ଚତୁର୍ଥ ସ୍କନ୍ଧ
ପଞ୍ଚଦଶ ଅଧ୍ୟାୟ
ସୂତଉବାଚ
ମୈତ୍ରେୟ ବାକ୍ୟ ଶୁଣି କର୍ଣ୍ଣେ । ଆନନ୍ଦ ବିଦୁରର ମନେ ॥ ୧
ଧ୍ରୁବ ଯେ ଜନନୀ ସହିତେ । ନିଶ୍ଚଳେ କଳ୍ପ ପରିଯନ୍ତେ ॥ ୨
ବସିଲା ଯାଇ ଧ୍ରୁବପଦେ । ଜ୍ୟୋତିଷ୍କ ଗ୍ରହ ଚକ୍ର ମଧ୍ୟୋ ॥ ୩
ମୈତ୍ରେୟ ପାଦେ ଦେଇ କର । ଆନନ୍ଦେ ପୁଚ୍ଛଇ ବିଦୁର ॥ ୪
ବିଦୁର ଉବାଚ
ଭୋ ମୁନି ପ୍ରଚେତସମାନେ । କେବା ସେ କେବଣ ଭୁବନେ ॥ ୫
କେବଣ ବଂଶେ କିବା ଜାତି । କାହାର ପୁତ୍ର ସେ ବୋଲାନ୍ତି ॥ ୬
ପୂର୍ବେ ସେ ନାରଦ ବଚନେ । ଯଜ୍ଞ ଆରମ୍ଭି କେଉଁ ବନେ ॥ ୭
ହରିଙ୍କି କ୍ରିୟାଯୋଗେ ପାଇ । ଭବୁ ତରିଲେ ଦଶଭାଇ ॥ ୮
ସେ ଧର୍ମଶୀଳ ପ୍ରଚେତସ । ଯଜ୍ଞେ ବିଷ୍ଣୁଙ୍କୁ କରି ତୋଷ ॥ ୯
ସେ କଥା କହ ମୁନି ମୋତେ । ସଂସାରୁ ତରିବି ଯେମନ୍ତେ ॥ ୧୦
ମୈତ୍ରେୟ କହିଲେ ବିଦୁର । ଶୁଣ ହେ ବୃତ୍ତାନ୍ତ ତାହାର ॥ ୧୧
ତୁ ଯେ ପ୍ରାର୍ଥନା କଲୁ ମୋତେ । ଶୁଣ ବିଦୁର କହୁ ତୋତେ ॥ ୧୨
ଧ୍ରୁବର ପୁତ୍ର ଗୁଣଧାମ । ଜ୍ୟେଷ୍ଠ ଉତ୍କଳ ତାର ନାମ ॥ ୧୩
ତାହାକୁ ଅଧିରାଜ୍ୟେ ସ୍ଥାପେ । ଧ୍ରୁବ ଯେ ଗଲା ବନେ ତପେ ॥ ୧୪
ସେ ବସି ରାଜାର ଆସନେ । ଉତ୍ତମ ରତ୍ନ-ସିଂହାସନେ ॥ ୧୫
ଅନେକ ଦିନ ରାଜ୍ୟ କରି । ସେ ଗୁଣୀ ମନରେ ବିଚାରି ॥ ୧୬
ପିତାର ଯାତ୍ରା ଶୁଣି କର୍ଣ୍ଣେ । ସୁଖ ନ ଲଭେ ଦୁଃଖ ମନେ ॥ ୧୭
ସେ ଯେ ସ୍ୱଭାବେ ଆତ୍ମଜ୍ଞାନୀ । ସମଦରଶୀ ବୁଦ୍ଧି ଘେନି ॥ ୧୮
ଦେଖଇ ସର୍ବଭୂତେ ହରି । ସ୍ଥାବର ଜଙ୍ଗମାଦି କରି ॥ ୧୯
ଏକାନ୍ତ ଆତ୍ମବୋଧ-ରସେ । ଗୁଣ-ପ୍ରବାହେ ସେ ନ ମିଶେ ॥ ୨୦
