ଚତୁର୍ଥ ସ୍କନ୍ଧ

ବିଂଶ ଅଧ୍ୟାୟ

ମୈତ୍ରେୟ ଉବାଚ

ଏମନ୍ତ ପୃଥୁ ମୁଖ ଚାହିଁ । ଭୟେ ଚରଣେ ଶିର ଦେଇ ॥

କୋପିତେ ସ୍ଫୁରିତ ବଚନ । ସ୍ୱଭାବେ ଅରୁଣ-ଲୋଚନ ॥

ବିନୟେ କରି ନାନା ସ୍ତୁତି । ପୁଣି ବୋଲଇ ବସୁମତୀ ॥

ଭୋନାଥ କୋପ ଛାଡ ମାତେ । ମୁହିଁ ଶରଣ ଗଲି ତୋତେ ॥

ଯେ ଆତ୍ମା-କାର୍ଯ୍ୟ ବିଚାରଇ । ସଂସାରୁ ସାର ଆହରଇ ॥

ଚିତ୍ତେ ନ କଳ୍ପେ ଭିନ୍ନେ-ଭିନ୍ନେ । ପୁଷ୍ପରୁ ମଧୁକର ଯେହ୍ନେ ॥

ଯେ ଶାନ୍ତ ଇହ ପରଲୋକେ । ସୁଯୋଗୀ ଜନ କହେ ମୁଖେ ॥

ଉପାୟେ ସେ ଫଳ ଭୁଞ୍ଜନ୍ତି । ଉଭୟ-ଲୋକେ ନାହିଁ ଭ୍ରାନ୍ତି ॥

ଏହା ଯେ ନ କରନ୍ତି ଚିତ୍ତେ । ସେ ଯଶ ଲଭିବେ କେମନ୍ତେ ॥

ବ୍ରହ୍ମା ଯେ ସର୍ବପ୍ରାଣୀ ହିତେ । ଶସ୍ୟ ସାମଗ୍ରୀ କଲା ଯେତେ ॥ ୧୦

ସେ ସର୍ବ ମୋର ଦେହେ ଥିଲା । ଏମନ୍ତେ ତୋର ପିତା ମଲା ॥ ୧୧

ରାଜା ବିଯୋଗେ ସର୍ବ ଧର୍ମ । ଦୁଷ୍ଟେ ନାଶିଲେ ସର୍ବ କର୍ମ ॥ ୧୨

ଚଉର-ଭୟ ଅରାଜତ୍ୱେ । ଭବିଷ୍ୟ ଯଜ୍ଞରକ୍ଷା ଅର୍ଥେ ॥ ୧୩

ଯେତେ ଔଷଧି ବୀଜ ଥିଲା । ଅରାଜା ଯୋଗେ ନାଶ ଗଲା ॥ ୧୪

କ୍ଷୀଣ ବୀରୁଧ ଦେଖି ମୁହିଁ । ଭକ୍ଷିଲି ଧେନୁରୂପ ହୋଇ ॥ ୧୫

ଯଦି ମୁଁ ନ କରନ୍ତି ଗ୍ରାସ । ଦୁଷ୍ଟେ କରନ୍ତେ ସର୍ବନାଶ ॥ ୧୬

ସେ ସର୍ବ ଶସ୍ୟ ରସ ଯେତେ । କ୍ଷୀରେ ବସନ୍ତି ମୋର ଗାତ୍ରେ ॥ ୧୭

ତୁ ଏବେ ରକ୍ଷା କର ମୋତେ । ଦୋହନ କର ତୁ ଯୁଗତେ ॥ ୧୮

କ୍ଷରିବି ସର୍ବ-ଶସ୍ୟ ମୁହିଁ । ପ୍ରାଣୀ-ଜୀବନ ଯେଣେ ରହି ॥ ୧୯

ମୁଁ ସର୍ବ କାମଧେନୁ ରୂପେ । କ୍ଷୀର ସ୍ତବିବି ଜନ ମୁଖେ ॥ ୨୦

ତୁ ଏବେ ମୋତେ ରକ୍ଷାକର । ଧନୁ-ଆୟୁଧ ପରିହର ॥ ୨୧

ସୁଷମ କର ମୋର ଗାତ୍ର । ମୁହିଁ ଯେସନେ ଶସ୍ୟକ୍ଷେତ୍ର ॥ ୨୨

ସମ ହୋଇଲେ ମୋର ଶରୀର । ବର୍ଷାରେ ପୂରି କ୍ଷୀରଧାର ॥ ୨୩

ସରସ ହୋଇ ମୋ ଶରୀର । ଶସ୍ୟ ଉଠିବ ନିରନ୍ତର ॥ ୨୪

