ଚତୁର୍ଥ ସ୍କନ୍ଧ
ଷଷ୍ଠ ଅଧ୍ୟାୟ
ମୈତ୍ରେୟ ଉବାଚ
ଏମନ୍ତେ ଶୁଣ ହେ ବିଦୁର । ରୁଦ୍ର ଚରିତ ରସସାର ॥ ୧
ରୁଦ୍ରଗଣଙ୍କ ଶସ୍ତ୍ରଘାତେ । ଭୟେ ଭାଜିଲେ ଦେବେ ଯେତେ ॥ ୨
ଶୂଳ ପଟ୍ଟିଶ କୁନ୍ତ ଶର । ନିସ୍ତିଂଶ ଗଦା ମୁଦଗର ॥ ୩
ଏ ଶସ୍ତ୍ର ବାଜି ସର୍ବ ଅଙ୍ଗେ । ଭୟେ ଭାଜିଲେ ଦଶଦିଗେ ॥ ୪
ଋତ୍ୱିଜ ସଭାସଦଗଣ । ପଳାଇଗଲେ ଘେନି ପ୍ରାଣ ॥ ୫
ଭୟେ ସକଳେ ଏକମେଳେ । ମିଳିଲେ ଗଗନ-ମଣ୍ତଳେ ॥ ୬
ଛନ୍ନ ବ୍ୟାକୁଳ ମନ ଦୁଃଖେ । ବେଗେ ମିଳିଲେ ବ୍ରହ୍ମଲୋକେ ॥ ୭
ବ୍ରହ୍ମା ଚରଣତଳେ ପଡି । ଦେବେ କହିଲେ କରଯୋଡି ॥ ୮
ଅନର୍ଥ ହେବ ବୋଲି ଜାଣି । ଯଜ୍ଞେ ନ ଗଲେ କୁଶପାଣି ॥ ୯
ସେ ଦେବେ ଯାହା ନିବେଦିଲେ । ତା ବ୍ରହ୍ମା-ବିଷ୍ଣୁ ଜାଣିଥିଲେ ॥ ୧୦
ତେଣୁ ସେ ଦକ୍ଷଯଜ୍ଞ କାଳେ । ଏ ବେନି ଗମନ ନ କଲେ ॥ ୧୧
ଏବେ ଦେବଙ୍କ ମୁଖୁଁ ଶୁଣି । ସେ ବ୍ରହ୍ମା କହେ ମଞ୍ଜୁବାଣୀ ॥ ୧୨
ଯଜ୍ଞ ବିନାଶି କୋପଭରେ । ରୁଦ୍ର ଯେ ଗଲେ ନିଜପୁରେ ॥ ୧୩
ସ୍ୱଭାବେ ତେଜେ ଅପ୍ରମିତ । ଅନ୍ତେ ଜଗତ କରେ ଗ୍ରସ୍ତ ॥ ୧୪
ତାହାଙ୍କ ତେଜ ବଳ ତଥ୍ୟ । କେ ତାହା ବର୍ଣ୍ଣନେ ସମର୍ଥ ॥ ୧୫
ତାହାରେ ଅପରାଧ କରି । କେ ଅବା ଥିବ ଦେହ ଧରି ॥ ୧୬
ଏବେ ସକଳ ଦେବେ ଶୁଣ । କେ ଜାଣେ ଈଶ୍ୱର ପ୍ରମାଣ ॥ ୧୭
ଚାଲ ସକଳ ସୁରଦେବା । ଏବେ ହୋ କଇଳାସ ଯିବା ॥ ୧୮
ରୁଦ୍ର ଚରଣେ ନମସ୍କାର । ସ୍ତୋତ୍ରେ ସନ୍ତୋଷ ଦେବହର ॥ ୧୯
ଈଶ୍ୱର ଚରଣ-କମଳେ । ଶରଣ ପଶ ଏକମେଳେ ॥ ୨୦
ସେ ଯେ ସକଳ-ଭୂତପତି । ସର୍ବସମ୍ପଦ ସେ ଦିଅନ୍ତି ॥ ୨୧
