ଚତୁର୍ଥ ସ୍କନ୍ଧ
ଏକାଦଶ ଅଧ୍ୟାୟ
ମୈତ୍ରେୟ ଉବାଚ
ଶୁଣ ବିଦୁର ତୋଷମନେ । ଧ୍ରୁବ ସମୀପେ ବୃନ୍ଦାବନେ ॥ ୧
ପ୍ରସନ୍ନେ କମଳା-ରମଣ । ବୋଇଲେ ଧ୍ରୁବ ଏବେ ଶୁଣ ॥ ୨
ଭଗବାନ ଉବାଚ
ତୋ ଜନ୍ମ ସ୍ୱାୟମ୍ବୁବ ଘରେ । ଉତ୍ତାନପାଦର ବୀର୍ଯ୍ୟରେ ॥ ୩
ଦେବେ ବାଞ୍ଛନ୍ତି ସ୍ୱର୍ଗେ ଯାହା । ତୁ ତା ଲଭିଲୁ ପୁଣ୍ୟଦେହା ॥ ୪
ଏବେ ତୁ ନିଜପୁରେ ଚଳ । ଚିତ୍ତେ ଆରାଧି ମୋର ବୋଲ ॥ ୫
ମାତୃ-ସପତ୍ନୀର ବଚନେ । ତପ ତୁ କଲୁ ବୃନ୍ଦାବନେ ॥ ୬
ଅତି-ବାଳକ ଦେହବହି । କୁବାକ୍ୟ ନ ପାରିଲୁ ସହି ॥ ୭
ପିତାର ଅଙ୍କେ ଆରୋହନ୍ତେ । ମାତା ଯେ ନିବାରିଲା ତୋତେ ॥ ୮
ସେ ଅପମାନେ ଦୁଃଖମନେ । ଏବେ ବସିବୁ ସ୍ୱର୍ଗସ୍ଥାନେ ॥ ୯
ତୋ ଭାଗ୍ୟ ନ ପାଇବେ କେହି । ମଞ୍ଚେ ମାନବ ଦେହ ବହି ॥ ୧୦
ତୋ ତାତ ଯେବେ ଯିବେ ବନେ । ବସିବୁ ନୃପତି ଆସନେ ॥ ୧୧
ତୋହର ପରମ-ଆୟୁଷ । ଛତିଶ ସହସ୍ର ବରଷ ॥ ୧୨
ନୀରୋଗ ଦେହେ ଭୋଗ ଭୁଞ୍ଜି । ସ୍ୱତେଜେ ରିପୁବଳ ଗଞ୍ଜି ॥ ୧୩
ଉତ୍ତମ ତୋର ସାନ ଭ୍ରାତ । ବନେ ହୋଇବ ପ୍ରାଣେ ହତ ॥ ୧୪
ମୃଗୟା ଅର୍ଥେ ଘୋରବନେ । ମିଳିବ କୁବର ଭୁବନେ ॥ ୧୫
ପୁଣ୍ୟଜନଙ୍କ ସଙ୍ଗେ ମିଳି । ଯୁଦ୍ଧେ ହାରିବ ମହାବଳୀ ॥ ୧୬
ତହିଁ ହୋଇବ ପ୍ରାଣେ ହତ । ତା ଶୁଣି ତାର ନିଜମାତ ॥ ୧୭
ସେ ପୁତ୍ର ଶୋକର ବିକଳେ । ବନେ ମରିବ ଦାବାନଳେ ॥ ୧୮
ତୁ ମୋତେ ଯଜ୍ଞେ କରି ପୂଜା । ଦେବଙ୍କୁ ଦେଇ ବଳି ଭୋଜା ॥ ୧୯
ବିପ୍ରଙ୍କୁ କରି ତୋଷମନ । ଗୋରୁ ଦକ୍ଷିଣା ଧନ ଅନ୍ନ ॥ ୨୦
ବିପ୍ରଙ୍କ କଲ୍ୟାଣର ଫଳେ । ମୋତେ ସ୍ମରିବୁ ଅନ୍ତଃକାଳେ ॥ ୨୧
ମୋହର ଧ୍ୟାନେ ସ୍ୱର୍ଗପଥେ । ଗମିବୁ ଜନନୀ ସହିତେ ॥ ୨୨