ହୋଇବ ନାନାରୂପେ ଧାନ୍ୟ । ଜନ୍ତୁଏ ଲଭିବେ ଜୀବନ ॥ ୨୫

ମୈତ୍ରେୟ ଉବାଚ

ଏମନ୍ତ ଧରଣୀ ବଚନ । ଶୁଣି ସନ୍ତୋଷ ପୃଥୁମନ ॥ ୨୬

ମନୁକୁ ବତ୍ସାରୂପ କରି । ଭାବେ ବୋଲଇ ଦଣ୍ତଧାରୀ ॥ ୨୭

ତୁ ଏହା ସ୍ତନ ପାନ କର । ଯେମନ୍ତେ ସଞ୍ଚରଇ କ୍ଷୀର ॥ ୨୮

ତକ୍ଷଣେ ପୃଥୁର ବଚନେ । ସେ ମନୁ ମୁଖ ଦେଲା ସ୍ତନେ ॥ ୨୯

ପିବନ୍ତେ ସଞ୍ଚରିଲା କ୍ଷୀର । ମେଘୁ ଯେସନେ ବୃଷ୍ଟିଧାର ॥ ୩୦

ଚରଣେ ବାନ୍ଧି ବତ୍ସା ମନୁ । ପୃଥୁ ଦୁହିଁଲା କ୍ଷୀର ସ୍ତନୁ ॥ ୩୧

କ୍ଷୀରେ ପୂରିଲା ବସୁନ୍ଧରୀ । ଯେସନେ ସିନ୍ଧୁର ଲହରୀ ॥ ୩୨

ଅନେକ ଅପ୍ରମେୟ ରସ । ଯେଣେ ସକଳ-ଜୀବ ବଶ ॥ ୩୩

ଗର୍ଭେ ଯେ ଶସ୍ୟବୀଜ ଥିଲା । କ୍ଷୀର ସଙ୍ଗତେ ସଞ୍ଚରିଲା ॥ ୩୪

ଶସ୍ୟ ହୋଇଲା ଅପ୍ରମିତେ । ପ୍ରଜାଏ ନେଲେ ଯେଝାମତେ ॥ ୩୫

ପୃଥୁ ଦୋହନ ଅନ୍ତେ ଦେବେ । ସର୍ବେ ଦୁହିଁଲେ ଯେଝା ଭାବେ ॥ ୩୬

ମିଳି ସକଳ ମୁନିଜନେ । ଅତ୍ୟନ୍ତ ହରଷିତ ମନେ ॥ ୩୭

ବୃହସ୍ପତିଙ୍କି ବତ୍ସା କରି । ଇନ୍ଦ୍ରିୟ-ପାତ୍ର କରେ ଧରି ॥ ୩୮

ଦୁହିଁଲେ ପୟ ଛନ୍ଦୋମୟ । ଯେ ଭାବେ ତୁଟଇ ସଂଶୟ ॥ ୩୯

ପୁଣି ସକଳ ଦେବେ ଧରି । ଇନ୍ଦ୍ରଙ୍କୁ ବତ୍ସାରୂପ କରି ॥ ୪୦

ସୁବର୍ଣ୍ଣମୟ ପାତ୍ର ଆଣି । ଆନନ୍ଦେ ଦୁହିଁଲେ ଧରଣୀ ॥ ୪୧

ସୋମ ଦୁହିଁଲେ ଯେଝାମତେ । ଅଶେଷ ଯଜ୍ଞ କର୍ମ ଅର୍ଥେ ॥ ୪୨

ଅମୃତ ବୀର୍ଯ୍ୟ ଓଜ ବଳ । ଦୁହିଁଲେ ପୟ ସୁନିର୍ମଳ ॥ ୪୩

ଦୈତ୍ୟ-ଦାନବେ ପୁଣ ଧରି । ପ୍ରହଲ୍ଲାଦକୁ ବତ୍ସା କରି ॥ ୪୪

ଦୁହିଁଲେ ଲୌହମୟ ପାତ୍ରେ । ସୁରା ଆସବ ଆଦି ଯେତେ ॥ ୪୫

ଗନ୍ଧର୍ବ ଅପସରା ଗଣେ । ମିଳିଲେ ଯାଇ ତତକ୍ଷଣେ ॥ ୪୬

କମଳପତ୍ର ପାତ୍ର କରି । ଦୁହିଁଲେ ଭୂମି ସ୍ତନ ଧରି ॥ ୪୭

ବିଶ୍ୱାବସୁଙ୍କୁ ବତ୍ସା କଲେ । ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ଦୁହିଁଲେ ॥ ୪୮

