ଚତୁର୍ଥ ସ୍କନ୍ଧ

ଅଷ୍ଟମ ଅଧ୍ୟାୟ

ନମାମି ଅମ୍ବିକା ସୁତ ଚରଣ ପଙ୍କଜ ।

ସର୍ବଦେବଙ୍କର ମଧ୍ୟେ ନାମ ବିଘ୍ନରାଜ ॥ ୧ ॥

ଯାର ନାମ ଲମ୍ବୋଦର ସର୍ବ ବିଘ୍ନହର ।

କିରୀଟ କୁଣ୍ତଳ କଣ୍ଠେ ହାର ମନୋହର ॥ ୨ ॥

ତୁଙ୍ଗ ବକ୍ଷସ୍ଥଳ ଦୀର୍ଘ ଶୋହେ ଭୁଜ ଚାରି ।

ଅଜୟ ଅଭୟ ବର ପାଶାଙ୍କୁଶଧାରୀ ॥ ୩ ॥

ଯାହାର ପ୍ରସନ୍ନବଳେ ଜଡବୁଦ୍ଧି ତୁଟେ ।

ନିର୍ମଳ ବଚନ ଯେ ସ୍ଫୁରଇ କଣ୍ଠତଟେ ॥ ୪ ॥

ମୋର ପ୍ରତି ପ୍ରସନ୍ନ ତୁ ହୁଅ ଲମ୍ବୋଦର ।

ଭଗବତ ଭାଷା ମୁହିଁ କରିବି ପ୍ରଚାର ॥ ୫ ॥

ଭକ୍ତିଯୋଗ ମଧ୍ୟେ ଯେ ଉତ୍ତମ ଭାଗବତ ।

କହିବି ଚତୁର୍ଥସ୍କନ୍ଧେ ଧ୍ରୁବର ଚରିତ ॥ ୬ ॥

ପଞ୍ଚମ ବରଷ ବାଳ ଘୋରତପ କଲା ।

ମାତାର ସପତ୍ନୀ ବାକ୍ୟେ ହରିଙ୍କି ଭଜିଲା ॥ ୭ ॥

ପିତା-ଜାନୁ-ଆରୋହଣ-ଭଙ୍ଗେ ରୋଷମନେ ।

ସପ୍ତଋଷି ଉର୍ଦ୍ଧ୍ୱେଯାଇ ବସିଲା ଗଗନେ ॥ ୮ ॥

ଯାର ଘୋର-ତପ ଦେଖି ଭୃଗୁ ମନତୋଷେ ।

ଧନ୍ୟ ଧନ୍ୟ ଧ୍ରୁବ ବୋଲି ଋଷି ମଧ୍ୟେ ଭାଷେ ॥ ୯ ॥

ଜନନୀ ସହିତେ ଦିଶେ ଉତ୍ତର-ଆକାଶେ ।

ଦରଶନ ମାତ୍ରେ ଯାର ସର୍ବପାପ ନାଶେ ॥ ୧୦ ॥

ଜୀବିତ ରହଇ ନର ସୁଖେ ଶତସମା ।

ଯାର ଭାବ ନ ଲଭନ୍ତି ହର-ଇନ୍ଦ୍ର-ବ୍ରହ୍ମା ॥ ୧୧ ॥

ତାହାର ଚରିତ ଯେ ଶୁଣନ୍ତି ସାବଧାନେ ।

ସର୍ବପାପ ହରେ ମନ ରହେ ବିଷ୍ଣୁଧ୍ୟାନେ ॥ ୧୨ ॥

ଅଶେଷ ଅମୃତ ବାଣୀ ଧ୍ରୁବର ଚରିତ ।

କହେ ବିପ୍ର ଜଗନ୍ନାଥ ଭାବେ ଭାଗବତ ॥ ୧୩ ॥

ପୁଣ୍ୟ ମଧୁବନେ ସରସ୍ୱତୀ-ତଟେ ରହି ।

ମୈତ୍ରେୟ କହିଲେ ପୂର୍ବେ ବିଦୁରଙ୍କୁ ଚାହିଁ ॥ ୧୪ ॥

ଦୁର୍ଗତି-ତାରଣ ଭବ-ଭୟ-ନିବାରଣ ।

କହେ ବିପ୍ର ଜଗନ୍ନାଥ ସାବଧାନେ ଶୁଣ ॥ ୧୫ ॥

ସର୍ବଶାସ୍ତ୍ର ଜାଣି ସେ କହଇ ନାନା ମତେ ।

ଧ୍ରୁବର ଚରିତ ବିଷ୍ଣୁଭଜନ-ହିତେ ॥ ୧୬ ॥

ମୈତ୍ରେୟର ଆଗେ ପରାଶର-ମୁନି କହି ।

ବିଷ୍ଣୁ-ଜନ-ହିତେ ବଇଷ୍ଣବ-ଭାବ ବହି ॥ ୧୭ ॥

ପରତ‌ତ୍ତ୍ୱ ଧ୍ୟନରତ ନିତ୍ୟେ ଶୁଦ୍ଧଚିତ୍ତେ ।

ବୈଷ୍ଣବ-ଅଗ୍ରଣୀ ଶିବ ଉମାର ଅଗ୍ରତେ ॥ ୧୮ ॥

ବିଷ୍ଣୁଦୂତେ ହରିକଥା କହିଛନ୍ତି ଯାହା ।

ଭାଷା-ପରିବନ୍ଧେ ମୁହିଁ ପ୍ରକାଶିବି ତାହା ॥ ୧୯ ॥

ସାଧୁଜନେ ଦୃଢଚିତ୍ତେ ଏଣେ କର ଭାବ ।

ଏଦୃଢ-ବୋଇତେ ଭବ-ବାରିଧି ତରିବ ॥ ୨୦ ॥

ବିଷ୍ଣୁଙ୍କ ଆଦେଶେ ସୃଷ୍ଟି କଲେ ପଦ୍ମଯୋନି ।

ମୈଥୁନ ପ୍ରକାଶେ ଶିବ-ଶକ୍ତି-ରୂପ ଘେନି ॥ ୨୧ ॥

ନିଜ କଳେବର ବ୍ରହ୍ମା ବେନିଖଣ୍ତ କଲେ ।

ସ୍ୱୟମ୍ଭୂବମନୁ ଶତରୂପା ପ୍ରକାଶିଲେ ॥ ୨୨ ॥

ମୈଥୁନ-ପ୍ରବନ୍ଧେ ଉପୁଜିଲେ ପୁତ୍ର ବେନି ।

ସୃଷ୍ଟି ଅଂଶ ହେତୁ କନ୍ୟା ତିନି ସଙ୍ଗେ ଘେନି ॥ ୨୩ ॥

ପ୍ରିୟବ୍ରତ ସେ ଉତ୍ତାନପାଦ ନାମ ତାର ।

ସୁଗୁଣ ସୁନ୍ଦର-ରୂପେ ମୋହେ ତିନିପୁର ॥ ୨୪ ॥

ସୃଷ୍ଟିଅଂଶେ ମନୁବଂଶେ ବେନି-ସହୋଦର ।

ପ୍ରଜାର ସୃଜନ କଲେ ଅନେକ ପ୍ରକାର ॥ ୨୫ ॥

ଉତ୍ତାନପାଦର ଯେ ହୋଇଲେ ଯତ୍ନୀବେନି ।

ସୁନୀତି ସୁରୂଚି ଯେ ସୁନ୍ଦର-ଗୁଣ ଘେନି ॥ ୨୬ ॥

ସେ ବେନିପତ୍ନୀଙ୍କ ମଧ୍ୟେ ସୁରୂଚି ସୁପ୍ରିୟା ।

ଉତ୍ତାନପାଦର ଚିତ୍ତେ ତାର ପ୍ରତି ଦୟା ॥ ୨୭ ॥

ତାହାର ଉଦରେ ଯେ ଉତ୍ତମ ପୁତ୍ର ହୋଏ ।

ରୂପ ଗୁଣ ସୁନ୍ଦରରେ ଜଗଜ୍ଜନ ମୋହେ ॥ ୨୮ ॥

ତାର ବଡ ପ୍ରିୟ ସେ ଉତ୍ତାନପାଦ ରାଜା ।

ଭୂଷଣ ବସନ ଦେଇ କରେ ଦିବ୍ୟପୂଜା ॥ ୨୯ ॥

ଅତି ପ୍ରିୟତମା ସେ ନିମିଷେ ନଛାଡ଼ଇ ।

ପତ୍ନୀ ସୁତ ସ୍ୱଭାବେ ଗୌରବଭାବ ବହି ॥ ୩୦ ॥

ସୁନୀତି ଅପ୍ରିୟ ତାର ସୁତ ଧ୍ରୁବ ନାମ ।

ରୂପଗୁଣସୁନ୍ଦରେ ମୋହିତ କୋଟି କାମ ॥ ୩୧ ॥

ବେନିସୁତେ ବେନିଧାତ୍ରୀ ଘେନିଥାନ୍ତି ନିତ୍ୟେ ।

ପିତାର ସମୀପେ ଦ୍ୟନ୍ତି ରାଜସେବା ମତେ ॥ ୩୨ ॥

ଏକଦିନେ ସୁରୁବି ଉତ୍ତମ କର ଧରି ।

ନୃପତି ସମୀପେ ମିଳେ ପ୍ରିୟଭାବ ଭରି ॥ ୩୩ ॥

ଉତ୍ତମକୁ କୋଳେ ଦେଇ ରହିଲା ଅନ୍ତରେ ।

ନୃପତି-ସଭାର ମଧ୍ୟେ ପ୍ରିୟଭାବଭରେ ॥ ୩୪ ॥

ଏମନ୍ତ ସମୟେ ଧାତ୍ରୀ ଧ୍ରୁବ ଘେନି ସଙ୍ଗେ ।

ରାଜାର ସମୀପେ ମିଳେ ପ୍ରିୟଭାବ ରଙ୍ଗେ ॥ ୩୫ ॥

