ଚତୁର୍ଥ ସ୍କନ୍ଧ

ଚତୁର୍ଥ ଅଧ୍ୟାୟ

ମୈତ୍ରେୟ ହରଷେ କହନ୍ତି । ଶୁଣ ବିଦୁର ଶୁଦ୍ଧମତି ।

ମୈତ୍ରେୟ ଉବାଚ

ସେ ଶିବ ବଚନରେ ସତୀ । କେବେ ହେଁ ନୋହେ ସ୍ଥିରମତି ॥

ଏମନ୍ତ ଦେବୀଆଗେ କହି । ରୁଦ୍ର ରହିଳେ ତୁନି ହୋଇ ॥

ମନେ ଚିନ୍ତନ୍ତି ବିଶ୍ୱନାଥ । ନପୁଣ ହୋଏ ବିପରୀତ ॥

ମୋପତ୍ନୀ ପିତାଗୃହେ ଗଲେ । ଜୀବନ ନ ଧରିବ ଭଲେ ॥

ଏହାର ମନ ସ୍ଥିର ନାହିଁ । ନ ଗଲେ ନ ଧରିବ ଦେହୀ ॥

ବନ୍ଧୁଦର୍ଶନେ ଇଚ୍ଛା ତାର । ହୋଇଛି ଅତି ବଳୀୟାର ॥

ବାରେକ ହୁଅଇ ବାହାର । ମୋ ଭୟେ ପ୍ରବେଶେ ଗୃହର ॥

ଏହାର ମନ ସ୍ଥିର ନାହିଁ । ଅବଶ୍ୟ ଯିବ ଏ ନ କହି ॥

ଏମନ୍ତ ଚିତ୍ତେ ଚିନ୍ତି ହର । କେବେହେଁ ମନ ନୋହେ ସ୍ଥିର ॥ ୧୦

ଚିନ୍ତା ଆକୁଳେ ଦୁଃଖମତି । ନିଜ ଗୁଣଙ୍କୁ ମନେ ଚିନ୍ତି ॥ ୧୧

ଏହାର ସଙ୍ଗେ ଥିବି ମୁହିଁ । ନିଜଗଣଙ୍କୁ ସଙ୍ଗେ ଲଇଁ ॥ ୧୨

ଏମନ୍ତେ ରୁଦ୍ର ଚିନ୍ତା କରୁଁ । ଦେବୀ ଉଠିଲେ ନିଜ ପୁରୁ ॥ ୧୩

ନୟନୁ ବହେ ଅଶ୍ରୁଜଳ । ଶୁଖିଛି ବଦନ-କମଳ ॥ ୧୪

ଶରୀର କମ୍ପେ ରୋଷଚିତ୍ତେ । କଦଳୀବନ ଯେହ୍ନ ବାତେ ॥ ୧୫

ନିଃଶ୍ୱାସ ବହେ ଖରତର । ଶୁଖିଲା ସୁରଙ୍ଗ-ଅଧର ॥ ୧୬

ଅଧୋବଦନେ ମନ ଦୁଃଖୀ । ଚଳିଲେ ଭବଙ୍କୁ ଉପେକ୍ଷି ॥ ୧୭

ଖରେ ଚଳନ୍ତେ ରୋଷଭରେ । ଅବନୀ କମ୍ପେ ପାଦଭରେ ॥ ୧୮

ପିତା ଭୁବନେ ଦେବୀ ଯାନ୍ତେ । କେହି ନାହାନ୍ତି ନିଜସାଥେ ॥ ୧୯

ସ୍ତିରୀ ସ୍ୱଭାବ ମୂଢ଼ମତି । ଯେ ହର ସାଧୁ ଜନ-ପତି ॥ ୨୦

ସ୍ନେହରେ ଅର୍ଦ୍ଧଅଙ୍ଗ ହୋଇ । ସେ ସତୀ ତାଙ୍କୁ ଲଂଘି ଯାଇ ॥ ୨୧

