ଚତୁର୍ଥ ସ୍କନ୍ଧ
ନବମ ଅଧ୍ୟାୟ
ମୈତ୍ରେୟ ଉବାଚ
ଘୋରବନେ ଅନ୍ତର୍ଦ୍ଧାନେ ଯାନ୍ତେ ମୁନିଗଣେ ।
ଅନ୍ତରୀକ୍ଷ-ବାଣୀ ତାକୁ ଶୁଭିଲା ଗଗନେ ॥ ୧ ॥
ମଧୁବନ କାଳିନ୍ଦୀ ଦକ୍ଷିଣ-ତଟେ ରହି ।
ନିଶ୍ଚଳ-ଆସନେ ମନ୍ତ୍ର ଜପ କର ତୁହି ॥ ୨ ॥
ଅନ୍ତରୀକ୍ଷ-ବଚନ ଶୁଣିଲା ଯହୁଁ କର୍ଣ୍ଣେ ।
ନିଶ୍ଚଳ-ଆସନେ ଚିତ୍ତ ନିବେଶି ଗଗନେ ॥ ୩ ॥
ତକ୍ଷଣେ ନମିଲା ସେ ମୁନିଙ୍କ ପାଦଗତେ ।
ସେ ଆସନ ତେଜି ଧ୍ରୁବ ଚଳିଲା ତୁରିତେ ॥ ୪ ॥
କୃତକୃତ୍ୟ ହୋଇ ସେ ବାଳକ ଅରକ୍ଷିତ ।
ସେ ବନୁ ଚଳିଲା ଧ୍ରୁବ କିଛି ଦୂର ପଥ ॥ ୫ ॥
ନିର୍ଜନ-ବନସ୍ତେ ଯେ ଯମୁନା-ତଟେ ଯାଇ ।
ଅନ୍ତରୀକ୍ଷ-ବାଣୀ ଚିନ୍ତେ ଗଗନକୁ ଚାହିଁ ॥ ୬ ॥
ମଧୁନାମେ ଦୈତ୍ୟ-ଅଧପତି ତହିଁ ଥିଲା ।
ସେ କାରଣୁ ମଧୁବନ ନାମ ସେ ହୋଇଲା ॥ ୭ ॥
ବିଷ୍ଣୁ-ସନ୍ନିଧାନେ ସେ ହାରିଲା ଯୁଗେ ଯୁଗେ ।
ତାର ପୁତ୍ର ଲବଣ ଯେ ଥିଲା ବନଭାବେ ॥ ୮ ॥
ଶତ୍ରୁଘନ ରୂପେ ତାକୁ ମାରି ଚକ୍ରଧର ।
ଗ୍ରାମ ବସାଇଲେ ନାମ ମଥୁରାନଗର ॥ ୯ ॥
ସର୍ବପାପ ହରଇ ଯମୁନାଜଳ ଯହିଁ ।
ତାର ତୀରେ ନିଶ୍ଚଳେ ବସିଲା ଧ୍ରୁବ ଯାଇ ॥ ୧୦ ॥
ମୁନିଙ୍କର ଉପଦେଶ ସୁମରି ନିଶ୍ଚଳେ ।
ଯମୁନାର ସମୀପେ କଦମ୍ବ ବୃକ୍ଷ ମୂଳେ ॥ ୧୧ ॥
ନିଶ୍ଚଳ ଆସନେ ବସି ପ୍ରତ୍ୟାହାର କଲା
ହରି ଅନୁଗ୍ରହେ ମନ ନିଶ୍ଚଳ ରହିଲା ॥ ୧୨ ॥
ଅଶେଷ ଦେବ ଈଶ୍ୱର ବିଷ୍ଣୁତା ହୃଦୟେ ।
ପ୍ରକାଶ ହୋଇଲେ ପୂର୍ବ ଭାଗ୍ୟର ଉଦୟେ ॥ ୧୩ ॥
ସର୍ବଭୂତ ଦେହେ ବସେ ଆକାଶର ପ୍ରାୟେ ।
ସର୍ବଗତେ ସର୍ବଭାବେ ସର୍ବ ଜୀବମୟେ ॥ ୧୪ ॥
ଦ୍ୱାଦଶ ଅକ୍ଷର ମନ୍ତ୍ର ହୃଦରେ ସୁମରି ।
ବିଷ୍ଣୁର ଚରଣେ ଚିତ୍ତ ଅତି ଦୃଢେ ଧରି ॥ ୧୫ ॥
ମନେ ବିଚାରଇ ଏ ଆସନେ କାର୍ଯ୍ୟ ନାହିଁ ।
ଉର୍ଦ୍ଧ୍ୱମୁଖେ ଉର୍ଦ୍ଧ୍ୱବାହୁ ତପ ସାଧିବଇଁ ॥ ୧୬ ॥
ଏମନ୍ତ ବିଚାରି ସେ ଆସନୁ ଉତୁରିଲା ।
ଦକ୍ଷିଣଚରଣ ସେ ଧରଣୀ-ପୃଷ୍ଠେ ଦେଲା ॥ ୧୭ ॥
ସର୍ବଭୂତଧାତ୍ରୀ କମ୍ପେ ଧ୍ରୁବପାଦଭରେ ।
ବନଗିରି-ଜଳଧି ସହିତେ ଯା ଶରୀରେ ॥ ୧୮ ॥
ବାମପାଦ-ଅଙ୍ଗୁଷ୍ଠ-ଅଗ୍ରରେ ଭରଦେଇ ।
ବାମଜାନୁ ଉପରେ ଦକ୍ଷିଣ-ପାଦ ଥୋଇ ॥ ୧୯ ॥
ପାଦର ଅଙ୍ଗୁଷ୍ଠେ ଧ୍ରୁବ ନିଶ୍ଚଳେ ରହିଲା ।
ଧ୍ରୁବର ଚରଣ-ଭରେ ଅବନୀ କମ୍ପିଲା ॥ ୨୦ ॥
ପର୍ବତ-କାନନ ଆଦି ଜଳଧି ସହିତେ ।
କମ୍ପଇ ଧରଣୀ ରମ୍ଭାପତ୍ର ଯେହ୍ନେ ବାତେ ॥ ୨୧ ॥
ଦଶଦିଗ କମ୍ପିଲା କମ୍ପିଲେ ଦିଗପାଳେ ।
ଦେବଙ୍କର ବିମାନ କମ୍ପିଳା ଅନ୍ତରାଳେ ॥ ୨୨ ॥
