ଚତୁର୍ଥ ସ୍କନ୍ଧ
ଚତୁର୍ଥ ଅଧ୍ୟାୟ
ମୈତ୍ରେୟ ହରଷେ କହନ୍ତି । ଶୁଣ ବିଦୁର ଶୁଦ୍ଧମତି । ୧
ମୈତ୍ରେୟ ଉବାଚ
ସେ ଶିବ ବଚନରେ ସତୀ । କେବେ ହେଁ ନୋହେ ସ୍ଥିରମତି ॥ ୨
ଏମନ୍ତ ଦେବୀଆଗେ କହି । ରୁଦ୍ର ରହିଳେ ତୁନି ହୋଇ ॥ ୩
ମନେ ଚିନ୍ତନ୍ତି ବିଶ୍ୱନାଥ । ନପୁଣ ହୋଏ ବିପରୀତ ॥ ୪
ମୋପତ୍ନୀ ପିତାଗୃହେ ଗଲେ । ଜୀବନ ନ ଧରିବ ଭଲେ ॥ ୫
ଏହାର ମନ ସ୍ଥିର ନାହିଁ । ନ ଗଲେ ନ ଧରିବ ଦେହୀ ॥ ୬
ବନ୍ଧୁଦର୍ଶନେ ଇଚ୍ଛା ତାର । ହୋଇଛି ଅତି ବଳୀୟାର ॥ ୭
ବାରେକ ହୁଅଇ ବାହାର । ମୋ ଭୟେ ପ୍ରବେଶେ ଗୃହର ॥ ୮
ଏହାର ମନ ସ୍ଥିର ନାହିଁ । ଅବଶ୍ୟ ଯିବ ଏ ନ କହି ॥ ୯
ଏମନ୍ତ ଚିତ୍ତେ ଚିନ୍ତି ହର । କେବେହେଁ ମନ ନୋହେ ସ୍ଥିର ॥ ୧୦
ଚିନ୍ତା ଆକୁଳେ ଦୁଃଖମତି । ନିଜ ଗୁଣଙ୍କୁ ମନେ ଚିନ୍ତି ॥ ୧୧
ଏହାର ସଙ୍ଗେ ଥିବି ମୁହିଁ । ନିଜଗଣଙ୍କୁ ସଙ୍ଗେ ଲଇଁ ॥ ୧୨
ଏମନ୍ତେ ରୁଦ୍ର ଚିନ୍ତା କରୁଁ । ଦେବୀ ଉଠିଲେ ନିଜ ପୁରୁ ॥ ୧୩
ନୟନୁ ବହେ ଅଶ୍ରୁଜଳ । ଶୁଖିଛି ବଦନ-କମଳ ॥ ୧୪
ଶରୀର କମ୍ପେ ରୋଷଚିତ୍ତେ । କଦଳୀବନ ଯେହ୍ନ ବାତେ ॥ ୧୫
ନିଃଶ୍ୱାସ ବହେ ଖରତର । ଶୁଖିଲା ସୁରଙ୍ଗ-ଅଧର ॥ ୧୬
ଅଧୋବଦନେ ମନ ଦୁଃଖୀ । ଚଳିଲେ ଭବଙ୍କୁ ଉପେକ୍ଷି ॥ ୧୭
ଖରେ ଚଳନ୍ତେ ରୋଷଭରେ । ଅବନୀ କମ୍ପେ ପାଦଭରେ ॥ ୧୮
ପିତା ଭୁବନେ ଦେବୀ ଯାନ୍ତେ । କେହି ନାହାନ୍ତି ନିଜସାଥେ ॥ ୧୯
ସ୍ତିରୀ ସ୍ୱଭାବ ମୂଢ଼ମତି । ଯେ ହର ସାଧୁ ଜନ-ପତି ॥ ୨୦
ସ୍ନେହରେ ଅର୍ଦ୍ଧଅଙ୍ଗ ହୋଇ । ସେ ସତୀ ତାଙ୍କୁ ଲଂଘି ଯାଇ ॥ ୨୧