ପିତା ଭୁବନେ ଦେବୀ ଯାନ୍ତେ । ପଛେ ଚଳନ୍ତି ଗଣ ଯୂଥେ ॥ ୨୨

ଶତ ସହସ୍ର ରୁଦ୍ର ଗଣ । ନିକଟେ ମିଳିଲେ ତକ୍ଷଣ ॥ ୨୩

ସତୀଙ୍କୁ ବୃଷଭେ ବସାଇ । ସର୍ବେ ଧାଇଁଲେ ସଜହୋଇ ॥ ୨୪

ମୁଁ ଯିବି ଅମ୍ବିକାର ପଛେ । ମୋ କଥା ଦେଖସି ପ୍ରତ୍ୟକ୍ଷେ ॥ ୨୫

ଏମନ୍ତ ରୁଦ୍ର ଆଗେ କହି । ନନ୍ଦି ଚଳିଲେ ଗଣ ଲଇଁ ॥ ୨୬

ଅମ୍ବିକା ତୁଲେ ନାରୀଯୂଥେ । ମିଳିଲେ ଉପାୟନ ହସ୍ତେ ॥ ୨୭

କନ୍ଦୁକ ଦର୍ପଣ ଅମ୍ବୁଜ । ଶ୍ୱେତାତପତ୍ର ଶ୍ୱେତଧ୍ୱଜ ॥ ୨୮

ବ୍ୟଜନ ପୁଷ୍ପମାଳା ଘେନି । ସଙ୍ଗୀତ-ଗୀତ-ନାଦ-ଧ୍ୱନି ॥ ୨୯

ଦୁନ୍ଦୁଭି ଶଙ୍ଖ ବେଣୁନାଦେ । ସଙ୍ଗତେ ଚଳିଲେ ଆନନେ୍ଦ ॥ ୩୦

ଏମନ୍ତେ ରୁଦ୍ରଗଣେ ଯାଇ । ଯଜ୍ଞ ଦେଖିଲେ ଦୂରେ ରହି ॥ ୩୧

ଧୂମ-ବ୍ୟାପିତ-ଯଜ୍ଞଶାଳେ । ଅଶେଷ ଋଷି-ବିପ୍ର ମେଳେ ॥ ୩୨

ବିପ୍ରଙ୍କ ସଙ୍ଗେ ପ୍ରଜାପତି । ଅନଳେ କ୍ଷେପନ୍ତି ଆହୁତି ॥ ୩୩

ଯଜ୍ଞର ଭାଣ୍ତ ନାନାବିଧି । ଯେ ଭାଣ୍ତେ ଯେ ଦ୍ରବ୍ୟ ପ୍ରସିଦ୍ଧି ॥ ୩୪

ମନ୍ତ୍ର ଆହୁତି ହୋମବେଳେ । ସତୀ ମିଳିଲେ ଯଜ୍ଞଶାଳେ ॥ ୩୫

ସତୀ ଚାହାଁନ୍ତେ କୋପଚିତ୍ତେ । ଯେ ଯଜ୍ଞେ ଥିଲେ ଯେ ସମସ୍ତେ ॥ ୩୬

ସର୍ବେ ଦକ୍ଷର ଭୟପାଇ । ଆଦର ନକରିଲେ କେହି ॥ ୩୭

ଭଗିନୀଗଣେ ମାତା ତୁଲେ । ଆଦରେ ସମୀପେ ମିଳିଲେ ॥ ୩୮

ପ୍ରେମାଶ୍ରୁକଣ୍ଠେ ଭଗ୍ନୀଗଣ । କୋଳ କରନ୍ତି ଜଣେ ଜଣ ॥ ୩୯

ସୋଦରେ ସ୍ନେହେ ପ୍ରଶ୍ନ କଲେ । ସର୍ବ କୁଶଳ ପଚାରିଲେ ॥ ୪୦

ଉତ୍ତମ ପୂଜା ବିଧି ଦ୍ରବ୍ୟ । ସମୀପେ ଆଣିଦେଲେ ସର୍ବ ॥ ୪୧

