ଚତୁର୍ଥ ସ୍କନ୍ଧ
ଦଶମ ଅଧ୍ୟାୟ
ମୈତ୍ରେୟ ଉବାଚ
ବିଷ୍ଣୁ-କର ସ୍ପରଶେ ଧ୍ରୁବର ଧ୍ରୁବମତି ।
ଶ୍ରୀହରି ଚରଣ ଚାହିଁ ଆରମ୍ଭିଲା ସ୍ତୁତି ॥ ୧ ॥
ଧ୍ରୁବ ଉବାଚ
ହର ପ୍ରଜାପତି ଯା ଶରୀରୁ ଜାତ ହୋଇ ।
ପାଳନ-ସଂହାର କରେ ଯାର ଆଜ୍ଞା ପାଇ ॥ ୨ ॥
ତୁହି ସେ ହିରଣ୍ୟଦାତା ତୁ ହିରଣ୍ୟତ୍ରାତା ।
ନମସ୍ତେ ହିରଣ୍ୟରୂପ ସୁଖମୟ ଧାତା ॥ ୩ ॥
ହିରଣ୍ୟକଶ୍ୟପ ବପୁ ନଖେ ବିଦାରଣ ।
ମାୟାଭୂତଙ୍କର ଆତ୍ମା ବହୁ ତୁ କାରଣ ॥ ୪ ॥
ଏଣୁ ଭୂତଙ୍କର ଗତି-ପତି ରୂପ ହୋଇ ।
ସ୍ଥିତି ହେତୁ ବିଷ୍ଣୁ -ଗର୍ଭ ବିଷ୍ଣୁ ରୂପ ବହି ॥ ୫ ॥
ଶ୍ରୀକୃଷ୍ଣ ଜଳଦଶ୍ୟାମ ରୂପ ଯେ ତୋହର ।
ମହାଭାରା-ସହିଷ୍ଣୁ ତୁ କୂର୍ମରୂପ-ଧର ॥ ୬ ॥
ଅସୁର-ଅରଣ୍ୟେ ମହାଦାବାନଳ ରୂପେ ।
ଦୈତ୍ୟ-ଦ୍ରୁମ ଛେଦନେ କୁଠାର ବହୁ ଦର୍ପେ ॥ ୭ ॥
ଶାର୍ଙ୍ଗଧନୁ କରେ ଧରି ରିପୁବଳ ନାଶି ।
କୌମୋଦକୀ ଗଦା ତେଜେ କଉଣପ ଧ୍ୱଂସି ॥ ୮ ॥
ମହାଦନୁଜ ନାଶନେ ନନ୍ଦକ ଧାରଣ ।
ନମୋ ଲକ୍ଷ୍ମୀପତି ଦକ୍ଷକରେ ସୁଦର୍ଶନ ॥ ୯ ॥
ବାସୁଦେବ ନମୋ ନମୋ ଦେବକୀନନ୍ଦନ ।
ସଙ୍କର୍ଷଣ ଅନିରୁଦ୍ଧ ଅବ୍ୟକ୍ତ କାରଣ ॥ ୧୦ ॥
ନମୋନମୋ ଯଜ୍ଞେଶ୍ୱର ପରମକାରଣ ।
ନମସ୍ତେ ନମସ୍ତେ ପ୍ରଭୁ କେଶୀ ବିମର୍ଦ୍ଦନ ॥ ୧୧ ॥
କଂସ-ବିନାଶନ ଯେ ଚାଣୂର ପ୍ରାଣହାରୀ ।
ନିଗୂଢ଼-ବନ୍ଧନୁ ମାତା ପିତାଙ୍କୁ ଉଦ୍ଧରି ॥ ୧୨ ॥
ଦାମୋଦର ହୃଷୀକେଶ ଗୋବିନ୍ଦ ଅଚ୍ୟୁତ ।
ମାଧବ ଉପେନ୍ଦ୍ର ଯେ କୈଟଭ-ପ୍ରାଣହତ ॥ ୧୩ ॥
ନାରାୟଣ ନରକ-ନାଶନ ପାପହାରୀ ।
ବାମନକୁ ନମୋ ନମ ନମୋ ଗଦାଧାରୀ ॥ ୧୪ ॥
ଅନନ୍ତାୟ ଅନନ୍ତ ଶୟନେ ବନମାଳୀ ।
ରୁକ୍ମିଣୀବଲ୍ଲଭ ରୁକୁ-ଦର୍ପ ହେଳେ ବଳି ॥ ୧୫ ॥
ଶିଶୁପାଳ ପ୍ରାଣହର ଅସୁରଦଳନ ।
ଦାନବ ଅନ୍ତକ ଜୟ କୃଷ୍ଣ ନାରାୟଣ ॥ ୧୬ ॥
ମୁକୁନ୍ଦ ପରମାନନ୍ଦ ନନ୍ଦ-ଗୋପବାଳ ।
ନମସ୍ତେ ପୁଣ୍ତରୀକାକ୍ଷ ଦନୁଜେନ୍ଦ୍ର କାଳ ॥ ୧୭ ॥
