ଚତୁର୍ଥ ସ୍କନ୍ଧ
ଦ୍ୱାଦଶ ଅଧ୍ୟାୟ
ମୈତ୍ରେୟ ଉବାଚ
ଶୁଣ ବିଦୁର କୃଷ୍ଣ କଥା । ଯେଣେ ଖଣ୍ତିବ ଭବବ୍ୟାଥା ॥ ୧
ଉତ୍ତାନପାଦ ଧ୍ରୁବ ଦେଖି । ସଫଳ କଲା ଚର୍ମ ଆଖି ॥ ୨
ଧ୍ରବକୁ ରାଜଯୋଗ୍ୟ ଚାହିଁ । ବାନ୍ଧବ ସୁହୃଦ ବସାଇ ॥ ୩
ସର୍ବ ସମ୍ମତେ ମହାତେଜ୍ୟ । ରାଜ୍ୟେ ପୁତ୍ରକୁ କଲା ରାଜା ॥ ୪
ସ୍ୱଭାବେ ବିଷ୍ଣୁ-ତେଜ-ବଳ । ଭାବେ ନମନ୍ତି ଦିଗପାଳ ॥ ୫
ଏ ମହୀତଳେ ଯେତେ ରାଜା । ଧ୍ରୁବ-ଚରଣେ କଲେ ପୂଜା ॥ ୬
ଯେ ଶିଶୁମାର ପ୍ରଜାପତି । ତା କନ୍ୟା ଭ୍ରମି ଗୁଣବତୀ ॥ ୭
ତାହାର ରୂପ-ଗୁଣରାଶି । କେତେ ବା କହିବା ବିଶେଷି ॥ ୮
ରୂପେ କମଳା ନୋହେ ସରି । ବିବାହେ ଧ୍ରୁବ ତାକୁ ଚରି ॥ ୯
ଅଶେଷ ଅଳଙ୍କାର ଶୋଭା । ବିରାଜେ ଅଙ୍ଗ ଜ୍ୟୋତି ଆଭା ॥ ୧୦
ସେ କନ୍ୟା ଗର୍ଭେ ପୁତ୍ର ଦୁଇ । କଳ୍ପ ବତ୍ସର ବେନି ଭାଇ ॥ ୧୧
ଦ୍ୱିତୀୟା ଭାର୍ଯ୍ୟା ଇଳା ନାମ । ରୂପେ ଗଞ୍ଜଇ କୋଟିକାମ ॥ ୧୨
ସ୍ୱଭାବେ ସମୀରଣ ସୁତା । ସୁଗୁଣା ସୁନ୍ଦରୀ ବିନୀତା ॥ ୧୩
ତାର ଉଦରେ ଧ୍ରୁବ-ବୀର୍ଯ୍ୟେ । ପୁତ୍ରେକ ହେଲା ମହାତେଜେ ॥ ୧୪
ଉତ୍କଳ ନାମେ ସେ କୁମର । ସ୍ୱଭାବେ ମହା-ଯୋଗେଶ୍ୱର ॥ ୧୫
ପୁଣି ଜନ୍ମିଲା କନ୍ୟା ଏକ । ତା ରୂପ ଗୁଣ ଅତିରେକ ॥ ୧୬
ଧ୍ରୁବର କନିଷ୍ଠ ଉତ୍ତମ । ରୂପେ ଭୁବନେ ନାହିଁ ସମ ॥ ୧୭
ସ୍ୱଭାବେ ବୟସ କିଶୋର । ବିଭା ନ କଲେ ବୀରବର ॥ ୧୮
ସେ ଏକଦିନେ ଅଶ୍ୱେ ବସି । ମୃଗୟା ଅର୍ଥେ ବନେ ପଶି ॥ ୧୯
ବହୁତ ଦୂର ସେ ଗମିଲା । ମନ ଆନନ୍ଦେ ନୃପବଳା ॥ ୨୦
ମିଳିଲା କୁବେର ଭୁବନେ । ତାହାକୁ ଦେଖି ଗୃହ୍ୟଗଣେ ॥ ୨୧