ନିର୍ଗୁଣ-ମନ-ବୁଦ୍ଧି ତାର । ନ ଜାଣେ ବାହ୍ୟ ଅଭ୍ୟନ୍ତର ॥ ୨୧
ଜଡାନ୍ଧ-ବଧିରଙ୍କ ପ୍ରାୟେ । ଭସ୍ମ-ଭୂଷିତ ଶୁଦ୍ଧ ଦେହେ ॥ ୨୨
ବାଳେ ଧାବନ୍ତି ଯାକୁ ଦେଖି । କେ ପାରେ ତାଙ୍କ ଗୁଣ ଲେଖି ॥ ୨୩
ବୁଲଇ ନାନା-ମାର୍ଗେ ଲୁଚି । କେହି ନ ପାରେ ତାକୁ ଲକ୍ଷି ॥ ୨୪
ଜଡ ଉନ୍ମତ୍ତ ତାକୁ ଜାଣି । ବନ୍ଧୁ ବାନ୍ଧବ ମନେ ଗୁଣି ॥ ୨୫
ମନ୍ତ୍ରୀ-ଅମାତ୍ୟଗଣେ ମିଳି । ରାଜ୍ୟ-ରକ୍ଷଣ ନିତ୍ୟେ ଭାଳି ॥ ୨୬
ବତ୍ସର ତା ଅନୁଜ ନାମ । ସୁନ୍ଦର ସର୍ବ-ଗୁଣଧାମ ॥ ୨୭
ତାହାକୁ ସକଳେ ବିଚାରି । ସ୍ୱରାଜ୍ୟେ ଅଭିଷେକ କରି ॥ ୨୮
ସ୍ଥାପିଲେ ନୃପତି ଆସନେ । ଏମନ୍ତେ ଗଲା କେତେଦିନେ ॥ ୨୯
ସ୍ୱର୍ବୀଥି ନାମେ ପତ୍ନୀ ତାର । ଯୋଷିତଗଣେ ସେ ଗମ୍ଭୀର ॥ ୩୦
ତାର ଉଦରୁ ସୁତ ଜାତ । ହୋଇଲେ ଗୁଣେ ଅପ୍ରମିତ ॥ ୩୧
ପୁଷ୍ପାର୍ଣ ତିଗ୍ଧକେତୁ ନାମ । ଈଷ ଉର୍ଜ୍ଜ ଯେ ଅନୁପମ ॥ ୩୨
ବସୁ ଜୟ ଯେ ଷଟ ସୁତେ । ଗୁଣେ ପ୍ରଖ୍ୟାତ ଏ ଜଗତେ ॥ ୩୩
ପ୍ରଭା ଦୋଷା ଯେ ବେନି ନାରୀ । ପୁଷ୍ପାର୍ଣ୍ଣ ତୁଲେ ବିଭାକରି ॥ ୩୪
ସେ ପ୍ରଭା ଗର୍ଭେ ତିନି ସୁତ । ହୋଇଲେ ଜଗତେ ବିଖ୍ୟାତ ॥ ୩୫
ପ୍ରାତଃ ମଧ୍ୟାହ୍ନ ସାୟଂକାଳ । ସ୍ୱଭାବେ ତେଜ ଅନର୍ଗଳ ॥ ୩୬
ପ୍ରଦୋଷ ନିଶୀଥ ଯେ ବ୍ୟୁଷ୍ଟ । ଦୋଷା ତନୟ ତିନି ଶ୍ରେଷ୍ଠ ॥ ୩୭
ବ୍ୟୁଷ୍ଟର ପତ୍ନୀ ପୁଷ୍କରଣୀ । ତା ଗର୍ଭେ ସର୍ବତେଜା ଜନ୍ମି ॥ ୩୮
ଆକୂତି ଲନ୍ୟା ହେଲା ବିଭା । କିବା ଉପମା ତାରେ ଦେବା ॥ ୩୯
ଚାକ୍ଷୁଷ ମନୁ ତାର ବୀର୍ଯ୍ୟେ । ଜନ୍ମିଳା ଆକୂତିର ଗର୍ଭେ ॥ ୪୦
ନଡ୍ୱଳା ଚାକ୍ଷୁଷର ନାରୀ । ରୂପେ କମଳା ନୋହେ ସରି ॥ ୪୧
