ଚତୁର୍ଥ ସ୍କନ୍ଧ

ସପ୍ତମ ଅଧ୍ୟାୟ

ମୈତ୍ରେୟ ଉବାଚ

ଏମନ୍ତ ବ୍ରହ୍ମାବୋଲ ଶୁଣି । ହସି କହନ୍ତି ଶୂଳପାଣି ॥

ମହାଦେବ ଉବାଚ

ହେ ବ୍ରହ୍ମା ମୋର ବାକ୍ୟ ଶୁଣ । ବିର୍ଣ୍ଣିବା କି ବାଳକ ଗୁଣ ॥

ବାଳକ ବୋଲି ଏହା ସହି । ଆନେ ସହିବ କାହା ଦେହୀ ॥

ଦେଖ ଏ କର୍ମ କଲା ଯେତେ । କେ ସହି ପାରିବ ଜଗତେ ॥

ଯେଣୁ ଏ ତୋହର ସମ୍ପତି । ବୋଲାଇ ଦକ୍ଷ-ପ୍ରଜାପତି ॥

ତେଣୁ ସହିଲି ଆଜ ମୁହିଁ । ତୋହର ଭାବ ହୃଦେ ବହି ॥

ଯେ ଦେବ-ମାୟାରେ ମୋହିତ । ତାହାକୁ ମୋ ଦଣ୍ତ ଉଚିତ ॥

ଏହାର ଦୋଷ କ୍ଷମା ପାଇଁ । ମିନତି କଲୁ ମୋତେ ତୁହି ॥

ଏବେ ସକଳ ଦେବେ ଯାଅ । ମୋହର ଆଜ୍ଞା ଶିରେ ବହ ॥

ଦକ୍ଷର ଶିର ଯଜ୍ଞକୁଣ୍ତେ । ଭସ୍ମ ହୋଇଲା ଅତି ଚାଣ୍ତେ ॥ ୧୦

ଛାଗଳ ଶିର ତାର କନ୍ଧେ । ବସାଅ ମନ୍ତ୍ର ଅନୁବନ୍ଧେ ॥ ୧୧

ମିତ୍ରର ଚକ୍ଷୁ ପାଇ ଭଗ । ଦେଖୁ ସେ ନିଜ ଯଜ୍ଞଭାଗ ॥ ୧୨

ପୂଷା ଯେ ତାର ଯଜମାନ । ଦାନ୍ତରେ ଖାଉ ପିଠାମାନ ॥ ୧୩

ଦେବେ ପାଇବେ ନିଜ ରୂପ । ଯାହାର ଯେମନ୍ତ ସ୍ୱରୂପ ॥ ୧୪

ଅଶ୍ୱିନୀକୁମାରଙ୍କ ବାହୁ । ବାହୁ ଛିିଣ୍ତିଲା ଲୋକ ପାଉ ॥ ୧୫

ପୂଷାର ହସ୍ତ ପାଇ ସେହୁ । ସକଳ କର୍ମ କରୁଥାଉ ॥ ୧୬

ଛାଗଳ ପ୍ରାୟେ ଦାଢି ଖଣ୍ତେ । ଭୃଗୁର ରହିଥାଉ ତୁଣ୍ତେ ॥ ୧୭

ଏମନ୍ତ ବଚନ ସନ୍ତୋଷେ । କହିଲେ ସର୍ବଦେବେ ପାଶେ ॥ ୧୮

ମୈତ୍ରେୟ ଉବାଚ

ଏମନ୍ତ ରୁଦ୍ର ବାକ୍ୟ ଶୁଣି । ସକଳେ ସାଧୁ ସାଧୁ ଭଣି ॥ ୧୯

ଇନ୍ଦ୍ର ସହିତେ ଋଷିଗଣ । ରୁଦ୍ରଙ୍କୁ କରି ଆମନ୍ତ୍ରଣ ॥ ୨୦

ହେ ପ୍ରଭୁ ଆଗମନ କରି । କୃତାର୍ଥ କର ଯଜ୍ଞସ୍ଥଳୀ ॥ ୨୧

ତଦନ୍ତେ ଦେବ-ଦେବରାଜ । ଯଜ୍ଞଶାଳାକୁ ହେଲେ ସଜ ॥ ୨୨

ବ୍ରହ୍ମା ସହିତେ ନାରାୟଣ । ସଙ୍ଗତେ ମିଳି ଦେବଗଣ ॥ ୨୩

ମିଳିଲେ ଯଜ୍ଞ ଶାଳେ ଯାଇ । ସକଳେ ଆନନ୍ଦିତ ହୋଇ ॥ ୨୪

ରୁଦ୍ରଙ୍କୁ ବସାଇ ଆସନେ । ତକ୍ଷଣେ ଶିବ ସୁପ୍ରସନ୍ନେ ॥ ୨୫

ଦକ୍ଷର ସ୍କନ୍ଧେ ଛାଗ-ଶିର । ମନ୍ତ୍ରେ ବସାଇଲେ ଶଙ୍କର ॥ ୨୬

ତକ୍ଷଣେ ପ୍ରଜାପତି ଅଙ୍ଗେ । ଜୀବ ପଶିଲା ପ୍ରାଣ ସଙ୍ଗେ ॥ ୨୭

ଯେହ୍ନେ ସ୍ୱପନୁ ପ୍ରାଣୀମାନେ । ଉଠନ୍ତି ନିଦ୍ରା ଅବସାନେ ॥ ୨୮

