ଚତୁର୍ଥ ସ୍କନ୍ଧ
ଷୋଡ଼ଶ ଅଧ୍ୟାୟ
ମୈତ୍ରେୟ ହରଷେ କହନ୍ତି । ଶୁଣ ବିଦୁର ଶୁଦ୍ଧମତି ॥ ୧
ମୈତ୍ରେୟ ଉବାଚ
ଭୃଗୁ ଅଙ୍ଗିରା ଆଦି ଯେତେ । ମୁନିଏ ମିଳିଲେ ସମସ୍ତେ ॥ ୨
ଭାଳନ୍ତି ଅତି ମନ ଦୁଃଖେ । ପ୍ରଜା-ରକ୍ଷଣେ ଅରାଜକେ ॥ ୩
ବୋଲନ୍ତି ରାଜ୍ୟେ ନାହି ରାଜା । ଦୁଷ୍ଟେ ଲୁଟିବେ ଜନ ପ୍ରଜା ॥ ୪
ଏମନ୍ତ ବିଚାରି ସମସ୍ତେ । ବେଣର ଜନନୀ ଅଗ୍ରତେ ॥ ୫
ପ୍ରଜା ରକ୍ଷଣେ ଧର୍ମ କହି । ସକଳ ଜନେ ରୁଣ୍ତ ହୋଇ ॥ ୬
ବିଚାର କରି ଅତିରେକେ । ବେଣକୁ ରାଜ-ଅଭିଷେକେ ॥ ୭
ନିଜ-ଭୁବନେ କଲେ ରାଜା । ଯେଣେ ରକ୍ଷିତ ଜନପ୍ରଜା ॥ ୮
ଦସ୍ୟୁ ଯେ ଥିଲେ ଦୁଷ୍ଟପଣେ । ଲୁଟିବେ ବୋଲି ପ୍ରଜାଗଣେ ॥ ୯
ବେଣର ରାଜପଣ କର୍ଣ୍ଣେ । ଶୁଣି ଲୁଚିଲେ ଘୋରବନେ ॥ ୧୦
ପଶିଲେ ଘୋର-ଗିରିମାର୍ଗେ । ଗରୁଡ ଡରେ ଯେହ୍ନେ ନାଗେ ॥ ୧୧
ବେଣ ରାଜ୍ୟରେ ରାଜା ହୋଇ । ରାଜା-ସମ୍ପଦେ ଗର୍ବ ବହି ॥ ୧୨
ସ୍ୱଭାବେ ଦୁଷ୍ଟ-ଦୁରାଚାର । ନ କରେ ଧର୍ମର ବିଚାର ॥ ୧୩
ଆତ୍ମାକୁ ସିଦ୍ଧ-ପ୍ରାୟ ମଣେ । ଋଷିଙ୍କ ବଚନ ନ ଶୁଣେ ॥ ୧୪
ଲଭିଣ ଅଶେଷ ବିଭୂତି । ମାତିଲା ଯେହ୍ନେ ମତ୍ତହସ୍ତୀ ॥ ୧୫
କାଞ୍ଚନରଥେ ବିଜେ କରି । ବୁଲନ୍ତେ କମ୍ପେ ବସୁନ୍ଧରୀ ॥ ୧୬
ନିତ୍ୟେ ସେ ବିପ୍ରଙ୍କୁ ଅଣାଇ । ବୋଲଇ କୋପଭର ହୋଇ ॥ ୧୭
ଶୁଣ ହେ ବିପ୍ରେ ମୋର ବାଣୀ । ମୁଁ ଏ ଜଗତେ ନୃପମଣି ॥ ୧୮
ମୋହର ବଚନ ତୁମ୍ଭର । ସ୍ୱଭାବେ ପାଳିବା ବେଭାର ॥ ୧୯
ଦେଖ ମୋହର ବେନଭୂଜ । ଦାଦିଗପାଳଙ୍କ ତେଜ ॥ ୨୦
ମୁଁ ଯେ ପ୍ରତ୍ୟକ୍ଷେ ଭଗବାନ । ଦେଖ ମୋହର ବର୍ଣ୍ଣଚିହ୍ନ ॥ ୨୧
ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ପାଶେ ବସାଇ ନୃପରାଣ ॥ ୨୨