ତାର ଉଦରେ ବାର ସୁତେ । ଜନ୍ମିଲେ ବିଷ୍ଣୁତେଜ ଯୁତେ ॥ ୪୨
ନାମ ସେ ପୁରୁ କୁତ୍ସ ତ୍ରିତ । ଦ୍ୟୁମ୍ନ ସତ୍ୟ ତେ ଋତବ୍ରତ ॥ ୪୩
ଅତିରାତ୍ର ଯେ ଅଗ୍ନିଷ୍ଟୋମ । ଶିବି ଯେ ଉଲୁକ ପ୍ରଦ୍ୟୁମ୍ନ ॥ ୪୪
ଉଲୁକ ତହୁଁ ଷଟସୁତ । ହୋଇଲେ ମନୁବଂଶେ ଖ୍ୟାତ ॥ ୪୫
ଅଙ୍ଗ ସୁମନା ଖ୍ୟାତି ତିନି । କ୍ରତୁ ଅଙ୍ଗିରା ଗୟ ଘେନି ॥ ୪୬
ସୁନୀଥା ଯମର ଦୁହିତା । ଅଙ୍ଗର ଅଟେ ସେ ବନିତା ॥ ୪୭
ବେଣ ତାହାର ଗର୍ଭୁ ଜାତ । ଶୁଣ ହେ ତାହାର ଚରିତ ॥ ୪୮
ସେ ପୁଣି ମାତାମହ ଦୋଷେ । ଦୁଷ୍ଟ ହୋଇଲା ମନୁ ବଂଶେ ॥ ୪୯
ଦୁଃଶୀଳପଣ ଦେଖି ତାର । ପିତା ଚଳିଲା ଛାଡି ପୁର ॥ ୫୦
ତାହାର ଦେଖି ଦୁଷ୍ଟପଣ । କୋପେ ନାଶିଲେ ମୁନିଗଣ ॥ ୫୧
ପୁଣି ତାହାର ମୃତ-ଗାତ୍ରେ । ବିପ୍ରେ ମନ୍ଥିଲେ ପୁତ୍ର ଅର୍ଥେ ॥ ୫୨
ଦକ୍ଷିଣ କରେ କୁଶ ବିଡି । ମନ୍ଥନ କଲେ ବେଦ ପଢି ॥ ୫୩
ପ୍ରଜା ଅନାଥ ଅରାଜକେ । ଦୁଷ୍ଟେ ପୀଡିଲେ ଅତିରେକେ ॥ ୫୪
ତା ତହୁଁ ପୃଥୁ ନାମେ ହରି । ଜନ୍ମିଲେ ରାଜରୂପ ଧରି ॥ ୫୫
ତା ଶୁଣି ସନ୍ତୋଷେ ବିଦୁର । ମୁନି ଚରଣେ ଦେଇ କର ॥ ୫୬
ରୋମ ପୁଲକ ତନୁ ବହି । ପୁଚ୍ଛଇ କୃତକୃତ୍ୟ ହୋଇ ॥ ୫୭
ବିଦୁର ଉବାଚ
ଯେ ଅଙ୍ଗ ସାଧୁ ଶୀଳନିଧି । ସର୍ବ-ଲକ୍ଷଣ ଶ୍ରେୟ-ବୁଦ୍ଧି ॥ ୫୮
ବ୍ରାହ୍ମଣ ପ୍ରଜା ରକ୍ଷାକାରୀ । ସେ ସର୍ବଧର୍ମେ ଅଧିକାରୀ ॥ ୫୯
ତାହାର ବେଣ ନାମେ ସୁତ । ସେ ଦୁଷ୍ଟ ହୋଇଲା କେମନ୍ତ ॥ ୬୦
ପ୍ରଜାଏ ତାର ଦୁଷ୍ଟପଣେ । ଭୟେ ପଶିଲେ ଘୋରବନେ ॥ ୬୧
କିମ୍ପା ବ୍ରାହ୍ମଣେ କୋପକଲେ । ତାହାକୁ ବ୍ରହ୍ମଦଣ୍ତ ଦେଲେ ॥ ୬୨