ଯମ ଆଦି ଦେବଗଣ ପରମ-ଆକୁଳେ ।
ଇନ୍ଦ୍ରର ସହିତେ ବସି ଚିନ୍ତିଲେ ସକଳେ ॥ ୨୩ ॥
ବିଚାରନ୍ତି ଧ୍ରୁବର ତପସ୍ୟା ଭଗ୍ନ କଲେ ।
ତେବେ ନିଜ ଅଧିକାରେ ରହିବା ନିଶ୍ଚଳେ ॥ ୨୪ ॥
ଯଦ୍ୟପି ଏହାର ତପ ରହିବ ନିଶ୍ଚଳ ।
ଚତୁର୍ଦ୍ଦଶ-ଲୋକେ ନାହିଁ କାହାରି କୁଶଳ ॥ ୨୫ ॥
ଏମନ୍ତ ବିଚାରି ଦେବେ ରହିଲେ ଚକିତେ ।
ଧ୍ରୁବର ନିଶ୍ଚଳ-ଧ୍ୟାନ କୃଷ୍ଣପାଦଗତେ ॥ ୨୬ ॥
ପରଂବ୍ରହ୍ମ ଅନାମୟ ବାସୁଦେବ-ମନ୍ତ୍ରେ ।
ଆଗମ ନିଗମ ମନ୍ତ୍ରେ ସ୍ତୁତିସ୍ତୋତ୍ର ଯେତେ ॥ ୨୭ ॥
ବାସୁଦେବ ପ୍ରାୟ ସେ ଜଗତକୁ ଦେଖଇ ।
ଉନ୍ମୀଳ ଲୋଚନେ ଧ୍ରୁବ ପରାଭବ ବହି ॥ ୨୮ ॥
ସର୍ବଭାବେ ସର୍ବଘାଟେ ଦେଖେ ହରି-ରୂପ ।
ସର୍ବଦିଗେ ଅନଳ-ପବନ ସର୍ବକଳ୍ପ ॥ ୨୯ ॥
ବନଗିରି କନ୍ଦରେ ଯେତେକ ପଶୁଯୂଥ ।
ବରୁଣ-ଭୁବନେ ଜଳଜନ୍ତୁ ଯେ ସମସ୍ତ ॥ ୩୦ ॥
ଅଶ୍ୱ ଗଜ ସହିତେ ରାଜାର ପୁରେ ଯେତେ ।
ବିଷ୍ଣୁର ସ୍ୱରୂପେ ରୂପ ଦେଖଇ ସମସ୍ତେ ॥ ୩୧ ॥
ପାତାଳେ ଅନନ୍ତ ରୂପ ଗଗନେ ନକ୍ଷତ୍ର ।
ଏକରୂପେ ରୂପଭେଦ କେ କରିବ ଅନ୍ତ ॥ ୩୨ ॥
ଦେବଙ୍କର ଦେହେ ନିତ୍ୟେ ଯେ ହରି ବସଇ ।
ସର୍ବଭୂତେ ଏକଆତ୍ମା ଅନ୍ୟ ନ ଘଟଇ ॥ ୩୩ ॥
ବିଶ୍ୱବ୍ୟାପୀ ପୁରୁଷ ଗୋଚର କେବା କହୁ ।
ଏଣୁ ବ୍ୟାପୀ ଅଛଇଁ ଆକାଶ ପ୍ରାୟେ ସେହୁ ॥ ୩୪ ॥
ଏହି ଭାବେ ନାମ ଧରି ବିଷ୍ଣୁରେ ପୀରତି ।
ସର୍ବଭୂତେ ପୂରିଅଛି କେହି ନ ଦେଖନ୍ତି ॥ ୩୫ ॥
ସର୍ବଜନ୍ତୁ ହୃଦାକାଶେ ରବି ପ୍ରାୟେ ଦିଶେ ।
ଇନ୍ଦ୍ରିୟଙ୍କ ଈଶ୍ୱର ଯେ ହୃଷୀକେଶ ଘୋଷେ ॥ ୩୬ ॥
ଯାହାର ଭକତଜନ ପ୍ରଳୟେ ନ ନାଶେ ।
ଏଣୁ ଏ ଅଚ୍ୟୁତନାମ ସର୍ବବେଦ ଘୋଷେ ॥ ୩୭ ॥
ଚରାଚର ବିଶ୍ୱଭାବେ ହୋଇ ଏ ବିଶ୍ୱାସେ ।
ଏଣୁ ବିଶ୍ୱଭାବ ନାମ ସର୍ବ ଉପଦେଶେ ॥ ୩୮ ॥
ଧ୍ରୁବର ନୟନ ବିଷ୍ଣୁପାଦେ ଲୀନ ଗଲା ।
ଶ୍ରୃତିଯୁଗ ନୟନ ବିଷ୍ଣୁପାଦେ ଲୀନ ଗଲା । ॥
ଶ୍ରୁତିଯୁଗ ବିଷ୍ଣୁର ଶବଦେ ଆଶ୍ରେ କଲା ॥
୩୯ବଚନ ରିହିଲା ବିଷ୍ଣୁ ଚରିତ ବର୍ଣ୍ଣନେ । ॥
ବିଷ୍ଣୁ ପାଦପଦ୍ମ ଗନ୍ଧ ଚରିତ ବର୍ଣ୍ଣନେ ।
ବିଷ୍ଣୁ ପାଦପଦ୍ମ ଗନ୍ଧ ନାସାରନ୍ଧ୍ର ଘ୍ରାଣେ ॥ ୪୦ ॥
ହସ୍ତ ବେନି ସେବା ଭାବେ ହୋଇଲେ ଅର୍ପିତ ।
ପଦଯୁଗ ଗୋବିନ୍ଦ-ଭକତେ ଉପଗତ ॥ ୪୧ ॥
ଚର୍ମ ଇନ୍ଦ୍ରି ରୋଧିଲା ପ୍ରସାଦ-ରସ-ରସେ ।
ଶୀତ ଘର୍ମ ନ ଲାଗିଲା ବିଷ୍ଣୁ ଉପଦେଶେ ॥ ୪୨ ॥
ଶବଦ ସ୍ପରଶ ରସ ରୂପ ଗନ୍ଧ ଯେତେ ।
ବିଷ୍ଣୁର ଚରଣେ ଲୀନ ହୋଇଲେ ସମସ୍ତେ ॥ ୪୩ ॥
ବାକ୍ୟ ପାଦ ପାଣି ଲିଙ୍ଗ ମୂଳାଧାର ଆଦି ।