ବଳେ ରୁନ୍ଧିଳେ ଯୁଦ୍ଧ କରି । ଅଶ୍ୱ ଘେନିଲେ ତାକୁ ମାରି ॥ ୨୨
ତା ଶୁଣି ତାହାର ଜନନୀ । ବିକଳେ ପୁତ୍ର-କଷ୍ଟ ଘେନି ॥ ୨୩
ବନ-ଅନଳେ ଦେହ ଦେଲା । ପୁତ୍ର-ବିୟୋଗ-ଦୁଃଖେ ମଲା ॥ ୨୪
ସେ କଥା ଶୁଣି ଧ୍ରୁବ ଶୋକେ । କମ୍ପିଲା ମାତ୍ରା-ଭ୍ରାତା ଦୁଃଖୋ ॥ ୨୫
ସେ ଧ୍ରୁବ ଅତି କ୍ରୋଧ ବହି । ଅଶ୍ୱ ସାରଥି ବେଗେ ରାଇ ॥ ୨୬
ଜଇତ୍ର ନାମେ ରଥେ ବସି । ସ୍ୱଭାବେ ଶୋହେ ରୂପ ରାଶି ॥ ୨୭
ଶୋକ-ଅନଳେ କୋପଭରେ । କଠୋର-ଧନୁ ଧରି କରେ ॥ ୨୮
କୁବେର-କାନନେ ମିଳିଲା । ଉଦ୍ଦଣ୍ତେ ଶଙ୍ଖନାଦ କଲା ॥ ୨୯
ଯେ ବନେ ରୁଦ୍ର-ଅନୁଚରେ । ବସନ୍ତି ନଦୀ ବନ ଘୋରେ ॥ ୩୦
ହିମପର୍ବତ ଦ୍ରୋଣି ମଧ୍ୟେ । ଗୃହ୍ୟକେ ବସନ୍ତି ଆନନ୍ଦେ ॥ ୩୧
ସେ ବନେ ବଳେ ପଶି ଧ୍ରୁବ । ଉଦ୍ଦଣ୍ତେ କଲା ଶଙ୍ଖରବ ॥ ୩୨
ଶବଦେ ପୂରିଲା ଆକାଶ । ବନ-ପର୍ବତ-ଦଶଦିଶ ॥ ୩୩
ଯକ୍ଷ-କମିନୀଗଣ ବେଗେ । ଭୟେ ଚାହିଁଲେ ଉର୍ଦ୍ଧ୍ୱଦିଗେ ॥ ୩୪
ସେ ନାଦ ଶୁଣି ଦଶଦିଶେ । ଗୃହ୍ୟକଗଣ ମହାରୋଷେ ॥ ୩୫
ଧାଇଁଲେ ନାନା-ଶସ୍ତ୍ର ଧରି । ଚଳନ୍ତେ କମ୍ପେ ବସୁନ୍ଧରୀ ॥ ୩୬
ଗୃହ୍ୟକଗଣେ ଧ୍ରୁବେ ଚାହିଁ । ନିଜ କୋଦଣ୍ତେ ଗୁଣ ଦେଇ ॥ ୩୭
ଆକର୍ଣ୍ଣ ଯାଏ ଟାଣି ଗୁଣ । ବିନ୍ଧିଳେ ତିନି ତିନି ବାଣ ॥ ୩୮
ଧ୍ରୁବର ତୀକ୍ଷ୍ଣ-ବାଣ ବଳେ । ପଡିଲେ ଗୃହ୍ୟକ ସକଳେ ॥ ୩୯
ଗୃହ୍ୟକଗଣ ଦେଖି ତ୍ରାସେ । ରଣେ ଭାଜିଳେ ଦଶଦିଶେ ॥ ୪୦
ଅଦ୍ଭୁତ କର୍ମ ଦେଖି ତାର । ବିଷ୍ଣୁର ତେଜେ ବଳୀୟାର ॥ ୪୧
କରନ୍ତି ଧନ୍ୟ-ଧନ୍ୟ ବାଣୀ । ଅନନ୍ଦେ ଦେବଲୋକେ ଶୁଣି ॥ ୪୨
ସେ ବାଣ ସହି ଗୃହ୍ୟଗଣେ । ପୁଣି ମିଳିଲେ ଘୋରରଣେ ॥ ୪୩