ନମୋ ଗୋପରୂପ-ଧର ବେଣୁବାଦ୍ୟକାରୀ ।
ଗୋପୀପ୍ରିୟ କେଶୀରିପୁ ଗୋବର୍ଦ୍ଧନଧାରୀ ॥ ୧୮ ॥
ରାମ ରଘୁନାଥ ଯେ ରାବଣ-ପ୍ରାଣହାରୀ ।
ବିଭୀଷଣ-ଶର ଅଭୟ-ପଦକାରୀ ॥ ୧୯ ॥
ଅଜୟ ତୁ ଜୟରୂପେ ରଣରଙ୍ଗେ ବୀର ।
ଯୋଗ ଆଦି କାଳକଳ୍ପେ ନାନାରୂପ ଧର ॥ ୨୦ ॥
ମାୟାବୀଙ୍କ ଗୁରୁ ଗଦା-ଚକ୍ର କରେ ଶୋହେ ।
ଦୈତ୍ୟଚକ୍ର-ବିମର୍ଦ୍ଦନ ବିଶ୍ୱରୂପ ବହେ ॥ ୨୧ ॥
ବଳେ ବଳଭଦ୍ର ନାମ ବଳାରାତି-ପ୍ରିୟ ।
ବଳିଯଜ୍ଞ ଭଞ୍ଜନ ଭକତ-ସ୍ନେହମୟ ॥ ୨୨ ॥
ରଣପ୍ରିୟ ହିରଣ୍ୟକଶିପୁ ବିଦାରଣ ।
ନମସ୍ତେ ପରମବ୍ରହ୍ମ ନମୋ ନାରାୟଣ ॥ ୨୩ ॥
ସତ୍ୟଗୁଣେ ଧର୍ମରୂପ ଧରୁ ଅନ୍ତରୀକ୍ଷେ ।
ସକଳ ଜଗତ-ଜୀବ ପାଳୁ ତୁ ପ୍ରତ୍ୟକ୍ଷେ ॥ ୨୪ ॥
ସହସ୍ର-ଶୀର୍ଷ ନମସ୍ତେ ସହସ୍ରବଦନ ।
ସହସ୍ର-ବାହୁ ନାସିକା ସହସ୍ର-ଶ୍ରବଣ ॥ ୨୫ ॥
ସର୍ବଭୂତ ଅନ୍ତଶ୍ଚକ୍ଷୁ ସହସ୍ର-ଚରଣ ।
ଦିବସେ କିରଣ ରୂପ ସହସ୍ର-କିରଣ ॥ ୨୬ ॥
ସହସ୍ର-ମୂରତି ଲକ୍ଷ୍ମୀକାନ୍ତ ଦିବ୍ୟଦେହ ।
ସୁଯଜ୍ଞ-ପୁରୁଷ ତୁ ସକଳ-ହବିର୍ବହ ॥ ୨୭ ॥
ତୋହର ସ୍ୱରୂପ ବେଦପୁରୁଷେ ଜାଣନ୍ତି ।
ବେଦପ୍ରିୟ ବୋଲି ତୋତେ କରୁଥାନ୍ତି ସ୍ତୁତି ॥ ୨୮ ॥
ଦେବଙ୍କ ବଚନେ ଦେବ ବେଦବିଦ୍ୟା ତୁହି ।
ସଦାଚାର-ମାର୍ଗେ ତୋର ଗମନ ଅଟଇ ॥ ୨୯ ॥
ନମୋ ବଇକୁଣ୍ଠ ରୂପ ବିକୁଣ୍ଠ-ନନ୍ଦନ ।
ବଇକୁଣ୍ଠବାସୀ ନିର୍ବିକାର ନିରଞ୍ଜନ ॥ ୩୦ ॥
ନମସ୍ତେ ଶ୍ରୀବିଷ୍ଣୁ ନମୋ ଗରୁଡ-ବାହନ ।
ବିଶ୍ୱକ୍ସେନ ନମୋ ଜଗନ୍ନାଥ ଜନାର୍ଦ୍ଦନ ॥ ୩୧ ॥
ତ୍ରିବିକ୍ରମ ପାଦେ ନମୋ ନମ ସତ୍ୟପ୍ରିୟ ।
ମାୟା ବିଶ୍ୱରୂପ ତୁ କେଶବ ଦିବ୍ୟଦେହ ॥ ୩୨ ॥
ନମ ତପସ୍କର ତପରୂପ ତୋ ଶରୀର ।
ତପଫଳ-ସିଦ୍ଧିଦାତା ତୁ ସେ ଦାମୋଦର ॥ ୩୩ ॥
ସ୍ତୁତିର ନିଧାନ ସ୍ତୁତି-ଦେବ ସ୍ତୁତିପ୍ରିୟ ।
ଭକ୍ତ-ସ୍ତୁତି-ନିହିତ ତୋହର ନିଜ ଦେହ ॥ ୩୪ ॥
ନମ ଶ୍ରୁତିପ୍ରିୟ ସତ୍ୟାଚାର ଜଗନ୍ନାଥ ।