ଉତ୍ତମକୁ କୋଳେ ଦେଖି ଧ୍ରୁବ ସ୍ନେହ କଲା ।

ପିତାକୋଳେ ବସିବାକୁ ହସ୍ତ ପ୍ରସାରିଲା ॥ ୩୬ ॥

ତାହା ଦେଖି କୋପଚିତ୍ତେ ସୁରୁଚି ବୋଲଇ ।

ଦୁର୍ଭଗା-ତନୟ ତୋର ମୁଖେ ଲାଜ ନାହିଁ ॥ ୩୭ ॥

ଆରୋହଣ କରି ଲୋଡୁ ନୃପ-ସିଂହାସନେ ।

ଯେ ଆସନ ସୁପୂଜିତ ଏତିନି-ଭୁବନେ ॥ ୩୮ ॥

ପୂର୍ବ-ତପଫଳେ ଦେଖ ଉତ୍ତମ କୁମର ।

ନୃପ-ବୀର୍ଯ୍ୟେ ଉପୁଜିଲା ମୋହର ଉଦର ॥ ୩୯ ॥

ସେହି ରାଜସିଂହାସନେ ବସବାକୁ ଏକ ।

ଏକଥା ବିଦିତ ଭଲେ ଜାଣନ୍ତି ତ୍ରିଲୋକ ॥ ୪୦ ॥

ନିଷ୍ଠାରେ କଠୋର-ତପ ପୂର୍ବେ ଯେ କରଇ ।

ତପଫଳେ ଲଭେ ସେ ଦୁର୍ଲଭ ନରଦେହୀ ॥ ୪୧ ॥

ଯେଉଁ ତପେ ଯେତେ ଭୋଗ କରନ୍ତି ଜଗତେ ।

କହଇ ବାଳକ ତୁହି ଶୁଣ ଏକଚିତ୍ତେ ॥ ୪୨ ॥

କେଉଁ ତପେ ବସିବୁ ତୁ ରାଜସିଂହାସନେ ।

କିରୀଟ ମସ୍ତକେ ଯହିଁ ନମେ ସର୍ବଜନେ ॥ ୪୩ ॥

ଜାଣିଲି ମୁଁ ପୂର୍ବେ ତୋର କିଛି ତପ ନାହିଁ ।

ଏଣୁ ଅଭାଗିନୀ-ଗର୍ଭେ ଉପୁଜିଲୁ ତୁହି ॥ ୪୪ ॥

ଏହି ଅନୁମାନେ ତୋର ଅଳ୍ପପୁଣ୍ୟ ଜାଣ ।

ଶୁଭାଶୁଭ-ଫଳ ଅନୁମାନ ଏ ପ୍ରମାଣ ॥ ୪୫ ॥

ରାଜାର କୁମର-ପଣେ ଏ ଜନ୍ମ ତୋହର ।

ନାନା-ସୁଖ ଭୋଗେ ତୋର ନାହିଁ ଅଧିକାର ॥ ୪୬ ॥

ଦେଖ ଏ ଉତ୍ତମ ମୋର ଗର୍ଭେ ଜନ୍ମ ହୋଇ ।

ନୃପାସନେ ବସିବାକୁ ଯୋଗ୍ୟ ଏ ଅଟଇ ॥ ୪୭ ॥

ଏ ଆସନେ ବସିବାକୁ ଇଚ୍ଛା ଯେବେ ତୋର ।

କିମ୍ପା ଜନ୍ମ ନ ଲଭିଲୁ ମୋହର ଉଦର ॥ ୪୮ ॥

ମୈତ୍ରେୟ ଉବାଚ

ଏମନ୍ତ ସଭାରେ ମଧ୍ୟେ ସୁରୁଚି ବଚନ ।

ଶୁଣି ଧ୍ରୁବ ଶୋକଚିତ୍ତେ ହୋଇଲା ମଉନ ॥ ୪୯ ॥

ଅନ୍ତର୍ଗତେ କମ୍ପିଲା ତାହାର ନିଜ ଦେହୀ ।

ଅଧୋମୁଖେ ରହିଲା ଭୂମିକି ଦୃଷ୍ଟି ଦେଇ ॥ ୫୦ ॥

ଅନୁଚିତ ଉଚିତ ନ କହେ ନୃପମଣି ।

ସଭାମଧ୍ୟେ ଶୁଣି ସେ ସୁରୁଚି ଗର୍ବବାଣୀ ॥ ୫୧ ॥

ତାହାର ଗୌରବେ ସେ ଯନ୍ତ୍ରିତ-ଚିତ୍ତ ହୋଇ ।

ସଭାମଧ୍ୟେ ଏକ ବାକ୍ୟ ନ ପାରିଲା କହି ॥ ୫୨ ॥

ଏମନ୍ତେ ନୃପତି ଗତି ଭାବି ଧ୍ରୁବ ମନେ ।

ନୃପେ ନମି ଧାତ୍ରୀ ସଙ୍ଗେ ଗମିଲା ମଉନେ ॥ ୫୩ ॥

ମାର୍ଗେ ଯାନ୍ତେ ବ୍ୟାକୁଳେ ନ ଦିଶେ ଦଶଦିଶ ।

ସର୍ପପ୍ରାୟେ ପୁଣ-ପୁଣ ଛାଡଇ ନିଃଶ୍ୱାସ ॥ ୫୪ ॥

ମାତାର ସମୀପେ ଧ୍ରୁବ ନିଜପୁରେ ଯାଇ ।

ଅଶ୍ରୁବହେ ଲୋଚନୁ କମ୍ପଇ ତାର ଦେହୀ ॥ ୫୫ ॥

ଅଶ୍ରୁକଣ୍ଠ-କୁଣ୍ଠିତ ବଚନ ଗଦଗଦେ ।

ନ ସ୍ଫୁରଇ ବାକ୍ୟ ମୁଖେ ସୁନୀତି ଅନାଇ ॥ ୫୬ ॥

ଏମନ୍ତ ପୁତ୍ରର ମୁଖ ସୁନୀତି ଅନାଇ ।

ଛନ୍ନ ଚିତ୍ତେ ପଚାରଇ ଧାତ୍ରୀ ମୁଖ ଚାହିଁ ॥ ୫୭ ॥

ତୁ ଯେ ପୁତ୍ର ଘେନିଗଲୁ ନୃପତି ସମୀପେ ।

କିମ୍ପାଇ ରୋଦନ କରେ ଅତି ମନତୋପେ ॥ ୫୮ ॥

ମାତାର ବଚନ ଶୁଣି ନୃପତି-ନନ୍ଦନ ।

ଉର୍ଦ୍ଧ୍ୱ-ମୁଖେ ଚାହିଁ ରହେ ବିକଳ-ବଦନ ॥ ୫୯ ॥

ପୁରଜନ ମୁଖୁ ଶୁଣି ସପତ୍ନୀ-ବୃତ୍ତାନ୍ତ ।

ସୁନୀତି ହୋଇଲା ଅତି ହୃଦୟେ ବ୍ୟଥିତ ॥ ୬୦ ॥

ଜନନୀ ଜାଣିଲେ ପୁତ୍ର ଅପମାନ ପାଇ ।

ପିତାଠାରୁ ଅଇଲା ଏ ମହାଦୁଃଖ ବହି ॥ ୬୧ ॥

ମୁଖଲକ୍ଷ୍ମୀ ଏହାର ତ ନ ଦିଶେ ସୁ୍ନ୍ଦର ।

ଅତିଦୁଃଖେ ବୁଡିଲା ଯେ ମୋହର କୁମର ॥ ୬୨ ॥

ବେନି କରେ ଆକର୍ଷି ପୁତ୍ରକୁ କୋଳେ ଧରି ।

ମସ୍ତକରେ କର ଦେଇ ନିଶ୍ୱାସ-ସଂହରି ॥ ୬୩ ॥

ଅତି-ମ୍ନାନ-ମୁଖ ଦେଖି ପୁତ୍ର କୋଳ କରେ ।

ହୃଦୟେ ଲଗାଇ ପୁଚ୍ଛେ ଅତି-ସ୍ନେହ-ଭରେ ॥ ୬୪ ॥

ମୁଖେ ଜଳସିିଞ୍ଚି ସେ ବଦନୁ ପୋଛେ ଲୁହ ।

କିମ୍ପାଇଁ ରୋଦନ କରୁ ମୋର ଆଗେ କହ ॥ ୬୫ ॥

ରାଜାର କୁମର ତୁ ଦୁର୍ଲଭ ପ୍ରାଣୀଙ୍କର ।

ସ୍ୱଭାବେ ସୁନ୍ଦର-ଗୁଣ ଅତି ମନୋହର ॥ ୬୬ ॥

ତୋତେ ଶୋକ ଦେବାକୁ କେ ଅଛଇ ଜଗତେ ।

କିମ୍ପା ତୁ ରୋଦନ କରୁ କହ ମୋ ଅଗ୍ରତେ ॥ ୬୭ ॥

ମାତାର ବଚନ ଶୁଣି ଧ୍ରୁବ ଦୁଃଖ-ମନେ ।

ବାଷ୍ପ ଗଦଗଦ ସ୍ୱରେ କହଇ ବଚନେ ॥ ୬୮ ॥

ଧ୍ରୁବ ଉବାଚ

ଶୁଣ ଗୋ ଜନନି କହୁଁ ତୋହର ଅଗ୍ରତେ ।

ରାଜମହାଦେଈ ତୁ ବୋଲଉ କେଉଁମତେ ॥ ୬୯ ॥

ସୁରୁଚି ସମାନେ ତୋତେ ଜାଣନ୍ତି ଜଗତ ।

ସେ ରାଜାର ପ୍ରିୟା ତୁ ଗୋ ଦୁର୍ଭଗା କେମନ୍ତେ ॥ ୭୦ ॥

କେଉଁ ମତେ ଉତ୍ତମ ବୋଲାଇ ତାର ପୁଅ ।

