ଚତୁର୍ଥ ସ୍କନ୍ଧ
ତ୍ରୟୋଦଶ ଅଧ୍ୟାୟ
ମୈତ୍ରେୟ ଉବାଚ
ଏମନ୍ତ ମୁନି ବାକ୍ୟ ଶୁଣି । ଧ୍ରୁବ ଆନନ୍ଦ-ମନେ ଗୁଣି ॥ ୧
ସୁଜଳେ କରି ଆଚମନ । ଅସ୍ତ୍ର ସୁମରି ନାରାୟଣ ॥ ୨
ସନ୍ଧାନ ଧନୁ-ହୁଳେ କଲା । ତା ଦେଖି ମାୟା ଭସ୍ମ ହେଲା ॥ ୩
ଗୃହ୍ୟକେ ହୋଇଲେ ଅଦୃଶ୍ୟ । ଦିଶିଲା ଧରଣୀ ଆକାଶ ॥ ୪
ଜ୍ଞାନ-ଉଦୟେ କ୍ଲେଶ ଯେହ୍ନେ । ଦେବେ ଦେଖନ୍ତି ରହି ଶୂନ୍ୟେ ॥ ୫
ଧ୍ରୁବ ଆମଞ୍ଚି ଧନୁର୍ଗୁଣ । ଯୋଚି ସବୁର୍ଣ୍ଣପୁଙ୍ଖ ବାଣ ॥ ୬
ବାଣର ପକ୍ଷ କଳହଂସ । ଦେଖି କମ୍ପିଲେ ଦଶ ଦିଶ ॥ ୭
ସେ ବାଣ ରିପୁବଳେ ପଶି । ଅନଳ ପ୍ରାୟ ତେଜ ଦିଶି ॥ ୮
ମୟୂର ଯେହ୍ନେ ନାଦ କରି । ଆନନ୍ଦେ ବନସ୍ତେ ବିହରି ॥ ୯
ଏମନ୍ତ ତୀକ୍ଷ୍ଣ ନାଦ କରି । ଗୃହ୍ୟକଗଣ ମାୟା ଛେଦି ॥ ୧୦
ଯକ୍ଷେ କୁପିତ ହୋଇ ଚିତ୍ତେ । ଧାଇଁଲେ ଶସ୍ତ୍ର ଘେନି ହସ୍ତେ ॥ ୧୧
ଯେସନେ ସର୍ପ ଫଣା ଧରି । ଗରୁଡ ଧାଏଁ କୋପଭରି ॥ ୧୨
ତାହାଙ୍କୁ ଦେଖି ରଣକ୍ଷେତ୍ରେ । ନାରାଚ-ଗୁଣ ଧରି ହସ୍ତେ ॥ ୧୩
ବିନ୍ଧଇ ଗୃହ୍ୟକ ଶରୀରେ । ଭେଦିଲା ବାହୁ-ଉରୁ-ଶିରେ ॥ ୧୪
ତକ୍ଷଣେ ଗଲେ ଛିନ୍ନ ଭିନ୍ନେ । ସଂଗ୍ରାମେ ଶମନ-ଭୁବନେ ॥ ୧୫
ଗୃହ୍ୟକବଳ ନାଶ ଦେଖି । ମନୁ ଯେ ଭୁବନ ଉପେକ୍ଷି ॥ ୧୬
ଉତ୍ତମ ଚିତ୍ରରଥେ ବସି । ମିଳିଲେ ର ମଧ୍ୟେ ଆସି ॥ ୧୭
ସଙ୍ଗେ ଅଛନ୍ତି ମୁନିଜନେ । ଧ୍ରୁବକୁ ଦେଖି ତୋଷମନେ ॥ ୧୮
ଗୃହ୍ୟକ ଗଣେ ଦୟା ବହି । ବୋଲନ୍ତି ଧ୍ରୁବ ମୁଖ ଚାହିଁ ॥ ୧୯
ମନୁ ଉବାଚ
ଭୋ ବତ୍ସ ଛାଡ ମନୁ ରୋଷ । ଶୁଣ ତୁ ମୋର ଉପଦେଶ ॥ ୨୦
ଏ ରୋଷ ଘୋରତମ-ଦ୍ୱାର । ଏ ନୋହେ ଉତ୍ତମ ବେଭାର ॥ ୨୧