ଶ୍ରୁତିଜ୍ଞାନ-ସମ୍ପାଦିତ ତୋର ନିଜ ଗାତ୍ର ॥ ୩୫ ॥
ଭକତବତ୍ସଳ କୃଷ୍ଣ ଜୟ ଯୁଗରୂପୀ ।
ଚତୁଃରୂପେ ଚଉଦଭୁବନେ ଦେହବ୍ୟାପୀ ॥ ୩୬ ॥
ଦେବଗଣ ମଧ୍ୟେ ତୁ ବୋଲାଉ ସୁନାସୀର ।
ନବଗ୍ରହ ମଧ୍ୟେ ତୁ ବୋଲାଉ ଦିବାକର ॥ ୩୭ ॥
ଚତୁର୍ଦ୍ଦଶ ଲୋକେ ବ୍ରହ୍ମଲୋକ ତୋ ଶରୀର ।
ସପତ-ଜଳଧି ମଧ୍ୟେ କ୍ଷୀରସିନ୍ଧୁ ସାର ॥ ୩୮ ॥
ନଦୀଙ୍କର ମଧ୍ୟେ ଗଙ୍ଗା ସର୍ବପାପହର ।
ସରୋବର ମଧ୍ୟେ ତୁହି ମାନସରୋବର ॥ ୩୯ ॥
ଗିରି ମଧ୍ୟେ ହିମାଳୟ ଏ ତୋହର ତନୁ ।
ଧେନୁଙ୍କ ମଧ୍ୟରେ ତୁ ବୋଲାଉ କାମଧେନୁ ॥ ୪୦ ॥
ଧାତୁ ମଧ୍ୟେ ସୁବର୍ଣ୍ଣ ସ୍ପଟିକ ପ୍ରାୟ ଦେହ ।
ପୁଷ୍ପଙ୍କର ମଧ୍ୟେ ନୀଳୋତ୍ପଳ ପ୍ରାୟେ କାୟ ॥ ୪୧ ॥
ସର୍ବଶାଖା ମଧ୍ୟେ ତୁ ଯେ ତୁଳସୀ ବୋଲାଉ ।
ଶିଳାଙ୍କର ମଧ୍ୟେ ଶାଳଗ୍ରାମ ରୂପ ବହୁ ॥ ୪୨ ॥
ମୁକ୍ତିକ୍ଷେତ୍ର ମଧ୍ୟେ ବାରାଣସୀ ତୋର ନାମ ।
ତୀର୍ଥଙ୍କର ମଧ୍ୟେ ତୁ ପ୍ରୟାଗ ନିଜ ଧାମ ॥ ୪୩ ॥
ବର୍ଣ୍ଣଙ୍କର ମଧ୍ୟେ ଶୁକ୍ଳବର୍ଣ୍ଣ ରୂପ ତୋର ।
ମନୁଷ୍ୟଙ୍କ ମଧ୍ୟେ ତୁ ବୋଲାଉ ବିପ୍ରବର ॥ ୪୪ ॥
ପକ୍ଷୀଙ୍କର ମଧ୍ୟେ ତୁ ବିନତାସୁତ ହରି ।
ବ୍ୟବହାରେ ରହୁ ତୁ ବଚନ ରୂପ ଧରି ॥ ୪୫ ॥
ବେଦବାକ୍ୟ ମଧ୍ୟେ ବ୍ରହ୍ମଭାଗ ତୋ ଶରୀର ।
ମନ୍ତ୍ରଙ୍କର ମଧ୍ୟରେ ତୁ ପ୍ରଣବ ଓଁକାର ॥ ୪୬ ॥
ଅକ୍ଷରଙ୍କ ମଧ୍ୟେ ତୁ ଅ କାର ଉଚ୍ଚାରଣ ।
ଯଜ୍ଞଙ୍କର ମଧ୍ୟେ ସୋମରୂପ ତୁ କାରଣ ॥ ୪୭ ॥
ପ୍ରଭାଙ୍କର ମଧ୍ୟେ ଅଗ୍ନିଦେବଙ୍କ ବଦନ ।
କ୍ଷମାବନ୍ତ ମଧ୍ୟେ ତୁମ୍ଭେ ଯେ ସର୍ବସହନ ॥ ୪୮ ॥
ଦାତାଙ୍କର ମଧ୍ୟେ ଘନରୂପୀ ଶୂନ୍ୟବାସୀ ।
ପବିତ୍ରଙ୍କ ମଧ୍ୟେ ତୁ ବୋଲାଉ ପୁଣ୍ୟରାଶି ॥ ୪୯ ॥
ସର୍ବଶସ୍ତ୍ର ମଧ୍ୟେ ଧନୁରୂପ ତୋ ଶରୀର ।
ବେଗବନ୍ତ ମଧ୍ୟେ ତୁମ୍ଭେ ବୋଲାଅ ସମୀର ॥ ୫୦ ॥
ଇନ୍ଦ୍ରିଗଣ ମଧ୍ୟରେ ତୁ ମନ ନିର୍ଚିକାର ।
ସର୍ବବ୍ୟାପୀ ମଧ୍ୟେ ବ୍ୟୋମ ଅତି ଅଗୋଚର ॥ ୫୧ ॥