ମୁଁ କିମ୍ପା ଅଧମ ମାତା ସତ୍ୟ ମୋତେ କହ ॥ ୭୧ ॥

ନୃପ-ସିଂହାସନେ ବସିବାକୁ ବେନିଭାଇ ।

ସେ କିମ୍ପା ହୋଇଲା ଯୋଗ୍ୟ ମୋର ଭାଗ୍ୟେ ନାହିଁ ॥ ୭୨ ॥

ତୋର ପୁତ୍ର ହୋଇ ମୁହିଁ ଅଧମ କେମନ୍ତେ

ସେ କିମ୍ପା ଉତ୍ତମ ନାମ ବହିଲା ଜଗତେ ॥ ୭୩ ॥

ମୋହର ସୁକୃତ କିମ୍ପା ଏମନ୍ତ ହୋଇଲା ।

ଉତ୍ତମ ଉତ୍ତମ ସୁଖ କେମନ୍ତେ ପାଇଲା ॥ ୭୪ ॥

ଏମନ୍ତ ପୁତ୍ରର ବାକ୍ୟ ଶୁଣିଣ ସୁନୀତି ।

ପୁତ୍ରର ବଚନ-ପ୍ରଶ୍ନେ ଦୃଢ ତାର ମତି ॥ ୭୫ ॥

ସ୍ତବଧେ ରହି ନିଃଶ୍ୱାସ ଛାଡେ ଚିନ୍ତାଭରେ ।

ଶିଶୁ କୋପ ଶାନ୍ତି ଅର୍ଥେ କହଇ ମଧୁରେ ॥ ୭୬ ॥

ସ୍ୱଭାବେ ରାଜାର ନୀତି ଭଲେ ସେ ଜାଣଇ ।

ସପତ୍ନୀର ହିଂସାବାକ୍ୟ ହୃଦେ ନ ଗଣଇ ॥ ୭୭ ॥

ସ୍ୱଭାବେ ସୁନୀତି ସେ ତ କହେ ପୁତ୍ରେ ଚାହିଁ ।

କହିବି ସକଳ ମନଦେଇ ଶୁଣ ତୁହି ॥ ୭୮ ॥

ଜାଣିଲି ନୃପତି ପାଶେ ଅପମାନ କଥା ।

ଶୁଣରେ ତନୟ ତୁହି ଛାଡ ମନୁ ବ୍ୟଥା ॥ ॥ ୭୯ ॥

ସୁରୁଚି ବଚନ ଶୁଣି ନୃପତି ସମ୍ମୁଖେ ।

ତୁ ଯେତେ କହିଲୁ ବାବୁ ସତ୍ୟ ଏ ପ୍ରତ୍ୟକ୍ଷେ ॥ ୮୦ ॥

ସୁରୁଚି ସୁଭଗା ସେ ଯେ ରାଜପାଟରାଣୀ ।

ସର୍ବପତ୍ନୀ ମଧ୍ୟେ ସେ ବୋଲାଇ ଶିରୋମଣି ॥ ୮୧ ॥

ଜନ୍ମାନ୍ତରେ ଯେଣୁ ସେ ଅନେକ ତପ କଲା ।

ତପବଳେ ସ୍ୱାମୀର ସେ ସୁହାଗିନୀ ହେଲା ॥ ୮୨ ॥

ଜାଣିଲି ନିଶ୍ଚୟ ମୋର ପୂର୍ବ-ତପ ନାହିଁ ।

ସେ ଫଳେ ଦୁର୍ଭାଗୀ ମୁହିଁ ରାଜପତ୍ନୀ ହୋଇ ॥ ୮୩ ॥

ପୂର୍ବେ ତୋର ଭାଇ ଯେ ଉତ୍ତମତପ କଲା ।

ତପଫଳେ ନୃପସିଂହାସନେ ସେ ବସିଲା ॥ ୮୪ ॥

ଉତ୍ତମ ଉତ୍ତମପୁତ୍ର ଅତିପୁଣ୍ୟ ତାର ।

ଜନ୍ମିଲା ନୃପତି-ସିଂହାସନେ ଅଧିକାର ॥ ୮୫ ॥

ଶୁଣରେ କୁମରମଣି ସ୍ଥିର କରି ମନ ।

ସାବଧାନ ହୋଇ ଶୁଣ ମୋହର ବଚନ ॥ ୮୬ ॥

ଯା କହିଲେ ତୋର ମାତ ସତ୍ୟ-କର ମନେ ।

ବସିବାର ବାଞ୍ଛା ଯଦି ରାଜ ସିଂହାସନେ ॥ ୮୭ ॥

ତପେ ହରି-ପାଦପଦ୍ମ ଆରାଧନ କର ।

ସେ ବିଶ୍ୱ-ପାଳନ ପାଇଁ ସ୍ୱ‌ତ୍ତ୍ୱଗୁଣାଧାର ॥ ୮୮ ॥

ପରମେଷ୍ଠୀ ହେେଲ ବ୍ରହ୍ମା ଯାର ଆରାଧନେ ।

ଜିତେନ୍ଦ୍ରିୟ ମୁନିଗଣ ବନ୍ଦେ ଯା ଚରଣେ ॥ ୮୯ ॥

ଯେଉଁଭାବେ ପୂର୍ବ ଜନ୍ମେ ନାନା-ପତ କରି ।

ନାନା ରୂପେ ଭୋଗ ଭୁଞ୍ଜେ ନରଦେହ ଧରି ॥ ୯୦ ॥

ଚନ୍ଦ୍ରଜ୍ୟୋତି ପାଟଛତ୍ର ଚାମର ସମେତେ ।

ନୃପ-ସିଂହାସନେ ବସେ ବାଦ୍ୟ-ନାଦ-ଗୀତେ ॥ ୯୧ ॥

ସିନ୍ଦୂରେ ମଣ୍ତିତ ଶିର ରାଜବୃନ୍ଦ-ମେଳେ ।

ମନୋଗାମୀ-ତୁରଙ୍ଗମ ଚତୁରଙ୍ଗ-ବଳେ ॥ ୯୨ ॥

ନ ଥାଇ ବ୍ୟାଧି ଶରୀରେ ଜୀଏ ଶତସମା ।

ଉତ୍ତମ-ସୁଜନେ ତାଙ୍କ ଗୁଣନ୍ତି ମହିମା ॥ ୯୩ ॥

ଶୁଭ-ରାଜ୍ୟେ ରାଜପଣେ ବସେ ଅକଣ୍ଟକେ ।

ତାର ଯଶ ଗୁଣ ପୂରେ ଇହ-ପରଲୋକେ ॥ ୯୪ ॥

ଯେ ହରି-ଚରଣେ ସେବା କରେ ନିତ୍ୟେ-ନିତ୍ୟେ ।

ଦୁଃଖୀଜନ ଦେଖି ଦୟା କରଇ ସେ ଚିତ୍ତେ ॥ ୯୫ ॥

ସୁନିର୍ମଳ ତ‌ତ୍ତ୍ୱଜ୍ଞାନ ନିତ୍ୟେ ଯାର ଚିତ୍ତେ ।

ସର୍ବଶାସ୍ତ୍ର ଅଭ୍ୟାସ କରଇ ଶୁଦ୍ଧମତେ ॥ ୯୬ ॥

ରିପୁ-ଷଡ଼ବର୍ଗ ଜିଣି ସ‌ତ୍ତ୍ୱଗୁଣେ ମତି ।

କରୁଣା-ସମ୍ପୂର୍ଣ୍ଣ-ଦୃଷ୍ଟି ବାଣୀ-ଶୁଦ୍ଧାକୃତି ॥ ୯୭ ॥

ସର୍ବକାଳେ ନିରଳସ ଗୁରୁପାଦେ ଭକ୍ତି ।

ସର୍ବଦା ସୁସ୍ଥିର-ଚିତ୍ତ ସୁଜନ ଆକୃତି ॥ ୯୮ ॥

ଶୁଚିମନେ ଉପାସନା ନିର୍ମଳ-ବଚନ ।

ସଭାମଧ୍ୟେ ସୁପଣ୍ତିତ ଅତି-ବିଦ୍ୟାବାନ ॥ ୯୯ ॥

ପ୍ରଜାର ପାଳନ କାର୍ଯ୍ୟେ ଅତି ବୀରପଣ ।

ଇହ-ପରଲୋକ ହୁଏ ସୁଯଶ-ଘୋଷଣ ॥ ୧୦୦ ॥

ବନ୍ଧୁବର୍ଗେ ଧୀରପଣେ ଅନୁବ୍ରତେ ରହେ ।

ବାଣିଜ୍ୟେ ଚତୁର ବାକ୍ୟେ ଭାବେ ମନ ମୋହେ ॥ ୧୦୧ ॥

ଯୋଷିତ ପ୍ରଣୟେ ମୃଦୁ-ବଚନ ଭାଷିତ ।

ବ୍ରାହ୍ମଣ ବିଷୟେ ଚିତ୍ତେ ଭଜଇ ବିନୀତ ॥ ୧୦୨ ॥

ସ୍ୱଧର୍ମେ ଜୀବନ ପୋଷେ ନିଜ-ବୃତ୍ତି ବହି ।

ବୁଧଙ୍କର ଭାବେ ଯେ ସା‌ତ୍ତ୍ୱିକେ ମନଦେଇ ॥ ୧୦୩ ॥

ଭାଗୀରଥୀ-ତୀରେ ବାସ ସୁତୀର୍ଥେ ମରଣ ।

ସୁଖ ଭୋଗୀଗଣ ମୁଖ୍ୟ ଅତିଥି-ତୋଷଣ ॥ ୧୦୪ ॥

ବନ୍ଧୁଜନ ସଙ୍ଗେ ଭୋଗ କରେ ସମତୁଲେ ।

ଦାନ-ଦକ୍ଷିଣାରେ ଦିନ ଯାପଇ ସେ ଭଲେ ॥ ୧୦୫ ॥

ନିଜ ବିଦ୍ୟା ଅଭ୍ୟାସେ ବର୍ତ୍ତଇ ନିରନ୍ତରେ ।

