ଚତୁର୍ଥ ସ୍କନ୍ଧ

ତୃତୀୟ ଅଧ୍ୟାୟ

ମୈତ୍ରେୟ ମୁନି ତୋଷ ହୋଇ । କହେ ବିଦୁର ମୁଖ ଚାହିଁ ॥

ମୈତ୍ରେୟ ଉବାଚ

ଶୁଣ ବିଦୁର ଏକମନେ । ରୁଦ୍ର ଯେ ଗଲେ କୋପମନେ ॥

ଏମନ୍ତେ ଜାମାତା ଶ୍ୱଶୁର । ବିବାଦେ ଗଲା ବହୁକାଳ ॥

ପ୍ରଜାପତିଙ୍କ ମଧ୍ୟେ ପୂର୍ବେ । ଦକ୍ଷକୁ ସ୍ଥାପି ରାଜପଦେ ॥

ଦକ୍ଷକୁ ଅଭିଷେକ କରି । ବ୍ରହ୍ମା ବୋଇଲେ ହସ୍ତ ଧରି ॥

ତୁ ହୁଅ ପ୍ରଜାପତି ଶ୍ରେଷ୍ଠ । ଅପରେ ସର୍ବେ ତୋ କନିଷ୍ଠ ॥

କମଳଯୋନି ଯେତେବେଳେ । ଦକ୍ଷକୁ ଶୁଭଲଗ୍ନ ଦେଲେ ॥

ସକଳ ମୁନି ମନୁଗଣେ । ସ୍ଥାପିଲେ ପ୍ରଜାପତି ପଣେ ॥

ଦକ୍ଷକୁ ପୂଜି ଅଭିଷେକେ । ମାନ୍ୟ ସେ କଲେ ଏକେଏକେ ॥

ତୁମ୍ଭ ସକଳମଧ୍ୟେ ଏହୁ । ପାଳନେ ଅଧିପତି ହେଉ ॥ ୧୦

ଦକ୍ଷକୁ ବୋଲେ ବେଦବର । ତୁ ବାଜପେୟ ଯଜ୍ଞ କର ॥ ୧୧

ସେ ଦକ୍ଷ ମନେ ଗର୍ବ କଲା । ରୋଷେ ରୁଦ୍ରଙ୍କୁ ନ ବରିଲା ॥ ୧୨

ଭୃଗୁଙ୍କୁ କଲେ ପୁରୋହିତ । ସଙ୍ଗେ ଘେନିଣ ମୁନିସନ୍ଥ ॥ ୧୩

ଯେ ଯଜ୍ଞ ବୃହସ୍ପତି ନାମ । ଶୁଣିଲା ଯଜ୍ଞଙ୍କ ଉତ୍ତମ ॥ ୧୪

ତେଣୁ ନିବେଶି ମନବୁଦ୍ଧି । ସକଳ ସମ୍ଭାର ନିବେଦି ॥ ୧୫

ସେ ଯଜ୍ଞ ଆରମ୍ଭର କାଳେ । ସକଳ ମୁନି ଏକମେଳେ ॥ ୧୬

ଯେ ବ୍ରହ୍ମଋଷି ଦେବଋଷି । ସର୍ବଦେବଙ୍କ ସଙ୍ଗେ ମିଶି ॥ ୧୭

ପିତୃ-ଦେବତାଗଣ ଶୂନ୍ୟେ । ପତ୍ନୀଙ୍କି ଘେନି ଦିବ୍ୟଯାନେ ॥ ୧୮

ମନର ଉଲ୍ଲାସେ ଗମନ୍ତି । ଦିଗ-ଭୁବନେ ବିରାଜନ୍ତି ॥ ୧୯

ଯଜ୍ଞେ ଗମନ୍ତି ଯୂଥେ ଯୂଥେ । ଗୀତ ସୁବାଦ୍ୟ ଶୂନ୍ୟପଥେ ॥ ୨୦

ଆକାଶେ ବିମାନ ଗହଳ । ଚଳନ୍ତେ ଶୁଭେ ମୁଖଗୋଳ ॥ ୨୧

ଏମନ୍ତେ ଈଶ୍ୱର ଘରଣୀ । ଆକାଶେ ଶୁଣି ଦେବବାଣୀ ॥ ୨୨

