ଚତୁର୍ଥ ସ୍କନ୍ଧ

ଉନବିଂଶ ଅଧ୍ୟାୟ

ମୈତ୍ରୟ ଉବାଚ

ଏମନ୍ତେ ପୃଥୁରାଜା ବୋଲେ । ସୂତ ମାଗଧେ ଏକ ତୁଲେ ॥

ଭବିଷ୍ୟେ କଲେ ଯେତେ ସ୍ତୁତି । ଶୁଣି ସାନନ୍ଦେ ନରପତି ॥

ଆତ୍ମାର ଗୁଣ କର୍ମ ଶୁଣି । ସନ୍ତୋଷ ମନେ ନୃପମଣି ॥

ବାଞ୍ଛିତ ସର୍ବ ସୁଖ ଦେଲା । ଅନେକ ମତେ ମାନ୍ୟକଲା ॥

ବ୍ରାହ୍ମର ଆଦି ଚାରିବର୍ଣ୍ଣେ । ଅତ୍ମାତ୍ୟ ପୁରୋହିତ ଜନେ ॥

ସକଳ ପ୍ରଜାଜନ ଆଣି । ସନ୍ତୋଷ କଲା ନୃପମଣି ॥

ବିଦୁର ଉବାଚ

କେମନ୍ତେ ଗୋରୁ ରୂପ ଧରି । କ୍ଷୀର ସ୍ରବିଲା ବସୁନ୍ଧରୀ ॥

ସ୍ୱଭାବେ ସେ ବହୁରୂପିଣୀ । କେ ବା ମହିମା ତାର ଜାଣି ॥

ସ୍ୱଭାବେ ସେ ଅନନ୍ତ ରୂପୀ । ବିଷମ ରୂପେ ଅଛି ବ୍ୟାପି ॥

ତାହାକୁ କେମନ୍ତେ ଦୁହିଁଲା । ଦୋହନେ ବତ୍ସା କେ ହୋଇଲା ॥ ୧୦

ସ୍ୱଭାବେ ଶରୀର ବିଷମ । କେବା ତାହାକୁ କଲା ସମ ॥ ୧୧

କି ଅର୍ଥେ ଅଶ୍ୱମେଧ କଲା । ଇନ୍ଦ୍ର କିମ୍ପାଇଁ ଅଶ୍ୱ ନେଲା ॥ ୧୨

ସନତକୁମାରଙ୍କ ମେଳେ । ବ୍ରହ୍ମସମ୍ପାଦି କେତେ କାଳେ ॥ ୧୩

ତାହାଙ୍କ ତହୁଁ ଜ୍ଞାନପାଇ । ପଶିଲା ନିଜ ତେଜେ ଯାଇ ॥ ୧୪

ଯେ ବ୍ରହ୍ମ ପରମ-କାରଣ । ଅଶେଷ-ଜୀବ-ପରିତ୍ରାଣ ॥ ୧୫

କି ଅର୍ଥେ ପ୍ରଭୁ ନରହରି । ଜଗତେ ପୃଥୁ ରୂପ ଧରି ॥ ୧୬

ସୁପୁଣ୍ୟ କଥା ବିଚାରିଲେ । ସୁଯଶ ଜଗତେ ରଖିଲେ ॥ ୧୭

ସେ କଥା କହ ମୁନି ମୋତେ । ମୁଁ ତୋର ସେବକ ଉଚିତେ ॥ ୧୮

ତହିଁର କହ ପ୍ରତିକାର । ଭୋମୁନି ନମୁ ତୋ ପୟର ॥ ୧୯

ବିଷ୍ଣୁର କଥା ପୁଣ୍ୟସାର । ଯା ଶୁଣି ନିସ୍ତରେ ସଂସାର ॥ ୨୦

ଯାହାର ନାମ ଗୁଣ ଯଶ । ନିଗମେ କରନ୍ତି ବିଶ୍ୱାସ ॥ ୨୧

କେମନ୍ତେ ପୃଥୁରୂପେ ହରି । ଦୋହନ କଲେ ବସୁନ୍ଧରୀ ॥ ୨୨

ସୂତ ଉବାଚ

ଏମନ୍ତ ବିଦୁର ବଚନେ । ମୈତ୍ରେୟ ଶୁଣି ତୋଷମନୋ ॥ ୨୩

ପ୍ରଶଂସି ବିଦୁର ବଚନ । କହେ ପରାଶର ନନ୍ଦନ ॥ ୨୪