ତାହାଙ୍କ ନାମ ଆଶୁତୋଷ । ଅବଶ୍ୟ ହୋଇବେ ସନ୍ତୋଷ ॥ ୨୨
ମୋହର ବୋଲ ଏବେ କର । ଅନ୍ୟଥା ନାହିଁଟି ନିସ୍ତାର ॥ ୨୩
ଯେ ଅନ୍ତଃକାଳେ ଅଣ୍ତକୋଷ । ନିମିଷ ମାତ୍ରେ କରେ ଗ୍ରାସ ॥ ୨୪
ତାର ଚରଣ ନ ସେବିଲେ । କେବା ସଂସାରେ ଥିବ ଭଲେ ॥ ୨୫
ଦକ୍ଷର ଅପରାଧ ଯୋଗେ । ବିଶେଷେ ପତ୍ନୀର ବିଯୋଗେ ॥ ୨୬
ସ୍ୱଭାବେ ତମଗୁଣ ଯୋଗେ । କେବା ମିଳିବ ତାର ଆଗେ ॥ ୨୭
ଯାର ମହିମା ବିଚାରଣେ । ମୋ ଆଦି ସର୍ବଦେବଗଣେ ॥ ୨୮
ଏ ଯଜ୍ଞ ଆଦି ଯେତେ ମୁନି । ସଙ୍ଗତେ ବେଦତତ୍ତ୍ୱ ଘେନି ॥ ୨୯
କେ ଜାଣି ପାରିବ ପ୍ରମାଣ । ସେ ଆତ୍ମତନ୍ତ୍ର ଭଗବାନ ॥ ୩୦
ଏବେ ସକଳେ ଚାଲ ଯିବା । ସେ ରୁଦ୍ର ଚରଣେ ନମିବା ॥ ୩୧
ସ୍ତୁତି କରିବା ନାନାମତେ । ଯେମନ୍ତେ ଦୟା ବହେ ଚିତ୍ତେ ॥ ୩୨
ଏମନ୍ତ କହି ପଦ୍ମଯୋନି । ସଙ୍ଗେ ସକଳ ଦେବ ଘେନି ॥ ୩୩
ଅଗ୍ରେ ଚଳିଲେ ବ୍ରହ୍ମା ପୁଣ । ଯକ୍ଷ କିନ୍ନର ଋଷିଗଣ ॥ ୩୪
ସିଦ୍ଧ ଚାରଣ ପିତୃତୁଲେ । ସର୍ବେ ଚଳିଲେ ବ୍ରହ୍ମାବୋଲେ ॥ ୩୫
ଈଶ୍ୱର ଦରଶନ ଆଶେ । ମିଳିଲେ କଇଳାସ ଦେଶେ ॥ ୩୬
ଯେ ବନେ ବସେ ସଦାଶିବ । ତାର ମହିମା କେ ବିର୍ଣ୍ଣିବ ॥ ୩୭
ଜନ୍ମ ଔଷଧି ତପ ମନ୍ତ୍ରେ । ଯୋଗେ ସଂସିଦ୍ଧ ଯୋଗୀଯୂଥେ ॥ ୩୮
ଯକ୍ଷ କିନ୍ନର ବିଦ୍ୟାଧରୀ । ଗନ୍ଧର୍ବ ମୁନି ଅପସରୀ ॥ ୩୯
ସର୍ବେ ବସନ୍ତି ସିଦ୍ଧବନେ । ଅଶେଷ ଯୋଗୀ ଯୋଗଧ୍ୟାନେ ॥ ୪୦
ଅଶେଷ ମଣି-ରତ୍ନରେଖେ । ଶୃଙ୍ଗ ବିରାଜେ ଗିରି ଶିଖେ ॥ ୪୧