ସେ ବିପ୍ରବରେ ସର୍ବଜ୍ଞାତା । ଆଗମ ନିଗମ ବକତା ॥ ୬୩
ଏଡେ ଅନ୍ୟାୟ କିମ୍ପା କଲେ । ରାଜାଙ୍କୁ କିମ୍ପା ବିନାଶିଲେ ॥ ୬୪
ରାଜାର ଶରୀରେ ନିଶ୍ଚଳେ । ବସନ୍ତି ଦଶଦିଗପାଳେ ॥ ୬୫
ଯେ ରାଜା ବିଷ୍ଣୁତେଜ ବହି । ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ ॥ ୬୬
ସକଳ ରକ୍ଷଣର ଅର୍ଥେ । ତେଣୁ ଭିଆଣ ରାଜମତେ ॥ ୬୭
ଯମର ସୁତା-ସୁତ ଯେଣୁ । ଦୁଷ୍ଟ ହୋଇଲେ ଅବା ତେଣୁ ॥ ୬୮
ତତ୍ତ୍ବଜ୍ଞ ମଧ୍ୟେ ତୁ ଉତ୍ତମ । ସର୍ବଜ୍ଞ ତୁହି ପୁଣ୍ୟଧାମ ॥ ୬୯
ଏ କଥା କହ ମୁନି ମୋତେ । ସଂଶୟ ନ ରହୁ ମୋ ଚିତ୍ତେ ॥ ୭୦
ବିଦୁର ତହୁଁ ପ୍ରଶ୍ନ ଶୁଣି । ମୈତ୍ରେୟ କହେ ମୃଦୁ-ବାଣୀ ॥ ୭୧
ମୈତ୍ରେୟ ଉବାଚ
ଶୁଣ ହେ ବେଣ ଦୁଷ୍ଟପଣ । କହିବା ତାହାର କାରଣ ॥ ୭୨
ଅଙ୍ଗ ଯେ ଅଶ୍ୱମେଧ କଲା । ଉତ୍ତମ-ଋଷିଙ୍କି ବରିଲା ॥ ୭୩
ସକଳେ ମିଳି ବେଦନାଦେ । ଅନଳ ପୂଜିଲେ ସମିଧେ ॥ ୭୪
ଯଜ୍ଞ-କୁଣ୍ତକୁ ବିପ୍ରେ ଚାହିଁ । ଦେଖିଲେ ଦେବଗଣେ ନାହିଁ ॥ ୭୫
ଇନ୍ଦ୍ରାଦି ଦଶଦିଗପାଳେ । ସେ ଯଜ୍ଞେ କେହି ନ ମିଳିଲେ ॥ ୭୬
ଦେଖି ବିସ୍ମୟେ ମୁନିଜନେ । ନିକଟେ ରାଇ ଯଜମାନେ ॥ ୭୭
ବୋଇଳେ ରାଜା ମୁଖ ଚାହିଁ । ଏ ଯଜ୍ଞ କରୁ କାହିଁ ପାଇଁ ॥ ୭୮
ଦେବେ ସେ ହବି ନ ଘେନିଲେ । ଆମ୍ଭେ ପଚାରୁ ତେଣୁ ଭଲେ ॥ ୭୯
ଶୁଣ ରାଜନ ସାବଧାନେ । କିବା କଳ୍ପିତ ତୋର ମନେ ॥ ୮୦
ପବିତ୍ର-ଦ୍ରବ୍ୟ ଶ୍ରଦ୍ଧାକରି । ସକଳ-ନିଗମ ଉଚ୍ଚାରି ॥ ୮୧
ଆମ୍ଭେ ସକଳେ ଧୃତବ୍ରତ । ତୁମ୍ଭେ-ସ୍ୱଭାବେ ଶୁଦ୍ଧଚେତ ॥ ୮୨
ମନ୍ତ୍ର ଉଚାରି ଆମ୍ଭେ ତୁଣ୍ତେ । ଆହୁତି ଦେଲୁ ଯଜ୍ଞକୁଣ୍ତେ ॥ ୮୩
