ଚତୁର୍ଥ ସ୍କନ୍ଧ
ଦ୍ୱାବିଂଶ ଅଧ୍ୟାୟ
କୃଷ୍ଣ ଚରିତ ମନେ ଘେନି । କହନ୍ତି ମଇତ୍ରେୟ ମୁନି ॥ ୧
ମୈତ୍ରେୟ ଉବାଚ
ଏ ଅନ୍ତେ ଶୁଣ ହେ ବିଦୁର । ସେ ପୃଥୁଦେବ ରାଜ୍ୟେଶ୍ୱର ॥ ୨
ପ୍ରଜା ପାଳନେ ଧର୍ମଶ୍ରୀଳ । ହରି-ଭକତି ରସେ ଭୋଳ ॥ ୩
ସେ ରାଜ୍ୟେ ଯେତେ ପ୍ରଜାଗଣ । ପିତୃ ଦେବ ଋଷି ବ୍ରାହ୍ମଣ ॥ ୪
ପୃଥୁଙ୍କ ଗୁଣ ବଖାଣନ୍ତି । ସେ ସର୍ବେ ହରିଙ୍କି ପୂଜନ୍ତି ॥ ୫
ଏମନ୍ତେ କେତେ କାଳାନ୍ତରେ । ବିଜୟ କଲେ ମୁନିବରେ ॥ ୬
ସେ ସିଦ୍ଧଗଣ ମଧ୍ୟେ ବର । ବିଶେଷେ ବ୍ରହ୍ମାଙ୍କ କୁମର ॥ ୭
ତପ-ସାଧନେ ବିରାଜନ୍ତି । ସୂର୍ଯ୍ୟକିରଣ ପ୍ରାୟେ ଜ୍ୟୋତି ॥ ୮
ଆକାଶେ ଦେଖିଲେ ରାଜନ । କାନ୍ତିରୁ କଲେ ଅନୁମାନ ॥ ୯
ଏ ସର୍ବେ ସିଦ୍ଧ ସନକାଦି । ବିଷ୍ଣୁଭକତ ବ୍ରହ୍ମବାଦୀ ॥ ୧୦
ଲୋକଙ୍କ ପାପାଶୁଦ୍ଧି ଅର୍ଥେ । ଭ୍ରମଣ କରନ୍ତି ଜଗତେ ॥ ୧୧
ନିଶ୍ଚୟ ଜାଣି ଅନୁମାନେ । ଉଠିଲେ ସହାସ୍ୟେ ସଗଣେ ॥ ୧୨
ତାଙ୍କ ଦର୍ଶନେ ନୃପପ୍ରାଣ । ଉଦ୍ଧ୍ୱର୍କୁ କଲା କି ଗମନ ॥ ୧୩
ଯେହ୍ନେ ଜୀବନ ପିଣ୍ତ ପାଇ । ସତ୍ୱରେ ଉଠିଲେ ଚିତୋଇ ॥ ୧୪
ସଦସ୍ୟ ଆଦି ଯେତେ ଥିଲେ । ସକଳେ ସତ୍ୱରେ ଉଠିଲେ ॥ ୧୫
ଯେସନେ ଗନ୍ଧାଦି ଗୁଣକୁ । ଜୀବ ଉତ୍ସୁକ ଘେନିବାକୁ ॥ ୧୬
ତେସନେ ନୃପ ହେଲେ ଉଭା । ମୁନି ପ୍ରବେଶ ହେଲେ ସଭା ॥ ୧୭
ଆନନେ୍ଦ ପୃଥୁ-ନୃପବର । ପ୍ରଣମି ମୁନିଙ୍କ ପୟର ॥ ୧୮
ସୁଗନ୍ଧ-ଶୀତଜଳ ନେଇ । ପଦକମଳ ଦେଲେ ଧୋଇ ॥ ୧୯
ଦିବ୍ୟ-ଆସନେ ବସାଇଲେ । ସବିଧି-ବେଭାରେ ପୂଜିଲେ ॥ ୨୦
ତାହାଙ୍କ ଚରଣ-ସଲିଳେ । ଅଳକ-ବନ୍ଧ ସମ୍ମାର୍ଜିଲେ ॥ ୨୧
ଯେ ପ୍ରାଣୀ ହୋଏ ଶୀଳବନ୍ତ । ତାହାଙ୍କ ଚରିତ ଏମନ୍ତ ॥ ୨୨
ଛାଡି ନୃପତି ଅଭିମାନ । ଆନନ୍ଦେ କଲେ ବହୁମାନ୍ୟ ॥ ୨୩
ହାଟକ-ଆସନେ ବସାଇ । ପାଦ-ଉଦକ ଶିରେ ଲଇ ॥ ୨୪
ସେ ଭବ-ଅଗ୍ରଜନ୍ମା ଯେଣୁ । ରାଜନ ମାନ୍ୟ କଲେ ତେଣୁ ॥ ୨୫
ଭାବେ ପ୍ରତୋଷି ତାଙ୍କ ମନ । କହନ୍ତି ମଧୁର ବଚନ ॥ ୨୬
ପୃଥୁ ଉବାଚ
ଆଜ ମୋ ପୂର୍ବଭାଗ୍ୟଫଳ । ଜୀବନ ହୋଇଲା ସଫଳ ॥ ୨୭
ଦୁର୍ଲଭ ଦେଖିଲି ତୁମ୍ଭଙ୍କୁ । ଖୋଜି ନ ପାନ୍ତି ଯୋଗୀ ଯାଙ୍କୁ ॥ ୨୮
କି ତାର ଦୁର୍ଲଭ ସଂସାରେ । ଯେ ଅବା ଅଛି ଇହପରେ ॥ ୨୯
ଯାହାକୁ ବିଷ୍ଣୁ ବଇଷ୍ଣବ । ପ୍ରସନ୍ନ ବିପ୍ର ସଦାଶିବ ॥ ୩୦
ଅବ୍ୟକ୍ତ-ଗତି ଯେ ତୁମ୍ଭର । ଭ୍ରମଣ ଚତୁର୍ଦ୍ଦଶ-ପୁର ॥ ୩୧
ଅଭାଗ୍ୟବନ୍ତ ପ୍ରାଣୀ ଯେହି । ତୁମ୍ଭ ଦର୍ଶନେ ଯୋଗ୍ୟ କାହିଁ ॥ ୩୨
ଏ ଆତ୍ମାପୁରୁଷ ଯେସନେ । ସକଳ ଦେଖଇ ଚେତନେ ॥ ୩୩
ତାହାକୁ ନ ଦେଖନ୍ତି କେହି । ଏ ବିଶ୍ୱ ହେତୁଭୂତ ଯେହି ॥ ୩୪
ହେ ସିଦ୍ଧ ତୁମ୍ଭଙ୍କୁ ଦେଖିଲି । ଧନ୍ୟ ମୋ ଜୀବନ ମଣିଲି ॥ ୩୫
ନିର୍ଦ୍ଧନ ଗୃହେ ଯେହ୍ନେ ଧନ । ଅଣ ଆୟାସେ ଲଭେ ପୁଣ୍ୟ ॥ ୩୬
ତେହ୍ନେ ମଣିଲି ଅଦଭୁତ । କି ଭାଗ୍ୟେ ତୁମ୍ଭେ ଉପଗତ ॥ ୩୭
ଯା ଗୃହେ ଅତିଥି ଆଗତ । ଭାବେ ପୂଜଇ ଶୁଦ୍ଧଚିତ୍ତ ॥ ୩୮
ବିଭବେ ପୂଜି ବହୁବିଧେ । କାୟ ବାଚିକ ମନ-ଶୁଦ୍ଧେ ॥ ୩୯
ବିଭବ-ହୀନ ଯେବା ଜନ । ପୂଜିବ ଯେ ବିଧି-ବିଧାନ ॥ ୪୦
ଭୂମି ଉଦକ ତୃଣାସନେ । ଦେଇ ପୂଜିବ ଶୁଦ୍ଧମନେ ॥ ୪୧
