ଚତୁର୍ଥ ସ୍କନ୍ଧ
ପଞ୍ଚମ ଅଧ୍ୟାୟ
କହେ ମୈତ୍ରେୟ ମୁନିବର । ସାନନ୍ଦେ ଶୁଣ ହେ ବିଦୁର ॥ ୧
ମୈତ୍ରେୟ ଉବାଚ
ନାରଦ ବାକ୍ୟ ଅବଧାନେ । ରୁଦ୍ର ଉଠିଲେ କୋପମନେ ॥ ୨
ଦକ୍ଷର ଯଜ୍ଞ ନାଶ ଅର୍ଥେ । କୋପ ବସିଲା ରୁଦ୍ରଚିତ୍ତେ ॥ ୩
ରୁଦ୍ର ବଦନେ କୋପ ଦେଖି । ବିବୁଧେ ଗଗନ ଉପେକ୍ଷି ॥ ୪
କମ୍ପିଲେ ରୁଦ୍ର କୋପ ଶୁଣି । ମହାପ୍ରଳୟ ପ୍ରାୟ ମଣି ॥ ୫
ଦନ୍ତେ କାମୋଡି ଓଷ୍ଠ ପାଟି । ପ୍ରଚଣ୍ତ କରାଳ ଭ୍ରୂକୁଟୀ ॥ ୬
ଜଟାକଳାପେ ଅଗ୍ନିଜଳେ । ଦେଖି କମ୍ପିଲେ ଦିଗପାଳେ ॥ ୭
ସେ ଏକ ଜଟା ଉପାଡିଣ । ଭୂମିରେ କଲେ ନିକ୍ଷେପଣ ॥ ୮
ସେ ଜଟା ଭୂମିରେ ପଡିଲା । ତହଁରୁ ପୁରୁଷେ ଜନ୍ମିଲା ॥ ୯
ତାହାର ନାମ ବୀରଭଦ୍ର । ପ୍ରଳୟକାଳେ ଯେହ୍ନେ ରୁଦ୍ର ॥ ୧୦
ସହସ୍ରବାହୁ ମେଘବର୍ଣ୍ଣ । ଅନଳ ପ୍ରାୟେକ ନୟନ ॥ ୧୧
କୋଟିଏ ସୂର୍ଯ୍ୟ ତେଜ ଯେହ୍ନେ । ଦେଖି ପଳାନ୍ତି ସର୍ବଜନେ ॥ ୧୨
କରାଳ-ଦଂଷ୍ଟ୍ର ଶୋହେ ତୁଣ୍ତେ । ଅଗ୍ନି ଜ୍ୱଳଇ ଶିଖା ଖଣ୍ତେ ॥ ୧୩
ନାନା ଆୟୁଧ ଶୋହେ କରେ । ମୁଣ୍ତମାଳାଏ ଲମ୍ବେ ଉରେ ॥ ୧୪
ରୁଦ୍ରଙ୍କୁ ଚାହିଁ କରଯୋଡି । ବୋଲଇ ଅଧର କାମୋଡି ॥ ୧୫
କହ ତୁ କି କରିବି ମୁହିଁ । ରୁଦ୍ର ବୋଲନ୍ତି ତାକୁ ଚାହିଁ ॥ ୧୬
ତୁ ହୁଅ ଗଣଙ୍କ ଈଶ୍ୱର । ଏବେ ତୁ ମୋର ବୋଲ କର ॥ ୧୭
ଦକ୍ଷର ପ୍ରାଣ ଯଜ୍ଞ ସଙ୍ଗେ । ବିନାଶ କର ରଣରଙ୍ଗେ ॥ ୧୮
ତୁ ମୋର ଅଂଶ ଆତ୍ମାରୂପୀ । ସହସ୍ରଭୁଜ ଶୂନ୍ୟେ ବ୍ୟାପି ॥ ୧୯
ଦକ୍ଷର ଯଜ୍ଞ ନାଶ କର । ତାହାର ପ୍ରାଣ ବେଗେ ହର ॥ ୨୦
ଏମନ୍ତ ରୁଦ୍ର ଆଜ୍ଞା ପାଇ । କୋପେ କମ୍ପଇ ତାର ଦେହୀ ॥ ୨୧
ଜଳଇ ଅତି କୋପାନଳେ । ନମିଲା ରୁଦ୍ର ପାଦତଳେ ॥ ୨୨
ସ୍ୱଭାବେ ରୁଦ୍ର-ଆତ୍ମା ସେହି । ତାର ମହିମା କେ ବା କହି ॥ ୨୩
