ଚତୁର୍ଥ ସ୍କନ୍ଧ
ଏକବିଂଶ ଅଧ୍ୟାୟ
ମେତ୍ରେୟ ଉବାଚ
ଏବେ ହୋ ଶୁଣ ବିଷ୍ଣୁ ଗାଥା । କହିବା ପୃଥୁ ଯଜ୍ଞ କଥା ॥ ୧
ମିଳି ସକଳ ମୁନିଜନେ । ସନ୍ତୋଷ ପୃଥୁ ସନ୍ନିଧାନେ ॥ ୨
ଯଜ୍ଞ-କରଣ ଉଦଯୋଗେ । ସର୍ବ-ସମ୍ଭାର ଅଣି ବେଗେ ॥ ୩
ସୁପ୍ରାଚୀ ସରସ୍ୱତୀ ତୀର୍ଥେ । ଆରମ୍ଭ କଲେ ବ୍ରହ୍ମାବର୍ତ୍ତେ ॥ ୪
ଇନ୍ଦ୍ରାଦି ସର୍ବଦେବେ ଆସି । ଯଜ୍ଞ ଉତ୍ସବ ଘରେ ପଶି ॥ ୫
ଯଜ୍ଞସମ୍ଭାର ଇନ୍ଦ୍ର ଦେଖି । ନ ସହି ମନେ ହେଲା ଦୁଃଖୀ ॥ ୬
ସେ ଯଜ୍ଞେ ଯଜ୍ଞପତି ହରି । ପ୍ରତ୍ୟକ୍ଷ ହେଲେ ଦୟାକରି ॥ ୭
ଶଙ୍କର ପଦ୍ମଯୋନି ମେଳେ । ମିଳି ସକଳ-ଦିଗପାଳେ ॥ ୮
ଗନ୍ଧର୍ବ-ଅପସରା ଗଣେ । ମୁନିଏ ବେଦ-ଉଚ୍ଚାରଣେ ॥ ୯
ଆନନ୍ଦେ ଗୀତ-ନୃତ୍ୟ-ସ୍ତୁତି । ସିଦ୍ଧ-ଗୁହ୍ୟକ ପନ୍ତି ପନ୍ତି ॥ ୧୦
ଦାନବ-ଦୈତ୍ୟ-ବିଦ୍ୟାଧରେ । ସେ ଯଜ୍ଞେ ମିଳିଲେ ଗହଳେ ॥ ୧୧
ସୁନନ୍ଦ ନନ୍ଦ ଆଦି ମାନେ । ହରିର ପାରିଷଦ ଗଣେ ॥ ୧୨
କପିଳ ନାରଦ ଯେ ଦତ୍ତ । ସନକ ଆଦି ଉପଗତ ॥ ୧୩
ସେ ପୃଥୁ ଯଜ୍ଞେ ବସୁମତୀ । ବାଞ୍ଛା-ସୁରଭୀ ପୟୋବତୀ ॥ ୧୪
କାମଧେନୁର ପ୍ରାୟ ହୋଇ । ସର୍ବ ସମ୍ପଦ ଦେଲା ମହୀ ॥ ୧୫
ନଦୀଏ ଦୁଗ୍ଧ-ରସ ଜଳେ । ସଧୀରେ ବହନ୍ତି ଉଲ୍ଲୋଳେ ॥ ୧୬
ଘୃତ-ସଂଯୋଗେ ଦଧି ଅନ୍ନ । ତୋଷେ ଭୁଞ୍ଜନ୍ତି ସର୍ବଜନ ॥ ୧୭
ସକଳ-ବୃକ୍ଷେ ମଧୁ-ପନ୍ତି । ଜୀମୂତ ପ୍ରାୟ ବରଷନ୍ତି ॥ ୧୮
ସମୁଦ୍ରେ ନାନା ରତ୍ନେ ପୂରି । ଗର୍ଜନ୍ତି ଉଲ୍ଲୋଳେ ଲହରୀ ॥ ୧୯
ପର୍ବତେ ଚତୁର୍ବିଧ-ଅନ୍ନ । ଦେଇ ରଞ୍ଜିଲେ ପୃଥୁମନ ॥ ୨୦
ଲୋକପାଳକେ ଲୋକ ତୁଲେ । ସର୍ବ-ସମ୍ଭାର ସମ୍ଭାରିଲେ ॥ ୨୧
ଯଜ୍ଞ କରଣେ ବିଷ୍ଣୁ ଅର୍ଥେ । ସର୍ବ ସମ୍ପାଦିଲେ ସମସ୍ତେ ॥ ୨୨
ପୃଥୁର ଯଜ୍ଞାରମ୍ଭ ଚାହିଁ । ବାସବ ମନେ ବିଚାରଇ ॥ ୨୩
ଏ ପୃଥୁ ଶତକ୍ରତୁ କଲେ । ଲଭିବ ଇନ୍ଦ୍ରପଦ ଭଲେ ॥ ୨୪
ମୋର ସମ୍ପଦ ଜୀବ ନାଶ । ଏମନ୍ତ ଚିନ୍ତି ଛାଡେ ଶ୍ୱାସ ॥ ୨୫
ଯଜ୍ଞର ଊନିଶତ ଅନ୍ତେ । ଆତ୍ମାର ହିତ ଚିନ୍ତି ଚିତ୍ତେ ॥ ୨୬
ଯଜ୍ଞ-ପଶୁକୁ ହରି ନେଲା । ନିଜ ଭୁବନେ ବିଜେ କଲା ॥ ୨୭
ଆକାଶ ମାର୍ଗେ ଇନ୍ଦ୍ର ଗଲା । ପାଷଣ୍ତ-ଧର୍ମ ଆଚରିଲା ॥ ୨୮
ଧର୍ମେ ବିଭ୍ରମ ତାର ମନ । ସଭୟେ ଚିତ୍ତ ଛନ୍ନଛନ୍ନ ॥ ୨୯
ଅତ୍ରି ଯେ ଯଜ୍ଞଶାଳେ ଥିଲେ । ଅଶ୍ୱର ହରଣ ଜାଣିଲେ ॥ ୩୦
ପୃଥୁ-ପୁତ୍ରକୁ ରାଇ ବେଗେ । ଇନ୍ଦ୍ରର କର୍ମ ତାର ଆଗେ ॥ ୩୧
କହିଲେ ଅଶ୍ୱହର ବାଣୀ । ପୃଥୁ-ତନୟ ତାହା ଶୁଣି ॥ ୩୨
ଧନୁ-ଶରକୁ ଧରି କରେ । ଶୂନ୍ୟେ ଧାଇଁଲା କୋପଭରେ ॥ ୩୩
ଡାକଇ ରହ ରହ ବାଣୀ । ସଭୟେ ଇନ୍ଦ୍ର ତାହା ଶୁଣି ॥ ୩୪
ନିଜ ଶରୀର ଛନ୍ନ କଲା । ଜଟିଳ-ରୂପ ପ୍ରକାଶିଲା ॥ ୩୫
ତାହାର ନିକଟେ ମିଳିଲା । ଇନ୍ଦ୍ର-ବିମାନକୁ ଚାହିଁଲା ॥ ୩୬
ଭସ୍ମ-ଭୂଷିତ ଦେହ ଚାହିଁ । ପୃଥୁ-ନନ୍ଦନ ବିଚାରଇ ॥ ୩୭
ଜଟିଳ ଭସ୍ମ ଏହା ଗାତ୍ରେ । ଏହାକୁ ମାରିବି କେମନ୍ତେ ॥ ୩୮
ଏମନ୍ତ ମନେ ବିଚାରିଲା । ଇନ୍ଦ୍ରକୁ ବାଣ ନ ଛାଡିଲା ॥ ୩୯
ତାର ରହିବା ପଥ ଦେଖି । ଅତ୍ରି ଯଜ୍ଞଶାଳ ଉପେକ୍ଷି ॥ ୪୦
ଡାକନ୍ତି ମାର ମାର ବେଗେ । ତା ଶୁଣି ଇନ୍ଦ୍ର ଶୂନ୍ୟମାର୍ଗେ ॥ ୪୧
ଭୟେ ଚାହଁଇ ଦଶଦିଶେ । ସ୍ୱଭାବେ କେହି ନାହିଁ ପାଶେ ॥ ୪୨
ମନେ ବିଚାରେ ଶଚୀପତି । କି ଆଜ ହୋଇଲା ଦୁର୍ଗତି ॥ ୪୩
ବୋଲନ୍ତି ଅତି ବେଗେ ମାର । ସ୍ୱଭାବେ ଯଜ୍ଞ ଅଶ୍ୱ ଚୋର ॥ ୪୪
ଏମନ୍ତ ଅତ୍ରିର ବଚନ । ଶୁଣନ୍ତେ ପୃତୁର ନନ୍ଦନ ॥ ୪୫
ଧାମଇଁ ଅତି କୋପକରି । ହସ୍ତୀକି ଯେସନେ କେଶରୀ ॥ ୪୬
ବାସବ ଦେଖି ତା ବଦନ । ଅଶ୍ୱକୁ ଛାଡି ଅନ୍ତର୍ଦ୍ଧାନ ॥ ୪୭
ରହିଲା ଶୂନ୍ୟମାର୍ଗେ ଯାଇ । ପୃଥୁନନ୍ଦନ ବିଚାରଇ ॥ ୪୮
ଅଶ୍ୱକୁ ଘେନି ମହାରୋଷେ । ଇନ୍ଦ୍ରକୁ ଚାହେଁ ଦଶଦିଶେ ॥ ୪୯
ନ ଦେଖି ପୁଣି ଯଜ୍ଞସ୍ଥାନେ । ମିଳିଲା ଅତ୍ରି-ସନ୍ନିଧାନେ ॥ ୫୦
ଅଶ୍ୱର ରଜ୍ଜୁ କରେ ଧରି । ଅତ୍ରିଚରଣେ ନମସ୍କାରି ॥ ୫୧
ତାର ଅଦ୍ଭୁତ-କର୍ମ ଦେଖି । ମୁନିଏ ନାମ ଉପଲକ୍ଷି ॥ ୫୨