ଆତ୍ମାଙ୍କର ମଧ୍ୟେ ତୁ ପରମଆତ୍ମା ହେଉ ।
ସର୍ବକର୍ମ ମଧ୍ୟେ ପୂର୍ବସନ୍ଦ୍ୟା ତୁ ବୋଲାଉ ॥ ୫୨ ॥
ଯଜ୍ଞ ମଧ୍ୟେ ଅଶ୍ୱମେଧ ନାମଦ ନିର୍ଭୟ ।
ଲାଭଙ୍କର ମଧୋ ପୁତ୍ରଲାତ ତୁ ଉଦୟ ॥ ୫୩ ॥
ଯୁଗଙ୍କର ମଧ୍ୟେ ତୁପ୍ରଥମ ସତ୍ୟଯୁଗ ।
ଷଡଋତୁ ମଧ୍ୟେ ତୁ ବସନ୍ତ ବଲଭୋଗ ॥ ୫୪ ॥
ପଞ୍ଚଦଶ-ତିଥି ମଧ୍ୟେ କୁହୁ ତୁ ବୋଲାଉ ।
ନକ୍ଷତ୍ରଙ୍କ ମଧ୍ୟେ ପୁଷ୍ୟା ରୂପେ ଉଦେ ହେଉ ॥ ୫୫ ॥
ପଞ୍ଚପର୍ବ ମଧ୍ୟେ ତୁ ବୋଲାଉ ସଙ୍କ୍ରମଣ ।
ଯୋଗେ ବ୍ୟତିପାତ ତୃଣ ମଧ୍ୟେ ଦର୍ଭ ପୁଣ ॥ ୫୬ ॥
ସର୍ବବୃକ୍ଷ ମଧ୍ୟେ ତୁ ଅଶ୍ୱତ୍ଥ ବାସୁଦେବ ।
ଲତାଙ୍କର ମଧ୍ୟେ ସୋମଲତା ପଦ୍ମନାଭ ॥ ୫୭ ॥
ସର୍ବମନ୍ତ୍ର ମଧ୍ୟେ ତୁ ପ୍ରଥମ ପ୍ରାଣାୟମ ।
ସର୍ବଲିଙ୍ଗ ମଧ୍ୟେ ବିଶ୍ୱେଶ୍ୱର ତୋର ନାମ ॥ ୫୮ ॥
ସର୍ବକର୍ମ ଉପରେ ନିର୍ବାଣଦାତା ତୁହି ।
ସର୍ବବୁଦ୍ଧି ମଧ୍ୟେ ଧର୍ମବୁଦ୍ଧି ତୁ ଗୋସାଇଁ ॥ ୫୯ ॥
ମିତ୍ର ମଧ୍ୟେ ପତ୍ନୀ ତୁହି ବନ୍ଧୁ ମଧ୍ୟେ ଧର୍ମ ।
ଚରାଚର ମଧ୍ୟେ ନାହିଁ ତୋହ ତହୁଁ ଆନ ॥ ୬୦ ॥
ତୁ ସେ ମାତାପିତା ବନ୍ଧୁ ତୁ ସେ ମହାଧନ ।
ସର୍ବ ସୁଖ ସମ୍ପଦ ତୁ ଜୀବର ଜୀବନ ॥ ୬୧ ॥
ତାହାକୁ ସେ କଥା ବୋଲି ଯହିଁ ତୋର ନାମ ।
ସେ ମନକୁ ମନ ବୋଲି ଯହିଁ ତୋର ଧ୍ୟାନ ॥ ୬୨ ॥
ଯେ କର୍ମ ତୋହର ଅର୍ଥେ କରି ସେହି କର୍ମ ।
ତାହା ଛାଡି ଅନ୍ୟମାର୍ଗେ ଯେତେ କରି ଭ୍ରମ ॥ ୬୩ ॥
ତୁମ୍ଭର ସ୍ମରଣକୁ ଯେ ବୋଲି ଘୋରତପ ।
ଧନ୍ୟ ଧନ୍ୟ ବୋଲି ଯେ ସେବନ୍ତି ତୋର ରୂପ ॥ ୬୪ ॥
ତୋର କାର୍ଯ୍ୟ ଅର୍ଥେ ଯେତେ ବେଳ ଯାଇ ବହି ।
ସର୍ବ-ଶୂନ୍ୟ-ମାର୍ଗେ ଯାଇ ତେତେମାତ୍ର ରହି ॥ ୬୫ ॥
ଯେତେବେଳେ ଧ୍ୟାନମତେ ହୃଦେ ରହୁ ତୁହି ।
ତେତେବେଳେ ଜୀବନର ସୁଫଳ ଫଳଇ ॥ ୬୬ ॥
ତବ ପାଦ-ଉଦକ ସକଳ-ବ୍ୟାଧି ହରେ ।
ଧର୍ମ-ଅର୍ଥ-କାମ-ମୋକ୍ଷ ଚତୁର୍ବର୍ଗ ସ୍ଫୁରେ ॥ ୬୭ ॥
ବହୁ-ଜନ୍ମାନ୍ତରେ ଯେ ଅର୍ଜିତ ପାପଫଳ ।