ଦେହେ ବିରାଜେ ନାନାଧାତୁ । ଅତି ଆନନ୍ଦ ରୂପ ହେତୁ ॥ ୪୨
ବିରାଜେ ନାନା ଗୁଳ୍ମ ଲତା । କେ ତା ବର୍ଣ୍ଣନେ ସାମରଥା ॥ ୪୩
ଆନନ୍ଦେ ମନୋହର ସ୍ଥାନେ । କ୍ରୀଡନ୍ତି ନାନା ପଶୁଗଣେ ॥ ୪୪
ଅନେକ କନ୍ଦର ଗମ୍ଭୀରା । ବହନ୍ତି ପ୍ରସ୍ରବଣ ଧାରା ॥ ୪୫
ରମଣ ତୁଲେ ନାରୀଗଣେ । ରମନ୍ତି ସିଦ୍ଧସ୍ତିରୀମାନେ ॥ ୪୬
ମୟୂର କେକାନାଦ ବାଣୀ । ଯେ ବନେ ମନୋହର ଶୁଣି ॥ ୪୭
କୋମଳକଣ୍ଠେ ପକ୍ଷୀଗଣେ । ନାଦ କରନ୍ତି ଘୋରବନେ ॥ ୪୮
ବସନ୍ତି କଳ୍ପଦ୍ରୁମ ପନ୍ତି । କି ଅବା ପକ୍ଷୀଙ୍କି ଡାକନ୍ତି ॥ ୪୯
ମତ୍ତ-ମାତଙ୍ଗ ଛଳେ ଚଳେ । ଗର୍ଜଇ କ୍ଷୁଦ୍ର-ନଦୀଜଳେ ॥ ୫୦
ମନ୍ଦାର ପାରିଜାତ ଦ୍ରୁମ । ସରଳ କୋବିଦାର ବନ ॥ ୫୧
ତମାଳ ଶାଳ ତାଳବନ । ଆବର ଅସନ ଅର୍ଜୁନ ॥ ୫୨
ଚୂତ କଦମ୍ବ ନାଗେଶ୍ୱର । ପୁନ୍ନାଗ ଚମ୍ପା କରବୀର ॥ ୫୩
ପାଟଳୀ ଅଶୋକ ଅନେକ । ବକୁଳ କୁନ୍ଦ କୁରୁବକ ॥ ୫୪
ସୁନାରୀ ଶତପତ୍ର ଜାତୀ । ମଲ୍ଳିକା ମାଧବୀ ଯେ ଯୂଥୀ ॥ ୫୫
ପନସ ଉଦୁମ୍ବର ପ୍ଲକ୍ଷ । ବଟ ଅଶ୍ୱତ୍ଥ ହିଙ୍ଗୁବୃକ୍ଷ ॥ ୫୬
ଖର୍ଜୁର ଜମ୍ବୁ ଯେ କ୍ରମୁକ । ଆମ୍ର ପିଆଳ ଆମ୍ରାତକ ॥ ୫୭
ଭୂର୍ଜ ଔଷଧି ଯେ ମଧୁକ । ଇଙ୍ଗୁଦ ବେଣୁ ଯେ କୀଚକ ॥ ୫୮
ବୃକ୍ଷେ ଅଛନ୍ତି ନାନାବର୍ଣ୍ଣେ । ଶୋଭନ କଇଳାସ ବନେ ॥ ୫୯
କୁମୁଦ ଉତ୍ପଳ କହ୍ନାର । ଶତପତ୍ରରେ ଶୋହେ ନୀର ॥ ୬୦
ଆନନ୍ଦମନେ ପକ୍ଷୀକୁଳ । ଗଭୀରନାଦେ କୁତୂହଳ ॥ ୬୧
ମୃଗ ବାନର କୋଳଯୂଥ । ସିଂହ ଶାୂର୍ଦ୍ଦୂଳ ଗଜଯୂଥ ॥ ୬୨
ବୟ ବ୍ୟାଘ୍ର ଋକ୍ଷଦଳ । ରୁରୁ ମହିଷ ଶଶାକୁଳ ॥ ୬୩
