩୨
କୃଷ୍ଣ-ଚରଣ-ପଦ୍ମ ଆଶେ । ତପ ସାଧିଲେ ବହୁକ୍ଳେଶେ ॥ ୩୩
ବରଷା କାଳେ ମହୀପତି । ଦୁଃସହ-ଜଳଧାରେ ତିନ୍ତି ॥ ୩୪
ଶିଶିର କାଳେ ତପ କରେ । ବୁଡି ଆକଣ୍ଠ ଶୀତନୀରେ ॥ ୩୫
ଶୟନେ ଭୂମି ଶଯ୍ୟା କରି । ଏ ଘୋର-ତପସ୍ୟା ଆଚରି ॥ ୩୬
ଜିତ-ବଚନ ଉର୍ଦ୍ଧ୍ୱରେତ । ଚିତ୍ତ ସମୀର ଶାନ୍ତ ଦାନ୍ତ ॥ ୩୭
କୃଷ୍ଣ-ଚରଣ ସେବା ପାଇଁ । କଠିନ-ତପେ ନୃପସାଇଁ ॥ ୩୮
ଲୋକ-ଶିକ୍ଷାରେ ତପ କଲେ । ବିଷୟ-କର୍ମ ବିନାଶିଲେ ॥ ୩୯
ନିରତେ ପ୍ରାଣାୟାମ କରି । ଇନ୍ଦ୍ରିୟ ବିଷୟ ସଂହରି ॥ ୪୦
ଛାଡିଲେ ଅଶେଷ ବନ୍ଧନ । ଯେ କିଛି ବାସନାଦି ମାନ ॥ ୪୧
ନିଶ୍ଚଳ ଚିତ୍ତେ ନୃପବର । ଯୋଗସାଧନେ ନିଷ୍ଠାପର ॥ ୪୨
ଯେ ଜ୍ଞନ ବ୍ରହ୍ମାଙ୍କ କୁମର । କହି ଯେ ଥିଲେ ଯୋଗସାର ॥ ୪୩
ସେ ଯୋଗେ ଗୋବିନ୍ଦଚରଣ । ନିତ୍ୟେ ଆରାଧି ନୃପରାଣ ॥ ୪୪
ଶ୍ରଦ୍ଧା ଭକତି ଦୃଢ଼ଚିତ୍ତେ । ଭକ୍ତି ଜନ୍ମିଲା ହୃଦଗତେ ॥ ୪୫
ଆନନ୍ଦେ ପ୍ରେମାଙ୍ଗ-ଭକତି । ଶ୍ରୀକୃଷ୍ଣେ କଲେ ମହୀପତି ॥ ୪୬
ସେ ହରି ଭଜନ ପ୍ରବଳ । ହୋଇଳା ମନ ସୁନିଶ୍ଚଳ ॥ ୪୭
ନିର୍ମଳ-ମନ ପ୍ରକାଶିଲା । ବୈରାଗ୍ୟ ଜ୍ଞନ ଉପୁଜିଲା ॥ ୪୮
ସେ ଜ୍ଞନ-ତୀକ୍ଷ୍ମ-ଶସ୍ତ୍ରେ ରାୟେ । ଛେଦିଲେ ହୃଦୟ-ସଂଶୟେ ॥ ୪୯
ଯେ କର୍ମ-ଗ୍ରନ୍ଥି ଜୀବକୋଷ । ଜ୍ଞାନ ଖଡଗେ କଲେ ନାଶ ॥ ୫୦
ଦେହରେ ଆତ୍ମବୁଦ୍ଧି ଯେହି । ତକ୍ଷଣେ ଦୂରେ ଗଲା ସେହି ॥ ୫୧
ଏଣୁ ପାଇଲେ ଆତ୍ମଗତି । ନିରହଙ୍କାର ହେଲା ମତି ॥ ୫୨
ଏ ସର୍ବ ଯେ ଜ୍ଞାନେ ବିନାଶ । ତା ପରିହରି ନୃପଈଶ ॥ ୫୩