ଏ ଭାବେ ଯେବା ନ ପୂଜନ୍ତି । ସେ ବ୍ୟର୍ଥ-ଜୀବନେ ଜୀବନ୍ତି ॥ ୪୨
ବ୍ୟାଳ-ଆଳୟ ଦ୍ରୁମ ଯେହ୍ନେ । ତା ଗୃହ ଭୟଙ୍କର ତେହ୍ନେ ॥ ୪୩
ଯା ଗୃହଗତେଣ ଅତିଥି । ସୁଖେ ଚରଣ ନ ଧୁଅନ୍ତି ॥ ୪୪
ତାର ଜୀବନ ଅକାରଣ । ବ୍ୟର୍ଥ ଆୟୁଷ ଯଶ ଗୁଣ ॥ ୪୫
ଯେ ଭକ୍ତଜନଙ୍କୁ ନ ସେବେ । ତା ସୁଖ ସମ୍ପଦ କି ଲାଭେ ॥ ୪୬
ଭୋ ମୁନି ତୁମ୍ଭ ଆଗମନ । ମଙ୍ଗଳ ମଣିଲି ଜୀବନ ॥ ୪୭
ତୁମ୍ଭର ବ୍ରତ ବିଧି ଆଦି । ଆଚରନ୍ତି ଯେ ମୋକ୍ଷବାଦୀ ॥ ୪୮
ଯେ ବାଳ ବୟସୁ ଆଚରେ । ସେ ତେବେ ମୋକ୍ଷମାର୍ଗ ଧରେ ॥ ୪୯
ଏ ବାଳ ପୌଗଣ୍ତ କୈଶୋରେ । ଯେ ଧରେ ଦୃଢ଼ ନିଷ୍ଠାପରେ ॥ ୫୦
ସେ ତେବେ ମୋକ୍ଷପଦେ ଯାନ୍ତି । ଏ ବିଷ୍ଣୁ ମାୟାରୁ ତରନ୍ତି ॥ ୫୧
ଇନ୍ଦ୍ରିୟମାନଙ୍କ ବିଷୟ । ନ ଛାଡ଼େ ଯାହାର ହୃଦୟ ॥ ୫୨
ସେ କାହିଁ ସୁଖ ନ ଲଭନ୍ତି । ସ୍ୱକର୍ମ-ବନ୍ଧେ ବନ୍ଦୀ ହୋନ୍ତି ॥ ୫୩
ଏ ଘୋର-ସଂସାରେ ପଡିଣ । ଦୁଃଖ ଭୁଞ୍ଜନ୍ତି ଜ୍ଞାନହୀନ ॥ ୫୪
ଭୋ ମୁନିଗଣେ ତୁମ୍ଭେ ଜ୍ଞାନୀ । ଆତ୍ମାରାମଙ୍କ ମଧ୍ୟେ ମାନୀ ॥ ୫୫
ଏଣୁ ଯେ ତୁମ୍ଭ ମାନଙ୍କରେ । କୁଶଳ ପ୍ରଶ୍ନ କେ ପଚାରେ ॥ ୫୬
ତୁମ୍ଭର ମତି-ବୃତ୍ତିମାନେ । କୁଶଳାକୁଶଳ ନ ଘେନେ ॥ ୫୭
ଏହି ବିଶ୍ୱାସ ମୋର ଅଛି । ସଭୟେ ନପାରଇ ପୁଚ୍ଛି ॥ ୫୮
ସଂସାର-ତାପେ ଯେ ତାପିତ । ତାଙ୍କ କୁଶଳ ଯେ ଚରିତ ॥ ୫୯
ତୁମ୍ଭେ ତପସ୍ୱୀଗଣ ମିତ୍ର । ନିର୍ମଳ ଚରିତ ପବିତ୍ର ॥ ୬୦
ଏ ଅଭିପ୍ରାୟେ ମୁଁ ପୁଚ୍ଛଇ । ଫେଡିଣ କହିବା ଗୋସାଇଁ ॥ ୬୧
ଏ ଦୁଃଖ ଅଜ୍ଞାନ ସଂସାରେ । ଏ ଜୀବ ଭ୍ରମେ ନିରନ୍ତରେ ॥ ୬୨
ଭୋ ମୁନି କିବା କର୍ମ କଲେ । ଏ ଜୀବ ନିସ୍ତରିବେ ଭଲେ ॥ ୬୩
ଏ ଅଭିପ୍ରାୟେ ମୁଁ ପୁଚ୍ଛଇ । ଭକ୍ତ-ଉଦ୍ଧାରଣେ ଗୋସାଇଁ ॥ ୬୪
ତୁମ୍ଭେ ଭକତ-ଜନହିତେ । କୁଶଳ ବାଞ୍ଛ ଅବିରତେ ॥ ୬୫
ସିଦ୍ଧ-ଯୋଶୀନ୍ଦ୍ର ରୂପ ଧରି । ସଂସାରେ ଭ୍ରମୁଥାନ୍ତି ହରି ॥ ୬୬
ସକଳ ଆତ୍ମା ସେ ଗୋସାଇଁ । ଭ୍ରମନ୍ତି ସନ୍ଥଜନ ପାଇଁ ॥ ୬୭
ସେ ଆଜ ସିଦ୍ଧ ରୂପେ ଥାନ୍ତି । ଆପକୁ ଆପେ ପ୍ରକାଶନ୍ତି ॥ ୬୮
ପ୍ରତ୍ୟକ୍ଷେ ତୁମ୍ଭେ ସେ ଗୋସାଇଁ । ଦର୍ଶନେ ନିସ୍ତରିଲି ମୁହିଁ ॥ ୬୯
ଏ ଭବତରଣ ଉପାୟେ । ଫେଡିଣ କହିବା ଥୋକାଏ ॥ ୭୦
ତୁମ୍ଭେ ଯେ ମୋତେ କୃପା ଘେନି । ଆମ୍ଭ କୁଶଳ କହ ମୁନି ॥ ୭୧
ମୈତ୍ରେୟ ଉବାଚ
ଏମନ୍ତେ ଶୁଣ ହେ ବିଦୁର । ସେ ପୃଥୁ ବଚନ ମଧୁର ॥ ୭୨
ଶ୍ରବଣେ ତୋଷ ହେଲେ ମୁନି । ସାଧୁ-ସମ୍ମତ ବାକ୍ୟ ଘେନି ॥ ୭୩
ହରଷେ କହନ୍ତି କୁମାର । ଶୁଣ ହେ ପୃଥୁ ନୃପବର ॥ ୭୪
ସଂସାରେ ସାଧୁଜନ ଯେହି । ତାଙ୍କ ମହିମା ସିନା ଏହି ॥ ୭୫
ବିଷୟ ସୁଖ ନ ଘେନନ୍ତି । ପ୍ରାଣୀଙ୍କ ଶ୍ରେୟ ପଚାରନ୍ତି ॥ ୭୬
ତୁମ୍ଭେ ଯେ ପଣ୍ତିତ ସୁଶୀଳ । ଏଣୁ ଉତ୍ତମ ପଚାରିଲ ॥ ୭୭
ସୁସାଧୁ ଜନଙ୍କ ସଙ୍ଗତ । ଉଭୟ ଲୋକଙ୍କୁ ସେ ହିତ ॥ ୭୮
ଏଣୁ ସାଧୁଙ୍କ ସମ୍ଭାଷଣ । ସୁପୁଣ୍ୟ ମଙ୍ଗଳ କାରଣ ॥ ୭୯
ଅଶେଷ ଜୀବହିତ କରେ । ଏଣୁ ପଚାରିଲ ବେଭାରେ ॥ ୮୦
ସୁଶାନ୍ତ ଆମ୍ଭ ମନ ହେଲା । ତୁମ୍ଭ ପ୍ରଶନେ ଦୁଃଖ ଗଲା ॥ ୮୧
ଏବେ ହୋ ଶୁଣ ନୃପବର । କହିବା ଏଥି ପ୍ରତିକାର ॥ ୮୨