ଅରଣ୍ୟେ ମୃଗନାଭି ଆଦି । କେ କହୁ ସେ ବନ ପ୍ରସିଦ୍ଧି ॥ ୬୪
ସୁନ୍ଦର ଶୋହେ ରମ୍ଭାବନ । ଦେଖନ୍ତେ ମୋହେ ପ୍ରାଣୀମନ ॥ ୬୫
ବହଇ ତହିଁ ନଦୀ ନନ୍ଦା । ସତୀ ସ୍ନାନରେ ପୁଣ୍ୟଗନ୍ଧା ॥ ୬୬
ଏମନ୍ତ ବିଶ୍ୱନାଥ-ବନେ । ଦେଖି ସାନନ୍ଦ ଦେବଗଣେ ॥ ୬୭
ମନେ ବିସ୍ମୟ ପାଇ ବେଗେ । ଦେବେ ଚାହାଁନ୍ତି ଦଶଦିଗେ ॥ ୬୮
ତାର ଉପର ପୁରେ ଯାଇ । ଅଳକାପୁରୀକୁ ଅନାଇ ॥ ୬୯
ସୁଗନ୍ଧ ନାମେ ବନ ଯହିଁ । ହେମପଙ୍କଜ ବିରାଜଇ ॥ ୭୦
ନନ୍ଦା-ଅଳକନନ୍ଦା ନଦୀ । ବହନ୍ତି ବାମଦକ୍ଷ ଭେଦି ॥ ୭୧
ବିଷ୍ଣୁ-ଚରଣ-ରଜ ଲାଗି । ସେ ନଦୀ ଅତି ସଉଭାଗୀ ॥ ୭୨
ଯେ ନଦୀଜଳେ ସୁରନାରୀ । ରମନ୍ତି ନାନା-କ୍ରୀଡା କରି ॥ ୭୩
କୁଚ-କୁଙ୍କମ ଜଳେ ମିଶେ । ସ୍ୱଭାବେ ସୁମଞ୍ଜୁଳ ଦିଶେ ॥ ୭୪
କରିଣୀ ତୁଲେ ହସ୍ତୀବଳ । ନିତ୍ୟେ ପିବନ୍ତି ଯାର ଜଳ ॥ ୭୫
ଯେବେ ପିପାସା ତା ନଥାଇ । ତଥାପି ତା ପାନ କରଇ ॥ ୭୬
ଆନନ୍ଦେ ପଦ୍ମବନେ ପଶି । କ୍ରୀଡା ଆନନ୍ଦେ ମନତୋଷି ॥ ୭୭
ସେ ନଦୀକୂଳେ ଉପଗତ । ରତ୍ନବିମାନ ଯୂଥଯୂଥ ॥ ୭୮
ପୁଣ୍ୟଜନଙ୍କ ପରିମଳ । ମିଶି ସୁଗନ୍ଧ ଗଙ୍ଗାଜଳ ॥ ୭୯
ତଡିତ ଯେହ୍ନେ ନୀଳମେଘେ । ଶୋଭା ଦିଶନ୍ତି ଦଶଦିଗେ ॥ ୮୦
ଏମନ୍ତ କୁବେର ନଗରୀ । ସୁଗନ୍ଧବନ ଆଦି କରି ॥ ୮୧
ଯହିଁରେ କଳ୍ପବୃକ୍ଷ ପ୍ରାୟେ । ଫଳ ପଲ୍ଲବ ପୁଷ୍ପ୍ ଶୋହେ ॥ ୮୨
କୋମଳ କଣ୍ଠ-ନାଦ ପକ୍ଷୀ । ଭୃଙ୍ଗ ଶବଦ ଯହିଁ ଲକ୍ଷି ॥ ୮୩
ଜଳରେ କଳହଂସଗଣେ । କ୍ରୀଡା କରନ୍ତି ପଦ୍ମବନେ ॥ ୮୪