ଯାବତ ହରିଙ୍କ ଭଜନ । ନୋହିଛି ତାବତ ସାଧନ ॥ ୫୪
ଯେବେ ଶ୍ରୀକୃଷ୍ଣ ଭାବେ ରତି । ଶୁଦ୍ଧ ହୋଇବ ତେବେ ମତି ॥ ୫୫
ଭଜନ-ରସେ ମତ୍ତ ହୋଏ । ନ ପଡେ ଶୋକ ମାୟାମୋହେ ॥ ୫୬
ଏ ରୂପେ କଲେ ସେ ରାଜନ । ଆତ୍ମାରେ ଆତ୍ମାକୁ ଯୋଜନ ॥ ୫୭
ସେ ଯୋଗୀ ଯୋଗାସନ ବଳେ । ବ୍ରହ୍ମସ୍ୱରୂପୀ ସେ ହୋଇଲେ ॥ ୫୮
କାଳେ ଛାଡିଲେ କଳେବର । ଏ ଅନୁକ୍ରମେ ହେ ବିଦୁର ॥ ୫୯
ସୁସ୍ଥିରେ ବସି ଯୋଗାସନେ । ଦେହେ ସମୀର ସମାଧାନେ ॥ ୬୦
ବାମ-ଚରଣ ମୂଳାଧାରେ । ନିରୋଧି ଚାପିଲେ ନର୍ଭରେ ॥ ୬୧
ସେ ମୂଳାଧାରରୁ ପବନ । ଉଦ୍ଧ୍ୱର୍କୁ ଟେକିଲେ ରାଜନ ॥ ୬୨
ନାଭିରୁ ହୃଦୟ-କମଳେ । ପବନ ରଖିଲେ ସଧୀରେ ॥ ୬୩
ତହୁଁ ଷୋଡ଼ଶଦଳେ ନେଲେ । ତହୁଁ କଣ୍ଠରେ ତହୁଁ ଶିରେ ॥ ୬୪
ଏ ରୂପେ ପ୍ରାଣାଦି ପବନ । ଭେଦିଣ ଏ ଷଡଚକ୍ରେଣ ॥ ୬୫
ସେ ବ୍ରହ୍ମରନ୍ଧ୍ରେ ଯୋଗବଳେ । ଏ ସର୍ବ କରି ଏକ ଠୁଳେ ॥ ୬୬
ମନ ପବନ ଦୃଢେ ଧରି । ଭିତରେ ରହିଲେ ପାଶୋରି ॥ ୬୭
ସେ ବନେ ପୃଥୁ ନୃପନାଥ । ହେଦ ଧାରଣେ ପଞ୍ଚଭୂତ ॥ ୬୮
ଯେଝାନୁକ୍ରମେ ଯୋଗବଳେ । ସମଷ୍ଟିଭୂତେ ଲୟ କଲେ ॥ ୬୯
ପବନ ନ୍ୟାସି ସମୀରଣେ । ଯେ କିଛି ଦେହାଦି ଧାରଣେ ॥ ୭୦
କ୍ଷିତିକି ଆପ ମଧ୍ୟେ ନ୍ୟାସି । ସେ ଜଳ ଅନଳେ ନିବେଶି ॥ ୭୧
ତେଜକୁ ପବନେ ସଂହରି । ଶବଦ ତମୋଗୁଣେ ଧରି ॥ ୭୨
ଇନ୍ଦ୍ରିୟ ଗଣେ ଯୁକ୍ତ ମନ । ତାହା ଆକାଶେ କରି ଲୀନ ॥ ୭୩
ଆକାଶ ଶବଦେ ସଂହରି । ଶବଦ ତମୋଗୁଣେ ଧରି ॥ ୭୪
ଏ ଯେ ତାମସ ଅହଙ୍କାର । କାର୍ଯ୍ୟ ଯେ ମହାଭୂତ ତାର ॥ ୭୫