ବିଷ୍ଣୁର ବଚନ ପ୍ରକାଶି । ମନ ଆନନ୍ଦେ ନୃପବଂଶୀ ॥ ୨୩
ଆତ୍ମାକୁ ସିଦ୍ଧ ପ୍ରାୟ ମଣି । ବୋଲଇ ଅସମ୍ଭବ ବାଣୀ ॥ ୨୪
ଶୁଣ ସକଳ-ପ୍ରଜାଜନେ । ବ୍ରାହ୍ମଣ ଆଦି ଚାରିବବର୍ଣ୍ଣେ ॥ ୨୫
ମୋ ରାଜ୍ୟେ ଯଜ୍ଞ ନ କରିବ । ପିତୃଦେବତା ନ ପୂଜିବ ॥ ୨୬
ଦାନ ନ ଦେବ ବିପ୍ରହସ୍ତେ । ତୀର୍ଥେ ନ ଯିବ ପାଦଗତେ ॥ ୨୭
ଆଗମ ନିଗମ ଏ ନୀତି । ଯେ ଅବା ଶାସ୍ତ୍ର ମତ ଚିନ୍ତି ॥ ୨୮
ସଂସାରେ ଧର୍ମ କର୍ମ ଯେତେ । ସକଳ ସମର୍ପିବ ମୋତେ ॥ ୨୯
ମୋ ତହୁଁ ବଡ ନାହିଁ ଆନ । ମୁଁ ଯେ ପ୍ରତ୍ୟକ୍ଷ ଭଗବାନ ॥ ୩୦
ମୋହର ଜନ୍ମ କର୍ମ ଗୁଣ । ସର୍ବେ ତା କରସି ବଖାଣ ॥ ୩୧
ମୋ ନାମ ଜପୁଥିବ ତୁଣ୍ତେ । ମୋତେ ପୂଜିବ ଯଜ୍ଞକୁଣ୍ତେ ॥ ୩୨
ଯେ ମୋର ବୋଲ ନ କରିବ । ମୋ ରାଜ୍ୟେ ଦଣ୍ତେ ନ ରହିବ ॥ ୩୩
ଜୀବନ ହରିବି ତାହାର । ସର୍ବସମ୍ପଦ କରି ଜୂର ॥ ୩୪
ଏମନ୍ତ ପୁର ରାମ ଦେଶେ । ହସ୍ତୀର କନ୍ଧେ ଭେରୀଘୋଷେ ॥ ୩୫
ଘୋଷଣ-ବାଜେ ସର୍ବଦେଶେ । ଶୁଣି ସକଳ ଜନ ତ୍ରାସେ ॥ ୩୬
ବେଣ ଆଜ୍ଞା ଶିରେ କଲେ । ସକଳ ଧର୍ମ ଉପେକ୍ଷିଲେ ॥ ୩୭
ଜପନ୍ତି ତାର ନାମେ ନିତ୍ୟେ । ଭୟେ ଖଟନ୍ତି ପାଦଗତେ ॥ ୩୮
ଏମନ୍ତ ରାଜା ଦୁଷ୍ଟପଣ । ଦେଖି ଭାଳନ୍ତି ମୁନିଗଣ ॥ ୩୯
ବୋଳନ୍ତି ଏକୁ ଆରେ ଚାହିଁ । ଏମନ୍ତ ଶୁଣିଲାତ ନାହିଁ ॥ ୪୦
ଭୂମିରେ ଯେତେ ରାଜା ଥିଲେ । ଏମନ୍ତ କେବା ପ୍ରଚରିଲେ ॥ ୪୧
ଯଜ୍ଞ ନ କଲେ ମେଘ ନାହିଁ । ବୃଷ୍ଟି ନୋହିଳେ ଅନ୍ନ ନାହିଁ ॥ ୪୨
ଏ ପଞ୍ଚଯଜ୍ଞ କ୍ରିୟା ଲୋପେ । ଅଧର୍ମେ ତ୍ରିଭୁବନ କମ୍ପେ ॥ ୪୩
ଏ ଗୋର ସଙ୍କଟ ପଡିଲା । ଉଭୟ ଲୋକ ନାଶ ଗଲା ॥ ୪୪
ଏହାକୁ ଆମ୍ଭେ ରାଜା କଲୁ । ସର୍ପକୁ କ୍ଷୀର ପିଆଇଲୁ ॥ ୪୫
ସେ ଯେହ୍ନେ ବଢେ ଅତି ଘୋରେ । କ୍ଷୀରଦାତାର ପ୍ରାଣ ହରେ ॥ ୪୬
