ଚତୁର୍ଥ ସ୍କନ୍ଧ
ଅଷ୍ଟମ ଅଧ୍ୟାୟ
ନମାମି ଅମ୍ବିକା ସୁତ ଚରଣ ପଙ୍କଜ ।
ସର୍ବଦେବଙ୍କର ମଧ୍ୟେ ନାମ ବିଘ୍ନରାଜ ॥ ୧ ॥
ଯାର ନାମ ଲମ୍ବୋଦର ସର୍ବ ବିଘ୍ନହର ।
କିରୀଟ କୁଣ୍ତଳ କଣ୍ଠେ ହାର ମନୋହର ॥ ୨ ॥
ତୁଙ୍ଗ ବକ୍ଷସ୍ଥଳ ଦୀର୍ଘ ଶୋହେ ଭୁଜ ଚାରି ।
ଅଜୟ ଅଭୟ ବର ପାଶାଙ୍କୁଶଧାରୀ ॥ ୩ ॥
ଯାହାର ପ୍ରସନ୍ନବଳେ ଜଡବୁଦ୍ଧି ତୁଟେ ।
ନିର୍ମଳ ବଚନ ଯେ ସ୍ଫୁରଇ କଣ୍ଠତଟେ ॥ ୪ ॥
ମୋର ପ୍ରତି ପ୍ରସନ୍ନ ତୁ ହୁଅ ଲମ୍ବୋଦର ।
ଭଗବତ ଭାଷା ମୁହିଁ କରିବି ପ୍ରଚାର ॥ ୫ ॥
ଭକ୍ତିଯୋଗ ମଧ୍ୟେ ଯେ ଉତ୍ତମ ଭାଗବତ ।
କହିବି ଚତୁର୍ଥସ୍କନ୍ଧେ ଧ୍ରୁବର ଚରିତ ॥ ୬ ॥
ପଞ୍ଚମ ବରଷ ବାଳ ଘୋରତପ କଲା ।
ମାତାର ସପତ୍ନୀ ବାକ୍ୟେ ହରିଙ୍କି ଭଜିଲା ॥ ୭ ॥
ପିତା-ଜାନୁ-ଆରୋହଣ-ଭଙ୍ଗେ ରୋଷମନେ ।
ସପ୍ତଋଷି ଉର୍ଦ୍ଧ୍ୱେଯାଇ ବସିଲା ଗଗନେ ॥ ୮ ॥
ଯାର ଘୋର-ତପ ଦେଖି ଭୃଗୁ ମନତୋଷେ ।
ଧନ୍ୟ ଧନ୍ୟ ଧ୍ରୁବ ବୋଲି ଋଷି ମଧ୍ୟେ ଭାଷେ ॥ ୯ ॥
ଜନନୀ ସହିତେ ଦିଶେ ଉତ୍ତର-ଆକାଶେ ।
ଦରଶନ ମାତ୍ରେ ଯାର ସର୍ବପାପ ନାଶେ ॥ ୧୦ ॥
ଜୀବିତ ରହଇ ନର ସୁଖେ ଶତସମା ।
ଯାର ଭାବ ନ ଲଭନ୍ତି ହର-ଇନ୍ଦ୍ର-ବ୍ରହ୍ମା ॥ ୧୧ ॥
ତାହାର ଚରିତ ଯେ ଶୁଣନ୍ତି ସାବଧାନେ ।
ସର୍ବପାପ ହରେ ମନ ରହେ ବିଷ୍ଣୁଧ୍ୟାନେ ॥ ୧୨ ॥
ଅଶେଷ ଅମୃତ ବାଣୀ ଧ୍ରୁବର ଚରିତ ।
କହେ ବିପ୍ର ଜଗନ୍ନାଥ ଭାବେ ଭାଗବତ ॥ ୧୩ ॥
ପୁଣ୍ୟ ମଧୁବନେ ସରସ୍ୱତୀ-ତଟେ ରହି ।
ମୈତ୍ରେୟ କହିଲେ ପୂର୍ବେ ବିଦୁରଙ୍କୁ ଚାହିଁ ॥ ୧୪ ॥
ଦୁର୍ଗତି-ତାରଣ ଭବ-ଭୟ-ନିବାରଣ ।
କହେ ବିପ୍ର ଜଗନ୍ନାଥ ସାବଧାନେ ଶୁଣ ॥ ୧୫ ॥
ସର୍ବଶାସ୍ତ୍ର ଜାଣି ସେ କହଇ ନାନା ମତେ ।
ଧ୍ରୁବର ଚରିତ ବିଷ୍ଣୁଭଜନ-ହିତେ ॥ ୧୬ ॥
ମୈତ୍ରେୟର ଆଗେ ପରାଶର-ମୁନି କହି ।
ବିଷ୍ଣୁ-ଜନ-ହିତେ ବଇଷ୍ଣବ-ଭାବ ବହି ॥ ୧୭ ॥
ପରତତ୍ତ୍ୱ ଧ୍ୟନରତ ନିତ୍ୟେ ଶୁଦ୍ଧଚିତ୍ତେ ।
ବୈଷ୍ଣବ-ଅଗ୍ରଣୀ ଶିବ ଉମାର ଅଗ୍ରତେ ॥ ୧୮ ॥
ବିଷ୍ଣୁଦୂତେ ହରିକଥା କହିଛନ୍ତି ଯାହା ।
ଭାଷା-ପରିବନ୍ଧେ ମୁହିଁ ପ୍ରକାଶିବି ତାହା ॥ ୧୯ ॥
ସାଧୁଜନେ ଦୃଢଚିତ୍ତେ ଏଣେ କର ଭାବ ।
ଏଦୃଢ-ବୋଇତେ ଭବ-ବାରିଧି ତରିବ ॥ ୨୦ ॥
ବିଷ୍ଣୁଙ୍କ ଆଦେଶେ ସୃଷ୍ଟି କଲେ ପଦ୍ମଯୋନି ।
ମୈଥୁନ ପ୍ରକାଶେ ଶିବ-ଶକ୍ତି-ରୂପ ଘେନି ॥ ୨୧ ॥
ନିଜ କଳେବର ବ୍ରହ୍ମା ବେନିଖଣ୍ତ କଲେ ।
ସ୍ୱୟମ୍ଭୂବମନୁ ଶତରୂପା ପ୍ରକାଶିଲେ ॥ ୨୨ ॥
ମୈଥୁନ-ପ୍ରବନ୍ଧେ ଉପୁଜିଲେ ପୁତ୍ର ବେନି ।
ସୃଷ୍ଟି ଅଂଶ ହେତୁ କନ୍ୟା ତିନି ସଙ୍ଗେ ଘେନି ॥ ୨୩ ॥
ପ୍ରିୟବ୍ରତ ସେ ଉତ୍ତାନପାଦ ନାମ ତାର ।
ସୁଗୁଣ ସୁନ୍ଦର-ରୂପେ ମୋହେ ତିନିପୁର ॥ ୨୪ ॥
ସୃଷ୍ଟିଅଂଶେ ମନୁବଂଶେ ବେନି-ସହୋଦର ।
ପ୍ରଜାର ସୃଜନ କଲେ ଅନେକ ପ୍ରକାର ॥ ୨୫ ॥
ଉତ୍ତାନପାଦର ଯେ ହୋଇଲେ ଯତ୍ନୀବେନି ।
ସୁନୀତି ସୁରୂଚି ଯେ ସୁନ୍ଦର-ଗୁଣ ଘେନି ॥ ୨୬ ॥
ସେ ବେନିପତ୍ନୀଙ୍କ ମଧ୍ୟେ ସୁରୂଚି ସୁପ୍ରିୟା ।
ଉତ୍ତାନପାଦର ଚିତ୍ତେ ତାର ପ୍ରତି ଦୟା ॥ ୨୭ ॥
ତାହାର ଉଦରେ ଯେ ଉତ୍ତମ ପୁତ୍ର ହୋଏ ।
ରୂପ ଗୁଣ ସୁନ୍ଦରରେ ଜଗଜ୍ଜନ ମୋହେ ॥ ୨୮ ॥
ତାର ବଡ ପ୍ରିୟ ସେ ଉତ୍ତାନପାଦ ରାଜା ।
ଭୂଷଣ ବସନ ଦେଇ କରେ ଦିବ୍ୟପୂଜା ॥ ୨୯ ॥
ଅତି ପ୍ରିୟତମା ସେ ନିମିଷେ ନଛାଡ଼ଇ ।
ପତ୍ନୀ ସୁତ ସ୍ୱଭାବେ ଗୌରବଭାବ ବହି ॥ ୩୦ ॥
ସୁନୀତି ଅପ୍ରିୟ ତାର ସୁତ ଧ୍ରୁବ ନାମ ।
ରୂପଗୁଣସୁନ୍ଦରେ ମୋହିତ କୋଟି କାମ ॥ ୩୧ ॥
ବେନିସୁତେ ବେନିଧାତ୍ରୀ ଘେନିଥାନ୍ତି ନିତ୍ୟେ ।
ପିତାର ସମୀପେ ଦ୍ୟନ୍ତି ରାଜସେବା ମତେ ॥ ୩୨ ॥
ଏକଦିନେ ସୁରୁବି ଉତ୍ତମ କର ଧରି ।
ନୃପତି ସମୀପେ ମିଳେ ପ୍ରିୟଭାବ ଭରି ॥ ୩୩ ॥
ଉତ୍ତମକୁ କୋଳେ ଦେଇ ରହିଲା ଅନ୍ତରେ ।
ନୃପତି-ସଭାର ମଧ୍ୟେ ପ୍ରିୟଭାବଭରେ ॥ ୩୪ ॥
ଏମନ୍ତ ସମୟେ ଧାତ୍ରୀ ଧ୍ରୁବ ଘେନି ସଙ୍ଗେ ।
ରାଜାର ସମୀପେ ମିଳେ ପ୍ରିୟଭାବ ରଙ୍ଗେ ॥ ୩୫ ॥