ମନେ ଅନେକ ରୋଷ ଭରି । କରେଣ ନାନା-ଶସ୍ତ୍ର ଧରି ॥ ୪୪
ପାଦ-ମରନ୍ତେ ଅହି ଯେହ୍ନେ । ଧ୍ରୁବକୁ ବେଢ଼ି କୋପମନେ ॥ ୪୫
ଧ୍ରୁବର ରଥ ବେଗେ ରୁଦ୍ଧି । ଦ୍ୱିଗୁଣେ ତୀକ୍ଷ୍ଣ ବାଣ ବିନ୍ଧି ॥ ୪୬
ପରିଘ ଖଡଗ ଆୟୁଧ । ପ୍ରାସ ତୋମର ଶରଯୁଦ୍ଧ ॥ ୪୭
ଶକ୍ତିଭୂଷଣ୍ତି ରୁଷ୍ଟି ବାଣ । ବେଗେ ବିନ୍ଧିଲେ ଗରୁଟାଣ ॥ ୪୮
କୋପେ ବିନ୍ଧିଲେ ଅତି ରୁଷ୍ଟେ । ରଥୀ-ସାରଥି ଅଶ୍ୱପୃଷ୍ଠେ ॥ ୪୯
ଅୟୁତ-ତ୍ରୟୋଦଶ ମିଳି । ଶବଦେ ବ୍ରହ୍ମାଣ୍ତ ଉଛୁଳି ॥ ୫୦
ବେଢିଲେ ଅତି-ଅନାୟତ୍ତ । ଛନ୍ନେ ନଦିଶେ ଧ୍ରୁବରଥ ॥ ୫୧
ଗଗନେ ମିଳି ଦେବଲୋକେ । କହନ୍ତି ଏକକୁ ଆରକେ ॥ ୫୨
ଶୁଭଇ ହାହାକାର ବାଣୀ । ଦେବେ ବୋଲନ୍ତି ତାହା ଶୁଣି ॥ ୫୩
ଦେଖ ଏ ମନୁବଂଶ-ସୁତ । ପ୍ରଚଣ୍ତ ଯେସନେ ଆଦିତ୍ୟ ॥ ୫୪
ଗୃହ୍ୟକ-ସମୂହେ ବୁଡିଲା । ଧ୍ରୁବ ନିଶ୍ଚୟେ ନାଶ ଗଲା ॥ ୫୫
ଗର୍ଜନ୍ତି ଯାତୁଧାନ ଗଣେ । ଧ୍ରୁବ ଯେ ଶୁଣି ତା ଶ୍ରବଣେ ॥ ୫୬
ସାରଥି ଚାହିଁ ପୁଣ୍ୟଦେହା । ବୋଇଲା ଉର୍ଦ୍ଧ୍ୱେ ରଥ ବାହା ॥ ୫୭
ଶୁଣି ସାରଥି ଅତି ବେଗେ । ରଥ ବାହିଲା ଶୂନ୍ୟମାର୍ଗେ ॥ ୫୮
ନୀହାର ଭେଦି ସୂର୍ଯ୍ୟ ଯେହ୍ନେ । ତେମନ୍ତେ ଦିଶଇ ଗଗନେ ॥ ୫୯
ଦେଖି ତାହାର ତେଜ ବଳ । ଆନନ୍ଦ ହୋଇଲେ ସକଳ ॥ ୬୦
ଗଗନେ ରହି ମନୁସୁତ । ବାଣ ବରଷେ ଅପ୍ରମିତ ॥ ୬୧
ଗୃହ୍ୟକ ବାଣବୃଷ୍ଟି ନାଶେ । ନୀହାର ଯେହ୍ନେ ଚଣ୍ତତ୍ରାସେ ॥ ୬୨
ପବନ ଯୋଗେ ମେଘମାଳେ । ଯେହ୍ନେ ଉଡନ୍ତି ଅନ୍ତରାଳେ ॥ ୬୩
ଗୃହ୍ୟକ-ଶସ୍ତ୍ର ନାଶ କରି । ପୁଣି ବିନ୍ଧଇ ରୋଷଭରି ॥ ୬୪
ଧ୍ରୁବ-ନାରାଚ ତୀକ୍ଷ୍ଣ-ମୁନେ । ଗୃହ୍ୟକ ପଡିଲେ ସଗଣେ ॥ ୬୫
