ଚତୁର୍ଥ ସ୍କନ୍ଧ

ଏକବିଂଶ ଅଧ୍ୟାୟ

ମେତ୍ରେୟ ଉବାଚ

ଏବେ ହୋ ଶୁଣ ବିଷ୍ଣୁ ଗାଥା । କହିବା ପୃଥୁ ଯଜ୍ଞ କଥା ॥

ମିଳି ସକଳ ମୁନିଜନେ । ସନ୍ତୋଷ ପୃଥୁ ସନ୍ନିଧାନେ ॥

ଯଜ୍ଞ-କରଣ ଉଦଯୋଗେ । ସର୍ବ-ସମ୍ଭାର ଅଣି ବେଗେ ॥

ସୁପ୍ରାଚୀ ସରସ୍ୱତୀ ତୀର୍ଥେ । ଆରମ୍ଭ କଲେ ବ୍ରହ୍ମାବର୍ତ୍ତେ ॥

ଇନ୍ଦ୍ରାଦି ସର୍ବଦେବେ ଆସି । ଯଜ୍ଞ ଉତ୍ସବ ଘରେ ପଶି ॥

ଯଜ୍ଞସମ୍ଭାର ଇନ୍ଦ୍ର ଦେଖି । ନ ସହି ମନେ ହେଲା ଦୁଃଖୀ ॥

ସେ ଯଜ୍ଞେ ଯଜ୍ଞପତି ହରି । ପ୍ରତ୍ୟକ୍ଷ ହେଲେ ଦୟାକରି ॥

ଶଙ୍କର ପଦ୍ମଯୋନି ମେଳେ । ମିଳି ସକଳ-ଦିଗପାଳେ ॥

ଗନ୍ଧର୍ବ-ଅପସରା ଗଣେ । ମୁନିଏ ବେଦ-ଉଚ୍ଚାରଣେ ॥

ଆନନ୍ଦେ ଗୀତ-ନୃତ୍ୟ-ସ୍ତୁତି । ସିଦ୍ଧ-ଗୁହ୍ୟକ ପନ୍ତି ପନ୍ତି ॥ ୧୦

ଦାନବ-ଦୈତ୍ୟ-ବିଦ୍ୟାଧରେ । ସେ ଯଜ୍ଞେ ମିଳିଲେ ଗହଳେ ॥ ୧୧

ସୁନନ୍ଦ ନନ୍ଦ ଆଦି ମାନେ । ହରିର ପାରିଷଦ ଗଣେ ॥ ୧୨

କପିଳ ନାରଦ ଯେ ଦତ୍ତ । ସନକ ଆଦି ଉପଗତ ॥ ୧୩

ସେ ପୃଥୁ ଯଜ୍ଞେ ବସୁମତୀ । ବାଞ୍ଛା-ସୁରଭୀ ପୟୋବତୀ ॥ ୧୪

କାମଧେନୁର ପ୍ରାୟ ହୋଇ । ସର୍ବ ସମ୍ପଦ ଦେଲା ମହୀ ॥ ୧୫

ନଦୀଏ ଦୁଗ୍ଧ-ରସ ଜଳେ । ସଧୀରେ ବହନ୍ତି ଉଲ୍ଲୋଳେ ॥ ୧୬

ଘୃତ-ସଂଯୋଗେ ଦଧି ଅନ୍ନ । ତୋଷେ ଭୁଞ୍ଜନ୍ତି ସର୍ବଜନ ॥ ୧୭

ସକଳ-ବୃକ୍ଷେ ମଧୁ-ପନ୍ତି । ଜୀମୂତ ପ୍ରାୟ ବରଷନ୍ତି ॥ ୧୮

ସମୁଦ୍ରେ ନାନା ରତ୍ନେ ପୂରି । ଗର୍ଜନ୍ତି ଉଲ୍ଲୋଳେ ଲହରୀ ॥ ୧୯

ପର୍ବତେ ଚତୁର୍ବିଧ-ଅନ୍ନ । ଦେଇ ରଞ୍ଜିଲେ ପୃଥୁମନ ॥ ୨୦

ଲୋକପାଳକେ ଲୋକ ତୁଲେ । ସର୍ବ-ସମ୍ଭାର ସମ୍ଭାରିଲେ ॥ ୨୧

ଯଜ୍ଞ କରଣେ ବିଷ୍ଣୁ ଅର୍ଥେ । ସର୍ବ ସମ୍ପାଦିଲେ ସମସ୍ତେ ॥ ୨୨

ପୃଥୁର ଯଜ୍ଞାରମ୍ଭ ଚାହିଁ । ବାସବ ମନେ ବିଚାରଇ ॥ ୨୩

ଏ ପୃଥୁ ଶତକ୍ରତୁ କଲେ । ଲଭିବ ଇନ୍ଦ୍ରପଦ ଭଲେ ॥ ୨୪

ମୋର ସମ୍ପଦ ଜୀବ ନାଶ । ଏମନ୍ତ ଚିନ୍ତି ଛାଡେ ଶ୍ୱାସ ॥ ୨୫

ଯଜ୍ଞର ଊନିଶତ ଅନ୍ତେ । ଆତ୍ମାର ହିତ ଚିନ୍ତି ଚିତ୍ତେ ॥ ୨୬

ଯଜ୍ଞ-ପଶୁକୁ ହରି ନେଲା । ନିଜ ଭୁବନେ ବିଜେ କଲା ॥ ୨୭

ଆକାଶ ମାର୍ଗେ ଇନ୍ଦ୍ର ଗଲା । ପାଷଣ୍ତ-ଧର୍ମ ଆଚରିଲା ॥ ୨୮

ଧର୍ମେ ବିଭ୍ରମ ତାର ମନ । ସଭୟେ ଚିତ୍ତ ଛନ୍ନଛନ୍ନ ॥ ୨୯

ଅତ୍ରି ଯେ ଯଜ୍ଞଶାଳେ ଥିଲେ । ଅଶ୍ୱର ହରଣ ଜାଣିଲେ ॥ ୩୦

ପୃଥୁ-ପୁତ୍ରକୁ ରାଇ ବେଗେ । ଇନ୍ଦ୍ରର କର୍ମ ତାର ଆଗେ ॥ ୩୧

କହିଲେ ଅଶ୍ୱହର ବାଣୀ । ପୃଥୁ-ତନୟ ତାହା ଶୁଣି ॥ ୩୨

ଧନୁ-ଶରକୁ ଧରି କରେ । ଶୂନ୍ୟେ ଧାଇଁଲା କୋପଭରେ ॥ ୩୩

ଡାକଇ ରହ ରହ ବାଣୀ । ସଭୟେ ଇନ୍ଦ୍ର ତାହା ଶୁଣି ॥ ୩୪

ନିଜ ଶରୀର ଛନ୍ନ କଲା । ଜଟିଳ-ରୂପ ପ୍ରକାଶିଲା ॥ ୩୫

ତାହାର ନିକଟେ ମିଳିଲା । ଇନ୍ଦ୍ର-ବିମାନକୁ ଚାହିଁଲା ॥ ୩୬

ଭସ୍ମ-ଭୂଷିତ ଦେହ ଚାହିଁ । ପୃଥୁ-ନନ୍ଦନ ବିଚାରଇ ॥ ୩୭

ଜଟିଳ ଭସ୍ମ ଏହା ଗାତ୍ରେ । ଏହାକୁ ମାରିବି କେମନ୍ତେ ॥ ୩୮

ଏମନ୍ତ ମନେ ବିଚାରିଲା । ଇନ୍ଦ୍ରକୁ ବାଣ ନ ଛାଡିଲା ॥ ୩୯

ତାର ରହିବା ପଥ ଦେଖି । ଅତ୍ରି ଯଜ୍ଞଶାଳ ଉପେକ୍ଷି ॥ ୪୦

ଡାକନ୍ତି ମାର ମାର ବେଗେ । ତା ଶୁଣି ଇନ୍ଦ୍ର ଶୂନ୍ୟମାର୍ଗେ ॥ ୪୧

ଭୟେ ଚାହଁଇ ଦଶଦିଶେ । ସ୍ୱଭାବେ କେହି ନାହିଁ ପାଶେ ॥ ୪୨

ମନେ ବିଚାରେ ଶଚୀପତି । କି ଆଜ ହୋଇଲା ଦୁର୍ଗତି ॥ ୪୩

ବୋଲନ୍ତି ଅତି ବେଗେ ମାର । ସ୍ୱଭାବେ ଯଜ୍ଞ ଅଶ୍ୱ ଚୋର ॥ ୪୪

ଏମନ୍ତ ଅତ୍ରିର ବଚନ । ଶୁଣନ୍ତେ ପୃତୁର ନନ୍ଦନ ॥ ୪୫

ଧାମଇଁ ଅତି କୋପକରି । ହସ୍ତୀକି ଯେସନେ କେଶରୀ ॥ ୪୬

ବାସବ ଦେଖି ତା ବଦନ । ଅଶ୍ୱକୁ ଛାଡି ଅନ୍ତର୍ଦ୍ଧାନ ॥ ୪୭

ରହିଲା ଶୂନ୍ୟମାର୍ଗେ ଯାଇ । ପୃଥୁନନ୍ଦନ ବିଚାରଇ ॥ ୪୮

ଅଶ୍ୱକୁ ଘେନି ମହାରୋଷେ । ଇନ୍ଦ୍ରକୁ ଚାହେଁ ଦଶଦିଶେ ॥ ୪୯

ନ ଦେଖି ପୁଣି ଯଜ୍ଞସ୍ଥାନେ । ମିଳିଲା ଅତ୍ରି-ସନ୍ନିଧାନେ ॥ ୫୦

ଅଶ୍ୱର ରଜ୍ଜୁ କରେ ଧରି । ଅତ୍ରିଚରଣେ ନମସ୍କାରି ॥ ୫୧

ତାର ଅଦ୍ଭୁତ-କର୍ମ ଦେଖି । ମୁନିଏ ନାମ ଉପଲକ୍ଷି ॥ ୫୨

ବିଷ୍ଣୁ ଉଚ୍ଚାରି ପୁଣ୍ୟଧାମ । ଦେଲେ ତା ବିଜିତାଶ୍ୱ ନାମ ॥ ୫୩