ଆମ୍ଭେ ନ ବୁଝି କର୍ମ କଲୁ । ବେଣକୁ ରାଜପଦ ଦେଲୁ ॥ ୪୭
ଖଳକୁ ଦେଲୁ ରାଜ୍ୟେ ବାସ । ଆମ୍ଭେ ହୋଇଲୁ ଏବେ ନାଶ ॥ ୪୮
ସୁନୀଥା ଗର୍ଭୁ ଏ ସମ୍ଭୂତ । ସ୍ୱଭାବେ ଯମସୁତା-ସୁତ ॥ ୪୯
ଆମ୍ଭେ ଏହାର ପାଶେ ଯିବା । ଧର୍ମ-ବଚନ ବୁଝାଇବା ॥ ୫୦
ଏ ଯେବେ ବୋଲ ନ କରିବ । ଅଧର୍ମ ଦୋଷେ ନାଶ ଯିବ ॥ ୫୧
ଏତେ ବିଚାରି ବିପ୍ରଜନେ । ମିଳିଲେ ବେଣ ସନ୍ନିଧାନେ ॥ ୫୨
କଲ୍ୟାଣ କରି ବେଦନାଦେ । ବୋଧିଲେ ତାକୁ ସାମବାଦେ ॥ ୫୩
ହେ ନୃପନାଥ ଶୁଣ ଧୀରେ । ଯାହା କହିବୁ ତୋ ଛାମୁରେ ॥ ୫୪
ଯେଣେ ହୋଇବ ତୋର ଲାଭ । ଜଗତେ ଯଶ-କୀର୍ତ୍ତି ଥିବ ॥ ୫୫
ମନ-ବଚନ-ଦେହ ଗତେ । ଯେ ପ୍ରାଣୀ ଥାନ୍ତି ଜନହିତେ ॥ ୫୬
ଏ ବେନିଲୋକେ ସେ ଜିଣନ୍ତି । ନ କଲେ ଜୀବନ୍ତେ ମରନ୍ତି ॥ ୫୭
ପ୍ରଜାଏ ଧର୍ମ ଆଚରିଲେ । ନୃପ ସମ୍ପଦ ବଢେ ଭଲେ ॥ ୫୮
ସେ ଧର୍ମ ଯେବେ ନାଶ ଯାଇ । ନୃପ ସମ୍ପଦ ଆର କାହିଁ ॥ ୫୯
ପ୍ରଜାଙ୍କୁ ନିଶ୍ଚିନ୍ତ ଯେ କରେ । ଚୌର୍ଯ୍ୟାଦି ସର୍ବ ଭୟ ହରେ ॥ ୬୦
ସେ ରାଜାଂଇହପରଲୋକେ । ଆନନ୍ଦ ମନେ ରହେ ସୁଖେ ॥ ୬୧
ଯେ ରାଜା ରାଜ୍ୟ ପୁର ଦେଶେ । ବିଷ୍ଣୁଙ୍କୁ ପୂଜନ୍ତି ହରଷେ ॥ ୬୨
ବିଷ୍ଣୁ-ପାଦୋଦକ ନିର୍ମାଲ୍ୟ । ଯେ ସେବେ ସେହି ସେ ଅମୂଲ୍ୟ ॥ ୬୩
ପ୍ରଜାଏ ନିଜଧର୍ମେ ଥାଇ । ଆଶ୍ରମ-ଧର୍ମ ପ୍ରଚାରଇ ॥ ୬୪
ରାଜାର ଯଜ୍ଞେ ପୂଜା ପାଇ । ବିଷ୍ଣୁ ସନ୍ତୋଷେ ଦୟା ବହି ॥ ୬୫
ରାଜା-ପରଜା ସୁଖେ ରହେ । ଏ ଧର୍ମ ଚାରିବେଦ କହେ ॥ ୬୬
ବିଷ୍ଣୁର ପାଦପଦ୍ମ ତଳେ । ଖଟନ୍ତି ସର୍ବଦିଗପାଳେ ॥ ୬୭
ସୁଖ ଭୁଞ୍ଜନ୍ତି ସର୍ବକାଳେ । ଏ କଥା ବିଦିତ ଶୟଳେ ॥ ୬୮
ସେ ସର୍ବ-ଯଜ୍ଞ ମୟ ହରି । ମନୁ ଦେବତା ଆଦି କରି ॥ ୬୯