ତୋର ନାମେ ଦହେ ଯେହ୍ନେ ବନେ ଦାବାନଳ ॥ ୬୮ ॥
ବାସୁଦେବ-ସ୍ମରଣେ ଯାହାର ଅନ୍ୟ-ମତି ।
କେବେହେଁ ନ ଲଭେ ନାଥ ଆତ୍ମା ସଦଗତି ॥ ୬୯ ॥
ପ୍ରାଣୀଙ୍କର ମାୟାମୋହ ପ୍ରମାଦଟି ସେହି ।
କୃଷ୍ଣକଥା ଛାଡି ଅନ୍ୟେ ପୀରତି କରଇ ॥ ୭୦ ॥
ସେହିଟି ମଙ୍ଗଳ ମହାଧନ-ଅରଜନ ।
ଜୀବନର ସୁଗତିଟି ଗୋବିନ୍ଦ-କୀର୍ତ୍ତନ ॥ ୭୧ ॥
ଧର୍ମ-ଅର୍ଥ-କାମ-ମୋକ୍ଷ ହରି-ଉଚାରଣେ ।
ଯାବତ ଜୀବନ ରହେ ପରମ-କାରଣେ ॥ ୭୨ ॥
ଏହି ପାପ-ଦୁଃଖମୟ ଅନିତ୍ୟ ସଂସାରେ ।
ବାସୁଦେବ ସ୍ତୁତି ଛାଡି ଯେ ଅନ୍ୟ ଉଚ୍ଚାରେ ॥ ୭୩ ॥
ହରି ଆରାଧନ ଜ୍ଞାନ ଯେ କରେ ସଂସାରେ ।
ପୁତ୍ର ମିତ୍ର କଳତ୍ର ତା ମୋକ୍ଷ ଅଧିକାରେ ॥ ୭୪ ॥
କଳୁଷ ହରଇ ଆଧିବ୍ୟାଧି ନାଶ କରେ ।
ଧର୍ମଜ୍ଞାନ ପ୍ରସରଇ ଯେବା ଅନୁସରେ ॥ ୭୫ ॥
ତୋହୋର ଚରଣଯୁଗେ ଯେବା ଆଶ୍ରେ କରେ ।
ସାଧୁଜନ ପ୍ରସଙ୍ଗରେ ସର୍ବପାପହରେ ॥ ୭୬ ॥
ଅଜ୍ଞାନେ ଅନଳ ଯେହ୍ନେ ଶରୀର ଦହଇ ।
ବିମନେ ଶୁଣିଲେ ନାମ ଦୁରିତ ନାଶଇ ॥ ୭୭ ॥
ଏହିଟି ପରମଧର୍ମ ଏ ପରମତେଜ ।
ଯାର ଦେହେ ନିତ୍ୟେ ଲାଗେ ହରିପାଦରଜ ॥ ୭୮ ॥
ଭକ୍ତିଯୋଗେ ବିଷ୍ଣୁର ନିର୍ମାଲ୍ୟ ଯେ ଭକ୍ଷଇ ।
ଅଶେଷ କୋଟି ଜନ୍ମ ପାପକୁ ନାଶଇ ॥ ୭୯ ॥
ବିଷ୍ଣୁ-ପାଦୋଦକ ଶଙ୍ଖେ ଭରି ସ୍ନାନ କରେ ।
ଗଙ୍ଗାସ୍ନାନ ଦାଦ ଫଳ ଲଭଇ ସତ୍ୱରେ ॥ ୮୦ ॥
ଶାଳଗ୍ରାମ ଶିଳା ଯେ ତୁଳସୀ ଦଳେ ପୂଜେ ।
ପାରିଜାତ ମାଳା ହୃଦେ ବସେ ସ୍ୱର୍ଗରାଜ୍ୟେ ॥ ୮୧ ॥
ବିପ୍ର ଆଦି ଚାରିବର୍ଣ୍ଣ ଅନ୍ୟ ଜାତି ଯେତେ ।
ସକଳେ ପୂଜା କରନ୍ତି ବିଷ୍ଣୁର ଭକତେ ॥ ୮୨ ॥
ଶଙ୍ଖ-ବକ୍ରାଙ୍କିତ ଯାର ତନୁ ନିତ୍ୟେ ଶୋହେ ।
ଗୋପୀଚନ୍ଦନ ଅଙ୍କିତ ନିତ୍ୟେ ପାପ ଦହେ ॥ ୮୩ ॥
ନିତ୍ୟେ ହେ ଦ୍ୱାଦଶଚିତା ଚକ୍ରାଙ୍କିତ ତୁଲେ ।
ଅଚିନ୍ତ୍ୟ ବୈକୁଣ୍ଠପୁରେ ସ୍ଥାନ ଲଭେ ହେଳେ ॥ ୮୪ ॥
ତୁଳସୀବନ ଯେ ରୋପେ ବିଷ୍ଣୁପୂଜା ଅର୍ଥେ ।