ଯେ ରୂପେ ଲୟ କଲେ ନୃପ । ଶୁଣ ବିଦୁର ତା ସ୍ୱରୂପ ॥ ୭୬
ପୃଥିବୀ ଗନ୍ଧେ ଲୟ କରି । ଆପକୁ ରସ ମଧ୍ୟେ ଧରି ॥ ୭୭
ତେଜକୁ ରୂପ ମଧ୍ୟେ ଥୋଇ । ପବନ ସ୍ପରଶେ ଲଗାଇ ॥ ୭୮
ଶବଦେ ଆକାଶ ସଂହରି । ଏ ସର୍ବ ତମଗୁଣେ ଭରି ॥ ୭୯
ଯେ ତମ ସାତ୍ତ୍ୱିକ ରାଜସ । ଏକତ୍ୱେ କଲେ ତା ପ୍ରକାଶ ॥ ୮୦
ଇନ୍ଦ୍ରି ସହିତେ ବୁଦ୍ଧି ମନ । ଯେଝାନୁକ୍ରମେ କଲେ ଲୀନ ॥ ୮୧
ଶବଦ ଆଦି ଇନ୍ଦ୍ରିଗଣେ । ଲୀନ ହୋଇଲେ ଯେଝାସ୍ଥାନେ ॥ ୮୨
ଏହାଙ୍କ ଅଧିଷ୍ଠାତା ଦେବେ । ଲୟେ ପାଇଲେ ଯେଝାଭାବେ ॥ ୮୩
ଏକତ୍ୱେ ଅହଙ୍କାର ନେଇ । ସେ ମହତ୍ତତ୍ତ୍ୱରେ ମିଶାଇ ॥ ୮୪
ଏ ସର୍ବ-ତତ୍ତ୍ୱ ଗୁଣେ ନ୍ୟାସି । ମହତ୍ତତ୍ତ୍ୱରେ ପରକାଶି ॥ ୮୫
ସେ ମହତ୍ତତ୍ତ୍ୱ ମାୟା ମୟେ । ପ୍ରକୃତି ସଙ୍ଗେ ହେଲେ ଲୟେ ॥ ୮୬
ଜ୍ଞାନ ବୈରାଗ୍ୟ ଯୋଗବଳେ । ଏ ଜୀବ ବ୍ରହ୍ମେ ଯାଇ ମିଳେ ॥ ୮୭
ଏମନ୍ତେ ପୃଥୁ ମହୀପାଳ । ଦେହ ତେଜିଲେ ପାଇ କାଳ ॥ ୮୮
ସେ ଅର୍ଚ୍ଚି ପତିବ୍ରତା ନାରୀ । ସ୍ୱଧର୍ମେ ସ୍ୱାମୀ-ପାଦ ଧରି ॥ ୮୯
ଦେହ ଶୁଖାଇ ତପେ ଥିଲେ । ସ୍ୱାମୀର ମରଣ ଦେଖିଲେ ॥ ୯୦
ତକ୍ଷଣେ ହୋଇ ହତଜ୍ଞାନ । ଆକୁଳେ କରନ୍ତି ରୋଦନ ॥ ୯୧
ଭୋନାଥ ମୋର ପ୍ରାଣନାହା । ମୋତେ ଦେଖାଅ କିମ୍ପା ଏହା ॥ ୯୨
କପଟେ ମୁଦ୍ରିତ ଲୋଚନ । ଶ୍ୱାସ ବହଇ ଅତି କ୍ଷୀଣ ॥ ୯୩
ତୁ କାଳ ବିହନ୍ତା ଈଶ୍ୱର । ଏ ତୋର ମାୟା ଖେଡଘର ॥ ୯୪
ସ୍ଥିତି ଉତ୍ପତ୍ତି କରୁ ନାଶ । ତୁ ମାତ୍ର ରହୁ ଅବଶେଷ ॥ ୯୫
ତୁ ସର୍ବକାରଣ ମୁରାରି । କାର୍ଯ୍ୟ କାରଣେ ଦେହ ଧରି ॥ ୯୬