ଉତ୍ତମକୁ କୋଳେ ଦେଖି ଧ୍ରୁବ ସ୍ନେହ କଲା ।
ପିତାକୋଳେ ବସିବାକୁ ହସ୍ତ ପ୍ରସାରିଲା ॥ ୩୬ ॥
ତାହା ଦେଖି କୋପଚିତ୍ତେ ସୁରୁଚି ବୋଲଇ ।
ଦୁର୍ଭଗା-ତନୟ ତୋର ମୁଖେ ଲାଜ ନାହିଁ ॥ ୩୭ ॥
ଆରୋହଣ କରି ଲୋଡୁ ନୃପ-ସିଂହାସନେ ।
ଯେ ଆସନ ସୁପୂଜିତ ଏତିନି-ଭୁବନେ ॥ ୩୮ ॥
ପୂର୍ବ-ତପଫଳେ ଦେଖ ଉତ୍ତମ କୁମର ।
ନୃପ-ବୀର୍ଯ୍ୟେ ଉପୁଜିଲା ମୋହର ଉଦର ॥ ୩୯ ॥
ସେହି ରାଜସିଂହାସନେ ବସବାକୁ ଏକ ।
ଏକଥା ବିଦିତ ଭଲେ ଜାଣନ୍ତି ତ୍ରିଲୋକ ॥ ୪୦ ॥
ନିଷ୍ଠାରେ କଠୋର-ତପ ପୂର୍ବେ ଯେ କରଇ ।
ତପଫଳେ ଲଭେ ସେ ଦୁର୍ଲଭ ନରଦେହୀ ॥ ୪୧ ॥
ଯେଉଁ ତପେ ଯେତେ ଭୋଗ କରନ୍ତି ଜଗତେ ।
କହଇ ବାଳକ ତୁହି ଶୁଣ ଏକଚିତ୍ତେ ॥ ୪୨ ॥
କେଉଁ ତପେ ବସିବୁ ତୁ ରାଜସିଂହାସନେ ।
କିରୀଟ ମସ୍ତକେ ଯହିଁ ନମେ ସର୍ବଜନେ ॥ ୪୩ ॥
ଜାଣିଲି ମୁଁ ପୂର୍ବେ ତୋର କିଛି ତପ ନାହିଁ ।
ଏଣୁ ଅଭାଗିନୀ-ଗର୍ଭେ ଉପୁଜିଲୁ ତୁହି ॥ ୪୪ ॥
ଏହି ଅନୁମାନେ ତୋର ଅଳ୍ପପୁଣ୍ୟ ଜାଣ ।
ଶୁଭାଶୁଭ-ଫଳ ଅନୁମାନ ଏ ପ୍ରମାଣ ॥ ୪୫ ॥
ରାଜାର କୁମର-ପଣେ ଏ ଜନ୍ମ ତୋହର ।
ନାନା-ସୁଖ ଭୋଗେ ତୋର ନାହିଁ ଅଧିକାର ॥ ୪୬ ॥
ଦେଖ ଏ ଉତ୍ତମ ମୋର ଗର୍ଭେ ଜନ୍ମ ହୋଇ ।
ନୃପାସନେ ବସିବାକୁ ଯୋଗ୍ୟ ଏ ଅଟଇ ॥ ୪୭ ॥
ଏ ଆସନେ ବସିବାକୁ ଇଚ୍ଛା ଯେବେ ତୋର ।
କିମ୍ପା ଜନ୍ମ ନ ଲଭିଲୁ ମୋହର ଉଦର ॥ ୪୮ ॥
ମୈତ୍ରେୟ ଉବାଚ
ଏମନ୍ତ ସଭାରେ ମଧ୍ୟେ ସୁରୁଚି ବଚନ ।
ଶୁଣି ଧ୍ରୁବ ଶୋକଚିତ୍ତେ ହୋଇଲା ମଉନ ॥ ୪୯ ॥
ଅନ୍ତର୍ଗତେ କମ୍ପିଲା ତାହାର ନିଜ ଦେହୀ ।
ଅଧୋମୁଖେ ରହିଲା ଭୂମିକି ଦୃଷ୍ଟି ଦେଇ ॥ ୫୦ ॥
ଅନୁଚିତ ଉଚିତ ନ କହେ ନୃପମଣି ।
ସଭାମଧ୍ୟେ ଶୁଣି ସେ ସୁରୁଚି ଗର୍ବବାଣୀ ॥ ୫୧ ॥
ତାହାର ଗୌରବେ ସେ ଯନ୍ତ୍ରିତ-ଚିତ୍ତ ହୋଇ ।
ସଭାମଧ୍ୟେ ଏକ ବାକ୍ୟ ନ ପାରିଲା କହି ॥ ୫୨ ॥
ଏମନ୍ତେ ନୃପତି ଗତି ଭାବି ଧ୍ରୁବ ମନେ ।
ନୃପେ ନମି ଧାତ୍ରୀ ସଙ୍ଗେ ଗମିଲା ମଉନେ ॥ ୫୩ ॥
ମାର୍ଗେ ଯାନ୍ତେ ବ୍ୟାକୁଳେ ନ ଦିଶେ ଦଶଦିଶ ।
ସର୍ପପ୍ରାୟେ ପୁଣ-ପୁଣ ଛାଡଇ ନିଃଶ୍ୱାସ ॥ ୫୪ ॥
ମାତାର ସମୀପେ ଧ୍ରୁବ ନିଜପୁରେ ଯାଇ ।
ଅଶ୍ରୁବହେ ଲୋଚନୁ କମ୍ପଇ ତାର ଦେହୀ ॥ ୫୫ ॥
ଅଶ୍ରୁକଣ୍ଠ-କୁଣ୍ଠିତ ବଚନ ଗଦଗଦେ ।
ନ ସ୍ଫୁରଇ ବାକ୍ୟ ମୁଖେ ସୁନୀତି ଅନାଇ ॥ ୫୬ ॥
ଏମନ୍ତ ପୁତ୍ରର ମୁଖ ସୁନୀତି ଅନାଇ ।
ଛନ୍ନ ଚିତ୍ତେ ପଚାରଇ ଧାତ୍ରୀ ମୁଖ ଚାହିଁ ॥ ୫୭ ॥
ତୁ ଯେ ପୁତ୍ର ଘେନିଗଲୁ ନୃପତି ସମୀପେ ।
କିମ୍ପାଇ ରୋଦନ କରେ ଅତି ମନତୋପେ ॥ ୫୮ ॥
ମାତାର ବଚନ ଶୁଣି ନୃପତି-ନନ୍ଦନ ।
ଉର୍ଦ୍ଧ୍ୱ-ମୁଖେ ଚାହିଁ ରହେ ବିକଳ-ବଦନ ॥ ୫୯ ॥
ପୁରଜନ ମୁଖୁ ଶୁଣି ସପତ୍ନୀ-ବୃତ୍ତାନ୍ତ ।
ସୁନୀତି ହୋଇଲା ଅତି ହୃଦୟେ ବ୍ୟଥିତ ॥ ୬୦ ॥
ଜନନୀ ଜାଣିଲେ ପୁତ୍ର ଅପମାନ ପାଇ ।
ପିତାଠାରୁ ଅଇଲା ଏ ମହାଦୁଃଖ ବହି ॥ ୬୧ ॥
ମୁଖଲକ୍ଷ୍ମୀ ଏହାର ତ ନ ଦିଶେ ସୁ୍ନ୍ଦର ।
ଅତିଦୁଃଖେ ବୁଡିଲା ଯେ ମୋହର କୁମର ॥ ୬୨ ॥
ବେନି କରେ ଆକର୍ଷି ପୁତ୍ରକୁ କୋଳେ ଧରି ।
ମସ୍ତକରେ କର ଦେଇ ନିଶ୍ୱାସ-ସଂହରି ॥ ୬୩ ॥
ଅତି-ମ୍ନାନ-ମୁଖ ଦେଖି ପୁତ୍ର କୋଳ କରେ ।
ହୃଦୟେ ଲଗାଇ ପୁଚ୍ଛେ ଅତି-ସ୍ନେହ-ଭରେ ॥ ୬୪ ॥
ମୁଖେ ଜଳସିିଞ୍ଚି ସେ ବଦନୁ ପୋଛେ ଲୁହ ।
କିମ୍ପାଇଁ ରୋଦନ କରୁ ମୋର ଆଗେ କହ ॥ ୬୫ ॥
ରାଜାର କୁମର ତୁ ଦୁର୍ଲଭ ପ୍ରାଣୀଙ୍କର ।
ସ୍ୱଭାବେ ସୁନ୍ଦର-ଗୁଣ ଅତି ମନୋହର ॥ ୬୬ ॥
ତୋତେ ଶୋକ ଦେବାକୁ କେ ଅଛଇ ଜଗତେ ।
କିମ୍ପା ତୁ ରୋଦନ କରୁ କହ ମୋ ଅଗ୍ରତେ ॥ ୬୭ ॥
ମାତାର ବଚନ ଶୁଣି ଧ୍ରୁବ ଦୁଃଖ-ମନେ ।
ବାଷ୍ପ ଗଦଗଦ ସ୍ୱରେ କହଇ ବଚନେ ॥ ୬୮ ॥
ଧ୍ରୁବ ଉବାଚ
ଶୁଣ ଗୋ ଜନନି କହୁଁ ତୋହର ଅଗ୍ରତେ ।
ରାଜମହାଦେଈ ତୁ ବୋଲଉ କେଉଁମତେ ॥ ୬୯ ॥
ସୁରୁଚି ସମାନେ ତୋତେ ଜାଣନ୍ତି ଜଗତ ।
ସେ ରାଜାର ପ୍ରିୟା ତୁ ଗୋ ଦୁର୍ଭଗା କେମନ୍ତେ ॥ ୭୦ ॥
କେଉଁ ମତେ ଉତ୍ତମ ବୋଲାଇ ତାର ପୁଅ ।