ନିତ୍ୟେ ସେବା କରେ ତାତ-ଜନନୀ-ପୟରେ ॥ ୧୦୬ ॥

ଯଶ ଧର୍ମ ନିରନ୍ତରେ ସଞ୍ଚେ ଧନ ପ୍ରାୟେ ।

ସ୍ୱର୍ଗ-ଅପବର୍ଗ ବୁଦ୍ଧି-ଅଳଙ୍କାର ବହେ ॥ । ୧୦୭ ॥

ନିତ୍ୟେ ବସେ ସାଧୁସଙ୍ଗେ ମିତ୍ର ସର୍ବଭୂତେ ।

ଇତିହାସ ପୁରଣାଦି ଶୁଣେ ଶୁଦ୍ଧଚିତ୍ତେ ॥ ୧୦୮ ॥

ବିପଦର କାଳେ ଧୈର୍ଯ୍ୟ ବହେ ନିତ୍ୟେ ଚିତ୍ତେ ।

ସମ୍ପଦ-ଆଗମେ କ୍ଷମା ବହଇ ନିରତେ ॥ ୧୦୯ ॥

ବିଦ୍ୟା ପଢି ଗଭୀର-ସାଗର ପ୍ରାୟେ ରହେ ।

ପାତ୍ରେ ଦାନ ସମର୍ପି ଉଦାସ-ଭାବ ବହେ ॥ ୧୧୦ ॥

ଯଶ ଧର୍ମ ଲଭିବାରେ ନିତ୍ୟେ କରେ ମତି ।

ସ୍ୱର୍ଗାମୋଦ ଶୁଦ୍ଧଫଳ ସ୍ୱଭାବେ ସୁକୀର୍ତ୍ତି ॥ ୧୧୧ ॥

ନିତ୍ୟେ ସାଧୁସଙ୍ଗ ମେଳ ଦୃଢ଼େ କରେ ଆଶା ।

ପିତୃ-ମାତୃ ପାଦପଦ୍ମେ କରଇ ଶୁଶ୍ରୂଷା ॥ ୧୧୨ ॥

ଦୀନଜନେ ଦୟାକରେ ସାଧୁକାର୍ଯ୍ୟେ ରତ ।

ରିପୁଗଣ ଜୟକାରୀ ଭୁବନେ ବିଦିତ ॥ ୧୧୩ ॥

ଗଭୀର ବଚନ ତାର ବଦନୁ ପ୍ରକାଶେ ।

ଉତ୍ତମ-ଉଦାରବୁଦ୍ଧି ପ୍ରିୟ-ଉପଦେଶେ ॥ ୧୧୪ ॥

ସମ ଦରଶନ କରି ପ୍ରକୃତି ଧରଇ ।

ଏତେ ଗୁଣ ଧରେ ଯାର ପୂର୍ବେ ତପ ଥାଇ ॥ ୧୧୫ ॥

ଯେଣୁ ପୂର୍ବେ ତୋହାର ମୋହର ତପ ନାହିଁ ।

ଏ ଜନ୍ମେ ଲୋଡିଲେ ପୁତ୍ର ପାଇବା ତା କାହିଁ ॥ ୧୧୬ ॥

ମାନ-ଅପମାନ ଯେ ଫଳଇ ପୂର୍ବଫଳେ ।

ଏହା ନ ଜାଣିଣ ପ୍ରାଣୀ ଭ୍ରମନ୍ତି ଶୟଳେ ॥ ୧୧୭ ॥

ଆପଣା ଅର୍ଜିଲା କର୍ମ ଆପଣେ ଭୁଞ୍ଜଇ ।

ବିଧାତାର ବୋଲେ କର୍ମ ଅନ୍ୟଥା ନୁହଇ ॥ ୧୧୮ ॥

ଏଣୁ ତୁ ନକର ଶୋକ କର୍ମକୁ ଆଦର ।

ମୋହର ବଚନେ ପୁତ୍ର କୋପ ତୁ ସଂହର ॥ ୧୧୯ ॥

ଏମନ୍ତେ ମାତାର ବାଣୀ ସାବଧାନେ ଶୁଣି ।

ସୁନୀତିର ପୁତ୍ର ଧୀର ମନେ ମନେ ଗୁଣି ॥ ୧୨୦ ॥

ଜନନୀ ବଦନ ଚାହିଁ ବେନି କରଯୋଡି ।

କହେ ଶୋକ-ଗଦଗଦେ ମାତା ପାଦେ ପଡି ॥ ୧୨୧ ॥

ଧ୍ରୁବଉବାଚ

ଜନନୀ ମୋହର ବାକ୍ୟ ମନଦେଇ ଶୁଣ ।

ମୋତେ ତୁ ବାଳକ ପ୍ରାୟେ କେବେହେଁ ନ ମଣ ॥ ୧୨୨ ॥

ପବିତ୍ର-ମନୁର ବଂଶେ ଜନ୍ମ ଯେବେ ମୋର ।

ଉତ୍ତାନପାଦର ବୀର୍ଯ୍ୟେ ଉଦରେ ତୋହର ॥ ୧୨୩ ॥

ତୁ ଯେ ବୋଲୁ ତପ-ବ୍ରତ ସମ୍ପଦ-କାରଣ ।

କହିବୁ ତୋହର ଆଗେ ସ୍ଥିରମନେ ଶୁଣ ॥ ୧୨୪ ॥

ସଂସାରେ ଦୁର୍ଲଭପଦ ଯେଉଁ ତପେ ପାଇ ।

ନିର୍ଜନ-ଦୁର୍ଗମବନେ ସାଧିବଇଁ ମୁହିଁ ॥ ୧୨୫ ॥

ଏତେ ମାତ୍ର ଆଜ୍ଞା ମୋତେ ଦିଅ ଶୁଦ୍ଧଚିତ୍ତେ ।

ଆଶୀର୍ବାଦ କର ତପ ସାଧଇଁ ଯେମନ୍ତେ ॥ ୧୨୬ ॥

ମୈତ୍ରେୟ ଉବାଚ

ଏମନ୍ତ ନିଶ୍ଚୟ-ବାଣୀ ଶୁଣି ପୁତ୍ରମୁଖେ ।

ସୁନୀତି କପୋଳେ କର ଦେଇ ମନଦୁଃଖେ ॥ ୧୨୭ ॥

ଏହିରୂପେ ଧ୍ରୁବବାକ୍ୟ ଦୃଢ଼େ ଶୁଣି ମାତା ।

ପୁତ୍ର ମୁଖ ଚାହିଁ ମନେ କଲା ଗରୁଚିନ୍ତା ॥ ୧୨୮ ॥

ବୋଲଇ ମୋହର ଗର୍ଭେ ଜାତ ଏ କୁମର ।

ରାଜାର ଆତ୍ମସମ୍ଭୂତ ତେଜେ ଏ ପ୍ରଖର ॥ ୧୨୯ ॥

କ୍ଷତ୍ରିୟ ସ୍ୱଭାବ ବହେ ଦୁର୍ଗମ-ଚରିତ୍ର ।

ତପ-ଫଳ-ଶ୍ରବଣେ କଳ୍ପିଲା ଅନ୍ତର୍ଗତ ॥ ୧୩୦ ॥

ତେଜ ବିରାଜଇ ଦେହେ ତପନ ପରାୟେ ।

ଅବଶ୍ୟ ଗମିବ ତପେ ଜାଣିଲି ନିଶ୍ଚୟେ ॥ ୧୩୧ ॥

କେବେହେଁ ଏ ନ ରହିବ ମୋହର ବଚନେ ।

ନଜାଣି ମୁଁ ଉପଦେଶ କହିଲି ଅଜ୍ଞାନେ ॥ ୧୩୨ ॥

ଏହାର ସୁନ୍ଦର-ମୁଖ ନ ଦେଖି ସମ୍ମୁଖେ ।

ନିମିଷ କୋଟିଏ-ଯୁଗ ହୋଇବ ପ୍ରତ୍ୟକ୍ଷେ ॥ ୧୩୩ ॥

କିବୁଦ୍ଧି କରିବି ପୁତ୍ର କେମନ୍ତେ ରହିବ ।

ଦୁର୍ଗମ-ସଙ୍କଟ ମୋତେ ସଞ୍ଚଲା ଦଇବ । ॥ ୧୩୪ ॥

ଏମନ୍ତ ବିଚାରି ସେ ପୁତ୍ରର ମୁଖ ଚାହିଁ ।

ବୋଲଇ ସୁନୀତି ମନେ ଦୁଃଖ ଖେଦ ବହି ॥ ୧୩୫ ॥

ଶୁଣ ପୁତ୍ର ସାବଧାନେ ମୋହର ବଚନ ।

କେବେହେଁ ନ କର ପୁତ୍ର ତପକୁ ଗମନ ॥ ୧୩୬ ॥

ତୋତେ ଆଜ୍ଞା ଦେବାକୁ ମୋହର ଶକ୍ୟ ନାହିଁ ।

ତୁ ପଞ୍ଚବରଷ ବାଳ ସୁକୁମାର-ଦେହୀ ॥ ୧୩୭ ॥

ତଥାପି କହିବି ଶୁଣ ସାବଧାନ ଚିତ୍ତେ ।

ରାଜାର ନବରେ ଅଛି ସପତ୍ନୀ-ଆୟତ୍ତେ ॥ ୧୩୮ ॥

ତାର ବାକ୍ୟ ନିର୍ଘାତେ ମୋହର ପ୍ରାଣ ଦହେ ।

ଶ୍ରାବଣର ଧାରା ପ୍ରାୟେ ଅଶ୍ରୁଜଳ ବହେ ॥ ୧୩୯ ॥

ଏବେ ତୋ ବନ-ଗମନ ଶୁଣି ମୋର ମନ ।

ସମୁଦ୍ର-ତରଙ୍ଗ ପ୍ରାୟେ ଉଲ୍ଲୋଳ-ନୟନ ॥ ୧୪୦ ॥