ତୁ କାଳ ରୂପୀ ଭଗବାନ । ଅନ୍ତେ ସକଳ କରୁ ଲୀନ ॥ ୯୭
ଭୋ ଯୋଗେଶ୍ୱର ତୋ ମହିମା । ନ ଜାଣି ପାରେ ହରବ୍ରହ୍ମା ॥ ୯୮
ଯା ନାମେ ମୃତ୍ୟୁଭୟ ନାଶେ । ମୃତ୍ୟୁ ଅମୃତ୍ୟୁ ପରକାଶେ ॥ ୯୯
ଏବେ କପଟେ ମୃତ୍ୟୁ ଭୟେ । ମୋତେ ଦେଖାଅ ମାୟାମୋହ ॥ ୧୦୦
ଏ ମାୟାମୋହ ଦ୍ୱନ୍ଦ୍ୱ-ପାଶ । ପ୍ରତେଜି ତୁମ୍ଭ ପ୍ରତିଆଶ ॥ ୧୦୧
ଏବେ ଉପେକ୍ଷି ବନ ଘୋରେ । ତେଜିଣ ଗଲ ନିଜପୁରେ ॥ ୧୦୨
ମୁଁ ଯେ ନିରତେ ଅପରାଧୀ । ତୋ ପାଦେ ନ ସେବି ଦୁର୍ବୁଦ୍ଧି ॥ ୧୦୩
ସେ ଅପରାଧ ଦୋଷେ ମୋତେ । ଏବେ ତେଜିଲ ଦୁଃଖ ଚିତ୍ତେ ॥ ୧୦୪
ତୁମେ ଯେ ମୋର ମନ ଦୁଃଖେ । ବହ ସୁଦୟା-ଭାବ ସୁଖେ ॥ ୧୦୫
ଭୋ ସଖି ନ ତେଜିବି ତୋତେ । ଯାବତ ପ୍ରାଣ ଦେହଗତେ ॥ ୧୦୬
ସେ ଆଜ୍ଞା ଅଭାଗ୍ୟେ ମୋହର । ଏବେ ଫଳିଲା ଯୋଗେଶ୍ୱର ॥ ୧୦୭
ଏ ରୂପେ ବିଳପେ ସୁନ୍ଦରୀ । ଶୋକସାଗରେ ତନୁଘାରି ॥ ୧୦୮
ସେ ଅର୍ଚ୍ଚିଦେବୀ ଜ୍ଞାନବତୀ । ତକ୍ଷଣେ ଧୀର କରି ମତି ॥ ୧୦୯
ପର୍ବତ-ପ୍ରାନ୍ତେ ଚିତା କଲେ । ସ୍ୱାମୀଙ୍କି ତହିଁ ନିବେଶିଲେ ॥ ୧୧୦
ମୁଖାଗ୍ନି କରି ବିଧିମତେ । ସ୍ନାନ ଉଦକ କ୍ରିୟା ଯେତେ ॥ ୧୧୧
ସୂର୍ଯ୍ୟଙ୍କୁ କରି ଅର୍ଘ୍ୟଦାନ । ଯେ କର୍ମ ଯେ ବିଧି ବିଧାନ ॥ ୧୧୨
ଦେବଙ୍କୁ କରି ନମସ୍କାର । ସଂପୁଟେ ଯୋଡି ବେନିକର ॥ ୧୧୩
ଏ ସର୍ବ ସାରିଣ ସୁନ୍ଦରୀ । ଅଗ୍ନିକୁ ପ୍ରଦକ୍ଷିଣ କରି ॥ ୧୧୪
ପ୍ରବେଶ ଅଗ୍ନି ମଧ୍ୟେ ଯାଇ । ଦେବେ ଦେଖନ୍ତି ଶୂନ୍ୟେ ଥାଇ ॥ ୧୧୫
ସିଦ୍ଧ ଚାରଣ ବିଦ୍ୟାଧର । ଇନ୍ଦ୍ରାଦି ଯେତେ ଅନୁଚର ॥ ୧୧୬