ଯେ ରୋଷବଶେ ଜ୍ଞାନ ହାରି । ନିର୍ଦ୍ଧୋଷ ପୁଣ୍ୟଜନ ମାରି ॥ ୨୨
ଏ ଆମ୍ଭ କୁଳଧର୍ମ ନୋହେ । ସାଧୁଙ୍କ ମଧ୍ୟେ ଦୋଷ ବହେ ॥ ୨୩
ଏକଇ ଜନ ଅପରାଧେ । ଅନେକ ମାରୁ କିମ୍ପା ଯୁଦ୍ଧେ ॥ ୨୪
ତୁ ଭ୍ରାତୁବଧେ କ୍ରୋଧ ବହି । ସାଧୁଙ୍କ ମାର୍ଗ ଏ ନୁହଇ ॥ ୨୫
ବିଷ୍ଣୁର ଭାବ ଯାର ଦେହେ । ପ୍ରାଣୀଙ୍କି ଦୟା ହୃଦେ ବହେ ॥ ୨୬
ହିଂସା ନ ବହେ ତାର ଚିତ୍ତ । ଏ ହରିଭୃତ୍ୟଙ୍କର ମତ ॥ ୨୭
ସମତ୍ୱେ ସର୍ବଭୂତେ ଦେଖେ । ତାହାକୁ ନାରାୟଣ ରଖେ ॥ ୨୮
ହରି ପ୍ରସନ୍ନ ପ୍ରାଣୀ ଦେହେ । ହିଂସ୍ରକ ପ୍ରକୃତି ନ ବହେ ॥ ୨୯
ନ ଲାଗେ ତ୍ରିଗୁଣ-ବନ୍ଧନ । ଅନ୍ତେ ଲଭଇ ନିରଞ୍ଜନ ॥ ୩୦
ତୁ ହରି ଭକ୍ତ ଶିରୋମଣି । ସର୍ବ-ସମ୍ମତେ ପରିମାଣି ॥ ୩୧
ସାଧୁଜନଙ୍କ ବ୍ରତ କରି । କେ ପାରେ ଅଧର୍ମ ଆଚରି ॥ ୩୨
ଯେ ପ୍ରାଣୀ ଆତ୍ମଭାବେ ସୁଖୀ । ହରିଙ୍କି ସର୍ବଭୂତେ ଦେଖି ॥ ୩୩
ବିଷ୍ଣୁର ଭକ୍ତି ହୃଦେ ଧରି । ଦୟା ତିତିକ୍ଷା ଜୀବେ କରି ॥ ୩୪
ମଇତ୍ର ଭାବେ ଯାର ମନ । ତାହାକୁ ରଖେ ଭଗବାନ ॥ ୩୫
ହରି-ପ୍ରସନ୍ନେ ପ୍ରାଣୀଙ୍କର । ପ୍ରବୃତ୍ତି-ବନ୍ଧ ହୋଏ ଦୂର ॥ ୩୬
ଜୀବ ବନ୍ଧନୁ ମୋକ୍ଷ ହୋଇ । ନିର୍ବାଣ-ପଦେ ପଶେ ଯାଇ ॥ ୩୭
ଏ ପଞ୍ଚଭୂତେ ଦେହ ବହି । ସ୍ତିରୀ-ପୁରୁଷ ରୂପ ହୋଇ ॥ ୩୮
ଏ ବେନି ସଙ୍ଗମର କାଳେ । ରଜର ସଙ୍ଗେ ବୀର୍ଯ୍ୟ ମିଳେ ॥ ୩୯
ସ୍ତିରୀ ପୁରୁଷ ଦେହ ବହି । ଇହ ସଂସାରେ ଜନମଇ ॥ ୪୦
ଏମନ୍ତେ ସୃଷ୍ଟି-ସ୍ଥିତି-ନାଶ । ବିଷ୍ଣୁର ମାୟା ପରକାଶ ॥ ୪୧
ତହିଁ ନିମିତ୍ତ-ମାତ୍ର ହୋଇ । ପରମ ଜୀବକୁ ଭିଆଇ ॥ ୪୨
