ଚତୁର୍ଥ ସ୍କନ୍ଧ
ଅଷ୍ଟାଦଶ ଅଧ୍ୟାୟ
ମୈତ୍ରେୟ କୃଷ୍ଣପାଦ ଧ୍ୟାୟି । କହେ ବିଦୁର ମୁଖ ଚାହିଁ ॥ ୧
ମୈତ୍ରେୟ ଉବାଚ
ଶୁଣ ବିଦୁର ସାବଧାନେ । ସୂତ ମାଗଧ ତୋଷମନେ ॥ ୨
ମୁନିଙ୍କ ମତେ ସାଧୁବାଣୀ । ପୃଥୁ-ବଦନ ଚାହିଁ ଭଣି ॥ ୩
ଭୋନାଥ ତୋହର ମହିମା । କେ କହିପାରେ ଗୁଣସୀମା ॥ ୪
ତାହା କେ ସମର୍ଥ ବର୍ଣ୍ଣନେ । ଯେଣେ ବ୍ରହ୍ମାଦି ବୁଦ୍ଧିଭ୍ରମେ ॥ ୫
ତୁ ଦେବ ନିଜ ମାୟା ବଳେ । ଶରୀର ବହୁ ଏ ଶୟଳେ ॥ ୬
ବେଣ-ଶରୀରୁ ତୁହି ଜାତ । ଏ କଥା ଜଗତେ ବିଖ୍ୟାତ ॥ ୭
ତଥାପି ତୋର ଗୁଣ ଯେତେ । ଭାବେ କହିବୁ ତୋ ଅଗ୍ରତେ ॥ ୮
ତୁ ଧର୍ମଜ୍ଞାନୀଙ୍କର ସାର । ଯେ ଧର୍ମ ଲୋକ-ଉପକାର ॥ ୯
ଅଧର୍ମ ନାଶି ଧର୍ମ ପାଳୁ । ତୁ ନାଥ ପରମ ଦୟାଳୁ ॥ ୧୦
ଶରୀର ବହୁ କାଳେକାଳେ । ସ୍ୱଧର୍ମ ରଖୁ ମହୀତଳେ ॥ ୧୧
ସକଳଭୂତେ ସମେ ବସୁ । ସବିତା ରୂପେ ତୁ ପ୍ରକାଶୁ ॥ ୧୨
ହିମ ଗ୍ରୀଷମ ଅଷ୍ଟମାସ । ସବିତା ଯେହ୍ନେ ଜଳରସ ॥ ୧୩
ସକଳ ସ୍ଥାନୁ ସେ ହରଇ । ବରଷା କାଳେ ବରଷଇ ॥ ୧୪
ସେ ରୂପେ ତୁ କର-ଗ୍ରହଣ । କରି ଦୁର୍ଭିକ୍ଷେ ଦେବୁ ଦାନ ॥ ୧୫
ପୃଥିବୀ ସମ ସର୍ବ ସହୁ । ବିକାର ଅବିକାର ନୋହୁ ॥ ୧୬
ତୋର ମହିମା ଅଧ-ଉର୍ଦ୍ଧ୍ୱେ । ପ୍ରକାଶ କର ଶୂନ୍ୟମଧ୍ୟେ ॥ ୧୭
ପ୍ରାଣୀଙ୍କ ମଧ୍ୟେ ତୁ କାରୁଣ୍ୟ । ଆରତ ଦୁଃଖ ନିବାରଣ ॥ ୧୮
ଇନ୍ଦ୍ର ଯଦ୍ୟପି ନ ବର୍ଷିବ । ଏ ପ୍ରଜା କଷ୍ଟରେ ପଡିବ ॥ ୧୯
ତୁ ସ୍ୱୟଂ ଇନ୍ଦ୍ର ରୂପ ଧରି । ପ୍ରଜା ରଖିବୁ ବୁଷ୍ଟି କରି ॥ ୨୦
ତୋହର ବଚନ-ଅମୃତ । ଶୁଣି ନିସ୍ତରିବେ ଜଗତ ॥ ୨୧
ତୋର ବଦନ ଚାରୁହାସ । ଦେଖନ୍ତେ ହେବ ଦୁଃଖନାଶ ॥ ୨୨
ତୋହର କର୍ମ ବ୍ୟକ୍ତ ନୋହେ । ଯାହାର ମାୟା ଜନ ମୋହେ ॥ ୨୩
