ଚତୁର୍ଥ ସ୍କନ୍ଧ
ବିଂଶ ଅଧ୍ୟାୟ
ମୈତ୍ରେୟ ଉବାଚ
ଏମନ୍ତ ପୃଥୁ ମୁଖ ଚାହିଁ । ଭୟେ ଚରଣେ ଶିର ଦେଇ ॥ ୧
କୋପିତେ ସ୍ଫୁରିତ ବଚନ । ସ୍ୱଭାବେ ଅରୁଣ-ଲୋଚନ ॥ ୨
ବିନୟେ କରି ନାନା ସ୍ତୁତି । ପୁଣି ବୋଲଇ ବସୁମତୀ ॥ ୩
ଭୋନାଥ କୋପ ଛାଡ ମାତେ । ମୁହିଁ ଶରଣ ଗଲି ତୋତେ ॥ ୪
ଯେ ଆତ୍ମା-କାର୍ଯ୍ୟ ବିଚାରଇ । ସଂସାରୁ ସାର ଆହରଇ ॥ ୫
ଚିତ୍ତେ ନ କଳ୍ପେ ଭିନ୍ନେ-ଭିନ୍ନେ । ପୁଷ୍ପରୁ ମଧୁକର ଯେହ୍ନେ ॥ ୬
ଯେ ଶାନ୍ତ ଇହ ପରଲୋକେ । ସୁଯୋଗୀ ଜନ କହେ ମୁଖେ ॥ ୭
ଉପାୟେ ସେ ଫଳ ଭୁଞ୍ଜନ୍ତି । ଉଭୟ-ଲୋକେ ନାହିଁ ଭ୍ରାନ୍ତି ॥ ୮
ଏହା ଯେ ନ କରନ୍ତି ଚିତ୍ତେ । ସେ ଯଶ ଲଭିବେ କେମନ୍ତେ ॥ ୯
ବ୍ରହ୍ମା ଯେ ସର୍ବପ୍ରାଣୀ ହିତେ । ଶସ୍ୟ ସାମଗ୍ରୀ କଲା ଯେତେ ॥ ୧୦
ସେ ସର୍ବ ମୋର ଦେହେ ଥିଲା । ଏମନ୍ତେ ତୋର ପିତା ମଲା ॥ ୧୧
ରାଜା ବିଯୋଗେ ସର୍ବ ଧର୍ମ । ଦୁଷ୍ଟେ ନାଶିଲେ ସର୍ବ କର୍ମ ॥ ୧୨
ଚଉର-ଭୟ ଅରାଜତ୍ୱେ । ଭବିଷ୍ୟ ଯଜ୍ଞରକ୍ଷା ଅର୍ଥେ ॥ ୧୩
ଯେତେ ଔଷଧି ବୀଜ ଥିଲା । ଅରାଜା ଯୋଗେ ନାଶ ଗଲା ॥ ୧୪
କ୍ଷୀଣ ବୀରୁଧ ଦେଖି ମୁହିଁ । ଭକ୍ଷିଲି ଧେନୁରୂପ ହୋଇ ॥ ୧୫
ଯଦି ମୁଁ ନ କରନ୍ତି ଗ୍ରାସ । ଦୁଷ୍ଟେ କରନ୍ତେ ସର୍ବନାଶ ॥ ୧୬
ସେ ସର୍ବ ଶସ୍ୟ ରସ ଯେତେ । କ୍ଷୀରେ ବସନ୍ତି ମୋର ଗାତ୍ରେ ॥ ୧୭
ତୁ ଏବେ ରକ୍ଷା କର ମୋତେ । ଦୋହନ କର ତୁ ଯୁଗତେ ॥ ୧୮
କ୍ଷରିବି ସର୍ବ-ଶସ୍ୟ ମୁହିଁ । ପ୍ରାଣୀ-ଜୀବନ ଯେଣେ ରହି ॥ ୧୯
ମୁଁ ସର୍ବ କାମଧେନୁ ରୂପେ । କ୍ଷୀର ସ୍ତବିବି ଜନ ମୁଖେ ॥ ୨୦
ତୁ ଏବେ ମୋତେ ରକ୍ଷାକର । ଧନୁ-ଆୟୁଧ ପରିହର ॥ ୨୧
ସୁଷମ କର ମୋର ଗାତ୍ର । ମୁହିଁ ଯେସନେ ଶସ୍ୟକ୍ଷେତ୍ର ॥ ୨୨
ସମ ହୋଇଲେ ମୋର ଶରୀର । ବର୍ଷାରେ ପୂରି କ୍ଷୀରଧାର ॥ ୨୩
ସରସ ହୋଇ ମୋ ଶରୀର । ଶସ୍ୟ ଉଠିବ ନିରନ୍ତର ॥ ୨୪
ହୋଇବ ନାନାରୂପେ ଧାନ୍ୟ । ଜନ୍ତୁଏ ଲଭିବେ ଜୀବନ ॥ ୨୫