ସେହରି ଯଜ୍ଞେ ହେଲେ ତୋଷ । ସଂସାରେ ରହିବ ତୋ ଯଶ ॥ ୭୦
ସର୍ବ-ଦେବତା ତାର ଦେହେ । ବସନ୍ତି ଲୋମପନ୍ତି ପ୍ରାୟେ ॥ ୭୧
ତାହାର ସଞ୍ଚଲା ଜଗତ । ତା ବିନୁ କେହି ନୋହେ ସତ୍ୟ ॥ ୭୨
ସେ ସର୍ବ-ଦେବମୟ ହରି । ତାର ଚରଣେ ପୂଜାକରି ॥ ୭୩
ଲଭିବୁ ସର୍ବ ସୁଖ ଭଲେ । ଆମ୍ଭର ବାକ୍ୟେ ଧର୍ମ କଲେ ॥ ୭୪
ସେ ହରି ଯେବେ ତୁଷ୍ଟ ହେବ । କିବା ଅପ୍ରାପ୍ୟ ତୋର ଥିବ ॥ ୭୫
ସର୍ବ ସମୃଦ୍ଧି ଲାଭ ପାଇଁ । ଲୋକେ ଯେ ହରିଙ୍କୁ ଭଜଇ ॥ ୭୬
ତୁ ତାଙ୍କ ଅନୁବର୍ତ୍ତୀ ହୋଇ । ଆମ୍ଭ ବଚନ ରଖ ତୁହି ॥ ୭୭
ସେ ହରି କଳ-ଦେବମୂର୍ତ୍ତି । ଯଜ୍ଞରେ ବ୍ରାହ୍ମଣେ ପୂଜନ୍ତି ॥ ୭୮
ତାହାଙ୍କ ପ୍ରତି ତୋ ହେଳଣ । ଉଚିତ ନୁହଇ ରାଜନ ॥ ୭୯
ଋଷିଙ୍କ ବୋଲ ଶୁଣି କର୍ଣ୍ଣେ । ବେଣ ବୋଲଇ କୋପମନେ ॥ ୮୦
ବେଣ ଉବାଚ
ତୁମ୍ଭେ ବାଳିଶ ବିପ୍ରଜନ । ବାଳକ ପ୍ରାୟ ତୁମ୍ଭ ଜ୍ଞାନ ॥ ୮୧
ଅଧର୍ମେ ଧର୍ମ ମାନ୍ୟ କର । ଏ ନୋହେ ସ୍ୱଧର୍ମ ତୁମ୍ଭର ॥ ୮୨
ଯୁବତୀ ନିଜ ସ୍ୱାମୀ ଛାଡି । ଜାର ପୂରୁଷେ ଲୋଭ ବଢି ॥ ୮୩
ତେମନ୍ତ ପ୍ରାୟେ ତୁମ୍ଭେମାନେ । ମୋ ପାଦ ଛାଡି ଭଜ ଅନ୍ୟେ ॥ ୮୪
ଏଣୁ ଏ ମୂଢ ପ୍ରାଣୀ ଯେତେ । ବର୍ତ୍ତନ୍ତି ଅଶାସ୍ତ୍ର ବିହିତେ ॥ ୮୫
ବିଷ୍ଣୁ ସ୍ୱରୂପ ନରପତି । ତାହାଙ୍କୁ ଅଶାସ୍ତ୍ର ବିହିତେ ॥ ୮୬
ତାହାଙ୍କ ଧର୍ମଜ୍ଞାନ ନାହିଁ । ଉଭୟ ଲୋକେ ସୁଖ କାହିଁ ॥ ୮୭
କେ ଯଜ୍ଞପୁରୁଷ ତୁମ୍ଭର । ଯାର ଚରଣେ ସେବାକର ॥ ୮୮
ଯୁବତୀ କୁଳ-ଧର୍ମ ଛାଡି । ଜାରେ ଯେସନେ ସେବା କରି ॥ ୮୯
ଦେଖ ଏ ନୃପତି ଶରୀରେ । ଦେବେ ବସନ୍ତି ଅଧିକାରେ ॥ ୯୦
ବିଷ୍ଣୁ ବିରଞ୍ଚି ମହେଶ୍ୱର । ଇନ୍ଦ୍ର ପବନ ଦିବାକର ॥ ୯୧
ଯମ ପର୍ଜନ୍ୟ ଧନଦାତା । ସୋମ ଧରଣୀ ଭସ୍ମକର୍ତ୍ତା ॥ ୯୨