ମୈତ୍ରେୟ ଉବାଚ

ଶୁଣ ବିଦୁର ଏକମନେ । ପୃଥୁକୁ ମିଳି ବିପ୍ରଜନେ ॥ ୨୫

ଜନପରଜା ଏକମେଳେ । ଆନନ୍ଦେ ଅଭିଷେକ କଲେ ॥ ୨୬

ସକଳେ ମିଳି ଏକଦିନେ । ମିଳିଲେ ପୃଥୁ ସନ୍ନିଧାନେ ॥ ୨୭

ବୋଲନ୍ତି ଶିରେ କର ଦେଇ । କ୍ଷୁଧାରେ କମ୍ପେ ଆମ୍ଭ ଦେହୀ ॥ ୨୮

କ୍ଷୁଧାଅନଳ ଦହେ ମନେ । ବୃକ୍ଷ କ୍ରୋଧରେ ଅଗ୍ନି ଯେହ୍ନେ ॥ ୨୯

ଏଥକୁ କର ତୁ କାରଣ । ତୋପାଦେ ପଶିଲୁ ଶରଣ ॥ ୩୦

କ୍ଷୁଧା ନ ସହେ ଆମ୍ଭ ଦେହ । ଭୋନାଥ ଅନ୍ନ ଦାନ ଦିଅ ॥ ୩୧

କ୍ଷୁଧା ହରଇ ଆମ୍ଭ ପ୍ରାଣ । ଭୋଦେବ କର ପରିତ୍ରାଣ ॥ ୩୨

ଅନ୍ନ ନ ଥିଲେ ପ୍ରଜା ନାହିଁ । ପ୍ରାଣ ନ ଥିଲେ ପିଣ୍ତ କାହିଁ ॥ ୩୩

ଜୀବ ନ ଥିଲେ ପ୍ରଜା ନାହିଁ । ପ୍ରଜା ନ ଥିଲେ ରାଜା କାହିଁ ॥ ୩୪

ଏମନ୍ତ ପ୍ରଜାଙ୍କ ରୋଦନ । ଶୁଣିଣ ଛନ୍ନ ପୃଥୁ ମନ ॥ ୩୫

ବୋଲଇ ଅନ୍ନ କେହରିଲା । ତୁମ୍ଭଙ୍କୁ ଏତେ ଦୁଃଖ ଦେଲା ॥ ୩୬

ଶୁଣି ବୋଲନ୍ତି ପ୍ରଜାଜନେ । ଶୁଣ ରାଜନ ସ୍ଥିର ମନେ ॥ ୩୭

ତୋ ପିତା ଅରାଜକ କାଳେ । ଏ ଭୂମି ଗୋରୁ-ରୂପେ ବଳେ ॥ ୩୮

ରାତ୍ରେ ସକଳଶସ୍ୟ ଖାଇ । ଦିବସେ ସମୁଦ୍ରେ ଲୁଚଇ ॥ ୩୯

ଆମ୍ଭର ଶସ୍ୟବୀଜ ବଳେ । ଭକ୍ଷିଲା କ୍ଷୁଧାର ବିକଳେ ॥ ୪୦

ତାହାକୁ କେବେହେଁ ନ ଦେଖି । ଏଣୁ ହୋଇଲୁ ଆମ୍ଭେ ଦୁଃଖୀ ॥ ୪୧

ଭୋ ଦେବ କହିଲୁ ସ୍ୱରୂପ । ଖଣ୍ତ ଏ ଘୋର ଉପତାପ ॥ ୪୨

ଏମନ୍ତ ପ୍ରଜାବାକ୍ୟ ଶୁଣି । ପୃଥୁ ବିଚାରେ ମନେ ଗୁଣି ॥ ୪୩

ଭୂମିକି ମନେ ଧ୍ୟାନ କରି । ନିଜ କୋଦଣ୍ତ କରେ ଧରି ॥ ୪୪

ବାଣ ନିବେଶି ଧନୁର୍ଗୁଣେ । ତ୍ରିପୁର ଦାହେ ରୁଦ୍ର ଯେହ୍ନେ ॥ ୪୫

ଧରଣୀ ପୃଥୁ ତେଜ ଦେଖି । ଧାଇଁଲା ସମୁଦ୍ର ଉପେକ୍ଷି ॥ ୪୬

ଭୟେ ଚାହିଁଇ ଦଶଦିଶେ । ମୃଗ ଯେସନେ ବ୍ୟାଧ ତ୍ରାସେ ॥ ୪୭

ପୃଥୁ ଧାମଇଁ କୋପମନେ । ରୋଷିତ ଅରୁଣ ଲୋଚନେ ॥ ୪୮