ଚଳିଲା ରୁଦ୍ରଗଣ ଘେନି । ଶବଦେ କମ୍ପାଇ ମେଦିନୀ ॥ ୨୪
ଗର୍ଜଇ ଭଇରବ ନାଦେ । ବେଗେ ଧାମଇଁ ଦ୍ରୁତପଦେ ॥ ୨୫
ଶୂଳ ବୁଲାଇ ଦକ୍ଷକରେ । ନୂପୁର ବାଜଇ ପୟରେ ॥ ୨୬
ଧାମଇଁ ପବନହୁଁ ବେଗେ । ବୀର ଉତ୍ତରଦିଗଭାଗେ ॥ ୨୭
ସକଳ ପାରିଷଦ ଗଣେ । ନାନା ଆୟୁଧ ତୀକ୍ଷ୍ଣବାଣେ ॥ ୨୮
ଅତି ପ୍ରଚଣ୍ତ କୋପଭରି । ଧାଇଁଲେ ଘୋରନାଦ କରି ॥ ୨୯
ଶବଦେ ଦଶଦିଗ ପୂରେ । ଧୂଳି ଉଡଇ ପାଦଭରେ ॥ ୩୦
ବିପ୍ରେ ଯେ ଥିଲେ ଯଜ୍ଞଶାଳେ । ଧୂଳି ଦେଖିଲେ ଅନ୍ତରାଳେ ॥ ୩୧
ଉତ୍ତରଦିଗେ ରେଣୁ ଦେଖି । ଉଠିଲେ ଯଜ୍ଞକୁ ଉପେକ୍ଷି ॥ ୩୨
ଉତ୍ତରଦିଗକୁ ଅନାଇ । ବୋଲନ୍ତି ଏକୁ ଆରେ ଚାହିଁ ॥ ୩୩
ଦେଖ ଦିବସେ ଘୋରତମ । ଦିଗ ନ ଦିଶେ ବାତଭ୍ରମ ॥ ୩୪
ଏମନ୍ତେ ଦେବ-ବିପ୍ରନାରୀ । ଦେଖନ୍ତି ହସ୍ତେ ହସ୍ତ ଧୟୂ ॥ ୩୫
ବୋଲନ୍ତି ଏ କି ତମଘୋର । ଦିଶଇ ଅତି ଭୟଙ୍କର ॥ ୩୬
ପ୍ରଚଣ୍ତ ନ ବହେ ପବନ । ତମେ ଆଚ୍ଛାଦିଲା ଗଗନ ॥ ୩୭
ପ୍ରାଚୀନବର୍ହି ଦଣ୍ତଧାରୀ । ଯେଣୁ ଅଛଇ ପ୍ରାଣ ଧରି ॥ ୩୮
ତାଙ୍କ ପ୍ରସାଦେ ଦସ୍ୟୁ ନାହିଁ । ଉତ୍ପାତ ହେଲା କିସ ପାଇଁ ॥ ୩୯
ଗୋରୁ ଚରଣ ଧୂଳି ନୋହେ । ଏ କି ତିମିର କାହୁଁ ହୋଏ ॥ ୪୦
ଆଜ କି ପ୍ରଳୟ ହୋଇବ । ବାମ କି ହୋଇଲା ଦଇବ ॥ ୪୧
ପ୍ରସୂତି ଆଦି ବାମା ଯେତେ । ଉଠି ଚାହାନ୍ତି ଦୁଃଖ ଚିତ୍ତେ ॥ ୪୨
ସେର୍ବ ଦୁଃଖିତମନା ହୋଇ । ପ୍ରଚଣ୍ତ ବାତକୁ ଅନାଇଁ ॥ ୪୩
ନିଶ୍ଚୟ ସେହି ପାପଫଳ । ସତୀର ଅପମାନ ମୂଳ ॥ ୪୪
ଏମନ୍ତ ଶୁଣି ବ୍ୟାସସୁତ । ଅଦ୍ଭୁତ ରୁଦ୍ରର ଚରିତ ॥ ୪୫
ଯେ ରୁଦ୍ର ପ୍ରଳୟ କାଳରେ । ତୀକ୍ଷ୍ଣ ତ୍ରିଶୂଳ ଧରି କରେ ॥ ୪୬
ନୃତ୍ୟ କରନ୍ତି ଅତି ବେଗେ । ଦେଖି ପଳାନ୍ତି ଦିଗନାଗେ ॥ ୪୭
ସହସ୍ରଭୁଜ ଉର୍ଦ୍ଧ୍ୱେ କରି । ନଟର ପ୍ରାୟେ ବେଶ ଧରି ॥ ୪୮