ନଦୀ ପ୍ରାୟେ ବହେ ଲୁହ କେବେହେଁ ନ ରହେ ।

କହ ପୁତ୍ର ଏବେ ମୁଁ କି କରିବି ଉପାୟେ ॥ ୧୪୧ ॥

ସ୍ୱଭାବେ ମୁଁ ଏକପୁତ୍ରୀ ବିଧାତା ଭିଆଣେ ।

ତୋତେ ନ ଦେଖିଲେ ଚିତ୍ତ ଧରିବି କେସନେ ॥ ୧୪୨ ॥

ତୁ ମୋହର ଅନ୍ଧ-ଯଷ୍ଟି ତୋର ପଛେ ଥାଇ ।

ତୋତେ ହରାଇଲେ ମୁହିଁ କେମନ୍ତେ ଜୀଅଁଇ ॥ ୧୪୩ ॥

ପୁତ୍ର ଜନ୍ମ ନୋହିବାରୁ ପାଇ ମନେ ବ୍ୟଥା ।

ତୋର ପ୍ରାପ୍ତି ଅର୍ଥେ କେତେ ପୂଜିଲି ଦେବତା ॥ ୧୪୪ ॥

କୁଚ୍ଛ୍ର-ଚନ୍ଦ୍ରାୟଣ ଉପାସିଣ ବ୍ରତ କଲି ।

ସେ ବ୍ରତ-ସାଧନେ ପୁତ୍ର ତୋତେ ମୁଁ ଲଭିଲି ॥ ୧୪୫ ॥

ତୋର ମୁଖ ଚନ୍ଦ୍ରୋଦୟ ଦେଖି ମୋର ମନ ।

ସମୁଦ୍ର-ତରଙ୍ଗ ପ୍ରାୟେ ଉଛୁଳେ ନୟନ ॥ ୧୪୬ ॥

ଆନନ୍ଦ-ପୟ ଯେ ପୂରେ ମୋ ବେନି ସ୍ତନ ।

ଗଳିତ ହୁଅଇ ଦେଖି ତୋହର ବଦନ ॥ ୧୪୭ ॥

ତୋର ମୁଖ ନ ଦେଖି ମୋହର ଅଙ୍ଗ ତାପେ ।

ତକ୍ଷଣେ ଶୀତଳ ହୁଏ ମିଳିଲେ ସମୀପେ ॥ ୧୪୮ ॥

ମୋହର ହୃଦୟେ ତୁ ନିଦ୍ରିତ ସ୍ତନ୍ୟ-ପାନେ ।

ବସ୍ତ୍ର-ଆଚ୍ଛାଦିତ ଦୁଗ୍ଧ-ବୋଧିତ-ବଦନେ ॥ ୧୪୯ ॥

ତୋହର ଶୀତଳ-ବାକ୍ୟ କର୍ଣ୍ଣେ ଶୁଭେ ଯେବେ ।

ସପପତ୍ନୀର ବାକ୍ୟ-ତାପ ହୃଦୟେ ନ ଭାବେ ॥ ୧୫୦ ॥

ବିଳମ୍ବ ତୋ ନିଦ୍ରା ଦେଖି ମୋହର ହୃଦୟ ।

ପଦ୍ମ ଯେହ୍ନେ ଚାହିଁ ଥାଇ ଆଦିତ୍ୟ ଉଦୟ ॥ ୧୫୧ ॥

ବାଳକ-ଖେକଣ-ଖେଳା ଖେଳିବାର ଅର୍ଥେ ।

ଗୃହରୁ ବାହାର ହୋଇ ମିଳୁ ଯେବେ ପଥେ ॥ ୧୫୨ ॥

ତୋହର ବିଳମ୍ବେ ହୃଦେ ବେନି-ସ୍ତନ ମୋର ।

ଚଞ୍ଚଳେ ସ୍ରବଇ ଯେହ୍ନେ ମେଘ-ଜଳଧାର ॥ ୧୫୩ ॥

ତୁ ଏବେ ତପସ୍ୟା ଅର୍ଥେ ଯିବୁ ଯେବେ ହଟେ ।

ମୋର ପଞ୍ଚ-ପ୍ରାଣ ଯେ ମିଳିବ କଣ୍ଠାଗ୍ରତେ ॥ ୧୫୪ ॥

ଅତି ତାପେ ତାପିବି ମୁଁ ତୋହର ଗମନେ ।

କେମନ୍ତେ ଛାଡିଣ ପୁତ୍ର ଯିବୁ ତୁହି ବନେ ॥ ୧୫୫ ॥

ଏମନ୍ତ ବଚନ ଶୁଣି ଜନନୀ ବଦନେ ।

ଚିନ୍ତା ମାତ୍ର ନ ରହିଲା ସେ ଧ୍ରୁବର ମନେ ॥ ୧୫୬ ॥

ଏମନ୍ତେ ଅନେକ ମତେ ବୋଧିଲେ ସୁନୀତି ।

ନ ଶୁଣି ସେ ମାତା-ବାଣୀ ଧ୍ରୁବ ମହାଯତି ॥ ୧୫୭ ॥

ନିଷ୍ଠୁର-ହୃଦୟେ ପାଦେ କରି ନମସ୍କାର ।

ମଙ୍ଗଳ-ମୁହୂର୍ତ୍ତେ ଧ୍ରୁବ ହୋଇଲା ବାହାର ॥ ୧୫୮ ॥

ଜନନୀର ମନ-ସ୍ନେହ ପଛେପଛେ ଗଲା ।

ଚଳନ୍ତେ ରାଜାର ପୁରେ କେହି ନ ଦେଖିଲା ॥ ୧୫୯ ॥

ବାଳକ ବାଳ-ଆଦିତ୍ୟ ପ୍ରାୟେ ପଥେ ଯାନ୍ତେ ।

ଅନୁକୂଳ-ପବନ ବହିଲା ଅକସ୍ମାତେ ॥ ୧୬୦ ॥

ପବନେ ଚଳିତ ବନ-ଲତା-ତରୁଗଣ ।

ହସ୍ତ-ପ୍ରସାରିଲା ପ୍ରାୟେ କରନ୍ତି କଲ୍ୟାଣ ॥ ୧୬୧ ॥

କାନନେ ପଶିଲା ଧ୍ରୁବ ଗୋବିନ୍ଦ ସୁମରି ।

ଜନନୀ ଚରଣ-ଧ୍ୟାନ ହୃଦୟରେ କରି ॥ ୧୬୨ ॥

ଭୂମିକି ଅନାଇ ସେ ଅନେକ ଦୂର ଗଲା ।

ଗହନ-କାନନେ ରାଜପଥ ନ ପାଇଲା ॥ ୧୬୩ ॥

କ୍ଷୁଧା ତୃଷା ଆକୁଳେ ସେ ଅତି ଦୁଃଖ ମନେ ।

ବୃକ୍ଷତଳେ ବସିଲା ଆଦିତ୍ୟ ଅବସାନେ ॥ ୧୬୪ ॥

ବାଳକ ଭାଳଇ ମନେ ଚଉଦିଗ ଚାହିଁ ।

କାହାକୁ ପୁଚ୍ଛିବି ମୋର ସଙ୍ଗେ କେହି ନାହିଁ ॥ ୧୬୫ ॥

ବେନି-ଚକ୍ଷୁ ବୁଜି ସେ କୃଷ୍ଣଙ୍କୁ ସୁମରଇ ।

ବନଜନ୍ତୁ ଭୟେ ଧ୍ରୁବ ପୁରି ହିଁ ଅନାଇ ॥ ୧୬୬ ॥

ତାର ପୂର୍ବ-ତପଫଳେ ସେ ଘୋରକାନନେ ।

ସାୟଂକାଳେ ସମୀପେ ମିଳିଲେ ମୁନିଜନେ ॥ ୧୬୭ ॥

ପର୍ବତ-କାନନ-ଧୂମ-ଜଳ-ଅଗ୍ନିପଥେ ।

ବାଳ-ବୁଦ୍ଧ-ବନିତା-ଦୁର୍ବଳ-ବ୍ୟାଧିଗ୍ରସ୍ତେ ॥ ୧୬୮ ॥

ପୂର୍ବ-ଭାଗ୍ୟ ଥିଲେ ପ୍ରାଣୀ ଦୁସ୍ତରୁ ତରଇ ।

ଭାଗ୍ୟହୀନ ଗୃହେ ଯତ୍ନ କରନ୍ତେ ମରଇ ॥ ୧୬୯ ॥

ଦେଖ ତାର ଭାଗ୍ୟବଳ ସପ୍ତଋଷିଗଣେ

ସମୀପେ ମିଳିଲେ ଆସି ଭୟଙ୍କର ବନେ । ॥ ୧୭୦ ॥

ରାଜାର କୁମର କାହିଁ କାହିଁ ବନବାସ ।

ଦଇବ-ଘଟଣ ଦେଖ ଧର୍ମର ବିଶ୍ୱାସ ॥ ୧୭୧ ॥

ଏଣୁ ନିଜ କର୍ମକୁ କରିବ ନମସ୍କାର ।

ଯାହାର ଉପରେ ନାହିଁ ପ୍ରଭୁ-ଅଧିକାର ॥ ୧୭୨ ॥

ଯାର ତହିଁ ଶୁଭାଶୁଭ ପୁଣ୍ୟବଳ ଥାଇ ।

ମନେ ନ କଳ୍ପିଲେ ଅକସ୍ମାତେ ସେ ମିଳଇ ॥ ୧୭୩ ॥

ସ‌ତ୍ତ୍ୱ-ରଜ-ତମ ବଳେ କରି ଆକର୍ଷଣ ।

ନାନାସ୍ଥାନେ କରୁଥାଇ ଗମନା-ଗମନ ॥ ୧୭୪ ॥

ଶରୀର ସମ୍ପଦ ପଦ ବିବିଧ ବେଷ୍ଟିତ ।

ତେଜ ବଳ ସହାୟ ସେ ଉଦ୍ୟମ ସମର୍ଥ ॥ ୧୭୫ ॥

