ଚତୁର୍ଥ ସ୍କନ୍ଧ

ଚତୁŸର୍ଦ୍ଦଶ ଅଧ୍ୟାୟ

ମୈତ୍ରେୟ ଉବାଚ

ଧ୍ରୁବର କୋପ ଯହୁଁ ଗଲା । କୁବେର ଭୁବନେ ଜାଣିଲା ॥

ତକ୍ଷଣେ ନିଜ ଗଣ ତୁଲେ । ଧ୍ରୁବ ସମୀପେ ଆସି ମିଳେ ॥

ଅଞ୍ଜଳି କରି ବେନିପାଣି । କାକୁସ୍ଥେ କହେ ମଞ୍ଜୁବାଣି ॥

କୁବେର ଉବାଚ

ଆହେ କ୍ଷତ୍ରିୟ-ଚୂଡାମଣି । ତୋର ମହିଁମା ମୁହିଁ ଶୁଣି ॥

ମିଳିଲି ତୋହର ସମୀପେ । ଗୃହ୍ୟ-କିନ୍ନର ଘେନି ଆପେ ॥

ତୁ ଯେଣୁ ପିତାମହ ବୋଲେ । କୋପ ଛାଡିଲୁ ରିପୁ ତୁଲେ ॥

ଭ୍ରାତୃ-ମରଣେ କୋପ ବହି । ଗୃହ୍ୟକ ବିନାଶିଲୁ ତୁହି ॥

କେହି କାହାର ହନ୍ତା ନୋହେ । ପ୍ରାଣୀ-ଜୀବନ କାଳ ଦହେ ॥

ଏ ଜୀବ ଅହଂକାର ବହି । ଆତ୍ମାକୁ ବୋଲେ ତୁହି ମୁହିଁ ॥

ଏ ନୋହେ ଜ୍ଞାନୀଙ୍କର ମତ । ଯାହାକୁ ପ୍ରସନ୍ନ ଅନନ୍ତ ॥ ୧୦

ସଂସାର ଦେଖେ ସ୍ୱପ୍ନ ପ୍ରାୟେ । ସେ ମୋହେ ନୋହେ ବିପର୍ଯ୍ୟୟେ ॥ ୧୧

ତୋର ମଙ୍ଗଳ ହେଉ ନିତ୍ୟେ । ଗୃହେ ତୁ ଚଳ ଶୁଦ୍ଧ ଚିତ୍ତେ ॥ ୧୨

ଯା ଶକ୍ତି ମାୟା-ଗୁଣମୟୀ । ତହିଁରେ ଥାଇ ଯେ ନ ଥାଇ ॥ ୧୩

ସେ ହରିପାଦେ ଆଶ୍ରେ କରେ । ଆତ୍ମକୁ ସଂସାରୁ ଉଦ୍ଧରେ ॥ ୧୪

ତୋତେ ମୋ ହୃଦେ ଅନୁରାଗ । ଯେ ତୋର ଇଚ୍ଛା ବର ମାଗ ॥ ୧୫

ହରିଙ୍କି ହୃଦେ ପରିମାଣୁ । ତୁ ବର-ଯୋଗ୍ୟ ହେଉ ତେଣୁ ॥ ୧୬

ମୈତ୍ରେୟ ଉବାଚ

ଏମନ୍ତେ କୁବେର-ବଚନେ । ଧ୍ରୁବ ବିଚାରି ତୋଷମନେ ॥ ୧୭

ବୋଲଇ ହରି-ପାଦଗତେ । ମୋହର ମନ ଥାଉ ନିତ୍ୟେ ॥ ୧୮

ଅନ୍ୟ କଳ୍ପନା ନାହିଁ ମୋର । ଯାର ପ୍ରସନ୍ନେ ଭବୁ ପାର ॥ ୧୯

କହେ କୁବେର ଧ୍ରୁବେ ଚାହିଁ । ଏ ବର ଲଭ ଧ୍ରୁବ ତୁହି ॥ ୨୦