ଶ୍ରାଦ୍ଧଦେବତା ପିତୃଗଣେ । ଶ୍ରଦ୍ଧାରେ କ୍ଷୀର ଜଣେ ଜଣେ ॥ ୪୯

ଅର୍ଯ୍ୟମା ବତ୍ସା କରି ହସ୍ତେ । କବ୍ୟ ଦୁହିଁଲେ ଆମପାତ୍ର ॥ ୫୦

ସିଦ୍ଧେ ମିଳିଲେ ନବରଙ୍ଗେ । କପିଳ ବତ୍ସା ଘେନି ସଙ୍ଗେ ॥ ୫୧

ସଙ୍କଳ୍ପମୟ କ୍ଷୀର ଧାରେ । ଦୁହିଁଲେ ଜନ ଉପକାରେ ॥ ୫୨

ପୁଣି ମିଳିଲେ ବିଦ୍ୟାଧରେ । ଯେ ଯାହା ପାତ୍ରଧରି କରେ ॥ ୫୩

ଏହୁ ଆକାଶ-ପାତ୍ର ଧରି । ଖେଚରୀ ବିଦ୍ୟା ଦୁହିଁ କରି ॥ ୫୪

ଆନନ୍ଦମନେ କ୍ଷୀର ଦୁହିଁ । ବସିଲେ ଯେଝାଭାବ ଯାଇ ॥ ୫୫

ପୁଣି ମିଳିଲେ ପୁଣ୍ୟଜନେ । ମୟକୁ ବତ୍ସା କଳ୍ପିମନେ ॥ ୫୬

ମାୟାବୀଗଣ ପୁଣି ଆସି । ଧରଣୀ ସ୍ତନ ତଳେ ବସି ॥ ୫୭

ଆନନ୍ଦ ପାତ୍ର କରି ମନ । ସର୍ବେ ଦୁହିଁଲେ ଅନ୍ତର୍ଦ୍ଧାନ ॥ ୫୮

ମିଳିଲେ ଯକ୍ଷ ରକ୍ଷଗଣେ । ଭୂତ ବେତାଳ ଯାତୁଧାନେ ॥ ୫୯

କପାଳ ପାତ୍ରକୁ ଧଇଲେ । ରୁଦ୍ରଙ୍କୁ ଆଣି ବତ୍ସା କଲେ ॥ ୬୦

ରୁଧିର ମଦ୍ୟ ସେ ଦୁହିଁଲେ । ପିଶାଚେ ଆନନ୍ଦ ହୋଇଲେ ॥ ୬୧

ତକ୍ଷଣେ ସର୍ପଗଣେ ଆସି । ଧରଣୀ ସ୍ତନ ତଳେ ବସି ॥ ୬୨

ତକ୍ଷକ-ନାଗ ବତ୍ସା କରି । ସନ୍ତୋଷ ମନେ ସ୍ତନ ଧରି ॥ ୬୩

ବିକକୁ ପାତ୍ର କରି ରଙ୍ଗେ । ବିଷ ଦୁହିଁଲେ ଅତି ବେଗେ ॥ ୬୪

ପଶୁଏ ମିଳି ସ୍ତନ ତଳେ । ବୃଷକୁ ବତ୍ସା କରି ବଳେ ॥ ୬୫

ତୃଣ ଦୁହିଁଲେ ଯେଝା ସୁଖେ । ତକ୍ଷଣେ ଗ୍ରାସ କରି ମୁଖେ ॥ ୬୬

ସିଂହ ସହିତେ ପଶୁଗଣେ । ମାଂସ ଦୋହନ କଲେ ବଣେ ॥ ୬୭

ମାଂସାଶୀ-ଗଣେ ପରେ ଆସି । ଧରଣୀ ସ୍ତନ ତଳେ ବସି ॥ ୬୮

ଶରୀର-ପାତ୍ରେ ମାଂସ ଦୁହିଁ । ଆନନ୍ଦ କଲେ ନିଜ ଦେହୀ ॥ ୬୯

ପକ୍ଷୀଏ-କ୍ଷୀର-ପାନ ଆଶେ । ମିଳେଲେ ଧରଣୀର ପାଶେ ॥ ୭୦

ଗରୁଡ-ବତ୍ସା କରି ବଳେ । କୀଟ-ଫଳକୁ ସେ ଦୁହିଁଲେ ॥ ୭୧

ସକଳ ବୃକ୍ଷେ ଆଗ ସରି । ବଟବୃକ୍ଷକୁ ବତ୍ସା କରି ॥ ୭୨

ସନ୍ତୋଷେ ଦୁହିଁ ରସମୟେ । କ୍ଷୀର ବରଷି ନିଜ ଦେହେ ॥ ୭୩

ହିମବନ୍ତକୁ ବତ୍ସା କରି । ଧାତୁ ଦୁହିଁଲେ ସର୍ବ ଗିରି ॥ ୭୪

ସେ ପୃଥ୍ୱୀ ପୃଥୁ ବଶେ ଥିଲା । ସକଳେ କାମଦୁଘା ହେଲା ॥ ୭୫