ରତ୍ନ-ଆସନ ବେଗେଆଣି । ସେ ପ୍ରଜାପତିର ଘରଣୀ ॥ ୪୨

ସତୀସମୀପେ ଆଣି ଦେଲେ । ତାଦେଖି ସତୀ କୋପ କଲେ ॥ ୪୩

ପିତାର ଅନାନ୍ଦର ଦେଖି । କୋପେ କମ୍ପଇ ଅଶ୍ରୁମୁଖୀ ॥ ୪୪

ଯଜ୍ଞେ ନ ଦେଖି ସ୍ୱାମୀଭାଗ । ମନେ ବସିଲା ମହାରାଗ ॥ ୪୫

ମୋର ଈଶ୍ୱରେ ନ ଗଣିଲା । ଅବହେଳଣ କର୍ମ କଲା ॥ ୪୬

ସଭାରେ ଯେତେ ଲୋକ ଥିଲେ । ସତୀଙ୍କି ଦେଖି ନ ଉଠିଲେ ॥ ୪୭

ପିତା ଅବଜ୍ଞା କର୍ମ ଦେଖି । କୋପେ କମ୍ପଇ ଅଶ୍ରୁମୁଖୀ ॥ ୪୮

ଏମନ୍ତେ ଦକ୍ଷ-ବଧ ଅର୍ଥେ । ସତୀ ଶରୀରୁ କୋପଚିତ୍ତେ ॥ ୪୯

ଅନେକ ଭୂତଗଣ ଜନ୍ମି । ତାହାଙ୍କୁ ନିବାରି ଭବାନୀ ॥ ୫୦

କୋପେ ବୋଲଇ ଉଚ୍ଚବାଣୀ । ଯେମନ୍ତେ ସଭାଲୋକେ ଶୁଣି ॥ ୫୧

କୋପେ କମ୍ପଇ ତାର ଦେହୀ । ବୋଲଇ ପିତାମୁଖ ଚାହିଁ ॥ ୫୨

ଦେବୀ ଉବାଚ

ପ୍ରିୟ ଅପ୍ରିୟ ଅତିରେକେ । ନ ଦେଖି ଯାୠ ଇହଲୋକେ ॥ ୫୩

ଜଗତ ମଧ୍ୟେ ଯେତେ ଦେହ । ସ୍ୱାମୀ ମୋହର ସର୍ବପ୍ରିୟ ॥ ୫୪

ଯେ ରୁଦ୍ର ସର୍ବଆତ୍ମା ହୋଇ । ମିତ୍ର ଅମିତ୍ର ଯାର ନାହିଁ ॥ ୫୫

ସେ ଯେ ଅଶେଷ-ଜନ-ଗୁରୁ । ତାହାଙ୍କୁ ତୁହି ନିନ୍ଦା କରୁ ॥ ୫୬

ଦେଖ ଏ ସଂସାର-ବେଭାରେ । ଯେ ସାଧୁଜନେ ନିନ୍ଦା କରେ ॥ ୫୭

ଅନେକ-ଦୋଷ କରିଥିଲେ । ସାଧବେ ନ ଧରନ୍ତି ଭଲେ ॥ ୫୮

ସକଳ-ଦୋଷ କରେ କ୍ଷମା । ସେ ଜନ ସାଧୁ ମହାତମା ॥ ୫୯

ଏରୂପେ ଯେତେକ ପିଣ୍ତିତ । ତାହାଙ୍କୁ ବୋଲନ୍ତି ମହତ ॥ ୬୦

ଯେ ଗୁଣମାତ୍ରକୁ ଧରନ୍ତି । ଦୋଷ ଗ୍ରହଣ ନ କରନ୍ତି ॥ ୬୧

ତାହାଙ୍କୁ ବୋଲି ମହତ୍ତର । କେ ଅବା ଅଛନ୍ତି ଅପର ॥ ୬୨

ଦୋଷକୁ ଦୂରେ ପରିହରି । ଆବରେ ତୁଚ୍ଛ ଗୁଣଧରି ॥ ୬୩