ନିଶ୍ଚଳେ ରହିଲା ଧ୍ରୁବ ଯୋଗରେ ସନ୍ନିଧି ॥ ୪୪ ॥
ତାର ଘୋରତପ ତେଜେ ସର୍ବତେଜ ଲୀନ
ଅଗ୍ନି ସୁଧାକର ବାୟୁ ଆକାଶେ ତପନ ॥ ୪୫ ॥
ସର୍ବଜୀବ ଜଡମତ ଧ୍ରୁବ-ତେଜଭରେ ।
ଧ୍ରୁବ ତପେ ପୃଥ୍ୱୀ ଘୂରେ ମଣ୍ତଳ ଆକାରେ ॥ ୪୬ ॥
ନିର୍ମଳ ଶୀତଳ ଜଳ ନଦୀଏ ବହନ୍ତି ।
ମଦ ଶୀତ ଗନ୍ଧଗୁଣେ ପବନ ଚଳନ୍ତି ॥ ୪୭ ॥
ଯେତେ ରୂପ ଗୁଣ ଯେତେ ସୁନ୍ଦର ତ୍ରିଲୋକେ ।
ସର୍ବ ଲୀନ ହୋଇଲେ ସୁନୀତି-ପୁତ୍ର-ମୁଖେ ॥ ୪୮ ॥
ସମୀରଣ ବହେ ଯେ ଧ୍ରୁବର ଦେହେ ଲାଗି ।
ସେ ବାୟୁ ସ୍ପରଶେ ସର୍ବଦିଗ ସଉଭାଗୀ ॥ ୪୯ ॥
ଅଶେଷ-ଶବଦ ଘେନି ଗଗନ ନିଶ୍ଚଳେ ।
ଆଶ୍ରେ କରି ରହିଲେ ଧ୍ରୁବର କର୍ଣ୍ଣମୂଳେ ॥ ୫୦ ॥
ଭୂମି-ଆଦି ଧ୍ରୁବର ଶରୀର ପଞ୍ଚଭୂତେ ।
ନିଶ୍ଚଳେ ରହିଲେ ତପବଳର ଆୟତ୍ତେ ॥ ୫୧ ॥
ଧ୍ରୁବତପ ଦେଖିଣ ପବନ ବିଚାରଇ ।
ମୋର ଦର୍ପ ତପବଳେ ସହରିବ ଏହି ॥ ୫୨ ॥
ଏହାର ତପସ୍ୟା ଭଙ୍ଗେ ମୁହିଁ କ୍ଷମ ନୋହେ ।
ଏଣୁ କରି ଧ୍ରୁବ ଅଙ୍ଗେ ଶୀତଉଷ୍ଣେ ବହେ ॥ ୫୩ ॥
ଅପସରା ଗଣେ ଚାହିଁ ଧ୍ରୁବର ବଦନେ ।
ଅନ୍ୟୋଅନ୍ୟେ ସମ୍ଭ୍ରମେ କହନ୍ତି ଦୁଃଖମନେ ॥ ୫୪ ॥
ଯୁବାଜନଙ୍କର ଯୋଗ-ତପ ଆମ୍ଭେ ଗଞ୍ଜି ।
ଏ ବାଳକ ଚିତ୍ତେ କାହୁଁ ପାରିବା ନିମଜ୍ଜି ॥ ୫୫ ॥
କାମ-କ୍ରୋଧ ଅଛନ୍ତି ଯେ ଆମ୍ଭର ସଙ୍ଗତେ ।
କେହି ନ ପାରିବେ ପଶି ଏବାଳକ ଚିତ୍ତେ ॥ ୫୬ ॥
ତଦନ୍ତେ ସକଳ-ଦେବେ ଇନ୍ଦ୍ରମୁଖ ଚାହିଁ ।
ବୋଲନ୍ତି ସଂଭ୍ରମ-ଚିତ୍ତେ ଶିରେ କର ଦେଇ ॥ ୫୭ ॥
କି ବୁଦ୍ଧି କରିବା ଏବେ କହ ଦେବରାୟେ ।
ଧ୍ରୁବର ତପସ୍ୟା-ଭଙ୍ଗେ ନାହିଁକି ଉପାୟେ ॥ ୫୮ ॥
ମୂହୂର୍ତ୍ତେ ରହିଲା ଇନ୍ଦ୍ର ଦେବବାକ୍ୟ ଶୁଣି
ତପ-ଭଙ୍ଗ ନିମିତ୍ତ ଉପାୟ ମନେ ଗୁଣି ॥ ୫୯ ॥
ଇନ୍ଦ୍ର କହେ ସ୍ୱଭାବେ ବାଳକ ଦେହ ଧରି ।
ଭୟଙ୍କର ଭୂତ ଆଦି ଦେଖି ଅବା ଡରି ॥ ୬୦ ॥
ଭୟଙ୍କର ରୂପ ଦେଖି ବାଳକେ ଡରନ୍ତି ।
ଅନ୍ୟ କିଛି ଉପାୟେ ନହେବ ଏହା ଭୀତି ॥ ୬୧ ॥
ଆସୁରୀ-ମାୟାରେ ଯେବେ ଭଙ୍ଗ କରିପାର
ନିଶ୍ଚୟେ ଭୂଞ୍ଜିବ ତୁମ୍ଭେ ଯେଝା ଅଧିକାର ॥ ୬୨ ॥
ସ୍ୱଭାବେ ବାଳକ ବସିଅଛି ଘୋରବନେ ।
ଅନ୍ୟଥା ଉପାୟ ନାହିଁ ତପ-ଉଚ୍ଚାଟନେ ॥ ୬୩ ॥
ଏମନ୍ତ ବିଚାରି ଯେ ଆସୁରୀ-ମାୟା ବଳେ ।
ନାନା ଭୟଙ୍କର ରୂପ ଧ୍ରୁବକୁ ବେଢ଼ିଲେ ॥ ୬୪ ॥
ଭୂତଗଣ ଧାଇଁଲେ ଭୀଷଣ ରୂପ ଧରି ।
ଲହ-ଲହ ଜିହ୍ୱା କଳକଳ ନାଦ କରି ॥ ୬୫ ॥
ଡାକିନୀ ସ୍ୱଭାବେ ରୂପ ଅତି ଭୟଙ୍କର ।
ନରମୁଣ୍ତେ ହସ୍ତେ କରି ରାବନ୍ତି ଅପାର ॥ ୬୬ ॥
ଉଲ୍ଳକ ଆକାର ଉଷ୍ଟ୍ର-ଖର ରୂପ ଧରି ।