ମୈତ୍ରେୟ ଉବାଚ
ଏମନ୍ତ ଧରଣୀ ବଚନ । ଶୁଣି ସନ୍ତୋଷ ପୃଥୁମନ ॥ ୨୬
ମନୁକୁ ବତ୍ସାରୂପ କରି । ଭାବେ ବୋଲଇ ଦଣ୍ତଧାରୀ ॥ ୨୭
ତୁ ଏହା ସ୍ତନ ପାନ କର । ଯେମନ୍ତେ ସଞ୍ଚରଇ କ୍ଷୀର ॥ ୨୮
ତକ୍ଷଣେ ପୃଥୁର ବଚନେ । ସେ ମନୁ ମୁଖ ଦେଲା ସ୍ତନେ ॥ ୨୯
ପିବନ୍ତେ ସଞ୍ଚରିଲା କ୍ଷୀର । ମେଘୁ ଯେସନେ ବୃଷ୍ଟିଧାର ॥ ୩୦
ଚରଣେ ବାନ୍ଧି ବତ୍ସା ମନୁ । ପୃଥୁ ଦୁହିଁଲା କ୍ଷୀର ସ୍ତନୁ ॥ ୩୧
କ୍ଷୀରେ ପୂରିଲା ବସୁନ୍ଧରୀ । ଯେସନେ ସିନ୍ଧୁର ଲହରୀ ॥ ୩୨
ଅନେକ ଅପ୍ରମେୟ ରସ । ଯେଣେ ସକଳ-ଜୀବ ବଶ ॥ ୩୩
ଗର୍ଭେ ଯେ ଶସ୍ୟବୀଜ ଥିଲା । କ୍ଷୀର ସଙ୍ଗତେ ସଞ୍ଚରିଲା ॥ ୩୪
ଶସ୍ୟ ହୋଇଲା ଅପ୍ରମିତେ । ପ୍ରଜାଏ ନେଲେ ଯେଝାମତେ ॥ ୩୫
ପୃଥୁ ଦୋହନ ଅନ୍ତେ ଦେବେ । ସର୍ବେ ଦୁହିଁଲେ ଯେଝା ଭାବେ ॥ ୩୬
ମିଳି ସକଳ ମୁନିଜନେ । ଅତ୍ୟନ୍ତ ହରଷିତ ମନେ ॥ ୩୭
ବୃହସ୍ପତିଙ୍କି ବତ୍ସା କରି । ଇନ୍ଦ୍ରିୟ-ପାତ୍ର କରେ ଧରି ॥ ୩୮
ଦୁହିଁଲେ ପୟ ଛନ୍ଦୋମୟ । ଯେ ଭାବେ ତୁଟଇ ସଂଶୟ ॥ ୩୯
ପୁଣି ସକଳ ଦେବେ ଧରି । ଇନ୍ଦ୍ରଙ୍କୁ ବତ୍ସାରୂପ କରି ॥ ୪୦
ସୁବର୍ଣ୍ଣମୟ ପାତ୍ର ଆଣି । ଆନନ୍ଦେ ଦୁହିଁଲେ ଧରଣୀ ॥ ୪୧
ସୋମ ଦୁହିଁଲେ ଯେଝାମତେ । ଅଶେଷ ଯଜ୍ଞ କର୍ମ ଅର୍ଥେ ॥ ୪୨
ଅମୃତ ବୀର୍ଯ୍ୟ ଓଜ ବଳ । ଦୁହିଁଲେ ପୟ ସୁନିର୍ମଳ ॥ ୪୩
ଦୈତ୍ୟ-ଦାନବେ ପୁଣ ଧରି । ପ୍ରହଲ୍ଲାଦକୁ ବତ୍ସା କରି ॥ ୪୪
ଦୁହିଁଲେ ଲୌହମୟ ପାତ୍ରେ । ସୁରା ଆସବ ଆଦି ଯେତେ ॥ ୪୫
ଗନ୍ଧର୍ବ ଅପସରା ଗଣେ । ମିଳିଲେ ଯାଇ ତତକ୍ଷଣେ ॥ ୪୬
କମଳପତ୍ର ପାତ୍ର କରି । ଦୁହିଁଲେ ଭୂମି ସ୍ତନ ଧରି ॥ ୪୭
ବିଶ୍ୱାବସୁଙ୍କୁ ବତ୍ସା କଲେ । ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ଦୁହିଁଲେ ॥ ୪୮
ଶ୍ରାଦ୍ଧଦେବତା ପିତୃଗଣେ । ଶ୍ରଦ୍ଧାରେ କ୍ଷୀର ଜଣେ ଜଣେ ॥ ୪୯
ଅର୍ଯ୍ୟମା ବତ୍ସା କରି ହସ୍ତେ । କବ୍ୟ ଦୁହିଁଲେ ଆମପାତ୍ର ॥ ୫୦