ମୁଁ କିମ୍ପା ଅଧମ ମାତା ସତ୍ୟ ମୋତେ କହ ॥ ୭୧ ॥
ନୃପ-ସିଂହାସନେ ବସିବାକୁ ବେନିଭାଇ ।
ସେ କିମ୍ପା ହୋଇଲା ଯୋଗ୍ୟ ମୋର ଭାଗ୍ୟେ ନାହିଁ ॥ ୭୨ ॥
ତୋର ପୁତ୍ର ହୋଇ ମୁହିଁ ଅଧମ କେମନ୍ତେ
ସେ କିମ୍ପା ଉତ୍ତମ ନାମ ବହିଲା ଜଗତେ ॥ ୭୩ ॥
ମୋହର ସୁକୃତ କିମ୍ପା ଏମନ୍ତ ହୋଇଲା ।
ଉତ୍ତମ ଉତ୍ତମ ସୁଖ କେମନ୍ତେ ପାଇଲା ॥ ୭୪ ॥
ଏମନ୍ତ ପୁତ୍ରର ବାକ୍ୟ ଶୁଣିଣ ସୁନୀତି ।
ପୁତ୍ରର ବଚନ-ପ୍ରଶ୍ନେ ଦୃଢ ତାର ମତି ॥ ୭୫ ॥
ସ୍ତବଧେ ରହି ନିଃଶ୍ୱାସ ଛାଡେ ଚିନ୍ତାଭରେ ।
ଶିଶୁ କୋପ ଶାନ୍ତି ଅର୍ଥେ କହଇ ମଧୁରେ ॥ ୭୬ ॥
ସ୍ୱଭାବେ ରାଜାର ନୀତି ଭଲେ ସେ ଜାଣଇ ।
ସପତ୍ନୀର ହିଂସାବାକ୍ୟ ହୃଦେ ନ ଗଣଇ ॥ ୭୭ ॥
ସ୍ୱଭାବେ ସୁନୀତି ସେ ତ କହେ ପୁତ୍ରେ ଚାହିଁ ।
କହିବି ସକଳ ମନଦେଇ ଶୁଣ ତୁହି ॥ ୭୮ ॥
ଜାଣିଲି ନୃପତି ପାଶେ ଅପମାନ କଥା ।
ଶୁଣରେ ତନୟ ତୁହି ଛାଡ ମନୁ ବ୍ୟଥା ॥ ॥ ୭୯ ॥
ସୁରୁଚି ବଚନ ଶୁଣି ନୃପତି ସମ୍ମୁଖେ ।
ତୁ ଯେତେ କହିଲୁ ବାବୁ ସତ୍ୟ ଏ ପ୍ରତ୍ୟକ୍ଷେ ॥ ୮୦ ॥
ସୁରୁଚି ସୁଭଗା ସେ ଯେ ରାଜପାଟରାଣୀ ।
ସର୍ବପତ୍ନୀ ମଧ୍ୟେ ସେ ବୋଲାଇ ଶିରୋମଣି ॥ ୮୧ ॥
ଜନ୍ମାନ୍ତରେ ଯେଣୁ ସେ ଅନେକ ତପ କଲା ।
ତପବଳେ ସ୍ୱାମୀର ସେ ସୁହାଗିନୀ ହେଲା ॥ ୮୨ ॥
ଜାଣିଲି ନିଶ୍ଚୟ ମୋର ପୂର୍ବ-ତପ ନାହିଁ ।
ସେ ଫଳେ ଦୁର୍ଭାଗୀ ମୁହିଁ ରାଜପତ୍ନୀ ହୋଇ ॥ ୮୩ ॥
ପୂର୍ବେ ତୋର ଭାଇ ଯେ ଉତ୍ତମତପ କଲା ।
ତପଫଳେ ନୃପସିଂହାସନେ ସେ ବସିଲା ॥ ୮୪ ॥
ଉତ୍ତମ ଉତ୍ତମପୁତ୍ର ଅତିପୁଣ୍ୟ ତାର ।
ଜନ୍ମିଲା ନୃପତି-ସିଂହାସନେ ଅଧିକାର ॥ ୮୫ ॥
ଶୁଣରେ କୁମରମଣି ସ୍ଥିର କରି ମନ ।
ସାବଧାନ ହୋଇ ଶୁଣ ମୋହର ବଚନ ॥ ୮୬ ॥
ଯା କହିଲେ ତୋର ମାତ ସତ୍ୟ-କର ମନେ ।
ବସିବାର ବାଞ୍ଛା ଯଦି ରାଜ ସିଂହାସନେ ॥ ୮୭ ॥
ତପେ ହରି-ପାଦପଦ୍ମ ଆରାଧନ କର ।
ସେ ବିଶ୍ୱ-ପାଳନ ପାଇଁ ସ୍ୱତ୍ତ୍ୱଗୁଣାଧାର ॥ ୮୮ ॥
ପରମେଷ୍ଠୀ ହେେଲ ବ୍ରହ୍ମା ଯାର ଆରାଧନେ ।
ଜିତେନ୍ଦ୍ରିୟ ମୁନିଗଣ ବନ୍ଦେ ଯା ଚରଣେ ॥ ୮୯ ॥
ଯେଉଁଭାବେ ପୂର୍ବ ଜନ୍ମେ ନାନା-ପତ କରି ।
ନାନା ରୂପେ ଭୋଗ ଭୁଞ୍ଜେ ନରଦେହ ଧରି ॥ ୯୦ ॥
ଚନ୍ଦ୍ରଜ୍ୟୋତି ପାଟଛତ୍ର ଚାମର ସମେତେ ।
ନୃପ-ସିଂହାସନେ ବସେ ବାଦ୍ୟ-ନାଦ-ଗୀତେ ॥ ୯୧ ॥
ସିନ୍ଦୂରେ ମଣ୍ତିତ ଶିର ରାଜବୃନ୍ଦ-ମେଳେ ।
ମନୋଗାମୀ-ତୁରଙ୍ଗମ ଚତୁରଙ୍ଗ-ବଳେ ॥ ୯୨ ॥
ନ ଥାଇ ବ୍ୟାଧି ଶରୀରେ ଜୀଏ ଶତସମା ।
ଉତ୍ତମ-ସୁଜନେ ତାଙ୍କ ଗୁଣନ୍ତି ମହିମା ॥ ୯୩ ॥
ଶୁଭ-ରାଜ୍ୟେ ରାଜପଣେ ବସେ ଅକଣ୍ଟକେ ।
ତାର ଯଶ ଗୁଣ ପୂରେ ଇହ-ପରଲୋକେ ॥ ୯୪ ॥
ଯେ ହରି-ଚରଣେ ସେବା କରେ ନିତ୍ୟେ-ନିତ୍ୟେ ।
ଦୁଃଖୀଜନ ଦେଖି ଦୟା କରଇ ସେ ଚିତ୍ତେ ॥ ୯୫ ॥
ସୁନିର୍ମଳ ତତ୍ତ୍ୱଜ୍ଞାନ ନିତ୍ୟେ ଯାର ଚିତ୍ତେ ।
ସର୍ବଶାସ୍ତ୍ର ଅଭ୍ୟାସ କରଇ ଶୁଦ୍ଧମତେ ॥ ୯୬ ॥
ରିପୁ-ଷଡ଼ବର୍ଗ ଜିଣି ସତ୍ତ୍ୱଗୁଣେ ମତି ।
କରୁଣା-ସମ୍ପୂର୍ଣ୍ଣ-ଦୃଷ୍ଟି ବାଣୀ-ଶୁଦ୍ଧାକୃତି ॥ ୯୭ ॥
ସର୍ବକାଳେ ନିରଳସ ଗୁରୁପାଦେ ଭକ୍ତି ।
ସର୍ବଦା ସୁସ୍ଥିର-ଚିତ୍ତ ସୁଜନ ଆକୃତି ॥ ୯୮ ॥
ଶୁଚିମନେ ଉପାସନା ନିର୍ମଳ-ବଚନ ।
ସଭାମଧ୍ୟେ ସୁପଣ୍ତିତ ଅତି-ବିଦ୍ୟାବାନ ॥ ୯୯ ॥
ପ୍ରଜାର ପାଳନ କାର୍ଯ୍ୟେ ଅତି ବୀରପଣ ।
ଇହ-ପରଲୋକ ହୁଏ ସୁଯଶ-ଘୋଷଣ ॥ ୧୦୦ ॥
ବନ୍ଧୁବର୍ଗେ ଧୀରପଣେ ଅନୁବ୍ରତେ ରହେ ।
ବାଣିଜ୍ୟେ ଚତୁର ବାକ୍ୟେ ଭାବେ ମନ ମୋହେ ॥ ୧୦୧ ॥
ଯୋଷିତ ପ୍ରଣୟେ ମୃଦୁ-ବଚନ ଭାଷିତ ।
ବ୍ରାହ୍ମଣ ବିଷୟେ ଚିତ୍ତେ ଭଜଇ ବିନୀତ ॥ ୧୦୨ ॥
ସ୍ୱଧର୍ମେ ଜୀବନ ପୋଷେ ନିଜ-ବୃତ୍ତି ବହି ।
ବୁଧଙ୍କର ଭାବେ ଯେ ସାତ୍ତ୍ୱିକେ ମନଦେଇ ॥ ୧୦୩ ॥
ଭାଗୀରଥୀ-ତୀରେ ବାସ ସୁତୀର୍ଥେ ମରଣ ।
ସୁଖ ଭୋଗୀଗଣ ମୁଖ୍ୟ ଅତିଥି-ତୋଷଣ ॥ ୧୦୪ ॥
ବନ୍ଧୁଜନ ସଙ୍ଗେ ଭୋଗ କରେ ସମତୁଲେ ।
ଦାନ-ଦକ୍ଷିଣାରେ ଦିନ ଯାପଇ ସେ ଭଲେ ॥ ୧୦୫ ॥
ନିଜ ବିଦ୍ୟା ଅଭ୍ୟାସେ ବର୍ତ୍ତଇ ନିରନ୍ତରେ ।