ଯେ ମୋକ୍ଷ-ସାଧନ ପୁଚ୍ଛିଲ । ଅଶେଷ ଜୀବର ଯେ ଭଲ ॥ ୮୩
ଉପାୟ ଅଛଇ ଯେ ଏକ । ଭୋ ନୃପ ମନେ ବୁଝି ଦେଖ ॥ ୮୪
ଗୋବିନ୍ଦ-ଚରଣ-କମଳେ । ଯେ ପ୍ରାଣୀ ଭଜନ୍ତି ଶୟଳେ ॥ ୮୫
ତରନ୍ତି ଏ ଭବ-ଜଳଧି । ଯେ ପ୍ରାଣୀ ଭଜେ ନିରବଧି ॥ ୮୬
ତ୍ରିବିଧ କୃଷ୍ଣ-ଉପାସନ । ରଜ ସାତ୍ତ୍ୱିକ ତମ ଗୁଣ ॥ ୮୭
ତାମସ-ଭକ୍ତ ଏ ଲକ୍ଷଣ । କହିବା ଏଥିର କାରଣ ॥ ୮୮
ଶ୍ରୀକୃଷ୍ଣ-ଭକତଙ୍କ ମେଳେ । ଯେ ନାଚେ ସଙ୍କୀର୍ତ୍ତନ ବେଳେ ॥ ୮୯
ତହିଁ ଯାହାର ନୋହେ ରତି । ସେ ହୀନ କପଟ ଭକତି ॥ ୯୦
ତାହାର ଅନ୍ତର ମଳିନ । କାମ-କଷାୟେ ହୋଏ ହୀନ ॥ ୯୧
ତାମସ ଭକ୍ତ ବୋଲି ତାରେ । ନ ତରେ ଏ ଭବସାଗରେ ॥ ୯୨
କୃଷ୍ଣ ଭଜନେ ହୋଏ ରତି । ଆତ୍ମାକୁ ବିଶୁଦ୍ଧ କରନ୍ତି ॥ ୯୩
ଯେ ନିଷ୍ଠା ଶାସ୍ତ୍ରମାର୍ଗେ କହେ । ନିଶ୍ଚୟ ବୁଝ ନରରାୟେ ॥ ୯୪
ସେ ଟି ନିର୍ମଳ ଜ୍ଞାନହେତୁ । ଭବସାଗର ପାର ସେତୁ ॥ ୯୫
ଚିତ୍ତ ବିଶୁଦ୍ଧ ଯାର ନାହିଁ । ତାର ବୈରାଗ୍ୟ ଜ୍ଞାନ କାହିଁ ॥ ୯୬
ହରି ଚରଣେ ସେବା ରତି । ବୈରାଗ୍ୟ ନିଶ୍ଚଳ ଭକତି ॥ ୯୭
ଏ ଟି କୈବଲ୍ୟ ସୁସାଧନ । ନିଶ୍ଚୟ ବୁଝ ତୁ ରାଜନ ॥ ୯୮
ବୈରାଗ୍ୟେ ହୋଏ ଯେ ଅସଙ୍ଗ । ତହୁଁ ଜନ୍ମଇ ଭକ୍ତି ଅଙ୍ଗ ॥ ୯୯
ଯେଣୁ ତା ଦେହେ ସଙ୍ଗ ନାହିଁ । ଏଣୁଟି ଆତ୍ମେ ରତି ହୋଇ ॥ ୧୦୦
ସେ ବ୍ରହ୍ମ ନିର୍ଗୁଣ ନିର୍ମଳ । ବ୍ୟାପିଛଇ ଅଶେଷ-ଶୟଳ ॥ ୧୦୧
ଭକ୍ତି-ବୈରାଗ୍ୟେ ତାକୁ ପାଇ । ଏ ବିନେ ଜୀବ ଭ୍ରମୁଥାଇ ॥ ୧୦୨
ସେ ବ୍ରହ୍ମେ ଏ ରତି ପ୍ରକାର । ଶାସ୍ତ୍ରରେ ଶ୍ରଦ୍ଧା ଥାଇ ଯାର ॥ ୧୦୩
ହରି-ଚରଣେ ଯେବେ ଭାବେ । ନିଷ୍କାମ-ଭକ୍ତି ହୋଏ ତେବେ ॥ ୧୦୪
ଯୋଗରେ ନିଷ୍ଠା ଥାଇ ଯାର । ପୁଚ୍ଛଇ ଶାସ୍ତ୍ର-ମାର୍ଗ ସାର ॥ ୧୦୫
ଯୋଗୀନ୍ଦ୍ର ଗଣେ ସେବାକଲେ । ସେ ଋତି ଲଭେ ବ୍ରହ୍ମତୁଲେ ॥ ୧୦୬
କି ଅବା ହରି ସଂକୀର୍ତ୍ତନ । ଶୁଣେ ଶ୍ରବଣେ କରେ ଧ୍ୟାନ ॥ ୧୦୭
ଅସଙ୍ଗ-ରତି ଏହି ଭାବେ । ସାଧନ ତାରତମ୍ୟେ ଲଭେ ॥ ୧୦୮
ଶୁଣ ରାଜନ କୃଷ୍ଣ ଲୟେ । ତ୍ରିବିଧ ପ୍ରକାରେ ଯେ ହୋଏ ॥ ୧୦୯
ଯେ ମାର୍ଗେ ଯେ ସାଧ୍ୟ କରନ୍ତି । ବ୍ରହ୍ମନିର୍ବାଣେ ହୋଏ ରତି ॥ ୧୧୦
ଅର୍ଥ-ବାଞ୍ଛିତ ମନ ଯାର । ତାମସେ ବଦ୍ଧ ସେହୁ ନର ॥ ୧୧୧
ଯେ ପ୍ରାଣୀ ଇନ୍ଦ୍ରିଭୋଗ ବଶ । ତାହାକୁ ବୋଲିଟି ରାଜସ ॥ ୧୧୨
ଏହାଙ୍କୁ ନ କରିବ ସଙ୍ଗ । ସେ ସଙ୍ଗ-ଦୋଷେ ଜ୍ଞାନଭଙ୍ଗ ॥ ୧୧୩
ତହିଁ ନ ଦେବ ମନ ଦୃଷ୍ଟି । କେବେହେଁ ନକରିବ ଗୋଷ୍ଠୀ ॥ ୧୧୪
ସେ ସଙ୍ଗ ଯେବା ଆଦରନ୍ତି । ସକାମ ଅର୍ଥ ସେ ବାଞ୍ଛନ୍ତି ॥ ୧୧୫
ଏଣୁ ତାହାଙ୍କ ସଙ୍ଗ ତେଜି । ଯେ ପ୍ରାଣୀ ଆତ୍ମାଲାଭ ଖୋଜି ॥ ୧୧୬
ନିଃସଙ୍ଗେ ନିର୍ଜନେ ସେବଇ । ତେବେ ଆତ୍ମାକୁ ଭେଟ ପାଇ ॥ ୧୧୭
ଏ ରୂପେ ହୋଏ ବ୍ରହ୍ମେ ରତି । ଶୁଣ ସୁମନେ ହେ ନୃପତି ॥ ୧୧୮
ଅପରେ ଅସାଧୁ କହିବା । ଯାହାର ନାହିଁ ଭକ୍ତି ସେବା ॥ ୧୧୯
ହରି-ଚରଣେ ଭକ୍ତି ନୋହି । ତାହାର ବ୍ରହ୍ମେ ରତି କାହିଁ ॥ ୧୨୦
ସେ ହରି ଗୁଣ ସୁଧା-ପାନ । ସେ ବିନୁ ନୋହେ ବ୍ରହ୍ମଜ୍ଞାନ ॥ ୧୨୧
ଅହିଂସା-ଧର୍ମେ ଯେବା ଥାନ୍ତି । ଏ ବ୍ରହ୍ମଜ୍ଞାନ ସେ ଲଭନ୍ତି ॥ ୧୨୨