ତାର ଗୃହେ ପ୍ରବେଶ ନ ହୋନ୍ତି ଯମଦୂତେ ॥ ୮୫ ॥
ନିରନ୍ତରେ ବୋଲଇ ଯେ ରାମ କୃଷ୍ଣ ହରି ।
ସାଧୁଜନ ଦେଖିଣ ଆନନ୍ଦେ ସବୋକରି ॥ ୮୬ ॥
ଲଲାଟେ ଗୋପୀଚନ୍ଦନ ମୁଖେ କୃଷ୍ଣ ହରି ।
ତୁଳସୀ-ମଞ୍ଜରୀମାଳା ଯେବା କଣ୍ଠେ ଧରି ॥ ୮୭ ॥
ଯମଦୂତେ ନୁହଁନ୍ତି ତାହାକୁ ଅଧିକାରୀ ।
ସ୍ୱାମୀର ବଚନ ଦୃଢ଼ଚିତ୍ତେ ଶିରେ ଧରି ॥ ୮୮ ॥
ଶ୍ରୀଗୋପୀଚନ୍ଦନ ଯେ ତୁଳସୀ ଶାଳଗ୍ରାମ ।
ଶଙ୍ଖ ଚକ୍ରାଙ୍କିତଶିଳା ସହିତେ ପଞ୍ଚମ ॥ ୮୯ ॥
ଏହି ପଞ୍ଚଦ୍ରବ୍ୟ ଯାର ନିତ୍ୟେ ରହେ ଗୃହେ ।
ତାହାକୁ ଦେଖନ୍ତେ ପାପ ବେଗେ ନାଶ ଯାଏ ॥ ୯୦ ॥
ଗୋବିନ୍ଦ ପରମାନନ୍ଦ ଶ୍ରୀମଧୁସୂଦନ ।
ତୋହର ଚରଣବିନୁ ନ ଜାଣଇ ଆନ ॥ ୯୧ ॥
ଜଳ ସ୍ଥଳ ପାତାଳ ସମୂହେ ନିରନ୍ତର ।
ବିଦ୍ୟାଧର ସୁରାସୁର ଗନ୍ଧର୍ବ କିନ୍ନର ॥ ୯୨ ॥
ତୃଣ ଗୁଳ୍ମ ଲତା ତରୁ ପାଷାଣ ସହିତେ ।
ସର୍ବତ୍ର ସମାନରୂପ ଦେଖୁ ଅବିରତେ ॥ ୯୩ ॥
ପ୍ରଣୀଦେହେ ଅନ୍ତର୍ଯ୍ୟାମୀ ରୂପେ ତୁମ୍ଭେ ଅଛ ।
ଏହି ରୂପେ ସର୍ବଦିଗେ ଦେଖଇ ପ୍ରତ୍ୟକ୍ଷ ॥ ୯୪ ॥
ଏଣୁ ତୋଚରଣେ ପୁଣପୁଣନମସ୍କାର ।
ବୁଡିଲି ମୋହସଂସାରେ ବାରେକ ଉଦ୍ଧର ॥ ୯୫ ॥
ନମାମି ଗୋବିନ୍ଦ ନାରାୟଣ ଦାମୋଦର ।
ବନମାଳୀ ବାସୁଦେବ ନମୁଁ ତୋ ପୟର ॥ ୯୬ ॥
ପାଦପଦ୍ମ ତଳେ ନାଥ ଶରଣ ମୁଁ ତୋର ।
ଏ ଭବସାଗରୁ ପ୍ରଭୁ ଉଦ୍ଧରିଣ ଧର ॥ ୯୭ ॥
ମୈତ୍ରେୟ ଉବାଚ
ଏତେ ସ୍ତୁତି କରି ଧ୍ରୁବ ମଉନେ ରହିଲା ।
ନିଶ୍ଚଳେ ଗୋବିନ୍ଦ-ପାଦେ ଚିତ୍ତ ସମର୍ପିଲା ॥ ୯୮ ॥
ତାହାର ଭକତିଭାବ ଗୋବିନ୍ଦ ଜାଣିଲେ ।
ଗରୁଡୁ ଉତୁରି ଧ୍ରୁବ ଛାମୁରେ ମିଳିଲେ ॥ ୯୯ ॥
ଧ୍ରୁବକୁ ଲଗାଇ ହୃଦେ କମଳାରମଣ ।
କହନ୍ତି ମଧୁରବାକ୍ୟେ ପ୍ରଭୁ ନାରାୟଣ ॥ ୧୦୦ ॥
ଶ୍ରୀଭଗବାନ ଉବାଚ
ଶୁଣ ହୋ ବାଳକ ମୁଁ ଜାଣଇ ତୋର ମନ ।
ଘୋରତପ କଲୁ ଶୁଣି ଜନନୀ-ବଚନ ॥ ୧୦୧ ॥
ତୋର ମନ-ବାଞ୍ଚିତ ଜାଣଈ ମୁହିଁ ଭଲେ ।
