ଚତୁର୍ଥ ସ୍କନ୍ଧ

ଦ୍ୱାଦଶ ଅଧ୍ୟାୟ

ମୈତ୍ରେୟ ଉବାଚ

ଶୁଣ ବିଦୁର କୃଷ୍ଣ କଥା । ଯେଣେ ଖଣ୍ତିବ ଭବବ୍ୟାଥା ॥

ଉତ୍ତାନପାଦ ଧ୍ରୁବ ଦେଖି । ସଫଳ କଲା ଚର୍ମ ଆଖି ॥

ଧ୍ରବକୁ ରାଜଯୋଗ୍ୟ ଚାହିଁ । ବାନ୍ଧବ ସୁହୃଦ ବସାଇ ॥

ସର୍ବ ସମ୍ମତେ ମହାତେଜ୍ୟ । ରାଜ୍ୟେ ପୁତ୍ରକୁ କଲା ରାଜା ॥

ସ୍ୱଭାବେ ବିଷ୍ଣୁ-ତେଜ-ବଳ । ଭାବେ ନମନ୍ତି ଦିଗପାଳ ॥

ଏ ମହୀତଳେ ଯେତେ ରାଜା । ଧ୍ରୁବ-ଚରଣେ କଲେ ପୂଜା ॥

ଯେ ଶିଶୁମାର ପ୍ରଜାପତି । ତା କନ୍ୟା ଭ୍ରମି ଗୁଣବତୀ ॥

ତାହାର ରୂପ-ଗୁଣରାଶି । କେତେ ବା କହିବା ବିଶେଷି ॥

ରୂପେ କମଳା ନୋହେ ସରି । ବିବାହେ ଧ୍ରୁବ ତାକୁ ଚରି ॥

ଅଶେଷ ଅଳଙ୍କାର ଶୋଭା । ବିରାଜେ ଅଙ୍ଗ ଜ୍ୟୋତି ଆଭା ॥ ୧୦

ସେ କନ୍ୟା ଗର୍ଭେ ପୁତ୍ର ଦୁଇ । କଳ୍ପ ବତ୍ସର ବେନି ଭାଇ ॥ ୧୧

ଦ୍ୱିତୀୟା ଭାର୍ଯ୍ୟା ଇଳା ନାମ । ରୂପେ ଗଞ୍ଜଇ କୋଟିକାମ ॥ ୧୨

ସ୍ୱଭାବେ ସମୀରଣ ସୁତା । ସୁଗୁଣା ସୁନ୍ଦରୀ ବିନୀତା ॥ ୧୩

ତାର ଉଦରେ ଧ୍ରୁବ-ବୀର୍ଯ୍ୟେ । ପୁତ୍ରେକ ହେଲା ମହାତେଜେ ॥ ୧୪

ଉତ୍କଳ ନାମେ ସେ କୁମର । ସ୍ୱଭାବେ ମହା-ଯୋଗେଶ୍ୱର ॥ ୧୫

ପୁଣି ଜନ୍ମିଲା କନ୍ୟା ଏକ । ତା ରୂପ ଗୁଣ ଅତିରେକ ॥ ୧୬

ଧ୍ରୁବର କନିଷ୍ଠ ଉତ୍ତମ । ରୂପେ ଭୁବନେ ନାହିଁ ସମ ॥ ୧୭

ସ୍ୱଭାବେ ବୟସ କିଶୋର । ବିଭା ନ କଲେ ବୀରବର ॥ ୧୮

ସେ ଏକଦିନେ ଅଶ୍ୱେ ବସି । ମୃଗୟା ଅର୍ଥେ ବନେ ପଶି ॥ ୧୯

ବହୁତ ଦୂର ସେ ଗମିଲା । ମନ ଆନନ୍ଦେ ନୃପବଳା ॥ ୨୦

ମିଳିଲା କୁବେର ଭୁବନେ । ତାହାକୁ ଦେଖି ଗୃହ୍ୟଗଣେ ॥ ୨୧

ବଳେ ରୁନ୍ଧିଳେ ଯୁଦ୍ଧ କରି । ଅଶ୍ୱ ଘେନିଲେ ତାକୁ ମାରି ॥ ୨୨