ଏମନ୍ତ ସାଧୁ ପ୍ରତି ତାତ । ତୁ ପାପ କଳ୍ପିଲୁ ନିଶ୍ଚି୍ତ ॥ ୬୪

ଅସାଧୁଜନ ପ୍ରାୟ ତୁହି । ରୁଦ୍ର ବିଷୟେ କୋପ ବହି ॥ ୬୫

ଯେଣୁ ବୋଲାଉ ପ୍ରଜାପତି । ସେ ଗର୍ବେ ନିନ୍ଦୁ ମୋର ପତି ॥ ୬୬

ଏ ନୋହେ ମହତଙ୍କ କର୍ମ । ଗର୍ବେ ହୋଇଲୁ ମତିଭ୍ରମ ॥ ୬୭

ଯେ ବେନିଅକ୍ଷର ମୁଖରେ । ପ୍ରସନ୍ନେ ଶିବନାମ ଧରେ ॥ ୬୮

କି ଅବା ଶ୍ରଦ୍ଧାଯୁକ୍ତ ହୋଇ । ନିରତେ ବଦନେ ଗୁଣଇ ॥ ୬୯

ଅଥବା ପଶେ ଶ୍ରୁତିପଥେ । ପାପ ନାଶଇ କ୍ଷଣମାତ୍ରେ ॥ ୭୦

ଯାହାର ନାମ ଏ ଜଗତେ । ସର୍ବମଙ୍ଗଳ ବହୁମତେ ॥ ୭୧

ତୋର ଜୀବନ ପାପ-ସିନ୍ଧୁ । ଅଶିବ ହୋଇ ଶିବ ନିନ୍ଦୁ ॥ ୭୨

ଯା ପାଦପଦ୍ମ-ମଧୁ ଲୋଭେ । ମହାନ୍ତଜନ ନିତ୍ୟେ ସେବେ ॥ ୭୩

କାମୀ କାମନା ସ୍ରବେ ଯହୁଁ । ବିଶ୍ୱବାନ୍ଧବ ଅଟେ ଯେହୁ ॥ ୭୪

ସାଧୁ-ମାନସ -ଅଳି-ବୃନ୍ଦ । ବ୍ରହ୍ମଆନନ୍ଦ-ମକରନ୍ଦ ॥ ୭୫

ପାନାର୍ଥୀ ହୋଇ ସେବା କରେ । ଯାହାର ଶ୍ରୀପାଦପଦ୍ମରେ ॥ ୭୬

ତାହାରେ ଦ୍ରୋହ ଚିନ୍ତୁ ପିତ । ଏ କଥା ବଡ ଆଚମ୍ବିତ ॥ ୭୭

ଯେ ସଦାଶିବ ବିଶ୍ୱବନ୍ଧୁ । ତୁ ତାର ଦ୍ରୋହକରି ନିନ୍ଦୁ ॥ ୭୮

ଜଟା ବିସ୍ତାରି ଶ୍ମଶାନରେ । ବୁଲଇ ଶିବ ନିର୍ବିକାରେ ॥ ୭୯

ଶ୍ମଶାନଭସ୍ମ ମାଲ୍ୟ ତାର । ନରକପାଳ ଅଳଙ୍କାର ॥ ୮୦

ହେଲେ ହେଁ ଶିବଙ୍କୁ ଅଶିବ । ତୋ ବିନା କେଅବା ବୋଲିବ ॥ ୮୧

ବ୍ରହ୍ମାଦି ଦେବଗଣମାନେ । କେ ଶିବ ମହିମା ନ ଜାଣେ ॥ ୮୨

ତୁ କି ଜାଣିବୁ ସେ ମହିମା । ଅଶେଷ-ମଙ୍ଗଳର ସୀମା ॥ ୮୩

ଶିବ ନିର୍ମାଲ୍ୟ ମଥା ପାତି । ତଥାପି କେମନ୍ତେ ଘେନନ୍ତି ॥ ୮୪