ଧ୍ରୁବଲୋକେ ବସାଇବି ଜନନୀର ତୁଲେ ॥ ୧୦୨ ॥
ଧ୍ରୁବଲୋକେ ଅଧିକାର ତୋହର ହୋଇଲା ।
କୋଟି-କଳ୍ପାନ୍ତରେ ଯାହା କେହି ନ ପାଇଲା ॥ ୧୦୩ ॥
ତୋର ପିତୃ-ପିତାମହେ ଅଗୋଚର ସ୍ଥାନ ।
ସେ ସ୍ଥାନେ ତୋ ବିନୁ ବାଳ ବସିବ କେ ଆନ ॥ ୧୦୪ ॥
ସ୍ୱର୍ଗଲୋକ ଉର୍ଦ୍ଧ୍ୱଦେଶେ ମହଲୋକ ତଳେ ।
ତ୍ରୈଲୋକ୍ୟ-ପ୍ରଳୟ କାଳେ ନ ଦହେ ଅନଳେ ॥ ୧୦୫ ॥
ଶିଶୁମାରଚକ୍ରେ ବସେ ଧ୍ରୁବ ଅଧିକାର ।
ଯେ ଚକ୍ର ଭ୍ରମନ୍ତେ ନିତ୍ୟେ ଭ୍ରମେ ଦିବାକର ॥ ୧୦୬ ॥
ଗ୍ରହ ଋକ୍ଷ ଋଷି ଚନ୍ଦ୍ର ତପନ ସହିତେ ।
ଦାମିନୀ ବନ୍ଧନେ ଛନ୍ତି ସମୀରଣ-ତନ୍ତ୍ରେ ॥ ୧୦୭ ॥
ସେହିସ୍ଥାନେ ଗ୍ରହଚକ୍ରେ ବସ ତୁ ନିଶ୍ଚିନ୍ତେ ।
କଳ୍ପ ସଂଖ୍ୟା ରହ ମନୋରଥ ପୂର୍ଣ୍ଣ ଅନ୍ତେ ॥ ୧୦୮ ॥
ପୂର୍ବେ ମହାଦେବ-ବରେ ସେ ସ୍ଥାନ ମୋହର ।
ମୁହିଁ ଦେଲି ଧ୍ରୁବ ତୁ ନିଶ୍ଚିନ୍ତେ ଭୋଗ କର ॥ ୧୦୯ ॥
ମନୁ ଯାହା ନ ପାଇଲେ କି ଅନ୍ୟ ମାନବେ ।
ଜନନୀ ସହିତେ ବାଳ ସୁଖେ ଭୁଞ୍ଜ ଏବେ ॥ ୧୧୦ ॥
ପୂର୍ବେ ତୁହି ବ୍ରହ୍ମ-ପୁତ୍ର ରାଜପୁତ୍ର ସଙ୍ଗେ ।
ମିତ୍ରପଣେ ରହି ଚିତ୍ତ କଳ୍ପିଅଛୁ ଭୋଗେ ॥ ୧୧୧ ॥
ଏଣୁ ପୁଣ୍ୟବଳେ ରାଜକୁଳେ ହେଲୁ ଜନ୍ମ ।
ଏବେ ତପଫଳେ ଭୁଞ୍ଜ ସମ୍ପାଦିଲା କର୍ମ ॥ ୧୧୨ ॥
ଶୁଣ ଧ୍ରୁବ ଏକଚିତ୍ତେ କହିବଇଁ ତୋତେ ।
ତପସ୍ଥାନେ ରହି ସ୍ତୁତି କଲୁ ମୋତେ ଯେତେ ॥ ୧୧୩ ॥
ସର୍ବ-ସ୍ତୋତ୍ରଙ୍କର ରାଜ ଏ ସ୍ତୋତ୍ର ପ୍ରତ୍ୟକ୍ଷେ ।
ଯେ ନର ଏ ସ୍ତୁତି ପଢେ ମୋହର ସମକ୍ଷେ ॥ ୧୧୪ ॥
ତ୍ରିସନ୍ଧ୍ୟା ପଢନ୍ତି ଯେବା ନିତ୍ୟେ ଇଷ୍ଟ କରି ।
ତ୍ରିବିଧ-ପାତକବନ୍ଧୁ ବେଗେ ଯାନ୍ତି ତରି ॥ ୧୧୫ ॥
ତାହାର ଭୁବନ ଲକ୍ଷ୍ମୀ କେବେହେଁ ନ ତେଜେ ।
ଜନନୀ ବନ୍ଧୁ ବିଯୋଗ କେବେହେଁ ନ ଭଜେ ॥ ୧୧୬ ॥
ଏ ତୋହର ପୁଣ୍ୟସ୍ତୁତି ପାପ ବିନାଶିନୀ ।
ବ୍ରହ୍ମହତ୍ୟା ଦୋଷ ହରେ ମୋର ଆଜ୍ଞା ଘେନି ॥ ୧୧୭ ॥
ଶ୍ରଦ୍ଧାଯୁକ୍ତେ ମୋର ନାମ ଯେବା ନର ପଢେ ।