ପିତା ଭୁବନେ ଦେବୀ ଯାନ୍ତେ । ପଛେ ଚଳନ୍ତି ଗଣ ଯୂଥେ ॥ ୨୨
ଶତ ସହସ୍ର ରୁଦ୍ର ଗଣ । ନିକଟେ ମିଳିଲେ ତକ୍ଷଣ ॥ ୨୩
ସତୀଙ୍କୁ ବୃଷଭେ ବସାଇ । ସର୍ବେ ଧାଇଁଲେ ସଜହୋଇ ॥ ୨୪
ମୁଁ ଯିବି ଅମ୍ବିକାର ପଛେ । ମୋ କଥା ଦେଖସି ପ୍ରତ୍ୟକ୍ଷେ ॥ ୨୫
ଏମନ୍ତ ରୁଦ୍ର ଆଗେ କହି । ନନ୍ଦି ଚଳିଲେ ଗଣ ଲଇଁ ॥ ୨୬
ଅମ୍ବିକା ତୁଲେ ନାରୀଯୂଥେ । ମିଳିଲେ ଉପାୟନ ହସ୍ତେ ॥ ୨୭
କନ୍ଦୁକ ଦର୍ପଣ ଅମ୍ବୁଜ । ଶ୍ୱେତାତପତ୍ର ଶ୍ୱେତଧ୍ୱଜ ॥ ୨୮
ବ୍ୟଜନ ପୁଷ୍ପମାଳା ଘେନି । ସଙ୍ଗୀତ-ଗୀତ-ନାଦ-ଧ୍ୱନି ॥ ୨୯
ଦୁନ୍ଦୁଭି ଶଙ୍ଖ ବେଣୁନାଦେ । ସଙ୍ଗତେ ଚଳିଲେ ଆନନେ୍ଦ ॥ ୩୦
ଏମନ୍ତେ ରୁଦ୍ରଗଣେ ଯାଇ । ଯଜ୍ଞ ଦେଖିଲେ ଦୂରେ ରହି ॥ ୩୧
ଧୂମ-ବ୍ୟାପିତ-ଯଜ୍ଞଶାଳେ । ଅଶେଷ ଋଷି-ବିପ୍ର ମେଳେ ॥ ୩୨
ବିପ୍ରଙ୍କ ସଙ୍ଗେ ପ୍ରଜାପତି । ଅନଳେ କ୍ଷେପନ୍ତି ଆହୁତି ॥ ୩୩
ଯଜ୍ଞର ଭାଣ୍ତ ନାନାବିଧି । ଯେ ଭାଣ୍ତେ ଯେ ଦ୍ରବ୍ୟ ପ୍ରସିଦ୍ଧି ॥ ୩୪
ମନ୍ତ୍ର ଆହୁତି ହୋମବେଳେ । ସତୀ ମିଳିଲେ ଯଜ୍ଞଶାଳେ ॥ ୩୫
ସତୀ ଚାହାଁନ୍ତେ କୋପଚିତ୍ତେ । ଯେ ଯଜ୍ଞେ ଥିଲେ ଯେ ସମସ୍ତେ ॥ ୩୬
ସର୍ବେ ଦକ୍ଷର ଭୟପାଇ । ଆଦର ନକରିଲେ କେହି ॥ ୩୭
ଭଗିନୀଗଣେ ମାତା ତୁଲେ । ଆଦରେ ସମୀପେ ମିଳିଲେ ॥ ୩୮
ପ୍ରେମାଶ୍ରୁକଣ୍ଠେ ଭଗ୍ନୀଗଣ । କୋଳ କରନ୍ତି ଜଣେ ଜଣ ॥ ୩୯
ସୋଦରେ ସ୍ନେହେ ପ୍ରଶ୍ନ କଲେ । ସର୍ବ କୁଶଳ ପଚାରିଲେ ॥ ୪୦
ଉତ୍ତମ ପୂଜା ବିଧି ଦ୍ରବ୍ୟ । ସମୀପେ ଆଣିଦେଲେ ସର୍ବ ॥ ୪୧