ପରମହଂସର ଯେ ବିଧି । ତତିକ୍ଷା ଶମ ଦମ ଆଦି ॥ ୧୨୩
ଆତ୍ମାର ହିତ ଅନୁଧ୍ୟାନେ । ନିର୍ଗୁଣ ହୋଏ ବ୍ରହ୍ମଜ୍ଞାନେ ॥ ୧୨୪
ସେ ହରି ପରମ-ପୁରୁଷ । ତାହାଙ୍କ ଚରିତ ପୀୟୂଷ ॥ ୧୨୫
ସେ ସୁଧାପାନ ଯେବେ କରେ । ତେବେ ସେ ବ୍ରହ୍ମଜ୍ଞାନ ଧରେ ॥ ୧୨୬
ଯମ ନିୟମ ଶମ ଦମ । ଏ ଆଦି ସାଧନ ନିର୍ଗୁଣ ॥ ୧୨୭
ସଂସାରେ ଶାସ୍ତ୍ର-ବ୍ୟବହାରେ । ନିନ୍ଦା-ଧର୍ମକୁ ନ ଆଚରେ ॥ ୧୨୮
ପରମଧର୍ମ ଏ ବିଚାରେ । ନିର୍ମଳ ବାହ୍ୟ-ଅଭ୍ୟନ୍ତରେ ॥ ୧୨୯
ଶୀତୋଷ୍ଣ ସୁଖ-ଦୁଃଖ ସହେ । ସେ ତେବେ ବ୍ରହ୍ମଜ୍ଞାନ ବହେ ॥ ୧୩୦
ହରି-ଭକତ ଯେତେ ଜନ । ଏ ସର୍ବ ତାହାଙ୍କ ଭୂଷଣ ॥ ୧୩୧
ଯେତେ କୃଷ୍ଣର ଗୁଣ-ଗ୍ରାମ । ତହିଁ ସାଧକ ଯେଉଁ ଜନ ॥ ୧୩୨
ତେଣୁ ବଢଇ ତାର ଭକ୍ତି । ଆନ ପ୍ରସଙ୍ଗେ ଅନାଶକ୍ତି ॥ ୧୩୩
ସେ ବ୍ରହ୍ମ ଅଟେ ସଦା ସତ । ଅନାଦି ନିର୍ଗୁଣ ଅନନ୍ତ ॥ ୧୩୪
ତହିଁ ଯାହାର ରତି ହୋଏ । ସେ ପ୍ରାଣୀବଦ୍ଧ ନୋହେ ମୋହେ ॥ ୧୩୫
ସେ ବ୍ରହ୍ମେ ଯାର ନିଷ୍ଠା ରତି । ତେବେ ତା ହୋଏ ଦୃଢ଼ମତି ॥ ୧୩୬
ଯେ ସଦା ଗୁରୁ ସେବାକରେ । ସେ ତେବେ ଜ୍ଞାନମାର୍ଗ ଧରେ ॥ ୧୩୭
ଜ୍ଞାନ-ବୈରାଗ୍ୟ-ଯୋଗବଳେ । ଏ ଜୀବକୋଷ ଦହେ ହେଳେ ॥ ୧୩୮
ଏ ପଞ୍ଚଭୂତର ହୃଦୟ । ଜୀବର ହୋଇଛି ଆଳୟ ॥ ୧୩୯
ଜ୍ଞାନ-ଅନଳ ହେଲେ ଜାତ । ତେବେ ସେ ହୋଏ ଭସ୍ମଗତ ॥ ୧୪୦
ଏ ଜୀବକୋଷ ଯେବେ ଯାଇ । ତେବେ ସେ ବ୍ରହ୍ମଜ୍ଞାନ ପାଇ ॥ ୧୪୧
ଅନଳ ପ୍ରକାଶିଲେ ଯେହ୍ନେ । ଦଗ୍ଧ ହୁଅନ୍ତି କାଷ୍ଠମାନେ ॥ ୧୪୨
ତେସନେ ଏ ଲିଙ୍ଗ ଶରୀର । ଜ୍ଞାନେ ଦହଇ ନୃପବର ॥ ୧୪୩
ଏମନ୍ତ ଜ୍ଞାନ ଉଦେ ଯାର । ନୁହଇ ଭବ-ବନ୍ଧ ତାର ॥ ୧୪୪
ଉପାଧି ବାସନା ଅଶେଷ । ଜ୍ଞାନ-ଅନଳେ ହୋଏ ଧ୍ୱଂସ ॥ ୧୪୫
ଉପାଧି ହତେ ନୃପରାୟେ । ତାର ଗୁଣାଦି ହୋଏ ଲୟେ ॥ ୧୪୬
ବିନାଶ ହୋଏ ଅଭିମାନ । ଆପଣା ପର ଆଦିଜ୍ଞାନ ॥ ୧୪୭
ଜନ୍ମଇ ନିଜ ଭାବେ ରତି । ଏ ପରାପର ନୋହେ ମତି ॥ ୧୪୮
ସେ ପୁଣି ଅନ୍ତର ବାହାରେ । ଏ ଦୁଃଖସୁଖ ନ ବିଚାରେ ॥ ୧୪୯
ବାହ୍ୟେ ସେ ନ ଲକ୍ଷଇ କିଛି । ଘଟାଦି ବସ୍ତୁ ଯେତେ ଅଛି ॥ ୧୫୦
ଏଥକୁ ପ୍ରତିଲକ୍ଷ୍ୟ ଦେବା । ଭୋ ନୃପ ଦେଖାଇ କହିବା ॥ ୧୫୧
ଦ୍ରଷ୍ଟା-ଦୃଶ୍ୟର ଭିନ୍ନେ ବିଧି । ଏହାଙ୍କ ହେତୁ ମନ ବୁଦ୍ଧି ॥ ୧୫୨
ଏ ଆତ୍ମା ଏ ମୋହର ପର । ଏ ଭେଦ କରେ ଅହଙ୍କାର ॥ ୧୫୩
ଭେଦ କରନ୍ତା ଯେବେ ମଲା । ତାର ଅଜ୍ଞାନ କ୍ଷୟ ଗଲା ॥ ୧୫୪
ଅଜ୍ଞାନ ନାଶେ ସର୍ବେ ଏକ । ଭୋ ନୃପ ବିଚାର ବିବେକ ॥ ୧୫୫
ଯେସନେ ଶୟନେ ସ୍ୱପନ । ମିଥ୍ୟାଭିଳାଷେ ଦେଖେ ମନ ॥ ୧୫୬
ଆପଣେ ହୋଇଥାଇ ରାଜା । ସଙ୍ଗତେ ଦେଖେ ଜନପ୍ରଜା ॥ ୧୫୭
ସୈନ୍ୟସାମନ୍ତ ଗଜ ରଥ । ମିଥ୍ୟା ପ୍ରପଞ୍ଚ ମଣେ ସତ ॥ ୧୫୮
ସେ ପୁଣି ସ୍ୱପ୍ନ ଅବସାନେ । ସକଳ ମିଥ୍ୟା କରି ମଣେ ॥ ୧୫୯
ରାଜ୍ୟ ସମ୍ପଦ ଭୋଗ ଯେତେ । ଶୋଚନା ନ କରଇ ଚିତ୍ତେ ॥ ୧୬୦
ତେସନେ ଜ୍ଞାନ ଉପୁଜିଲେ । ଏ ସର୍ବ ନାଶ ଯାନ୍ତି ଭଲେ ॥ ୧୬୧
ଏ ଆତ୍ମା ଦେଖନ୍ତା ପୁରୁଷ । ଇନ୍ଦ୍ରିୟ ଅର୍ଥାଦି ପ୍ରକାଶ ॥ ୧୬୨
ଏ ବେନି ପର ଅହଙ୍କାର । ଏ ଭେଦ ବିବେକ ବିଚାର ॥ ୧୬୩