ନିତ୍ୟେ ସେବା କରେ ତାତ-ଜନନୀ-ପୟରେ ॥ ୧୦୬ ॥
ଯଶ ଧର୍ମ ନିରନ୍ତରେ ସଞ୍ଚେ ଧନ ପ୍ରାୟେ ।
ସ୍ୱର୍ଗ-ଅପବର୍ଗ ବୁଦ୍ଧି-ଅଳଙ୍କାର ବହେ ॥ । ୧୦୭ ॥
ନିତ୍ୟେ ବସେ ସାଧୁସଙ୍ଗେ ମିତ୍ର ସର୍ବଭୂତେ ।
ଇତିହାସ ପୁରଣାଦି ଶୁଣେ ଶୁଦ୍ଧଚିତ୍ତେ ॥ ୧୦୮ ॥
ବିପଦର କାଳେ ଧୈର୍ଯ୍ୟ ବହେ ନିତ୍ୟେ ଚିତ୍ତେ ।
ସମ୍ପଦ-ଆଗମେ କ୍ଷମା ବହଇ ନିରତେ ॥ ୧୦୯ ॥
ବିଦ୍ୟା ପଢି ଗଭୀର-ସାଗର ପ୍ରାୟେ ରହେ ।
ପାତ୍ରେ ଦାନ ସମର୍ପି ଉଦାସ-ଭାବ ବହେ ॥ ୧୧୦ ॥
ଯଶ ଧର୍ମ ଲଭିବାରେ ନିତ୍ୟେ କରେ ମତି ।
ସ୍ୱର୍ଗାମୋଦ ଶୁଦ୍ଧଫଳ ସ୍ୱଭାବେ ସୁକୀର୍ତ୍ତି ॥ ୧୧୧ ॥
ନିତ୍ୟେ ସାଧୁସଙ୍ଗ ମେଳ ଦୃଢ଼େ କରେ ଆଶା ।
ପିତୃ-ମାତୃ ପାଦପଦ୍ମେ କରଇ ଶୁଶ୍ରୂଷା ॥ ୧୧୨ ॥
ଦୀନଜନେ ଦୟାକରେ ସାଧୁକାର୍ଯ୍ୟେ ରତ ।
ରିପୁଗଣ ଜୟକାରୀ ଭୁବନେ ବିଦିତ ॥ ୧୧୩ ॥
ଗଭୀର ବଚନ ତାର ବଦନୁ ପ୍ରକାଶେ ।
ଉତ୍ତମ-ଉଦାରବୁଦ୍ଧି ପ୍ରିୟ-ଉପଦେଶେ ॥ ୧୧୪ ॥
ସମ ଦରଶନ କରି ପ୍ରକୃତି ଧରଇ ।
ଏତେ ଗୁଣ ଧରେ ଯାର ପୂର୍ବେ ତପ ଥାଇ ॥ ୧୧୫ ॥
ଯେଣୁ ପୂର୍ବେ ତୋହାର ମୋହର ତପ ନାହିଁ ।
ଏ ଜନ୍ମେ ଲୋଡିଲେ ପୁତ୍ର ପାଇବା ତା କାହିଁ ॥ ୧୧୬ ॥
ମାନ-ଅପମାନ ଯେ ଫଳଇ ପୂର୍ବଫଳେ ।
ଏହା ନ ଜାଣିଣ ପ୍ରାଣୀ ଭ୍ରମନ୍ତି ଶୟଳେ ॥ ୧୧୭ ॥
ଆପଣା ଅର୍ଜିଲା କର୍ମ ଆପଣେ ଭୁଞ୍ଜଇ ।
ବିଧାତାର ବୋଲେ କର୍ମ ଅନ୍ୟଥା ନୁହଇ ॥ ୧୧୮ ॥
ଏଣୁ ତୁ ନକର ଶୋକ କର୍ମକୁ ଆଦର ।
ମୋହର ବଚନେ ପୁତ୍ର କୋପ ତୁ ସଂହର ॥ ୧୧୯ ॥
ଏମନ୍ତେ ମାତାର ବାଣୀ ସାବଧାନେ ଶୁଣି ।
ସୁନୀତିର ପୁତ୍ର ଧୀର ମନେ ମନେ ଗୁଣି ॥ ୧୨୦ ॥
ଜନନୀ ବଦନ ଚାହିଁ ବେନି କରଯୋଡି ।
କହେ ଶୋକ-ଗଦଗଦେ ମାତା ପାଦେ ପଡି ॥ ୧୨୧ ॥
ଧ୍ରୁବଉବାଚ
ଜନନୀ ମୋହର ବାକ୍ୟ ମନଦେଇ ଶୁଣ ।
ମୋତେ ତୁ ବାଳକ ପ୍ରାୟେ କେବେହେଁ ନ ମଣ ॥ ୧୨୨ ॥
ପବିତ୍ର-ମନୁର ବଂଶେ ଜନ୍ମ ଯେବେ ମୋର ।
ଉତ୍ତାନପାଦର ବୀର୍ଯ୍ୟେ ଉଦରେ ତୋହର ॥ ୧୨୩ ॥
ତୁ ଯେ ବୋଲୁ ତପ-ବ୍ରତ ସମ୍ପଦ-କାରଣ ।
କହିବୁ ତୋହର ଆଗେ ସ୍ଥିରମନେ ଶୁଣ ॥ ୧୨୪ ॥
ସଂସାରେ ଦୁର୍ଲଭପଦ ଯେଉଁ ତପେ ପାଇ ।
ନିର୍ଜନ-ଦୁର୍ଗମବନେ ସାଧିବଇଁ ମୁହିଁ ॥ ୧୨୫ ॥
ଏତେ ମାତ୍ର ଆଜ୍ଞା ମୋତେ ଦିଅ ଶୁଦ୍ଧଚିତ୍ତେ ।
ଆଶୀର୍ବାଦ କର ତପ ସାଧଇଁ ଯେମନ୍ତେ ॥ ୧୨୬ ॥
ମୈତ୍ରେୟ ଉବାଚ
ଏମନ୍ତ ନିଶ୍ଚୟ-ବାଣୀ ଶୁଣି ପୁତ୍ରମୁଖେ ।
ସୁନୀତି କପୋଳେ କର ଦେଇ ମନଦୁଃଖେ ॥ ୧୨୭ ॥
ଏହିରୂପେ ଧ୍ରୁବବାକ୍ୟ ଦୃଢ଼େ ଶୁଣି ମାତା ।
ପୁତ୍ର ମୁଖ ଚାହିଁ ମନେ କଲା ଗରୁଚିନ୍ତା ॥ ୧୨୮ ॥
ବୋଲଇ ମୋହର ଗର୍ଭେ ଜାତ ଏ କୁମର ।
ରାଜାର ଆତ୍ମସମ୍ଭୂତ ତେଜେ ଏ ପ୍ରଖର ॥ ୧୨୯ ॥
କ୍ଷତ୍ରିୟ ସ୍ୱଭାବ ବହେ ଦୁର୍ଗମ-ଚରିତ୍ର ।
ତପ-ଫଳ-ଶ୍ରବଣେ କଳ୍ପିଲା ଅନ୍ତର୍ଗତ ॥ ୧୩୦ ॥
ତେଜ ବିରାଜଇ ଦେହେ ତପନ ପରାୟେ ।
ଅବଶ୍ୟ ଗମିବ ତପେ ଜାଣିଲି ନିଶ୍ଚୟେ ॥ ୧୩୧ ॥
କେବେହେଁ ଏ ନ ରହିବ ମୋହର ବଚନେ ।
ନଜାଣି ମୁଁ ଉପଦେଶ କହିଲି ଅଜ୍ଞାନେ ॥ ୧୩୨ ॥
ଏହାର ସୁନ୍ଦର-ମୁଖ ନ ଦେଖି ସମ୍ମୁଖେ ।
ନିମିଷ କୋଟିଏ-ଯୁଗ ହୋଇବ ପ୍ରତ୍ୟକ୍ଷେ ॥ ୧୩୩ ॥
କିବୁଦ୍ଧି କରିବି ପୁତ୍ର କେମନ୍ତେ ରହିବ ।
ଦୁର୍ଗମ-ସଙ୍କଟ ମୋତେ ସଞ୍ଚଲା ଦଇବ । ॥ ୧୩୪ ॥
ଏମନ୍ତ ବିଚାରି ସେ ପୁତ୍ରର ମୁଖ ଚାହିଁ ।
ବୋଲଇ ସୁନୀତି ମନେ ଦୁଃଖ ଖେଦ ବହି ॥ ୧୩୫ ॥
ଶୁଣ ପୁତ୍ର ସାବଧାନେ ମୋହର ବଚନ ।
କେବେହେଁ ନ କର ପୁତ୍ର ତପକୁ ଗମନ ॥ ୧୩୬ ॥
ତୋତେ ଆଜ୍ଞା ଦେବାକୁ ମୋହର ଶକ୍ୟ ନାହିଁ ।
ତୁ ପଞ୍ଚବରଷ ବାଳ ସୁକୁମାର-ଦେହୀ ॥ ୧୩୭ ॥
ତଥାପି କହିବି ଶୁଣ ସାବଧାନ ଚିତ୍ତେ ।
ରାଜାର ନବରେ ଅଛି ସପତ୍ନୀ-ଆୟତ୍ତେ ॥ ୧୩୮ ॥
ତାର ବାକ୍ୟ ନିର୍ଘାତେ ମୋହର ପ୍ରାଣ ଦହେ ।
ଶ୍ରାବଣର ଧାରା ପ୍ରାୟେ ଅଶ୍ରୁଜଳ ବହେ ॥ ୧୩୯ ॥
ଏବେ ତୋ ବନ-ଗମନ ଶୁଣି ମୋର ମନ ।
ସମୁଦ୍ର-ତରଙ୍ଗ ପ୍ରାୟେ ଉଲ୍ଲୋଳ-ନୟନ ॥ ୧୪୦ ॥