ଦେବେ ନଇଲେ କେଉଁଭାବେ । ତାର ପ୍ରସ୍ତାବ ଶୁଣ ଏବେ ॥ ୮୪
ସକଳ କର୍ମ ସାକ୍ଷୀ ଦେବେ । କିମ୍ପା ନଇଲେ ଯଜ୍ଞଭାଗେ ॥ ୮୫
ମୈତ୍ରେୟ ଉବାଚ
ଅଙ୍ଗ ଯେ ବିପ୍ର ବାକ୍ୟ ପୁଣି । ମୁହୂର୍ତ୍ତେ ରହି ମନେ ଗୁଣି ॥ ୮୬
ସଭାଜନଙ୍କ ମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥ ୮୭
କି ମଦ କର୍ମ ମୋର ଅଛି । କେମନ୍ତେ ପାରିବି ମୁଁ ଲକ୍ଷି ॥ ୮୮
ଦେବେ ନଇଲେ ଯଜ୍ଞଭାଗେ । କାରଣ କହ ମୋର ଆଗେ ॥ ୮୯
ଏମନ୍ତ ରାଜା ମୁଖୁ ଶୁଣି । ସ୍ୱଧର୍ମ ବିପ୍ରେ ପରିମାଣି ॥ ୯୦
ବୋଇଲେ ରାଜା ମୁଖ ଚାହିଁ । ଏ ଜନ୍ମେ ତୋର ଦୋଷ ନାହିଁ ॥ ୯୧
ପୂର୍ବ ଅର୍ଜିତ କର୍ମ-ଫଳେ । ସନ୍ତତି ନାହିଁ ତୋର କୋଳେ ॥ ୯୨
ଅପୁତ୍ର ଦୋଷେ ଦେବଗଣେ । ନଇଲେ ଯଜ୍ଞ-ନିମନ୍ତ୍ରଣେ ॥ ୯୩
ସଙ୍କଳ୍ପ ପୁତ୍ର-ଅର୍ଥେ କର । ଯଜ୍ଞପୁରୁଷ ଯଜ୍ଞେ ବର ॥ ୯୪
ତେବେ ସକଳ ଦେବଗଣ । ତୋ ଯଜ୍ଞେ ହୋଇବେ ବରଣ ॥ ୯୫
ସେ ବିଷ୍ଣୁ ହବିର୍ଭାଗ ପାଇ । ତୋହର ଯଜ୍ଞେ ତୋଷ ହୋଇ ॥ ୯୬
ସେ ହରି ପୁତ୍ର ଦେବେ ତୋତେ । ସଂସାରୁ ତରିବୁ ଯେମନ୍ତେ ॥ ୯୭
ମୈତ୍ରେୟ ଆନନ୍ଦ ଚିତ୍ତରେ । କହନ୍ତି ଶୁଣ ହେ ବିଦୁରେ ॥ ୯୮
ଏମନ୍ତ ବିପ୍ରବାକ୍ୟ ଶୁଣି । ସେ ଅଙ୍ଗରାଜ ମନେ ଗୁଣି ॥ ୯୯
ଯଜ୍ଞେ ଯଜ୍ଞପୁରୁଷ ତୁଣ୍ତେ । ଆହୁତି ଦେଲେ ହୋମକୁଣ୍ତେ ॥ ୧୦୦
ମନ୍ତ୍ର ଉଚ୍ଚାରି ବିଧିମତେ । ମୁନିଏ ଦେଲେ ଶୁଦ୍ଧଚିତ୍ତେ ॥ ୧୦୧
ତକ୍ଷଣେ ହୋମକୁୁଣ୍ତୁ ଜାତ । ହୋଇଲା ପୁରୁଷ ଅଦ୍ଭୁତ ॥ ୧୦୨
ହୃଦେ ଲମ୍ବଇ ହେମହାର । କଟିରେ ଶୋହେ ପାତାମ୍ବର ॥ ୧୦୩