ଏମନ୍ତେ ରଜନୀ ପ୍ରବେଶେ । ଇନ୍ଦ୍ର ମିଳିଲେ ଯଜ୍ଞଦେଶେ ॥ ୫୪

ଦେଖିଲା କେହି ନାହିଁ ପାଶେ । ସେ ପୁଣ ମନର ହରଷେ ॥ ୫୫

ଯଜ୍ଞର ଯୂପ-ତଳୁ ଛନ୍ନେ । ହରିଲା ସୁବର୍ଣ୍ଣ-ରସନେ ॥ ୫୬

ବିଚାରି ଅନ୍ଧକାର ଛଳେ । ଅଶ୍ୱକୁ ପୁଣି ନେଲା ବଳେ ॥ ୫୭

ଅତ୍ରି ଦେଖନ୍ତେ ଶୂନ୍ୟମାର୍ଗେ । ତ୍ରାସେ ପଳାଏ ଇନ୍ଦ୍ର ବେଗେ ॥ ୫୮

ବିଜିତାଶ୍ୱର ମୁଖ ଚାହିଁ । ବୋଲଇ ଅଶ୍ୱ ଆଣ ଯାଇ ॥ ୫୯

ତା ଶୁଣି ହସ୍ତେ ଧନୁ ଧରି । ଧାଇଁଲା ଘୋରନାଦ କରି ॥ ୬୦

ଆହେ ଦୁର୍ମତି ମନ୍ଦ ଚୋର । କିମ୍ପା ତୋ ଏମନ୍ତ ବିଚାର ॥ ୬୧

ଡାକଇ ରହ ରହ ବାଣୀ । ତାର ବଚନ ଇନ୍ଦ୍ର ଶୁଣି ॥ ୬୨

ପଥେ ଅଶ୍ୱକୁ ଛାଡି ଛନ୍ନେ । ତକ୍ଷଣେ ଗଲା ଅନ୍ତର୍ଦ୍ଧାନେ ॥ ୬୩

ପୁଣି ସେ ଅଶ୍ୱ ଧରି କରେ । ବେଗେ ମିଳିଲା ଯଜ୍ଞଘରେ ॥ ୬୪

ଅଶ୍ୱ ଚୋରାନ୍ତେ ଇନ୍ଦ୍ର ପଥେ । ଛଳେ ଧଇଲା ରୂପ ଯେତେ ॥ ୬୫

ପାଷଣ୍ତଜନ ସେହି ମତେ । ରୂପ ପ୍ରକାଶନ୍ତି ଜଗତେ ॥ ୬୬

ପୃଥୁର ଯଜ୍ଞ-ବିନାଶନେ । ଇନ୍ଦ୍ରର ଯେତେ ରୂପ ଛନ୍ନେ ॥ ୬୭

ପାଷଣ୍ତେ ସେହି ରୂପ ଚିନ୍ତି । ସଂସାରେ ଭ୍ରମ ସେ କରାନ୍ତି ॥ ୬୮

କେ ନଗ୍ନ ରକ୍ତପଟ୍ଟ ଧରେ । କେ ଭସ୍ମ ଭୂଷଣ ଶରୀରେ ॥ ୬୯

ଅଧର୍ମ-ମାର୍ଗ ଆଚରନ୍ତି । ଆତ୍ମାର ହିତ ନ କରନ୍ତି ॥ ୭୦

ପାଷଣ୍ତ-ମାର୍ଗେ ଥାଇ ନିତ୍ୟେ । ଦୂଷଣ ଦେଇ ବେଦପଥେ ॥ ୭୧

ସେ ରୂପ ପ୍ରକାଶି ବ୍ରହ୍ମାଣ୍ତୋ । ନିଗମ ନିନ୍ଦିବେ ପାଷଣ୍ତେ ॥ ୭୨

ତାହାଙ୍କ ମତ ଯେ କରନ୍ତି । ଅନ୍ତେ ନରକେ ପ୍ରବେଶନ୍ତି ॥ ୭୩

ସେ କଥା ଶୁଣି ପୃଥୁ କୋପେ । ଇନ୍ଦ୍ର ଝିଙ୍ଗାସେ ଦେହ କମ୍ପେ ॥ ୭୪

ଇନ୍ଦ୍ର ମାରଣେ କୋପ କରି । ନିଜ କୋଦଣ୍ତ-ଶର ଧରି ॥ ୭୫

କୋପନ୍ତେ ଅରୁଣ-ନୟନ । ପ୍ରଚଣ୍ତ ବିରାଜେ ବଦନ ॥ ୭୬

ପୃଥୁ ଗମନ ଦେଖି ରଣେ । ବେଗେ ମିଳିଲେ ବିପ୍ରଗଣେ ॥ ୭୭

ଇନ୍ଦ୍ର-ବିଷୟେ କୋପ ବହି । ବୋଲନ୍ତି ପୃଥୁ ମୁଖ ଚାହିଁ ॥ ୭୮

ଭୋ ପୃଥୁ ଶୁଣ ଧର୍ମ-କଥା । ଆଗମ ନିଗମ ବ୍ୟବସ୍ଥା ॥ ୭୯

ପଶୁ ବିନା ଆନ ବଧ । ଯଜ୍ଞରେ ଅଟଇ ନିଷେଧ ॥ ୮୦

ତୋ ଯଜ୍ଞ-କୀର୍ତ୍ତି ନାଶେ ଇନ୍ଦ୍ର । ଆମ୍ଭେ ନାଶିବୁ ତା ନରେନ୍ଦ୍ର ॥ ୮୧

ମନ୍ତ୍ର ଆହ୍ୱାନ ବଳେ କରି । ଅଗ୍ନିକୁ ଆହୁତିରେ ଧରି ॥ ୮୨

ନାଶିବୁ ତୋହର ଅହିତ । ତୋର ମାରିବା ନୋହେ ଯୁକ୍ତ ॥ ୮୩

ଏମନ୍ତ ପୃଥୁ ଆଗେ କହି । ଋତ୍ୱିଜେ ଅତି କୋପ ବହି ॥ ୮୪

ସ୍ରୁବକୁ ସର୍ବେ ଧରି ହସ୍ତେ । ଅଗ୍ନିରେ ଆହୁତି ଦିଅନ୍ତେ ॥ ୮୫

ବ୍ରହ୍ମା ମିଳିଲେ ତତକ୍ଷଣ । ସମସ୍ତ ମୁନି-ସନ୍ନିଧାନ ॥ ୮୬

ଇନ୍ଦ୍ରର ହିତ ଚିତ୍ତେ ବହି । ବୋଲନ୍ତି ମୁନିଗଣେ ଚାହିଁ ॥ ୮୭

ଶୁଣ ହେ ସର୍ବ ବିପ୍ରବର । ଯାହାକୁ ଯଜ୍ଞେ ତୁମ୍ଭେ ମାର ॥ ୮୮

ଯେ ଦେବ ଯଜ୍ଞଭାଗ ଭୂଞ୍ଜେ । ସେ ଦେବଦେହ ଇନ୍ଦ୍ରତେଜେ ॥ ୮୯

ଏଣୁ ଇନ୍ଦ୍ରକୁ ଯଜ୍ଞେ ବରି । ମନ୍ତ୍ରେ ଅନଳେ ହୋମ କରି ॥ ୯୦

ସୃଷ୍ଟି ପାଳନେ ଏ କାରଣ । ଏ ଭାବେ ସଂସାର ଧାରଣ ॥ ୯୧

ପୃଥୁ ବଦନ ଚାହିଁ ଧୀରେ । ବୋଲନ୍ତି ବଚନ ମଧୁରେ ॥ ୯୨

ଏ ଇନ୍ଦ୍ରନାରାୟଣ ତନୁ । ଏହାକୁ ଛାଡ ତୁମ୍ଭେ ମନ୍ୟୁ ॥ ୯୩

ଏହାର ଦେହେ ସର୍ବଦେବେ । ନିତ୍ୟେ ବସନ୍ତି ଯଜ୍ଞଭାବେ ॥ ୯୪

ଆହୁତି ଯାର ମୁଖେ ଦେଇ । ତାହାକୁ କୋପ ନ ଯୋଗାଇ ॥ ୯୫

ଏହାକୁ କୋପ ତୁ ନକର । ଯଜ୍ଞପୁରୁଷ ଅର୍ଥେ ବର ॥ ୯୬

ଏ ଧର୍ମ ପରମ-କାରଣ । ଅଶେଷ ସୃଷ୍ଟି ଉଦ୍ଧାରଣ ॥ ୯୭

ଏ ଯଜ୍ଞେ ଦ୍ରୋହ କର୍ମ କଲା । ପାଷଣ୍ତ ପଣ ଆଚରିଲା ॥ ୯୮

ପାଷଣ୍ତ ଉଦ୍ଧରିବା ଅର୍ଥେ । ତୋ ଅବତାର ଏ ଜଗତେ ॥ ୯୯

ତୁ ସେ ସକଳ ଗୁଣମଣି । ଅପୂର୍ବ ନୋହେ କିଛି ପୁଣି ॥ ୧୦୦

ବେଣର ଦେହେ ଯେତେ ଦୋଷ । ତୋ ଜନ୍ମ କଲା ତାହା ନାଶ ॥ ୧୦୧

ତୁ ଏବେ ମୋର ବୋଲ କର । ପାଷଣ୍ତ ପ୍ରାଣୀଙ୍କି ଉଦ୍ଧର ॥ ୧୦୨

ମୈତ୍ରେୟ ଉବାଚ

ଏମନ୍ତ ବ୍ରହ୍ମାର ବଚନେ । ଇନ୍ଦ୍ରକୁ କୋପ ଛାଡି ମନେ ॥ ୧୦୩

ଯଜ୍ଞର ଅବଭୃତ-ସ୍ନାନେ । ଦକ୍ଷିରା ଦେଇ ବିପ୍ରଜନେ ॥ ୧୦୪

