ଚତୁର୍ଥ ସ୍କନ୍ଧ

ଅଷ୍ଟାଦଶ ଅଧ୍ୟାୟ

ମୈତ୍ରେୟ କୃଷ୍ଣପାଦ ଧ୍ୟାୟି । କହେ ବିଦୁର ମୁଖ ଚାହିଁ ॥

ମୈତ୍ରେୟ ଉବାଚ

ଶୁଣ ବିଦୁର ସାବଧାନେ । ସୂତ ମାଗଧ ତୋଷମନେ ॥

ମୁନିଙ୍କ ମତେ ସାଧୁବାଣୀ । ପୃଥୁ-ବଦନ ଚାହିଁ ଭଣି ॥

ଭୋନାଥ ତୋହର ମହିମା । କେ କହିପାରେ ଗୁଣସୀମା ॥

ତାହା କେ ସମର୍ଥ ବର୍ଣ୍ଣନେ । ଯେଣେ ବ୍ରହ୍ମାଦି ବୁଦ୍ଧିଭ୍ରମେ ॥

ତୁ ଦେବ ନିଜ ମାୟା ବଳେ । ଶରୀର ବହୁ ଏ ଶୟଳେ ॥

ବେଣ-ଶରୀରୁ ତୁହି ଜାତ । ଏ କଥା ଜଗତେ ବିଖ୍ୟାତ ॥

ତଥାପି ତୋର ଗୁଣ ଯେତେ । ଭାବେ କହିବୁ ତୋ ଅଗ୍ରତେ ॥

ତୁ ଧର୍ମଜ୍ଞାନୀଙ୍କର ସାର । ଯେ ଧର୍ମ ଲୋକ-ଉପକାର ॥

ଅଧର୍ମ ନାଶି ଧର୍ମ ପାଳୁ । ତୁ ନାଥ ପରମ ଦୟାଳୁ ॥ ୧୦

ଶରୀର ବହୁ କାଳେକାଳେ । ସ୍ୱଧର୍ମ ରଖୁ ମହୀତଳେ ॥ ୧୧

ସକଳଭୂତେ ସମେ ବସୁ । ସବିତା ରୂପେ ତୁ ପ୍ରକାଶୁ ॥ ୧୨

ହିମ ଗ୍ରୀଷମ ଅଷ୍ଟମାସ । ସବିତା ଯେହ୍ନେ ଜଳରସ ॥ ୧୩

ସକଳ ସ୍ଥାନୁ ସେ ହରଇ । ବରଷା କାଳେ ବରଷଇ ॥ ୧୪

ସେ ରୂପେ ତୁ କର-ଗ୍ରହଣ । କରି ଦୁର୍ଭିକ୍ଷେ ଦେବୁ ଦାନ ॥ ୧୫

ପୃଥିବୀ ସମ ସର୍ବ ସହୁ । ବିକାର ଅବିକାର ନୋହୁ ॥ ୧୬

ତୋର ମହିମା ଅଧ-ଉର୍ଦ୍ଧ୍ୱେ । ପ୍ରକାଶ କର ଶୂନ୍ୟମଧ୍ୟେ ॥ ୧୭

ପ୍ରାଣୀଙ୍କ ମଧ୍ୟେ ତୁ କାରୁଣ୍ୟ । ଆରତ ଦୁଃଖ ନିବାରଣ ॥ ୧୮

ଇନ୍ଦ୍ର ଯଦ୍ୟପି ନ ବର୍ଷିବ । ଏ ପ୍ରଜା କଷ୍ଟରେ ପଡିବ ॥ ୧୯

ତୁ ସ୍ୱୟଂ ଇନ୍ଦ୍ର ରୂପ ଧରି । ପ୍ରଜା ରଖିବୁ ବୁଷ୍ଟି କରି ॥ ୨୦

ତୋହର ବଚନ-ଅମୃତ । ଶୁଣି ନିସ୍ତରିବେ ଜଗତ ॥ ୨୧

ତୋର ବଦନ ଚାରୁହାସ । ଦେଖନ୍ତେ ହେବ ଦୁଃଖନାଶ ॥ ୨୨

ତୋହର କର୍ମ ବ୍ୟକ୍ତ ନୋହେ । ଯାହାର ମାୟା ଜନ ମୋହେ ॥ ୨୩