ନିଜ ସଖୀଙ୍କି ପଚାରିଲା । ତାହାଙ୍କ ବଦନୁ ଶୁଣିଲା ॥ ୨୩

ଶୁଣ ଗୋ ଈଶ୍ୱର ଭାମିନି । ଯେଣେ ଗମନ୍ତି ସୁର ମୁନି ॥ ୨୪

ତୁମ୍ଭ ପିତାର ମହାଯଜ୍ଞେ । ଦେବେ ଗମନ୍ତି ଶୂନ୍ୟମାର୍ଗେ ॥ ୨୫

ନିଜ କାମିନୀ ଘେନି ସଙ୍ଗେ । ବିମାନ ଯାନ୍ତି ନାନାରଙ୍ଗେ ॥ ୨୬

ତିନି ଭୁବନେ ଯେତେ ଜନେ । ଯଜ୍ଞ ଗମନ୍ତି ତେସମନେ ॥ ୨୭

ଦିବ୍ୟ ଅଳଙ୍କାର ଭୂଷଣେ । ବିମାନେ ବସି ବଧୂଗଣେ ॥ ୨୮

ଅନେକ ପରିଜନ ଘେନି । ହରଷ ସୁବେଶେ କାମିନୀ ॥ ୨୯

ସ୍ୱାମୀଙ୍କ ସଙ୍ଗତେ ଚଳନ୍ତି । ଦେଖ ଗଗନେ ପନ୍ତି ପନ୍ତି ॥ ୩୦

ନକ୍ଷତ୍ରଗଣ ପ୍ରାୟ ଶୋଭା । କି ଅବା ପଟାନ୍ତର ଦେବା ॥ ୩୧

ତା ଶୁଣି ଗଗନକୁ ଚାହିଁ । ଅମ୍ବିକା ମନେ ବିଚାରଇ ॥ ୩୨

ଦେଖ ଅଭାଗ୍ୟ କର୍ମ ମୋର । ମୋହର ସ୍ୱାମୀ ମହେଶ୍ୱର ॥ ୩୩

ମୋହର ପିତା ଯଜ୍ଞକାଳେ । ମୁହିଁ ନିରାଶ କର୍ମ-ଫଳେ ॥ ୩୪

ମୋର ସ୍ୱାମୀଙ୍କି ନ ବରିଲା । ଅବହେଳଣ ମୋତେ କଲା ॥ ୩୫

ମୋର ମାତାର ଦୟା ନାହିଁ । କେ ଏହା ସହୁ ଦେହ ବହି ॥ ୩୬

ନିନ୍ଦିତ-କର୍ମ ଏ ସଂସାରେ । ନ ଥିବା ଯୋଗାଇ ବେଭାରେ ॥ ୩୭

ଏମନ୍ତ ଭାଳି ଦେବୀ ମନେ । ମିଳିଲେ ସ୍ୱାମୀ ସନ୍ନିଧାନେ ॥ ୩୮

ହୃଦୟେ ଶୋକଭର ହୋଇ । ବୋଲନ୍ତି ରୁଦ୍ରମୁଖ ଚାହିଁ ॥ ୩୯

ସତୀଉବାଚ

ଭୋନାଥ ଶୁଣ ପଶୁପତି । ତୁମ୍ଭ ଶ୍ୱଶୁର ମୂଢ଼ମତି ॥ ୪୦

ଯଜ୍ଞ ଆରମ୍ଭେ ପୁଣ୍ୟକାଳେ । ତା ଶୁଣି ସର୍ବଦେବେ ଚଳେ ॥ ୪୧

ମୁନିଏ ସପତ୍ନକୀ ହୋଇ । ଶୂନ୍ୟେ ଗମନ୍ତି ରଥବାହି ॥ ୪୨

ଦେଖ ଏ ମୁଖରାବଗୋଳ । ପୂରିଛି ଗଗନମଣ୍ତଳ ॥ ୪୩

ଦେଖ ଆନନ୍ଦେ ଦେବଗଣେ । ଚଳନ୍ତି ଯଜ୍ଞର କାରଣେ ॥ ୪୪