ରତ୍ନ-ଆସନ ବେଗେଆଣି । ସେ ପ୍ରଜାପତିର ଘରଣୀ ॥ ୪୨
ସତୀସମୀପେ ଆଣି ଦେଲେ । ତାଦେଖି ସତୀ କୋପ କଲେ ॥ ୪୩
ପିତାର ଅନାନ୍ଦର ଦେଖି । କୋପେ କମ୍ପଇ ଅଶ୍ରୁମୁଖୀ ॥ ୪୪
ଯଜ୍ଞେ ନ ଦେଖି ସ୍ୱାମୀଭାଗ । ମନେ ବସିଲା ମହାରାଗ ॥ ୪୫
ମୋର ଈଶ୍ୱରେ ନ ଗଣିଲା । ଅବହେଳଣ କର୍ମ କଲା ॥ ୪୬
ସଭାରେ ଯେତେ ଲୋକ ଥିଲେ । ସତୀଙ୍କି ଦେଖି ନ ଉଠିଲେ ॥ ୪୭
ପିତା ଅବଜ୍ଞା କର୍ମ ଦେଖି । କୋପେ କମ୍ପଇ ଅଶ୍ରୁମୁଖୀ ॥ ୪୮
ଏମନ୍ତେ ଦକ୍ଷ-ବଧ ଅର୍ଥେ । ସତୀ ଶରୀରୁ କୋପଚିତ୍ତେ ॥ ୪୯
ଅନେକ ଭୂତଗଣ ଜନ୍ମି । ତାହାଙ୍କୁ ନିବାରି ଭବାନୀ ॥ ୫୦
କୋପେ ବୋଲଇ ଉଚ୍ଚବାଣୀ । ଯେମନ୍ତେ ସଭାଲୋକେ ଶୁଣି ॥ ୫୧
କୋପେ କମ୍ପଇ ତାର ଦେହୀ । ବୋଲଇ ପିତାମୁଖ ଚାହିଁ ॥ ୫୨
ଦେବୀ ଉବାଚ
ପ୍ରିୟ ଅପ୍ରିୟ ଅତିରେକେ । ନ ଦେଖି ଯାୠ ଇହଲୋକେ ॥ ୫୩
ଜଗତ ମଧ୍ୟେ ଯେତେ ଦେହ । ସ୍ୱାମୀ ମୋହର ସର୍ବପ୍ରିୟ ॥ ୫୪
ଯେ ରୁଦ୍ର ସର୍ବଆତ୍ମା ହୋଇ । ମିତ୍ର ଅମିତ୍ର ଯାର ନାହିଁ ॥ ୫୫
ସେ ଯେ ଅଶେଷ-ଜନ-ଗୁରୁ । ତାହାଙ୍କୁ ତୁହି ନିନ୍ଦା କରୁ ॥ ୫୬
ଦେଖ ଏ ସଂସାର-ବେଭାରେ । ଯେ ସାଧୁଜନେ ନିନ୍ଦା କରେ ॥ ୫୭
ଅନେକ-ଦୋଷ କରିଥିଲେ । ସାଧବେ ନ ଧରନ୍ତି ଭଲେ ॥ ୫୮
ସକଳ-ଦୋଷ କରେ କ୍ଷମା । ସେ ଜନ ସାଧୁ ମହାତମା ॥ ୫୯
ଏରୂପେ ଯେତେକ ପିଣ୍ତିତ । ତାହାଙ୍କୁ ବୋଲନ୍ତି ମହତ ॥ ୬୦
ଯେ ଗୁଣମାତ୍ରକୁ ଧରନ୍ତି । ଦୋଷ ଗ୍ରହଣ ନ କରନ୍ତି ॥ ୬୧
ତାହାଙ୍କୁ ବୋଲି ମହତ୍ତର । କେ ଅବା ଅଛନ୍ତି ଅପର ॥ ୬୨
ଦୋଷକୁ ଦୂରେ ପରିହରି । ଆବରେ ତୁଚ୍ଛ ଗୁଣଧରି ॥ ୬୩
