ଚତୁର୍ଥ ସ୍କନ୍ଧ

ସପ୍ତଦଶ ଅଧ୍ୟାୟ

ମୈତ୍ରେୟ ଉବାଚ

ନିର୍ମଳ ଦେଖି ବେଣ ଅଙ୍ଗ । ପୁଣି ମନ୍ଥିଲେ ବାହୁଯୁଗ ॥

ନାରୀ ପୁରୁଷ ଏକ ମେଳେ । ଜନ୍ମିଲେ ବେଦ-ମନ୍ତ୍ରବଳେ ॥

ସ୍ତିରୀ ପୁରୁଷ ଦେହ ଦେଖି । ବିଷ୍ଣୁର କଳା ଉପଲକ୍ଷି ॥

ଆନନ୍ଦମନେ ମୁନିଗଣେ । ଭାବେ କହନ୍ତି ଜଣେ ଜଣେ ॥

ଋଷିଗଣ ଉବାଚ

ଦେଖ ଏ ପୁରୁଷ କାମିନୀ । ଅଶେଷ-ଭୁବନ ପାବନୀ ॥

ଦେଖ ଏ ମିଥୁନ-ଲକ୍ଷଣ । ପ୍ରତ୍ୟେକ୍ଷେ ଲକ୍ଷ୍ମୀନାରାୟଣ ॥

ବେଣର ବଂଶ ଏ ରଖିବ । ଆନନ୍ଦେ ଭୁବନ ପାଳିବ ॥

ଏହାକୁ ରାଜ୍ୟେ ରାଜା କରି । ଏ କନ୍ୟା ରାଣୀ ରୂପେ ବରି ॥

ପ୍ରଥିତ ଯଶକୀର୍ତ୍ତି ଯେଣୁ । ଏହାର ପୃଥୁ ନାମ ତେଣୁ ॥

ଏ ଯେ ସୁନ୍ଦରୀ ଶୁଭ୍ରଦନ୍ତୀ । ମୁକ୍ତାର ପ୍ରାୟ ଦନ୍ତନ୍ନି ॥ ୧୦

ସକଳ ଗୁଣେ ଏ ଭୂଷିତ । ବିରାଜେ ଯେସନେ ଆଦିତ୍ୟ ॥ ୧୧

ରୂପେ ଅର୍ଚ୍ଚିଲା ପୃଥୁ ଯେଣୁ । ଏହାର ଅର୍ଚ୍ଚି ନାମ ତେଣୁ ॥ ୧୨

ଏ ରାଜା ବିଷ୍ଣୁ ଅଂଶେ ଜାତ । ସୁଗୁଣେ ଲୋକେ ଏ ବିଖ୍ୟାତ ॥ ୧୩

ଏ ବାମା ଜାତ ଲକ୍ଷ୍ମୀ ରୂପେ । ସର୍ବଦା ବିଷ୍ଣୁର ସମୀପେ ॥ ୧୪

ମୈତ୍ରେୟ ଉବାଚ

ଏତେ ବିଚାରି ଶୁଦ୍ଧମନେ । ସ୍ତୁତି କରନ୍ତି ବିପ୍ରଜନେ ॥ ୧୫

ଗନ୍ଧର୍ମେ ଗୀତନାଦ କଲେ । ଦେବେ କୁସୁମ ବରଷିଲେ ॥ ୧୬

ଆନନ୍ଦେ ବୀଣା ବାଦ୍ୟ କରି । ନୃତ୍ୟ କରନ୍ତି ଅପସରୀ ॥ ୧୭

ଶଙ୍ଖ ମହୁରୀ ତୂରୀ ନାଦେ । ଦେବେ ଦୁନ୍ଦୁଭି ବିଷ୍ଣୁପଦେ ॥ ୧୮

ଦେବତା ଋଷି ପିତୃଜନେ । ମିଳିଲେ ହରଷିତ ମନେ ॥ ୧୯

ଶଙ୍କର ପଦ୍ମଯୋନି ତୁଲେ । ଦେବ ସମୂହେ ବିଜେ କଲେ ॥ ୨୦