ଯଜ୍ଞେ ତୋଷିଲେ ସର୍ବଜନେ । ଅନ୍ନ-ବସନ-ଧେନୁ ଦାନେ ॥ ୧୦୫

ସେ ବିପ୍ରଜନେ ହୋଇ ତୋଷ । ପୃଥୁକୁ କରନ୍ତି ଆଶିଷ ॥ ୧୦୬

ବ୍ରହ୍ମା ହରଷ-ଚିତ୍ତ ହୋଇ । କହନ୍ତି ପୃଥୁ ମୁଖ ଚାହିଁ ॥ ୧୦୭

ତୋର ବଚନେ ସର୍ବଦେବେ । ତୋଷ ହୋଇଳେ ଯଜ୍ଞଭାବେ ॥ ୧୦୮

ଏମନ୍ତ କହି ପଦ୍ମଯୋନି । ସଙ୍ଗେ ସକଳ ବିପ୍ର ଘେନି ॥ ୧୦୯

ତକ୍ଷଣେ ଗଲେ ନିଜସ୍ଥାନେ । ଶୁଣ ବିଦୁର ତୋଷମନେ ॥ ୧୧୦

ଏ ପୃଥୁ-ଯଜ୍ଞର କାହାଣୀ । ନିର୍ମଳ ହୁଅ ନରେ ଶୁଣି ॥ ୧୧୧

ମୈତ୍ରେୟ ମୁନି ତୋଷ ଚିତେ । କହନ୍ତି ବିଦୁର ଅଗ୍ରତେ ॥ ୧୧୨

ଶୁଣ ବିଦୁର ସାବଧାନେ । ପୃଥୁର ଯଜ୍ଞ ଅବସାନେ ॥ ୧୧୩

ଯେ ଯଜ୍ଞପତି ଭଗବାନ । ଇନ୍ଦ୍ର ସହିତେ ଆଗମନ ॥ ୧୧୪

ହରଷେ ପ୍ରଭୁ ଯଜ୍ଞପତି । ପୃଥୁକୁ ଚାହିଁଣ କହନ୍ତି ॥ ୧୧୫

ଭଗବାନ ଉବାଚ

ଶୁଣ ହୋ ପୃଥୁ ନୃପନାଥ । ଇନ୍ଦ୍ର ଯେ କଲା ଯଜ୍ଞେ ଘାତ ॥ ୧୧୬

ସେ ଅପରାଧ ଖଣ୍ତିବାକୁ । ଏବେ ଅଇଲା ତୁମ୍ଭ ଠାକୁ ॥ ୧୧୭

ତୁମ୍ଭେ ଯେ ସାଧୁ ନୃପବର । ଏହାର ଦୋଷ କ୍ଷମା କର ॥ ୧୧୮

ଏ ଲୋକେ ସାଧୁ ଯେ ଅଟନ୍ତି । ସେ ଦ୍ରୋହକର୍ମ ନ କରନ୍ତି ॥ ୧୧୯

ସାଧୁଙ୍କ ନାହିଁ ହିଂସା ଭାବ । ସମେ ଦେଖନ୍ତି ସର୍ବଜୀବ ॥ ୧୨୦

ଯେଣୁ ଏ ଦେହ ଆତ୍ମା ନୋହେ । ତେଣୁ ସେ ପଡନ୍ତି ଦ୍ରୋହେ ॥ ୧୨୧

ଯେବେ ପୁରୁଷ ତୁମ୍ଭ ପ୍ରାୟେ । ଦେବମାୟାରେ ମୋହ ହୋଏ ॥ ୧୨୨

ବୃଦ୍ଧ-ସେବନ ଦୀର୍ଘକାଳ । କେବଳ ଶ୍ରମ ସିନା ତାର ॥ ୧୨୩

ଅବିଦ୍ୟା କାମ୍ୟ-କର୍ମ ବଶେ । ଯେଣୁ ଏ ଦେହ ପରକାଶେ ॥ ୧୨୪

ଏ କଥା ଯେ ଜ୍ଞାନୀ ଜାଣନ୍ତି । ସେ ମୋହ ଦ୍ୱନ୍ଦ୍ୱେ ନ ପଡନ୍ତି ॥ ୧୨୫

ଅନିତ୍ୟ ଜାଣନ୍ତି ସେ ଦେହ । ତେଣୁ ତହିଁରେ ନାହିଁ ସ୍ନେହ ॥ ୧୨୬

ଗୃହ ଦ୍ରବିଣ ଦାରା ସୁତେ । ମମତା କରିବେ କେମନ୍ତେ ॥ ୧୨୭

ଏ ଆତ୍ମା ଦେହ ତହୁଁ ଭିନ୍ନ । ଶୁଣ କହିବା ତାର ଚିହ୍ନ ॥ ୧୨୮

ଏକଇ ଆତ୍ମା ସର୍ବଦେହେ । ଶୁଦ୍ଧ-ଅଶୁଦ୍ଧେ ଭେଦ ନୋହେ ॥ ୧୨୯

ନିର୍ଗୁଣ ହୋଇ ଗୁଣାଶ୍ରୟ । ସେ ଆତ୍ମା ସ୍ୱୟଂ ଜ୍ୟୋତିର୍ମୟ ॥ ୧୩୦

ସେ ଏକ ଅଛି ସର୍ବଠାରେ । ଆବୃତ ନୋହେ ମାୟାଦ୍ୱାରେ ॥ ୧୩୧

ତାହାର ନାହିଁ ଆତ୍ମପର । ସେ ଥାଇ ପ୍ରକୃତିରୁ ପର ॥ ୧୩୨

ଶରୀରୁ ଭିନ୍ନେ ଥାଇ ସେହି । ତାକୁ ଦେଖନ୍ତା ନାହିଁ କେହି ॥ ୧୩୩

ଆତ୍ମାକୁ ଏମନ୍ତ ପ୍ରକାରେ । ଯେ ପ୍ରାଣୀ ଦେଖନ୍ତି ଶରୀରେ ॥ ୧୩୪

ସେ ଯେବେ ପ୍ରକୃତିରେ ଥାଇ । ପ୍ରକୃତି ଗୁଣେ ବଦ୍ଧ ନୋହି ॥ ୧୩୫

ଯେମନ୍ତେ ପ୍ରାଣୀ ମୋତେ ପାଏ । ତୁମ୍ଭକୁ କହି ସେ ଉପାୟେ ॥ ୧୩୬

ଯେ ଜନ ସ୍ୱଧର୍ମେ ନିଷ୍କାମେ । ମୋତେ ଭଜଇ ପ୍ରତିଦିନେ ॥ ୧୩୭

ତା ମତି ହୁଅଇ ପ୍ରସନ୍ନ । ଦୁର୍ଗତି କରଇ ମୋଚନ ॥ ୧୩୮

ମନ ପ୍ରସନ୍ନ ଯାର ହୋଇ । ସେ ପ୍ରାଣୀ ଗୁଣ ପ୍ରତେଜଇ ॥ ୧୩୯

ସମତ୍ୱେ ସେ ସର୍ବ ଦେଖଇ । ସେ ଜୀବ ଆତ୍ମାକୁ ଜାଣଇ ॥ ୧୪୦

ଭଜଇ ଶାନ୍ତି ଅବସ୍ଥାନ । ଲଭଇ କୈବଲ୍ୟ ନିର୍ବାଣ ॥ ୧୪୧

ଏହି ଆତ୍ମାକୁ ଯେଉଁମାନେ । ଦେହ ଇନ୍ଦ୍ରିୟ କର୍ମଜ୍ଞାନେ ॥ ୧୪୨

ମନର ଅଧ୍ୟକ୍ଷ ଜାଣନ୍ତି । ସକଳ ଦୁଃଖୁ ସେ ତରନ୍ତି ॥ ୧୪୩

ଦେଖ ଏ ଲିଙ୍ଗ କଳେବର । ସେ ପଞ୍ଚଭୂତେ ସ୍ଥୂଳତର ॥ ୧୪୪

ଏ ଦଶ-ଇନ୍ଦ୍ରିଛନ୍ତି ଏଥି । ଚେତନ ରୂପେ ଆତ୍ମା ତଥି ॥ ୧୪୫

ଏ ଗୁଣ-ପ୍ରବାହରୁ ହୋଇ । ଏହାକୁ ଯେ ଭେଦି ଦେଖଇ ॥ ୧୪୬

ସେ ପ୍ରାଣୀ ଆତ୍ମାକୁ ଦେଖଇ । କ୍ଳେଶାଦି ତାକୁ ନ ବାଧଇ ॥ ୧୪୭

ଯେ ଜନ ଦୃଢ଼ଭକ୍ତି କରେ । ମନ ବାନ୍ଧଇ ଆମ୍ଭଠାରେ ॥ ୧୪୮

ବିପଦ ସମ୍ପଦରେ ତାର । କେବେ ହେଁ ନୋହଇ ବିକାର ॥ ୧୪୯

ଶୋକାଦି ଦ୍ୱାରା ସେହିମାନେ । ବ୍ୟଥିତ ନୁହଁନ୍ତି ଅଜ୍ଞାନେ ॥ ୧୫୦

ଶୁଣ ହେ ପୃଥୁ ନୃପବର । ସୁଖ-ଦୁଃଖକୁ ସମକର ॥ ୧୫୧

ପ୍ରାଣୀ ମାନଙ୍କ ତିନି କ୍ରମ । ଉତ୍ତମ ମଧ୍ୟମ ଅଧମ ॥ ୧୫୨

ଉତ୍ତମେ ଉତ୍ତମ ଲଭଇ । ଅଧମେ ଅଧୋଗତି ପାଇ ॥ ୧୫୩

ମଧ୍ୟମେ ମଧ୍ୟମ ବେଭାର । ଶୁଣ ହେ ପୃଥୁ ନୃପବର ॥ ୧୫୪

ଏ ଦୁଃଖ-ସୁଖ ସମ କର । ଇନ୍ଦ୍ରିୟମାନଙ୍କୁ ନିବାର ॥ ୧୫୫

ଚିତ୍ତକୁ ନିର୍ମଳ କରିଣ । ଇନ୍ଦ୍ରିମାନଙ୍କୁ ତୁହି ଜିଣ ॥ ୧୫୬