ତା ଶୁଣି ତାହାର ଜନନୀ । ବିକଳେ ପୁତ୍ର-କଷ୍ଟ ଘେନି ॥ ୨୩

ବନ-ଅନଳେ ଦେହ ଦେଲା । ପୁତ୍ର-ବିୟୋଗ-ଦୁଃଖେ ମଲା ॥ ୨୪

ସେ କଥା ଶୁଣି ଧ୍ରୁବ ଶୋକେ । କମ୍ପିଲା ମାତ୍ରା-ଭ୍ରାତା ଦୁଃଖୋ ॥ ୨୫

ସେ ଧ୍ରୁବ ଅତି କ୍ରୋଧ ବହି । ଅଶ୍ୱ ସାରଥି ବେଗେ ରାଇ ॥ ୨୬

ଜଇତ୍ର ନାମେ ରଥେ ବସି । ସ୍ୱଭାବେ ଶୋହେ ରୂପ ରାଶି ॥ ୨୭

ଶୋକ-ଅନଳେ କୋପଭରେ । କଠୋର-ଧନୁ ଧରି କରେ ॥ ୨୮

କୁବେର-କାନନେ ମିଳିଲା । ଉଦ୍ଦଣ୍ତେ ଶଙ୍ଖନାଦ କଲା ॥ ୨୯

ଯେ ବନେ ରୁଦ୍ର-ଅନୁଚରେ । ବସନ୍ତି ନଦୀ ବନ ଘୋରେ ॥ ୩୦

ହିମପର୍ବତ ଦ୍ରୋଣି ମଧ୍ୟେ । ଗୃହ୍ୟକେ ବସନ୍ତି ଆନନ୍ଦେ ॥ ୩୧

ସେ ବନେ ବଳେ ପଶି ଧ୍ରୁବ । ଉଦ୍ଦଣ୍ତେ କଲା ଶଙ୍ଖରବ ॥ ୩୨

ଶବଦେ ପୂରିଲା ଆକାଶ । ବନ-ପର୍ବତ-ଦଶଦିଶ ॥ ୩୩

ଯକ୍ଷ-କମିନୀଗଣ ବେଗେ । ଭୟେ ଚାହିଁଲେ ଉର୍ଦ୍ଧ୍ୱଦିଗେ ॥ ୩୪

ସେ ନାଦ ଶୁଣି ଦଶଦିଶେ । ଗୃହ୍ୟକଗଣ ମହାରୋଷେ ॥ ୩୫

ଧାଇଁଲେ ନାନା-ଶସ୍ତ୍ର ଧରି । ଚଳନ୍ତେ କମ୍ପେ ବସୁନ୍ଧରୀ ॥ ୩୬

ଗୃହ୍ୟକଗଣେ ଧ୍ରୁବେ ଚାହିଁ । ନିଜ କୋଦଣ୍ତେ ଗୁଣ ଦେଇ ॥ ୩୭

ଆକର୍ଣ୍ଣ ଯାଏ ଟାଣି ଗୁଣ । ବିନ୍ଧିଳେ ତିନି ତିନି ବାଣ ॥ ୩୮

ଧ୍ରୁବର ତୀକ୍ଷ୍ଣ-ବାଣ ବଳେ । ପଡିଲେ ଗୃହ୍ୟକ ସକଳେ ॥ ୩୯

ଗୃହ୍ୟକଗଣ ଦେଖି ତ୍ରାସେ । ରଣେ ଭାଜିଳେ ଦଶଦିଶେ ॥ ୪୦

ଅଦ୍ଭୁତ କର୍ମ ଦେଖି ତାର । ବିଷ୍ଣୁର ତେଜେ ବଳୀୟାର ॥ ୪୧

କରନ୍ତି ଧନ୍ୟ-ଧନ୍ୟ ବାଣୀ । ଅନନ୍ଦେ ଦେବଲୋକେ ଶୁଣି ॥ ୪୨

ସେ ବାଣ ସହି ଗୃହ୍ୟଗଣେ । ପୁଣି ମିଳିଲେ ଘୋରରଣେ ॥ ୪୩