ଭୋନାଥ ଚାଲ ଆମ୍ଭେ ଯିବା । ପିତାର ଉତ୍ସବ ଦେଖିବା ॥ ୪୫

ଯଜ୍ଞ-ଉତ୍ସବ ପିତାପୁରେ । ମୋର ଭଗିନୀ ସହୋଦରେ ॥ ୪୬

ଯାଆନ୍ତି ସ୍ୱାମୀ ଘେନି ସଙ୍ଗେ । ଯଜ୍ଞ ଦେଖିବେ ନାନାରଙ୍ଗେ ॥ ୪୭

ମୁଁ ଏବେ ତୁମ୍ଭ ସଙ୍ଗେ ଯିବି । ପିତାର ଉତ୍ସବ ଦେଖିବି ॥ ୪୮

ମାତାକୁ ଦେଖିବି ନୟନେ । ଭଗିନୀଗଣ ସୁଖ ମନେ ॥ ୪୯

ମୋ ପିତା-ଦତ୍ତ ଉପହାର । ସନ୍ତୋଷ ହୋଇବ ଆମ୍ଭର ॥ ୫୦

ଭୋନାଥ ଆଜ୍ଞାଦେବା ମାତେ । ଯିବଇଁ ତୁମ୍ଭର ସହିତେ ॥ ୫୧

ଭୋଦେବଦେବ ପଶୁପତି । କେ ଜାଣିପାରେ ତୁମ୍ଭ ଗତି ॥ ୫୨

ତୁମ୍ଭ ଗୋଚରେ ବିଷ୍ଣୁମାୟା । କେ ଜାଣିପାରେ ନାଥ ଏହା ॥ ୫୩

ହେ ଅଜ ତୋହର ମାୟାରେ । ଆଶ୍ଚର୍ଯ୍ୟ ନିର୍ମାଣ ସଂସାରେ ॥ ୫୪

ତଥାପି ସ୍ତିରୀଜନ୍ମ ମୋର । ମୁଁ କାହିଁ କରିବି ଗୋଚର ॥ ୫୫

ମୋ ଜନ୍ମଭୂମିର ଦର୍ଶନେ । ଇଚ୍ଛା ବଳିଲା ମୋର ମନେ ॥ ୫୬

ହେ ଭବ ତୁମ୍ଭେ ତ ଅଭବ । କି ରୂପେ ହେବ ଅନୁଭବ ॥ ୫୭

ବନ୍ଧୁ ବିରହେ ଯେତେ ଦୁଃଖ । ତହିଁରେ ତୁମ୍ଭେ ତ ବିମୁଖ ॥ ୫୮

ଦେଖ ହେ ପ୍ରଭୁ ଶୂନ୍ୟପଥେ । ଦେବେ ଗମନ୍ତି ଯୂଥେଯୂଥେ ॥ ୫୯

ଯେସନେ ରାଜହଂସ-ପନ୍ତି । ବିମାନମାନ ଶୂନ୍ୟେ ଯାନ୍ତି ॥ ୬୦

ମୋର ପିତା ପୁରେ ଯାଇ । ଯଜ୍ଞ ଦେଖିବେ ସୁଖବହି ॥ ୬୧

ଭୋନାଥ ଶୁଣ ପଶୁପତି । ତୁମ୍ଭ ଚରଣେ ମୋର ମତି ॥ ୬୨

ମୁଁ ଏହା ସହିବି କେମନ୍ତେ । ଶରୀର ବହି ଏ ଜଗତେ ॥ ୬୩

ପିତା ଜନନୀ ଭଗ୍ନୀଗଣେ । ଦିବ୍ୟଭୂଷଣ ଆଭରଣେ ॥ ୬୪

ଯଜ୍ଞ ଆରମ୍ଭେ ସୁଖଭୋଳେ । ଥିବେ ସକଳେ ଏକମେଳେ ॥ ୬୫

ପିତା ଭର୍ତ୍ତା ଗୁରୁ ସଦନେ । ଯୋଗାଇ ଯିବା ଅବରଣେ ॥ ୬୬