ନଦୀ ପ୍ରାୟେ ବହେ ଲୁହ କେବେହେଁ ନ ରହେ ।
କହ ପୁତ୍ର ଏବେ ମୁଁ କି କରିବି ଉପାୟେ ॥ ୧୪୧ ॥
ସ୍ୱଭାବେ ମୁଁ ଏକପୁତ୍ରୀ ବିଧାତା ଭିଆଣେ ।
ତୋତେ ନ ଦେଖିଲେ ଚିତ୍ତ ଧରିବି କେସନେ ॥ ୧୪୨ ॥
ତୁ ମୋହର ଅନ୍ଧ-ଯଷ୍ଟି ତୋର ପଛେ ଥାଇ ।
ତୋତେ ହରାଇଲେ ମୁହିଁ କେମନ୍ତେ ଜୀଅଁଇ ॥ ୧୪୩ ॥
ପୁତ୍ର ଜନ୍ମ ନୋହିବାରୁ ପାଇ ମନେ ବ୍ୟଥା ।
ତୋର ପ୍ରାପ୍ତି ଅର୍ଥେ କେତେ ପୂଜିଲି ଦେବତା ॥ ୧୪୪ ॥
କୁଚ୍ଛ୍ର-ଚନ୍ଦ୍ରାୟଣ ଉପାସିଣ ବ୍ରତ କଲି ।
ସେ ବ୍ରତ-ସାଧନେ ପୁତ୍ର ତୋତେ ମୁଁ ଲଭିଲି ॥ ୧୪୫ ॥
ତୋର ମୁଖ ଚନ୍ଦ୍ରୋଦୟ ଦେଖି ମୋର ମନ ।
ସମୁଦ୍ର-ତରଙ୍ଗ ପ୍ରାୟେ ଉଛୁଳେ ନୟନ ॥ ୧୪୬ ॥
ଆନନ୍ଦ-ପୟ ଯେ ପୂରେ ମୋ ବେନି ସ୍ତନ ।
ଗଳିତ ହୁଅଇ ଦେଖି ତୋହର ବଦନ ॥ ୧୪୭ ॥
ତୋର ମୁଖ ନ ଦେଖି ମୋହର ଅଙ୍ଗ ତାପେ ।
ତକ୍ଷଣେ ଶୀତଳ ହୁଏ ମିଳିଲେ ସମୀପେ ॥ ୧୪୮ ॥
ମୋହର ହୃଦୟେ ତୁ ନିଦ୍ରିତ ସ୍ତନ୍ୟ-ପାନେ ।
ବସ୍ତ୍ର-ଆଚ୍ଛାଦିତ ଦୁଗ୍ଧ-ବୋଧିତ-ବଦନେ ॥ ୧୪୯ ॥
ତୋହର ଶୀତଳ-ବାକ୍ୟ କର୍ଣ୍ଣେ ଶୁଭେ ଯେବେ ।
ସପପତ୍ନୀର ବାକ୍ୟ-ତାପ ହୃଦୟେ ନ ଭାବେ ॥ ୧୫୦ ॥
ବିଳମ୍ବ ତୋ ନିଦ୍ରା ଦେଖି ମୋହର ହୃଦୟ ।
ପଦ୍ମ ଯେହ୍ନେ ଚାହିଁ ଥାଇ ଆଦିତ୍ୟ ଉଦୟ ॥ ୧୫୧ ॥
ବାଳକ-ଖେକଣ-ଖେଳା ଖେଳିବାର ଅର୍ଥେ ।
ଗୃହରୁ ବାହାର ହୋଇ ମିଳୁ ଯେବେ ପଥେ ॥ ୧୫୨ ॥
ତୋହର ବିଳମ୍ବେ ହୃଦେ ବେନି-ସ୍ତନ ମୋର ।
ଚଞ୍ଚଳେ ସ୍ରବଇ ଯେହ୍ନେ ମେଘ-ଜଳଧାର ॥ ୧୫୩ ॥
ତୁ ଏବେ ତପସ୍ୟା ଅର୍ଥେ ଯିବୁ ଯେବେ ହଟେ ।
ମୋର ପଞ୍ଚ-ପ୍ରାଣ ଯେ ମିଳିବ କଣ୍ଠାଗ୍ରତେ ॥ ୧୫୪ ॥
ଅତି ତାପେ ତାପିବି ମୁଁ ତୋହର ଗମନେ ।
କେମନ୍ତେ ଛାଡିଣ ପୁତ୍ର ଯିବୁ ତୁହି ବନେ ॥ ୧୫୫ ॥
ଏମନ୍ତ ବଚନ ଶୁଣି ଜନନୀ ବଦନେ ।
ଚିନ୍ତା ମାତ୍ର ନ ରହିଲା ସେ ଧ୍ରୁବର ମନେ ॥ ୧୫୬ ॥
ଏମନ୍ତେ ଅନେକ ମତେ ବୋଧିଲେ ସୁନୀତି ।
ନ ଶୁଣି ସେ ମାତା-ବାଣୀ ଧ୍ରୁବ ମହାଯତି ॥ ୧୫୭ ॥
ନିଷ୍ଠୁର-ହୃଦୟେ ପାଦେ କରି ନମସ୍କାର ।
ମଙ୍ଗଳ-ମୁହୂର୍ତ୍ତେ ଧ୍ରୁବ ହୋଇଲା ବାହାର ॥ ୧୫୮ ॥
ଜନନୀର ମନ-ସ୍ନେହ ପଛେପଛେ ଗଲା ।
ଚଳନ୍ତେ ରାଜାର ପୁରେ କେହି ନ ଦେଖିଲା ॥ ୧୫୯ ॥
ବାଳକ ବାଳ-ଆଦିତ୍ୟ ପ୍ରାୟେ ପଥେ ଯାନ୍ତେ ।
ଅନୁକୂଳ-ପବନ ବହିଲା ଅକସ୍ମାତେ ॥ ୧୬୦ ॥
ପବନେ ଚଳିତ ବନ-ଲତା-ତରୁଗଣ ।
ହସ୍ତ-ପ୍ରସାରିଲା ପ୍ରାୟେ କରନ୍ତି କଲ୍ୟାଣ ॥ ୧୬୧ ॥
କାନନେ ପଶିଲା ଧ୍ରୁବ ଗୋବିନ୍ଦ ସୁମରି ।
ଜନନୀ ଚରଣ-ଧ୍ୟାନ ହୃଦୟରେ କରି ॥ ୧୬୨ ॥
ଭୂମିକି ଅନାଇ ସେ ଅନେକ ଦୂର ଗଲା ।
ଗହନ-କାନନେ ରାଜପଥ ନ ପାଇଲା ॥ ୧୬୩ ॥
କ୍ଷୁଧା ତୃଷା ଆକୁଳେ ସେ ଅତି ଦୁଃଖ ମନେ ।
ବୃକ୍ଷତଳେ ବସିଲା ଆଦିତ୍ୟ ଅବସାନେ ॥ ୧୬୪ ॥
ବାଳକ ଭାଳଇ ମନେ ଚଉଦିଗ ଚାହିଁ ।
କାହାକୁ ପୁଚ୍ଛିବି ମୋର ସଙ୍ଗେ କେହି ନାହିଁ ॥ ୧୬୫ ॥
ବେନି-ଚକ୍ଷୁ ବୁଜି ସେ କୃଷ୍ଣଙ୍କୁ ସୁମରଇ ।
ବନଜନ୍ତୁ ଭୟେ ଧ୍ରୁବ ପୁରି ହିଁ ଅନାଇ ॥ ୧୬୬ ॥
ତାର ପୂର୍ବ-ତପଫଳେ ସେ ଘୋରକାନନେ ।
ସାୟଂକାଳେ ସମୀପେ ମିଳିଲେ ମୁନିଜନେ ॥ ୧୬୭ ॥
ପର୍ବତ-କାନନ-ଧୂମ-ଜଳ-ଅଗ୍ନିପଥେ ।
ବାଳ-ବୁଦ୍ଧ-ବନିତା-ଦୁର୍ବଳ-ବ୍ୟାଧିଗ୍ରସ୍ତେ ॥ ୧୬୮ ॥
ପୂର୍ବ-ଭାଗ୍ୟ ଥିଲେ ପ୍ରାଣୀ ଦୁସ୍ତରୁ ତରଇ ।
ଭାଗ୍ୟହୀନ ଗୃହେ ଯତ୍ନ କରନ୍ତେ ମରଇ ॥ ୧୬୯ ॥
ଦେଖ ତାର ଭାଗ୍ୟବଳ ସପ୍ତଋଷିଗଣେ
ସମୀପେ ମିଳିଲେ ଆସି ଭୟଙ୍କର ବନେ । ॥ ୧୭୦ ॥
ରାଜାର କୁମର କାହିଁ କାହିଁ ବନବାସ ।
ଦଇବ-ଘଟଣ ଦେଖ ଧର୍ମର ବିଶ୍ୱାସ ॥ ୧୭୧ ॥
ଏଣୁ ନିଜ କର୍ମକୁ କରିବ ନମସ୍କାର ।
ଯାହାର ଉପରେ ନାହିଁ ପ୍ରଭୁ-ଅଧିକାର ॥ ୧୭୨ ॥
ଯାର ତହିଁ ଶୁଭାଶୁଭ ପୁଣ୍ୟବଳ ଥାଇ ।
ମନେ ନ କଳ୍ପିଲେ ଅକସ୍ମାତେ ସେ ମିଳଇ ॥ ୧୭୩ ॥
ସତ୍ତ୍ୱ-ରଜ-ତମ ବଳେ କରି ଆକର୍ଷଣ ।
ନାନାସ୍ଥାନେ କରୁଥାଇ ଗମନା-ଗମନ ॥ ୧୭୪ ॥
ଶରୀର ସମ୍ପଦ ପଦ ବିବିଧ ବେଷ୍ଟିତ ।
ତେଜ ବଳ ସହାୟ ସେ ଉଦ୍ୟମ ସମର୍ଥ ॥ ୧୭୫ ॥