ଶର-ସନ୍ଧାନ ଧନୁକରେ । ଭୂମି କମ୍ପଇ ପାଦଭରେ ॥ ୪୯

ଯେଣେ ପଳାଏ ବସୁନ୍ଧରୀ । ପୃଥୁ ଧାମଇଁ କୋପକରି ॥ ୫୦

ଦିଗ-ବିଦିଗ-ଭୂମି ଶୂନ୍ୟେ । ପ୍ରତାପେ ମିଳିଲେ ଗଗନେ ॥ ୫୧

ପୃଷ୍ଠେ ଚାହାଁନ୍ତେ ପୃଥୁ ଦେଖେ । କେବା ଅବନୀ ପ୍ରାଣ ରଖେ ॥ ୫୨

ଦେବୀ ଲଭିଲା ତ୍ରାସ ମନେ । ମୃତ୍ୟୁର ଭୟେ ପ୍ରାଣୀ ଯେହ୍ନେ ॥ ୫୩

ଚଳି ନ ପାରି ଦୁଃଖମନେ । ମିଳିଲା ପୃଥୁ ସନ୍ନିଧାନେ ॥ ୫୪

ଭୟେ କମ୍ପଇ ବସୁନ୍ଧରୀ । ପୃଥୁ ଚରଣେ ନମସ୍କାରି ॥ ୫୫

ନ ଦେଖି ନିଜ ପରିତ୍ରାଣ । ବିନୟେ କହିଲା ବଚନ ॥ ୫୬

ତୁ ମହାଭାଗ ଧର୍ମବେତ୍ତା । ଭୂତ-ବତ୍ସଳ-ସର୍ବଜ୍ଞାତା ॥ ୫୭

ପ୍ରାଣୀ ରକ୍ଷଣେ ଜନ୍ମ ତୋର । ତୁ ନାଥ ଶରଣ-ସୋଦର ॥ ୫୮

ମୋହର ହିଂସା ତୁ ନ କର । ନୁହଇ ଅପରାଧୀ ତୋର ॥ ୫୯

ଭୋ ରାଜା ଶୁଣ ମୋ ବଚନ । ମୁଁ ନୋହେ ବଧକୁ କାରଣ ॥ ୬୦

ସ୍ତିରୀ ଗୋବଧ ମୋର ମଲେ । କେସନେ ସମ୍ପାଦିବୁ ଭଲେ ॥ ୬୧

ଏକ ମାରଣେ ବେନି ଦୋଷ । ସଂସାରେ ଥିବ ଅପଯଶ ॥ ୬୨

ସ୍ତ୍ରୀଲୋକ ଅପରାଧ କଲେ । ପଣ୍ତିତେ ନ ଧରନ୍ତି ଭଲେ ॥ ୬୩

ତୁ ନାଥ କରୁଣା ସାଗର । ଦୁଃଖୀ ଦରିଦ୍ରଙ୍କ ସୋଦର ॥ ୬୪

ଦଦରା-ନାବ ପ୍ରାୟେ ମୁହିଁ । ଏ ଭାରା ସହି ନ ପାରଇ ॥ ୬୫

ମୋହର ମଲେ ଏ ଜଗତେ । ଏ ପ୍ରଜା ରଖିବୁ କେମନ୍ତେ ॥ ୬୬

ଅଶେଷ-ଜୀବ ଭାରାଭର । ଧରିଛି ମୋହର ଶରୀର ॥ ୬୭

ଏମନ୍ତ ଅବନୀ ବଚନେ । ପୃଥୁ କହଇ କୋପମନେ ॥ ୬୮

ପୃଥୁ-ଉବାଚ

ଶୁଣ ଧରଣୀ ମୋ ଉତ୍ତର । ତୁ ମଲେ ମୋର ନାହିଁ ଡର ॥ ୬୯

ମୋହର ଆଜ୍ଞା ଭାଙ୍ଗୁ ତୁହି । ତୋର ମାରଣେ ଦୋଷ ନାହିଁ ॥ ୭୦

ପିତା ମରଣେ ଅରାଜକେ । ସକଳ ଶସ୍ୟବୀଜ ସୁଖେ ॥ ୭୧

ଖାଇଲୁ ଗୋରୁ ରୂପ ହୋଇ । ସଂସାରେ ଶସ୍ୟବୀଜ ନାହିଁ ॥ ୭୨

ଅନ୍ନ ନ ଥିଲେ ପ୍ରଜାଜନ । କେମନ୍ତେ ରଖିବେ ଜୀବନ ॥ ୭୩