ଭୋନାଥ ଶୁଣ ସଦାଶିବ । ତୁମ୍ଭେ ଅବରଣେ ନ ଯିବ ॥ ୬୭

ଯାହାର ଆବାହନ ନାହିଁ । ତାହାର ଯିବା ଯୋଗ୍ୟ ନୋହି ॥ ୬୮

ତୋହର ଜ୍ଞାନ ନୋହେ ଅଳ୍ପ । ମୁଁ ତୋର ଅର୍ଦ୍ଧଅଙ୍ଗରୂପ ॥ ୬୯

ତେଣୁ ତୁ ଅର୍ଦ୍ଧନାରୀଶ୍ୱର । ଖ୍ୟାତି ଲଭିଲୁ ମହେଶ୍ୱର ॥ ୭୦

ଭୋନାଥ ମୋର କଥା କର । ମୋହର ବାଞ୍ଛା ପୂର୍ଣ୍ଣକର ॥ ୭୧

ମୁଁ ଯିବି ଆଜ୍ଞା ଦେବା ମୋତେ । ଆନନ୍ଦମନେ ଶୁଦ୍ଧ ଚିତ୍ତେ ॥ ୭୨

ମୈତ୍ରେୟ ଉବାଚ

ଏମନ୍ତ ପ୍ରିୟା ମୁଖୁ ଶୁଣି । ଈଶ୍ୱର ସ୍ଥିର-ଚିତ୍ତେ ଗୁଣି ॥ ୭୩

ସ୍ୱଭାବେ ଜଗତ ଈଶ୍ୱର । ଜଗତ ଯାର ଖେଡଘର ॥ ୭୪

ଅଳପ ଅପମାନ ବହି । କହନ୍ତି ପତ୍ନୀ-ମୁଖ ଚାହିଁ ॥ ୭୫

ଈଶ୍ୱର ଉବାଚ

ଶୁଣ ସୁନ୍ଦରରୀ କହୁଁ ତୋତେ । ତୁ ଯେଣୁ ପଚାରିଲୁ ମୋତେ ॥ ୭୬

ସାଧୁବିଚାର ଏ ତୋହୋର । ଶୁଦ୍ଧ-ସୁନ୍ଦର-ମନୋହର ॥ ୭୭

ବୋଲୁ ଏ ବନ୍ଧୁ-ଅପମାନ । କେ ସହିପାରେ ଦୁର୍ବଚନ ॥ ୭୮

ବନ୍ଧୁକୁ ବନ୍ଧୁ ଭାବଭୋଳେ । ଅମାନ୍ୟ କଲେ ଅବହେଳେ ॥ ୭୯

ତହିଁ ନଥାଇ ଅପମାନ । କେ ସହୁ ପୁଣି ଦୁର୍ବଚନ ॥ ୮୦

ବିଦ୍ୟାର ବଳେ ତପଦାହେ । ସୁନ୍ଦର ବପୁ ବୟ ରହେ ॥ ୮୧

ଉତ୍ତମକୁଳେ ଯେହୁ ଜାତ । ସକଳଗୁଣେ ଯେ ବିଖ୍ୟାତ ॥ ୮୨

ଜାଣଇ ଶ୍ରୁତି ସ୍ମୃତି ଧର୍ମ । ଆଗମ ନିଗମ ଯେ କର୍ମ ॥ ୮୩

ସେ ପୁଣି ଅବିବେକ ବଳେ । ବନ୍ଧୁ ନିନ୍ଦଇ ଅବହେଳେ ॥ ୮୪

ମହତ ତେଜ ଯେ ନ ସହେ । ନିରତେ ମନେ ଗର୍ବ ବହେ ॥ ୮୫

ଅଜ୍ଞାନବାଦୀ ବୋଲି ତାରେ । ସୁଖ ନ ଲଭେ ଏ ସଂସାରେ ॥ ୮୬

ଯେ ପ୍ରାଣୀ ଅଭ୍ୟାଗତ ଦେଖି । ବକ୍ର-ବଦନେ ବୁଜେ ଆଖି ॥ ୮୭