ବନ୍ଧୁ ଅମାତ୍ୟ ଆଦି ଯେତେ । ମୋହର ଦେବା ଜାଣି ଚିତ୍ତେ ॥ ୧୫୭

ତାହାଙ୍କୁ ସଙ୍ଗତେ ଘେନିଣ । ପ୍ରଜାଙ୍କୁ ପାଳ ସ୍ୱଧର୍ମେଣ ॥ ୧୫୮

ଅଖିଳଲୋକ ରକ୍ଷାକର । ମଙ୍ଗଳ ହୋଇବ ତୁମ୍ଭର ॥ ୧୫୯

ପ୍ରଜାପାଳନ ରାଜାଧର୍ମ । ପ୍ରଜା କରେ ଯେ ଶୁଭକର୍ମ ॥ ୧୬୦

ପରଲୋକରେ ଷଷ୍ଠ ଅଂଶ । ନୃପତି ଲଭଇ ଅବଶ୍ୟ ॥ ୧୬୧

ଯେ ରାଜା ପ୍ରଜାଙ୍କୁ ନ ପାଳେ । ଅଧର୍ମେ କର ନିଏ ବଳେ ॥ ୧୬୨

ସେ ରାଜା ନରକ ଭୁଞ୍ଜଇ । ତାହାର କାହିଁ ରକ୍ଷା ନାହିଁ ॥ ୧୬୩

ସ୍ୱଧର୍ମେ ଥାଇ ପ୍ରଜା ପାଳ । ଗୃହମେଧରେ କିଛିକାଳ ॥ ୧୬୪

ସନକ ଆଦି ମୁନିଜନେ । ଆସିବେ ତୋହର ଭୁବନେ ॥ ୧୬୫

ତାହାଙ୍କୁ ନୟନେ ଦେଖିବ । ସୁଦିବ୍ୟଜ୍ଞାନ ତୁମ୍ଭ ହେବ ॥ ୧୬୬

ତୋ ଧର୍ମ ଶୀଳ ଗୁଣ ଯଶ । ଭାବେ ହୋଇଲୁ ଆମ୍ଭେ ବଶ ॥ ୧୬୭

ତେଣୁ ତୁ ମୋର ଠାରୁ ବର । ଯେ ଇଚ୍ଛା ମାଗ ନୃପବର ॥ ୧୬୮

ଯଜ୍ଞ ତପସ୍ୟା ଯୋଗାଦିରେ । ପ୍ରାପ୍ୟ ମୁଁ ନୁହଇ ସଂସାରେ ॥ ୧୬୯

ଯାହାର ଭେଦ-ଜ୍ଞାନ ନାହିଁ । ତା ହୃଦେ ନିରତେ ମୁଁ ଥାଇ ॥ ୧୭୦

ମୈତ୍ରେୟ ଉବାଚ

ଏମନ୍ତେ ପ୍ରଭୁ ଭାବଗ୍ରାହୀ । ପୃଥୁଙ୍କୁ କହିଲେ ବୁଝାଇ ॥ ୧୭୧

ହରିଙ୍କ ଆଜ୍ଞା ଧରି ଶିରେ । ତକ୍ଷଣେ ପାଦେ ପ୍ରଣମିଲେ ॥ ୧୭୨

ଏମନ୍ତ କାଳେ ଦେବରାଜ । ଆପଣା କର୍ମେ ପାଇ ଲାଜ ॥ ୧୭୩

ପୃଥୁିଙ୍କ ଚରଣେ ପଡିଲେ । ଅପ୍ରାଧ କଲଇଁ ବୋଇଲେ ॥ ୧୭୪

ପୃଥୁ ଯେ ତହୁଁ ଆଲିଙ୍ଗନ । କରି ତୋଷିଲେ ଇନ୍ଦ୍ରମନ ॥ ୧୭୫

ଏ ଅନ୍ତେ ପ୍ରଭୁ ଭଗବାନ । ଗଗନେ କଲେକ ଉଦ୍ୟମ ॥ ୧୭୬

ପୃଥୁ ଯେତେକ ପୂଜା କଲେ । ହରି ତା ଆନନ୍ଦେ ଘେନିଲେ ॥ ୧୭୭

ଯେ ରାଜା ପଡି ହରିପାଦେ । ପ୍ରଣାମ କରିଣ ଆନନ୍ଦେ ॥ ୧୭୮

ଆନନ୍ଦସାଗରେ ବୁଡିଲା । ପୁଲକ ସର୍ବାଙ୍ଗେ ବହିଲା ॥ ୧୭୯

ବେନି-ନୟନୁ ଅଶ୍ରୁ ଝରେ । ପ୍ରଭୁଙ୍କୁ ହୃଦପଦ୍ମେ ଧରେ ॥ ୧୮୦

କର-ଅଞ୍ଜଳି ଶିରେ ଦେଇ । କହଇ ବିଷ୍ଣୁମୁଖ ଚାହିଁ ॥ ୧୮୧

ପୃଥୁ-ଉବାଚ

ହେ ପ୍ରଭୁ ବରଦ ଈଶ୍ୱର । ପଣ୍ତିତେ ନ ମାଗିବେ ବର ॥ ୧୮୨

ଯେ ବ୍ୟକ୍ତି ଜ୍ଞାନୀ ହୋଇଥିବ । ଭୋଗ ବିଳାସ ନ ମାଗିବ ॥ ୧୮୩

ଆଜ୍ଞା ଯେ ଦେଲେ ବର ଘେନ । ବରେ ମୋ ନାହିଁ ପ୍ରୟୋଜନ ॥ ୧୮୪

ବର ଘେନନ୍ତି ଭୋଗ ପାଇଁ । ସେ ଭୋଗ ନରକେ କହି ନାହିଁ ॥ ୧୮୫

କୈବଲ୍ୟନାଥ ତୋତେ ପାଇ । କେ ଭୋଗ ବାଞ୍ଛା ଜ୍ଞାନୀ ହୋଇ ॥ ୧୮୬

ଅପରେ ମୋକ୍ଷଧର୍ମ ସାର । ତହିଁରେ ବାଞ୍ଛା ନାହିଁ ମୋର ॥ ୧୮୭

ତୋ ପାଦପଦ୍ମ ମକରନ୍ଦ । ଅତିହିଁ ରସାଳ ସୁଗନ୍ଧ ॥ ୧୮୮

ତୁମ୍ଭର ଗୁଣ ଭକ୍ତମାନେ । ସ୍ମରନ୍ତି ନିତ୍ୟ ରାତ୍ରିଦିନେ ॥ ୧୮୯

ତୁମ୍ଭର ଗୁଣ କୀର୍ତ୍ତିମାନ । ନିରତେ ଥାଉ ମୋର କର୍ଣ୍ଣ ॥ ୧୯୦

ସେ ଯଶ ଶ୍ରବଣେ ମୋ ଇଚ୍ଛା । ଅୟୁତେ କର୍ଣ୍ଣ ଦିଅ ବାଞ୍ଛା ॥ ୧୯୧

ଏ ଦୁଇକର୍ଣ୍ଣେ ଶୁଣି ମୋର । ସନ୍ତୋଷ ନୋହେ ଚକ୍ରଧର ॥ ୧୯୨

ତୋ ପାଦ-ପଦ୍ମ ସୁଧା ଯଶ । ସାଧୁଙ୍କ ବଦନୁ ପ୍ରକାଶ ॥ ୧୯୩

କୁଯୋଗୀ ଜନେ ଦିଏ ଜ୍ଞାନ । ଆନେ ମୋ ନାହିଁ ପ୍ରୟୋଜନ ॥ ୧୯୪

ନିଖିଳ ପୁରୁଷଉତ୍ତମ । ତୁ ଗୁଣାଳୟ ତୋ ଚରଣ ॥ ୧୯୫

ସେବିବି ଲକ୍ଷ୍ମୀର ପରାୟେ । ତା ସଙ୍ଗେ କଳି ନିକି ହୋଏ ॥ ୧୯୬

ଜଗତ ଜନନୀ ସମେତେ । ବାଦ ହେଲେହେଁ ଅବିରତେ ॥ ୧୯୭

ତଥାପି ସେବା ନ ତେଜିବି । ଅବଶ୍ୟ ସେ ପାଦ ଭଜିବି ॥ ୧୯୮

ଦୀନବତ୍ସଳ ତୋର ବାନା । ଭକ୍ତରେ ତୋହର କରୁଣା ॥ ୧୯୯

ଏଣୁ ଭାଜନ୍ତି ଏକଭାବେ । ନିଷ୍କାମ ଭାବରେ ସାଧବେ ॥ ୨୦୦

ଅନ୍ୟତ୍ର ଫଳ ନ ବାଞ୍ଛନ୍ତି । ଆନନ୍ଦେ ତୋ ପାଦେ ଭଜନ୍ତି ॥ ୨୦୧

ଭଜିଲା ଲୋକଠାରେ ଯାହା । ବର ମାଗ ତୁ ବୋଲୁ ଯାହା ॥ ୨୦୨

ଭୋନାଥ ତୋହର ଏ ବାଣୀ । ଜାଣିଲି ଏ ବିଶ୍ୱମୋହିନୀ ॥ ୨୦୩

ଫଳ ଆଶାରେ ଲୋଭୀ ହୋଇ । ମାୟାମୋହରେ ଭ୍ରମୁ ଥାଇ ॥ ୨୦୪

ତାଙ୍କୁ ନ ଦେବ ଭୋଗ କିଛି । ଯେବେ ଭକତେ ଦୟା ଅଛି ॥ ୨୦୫

ନିଷ୍କାମ ସାଧୁ ଯେଉଁ ଜନ । ଭଜନ୍ତି ତୋ ପାଦପଦ୍ମେଣ ॥ ୨୦୬

ଅନ୍ୟତ୍ର ଫଳ ନ ଜାଣନ୍ତି । ତୋ ଭକ୍ତିଭାବେ ନିମଜ୍ଜନ୍ତି ॥ ୨୦୭