ଚକ୍ଷୁ ଘଷିଣ ବେନିହସ୍ତେ । ଶିବଙ୍କୁ ଦେଖିଲା ଅଗ୍ରତେ ॥ ୨୯

ସେ ଦକ୍ଷ ଶିବ-ଦ୍ୱେଷ କରି । କଳୁଷ-ଆତ୍ମା ଥିଲା ଧରି ॥ ୩୦

ରୁଦ୍ର ଚାହାଁନ୍ତେ ତା ଶରୀର । ତକ୍ଷଣେ ହୋଇଲା ନିର୍ମଳ ॥ ୩୧

ଶରଦଚନ୍ଦ୍ର ପ୍ରାୟେ ଦିଶେ । ରୁଦ୍ରଙ୍କୁ ଚାହେଁ ମନ ତୋଷେ ॥ ୩୨

ତକ୍ଷଣେ ବେନି କରଯୋଡି । ଆନନ୍ଦେ ରୁଦ୍ର-ପାଦେ ପଡି ॥ ୩୩

କରିବା ପାଇଁ ଭବସ୍ତୁତି । ଶ୍ରଦ୍ଧାରେ ଦକ୍ଷ କଲା ମତି ॥ ୩୪

ସ୍ତୁତି କରଣେ ଶକ୍ୟ ନୋହେ । କଣ୍ଠ ଗଦଗଦେ ବାଣୀ କହେ ॥ ୩୫

ଚଞ୍ଚଳ-ଚିତ୍ତ ସ୍ଥିର କରି । ସତୀ ମରଣ କଥା ସ୍ମରି ॥ ୩୬

ନିର୍ମଳ-ଚିତ୍ତେ ପ୍ରଜାପତି । ରୁଦ୍ରଙ୍କୁ ଚାହିଁ କରେ ସ୍ତୁତି ॥ ୩୭

ଦକ୍ଷ ଉବାଚ

ଭୋନାଥ ଶୁଣ ବିଶ୍ୱଦେହେ । ତୁ ମୋତେ କଲୁ ଅନୁଗ୍ରହ ॥ ୩୮

ମୁଁ ଯେ ହୋଇଲି ଜ୍ଞାନହତ । ମୋତେ ଦଣ୍ତିବା ତୋ ଉଚିତ ॥ ୩୯

ତୋତେ ନିନ୍ଦିଲି ଗର୍ବ ବହି । ମୋର କୁଶଳ ଆଉ ନାହିଁ ॥ ୪୦

ଅଭୟ ତୋର ପଦ୍ମପାଦ । ମୁଁ ତହିଁ କଲି ଅପରାଧ ॥ ୪୧

ବ୍ରାହ୍ମଣ ତୋର ମୁଖୁଁ ଜାତ । ସାଧନ୍ତି ବିଦ୍ୟା ତପ ବ୍ରତ ॥ ୪୨

ତାଙ୍କୁ ବିପଦୁ ତୁମ୍ଭେ ରଖ । ଯେସନେ ପଶୁଙ୍କୁ ପାଳକ ॥ ୪୩

ମୋହର ସଭା ମଧ୍ୟେ ତୋତେ । ନିନ୍ଦା ଯେ କଲି ଦୁଷ୍ଟଚିତ୍ତେ ॥ ୪୪

ନିନ୍ଦିତ ବାକ୍ୟ ବାଣେ ତୋତେ । ପ୍ରହାର କଲି ମୂଢ-ଚିତ୍ତେ ॥ ୪୫

ସେ ଫଳ ପାଇଲି ପ୍ରତ୍ୟକ୍ଷେ । ଏ ଋଷି-ଦେବଙ୍କ ସମକ୍ଷେ ॥ ୪୬

କୃପା-ଦୃଷ୍ଟିରେ ମୋତେ ଚାହିଁ । ଏଥୁ ଉଦ୍ଧର ତୋଷ ହୋଇ ॥ ୪୭

ମୈତ୍ରେୟ ଉବାଚ

ଏମନ୍ତେ ରୁଦ୍ରେ ସ୍ତୁତି କରି । ପୁଣି ଋତ୍ୱିଜ ଯଜ୍ଞେ ବରି ॥ ୪୮

ବିଷ୍ଣୁ-ସନ୍ତୋଷେ ବିପ୍ରଗଣେ । ପୂର୍ବର କଳ୍ପିତ-ବରଣେ ॥ ୪୯

ପୂଜିଲେ ମନ୍ତ୍ରର ବିଶ୍ୱାସେ । ଯେ ପୁରାତନ ଇତିହାସେ ॥ ୫୦

ଋତ୍ୱିଜ ଆଦି ସର୍ବ ଋଷି । ମନ୍ତ୍ର ଉବାରି ଯଜ୍ଞେ ବସି ॥ ୫୧

ସକଳେ ବସି ଶୁଦ୍ଧମନେ । ଅଗ୍ନି ପୂଜିଲେ ଯୋଗଧ୍ୟାନେ ॥ ୫୨

ଅନଳ ରୂପେ ନାରାୟଣ । ସାକ୍ଷାତେ ହୋଇଲେ ପ୍ରକାଶ ॥ ୫୩

ତେଜେ ବିରାଜେ ଦଶଦିଶ । ଅନଳୁ ହୋଇଲେ ପ୍ରକାଶ ॥ ୫୪

ନିଶ୍ଚଳ ଗରୁଡଆସନ । ଶ୍ୟାମସୁନ୍ଦର ତନୁ-ବର୍ଣ୍ଣ ॥ ୫୫