ପୁଣ୍ୟବଳ ଥିଲେ ସେ ସମସ୍ତ ଫଳ ପାଇ ।
ପୂର୍ବେ ନ ଅର୍ଜିଲେ ଲୋଡି ପାଇବଟି କାହିଁ ॥ ୧୭୬ ॥
ଚକ୍ଷୁମେଲି ଚାହାଁନ୍ତେ ଦେଖିଲା ମୁନିଗଣ ।
ତେଜେ ବିରାଜନ୍ତି ଯେହ୍ନେ ସୂର୍ଯ୍ୟର କିରଣ ॥ ୧୭୭ ॥
ଲଲାଟେ ତିଳକ ଦୂର୍ବା ବେନି କରେ ଘେନି ।
ଉଭା ହୋଇଛନ୍ତି ଧ୍ରୁବ ଆଗେ ବ୍ରହ୍ମମୁନି ॥ ୧୭୮ ॥
କୃଷ୍ଣାଜିନ ପରିଧାନ ପବିତ୍ର-ଉତ୍ତରୀ ।
ଉନ୍ମୀଳଲୋଚନ ଅକ୍ଷମାଳା କରେ ଧରି ॥ ୧୭୯ ॥
କଷାୟବସନ ସୂକ୍ଷ୍ମ-ଉତ୍ତରୀ ପ୍ରକାଶେ ।
ସୁଗନ୍ଧ-ବିଭୂତି ରୁଚି କଳେବର ଦିଶେ ॥ ୧୮୦ ॥
ଅକସ୍ମାତେ ମିଳିଲେ ଅଗାଧ-କ୍ଷୀରନିଧି ।
ତ୍ରୟକାଳଜ୍ଞାତା ଜ୍ଞାନଗୁଣେ ଗୁଣନିଧି ॥ ୧୮୧ ॥
ଅମୃତ ବଚନ କି ବଦନେ ବରଷନ୍ତି ।
କ୍ଷୀରସିନ୍ଧୁ ମଧ୍ୟେ ହଂସ ପ୍ରାୟେକ ଦିଶନ୍ତି ॥ ୧୮୨ ॥
ଏମନ୍ତ ମୁନିଙ୍କି ଧ୍ରୁବ ସନ୍ନିଧିରେ ଦେଖି ।
ସଂଭ୍ରମ-ଚିତ୍ତେ ଉଠିଲା ଆସନ ଉପେକ୍ଷି ॥ ୧୮୩ ॥
କପାଳେ କର ସମ୍ପୁଟ ଦେଇ ଦୃଢମନେ ।
ମୁନିଙ୍କି ପ୍ରଣାମ କଲା ହରଷ ବଦନେ ॥ ୧୮୪ ॥
ଆନନ୍ଦେ ମୁନିଙ୍କ ପାଦେ ଧ୍ରୁବ କରଯୋଡି ।
କହଇ କୋମଳ-ବାଣୀ ବିନୟ ଆଚରି ॥ ୧୮୫ ॥
ଧ୍ରୁବଉବାଚ
ଉତ୍ତାନପାଦର ବୀର୍ଯ୍ୟେ ସୁନୀତି ଉଦରେ ।
ଶରୀର ବହିଲି ମୁହିଁ ଏ ଭବସଂସାରେ ॥ ୧୮୬ ॥
ଧ୍ରୁବନାମ ବୋଲା ଅଧ୍ରୁବ ନାମ ମୋର
ନିର୍ମଳ-ମାନସେ ମୁହିଁ ମନ୍ଦିରୁ ବାହାର ॥ ୧୮୭ ॥
ଅନାଥ ହୋଇ ମିଳିଲି ଏ ଘୋରକାନନେ ।
ସନାଥ ହୋଇଲି ଏବେ ତୁମ୍ଭ ଦରଶନେ ॥ ୧୮୮ ॥
ନିର୍ଲଜ-ଶରୀର ମୋର ଏଣେ କାର୍ଯ୍ୟ ନାହିଁ ।
ବଞ୍ଚିତ ହୋଇଲି ନୃପ ସିଂହାସନେ ମୁହିଁ ॥ ୧୮୯ ॥
ପୂର୍ବେ କୋଟିଜନ୍ମେ ମୁଁ ନ କଲି ତପ-ରାଶି ।
ଏବେ ଚିତ୍ତ କଳ୍ପେ ନୃପ-ସିଂହାସନେ ବସି ॥ ୧୯୦ ॥
ଏଣୁ ମୁଁ ନିରାଶଚିତ୍ତେ ପଶିଲି ବନସ୍ତେ ।
ସ୍ଥିର ଭାବେ ମନ ମୋ ନ ରହେ ଅନ୍ତର୍ଗତେ ॥ ୧୯୧ ॥
ଏମନ୍ତ ଧ୍ରୁବର ବାଣୀ ଶୁଣି ମୁନିଗଣେ ।
ତାର ମୁଖ ଚାହିଁଣ କହନ୍ତି ଜଣେ ଜଣେ ॥ ୧୯୨ ॥
ସ୍ୱଭାବେ ମଧୁରାକୃତି ଶୁଖିଛି ବଦନ ।
ଅମୃତୁ ଅଧିକ କହେ ମଧୁର-ବଚନ ॥ ୧୯୩ ॥
ସଦୟ-ହୃଦୟେ ବସି ଧ୍ରୁବର ସମକ୍ଷେ ।
ଅନୁରାଗେ ମୁନିଏ କହନ୍ତି ଏକେ ଏକେ ॥ ୧୯୪ ॥
ଇଷିଗଣ-ଉବାଚ
ଅହୋ ବାଳ ବିଶାଳାକ୍ଷ ମହାରାଜ-ସୁତ ।
ବିଚାରି ନପାରିଲୁ ତୋହର ଅନ୍ତର୍ଗତ ॥ ୧୯୫ ॥
ନିବେଦ୍ୟ କାରଣ ତୁ ଆମ୍ଭର ଆଗେ କହ ।
ତୋର ବାକ୍ୟେ ଆମ୍ଭ ଚିତ୍ତେ ଲାଗିଲା ସନ୍ଦେହ ॥ ୧୯୬ ॥
ସ୍ୱଭାବେ ବାଳକ ତୋର ଅର୍ଥଚିନ୍ତା ନାହିଁ ।
ରାଜପୁରେ ଜନନୀର ସଙ୍ଗେ ଥାଉ ତୁହି ॥ ୧୯୭ ॥
ଆଧି ବ୍ୟାଧି ନ ଦେଖୁ ତ ତୋହର ଶରୀରେ ।
ନିର୍ବେଦ କାରଣ କହ ଆମ୍ଭର ଛାମୁରେ ॥ ୧୯୮ ॥
ଯୁବାକାଳେ ଭୋଗ ଯେବେ ନ ଲଭନ୍ତି ନରେ ।
ସ୍ୱଭାବେ ବୈରାଗ୍ୟ ଜାତ ହୁଏ ତା ଶରୀରେ ॥ ୧୯୯ ॥
ସପ୍ତଦ୍ୱୀପପତିର ତୁ କୁମର ସ୍ୱଭାବେ ।
କିକାରଣେ କାନନେ ପଶିଲୁ ବାଳଭାବେ ॥ ୨୦୦ ॥
ଯୁବା ନୋହୁ ବୃଦ୍ଧ ନୋହୁ ବ୍ୟାଧି ଦେହେ ନାହିଁ ।
ବାଳକାଳେ ଅରଣ୍ୟେ ପଶିଲୁ କାହିଁପାଇଁ ॥ ୨୦୧ ॥
ଏମନ୍ତ ପ୍ରକାରେ ଶୁଣି ମୁନଙ୍କ ବଚନ ।
ଗଦଗଦ ବାକ୍ୟେ କହେ ନୃପତି ନନ୍ଦନ ॥ ୨୦୨ ॥
ଧ୍ରୁବଉବାଚ
ଶୁଣିମା ସକଳ ବ୍ରହ୍ମମୁନିଗଣ ଧୀରେ ।
ନିର୍ବେଦ କାରଣ କହୁଁ ତୁମ୍ଭର ଛାମୁରେ ॥ ୨୦୩ ॥
ରାଜସେବା ଅର୍ଥେ ମୋତେ ଜନନୀ ପେଷିଲା ।
ମୋର ଧାତ୍ରୀ ପିତା ଆଗେ ନେଇ ପ୍ରବେଶିଲା ॥ ୨୦୪ ॥
ପିତାଙ୍କ ଚରଣେ ମୁହିଁ ନମସ୍କାର କରି
ଉଭା ହୋଇଥିଲି ଧାତ୍ରୀ ବସ୍ତ୍ର କରେ ଧରି ॥ ୨୦୫ ॥
ମୋର ଭାଇ ଉତ୍ତମକୁ ଦେଖି ପିତାକୋଳେ ।
ମୁହିଁ ବସିବାକୁ ଯାଇ ଧଇଲି ଅଞ୍ଚଳେ ॥ ୨୦୬ ॥
ତାହା ଦେଖି ସୁରୁଚି ମୋ ମାତା ସପତଣୀ ।
ଅନେକ ଭର୍ତ୍ସିଲେ ସେ ସପତ୍ନୀ-ଭାବ ଘେନି ॥ ୨୦୭ ॥
ଆପଣା ପୁତ୍ରକୁ କଲା ଉତ୍ତମ ସ୍ୱଭାବେ ।
ଅନେକ ନିନ୍ଦିଲା ମୋତେ ନିନ୍ଦିତ ପ୍ରସ୍ତାବେ ॥ ୨୦୮ ॥
ଅଭାଗିନୀ ଗର୍ଭେ ହେଲା ଜନମ ତୋହର ।
ଦେଖ ଅତି ଭାଗ୍ୟବନ୍ତ ମୋହର କୁମର ॥ ୨୦୯ ॥