ଯେ ଯାହା ମତେ କରି ସ୍ତୁତି । ଆନନ୍ଦେ ପୁଷ୍ପ ବରଷନ୍ତି ॥ ୧୧୭
ଦୁନ୍ଦୁଭି ବାଦ୍ୟ-ନାଦ କରି । ରଙ୍ଗେ ନାଚନ୍ତି ଅପସରୀ ॥ ୧୧୮
ମଙ୍ଗଳାଳାପେ ଶୁଦ୍ଧ-କାଳେ । ସେ ପତିପତ୍ନୀ ଏକମେଳେ ॥ ୧୧୯
ଆକାଶେ ଯାନ୍ତି ଦେବଯାନେ । ଯେହ୍ନେ ତଡିତ ନବଘନେ ॥ ୧୨୦
ଦେବେ ଆନନ୍ଦେ ସ୍ତୁତି ଭଣି । ଶିରେ ନିବେଶି ବେନିପାଣି ॥ ୧୨୧
ପ୍ରଶଂସି ଦେବୀ ଜଣେ ଜଣେ । ଆନନ୍ଦେ ଅଶ୍ରୁଳ ଲୋଚନେ ॥ ୧୨୨
ଧନ୍ୟ ସାଧବୀ ପତିବ୍ରତା । ସ୍ୱାମୀ-ସେବାରେ ଅନୁରତା ॥ ୧୨୩
ତେଜିଣ ଅଚଳ-ବିଭୂତି । ସ୍ୱାମୀର ସଙ୍ଗତେ ଚଳନ୍ତି ॥ ୧୨୪
ଯେଣୁ ଏ ପୂର୍ବେ ତପ କଲେ । ତେଣୁ ଦେବଙ୍କ ଉର୍ଦ୍ଧ୍ୱେ ଗଲେ ॥ ୧୨୫
ଯେସନେ ଲକ୍ଷ୍ମୀନାରାୟଣ । ଏ ବେନି ଦିଶନ୍ତି ତେସନ ॥ ୧୨୬
ଲକ୍ଷ୍ମୀ ସଦୃଶ ଏ ଯୁବତୀ । ଲଭିଲେ ଏକାଙ୍ଗ ଭକତି ॥ ୧୨୭
ଯେଣୁ ସୁକର୍ମ କରିଛନ୍ତି । ତେଣୁ ଲଭିଲେ ନିଜପତି ॥ ୧୨୮
ଧନ୍ୟ ସେ ମର୍ତ୍ତ୍ୟ କର୍ମଭୂମି । ଅଳ୍ପ-ଆୟୁଷ ପ୍ରାଣୀ ଜନ୍ମି ॥ ୧୨୯
ସ୍ୱଧର୍ମ-କର୍ମ ଆଦରନ୍ତି । ସକଳ ଆପଦୁ ତରନ୍ତି ॥ ୧୩୦
ନିଷ୍ପାପ ଅଟେ ଯେଉଁ ନର । ସ୍ୱର୍ଗାପବର୍ଗ ନୋହେ ଦୂର ॥ ୧୩୧
ଏଣୁ ନିଷ୍କାମ ଯାର ମତି । ସେ ଲଭେ ଏକାନ୍ତ ଭକତି ॥ ୧୩୨
ସ୍ୱର୍ଗାଦି ଭୋଗ କିବା ତାର । ଯହିଁ ବସନ୍ତି ଭକ୍ତ ନର ॥ ୧୩୩
କୃଷ୍ଣ-ଚରିତ ନିତ୍ୟେ ଭାବି । ରୋମ ପୁଲକେ ଅଶ୍ରୁ ଦ୍ରବି ॥ ୧୩୪
ନିର୍ମଳ ହୋଏ ବୁଦ୍ଧି ମତି । ଅଜ୍ଞାନ ମୋହ ବିନାଶନ୍ତି ॥ ୧୩୫
ଏ ଭାବ ନ ଘେନେ ଯା ଚିତ୍ତ । ସେ ଦୁଃଖସାଗରେ ପୀଡିତ ॥ ୧୩୬