କିରୀଟ ରବିତେଜ ଗଞ୍ଜେ । ମକରକୁଣ୍ତଳ ବିରାଜେ ॥ ୫୬

ଶଙ୍ଖ ଯେ ଚକ୍ର ଗଦା ପଦ୍ମ । ଧନୁ ଖଡଗ ଶର ଚର୍ମ ॥ ୫୭

ହିରଣ୍ୟମୟ ଭୁଜେ ଶୋହେ । ପୁଷ୍ପିତ-କିର୍ଣ୍ଣିକାର ପ୍ରାୟେ ॥ ୫୮

ଏ ଅଷ୍ଟଭୂଜ ଅନୁପମ । ରୂପେ ଗଞ୍ଜଇ କୋଟିକାମ ॥ ୫୯

କମଳା ସେବେ ବକ୍ଷସ୍ଥଳେ । ସେ ବକ୍ଷ ଶୋହେ ବନମାଳେ ॥ ୬୦

ବିଶ୍ୱମଙ୍ଗଳ ରୂପ ସାର । ହୃଦେ ଲମ୍ବଇ ରତ୍ନହାର ॥ ୬୧

ତା ହାସ୍ୟ ବିଶ୍ୱ ପ୍ରୀତିକର । ପାର୍ଶ୍ୱରେ ବ୍ୟଜନ ଚାମର ॥ ୬୨

ସେ ରାଜହଂସର ସମାନ । ଭ୍ରମଇ ଚାମର ବ୍ୟଜନ ॥ ୬୩

ଉପରେ ଶୋହେ ଶ୍ୱେତଛତ୍ର । ଯେସନେ ଶଶାଙ୍କ ଶୋଭିତ ॥ ୬୪

ଏମନ୍ତ ବିଷ୍ଣୁରୂପ ଚାହିଁ । ସକଳେ ଶିରେ କର ଦେଇ ॥ ୬୫

ଉଠିଲେ ପଦ୍ମଯୋନି-ହର । ସଙ୍ଗତେ ଘେନି ସୁନାସୀର ॥ ୬୬

ପ୍ରଣାମ କରି ଜଣେଜଣେ । ବନ୍ଦିଲେ ବିଷ୍ଣୁର ଚରଣେ ॥ ୬୭

ବିଷ୍ଣୁର ତେଜବଳେ ଦେବେ । ହୋଇଲେ ହତପ୍ରଭ ସର୍ବେ ॥ ୬୮

ଭୟରେ ହୋଇଲେ ଚଞ୍ଚଳ । ରସନା ହୋଇଲା ଅଚଳ ॥ ୬୯

ତଥାପି ଶିରେ କର ଦେଇ । ସ୍ତୁତି କରନ୍ତି ବିଷ୍ଣୁ ଚାହିଁ ॥ ୭୦

ଦକ୍ଷ ମିଲିଲା ଅର୍ଘ୍ୟ ଘେନି । ତୁଲେ ଅଶେଷ ବ୍ରହ୍ମମୁନି ॥ ୭୧

ସୁନନ୍ଦ ଆଦି ପାରିଷଦେ । ମିଳିଲେ ଜୟଜୟ ନାଦେ ॥ ୭୨

ଦକ୍ଷ ଆନନ୍ଦେ କରଯୋଡି । ବୋଲଇ ବିଷ୍ଣୁ-ପାଦେ ପଡି ॥ ୭୩

ଦକ୍ଷ ଉବାଚ

ତୁ ନାଥ ଶୁଦ୍ଧ-ଚଇତନ । ନିର୍ମଳ ନିତ୍ୟ ନିରଞ୍ଜନ ॥ ୭୪

ଭେଦବିହୀନ ତୁ ଅଭୟ । ଏ ବିଶ୍ୱପୂର୍ଣ୍ଣ ତୋର ଦେହ ॥ ୭୫

କେ ତୋତେ ଜାଣିବ ସଂସାରେ । ତୁ ଥାଉ ମାୟା ଅତିଦୂରେ ॥ ୭୬

ଋତ୍ୱିଜମାନେ କରଯୋଡି । କହନ୍ତି ବିଷ୍ଣୁ ପାଦେ ପଡି ॥ ୭୭

ଋତ୍ୱିଜ ଗଣ ଉବାଚ

ଭୋନାଥ ରୁଦ୍ର-ଶାପେ ଆମ୍ଭେ । ବୁଡିଲୁ ମାୟା-ଗର୍ବ-ଦମ୍ଭେ ॥ ୭୮

ନିରତେ କର୍ମବଶ ହୋଇ । ତୋ ଭାବେ ଆମ୍ଭ ଜ୍ଞାନ ନାହିଁ ॥ ୭୯

ଏ ଯଜ୍ଞ ଧର୍ମର ଲକ୍ଷଣ । ଅଶେଷ-ଭାଗ୍ୟର କାରଣ ॥ ୮୦

ଏ ତୋର ରୂପ ମହାବାହୁ । ଆମ୍ଭେ ଜାଣିବୁ ଅବା କାହୁଁ ॥ ୮୧

ତକ୍ଷଣେ ସଭାଲୋକେ ଉଠି । ବିଷ୍ଣୁଙ୍କୁ ଦେଇ ତୁଲ୍ୟ ଦୃଷ୍ଟି ॥ ୮୨

ସଦସ୍ୟଗଣ-ଉବାଚ

ଭୋ ନାଥ ତୋର ମାୟାବଳେ । ଏ ଜୀବ ଭ୍ରମେ ଏ ଶୟଳେ ॥ ୮୩