ଲମ୍ବଗ୍ରୀବା ଶିର ପାଦ ବଦନ ବିସ୍ତାରି ॥ ୬୭ ॥
ଭୂମି-ଦନ୍ତାଘାତେ ତରୁ ଉଲ୍ଳୋଳ କରନ୍ତି ।
ବିକଟ-ଦଶନେ ବକ୍ରମୁଖ କେ କରନ୍ତି ॥ ୬୮ ॥
କେବା ତରୁ ଉପାଡିଣ ଭୂମିରେ ପିଟନ୍ତି ।
ଅତି ଆସ୍ଫାଳନେ ଧ୍ରୁବ ନିକଟେ ମିଳନ୍ତି ॥ ୬୯ ॥
ବୃଷଭ ଆକାରେ ତୀକ୍ଷ୍ଣ-ଶୃଙ୍ଗେ ଭୂବିଦାରି ।
ମନୋଜବେ ଧାମନ୍ତି ଉନ୍ମତ୍ତ-ରୂପଧରି ॥ ୭୦ ॥
ସର୍ବରୂପ ଧରି ଫଣା ଉଭାରନ୍ତି ବଳେ ।
ଲହଲହ ବେନିଜିହ୍ୱା ବୁଲାଇ ଚଞ୍ଚଳେ ॥ ୭୧ ॥
ଫୁ...ଫୁ... କରି ବିଷ କଣା ଜଳ ଦୃଷ୍ଟି ପ୍ରାୟେ ।
ଏ ରୂପେ ଧ୍ରୂବ ସମୀପେ ମିଳିଲେ ଥୋକାଏ ॥ ୭୨ ॥
ମହିଷ ଆକାରେ ଗିରିଶୃଙ୍ଗ ଅଗ୍ରେ ଧରି ।
ଉପାଡନ୍ତି କୋପଭରେ ଲାଙ୍ଗୁଳି ଉଭାରି ॥ ୭୩ ॥
ଭୂତଗଣେ ଧାମନ୍ତି ବିସ୍ତାରି ମହାକାୟେ ।
ବେନିପାଦ ଦିଶନ୍ତି ଖର୍ଜୁର ବୃକ୍ଷ ପ୍ରାୟେ ॥ ୭୪ ॥
ମୁଖ ବିସ୍ତାରନ୍ତି କିବା ଭାକ୍ଷିବେ ଗଗନ ।
ନାସା ଅଗ୍ରେ ବହେ ଉନପଞ୍ଚାଶ ପବନ ॥ ୭୫ ॥
ଉଲ୍ଲୁକ ଆକାରେ ପୁଣି ଫୁ..ଫୁ. ନାଦ କରି ।
ହୃଦୟ କମ୍ପାଇ ଧ୍ରୁବ ନିକଟରେ ମିଳି ॥ ୭୬ ॥
ପିଶାଚେ ଧାବନ୍ତି ଭୟଙ୍କର ରୂପ ଧରି ।
ବାମେ ଛିନ୍ନଶିର ଦକ୍ଷେ ଖଡଗ ଉଭାରି ॥ ୭୭ ॥
ଅଗ୍ନି-ନାସା ମହାହନୁ କରାଳ-ଦଶନେ ।
ଧ୍ରୁବର ସମୀପେ ଯେ ମିଳିଲେ ଘୋରବନେ ॥ ୭୮ ॥
ବେନି ଶାଳବୃକ୍ଷ ବେନିକରେ ଉପାଡନ୍ତି ।
ଅନ୍ତକ-ପୁରୁଷ ପ୍ରାୟେ ନିକଟେ ମିଳନ୍ତି ॥ ୭୯ ॥
ଭୈରବ-ନାଦରେ ଯେ କରନ୍ତି ହୁଂହୁଂକାର ।
ସେ ନାଦ ଶୁଣିଲେ ଆତ୍ମା କମ୍ପେ ଥରହର ॥ ୮୦ ॥
ଡାକିନୀ ମିଳିଲେ ଯେ ହୁଙ୍କାର ନାଦ କରି ।
ରୋଦନ କରନ୍ତି ଶିଶୁ ବେନିପାଦ ଧରି ॥ ୮୧ ॥
ଧ୍ରୁବର ନିକଟେ ଅତିକୋ ସେ ମିଳିଲେ ।
ମୃଣାଳ ପ୍ରାୟେକ ଶିଶୁ-ମୁଣ୍ତ ଚୋବାଇଲେ ॥ ୮୨ ॥
ବଦନ ବିସ୍ତାରି ସେ ରୁଧିର ପାନ କରି ।
ଧ୍ରୁବର ବଦନ ଚାହିଁ ବୋଲେ ମାୟାଧାରୀ ॥ ୮୩ ॥
ସୁଲଳିତ ପ୍ରାଣ ତୋର ଶୁଣରେ କୁମର ।
ସନ୍ତୋଷେ ରୁଧିର ପାନ କରିବି ତୋହର ॥ ୮୪ ॥
ଦଣ୍ତେ ଯଦି ରହିପାରୁ ମୋହର ଛାମୁର ।
ମୃଣାଳର ପ୍ରାୟେ ଅସ୍ଥି ଚୋବାଇବି ତୋର ॥ ୮୫ ॥
ଏମନ୍ତ କହନ୍ତେ ପୁଣି ଗୁହ୍ୟକ ମିଳିଲେ ।
ଧ୍ରୁବ ଚାରିପାଶେ ଶୁଷ୍କକାଷ୍ଠ ରୁଣ୍ତକଲେ ॥ ୮୬ ॥
ଦାବାଗ୍ନି ଲଗାଇ ଯେ ବିଞ୍ଚନ୍ତି କର-ପତ୍ରେ ।
ବୃଷ୍ଟିପ୍ରାୟ ଅଗ୍ନିକଣା ପଡେ ଧ୍ରୁବ-ଗାତ୍ରେ ॥ ୮୭ ॥
ମଣ୍ତଳ ଆକାରେ ବୃକ୍ଷମାନ ଉପାଡ଼ନ୍ତି ।
ଧ୍ରୁବର ସମୀପେ ରହି ଶବଦେ ଗର୍ଜନ୍ତି ॥ ୮୮ ॥
ଗଗନେ କ୍ଷେପନ୍ତି ତରୁଲତା କୋଟି କୋଟି ।