ମାୟାରେ ଭ୍ରମାଏ ଜଗତ । ଲୌହକୁ ଯେହ୍ନେ ଅୟସ୍କାନ୍ତ ॥ ୪୩
ସେ ହରି କାଳଶକ୍ତି-ରୂପୀ । ନିଜ ମାୟାରେ ବିଶ୍ୱବ୍ୟାପୀ ॥ ୪୪
ସର୍ବ କରଇ ସର୍ବହରେ । ଅକର୍ତ୍ତାରୂପେ ସେ ବିହରେ ॥ ୪୫
ପ୍ରବାହେ ଯେହ୍ନେ ବୃକ୍ଷରାଶି । ଜଳର ବଳେ ଯାନ୍ତି ଭାସି ॥ ୪୬
ଏମନ୍ତ କାଳ-ଚେଷ୍ଟା ବଳେ । ପ୍ରାଣୀ ଭାସନ୍ତି ଅବହେଳେ ॥ ୪୭
ସେ କାଳ ଅନାଦି ଅନନ୍ତ । ଅବ୍ୟୟ କରେ ଆଦି ଅନ୍ତ ॥ ୪୮
ଜନ୍ମେ ଜନଙ୍କୁ ଜନମାଇ । ମରଣେ ଜାହାଙ୍କୁ ମରାଇ ॥ ୪୯
ସପକ୍ଷ ବିପକ୍ଷ ଏ ଦୁଇ । ତାର ସ୍ୱଭାବେ ନ ଘଟଇ ॥ ୫୦
ପ୍ରଜାଏ ତାହାର ଆୟତ୍ତେ । ସମେ ବସନ୍ତି ଏ ଜଗତେ ॥ ୫୧
ଧୂଳି ଯେସନେ ବାୟୁବଳେ । ଉଡି ଭ୍ରମନ୍ତି ଅନ୍ତରାଳେ ॥ ୫୨
କର୍ମ ଅଧୀନ ପ୍ରାଣୀମାନେ । ତା ପଛେ ଧାମନ୍ତି ତେସନେ ॥ ୫୩
ଜନ୍ତୁ ଆୟୁଷ ହାନି-ଳାଭ । ଏ ଦୁଇ କାଳର ସ୍ୱଭାବ ॥ ୫୪
କେହୁ ବୋଲନ୍ତି ଏ ଜଗତ । ଅଟଇ କର୍ମର ଆୟତ୍ତ ॥ ୫୫
କେ ବୋଲେ ସ୍ୱଭାବ ଏହାର । କେ ବୋଲେ କାଳର ସଞ୍ଚାର ॥ ୫୬
ବାସନା ବୋଲନ୍ତି ଅପରେ । ତା ତତ୍ତ୍ୱ କେ ବା କହିପାରେ ॥ ୫୭
ଅପରେ ଦଇବ କେ କହି । କେ କହେ କାମରୂପ ହୋଇ ॥ ୫୮
ଅବିଦ୍ୟା କାମ ସଙ୍ଗେ ଜଡି । ଘୋର-ଅନ୍ଧାରେ ପ୍ରାଣୀ ପଡି ॥ ୫୯
ଭ୍ରମନ୍ତି କାଳ-ବାୟୁ ବଳେ । କଲ୍ଲୋଳ ଯେହ୍ନେ ସିନ୍ଧୁ ଜଳେ ॥ ୬୦
ଅବ୍ୟକ୍ତ ଅପ୍ରମେୟ ସୀମା । କେ ଜାଣିପାରେ ତା ମହିମା ॥ ୬୧
ଏଣୁ ତୋ ଭ୍ରାତାର ମରଣ । ଗୃହ୍ୟକେ ନୁହଁନ୍ତି କାରଣ ॥ ୬୨
ଦଇବବଳ ସେ ପ୍ରମାଣ । ଏ କଥା ନିଶ୍ଚୟ ତୁ ଜାଣ ॥ ୬୩
ସ୍ୱମାୟା ଶକ୍ତିଯୁତେ ସେହି । ସର୍ଜଇ ପାଳଇ ହରଇ ॥ ୬୪