ଏ ଦୁଃଖ-ସୁଖ-ରୂପ-ଗର୍ତ୍ତେ । ବିଷୟା-ମୃଗତୃଷ୍ଣା ପଥେ ॥ ୮୪

ଶୋକ-ଦାବାଗ୍ନି ଦହ୍ୟମାନ । କାମେ ଚେଷ୍ଟିତ ଅନୁକ୍ଷଣ ॥ ୮୫

ନିରତେ ଚିନ୍ତେ ଆତ୍ମାସୁଖ । ଉଦ୍ଧରି ଧର ପଦ୍ମମୁଖ ॥ ୮୬

ରୁଦ୍ରଉବାଚ

ତୋର ଚରଣ ଭଗବାନ । ଆଶିଷ ଫଳେ ମୁନିଜନ ॥ ୮୭

ଅଖିଳକାମେ ଅନାସକ୍ତ । ଆଦରେ ପୂଜନ୍ତି ନିରତ ॥ ୮୮

ସେ ପାଦପଦ୍ମ ଚିତ୍ତେ ଧରି । ତୁମେ ଜଗତ ମୁଁ ସଂହରି ॥ ୮୯

ବର୍ତ୍ତଇ ତୋ ଚରଣ ଆଶେ । ନିରତେ ରହଇ ସନ୍ତୋଷେ ॥ ୯୦

ଭୃଗୁ-ଉବାଚ

ଭୋନାଥ ତୋ ମାୟା ଗହନେ । ବ୍ରହ୍ମାଦି ଯେତେ ମୁନିଜନେ ॥ ୯୧

ଅଜ୍ଞାନ-ଅନ୍ଧକାରେ ଥାନ୍ତି । ତୋର ମହିମା ନ ଜାଣନ୍ତି ॥ ୯୨

ତୋର ଚରଣେ ଯେ ପ୍ରଣତ । ତା ଆତ୍ମବନ୍ଧୁ ତୁ ନିୟତ ॥ ୯୩

ତୋର ଚରଣେ ମୋ ପ୍ରଣାମ । ପ୍ରସନ୍ନ ହୁଅ ପୁଣ୍ୟଧାମ ॥ ୯୪

ତୁ ଏବେ ରଖ ମୋର ମନ । ତୋର ଚରଣେ କରି ଲୀନ ॥ ୯୫

ଯା ମାୟା ଗହନରେ ପଡି । ବ୍ରହ୍ମାଦି ଦେବେ ତମେ ବୁଡି ॥ ୯୬

ତୋହର ତ‌ତ୍ତ୍ୱ ନ ଜାଣନ୍ତି । ସ୍ୱଭାବେ ମୁହିଁ ଅଳ୍ପମତି ॥ ୯୭

ନ ଜାଣି କଲଇଁ ଅନୀତି । ଏ ଦୋଷ ଖଣ୍ତ ଲକ୍ଷ୍ମୀପତି ॥ ୯୮

ବ୍ରହ୍ମା ଉବାଚ

ପୁରୁଷ ଦେଖେ ଯେତେ ରୂପ । ତାହା ନୁହଇ ତୋ ସ୍ୱରୂପ ॥ ୯୯

ଜ୍ଞାନେନ୍ଦ୍ରିୟର ଯେ ବିଷୟ । ସତ୍ୟ ତୁ ତାହାର ଆଶ୍ରୟ ॥ ୧୦୦

ପଦାର୍ଥ ଭେଦେ ଭେଦ ଆଖି । କେ ପାରେ ତୋତେ ଉପଲକ୍ଷି ॥ ୧୦୧

ତୁ ଜ୍ଞାନଇନ୍ଦ୍ରି ଅର୍ଥାଶ୍ରୟ । ହେଲେ ହେଁ ନୋହୁ ମାୟାମୟ ॥ ୧୦୨

ମାୟାର ବଶେ ଜ୍ଞାନ ଥାଇ । ତୋତେ ଜାଣିବେ ଅବା କାହିଁ ॥ ୧୦୩

ଇନ୍ଦ୍ର ହରଷ ଚିତ୍ତ ହୋଇ । କହନ୍ତି ବିଷ୍ଣୁମୁଖ ଚାହିଁ ॥ ୧୦୪

ଇନ୍ଦ୍ର ଉବାଚ

ହେ ବିଶ୍ୱଭବନ ମୁରାରି । ତୁ ଯେ ଆନନ୍ଦ-ବପୁଧାରୀ ॥ ୧୦୫

ସକଳ ପ୍ରାଣୀ ମନୋହର । ଭୋନାଥ ତୋହର ଶରୀର ॥ ୧୦୬

ଏ ଯେ ତୁମ୍ଭର ଅଷ୍ଟକର । ଏ ଦିଗପାଳଙ୍କ ଶରୀର ॥ ୧୦୭

ବ୍ରାହ୍ମଣପତ୍ନୀଗଣ-ଉବାଚ

ଏ ଯଜ୍ଞ ତୋର ଯଜନାର୍ଥେ । ସୁଜିଲେ ବ୍ରହ୍ମା ଏ ଜଗତେ ॥ ୧୦୮

କେବଳ ବିଧି ଅବହେଳେ । ରୁଦ୍ର ରୂପରେ ଯଜ୍ଞଶାଳେ ॥ ୧୦୯

ଦକ୍ଷକୁ ଦେଲୁ କର୍ମଫଳ । ନାଶିଲୁ ତା ଯଜ୍ଞ ସକଳ ॥ ୧୧୦