ଚଣ୍ତାଟ୍ଟହାସ ଶୋହେ ତୁଣ୍ତେ । ଯେହ୍ନେ ବିଜୁଳି ମେଘଖଣ୍ତେ ॥ ୪୯
ଅସହ୍ୟ ତେଜ ଯୋଗବଳ । ଦିଶଇ ଭ୍ରୂକୁଟୀ କୁଟିଳ ॥ ୫୦
କରାଳ ଦଂଷ୍ଟ୍ର ଶୋହେ ତୁଣ୍ତେ । ତେଜେ ନକ୍ଷତ୍ରଗଣ ଖଣ୍ତେ ॥ ୫୧
ତାରେ ଦୋରେନ୍ଦ୍ରା କରି କେହି । ବିଧାତା ହେଲେ ରକ୍ଷା ନାହିଁ ॥ ୫୨
ଦକ୍ଷକୁ ଚାହିଁ ସଭାଜନେ । ବୋଲନ୍ତି ଅତି ଦୁଃଖମନେ ॥ ୫୩
ଦେଖ ଏହାର କର୍ମଫଳେ । ଆଜ ତ ନଶିଲୁ ସକଳେ ॥ ୫୪
ଘୋର-ଉତ୍ପାତ ଦୁଃଖମନେ । ଭୟେ ଲୁଚିଲେ ସର୍ବଜନେ ॥ ୫୫
କେ କହୁ ଜନଙ୍କ ବିକଳ । ତକ୍ଷଣେ ମିଳି ରୁଦ୍ରବଳ ॥ ୫୬
ନାନା ଆୟୁଧ ଧରି କରେ । ବେଗେ ବେଢିଲେ ଯଜ୍ଞଘରେ ॥ ୫୭
ପୀତ ପିଙ୍ଗଳ ଦିଶେ ବର୍ଣ୍ଣ । କେହି ବା ମକର ଆନନ ॥ ୫୮
ଶବଦେ ଗଗନ ଉଛୁଳେ । ବେଗେ ପଶିଲେ ଯଜ୍ଞଶାଳେ ॥ ୫୯
କେହୁ ଭାଙ୍ଗନ୍ତି ଯଜ୍ଞବାସ । କେ ପତ୍ନୀଶାଳା କରେ ନାଶ ॥ ୬୦
କେ ପାକଶାଳେ ପ୍ରବେଶନ୍ତି । କେ ଯଜ୍ଞପାତ୍ରକୁ ଭାଙ୍ଗନ୍ତି ॥ ୬୧
କେ ଯଜ୍ଞକୁଣ୍ତରେ ମିଳନ୍ତି । ମୂତ୍ର ପୁରୀଷ ଉତ୍ସର୍ଗନ୍ତି ॥ ୬୨
କେ ଭୟଙ୍କର ନାଦକଲେ । ଯଜ୍ଞ ମେଖଳା ବେଦୀ ତୁଲେ ॥ ୬୩
ଭାଙ୍ଗିଲେ ଅତି କୋପଭରେ । ଶୂଳ ବୁଲାଇ ଦକ୍ଷକରେ ॥ ୬୪
କେ ଧାଏଁ ମୁନିଙ୍କ ଉପରେ । ତର୍ଜନ୍ତି ଅତି କୋପଭରେ ॥ ୬୫
ସ୍ତିରୀଗଣଙ୍କ ମଧ୍ୟେ ପଶି । ରାହୁ ଯେସନେ ଗ୍ରାସେ ଶଶୀ ॥ ୬୬
ଦେବେ ପଳାନ୍ତି ତାହା ଦେଖି । ଯଜ୍ଞର ଭାଗକୁ ଉପେକ୍ଷି ॥ ୬୭
ତାହାଙ୍କୁ ରୁଦ୍ରଗଣେ ଦେଖି । ଧାଇଁଲେ ଦୟାକୁ ଉପେକ୍ଷି ॥ ୬୮
ଭୃଗୁକୁ ମଣିମାନ ବାନ୍ଧେ । ତା ଦେଖି ପ୍ରଜାପତି କାନ୍ଦେ ॥ ୬୯
ଦକ୍ଷକୁ ବୀରଭଦ୍ର ଧରି । ପଶୁର ପ୍ରାୟେ ବନ୍ଦୀ କରି ॥ ୭୦
ଚଣ୍ତୀଶ ପୂଷଣକୁ ଧରେ । ଭଗକୁ ଧରେ ନନ୍ଦୀଶ୍ୱରେ ॥ ୭୧
ଯଜ୍ଞେ ଦେବତା ଯେତେ ଥିଲେ । ଋତ୍ୱିଜ ଋଷି ବିପ୍ର ତୁଲେ ॥ ୭୨