ହରିଚନ୍ଦନ-ବାୟୁ ସଙ୍ଗେ । ମତ୍ତମାତଙ୍ଗଗଣ ରଙ୍ଗେ ॥ ୮୫
ବୈଡୁର୍ଯ୍ୟ ବାପୀ କୂପସ୍ଥାନେ । ନିବିଡ-ପ୍ରବନ୍ଧ-ସୋପାନେ ॥ ୮୬
ସ୍ୱଭାବେ ଉତ୍ପଳ-ମାଳିନୀ । ବିରାଜେ ଗନ୍ଧଗୁଣ ଘେନି ॥ ୮୭
ସେବନେ ଦେଖେ ବଟବୃକ୍ଷ । ଯହିଁ କିନ୍ନର ଗଣ ରକ୍ଷ ॥ ୮୮
ଶତେଯୋଜନ ଉଚ୍ଚ ଶୋହେ । ସୁନ୍ଦର ରୂପେ ଜନ ମୋହେ ॥ ୮୯
ସେ ବୃକ୍ଷଛାୟା ଦେହେ ଲାଗି । ପ୍ରାଣୀ ହୁଅନ୍ତି ସଉଭାଗୀ ॥ ୯୦
ଏମନ୍ତେ ସର୍ବ ଦେବଗଣେ । ମିଳିଲେ ମହାରୁଦ୍ର-ସ୍ଥାନେ ॥ ୯୧
ଦେଖିଲେ ବଟବୃକ୍ଷ ମୂଳେ । ନିବିଡ-ଆସନ ନିଶ୍ଚଳେ ॥ ୯୨
କୋପ ରହିତ ଯମ ପ୍ରାୟ । ବିଭୂତି ବିଲେପନ କାୟ ॥ ୯୩
ସନକ ଆଦି ସପ୍ତମୁନି । ସଙ୍ଗେ ଅନେକ ଶିଷ୍ୟଘେନି ॥ ୯୪
ଯକ୍ଷ-ଗୁହ୍ୟକଙ୍କ ନାୟକ । ଯେ ଭକ୍ତିଯୋଗେ ଉପାସକ ॥ ୯୫
ବିଦ୍ୟା ତପସ୍ୟା ଯୋଗ ଆଦି । ସକଳେ ଖଟନ୍ତି ସବିଧି ॥ ୯୬
ବିଶ୍ୱ-ସୁହୃଦ ଯା ମହିମା । ସର୍ବମଙ୍ଗଳ ଏକସୀମା ॥ ୯୭
ତପସ୍ୟା ଅଭ୍ୟାସିତ ଅଙ୍ଗ । ଯାର ଶରୀର ସିଦ୍ଧ ଲିଙ୍ଗ ॥ ୯୮
ଜଟା ଅଜିନ ଭସ୍ମ ଦଣ୍ତ । ଶିରେ ରଞ୍ଜିତ ଇନ୍ଦୁଖଣ୍ତ ॥ ୯୯
ସନ୍ଧ୍ୟା ସମୟେ ମେଘପ୍ରଭା । ତେମନ୍ତ ତାଙ୍କ ଅଙ୍ଗ ଶୋଭା ॥ ୧୦୦
କୁଶ ଆସନ ମଧ୍ୟେ ବସି । ପରମବ୍ରହ୍ମ ପରକାଶି ॥ ୧୦୧
ନାରଦ ମୁଖ ଚାହିଁ ଧୀରେ । ବଚନ କହନ୍ତି ମଧୁରେ ॥ ୧୦୨
ଦକ୍ଷିଣ-ଜାନୁର ଉପରେ । ବାମ-ଚରଣ ସ୍ଥାପି ଧୀରେ ॥ ୧୦୩
ବାମ-ଜାନୁରେ ବାମକର । ଦକ୍ଷ-କରରେ ଅକ୍ଷମାଳ ॥ ୧୦୪
ଚାହାଁନ୍ତି ବେନି ବାହୁ-ମୂଳେ । ଅରୁଣବର୍ଣ୍ଣ ବେନିଡୋଳେ ॥ ୧୦୫