ଏବେ ପବିତ୍ର ଏ ଭୁବନ । କଳ୍ପିଲା ତୋର ଦରଶନ ॥ ୧୧୧

ଋଷି ସହସ୍ର ନମ୍ର ଶିରେ । କହନ୍ତି ଯଜ୍ଞପୁରୁଷରେ ॥ ୧୧୨

ଋଷିଗଣ-ଉବାଚ

ଭୋନାଥ ତୋର ବିଚେଷ୍ଟିତ । ବିଶ୍ୱ-ସଂସାରେ ବିପରୀତ ॥ ୧୧୩

ଈଶ୍ୱରୀମାୟା ଯେ ବିଭୂତି । ଯା ବଳେ ଦେବେ ଭ୍ରମ ହୋନ୍ତି ॥ ୧୧୪

ଆମ୍ଭରେ ଦୟାଭାବ କରି । ସେ ମାୟା ଛେଦ ହେ ଶ୍ରୀହରି ॥ ୧୧୫

ନାହିଁ ଆଦର ସେ ଲକ୍ଷ୍ମୀରେ । ତୋ ଚେଷ୍ଟା ଜାଣୁ କେ ସଂସାରେ ॥ ୧୧୬

ସକଳ ସିଦ୍ଧେ ଉଠିବେଗେ । କହନ୍ତି ବିଷ୍ଣୁଙ୍କୁ ସରାଗେ ॥ ୧୧୭

ସିଦ୍ଧଗଣ-ଉବାଚ

ତୋ କଥା ସୁଧା-ତରଙ୍ଗିଣୀ । ଶୀତଳ-ଜଳ ପ୍ରାୟ ମଣି ॥ ୧୧୮

ମନ-ବାରଣ ତୃଷ୍ଣାକୁଳେ । ପ୍ରବେଶ ହୋଇ ଶୀତଜଳେ ॥ ୧୧୯

ନ ସ୍ମରେ କ୍ଳେଶ-ଦାବାନଳ । ତୋର ପ୍ରସନ୍ନେ ଆଦିମୂଳ ॥ ୧୨୦

ଦକ୍ଷପତ୍ନୀ-ଉବାଚ

ଭୋନାଥ ତୋର ଆଗମନ । ଆନନ୍ଦ କଲା ମୋର ମନ ॥ ୧୨୧

ତୁ ଲକ୍ଷ୍ମୀକାନ୍ତ ସୁଧାନିଧି । ସକଳ ସମ୍ପଦ ପ୍ରସିଦ୍ଧି ॥ ୧୨୨

ତୋ ବିନୁ ଏହି ଯଜ୍ଞଘର । ଭୋନାଥ ନ ଦିଶେ ସୁନ୍ଦର ॥ ୧୨୩

କି ଅବା ଦେବା ପଟାନ୍ତର । କବନ୍ଧ ପ୍ରାୟ ଛିନ୍ନ ଶିର ॥ ୧୨୪

କାନ୍ତା ସହିତ ପରାତ୍ପର । ତେଣୁ ଆମ୍ଭଙ୍କୁ ରକ୍ଷା କର ॥ ୧୨୫

ତୁମ୍ଭର ବିଜେ ହେଲା ଯେଣୁ । ଏ ଗୃହ ଶୋଭା କେ ପ୍ରମାଣୁ ॥ ୧୨୬

ଏକଥା ନୁହଇ ବିଚିତ୍ର । ତୋ ନାମେ ଜଗତ ପବିତ୍ର ॥ ୧୨୭

ତୁ ଦେବଦେବଙ୍କର ଈଷ୍ଟ । ସର୍ବ-ନିୟନ୍ତା ତପୀଶ୍ରେଷ୍ଠ ॥ ୧୨୮

ଲୋକପାଳଗଣ-ଉବାଚ

ଆମ୍ଭର ଦୃଷ୍ଟଗ୍ରହ ଦୋଷେ । ତୋତେ ଦେଖିବୁ କାହୁଁ ଦୃଶେ ॥ ୧୨୯

ତୁ ଦ୍ରଷ୍ଟା ସକଳ ବିଶ୍ୱର । ଇନ୍ଦ୍ରିୟେ ନୋହୁ ତୁ ଗୋଚର ॥ ୧୩୦

ତୁ ଷଷ୍ଠ ପଞ୍ଚଭୂତେ ବସୁ । ମାୟା-ସ୍ୱରୂପ ତୁ ପ୍ରକାଶୁ ॥ ୧୩୧

ଅସତ ଯାହାର ଇନ୍ଦ୍ରିୟ । କାହୁଁ ଦେଖିବେ ତୋର କାୟ ॥ ୧୩୨

ବିଶୁଦ୍ଧ ଯାହାର ମାନସ । ତାହା ନିକଟେ ତୁ ପ୍ରକାଶ ॥ ୧୩୩

ଯୋଗେଶ୍ୱର-ଉବାଚ

ତୁ ବିଶ୍ୱଆତ୍ମା ପରଂବ୍ରହ୍ମ । ଶୁଦ୍ଧ-ଚୈତନ୍ୟ ତୋର ଧାମ ॥ ୧୩୪

ଯେ ତୋତେ ଅଭେଦେ ଦେଖଇ । ତା ତହୁଁ ପ୍ରିୟ ତୋର ନାହିଁ ॥ ୧୩୫

ଜଗତ ସୃଷ୍ଟି-ସ୍ଥିତି-ଅନ୍ତ । ତ୍ରିଗୁଣେ କରୁ ଆତଜାତ ॥ ୧୩୬