ଏମନ୍ତ କହି ଧ୍ରୁବ ପାଶେ । କୁବେର ଗମିଲା ଆକାଶେ ॥ ୨୧

ଏବେ ହୋ ଶୁଣ ମହୀପତି । ଧ୍ରୁବର ଅର୍ଜିଲା ବିଭୂତି ॥ ୨୨

କୁବେର-ଭୁବନୁ ସନ୍ତୋଷ । ଧ୍ରୁବର ଗମିଲା ନିଜ-ଦେଶେ ॥ ୨୩

ନିଜ-ଭୁବନେ ଧ୍ରୁବ ଯାଇ । ଋତ୍ୱିଜ ପୁରୋହିତ ରାଇ ॥ ୨୪

ସଂକଳ୍ପ କରି ଯଜ୍ଞମତେ । ପୂଜିଲା ବିଷ୍ଣୁ-ପାଦଗତେ ॥ ୨୫

ଏ ଭାବେ ସମ୍ପଦ-ସମ୍ପାଦି । ଅଣିମା ଆଦି ଅଷ୍ଟନିଧି ॥ ୨୬

ସର୍ବ ସମ୍ପଦ ଭୋଗ କଲା । ଗୃହେ ଉତ୍ତାନପାଦ-ବଳା ॥ ୨୭

ସର୍ବ ପ୍ରକାରେ ବିଷ୍ଣୁ ପାଦେ । ଭକ୍ତି ସାଧିଲା ଅପ୍ରମାଦେ ॥ ୨୮

ପ୍ରଜାଏ ଧ୍ରୁବର ରାଜତ୍ୱେ । ଆନନ୍ଦେ ବଞ୍ଚିଲେ ଜଗତେ ॥ ୨୯

ସ୍ୱଭାବେ ଧ୍ରୁବ ଧର୍ମଶୀଳ । ସୁସାଧୁ ବ୍ରାହ୍ମଣ-ବତ୍ସଳ ॥ ୩୦

ଧ୍ରୁବକୁ ପିତୃଭାବେ ଜାଣି । ଦୁଃଖ ସୁଖକୁ ନ ପ୍ରମାଣି ॥ ୩୧

ଆନନ୍ଦ ମନେ ଜନ ପ୍ରଜା । ପାଳନ କଲେ ଧ୍ରୁବ ରାଜା ॥ ୩୨

ସପତ-ଦ୍ୱୀପ ଅଧିପତି । ହୋଇଲେ ମନୁର ସନ୍ତତି ॥ ୩୩

ଛତିଶ-ସହସ୍ର-ବରଷ । ସ୍ୱଭାବେ ପରମ ଆୟୁଷ ॥ ୩୪

ଆନନ୍ଦ ମନେ ଭୋଗ କଲା । ଭୂମି ମଣ୍ତଳେ ମନୁବଳା ॥ ୩୫

ଭୋଗରେ ପୁଣ୍ୟ କ୍ଷୟ କରି । ଯଜ୍ଞାଦି କାର୍ଯ୍ୟେ ପାପହରି ॥ ୩୬

ତ୍ରିବର୍ଗ ସାଧନ କରିଣ । ପୁତ୍ରକୁ କରି ରାଜ୍ୟ ଦାନ ॥ ୩୭

ନୃପ-ଆସନେ ବସାଇଲା । ସ୍ୱରାଜ୍ୟେ ଅଭିଷେକ କଲା ॥ ୩୮

ଆତ୍ମ-ସମ୍ପଦ ଆଦି ଯେତେ । ସ୍ୱପନ ପ୍ରାୟ ମଣି ଚିତ୍ତେ ॥ ୩୯

ବିଷ୍ଣୁର ମାୟା-ବଳ ଜାଣି । ଗନ୍ଧର୍ବ-ପୁର ପ୍ରାୟ ମଣି ॥ ୪୦

ପୁତ୍ର କଳତ୍ର ଦେହ ମିତ୍ର । ଧନାଦି ସକଳ ଅନିତ୍ୟ ॥ ୪୧