ତୋହର ଚେଷ୍ଟା ଅନ୍ତରାଳ । ବରୁଣ ପ୍ରାୟ ତୁ ଗମ୍ଭୀର ॥ ୨୪

ଅନନ୍ତ ମହିମା ତୋହର । ଅଶେଷ ଗୁଣର ସାଗର ॥ ୨୫

ତୁ ଦୁରାସଦ ଦୁର୍ବିଷହ । ନିକଟେ ଥାଇ ଦୂର ପ୍ରାୟ ॥ ୨୬

ଜନ୍ତୁଙ୍କ ଅନ୍ତର ବାହାରେ । ତୋ ତହୁଁ କେବା ଅଛି ପରେ ॥ ୨୭

ଅଧ୍ୟକ୍ଷ ହୋଇ ଉଦାସୀନ । ଶରୀରେ ଯେସନେ ପବନ ॥ ୨୮

ଅଦୋଷଜନ ତୁ ନ ଦଣ୍ତୁ । ପୁତ୍ର ହେଲେହେଁ ଦୋଷୀ ଦଣ୍ତୁ ॥ ୨୯

ଅପ୍ରତିହତ-ଚକ୍ର ତୋର । ତେଜେ ଗଞ୍ଜଇ ଦିବାକର ॥ ୩୦

ତୋହର ଆତ୍ମା ବିଚେଷ୍ଟିତ । ଲୋକରଞ୍ଜନ ଏ ଜଗତ ॥ ୩୧

ଯେ ରାଜା ପ୍ରଜା ମନ ରଞ୍ଜେ । ରାଜ୍ୟସମ୍ପଦ ସୁଖେ ଭୁଞ୍ଜେ ॥ ୩୨

ସତ୍ୟସନ୍ଧ ତୁ ଦୃଢବ୍ରତ । ବୃଦ୍ଧ ସେବକ ବିପ୍ରଭକ୍ତ ॥ ୩୩

ଶରଣ ସର୍ବ ପ୍ରାଣୀଙ୍କର । ଦୀନ ବତ୍ସଳ ଦୁଃଖ-ହର ॥ ୩୪

ପର-ରମଣୀ ମାତ ପ୍ରାୟ । ନିଜ-କାମିନୀ ଅର୍ଦ୍ଧକାୟ ॥ ୩୫

ପ୍ରଜାଙ୍କୁ ପୁତ୍ରପ୍ରାୟ ଚିତ୍ତେ । ବିପ୍ରଙ୍କୁ ସେବା ଯାର ନିତ୍ୟେ ॥ ୩୬

ପ୍ରାଣୀ ବିଷୟେ ଆତ୍ମା ପ୍ରାୟେ । ଦୟା ବସଇ ଯାର ଦେହେ ॥ ୩୭

ସୁହୃଦ ଆନନ୍ଦ ବର୍ଦ୍ଧନ । ବିମୁକ୍ତସଙ୍ଗ ସଙ୍ଗେ ଧ୍ୟାନ ॥ ୩୮

ଅସାଧୁଗଣେ ଦଣ୍ତଧର । ସ୍ୱଭାବେ ଶରଣ-ସୋଦର ॥ ୩୯

ନିର୍ଗୁଣ ଭଗବାନ ତୁହି । କୂଟସ୍ଥ ଆତ୍ମା କଳା ବହି ॥ ୪୦

ଯେତେ ଅବିଦ୍ୟା ବିରଚିତ । ନାନା ଭାବରେ ସେ ପ୍ରତୀତ ॥ ୪୧

ହେଲେହେଁ ତୋହର ଶରୀରେ । ଦିଶଇ ବିଅର୍ଥ ବେଭାରେ ॥ ୪୨

ତୋ ଅବତାର ଏ ଜଗତେ । ଜଗତ ନିସ୍ତାର ନିମନ୍ତେ ॥ ୪୩

ତୁ ନୃପନାଥ ଏକରଥୀ । ମହୀମଣ୍ତଳେ ଯେତେ ଛନ୍ତି ॥ ୪୪

ତାହାଙ୍କ ରକ୍ଷଣ ନିମିତ୍ତେ । ଉଦୟ ଗିରି ପରିଯନ୍ତେ ॥ ୪୫

ଭ୍ରମିବୁ ରଥେ ଧନୁଧରି । ଦିଗ-ସମୂହ ବନ ଗିରି ॥ ୪୬