ପୁଣ୍ୟବଳ ଥିଲେ ସେ ସମସ୍ତ ଫଳ ପାଇ ।

ପୂର୍ବେ ନ ଅର୍ଜିଲେ ଲୋଡି ପାଇବଟି କାହିଁ ॥ ୧୭୬ ॥

ଚକ୍ଷୁମେଲି ଚାହାଁନ୍ତେ ଦେଖିଲା ମୁନିଗଣ ।

ତେଜେ ବିରାଜନ୍ତି ଯେହ୍ନେ ସୂର୍ଯ୍ୟର କିରଣ ॥ ୧୭୭ ॥

ଲଲାଟେ ତିଳକ ଦୂର୍ବା ବେନି କରେ ଘେନି ।

ଉଭା ହୋଇଛନ୍ତି ଧ୍ରୁବ ଆଗେ ବ୍ରହ୍ମମୁନି ॥ ୧୭୮ ॥

କୃଷ୍ଣାଜିନ ପରିଧାନ ପବିତ୍ର-ଉତ୍ତରୀ ।

ଉନ୍ମୀଳଲୋଚନ ଅକ୍ଷମାଳା କରେ ଧରି ॥ ୧୭୯ ॥

କଷାୟବସନ ସୂକ୍ଷ୍ମ-ଉତ୍ତରୀ ପ୍ରକାଶେ ।

ସୁଗନ୍ଧ-ବିଭୂତି ରୁଚି କଳେବର ଦିଶେ ॥ ୧୮୦ ॥

ଅକସ୍ମାତେ ମିଳିଲେ ଅଗାଧ-କ୍ଷୀରନିଧି ।

ତ୍ରୟକାଳଜ୍ଞାତା ଜ୍ଞାନଗୁଣେ ଗୁଣନିଧି ॥ ୧୮୧ ॥

ଅମୃତ ବଚନ କି ବଦନେ ବରଷନ୍ତି ।

କ୍ଷୀରସିନ୍ଧୁ ମଧ୍ୟେ ହଂସ ପ୍ରାୟେକ ଦିଶନ୍ତି ॥ ୧୮୨ ॥

ଏମନ୍ତ ମୁନିଙ୍କି ଧ୍ରୁବ ସନ୍ନିଧିରେ ଦେଖି ।

ସଂଭ୍ରମ-ଚିତ୍ତେ ଉଠିଲା ଆସନ ଉପେକ୍ଷି ॥ ୧୮୩ ॥

କପାଳେ କର ସମ୍ପୁଟ ଦେଇ ଦୃଢମନେ ।

ମୁନିଙ୍କି ପ୍ରଣାମ କଲା ହରଷ ବଦନେ ॥ ୧୮୪ ॥

ଆନନ୍ଦେ ମୁନିଙ୍କ ପାଦେ ଧ୍ରୁବ କରଯୋଡି ।

କହଇ କୋମଳ-ବାଣୀ ବିନୟ ଆଚରି ॥ ୧୮୫ ॥

ଧ୍ରୁବଉବାଚ

ଉତ୍ତାନପାଦର ବୀର୍ଯ୍ୟେ ସୁନୀତି ଉଦରେ ।

ଶରୀର ବହିଲି ମୁହିଁ ଏ ଭବସଂସାରେ ॥ ୧୮୬ ॥

ଧ୍ରୁବନାମ ବୋଲା ଅଧ୍ରୁବ ନାମ ମୋର

ନିର୍ମଳ-ମାନସେ ମୁହିଁ ମନ୍ଦିରୁ ବାହାର ॥ ୧୮୭ ॥

ଅନାଥ ହୋଇ ମିଳିଲି ଏ ଘୋରକାନନେ ।

ସନାଥ ହୋଇଲି ଏବେ ତୁମ୍ଭ ଦରଶନେ ॥ ୧୮୮ ॥

ନିର୍ଲଜ-ଶରୀର ମୋର ଏଣେ କାର୍ଯ୍ୟ ନାହିଁ ।

ବଞ୍ଚିତ ହୋଇଲି ନୃପ ସିଂହାସନେ ମୁହିଁ ॥ ୧୮୯ ॥

ପୂର୍ବେ କୋଟିଜନ୍ମେ ମୁଁ ନ କଲି ତପ-ରାଶି ।

ଏବେ ଚିତ୍ତ କଳ୍ପେ ନୃପ-ସିଂହାସନେ ବସି ॥ ୧୯୦ ॥

ଏଣୁ ମୁଁ ନିରାଶଚିତ୍ତେ ପଶିଲି ବନସ୍ତେ ।

ସ୍ଥିର ଭାବେ ମନ ମୋ ନ ରହେ ଅନ୍ତର୍ଗତେ ॥ ୧୯୧ ॥

ଏମନ୍ତ ଧ୍ରୁବର ବାଣୀ ଶୁଣି ମୁନିଗଣେ ।

ତାର ମୁଖ ଚାହିଁଣ କହନ୍ତି ଜଣେ ଜଣେ ॥ ୧୯୨ ॥

ସ୍ୱଭାବେ ମଧୁରାକୃତି ଶୁଖିଛି ବଦନ ।

ଅମୃତୁ ଅଧିକ କହେ ମଧୁର-ବଚନ ॥ ୧୯୩ ॥

ସଦୟ-ହୃଦୟେ ବସି ଧ୍ରୁବର ସମକ୍ଷେ ।

ଅନୁରାଗେ ମୁନିଏ କହନ୍ତି ଏକେ ଏକେ ॥ ୧୯୪ ॥

ଇଷିଗଣ-ଉବାଚ

ଅହୋ ବାଳ ବିଶାଳାକ୍ଷ ମହାରାଜ-ସୁତ ।

ବିଚାରି ନପାରିଲୁ ତୋହର ଅନ୍ତର୍ଗତ ॥ ୧୯୫ ॥

ନିବେଦ୍ୟ କାରଣ ତୁ ଆମ୍ଭର ଆଗେ କହ ।

ତୋର ବାକ୍ୟେ ଆମ୍ଭ ଚିତ୍ତେ ଲାଗିଲା ସନ୍ଦେହ ॥ ୧୯୬ ॥

ସ୍ୱଭାବେ ବାଳକ ତୋର ଅର୍ଥଚିନ୍ତା ନାହିଁ ।

ରାଜପୁରେ ଜନନୀର ସଙ୍ଗେ ଥାଉ ତୁହି ॥ ୧୯୭ ॥

ଆଧି ବ୍ୟାଧି ନ ଦେଖୁ ତ ତୋହର ଶରୀରେ ।

ନିର୍ବେଦ କାରଣ କହ ଆମ୍ଭର ଛାମୁରେ ॥ ୧୯୮ ॥

ଯୁବାକାଳେ ଭୋଗ ଯେବେ ନ ଲଭନ୍ତି ନରେ ।

ସ୍ୱଭାବେ ବୈରାଗ୍ୟ ଜାତ ହୁଏ ତା ଶରୀରେ ॥ ୧୯୯ ॥

ସପ୍ତଦ୍ୱୀପପତିର ତୁ କୁମର ସ୍ୱଭାବେ ।

କିକାରଣେ କାନନେ ପଶିଲୁ ବାଳଭାବେ ॥ ୨୦୦ ॥

ଯୁବା ନୋହୁ ବୃଦ୍ଧ ନୋହୁ ବ୍ୟାଧି ଦେହେ ନାହିଁ ।

ବାଳକାଳେ ଅରଣ୍ୟେ ପଶିଲୁ କାହିଁପାଇଁ ॥ ୨୦୧ ॥

ଏମନ୍ତ ପ୍ରକାରେ ଶୁଣି ମୁନଙ୍କ ବଚନ ।

ଗଦଗଦ ବାକ୍ୟେ କହେ ନୃପତି ନନ୍ଦନ ॥ ୨୦୨ ॥

ଧ୍ରୁବଉବାଚ

ଶୁଣିମା ସକଳ ବ୍ରହ୍ମମୁନିଗଣ ଧୀରେ ।

ନିର୍ବେଦ କାରଣ କହୁଁ ତୁମ୍ଭର ଛାମୁରେ ॥ ୨୦୩ ॥

ରାଜସେବା ଅର୍ଥେ ମୋତେ ଜନନୀ ପେଷିଲା ।

ମୋର ଧାତ୍ରୀ ପିତା ଆଗେ ନେଇ ପ୍ରବେଶିଲା ॥ ୨୦୪ ॥

ପିତାଙ୍କ ଚରଣେ ମୁହିଁ ନମସ୍କାର କରି

ଉଭା ହୋଇଥିଲି ଧାତ୍ରୀ ବସ୍ତ୍ର କରେ ଧରି ॥ ୨୦୫ ॥

ମୋର ଭାଇ ଉତ୍ତମକୁ ଦେଖି ପିତାକୋଳେ ।

ମୁହିଁ ବସିବାକୁ ଯାଇ ଧଇଲି ଅଞ୍ଚଳେ ॥ ୨୦୬ ॥

ତାହା ଦେଖି ସୁରୁଚି ମୋ ମାତା ସପତଣୀ ।

ଅନେକ ଭର୍ତ୍ସିଲେ ସେ ସପତ୍ନୀ-ଭାବ ଘେନି ॥ ୨୦୭ ॥

ଆପଣା ପୁତ୍ରକୁ କଲା ଉତ୍ତମ ସ୍ୱଭାବେ ।

ଅନେକ ନିନ୍ଦିଲା ମୋତେ ନିନ୍ଦିତ ପ୍ରସ୍ତାବେ ॥ ୨୦୮ ॥

ଅଭାଗିନୀ ଗର୍ଭେ ହେଲା ଜନମ ତୋହର ।

ଦେଖ ଅତି ଭାଗ୍ୟବନ୍ତ ମୋହର କୁମର ॥ ୨୦୯ ॥