ଦେଖିଲେ ବେଣସୁତ ହସ୍ତ । ବିଷ୍ଣୁର ଚକ୍ର ଚିହ୍ନ ଯୁକ୍ତ ॥ ୨୧

ଚରଣେ ପଙ୍କଜ ଲାଞ୍ଛନ । ସକଳେ କଲେ ଅନୁମାନ ॥ ୨୨

ବିଷ୍ଣୁର ଅଂଶ ନିଶ୍ଚେ ଜାଣି । ବେଗେ ଆଣିଲେ ତୀର୍ଥପାଣି ॥ ୨୩

ଅଭିଷେକର ବସ୍ତୁ ଯେତେ । ପ୍ରଜାଏ ଆଣି ଯେଝା ମତେ ॥ ୨୪

ସମୁଦ୍ର ପର୍ବତ ସରିତ । ସର୍ପ ବିହଙ୍ଗ ମୃଗଯୂଥ ॥ ୨୫

ଧରଣୀ ଆଦି ପଞ୍ଚଭୂତେ । ଯାହାର ଯେ ଅବା ଉଚିତେ ॥ ୨୬

ସକଳେ ଆଣି ଉପାୟନ । ବନ୍ଦିଲେ ନୃପତି ଚରଣ ॥ ୨୭

ସକଳେ ନାନାଦ୍ରବ୍ୟ ଆଣି । ମୁନି ଆନନ୍ଦେ ବେଦ ଭଣି ॥ ୨୮

ପୃଥୁକୁ ଅଭିଷେକ କଲେ । ମଙ୍ଗଳନାଦେ ଅର୍ଚ୍ଚି ତୁଲେ ॥ ୨୯

ପୃଥୁକୁ କଲେ ମହାରାଜା । ଶୁଭେ ବିରାଜେ ମହାତେଜା ॥ ୩୦

କୁବେର ଦେଖି ତୋଷମନେ । ଦେଲା ସେ ସୁବର୍ଣ୍ଣ ଆସନେ ॥ ୩୧

ବରୁଣ ଦେଲା ଛତ୍ର ଆଣି । ପ୍ରକାଶେ ଦିବ୍ୟରତ୍ନ ମଣି ॥ ୩୨

ସେ ଛତ୍ର ନାମ ଜଳସ୍ରବା । ସ୍ୱଭାବେ ଦିଶେ ଶଶିପ୍ରଭା ॥ ୩୩

ଚାମର ସମୀରଣ ଦେଲା । ଧର୍ମ ଦେବତା କୀର୍ତ୍ତିମାଳା ॥ ୩୪

ଇନ୍ଦ୍ର ମୁକୁଟ ଦେଲା ଶିରେ । ଶମନ ଦଣ୍ତ ଦେଲା କରେ ॥ ୩୫

ବ୍ରହ୍ମକବଚ ବ୍ରହ୍ମା ଦେଲେ । ଭାରତୀ ହାର ଲମ୍ବାଇଲେ ॥ ୩୬

ଗୋବିନ୍ଦ ଚକ୍ର ଦେଲେ କରେ । କମଳା ବସେ ତାର ଉରେ ॥ ୩୭

ସୁବର୍ଣ୍ଣ ଦଶଚନ୍ଦ୍ର ଯୁତେ । ରୁଦ୍ର ଖଡଗ ଦେଲେ ହସ୍ତେ ॥ ୩୮

ଅମ୍ବିକା ଦେଲେ ଚର୍ମାମ୍ବର । ଅଙ୍କିତ ଶତେ ନିଶାକର ॥ ୩୯

ଅମୃତମୟ-ଅଶ୍ୱ ଆଣି । ବିମାନ ଅର୍ଥେ ନିଶାମଣି ॥ ୪୦

ପୃଥୁ ସମୀପେ ଆଣି ଦେଲେ । ସଙ୍ଗେ ତା ବିଶ୍ୱକର୍ମା ଥିଲା ॥ ୪୧

ବିମାନ ନାନାରତ୍ନେ ସାଜି । ତହିଁ ଯୋଚିଲା ସେହି ବାଜି ॥ ୪୨