ବିଷ୍ଣୁ ଉଚ୍ଚାରି ପୁଣ୍ୟଧାମ । ଦେଲେ ତା ବିଜିତାଶ୍ୱ ନାମ ॥ ୫୩
ଏମନ୍ତେ ରଜନୀ ପ୍ରବେଶେ । ଇନ୍ଦ୍ର ମିଳିଲେ ଯଜ୍ଞଦେଶେ ॥ ୫୪
ଦେଖିଲା କେହି ନାହିଁ ପାଶେ । ସେ ପୁଣ ମନର ହରଷେ ॥ ୫୫
ଯଜ୍ଞର ଯୂପ-ତଳୁ ଛନ୍ନେ । ହରିଲା ସୁବର୍ଣ୍ଣ-ରସନେ ॥ ୫୬
ବିଚାରି ଅନ୍ଧକାର ଛଳେ । ଅଶ୍ୱକୁ ପୁଣି ନେଲା ବଳେ ॥ ୫୭
ଅତ୍ରି ଦେଖନ୍ତେ ଶୂନ୍ୟମାର୍ଗେ । ତ୍ରାସେ ପଳାଏ ଇନ୍ଦ୍ର ବେଗେ ॥ ୫୮
ବିଜିତାଶ୍ୱର ମୁଖ ଚାହିଁ । ବୋଲଇ ଅଶ୍ୱ ଆଣ ଯାଇ ॥ ୫୯
ତା ଶୁଣି ହସ୍ତେ ଧନୁ ଧରି । ଧାଇଁଲା ଘୋରନାଦ କରି ॥ ୬୦
ଆହେ ଦୁର୍ମତି ମନ୍ଦ ଚୋର । କିମ୍ପା ତୋ ଏମନ୍ତ ବିଚାର ॥ ୬୧
ଡାକଇ ରହ ରହ ବାଣୀ । ତାର ବଚନ ଇନ୍ଦ୍ର ଶୁଣି ॥ ୬୨
ପଥେ ଅଶ୍ୱକୁ ଛାଡି ଛନ୍ନେ । ତକ୍ଷଣେ ଗଲା ଅନ୍ତର୍ଦ୍ଧାନେ ॥ ୬୩
ପୁଣି ସେ ଅଶ୍ୱ ଧରି କରେ । ବେଗେ ମିଳିଲା ଯଜ୍ଞଘରେ ॥ ୬୪
ଅଶ୍ୱ ଚୋରାନ୍ତେ ଇନ୍ଦ୍ର ପଥେ । ଛଳେ ଧଇଲା ରୂପ ଯେତେ ॥ ୬୫
ପାଷଣ୍ତଜନ ସେହି ମତେ । ରୂପ ପ୍ରକାଶନ୍ତି ଜଗତେ ॥ ୬୬
ପୃଥୁର ଯଜ୍ଞ-ବିନାଶନେ । ଇନ୍ଦ୍ରର ଯେତେ ରୂପ ଛନ୍ନେ ॥ ୬୭
ପାଷଣ୍ତେ ସେହି ରୂପ ଚିନ୍ତି । ସଂସାରେ ଭ୍ରମ ସେ କରାନ୍ତି ॥ ୬୮
କେ ନଗ୍ନ ରକ୍ତପଟ୍ଟ ଧରେ । କେ ଭସ୍ମ ଭୂଷଣ ଶରୀରେ ॥ ୬୯
ଅଧର୍ମ-ମାର୍ଗ ଆଚରନ୍ତି । ଆତ୍ମାର ହିତ ନ କରନ୍ତି ॥ ୭୦
ପାଷଣ୍ତ-ମାର୍ଗେ ଥାଇ ନିତ୍ୟେ । ଦୂଷଣ ଦେଇ ବେଦପଥେ ॥ ୭୧
ସେ ରୂପ ପ୍ରକାଶି ବ୍ରହ୍ମାଣ୍ତୋ । ନିଗମ ନିନ୍ଦିବେ ପାଷଣ୍ତେ ॥ ୭୨
ତାହାଙ୍କ ମତ ଯେ କରନ୍ତି । ଅନ୍ତେ ନରକେ ପ୍ରବେଶନ୍ତି ॥ ୭୩
ସେ କଥା ଶୁଣି ପୃଥୁ କୋପେ । ଇନ୍ଦ୍ର ଝିଙ୍ଗାସେ ଦେହ କମ୍ପେ ॥ ୭୪
ଇନ୍ଦ୍ର ମାରଣେ କୋପ କରି । ନିଜ କୋଦଣ୍ତ-ଶର ଧରି ॥ ୭୫
କୋପନ୍ତେ ଅରୁଣ-ନୟନ । ପ୍ରଚଣ୍ତ ବିରାଜେ ବଦନ ॥ ୭୬
ପୃଥୁ ଗମନ ଦେଖି ରଣେ । ବେଗେ ମିଳିଲେ ବିପ୍ରଗଣେ ॥ ୭୭
ଇନ୍ଦ୍ର-ବିଷୟେ କୋପ ବହି । ବୋଲନ୍ତି ପୃଥୁ ମୁଖ ଚାହିଁ ॥ ୭୮
ଭୋ ପୃଥୁ ଶୁଣ ଧର୍ମ-କଥା । ଆଗମ ନିଗମ ବ୍ୟବସ୍ଥା ॥ ୭୯
ପଶୁ ବିନା ଆନ ବଧ । ଯଜ୍ଞରେ ଅଟଇ ନିଷେଧ ॥ ୮୦
ତୋ ଯଜ୍ଞ-କୀର୍ତ୍ତି ନାଶେ ଇନ୍ଦ୍ର । ଆମ୍ଭେ ନାଶିବୁ ତା ନରେନ୍ଦ୍ର ॥ ୮୧
ମନ୍ତ୍ର ଆହ୍ୱାନ ବଳେ କରି । ଅଗ୍ନିକୁ ଆହୁତିରେ ଧରି ॥ ୮୨
ନାଶିବୁ ତୋହର ଅହିତ । ତୋର ମାରିବା ନୋହେ ଯୁକ୍ତ ॥ ୮୩
ଏମନ୍ତ ପୃଥୁ ଆଗେ କହି । ଋତ୍ୱିଜେ ଅତି କୋପ ବହି ॥ ୮୪
ସ୍ରୁବକୁ ସର୍ବେ ଧରି ହସ୍ତେ । ଅଗ୍ନିରେ ଆହୁତି ଦିଅନ୍ତେ ॥ ୮୫
ବ୍ରହ୍ମା ମିଳିଲେ ତତକ୍ଷଣ । ସମସ୍ତ ମୁନି-ସନ୍ନିଧାନ ॥ ୮୬
ଇନ୍ଦ୍ରର ହିତ ଚିତ୍ତେ ବହି । ବୋଲନ୍ତି ମୁନିଗଣେ ଚାହିଁ ॥ ୮୭
ଶୁଣ ହେ ସର୍ବ ବିପ୍ରବର । ଯାହାକୁ ଯଜ୍ଞେ ତୁମ୍ଭେ ମାର ॥ ୮୮
ଯେ ଦେବ ଯଜ୍ଞଭାଗ ଭୂଞ୍ଜେ । ସେ ଦେବଦେହ ଇନ୍ଦ୍ରତେଜେ ॥ ୮୯
ଏଣୁ ଇନ୍ଦ୍ରକୁ ଯଜ୍ଞେ ବରି । ମନ୍ତ୍ରେ ଅନଳେ ହୋମ କରି ॥ ୯୦
ସୃଷ୍ଟି ପାଳନେ ଏ କାରଣ । ଏ ଭାବେ ସଂସାର ଧାରଣ ॥ ୯୧
ପୃଥୁ ବଦନ ଚାହିଁ ଧୀରେ । ବୋଲନ୍ତି ବଚନ ମଧୁରେ ॥ ୯୨
ଏ ଇନ୍ଦ୍ରନାରାୟଣ ତନୁ । ଏହାକୁ ଛାଡ ତୁମ୍ଭେ ମନ୍ୟୁ ॥ ୯୩
ଏହାର ଦେହେ ସର୍ବଦେବେ । ନିତ୍ୟେ ବସନ୍ତି ଯଜ୍ଞଭାବେ ॥ ୯୪
ଆହୁତି ଯାର ମୁଖେ ଦେଇ । ତାହାକୁ କୋପ ନ ଯୋଗାଇ ॥ ୯୫
ଏହାକୁ କୋପ ତୁ ନକର । ଯଜ୍ଞପୁରୁଷ ଅର୍ଥେ ବର ॥ ୯୬
ଏ ଧର୍ମ ପରମ-କାରଣ । ଅଶେଷ ସୃଷ୍ଟି ଉଦ୍ଧାରଣ ॥ ୯୭
ଏ ଯଜ୍ଞେ ଦ୍ରୋହ କର୍ମ କଲା । ପାଷଣ୍ତ ପଣ ଆଚରିଲା ॥ ୯୮
ପାଷଣ୍ତ ଉଦ୍ଧରିବା ଅର୍ଥେ । ତୋ ଅବତାର ଏ ଜଗତେ ॥ ୯୯
ତୁ ସେ ସକଳ ଗୁଣମଣି । ଅପୂର୍ବ ନୋହେ କିଛି ପୁଣି ॥ ୧୦୦
ବେଣର ଦେହେ ଯେତେ ଦୋଷ । ତୋ ଜନ୍ମ କଲା ତାହା ନାଶ ॥ ୧୦୧
ତୁ ଏବେ ମୋର ବୋଲ କର । ପାଷଣ୍ତ ପ୍ରାଣୀଙ୍କି ଉଦ୍ଧର ॥ ୧୦୨
ମୈତ୍ରେୟ ଉବାଚ
ଏମନ୍ତ ବ୍ରହ୍ମାର ବଚନେ । ଇନ୍ଦ୍ରକୁ କୋପ ଛାଡି ମନେ ॥ ୧୦୩
ଯଜ୍ଞର ଅବଭୃତ-ସ୍ନାନେ । ଦକ୍ଷିରା ଦେଇ ବିପ୍ରଜନେ ॥ ୧୦୪