ରୁଦ୍ରଗଣଙ୍କ ତେଜ ଦେଖି । ଭାଜିଲେ ଯଜ୍ଞକୁ ଉପେକ୍ଷି ॥ ୭୩
ଭୃଗୁ ଯେ ଯଜ୍ଞେ ହୋମକାରୀ । ଘୃତ କ୍ଷେପନ୍ତି ଶ୍ରୁବ ଧରି ॥ ୭୪
ତାହାଙ୍କ କେଶ ବାମହସ୍ତେ । ରୋଷେ ସେ ଧଇଲେ ତୁରିତେ ॥ ୭୫
ତାହାଙ୍କ ଦାଢି ଦକ୍ଷକରେ । ପୁଣି ଉପାଡି କୋପଭରେ ॥ ୭୬
ସଭାରେ ପଦ୍ମଯୋନିବଳା । ଯେ ଦାଢି ହଲାଇ ହସିଲା ॥ ୭୭
ଉପାଡି ଭୃଗୁ ଲମ୍ବଦାଢି । ଭଗକୁ ରୋଷେ ତଳେ ପାଡି ॥ ୭୮
ଚକ୍ଷୁ ଉପାଡି ନଖ ଅଗ୍ରେ । ପୂର୍ବର ଶାପ ବଇଭୋଗେ ॥ ୭୯
ରୁଦ୍ରଙ୍କୁ ଶାପ ଦେବା ବେଳେ । ଯେଉଁ ଚକ୍ଷୁରେ ଠାରିଥିଲେ ॥ ୮୦
ଦକ୍ଷର ଶିବ-ନିନ୍ଦା କାଳେ । ଅପମାନିତ କୋପାନଳେ ॥ ୮୧
ଦନ୍ତ ଦେଖାଇ ପୂଷା ହସେ । ସେ କଥା ସ୍ମରି ମହାରୋଷେ ॥ ୮୨
ମୁଷ୍ଟି ପ୍ରହାରି ବାମକରେ । ଦନ୍ତ ଝାଡିଲେ ରୋଷଭରେ ॥ ୮୩
କଳିଙ୍ଗ ଦେଶ ରାଜା-ରଦ । ଯେହ୍ନେ ଭାଙ୍ଗିଲେ ବଳଭଦ୍ର ॥ ୮୪
ଦକ୍ଷର ହୃଦେ କର ତାଡି । ରୁଦ୍ର ଯେ ଅଧର କାମୋଡି ॥ ୮୫
ଭୂମିରେ ପାଡିଲେ ଉତ୍ତାନେ । ତୀକ୍ଷ୍ଣ ଖଡଗେ ମୁଣ୍ତ ହାଣେ ॥ ୮୬
ଅକ୍ଷୟ ତାହାର ଶରୀର । ଦେଖି ବିସ୍ମିତି ଶୂଳଧର ॥ ୮୭
ଅବଧ୍ୟ ଦେଖି ତାର ଗତି । ବିସ୍ମୟେ ଭାଳି ପଶୁପତି ॥ ୮୮
ତୀକ୍ଷ୍ଣ-ଖଡଗେ ଛେଦି ଶିର । ସେ ବୀର ହୋଇଲା ବାହାର ॥ ୮୯
ଶିର ପଡିଲା ଅଗ୍ନିକୁଣ୍ତେ । ରହିଲା ମାତ୍ର ମୃତ୍ୟୁପିଣ୍ତେ ॥ ୯୦
ପିଶାଚରଣ ଘେନି ସଙ୍ଗେ । ନାଚିଲେ ବୀରଭଦ୍ର ରଙ୍ଗେ ॥ ୯୧
ଦକ୍ଷ-ସମ୍ପଦ ନାଶ କରି । ଦକ୍ଷିଣଭୂଜେ ଶୂଳ ଧରି ॥ ୯୨
ସେ ବୀର ହୋଇଲେ ବାହାର । ଦେଖି କମ୍ପିଲେ ସୁରନର ॥ ୯୩
ସେ ରୁଦ୍ର-ଚରଣପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ଚତୁର୍ଥସ୍କନ୍ଧେ ଦକ୍ଷଯଜ୍ଞବିଧ୍ୱଂସୋ ନାମ ପଞ୍ଚମୋଽଧ୍ୟାୟଃ ॥
* * *