ସପ୍ତଋଷିଙ୍କ ଉଦ୍ଧ୍ୱର୍ଗତେ । ଜନନୀ ସଙ୍ଗେ ଦିବ୍ୟରଥେ ॥ ୨୩
ବସିବୁ ଶିଶୁମାରପୁଚ୍ଛେ । ଉତ୍ତରଦିଗେ ତୁ ପ୍ରତ୍ୟକ୍ଷେ ॥ ୨୪
ଏମନ୍ତ କହି ଭଗବାନ । ବନେ ହୋଇଲେ ଅନ୍ତର୍ଦ୍ଧାନ ॥ ୨୫
ବିଷ୍ଣୁ ନ ଦେଖି ବୃନ୍ଦାବନେ । ଧ୍ରୁବ ଭାଳଇ ମନ ଛନ୍ନେ ॥ ୨୬
ଦେଖ ଅଭାଗ୍ୟ କର୍ମ ମୋର । ତପେ ତୋଷିଲି ଚକ୍ରଧର ॥ ୨୭
ଜନନୀ-ସପତ୍ନୀର ଛଳେ । ମୋକ୍ଷ ନ ମାଗିବିଷ୍ଣୁ ତୁଲେ ॥ ୨୮
ଲଭିଲି ଧ୍ରୁବ-ଅଧିକାର । ଧିକ ଏ ଜୀବନ ମୋହର ॥ ୨୯
ଏମନ୍ତ ମନେ ବିଚାରିଲା । ତକ୍ଷଣେ ନିଜପୁରେ ଗଲା ॥ ୩୦
ମୈତ୍ରେୟ ତହୁଁ ଏହାଶୁଣି । ବିଦୁର ପଚାରଇ ପୁଣି ॥ ୩୧
ବିଦୁର ଉବାଚ
ଯେ ହରି ପରମ-ଦୁର୍ଲଭ । ଲଭି ନ ପାରେ ବ୍ରହ୍ମାଶିବ ॥ ୩୨
ସେ ହରି ତହୁଁ ବରପାଇ । ଘୋର-ମାୟାରେ ମନ ମୋହି ॥ ୩୩
ଆତ୍ମାର ଗତି ନ ମାଗିଲା । ମୋତେ ତ ସନ୍ଦେହ ଲାଗିଲା ॥ ୩୪
ବିଦୁରତହୁଁ ଏହା ଶୁଣି । ତୋଷେ ମୈତ୍ରେୟ କହେପୁଣି ॥ ୩୫
ମୈତ୍ରେୟ ଉବାଚ
ମାତୃ-ସପତ୍ନୀ ବାକ୍ୟ-ଶରେ । ମର୍ମ ଭେଦିଲା ତା ଶରୀରେ ॥ ୩୬
ମୁକ୍ତି ନ ଇଚ୍ଛି ବିଷ୍ଣୁ ତୋଷେ । ପଛେ ତାପିଲା ଦୁଃଖତ୍ରାସେ ॥ ୩୭
ଧ୍ରୁବ ଉବାଚ
ସନକ ଆଦି ସୁନିଜନେ । ଅଷ୍ଟାଙ୍ଗ-ଯୋଗ ଅଭ୍ୟାସନେ ॥ ୩୮
ନିଶ୍ଚଳ-ଧ୍ୟାନେ ନିତ୍ୟେ ଚିନ୍ତି । ଯେ ପଦ ଲଭି ନ ପାରନ୍ତି ॥ ୩୯
ସେ ପଦ ହସ୍ତୁ ପକାଇଲି । ଦେଖ ଅଜ୍ଞାନପଣ କଲି ॥ ୪୦
କଳ୍ପ-ପାଦପ-ଛାୟା ତେଜି । ନିରାଶ ପଥେ ଚକ୍ଷୁ ବୁଜି ॥ ୪୧
ଧାଇଁଳି ତୃଷିତ-ବଦନ । ଧିକ ଏ ମୋହର ଜୀବନ ॥ ୪୨
ଏମନ୍ତେ ମନ ଦୁଃଖ କରି । ଧ୍ରୁବ ମିଳିଲା ନିଜ-ପୁରୀ ॥ ୪୩
ପଥେ ଧ୍ରୁବକୁ ଦେଖି ଜନେ । ମିଳିଲେ ଧ୍ରୁବ ସନ୍ନିଧାନେ ॥ ୪୪