ଭୋନାଥ ତୁମ୍ଭ ଦରଶନେ । ଆମ୍ଭେ ଯେ ତୁଷ୍ଟ କଲୁ ମନେ ॥ ୧୩୭

ଅଷ୍ଟାଙ୍ଗଯୋଗେ ଧର୍ମ ସାଧି । ଲଭିବା ପାଇଁ ଅଷ୍ଟନିଧି ॥ ୧୩୮

ସେ ପୁଣି ତୋର ମାୟାବଳେ । କେମନ୍ତେ ଧରିବା ନିଶ୍ଚଳେ ॥ ୧୩୯

ତୁ ନାଥ କରୁ ଯେବେ ଦୟା । ତେବେ ବଞ୍ଚିବୁ ତୋର ମାୟା ॥ ୧୪୦

ନିର୍ଲେପ-ଜ୍ଞାନ ସର୍ବବ୍ୟାପୀ । ତୁ ନାଥ ନିରଞ୍ଜନ ରୂପୀ ॥ ୧୪୧

ତୋହର ମହିମା ଅପାର । ତୋ ପାଦେ ଆମ୍ଭ ନମସ୍କାର ॥ ୧୪୨

ବ୍ରହ୍ମା ଉଷତେ ବିଷ୍ଣୁ ଚାହିଁ । କହନ୍ତି ଶିରେ କର ଦେଇ ॥ ୧୪୩

ବ୍ରହ୍ମା-ଉବାଚ

ତୁମ୍ଭେ ଯେ ଆଶ୍ରୟ ଜୀବଙ୍କ । ଧର୍ମାର୍ଥ ଉତ୍ପତ୍ତି-କାରକ ॥ ୧୪୪

ଆବୋରି ତୁ ଯେ ସ‌ତ୍ତ୍ୱଗୁଣ । ଧର୍ମ ପ୍ରକାଶୁ ଭଗବାନ ॥ ୧୪୫

ତୁହି ନିର୍ଗୁଣ ନିରାକାର । ତୋ ପାଦେ ମୋର ନମସ୍କାର ॥ ୧୪୬

ଯେଣୁ ମୁଁ ତୋ ତ‌ତ୍ତ୍ୱ ନ ଜାଣେ । କାହୁଁ ଜାଣିବେ ଦେବଗଣେ ॥ ୧୪୭

ଅଗ୍ନି ସ୍ପଶିରେ କର ଦେଇ । କହଇ ବିଷ୍ଣୁ ମୁଖ ଚାହିଁ ॥ ୧୪୮

ଅଗ୍ନି-ଉବାଚ

ଯାହାର ତେଜ ବଳେ ମୁହିଁ । ଅନଳ ରୂପେ ଯଜ୍ଞେ ଥାଇ ॥ ୧୪୯

ଘୃତ ଆହୁତି ପଞ୍ଚବିଧେ । ମନ୍ତ୍ରେ ନିବେଦି ଏ ସମିଧେ ॥ ୧୫୦

ତୁ ଯଜ୍ଞରୂପୀ ଦାମୋଦର । ନିରତେ ମୋର ନମସ୍କାର ॥ ୧୫୧

ତୁ ଅଗ୍ନିହୋତ୍ର ତୁହି ଦର୍ଶ । ତୁ ଚାତୁର୍ମାସ୍ୟ ପୌର୍ଣ୍ଣମାସ ॥ ୧୫୨

ତୁ ପଶୁ ସୋମ ପଞ୍ଚବିଧ । ମନ୍ତ୍ରେ ପୂଜିତ ତୁ ପ୍ରସିଦ୍ଧ ॥ ୧୫୩

ଦେବତାମାନେ ହରଷରେ । କହନ୍ତି ବିଷ୍ଣୁଙ୍କ ଛାମୁରେ ॥ ୧୫୪

ଦେବଗଣ-ଉବାଚ

ତୁ ନାଥ ପୂର୍ବକଳ୍ପେ ହରି । ପ୍ରଳୟକାଳେ ଗର୍ଭେ ଭରି ॥ ୧୫୫

ସର୍ବ-ସଂହରୁ ବିଶ୍ୱରୂପେ । ଜଳେ ଶୟନ ଅହିତଳ୍ପେ ॥ ୧୫୬

ଆମ୍ଭେ ଯେ ତୋର ନିଜ ଭୃତ୍ୟ । ଏ କଥା ଜଗତେ ବିଖ୍ୟାତ ॥ ୧୫୭

ଆମ୍ଭଙ୍କୁ ସଙ୍କଟ ପଡିଲେ । ତୁ ନାଥ ରକ୍ଷାକରୁ ଭଲେ ॥ ୧୫୮

ହେ ଦେବ ସ୍ୱରୂପ ତୋହର । ହୋଇଲା ନୟନ ଗୋଚର ॥ ୧୫୯

ଗନ୍ଧର୍ବଗଣ-ଉବାଚ

ଭୋନାଥ ତୋତେ ନମସ୍କାର । ଏ ବିଶ୍ୱକ୍ରୀଡା-ଭାଣ୍ତ ତୋର ॥ ୧୬୦

ଏ ବ୍ରହ୍ମା ରୂଦ୍ର ଆଦି ଯେତେ । ସକଳ ଦେବତା ସମେତେ ॥ ୧୬୧

ମରୀଚିଆଦି ପ୍ରଜାପତି । ବ୍ରହ୍ମାଦି ଦେବ ପଶୁପତି ॥ ୧୬୨