ପ୍ରଜା ନ ଥିଲେ ରାଜା କାହିଁ । ଏ ଘେନି ତୋତେ ମୁଁ ମାରଇ ॥ ୭୪

ଦୁଷ୍ଟ-ମାରଣ ରାଜଧର୍ମ । ଏ ତ ସ୍ୱଭାବେ ମୋର କର୍ମ ॥ ୭୫

ମୁଁ ଯେବେ ନ ମାରିବି ତୋତେ । ପ୍ରଜାଏ ବଞ୍ଚିବେ କେମନ୍ତେ ॥ ୭୬

ବିଧାତା ସୃଷ୍ଟି କଲା ଯେତେ । ଅନ୍ନ-ଜୀବନ ରକ୍ଷା ଅର୍ଥେ ॥ ୭୭

ସେ ଶସ୍ୟ ଗୋରୁ ରୂପେ ଖାଇ । ଏବେ ନ ଦେଉ କାହିଁ ପାଇଁ ॥ ୭୮

ତୁ ମନ୍ଦବୁଦ୍ଧି ଦୁରାଶୟ । ମାୟା ଭିଆଣେ ବହୁ ଦେହ ॥ ୭୯

ଅବଜ୍ଞା କଲୁ ଯେଣୁ ମୋତେ । ତେଣୁ ଦଣ୍ତିବି ଆଜି ତୋତେ ॥ ୮୦

ଏ ପ୍ରଜା ପୀଡିତ ଆରତେ । କ୍ଷୁଧିତ ଅନ୍ନ ଅପ୍ରାପତେ ॥ ୮୧

ସେ ଦୁଃଖ ନିବାରିବି ମୁହିଁ । ମୋ ବାଣେ ତୋର ମାଂସ ଦେଇ ॥ ୮୨

ସ୍ତିରୀ ପୁରୁଷ ନପୁଂସକେ । ପୀଡିତ ଯାର ତହୁଁ ଲୋକେ ॥ ୮୩

ତାହାକୁ ରାଜା ନ ଦଣ୍ତିଲେ । କେବା ସଂସାରେ ଥିବ ଭଲେ ॥ ୮୪

ତାର ମାରଣେ ଦୋଷ ନାହିଁ । ସଂସାରେ ଧର୍ମ-କଥା ଏହି ॥ ୮୫

ତୁ ମାୟା-ଗୋରୁ-ରୂପ ହୋଇ । ସକଳ ଶସ୍ୟବୀଜ ଖାଇ ॥ ୮୬

ଆବଜ୍ଞା କଲୁ ଯେବେ ମୋତେ । ନିଶ୍ଚେ ଦଣ୍ତିବି ଆଜ ତୋତେ ॥ ୮୭

ତୋର ଶରୀର ତୀକ୍ଷ୍ଣ-ବାଣେ । କାଟିବି ତିଳ ପରିମାଣେ ॥ ୮୮

ବାଣେ ତୋହର ପ୍ରାଣ ହରି । ମୁଁ ଏବେ ଆତ୍ମଯୋଗ କରି ॥ ୮୯

ବିସ୍ତାରି ମୋହର ଶରୀରେ । ଏ ପ୍ରଜା ରଖିବି ନିର୍ଭରେ ॥ ୯୦

ମୈତ୍ରେୟ ଉବାଚ

ଏମନ୍ତ କହୁଁ ମହାକୋପେ । ପୃଥିବୀ ମିଳିଲା ସମୀପେ ॥ ୯୧

ଏମନ୍ତ ପୃଥୁ ରୂପ ଚାହିଁ । ଭୟେ କମ୍ପଇ ତାର ଦେହୀ ॥ ୯୨

ପୃଥୁ ଚରଣେ ଶିର ଦେଇ । ବୋଲଇ ଅଶ୍ରୁମୁଖୀ ହୋଇ ॥ ୯୩

ପୃଥିବୀ ଉବାଚ

ନମସ୍ତେ ପରମ-ପୁରୁଷ । ଗୁଣ ପ୍ରକାଶେ ତୋର ଦୃଶ୍ୟ ॥ ୯୪

ନିଜ ମାୟାରେ ଛନ୍ନ ହୋଇ । ସଂସାର-ହିତେ ବହୁ ଦେହୀ ॥ ୯୫

ସ୍ୱରୂପେ ଅନୁଭବ ବୃତ୍ତି । ଦ୍ରବ୍ୟ-କାରକ-କ୍ରିୟା ରୀତି ॥ ୯୬