ସୁଖେ ମୋହଜଳୁ ତରେ କେବେହେଁ ନ ବୁଡେ ॥ ୧୧୮ ॥
ଗ୍ରହପୀଡା ମହାବ୍ୟାଧି ସର୍ବଦୁଃଖ ହରେ ।
ସର୍ବତୀର୍ଥ-ସ୍ନାନ ଫଳ ଲଭେ ବସି ଘରେ ॥ ୧୧୯ ॥
ଅପୁତ୍ରିକ ପୁତ୍ର ଯେ ନିର୍ଦ୍ଧନ ଧନ ଲଭେ ।
ଅଭକ୍ତ ଭକ୍ତି ଲଭଇ ତୋର ସ୍ତୁତି ଭାବେ ॥ ୧୨୦ ॥
ନାନାଦାନ ନାନାତପ ନାନାବ୍ରତ କରି ।
ଯେ ତୋହୋର ସ୍ତୁତି ପଢେ ମୋର ଭାବ ଭରି ॥ ୧୨୧ ॥
ଚତୁର୍ବର୍ଗମୁକ୍ତି ତାର କରତଳେ ରହି ।
ନିତ୍ୟେ ଯେ ଭଜନ୍ତି ମୋ ଚରଣେ ଚିତ୍ତ ଦେଇ ॥ ୧୨୨ ॥
ମୈତ୍ରେୟ ଉବାଚ
ଏମନ୍ତ ପ୍ରସନ୍ନେ କହି ପ୍ରଭୁ ଚକ୍ରଧର ।
ସନ୍ତୋଷ ଧ୍ରୁବକୁ ଚାହିଁ ଯାଚି ଦ୍ୟନ୍ତି ବର ॥ ୧୨୩ ॥
ବୋଲନ୍ତି ମନୁର ବଂଶେ ଜନ୍ମ ଏ ତୋହର ।
ନରନାରାୟଣ ଦେବତାଙ୍କୁ ଅଗୋଚର ॥ ୧୨୪ ॥
ଏ ଶରୀର ଭୋଗେ ତୁ ଆତ୍ମାକୁ କରି ଭୋଗ ।
ଆଧି-ବ୍ୟାଧି-ବର୍ଜିତ ଜୀବ ତୁ ସତ୍ୟଯୁଗ ॥ ୧୨୫ ॥
ଏ ଶରୀର ଘେନି ଧ୍ରୁବଲୋକେ ବସ ତୁହି ।
କଳ୍ପସଂଖ୍ୟା ପ୍ରମାଣେ ଜନନୀ ସଙ୍ଗେ ଲଇଁ ॥ ୧୨୬ ॥
ଏମନ୍ତ ଧ୍ରୁବକୁ ବର ଦେଇ ଜନାର୍ଦ୍ଦନ ।
ଗରୁଡ-ବାହନେ ସେ ହୋଇଲେ ଅନ୍ତର୍ଦ୍ଧାନ ॥ ୧୨୭ ॥
ବିଷ୍ଣୁବର ପାଇ ସେ ଉତ୍ତାନପାଦ-ବଳା ।
ଦିବ୍ୟରୂପ ଧରି ନିଜ ଭୁବନେ ମିଳିଲା ॥ ୧୨୮ ॥
ଜନନୀ ଚରଣେ ସେବା କଲା ଅନୁକ୍ଷଣେ ।
ଅନୁଭବ ଦୁଃଖ ଗଲା ଯେତେ ଥିଲା ମନେ ॥ ୧୨୯ ॥
ପିତାର ବଲ୍ଲଭ ଦିନେ ଦିନେ ସେ ବଢ଼ଇ ।
ଧ୍ରୁବର ମହିମା ଅବା କେ ଦାରିବ କହି ॥ ୧୩୦ ॥
ଏମନ୍ତ ବିଦୁର ଆଗେ ମଇତ୍ରେୟ ମୁନି ।
କହିଲେ ଧ୍ରୁବର କଥା ହରିଭାବ ଘେନି ॥ ୧୩୧ ॥
ବିଷ୍ଣୁପଦୀ-ତୀରେ ରହି ପରୀକ୍ଷିତ ଆଗେ ।
ଶୁକ ଭକ୍ତିଯୋଗ ଯେ କହିଲେ ଅନୁରାଗେ ॥ ୧୩୨ ॥
ଶ୍ରୀହରି-ଚରିତ ଏ ଅମୃତମୟ ରସ ।
ଭାଗବତ-ଗୀତ କହେ ଜଗନ୍ନାଥ ଦାସ ॥ ୧୩୩ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ଧ୍ରୁବ ଚରିତଂ ନାମ ଦଶମୋଽଧ୍ୟାୟଃ ॥
* * *