ସୁବର୍ଣ୍ଣ ପାତ୍ର କରେ ଧରି । ସିଦ୍ଧ ପାୟସ ପୂର୍ଣ୍ଣ କରି ॥ ୧୦୪
ତେଜେ ଗଞ୍ଜଇ ସୂର୍ଯ୍ୟକାନ୍ତି । ତା ଦେଖି ବିପ୍ରେ କଲେ ସ୍ତୁତି ॥ ୧୦୫
ଷୋଡଶ-ଉପଚାର ଯୁତେ । ବିପ୍ରେ ପୂଜିଲେ ଜଗନ୍ନାଥେ ॥ ୧୦୬
ଯଜ୍ଞପୁରୁଷ ଆଜ୍ଞା ଘେନି । ବ୍ରାହ୍ମଣେ କଲେ ଜୟଧ୍ୱନି ॥ ୧୦୭
ଅମୃତମୟ କ୍ଷୀରି-ପୂର୍ଣ୍ଣ । ରାଜାଙ୍କୁ ଅର୍ପିଲେ ବ୍ରାହ୍ମଣ ॥ ୧୦୮
ବିପ୍ର-ବଚନେ କ୍ଷୀରିପାତ୍ର । କରେ ଘେନିଲେ ନରନାଥ ॥ ୧୦୯
ଆଘ୍ରାଣ କରି ନାସା ଦ୍ୱାରେ । ଦେଲା ସେ ନିଜ ପତ୍ନୀ କରେ ॥ ୧୧୦
ରାଣୀ ତା ଘେନଲା ସନ୍ତୋଷେ । ଗୃହେ ଭୁଞ୍ଜିଲା ମନ ତୋଷେ ॥ ୧୧୧
ତକ୍ଷଣେ ପୁଂସବନ ଭାବେ । ପୁତ୍ର ରହିଲା ତାର ଗର୍ଭେ ॥ ୧୧୨
ସେ ଗର୍ଭକାଳ ଉପଗତ । କୁମାର ଜନ୍ମିଲା ଅଦ୍ଭୁତ ॥ ୧୧୩
ଦିନକୁ ଦିନ ସେ ବଢିଲା । ମାତାର ଅଂଶ ନ ଛାଡିଲା ॥ ୧୧୪
ସୁନୀଥା ଯମସୁତା ଯେଣୁ । ତା ସୁତ ଅଧାର୍ମିକ ତେଣୁ ॥ ୧୧୫
ଅଧର୍ମ-ଅଂଶୁ ଯମ ଜାତ । ଦୌହିତ୍ର ତାର ଅନୁଗତ ॥ ୧୧୬
ସ୍ୱଭାବେ ହୋଇ ଅଧାର୍ମିକ । କ୍ଷତ୍ରିୟ ଭାବେ ଅତିରେକ ॥ ୧୧୭
ନିରତେ ଧନୁଶର ଧରି । ବନେ ମୃଗୟା ନିତ୍ୟେ କରି ॥ ୧୧୮
ନିର୍ଦ୍ଦୋଷେ ପଶୁଗଣ ମାରେ । ଦୟା-ବିବେକ ନ ବିଚାରେ ॥ ୧୧୯
ତୁଲ୍ୟବୟସୀ ବାଳ-ମେଳେ । ଯେବେ ଖେଳଇ କୁତୂହଳେ ॥ ୧୨୦
ତାହାଙ୍କୁ ଦୁଷ୍ଟପଣେ ଦୃଢେ । ଚରଣେ ଚାପି ମୁଣ୍ତ ମୋଡେ ॥ ୧୨୧
କାହାର କେଶ ବାସ ଫେଡି । କର ଚରଣ ଦୃଢେ ଭିଡି ॥ ୧୨୨
ଏମନ୍ତ ତାର ଦୁଷ୍ଟପଣେ । ରାଜାର ଆଗେ ପ୍ରଜାଗଣେ ॥ ୧୨୩
ରୋଦନ କରି ଉଚ୍ଚସ୍ୱରେ । କର-ଅଞ୍ଜଳି ଦେଇ ଶିରେ ॥ ୧୨୪