ସ୍ୱଭାବେ ତର୍କ-ମୁଦ୍ରାଧାରୀ । ଯେ ରୂପେ ସଂସାର ସଂହାରି ॥ ୧୦୬
ନିଶ୍ଚଳ ସମାଧି ଧାରଣେ । ଦେଖିଲେ ସର୍ବ-ଦେବଗଣେ ॥ ୧୦୭
ସକଳ-ଋଷି ସଙ୍ଗମେଳେ । ଇନ୍ଦ୍ରାଦି ଦଶଦିଗପାଳେ ॥ ୧୦୮
ବ୍ରହ୍ମା ସହିଣେ ସର୍ବଜନ । ଚାହିଁଲେ ରୁଦ୍ରଙ୍କ ବଦନ ॥ ୧୦୯
ଜୟ-ଶରଦ କରି ତୁଣ୍ତେ । ରୁଦ୍ର ଚରଣେ ନମି ମୁଣ୍ତେ ॥ ୧୧୦
ଯେ ହର ମନୁଙ୍କର ମନୁ । ଭକ୍ତଜନଙ୍କ କାମଧେନୁ ॥ ୧୧୧
ଜାଣିଲେ ସେ ନୀଳଲୋହିତ । ବ୍ରହ୍ମା ଯେ ଚରଣେ ପତିତ ॥ ୧୧୨
ସେ ସୁର-ଅସୁର-ନାୟକ । ଚରଣେ ନତ ସର୍ବଲୋକ ॥ ୧୧୩
ତା ଦେଖି ବ୍ୟଗ୍ର ହୋଇ ହର । ନମିଲେ ବ୍ରହ୍ମାର ପୟର ॥ ୧୧୪
ଯେ ରୂପେ କଶ୍ୟପ ଚରଣ । ବନ୍ଦନ କଲେ ସେ ବାମନ ॥ ୧୧୫
ନାରଦ ଆଦି ସିଦ୍ଧଗଣ । ବନ୍ଦିଲେ ବ୍ରହ୍ମାର ଚରଣ ॥ ୧୧୬
ସ୍ୱଭାବେ ମନ୍ଦ-ମନ୍ଦ ହସି । ଅମୃତ ବାକ୍ୟେ ମନତୋଷିବ ॥ ୧୧୭
ବ୍ରହ୍ମା କହନ୍ତି କରଯୋଡି । ଚରଣେ ପୁନଃପୁନଃ ପଡି ॥ ୧୧୮
ବ୍ରହ୍ମାଉବାଚ
ତୁ ନାଥ ଜଗତ-ଈଶ୍ୱର । ସଂସାର ତୋର ଖେଡଘର ॥ ୧୧୯
ତୁ ଏ ଜଗତ ବୀଜଯୋନି । ସୃଷ୍ଟି ସଂହାରୁ ମାୟାଘେନି ॥ ୧୨୦
ତୁ ନାଥ ଜଗତ-ଈଶ୍ୱର । ନିର୍ଲେପ ବ୍ରହ୍ମ ନିରାକାର ॥ ୧୨୧
ତୁ ଶିବ-ଶକ୍ତି-ରୂପ ଧରୁ । ସଂସାରେ ଖେଡଘର କରୁ ॥ ୧୨୨
ସୃଜି ପାଳିଣ କରୁ ଅନ୍ତ । ଏ ବିଶ୍ୱ ଉର୍ଣ୍ଣନାଭବତ ॥ ୧୨୩
କ୍ରୀଡା ବିହାରେ ମାୟା କରି । ତୁ କ୍ରୀଡୁ ମାୟାରୂପ ଧରି ॥ ୧୨୪
କାହୁଁ ଜାଣିବେ ଦକ୍ଷ ତୋତେ । ଯେଣୁ ଭ୍ରମଇ ଏ ଜଗତେ ॥ ୧୨୫
ଧର୍ମାର୍ଥ କାମ ଯହୁଁ ଝରେ । ଯେ ଯଜ୍ଞଧେନୁ ରୂପ ଧରେ ॥ ୧୨୬