ଏ ଗର୍ଭେ ଜନ୍ମିଲେ ନୃପସିଂହାସନ ପାଇ ।

ମୋର ଗର୍ଭେ ଜନ୍ମ କିମ୍ପା ନ ଲଭିଲୁ ତୁହି ॥ ୨୧୦ ॥

ତୋହର ମାତାର ପୂର୍ବେ କିଛି ତପ ନାହିଁ ।

ସେ ଗର୍ଭେ ଜନ୍ମିଲୁ ସୁଖ ଲଭିବୁ ତୁ କାହିଁ ॥ ୨୧୧ ॥

ଦୁର୍ଭଗାର ପୁତ୍ର ହୋଇ ନୃପସିଂହାସନେ ।

ତୋର ପୁଣ୍ୟ ନାହିଁ ଏଥେ ବସିବୁ କେସନେ ॥ ୨୧୨ ॥

ଏମନ୍ତ ପ୍ରକାରେ ସେ ଯେ ମୋତେ ନିନ୍ଦା କଲା ।

ଧିକ ଧିକ ଜନ୍ମ ବୋଲି ବହୁ ଝିଙ୍ଗାସିଲା ॥ ୨୧୩ ॥

ମୁହିଁ କାନ୍ଦି କହିଲି ମୋ ଜନନୀ ଅଗ୍ରତେ ।

ତପ କରିବାକୁ ମାତା ଆଜ୍ଞା ଦେଲେ ମୋତେ ॥ ୨୧୪ ॥

ବୋଇଲେ ସଂସାରେ ସାର ତପସ୍ୟା କାରଣ ।

ଉଚ୍ଚ ନୀଚ ମଧ୍ୟେ ଦେଖ ସଂସାର-ଭ୍ରମଣ ॥ ୨୧୫ ॥

ନୃପସିଂହାସନେ ଯେବେ ବାଞ୍ଛା ଅଛି ତୋର ।

ଏବେ ନରଦେହେ ପୁତ୍ର ତପ-ସିଦ୍ଧକର ॥ ୨୧୬ ॥

ଏମନ୍ତେ ଜନନୀ ମୁଖୁ ପାଇ ଉପଦେଶ ।

ତପ-ସଧେ ଘୋରବନେ ହୋଇଲି ପ୍ରବେଶ ॥ ୨୧୭ ॥

ନିର୍ବେଦ କାରଣ ମୁଁ କହିଲି ତୁମ୍ଭ ଆଗେ ।

ବନେ ପଶି ଭାଳଇ ମୁଁ ବାଳକ ସ୍ୱଭାବେ ॥ ୨୧୮ ॥

ଏମନ୍ତ ଧ୍ରୁବର ବାକ୍ୟ ଶୁଣି ମୁନିଗଣ ।

ପରସ୍ପରେ ଚାହିଁ ସେ ବୋଲନ୍ତି ପୁଣ ପୁଣ ॥ ୨୧୯ ॥

ଋଷିଗଣ ଉବାଚ

ଦେଖ ଏ କ୍ଷତ୍ରିୟ ତେଜ ସଂସାରେ ଦୁସ୍ତର ।

ବାଳକ ଶରୀରେ ତେଜ ଅତି ଯେ ପ୍ରଖର ॥ ୨୨୦ ॥

ପୁଣି ଧ୍ରୁବ ମୁଖ ଚାହିଁ ବୋଲନ୍ତି ଉତ୍ତର ।

ଆମ୍ଭରେ କି ସାଧ୍ୟ-କର୍ମ ତୋର ଉପକାର ॥ ୨୨୧ ॥

ତୋର ମନୋରଥ ଆମ୍ଭେ ଜାଣିବୁ କେମନ୍ତେ ।

ଭ୍ରାନ୍ତି ଛାଡି କହ ବାବୁ ଆମ୍ଭର ଅଗ୍ରତେ ॥ ୨୨୨ ॥

ଧ୍ରୁବଉବାଚ

ଶୁଣିମା ଭୋ ମୁନିଜନେ ମୋର ମନୋରଥ ।

ପିତାର ଦୁର୍ଲଭ ପୁତ୍ର ଉତ୍ତମ ମୋ ଭ୍ରାତ ॥ ୨୨୩ ॥

ପିତାର ସମୀପେ ବସେ ନୃପସିଂହାସନେ ।

ତାହାକୁ ମୋହର କିଛି ଆନ ନାହିଁ ମନେ ॥ ୨୨୪ ॥

ତୁମେ ମୋତେ ସାହା ହୁଅ ଏ ଘୋର କାନନେ ।

ଉପଦେଶ ଦିଅ ମୋତେ ନିସ୍ତାର କାରଣେ ॥ ୨୨୫ ॥

ଶରୀର ବାଳକ ମୋର ବୁଦ୍ଧି ବାଳ ନୋହେ ।

କହିବି ତୁମ୍ଭର ଆଗେ ଚିତ୍ତର ନିର୍ଣ୍ଣୟେ ॥ ୨୨୬ ॥

ମୋର କଥା କହଇ ତା ଶୁଣି ମୁନିଜନେ ।

ଯେଉଁ କାରଣରୁ ମୁଁ ପଶିଲି ଘୋରବନେ ॥ ୨୨୭ ॥

ଯେ ପଦକୁ ପୂର୍ବେ ତପେ କେହି ଲଭି ନାହିଁ ।

ଇନ୍ଦ୍ର ଆଦି ଦେବତାଙ୍କୁ ଗୋଚର ନୋହଇ ॥ ୨୨୮ ॥

ତ୍ରିଲୋକ ଉପରେ ସର୍ବ-ବନ୍ଦିତ ଯେ ସ୍ଥାନ ।

ତହିଁ ବସି ଭୁଞ୍ଜିବି କଳ୍ପଇ ମୋର ମନ ॥ ୨୨୯ ॥

ମୋର ପିତୃ-ପିତାମହ ଯାହା ନ ପାଇଲେ ।

କଳ୍ପକଳ୍ପାନ୍ତରେ ଯାହା ନ ପାଇବେ ଭଲେ ॥ ୨୩୦ ॥

ସେ ଭୁବନେ ଯେଉଁ ଭାବେ ବସିବଇଁ ମୁହିଁ ।

ତହିଁର ଉପାୟ ମୋତେ କହ ଭାବ ବହି ॥ ୨୩୧ ॥

ଧନ ରାଜ୍ୟଭୋଗ ମୋର ପ୍ରୟୋଜନ ନାହିଁ ।

ଏତେ କହି ମୁନିଙ୍କ ଚରଣେ ପ୍ରଣମଇ ॥ ୨୩୨ ॥

ଧ୍ରୁବର ବଚନେ ହରଷିତ ମୁନିଜନେ ।

ଅନ୍ୟେ ଅନ୍ୟେ ମିଳି ସେ କହନ୍ତି ତୁଷ୍ଟମନେ ॥ ୨୩୩ ॥

ମରୀଚି ଉବାଚ

ଶୁଣ ହୋ ନୃପନନ୍ଦନ କହୁଁ ତୋର ଆଗେ ।

ସର୍ବ ବେଦ ପୁରାଣଙ୍କ ଶାସ୍ତ୍ର ଅନୁଭବେ ॥ ୨୩୪ ॥

ବିଷ୍ଣୁର ଚରଣେ ସେବା କରେ ଯେ ନିଶ୍ଚୟେ ।

ଇହପରଲୋକେ ସେ ବାଞ୍ଛିତ ଫଳ ପାଏ ॥ ୨୩୫ ॥

ଅନ୍ୟ ଦେବଙ୍କର ତପ ଅନୁଭବେ ସ୍ମରେ ।

ବିଷ୍ଣୁର ପ୍ରସନ୍ନେ ଭୋଗ-ଭୁଞ୍ଜେ ନିରନ୍ତରେ ॥ ୨୩୬ ॥

ଅତ୍ରି ଉବାଚ

ଅତ୍ରି କହେ ଶୁଣ ବାବୁ ସୁନୀତି କୁମର ।

ନାରାୟଣ-ସନ୍ତୋଷେ ନିର୍ମଳ-ତପ କର ॥ ୨୩୭ ॥

ସେ ପରମପୁରୁଷ ଯାହାକୁ ତୋଷ ହୋଇ ।

ମନର ବାଞ୍ଛିତ ଫଳ ଅଧିକେ ଦିଅଇ ॥ ୨୩୮ ॥

ଅକ୍ଷୟ-ସ୍ଥାନରେ ତାର ହୁଏ ଅଧିକାର ।

ବିଘ୍ନକରି ନ ପାରନ୍ତି ସୁରା-ସୁର-ନର ॥ ୨୩୯ ॥

ସତ୍ୟ ଏ ବଚନ ମୋର କର ହରି-ଧ୍ୟାନ ।

ଅଳ୍ପଦିନେ ଲଭିବୁ ଅକ୍ଷୟ-ଦିବ୍ୟସ୍ଥାନ ॥ ୨୪୦ ॥

ଅଙ୍ଗିରା ଉବାଚ

ଅଙ୍ଗିରା କହନ୍ତି ଶୁଣ ନୃପତି କୁମର ।

ସର୍ବଭାବେ ଗୋବିନ୍ଦ ଚରଣେ ଆଶ୍ରେକର ॥ ୨୪୧ ॥

ବିଶ୍ୱ ବସ୍ତୁ-ଅଭ୍ୟନ୍ତରେ ଯାହାର ନିବାସ ।

ଆତ୍ମାରୂପେ ସର୍ବଭୂତେ ଯାହରା ପ୍ରକାଶ ॥ ୨୪୨ ॥

ଅଗ୍ରସ୍ଥାନେ ବସିବାକୁ ଇଚ୍ଛା ଯେବେ ତୋର ।

ଏକମନେ ଲୟକର ଶ୍ରୀହରି-ପୟର ॥ ୨୪୩ ॥