ଯଜ୍ଞେ ତୋଷିଲେ ସର୍ବଜନେ । ଅନ୍ନ-ବସନ-ଧେନୁ ଦାନେ ॥ ୧୦୫
ସେ ବିପ୍ରଜନେ ହୋଇ ତୋଷ । ପୃଥୁକୁ କରନ୍ତି ଆଶିଷ ॥ ୧୦୬
ବ୍ରହ୍ମା ହରଷ-ଚିତ୍ତ ହୋଇ । କହନ୍ତି ପୃଥୁ ମୁଖ ଚାହିଁ ॥ ୧୦୭
ତୋର ବଚନେ ସର୍ବଦେବେ । ତୋଷ ହୋଇଳେ ଯଜ୍ଞଭାବେ ॥ ୧୦୮
ଏମନ୍ତ କହି ପଦ୍ମଯୋନି । ସଙ୍ଗେ ସକଳ ବିପ୍ର ଘେନି ॥ ୧୦୯
ତକ୍ଷଣେ ଗଲେ ନିଜସ୍ଥାନେ । ଶୁଣ ବିଦୁର ତୋଷମନେ ॥ ୧୧୦
ଏ ପୃଥୁ-ଯଜ୍ଞର କାହାଣୀ । ନିର୍ମଳ ହୁଅ ନରେ ଶୁଣି ॥ ୧୧୧
ମୈତ୍ରେୟ ମୁନି ତୋଷ ଚିତେ । କହନ୍ତି ବିଦୁର ଅଗ୍ରତେ ॥ ୧୧୨
ଶୁଣ ବିଦୁର ସାବଧାନେ । ପୃଥୁର ଯଜ୍ଞ ଅବସାନେ ॥ ୧୧୩
ଯେ ଯଜ୍ଞପତି ଭଗବାନ । ଇନ୍ଦ୍ର ସହିତେ ଆଗମନ ॥ ୧୧୪
ହରଷେ ପ୍ରଭୁ ଯଜ୍ଞପତି । ପୃଥୁକୁ ଚାହିଁଣ କହନ୍ତି ॥ ୧୧୫
ଭଗବାନ ଉବାଚ
ଶୁଣ ହୋ ପୃଥୁ ନୃପନାଥ । ଇନ୍ଦ୍ର ଯେ କଲା ଯଜ୍ଞେ ଘାତ ॥ ୧୧୬
ସେ ଅପରାଧ ଖଣ୍ତିବାକୁ । ଏବେ ଅଇଲା ତୁମ୍ଭ ଠାକୁ ॥ ୧୧୭
ତୁମ୍ଭେ ଯେ ସାଧୁ ନୃପବର । ଏହାର ଦୋଷ କ୍ଷମା କର ॥ ୧୧୮
ଏ ଲୋକେ ସାଧୁ ଯେ ଅଟନ୍ତି । ସେ ଦ୍ରୋହକର୍ମ ନ କରନ୍ତି ॥ ୧୧୯
ସାଧୁଙ୍କ ନାହିଁ ହିଂସା ଭାବ । ସମେ ଦେଖନ୍ତି ସର୍ବଜୀବ ॥ ୧୨୦
ଯେଣୁ ଏ ଦେହ ଆତ୍ମା ନୋହେ । ତେଣୁ ସେ ପଡନ୍ତି ଦ୍ରୋହେ ॥ ୧୨୧
ଯେବେ ପୁରୁଷ ତୁମ୍ଭ ପ୍ରାୟେ । ଦେବମାୟାରେ ମୋହ ହୋଏ ॥ ୧୨୨
ବୃଦ୍ଧ-ସେବନ ଦୀର୍ଘକାଳ । କେବଳ ଶ୍ରମ ସିନା ତାର ॥ ୧୨୩
ଅବିଦ୍ୟା କାମ୍ୟ-କର୍ମ ବଶେ । ଯେଣୁ ଏ ଦେହ ପରକାଶେ ॥ ୧୨୪
ଏ କଥା ଯେ ଜ୍ଞାନୀ ଜାଣନ୍ତି । ସେ ମୋହ ଦ୍ୱନ୍ଦ୍ୱେ ନ ପଡନ୍ତି ॥ ୧୨୫
ଅନିତ୍ୟ ଜାଣନ୍ତି ସେ ଦେହ । ତେଣୁ ତହିଁରେ ନାହିଁ ସ୍ନେହ ॥ ୧୨୬
ଗୃହ ଦ୍ରବିଣ ଦାରା ସୁତେ । ମମତା କରିବେ କେମନ୍ତେ ॥ ୧୨୭
ଏ ଆତ୍ମା ଦେହ ତହୁଁ ଭିନ୍ନ । ଶୁଣ କହିବା ତାର ଚିହ୍ନ ॥ ୧୨୮
ଏକଇ ଆତ୍ମା ସର୍ବଦେହେ । ଶୁଦ୍ଧ-ଅଶୁଦ୍ଧେ ଭେଦ ନୋହେ ॥ ୧୨୯
ନିର୍ଗୁଣ ହୋଇ ଗୁଣାଶ୍ରୟ । ସେ ଆତ୍ମା ସ୍ୱୟଂ ଜ୍ୟୋତିର୍ମୟ ॥ ୧୩୦
ସେ ଏକ ଅଛି ସର୍ବଠାରେ । ଆବୃତ ନୋହେ ମାୟାଦ୍ୱାରେ ॥ ୧୩୧
ତାହାର ନାହିଁ ଆତ୍ମପର । ସେ ଥାଇ ପ୍ରକୃତିରୁ ପର ॥ ୧୩୨
ଶରୀରୁ ଭିନ୍ନେ ଥାଇ ସେହି । ତାକୁ ଦେଖନ୍ତା ନାହିଁ କେହି ॥ ୧୩୩
ଆତ୍ମାକୁ ଏମନ୍ତ ପ୍ରକାରେ । ଯେ ପ୍ରାଣୀ ଦେଖନ୍ତି ଶରୀରେ ॥ ୧୩୪
ସେ ଯେବେ ପ୍ରକୃତିରେ ଥାଇ । ପ୍ରକୃତି ଗୁଣେ ବଦ୍ଧ ନୋହି ॥ ୧୩୫
ଯେମନ୍ତେ ପ୍ରାଣୀ ମୋତେ ପାଏ । ତୁମ୍ଭକୁ କହି ସେ ଉପାୟେ ॥ ୧୩୬
ଯେ ଜନ ସ୍ୱଧର୍ମେ ନିଷ୍କାମେ । ମୋତେ ଭଜଇ ପ୍ରତିଦିନେ ॥ ୧୩୭
ତା ମତି ହୁଅଇ ପ୍ରସନ୍ନ । ଦୁର୍ଗତି କରଇ ମୋଚନ ॥ ୧୩୮
ମନ ପ୍ରସନ୍ନ ଯାର ହୋଇ । ସେ ପ୍ରାଣୀ ଗୁଣ ପ୍ରତେଜଇ ॥ ୧୩୯
ସମତ୍ୱେ ସେ ସର୍ବ ଦେଖଇ । ସେ ଜୀବ ଆତ୍ମାକୁ ଜାଣଇ ॥ ୧୪୦
ଭଜଇ ଶାନ୍ତି ଅବସ୍ଥାନ । ଲଭଇ କୈବଲ୍ୟ ନିର୍ବାଣ ॥ ୧୪୧
ଏହି ଆତ୍ମାକୁ ଯେଉଁମାନେ । ଦେହ ଇନ୍ଦ୍ରିୟ କର୍ମଜ୍ଞାନେ ॥ ୧୪୨
ମନର ଅଧ୍ୟକ୍ଷ ଜାଣନ୍ତି । ସକଳ ଦୁଃଖୁ ସେ ତରନ୍ତି ॥ ୧୪୩
ଦେଖ ଏ ଲିଙ୍ଗ କଳେବର । ସେ ପଞ୍ଚଭୂତେ ସ୍ଥୂଳତର ॥ ୧୪୪
ଏ ଦଶ-ଇନ୍ଦ୍ରିଛନ୍ତି ଏଥି । ଚେତନ ରୂପେ ଆତ୍ମା ତଥି ॥ ୧୪୫
ଏ ଗୁଣ-ପ୍ରବାହରୁ ହୋଇ । ଏହାକୁ ଯେ ଭେଦି ଦେଖଇ ॥ ୧୪୬
ସେ ପ୍ରାଣୀ ଆତ୍ମାକୁ ଦେଖଇ । କ୍ଳେଶାଦି ତାକୁ ନ ବାଧଇ ॥ ୧୪୭
ଯେ ଜନ ଦୃଢ଼ଭକ୍ତି କରେ । ମନ ବାନ୍ଧଇ ଆମ୍ଭଠାରେ ॥ ୧୪୮
ବିପଦ ସମ୍ପଦରେ ତାର । କେବେ ହେଁ ନୋହଇ ବିକାର ॥ ୧୪୯
ଶୋକାଦି ଦ୍ୱାରା ସେହିମାନେ । ବ୍ୟଥିତ ନୁହଁନ୍ତି ଅଜ୍ଞାନେ ॥ ୧୫୦
ଶୁଣ ହେ ପୃଥୁ ନୃପବର । ସୁଖ-ଦୁଃଖକୁ ସମକର ॥ ୧୫୧
ପ୍ରାଣୀ ମାନଙ୍କ ତିନି କ୍ରମ । ଉତ୍ତମ ମଧ୍ୟମ ଅଧମ ॥ ୧୫୨
ଉତ୍ତମେ ଉତ୍ତମ ଲଭଇ । ଅଧମେ ଅଧୋଗତି ପାଇ ॥ ୧୫୩
ମଧ୍ୟମେ ମଧ୍ୟମ ବେଭାର । ଶୁଣ ହେ ପୃଥୁ ନୃପବର ॥ ୧୫୪
ଏ ଦୁଃଖ-ସୁଖ ସମ କର । ଇନ୍ଦ୍ରିୟମାନଙ୍କୁ ନିବାର ॥ ୧୫୫