ତୁ ତାହା ସର୍ଜଛୁ ଜଗତେ । ସଂସାର ଭ୍ରମଣ ନିମନ୍ତେ ॥ ୧୨୭
ସେ ମାୟା ସଂସାର ବନ୍ଧନେ । ଯନ୍ତ୍ରିତ ହୋଇ ମହାଜନେ ॥ ୧୨୮
କଳ୍ପନ୍ତି ନାନା କର୍ମ ବିଧି । ତୁ ସେ ସକଳ ଫଳ ସିଦ୍ଧି ॥ ୧୨୯
ମଙ୍ଗଳକ୍ରିୟାକର୍ମ-ଫଳ । ତୁ ସେ ଅନାଦି ଆଦିମୂଳ ॥ ୧୩୦
ସକଳଜନ ପରିତ୍ରାଣେ । ଭ୍ରମଣ କରୁ ଅନୁକ୍ଷଣେ ॥ ୧୩୧
ଅମଙ୍ଗଳକୁ ତମ ହେଉ । ଧର୍ମ ତୁ ସଦାକାଳେ ବହୁ ॥ ୧୩୨
ସ୍ୱର୍ଗାଦି ଫଳଦାତା ତୁହି । ତୋ ବିନୁ ଅନ୍ୟ କେହି ନାହିଁ ॥ ୧୩୩
ତୁ ନାଥ ସର୍ବଫଳ ଦେଉ । ତୋର ମହିମା କେବା କହୁ ॥ ୧୩୪
ଯେବା ଅଶୁଭ-କର୍ମ କରେ । ନରକେ ପଡେ ସେହୁ ଘୋରେ ॥ ୧୩୫
ଅସାଧୁଜନେ ତୁମ୍ଭ ରୋଷ । ସାଧୁରେ ନୁହଇ ପ୍ରକାଶ ॥ ୧୩୬
ଯେ ସାଧୁଜନେ କର୍ମ କରି । ଭାବ ପ୍ରଭାବେ ମୋଦ ଭରି ॥ ୧୩୭
ସେ ଫଳ ତୋତେ ସମର୍ପନ୍ତି । ମାୟାପଟଳୁ ତରି ଯାନ୍ତି ॥ ୧୩୮
ଯେ ଲୋଭବଶେ ତାହା ଚିନ୍ତି । ପଶୁଙ୍କ ପ୍ରାୟ ସେ ଭୁଞ୍ଜନ୍ତି ॥ ୧୩୯
ସେ କାହିଁ ସମ୍ପାଦିବେ ତୋତେ । ଏଣୁ ଭ୍ରମନ୍ତି ଏ ଜଗତେ ॥ ୧୪୦
ଯେ ଭେଦଦର୍ଶୀ ଦୁଷ୍ଟାଶୟ । କେବଳ କର୍ମରତ ପ୍ରାୟ ॥ ୧୪୧
ପରର ଉଦୟେ ସର୍ବଥା । ଯାହାର ହୃଦୟରେ ବ୍ୟଥାା ॥ ୧୪୨
ସର୍ବଦା ବୋଲି ଦୁଷ୍ଟକଥା । ଦିଅଇ ପର ମର୍ମବ୍ୟଥା ॥ ୧୪୩
ଯେ ପଦ୍ମନାଭର ମାୟାରେ । ମୋହିତ ଭେଦ ଜ୍ଞାନୀ ନରେ ॥ ୧୪୪
ତାହାଙ୍କ ପ୍ରତି ସାଧୁଜନା । କରନ୍ତି ଦୟା ପ୍ରକାଶନ ॥ ୧୪୫
ଯେବା ସ୍ୱଧର୍ମ ଅନୁଗତ । ତାହାରେ ଦୟାତ ଉଚିତ ॥ ୧୪୬