ଏମନ୍ତେ ପୃଥୁ ଆଦି ସର୍ବେ । କ୍ଷୀର ଦୁହିଁଲେ ଯେଝାଭାବେ ॥ ୭୬

ଯେତେକ ମନୁ ଆଦି ଥିଲେ । ସର୍ବେ ଅଭୀଷ୍ଟ ସମ୍ପାଦିଲେ ॥ ୭୭

ଏମନ୍ତେ ଶୁଣ ହେ ରାଜନ । ଜାଣିଲେ ସର୍ବଜନ ମନ ॥ ୭୮

ପୃଥୁ ଧରଣୀ ମୁଖ ଚାହିଁ । ଆନନ୍ଦ-ମନେ ବିଚାରଇ ॥ ୭୯

ଏ ମୋ କାର୍ଯ୍ୟେ ଦୁଃଖ ସହି । ରୂପ ବହିଲା ଧେନୁ ହୋଇ ॥ ୮୦

ଯେ ଯାହା ସୁଖେ ପୟ ନେଲେ । ସର୍ବେ ତୋଷିଲା ମହୀ ଭଲେ ॥ ୮୧

ଏ ଦେହ-ଜୀବଧାରୀ ଯେତେ । ସ୍ଥାବର ଆଦି ନାନା ମତେ ॥ ୮୨

ସକଳେ ଲଭିଲେ ଜୀବନ । ଦେଖ ଏହାର ଦେହ ଧନ୍ୟ ॥ ୮୩

ଏ ମୋର ଦୁହିତା ହୋଇବ । ଏଣେ ବଞ୍ଚଲେ ସର୍ବଜୀବ ॥ ୮୪

ଜୀବଙ୍କ ଜୀବଦାତା ଯେଣୁ । ଏହାର ପୃଥ୍ୱୀ ନାମ ତେଣୁ ॥ ୮୫

ହୋଇବ ଏ ମୋର ପ୍ରମାଣ । ଯେଣୁ ଏ ସଂସାର ଧାରଣ ॥ ୮୬

ଏମନ୍ତେ ପୃଥ୍ୱୀନାମ କରି । ସୁଖେ ପାଳିଲେ ବସୁନ୍ଧରୀ ॥ ୮୭

ଭୂମିରେ ଉଚ୍ଚ ପ୍ରାୟ ସ୍ଥାନ । ଧନୁ-ହୁଳେ କରି ସମାନ ॥ ୮୮

ଯଥା-ଯୋଗ୍ୟରେ ପ୍ରାଣୀ ସ୍ଥାନ । କଳ୍ପିଲା ବେଣର ନନ୍ଦନ ॥ ୮୯

ଏମନ୍ତେ ପୃଥୁ ହୋଇ ରାଜା । ସମେ ପାଳିଲେ ଜନପ୍ରଜା ॥ ୯୦

ଭୂମି ଉପରେ ନାନାଦେଶେ । ସକଳ ସ୍ଥାପିଲେ ହରଷେ ॥ ୯୧

ଗ୍ରାମାଦି ପୁର ଯେ ପତ୍ତନ । ଘୋଷ-ବ୍ରଜ ଶବର ସ୍ଥାନ ॥ ୯୨

ଆଖର ଖେ ଯେ ଖର୍ବଟ । ଦୁର୍ଗ ଗ୍ରାମାଦି ଯେ ନିର୍ମିତ ॥ ୯୩

ସେ ରାଜା ଅତି ସ୍ନେହଭରେ । ସକଳ ଜୀବଙ୍କୁ ନିର୍ଭରେ ॥ ୯୪

ଜନଙ୍କୁ ପାଳେ ପିତା ପ୍ରାୟେ । ସକଳେ ରହିଲେ ନିର୍ଭୟେ ॥ ୯୫

ନିଶ୍ଚିନ୍ତେ ରହିଲେ ସକଳେ । ଅଚଳ ଯେସନେ ନିଶ୍ଚଳେ ॥ ୯୬

ପୃଥୁ-ଚରିତ ସୁଧାବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୯୭

ଗୋବିନ୍ଦ-ଚରଣେ ମିଳନ୍ତି । ବିନାଶି ଭବଭୟଭ୍ରାନ୍ତି ॥ ୯୮

ଏଣୁ ସୁଜନେ ଆଶ୍ରେ କର । ସଂସାର ସଙ୍କଟୁ ନିସ୍ତର ॥ ୯୯

ବୋଲଇ ଦାସ ଜଗନ୍ନାଥ । ଭାଷାପ୍ରବନ୍ଧେ ଭାଗବତ ॥ ୧୦୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ପୃଥୁବିଜୟେ ବିଂଶୋଽଧ୍ୟାୟଃ ॥

* * *