ଚିତ୍ତକୁ ନିର୍ମଳ କରିଣ । ଇନ୍ଦ୍ରିମାନଙ୍କୁ ତୁହି ଜିଣ ॥ ୧୫୬
ବନ୍ଧୁ ଅମାତ୍ୟ ଆଦି ଯେତେ । ମୋହର ଦେବା ଜାଣି ଚିତ୍ତେ ॥ ୧୫୭
ତାହାଙ୍କୁ ସଙ୍ଗତେ ଘେନିଣ । ପ୍ରଜାଙ୍କୁ ପାଳ ସ୍ୱଧର୍ମେଣ ॥ ୧୫୮
ଅଖିଳଲୋକ ରକ୍ଷାକର । ମଙ୍ଗଳ ହୋଇବ ତୁମ୍ଭର ॥ ୧୫୯
ପ୍ରଜାପାଳନ ରାଜାଧର୍ମ । ପ୍ରଜା କରେ ଯେ ଶୁଭକର୍ମ ॥ ୧୬୦
ପରଲୋକରେ ଷଷ୍ଠ ଅଂଶ । ନୃପତି ଲଭଇ ଅବଶ୍ୟ ॥ ୧୬୧
ଯେ ରାଜା ପ୍ରଜାଙ୍କୁ ନ ପାଳେ । ଅଧର୍ମେ କର ନିଏ ବଳେ ॥ ୧୬୨
ସେ ରାଜା ନରକ ଭୁଞ୍ଜଇ । ତାହାର କାହିଁ ରକ୍ଷା ନାହିଁ ॥ ୧୬୩
ସ୍ୱଧର୍ମେ ଥାଇ ପ୍ରଜା ପାଳ । ଗୃହମେଧରେ କିଛିକାଳ ॥ ୧୬୪
ସନକ ଆଦି ମୁନିଜନେ । ଆସିବେ ତୋହର ଭୁବନେ ॥ ୧୬୫
ତାହାଙ୍କୁ ନୟନେ ଦେଖିବ । ସୁଦିବ୍ୟଜ୍ଞାନ ତୁମ୍ଭ ହେବ ॥ ୧୬୬
ତୋ ଧର୍ମ ଶୀଳ ଗୁଣ ଯଶ । ଭାବେ ହୋଇଲୁ ଆମ୍ଭେ ବଶ ॥ ୧୬୭
ତେଣୁ ତୁ ମୋର ଠାରୁ ବର । ଯେ ଇଚ୍ଛା ମାଗ ନୃପବର ॥ ୧୬୮
ଯଜ୍ଞ ତପସ୍ୟା ଯୋଗାଦିରେ । ପ୍ରାପ୍ୟ ମୁଁ ନୁହଇ ସଂସାରେ ॥ ୧୬୯
ଯାହାର ଭେଦ-ଜ୍ଞାନ ନାହିଁ । ତା ହୃଦେ ନିରତେ ମୁଁ ଥାଇ ॥ ୧୭୦
ମୈତ୍ରେୟ ଉବାଚ
ଏମନ୍ତେ ପ୍ରଭୁ ଭାବଗ୍ରାହୀ । ପୃଥୁଙ୍କୁ କହିଲେ ବୁଝାଇ ॥ ୧୭୧
ହରିଙ୍କ ଆଜ୍ଞା ଧରି ଶିରେ । ତକ୍ଷଣେ ପାଦେ ପ୍ରଣମିଲେ ॥ ୧୭୨
ଏମନ୍ତ କାଳେ ଦେବରାଜ । ଆପଣା କର୍ମେ ପାଇ ଲାଜ ॥ ୧୭୩
ପୃଥୁିଙ୍କ ଚରଣେ ପଡିଲେ । ଅପ୍ରାଧ କଲଇଁ ବୋଇଲେ ॥ ୧୭୪
ପୃଥୁ ଯେ ତହୁଁ ଆଲିଙ୍ଗନ । କରି ତୋଷିଲେ ଇନ୍ଦ୍ରମନ ॥ ୧୭୫
ଏ ଅନ୍ତେ ପ୍ରଭୁ ଭଗବାନ । ଗଗନେ କଲେକ ଉଦ୍ୟମ ॥ ୧୭୬
ପୃଥୁ ଯେତେକ ପୂଜା କଲେ । ହରି ତା ଆନନ୍ଦେ ଘେନିଲେ ॥ ୧୭୭
ଯେ ରାଜା ପଡି ହରିପାଦେ । ପ୍ରଣାମ କରିଣ ଆନନ୍ଦେ ॥ ୧୭୮
ଆନନ୍ଦସାଗରେ ବୁଡିଲା । ପୁଲକ ସର୍ବାଙ୍ଗେ ବହିଲା ॥ ୧୭୯
ବେନି-ନୟନୁ ଅଶ୍ରୁ ଝରେ । ପ୍ରଭୁଙ୍କୁ ହୃଦପଦ୍ମେ ଧରେ ॥ ୧୮୦
କର-ଅଞ୍ଜଳି ଶିରେ ଦେଇ । କହଇ ବିଷ୍ଣୁମୁଖ ଚାହିଁ ॥ ୧୮୧
ପୃଥୁ-ଉବାଚ
ହେ ପ୍ରଭୁ ବରଦ ଈଶ୍ୱର । ପଣ୍ତିତେ ନ ମାଗିବେ ବର ॥ ୧୮୨
ଯେ ବ୍ୟକ୍ତି ଜ୍ଞାନୀ ହୋଇଥିବ । ଭୋଗ ବିଳାସ ନ ମାଗିବ ॥ ୧୮୩
ଆଜ୍ଞା ଯେ ଦେଲେ ବର ଘେନ । ବରେ ମୋ ନାହିଁ ପ୍ରୟୋଜନ ॥ ୧୮୪
ବର ଘେନନ୍ତି ଭୋଗ ପାଇଁ । ସେ ଭୋଗ ନରକେ କହି ନାହିଁ ॥ ୧୮୫
କୈବଲ୍ୟନାଥ ତୋତେ ପାଇ । କେ ଭୋଗ ବାଞ୍ଛା ଜ୍ଞାନୀ ହୋଇ ॥ ୧୮୬
ଅପରେ ମୋକ୍ଷଧର୍ମ ସାର । ତହିଁରେ ବାଞ୍ଛା ନାହିଁ ମୋର ॥ ୧୮୭
ତୋ ପାଦପଦ୍ମ ମକରନ୍ଦ । ଅତିହିଁ ରସାଳ ସୁଗନ୍ଧ ॥ ୧୮୮
ତୁମ୍ଭର ଗୁଣ ଭକ୍ତମାନେ । ସ୍ମରନ୍ତି ନିତ୍ୟ ରାତ୍ରିଦିନେ ॥ ୧୮୯
ତୁମ୍ଭର ଗୁଣ କୀର୍ତ୍ତିମାନ । ନିରତେ ଥାଉ ମୋର କର୍ଣ୍ଣ ॥ ୧୯୦
ସେ ଯଶ ଶ୍ରବଣେ ମୋ ଇଚ୍ଛା । ଅୟୁତେ କର୍ଣ୍ଣ ଦିଅ ବାଞ୍ଛା ॥ ୧୯୧
ଏ ଦୁଇକର୍ଣ୍ଣେ ଶୁଣି ମୋର । ସନ୍ତୋଷ ନୋହେ ଚକ୍ରଧର ॥ ୧୯୨
ତୋ ପାଦ-ପଦ୍ମ ସୁଧା ଯଶ । ସାଧୁଙ୍କ ବଦନୁ ପ୍ରକାଶ ॥ ୧୯୩
କୁଯୋଗୀ ଜନେ ଦିଏ ଜ୍ଞାନ । ଆନେ ମୋ ନାହିଁ ପ୍ରୟୋଜନ ॥ ୧୯୪
ନିଖିଳ ପୁରୁଷଉତ୍ତମ । ତୁ ଗୁଣାଳୟ ତୋ ଚରଣ ॥ ୧୯୫
ସେବିବି ଲକ୍ଷ୍ମୀର ପରାୟେ । ତା ସଙ୍ଗେ କଳି ନିକି ହୋଏ ॥ ୧୯୬
ଜଗତ ଜନନୀ ସମେତେ । ବାଦ ହେଲେହେଁ ଅବିରତେ ॥ ୧୯୭
ତଥାପି ସେବା ନ ତେଜିବି । ଅବଶ୍ୟ ସେ ପାଦ ଭଜିବି ॥ ୧୯୮
ଦୀନବତ୍ସଳ ତୋର ବାନା । ଭକ୍ତରେ ତୋହର କରୁଣା ॥ ୧୯୯
ଏଣୁ ଭାଜନ୍ତି ଏକଭାବେ । ନିଷ୍କାମ ଭାବରେ ସାଧବେ ॥ ୨୦୦
ଅନ୍ୟତ୍ର ଫଳ ନ ବାଞ୍ଛନ୍ତି । ଆନନ୍ଦେ ତୋ ପାଦେ ଭଜନ୍ତି ॥ ୨୦୧
ଭଜିଲା ଲୋକଠାରେ ଯାହା । ବର ମାଗ ତୁ ବୋଲୁ ଯାହା ॥ ୨୦୨
ଭୋନାଥ ତୋହର ଏ ବାଣୀ । ଜାଣିଲି ଏ ବିଶ୍ୱମୋହିନୀ ॥ ୨୦୩
ଫଳ ଆଶାରେ ଲୋଭୀ ହୋଇ । ମାୟାମୋହରେ ଭ୍ରମୁ ଥାଇ ॥ ୨୦୪
ତାଙ୍କୁ ନ ଦେବ ଭୋଗ କିଛି । ଯେବେ ଭକତେ ଦୟା ଅଛି ॥ ୨୦୫
ନିଷ୍କାମ ସାଧୁ ଯେଉଁ ଜନ । ଭଜନ୍ତି ତୋ ପାଦପଦ୍ମେଣ ॥ ୨୦୬
ଅନ୍ୟତ୍ର ଫଳ ନ ଜାଣନ୍ତି । ତୋ ଭକ୍ତିଭାବେ ନିମଜ୍ଜନ୍ତି ॥ ୨୦୭