ତୁମ୍ଭଙ୍କୁ ଭଜେ ଯେଉଁ ନର । ବଚନେ ଦିଅ ତାକୁ ବର ॥ ୨୦୮

ଜଗମୋହନ ସେ ବଚନ । ନିଶ୍ଚେ ଜାଣିଲି ଭଗବାନ ॥ ୨୦୯

ପ୍ରାଣୀବନ୍ଧନ ଫଳ ଆଶେ । ତୁମ୍ଭ ବଚନ ରଜ୍ଜୁ ପାଶେ ॥ ୨୧୦

ପିତା ଯେସନେ ପୁତ୍ର ହିତେ । କରଇ ସ୍ନେହ ଅବିରତେ ॥ ୨୧୧

ତୁମ୍ଭେ ସେ ରୂପେ ଆଚରିବ । ତେବେ ଭକତ ନିସ୍ତରିବ ॥ ୨୧୨

ଏହା ମୁଁ ମାଗୁଛି ଶ୍ରୀହରି । ଦିଅ ହେ ପ୍ରଭୁ ଦୟା କରି ॥ ୨୧୩

ମୈତ୍ରେୟ କହନ୍ତି ବିଦୁରେ । ଶ୍ରୀକୃଷ୍ଣ ମହିମା ସାଦରେ ॥ ୨୧୪

ବର୍ଣ୍ଣନେ ପୃଥୁ ନୃପବର । ଶ୍ରବଣେ ହୋଇ ତୋଷଭର ॥ ୨୧୫

ଆଜ୍ଞା ଦିଅନ୍ତି ଭଗବାନ । ଶୁଣିମା ହେ ଆଦି ରାଜନ ॥ ୨୧୬

ତୋ ସ୍ତବେ ସନ୍ତୋଷ ହୋଇଣ । ଆଜ୍ଞା ଦେଉଛୁ ପୁଣପୁଣ ॥ ୨୧୭

ହେ ରାଜା ତୋର ଭକ୍ତିଭାବ । ମୋ ପାଦେ ସର୍ବଦା ହୋଇବ ॥ ୨୧୮

ମୋର ବିଷୟେ ତୋର ବୁଦ୍ଧି । ଭକତି ଯୋଗେ ଯେ ପ୍ରସିଦ୍ଧି ॥ ୨୧୯

ଏଣୁ ଦୁସ୍ତର ମୋର ମାୟା । ତୋତେ ନ ଲାଗୁ ପୁଣ୍ୟଦେହ ॥ ୨୨୦

ଏମନ୍ତ ବୋଲି ନାରାୟଣ । ବହୁତ ସନ୍ତୋଷ ହୋଇଣ ॥ ୨୨୧

ପୃଥୁରାଜାର ଯେତେ ବାଣୀ । ମନେ ଧଇଲେ ଚକ୍ରପାଣି ॥ ୨୨୨

ତାର ପୂଜନେ ତୋଷ ହୋଇ । ତାଠାରେ ଅନୁଗ୍ରହ ବହି ॥ ୨୨୩

ଦେବ ଋଷି ପିତୃ ଗନ୍ଧର୍ବ । ସିଦ୍ଧ ଚାରଣ ଯେ ପୁନ୍ନଗ ॥ ୨୨୪

କିନ୍ନର ଅପସର ମର୍ତ୍ତ୍ୟ । ଖଗାଦି ଏ ଜୀବଲୋକନ୍ତ ॥ ୨୨୫

ରାଜର୍ଷି ପୃଥୁ ଆନେ ଯେତେ । ଯେ ଉପାଧ୍ୟାୟ ଯଜ୍ଞଗତେ ॥ ୨୨୬

ଯେ ସର୍ବେ ବିଷ୍ଣୁସଙ୍ଗେ ଥିଲେ । ସନ୍ତୋଷେ ବିଷ୍ଣୁପୂଜା କଲେ ॥ ୨୨୭

ହରିଲେ ତାହାଙ୍କର ମନ । ବୈକୁଣ୍ଠେ ବିଜେ ଭଗବାନ ॥ ୨୨୮

ଗରୁଡ-ପୃଷ୍ଠେ ବିଜେ କଲେ । ସମସ୍ତ ଦେବେ ଦେଖୁଥିଲେ ॥ ୨୨୯

ଅଦୃଶ୍ୟ ହେଲେ ଭଗବାନ । ପୁଣି ନମିଲେ ଦେବଗଣ ॥ ୨୩୦

ଇନ୍ଦ୍ରାଦି ସର୍ବ ଦେବଗଣ । ଆବର ଋଷି-ପତ୍ନୀମାନ ॥ ୨୩୧

ପୃଥୁକୁ ଆଲିଙ୍ଗନ କରି । ଗଲେ ସେ ଯେ ଯାହାର ପୁରୀ ॥ ୨୩୨

ସେ ପୃଥୁ ତାଙ୍କୁ ନମସ୍କାର । କରିଣ ଗଲେ ନିଜ ପୁର ॥ ୨୩୩

ଏ ବିଷ୍ଣୁ ପୃଥୁର ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୨୩୪

ସୁଜନଜନେ ଶୁଣ ଏହା । ଯେବେ ତରିବ ବିଷ୍ଣୁମାୟା ॥ ୨୩୫

କହନ୍ତି ମଇତ୍ରେୟ ଋଷି । ଶୁଣ ବିଦୁର କରୁବଂଶୀ ॥ ୨୩୬

ପୃଥୁ ବିଜୟେ ନିଜ ପୁର । ସେ ପୁର ଅତ୍ୟନ୍ତ ସୁନ୍ଦର ॥ ୨୩୭

ମୁକୁତାମାଳ ତୁମ୍ଭେ ତହିଁ । ଦିବ୍ୟ-କୁସୁମେ ଶୋଭା ପାଇ ॥ ୨୩୮

ସୁବର୍ଣ୍ଣ-ତୋରଣ ତହିଁରେ । ଧୂପ ସୁଗନ୍ଧ ମନୋହରେ ॥ ୨୩୯

ଚନ୍ଦନ ଅଗୁରୁରେ ମିଶି । ତୋଷେ ସିଞ୍ଚନ୍ତି ପ୍ରଜା ଆସି ॥ ୨୪୦

ଫଳ ତଣ୍ତୁଳ ଦୂର୍ବାକ୍ଷତେ । ପୂଜନ୍ତି ଦୀପ ଘେନି ହସ୍ତେ ॥ ୨୪୧

କଦଳୀ-ଗୁଆ-ବୃକ୍ଷ ଦାଣ୍ତେ । ତରୁ ପଲ୍ଲବମାଳ ମୁଣ୍ତେ ॥ ୨୪୨

ସେ ପୁର ଅଟେ ଅଳଙ୍କୁତ । ମଙ୍ଗଳ ଚିହ୍ନ ଯେ ସର୍ବତ୍ର ॥ ୨୪୩

ପ୍ରଜାଏ ଦୀପାବଳୀ କର । ଆବର ଯେ ଦ୍ରବ୍ୟ ମଙ୍ଗଳ ॥ ୨୪୪

ଉଜ୍ଜଳ କନ୍ୟାଗଣ ମେଳେ । ଦିବ୍ୟ କୁଣ୍ତଳ କର୍ଣ୍ଣେ ଲୁଳେ ॥ ୨୪୫

ମିଳିଲେ ରାଜାର ଅଗ୍ରତେ । ପୂଜାର ବଳି ଘେନି ହସ୍ତେ ॥ ୨୪୬

ଶଙ୍ଖ ଦୁନ୍ଦୁଭିର ଘୋଷରେ । ବିପ୍ରଙ୍କ ବେଦଧ୍ୱନି ସ୍ଫୁରେ ॥ ୨୪୭

ସ୍ତୁତି କରନ୍ତି ସର୍ବେ ମିଳି । ସ୍ତିରୀଏ ଦ୍ୟନ୍ତି ହୁଳହୁଳି ॥ ୨୪୮

ସୁବର୍ଣ୍ଣପାତ୍ରେ ଅର୍ଘ୍ୟ କରି । ନାନାଦି ଫଳପୁଷ୍ପ ଭରି ॥ ୨୪୯

ମୁଖେ ମଙ୍ଗଳନାଦ ଭଣି । ବଦାନ୍ତି ସକଳ ତରୁଣୀ ॥ ୨୫୦

ଭୁବନେ ବିଜେ ନୃପବର । ସର୍ବତ୍ର ତେଜି ଅହଙ୍କାର ॥ ୨୫୧

ମହାଆନନ୍ଦେ ଦଣ୍ତଧାରୀ । ନିଜ ଆସନେ ବିଜେ କରି ॥ ୨୫୨

ସେ ପୁରେ ମହାନ୍ତ ଯେ ଥିଲେ । ପୂଜିତ ହୋଇ ପୂଜା କଲେ ॥ ୨୫୩

ସେ ପୃଥୁ ଏ ରୂପେ ନାନାଦି । କୁଶଳ-କର୍ମକୁ ସମ୍ପାଦି ॥ ୨୫୪

ଅବନୀ-ମଣ୍ତଳ ପାଳନ । କରି ନିର୍ମଳ ଯଶ ପୁଣ ॥ ୨୫୫

ପ୍ରଜାଙ୍କୁ ବହୁ ସୁଖ ଦେଲେ । ଅନ୍ତେ ସେ ବୈକୁଣ୍ଠ ଲଭିଲେ ॥ ୨୫୬

ସୂତ ଉବାଚ

କହନ୍ତି ସୂତ ପୌରାଣିକ । ଶୁଣ ହେ ମୁନି ଶଉନକ ॥ ୨୫୭

ସେ ଆଦିରାଜା ପୃଥୁ ଯଶ । ଅଶେଷ ଗୁଣ ଯେ ପ୍ରକାଶ ॥ ୨୫୮