ଏମନ୍ତ ସାଧୁ ପ୍ରତି ତାତ । ତୁ ପାପ କଳ୍ପିଲୁ ନିଶ୍ଚି୍ତ ॥ ୬୪
ଅସାଧୁଜନ ପ୍ରାୟ ତୁହି । ରୁଦ୍ର ବିଷୟେ କୋପ ବହି ॥ ୬୫
ଯେଣୁ ବୋଲାଉ ପ୍ରଜାପତି । ସେ ଗର୍ବେ ନିନ୍ଦୁ ମୋର ପତି ॥ ୬୬
ଏ ନୋହେ ମହତଙ୍କ କର୍ମ । ଗର୍ବେ ହୋଇଲୁ ମତିଭ୍ରମ ॥ ୬୭
ଯେ ବେନିଅକ୍ଷର ମୁଖରେ । ପ୍ରସନ୍ନେ ଶିବନାମ ଧରେ ॥ ୬୮
କି ଅବା ଶ୍ରଦ୍ଧାଯୁକ୍ତ ହୋଇ । ନିରତେ ବଦନେ ଗୁଣଇ ॥ ୬୯
ଅଥବା ପଶେ ଶ୍ରୁତିପଥେ । ପାପ ନାଶଇ କ୍ଷଣମାତ୍ରେ ॥ ୭୦
ଯାହାର ନାମ ଏ ଜଗତେ । ସର୍ବମଙ୍ଗଳ ବହୁମତେ ॥ ୭୧
ତୋର ଜୀବନ ପାପ-ସିନ୍ଧୁ । ଅଶିବ ହୋଇ ଶିବ ନିନ୍ଦୁ ॥ ୭୨
ଯା ପାଦପଦ୍ମ-ମଧୁ ଲୋଭେ । ମହାନ୍ତଜନ ନିତ୍ୟେ ସେବେ ॥ ୭୩
କାମୀ କାମନା ସ୍ରବେ ଯହୁଁ । ବିଶ୍ୱବାନ୍ଧବ ଅଟେ ଯେହୁ ॥ ୭୪
ସାଧୁ-ମାନସ -ଅଳି-ବୃନ୍ଦ । ବ୍ରହ୍ମଆନନ୍ଦ-ମକରନ୍ଦ ॥ ୭୫
ପାନାର୍ଥୀ ହୋଇ ସେବା କରେ । ଯାହାର ଶ୍ରୀପାଦପଦ୍ମରେ ॥ ୭୬
ତାହାରେ ଦ୍ରୋହ ଚିନ୍ତୁ ପିତ । ଏ କଥା ବଡ ଆଚମ୍ବିତ ॥ ୭୭
ଯେ ସଦାଶିବ ବିଶ୍ୱବନ୍ଧୁ । ତୁ ତାର ଦ୍ରୋହକରି ନିନ୍ଦୁ ॥ ୭୮
ଜଟା ବିସ୍ତାରି ଶ୍ମଶାନରେ । ବୁଲଇ ଶିବ ନିର୍ବିକାରେ ॥ ୭୯
ଶ୍ମଶାନଭସ୍ମ ମାଲ୍ୟ ତାର । ନରକପାଳ ଅଳଙ୍କାର ॥ ୮୦
ହେଲେ ହେଁ ଶିବଙ୍କୁ ଅଶିବ । ତୋ ବିନା କେଅବା ବୋଲିବ ॥ ୮୧
ବ୍ରହ୍ମାଦି ଦେବଗଣମାନେ । କେ ଶିବ ମହିମା ନ ଜାଣେ ॥ ୮୨
ତୁ କି ଜାଣିବୁ ସେ ମହିମା । ଅଶେଷ-ମଙ୍ଗଳର ସୀମା ॥ ୮୩
ଶିବ ନିର୍ମାଲ୍ୟ ମଥା ପାତି । ତଥାପି କେମନ୍ତେ ଘେନନ୍ତି ॥ ୮୪