ତୁମ୍ଭଙ୍କୁ ଭଜେ ଯେଉଁ ନର । ବଚନେ ଦିଅ ତାକୁ ବର ॥ ୨୦୮
ଜଗମୋହନ ସେ ବଚନ । ନିଶ୍ଚେ ଜାଣିଲି ଭଗବାନ ॥ ୨୦୯
ପ୍ରାଣୀବନ୍ଧନ ଫଳ ଆଶେ । ତୁମ୍ଭ ବଚନ ରଜ୍ଜୁ ପାଶେ ॥ ୨୧୦
ପିତା ଯେସନେ ପୁତ୍ର ହିତେ । କରଇ ସ୍ନେହ ଅବିରତେ ॥ ୨୧୧
ତୁମ୍ଭେ ସେ ରୂପେ ଆଚରିବ । ତେବେ ଭକତ ନିସ୍ତରିବ ॥ ୨୧୨
ଏହା ମୁଁ ମାଗୁଛି ଶ୍ରୀହରି । ଦିଅ ହେ ପ୍ରଭୁ ଦୟା କରି ॥ ୨୧୩
ମୈତ୍ରେୟ କହନ୍ତି ବିଦୁରେ । ଶ୍ରୀକୃଷ୍ଣ ମହିମା ସାଦରେ ॥ ୨୧୪
ବର୍ଣ୍ଣନେ ପୃଥୁ ନୃପବର । ଶ୍ରବଣେ ହୋଇ ତୋଷଭର ॥ ୨୧୫
ଆଜ୍ଞା ଦିଅନ୍ତି ଭଗବାନ । ଶୁଣିମା ହେ ଆଦି ରାଜନ ॥ ୨୧୬
ତୋ ସ୍ତବେ ସନ୍ତୋଷ ହୋଇଣ । ଆଜ୍ଞା ଦେଉଛୁ ପୁଣପୁଣ ॥ ୨୧୭
ହେ ରାଜା ତୋର ଭକ୍ତିଭାବ । ମୋ ପାଦେ ସର୍ବଦା ହୋଇବ ॥ ୨୧୮
ମୋର ବିଷୟେ ତୋର ବୁଦ୍ଧି । ଭକତି ଯୋଗେ ଯେ ପ୍ରସିଦ୍ଧି ॥ ୨୧୯
ଏଣୁ ଦୁସ୍ତର ମୋର ମାୟା । ତୋତେ ନ ଲାଗୁ ପୁଣ୍ୟଦେହ ॥ ୨୨୦
ଏମନ୍ତ ବୋଲି ନାରାୟଣ । ବହୁତ ସନ୍ତୋଷ ହୋଇଣ ॥ ୨୨୧
ପୃଥୁରାଜାର ଯେତେ ବାଣୀ । ମନେ ଧଇଲେ ଚକ୍ରପାଣି ॥ ୨୨୨
ତାର ପୂଜନେ ତୋଷ ହୋଇ । ତାଠାରେ ଅନୁଗ୍ରହ ବହି ॥ ୨୨୩
ଦେବ ଋଷି ପିତୃ ଗନ୍ଧର୍ବ । ସିଦ୍ଧ ଚାରଣ ଯେ ପୁନ୍ନଗ ॥ ୨୨୪
କିନ୍ନର ଅପସର ମର୍ତ୍ତ୍ୟ । ଖଗାଦି ଏ ଜୀବଲୋକନ୍ତ ॥ ୨୨୫
ରାଜର୍ଷି ପୃଥୁ ଆନେ ଯେତେ । ଯେ ଉପାଧ୍ୟାୟ ଯଜ୍ଞଗତେ ॥ ୨୨୬
ଯେ ସର୍ବେ ବିଷ୍ଣୁସଙ୍ଗେ ଥିଲେ । ସନ୍ତୋଷେ ବିଷ୍ଣୁପୂଜା କଲେ ॥ ୨୨୭
ହରିଲେ ତାହାଙ୍କର ମନ । ବୈକୁଣ୍ଠେ ବିଜେ ଭଗବାନ ॥ ୨୨୮
ଗରୁଡ-ପୃଷ୍ଠେ ବିଜେ କଲେ । ସମସ୍ତ ଦେବେ ଦେଖୁଥିଲେ ॥ ୨୨୯
ଅଦୃଶ୍ୟ ହେଲେ ଭଗବାନ । ପୁଣି ନମିଲେ ଦେବଗଣ ॥ ୨୩୦
ଇନ୍ଦ୍ରାଦି ସର୍ବ ଦେବଗଣ । ଆବର ଋଷି-ପତ୍ନୀମାନ ॥ ୨୩୧
ପୃଥୁକୁ ଆଲିଙ୍ଗନ କରି । ଗଲେ ସେ ଯେ ଯାହାର ପୁରୀ ॥ ୨୩୨
ସେ ପୃଥୁ ତାଙ୍କୁ ନମସ୍କାର । କରିଣ ଗଲେ ନିଜ ପୁର ॥ ୨୩୩
ଏ ବିଷ୍ଣୁ ପୃଥୁର ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୨୩୪
ସୁଜନଜନେ ଶୁଣ ଏହା । ଯେବେ ତରିବ ବିଷ୍ଣୁମାୟା ॥ ୨୩୫
କହନ୍ତି ମଇତ୍ରେୟ ଋଷି । ଶୁଣ ବିଦୁର କରୁବଂଶୀ ॥ ୨୩୬
ପୃଥୁ ବିଜୟେ ନିଜ ପୁର । ସେ ପୁର ଅତ୍ୟନ୍ତ ସୁନ୍ଦର ॥ ୨୩୭
ମୁକୁତାମାଳ ତୁମ୍ଭେ ତହିଁ । ଦିବ୍ୟ-କୁସୁମେ ଶୋଭା ପାଇ ॥ ୨୩୮
ସୁବର୍ଣ୍ଣ-ତୋରଣ ତହିଁରେ । ଧୂପ ସୁଗନ୍ଧ ମନୋହରେ ॥ ୨୩୯
ଚନ୍ଦନ ଅଗୁରୁରେ ମିଶି । ତୋଷେ ସିଞ୍ଚନ୍ତି ପ୍ରଜା ଆସି ॥ ୨୪୦
ଫଳ ତଣ୍ତୁଳ ଦୂର୍ବାକ୍ଷତେ । ପୂଜନ୍ତି ଦୀପ ଘେନି ହସ୍ତେ ॥ ୨୪୧
କଦଳୀ-ଗୁଆ-ବୃକ୍ଷ ଦାଣ୍ତେ । ତରୁ ପଲ୍ଲବମାଳ ମୁଣ୍ତେ ॥ ୨୪୨
ସେ ପୁର ଅଟେ ଅଳଙ୍କୁତ । ମଙ୍ଗଳ ଚିହ୍ନ ଯେ ସର୍ବତ୍ର ॥ ୨୪୩
ପ୍ରଜାଏ ଦୀପାବଳୀ କର । ଆବର ଯେ ଦ୍ରବ୍ୟ ମଙ୍ଗଳ ॥ ୨୪୪
ଉଜ୍ଜଳ କନ୍ୟାଗଣ ମେଳେ । ଦିବ୍ୟ କୁଣ୍ତଳ କର୍ଣ୍ଣେ ଲୁଳେ ॥ ୨୪୫
ମିଳିଲେ ରାଜାର ଅଗ୍ରତେ । ପୂଜାର ବଳି ଘେନି ହସ୍ତେ ॥ ୨୪୬
ଶଙ୍ଖ ଦୁନ୍ଦୁଭିର ଘୋଷରେ । ବିପ୍ରଙ୍କ ବେଦଧ୍ୱନି ସ୍ଫୁରେ ॥ ୨୪୭
ସ୍ତୁତି କରନ୍ତି ସର୍ବେ ମିଳି । ସ୍ତିରୀଏ ଦ୍ୟନ୍ତି ହୁଳହୁଳି ॥ ୨୪୮
ସୁବର୍ଣ୍ଣପାତ୍ରେ ଅର୍ଘ୍ୟ କରି । ନାନାଦି ଫଳପୁଷ୍ପ ଭରି ॥ ୨୪୯
ମୁଖେ ମଙ୍ଗଳନାଦ ଭଣି । ବଦାନ୍ତି ସକଳ ତରୁଣୀ ॥ ୨୫୦
ଭୁବନେ ବିଜେ ନୃପବର । ସର୍ବତ୍ର ତେଜି ଅହଙ୍କାର ॥ ୨୫୧
ମହାଆନନ୍ଦେ ଦଣ୍ତଧାରୀ । ନିଜ ଆସନେ ବିଜେ କରି ॥ ୨୫୨
ସେ ପୁରେ ମହାନ୍ତ ଯେ ଥିଲେ । ପୂଜିତ ହୋଇ ପୂଜା କଲେ ॥ ୨୫୩
ସେ ପୃଥୁ ଏ ରୂପେ ନାନାଦି । କୁଶଳ-କର୍ମକୁ ସମ୍ପାଦି ॥ ୨୫୪
ଅବନୀ-ମଣ୍ତଳ ପାଳନ । କରି ନିର୍ମଳ ଯଶ ପୁଣ ॥ ୨୫୫
ପ୍ରଜାଙ୍କୁ ବହୁ ସୁଖ ଦେଲେ । ଅନ୍ତେ ସେ ବୈକୁଣ୍ଠ ଲଭିଲେ ॥ ୨୫୬
ସୂତ ଉବାଚ
କହନ୍ତି ସୂତ ପୌରାଣିକ । ଶୁଣ ହେ ମୁନି ଶଉନକ ॥ ୨୫୭
ସେ ଆଦିରାଜା ପୃଥୁ ଯଶ । ଅଶେଷ ଗୁଣ ଯେ ପ୍ରକାଶ ॥ ୨୫୮