ତୋହର ଚେଷ୍ଟା ଅନ୍ତରାଳ । ବରୁଣ ପ୍ରାୟ ତୁ ଗମ୍ଭୀର ॥ ୨୪
ଅନନ୍ତ ମହିମା ତୋହର । ଅଶେଷ ଗୁଣର ସାଗର ॥ ୨୫
ତୁ ଦୁରାସଦ ଦୁର୍ବିଷହ । ନିକଟେ ଥାଇ ଦୂର ପ୍ରାୟ ॥ ୨୬
ଜନ୍ତୁଙ୍କ ଅନ୍ତର ବାହାରେ । ତୋ ତହୁଁ କେବା ଅଛି ପରେ ॥ ୨୭
ଅଧ୍ୟକ୍ଷ ହୋଇ ଉଦାସୀନ । ଶରୀରେ ଯେସନେ ପବନ ॥ ୨୮
ଅଦୋଷଜନ ତୁ ନ ଦଣ୍ତୁ । ପୁତ୍ର ହେଲେହେଁ ଦୋଷୀ ଦଣ୍ତୁ ॥ ୨୯
ଅପ୍ରତିହତ-ଚକ୍ର ତୋର । ତେଜେ ଗଞ୍ଜଇ ଦିବାକର ॥ ୩୦
ତୋହର ଆତ୍ମା ବିଚେଷ୍ଟିତ । ଲୋକରଞ୍ଜନ ଏ ଜଗତ ॥ ୩୧
ଯେ ରାଜା ପ୍ରଜା ମନ ରଞ୍ଜେ । ରାଜ୍ୟସମ୍ପଦ ସୁଖେ ଭୁଞ୍ଜେ ॥ ୩୨
ସତ୍ୟସନ୍ଧ ତୁ ଦୃଢବ୍ରତ । ବୃଦ୍ଧ ସେବକ ବିପ୍ରଭକ୍ତ ॥ ୩୩
ଶରଣ ସର୍ବ ପ୍ରାଣୀଙ୍କର । ଦୀନ ବତ୍ସଳ ଦୁଃଖ-ହର ॥ ୩୪
ପର-ରମଣୀ ମାତ ପ୍ରାୟ । ନିଜ-କାମିନୀ ଅର୍ଦ୍ଧକାୟ ॥ ୩୫
ପ୍ରଜାଙ୍କୁ ପୁତ୍ରପ୍ରାୟ ଚିତ୍ତେ । ବିପ୍ରଙ୍କୁ ସେବା ଯାର ନିତ୍ୟେ ॥ ୩୬
ପ୍ରାଣୀ ବିଷୟେ ଆତ୍ମା ପ୍ରାୟେ । ଦୟା ବସଇ ଯାର ଦେହେ ॥ ୩୭
ସୁହୃଦ ଆନନ୍ଦ ବର୍ଦ୍ଧନ । ବିମୁକ୍ତସଙ୍ଗ ସଙ୍ଗେ ଧ୍ୟାନ ॥ ୩୮
ଅସାଧୁଗଣେ ଦଣ୍ତଧର । ସ୍ୱଭାବେ ଶରଣ-ସୋଦର ॥ ୩୯
ନିର୍ଗୁଣ ଭଗବାନ ତୁହି । କୂଟସ୍ଥ ଆତ୍ମା କଳା ବହି ॥ ୪୦
ଯେତେ ଅବିଦ୍ୟା ବିରଚିତ । ନାନା ଭାବରେ ସେ ପ୍ରତୀତ ॥ ୪୧
ହେଲେହେଁ ତୋହର ଶରୀରେ । ଦିଶଇ ବିଅର୍ଥ ବେଭାରେ ॥ ୪୨
ତୋ ଅବତାର ଏ ଜଗତେ । ଜଗତ ନିସ୍ତାର ନିମନ୍ତେ ॥ ୪୩
ତୁ ନୃପନାଥ ଏକରଥୀ । ମହୀମଣ୍ତଳେ ଯେତେ ଛନ୍ତି ॥ ୪୪
ତାହାଙ୍କ ରକ୍ଷଣ ନିମିତ୍ତେ । ଉଦୟ ଗିରି ପରିଯନ୍ତେ ॥ ୪୫
ଭ୍ରମିବୁ ରଥେ ଧନୁଧରି । ଦିଗ-ସମୂହ ବନ ଗିରି ॥ ୪୬