ଗୃହ୍ୟକ ଦେହେ ବାଣ ପଡି । ଶୁଭେ ବି ମେଘ-ଘଡିଘଡି ॥ ୬୬
ସର୍ବେ ପଡିଲେ ଭୂମିଗତେ । ପର୍ବତ ଯେହ୍ନେ ବଜ୍ରାଘାତେ ॥ ୬୭
ଶିରେ ଭେଦିଲା ଭଲ୍ଲଶସ୍ତ୍ର । ବାଣେ ରୁନ୍ଧିତ ନିଜ ଗାତ୍ର ॥ ୬୮
ଶିରେ ପଡିଲା ଛିଡି ତଳେ । ବିରାଜେ କିରୀଟ କୁଣ୍ତଳେ ॥ ୬୯
ହୃଦେ ଲମ୍ବିତ ହେମହାର । ବିରାଜେ ଉଷ୍ଣୀଷ କେୟୂର ॥ ୭୦
ଶସ୍ତ୍ର-ସମୂହେ ଶଯ୍ୟା କରି । ବୀରେ ଶୋଇଲେ ପ୍ରାଣହାରି ॥ ୭୧
ପଡିଲେ ଚଉଦିଗ ମାଡି । କେହୁ ପଳାଏ ରଣ ଛାଡି ॥ ୭୨
ଯେବା ଉବୁରି ଗଲେ ରଣେ । ଭୟେ ଲୁଚିଲେ ଘୋରବନେ ॥ ୭୩
ସିଂହର ତ୍ରାସେ ଯେହ୍ନେ ମୃଗେ । ଭୟେ ଭାଜିଲେ ଦଶ ଦିଗେ ॥ ୭୪
ଧ୍ରୁବ ଯେ ଦଶଦିଗେ ଚାହିଁ । ଦେଖଇ ରଣେ କେହି ନାହିଁ ॥ ୭୫
ବୋଲେ ସାରଥି ମୁଖ ଚାହିଁ । ଏ ପୁରେ ପଶ ରଥ ବାହି ॥ ୭୬
ଦହନ କରିବି ଅନଳେ । ଯେବା ଅଛନ୍ତି ଗୃହ୍ୟକୁଳେ ॥ ୭୭
ସର୍ବ ମାରିବି ଭ୍ରାତା-ଛଳେ । ତୁ ଏବେ ରଥ ବାହା ବଳେ ॥ ୭୮
ଏମନ୍ତ ଧ୍ରୁବ ବାକ୍ୟ ଶୁଣି । ସାରଥି ମନେମନେ ଗୁଣି ॥ ୭୯
ଗୃହ୍ୟକ ମାୟାର ପ୍ରମାଣେ । ଏମନ୍ତ ଘୋରନାଦ ଶୁଣେ ॥ ୮୦
ପ୍ରଳୟ କାଳେ ସିନ୍ଧୁ ଯେହ୍ନେ । ଲହରୀ ଉଛୁଳେ ଗଗନେ ॥ ୮୧
ପୁଣି ଦେଖଇ ଚାରିଦିଗେ । ଧୂଳି ଉଡଇ ଶୂନ୍ୟମାର୍ଗେ ॥ ୮୨
ତକ୍ଷଣେ ଘୋର ନାଦ କରି । ମେଘ ସମୁହ ଶୂନ୍ୟେ ପୂରି ॥ ୮୩
ବିଜୁଳି ସ୍ଫୃରେ ଦଶଦିଶେ । ବଜ୍ର ଶବଦ ସଙ୍ଗେ ମିଶେ ॥ ୮୪
ଉଲୁକା ପଡେ କୋଟି କୋଟି । ରୁଧିର ସଙ୍ଗେ ପୂଜ ବୃଷ୍ଟି ॥ ୮୫
ମୂତ୍ର ପୁରୀଷ ରେତ ତୂଲେ । ଦୁର୍ଗନ୍ଧେ ଧରଣୀ ପୂରିଳେ ॥ ୮୬
କବନ୍ଧେ ପଡିଲେ ଆକାଶୁ । ଦିଗେ ପୂରିଲା ଘୋରପାଂଶୁ ॥ ୮୭