ସେ ଯଶ ମହାଭାଗବତ । ବିଦୁର ଶୁଣି କୃତକୃତ୍ୟ ॥ ୨୫୯

ମୈତ୍ରେୟ ମୁନିଙ୍କୁ ପୂଜିଣ । ପୁଚ୍ଛଇ ପଡିଣ ଚରଣ ॥ ୨୬୦

ବିଦୁର ଉବାଚ

ସେ ପୃଥୁ ବିପ୍ରଙ୍କରେ ବରି । ରାଜ୍ୟେ ହୋଇଲେ ଦଣ୍ତଧାରୀ ॥ ୨୬୧

ଅଶେଷ ଦେବଗଣଙ୍କର । ପୂଜା ପାଇଲେ ନୃପବର ॥ ୨୬୨

ବିଷ୍ଣୁର ଅଂଶ ଧରି ତେଜେ । ଭୂମି ଦୁହିଁଲେ ବେନିଭୁଜେ ॥ ୨୬୩

ଯାର ବିକ୍ରମ ଅବଶେଷ । ଉଚ୍ଚିଷ୍ଟ ଭୁଞ୍ଜନ୍ତି ନରେଶ ॥ ୨୬୪

ଏ ଲୋକପାଳ ଆଦି ଯେତେ । ଅଦ୍ୟାପି ଅଛନ୍ତି ନିଶ୍ଚିନ୍ତେ ॥ ୨୬୫

ସେ ପୃଥୁରାଜା କୀର୍ତ୍ତି ପୁଣି । କେ ଅବା ସେ କଥା ନ ଶୁଣି ॥ ୨୬୬

ଏଣୁ ତା ଶୁଦ୍ଧକର୍ମ ଯେତେ । କହ ହେ ମୁନି ମୋ ଅଗ୍ରତେ ॥ ୨୬୭

ଆନନ୍ଦେ ମଇତ୍ରେୟ ମୁନି । କହନ୍ତି ହରିଭାବ ଘେନି ॥ ୨୬୮

ମୈତ୍ରେୟ ଉବାଚ

ଶୁର ବିଦୁର କୁରୁବୀର । ଚରିତ ପୃଥୁ ରାଜନର ॥ ୨୬୯

ଗଙ୍ଗା ଯମୁନା ମଧ୍ୟେ ପୁର । ଭିଆଇ ରହି ପୃଥୁବୀର ॥ ୨୭୦

ପ୍ରାରବ୍‌ଧ କର୍ମ କ୍ଷୟ ପାଇ । ଭୋଗ ଭୁଞ୍ଜନ୍ତି ନରସାଇଁ ॥ ୨୭୧

ସପତଦ୍ୱୀପେ ଏକଦଣ୍ତ । ଧରେ ସେ ନୃପତି ପ୍ରଚଣ୍ତ ॥ ୨୭୨

ବ୍ରାହ୍ମଣ ବୈଷ୍ଣବରୁ ଅନ୍ୟ । ଆଜ୍ଞା ଲଭନ୍ତା ନାହିଁ ଜନ ॥ ୨୭୩

ଏକ ସମୟେ ମହାସତ୍ର । ଆରମ୍ଭ କଲେ ବେଣସୁତ ॥ ୨୭୪

ତହିଁ ପ୍ରବେଶ ଦେବଗଣ । ଦେବର୍ଷି ରାଜଋଷିମାନ ॥ ୨୭୫

ଯେ ଯୋଗ୍ୟ ଯେମନ୍ତ ପୂଜାକୁ । ସେ ରୂପେ ପୂଜି ପୃଥୁ ତାଙ୍କୁ ॥ ୨୭୬

ଭିଆଇ ତହିଁ ମହାସଭା । ରାଜା ତୁରିତେ ହେଲେ ଉଭା ॥ ୨୭୭

ଉଠିଣ ସର୍ବଦିଗ ଚାହେଁ । ନକ୍ଷତ୍ରେ ଯେହ୍ନେ ଚନ୍ଦ୍ର ଶୋହେ ॥ ୨୭୮

ଗଉରକାନ୍ତି ମନୋହର । ସୁନ୍ଦର ବଦନ-ମଣ୍ତଳ ॥ ୨୭୯

ଲମ୍ବ ପୃଥୁଳ ବେନି ଭୂଜ । ପଦ୍ମ ଅରୁଣ ଚକ୍ଷୁ ତେଜ ॥ ୨୮୦

ସୁନାସା ମୁଖ ଦନ୍ତପନ୍ତି । ସ୍ମିତ ଅଧରେ ଶୋଭା ଅତି ॥ ୨୮୧

ବିସ୍ତାର ବକ୍ଷ କମ୍ବୁଗ୍ରୀବ । ସୁନ୍ଦର ବିଶାଳ ନିତମ୍ବ ॥ ୨୮୨

ଉଦରେ ତ୍ରିବଳି ବିରାଜେ । ଅଶ୍ୱସ୍ଥପତ୍ର ଶୋଭ ଗଞ୍ଜେ ॥ ୨୮୩

ଆବର୍ତ୍ତ ନାଭି ସୁଗଭୀର । ବିରାଜେ ମଧ୍ୟ-ଦେଶେ ତାର ॥ ୨୮୪

ହେମସ୍ତମ୍ଭ କି ଉରୁଯୁଗ । ଉନ୍ନତ ଅଗ୍ରପାଦଯୁଗ ॥ ୨୮୫

ଯାହାର ଉଚ୍ଚପାଦ ଦୁଇ । ସର୍ବଲକ୍ଷଣେ ଶୋଭା ପାଇ ॥ ୨୮୬

ସୂକ୍ଷ୍ମ କୁଞ୍ଚିତ ସ୍ନିଗ୍ଧ କେଶ । ଦୁକୂଳ ଶୋହେ କଟିଦେଶ ॥ ୨୮୭

କନ୍ଧେ ଉତ୍ତରୀ ଯଜ୍ଞସୂତ୍ର । କୃଷ୍ଣ ଅଜିନ କୁଶ ହସ୍ତ ॥ ୨୮୮

ନିୟମେ ଛନ୍ତି ନରପତି । ତେଣୁ ଭୂଷଣ ନ ଧରନ୍ତି ॥ ୨୮୯

ତଥାପି ଦିବ୍ୟଶୋଭା ଦେହେ । ଦେଶନ୍ତା ଜନ ମନ ମୋହେ ॥ ୨୯୦

ଚକ୍ଷୁର ତାରା ମନୋହର । ଅତି ଚିକ୍କଣ ସୁଖକର ॥ ୨୯୧

ସଭାକୁ ଚାହିଁ ଦଣ୍ତଧର । ବଚନ କହନ୍ତି ମଧୁର ॥ ୨୯୨

ପୃଥୁ ଉବାଚ

ଡାକିଣ କହନ୍ତି ରାଜନ । ଶୁଣିମା ହେଉ ସଭାଜନ ॥ ୨୯୩

ଆସିଛ ଯେତେ ସାଧୁଜନେ । ମନ ନିବେଶ ମୋ ବଚନେ ॥ ୨୯୪

ମୋହର ମନେ ଯେବା ଅଛି । ମୁଁ ତାହା ପ୍ରକାଶି କହୁଛି ॥ ୨୯୫

ହରି ମୋ ଠାରେ କୃପା କରି । କରିଛି ମୋତେ ଦଣ୍ତଧାରୀ ॥ ୨୯୬

ପ୍ରଜାର ଦଣ୍ତ ବା ରକ୍ଷଣ । ପୋଷଣ ସର୍ବତୋଭାବେଣ ॥ ୨୯୭

ରାଜା ପ୍ରଜାରେ ସୁଖ ଦେଈ । ବିଷ୍ଣୁ ସନ୍ତୋଷ ତାରେ ହୋଇ ॥ ୨୯୮

ପ୍ରଜାଙ୍କୁ ରଖଇ ଧର୍ମରେ । ଅଧର୍ମେ କେହି ନ ପ୍ରଚରେ ॥ ୨୯୯

ଏ ରୂପେ ପ୍ରଜାଙ୍କୁ ଯେ ପାଳେ । ସୁଗତି ଲଭେ ଅନ୍ତବାଳେ ॥ ୩୦୦

ପ୍ରଜାଙ୍କୁ କଲେ ସୁରକ୍ଷଣ । ତୁଷ୍ଟ ହୁଅନ୍ତି ନାରାୟଣ ॥ ୩୦୧

ଯାହାକୁ ସନ୍ତୋଷ ମୁରାରି । ସେ ପ୍ରାଣୀ ଭବୁ ଯାନ୍ତି ତରି ॥ ୩୦୨

ଅଧର୍ମମାର୍ଗେ ପ୍ରଜା ବିତ୍ତ । ଯେବେ ହରଇ ନରନାଥ ॥ ୩୦୩

ସେ ରାଜା ଅଟେ ଭାଗ୍ୟହୀନ । ପ୍ରଜାଙ୍କ ପାପେ ହୋଏ ଲୀନ ॥ ୩୦୪

ଯେ ପ୍ରଜାଠାରୁ କର ନ୍ୟନ୍ତି । ପ୍ରଜାଙ୍କୁ ଧର୍ମ ନ ଶିଖାନ୍ତି ॥ ୩୦୫

ପ୍ରଜାଙ୍କ ପାତକ ଘେନନ୍ତି । ଅନ୍ତେ ନରକେ ସେ ପଡନ୍ତି ॥ ୩୦୬

ଏ ଘେନି କହଇ ପ୍ରଜାଙ୍କୁ । ଭୟ ରଖିବ ଅଧର୍ମକୁ ॥ ୩୦୭

ମୋ ତହୁଁ ଧର୍ମ କର ଶିକ୍ଷା । ମୋ ପରଲୋକ ହେଉ ରକ୍ଷା ॥ ୩୦୮

ପରନିନ୍ଦାକୁ ପରିହରି । ହରିଙ୍କି ଭଜ ଦୃଢ କରି ॥ ୩୦୯

ମୋଠାରେ ଅନୁଗ୍ରହ ଯେବେ । ହରିଙ୍କି ସେବାକର ତେବେ ॥ ୩୧୦