ଅନଳ ଆଣି ଦେଲାଧନୁ । ରଶ୍ମି-ନାରାଚ ଦେଲା ଭାନୁ ॥ ୪୩

ବେନି-ପାଦୁକା ଯୋଗମୟୀ । ଚରଣ ତଳେ ଦେଲା ମହୀ ॥ ୪୪

ଆକାଶ ସଦା ପୁଷ୍ପାଞ୍ଜଳି । ପ୍ରଦାନେ ଅତି କୁତୂହଳୀ ॥ ୪୫

ନୃତ୍ୟ ସଙ୍ଗୀତ ବାଦ୍ୟ ଯେତେ । ଯେ ଅନ୍ତର୍ଦ୍ଧାନ ବିଦ୍ୟା ଯୁତେ ॥ ୪୬

ଖେଚରେ ଆନନ୍ଦିତ ହୋଇ । ଦେଲେ ପୃଥୁକୁ ପାଶେ ଯାଇ ॥ ୪୭

ମିଳି ସକଳ-ମୁନିଗଣେ । ଆଶିଷ ଦେଲେ ଜଣେ ଜଣେ ॥ ୪୮

ସମୁଦ୍ର ଶଙ୍ଖ ଦେଲା କରେ । ଯେ ନାଦେ ଦଶଦିଗ ପୂରେ ॥ ୪୯

ସମୁଦ୍ର ଗିରି ନଦୀ ଯେତେ । ବାଟ ଛାଡିଲେ ତାର ରଥେ ॥ ୫୦

ସୂତ ମାଗଧ ବନ୍ଦୀ ମେଳେ । ପୃଥୁର ସମୀପେ ମିଳିଲେ ॥ ୫୧

ସ୍ତୁତି ଉଦ୍ୟମ ତାଙ୍କ ଜାଣି । ମେଘ-ଗମ୍ଭୀର ମୃଦୁବାଣୀ ॥ ୫୨

ଆନନ୍ଦେ ନିକଟେ ବସାଇ । ପୃଥୁ କହନ୍ତି ଭାବ ବହି ॥ ୫୩

ପୃଥୁ-ଉବାଚ

ଆହେ ମାଗଧ ସୂତେ ଶୁଣ । ଯେତେ ଭବିଷ୍ୟ ସ୍ତୁତିଗୁଣ ॥ ୫୪

ଲୋକଙ୍କ ମଧ୍ୟେ ମୋର ଗୁଣ । ଅବ୍ୟକ୍ତ ରୂପେ ଅଛିପୁଣ ॥ ୫୫

ମୋର କର୍ତ୍ତବ୍ୟ କର୍ମ ଯେତେ । ତୁମ୍ଭେ କହିବ ଭବିଷ୍ୟତେ ॥ ୫୬

ମିଥ୍ୟା-ବଚନେ କାର୍ଯ୍ୟ ନାହିଁ । ମଧୁର ଭାଷୀ ତୁମ୍ଭେ ହୋଇ ॥ ୫୭

ଏବେ ବିଷ୍ଣୁଙ୍କୁ ସ୍ତୁତି କର । ଯାହା ଅଟଇ ମୋକ୍ଷ ଦ୍ୱାର ॥ ୫୮

ଏମନ୍ତ ପୃଥୁର ବଚନ । ଶୁରି ସନ୍ତୋଷ ପ୍ରଜାଜନ ॥ ୫୯

କହଇ ବିପ୍ର ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥ ୬୦

ଚତୁର୍ଥ ସ୍କନ୍ଧେ ବିଷ୍ଣୁବାଣୀ । ଶୁରି ସଂସାରୁ ତର ପ୍ରାଣୀ ॥ ୬୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ପୃଥୁ ଚରିତେ ସପ୍ତଦଶୋଽଧ୍ୟାୟଃ ॥

* * *