ଅନ୍ୟେ ଅନ୍ୟେ ବୃକ୍ଷ ଧରି ଚାହାଁନ୍ତି ତରାଟି ॥ ୮୯ ॥
ଶତ ଶତ ଶୃଗାଳ ରାବନ୍ତି ଘନଘନେ ।
ଧ୍ରୁବପାଶେ ମିଳନ୍ତି ସେ କୁପିତ ଲୋଚନେ ॥ ୯୦ ॥
ପୁଣି ଏକ ଡାକିନୀ ସୁନୀତି ରୂପ ଧରି ।
ଧ୍ରୁବର ସମୀପେ ମିଳେ ମାତୃସ୍ନେହ ଭରି ॥ ୯୧ ॥
ହାହା ପୁତ୍ର ବୋଲି ବେନିକର ହୃଦେ ତାଡେ ।
କେଶ-ବାସ ଅସମ୍ଭାଳ ପୁଣ ପୁଣ ପଡେ ॥ ୯୨ ॥
ବହୁମାୟା ବିନିର୍ମିତ ଚାଟୁବାକ୍ୟ କହେ ।
ଜନନୀ ବାଳକ ଭାବେ କେହୁ ବା ତା ସହେ ॥ ୯୩ ॥
ଅତ୍ୟନ୍ତ କାରୁଣ୍ୟେ ପୁତ୍ରସ୍ନେହେ ସେ ରୋଦନ ।
ପୁଣି ସ୍ଥିର କରି ଚାହେଁ ଧ୍ରୁବର ବଦନ ॥ ୯୪ ॥
ତୁହି ମୋର ଏକପୁତ୍ର ସଙ୍ଗେ କେହି ନାହିଁ ।
କେବଳ ତୋହର ଧ୍ୟାନେ ପ୍ରାଣ ମୁଁ ଧରଇ ॥ ୯୫ ॥
ତୁହି ମୋ ରକ୍ଷକ ତୋର ତହୁଁ ଆନ ନାହିଁ ।
ତୋର ବନଗମନେ ଅଜ୍ଞାନ ମୋର ଦେହୀ ॥ ୯୬ ॥
ତୋର ବିନୁ ମରଣ ନିକଟେ ମୋର ମିଳେ ।
କାଳସର୍ପ ପ୍ରାୟ ମୋତେ ନିରନ୍ତରେ ଜାଳେ ॥ ୯୭ ॥
ତୋହର ଉଦ୍ଦେଶ୍ୟେ ମୁଁ ଅନେକ-ଗ୍ରାମ-ପୁରେ ।
ଖୋଜି ନ ପାଇଲି ବଳା ଅନେକ ପ୍ରକାରେ ॥ ୯୮ ॥
ବନ-ଗିରି-କନ୍ଦର-ପାଟଣା-ପୁରେ ଖୋଜି
ପ୍ରାଣରକ୍ଷା କରଇ ଉଦକ-ପତ୍ର ଭୁଞ୍ଜି ॥ ୯୯ ॥
ଯେଉଁ ଦିନୁ ମୋର ପୁରୁ ହୋଇଲୁ ବାହାର ।
ନିତ୍ୟେ ଲୁହ ସ୍ରବଇ କଣ୍ଠରେ ହାହାକାର ॥ ୧୦୦ ॥
ଯେତେଦିନ ତୋହର ବିହୁନେ ଥିଲି ମୁହିଁ ।
ସପତ୍ନୀର ବଚନ ମୁଁ ନ ପାରଇ ସହି ॥ ୧୦୧ ॥
ଦାବାଗ୍ନି ଯେସନେ ବନ ଦହେ ଅତି ବଳେ ।
ମୋର ପ୍ରାଣ ଦହିଲା ସପତ୍ନୀ ବାକ୍ୟାନଳେ ॥ ୧୦୨ ॥
ନିଦ୍ରା ଉଜାଗର ମୁହିଁ ନ ଜାଣଇ କିଛି ।
ଶୟନ-ଭୋଜନ-ପାନ କିଛି ହିଁ ନ ଇଚ୍ଛି ॥ ୧୦୩ ॥
ରାତ୍ରିଦିନ ଯୋଗୀ ପ୍ରାୟେ କରେ ତୋତେ ଧ୍ୟାନ ।
ସ୍ୱପନେ ଦେଖଇ ମୁଁ ଯେ ତୋହର ବଦନ ॥ ୧୦୪ ॥
ତୋହର ବଦନ ପ୍ରତିଦିନ ମୁଁ ନ ଦେଖି ।
ତୋର ମୁଖ-ଧ୍ୟାନେ ମୋର ସ୍ରବେ ବେନିଆଖି ॥ ୧୦୫ ॥
ତୋହର ମଧୁର-ବାକ୍ୟ ଶୁଭେ ମୋର କର୍ଣ୍ଣେ ।
ଏବେ ମୋତେ ନ ରୁଚଇ କୋକିଳ ବଚନେ ॥ ୧୦୬ ॥
ତୋର ଅଙ୍ଗ-ସଙ୍ଗ-ଧୂଳି ମୋ ଅଙ୍ଗେ ଧୂସର ।
ଶୀତଳ-ତପତ ମୋତେ ନ ବାଧେ ଶରୀର ॥ ୧୦୭ ॥
କେତେ ବନଗିରି ଯେ ସରିତ ସର କୂଳେ ।
ଭ୍ରମୁଅଛି ରାତ୍ରଦିବା ତୋହର ବିକଳେ ॥ ୧୦୮ ॥
ତୋତେ ନ ଦେଖିଲେ ମୋର ହୋଇବ ମରଣ ।
ଅନ୍ତର୍ଗତ-ଅନଳେ ଦହଇ ରାତ୍ରଦିନ ॥ ୧୦୯ ॥
ଚରଣ ଚାଲିବା ମୋ ବିବର୍ଣ୍ଣ ଦେଖ ବଳା ।
ସ୍ୱଭାବେ ରକ୍ତିମା ଥିଲା ଏବେ ଦେଖ କଳା ॥ ୧୧୦ ॥
ଧ୍ରୁବ ବିନୁ ଅଧ୍ରୁବ ଦେଖଇ ବିଶ୍ୱ ମୁହିଁ ।