ଜଳ ବରୁଣ ଆଦି ଯେତେ । ସର୍ବେ ବସନ୍ତି ନୃପଗାତ୍ରେ ॥ ୯୩
ଯେ ବର ଶାପ ଦ୍ୟନ୍ତି ଲୋକେ । ନୃପ ଶରୀରେ ଏକେ ଏକେ ॥ ୯୪
ସକଳ-ଦେବ ତେଜଆଣି । ତେଣୁ ବୋଲାଇ ନୃପମଣି ॥ ୯୫
ଏଣୁ ଏ ନରପତି ଦେହ । ପ୍ରତ୍ୟକ୍ଷେ ସର୍ବଦେବମୟ ॥ ୯୬
ଦୁର୍ଲଭ ନୃପତି-ଶରୀର । କି ଅବା ଦେବା ପଟାନ୍ତର ॥ ୯୭
ଏ ଦେହ ମହିମା ନ ଜାଣି । ଅଧର୍ମ ଧର୍ମ ପରିମାଣି ॥ ୯୮
ଏଣୁ ତୁମ୍ଭର କର୍ମ ଯେତେ । ସେ ଧର୍ମେ ପୂଜା କର ମୋତେ ॥ ୯୯
ମୋହର ଅଗ୍ରେ ବଳି କର । ଏଧର୍ମ ସ୍ୱଧର୍ମ ତୁମ୍ଭର ॥ ୧୦୦
ମୁଁ ଯଜ୍ଞଭାଗ ଆଗ ପାଇ । ମୋ ତହୁଁ ଅନ୍ୟ ଦେବ ନାହିଁ ॥ ୧୦୧
ମୈତ୍ରେୟ ଉବାଚ
ଏମନ୍ତ ବିପରୀତ-ଗତି । ଭଜିଲା ପାପିଷ୍ଠ-ନୃପତି ॥ ୧୦୨
ମୁନିଙ୍କ ଅନୁମୟ-ବାଣୀ । ନିଶ୍ଚେ ନ କଲା ନୃପମଣି ॥ ୧୦୩
ସ୍ୱଭାବେ ଦୁଷ୍ଟ ଅନର୍ଗଳ । ଆତ୍ମାକୁ କଲା ଅମଙ୍ଗଳ ॥ ୧୦୪
ଏମନ୍ତ ମୁନିଙ୍କ ବଚନ । ଅବଜ୍ଞା କଲା ଦିନୁଦିନ ॥ ୧୦୫
ଆତ୍ମ-ପଣ୍ତିତ ମନେ କରେ । ମୁନିଙ୍କ ବଚନ ନ ଧରେ ॥ ୧୦୬
ମୁନିଏ ଦିନେ ଦିନେ ଆସି । ଧର୍ମ କହନ୍ତି ପାଶେ ବସି ॥ ୧୦୭
କହନ୍ତି ଅନେକ ବିଶ୍ୱାସ । ଦେଖାଇ ଜ୍ଞାନ ଉପଦେଶ ॥ ୧୦୮
କେବେହେଁ ନ କଲା ବଚନ । ମୁନିଙ୍କି କଲା ଅପମାନ ॥ ୧୦୯
ତାହାର ଅଧର୍ମ ବିଶ୍ୱାସେ । ମୁନିଙ୍କ ମନେ କୋପ ବସେ ॥ ୧୧୦
ବୋଲନ୍ତି ଏକୁଆରେ ଚାହିଁ । ଏହା ଜୀବନେ କାର୍ଯ୍ୟ ନାହିଁ ॥ ୧୧୧
ଏହାର ଅଧର୍ମ ଆଚାରେ । ପ୍ରଜାଏ ନଶିବେ ସଂସାରେ ॥ ୧୧୨
ଅସାଧୁ ବୃତ୍ତି ଏହ ଦେହି । ନୃପ ଆସନେ ଯୋଗ୍ୟ ନୋହି ॥ ୧୧୩
ଯେ ରାଜା ଲଜ୍ଜା ଦୂର କରି । ନିନ୍ଦଇ ଯଜ୍ଞପତି ହରି ॥ ୧୧୪
କେ ଏହା ସହେ ଦେହ ବହି । ବେଣକୁ ରାଜପଦ ଦେଇ ॥ ୧୧୫
ଏମନ୍ତେ ବେଣ ନାଶ ପାଇଁ । ମୁନିଏ ମହାକୋପ ବହି ॥ ୧୧୬