ହେ ଦେବ ପିତୃ ଋଷିଗଣେ । ଯେତେ ଆସିଛ ସଭାସ୍ଥାନେ ॥ ୩୧୧

ସକଳେ ଅନୁମତି କର । ପ୍ରଜାଙ୍କୁ ଶିକ୍ଷା ଦିଅ ମୋର ॥ ୩୧୨

ବୋଲିବ ଅବା କିମ୍ପା କର୍ମ । କରିବୁ ହରି ସମର୍ପଣ ॥ ୩୧୩

ଶୁଣ ଏଥକୁ ମୋର ଗିର । ହେ ମାନ୍ୟଜନେ ହୋଇ ସ୍ଥିର ॥ ୩୧୪

ବେଦ ଆଜ୍ଞାରେ କର୍ମ କରି । ଦିଅନ୍ତି ତାର ଫଳ ହରି ॥ ୩୧୫

ପରମେଶ୍ୱର ଯଜ୍ଞପତି । ଉତ୍ତମ-ଜନଙ୍କ ସମ୍ପତ୍ତି ॥ ୩୧୬

ଅଛଇ ଇହ ପରେ ଜାଣ । ବିଚିତ୍ର ଭୋଗ ସ୍ଥାନମାନ ॥ ୩୧୭

ନଥିଲେ ଫକଦାତା ଏକ । କି ରୂପେ ପାଇବ ତା ଲୋକ ॥ ୩୧୮

ବୋଲିବ ଅବା ଏଥି ପୁଣ । ବିଚିତ୍ର ସ୍ୱକର୍ମ କାରଣ ॥ ୩୧୯

ଶୁଣ ଏଥକୁ ଦେଇ ଚିତ୍ତ । ମହାନ୍ତମାନଙ୍କର ମତ ॥ ୩୨୦

ଯେ ସ୍ୱାୟମ୍ଭୁତ ମନୁବର । ଉତ୍ତାନପାଦ ଧ୍ରୁବ ଆର ॥ ୩୨୧

ଯେ ରାଜଋଷି ପ୍ରିୟବ୍ରତ । ଅଙ୍ଗ ନୃପତି ପିତୃତାତ ॥ ୩୨୨

ବ୍ରହ୍ମା ଶଙ୍କର ଆଦି ଯେତେ । ପ୍ରହ୍ଲାଦ ବଳି ସର୍ବମତେ ॥ ୩୨୩

ଶ୍ରୀଗଦାଧର କର୍ମଫଳ । ଦେବାକୁ ସମର୍ଥ କେବଳ ॥ ୩୨୪

ତ୍ରିବର୍ଗ ସ୍ୱର୍ଗ ଅପବର୍ଗ । ଯେ ସାଧ୍ୟ ଅଛି ଭୋଗ୍ୟାଭୋଗ୍ୟ ॥ ୩୨୫

ସେ ପ୍ରଭୁ ପରମ ଈଶ୍ୱର । ଦିଅନ୍ତି ସର୍ବ-କର୍ମଫଳ ॥ ୩୨୬

ମୃତ୍ୟୁଙ୍କ ନାତି ଆମ୍ଭ ତାତ । ଧର୍ମ ବିଚାରେ ବିମୋହିତ ॥ ୩୨୭

ସେପରି ଯେବା ଅଭାଗିନ । ମାନନ୍ତି ନାହିଁ ଭଗବାନ ॥ ୩୨୮

ହରି-ଚରଣ-ପଦ୍ମ ଜାତ । ସରିତ ପରାୟେ ସାକ୍ଷାତ ॥ ୩୨୯

ତାର ଚରଣ ସେବା ରୁଚି । ସକଳ ଜୀବେ କରେ ଶୁଚି ॥ ୩୩୦

ଦିନକୁ ଦିନ ବୃଦ୍ଧି ପାଏ । ମନର ମଳ ନାଶ ଯାଏ ॥ ୩୩୧

ମନର ମଳ ନାଶ ଗଲେ । ବୈରାଗ୍ୟ ବିଜ୍ଞାନର ବଳେ ॥ ୩୩୨

ଲଭି ଶ୍ରୀହରି ପାଦମୂଳ । ନ ପାଏ ପୁଣ ଏ ସଂସାର ॥ ୩୩୩

ଏ ଘେନି ସର୍ବେ ହରି ଭଜ । ବିଷୟ-ବାସନା ପ୍ରତେଜ ॥ ୩୩୪

ଏଣୁ ଯାହାର ଯେଉଁ ବୃତ୍ତି । ସେ ମାର୍ଗେ ଥାଇ କୃଷ୍ଣଭକ୍ତି ॥ ୩୩୫

କାର୍ଯ୍ୟ କ୍ରମ ମନ ବଚନ । ନିଷ୍କପଟରେ ହୋଇ ଲୀନ ॥ ୩୩୬

ପାଦପଦ୍ମରେ କରି ଧ୍ୟାନ । ସନ୍ତୋଷ ଲଭେ ଭଗବାନ ॥ ୩୩୭

ତାହାଙ୍କ ଚରଣ ଅମ୍ବୁଜ । ଅଶେଷ କାମ-ଲାଭ-ବୀଜ ॥ ୩୩୮

କପଟ ଭାବ ପରିହରି । ହେବା ଯେମନ୍ତ ଅଧିକାରୀ ॥ ୩୩୯

ଆପଣା ବର୍ଣ୍ଣାଶ୍ରମ ମତେ । ହରିଙ୍କି ଭଜ ଅବିରତେ ॥ ୩୪୦

ଏ ଯେ ଈଶ୍ୱର ଭଗବାନ । ବିଶେଷେ ବିଜ୍ଞାନରେ ଘନ ॥ ୩୪୧

ଗୁଣ ବିହୀନ ସେହୁ ଯେବେ । ତଥାପି ନାନାରୂପ ଲଭେ ॥ ୩୪୨

ନାନା ବିଶେଷଣ ସେ ହୋଇ । ଯଜ୍ଞପୁରୁଷ ସେ ଅଟଇ ॥ ୩୪୩

ନାନା ପ୍ରକାରେ ଦ୍ରବ୍ୟ ଗୁଣ । କର୍ମ-ତନ୍ତ୍ରେ ଜାତ ହୋଇଣ ॥ ୩୪୪

ଶୁଣ ହେ ସର୍ବ ସଭାଜନ । ଯଜ୍ଞପୁରୁଷ ବିଷ୍ଣୁ ଜାଣ ॥ ୩୪୫

ଯେ ହୋମ ଦ୍ରବ୍ୟ କ୍ରିୟା ଗୁଣ । ଅବଘାତାଦି ମନ୍ତ୍ର ପୁଣ ॥ ୩୪୬

ଅଙ୍ଗ ସାଧ୍ୟ ଯେ ଉପକାର । ସଙ୍କଳ୍ପ ପଦାର୍ଥର ସାର ॥ ୩୪୭

ଜ୍ୟୋତିଷ୍ଟୋମାଦି ନାମ ଧରି । ପ୍ରକାଶେ ଯଜ୍ଞରୂପେ ହରି ॥ ୩୪୮

ଯଜ୍ଞରେ ଯେବା ଫଳ ହୋଏ । ସେ ଫଳ ତହୁଁ ଭିନ୍ନ ନୋହେ ॥ ୩୪୯

ଯେ ଦେହେ ଚେତନା ରୂପରେ । ଅଛନ୍ତି ସକଳ ଶରୀରେ ॥ ୩୫୦

ଯେହ୍ନେ ଅନଳ ସମିଧରେ । ଏକ ସେ ନାନାରୂପ ଧରେ ॥ ୩୫୧

ସେ ରୂପେ ହରି ଦେହେ ଥାନ୍ତି । କର୍ମର ଫଳ ସେ ଭୁଞ୍ଜନ୍ତି ॥ ୩୫୨

ସେ ହରି ସର୍ବ-ଗୁରୁ ପର । ସର୍ବଦେବତା ଅଧୀଶ୍ୱର ॥ ୩୫୩

ଯେ ପ୍ରାଣୀ ସେ ପାଦେ ଭଜିଲା । ସେ ମୋତେ ଅନୁଗ୍ରହ କଲା ॥ ୩୫୪

ମୋର ସମ୍ବନ୍ଧୀ ଯେତେ ଜନ । ହରିରେ କର ଆରାଧନ ॥ ୩୫୫

ଯେ ଦୃଢ଼ଭକ୍ତିରେ ପୂଜିବ । ମୋତେ ବହୁତ ସୁଖ ଦେବ ॥ ୩୫୬

ରାଜକୁଳରେ ଯେତେ ଜନ । ତେଜ ବଳରେ ବଳୀୟାନ ॥ ୩୫୭

ବ୍ରାହ୍ମଣ ବୈଷ୍ଣବ କୁଳରେ । ଦ୍ୱେଷ ନ କରିବ ମନରେ ॥ ୩୫୮

କ୍ଷମା ତପସ୍ୟା ବିଦ୍ୟାବଳେ । ଉଜ୍ଜ୍ୱଳ ଯେଉଁ ଦ୍ୱିଜକୁଳେ ॥ ୩୫୯

ଅପରେ ମହା-ସାଧୁ ଧୀରେ । ବିଷ୍ଣୁଟି ଦେବତା ଯାହାର ॥ ୩୬୦

ସେ କୁଳେ ପ୍ରଭୁପଣ କଲେ । ପ୍ରମାଦ ପଡ଼ଇଟି ଭଲେ ॥ ୩୬୧

ଯେ ବ୍ରାହ୍ମଣ ବୈଷ୍ଣବ ପାଦେ । ସେବା କରିଣ ଅପ୍ରମାଦେ ॥ ୩୬୨

ବିଷ୍ଣୁ ଲଭିଲେ ମହାଲକ୍ଷ୍ମୀ । ଯେ ଯଶ ସଂସାରେ ରହିଛି ॥ ୩୬୩