ର୍ଧମରକ୍ଷକ ସ୍ୱାମୀ ମୋର । ତା ସଙ୍ଗେ କଲୁ ତୁ ବିଧୁର ॥ ୮୫
ଏଣୁ ଜୀବନ ଛାଡିବଇଁ । ସକଳ-ଧର୍ମ-ରକ୍ଷା ପାଇଁ ॥ ୮୬
ଏହିଟି ପତିବ୍ରତା-ଧର୍ମ । ପାଷଣ୍ତେ ସ୍ୱାମୀର ନିନ୍ଦନ ॥ ୮୭
ଶୁଣିଲେ କାନେ ହାତ ଦେବ । ତକ୍ଷଣେ ତହୁଁ ପଳାଇବ ॥ ୮୮
ପାରିଲେ ତା ଜିହ୍ୱା ଛେଦିବ । ଆପଣା ଜୀବନ ତେଜିବ ॥ ୮୯
ତୋ ବୀର୍ଯ୍ୟେ ଜନ୍ମ ମୋର ଦେହୀ । ହୋଇଲା ପୂର୍ବପାପ ବହି ॥ ୯୦
ସ୍ୱାମ ନିନ୍ଦନ ବାକ୍ୟ ସହି । ଏ ଦେହ ନ ଧରିବି ମୁହିଁ ॥ ୯୧
ଯେ ନାରୀ ସ୍ୱାମୀର ନିନ୍ଦନ । ଶୁଣି ଧରେ ନିଜ ଜୀବନ ॥ ୯୨
ପୂର୍ବର ପାପ ଯେ ନ ସ୍ମରେ । ତା ପ୍ରତିକାର ଯେ ନକରେ ॥ ୯୩
ଦିନ ବଞ୍ଚଇ ଦୁଃଖ-ଶୋକେ । ଅନ୍ତେ ସେ ପଡଇ ନରକେ ॥ ୯୪
ଯେ ଆତ୍ମାରାମ ବଇରାଗୀ । ବିଧି-ନିଷେଧ ପାରେ ଲଂଘି ॥ ୯୫
ସ୍ୱଧର୍ମେ ନିଷ୍ଠା ଯାର ଥିବ । ସେ ପର-ନିନ୍ଦା ନ କରିବ ॥ ୯୬
ଯେ ଅବା ବେଦବିଧି ଧର୍ମ । ପ୍ରବୃତ୍ତି ନିବୃତ୍ତି ଲକ୍ଷଣ ॥ ୯୭
ଶବେ ତା ନ ସମ୍ଭବେ ଦୁଇ । ଯେଣୁଟି ଆତ୍ମାରାମ ସେହି ॥ ୯୮
ଦରିଦ୍ର ବୋଲି ଶିବେ ତୁହି । ନିନ୍ଦା ନ ବହ ଗର୍ବ ବହି ॥ ୯୯
ଅଣିମା ଆଦି ଅଷ୍ଟସିଦ୍ଧି । ଯା ତୁହଁ ଲଭେ ଯୋଗୀ ସାଧି ॥ ୧୦୦
ତୋ ପରି ଯଜ୍ଞେ ଯେ ଭ୍ରମନ୍ତି । କାହୁଁ ଲଭିବେ ସେ ସମ୍ପତ୍ତି ॥ ୧୦୧
ତୁ ପାପୀ ଯେଣୁ ଶିବଦ୍ରୋହୀ । ତୋଠାରୁ ଜାତ ମୋର ଦେହୀ ॥ ୧୦୨
ଧିକ ଏ ଦେହ ନ ରଖିବି । ଆଉ ଏ ଲଜ୍ଜା ନ ସହିବି ॥ ୧୦୩
ତୋହର ସଙ୍ଗତେ ବଚନ । ଅଧିକେ ନାହିଁ ପ୍ରୟୋଜନ ॥ ୧୦୪