ଅନ୍ଧକାର ଦଶଦିଶ କିଛି ନ ଦିଶଇ ॥ ୧୧୧ ॥
ନିତ୍ୟେ ଡାକ ହେଉ ଧାତା ରଖ ମୋର ପ୍ରାଣ ।
ଧ୍ରୁବ ଘେନି ତୋର ପାଦେ ପଶିଲି ଶରଣ ॥ ୧୧୨ ॥
ତୁ ମୋର ଅନ୍ଧରଯଷ୍ଟି ଦେଖ ପୁତ୍ର ମୁଖ ।
ପୁତ୍ରକୁ ଉଦରେ ଧରି ପାଉଅଛି ଦୁଃଖ ॥ ୧୧୩ ॥
ତୋର ଅଙ୍ଗ ସୁକୋମଳ ବାହୁ ସୁଲଳିତ ।
ବାବୁ ଏ ଦାରୁଣ-ତପ କଲୁ ବିପରୀତ ॥ ୧୧୪ ॥
ଦୁଷ୍କର ସାଧନ ତପ ଅତି ଗୁରୁତର ।
କର୍ମସାଧ୍ୟ ପୁରୁଷକୁ ଅଟଇ ସୁନ୍ଦର ॥ ୧୧୫ ॥
ଅଳ୍ପଲୋକେ କର୍ମ ସାଧ୍ୟ କେବେହେଁ ନୁହଇ ।
ନଜାଣି ଦୁଃସହ-କର୍ମ କିମ୍ପା ଭୁଞ୍ଜୁ ତୁହି ॥ ୧୧୬ ॥
ସୁଲକ୍ଷଣ-ତନୁ ତୋର ସ୍ୱଭାବେ ସୁନ୍ଦର ।
ରାଜ-ଅଇଶ୍ୱର୍ଯ୍ୟ-ଭୋଗ ତୋତେ ନୁହେ ଦୂର ॥ ୧୧୭ ॥
ଏ ବାଳ-ବୟସେ ତୋର ଖେଡ ନିରନ୍ତର ।
ସାତ-ପାଞ୍ଚ ବାଳକର ସଙ୍ଗତେ ବିହାର ॥ ୧୧୮ ॥
କୁମାର-ବୟସେ ବିଦ୍ୟା ଅଭ୍ୟାସ କାରଣେ ।
ନାନା-ତର୍କ-ବିତର୍କ ଶବଦ-ଉଚାରଣେ ॥ ୧୧୯ ॥
ପୁଣି ବିଶ୍ୱ ସଂସାରେ ସ୍ୱଧର୍ମ-କର୍ମ କରି ।
କୁଳ-ଶୀଳ-ଶୁଚିଯୁକ୍ତା କନ୍ୟୃା ଘରେ ବରି ॥ ୧୨୦ ॥
ଧର୍ମ-ଧନ ସଞ୍ଚୟ ସନ୍ତତି ଜନ୍ମ କରି ।
ବିଷୟ-ସମ୍ମୋହେ ଚିତ୍ତ ଅତି ଦୃଢ଼େ ଧରି ॥ ୧୨୧ ॥
ନାନା-ସୁଖେ ଭୋଗ କରି ଇନ୍ଦ୍ରିୟ ରୋଧନେ ।
ପଞ୍ଚାଶ-ବରଷେ ପୁଣି ପ୍ରବେଶିବୁ ବନେ ॥ ୧୨୨ ॥
ନାନା-ଧର୍ମ ତପ ସାଧ୍ୟ କରି ବନବାସେ ।
ସନ୍ନ୍ୟାସ-ଗ୍ରହଣେ ଚିତ୍ତ ଯୋଗର ଅଭ୍ୟାସେ ॥ ୧୨୩ ॥
ଏ ଜନ୍ମ-ମରଣ ଭାବ ଚିତ୍ତେ ପରିମାଣି ।
ନିର୍ବିକାର-ବ୍ରହ୍ମରୂପେ ପ୍ରବେଶନ୍ତି ପ୍ରାଣୀ ॥ ୧୨୪ ॥
ସଂସାରର ଧର୍ମ ଏ ଯେ ପରମ-କାରଣ ।
ଏ ମୋର ବଚନ ପୁତ୍ର ସାବଧାନେ ଶୁଣ ॥ ୧୨୫ ॥
ବାଲ୍ୟକାଳେ ତପସାଧି ସିଦ୍ଧ ନୋହେ କେବେ ।
ଚିତ୍ତ-ବୃତ୍ତି ଅତିଶୟ ସଚଞ୍ଚଳ ଯେବେ ॥ ୧୨୬ ॥
ଶତ୍ରୁ-ପରାଭାବେ ଯେବେ ତପ ସାଧ୍ୟ କରେ ।
ହିଂସା-ଫଳ ଲଭେ ପ୍ରାଣୀ କେବେ ହେଁ ନ ତରେ ॥ ୧୨୭ ॥
ଅଧର୍ମ-ତପ-ନିବୃତ୍ତି ହୁଅ ଏବେ ସୁତ ।
ଏ ସ୍ୱଭାବେ ନୁହେଁ ଧର୍ମ ସାଧୁଙ୍କର ମତ ॥ ୧୨୮ ॥
ଏମନ୍ତ ବଚନ ଯହୁଁ ମାତୃଭାବେ ଶୁଣି ।
ସମାଧି-ଯୋଗରେ ଧ୍ରୁବ ମନେମନେ ଗୁଣି ॥ ୧୨୯ ॥
ବିଚାରଇ ଜନନୀ ଏ ନୋହଇ ମୋହର ।
ନିଶ୍ଚୟେ ଜାଣିଲି ଏ ଆସୁରୀ-ମାୟା ଘୋର ॥ ୧୩୦ ॥
ଏମନ୍ତ ବିଚାରି ମନ-ନିଶ୍ଚଳେ ରହିଲା ।
ରଖ ହେ ଗୋବିନ୍ଦ ବୋଲି ଶରଣ ପଶିଲା ॥ ୧୩୧ ॥
ସମସ୍ତ ଦେବତା ମିଳି ଇନ୍ଦ୍ରର ବଚନେ ।
ଯେତେ-ମାୟା ପ୍ରାକଶିଲେ ଧ୍ରୁବ ସନ୍ନିଧାନେ ॥ ୧୩୨ ॥
ଧ୍ରୁବ-ତପ-ଭଙ୍ଗେ କେହି ସମର୍ଥ ନୋହିଲେ ।