ମନେ ଅନେକ ରୋଷ ଭରି । କରେଣ ନାନା-ଶସ୍ତ୍ର ଧରି ॥ ୪୪

ପାଦ-ମରନ୍ତେ ଅହି ଯେହ୍ନେ । ଧ୍ରୁବକୁ ବେଢ଼ି କୋପମନେ ॥ ୪୫

ଧ୍ରୁବର ରଥ ବେଗେ ରୁଦ୍ଧି । ଦ୍ୱିଗୁଣେ ତୀକ୍ଷ୍ଣ ବାଣ ବିନ୍ଧି ॥ ୪୬

ପରିଘ ଖଡଗ ଆୟୁଧ । ପ୍ରାସ ତୋମର ଶରଯୁଦ୍ଧ ॥ ୪୭

ଶକ୍ତିଭୂଷଣ୍ତି ରୁଷ୍ଟି ବାଣ । ବେଗେ ବିନ୍ଧିଲେ ଗରୁଟାଣ ॥ ୪୮

କୋପେ ବିନ୍ଧିଲେ ଅତି ରୁଷ୍ଟେ । ରଥୀ-ସାରଥି ଅଶ୍ୱପୃଷ୍ଠେ ॥ ୪୯

ଅୟୁତ-ତ୍ରୟୋଦଶ ମିଳି । ଶବଦେ ବ୍ରହ୍ମାଣ୍ତ ଉଛୁଳି ॥ ୫୦

ବେଢିଲେ ଅତି-ଅନାୟତ୍ତ । ଛନ୍ନେ ନଦିଶେ ଧ୍ରୁବରଥ ॥ ୫୧

ଗଗନେ ମିଳି ଦେବଲୋକେ । କହନ୍ତି ଏକକୁ ଆରକେ ॥ ୫୨

ଶୁଭଇ ହାହାକାର ବାଣୀ । ଦେବେ ବୋଲନ୍ତି ତାହା ଶୁଣି ॥ ୫୩

ଦେଖ ଏ ମନୁବଂଶ-ସୁତ । ପ୍ରଚଣ୍ତ ଯେସନେ ଆଦିତ୍ୟ ॥ ୫୪

ଗୃହ୍ୟକ-ସମୂହେ ବୁଡିଲା । ଧ୍ରୁବ ନିଶ୍ଚୟେ ନାଶ ଗଲା ॥ ୫୫

ଗର୍ଜନ୍ତି ଯାତୁଧାନ ଗଣେ । ଧ୍ରୁବ ଯେ ଶୁଣି ତା ଶ୍ରବଣେ ॥ ୫୬

ସାରଥି ଚାହିଁ ପୁଣ୍ୟଦେହା । ବୋଇଲା ଉର୍ଦ୍ଧ୍ୱେ ରଥ ବାହା ॥ ୫୭

ଶୁଣି ସାରଥି ଅତି ବେଗେ । ରଥ ବାହିଲା ଶୂନ୍ୟମାର୍ଗେ ॥ ୫୮

ନୀହାର ଭେଦି ସୂର୍ଯ୍ୟ ଯେହ୍ନେ । ତେମନ୍ତେ ଦିଶଇ ଗଗନେ ॥ ୫୯

ଦେଖି ତାହାର ତେଜ ବଳ । ଆନନ୍ଦ ହୋଇଲେ ସକଳ ॥ ୬୦

ଗଗନେ ରହି ମନୁସୁତ । ବାଣ ବରଷେ ଅପ୍ରମିତ ॥ ୬୧

ଗୃହ୍ୟକ ବାଣବୃଷ୍ଟି ନାଶେ । ନୀହାର ଯେହ୍ନେ ଚଣ୍ତତ୍ରାସେ ॥ ୬୨

ପବନ ଯୋଗେ ମେଘମାଳେ । ଯେହ୍ନେ ଉଡନ୍ତି ଅନ୍ତରାଳେ ॥ ୬୩

ଗୃହ୍ୟକ-ଶସ୍ତ୍ର ନାଶ କରି । ପୁଣି ବିନ୍ଧଇ ରୋଷଭରି ॥ ୬୪

ଧ୍ରୁବ-ନାରାଚ ତୀକ୍ଷ୍ଣ-ମୁନେ । ଗୃହ୍ୟକ ପଡିଲେ ସଗଣେ ॥ ୬୫