କେହି ନ ବୋଲୁ ଦାକ୍ଷାୟଣୀ । ଅଟଇ ଶିବର ଘରଣୀ ॥ ୧୦୫
ମୈତ୍ରେୟ କହନ୍ତି ବଚନ । ଶୁଣ ବିଦୁର ତୋଷମନ ॥ ୧୦୬
ମୈତ୍ରେୟ ଉବାଚ
ଏମନ୍ତ ଦକ୍ଷେ ଦେବୀ କହି । କୁଣ୍ତ-ଉତ୍ତରଦିଗେ ଯାଇ ॥ ୧୦୭
ଯୋଗଧାରଣା ଆଗମନେ । ନିଶ୍ଚଳେ ବସିଲେ ଆସନେ ॥ ୧୦୮
ସ୍ୱାମୀର ଅପମାନ ଅର୍ଥେ । ପିତାର ଅନାଦର ଚିତ୍ତେ ॥ ୧୦୯
ପୀତବସନ ପରିଧାନ । ପବିତ୍ର-ଜଳେ ଆଚମନ ॥ ୧୧୦
ହୃଦରେ କଳ୍ପି ମହାମନ୍ୟୁ । ପବନ ଅଧ ଉର୍ଦ୍ଧ୍ୱ ସ୍ଥାନୁ ॥ ୧୧୧
ନାଭିକମଳେ ସୁନିଶ୍ଚଳେ । ପ୍ରାଣଧାରଣ ଯୋଗବଳେ ॥ ୧୧୨
ଏ ତିନିପ୍ରାଣ ଉର୍ଦ୍ଦ୍ୱେ ନେଇ । ଉଦାନ ସଙ୍ଗେ ହୃଦେ ଥୋଇ ॥ ୧୧୩
ହୃଦୟ ପ୍ରାଣ ସଙ୍ଗେ ବ୍ୟାପି । କଣ୍ତେ ଲଲାଟ ଚକ୍ରେ କ୍ଷେପି ॥ ୧୧୪
ଭ୍ରୁମଧ୍ୟେ ଥାପି ଅନୁମାନେ । ଯୋଖିଲେ ବ୍ରହ୍ମରନ୍ଧ୍ର ସ୍ଥାନେ ॥ ୧୧୫
ସ୍ୱାମୀ ଚରଣେ ଧ୍ୟାନକରି । ଯୋଗ-ଅନଳେ ବାୟୁ ଧରି ॥ ୧୧୬
ମୂର୍ଦ୍ଧନି ଭେଦି ତତକ୍ଷଣ । ଶୂନ୍ୟେ ମିଶିଲା ଦଶପ୍ରାଣ ॥ ୧୧୭
ସମାଧି ସମ୍ଭୂତ ଅନଳେ । ସତୀ ଶରୀର ବେଗେ ଜଳେ ॥ ୧୧୮
ସତୀ ମରଣ କର୍ମ ଚାହିଁ । ଦେବେ ଯେ ଯଜ୍ଞେ ଥିଲେ ରହି ॥ ୧୧୯
ଦେଖିଣ ଦେବୀର ନିଧନ । ଚଞ୍ଚଳ କରି ସର୍ବ ମନ ॥ ୧୨୦
ଭୂମି ଗମନେ ଯେ ବା ଥିଲେ । ହାହା ଶବଦ ଉଚ୍ଚେ କଲେ ॥ ୧୨୧
ଦେଖ ଏ ଦେବଦେବନାରୀ । କି ଅପମାନେ କୋପକରି ॥ ୧୨୨
ପ୍ରାଣ ଛାଡିଲେ ଯଜ୍ଞଶାଳେ । ପିତା ଅମାନ୍ୟ କୋପଭରେ ॥ ୧୨୩
ଦେଖ ଏ ଦକ୍ଷ ପ୍ରଜାପତି । ଗର୍ବେ ଆଚରିଲା ଅନୀତି ॥ ୧୨୪
ପ୍ରଜାଙ୍କ ପତିଏ ବୋଲାଇ । ଅନୀତି କଲା ଗର୍ବ ବହି ॥ ୧୨୫