ଏ ଗର୍ଭେ ଜନ୍ମିଲେ ନୃପସିଂହାସନ ପାଇ ।
ମୋର ଗର୍ଭେ ଜନ୍ମ କିମ୍ପା ନ ଲଭିଲୁ ତୁହି ॥ ୨୧୦ ॥
ତୋହର ମାତାର ପୂର୍ବେ କିଛି ତପ ନାହିଁ ।
ସେ ଗର୍ଭେ ଜନ୍ମିଲୁ ସୁଖ ଲଭିବୁ ତୁ କାହିଁ ॥ ୨୧୧ ॥
ଦୁର୍ଭଗାର ପୁତ୍ର ହୋଇ ନୃପସିଂହାସନେ ।
ତୋର ପୁଣ୍ୟ ନାହିଁ ଏଥେ ବସିବୁ କେସନେ ॥ ୨୧୨ ॥
ଏମନ୍ତ ପ୍ରକାରେ ସେ ଯେ ମୋତେ ନିନ୍ଦା କଲା ।
ଧିକ ଧିକ ଜନ୍ମ ବୋଲି ବହୁ ଝିଙ୍ଗାସିଲା ॥ ୨୧୩ ॥
ମୁହିଁ କାନ୍ଦି କହିଲି ମୋ ଜନନୀ ଅଗ୍ରତେ ।
ତପ କରିବାକୁ ମାତା ଆଜ୍ଞା ଦେଲେ ମୋତେ ॥ ୨୧୪ ॥
ବୋଇଲେ ସଂସାରେ ସାର ତପସ୍ୟା କାରଣ ।
ଉଚ୍ଚ ନୀଚ ମଧ୍ୟେ ଦେଖ ସଂସାର-ଭ୍ରମଣ ॥ ୨୧୫ ॥
ନୃପସିଂହାସନେ ଯେବେ ବାଞ୍ଛା ଅଛି ତୋର ।
ଏବେ ନରଦେହେ ପୁତ୍ର ତପ-ସିଦ୍ଧକର ॥ ୨୧୬ ॥
ଏମନ୍ତେ ଜନନୀ ମୁଖୁ ପାଇ ଉପଦେଶ ।
ତପ-ସଧେ ଘୋରବନେ ହୋଇଲି ପ୍ରବେଶ ॥ ୨୧୭ ॥
ନିର୍ବେଦ କାରଣ ମୁଁ କହିଲି ତୁମ୍ଭ ଆଗେ ।
ବନେ ପଶି ଭାଳଇ ମୁଁ ବାଳକ ସ୍ୱଭାବେ ॥ ୨୧୮ ॥
ଏମନ୍ତ ଧ୍ରୁବର ବାକ୍ୟ ଶୁଣି ମୁନିଗଣ ।
ପରସ୍ପରେ ଚାହିଁ ସେ ବୋଲନ୍ତି ପୁଣ ପୁଣ ॥ ୨୧୯ ॥
ଋଷିଗଣ ଉବାଚ
ଦେଖ ଏ କ୍ଷତ୍ରିୟ ତେଜ ସଂସାରେ ଦୁସ୍ତର ।
ବାଳକ ଶରୀରେ ତେଜ ଅତି ଯେ ପ୍ରଖର ॥ ୨୨୦ ॥
ପୁଣି ଧ୍ରୁବ ମୁଖ ଚାହିଁ ବୋଲନ୍ତି ଉତ୍ତର ।
ଆମ୍ଭରେ କି ସାଧ୍ୟ-କର୍ମ ତୋର ଉପକାର ॥ ୨୨୧ ॥
ତୋର ମନୋରଥ ଆମ୍ଭେ ଜାଣିବୁ କେମନ୍ତେ ।
ଭ୍ରାନ୍ତି ଛାଡି କହ ବାବୁ ଆମ୍ଭର ଅଗ୍ରତେ ॥ ୨୨୨ ॥
ଧ୍ରୁବଉବାଚ
ଶୁଣିମା ଭୋ ମୁନିଜନେ ମୋର ମନୋରଥ ।
ପିତାର ଦୁର୍ଲଭ ପୁତ୍ର ଉତ୍ତମ ମୋ ଭ୍ରାତ ॥ ୨୨୩ ॥
ପିତାର ସମୀପେ ବସେ ନୃପସିଂହାସନେ ।
ତାହାକୁ ମୋହର କିଛି ଆନ ନାହିଁ ମନେ ॥ ୨୨୪ ॥
ତୁମେ ମୋତେ ସାହା ହୁଅ ଏ ଘୋର କାନନେ ।
ଉପଦେଶ ଦିଅ ମୋତେ ନିସ୍ତାର କାରଣେ ॥ ୨୨୫ ॥
ଶରୀର ବାଳକ ମୋର ବୁଦ୍ଧି ବାଳ ନୋହେ ।
କହିବି ତୁମ୍ଭର ଆଗେ ଚିତ୍ତର ନିର୍ଣ୍ଣୟେ ॥ ୨୨୬ ॥
ମୋର କଥା କହଇ ତା ଶୁଣି ମୁନିଜନେ ।
ଯେଉଁ କାରଣରୁ ମୁଁ ପଶିଲି ଘୋରବନେ ॥ ୨୨୭ ॥
ଯେ ପଦକୁ ପୂର୍ବେ ତପେ କେହି ଲଭି ନାହିଁ ।
ଇନ୍ଦ୍ର ଆଦି ଦେବତାଙ୍କୁ ଗୋଚର ନୋହଇ ॥ ୨୨୮ ॥
ତ୍ରିଲୋକ ଉପରେ ସର୍ବ-ବନ୍ଦିତ ଯେ ସ୍ଥାନ ।
ତହିଁ ବସି ଭୁଞ୍ଜିବି କଳ୍ପଇ ମୋର ମନ ॥ ୨୨୯ ॥
ମୋର ପିତୃ-ପିତାମହ ଯାହା ନ ପାଇଲେ ।
କଳ୍ପକଳ୍ପାନ୍ତରେ ଯାହା ନ ପାଇବେ ଭଲେ ॥ ୨୩୦ ॥
ସେ ଭୁବନେ ଯେଉଁ ଭାବେ ବସିବଇଁ ମୁହିଁ ।
ତହିଁର ଉପାୟ ମୋତେ କହ ଭାବ ବହି ॥ ୨୩୧ ॥
ଧନ ରାଜ୍ୟଭୋଗ ମୋର ପ୍ରୟୋଜନ ନାହିଁ ।
ଏତେ କହି ମୁନିଙ୍କ ଚରଣେ ପ୍ରଣମଇ ॥ ୨୩୨ ॥
ଧ୍ରୁବର ବଚନେ ହରଷିତ ମୁନିଜନେ ।
ଅନ୍ୟେ ଅନ୍ୟେ ମିଳି ସେ କହନ୍ତି ତୁଷ୍ଟମନେ ॥ ୨୩୩ ॥
ମରୀଚି ଉବାଚ
ଶୁଣ ହୋ ନୃପନନ୍ଦନ କହୁଁ ତୋର ଆଗେ ।
ସର୍ବ ବେଦ ପୁରାଣଙ୍କ ଶାସ୍ତ୍ର ଅନୁଭବେ ॥ ୨୩୪ ॥
ବିଷ୍ଣୁର ଚରଣେ ସେବା କରେ ଯେ ନିଶ୍ଚୟେ ।
ଇହପରଲୋକେ ସେ ବାଞ୍ଛିତ ଫଳ ପାଏ ॥ ୨୩୫ ॥
ଅନ୍ୟ ଦେବଙ୍କର ତପ ଅନୁଭବେ ସ୍ମରେ ।
ବିଷ୍ଣୁର ପ୍ରସନ୍ନେ ଭୋଗ-ଭୁଞ୍ଜେ ନିରନ୍ତରେ ॥ ୨୩୬ ॥
ଅତ୍ରି ଉବାଚ
ଅତ୍ରି କହେ ଶୁଣ ବାବୁ ସୁନୀତି କୁମର ।
ନାରାୟଣ-ସନ୍ତୋଷେ ନିର୍ମଳ-ତପ କର ॥ ୨୩୭ ॥
ସେ ପରମପୁରୁଷ ଯାହାକୁ ତୋଷ ହୋଇ ।
ମନର ବାଞ୍ଛିତ ଫଳ ଅଧିକେ ଦିଅଇ ॥ ୨୩୮ ॥
ଅକ୍ଷୟ-ସ୍ଥାନରେ ତାର ହୁଏ ଅଧିକାର ।
ବିଘ୍ନକରି ନ ପାରନ୍ତି ସୁରା-ସୁର-ନର ॥ ୨୩୯ ॥
ସତ୍ୟ ଏ ବଚନ ମୋର କର ହରି-ଧ୍ୟାନ ।
ଅଳ୍ପଦିନେ ଲଭିବୁ ଅକ୍ଷୟ-ଦିବ୍ୟସ୍ଥାନ ॥ ୨୪୦ ॥
ଅଙ୍ଗିରା ଉବାଚ
ଅଙ୍ଗିରା କହନ୍ତି ଶୁଣ ନୃପତି କୁମର ।
ସର୍ବଭାବେ ଗୋବିନ୍ଦ ଚରଣେ ଆଶ୍ରେକର ॥ ୨୪୧ ॥
ବିଶ୍ୱ ବସ୍ତୁ-ଅଭ୍ୟନ୍ତରେ ଯାହାର ନିବାସ ।
ଆତ୍ମାରୂପେ ସର୍ବଭୂତେ ଯାହରା ପ୍ରକାଶ ॥ ୨୪୨ ॥
ଅଗ୍ରସ୍ଥାନେ ବସିବାକୁ ଇଚ୍ଛା ଯେବେ ତୋର ।
ଏକମନେ ଲୟକର ଶ୍ରୀହରି-ପୟର ॥ ୨୪୩ ॥