ସର୍ବ-ସମ୍ପଦ ପରିହରି । ସଂଯମେ ଆତ୍ମା ବଶ କରି ॥ ୪୨

ଆଶ୍ରମ ନାମ ବଦରିକା । ତହିଁ ମିଳିଲେ ଧ୍ରୁବ ଏକା ॥ ୪୩

ନିବୃତ୍ତ କରି ଇନ୍ଦ୍ରିଗର । ଚିତ୍ତେ ସୁମରି ନାରାୟଣ ॥ ୪୪

ବିଷ୍ଣୁର ସ୍ଥୂଳ-ରୂପେ ମନ । ଧାରଣା ବଳେ କରି ଧ୍ୟାନ ॥ ୪୫

ତକ୍ଷଣେ ଲିଙ୍ଗ ରୂପ ଗଲା । ନିର୍ମଳ-ଜ୍ୟୋତି ପ୍ରକାଶିଲା ॥ ୪୬

ଧ୍ରୁବ ଭକ୍ତି ଦୃଢ଼ ହେଲା । ତା ଅଭିମାନ ଦୂରେ ଗଲା ॥ ୪୭

ନୟନୁ ଅଶ୍ରୁ-ବିଗଳିତ । ଆନନ୍ଦେ ଅଙ୍ଗ-ପୁଲକିତ ॥ ୪୮

ବିମାନ ଦେଖିଲା ଗଗନେ । ପୂର୍ଣ୍ଣିମା-ସୁଧାକର ଯେହ୍ନେ ॥ ୪୯

ତେଜେ ବିରାଜେ ଦଶଦିଶ । ଆକାଶୁ ହେଲା ପରବେଶ ॥ ୫୦

ରଥେ ଅଛନ୍ତି ବେନିଦୂତ । ଗଞ୍ଜନ୍ତି ଶଶାଙ୍କ-ଆଦିତ୍ୟ ॥ ୫୧

କିଶୋର-ତନୁ ଶ୍ୟାମ ବର୍ଣ୍ଣ । ଅରୁଣ-ପଙ୍କଜଳୋଚନ ॥ ୫୨

ଶୋହେ ସୁନ୍ଦର ଭୁଜଚାରି । ବିଷ୍ଣୁ-ଆୟୁଧ ଛନ୍ତି ଧରି ॥ ୫୩

ଅଙ୍ଗଦ କିରୀଟ କୁଣ୍ତଳ । ହୃଦେ ଲମ୍ବଇ ବନମାଳ ॥ ୫୪

ରତ୍ନ-ମେଖଳା କଟି-ମାଝେ । ମକର କୁଳ ବିରାଜେ ॥ ୫୫

ଧ୍ରୁବ ନିକଟେ ଯାଇ ମିଳି । ଗଗନୁ ଖସେ କି ବିଜୁଳି ॥ ୫୬

ଧ୍ରୁବ ଆନନ୍ଦ ତାଙ୍କୁ ଦେଖି । ସଂଭ୍ରମେ ଆସନ ଉପେକ୍ଷି ॥ ୫୭

ତୁଣ୍ତେ ଗୋବିନ୍ଦ-ନାମ ଗାଇ । କପାଳେ ବେନିକର ଦେଇ ॥ ୫୮

ନମିଲା ତାଙ୍କ ପାଦ ତଳେ । ରୋମ-ପୁଲକ ଅଶ୍ରୁଜଳେ ॥ ୫୯

ସୁନନ୍ଦ ନନ୍ଦ ପାରିଷଦେ । ତକ୍ଷଣେ ମିଳିଲେ ଆନନ୍ଦେ ॥ ୬୦

ଶ୍ରୀକୃଷ୍ଣ-ନାମ ତୁଣ୍ତେ ଗାଇ । ବୋଲନ୍ତି ଧ୍ରୂବ ମୁଖ ଚାହିଁ ॥ ୬୧

ଶୁଣ ଉତ୍ତାନପାଦ-ସୁତ । ସଂସାରେ ତୁହି ଭାଗ୍ୟବନ୍ତ ॥ ୬୨

ତୁ ବାଳ ପଞ୍ଚମ-ବରଷେ । ତପେ ତୋଷିଲୁ ହୃଷୀକେଶୋ ॥ ୬୩