ତୁହି ଯେ ପୁରୁଷ ମହତ । ତୋ ପାଦେ ଆମ୍ଭେ ହେଲୁ ନତ ॥ ୧୬୩

ବିଦ୍ୟାଧର-ଉବାଚ

ତୁମ୍ଭର ମାୟାବଳେ ପ୍ରାଣୀ । ମୁହିଁ ମୋହର ପରିମାଣି ॥ ୧୬୪

ଉତ୍ପଥଗାମୀ ପୁତ୍ରାଦିର । ଦୁଃଖ ଯେ ଅଟେ ଗୁରୁତର ॥ ୧୬୫

ତଥାପି ମୋହ ନ ତ୍ୟଜଇ । ଅସତେ ଲାଳସକୁ ବହି ॥ ୧୬୬

ତୋ କଥା ଅମୃତ ନ ସେବେ । ଏଣୁ ପଡଇ ଭବାର୍ଣ୍ଣବେ ॥ ୧୬୭

ବ୍ରାହଣ୍ତଣ-ଉବାଚ

ତୁ ନାଥ ଯଜ୍ଞଅଗ୍ନି ସୋମ । ତୁ ନିତ୍ୟାଚାର ବିଧିକର୍ମ ॥ ୧୬୮

ସମିଧ ପାତ୍ର ତୁ ଉତ୍ୱିଜ । ଯଜ୍ଞାଦି ଯଜମାନ ଦ୍ୱିଜ ॥ ୧୬୯

ତୁ ସ୍ୱାହା ସ୍ୱଧା ଯଜ୍ଞପଶୁ । ତୁ ଯଜ୍ଞପୁରୁଷ ପ୍ରକାଶୁ ॥ ୧୭୦

ସାଂଗ୍ରାମେ ହିରଣ୍ୟକ୍ଷ ଜିଣି । ଦନ୍ତାଗ୍ରେ ଧଇଲୁ ଧରଣୀ ॥ ୧୭୧

ଧରଣୀ ସ୍ଥାପି ମହାଜଳେ । ଯେଣୁ ଏ ରହିଲା ନିଶ୍ଚଳେ ॥ ୧୭୨

ତୋହର କର୍ମ-ଯଜ୍ଞ ଦେବ । ଯା ଦେଖି ଯୋଗୀ କରେ ସ୍ତବ ॥ ୧୭୩

ତୁମ୍ଭେ ତ ସେହି ଭଗବାନ । ଆମ୍ଭଙ୍କୁ ହୁଅ ତୁ ପ୍ରସନ୍ନ ॥ ୧୭୪

ସ୍ୱକର୍ମେ ଭ୍ରଷ୍ଟ ଆମ୍ଭେ ହୋଇ । ଆମ୍ଭର ଆନ ଗତି ନାହିଁ ॥ ୧୭୫

ସକଳ-କର୍ମ ସାକ୍ଷୀ ତୁହି । ଭୋନାଥ ରଖ ଭାବଗ୍ରାହୀ ॥ ୧୭୬

ସର୍ବଭୂତରେ ତୁମ୍ଭ ବାସ । ସର୍ବଜ୍ଞ ନିର୍ଲେପ ଉଦାସ ॥ ୧୭୭

ଯାହାର ନାମ ଉଚ୍ଚାରଣ । କରଇ ବିଘ୍ନ-କରଷଣ ॥ ୧୭୮

ଏ ଯଜ୍ଞ ଭ୍ରଷ୍ଟ ହେଲା ଯେବେ । ଦର୍ଶନ ବାଞ୍ଛା କଲୁଁ ତେବେ ॥ ୧୭୯

ତୋହର ନାମ ସଂକୀର୍ତ୍ତନ । ଯଜ୍ଞୀୟ-ବିଘ୍ନ-ନିବାରଣ ॥ ୧୮୦

ହେ ପ୍ରଭୁ ତୋର ପାଦତଳେ । ପ୍ରଣତ ହୋଇଲୁ ସକଳେ ॥ ୧୮୧

ମୈତ୍ରେୟ ଉବାଚ

ଏମନ୍ତେ କଲେ ସର୍ବେ ସ୍ତୁତି । ଶୁଣି ସନ୍ତୋଷ ଯଜ୍ଞପତି ॥ ୧୮୨

ଦକ୍ଷକୁ ଚାହିଁ ଚକ୍ରପାଣି । ମେଘ-ଗମ୍ଭୀର ମଞ୍ଜୁବାଣୀ ॥ ୧୮୩

ପ୍ରସନ୍ନେ କହିଲେ ମୁରାରି । ଦକ୍ଷକୁ ସମ୍ବୋଧନ କରି ॥ ୧୮୪

ଭଗବାନ ଉବାଚ

ମୁଁ ବ୍ରହ୍ମା ହର ରୂପଧରି । ଏ ବିଶ୍ୱ ସର୍ଜି ପାଳି ହରି ॥ ୧୮୫

ଏଣୁ ମୋହର ତିନିଗୁଣ । ସଂସାର ପରମ-କାରଣ ॥ ୧୮୬

ନିର୍ଲେପ ନିରଞ୍ଜନ ମୁହିଁ । ସକଳଭୂତେ ମୁଁ ବସଇ ॥ ୧୮୭

ଯାହାକୁ ସେବା ଶିକ୍ଷା ଦେଇ । ପ୍ରାଣୀ ଛାଡିବେ ତାହା କାହିଁ ॥ ୧୮୮

ମୁହିଁ ସେ ସମତା ଦୃଷ୍ଟିରେ । ଅଭେଦ ସକଳ ଶରୀରେ ॥ ୧୮୯