ଯାଦବ ଉପାଧି ଅଛଇ । ତାବତ ଭେଦ-ବୁଦ୍ଧି ଥାଇ ॥ ୧୬୪
ଉପାଧି ହତେ ସର୍ବନାଶ । ତେବେ ସେ ଆତ୍ମା ସୁ ପ୍ରକାଶ ॥ ୧୬୫
ଏ ଆତ୍ମା ପରମ-ପୁରୁଷ । ଯାହାର ନାହିଁ ଗୁଣ ଦୋଷ ॥ ୧୬୬
ଉପାଧି ଭେଦେ ଭିନ୍ନ ଦିଶେ । ତା ବିନା ଏକ ସେ ପ୍ରକାଶେ ॥ ୧୬୭
ଯେହ୍ନେ ଦର୍ପଣ ଜଳାଦିରେ । ଆପଣା ପ୍ରତିବିମ୍ବ ଧରେ ॥ ୧୬୮
ଏ ବେନି ହୀନେ ନ ଦିଶନ୍ତି । ଆପଣା ଶରୀର ଆକୃତି ॥ ୧୬୯
ଉପାଧି ହେତୁ ଭିନ୍ନ ଭିନ୍ନ । ତା ଅବଶେଷେ ଏକ ଚିହ୍ନ ॥ ୧୭୦
ଶୁଣ ହେ ପୃଥୁ ମହୀପତି । ଅସଙ୍ଗ ଆର ବ୍ରହ୍ମରତି ॥ ୧୭୧
ଏ ବେନିମାର୍ଗ ମୋକ୍ଷ ହେତୁ । ଭବସାଗର ପାର ସେତୁ ॥ ୧୭୨
ଶୁଣ ସୁମନେ ହେ ରାଜନ । ବିବେକ-ହୀନ ଯେବା ଜନ ॥ ୧୭୩
ଯାହାର ଆତ୍ମା-ରତି ନୋହେ । ଯେ ଦେହେ ଅହଙ୍କାର ବହେ ॥ ୧୭୪
ଏ ମୋର ଦାରା-ସୁତ-ଘର । ବୋଲି ବିଶୟେ ଅହଙ୍କାର ॥ ୧୭୫
ବିଷୟ-ରସେ ଇନ୍ଦ୍ରି ରସି । ମନକୁ ଆଣଇ ଆକର୍ଷି ॥ ୧୭୬
ଇନ୍ଦ୍ରିୟ ସଙ୍ଗେ ମନ ରସେ । ନିଜ ଚେତନା ବଳ ଧ୍ୱଂସେ ॥ ୧୭୭
ଏଣୁ ବିବେକ ତାର ନାହିଁ । କୁସଙ୍ଗ ଦୋଷେ ମନ ମୋହି ॥ ୧୭୮
ଯେସନେ କୁଶ ଆଦି ମୁଳ । ହ୍ରଦରୁ ଓଟାରନ୍ତି ଜଳ ॥ ୧୭୯
ତେସନେ ଦେଖ ବିଷୟାଦି । ହରଇ ସର୍ବ ମନ ବୁଦ୍ଧି ॥ ୧୮୦
ଚେତନା ବଳେ ସ୍ମୃତି ରହି । ତାର ଅଭାବେ ସ୍ମୃତି କାହିଁ ॥ ୧୮୧
ଯାହାର ସ୍ମୃତି ହୋଏ ନାଶ । ତା ହୃଦେ ଜ୍ଞାନ ଅପ୍ରକାଶ ॥ ୧୮୨
ଜ୍ଞାନ ବିନାଶେ ଆତ୍ମା ହତ । ବେଦାନ୍ତେ କହନ୍ତି ପଣ୍ତିତ ॥ ୧୮୩
ଶୁଣ ନୃପତି ପୁରୁଷର । ଏଥୁଟି ହାନି ନାହିଁ ପର ॥ ୧୮୪
ବିଷୟ-ସୁଖ ଭୋଗ ଲାଗି । ହୁଅଇ ଆତ୍ମାବଧେ ଭାଗୀ ॥ ୧୮୫
ଯେ ନିଜ ହାନି ନ ବୁଝଇ । ତାର ବିବେକ ଗୁଣ କାହିଁ ॥ ୧୮୬
ଅର୍ଥ-କାମାଦି ଧ୍ୟାନ ରାୟେ । ଏ ସର୍ବ ବିନାଶ ଉପାୟେ ॥ ୧୮୭
ଯେ ଜ୍ଞାନବିଜ୍ଞାନରୁ ହୀନ । ତା ଜୀବ ସ୍ଥାବର ସମାନ ॥ ୧୮୮
ଯେ ଚିତ୍ତ ବ୍ରହ୍ମେ ରତି ନୋହେ । ସର୍ବ-ଅନର୍ଥେ ଭାଗୀ ହୋଏ ॥ ୧୮୯
ଅପରେ ଶୁଣ ହେ ରାଜନ । ସଙ୍ଗଟି ଅନର୍ଥ କାରଣ ॥ ୧୯୦
ସଂସାର-ତ୍ୟାଗ ଯେ ଇଚ୍ଛିବ । କେବେ ପାପୀ କ୍ରୂର ସଙ୍ଗ ॥ ୧୯୧
ଧର୍ମାର୍ଥ-କାମ-ମୋକ୍ଷ ଭଙ୍ଗ । କରଇ ପାପୀ କ୍ରୂର ସଙ୍ଗ ॥ ୧୯୨
କୁସଙ୍ଗେ ସର୍ବନାଶ ହୋଏ । ପଡଇ ମିଥ୍ୟା ମାୟା ମୋହେ ॥ ୧୯୩
ଏ ବେ ତୁ ଶୁଣ ନୃପରାଣ । ଏ ଚୁତର୍ବର୍ଗର କାରଣ ॥ ୧୯୪
ଯେ ଧର୍ମ ଅର୍ଥ କାମ ମୋକ୍ଷ । ଏ ଚାରି ମଧ୍ୟେ ଶ୍ରେୟ ମୋକ୍ଷ ॥ ୧୯୫
ଧର୍ମାର୍ଥ କାମ ବୋଲି ଯାହା । ଅନିତ୍ୟ ମିଥ୍ୟା ବୋଲି ତାହା ॥ ୧୯୬
ଅନିତ୍ୟେ ମୃତ୍ୟୁ ଭୟ ପାଇ । ଏଣୁ ଜ୍ଞାନୀ ତା ନ ଭାବଇ ॥ ୧୯୭
ତୁରୀୟବର୍ଗ ବୋଲି ରାୟେ । ଦୁର୍ଲ୍ଲଭ ଯେ ଅର୍ଥ ଉପାୟେ ॥ ୧୯୮
ମୃତ୍ୟୁର ଭୟ ଯହିଁ ନାହିଁ । ନିତ୍ୟ ଆନନ୍ଦ ରୂପ ସେହି ॥ ୧୯୯
ଚତୁର୍ଥ-ବର୍ଗ ବହୁ ମୂଲ୍ୟ । ତୃତୀୟବର୍ଗ ନୋହେ ତୁଲ୍ୟ ॥ ୨୦୦
ଯାହାର କାଳ-ଭୟ ଅଛି । ତାହାର ସୁଖ ନାହିଁ କିଛି ॥ ୨୦୧
ଗୁଣ-କ୍ଷୋଭର ପରେ ପ୍ରାୟେ । ଯେ ଯେ ହୋଇଲେ ଭାବ ରାୟେ ॥ ୨୦୨
ସ୍ଥାବରୁ ବ୍ରହ୍ମାଦି ପର୍ଯ୍ୟନ୍ତ । ଈଶ୍ୱର-ମାୟାରେ ଯନ୍ତ୍ରିତ ॥ ୨୦୩
ଏହାଙ୍କ ଶ୍ରେୟ କେବେ ନୋହେ । ଏଣୁ ଦଣ୍ତଇ ଜନ୍ତୁରାୟେ ॥ ୨୦୪