ଗୃହ୍ୟକ ଦେହେ ବାଣ ପଡି । ଶୁଭେ ବି ମେଘ-ଘଡିଘଡି ॥ ୬୬

ସର୍ବେ ପଡିଲେ ଭୂମିଗତେ । ପର୍ବତ ଯେହ୍ନେ ବଜ୍ରାଘାତେ ॥ ୬୭

ଶିରେ ଭେଦିଲା ଭଲ୍ଲଶସ୍ତ୍ର । ବାଣେ ରୁନ୍ଧିତ ନିଜ ଗାତ୍ର ॥ ୬୮

ଶିରେ ପଡିଲା ଛିଡି ତଳେ । ବିରାଜେ କିରୀଟ କୁଣ୍ତଳେ ॥ ୬୯

ହୃଦେ ଲମ୍ବିତ ହେମହାର । ବିରାଜେ ଉଷ୍ଣୀଷ କେୟୂର ॥ ୭୦

ଶସ୍ତ୍ର-ସମୂହେ ଶଯ୍ୟା କରି । ବୀରେ ଶୋଇଲେ ପ୍ରାଣହାରି ॥ ୭୧

ପଡିଲେ ଚଉଦିଗ ମାଡି । କେହୁ ପଳାଏ ରଣ ଛାଡି ॥ ୭୨

ଯେବା ଉବୁରି ଗଲେ ରଣେ । ଭୟେ ଲୁଚିଲେ ଘୋରବନେ ॥ ୭୩

ସିଂହର ତ୍ରାସେ ଯେହ୍ନେ ମୃଗେ । ଭୟେ ଭାଜିଲେ ଦଶ ଦିଗେ ॥ ୭୪

ଧ୍ରୁବ ଯେ ଦଶଦିଗେ ଚାହିଁ । ଦେଖଇ ରଣେ କେହି ନାହିଁ ॥ ୭୫

ବୋଲେ ସାରଥି ମୁଖ ଚାହିଁ । ଏ ପୁରେ ପଶ ରଥ ବାହି ॥ ୭୬

ଦହନ କରିବି ଅନଳେ । ଯେବା ଅଛନ୍ତି ଗୃହ୍ୟକୁଳେ ॥ ୭୭

ସର୍ବ ମାରିବି ଭ୍ରାତା-ଛଳେ । ତୁ ଏବେ ରଥ ବାହା ବଳେ ॥ ୭୮

ଏମନ୍ତ ଧ୍ରୁବ ବାକ୍ୟ ଶୁଣି । ସାରଥି ମନେମନେ ଗୁଣି ॥ ୭୯

ଗୃହ୍ୟକ ମାୟାର ପ୍ରମାଣେ । ଏମନ୍ତ ଘୋରନାଦ ଶୁଣେ ॥ ୮୦

ପ୍ରଳୟ କାଳେ ସିନ୍ଧୁ ଯେହ୍ନେ । ଲହରୀ ଉଛୁଳେ ଗଗନେ ॥ ୮୧

ପୁଣି ଦେଖଇ ଚାରିଦିଗେ । ଧୂଳି ଉଡଇ ଶୂନ୍ୟମାର୍ଗେ ॥ ୮୨

ତକ୍ଷଣେ ଘୋର ନାଦ କରି । ମେଘ ସମୁହ ଶୂନ୍ୟେ ପୂରି ॥ ୮୩

ବିଜୁଳି ସ୍ଫୃରେ ଦଶଦିଶେ । ବଜ୍ର ଶବଦ ସଙ୍ଗେ ମିଶେ ॥ ୮୪

ଉଲୁକା ପଡେ କୋଟି କୋଟି । ରୁଧିର ସଙ୍ଗେ ପୂଜ ବୃଷ୍ଟି ॥ ୮୫

ମୂତ୍ର ପୁରୀଷ ରେତ ତୂଲେ । ଦୁର୍ଗନ୍ଧେ ଧରଣୀ ପୂରିଳେ ॥ ୮୬

କବନ୍ଧେ ପଡିଲେ ଆକାଶୁ । ଦିଗେ ପୂରିଲା ଘୋରପାଂଶୁ ॥ ୮୭