ଏଣୁ ସକଳଭୂତଙ୍କର । ଭୂତ ଭାବନ ଚକ୍ରଧର ॥ ୬୫
ଏଣୁ ସେ କାଳ ମଧ୍ୟେ ଥାଇ । ଦେବେ ପୂଜନ୍ତି ବଳି ଦେଇ ॥ ୬୬
ନାସା-ଭେଦିତ ଗାବ ଯେହ୍ନେ । ଭ୍ରମନ୍ତି ଦାମିନୀ ବନ୍ଧନେ ॥ ୬୭
ଜନନୀ ସପତ୍ନୀ ବଚନେ । ମର୍ମ ଭେଦିଲା ତୋର ମନେ ॥ ୬୮
ବନେ ପଶିଲୁ ତପ ଆଶେ । ସ୍ୱଭାବେ ପଞ୍ଚମ ବରଷେ ॥ ୬୯
ବିଷ୍ଣୁ ଆରାଧି ତପବଳେ । ବସିବୁ ଗଗନ-ମଣ୍ତଳେ ॥ ୭୦
ତ୍ରୈଲୋକ୍ୟ-ଉର୍ଦ୍ଧ୍ୱ-ପଦଗତେ । ବସିବୁ କଳ୍ପ-ପରିଯନ୍ତେ ॥ ୭୧
ଏ ମାୟାମୟ ମୋହ-ପାଶ । ଛେଦିଲୁ ଭବବନ୍ଧ-ତ୍ରାସ ॥ ୭୨
ଏ ବର ଯା ତହୁଁ ଲଭିଲୁ । ପ୍ରତ୍ୟକ୍ଷେ ବିଷ୍ଣୁଙ୍କୁ ଦେଖିଲୁ ॥ ୭୩
ଚିତ୍ତେ ତାହାଙ୍କୁ ଏବେ ଭଜ । ଏ ଘୋରତମ ବେଗେ ତେଜ ॥ ୭୪
ସମେ ସକଳ ତାପ କ୍ଷୟ । ଏବେ ତୁ ହୁଅ ଶାନ୍ତକାୟ ॥ ୭୫
ଯାହାକୁ ଦେଖି ପ୍ରାଣୀ ଡରେ । ସେ ପ୍ରାଣୀ ଜୀବ ଥାଉଁ ମରେ ॥ ୭୬
ଈଶ୍ୱର-ମିତ୍ର ଏ କୁବେର । ଏହାକୁ ଅବଜ୍ଞା ନ କର ॥ ୭୭
ମାରି କୁବେର-ଅନୁବର । କଲୁ ତୁ ଅନ୍ୟାୟ ଆଚାର ॥ ୭୮
ଏବେ ଏହାରେ ପ୍ରୀତି କର । ସର୍ବ-କୁଶଳ ହେବ ତୋର ॥ ୭୯
ମୈତ୍ରେୟ ଉବାଚ
ଏମନ୍ତ ସ୍ୱାୟମ୍ବୁବ-ମନୁ । ପ୍ରବୋଧ କଲେ ପୌତ୍ର ମନ୍ୟୁ ॥ ୮୦
ଧ୍ରୁବକୁ ଆଲିଙ୍ଗନ କଲେ । ମୁନିଙ୍କ ସଙ୍ଗେ ପୁରେ ଗଲେ ॥ ୮୧
ସେ ମନୁ ଚରଣାରବିନ୍ଦେ । ସୁଜନେ ନମ ହେ ଆନନ୍ଦେ ॥ ୮୨
ଚତୁର୍ଥ ସ୍କନ୍ଧ ଭାଗବତ । ହରି-ମହିମା ସୁଚରିତ ॥ ୮୩
ସୁଜନ-ଜନେ ଏଣେ ରସ । କହଇ ଜଗନ୍ନାଥ ଦାସ ॥ ୮୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ଧ୍ରୁବଚରିତଂ ନାମ ତ୍ରୟୋଦଶୋଽଧ୍ୟାୟଃ ॥
* * *