ର୍ଧମରକ୍ଷକ ସ୍ୱାମୀ ମୋର । ତା ସଙ୍ଗେ କଲୁ ତୁ ବିଧୁର ॥ ୮୫

ଏଣୁ ଜୀବନ ଛାଡିବଇଁ । ସକଳ-ଧର୍ମ-ରକ୍ଷା ପାଇଁ ॥ ୮୬

ଏହିଟି ପତିବ୍ରତା-ଧର୍ମ । ପାଷଣ୍ତେ ସ୍ୱାମୀର ନିନ୍ଦନ ॥ ୮୭

ଶୁଣିଲେ କାନେ ହାତ ଦେବ । ତକ୍ଷଣେ ତହୁଁ ପଳାଇବ ॥ ୮୮

ପାରିଲେ ତା ଜିହ୍ୱା ଛେଦିବ । ଆପଣା ଜୀବନ ତେଜିବ ॥ ୮୯

ତୋ ବୀର୍ଯ୍ୟେ ଜନ୍ମ ମୋର ଦେହୀ । ହୋଇଲା ପୂର୍ବପାପ ବହି ॥ ୯୦

ସ୍ୱାମ ନିନ୍ଦନ ବାକ୍ୟ ସହି । ଏ ଦେହ ନ ଧରିବି ମୁହିଁ ॥ ୯୧

ଯେ ନାରୀ ସ୍ୱାମୀର ନିନ୍ଦନ । ଶୁଣି ଧରେ ନିଜ ଜୀବନ ॥ ୯୨

ପୂର୍ବର ପାପ ଯେ ନ ସ୍ମରେ । ତା ପ୍ରତିକାର ଯେ ନକରେ ॥ ୯୩

ଦିନ ବଞ୍ଚଇ ଦୁଃଖ-ଶୋକେ । ଅନ୍ତେ ସେ ପଡଇ ନରକେ ॥ ୯୪

ଯେ ଆତ୍ମାରାମ ବଇରାଗୀ । ବିଧି-ନିଷେଧ ପାରେ ଲଂଘି ॥ ୯୫

ସ୍ୱଧର୍ମେ ନିଷ୍ଠା ଯାର ଥିବ । ସେ ପର-ନିନ୍ଦା ନ କରିବ ॥ ୯୬

ଯେ ଅବା ବେଦବିଧି ଧର୍ମ । ପ୍ରବୃତ୍ତି ନିବୃତ୍ତି ଲକ୍ଷଣ ॥ ୯୭

ଶବେ ତା ନ ସମ୍ଭବେ ଦୁଇ । ଯେଣୁଟି ଆତ୍ମାରାମ ସେହି ॥ ୯୮

ଦରିଦ୍ର ବୋଲି ଶିବେ ତୁହି । ନିନ୍ଦା ନ ବହ ଗର୍ବ ବହି ॥ ୯୯

ଅଣିମା ଆଦି ଅଷ୍ଟସିଦ୍ଧି । ଯା ତୁହଁ ଲଭେ ଯୋଗୀ ସାଧି ॥ ୧୦୦

ତୋ ପରି ଯଜ୍ଞେ ଯେ ଭ୍ରମନ୍ତି । କାହୁଁ ଲଭିବେ ସେ ସମ୍ପତ୍ତି ॥ ୧୦୧

ତୁ ପାପୀ ଯେଣୁ ଶିବଦ୍ରୋହୀ । ତୋଠାରୁ ଜାତ ମୋର ଦେହୀ ॥ ୧୦୨

ଧିକ ଏ ଦେହ ନ ରଖିବି । ଆଉ ଏ ଲଜ୍ଜା ନ ସହିବି ॥ ୧୦୩

ତୋହର ସଙ୍ଗତେ ବଚନ । ଅଧିକେ ନାହିଁ ପ୍ରୟୋଜନ ॥ ୧୦୪