ନିର୍ଘାତେ ଗଗନୁ ପଡନ୍ତି । ଗଦା ପରିଘ ପନ୍ତିପନ୍ତି ॥ ୮୮

ମୂଷଳ ସଙ୍ଗେ ବଜ୍ର ପଡି । ଘୋର ଶବଦ ଘଡଘଡି ॥ ୮୯

ସର୍ପେ ଧାମନ୍ତି ଫୁ ଫୁ କରି । ଅନଳ ପ୍ରାୟେ ଚକ୍ଷୁଧାରୀ ॥ ୯୦

ଗଜେ ଧାମନ୍ତି ଶୁଣ୍ଢ ତୋଳି । ସିଂହ ଶାର୍ଦ୍ଦୂଳ ସଙ୍ଗେ ମିଳି ॥ ୯୧

ତକ୍ଷଣେ ସିନ୍ଧୁ ଉଛୁଳିଲା । ଲହରୀ ଗଗନେ ଲାଗିଲା ॥ ୯୨

ଭୂମି ପୂରିଲା ମହାଜଳେ । ପ୍ରଚଣ୍ତ-ପବନ ଉଲ୍ଲୋଳେ ॥ ୯୩

କଳ୍ପାନ୍ତେ ଘୋରନାଦ ଯେହ୍ନେ । ଶବଦ ପୂରିଲା ଗଗନେ ॥ ୯୪

ଏମନ୍ତେ ନାନା ମାୟା କରି । ଗୃହ୍ୟକେ ସମର ଆବୋରି ॥ ୯୫

ମିଳିଲେ ନାନା ଶସ୍ତ୍ର ଘେନି । ଶବଦେ କମ୍ପାଇ ମେଦିନୀ ॥ ୯୬

ଧ୍ରୁବ ଉପରେ ମାୟା କରି । ଗୃହ୍ୟକେ ସନ୍ଧିଲେ ଆବୋରି ॥ ୯୭

ଗୃହ୍ୟକ-ମାୟା ଦେଖି ବେଗେ । ମୁନି ମିଳିଲେ ଧ୍ରୁବ ଆଗେ ॥ ୯୮

କଲ୍ୟା-ବାଞ୍ଛା ମନେ ବହି । ବୋଲନ୍ତି ଧ୍ରୁବ ମୁଖ ଚାହିଁ ॥ ୯୯

ମୁନିଗଣ ଉବାଚ

ଶୁଣ ହେ ଉତ୍ତାନ-କୁମର । ତୋତେ ପ୍ରସନ୍ନ ଚକ୍ରଧର ॥ ୧୦୦

ଯେ ହରି ଭବ-ଭୟ ନାଶେ । ଆମ୍ଭେ ତା ଦେଖୁ ତୋର ପାଶେ ॥ ୧୦୧

ଯା ନାମ ସ୍ମରି ଅନ୍ତକାଳେ । ପ୍ରାଣୀ ତରନ୍ତି ଅବହେଳେ ॥ ୧୦୨

ସେ ହରି ନାମ ତୁ ସୁମର । ଗୃହ୍ୟକ ମାୟାକୁ ସଂହର ॥ ୧୦୩

ଏମନ୍ତେ ମୁନିଙ୍କର ବୋଲେ । ରଥ ତୋଳିଲା ଅନ୍ତରାଳେ ॥ ୧୦୪

ଶୁଣ ସୁଜନେ ହରି କଥା । ହରି ନ ସହେ ଭୃତ୍ୟବ୍ୟଥା ॥ ୧୦୫

କହଇ ଦାସ ଜଗନ୍ନାଥ । ସୁଜନେ ହରି ପଦେ ଚିନ୍ତ ॥ ୧୦୬

ଇତିଶ୍ରୀମଦ୍ଭାଗବତ ମହାପୁରାଣେ ପାରମହସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ଧ୍ରୁବଚରିତଂ ନାମ ଦ୍ୱାଦଶୋଽଧ୍ୟାୟଃ ॥

* * *