ପୁଲସ୍ତ୍ୟ ଉବାଚ
ପରଂଧାମ ପରଂବ୍ରହ୍ମ ପରାପର ନାହିଁ ।
ବିଶ୍ୱ-ବାହ୍ୟ-ଅଭ୍ୟନ୍ତରେ ଯାର ବିଶ୍ୱଦେହୀ ॥ ୨୪୪ ॥
ସେ ହରିଚରଣେ ଧ୍ୟାନ କର ଦୃଢ଼ଚିତ୍ତେ ।
ତ୍ରୈଲୋକ୍ୟ-ଦୁର୍ଲଭ-ସ୍ଥାନ ଲଭିବୁ ଯେମନ୍ତେ ॥ ୨୪୫ ॥
କ୍ରତୁ ଉବାଚ
କ୍ରତୁ କହେ ଶୁର ଆହେ ମୋହର ବଚନ ।
ଯେ ଯଜ୍ଞପୁରୁଷ ଅଙ୍ଗେ ଏ ତିନିଭୁବନ ॥ ୨୪୬ ॥
ତାହାର ପ୍ରସନ୍ନେ ଯେ ଦୁର୍ଲଭ ଲଭେ ପ୍ରାଣୀ ।
ମୁଁ ଏହା ଜାଣଇ ସର୍ବଶାସ୍ତ୍ର ପରିମାଣି ॥ ୨୪୭ ॥
ପୁଲହ ଉବାଚ
ପୁଲହ କହନ୍ତି ଧ୍ରୁବ ଶୁଣ ଏକମନେ ।
ଇନ୍ଦ୍ରାଦି ଦୁର୍ଲଭ ସ୍ଥାନ ଳଭିବୁ ଯେସନେ ॥ ୨୪୮ ॥
ଘୋରତପେ ବିଷ୍ଣୁର ଚରଣେ ଆଶ୍ରେକର ।
ଦୁର୍ଲଭ-ଆସନେ ବସି ଭୁଞ୍ଜ ଭୋଗସାର ॥ ୨୪୯ ॥
ବିଷ୍ଣୁର ଚରଣ ସେବା ଯେ ଜନ କରନ୍ତି ।
ଇହ-ପରଲୋକେ ସେ ବାଞ୍ଛିତ-ଫଳ ପାନ୍ତି ॥ ୨୫୦ ॥
ଅନ୍ୟ ଦେବଙ୍କର ସେବା ଫଳ ଅଳ୍ପଦିନ ।
ବିଷ୍ଣୁର ସେବନ-ଫଳ ଅକ୍ଷୟଟି ଜାଣ ॥ ୨୫୧ ॥
ବଶିଷ୍ଠ ଉବାଚ
ବଶିଷ୍ଠ କହନ୍ତି ଶୁଣ ନୃପତିନନ୍ଦନ ।
ତପ-ବଳେ ବାସୁଦେବ ଦୃଢ଼େ କର ଧ୍ୟାନ ॥ ୨୫୨ ॥
ପରମ କୈବଲ୍ୟଦାତା ପ୍ରଭୁ ଚକ୍ରଧର ।
ଯାହାର ପ୍ରସନ୍ନେ ତୁଟେ ଏ ଘୋର-ସଂସାର ॥ ୨୫୩ ॥
ଶୁଣି ଧ୍ରୁବ ବେନିକର ଶିରେ ଦେଇ ତୋଷେ ।
ପୁଣପୁଣ ପ୍ରଣମିଲା ଭକତି ବିଶ୍ୱାସେ ॥ ୨୫୪ ॥
ଧ୍ରୁବ ଉବାଚ
ତୁମ୍ଭ ଉପଦେଶେ ଯେବେ ହରିଙ୍କି ଭଜିବି ।
ଉପାୟ କହିବା ମୋତେ କେମନ୍ତେ ଲଭିବି ॥ ୨୫୫ ॥
ସାଂଖ୍ୟଯୋଗ କିବା ତପ ଜପ ମନ୍ତ୍ର ଧ୍ୟାନେ ।
ପ୍ରାଣାୟାମ ବଳେ କିବା ନିଶ୍ଚଳ-ଆସନେ ॥ ୨୫୬ ॥
ଯେମନ୍ତେ ପାଇବି ଅଳ୍ପଦିନେ ତପ କରି ।
ସ୍ୱଭାବେ ବାଳକ ମୁଁ ନୁହଇ ବ୍ରହ୍ମଚାରୀ ॥ ୨୫୭ ॥
ଯେଉଁ ଆରାଧନେ ମିଳେ ବିଷ୍ଣୁର ଚରଣ ।
ପ୍ରସନ୍ନ-ବଦନେ ମୋତେ କହ ମୁନିଗଣ ॥ ୨୫୮ ॥
ଋଷିଗଣ ଏମନ୍ତ ବାଳକ-ବାକ୍ୟ ଶୁଣି ।
ସର୍ବ ମନେ ବିଚାରି କହନ୍ତି ପୁଣପୁଣି ॥ ୨୫୯ ॥
ଋଷିଗଣ-ଉବାଚ
କହନ୍ତି ହେ ଧ୍ରୁବ ଶୁଣ ନିର୍ବାଣ ପ୍ରକାର ।
ଯେଉଁ ଆରାଧନେ ନିସ୍ତରନ୍ତି ସୁରନର ॥ ୨୬୦ ॥
ପ୍ରତ୍ୟାହାର ବଳେ ଯେ ବିଷୟ ଇନ୍ଦ୍ରିଗଣ ।
ବାହାର ଭିତରେ ମନ କରଇ ଭ୍ରମଣ ॥ ୨୬୧ ॥
ଇନ୍ଦ୍ରିୟ-ବିଷୟେ ମନ ନିଶ୍ଚଳେ ନିରୋଧି ।
ଗୁରୁ-ବାକ୍ୟେ ସାଧିବ ଯେ ବିଧାନ ସମ୍ପାଦି ॥ ୨୬୨ ॥
ଜାଗ୍ରତ ସ୍ୱପ୍ନ ମଧ୍ୟେ ଉଭୟ ଭୁବସ୍ଥାନେ ।
ପଞ୍ଚପ୍ରାଣ ନିରୋଧ କରିବ ତତ୍ତ୍ୱଜ୍ଞାନେ ॥ ୨୬୩ ॥
ବାହ୍ୟ-ଅନ୍ତେ ଜଳଘଟେ ଗଗନ ଯେସନେ ।
ସେହି ଭାବେ ସର୍ବ ଘଟେ ଦେଖ ଦିବ୍ୟଜ୍ଞାନେ ॥ ୨୬୪ ॥
ନଭିଚକ୍ର ଉର୍ଦ୍ଧ୍ୱେ ଦେଖ ଦଶହିଁ ଅଙ୍ଗଳେ ।
ପୀତବର୍ଣ୍ଣ ପ୍ରାୟେ ଦିଶେ ହୃଦୟ କମଳେ ॥ ୨୬୫ ॥
ଦ୍ୱାଦଶଦଳର ମଧ୍ୟେ ପଦ୍ମ ଯେ କେଶର ।
ଅଗ୍ନି ଚନ୍ଦ୍ର ସୂର୍ଯ୍ୟ ରହେ ମଣ୍ତଳ ଆକାର ॥ ୨୬୬ ॥
ତାର ମଧ୍ୟେ ଧ୍ୟନ କରି ଚିନ୍ତ ଦିବୃରୂପ ।
ସର୍ବ-ଭୂତାଶ୍ରୟ ଯେ ପୁରୁଷୋତ୍ତମ-କଳ୍ପ ॥ ୨୬୭ ॥
ସେହି ସ୍ଥାନେ ବସ ତୁ ଆସନ ଦୃଢ଼ କରି ।
ଦ୍ୱାଦଶ-ଅକ୍ଷର-ମନ୍ତ୍ର ଜପ ହୃଦେ ଧରି ॥ ୨୬୮ ॥
ଓଁକାର ପ୍ରଥମେ ଭାଗବତ ନାମ ଧରି ।
ନମୋ ବାସୁଦେବାୟ ତୁ ନିଶ୍ଚଳେ ଉଚ୍ଚାରି ॥ ୨୬୯ ॥
ଦ୍ୱାଦଶ-ଅକ୍ଷର ମନ୍ତ୍ରରାଜ ଏ ବୋଲାଇ ।
ଏହି ମନ୍ତ୍ର ଜପିଲେ ପ୍ରସନ୍ନ ଭାବଗ୍ରାହୀ ॥ ୨୭୦ ॥
ଏହି ମନ୍ତ୍ର ପୂର୍ବେ ଜପି ସ୍ୱାୟମ୍ଭୁବ ମନୁ ।
ସୃଷ୍ଟି ହେତୁ ସାଧ୍ୟ କଲା ବ୍ରହ୍ମା ନିଜ ତନୁ ॥ ୨୭୧ ॥
ତାହାରେ ସନ୍ତୋଷ ଯେ ହୋଇଲେ ବାସୁଦେବ ।
ଯାର ଭାବେ ସାଧ୍ୟ କଲା ସଂସାର-ବିଭବ ॥ ୨୭୨ ॥
ଏହି ମନ୍ତ୍ର ଜପ କର ଏକଚିତ୍ତ ହୋଇ ।
ଅନ୍ତର୍ଦ୍ଧାନେ ଗଲେ ମୁନି ଉପଦେଶ ଦେଇ ॥ ୨୭୩ ॥
ମୁନିଙ୍କର ଉପଦେଶ ହୃଦରେ ସୁମରି ।
ହରିଭକ୍ତ-ଜନ-ଅର୍ଥେ କହିଲି ବିସ୍ତାରି ॥ ୨୭୪ ॥
ସାଧୁଜନେ ଏହିଭାବେ ଦୃଢ଼କର ଚିତ୍ତ ।
ସଂସାର-ନିସ୍ତାରେ କହେ ଦାସ ଜଗନ୍ନାଥ ॥ ୨୭୫ ॥
ଇତିଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ଧ୍ରୁବଚରିତେ ଅଷ୍ଟମୋଽଧ୍ୟାୟଃ ॥
* * *