କେହି ନ ବୋଲୁ ଦାକ୍ଷାୟଣୀ । ଅଟଇ ଶିବର ଘରଣୀ ॥ ୧୦୫

ମୈତ୍ରେୟ କହନ୍ତି ବଚନ । ଶୁଣ ବିଦୁର ତୋଷମନ ॥ ୧୦୬

ମୈତ୍ରେୟ ଉବାଚ

ଏମନ୍ତ ଦକ୍ଷେ ଦେବୀ କହି । କୁଣ୍ତ-ଉତ୍ତରଦିଗେ ଯାଇ ॥ ୧୦୭

ଯୋଗଧାରଣା ଆଗମନେ । ନିଶ୍ଚଳେ ବସିଲେ ଆସନେ ॥ ୧୦୮

ସ୍ୱାମୀର ଅପମାନ ଅର୍ଥେ । ପିତାର ଅନାଦର ଚିତ୍ତେ ॥ ୧୦୯

ପୀତବସନ ପରିଧାନ । ପବିତ୍ର-ଜଳେ ଆଚମନ ॥ ୧୧୦

ହୃଦରେ କଳ୍ପି ମହାମନ୍ୟୁ । ପବନ ଅଧ ଉର୍ଦ୍ଧ୍ୱ ସ୍ଥାନୁ ॥ ୧୧୧

ନାଭିକମଳେ ସୁନିଶ୍ଚଳେ । ପ୍ରାଣଧାରଣ ଯୋଗବଳେ ॥ ୧୧୨

ଏ ତିନିପ୍ରାଣ ଉର୍ଦ୍ଦ୍ୱେ ନେଇ । ଉଦାନ ସଙ୍ଗେ ହୃଦେ ଥୋଇ ॥ ୧୧୩

ହୃଦୟ ପ୍ରାଣ ସଙ୍ଗେ ବ୍ୟାପି । କଣ୍ତେ ଲଲାଟ ଚକ୍ରେ କ୍ଷେପି ॥ ୧୧୪

ଭ୍ରୁମଧ୍ୟେ ଥାପି ଅନୁମାନେ । ଯୋଖିଲେ ବ୍ରହ୍ମରନ୍ଧ୍ର ସ୍ଥାନେ ॥ ୧୧୫

ସ୍ୱାମୀ ଚରଣେ ଧ୍ୟାନକରି । ଯୋଗ-ଅନଳେ ବାୟୁ ଧରି ॥ ୧୧୬

ମୂର୍ଦ୍ଧନି ଭେଦି ତତକ୍ଷଣ । ଶୂନ୍ୟେ ମିଶିଲା ଦଶପ୍ରାଣ ॥ ୧୧୭

ସମାଧି ସମ୍ଭୂତ ଅନଳେ । ସତୀ ଶରୀର ବେଗେ ଜଳେ ॥ ୧୧୮

ସତୀ ମରଣ କର୍ମ ଚାହିଁ । ଦେବେ ଯେ ଯଜ୍ଞେ ଥିଲେ ରହି ॥ ୧୧୯

ଦେଖିଣ ଦେବୀର ନିଧନ । ଚଞ୍ଚଳ କରି ସର୍ବ ମନ ॥ ୧୨୦

ଭୂମି ଗମନେ ଯେ ବା ଥିଲେ । ହାହା ଶବଦ ଉଚ୍ଚେ କଲେ ॥ ୧୨୧

ଦେଖ ଏ ଦେବଦେବନାରୀ । କି ଅପମାନେ କୋପକରି ॥ ୧୨୨

ପ୍ରାଣ ଛାଡିଲେ ଯଜ୍ଞଶାଳେ । ପିତା ଅମାନ୍ୟ କୋପଭରେ ॥ ୧୨୩

ଦେଖ ଏ ଦକ୍ଷ ପ୍ରଜାପତି । ଗର୍ବେ ଆଚରିଲା ଅନୀତି ॥ ୧୨୪

ପ୍ରଜାଙ୍କ ପତିଏ ବୋଲାଇ । ଅନୀତି କଲା ଗର୍ବ ବହି ॥ ୧୨୫