ସିଦ୍ଧେ ମିଳିଲେ ନବରଙ୍ଗେ । କପିଳ ବତ୍ସା ଘେନି ସଙ୍ଗେ ॥ ୫୧
ସଙ୍କଳ୍ପମୟ କ୍ଷୀର ଧାରେ । ଦୁହିଁଲେ ଜନ ଉପକାରେ ॥ ୫୨
ପୁଣି ମିଳିଲେ ବିଦ୍ୟାଧରେ । ଯେ ଯାହା ପାତ୍ରଧରି କରେ ॥ ୫୩
ଏହୁ ଆକାଶ-ପାତ୍ର ଧରି । ଖେଚରୀ ବିଦ୍ୟା ଦୁହିଁ କରି ॥ ୫୪
ଆନନ୍ଦମନେ କ୍ଷୀର ଦୁହିଁ । ବସିଲେ ଯେଝାଭାବ ଯାଇ ॥ ୫୫
ପୁଣି ମିଳିଲେ ପୁଣ୍ୟଜନେ । ମୟକୁ ବତ୍ସା କଳ୍ପିମନେ ॥ ୫୬
ମାୟାବୀଗଣ ପୁଣି ଆସି । ଧରଣୀ ସ୍ତନ ତଳେ ବସି ॥ ୫୭
ଆନନ୍ଦ ପାତ୍ର କରି ମନ । ସର୍ବେ ଦୁହିଁଲେ ଅନ୍ତର୍ଦ୍ଧାନ ॥ ୫୮
ମିଳିଲେ ଯକ୍ଷ ରକ୍ଷଗଣେ । ଭୂତ ବେତାଳ ଯାତୁଧାନେ ॥ ୫୯
କପାଳ ପାତ୍ରକୁ ଧଇଲେ । ରୁଦ୍ରଙ୍କୁ ଆଣି ବତ୍ସା କଲେ ॥ ୬୦
ରୁଧିର ମଦ୍ୟ ସେ ଦୁହିଁଲେ । ପିଶାଚେ ଆନନ୍ଦ ହୋଇଲେ ॥ ୬୧
ତକ୍ଷଣେ ସର୍ପଗଣେ ଆସି । ଧରଣୀ ସ୍ତନ ତଳେ ବସି ॥ ୬୨
ତକ୍ଷକ-ନାଗ ବତ୍ସା କରି । ସନ୍ତୋଷ ମନେ ସ୍ତନ ଧରି ॥ ୬୩
ବିକକୁ ପାତ୍ର କରି ରଙ୍ଗେ । ବିଷ ଦୁହିଁଲେ ଅତି ବେଗେ ॥ ୬୪
ପଶୁଏ ମିଳି ସ୍ତନ ତଳେ । ବୃଷକୁ ବତ୍ସା କରି ବଳେ ॥ ୬୫
ତୃଣ ଦୁହିଁଲେ ଯେଝା ସୁଖେ । ତକ୍ଷଣେ ଗ୍ରାସ କରି ମୁଖେ ॥ ୬୬
ସିଂହ ସହିତେ ପଶୁଗଣେ । ମାଂସ ଦୋହନ କଲେ ବଣେ ॥ ୬୭
ମାଂସାଶୀ-ଗଣେ ପରେ ଆସି । ଧରଣୀ ସ୍ତନ ତଳେ ବସି ॥ ୬୮
ଶରୀର-ପାତ୍ରେ ମାଂସ ଦୁହିଁ । ଆନନ୍ଦ କଲେ ନିଜ ଦେହୀ ॥ ୬୯
ପକ୍ଷୀଏ-କ୍ଷୀର-ପାନ ଆଶେ । ମିଳେଲେ ଧରଣୀର ପାଶେ ॥ ୭୦
ଗରୁଡ-ବତ୍ସା କରି ବଳେ । କୀଟ-ଫଳକୁ ସେ ଦୁହିଁଲେ ॥ ୭୧
ସକଳ ବୃକ୍ଷେ ଆଗ ସରି । ବଟବୃକ୍ଷକୁ ବତ୍ସା କରି ॥ ୭୨
ସନ୍ତୋଷେ ଦୁହିଁ ରସମୟେ । କ୍ଷୀର ବରଷି ନିଜ ଦେହେ ॥ ୭୩
ହିମବନ୍ତକୁ ବତ୍ସା କରି । ଧାତୁ ଦୁହିଁଲେ ସର୍ବ ଗିରି ॥ ୭୪
ସେ ପୃଥ୍ୱୀ ପୃଥୁ ବଶେ ଥିଲା । ସକଳେ କାମଦୁଘା ହେଲା ॥ ୭୫
ଏମନ୍ତେ ପୃଥୁ ଆଦି ସର୍ବେ । କ୍ଷୀର ଦୁହିଁଲେ ଯେଝାଭାବେ ॥ ୭୬