ସେ ଆତ୍ମାବୋଧେ ଭାଗୀହୋଇ । ଯେ ନିତ୍ୟେ ବିଷୟେ ମଜ୍ଜଇ ॥ ୧୩୭
ଏମନ୍ତେ ଶୁଣ ହେ ବିଦୁର । ସେ ଦେବ କାମିନୀ ବିଚାର ॥ ୧୩୮
ସେ ଅର୍ଚ୍ଚିଦେବୀଙ୍କି ସ୍ତୁବନ୍ତି । ପ୍ରବେଶ ପତିଲୋକେ ସତୀ ॥ ୧୩୯
ସେ ପୃଥୁ ଭକତ-ଉତ୍ତମ । ଯାହାଙ୍କ ଚରିତ ଉଦ୍ଦାମ ॥ ୧୪୦
ବର୍ଣ୍ଣିଲୁ ତାହାଙ୍କ ଚରିତ । ଶ୍ରବଣେ ହୁଅ ଶୁଦ୍ଧଚିତ୍ତ ॥ ୧୪୧
ସେ ପୃଥୁ ପୁଣ୍ୟ-ଉପାଖ୍ୟାନ । ଶ୍ରଦ୍ଧାରେ ପଢନ୍ତି ଯେ ଜନ ॥ ୧୪୨
ସେ ପୃଥୁ ପଦକୁ ଲଭନ୍ତି । ଜନ୍ମ ମରଣୁ ନିସ୍ତରନ୍ତି ॥ ୧୪୩
ଏ ଚାରିବର୍ଣ୍ଣ ମଧ୍ୟଗତେ । ପଢନ୍ତି ଶୁଣନ୍ତି ଯେ ନିତ୍ୟେ ॥ ୧୪୪
ତା ସର୍ବକାମ ସିଦ୍ଧି ହୋଏ ସିଦ୍ଧି । ସକଳ-ବର୍ଣ୍ଣେ ସେ ପ୍ରସିଦ୍ଧି ॥ ୧୪୫
ଯେ ବିପ୍ରଜନ ଏହା ପଢେ । ବ୍ରହ୍ମପଦକୁ ଲଭେ ଦୃଢ଼େ ॥ ୧୪୬
କ୍ଷତ୍ରିୟ କଲେ ଅଧ୍ୟୟନ । ରାଜତ୍ୱ ପଣେ ସେ ନିପୁଣ ॥ ୧୪୭
ଗାୟନ କଲେ ବୈଶ୍ୟଜନ । କୃଷ୍ୟାଦି କାଣିଜ୍ୟେ ନିପୁଣ ॥ ୧୪୮
ସେ ଜ୍ଞାନୀଜନେ ଶ୍ରେଷ୍ଠ ହୋଇ । ଧର୍ମାଥୀଜୀବନେ ଜୀଅଇ ॥ ୧୪୯
ଶ୍ରବଣେ ଶୂଦ୍ର ହୋଏ ସୁଖୀ । ଭକତ ମଧ୍ୟେ ତାକୁ ଲେଖି ॥ ୧୫୦
ତ୍ରିକାଳ ଶ୍ରବଣ କୀର୍ତ୍ତନେ । ଯେ ନରନାରୀ ଶୁଦ୍ଧମନେ ॥ ୧୫୧
ସକଳ-କାମାର୍ଥ ଲଭନ୍ତି । ଭୋଗାନ୍ତେ ଦୈକୁଣ୍ଠେ ବସନ୍ତି ॥ ୧୫୨
ନିର୍ଦ୍ଧନ-ଅପୁତ୍ରିକ-ଜନ । ଲଭେ ଅପତ୍ୟ ବହୁ-ଧନ ॥ ୧୫୩
ଅକୀର୍ତ୍ତମନ୍ତ ଯେବା ଜନ । ଶ୍ରବଣେ ଲଭେ କୀର୍ତ୍ତିମାନ ॥ ୧୫୪
ସେ ଣ୍ୟେ ପୃଥୁର ଚରିତ । ଶ୍ରବଣେ ମୂର୍ଖ ସୁପଣ୍ତିତ ॥ ୧୫୫
ଯେ ପ୍ରତିଦିନେ ଅଧ୍ୟୟନ୍ତି । ଅଶୁଭ କର୍ମ ବିନାଶନ୍ତି ॥ ୧୫୬