ନିଜ ଦୁହିତାର ନିଧନେ । ଯତ୍ନ କଲା ଏ କ୍ରୋଧମନେ ॥ ୧୨୬

ଏ ନୋହେ ସାଧୁଙ୍କ ବେଭାର । ଅଧର୍ମ କଲା ଗରୁତର ॥ ୧୨୭

ଏମନ୍ତ ବାକ୍ୟ କହୁଁ ଜନେ । ସତୀର ପ୍ରାଣ ଅବସାନେ ॥ ୧୨୮

ସତୀ ମରଣ କଥା ଶୁଣି । ନନ୍ଦିକେଶ୍ୱର ବୀରମଣି ॥ ୧୨୯

ରୁଦ୍ରଗଣଙ୍କୁ ସଙ୍ଗେ ଲଇଁ । ବେଗେ ଧାଇଁଲା ରୋଷ ବହି ॥ ୧୩୦

ବିବିଧ ଶସ୍ତ୍ର ଧରି କରେ । ମିଳିଲା ଦକ୍ଷ ଯଜ୍ଞଘରେ ॥ ୧୩୧

ତାହାକୁ ଦେଖି ଭୃଗୁ ମୁନି । ଘୃତଆହୁତି କରେ ଘେନି ॥ ୧୩୨

ଯଜ୍ଞଘ୍ନ ନାମ ଯଜୁମନ୍ତ୍ରେ । କଳ୍ପିଲା ଅଭିଚାର-ତନ୍ତ୍ରେ ॥ ୧୩୩

ଆହୁତି ଦ୍ୟନ୍ତେ ଅଗ୍ନିକୁଣ୍ତେ । ନିର୍ଧୂମ ସ୍ୱର୍ଣ୍ଣବର୍ଣ୍ଣ ପିଣ୍ତେ ॥ ୧୩୪

ମନ୍ତ୍ରେ ମନ୍ତ୍ରିତ ସୋମ ପାଇ । ପ୍ରଚଣ୍ତ ବ୍ରହ୍ମତେଜ ବହି ॥ ୧୩୫

ଋଭୁ ନାମରେ ଦେବଗଣେ । ଅନଳୁ ଉଠିଲେ ତକ୍ଷଣେ ॥ ୧୩୬

ଜଳନ୍ତା କାଷ୍ଠ ଘେନି କରେ । ଶତସହସ୍ର କୋପଭରେ ॥ ୧୩୭

ଶବଦେ ଦଶଦିଗ ପୂରି । ଧାଇଁଲେ ଘୋରନାଦ କରି ॥ ୧୩୮

ତେଣେ ଭାଜିଲେ ରୁଦ୍ରସୈନି । ତା ଦେଖି ବେଗେ ଦେବମୁନି ॥ ୧୩୯

ଧାଇଁଲେ ଶିବପୁର-ମାର୍ଗେ । କହିଲେ ସଦାଶିବ ଆଗେ ॥ ୧୪୦

ସତୀ-ମରଣ-କଥା ଆଦି । କହିଲେ ସକଳ ସମ୍ପାଦି ॥ ୧୪୧

ସେ ବ୍ରହ୍ମମୁନିର ଚରଣେ । ଆତ୍ମାର ନିସ୍ତାର କାରଣେ ॥ ୧୪୨

କୃଷ୍ଣ-ବିଷୟ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୪୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ସତୀ ଦେହୋତ୍ସର୍ଗୋ ନାମ ଚତୁର୍ଥୋଽଧ୍ୟାୟଃ ॥

* * *