ସେ ଯଶ ମହାଭାଗବତ । ବିଦୁର ଶୁଣି କୃତକୃତ୍ୟ ॥ ୨୫୯
ମୈତ୍ରେୟ ମୁନିଙ୍କୁ ପୂଜିଣ । ପୁଚ୍ଛଇ ପଡିଣ ଚରଣ ॥ ୨୬୦
ବିଦୁର ଉବାଚ
ସେ ପୃଥୁ ବିପ୍ରଙ୍କରେ ବରି । ରାଜ୍ୟେ ହୋଇଲେ ଦଣ୍ତଧାରୀ ॥ ୨୬୧
ଅଶେଷ ଦେବଗଣଙ୍କର । ପୂଜା ପାଇଲେ ନୃପବର ॥ ୨୬୨
ବିଷ୍ଣୁର ଅଂଶ ଧରି ତେଜେ । ଭୂମି ଦୁହିଁଲେ ବେନିଭୁଜେ ॥ ୨୬୩
ଯାର ବିକ୍ରମ ଅବଶେଷ । ଉଚ୍ଚିଷ୍ଟ ଭୁଞ୍ଜନ୍ତି ନରେଶ ॥ ୨୬୪
ଏ ଲୋକପାଳ ଆଦି ଯେତେ । ଅଦ୍ୟାପି ଅଛନ୍ତି ନିଶ୍ଚିନ୍ତେ ॥ ୨୬୫
ସେ ପୃଥୁରାଜା କୀର୍ତ୍ତି ପୁଣି । କେ ଅବା ସେ କଥା ନ ଶୁଣି ॥ ୨୬୬
ଏଣୁ ତା ଶୁଦ୍ଧକର୍ମ ଯେତେ । କହ ହେ ମୁନି ମୋ ଅଗ୍ରତେ ॥ ୨୬୭
ଆନନ୍ଦେ ମଇତ୍ରେୟ ମୁନି । କହନ୍ତି ହରିଭାବ ଘେନି ॥ ୨୬୮
ମୈତ୍ରେୟ ଉବାଚ
ଶୁର ବିଦୁର କୁରୁବୀର । ଚରିତ ପୃଥୁ ରାଜନର ॥ ୨୬୯
ଗଙ୍ଗା ଯମୁନା ମଧ୍ୟେ ପୁର । ଭିଆଇ ରହି ପୃଥୁବୀର ॥ ୨୭୦
ପ୍ରାରବ୍ଧ କର୍ମ କ୍ଷୟ ପାଇ । ଭୋଗ ଭୁଞ୍ଜନ୍ତି ନରସାଇଁ ॥ ୨୭୧
ସପତଦ୍ୱୀପେ ଏକଦଣ୍ତ । ଧରେ ସେ ନୃପତି ପ୍ରଚଣ୍ତ ॥ ୨୭୨
ବ୍ରାହ୍ମଣ ବୈଷ୍ଣବରୁ ଅନ୍ୟ । ଆଜ୍ଞା ଲଭନ୍ତା ନାହିଁ ଜନ ॥ ୨୭୩
ଏକ ସମୟେ ମହାସତ୍ର । ଆରମ୍ଭ କଲେ ବେଣସୁତ ॥ ୨୭୪
ତହିଁ ପ୍ରବେଶ ଦେବଗଣ । ଦେବର୍ଷି ରାଜଋଷିମାନ ॥ ୨୭୫
ଯେ ଯୋଗ୍ୟ ଯେମନ୍ତ ପୂଜାକୁ । ସେ ରୂପେ ପୂଜି ପୃଥୁ ତାଙ୍କୁ ॥ ୨୭୬
ଭିଆଇ ତହିଁ ମହାସଭା । ରାଜା ତୁରିତେ ହେଲେ ଉଭା ॥ ୨୭୭
ଉଠିଣ ସର୍ବଦିଗ ଚାହେଁ । ନକ୍ଷତ୍ରେ ଯେହ୍ନେ ଚନ୍ଦ୍ର ଶୋହେ ॥ ୨୭୮
ଗଉରକାନ୍ତି ମନୋହର । ସୁନ୍ଦର ବଦନ-ମଣ୍ତଳ ॥ ୨୭୯
ଲମ୍ବ ପୃଥୁଳ ବେନି ଭୂଜ । ପଦ୍ମ ଅରୁଣ ଚକ୍ଷୁ ତେଜ ॥ ୨୮୦
ସୁନାସା ମୁଖ ଦନ୍ତପନ୍ତି । ସ୍ମିତ ଅଧରେ ଶୋଭା ଅତି ॥ ୨୮୧
ବିସ୍ତାର ବକ୍ଷ କମ୍ବୁଗ୍ରୀବ । ସୁନ୍ଦର ବିଶାଳ ନିତମ୍ବ ॥ ୨୮୨
ଉଦରେ ତ୍ରିବଳି ବିରାଜେ । ଅଶ୍ୱସ୍ଥପତ୍ର ଶୋଭ ଗଞ୍ଜେ ॥ ୨୮୩
ଆବର୍ତ୍ତ ନାଭି ସୁଗଭୀର । ବିରାଜେ ମଧ୍ୟ-ଦେଶେ ତାର ॥ ୨୮୪
ହେମସ୍ତମ୍ଭ କି ଉରୁଯୁଗ । ଉନ୍ନତ ଅଗ୍ରପାଦଯୁଗ ॥ ୨୮୫
ଯାହାର ଉଚ୍ଚପାଦ ଦୁଇ । ସର୍ବଲକ୍ଷଣେ ଶୋଭା ପାଇ ॥ ୨୮୬
ସୂକ୍ଷ୍ମ କୁଞ୍ଚିତ ସ୍ନିଗ୍ଧ କେଶ । ଦୁକୂଳ ଶୋହେ କଟିଦେଶ ॥ ୨୮୭
କନ୍ଧେ ଉତ୍ତରୀ ଯଜ୍ଞସୂତ୍ର । କୃଷ୍ଣ ଅଜିନ କୁଶ ହସ୍ତ ॥ ୨୮୮
ନିୟମେ ଛନ୍ତି ନରପତି । ତେଣୁ ଭୂଷଣ ନ ଧରନ୍ତି ॥ ୨୮୯
ତଥାପି ଦିବ୍ୟଶୋଭା ଦେହେ । ଦେଶନ୍ତା ଜନ ମନ ମୋହେ ॥ ୨୯୦
ଚକ୍ଷୁର ତାରା ମନୋହର । ଅତି ଚିକ୍କଣ ସୁଖକର ॥ ୨୯୧
ସଭାକୁ ଚାହିଁ ଦଣ୍ତଧର । ବଚନ କହନ୍ତି ମଧୁର ॥ ୨୯୨
ପୃଥୁ ଉବାଚ
ଡାକିଣ କହନ୍ତି ରାଜନ । ଶୁଣିମା ହେଉ ସଭାଜନ ॥ ୨୯୩
ଆସିଛ ଯେତେ ସାଧୁଜନେ । ମନ ନିବେଶ ମୋ ବଚନେ ॥ ୨୯୪
ମୋହର ମନେ ଯେବା ଅଛି । ମୁଁ ତାହା ପ୍ରକାଶି କହୁଛି ॥ ୨୯୫
ହରି ମୋ ଠାରେ କୃପା କରି । କରିଛି ମୋତେ ଦଣ୍ତଧାରୀ ॥ ୨୯୬
ପ୍ରଜାର ଦଣ୍ତ ବା ରକ୍ଷଣ । ପୋଷଣ ସର୍ବତୋଭାବେଣ ॥ ୨୯୭
ରାଜା ପ୍ରଜାରେ ସୁଖ ଦେଈ । ବିଷ୍ଣୁ ସନ୍ତୋଷ ତାରେ ହୋଇ ॥ ୨୯୮
ପ୍ରଜାଙ୍କୁ ରଖଇ ଧର୍ମରେ । ଅଧର୍ମେ କେହି ନ ପ୍ରଚରେ ॥ ୨୯୯
ଏ ରୂପେ ପ୍ରଜାଙ୍କୁ ଯେ ପାଳେ । ସୁଗତି ଲଭେ ଅନ୍ତବାଳେ ॥ ୩୦୦
ପ୍ରଜାଙ୍କୁ କଲେ ସୁରକ୍ଷଣ । ତୁଷ୍ଟ ହୁଅନ୍ତି ନାରାୟଣ ॥ ୩୦୧
ଯାହାକୁ ସନ୍ତୋଷ ମୁରାରି । ସେ ପ୍ରାଣୀ ଭବୁ ଯାନ୍ତି ତରି ॥ ୩୦୨
ଅଧର୍ମମାର୍ଗେ ପ୍ରଜା ବିତ୍ତ । ଯେବେ ହରଇ ନରନାଥ ॥ ୩୦୩
ସେ ରାଜା ଅଟେ ଭାଗ୍ୟହୀନ । ପ୍ରଜାଙ୍କ ପାପେ ହୋଏ ଲୀନ ॥ ୩୦୪
ଯେ ପ୍ରଜାଠାରୁ କର ନ୍ୟନ୍ତି । ପ୍ରଜାଙ୍କୁ ଧର୍ମ ନ ଶିଖାନ୍ତି ॥ ୩୦୫
ପ୍ରଜାଙ୍କ ପାତକ ଘେନନ୍ତି । ଅନ୍ତେ ନରକେ ସେ ପଡନ୍ତି ॥ ୩୦୬
ଏ ଘେନି କହଇ ପ୍ରଜାଙ୍କୁ । ଭୟ ରଖିବ ଅଧର୍ମକୁ ॥ ୩୦୭
ମୋ ତହୁଁ ଧର୍ମ କର ଶିକ୍ଷା । ମୋ ପରଲୋକ ହେଉ ରକ୍ଷା ॥ ୩୦୮
ପରନିନ୍ଦାକୁ ପରିହରି । ହରିଙ୍କି ଭଜ ଦୃଢ କରି ॥ ୩୦୯
ମୋଠାରେ ଅନୁଗ୍ରହ ଯେବେ । ହରିଙ୍କି ସେବାକର ତେବେ ॥ ୩୧୦