ହୁଙ୍କାର କରି ବେଦବାଣେ । ପ୍ରହାର କଲେ ଜଣେ ଜଣେ ॥ ୧୧୭
ଅଚ୍ୟୁତ ନିନ୍ଦା ଫଳ ଥିଲା । ତକ୍ଷଣେ ଦେହୁ ପ୍ରାଣଗଲା ॥ ୧୧୮
ବେଣକୁ ନାଶି ବିପ୍ରଜନେ । ଗଲେ ସେ ଯେ ଯାହା ଭୁବନେ ॥ ୧୧୯
ସୁନୀଥା ପୁତ୍ରର ମରଣ । ଦେଖି କରଇ ବିଚାରଣ ॥ ୧୨୦
ଅବଶ୍ୟ ଏହାର ଶରୀରେ । ପୁତ୍ର ଉପୂଜିବ ସଂସାରେ ॥ ୧୨୧
ହୋଇବେ ପ୍ରଜାଜନେ ସୁଖୀ । ଏତେ ବିଚାରି ଅଶ୍ରୁମୁଖୀ ॥ ୧୨୨
ତଇଳ-ଦ୍ରୋଣୀ ମଧ୍ୟେ ଥୋଇ । ବେଣର ଶରୀର ପାଳଇ ॥ ୧୨୩
ହେନ ସମୟେ ଏକ ଦିନେ । ସରସ୍ୱତୀରେ ବିପ୍ରଜନେ ॥ ୧୨୪
ନିଶ୍ଚିନ୍ତେ ପ୍ରାତଃସ୍ନାନ ସାରି । ହୋମେ ପୂଜିଲେ ନରହରି ॥ ୧୨୫
ବିଷ୍ଣୁର କଥାଗୋଷ୍ଠୀ କଲେ । ଏମନ୍ତ ଉତ୍ପାତ ଦେଖିଲେ ॥ ୧୨୬
ଶୁଭଇ ମୁଖ ରାବ ଘୋଷ । ଭୟେ କମ୍ପନ୍ତି ଦଶଦିଶ ॥ ୧୨୭
ପ୍ରଜାଏ ଭୟର ଆତୁରେ । ପଳାନ୍ତି ବନ ଗିରି ଘୋରେ ॥ ୧୨୮
ମୁନି ଚାହାନ୍ତି ଚାରିଦିଗେ । ଧୂଳି ଉଡଇ ବାୟୁ ବେଗେ ॥ ୧୨୯
ଦୁଷ୍ଟେ ଧାମନ୍ତି ଶସ୍ତ୍ର ଧରି । ଡାକନ୍ତି ମାର ମାର କରି ॥ ୧୩୦
ତାଙ୍କ ଚରଣ ଧୂଳି ବେଗେ । ଆଚ୍ଛାଦି ଉଡେ ଦଶଦିଗେ ॥ ୧୩୧
ଦୁଷ୍ଟେ ଲୁଟନ୍ତି ପ୍ରଜାଧନ । ଅଦ୍ଭୁତେ ଶୁଭେ ଘୋରସ୍ୱନ ॥ ୧୩୨
ମୁନିଏ ପ୍ରଜା ଦୁଃଖ ଦେଖି । ମନେ ହୋଇଲେ ଗୁରୁ ଦୁଃଖୀ ॥ ୧୩୩
ବୋଲନ୍ତି କଲୁ ମନ୍ଦ-କୃତ୍ୟ । ପ୍ରଜାଏ ହୋଇଲେ ଅନାଥ ॥ ୧୩୪
ଆମ୍ଭେ ତପସ୍ୟା କଥା ଜାଣି । ରାଜ୍ୟକୁ ରାଜା ସେ କାରେଣୀ ॥ ୧୩୫
ରାଜା ନ ଥିଲେ ପ୍ରଜା କାହିଁ । ଏମନ୍ତ ବୋଲି ଦୟାବହି ॥ ୧୩୬
ବୋଲନ୍ତି ବ୍ରାହ୍ମଣ-ବେଭାରେ । ସଂସାରେ ପର-ଉପକାରେ ॥ ୧୩୭
ସମାନ-ଦୃଷ୍ଟି ଯେ ବ୍ରାହ୍ମଣ । ଶାନ୍ତି ବିବେକ ସୁଲକ୍ଷଣ ॥ ୧୩୮