ବିଷ୍ଣୁ-ଚକ୍ର-ତେଜ ଧ୍ରୁବ ନିକଟେ ଦେଖିଲେ ॥ ୧୩୩ ॥
ସକଳେ ଭାଜିଲେ ତେଜ ଦେଖି ଧ୍ରୁବଦେହେ ।
ନିଶି ଅନ୍ଧକାର ଯେହ୍ନେ ତପନ ଉଦୟେ ॥ ୧୩୪ ॥
ସର୍ବଭୂତେ ଧ୍ରୁବର ଚରଣେ ପ୍ରଣମିଲେ ।
ବ୍ୟର୍ଥ-ମନୋରଥେ ନିଜ ଭୁବନେ ମିଳିଲେ ॥ ୧୩୫ ॥
ଇନ୍ଦ୍ର-ଆଦି ଦିଗପାଳେ ଭୂତବଳ ଭଗ୍ନେ ।
ପୁଣି ବିଚାରନ୍ତି ବସି ବିଘ୍ନ-ଅନୁମାନେ ॥ ୧୩୬ ॥
ବିଘ୍ନ କରି ନ ପାରି ସକଳ ଦେବଗଣେ ।
ଶରଣ ପଶିଲେ ଯାଇ ଶ୍ରୀହରି ଚରଣେ ॥ ୧୩୭ ॥
ନାରାୟଣ ଚରଣେ ମନିଲେ ଦେବଗଣ ।
ଦେଖି ହରି ପ୍ରଶ୍ନ କଲେ ଗମନ କାରଣ ॥ ୧୩୮ ॥
ଗୋବିନ୍ଦ ବଚନ ଶୁଣି ଶିରେ କରଯୋଡି ।
ଦେବଗଣେ କହନ୍ତି ଚରଣତଳେ ପଡି ॥ ୧୩୯ ॥
ଗଣ-ଉବାଚ
ଉତ୍ତାନ ପାଦର ପୁତ୍ର ଧ୍ରୁବ ତପ-ବଳେ
ସମୁଦ୍ର-ଗିରି ସହିତେ ଧରଣୀ କମ୍ପିଲେ ॥ ୧୪୦ ॥
ଆମ୍ଭେ ରହି ନ ପାରିଲୁ ଗଗନ-ମଣ୍ତଳେ ।
ତାର ତପେ କମ୍ପିଲେ ସକଳ-ଦିଗପାଳେ ॥ ୧୪୧ ॥
ତ୍ରୈଲୋକ୍ୟ ସକଳେ କେହି ନ ପାରିଲୁ ରହି ।
ନ ଜାଣୁ କାହାର ପଦ ମନେ ସେ ବାଞ୍ଛଇ ॥ ୧୪୨ ॥
ମୈତ୍ରେୟ ଉବାଚ
ଏମନ୍ତ ବଚନ ସେ ଦେବଙ୍କ ମୁଖୁ ଶୁଣି ।
ଅଧୋମୁଖେ ହରଷେ ରହିଲେ ଚକ୍ରପାଣି ॥ ୧୪୩ ॥
ଧ୍ରୁବ-ତପେ ହୀନ-ତେଜ ଦେଖି ଦେବଗଣ ।
ହରଷେ କହନ୍ତି ଧ୍ରୁବ ତପର କାରଣ ॥ ୧୪୪ ॥
ଭଗବାନ ଉବାଚ
ମୋହର ବଚନ ଏବେ ଶୁଣ ଦେବଗଣେ ।
ଯେ ନିମିତ୍ତେ ଧ୍ରୁବ ତପ କରଇ ଅରଣ୍ୟେ ॥ ୧୪୫ ॥
ପିତା-ଜାନୁ-ଆରୋହଣେ ଧ୍ରୁବ ଇଚ୍ଛା କଲା ।
ତାହା ଦେଖି ମାତୃ-ସପତଣୀ ଝିଙ୍ଗାସିଲା ॥ ୧୪୬ ॥
ତାରବାକ୍ୟ-କୁଳିଶରେ ହୃଦୟେ ଦହିଲା ।
ମାତାର ବଚନେ ଧ୍ରୁବ ତପ ଅଚରିଲା ॥ ୧୪୭ ॥
ଘୋର-ତପବଳେ ତାକୁ ଆମ୍ଭେ ବର ଦେବୁ ।
ତ୍ରିଲୋକ ଉପରେ ନେଇ ଧ୍ରୁବେ ବସାଇବୁ ॥ ୧୪୮ ॥
ତୁମ୍ଭ ଅଧିକାରେ ପ୍ରୟୋଜନ ନାହିଁ ତାର ।
ନିଶ୍ଚିନ୍ତେ ଗମନ ଦେବେ କର ନିଜପୁର ॥ ୧୪୯ ॥
ବିଷ୍ଣୁ-ଭକ୍ତ-ପ୍ରାଣୀ ବିଷ୍ଣୁ ପ୍ରାୟେ ଦେଖେ ସର୍ବ ।
କେବେ ହେଁ ଅପରବଳ ନ କରଇ ଖର୍ବ ॥ ୧୫୦ ॥
ତାର ତପ ଦେଖି କୋପ ନ କରିବ ଚିତ୍ତେ ।
ନିରତେ ରହିବ ସର୍ବପ୍ରାଣୀଙ୍କର ହିତେ ॥ ୧୫୧ ॥
ଆମ୍ଭର ଆଦେଶେ ଧ୍ରୁବ-ସ୍ଥାନେ ସେ ବସିବ ।
ତୁମ୍ଭ ଦିଗପାଳ-ପଦ ନିଶ୍ଚଳେ ରହିବ ॥ ୧୫୨ ॥
ମୈତ୍ରେୟ ଉବାଚ
ଏମନ୍ତ ବିଷ୍ଣୁର ବାକ୍ୟ ଶୁଣି ସାବଧାନେ ।
ନିଜପୁରେ ଦିଗପାଳେ ଗଲେ ତୋଷମନେ ॥ ୧୫୩ ॥
ଶୁକ କହେ ଶୁଣ ପରୀକ୍ଷିତ ନୃପମଣି ।
ଧ୍ରୁବତପେ ତାରେ ଦୟା କଲେ ଚକ୍ରପାଣି ॥
୧୫୪ ॥ଗରୁଡ ଆସନେ ବସି ଚତୁର୍ଭୁଜ ରୂପେ ।