ପୁଲସ୍ତ୍ୟ ଉବାଚ

ପରଂଧାମ ପରଂବ୍ରହ୍ମ ପରାପର ନାହିଁ ।

ବିଶ୍ୱ-ବାହ୍ୟ-ଅଭ୍ୟନ୍ତରେ ଯାର ବିଶ୍ୱଦେହୀ ॥ ୨୪୪ ॥

ସେ ହରିଚରଣେ ଧ୍ୟାନ କର ଦୃଢ଼ଚିତ୍ତେ ।

ତ୍ରୈଲୋକ୍ୟ-ଦୁର୍ଲଭ-ସ୍ଥାନ ଲଭିବୁ ଯେମନ୍ତେ ॥ ୨୪୫ ॥

କ୍ରତୁ ଉବାଚ

କ୍ରତୁ କହେ ଶୁର ଆହେ ମୋହର ବଚନ ।

ଯେ ଯଜ୍ଞପୁରୁଷ ଅଙ୍ଗେ ଏ ତିନିଭୁବନ ॥ ୨୪୬ ॥

ତାହାର ପ୍ରସନ୍ନେ ଯେ ଦୁର୍ଲଭ ଲଭେ ପ୍ରାଣୀ ।

ମୁଁ ଏହା ଜାଣଇ ସର୍ବଶାସ୍ତ୍ର ପରିମାଣି ॥ ୨୪୭ ॥

ପୁଲହ ଉବାଚ

ପୁଲହ କହନ୍ତି ଧ୍ରୁବ ଶୁଣ ଏକମନେ ।

ଇନ୍ଦ୍ରାଦି ଦୁର୍ଲଭ ସ୍ଥାନ ଳଭିବୁ ଯେସନେ ॥ ୨୪୮ ॥

ଘୋରତପେ ବିଷ୍ଣୁର ଚରଣେ ଆଶ୍ରେକର ।

ଦୁର୍ଲଭ-ଆସନେ ବସି ଭୁଞ୍ଜ ଭୋଗସାର ॥ ୨୪୯ ॥

ବିଷ୍ଣୁର ଚରଣ ସେବା ଯେ ଜନ କରନ୍ତି ।

ଇହ-ପରଲୋକେ ସେ ବାଞ୍ଛିତ-ଫଳ ପାନ୍ତି ॥ ୨୫୦ ॥

ଅନ୍ୟ ଦେବଙ୍କର ସେବା ଫଳ ଅଳ୍ପଦିନ ।

ବିଷ୍ଣୁର ସେବନ-ଫଳ ଅକ୍ଷୟଟି ଜାଣ ॥ ୨୫୧ ॥

ବଶିଷ୍ଠ ଉବାଚ

ବଶିଷ୍ଠ କହନ୍ତି ଶୁଣ ନୃପତିନନ୍ଦନ ।

ତପ-ବଳେ ବାସୁଦେବ ଦୃଢ଼େ କର ଧ୍ୟାନ ॥ ୨୫୨ ॥

ପରମ କୈବଲ୍ୟଦାତା ପ୍ରଭୁ ଚକ୍ରଧର ।

ଯାହାର ପ୍ରସନ୍ନେ ତୁଟେ ଏ ଘୋର-ସଂସାର ॥ ୨୫୩ ॥

ଶୁଣି ଧ୍ରୁବ ବେନିକର ଶିରେ ଦେଇ ତୋଷେ ।

ପୁଣପୁଣ ପ୍ରଣମିଲା ଭକତି ବିଶ୍ୱାସେ ॥ ୨୫୪ ॥

ଧ୍ରୁବ ଉବାଚ

ତୁମ୍ଭ ଉପଦେଶେ ଯେବେ ହରିଙ୍କି ଭଜିବି ।

ଉପାୟ କହିବା ମୋତେ କେମନ୍ତେ ଲଭିବି ॥ ୨୫୫ ॥

ସାଂଖ୍ୟଯୋଗ କିବା ତପ ଜପ ମନ୍ତ୍ର ଧ୍ୟାନେ ।

ପ୍ରାଣାୟାମ ବଳେ କିବା ନିଶ୍ଚଳ-ଆସନେ ॥ ୨୫୬ ॥

ଯେମନ୍ତେ ପାଇବି ଅଳ୍ପଦିନେ ତପ କରି ।

ସ୍ୱଭାବେ ବାଳକ ମୁଁ ନୁହଇ ବ୍ରହ୍ମଚାରୀ ॥ ୨୫୭ ॥

ଯେଉଁ ଆରାଧନେ ମିଳେ ବିଷ୍ଣୁର ଚରଣ ।

ପ୍ରସନ୍ନ-ବଦନେ ମୋତେ କହ ମୁନିଗଣ ॥ ୨୫୮ ॥

ଋଷିଗଣ ଏମନ୍ତ ବାଳକ-ବାକ୍ୟ ଶୁଣି ।

ସର୍ବ ମନେ ବିଚାରି କହନ୍ତି ପୁଣପୁଣି ॥ ୨୫୯ ॥

ଋଷିଗଣ-ଉବାଚ

କହନ୍ତି ହେ ଧ୍ରୁବ ଶୁଣ ନିର୍ବାଣ ପ୍ରକାର ।

ଯେଉଁ ଆରାଧନେ ନିସ୍ତରନ୍ତି ସୁରନର ॥ ୨୬୦ ॥

ପ୍ରତ୍ୟାହାର ବଳେ ଯେ ବିଷୟ ଇନ୍ଦ୍ରିଗଣ ।

ବାହାର ଭିତରେ ମନ କରଇ ଭ୍ରମଣ ॥ ୨୬୧ ॥

ଇନ୍ଦ୍ରିୟ-ବିଷୟେ ମନ ନିଶ୍ଚଳେ ନିରୋଧି ।

ଗୁରୁ-ବାକ୍ୟେ ସାଧିବ ଯେ ବିଧାନ ସମ୍ପାଦି ॥ ୨୬୨ ॥

ଜାଗ୍ରତ ସ୍ୱପ୍ନ ମଧ୍ୟେ ଉଭୟ ଭୁବସ୍ଥାନେ ।

ପଞ୍ଚପ୍ରାଣ ନିରୋଧ କରିବ ତ‌ତ୍ତ୍ୱଜ୍ଞାନେ ॥ ୨୬୩ ॥

ବାହ୍ୟ-ଅନ୍ତେ ଜଳଘଟେ ଗଗନ ଯେସନେ ।

ସେହି ଭାବେ ସର୍ବ ଘଟେ ଦେଖ ଦିବ୍ୟଜ୍ଞାନେ ॥ ୨୬୪ ॥

ନଭିଚକ୍ର ଉର୍ଦ୍ଧ୍ୱେ ଦେଖ ଦଶହିଁ ଅଙ୍ଗଳେ ।

ପୀତବର୍ଣ୍ଣ ପ୍ରାୟେ ଦିଶେ ହୃଦୟ କମଳେ ॥ ୨୬୫ ॥

ଦ୍ୱାଦଶଦଳର ମଧ୍ୟେ ପଦ୍ମ ଯେ କେଶର ।

ଅଗ୍ନି ଚନ୍ଦ୍ର ସୂର୍ଯ୍ୟ ରହେ ମଣ୍ତଳ ଆକାର ॥ ୨୬୬ ॥

ତାର ମଧ୍ୟେ ଧ୍ୟନ କରି ଚିନ୍ତ ଦିବୃରୂପ ।

ସର୍ବ-ଭୂତାଶ୍ରୟ ଯେ ପୁରୁଷୋତ୍ତମ-କଳ୍ପ ॥ ୨୬୭ ॥

ସେହି ସ୍ଥାନେ ବସ ତୁ ଆସନ ଦୃଢ଼ କରି ।

ଦ୍ୱାଦଶ-ଅକ୍ଷର-ମନ୍ତ୍ର ଜପ ହୃଦେ ଧରି ॥ ୨୬୮ ॥

ଓଁକାର ପ୍ରଥମେ ଭାଗବତ ନାମ ଧରି ।

ନମୋ ବାସୁଦେବାୟ ତୁ ନିଶ୍ଚଳେ ଉଚ୍ଚାରି ॥ ୨୬୯ ॥

ଦ୍ୱାଦଶ-ଅକ୍ଷର ମନ୍ତ୍ରରାଜ ଏ ବୋଲାଇ ।

ଏହି ମନ୍ତ୍ର ଜପିଲେ ପ୍ରସନ୍ନ ଭାବଗ୍ରାହୀ ॥ ୨୭୦ ॥

ଏହି ମନ୍ତ୍ର ପୂର୍ବେ ଜପି ସ୍ୱାୟମ୍ଭୁବ ମନୁ ।

ସୃଷ୍ଟି ହେତୁ ସାଧ୍ୟ କଲା ବ୍ରହ୍ମା ନିଜ ତନୁ ॥ ୨୭୧ ॥

ତାହାରେ ସନ୍ତୋଷ ଯେ ହୋଇଲେ ବାସୁଦେବ ।

ଯାର ଭାବେ ସାଧ୍ୟ କଲା ସଂସାର-ବିଭବ ॥ ୨୭୨ ॥

ଏହି ମନ୍ତ୍ର ଜପ କର ଏକଚିତ୍ତ ହୋଇ ।

ଅନ୍ତର୍ଦ୍ଧାନେ ଗଲେ ମୁନି ଉପଦେଶ ଦେଇ ॥ ୨୭୩ ॥

ମୁନିଙ୍କର ଉପଦେଶ ହୃଦରେ ସୁମରି ।

ହରିଭକ୍ତ-ଜନ-ଅର୍ଥେ କହିଲି ବିସ୍ତାରି ॥ ୨୭୪ ॥

ସାଧୁଜନେ ଏହିଭାବେ ଦୃଢ଼କର ଚିତ୍ତ ।

ସଂସାର-ନିସ୍ତାରେ କହେ ଦାସ ଜଗନ୍ନାଥ ॥ ୨୭୫ ॥

ଇତିଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ଧ୍ରୁବଚରିତେ ଅଷ୍ଟମୋଽଧ୍ୟାୟଃ ॥

* * *