ନିର୍ଘାତେ ଗଗନୁ ପଡନ୍ତି । ଗଦା ପରିଘ ପନ୍ତିପନ୍ତି ॥ ୮୮
ମୂଷଳ ସଙ୍ଗେ ବଜ୍ର ପଡି । ଘୋର ଶବଦ ଘଡଘଡି ॥ ୮୯
ସର୍ପେ ଧାମନ୍ତି ଫୁ ଫୁ କରି । ଅନଳ ପ୍ରାୟେ ଚକ୍ଷୁଧାରୀ ॥ ୯୦
ଗଜେ ଧାମନ୍ତି ଶୁଣ୍ଢ ତୋଳି । ସିଂହ ଶାର୍ଦ୍ଦୂଳ ସଙ୍ଗେ ମିଳି ॥ ୯୧
ତକ୍ଷଣେ ସିନ୍ଧୁ ଉଛୁଳିଲା । ଲହରୀ ଗଗନେ ଲାଗିଲା ॥ ୯୨
ଭୂମି ପୂରିଲା ମହାଜଳେ । ପ୍ରଚଣ୍ତ-ପବନ ଉଲ୍ଲୋଳେ ॥ ୯୩
କଳ୍ପାନ୍ତେ ଘୋରନାଦ ଯେହ୍ନେ । ଶବଦ ପୂରିଲା ଗଗନେ ॥ ୯୪
ଏମନ୍ତେ ନାନା ମାୟା କରି । ଗୃହ୍ୟକେ ସମର ଆବୋରି ॥ ୯୫
ମିଳିଲେ ନାନା ଶସ୍ତ୍ର ଘେନି । ଶବଦେ କମ୍ପାଇ ମେଦିନୀ ॥ ୯୬
ଧ୍ରୁବ ଉପରେ ମାୟା କରି । ଗୃହ୍ୟକେ ସନ୍ଧିଲେ ଆବୋରି ॥ ୯୭
ଗୃହ୍ୟକ-ମାୟା ଦେଖି ବେଗେ । ମୁନି ମିଳିଲେ ଧ୍ରୁବ ଆଗେ ॥ ୯୮
କଲ୍ୟା-ବାଞ୍ଛା ମନେ ବହି । ବୋଲନ୍ତି ଧ୍ରୁବ ମୁଖ ଚାହିଁ ॥ ୯୯
ମୁନିଗଣ ଉବାଚ
ଶୁଣ ହେ ଉତ୍ତାନ-କୁମର । ତୋତେ ପ୍ରସନ୍ନ ଚକ୍ରଧର ॥ ୧୦୦
ଯେ ହରି ଭବ-ଭୟ ନାଶେ । ଆମ୍ଭେ ତା ଦେଖୁ ତୋର ପାଶେ ॥ ୧୦୧
ଯା ନାମ ସ୍ମରି ଅନ୍ତକାଳେ । ପ୍ରାଣୀ ତରନ୍ତି ଅବହେଳେ ॥ ୧୦୨
ସେ ହରି ନାମ ତୁ ସୁମର । ଗୃହ୍ୟକ ମାୟାକୁ ସଂହର ॥ ୧୦୩
ଏମନ୍ତେ ମୁନିଙ୍କର ବୋଲେ । ରଥ ତୋଳିଲା ଅନ୍ତରାଳେ ॥ ୧୦୪
ଶୁଣ ସୁଜନେ ହରି କଥା । ହରି ନ ସହେ ଭୃତ୍ୟବ୍ୟଥା ॥ ୧୦୫
କହଇ ଦାସ ଜଗନ୍ନାଥ । ସୁଜନେ ହରି ପଦେ ଚିନ୍ତ ॥ ୧୦୬
ଇତିଶ୍ରୀମଦ୍ଭାଗବତ ମହାପୁରାଣେ ପାରମହସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ଧ୍ରୁବଚରିତଂ ନାମ ଦ୍ୱାଦଶୋଽଧ୍ୟାୟଃ ॥
* * *