ବ୍ରାହ୍ମଣ ପାଦେ ସେବା କଲେ । ବିଷ୍ଣୁ ସନ୍ତୋଷ ହେବେ ଭଲେ ॥ ୩୬୪

ଏଣୁ ସକଳ ପ୍ରାଣୀମାନେ । ମାନ୍ୟ କରିବ ବିପ୍ରଜନେ ॥ ୩୬୫

ହରିଭୁଜାଦି ଦେବମାନେ । ତାହାଙ୍କ ମୁଖ ବିପ୍ରଜନେ ॥ ୩୬୬

ଏଣୁ ବିପ୍ରଙ୍କୁ ସେବା କଲେ । ଅଶ୍ରମେ ମୋକ୍ଷଲଭେ ଭଲେ ॥ ୩୬୭

ବ୍ରାହ୍ମଣ ଦେବଙ୍କର ମୁଖ । ତାଙ୍କ ଭୋଜନେ ଯେଉଁ ସୁଖ ॥ ୩୬୮

ସେ ସୁଖ ହରି ଆସ୍ପାଦନ୍ତି । ଯଜ୍ଞେ ସେ ସୁଖ ନ ପାବନ୍ତି ॥ ୩୬୯

ଏଣୁ ବପ୍ରଙ୍କୁ ଭୁଞ୍ଜାଇଲେ । ସକଳ ଯଜ୍ଞଫଳମିଳେ ॥ ୩୭୦

ଚେତନା ରହିତ ଅନଳେ । ଆହୁତି ମନ୍ତ୍ରଭାବେ ଦେଲେ ॥ ୩୭୧

ହରି ତା କଲେ ହେଁ ଭୋଜନ । ସୁଖ ନ ଲଭନ୍ତି ତେସନ ॥ ୩୭୨

ଏଣୁ ଅଗ୍ନିରୁ ଦ୍ୱିଜ ଶ୍ରେଷ୍ଠ । ଯେଣୁ ସେ ବେଦତ‌ତ୍ତ୍ୱେ ନିଷ୍ଠ ॥ ୩୭୩

ବ୍ରାହ୍ମର ମୁଖେ ଯେବେ ଦେଇ । ଇନ୍ଦ୍ରାଦି ଦେବ ନାମ କହି ॥ ୩୭୪

ବିଷ୍ଣୁପ୍ରୀତିରେ ଦେବ ଯେତେ । ବିଷ୍ଣୁ ତା ପାଇବେ ସାକ୍ଷାତେ ॥ ୩୭୫

ଯେ ବେଦେ ଦର୍ପଣ ପରାୟେ । ସକଳ ଧର୍ମ ଦୃଶ୍ୟ ହୋଏ ॥ ୩୭୬

ଶ୍ରଦ୍ଧା ତପସ୍ୟା ଶୁଦ୍ଧାଚାର । ମଉନ ସଂଯମ ପ୍ରକାର ॥ ୩୭୭

ସମ୍ପାଦି ଯେଉଁ ଦ୍ୱିଜମାନେ । ଧରନ୍ତି ତାକୁ ହରି ଧ୍ୟାନେ ॥ ୩୭୮

ବେଦାର୍ଥ କରନ୍ତି ବିଚାର । ଯେ ବେଦ ହେତୁ ଏ ସଂସାର ॥ ୩୭୯

ବ୍ରାହ୍ମଣ ପାଦଧୁଳି ଶିରେ । ଧରିଣ ଥାଇ ତତପରେ ॥ ୩୮୦

ଯେ ପ୍ରାଣୀ ନିତ୍ୟେ ଏହା ବହେ । ପାପ ନ ରହେ ତାର ଦେହେ ॥ ୩୮୧

ତାର କଳୁଷ ବେଗେ ନାଶେ । ସକଳ ଗୁଣ ତାର ପାଶେ ॥ ୩୮୨

ଏଣୁ ବିପ୍ରଙ୍କ ପାଦରଜେ । କିରୀଟ-ଅଗ୍ର ମୋର ରାଜେ ॥ ୩୮୩

ଯେ ଜନ ଗୋ ବିପ୍ର ଭଜଇ । ତା ପଛେ ସର୍ବଗୁଣ ଥାଇ ॥ ୩୮୪

ବିଷ୍ଣୁ ଯେ ତାହାରେ ସନ୍ତୋଷ । ଅଧିକ କିବା ଗୁଣ ଯଶ ॥ ୩୮୫

ଗୋ ବିପ୍ର ବିଷ୍ଣୁଙ୍କ କିଙ୍କରେ । ପ୍ରସନ୍ନ ହୋନ୍ତୁ ମୋରଠାରେ ॥ ୩୮୬

ମୈତ୍ରେୟ ଉବାଚ

ଏମନ୍ତ କହୁଁ ପୃଥୁ ରାୟେ । ପିତୃ-ଦେବ-ଦ୍ୱିଜ ସମୂହେ ॥ ୩୮୭

ସକଳେ କଲେ ସାଧୁବାଣୀ । ସେ ସଭାମଧ୍ୟେ ଯେତେ ପ୍ରାଣୀ ॥ ୩୮୮

କହନ୍ତି ପୃଥୁଙ୍କ ଅଗ୍ରତେ । ତୁମ୍ଭେ ହେ ଧନ୍ୟ ଧର୍ମମତେ ॥ ୩୮୯

ସୁପୁତ୍ରେ ପୁଣ୍ୟଲୋକ ପାଇ । ଏ ବାକ୍ୟ ସତ୍ୟ ଶ୍ରୁତି କହି ॥ ୩୯୦

ବ୍ରାହ୍ମଣ-ଶାପ-ଦଣ୍ତଗ୍ରସ୍ତ । ମଲେ ଯେ ବେଣ ତୁମ୍ଭ ତାତ ॥ ୩୯୧

ସେ ମହାପାପୀ ହୋଇଥିଲେ । ତୁମ୍ଭ ସକାଶୁ ନିସ୍ତରିଲେ ॥ ୩୯୨

ହିରଣ୍ୟକଶିପୁ ଯେ ଥିଲା । ସେ ବିଷ୍ଣୁ ନିନ୍ଦାରେ ବଢିଲା ॥ ୩୯୩

ପ୍ରହ୍ଲାଦ ତାର ସୁତ ହୋଇ । ନରକ ମାର୍ଗୁ ଉଦ୍ଧରଇ ॥ ୩୯୪

ତୁ ଏବେ ଚକ୍ରବର୍ତ୍ତୀ ପଣେ । ଏ ମହୀ ପାଳ ଶୁଭକ୍ଷଣେ ॥ ୩୯୫

ବହୁ ବତ୍ସର ତୁମ୍ଭ ଆୟୁ । ନିରୁଜ ହୋଇ ତନୁ ରହୁ ॥ ୩୯୬

ଗୁଣେ ଅଖଣ୍ତ ଭୋଗ ଭୁଞ୍ଜ । ଭକ୍ତିରେ ହରିପାଦେ ଭଜ ॥ ୩୯୭

ବ୍ରହ୍ମଣ୍ୟ-ଦେବ ହରିକଥା । ତୁମ୍ଭର କୀର୍ତ୍ତନେ ସର୍ବଥା ॥ ୩୯୮

ଏଣୁ ଆମ୍ଭର ତୁମ୍ଭେ ନାଥ । ତୁମ୍ଭରେ ହୋଇଲୁ କୃତାର୍ଥ ॥ ୩୯୯

ଆମ୍ଭଙ୍କୁ ତୁମ୍ଭେ ନିସ୍ତାରିଲ । ହରିଙ୍କ ମହିମା କହିଲ ॥ ୪୦୦

ଅନେକ ପୁଣ୍ୟ କରିଥିଲୁ । ତେଣୁ ତୁମ୍ଭର ପ୍ରଜା ହେଲୁ ॥ ୪୦୧

ସେମାନେ ମହତ ଅଟନ୍ତି । ତାଙ୍କ ଚରିତ ଏହିମତି ॥ ୪୦୨

ପ୍ରଜାଙ୍କୁ ଦ୍ୟନ୍ତି ଧର୍ମ ଶିକ୍ଷା । ଯେଣେ ହୁଅଇ ସର୍ବରକ୍ଷା ॥ ୪୦୩

ଆମ୍ଭେ ଅଜ୍ଞାନେ ଭ୍ରମ ଅତି । ଆମ୍ଭଙ୍କୁ ଦେଲ ଦିବ୍ୟଗତି ॥ ୪୦୪

ଏ ଘୋର-ତମୁ ନିସ୍ତାରିଲ । ହରି ଭଜନ ଶିକ୍ଷା ଦେଲ ॥ ୪୦୫

ନରକ ମାର୍ଗେ ପଡିଥିଲୁ । ତୋ ଅଙ୍ଗୁ ମୁକତି ହୋଇଲୁ ॥ ୪୦୬

ହେ ଶୁଦ୍ଧ-ସ‌ତ୍ତ୍ୱ ପୁଣ୍ୟ-ବ୍ରତ । ତୁମ୍ଭଙ୍କୁ ଆମ୍ଭ ପ୍ରଣମିତ ॥ ୪୦୭

ତୁମ୍ଭେ ଯେ ଜଗତ ଈଶ୍ୱର । ତୁମ୍ଭ ଚରଣେ ନମସ୍କାର ॥ ୪୦୮

ଏମନ୍ତେ ପୃଥୁର ଚରଣେ । ପ୍ରଣାମ କଲେ ପ୍ରଜାଗଣେ ॥ ୪୦୯

ମୈତ୍ରେୟ ବିଦୁର ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୪୧୦

ବୋଲଇ ଦାସ ଜଗନ୍ନାଥ । ଚତୁର୍ଥେ ପୃଥୁର ଚରିତ ॥ ୪୧୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ଏକବିଂଶୋଽଧ୍ୟାୟଃ ॥

* * *