ନିଜ ଦୁହିତାର ନିଧନେ । ଯତ୍ନ କଲା ଏ କ୍ରୋଧମନେ ॥ ୧୨୬
ଏ ନୋହେ ସାଧୁଙ୍କ ବେଭାର । ଅଧର୍ମ କଲା ଗରୁତର ॥ ୧୨୭
ଏମନ୍ତ ବାକ୍ୟ କହୁଁ ଜନେ । ସତୀର ପ୍ରାଣ ଅବସାନେ ॥ ୧୨୮
ସତୀ ମରଣ କଥା ଶୁଣି । ନନ୍ଦିକେଶ୍ୱର ବୀରମଣି ॥ ୧୨୯
ରୁଦ୍ରଗଣଙ୍କୁ ସଙ୍ଗେ ଲଇଁ । ବେଗେ ଧାଇଁଲା ରୋଷ ବହି ॥ ୧୩୦
ବିବିଧ ଶସ୍ତ୍ର ଧରି କରେ । ମିଳିଲା ଦକ୍ଷ ଯଜ୍ଞଘରେ ॥ ୧୩୧
ତାହାକୁ ଦେଖି ଭୃଗୁ ମୁନି । ଘୃତଆହୁତି କରେ ଘେନି ॥ ୧୩୨
ଯଜ୍ଞଘ୍ନ ନାମ ଯଜୁମନ୍ତ୍ରେ । କଳ୍ପିଲା ଅଭିଚାର-ତନ୍ତ୍ରେ ॥ ୧୩୩
ଆହୁତି ଦ୍ୟନ୍ତେ ଅଗ୍ନିକୁଣ୍ତେ । ନିର୍ଧୂମ ସ୍ୱର୍ଣ୍ଣବର୍ଣ୍ଣ ପିଣ୍ତେ ॥ ୧୩୪
ମନ୍ତ୍ରେ ମନ୍ତ୍ରିତ ସୋମ ପାଇ । ପ୍ରଚଣ୍ତ ବ୍ରହ୍ମତେଜ ବହି ॥ ୧୩୫
ଋଭୁ ନାମରେ ଦେବଗଣେ । ଅନଳୁ ଉଠିଲେ ତକ୍ଷଣେ ॥ ୧୩୬
ଜଳନ୍ତା କାଷ୍ଠ ଘେନି କରେ । ଶତସହସ୍ର କୋପଭରେ ॥ ୧୩୭
ଶବଦେ ଦଶଦିଗ ପୂରି । ଧାଇଁଲେ ଘୋରନାଦ କରି ॥ ୧୩୮
ତେଣେ ଭାଜିଲେ ରୁଦ୍ରସୈନି । ତା ଦେଖି ବେଗେ ଦେବମୁନି ॥ ୧୩୯
ଧାଇଁଲେ ଶିବପୁର-ମାର୍ଗେ । କହିଲେ ସଦାଶିବ ଆଗେ ॥ ୧୪୦
ସତୀ-ମରଣ-କଥା ଆଦି । କହିଲେ ସକଳ ସମ୍ପାଦି ॥ ୧୪୧
ସେ ବ୍ରହ୍ମମୁନିର ଚରଣେ । ଆତ୍ମାର ନିସ୍ତାର କାରଣେ ॥ ୧୪୨
କୃଷ୍ଣ-ବିଷୟ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୪୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଚତୁର୍ଥସ୍କନ୍ଧେ ସତୀ ଦେହୋତ୍ସର୍ଗୋ ନାମ ଚତୁର୍ଥୋଽଧ୍ୟାୟଃ ॥
* * *