ସକଳ କରୁ ମାୟା ଭ୍ରମେ । ଉର୍ମି ଯେସନେ ଜଳଗ୍ରାମେ ॥ ୯୭

ମାୟା-ରଚନା ମୋତେ କରି । ବିହରୁ ଆତ୍ମା-ରୂପ ଧରି ॥ ୯୮

ସର୍ଜି-ପାଳିଣ କରୁ ଅନ୍ତ । ଯେ ସ୍ୱୟଂ ପ୍ରକାଶେ ଜଗତ ॥ ୯୯

ଏ ସର୍ବତ‌ତ୍ତ୍ୱ ଭେଦ କରି । ସେ ପୁଣି କରେ ଶସ୍ତ୍ର ଧରି ॥ ୧୦୦

ସେ ମୋତେ ମାରିବାର ସଧେ । ଧାମଇଁ ଉଦ୍ୟତ ଆୟୁଧେ ॥ ୧୦୧

କେବା ରକ୍ଷଣେ ଅଛି ମୋର । ତୁ ନାଥ ନ କରୁ ବିଚାର ॥ ୧୦୨

ତୁ ନିଜ ମାୟାତର୍କ-ବଳେ । ଜନ୍ତୁଙ୍କୁ ସର୍ଜୁ ଏ ଶୟଳେ ॥ ୧୦୩

ତୁ ନାଥ ଧାର୍ମିକର ଗୁରୁ । କିମ୍ପା ନବୁଝି ମୋତେ ମାରୁ ॥ ୧୦୪

ଅନ୍ନ ନ ପାଇ ପ୍ରଜା ଯେବେ । ତୋତେ କହିଲେ ଅନୁଭବେ ॥ ୧୦୫

ତୁ ନାଥ ଜଗତ ଈଶ୍ୱର । ଏତୋତେ ନୋହେ ଅଗୋଚର ॥ ୧୦୬

ତୁ ଆଦି-ପଦ୍ମକଳ୍ପ ଆନ୍ତେ । ଶୂକର ରୂପେ ତୋଳି ଦନ୍ତେ ॥ ୧୦୭

ମୋତେ ସ୍ଥାପିଲୁ ଜନ ହିତେ । ଏବେ ସହାରିବୁ କେମନ୍ତେ ॥ ୧୦୮

ଯେ ଜନ ପ୍ରତିପାଳି ଥାଇ । ସେ ତୋର ବଧ ନ ବାଞ୍ଚଇ ॥ ୧୦୯

ମୋହର ପ୍ରାୟ ଯେଉଁ ଜନ । ଈଶ୍ୱର-ମାୟାରେ ମୋହନ ॥ ୧୧୦

ତୁମ୍ଭର ଚେଷ୍ଟା ନ ଜାଣଇ । ବାଳୁତ ପ୍ରାୟେକ ଭ୍ରମଇ ॥ ୧୧୧

ହେ ବୀର ତୁମ୍ଭେ ଯଶସ୍କର । ତୁମ୍ଭଙ୍କୁ ମୋର ନମସ୍କାର ॥ ୧୧୨

କହିଲି ଏବେ ତୋର ଇଚ୍ଛା । ଯେମନ୍ତ କର ତୋର ବାଞ୍ଛା ॥ ୧୧୩

ତୁ ନାଥ ଜଗତ ଈଶ୍ୱର । ଏ ମୋତେ ନୋହେଅଗୋଚର ॥ ୧୧୪

ପୃଥିବୀ ପୃଥୁର ସମ୍ବାଦ । ଶୁଣନ୍ତେ ଖଣ୍ତଇ ପ୍ରମାଦ ॥ ୧୧୫

ଚତୁର୍ଥସ୍କନ୍ଧେ ଭାଗବତେ । ଭାଷାପ୍ରବନ୍ଧେ ଜନହିତେ ॥ ୧୧୬

ଶ୍ରୁତି ବଦନେ ଶୁଣି ଭଣି । ଭବ-ସଂସାରୁ ତରେ ପ୍ରାଣୀ ॥ ୧୧୭

ବୋଲଇ ବିପ୍ର ଜଗନ୍ନାଥ । ସୁଜନ-ହିତେ ଭାଗବତ ॥ ୧୧୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ

ଚତୁର୍ଥସ୍କନ୍ଧେ ପୃଥୁ ବିଜୟେ ଧରିତ୍ରୀନିଗ୍ରହୋ-ନାମ ଊନବିଂଶୋଽଧ୍ୟାୟ ॥

* * *