କାତିନ୍ଦୀ-ତଟେ ମିଳିଲେ ଧ୍ରୁବର ସମୀପେ ॥
୧୫୫ ॥ମଧୁର-ବଚନେ କିବା ଅମୃତ-ବରଷେ ।
ସର୍ବଦେବ ଦେଖୁଛନ୍ତି ବିସ୍ମିତେ ଆକାଶେ ॥ ୧୫୬ ॥
ଧ୍ରୁବକୁ ଅନାଇ ହରି ପ୍ରସନ୍ନ-ବଦନେ ।
ତପ-ତେଜ-ଶାନ୍ତିକର ଅମୃତ ବଚନେ ॥
୧୫୭ ॥ଭଗବାନ ଉବାଚ
ବର ମାଗ ପ୍ରସନ୍ନ ହୋଇଲି ମୁହିଁ ତୋତେ ।
ତପିଗଣେ ଶ୍ରେଷ୍ଠ ତୁ ହୋଇଲୁ ସର୍ବମତେ ॥ ୧୫୮ ॥
ବାଳକ-ଶରୀର ତୋର ଅତି ସୁକୁମାର ।
କିମ୍ପା ବନବାସେ ତୋର ତପସ୍ୟ କଠୋର ॥ ୧୫୯ ॥
ଏମନ୍ତ ବଚନ ବିଷ୍ଣୁ ମୁଖୁ ଶୁଣି ଧ୍ରୁବ ।
କଠୋର-ସମାଧି ଛାଡି ବହେ ମୃଦୁ ଭାବ ॥ ୧୬୦ ॥
ଅମୃତ-ସମାନ ବିଷ୍ଣୁ ବଚନ ଶୁଣିଲା ।
ଉନ୍ମୀଳ-ଲୋଚନେ ଉର୍ଦ୍ଧ୍ୱମୁଖେ ଅନାଇଲା ॥ ୧୬୧ ॥
ଇନ୍ଦ୍ର-ନୀଳମଣି-ରୂପ ଗଗନେ ପ୍ରକାଶେ ।
ନୀଳୋତ୍ପଳ-ସମୂହ କି ଦିଶେ ଦଶଦିଶେ ॥ ୧୬୨ ॥
ଗଗନ-ମଣ୍ତଳ-ସରୋବର ପ୍ରାୟ ହୋଇ ।
ଲକ୍ଷ୍ମୀଦେବୀ କଟାକ୍ଷେ କି ଜଗତ ମୋହଇ ॥ ୧୬୩ ॥
କାଦମ୍ବିନୀ ମଧ୍ୟେ ଯେହ୍ନେ ଚପଳା ବିରାଜେ ।
ଦିବ୍ୟ-ସରୋବର କିବା ନୀଳୋତ୍ପଳ ସାଜେ ॥ ୧୬୪ ॥
ଅଗ୍ରତେ ଦେଖଇ ପୀତାମ୍ବର-ପରିଧାନ ।
ଆକାଶ-ମେରୁରେ ହେମ ବେଷ୍ଟିତ ଯେସନ ॥ ୧୬୫ ॥
ଯେଣେ ଧ୍ରୁବ ଚାହଁଇ ସେ ଉନ୍ମୀଳଲୋଚନେ ।
ସର୍ବଦିଗେ ବିରାଜନ୍ତି ଗରୁଡ ଆସନେ ॥ ୧୬୬ ॥
ଧ୍ରୁବ ବିଚାରଇ ବିଷ୍ଣୁ ରୂପ ଏ ପ୍ରମାଣ ।
ମନ୍ତ୍ରଦୀକ୍ଷା କାଳେ କହିଛନ୍ତି ମୁନିଗଣ ॥ ୧୬୭ ॥
ପୁଣି ଉଠି ପୁଣି ଲୋଟି କରଇ ରୋଦନ ।
ପିତାର ପ୍ରାୟେକ ମଣେ ବିଷ୍ଣୁ ଆଗମନ ॥ ୧୬୮ ॥
ବହୁକାଳ ପରେ ପିତା-ପୁତ୍ର ଦରଶନ ।
ବାଳକ ସ୍ୱଭାବେ ଧ୍ରୁବ କରଇ ରୋଦନ ॥ ୧୬୯ ॥
ବିଷ୍ଣୁ-ପାରିଷଦଗଣ ମିଳିଲେ ପ୍ରତ୍ୟକ୍ଷେ ।
ମଙ୍ଗଳ ଶବଦ ସ୍ତୁତି କରି ଅନ୍ତରୀକ୍ଷେ ॥ ୧୭୦ ॥
ସନନ୍ଦ ନାରଦ ସନକାଦି ମୁନି ଯେତେ ।
ସିଦ୍ଧଗଣ ସାଧ୍ୟଗଣ ଯୋଗୀନ୍ଦ୍ର ସମେତ ॥ ୧୭୧ ॥
ପୁତ୍ର ଦୁଃଖ ଦେଖି ଯେହ୍ନେ ପିତା ଦୟାକରେ ।
ଧ୍ରୁବକୁ ଧଇଲେ ପ୍ରଭୁ ତୋଳି ବେନିକରେ ॥ ୧୭୨ ॥
ଧୂଳିରେ ଧୂସର ତନୁ ଝାଡି ସ୍ନେହଭରେ ।
ବେନି-ଭୁଜେ ଆଲିଙ୍ଗିଲେ ପୁଲକ-ଶରୀରେ ॥ ୧୭୩ ॥
ବିଷ୍ଣୁକର ଲାଗି ଧ୍ରୁବ ତପ-ଦୁଃଖ ଗଲା ।
କୋଟିଏ ବ୍ରହ୍ମାର ବୁଦ୍ଧି ହୃଦେ କରି ଧ୍ୟାନ ।
ବିପ୍ର ଜଗନ୍ନାଥ କହେ ଶୁଣ ହେ ସୁଜନ ॥ ୧୭୪ ॥
ସେ ହରି-ଚରଣେ ନିତ୍ୟେ କର ଦୃଢ଼ଭାବ ।
ଭକତି-ବୋଇତେ ଭବ-ସଂସାରୁ ତରିବ ॥ ୧୭୫ ॥
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଧ୍ରୁବଚରିତଂ ନାମ ନବମୋଽଧ୍ୟାୟଃ ॥
* * *