ଆପଣେ ଅର୍ଜଇ ଅନର୍ଥ । ରାଜନ ବୁଝ ଏହି ମତ ॥ ୨୦୫
ସ୍ଥାବର ଜଙ୍ଗମାଦି ଠାରେ । ଦେହ ଇନ୍ଦ୍ରିୟ ଅହଙ୍କାରେ ॥ ୨୦୬
ପ୍ରାଣ ବୁଦ୍ଧିରେ ଯେ ଆବୃତ । ଏହାଙ୍କ ହୃଦରେ ବ୍ୟକତ ॥ ୨୦୭
ଯେ ଅଧ ଉର୍ଦ୍ଧ୍ୱେଛନ୍ତି ପୂରି । ସର୍ବ-ବ୍ୟାପକ ନରହରି ॥ ୨୦୮
ଦେହକୁ କ୍ଷେତ୍ର ବୋଲି କହି । ଜୀବ ନ ଜାଣେ ଏହା ବହି ॥ ୨୦୯
ଏ ଦେହ ବହି ଅହଙ୍କାରେ । ଜୀବ ପରମ ବୁଦ୍ଧି ହରେ ॥ ୨୧୦
ଜୀବର ପ୍ରଭୁ ଭଗବାନ । ପ୍ରକାଶ କରନ୍ତି ଚେତନ ॥ ୨୧୧
ଭୋ ରାଜା ନିଶ୍ଚେ ଜାଣ ତୁହି । ଏ ଆତ୍ମା ରୂପ ତୁହି ମୁହିଁ ॥ ୨୧୨
ଏ ଆଦି ଚରାଚର ଯେତେ । ଆତ୍ମା-ସ୍ୱରୂପ ସର୍ବଭୂତେ ॥ ୨୧୩
ଯେ ଆତ୍ମା ଆଶ୍ରୟେ ଜଗତ । ଶୋଭା ପାଉଛି ସଦସତ ॥ ୨୧୪
ମାୟାରେ ହୋଇଣ ପ୍ରଭେଦ । ଜ୍ଞାନ ବିବେକେ ତାହା ଛେଦ ॥ ୨୧୫
ଆତ୍ମାକୁ ମାୟା ନ ସ୍ପରଶେ । ଯେସନେ ପବନ ଆକାଶେ ॥ ୨୧୬
କର୍ମର ମୂଳ ଏ ପ୍ରକୃତି । ଏହାକୁ ଯେ ନାଶ କରନ୍ତି ॥ ୨୧୭
ସେ ଆତ୍ମା ସର୍ବଠାରେ ଯୁକ୍ତ । ଲିପ୍ତ ହୋଇଣ ଥାଇ ମୁକ୍ତ ॥ ୨୧୮
ସେ ଶୁଦ୍ଧ ପରମ-ପୁରୁଷ । ତାରେ ଶରଣ ବେଗେ ପଶ ॥ ୨୧୯
ଯାହାର ପାଦପଦ୍ମେ ଭକ୍ତି । କରି ସାଧୁଏ ନିସ୍ତରନ୍ତି ॥ ୨୨୦
ସୁଗମ ପଥ ଏ କାରଣ । ଅବିଘ୍ନେ ଲଭ ନାରାୟଣ ॥ ୨୨୧
କଠୋର ଯୋଗାଦି ସାଧନ । ସୁଗମ ଭକ୍ତି ହେ ରାଜନ ॥ ୨୨୨
ସେ ଆତ୍ମା ଆନନ୍ଦ ପାଇବ । ଭକ୍ତିରେ ଭଜ ବାସୁଦେବ ॥ ୨୨୩
ଏ ଭବ-ସମୁଦ୍ର ଅପାର । ଇନ୍ଦ୍ରିୟ-ନକ୍ର ମହା-ଘୋର ॥ ୨୨୪
ଏ ଜଳ-ତରଣେ ଯେ ଭେଳା । ତହିଁରେ ନ କର ତୁ ହେଳା ॥ ୨୨୫
ଅଷ୍ଟାଙ୍ଗଯୋଗ ଯୋଗୀ ସାଧି । ତରନ୍ତି ଯୋଗ-ଭେଳା ବାନ୍ଧି ॥ ୨୨୬
ସେ ଅତି କ୍ଳେଶେ ହୋନ୍ତି ପାର । ନୋହିଲେ ଭ୍ରମନ୍ତି ଅପାର ॥ ୨୨୭
ସୁଗମ-ତରଣୀ ଉପାୟେ । ତୁମ୍ଭଙ୍କୁ କହିଦେବା ରାୟେ ॥ ୨୨୮
ଗୋବିନ୍ଦ ଅଭୟ-ପୟର । ଯେ ଭଜେ ଭେଳା ମଧ୍ୟେ ସାର ॥ ୨୨୯
ସେ ପାଦେ କଲେ ଏକଭାବ । ସୁଖେ ତରିବ ଭବାର୍ଣ୍ଣବ ॥ ୨୩୦
ଏ ଭକ୍ତିଯୋଗ ସୁସାଧନ । ମୋକ୍ଷକୁ ପରମ-କାରଣ ॥ ୨୩୧
ମୈତ୍ରେୟ ଉବାଚ
ଏମନ୍ତ ଶୁଣ ହେ ବିଦୁର । ଯେ ଜ୍ଞାନ କହିଲେ କୁମାର ॥ ୨୩୨
ପୃଥୁ ଶ୍ରବଣେ ଆତ୍ମାଗତି । ପ୍ରଣମି ଚରଣେ ବୋଲନ୍ତି ॥ ୨୩୩
ରାଜା-ଉବାଚ
ତୁମ୍ଭେ ଦୟାଳୁ ଯୋଗୀଜନ । ସୁଭାଗ୍ୟ ତୁମ୍ଭ ଦରଶନ ॥ ୨୩୪
ଯେଣୁ ଗୋବିନ୍ଦ କୃପା ଥିଲା । ତେଣୁ ଦର୍ଶନ ମୋର ହେଲା ॥ ୨୩୫
ହରିଙ୍କି ଦେଖାଇବା ପାଇଁ । ମୋ ହିତେ ଅଇଲ ଗୋସାଇଁ ॥ ୨୩୬
ମୋର ସଂଶୟ ଯେତେ ଥିଲା । ତୁମ୍ଭ ଦର୍ଶନେ ଦୂର ଗଲା ॥ ୨୩୭
ମୋହର ମନୋରଥ ଯେତେ । ସମ୍ପୂର୍ଣ୍ଣ କରି ଦେଲ ମୋତେ ॥ ୨୩୮
ତୁମ୍ଭଙ୍କୁ କି ଭାବେ ସେବିବି । ଉତ୍ତମ ଦ୍ରବ୍ୟ କିବା ଦେବି ॥ ୨୩୯
ଦେହ ସହିତେ ଦ୍ରବ୍ୟ ମୋର । ସାଧୁଙ୍କ ଉଚ୍ଛିଷ୍ଟ ବେଭାର ॥ ୨୪୦
ସୁଦୟା କରି ସାଧୁଜନେ । ରାଜ ବିଭୂତି ତୋଷ ମନେ ॥ ୨୪୧
ସମର୍ପିଛନ୍ତି ମୋର ତହିଁ । ଏଥେ ପ୍ରଭୃତ୍ୱ ମୋର ନାହିଁ ॥ ୨୪୨
କି ଭାବେ କରିବି ସେବନ । ଏ ଦେହ ସାଧୁଙ୍କ ଅଧୀନ ॥ ୨୪୩
ଯେହ୍ନେ ବାଳକେ ସ୍ନେହ ବହି । ତାତ ଜନନୀ ଧନ ଦେଇ ॥ ୨୪୪
ପୁଣି ନ କରନ୍ତି ଗ୍ରହଣ । ଏ ସର୍ବ ତୁମ୍ଭର ଅର୍ପଣ ॥ ୨୪୫