ଦକ୍ଷିଣାବର୍ତ୍ତେ ସାବଧାନେ । ଶୂନ୍ୟେ ଆଦିତ୍ୟ ରଥ ଯେହ୍ନେ ॥ ୪୭
ଯେ ଲୋକପାଳ ରାଜାଗଣେ । ବଳେ ହରିବେ ତୋତେ ରଣେ ॥ ୪୮
ଗାଇବେ ତୋର ଯଶ ଗୁଣ । ଖଟିବେ ତୋହର ଚରଣ ॥ ୪୯
ଇନ୍ଦ୍ରର ପ୍ରାୟେ ଶରେ ଗିରି । ଛେଦି ପୃଥିବୀ ସମ କରି ॥ ୫୦
ମେଦିନୀ-ସ୍ତନୁ ପୟ ଦୁହିଁ । ପ୍ରାଣୀଙ୍କୁ ପ୍ରାଣ-ବୃତ୍ତି ଦେଇ ॥ ୫୧
ଖିଳ ଅଖିଳ ବସୁନ୍ଧରୀ । ପାଳିବ ଏ ନୃପକେଶରୀ ॥ ୫୨
ମୃଗେନ୍ଦ୍ର ଯେହ୍ନେ ଲାଞ୍ଜ ତୋଳି । ବିକ୍ରମି ଚରେ ମହାବଳୀ ॥ ୫୩
ତେହ୍ନେ ତୁ ଧନୁର ଟଙ୍କାରେ । ବିକ୍ରମି ବସନ୍ତେ ରଥରେ ॥ ୫୪
ଦେଖି ସକଳ ଶତ୍ରୁଗଣେ । ଭୟେ ପଶିବେ ଘୋରବନେ ॥ ୫୫
ମୃଗ ଯେସନେ ସିଂହ ଦେଖି । ପଳାନ୍ତି ବିପିନ ଉପେକ୍ଷି ॥ ୫୬
କରିବୁ ଅଶ୍ୱମେଧ ଶତ । ତ୍ରିଦିବେ ଯେହ୍ନେ ସୁରନାଥ ॥ ୫୭
ଶେଷ-ଯଜ୍ଞରେ ଅଶ୍ୱ ତୋର । ହରିବେ ସ୍ୱୟଂ ପୁରନ୍ଦର ॥ ୫୮
ତଦନ୍ତେ ଗୃହ ମଧ୍ୟେ ଯାଇ । ସନତ୍କୁମାର ଧ୍ୟାନେ ଧ୍ୟାୟି ॥ ୫୯
ତେଣୁ ତୋ ହେବ ବ୍ରହ୍ମଜ୍ଞାନ । ତୁ ହେବୁ ଅତୀବ ପାବନ ॥ ୬୦
ସ୍ୱଭୋଗ ଅନ୍ତେ ଗଙ୍ଗାକୂଳେ । ସନତକୁମାରଙ୍କ ମେଳେ ॥ ୬୧
ଭକତି କରି ବିଷ୍ଣୁପାଦେ । ଅନ୍ତେ ପଶିବୁ ନିଜପଦେ ॥ ୬୨
ତୋର ଚରିତ ଇହଲୋକେ । ପ୍ରାଣୀଏ ବିସ୍ତାରିବେ ମୁଖେ ॥ ୬୩
ହେ ପୃଥୁ ପରାକ୍ରମ ତୋର । ଦେବ-ମାନବେ ଅଗୋଚର ॥ ୬୪
ତୋର ମହିମା କର୍ଣ୍ଣେ ଶୁଣି । ତରିବେ ଭବ-ତରଙ୍ଗିଣୀ ॥ ୬୫
ସୁଜନେ ଶୁଣ ଶୁଦ୍ଧଚିତ୍ତେ । ଭାଷା-ପ୍ରବନ୍ଧେ ଭାଗବତେ ॥ ୬୬
ଏ ପୃଥୁ ରାଜାର ଚରିତ । ବୋଲଇ ଦାସ ଜଗନ୍ନାଥ ॥ ୬୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟା
ଚତୁର୍ଥସ୍କନ୍ଧେ ଅଷ୍ଟାଦଶୋଽଧ୍ୟାୟଃ ॥
* * *