ହେ ଦେବ ପିତୃ ଋଷିଗଣେ । ଯେତେ ଆସିଛ ସଭାସ୍ଥାନେ ॥ ୩୧୧
ସକଳେ ଅନୁମତି କର । ପ୍ରଜାଙ୍କୁ ଶିକ୍ଷା ଦିଅ ମୋର ॥ ୩୧୨
ବୋଲିବ ଅବା କିମ୍ପା କର୍ମ । କରିବୁ ହରି ସମର୍ପଣ ॥ ୩୧୩
ଶୁଣ ଏଥକୁ ମୋର ଗିର । ହେ ମାନ୍ୟଜନେ ହୋଇ ସ୍ଥିର ॥ ୩୧୪
ବେଦ ଆଜ୍ଞାରେ କର୍ମ କରି । ଦିଅନ୍ତି ତାର ଫଳ ହରି ॥ ୩୧୫
ପରମେଶ୍ୱର ଯଜ୍ଞପତି । ଉତ୍ତମ-ଜନଙ୍କ ସମ୍ପତ୍ତି ॥ ୩୧୬
ଅଛଇ ଇହ ପରେ ଜାଣ । ବିଚିତ୍ର ଭୋଗ ସ୍ଥାନମାନ ॥ ୩୧୭
ନଥିଲେ ଫକଦାତା ଏକ । କି ରୂପେ ପାଇବ ତା ଲୋକ ॥ ୩୧୮
ବୋଲିବ ଅବା ଏଥି ପୁଣ । ବିଚିତ୍ର ସ୍ୱକର୍ମ କାରଣ ॥ ୩୧୯
ଶୁଣ ଏଥକୁ ଦେଇ ଚିତ୍ତ । ମହାନ୍ତମାନଙ୍କର ମତ ॥ ୩୨୦
ଯେ ସ୍ୱାୟମ୍ଭୁତ ମନୁବର । ଉତ୍ତାନପାଦ ଧ୍ରୁବ ଆର ॥ ୩୨୧
ଯେ ରାଜଋଷି ପ୍ରିୟବ୍ରତ । ଅଙ୍ଗ ନୃପତି ପିତୃତାତ ॥ ୩୨୨
ବ୍ରହ୍ମା ଶଙ୍କର ଆଦି ଯେତେ । ପ୍ରହ୍ଲାଦ ବଳି ସର୍ବମତେ ॥ ୩୨୩
ଶ୍ରୀଗଦାଧର କର୍ମଫଳ । ଦେବାକୁ ସମର୍ଥ କେବଳ ॥ ୩୨୪
ତ୍ରିବର୍ଗ ସ୍ୱର୍ଗ ଅପବର୍ଗ । ଯେ ସାଧ୍ୟ ଅଛି ଭୋଗ୍ୟାଭୋଗ୍ୟ ॥ ୩୨୫
ସେ ପ୍ରଭୁ ପରମ ଈଶ୍ୱର । ଦିଅନ୍ତି ସର୍ବ-କର୍ମଫଳ ॥ ୩୨୬
ମୃତ୍ୟୁଙ୍କ ନାତି ଆମ୍ଭ ତାତ । ଧର୍ମ ବିଚାରେ ବିମୋହିତ ॥ ୩୨୭
ସେପରି ଯେବା ଅଭାଗିନ । ମାନନ୍ତି ନାହିଁ ଭଗବାନ ॥ ୩୨୮
ହରି-ଚରଣ-ପଦ୍ମ ଜାତ । ସରିତ ପରାୟେ ସାକ୍ଷାତ ॥ ୩୨୯
ତାର ଚରଣ ସେବା ରୁଚି । ସକଳ ଜୀବେ କରେ ଶୁଚି ॥ ୩୩୦
ଦିନକୁ ଦିନ ବୃଦ୍ଧି ପାଏ । ମନର ମଳ ନାଶ ଯାଏ ॥ ୩୩୧
ମନର ମଳ ନାଶ ଗଲେ । ବୈରାଗ୍ୟ ବିଜ୍ଞାନର ବଳେ ॥ ୩୩୨
ଲଭି ଶ୍ରୀହରି ପାଦମୂଳ । ନ ପାଏ ପୁଣ ଏ ସଂସାର ॥ ୩୩୩
ଏ ଘେନି ସର୍ବେ ହରି ଭଜ । ବିଷୟ-ବାସନା ପ୍ରତେଜ ॥ ୩୩୪
ଏଣୁ ଯାହାର ଯେଉଁ ବୃତ୍ତି । ସେ ମାର୍ଗେ ଥାଇ କୃଷ୍ଣଭକ୍ତି ॥ ୩୩୫
କାର୍ଯ୍ୟ କ୍ରମ ମନ ବଚନ । ନିଷ୍କପଟରେ ହୋଇ ଲୀନ ॥ ୩୩୬
ପାଦପଦ୍ମରେ କରି ଧ୍ୟାନ । ସନ୍ତୋଷ ଲଭେ ଭଗବାନ ॥ ୩୩୭
ତାହାଙ୍କ ଚରଣ ଅମ୍ବୁଜ । ଅଶେଷ କାମ-ଲାଭ-ବୀଜ ॥ ୩୩୮
କପଟ ଭାବ ପରିହରି । ହେବା ଯେମନ୍ତ ଅଧିକାରୀ ॥ ୩୩୯
ଆପଣା ବର୍ଣ୍ଣାଶ୍ରମ ମତେ । ହରିଙ୍କି ଭଜ ଅବିରତେ ॥ ୩୪୦
ଏ ଯେ ଈଶ୍ୱର ଭଗବାନ । ବିଶେଷେ ବିଜ୍ଞାନରେ ଘନ ॥ ୩୪୧
ଗୁଣ ବିହୀନ ସେହୁ ଯେବେ । ତଥାପି ନାନାରୂପ ଲଭେ ॥ ୩୪୨
ନାନା ବିଶେଷଣ ସେ ହୋଇ । ଯଜ୍ଞପୁରୁଷ ସେ ଅଟଇ ॥ ୩୪୩
ନାନା ପ୍ରକାରେ ଦ୍ରବ୍ୟ ଗୁଣ । କର୍ମ-ତନ୍ତ୍ରେ ଜାତ ହୋଇଣ ॥ ୩୪୪
ଶୁଣ ହେ ସର୍ବ ସଭାଜନ । ଯଜ୍ଞପୁରୁଷ ବିଷ୍ଣୁ ଜାଣ ॥ ୩୪୫
ଯେ ହୋମ ଦ୍ରବ୍ୟ କ୍ରିୟା ଗୁଣ । ଅବଘାତାଦି ମନ୍ତ୍ର ପୁଣ ॥ ୩୪୬
ଅଙ୍ଗ ସାଧ୍ୟ ଯେ ଉପକାର । ସଙ୍କଳ୍ପ ପଦାର୍ଥର ସାର ॥ ୩୪୭
ଜ୍ୟୋତିଷ୍ଟୋମାଦି ନାମ ଧରି । ପ୍ରକାଶେ ଯଜ୍ଞରୂପେ ହରି ॥ ୩୪୮
ଯଜ୍ଞରେ ଯେବା ଫଳ ହୋଏ । ସେ ଫଳ ତହୁଁ ଭିନ୍ନ ନୋହେ ॥ ୩୪୯
ଯେ ଦେହେ ଚେତନା ରୂପରେ । ଅଛନ୍ତି ସକଳ ଶରୀରେ ॥ ୩୫୦
ଯେହ୍ନେ ଅନଳ ସମିଧରେ । ଏକ ସେ ନାନାରୂପ ଧରେ ॥ ୩୫୧
ସେ ରୂପେ ହରି ଦେହେ ଥାନ୍ତି । କର୍ମର ଫଳ ସେ ଭୁଞ୍ଜନ୍ତି ॥ ୩୫୨
ସେ ହରି ସର୍ବ-ଗୁରୁ ପର । ସର୍ବଦେବତା ଅଧୀଶ୍ୱର ॥ ୩୫୩
ଯେ ପ୍ରାଣୀ ସେ ପାଦେ ଭଜିଲା । ସେ ମୋତେ ଅନୁଗ୍ରହ କଲା ॥ ୩୫୪
ମୋର ସମ୍ବନ୍ଧୀ ଯେତେ ଜନ । ହରିରେ କର ଆରାଧନ ॥ ୩୫୫
ଯେ ଦୃଢ଼ଭକ୍ତିରେ ପୂଜିବ । ମୋତେ ବହୁତ ସୁଖ ଦେବ ॥ ୩୫୬
ରାଜକୁଳରେ ଯେତେ ଜନ । ତେଜ ବଳରେ ବଳୀୟାନ ॥ ୩୫୭
ବ୍ରାହ୍ମଣ ବୈଷ୍ଣବ କୁଳରେ । ଦ୍ୱେଷ ନ କରିବ ମନରେ ॥ ୩୫୮
କ୍ଷମା ତପସ୍ୟା ବିଦ୍ୟାବଳେ । ଉଜ୍ଜ୍ୱଳ ଯେଉଁ ଦ୍ୱିଜକୁଳେ ॥ ୩୫୯
ଅପରେ ମହା-ସାଧୁ ଧୀରେ । ବିଷ୍ଣୁଟି ଦେବତା ଯାହାର ॥ ୩୬୦
ସେ କୁଳେ ପ୍ରଭୁପଣ କଲେ । ପ୍ରମାଦ ପଡ଼ଇଟି ଭଲେ ॥ ୩୬୧
ଯେ ବ୍ରାହ୍ମଣ ବୈଷ୍ଣବ ପାଦେ । ସେବା କରିଣ ଅପ୍ରମାଦେ ॥ ୩୬୨
ବିଷ୍ଣୁ ଲଭିଲେ ମହାଲକ୍ଷ୍ମୀ । ଯେ ଯଶ ସଂସାରେ ରହିଛି ॥ ୩୬୩