ଯେତେକ ମନୁ ଆଦି ଥିଲେ । ସର୍ବେ ଅଭୀଷ୍ଟ ସମ୍ପାଦିଲେ ॥ ୭୭
ଏମନ୍ତେ ଶୁଣ ହେ ରାଜନ । ଜାଣିଲେ ସର୍ବଜନ ମନ ॥ ୭୮
ପୃଥୁ ଧରଣୀ ମୁଖ ଚାହିଁ । ଆନନ୍ଦ-ମନେ ବିଚାରଇ ॥ ୭୯
ଏ ମୋ କାର୍ଯ୍ୟେ ଦୁଃଖ ସହି । ରୂପ ବହିଲା ଧେନୁ ହୋଇ ॥ ୮୦
ଯେ ଯାହା ସୁଖେ ପୟ ନେଲେ । ସର୍ବେ ତୋଷିଲା ମହୀ ଭଲେ ॥ ୮୧
ଏ ଦେହ-ଜୀବଧାରୀ ଯେତେ । ସ୍ଥାବର ଆଦି ନାନା ମତେ ॥ ୮୨
ସକଳେ ଲଭିଲେ ଜୀବନ । ଦେଖ ଏହାର ଦେହ ଧନ୍ୟ ॥ ୮୩
ଏ ମୋର ଦୁହିତା ହୋଇବ । ଏଣେ ବଞ୍ଚଲେ ସର୍ବଜୀବ ॥ ୮୪
ଜୀବଙ୍କ ଜୀବଦାତା ଯେଣୁ । ଏହାର ପୃଥ୍ୱୀ ନାମ ତେଣୁ ॥ ୮୫
ହୋଇବ ଏ ମୋର ପ୍ରମାଣ । ଯେଣୁ ଏ ସଂସାର ଧାରଣ ॥ ୮୬
ଏମନ୍ତେ ପୃଥ୍ୱୀନାମ କରି । ସୁଖେ ପାଳିଲେ ବସୁନ୍ଧରୀ ॥ ୮୭
ଭୂମିରେ ଉଚ୍ଚ ପ୍ରାୟ ସ୍ଥାନ । ଧନୁ-ହୁଳେ କରି ସମାନ ॥ ୮୮
ଯଥା-ଯୋଗ୍ୟରେ ପ୍ରାଣୀ ସ୍ଥାନ । କଳ୍ପିଲା ବେଣର ନନ୍ଦନ ॥ ୮୯
ଏମନ୍ତେ ପୃଥୁ ହୋଇ ରାଜା । ସମେ ପାଳିଲେ ଜନପ୍ରଜା ॥ ୯୦
ଭୂମି ଉପରେ ନାନାଦେଶେ । ସକଳ ସ୍ଥାପିଲେ ହରଷେ ॥ ୯୧
ଗ୍ରାମାଦି ପୁର ଯେ ପତ୍ତନ । ଘୋଷ-ବ୍ରଜ ଶବର ସ୍ଥାନ ॥ ୯୨
ଆଖର ଖେ ଯେ ଖର୍ବଟ । ଦୁର୍ଗ ଗ୍ରାମାଦି ଯେ ନିର୍ମିତ ॥ ୯୩
ସେ ରାଜା ଅତି ସ୍ନେହଭରେ । ସକଳ ଜୀବଙ୍କୁ ନିର୍ଭରେ ॥ ୯୪
ଜନଙ୍କୁ ପାଳେ ପିତା ପ୍ରାୟେ । ସକଳେ ରହିଲେ ନିର୍ଭୟେ ॥ ୯୫
ନିଶ୍ଚିନ୍ତେ ରହିଲେ ସକଳେ । ଅଚଳ ଯେସନେ ନିଶ୍ଚଳେ ॥ ୯୬
ପୃଥୁ-ଚରିତ ସୁଧାବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୯୭
ଗୋବିନ୍ଦ-ଚରଣେ ମିଳନ୍ତି । ବିନାଶି ଭବଭୟଭ୍ରାନ୍ତି ॥ ୯୮
ଏଣୁ ସୁଜନେ ଆଶ୍ରେ କର । ସଂସାର ସଙ୍କଟୁ ନିସ୍ତର ॥ ୯୯
ବୋଲଇ ଦାସ ଜଗନ୍ନାଥ । ଭାଷାପ୍ରବନ୍ଧେ ଭାଗବତ ॥ ୧୦୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ପୃଥୁବିଜୟେ ବିଂଶୋଽଧ୍ୟାୟଃ ॥
* * *