କେତେହେଁ ଜନ ବେଗେ ଧାଇଁ । କହିଲେ ରାଜା ଆଗେ ଯାଇ ॥ ୪୫
ଭୋ ନାଥ ଶୁଣ ସାବଧାନେ । ଧ୍ରୁବ ମିଳିଲେ ଉପବନେ ॥ ୪୬
ନିଧି ପ୍ରାପତ ପ୍ରାୟ ମଣି । ସଂଭ୍ରମ ଚିତ୍ତେ ନୃପମଣି ॥ ୪୭
ଦକ୍ଷଣେ ଆସନୁ ଉଠିଲା । ଆନନ୍ଦ-ସାଗରେ ବୁଡିଲା ॥ ୪୮
କାନ୍ଦଇ କଣ୍ଠ-ଗଦଗଦେ । ତକ୍ଷଣେ ମିଳିଲେ ନାରଦେ ॥ ୪୯
ସଂଭ୍ରମେ ରାଜା ମୁଖ ଚାହିଁ । ଧ୍ରୁବ-ଆଗମ କଥା କହି ॥ ୫୦
ଶୁଣି ସାନନ୍ଦେ ନୃପବର । ନାରଦ-କଣ୍ଠେ ଦେଲା ହାର ॥ ୫୧
ସୁବର୍ଣ୍ଣ ପରିଚ୍ଛଦ ରଥେ । ବେଗେ ଚଳିଲା ରାଜପଥେ ॥ ୫୨
ସଙ୍ଗେ ବ୍ରାହ୍ମଣ କୁଳବୁଦ୍ଧେ । ସ୍ୱଜ୍ଞାତି କୁଟୁମ୍ବ ସୁହୃଦେ ॥ ୫୩
ଅମାତ୍ୟ-ମନ୍ତ୍ରୀକୁଳ ଯେତେ । ଧାଇଁଲେ ବାଦ୍ୟ-ବନାଦ-ଗୀତେ ॥ ୫୪
ସୁନୀତି ସୁରୁଚି ସହିତେ । ନାନା ଅଳଙ୍କାର ଭୂଷିତେ ॥ ୫୫
ସୁବର୍ଣ୍ଣ-ଶିବିକା ଆରୋହୀ । ଉତ୍ତମ-ପୁତ୍ରେ ସଙ୍ଗେ ନେଇ ॥ ୫୬
ଧ୍ରୁବକୁ ଦେଖି ଉପବନେ । ଆନନ୍ଦେ ବିସ୍ମିତ-ଲୋଚନେ ॥ ୫୭
ରଥୁଁ ଓହ୍ଲାଇ ରାଜା ବେଗେ । ଆନନ୍ଦେ ପୁତ୍ର-ଅନୁରେଗେ ॥ ୫୮
ପୁତ୍ରକୁ ଆଲିଙ୍ଗନ କଲା । ଯେଣୁ ଅଶେଷ-ପୁଣ୍ୟ ଥିଲା ॥ ୫୯
ଯେ ଧ୍ରୁବ ବିଷ୍ଣୁ-ଅଙ୍ଗସଙ୍ଗେ । ଅଶେଷ-ତୀର୍ଥ ଯାର ଅଙ୍ଗେ ॥ ୬୦
ଆଘ୍ରାଣ କରି ଶିର ଦେଶେ । ହୃଦେ ଲଗାଇ ଅତି ତୋଷେ ॥ ୬୧
ଶିରେ ସିିଞ୍ଚିଲା ଅଶ୍ରୁବାରି । ହୃଦୟେ ପୁଣପୁଣ ଧରି ॥ ୬୨
ପିତା ଚରଣେ ଧ୍ରୁବ ନମି । ବାଳ ସ୍ୱାଭାବେ ପଥଶ୍ରମୀ ॥ ୬୩
ସୁରୁଚି ସୁନୀତିର ପାଦେ । ଧ୍ରୁବ ପ୍ରଣମଇଁ ଆନନ୍ଦେ ॥ ୬୪
ଜନନୀ ପୁତ୍ରମୁଖ ଚାହିଁ । ହରଷ କେ ପାରିବ କହି ॥ ୬୫
ସୁରୁଚି ଧ୍ରୁବେ ଧରି କୋଳେ । ଚୁମ୍ବନ ଦେଲା ସୁଖଭୋଳେ ॥ ୬୬