ବ୍ରାହ୍ମଣ ପାଦେ ସେବା କଲେ । ବିଷ୍ଣୁ ସନ୍ତୋଷ ହେବେ ଭଲେ ॥ ୩୬୪
ଏଣୁ ସକଳ ପ୍ରାଣୀମାନେ । ମାନ୍ୟ କରିବ ବିପ୍ରଜନେ ॥ ୩୬୫
ହରିଭୁଜାଦି ଦେବମାନେ । ତାହାଙ୍କ ମୁଖ ବିପ୍ରଜନେ ॥ ୩୬୬
ଏଣୁ ବିପ୍ରଙ୍କୁ ସେବା କଲେ । ଅଶ୍ରମେ ମୋକ୍ଷଲଭେ ଭଲେ ॥ ୩୬୭
ବ୍ରାହ୍ମଣ ଦେବଙ୍କର ମୁଖ । ତାଙ୍କ ଭୋଜନେ ଯେଉଁ ସୁଖ ॥ ୩୬୮
ସେ ସୁଖ ହରି ଆସ୍ପାଦନ୍ତି । ଯଜ୍ଞେ ସେ ସୁଖ ନ ପାବନ୍ତି ॥ ୩୬୯
ଏଣୁ ବପ୍ରଙ୍କୁ ଭୁଞ୍ଜାଇଲେ । ସକଳ ଯଜ୍ଞଫଳମିଳେ ॥ ୩୭୦
ଚେତନା ରହିତ ଅନଳେ । ଆହୁତି ମନ୍ତ୍ରଭାବେ ଦେଲେ ॥ ୩୭୧
ହରି ତା କଲେ ହେଁ ଭୋଜନ । ସୁଖ ନ ଲଭନ୍ତି ତେସନ ॥ ୩୭୨
ଏଣୁ ଅଗ୍ନିରୁ ଦ୍ୱିଜ ଶ୍ରେଷ୍ଠ । ଯେଣୁ ସେ ବେଦତତ୍ତ୍ୱେ ନିଷ୍ଠ ॥ ୩୭୩
ବ୍ରାହ୍ମର ମୁଖେ ଯେବେ ଦେଇ । ଇନ୍ଦ୍ରାଦି ଦେବ ନାମ କହି ॥ ୩୭୪
ବିଷ୍ଣୁପ୍ରୀତିରେ ଦେବ ଯେତେ । ବିଷ୍ଣୁ ତା ପାଇବେ ସାକ୍ଷାତେ ॥ ୩୭୫
ଯେ ବେଦେ ଦର୍ପଣ ପରାୟେ । ସକଳ ଧର୍ମ ଦୃଶ୍ୟ ହୋଏ ॥ ୩୭୬
ଶ୍ରଦ୍ଧା ତପସ୍ୟା ଶୁଦ୍ଧାଚାର । ମଉନ ସଂଯମ ପ୍ରକାର ॥ ୩୭୭
ସମ୍ପାଦି ଯେଉଁ ଦ୍ୱିଜମାନେ । ଧରନ୍ତି ତାକୁ ହରି ଧ୍ୟାନେ ॥ ୩୭୮
ବେଦାର୍ଥ କରନ୍ତି ବିଚାର । ଯେ ବେଦ ହେତୁ ଏ ସଂସାର ॥ ୩୭୯
ବ୍ରାହ୍ମଣ ପାଦଧୁଳି ଶିରେ । ଧରିଣ ଥାଇ ତତପରେ ॥ ୩୮୦
ଯେ ପ୍ରାଣୀ ନିତ୍ୟେ ଏହା ବହେ । ପାପ ନ ରହେ ତାର ଦେହେ ॥ ୩୮୧
ତାର କଳୁଷ ବେଗେ ନାଶେ । ସକଳ ଗୁଣ ତାର ପାଶେ ॥ ୩୮୨
ଏଣୁ ବିପ୍ରଙ୍କ ପାଦରଜେ । କିରୀଟ-ଅଗ୍ର ମୋର ରାଜେ ॥ ୩୮୩
ଯେ ଜନ ଗୋ ବିପ୍ର ଭଜଇ । ତା ପଛେ ସର୍ବଗୁଣ ଥାଇ ॥ ୩୮୪
ବିଷ୍ଣୁ ଯେ ତାହାରେ ସନ୍ତୋଷ । ଅଧିକ କିବା ଗୁଣ ଯଶ ॥ ୩୮୫
ଗୋ ବିପ୍ର ବିଷ୍ଣୁଙ୍କ କିଙ୍କରେ । ପ୍ରସନ୍ନ ହୋନ୍ତୁ ମୋରଠାରେ ॥ ୩୮୬
ମୈତ୍ରେୟ ଉବାଚ
ଏମନ୍ତ କହୁଁ ପୃଥୁ ରାୟେ । ପିତୃ-ଦେବ-ଦ୍ୱିଜ ସମୂହେ ॥ ୩୮୭
ସକଳେ କଲେ ସାଧୁବାଣୀ । ସେ ସଭାମଧ୍ୟେ ଯେତେ ପ୍ରାଣୀ ॥ ୩୮୮
କହନ୍ତି ପୃଥୁଙ୍କ ଅଗ୍ରତେ । ତୁମ୍ଭେ ହେ ଧନ୍ୟ ଧର୍ମମତେ ॥ ୩୮୯
ସୁପୁତ୍ରେ ପୁଣ୍ୟଲୋକ ପାଇ । ଏ ବାକ୍ୟ ସତ୍ୟ ଶ୍ରୁତି କହି ॥ ୩୯୦
ବ୍ରାହ୍ମଣ-ଶାପ-ଦଣ୍ତଗ୍ରସ୍ତ । ମଲେ ଯେ ବେଣ ତୁମ୍ଭ ତାତ ॥ ୩୯୧
ସେ ମହାପାପୀ ହୋଇଥିଲେ । ତୁମ୍ଭ ସକାଶୁ ନିସ୍ତରିଲେ ॥ ୩୯୨
ହିରଣ୍ୟକଶିପୁ ଯେ ଥିଲା । ସେ ବିଷ୍ଣୁ ନିନ୍ଦାରେ ବଢିଲା ॥ ୩୯୩
ପ୍ରହ୍ଲାଦ ତାର ସୁତ ହୋଇ । ନରକ ମାର୍ଗୁ ଉଦ୍ଧରଇ ॥ ୩୯୪
ତୁ ଏବେ ଚକ୍ରବର୍ତ୍ତୀ ପଣେ । ଏ ମହୀ ପାଳ ଶୁଭକ୍ଷଣେ ॥ ୩୯୫
ବହୁ ବତ୍ସର ତୁମ୍ଭ ଆୟୁ । ନିରୁଜ ହୋଇ ତନୁ ରହୁ ॥ ୩୯୬
ଗୁଣେ ଅଖଣ୍ତ ଭୋଗ ଭୁଞ୍ଜ । ଭକ୍ତିରେ ହରିପାଦେ ଭଜ ॥ ୩୯୭
ବ୍ରହ୍ମଣ୍ୟ-ଦେବ ହରିକଥା । ତୁମ୍ଭର କୀର୍ତ୍ତନେ ସର୍ବଥା ॥ ୩୯୮
ଏଣୁ ଆମ୍ଭର ତୁମ୍ଭେ ନାଥ । ତୁମ୍ଭରେ ହୋଇଲୁ କୃତାର୍ଥ ॥ ୩୯୯
ଆମ୍ଭଙ୍କୁ ତୁମ୍ଭେ ନିସ୍ତାରିଲ । ହରିଙ୍କ ମହିମା କହିଲ ॥ ୪୦୦
ଅନେକ ପୁଣ୍ୟ କରିଥିଲୁ । ତେଣୁ ତୁମ୍ଭର ପ୍ରଜା ହେଲୁ ॥ ୪୦୧
ସେମାନେ ମହତ ଅଟନ୍ତି । ତାଙ୍କ ଚରିତ ଏହିମତି ॥ ୪୦୨
ପ୍ରଜାଙ୍କୁ ଦ୍ୟନ୍ତି ଧର୍ମ ଶିକ୍ଷା । ଯେଣେ ହୁଅଇ ସର୍ବରକ୍ଷା ॥ ୪୦୩
ଆମ୍ଭେ ଅଜ୍ଞାନେ ଭ୍ରମ ଅତି । ଆମ୍ଭଙ୍କୁ ଦେଲ ଦିବ୍ୟଗତି ॥ ୪୦୪
ଏ ଘୋର-ତମୁ ନିସ୍ତାରିଲ । ହରି ଭଜନ ଶିକ୍ଷା ଦେଲ ॥ ୪୦୫
ନରକ ମାର୍ଗେ ପଡିଥିଲୁ । ତୋ ଅଙ୍ଗୁ ମୁକତି ହୋଇଲୁ ॥ ୪୦୬
ହେ ଶୁଦ୍ଧ-ସତ୍ତ୍ୱ ପୁଣ୍ୟ-ବ୍ରତ । ତୁମ୍ଭଙ୍କୁ ଆମ୍ଭ ପ୍ରଣମିତ ॥ ୪୦୭
ତୁମ୍ଭେ ଯେ ଜଗତ ଈଶ୍ୱର । ତୁମ୍ଭ ଚରଣେ ନମସ୍କାର ॥ ୪୦୮
ଏମନ୍ତେ ପୃଥୁର ଚରଣେ । ପ୍ରଣାମ କଲେ ପ୍ରଜାଗଣେ ॥ ୪୦୯
ମୈତ୍ରେୟ ବିଦୁର ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୪୧୦
ବୋଲଇ ଦାସ ଜଗନ୍ନାଥ । ଚତୁର୍ଥେ ପୃଥୁର ଚରିତ ॥ ୪୧୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ଏକବିଂଶୋଽଧ୍ୟାୟଃ ॥
* * *