ଜ୍ଞାନୀଙ୍କି ମୋ ରୂପ ଗୋଚର । ଅଜ୍ଞାନୀଜନେ ମୁହିଁ ଦୂର ॥ ୧୯୦

ଜ୍ଞାନ ଗୋଚରେ ମୋତେ ଜାଣି । ସାତ୍ତ୍ୱିକଭାବେ ପରିମାଣି ॥ ୧୯୧

ଦେଖ ଏ ଦେହ ମଧ୍ୟଗତେ । ଶିର ଚରଣ କର ଯେତେ ॥ ୧୯୨

ଏହାକୁ ଭିନ୍ନ ପ୍ରାୟେ ମଣେ । ଆତ୍ମାର ଗତି ନ ପ୍ରମାଣେ ॥ ୧୯୩

ଯେ ହରି ହର ପଦ୍ମଯୋନି । ସର୍ବଭୂତଙ୍କ ଆତ୍ମା ତିନି ॥ ୧୯୪

ବାହ୍ୟ ଅନ୍ତରେ ଦେଖେ ଏକ । ଯାହାର ନିର୍ମଳ ବିବେକ ॥ ୧୯୫

ତିନିଙ୍କୁ ଦେଖେ ଐକ୍ୟ କରି । ସୁଖେ ତରଇ ଭବବାରି ॥ ୧୯୬

ସମାନେ ଦେଖଇ ଯେ ପ୍ରାଣୀ । ସେମାନେ ବୈଷ୍ଣବ ଅଗ୍ରଣୀ ॥ ୧୯୭

ଦୂରେ ରହଇ ଦୁଃଖ ଭ୍ରାନ୍ତି । ସେ ପ୍ରାଣୀ ଲଭେ ଆମ୍ଭଶାନ୍ତି ॥ ୧୯୮

ମୈତ୍ରେୟ ଉବାଚ

ଏମନ୍ତ ବିଷ୍ଣୁ ମୁଖୁ ଶୁଣି । ଅମୃତ ପ୍ରାୟେ ମଞ୍ଜୁବାଣୀ ॥ ୧୯୯

ହରିଙ୍କି ଯଜ୍ଞେ ପୂଜା କଲା । ଯେଣୁ ତା ପୂର୍ବ-ଭାଗ୍ୟ ଥିଲା ॥ ୨୦୦

ଋଷି-ଦେବତା ପୂଜା କରି । ରୁଦ୍ରଙ୍କୁ ରୁଦ୍ରଭାବେ ବରି ॥ ୨୦୧

ଯଜ୍ଞର ଶେଷେ ଭାଗ ଦେଲା । ସେ ଅବଭୃଥ ସ୍ନାନ କଲା ॥ ୨୦୨

ଦକ୍ଷ ରହିଲା ନିଜ ଘରେ । ଦେବେ ଚଳିଲେ ଯେଝାପୁରେ ॥ ୨୦୩

ଏବେ ହୋ ଶୁଣ କୁରୁବୀର । ସତୀ ଯେ ଛାଡିଲେ ଶରୀର ॥ ୨୦୪

ସେ ପୁଣି ହିମବନ୍ତ-ଘରେ । ଜନ୍ମିଲେ ମେନକା-ଉଦରେ ॥ ୨୦୫

ପୁଣି ସେ ରୁଦ୍ରଙ୍କୁ ବରିଲା । ଅମ୍ବିକା ହିମଗିରି-ବାଳା ॥ ୨୦୬

ଏମନ୍ତ ରୁଦ୍ରର ଚରିତ । ଯେମନ୍ତେ ଦକ୍ଷଯଜ୍ଞ ହତ ॥ ୨୦୭

ଉଦ୍ଧବ ମୁଖୁଁ ମୁହିଁ ଶୁଣି । ତୋତେ କହିଲି ପରିମାଣି ॥ ୨୦୮

ଏଣୁ ଏ ବିଷ୍ଣୁର ଚରିତ । ଭକ୍ତ-ତାରଣେ ଭଗବତ ॥ ୨୦୯

ଭାବେ କହିଲି ତୋ ଅଗ୍ରତେ । ଯେଣୁ ତୁ ପଚାରିଲୁ ମୋତେ ॥ ୨୧୦

ସର୍ବ ସମ୍ପଦ ଏଣେ ଲଭେ । ଜୀବ ନ ପଡେ ମାୟାଭବେ ॥ ୨୧୧

ଏ ଯଶସ୍କର ଆୟୁଷ୍କର । ଅଶେଷ-ଜନ ପାପ ହର ॥ ୨୧୨

ଯେ ନିତ୍ୟ ଈଶ୍ୱର ଚରିତ । କୀର୍ତ୍ତନ କରଇ ପବିତ୍ର ॥ ୨୧୩

ତାର ସଂସାର-ଦୁଃଖ ନାଶେ । କହିଲେ ଜଗନ୍ନାଥ ଦାସେ ॥ ୨୧୪

ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ

ସଂହିତାୟାଂ ଚତୁର୍ଥସ୍କନ୍ଧେ ଦକ୍ଷଯଜ୍ଞସନ୍ଧାନଂ ନାମ ସପ୍ତମୋଽଧ୍ୟାୟଃ ॥

* * *