ସୁନୀତି ପୁତ୍ର କୋଳେ ଧରି । ଅଶ୍ରୁ ଗଳଇ ମୋଦଭରି ॥ ୬୭
ଜନେ କରନ୍ତି ଭୟ ବାଣୀ । ଧ୍ରୁବକୁ ଘେନି ନୃପମଣି ॥ ୬୮
ମିଳିଲେ ନିଜପୁରେ ଆସି । ଧ୍ରୁବ ମହିମା ପରଶଂସି ॥ ୬୯
ଧ୍ରୁବ ପ୍ରବେଶେ ପୁରଜନେ । ଆନନ୍ଦେ ଯେ ଯାହା ଭୁବେନ ॥ ୭୦
ଉତ୍ସବ ଅନେକ ପ୍ରକାରେ । ପ୍ରଦୀପ-ପୂର୍ଣ୍ଣ-କୁମ୍ଭ ଦ୍ୱାରେ ॥ ୭୧
ପ୍ରାଚୀର ଅଟ୍ଟାଳୀ ସମେତ । ଚିତ୍ର ପ୍ରତିମା ରତ୍ନକାନ୍ଥେ ॥ ୭୨
ତୋରଣା ଲମ୍ବେ ସର୍ବଦ୍ୱାରେ । ଚନ୍ଦନ-ଛେରା ନିରନ୍ତରେ ॥ ୭୩
ସ୍ୱଭାବେ ପ୍ରିୟବ୍ରତ-ପୁର । କି ଅବା ଦେବା ପଟ୍ଟାନ୍ତର ॥ ୭୪
ସକଳ ପୁର-ନାରୀବୃନ୍ଦେ । ଧ୍ରୁବକୁ ଦେଖିଣ ଆନନ୍ଦେ ॥ ୭୫
ଗନ୍ଧ-ଚନ୍ଦନ ବାସ-ପାଣି । ଦୂର୍ବା ଅକ୍ଷତ ପୁଷ୍ପ ଆଣି ॥ ୭୬
ଅକ୍ଷତ ଦେଇ ଧ୍ରୁବ ମୁଣ୍ତେ । ଜୟ ଶବଦ କଲେ ତୁଣ୍ତେ ॥ ୭୭
ଏମନ୍ତେ ନାନା-ଉପାୟନ । ଘେନି ସମସ୍ତ ମହାଜନ ॥ ୭୮
ଏମନ୍ତ ମଙ୍ଗଳ ଉତ୍ସବ । ସକଳ ଜନ ପ୍ରିୟଭାବ ॥ ୭୯
ଧ୍ରୁବ ପ୍ରବେଶ ନିଜ ପୁରେ । କାମିନୀ ଗାବନ୍ତି ସୁସ୍ୱରେ ॥ ୮୦
ପୁରେ ପ୍ରବେଶ ରାଜସୁତ । ଦେଖି ସକଳେ କୃତକୃତ୍ୟ ॥ ୮୧
ଶଙ୍ଖ ଦୁନ୍ଦୁଭି ଗୀତସ୍ୱରେ । ମଙ୍ଗଳ ନାଦେ ଦିଗ ପୂରେ ॥ ୮୨
ଯେ ଧ୍ରୁବ ହରି ଅଙ୍ଗ ସଙ୍ଗେ । ଅଶେଷ-ଲକ୍ଷ୍ମୀ ଶୋହେ ଅଙ୍ଗେ ॥ ୮୩
ଯେ ଧ୍ରୁବ ଚରଣ କମଳେ । ସୁଜନେ ନମ ଧ୍ୟାନବଳେ ॥ ୮୪
ଯାର ସ୍ମରଣେ ପାପ ନାଶେ । ନିର୍ମଳ ଜ୍ଞାନ ପରକାଶେ ॥ ୮୫
ଚତୁର୍ଥ ସ୍କନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ ॥ ୮୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥ ସ୍କନ୍ଧେ ଧ୍ରୁବ ଚରିତଂ ନାମ ଏକାଦଶୋଽଧ୍ୟାୟଃ ॥
* * *