ତୁହିତ ଯଜ୍ଞ ଫଳଦାତା । ସକଳ ଯଜ୍ଞଭାଗ-ଭୋକ୍ତା ॥ ୧୪୭
କୁତ୍ସିତ ଯଜ୍ଞକାରୀମାନ । ନ କଲେ ଯଜ୍ଞଭାଗ ଦାନ ॥ ୧୪୮
ତେଣୁ ଦକ୍ଷର ଯଜ୍ଞହତ । ହୋଇଣ ଅଛି ଅସମାପ୍ତ ॥ ୧୪୯
ତୋତେ ନ ଜାଣି ପ୍ରଜାପତି । ଦୁର୍ଗତି ଲଭିଲା ଦୁର୍ମତି ॥ ୧୫୦
ଆମ୍ଭ ଭକତି ହୃଦେ ଧର । ଏହାକୁ ଅନୁଗ୍ରହ କର ॥ ୧୫୧
ଏ ପୁଣି ଯଜ୍ଞଶାଳେ ମଲା । ସଂସାରେ ଯଶ ତୋ ରହିଲା ॥ ୧୫୨
ଏବେ ମୋହାର ବୋଲକର । ଏହାର ଯଜ୍ଞ ତୁ ଉଦ୍ଧର ॥ ୧୫୩
ଏ ଯଜ୍ଞେ ତୋ ଭାଗ ନ ଦେଲେ । ଏଣୁ ଏ ଜୀବ ଥାଉଁ ମଲେ ॥ ୧୫୪
ଏହାକୁ ଏ ଦଣ୍ତ ଉଚିତ । ଯେଣୁ ନିନ୍ଦିଲେ ବିଶ୍ୱନାଥ ॥ ୧୫୫
ଏବେ ତୁ ଏହାଙ୍କୁ ଜୀଆଅ । ଭଗକୁ ଚକ୍ଷୁଦାନ ଦିଅ ॥ ୧୫୬
ଭୃଗୁର ଦାଢ଼ି ଏବେ ରୋପ । ପୂଷାର ଦନ୍ତ ପାଟି ସ୍ଥାପ ॥ ୧୫୭
ତୋ ସୈନ୍ୟ ଶସ୍ତ୍ର ବରଷଣେ । ଭୟେ ଭାଜିଲେ ଦେବଗଣେ ॥ ୧୫୮
ତୋ ତ୍ରାସେ ଛିନ୍ନଛିନ୍ନ ହୋଇ । ଭୁବନେ ନ ପାରିଲେ ରହି ॥ ୧୫୯
ଋତ୍ୱିଜଗଣ ସେହି ମତ । ତାହାଙ୍କୁ ରଖ ବିଶ୍ୱନାଥ ॥ ୧୬୦
ଯଜ୍ଞେ ତୋ ରୁଦ୍ରଭାଗ ଶେଷେ । ସାଧିବା ମନ୍ତ୍ର ଉପଦେଶେ ॥ ୧୬୧
ହେ ରୁଦ୍ର ନିଜ ଭାଗ ପାଇ । ଯଜ୍ଞ ସମ୍ପୂର୍ଣ୍ଣ କର ତୁହି ॥ ୧୬୨
ଏମନ୍ତ କହି ପଦ୍ମଯୋନି । ନମିଳେ ଦେବଗଣ ଘେନି ॥ ୧୬୩
ସେ ରୁଦ୍ର ଚରଣପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୧୬୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ
ସଂହିତାୟାଂ ଚତୁର୍ଥସ୍କନ୍ଧେ ରୁଦ୍ରସାନ୍ତ୍ୱନଂ ନାମ ଷଷ୍ଠୋଽଧ୍ୟାୟଃ ॥
* * *