ଯେବେ ସେ ଦୁଃଖୀଙ୍କ କୁଶଳେ । ହେଳାରେ ବିଚାର ନ କରେ ॥ ୧୩୯
ତା ଦେଖୁ ତପ ତୁଚ୍ଛ ଯାଏ । ଭଗ୍ନ-ଭଣ୍ତରେ କ୍ଷୀର ପ୍ରାୟେ ॥ ୧୪୦
କେବେହେଁ ନୋହେ ସେ ନିରୋଧ । ଏମନ୍ତ ମଣି ଶାସ୍ତ୍ରବାଦ ॥ ୧୪୧
ବୋଲନ୍ତି ଅଙ୍ଗରାଜା ବଂଶେ । ରାଜା ଧାର୍ମିକ ବିଷ୍ଣୁଅଂଶେ ॥ ୧୪୨
ସେ ରାଜା ଗୋବିନ୍ଦ ଆଶ୍ରୟେ । ପ୍ରଜା ପାଳନେ ସ୍ନେହବହେ ॥ ୧୪୩
ତାର ଜୀବନ ଏ ସଂସାରେ । ବର୍ତ୍ତଇ ପର-ଉପକାରେ ॥ ୧୪୪
ଏତେ ବିଚାରି ବିପ୍ରବରେ । ଉରୁ ମନ୍ଥିଲେ କୁଶ-ଶରେ ॥ ୧୪୫
ବାହୁକ ନାମେ ନର ଅଂଶେ । ଅଦ୍ଭୁତେ ହୋଇଲା ପୁରୁଷେ ॥ ୧୪୬
କାକହୁଁ କୃଷ୍ଣ ଅଙ୍ଗ ତାର । ନାସିକା ହନୁ ଭୟଙ୍କର ॥ ୧୪୭
ହସ୍ତ ଚରଣ ଦେହ କୃଶ । ତାମ୍ରର ପ୍ରାୟ ମୁଣ୍ତକେଶ ॥ ୧୪୮
ଅରୁଣ ବିରାଜେ ଲୋଚନ । ଭ୍ରୂକୁଟୀ କୁଟିଳ ବଦନ ॥ ୧୪୯
ବିପ୍ରଙ୍କ ପାଦେ ଶିର ଦେଇ । ବୋଲଇ କି କରିବି ମୁହିଁ ॥ ୧୫୦
ତାର ସ୍ୱରୂପ ଦେଖି ମନେ । ବିଚାର କଲେ ମୁନିଜନେ ॥ ୧୫୧
ଦେଖ ଅଦ୍ଭୁତ ଏହା କାୟେ । ରାଜ ଆସନେ ଯୋଗ୍ୟ ନୋହେ ॥ ୧୫୨
ଏହାକୁ ଆମ୍ଭେ ରାଜା କଲେ । ସଂସାର ନାଶିବ ଏ ଭଲେ ॥ ୧୫୩
ଏମନ୍ତେ ବିପ୍ରେ ବିଚାରିଲେ । ନିଷାଦ ବୋଲି ଆଜ୍ଞାଦେଲେ ॥ ୧୫୪
ବୋଇଲେ ବନେ ହୁଅ ରାଜ । ଗିରିକାନନେ ପାଅ ପୂଜା ॥ ୧୫୫
ଏମନ୍ତ ମୁନିଙ୍କ ବଚନେ । ସେହୁ ପୁରୁଷ ଚଳେ ବନେ ॥ ୧୫୬
ତା ବଂଶ ନିଷାଦ ହୋଇଲେ । ଗିରି କାନନ ଆଶ୍ରେ କଲେ ॥ ୧୫୭
ବେଣର ଦେହେ ପାପ ଥିଲା । ନିଷାଦ ରୂପେ ବନେ ଗଲା ॥ ୧୫୮
ବୋଲଇ ଦାସ ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ॥ ୧୫୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ପୃଥୁ ଚରିତେ ନିଷାଦୋତ୍ପତ୍ତିର୍ନାମ ଷୋଡଶୋଽଧ୍ୟାୟଃ ॥
* * *