ତୁମ୍ଭ ପ୍ରତୋଷେ ଶକ୍ୟ ନାହିଁ । ରାଜସେବକ ପ୍ରାୟେ ହୋଇ ॥ ୨୪୬
ତାଙ୍କୁ ତାମ୍ବୁଳ ନିଯୋଜନ୍ତି । ମଧ୍ୟରେ ସେବକ ବୋଲାନ୍ତି ॥ ୨୪୭
ସେ ଅନୁସାରେ ମୋ ବିଚାର । ଯେ କିଛି ଦ୍ରବ୍ୟ ଅଛି ମୋର ॥ ୨୪୮
ପ୍ରାଣ ତନୟ ଆଦି ଯେତେ । ଏ ରାଜ-ବିଭୂତି ସହିତେ ॥ ୨୪୯
ଅପରେ ଚତୁରଙ୍ଗ ବଳ । ସମର୍ପି ଅଛି ମୁଁ ସକଳ ॥ ୨୫୦
ଏଥେ ମୋ ନାହିଁ ଅଧିକାର । ମୋ ପ୍ରଭୁ ବ୍ରହ୍ମାଣ୍ତ ଠାକୁର ॥ ୨୫୧
ଯେ ସର୍ବ-ସେନା ଅଧିପତି । ଦଣ୍ତ-ଅଦଣ୍ତ ରାଜନୀତି ॥ ୨୫୨
ସକଳ-ଲୋକେ ଅଧିକାର । ଏ ସର୍ବ ବେଦବିଦଙ୍କର ॥ ୨୫୩
ସେ ବିପ୍ରେ ନିଜ-ଧନେ ଶାନ୍ତି । ଜୀବଙ୍କୁ କଲ୍ୟାଣେ ପାଳନ୍ତି ॥ ୨୫୪
ବ୍ରାହ୍ମଣ-ଅନୁଗ୍ରହେ ଅନ୍ନ । ଭୁଞ୍ଜନ୍ତି କ୍ଷତ୍ରିୟାଦି ବର୍ଣ୍ଣ ॥ ୨୫୫
ବ୍ରହ୍ମା-ସର୍ଜନେ ଏ ଜଗତେ । ଅଛି ଅପୂର୍ବ-ଦ୍ରବ୍ୟ ଯେତେ ॥ ୨୫୬
ଏ ସର୍ବ ଯେବେ ସମର୍ପିବି । ତେବେ ପ୍ରତୋଷି ନ ପାରିବି ॥ ୨୫୭
ନିଗମବେତ୍ତା ପ୍ରଭୁମାନେ । ମୋତେ ତୋଷିଲ ଦିବ୍ୟଜ୍ଞାନେ ॥ ୨୫୮
ଏକାନ୍ତେ ଦେଲ ଆତ୍ମାପଦ । ମୋହର ନାଶିଲ ପ୍ରମାଦ ॥ ୨୫୯
ତୁମ୍ଭେ ଦୟାଳୁ ଯୋଗେଶ୍ୱର । ଅଧମ ଜନେ କୃପାଜର ॥ ୨୬୦
ଅବ୍ୟକ୍ତ-ବ୍ରହ୍ମ ଦୃଷ୍ଟିଗତେ । ପ୍ରତ୍ୟକ୍ଷେ ଦେଖାଇଲ ମୋତେ ॥ ୨୬୧
ଅଜ୍ଞାନଭାବ ବିନାଶିଲ । ସଂସାର-ବନ୍ଧୁ ନିସ୍ତାରିଲ ॥ ୨୬୨
ଏମନ୍ତ ମହିମା ତୁମ୍ଭର । ଅଶେଷ-ଜୀବେ ହିତକର ॥ ୨୬୩
ଏଣୁ ଗୁରୁଙ୍କ ସୁକଲ୍ୟାଣ । ସାଧକ ମୋକ୍ଷର କାରଣ ॥ ୨୬୪
ଉପାୟ ନାହିଁ ମୋର କିଛି । କେବଳ ଅଞ୍ଜଳି ମୋ ଅଛି ॥ ୨୬୫
ମୈତ୍ରେୟ ଉବାଚ
ଏମନ୍ତ ସନକାଦି ଜନେ । ସନ୍ତୋଷ ପୃଥୁର ବଚନେ ॥ ୨୬୬
ନୃପ-ଶୀଳତା ପ୍ରଶଂସିଲେ । ତକ୍ଷଣେ ଅନ୍ତର୍ଦ୍ଧାନେ ଗଲେ ॥ ୨୬୭
ସକଳ-ଜନ ଦୃଷ୍ଟିଗତେ । ସିଦ୍ଧେ ଗମିଲେ ଶୂନ୍ୟ ପଥେ ॥ ୨୬୮
ତଦନ୍ତେ ଯେ ପୃଥୁ-ରାଜନ । ମହତ-ପଣେ ସେ ପ୍ରଧାନ ॥ ୨୬୯
ଅଧ୍ୟାତ୍ମ-ମାର୍ଗରେ ରହିଲେ । ଆତ୍ମଜ୍ଞାନରେ ପୂର୍ଣ୍ଣ ହେଲେ ॥ ୨୭୦
ଆତ୍ମାରେ କରି ଅବସ୍ଥିତି । କାଳରେ କର୍ମାଦି କରନ୍ତି ॥ ୨୭୧
ସେ ଦେଶ କାଳ ଯଥୋଚିତ । ଯେମନ୍ତ ଅଛଇ ବିହିତ ॥ ୨୭୨
ସେ ଅନୁସାରେ କର୍ମ କଲେ । ବିପ୍ରଙ୍କୁ ଦାନେ ପ୍ରତୋଷିଲେ ॥ ୨୭୩
ନିଜ ପରଜାଗଣ ରାଇ । ଅତି ଆନନ୍ଦେ ଦୟା ବହି ॥ ୨୭୪
କହନ୍ତି ଭବସିନ୍ଧୁ ପାର । ଅମୃତୁ ସୁସ୍ନିଗଧ ମଧୁର ॥ ୨୭୫
ହେ ପୁତ୍ରେ ସାବଧାନେ ଶୁଣ । ଯେଣେ ହୋଇବ ପରିତ୍ରାଣ ॥ ୨୭୬
କହିବା ତହିଁର ଉପାୟ । ଯେଣେ ଖଣ୍ତିବ ମୃତ୍ୟୁଭୟ ॥ ୨୭୭
ସକଳେ କୃଷ୍ଣ ଆଶ୍ରେ କର । ଏ ଘୋର-ସଂସାରୁ ନିସ୍ତର ॥ ୨୭୮
ଯେ କୃଷ୍ଣ-ଚରଣେ ସେବନ୍ତି । ଏ ଭବଭୟ ନିବାରନ୍ତି ॥ ୨୭୯
ଆମ୍ଭର ବାକ୍ୟ ଦୃଢେ ଧର । ରାଜସ୍ୱ-ଭୟ ପରିହର ॥ ୨୮୦
ଆୟୁଷ ଧର୍ମ ଧନ ଯେତେ । ଆମ୍ଭେ ପାଇଲୁ ତୋଷଚିତ୍ତେ ॥ ୨୮୧
ଏମନ୍ତ ମଧୁର-ବଚନେ । ପ୍ରଜା ଶିଖାଇ ପ୍ରବୋଧନେ ॥ ୨୮୨
ଅର୍ପଣ କରି କାମ୍ୟଫଳ । ନିବୃତ୍ତ ହୋଇଲେ ଭୂପାଳ ॥ ୨୮୩
ମୁଁ ଆତ୍ମା ପ୍ରକୃତିରୁ ପର । ଅଧ୍ୟକ୍ଷ କର୍ମମାନଙ୍କର ॥ ୨୮୪
ଆତ୍ମାକୁ ଏମନ୍ତ ସେ ମଣି । ଗୃହେ ରହିଲେ ନୃପମଣି ॥ ୨୮୫