ଏବେ ଗୋବିନ୍ଦ ଆଜ୍ଞା ଶିରେ । ଘେନି ମିଳିଲୁ ତୋ ଛାମୁରେ ॥ ୬୪

ଧ୍ରୁବପଦକୁ ନେବୁ ତୋତେ । ଦେଖ କାଞ୍ଚନ-ଦିବ୍ୟରଥେ ॥ ୬୫

ଦୁର୍ଲ୍ଲଭ ଧ୍ରୁବପଦ ତୁହି । ବନେ ଲଭିଲୁ ତପଦାହି ॥ ୬୬

ଏ ଶିଶୁମାର ଚକ୍ର ତୁଲେ । ଚନ୍ଦ୍ର-ଆଦିତ୍ୟ-ତାର ମେଳେ ॥ ୬୭

ନିତ୍ୟେ ଭ୍ରମନ୍ତି ପ୍ରଦକ୍ଷିଣେ । ପବନ-ରଜ୍ଜୁ ଆକର୍ଷଣେ ॥ ୬୮

ଯେ ପଦେ ତୋର ପିତୃଜନ । ପ୍ରବେଶେ ନୋହିଲେ ଭାଜନ ॥ ୬୯

କେ ଆନ ତାହା ଲଭିପାରେ । ଅନିତ୍ୟ-ସଂସାର-ସାଗରେ ॥ ୭୦

ଅଶେଷ-ଜଗତ-ବନ୍ଦନ । ବିଷ୍ଣୁ-ପରମପଦ-ସ୍ଥାନ ॥ ୭୧

ଏଣୁ ଏ ଉତ୍ତମ-ବିମାନ । ତୋଷେ ପେଷିଲେ ଭଗବାନ ॥ ୭୨

ତୁ ଏବେ ବସ ସ୍ଥିରମନେ । ବିମାନ ବାହିବୁ ଗଗନେ ॥ ୭୩

ମୈତ୍ରେୟ ଉବାଚ

ଏମନ୍ତେ ବିଷ୍ଣୁଦୂତ ବାଣୀ । ଆନନ୍ଦମନେ ଧ୍ରୁବ ଶୁଣି ॥ ୭୪

ତକ୍ଷଣେ ଧ୍ରୁବ ସ୍ନାନ ସାରି । ନିତ୍ୟ-ମଙ୍ଗଳ-କର୍ମ କରି ॥ ୭୫

ତଦନ୍ତେ ଅଳଙ୍କୃତ ହେଲା । ମୁନିଙ୍କଚରଣେ ମନିଲା ॥ ୭୬

ମୁନିଜନଙ୍କ ଆଶୀର୍ବାଦେ । ଜୟମଙ୍ଗଳ ବେଦନାଦେ ॥ ୭୭

ବିମାନ ପ୍ରଦକ୍ଷିଣ କରି । ବିଷ୍ଣୁଦୂତଙ୍କୁ ନମସ୍କାର ॥ ୭୮

ହିରଣ୍ୟମୟ ରୂପ ଧରେ । ସ୍ୱତେଜେ ଦଶଦିଗ ପୂରେ ॥ ୭୯

ଗନ୍ଧର୍ବ ଚତୁର୍ବିଧ ବାଦ୍ୟେ । ଦିଗ ପୂରିଲେ ଗୀତ ନାଦେ ॥ ୮୦

ପୁଷ୍ପ ବରଷନ୍ତି ହରଷେ । ବିବୁଧେ ଦେଖନ୍ତି ଆକାଶେ ॥ ୮୧

ତକ୍ଷଣେ ସୁନୀତିର କଥା । ସ୍ମରଣେ ଧ୍ରୁବ ମନେ ବ୍ୟଥା ॥ ୮୨

ଦୁଃଖିନୀ ମୋହର ଜନନୀ । ତାହାକୁ ତେଜି ମୁହିଁ ପୁଣି ॥ ୮୩

ଯିବି ମୁଁ ସ୍ୱର୍ଗକୁ କି ରୂପେ । ଦୂତେ ଜାଣିଲେ ତା ସଙ୍କଳ୍ପେ ॥ ୮୪