ଯଶ ଆୟୁଷ ଧନ ଆର । ଶ୍ରବଣେ ବଢ଼େ ନିରନ୍ତର ॥ ୧୫୭
ଅପରେ ଧର୍ମ ଅର୍ଥ ଚାରି । ଲଭନ୍ତି ତ୍ରିତାପ ନିବାରି ॥ ୧୫୮
ଯେବେ କ୍ଷତ୍ରିୟ ରିପୁ ଭୟେ । ଶ୍ରବଣେ ଚତୁର୍ଦ୍ଦିଗ ଜୟେ ॥ ୧୫୯
ଏ ସର୍ବ କର୍ମଫଳ ପାଇ । ଯେ ଅବା ନିରତେ ଶୁଣଇ ॥ ୧୬୦
ଏ ପୁଣ୍ୟ ପୃଥୁର ଚରିତ । ସଦ୍ୟ ବିଶୁଦ୍ଧ ହୋଏ ଚିତ୍ତ॥ ୧୬୧
ପଠନ କରେ ଯେବା ପ୍ରାଣୀ । ସୁସାଧୁ ମଧ୍ୟେ ତାକୁ ଗଣି ॥ ୧୬୨
ଯେ ମୁଖେ କରନ୍ତି ଗାୟନ । ବିଶୁଦ୍ଧ ହୋଏ ବୁଦ୍ଧି ମନ ॥ ୧୬୩
ତାର ଅଶେଷ ପୁଣ୍ୟମୟେ । ବିପ୍ର କଲ୍ୟାଣେ ତାର ହୋଏ ॥ ୧୬୪
ବ୍ରାହ୍ମଣ-ମୁଖୁ ଯେବେ ଶୁଣି । ଅନ୍ୟତ୍ରୁ ଚତୁର୍ଗୁଣ ଜାଣି ॥ ୧୬୫
ବିପ୍ର-ପୂଜନେ ହରି ତୋଷ । ତାଙ୍କୁ ନ ଲାଗେ ଗୁଣ-ଦୋଷ ॥ ୧୬୬
ଶୁଣ ବିଦୁର ସାବଧାନେ । ସେ ପୃଥୁ ଚରିତ ଆଖ୍ୟାନେ ॥ ୧୬୭
ଅମୃତ ରସମୟ ଗୀତ । ଶ୍ରବଣେ ନିସ୍ତରେ ପତିତ ॥ ୧୬୮
ପାର୍ଥବୀ ଗତି ହୋଏ ତାର । ସ୍ୱର୍ଗାପବର୍ଗ ନୋହ ଦୂର ॥ ୧୬୯
ଏ ମୋହ-ସଂସାର ତାରଣେ । ଅନ୍ୟଥା ନାହିଁ ଉଦ୍ଧାରଣେ ॥ ୧୭୦
ଚତୁର୍ଥ ସ୍କନ୍ଧେ ଭାଗବତ । ତ୍ରିବିଂଶ-ଅଧ୍ୟାର ଚରିତ ॥ ୧୭୧
ମୈତ୍ରେୟ-ବିଦୁର ସମ୍ବାଦ । ଶ୍ରବଣେ ଖଣ୍ତଇ ଆପଦ ॥ ୧୭୨
ଶୁଣନ୍ତେ ତୁଟେ ଭବବ୍ୟାଧି । ଶ୍ରବଣେ ପାପ-ବନ୍ଧ ଛେଦି ॥ ୧୭୩
ହରି-ଚରଣ ଆଶ୍ରେ କର । ସକଳ-ପାପ ହେବ ଦୂର ॥ ୧୭୪
ସୁଜନେ ଏହି ରସେ ରସ । ଭଣଇ ଜଗନ୍ନାଥ ଦାସ ॥ ୧୭୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସିଂହତାୟାଂ
ଚତୁର୍ଥ ସ୍କନ୍ଧେ ତ୍ରୟବିଂଶୋଽଧ୍ୟାୟଃ ॥
* * *