କହନ୍ତି ବେଣ ଦୁଷ୍ଟପଣ । ରୋଦନ କରି ପ୍ରଜାଗଣ ॥ ୧୨୫
ଭୋନାଥ ଅନାଥର ପ୍ରାୟେ । ହୋଇଲୁ ସର୍ବ-ପରଜାଏ ॥ ୧୨୬
ଏମନ୍ତ ଅଙ୍ଗରାଜା ଶୁଣି । ଖଳପୁତ୍ରକୁ ଘରେ ଆଣି ॥ ୧୨୭
ନାନା-ପ୍ରକାରେ ଧର୍ମ କହି । ଅନେକ-ପ୍ରକାରେ ବୁଝାଇ ॥ ୧୨୮
ଶୁଣନ୍ତେ ନାନା-କୋପ କରେ । ପିତାର ବଚନ ନ ଧରେ ॥ ୧୨୯
ଦିନକୁ-ଦିନ ଦୁଷ୍ଟପଣେ । କୋପ ବହିଲେ ପ୍ରଜାଗଣେ ॥ ୧୩୦
ଅଙ୍ଗ ତାହାର କର୍ମ ଦେଖି । ଭାଳଇ ଅତିଦୁଃଖେ ଦୁଃଖୀ ॥ ୧୩୧
ଦେଖ ମୁଁ ବିଷ୍ଣୁ-ପାଦେ ସେବି । କୁପୁତ୍ରେ ହେଲି ପରାଭବୀ ॥ ୧୩୨
ସବୁରି ସଙ୍ଗେ ନିରନ୍ତରେ । ମହତ-ଦୋରେହା ଆଚରେ ॥ ୧୩୩
ପ୍ରାଣୀଙ୍କ ମନେ ବହୁବ୍ୟଥା । ଏ ଦୁଷ୍ଟ ଦିଅଇ ସର୍ବଥା ॥ ୧୩୪
ଏ ପୁତ୍ରେ କାର୍ଯ୍ୟ ଅଛି କିସ । ନାଶଇ ଇହ ପର ଯଶ ॥ ୧୩୫
ପୁଣି ସେ ରାଜା ବିଚାରଇ । ସୁପୁତ୍ର ଛାଡି ନ ହୁଅଇ ॥ ୧୩୬
କୁପୁତ୍ରେ ମାତ୍ର ଏତେ ଲାଭ । ସ୍ୱଜନଗୃହେ ଛାଡେ ଲୋଭ ॥ ୧୩୭
ସୁପୁତ୍ର-କୁପୁତ୍ର ବିଚାରେ । ଚିତ୍ତ ନ ରହେ ତାର ଘରେ ॥ ୧୩୮
ରଜନୀ-ଅର୍ଦ୍ଧେ ନୃପବର । ମନ୍ଦିରୁ ହୋଇଲା ବାହାର ॥ ୧୩୯
ବନେ ପଶିଲା ନରପତି । କେହି ନ ଜାଣେ ତାର ଗତି ॥ ୧୪୦
ତାହାର ପାତ୍ର-ମନ୍ତ୍ରୀଗଣେ । ଅନେକ ଖୋଜି ଘୋରବନେ ॥ ୧୪୧
ନ ଦେଖି ଗନରେ ମିଳିଲେ । ଅନେକ ପ୍ରକାରେ ଭାଳିଲେ ॥ ୧୪୨
ରୋଦନ କଲେ ଛନ୍ନ ମନେ । ବୋଇଲେ କେଣେ ଗଲେ ଶୂନ୍ୟେ ॥ ୧୪୩
ଭାଷା-ପ୍ରବନ୍ଧେ ଭାଗବତ । ବୋଲଇ ବିପ୍ର ଜଗନ୍ନାଥ ॥ ୧୪୪
ଇତିଶ୍ରୀମଦ୍ ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ବେଣଜନ୍ମ କଥନଂ ନାମ ପଞ୍ଚଦଶଶୋଽଧ୍ୟାୟଃ ॥
* * *