ବୋଇଲେ ଦେଖ ଭକ୍ତାଗ୍ରଣୀ । ଅଗ୍ରେ ବିମାନେ ତୋ ଜନନୀ ॥ ୮୫

ତା ଶୁଣି ଚିତ୍ତ କଲା ସ୍ଥିର । ସେ ବିଷ୍ଣୁଭକ୍ତଙ୍କର ବର ॥ ୮୬

ସୁନୀତି ଜନନୀ ସହିତେ । ବସିଲେ ରତ୍ନମୟ-ରଥେ ॥ ୮୭

ବିମାନ ଯାନ୍ତେ ସ୍ୱର୍ଗପଥେ । ଦେବେ ଯେ ବସି ନିଜ ରଥେ ॥ ୮୮

ଧ୍ରୁବକୁ ଦେଖି ପ୍ରଶଂସନ୍ତି । କେ ବା ଆନନ୍ଦେ କରେ ସ୍ତୁତି ॥ ୮୯

ଏମନ୍ତେ ପୁଷ୍ପ ବୃଷ୍ଟି-ପଥେ । ଗ୍ରହଙ୍କୁ ଦେଖିଳେ ଅଗ୍ରତେ ॥ ୯୦

ତ୍ରୈଲୋକ୍ୟ ଜିଣି ଦିବ୍ୟଯାନେ । ମୁନିଙ୍କି ଦେଖିଲା ବିମାନେ ॥ ୯୧

ମୁନିଙ୍କି ନମିଣ ଆନନ୍ଦେ । ବିଜୟେ କଲା ବିଷ୍ଣୁପଦେ ॥ ୯୨

ସେ ବିଷ୍ଣୁପଦର ମହିମା । କେ କହିପାରେ ଗୁଣସୀମା ॥ ୯୩

ଯେ ପ୍ରାଣୀ ଶାନ୍ତ ସମଦୃଶ । ଅଶେଷ ଜନ୍ତୁଙ୍କ ବିଶ୍ୱାସ ॥ ୯୪

ହରି-ଚରଣେ ଚିତ୍ତ ଯାର । ସୁଶାନ୍ତ ସମବୁଦ୍ଧି ତାର ॥ ୯୫

ସେ ପ୍ରାଣୀ ସେ ପୁରେ ପଶନ୍ତି । ମାୟା-ବନ୍ଧନୁ ନିସ୍ତରନ୍ତି ॥ ୯୬

ଏଣୁ ଉତ୍ତାନପାଦ ସୁତ । ବିଷ୍ଣୁର ପରମ ଭକତ ॥ ୯୭

ସକଳଲୋକ ଚୂଡାମଣି । ନିର୍ମଳ ବୋଲି ଯାକୁ ଗଣି ॥ ୯୮

ସେ ଧ୍ରୁବ ବସିଲା ଯେ ସ୍ଥାନେ । ତା ଗୁଣ ଗୁଣ ସାବଧାନେ ॥ ୯୯

ଗଭୀର ବେଗେ କାଳଚକ୍ରେ । ବାୟୁ ରସନା ଅତିରେକେ ॥ ୧୦୦

ଗ୍ରହ ନକ୍ଷତ୍ର ତାରାଗଣେ । ଭ୍ରମନ୍ତି ମେଧି ଆକର୍ଷଣେ ॥ ୧୦୧

ତାର ମହିମା ଯଶ ଘୋଷି । ବୀଣା-ଶବଦେ ଦେବଋଷି ॥ ୧୦୨

ପ୍ରଚେତାଗଣ ସଙ୍ଗେ ଥାଇ । ନୃତ୍ୟ କରନ୍ତି ଗୀତ ଗାଇ ॥ ୧୦୩

ଧ୍ରୁବର ଯଶ-ଗୁଣ-ବୃନ୍ଦ । ସେ ଯଜ୍ଞେ କହନ୍ତି ନାରଦ ॥ ୧୦୪