ସମ୍ପଦ ପରିପୂର୍ଣ୍ଣେ ଛନ୍ତି । ଇନ୍ଦ୍ରିୟ-ଭୋଗ ନ ଇଚ୍ଛନ୍ତି ॥ ୨୮୬
ଛାଡି ସକଳ ଅହଙ୍କାର । ବିଷୟ ଆଦି ଯେ ବିକାର ॥ ୨୮୭
କେଉଁ କର୍ମରେ ଲିପ୍ତ ନୋହି । ସୂର୍ଯ୍ୟ କିରଣ ପ୍ରାୟ ହୋଇ ॥ ୨୮୮
ଏ ରୂପେ ଅଧ୍ୟାତ୍ମ-ଯୋଗରେ । କର୍ମ ଆଚରନ୍ତି ସଂସାରେ ॥ ୨୮୯
ତାହାଙ୍କ ଅର୍ଚ୍ଚି ନାମେ ରାଣୀ । ପ୍ରତ୍ୟକ୍ଷେ ଲକ୍ଷ୍ମୀ ଠାକୁରାଣୀ ॥ ୨୯୦
ପଞ୍ଚତନୟ ତାଙ୍କ ଠାରେ । ପୃଥୁ ଜନ୍ମାଇଲେ ବେଭାରେ ॥ ୨୯୧
ବିଜିତଅଶ୍ୱ ଧୂମ୍ରକେଶ । ହର୍ଯ୍ୟକ୍ଷ ଦ୍ରବିଣ ବୃକେଶ ॥ ୨୯୨
ଏ ପଞ୍ଚ-ତନୟ ତାଙ୍କର । ନୃପ ସମାନେ ଶୂର ବୀର ॥ ୨୯୩
କହିବା ଶୁଣ ହେ ବିଦୁର । ରାଜାଙ୍କ ଯେ ଗୁଣ ପ୍ରଚାର ॥ ୨୯୪
ଇନ୍ଦ୍ରାଦି ଦଶଦିଗପାଳ । ଏହାଙ୍କ ଗୁଣେ ସେ ଭୂପାଳ ॥ ୨୯୫
ସେ ନୃପ-ଅଙ୍ଗେ ଏକେ ଏକେ । ବସିଲେ ଅବୟବ ଯାକେ ॥ ୨୯୬
ବସିଲେ ସ୍ୱବୃତ୍ତି ଆବୋରି । ଶୁଣ ବିଦୁର ହେତୁ କରି ॥ ୨୯୭
ଜଗତ ପ୍ରତି-ପାଳିବାରେ । ସେ ଜନ୍ମ ଲଭିଲେ ସଂସାରେ ॥ ୨୯୮
ମନ-ବଚନ-କାୟ-ବୃତ୍ତି । ଅତି ସୁନ୍ଦର ଗୁଣ କୀର୍ତ୍ତି ॥ ୨୯୯
ଯେଣୁ ରଞ୍ଜିତ ଜନପ୍ରଜା । ତେଣୁ ତାହାଙ୍କ ନାମ ରାଜା ॥ ୩୦୦
ତା ତୁଲ୍ୟ ନାହିଁ ନୃପବର । ସମେ କି ସୋମ ପଟାନ୍ତର ॥ ୩୦୧
ସେ ରାଜା ସୂର୍ଯ୍ୟଙ୍କ ସମାନ । ତା ତେଜେ ପୃଥ୍ୱୀ ଦୀପ୍ତି ମାନ ॥ ୩୦୨
କେହି ନପାରେ ତେଜ ଧରି । ତେଣୁ ସେ ଅଗ୍ନି ସମ ସରି ॥ ୩୦୩
ରଣେ ଦୁର୍ଜୟ ମହାରାଜା । ଏଣୁ ମହେନ୍ଦ୍ର ସମ ତେଜା ॥ ୩୦୪
ସହିଷ୍ଣୁ ଗୁଣେ ସେ ପୃଥିବୀ । ଅଭୀଷ୍ଟ-ଦାନେ ସେ ସୁରଭୀ ॥ ୩୦୫
ଜୀମୂତ ପ୍ରାୟେ ବୃଷ୍ଟି କରେ । ପ୍ରଜାଙ୍କ ପ୍ରାର୍ଥନା ଯେ ପୂରେ ॥ ୩୦୬
ପୟୋଧି ତୁଲେ ଯେ ଗମ୍ଭୀର । ସୁଧୀର କନକ-ଭୂଧର ॥ ୩୦୭
ଧର୍ମ ସମାନେ ଶିକ୍ଷାକାରୀ । ଆଶ୍ଚର୍ଯ୍ୟେ ହିମାଳୟ ଗିରି ॥ ୩୦୮
କୁବେର ତୁଲେ ଧନେଶ୍ୱର । ରକ୍ଷକ ଯେହ୍ନେ ରତ୍ନାକର ॥ ୩୦୯
ଗୁଣେ ସକଳ ଜୀବେ ପ୍ରାଣ । ଶୀତଳ ପଣେ ଚନ୍ଦ୍ରଜାଣ ॥ ୩୧୦
ଜୀବନ ବଳ ତେଜ ଘେନି । ଏଣୁ ମରୁତ ସମ ମାନି ॥ ୩୧୧
କ୍ରୋଧରେ କାଳରୁଦ୍ର ସମ । ସୁନ୍ଦରେ ସମ ନୋହେ କାମ ॥ ୩୧୨
ପ୍ରାକ୍ରମେ ସମ ମୃଗଇନ୍ଦ୍ର । ଦୟାରେ ସେ ମନୁ ନରେନ୍ଦ୍ର ॥ ୩୧୩
ପ୍ରଭୁତ୍ୱ ପଣେ ଯେହ୍ନେ ବିଧି । ଗୁରୁ ସମାନେ ବ୍ରହ୍ମବାଦୀ ॥ ୩୧୪
ବିଷ୍ଣୁ ସମାନେ ଜିତେନ୍ଦ୍ରିୟ । ପାଳନେ ଗୋରୁ-ବିପ୍ରପ୍ରିୟ ॥ ୩୧୫
ବିଷ୍ଣୁ ବୈଷ୍ଣବ ଜନ ଠାରେ । ସେବନ୍ତି ବିନୟ ବେଭାରେ ॥ ୩୧୬
ସମେ ପ୍ରତୁଲ୍ୟ କେହି ନାହିଁ । ସଜ୍ଜନେ ଦୁତୀବ୍ରହ୍ମା ସେହି ॥ ୩୧୭
ଏ ତିନିଲୋକେ ତାଙ୍କ ଯଶ । ଯେହ୍ନେ ଶ୍ରବଣେ ହରି ରସ ॥ ୩୧୮
ଶ୍ରୀରାମ ତୁଲ୍ୟ କୀର୍ତ୍ତିକାରୀ । ଶୁଣ ଗାବନ୍ତି ନରନାରୀ ॥ ୩୧୯
ଶୁଣ ବିଦୁର ଭାଗ୍ୟବନ୍ତ । ସେ ପୃଥୁ ରାଜାର ଚରିତ ॥ ୩୨୦
ପୃଥୁ-ଚରିତ ସୁଧାରସ । ମନ-ଭ୍ରମର ତହିଁ ରସ ॥ ୩୨୧
ଅମୃତ-ରସମୟ ବାଣୀ । ଚତୁର୍ଥସ୍କନ୍ଧେ ଯାହା ଭଣି ॥ ୩୨୨
କହଇ ଦାସ ଜଗନ୍ନାଥ । ସନ୍ଥ-ଚରଣେ ଦେଇ ଚିତ୍ତ ॥ ୩୨୩
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥ ସ୍କନ୍ଧେ ପୃଥୁଚରିତେ ଦ୍ୱାବିଂଶୋଽଧ୍ୟାୟଃ ॥
* * *