ଦକ୍ଷିଣାବର୍ତ୍ତେ ସାବଧାନେ । ଶୂନ୍ୟେ ଆଦିତ୍ୟ ରଥ ଯେହ୍ନେ ॥ ୪୭

ଯେ ଲୋକପାଳ ରାଜାଗଣେ । ବଳେ ହରିବେ ତୋତେ ରଣେ ॥ ୪୮

ଗାଇବେ ତୋର ଯଶ ଗୁଣ । ଖଟିବେ ତୋହର ଚରଣ ॥ ୪୯

ଇନ୍ଦ୍ରର ପ୍ରାୟେ ଶରେ ଗିରି । ଛେଦି ପୃଥିବୀ ସମ କରି ॥ ୫୦

ମେଦିନୀ-ସ୍ତନୁ ପୟ ଦୁହିଁ । ପ୍ରାଣୀଙ୍କୁ ପ୍ରାଣ-ବୃତ୍ତି ଦେଇ ॥ ୫୧

ଖିଳ ଅଖିଳ ବସୁନ୍ଧରୀ । ପାଳିବ ଏ ନୃପକେଶରୀ ॥ ୫୨

ମୃଗେନ୍ଦ୍ର ଯେହ୍ନେ ଲାଞ୍ଜ ତୋଳି । ବିକ୍ରମି ଚରେ ମହାବଳୀ ॥ ୫୩

ତେହ୍ନେ ତୁ ଧନୁର ଟଙ୍କାରେ । ବିକ୍ରମି ବସନ୍ତେ ରଥରେ ॥ ୫୪

ଦେଖି ସକଳ ଶତ୍ରୁଗଣେ । ଭୟେ ପଶିବେ ଘୋରବନେ ॥ ୫୫

ମୃଗ ଯେସନେ ସିଂହ ଦେଖି । ପଳାନ୍ତି ବିପିନ ଉପେକ୍ଷି ॥ ୫୬

କରିବୁ ଅଶ୍ୱମେଧ ଶତ । ତ୍ରିଦିବେ ଯେହ୍ନେ ସୁରନାଥ ॥ ୫୭

ଶେଷ-ଯଜ୍ଞରେ ଅଶ୍ୱ ତୋର । ହରିବେ ସ୍ୱୟଂ ପୁରନ୍ଦର ॥ ୫୮

ତଦନ୍ତେ ଗୃହ ମଧ୍ୟେ ଯାଇ । ସନତ୍‌କୁମାର ଧ୍ୟାନେ ଧ୍ୟାୟି ॥ ୫୯

ତେଣୁ ତୋ ହେବ ବ୍ରହ୍ମଜ୍ଞାନ । ତୁ ହେବୁ ଅତୀବ ପାବନ ॥ ୬୦

ସ୍ୱଭୋଗ ଅନ୍ତେ ଗଙ୍ଗାକୂଳେ । ସନତକୁମାରଙ୍କ ମେଳେ ॥ ୬୧

ଭକତି କରି ବିଷ୍ଣୁପାଦେ । ଅନ୍ତେ ପଶିବୁ ନିଜପଦେ ॥ ୬୨

ତୋର ଚରିତ ଇହଲୋକେ । ପ୍ରାଣୀଏ ବିସ୍ତାରିବେ ମୁଖେ ॥ ୬୩

ହେ ପୃଥୁ ପରାକ୍ରମ ତୋର । ଦେବ-ମାନବେ ଅଗୋଚର ॥ ୬୪

ତୋର ମହିମା କର୍ଣ୍ଣେ ଶୁଣି । ତରିବେ ଭବ-ତରଙ୍ଗିଣୀ ॥ ୬୫

ସୁଜନେ ଶୁଣ ଶୁଦ୍ଧଚିତ୍ତେ । ଭାଷା-ପ୍ରବନ୍ଧେ ଭାଗବତେ ॥ ୬୬

ଏ ପୃଥୁ ରାଜାର ଚରିତ । ବୋଲଇ ଦାସ ଜଗନ୍ନାଥ ॥ ୬୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟା

ଚତୁର୍ଥସ୍କନ୍ଧେ ଅଷ୍ଟାଦଶୋଽଧ୍ୟାୟଃ ॥

* * *