କି ପତିବ୍ରତା ଏ ସୁନୀତି । କି ବା ତା ସୁତ ଧ୍ରୁବ ଗତି ॥ ୧୦୫

କିବା ତା ତପର ପ୍ରଭାବ । ବେଦବାଦୀଙ୍କି ଅସମ୍ଭବ ॥ ୧୦୬

ସେ ତପେ ହରିଙ୍କି ତୋଷିଲା । ଜନନୀ ସଙ୍ଗେ ସ୍ୱର୍ଗେ ଗଲା ॥ ୧୦୭

ଶୁଣ ହେ ବ୍ୟାସଙ୍କ କୁମର । ସାଧୁଜନଙ୍କ ମଧ୍ୟେ ବର ॥ ୧୦୮

ତୁ ଯଶୁ ପଚାରିଲୁ ମୋତେ । ଧ୍ରୁବ-ଚରିତ ଭାଗବତେ ॥ ୧୦୯

ଉତ୍ତମ-ଯଶା ଧ୍ରୁବ ବାଣୀ । ଯେ ଏହା ଏକମନେ ଶୁଣି ॥ ୧୧୦

ବିସ୍ତାରି କହେ ସାଧୁମେଳେ । ବସଇ ବୈଷ୍ଣବ-ମଣ୍ତଳେ ॥ ୧୧୧

ଯଶ ଆୟୁଷ ଧନ ମାନ । ସ୍ୱର୍ଗେ ନିବାସ ସ୍ୱସ୍ତ୍ୟୟନ ॥ ୧୧୨

ବିଘ୍ନ-ସମୂହେ ନାହିଁ ଭ୍ରାନ୍ତି । ସକଳ-କ୍ଳେଶୁ ନିସ୍ତରନ୍ତି ॥ ୧୧୩

ବିଷ୍ଣୁ-ସମୀପେ ପ୍ରାତଃକାଳେ । ଗୋବିନ୍ଦ-ଭକ୍ତିଭାବ ଭୋଳେ ॥ ୧୧୪

ପୂଣ୍ଣିମା ଅମାବାସ୍ୟା ଦିନେ । ଦ୍ୱାଦଶୀ ଶ୍ରବଣା ବିଧାନେ ॥ ୧୧୫

ଦିବସ-କ୍ଷୟ ବ୍ୟତିପାତେ । ସଙ୍କ୍ରାନ୍ତି ଅର୍କବାର ଯୁତେ ॥ ୧୧୬

ଶ୍ରଦ୍ଧା ପୂର୍ବକ ଯେ ପଢ଼ନ୍ତି । ଅଥବା ଶ୍ରବଣେ ଶୁଣନ୍ତି ॥ ୧୧୭

ଜ୍ଞାନ-ସନ୍ତୋଷ ପ୍ରାଣୀଙ୍କର । ଚତୁରବର୍ଗ ନୋହେ ଦୂର ॥ ୧୧୮

ସକାମ-ଚିତ୍ତେ ଚିନ୍ତେ ଯେବେ । ଶୁଣନ୍ତି ଧନ-ପୁତ୍ର ଲଭେ ॥ ୧୧୯

କୁଳେ ସୁପୁତ୍ର ହୋଏ ଜାତ । ଯେ ଶୁଣେ ଧ୍ରୁବର ଚରିତ ॥ ୧୨୦

ସଂସାର-ଜନଙ୍କର ହିତେ । ପୁରାଣ କଲି ଗୀତ କୃତେ ॥ ୧୨୧

କହଇ ଦାସ ଜଗନ୍ନାଥ । ଚତୁଥସ୍କନ୍ଧେ ଭାଗବତ ॥ ୧୨୨

ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ଧ୍ରୁବଚରିତଂ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ॥

* * *