ବନ୍ଧୁ ହେଲେ ହେଁ ଜାଣ ତୁହି । ତା ଗୃହେ ଯିବା ନ ଯୋଗାଇ ॥ ୮୮

ସମରେ ଅରି-ବାଣ ଘାଏ । ଅଙ୍ଗରେ ତେଡେ ପୀଡା ନୋହେ ॥ ୮୯

ବନ୍ଧୁର କୁବଚନ-ବାଣ । ଅନିଶେ ଦହେ ମନ ପ୍ରାଣ ॥ ୯୦

ତୁ ପୁଣି ପିତାପ୍ରିୟ ବହୁ । ତାର ସୁହୃଦ-ଧର୍ମ କହୁ ॥ ୯୧

ତଥାପି ପିତାଗୃହେ ଗଲେ । ମାନ ତୁ ନ ପାଇବୁ ଭଲେ ॥ ୯୨

ସାଧୁଙ୍କ ସଙ୍ଗେ ଯେ ବସଇ । ତାହାର ରିପୁ ମିତ୍ର ନାହିଁ ॥ ୯୩

ଏଣୁ ଅସାଧୁ ସଙ୍ଗେ ଥିଲେ । ପ୍ରାଣ ଇନ୍ଦ୍ରିୟ ବୁଦ୍ଧିବଳେ ॥ ୯୪

ପରର ଆତ୍ମାକୁ ନିନ୍ଦଇ । ଅସାଧୁ ବାକ୍ୟେ ଭାବବହି ॥ ୯୫

ଅସାଧୁଜନଙ୍କ ସ୍ୱଭାବ । ନିରତେ ଅସହଣି ଭାବ ॥ ୯୬

ସାଧୁଙ୍କ ସୁପୁଣ୍ୟ ସମ୍ପଦ । ଦେଖି ବହନ୍ତି ମନେ ଖେଦ ॥ ୯୭

ହିଂସନ୍ତି ତାଙ୍କୁ ଅକାରଣେ । ହରିଙ୍କି ଯେହ୍ନେ ପୁଣ୍ୟଜନେ ॥ ୯୮

ସଭାର ମଧ୍ୟେ ତୋ ପିତାରେ । ଅବଜ୍ଞା କଲି ମୁଁ ବେଭାରେ ॥ ୯୯

ଏମନ୍ତ ନ ବିଚାର ମନେ । ଶୁଣ କହୁଛି ସୁମଧ୍ୟମେ ॥ ୧୦୦

ଯେ ବନ୍ଧୁ ଆଗମନ ଦେଖି । ଉଠନ୍ତି ଆସନ ଉପେକ୍ଷି ॥ ୧୦୧

ଭାବେ ଆସନ୍ତି କିଛି ଦୂର । ବଚନ କହନ୍ତି ମଧୁର ॥ ୧୦୨

ଅତି ହିଁ ସ୍ନେହ କରି ଚିତ୍ତେ । ପୁଲକ ହୋଇ ହୃଦଗତେ ॥ ୧୦୩

ଅଭିବାଦନ ମୃଦୁ ବାଣୀ । ପୂଜନ୍ତି ନିଜ ଗୃହେ ଆଣି ॥ ୧୦୪

ବିଷ୍ଣୁର ଭାବେ ପୂଜା କରି । ଆନନ୍ଦେ ପ୍ରିୟଭାବେ ଭରି ॥ ୧୦୫

ଲୋକେ କରନ୍ତି ପରସ୍ପର । ତା ନୋହେ ପ୍ରାଜ୍ଞଙ୍କ ଆଚାର ॥ ୧୦୬

ସେ ବିଷ୍ଣୁ ଶୁଦ୍ଧ-ସ୍ୱ‌ତ୍ତ୍ୱମୟ । ପ୍ରକାଶେ ଜୀବର ହୃଦୟ ॥ ୧୦୭

ତେଣୁ ବୋଲାଏ ବାସୁଦେବ । ସେ ଯେ ମୋହର ନିତ୍ୟ ସେବ୍ୟ ॥ ୧୦୮

ଦକ୍ଷ ହୃଦୟେ ତାଙ୍କୁ ଲକ୍ଷି । ମୁଁ ନମସ୍କାର କରିଅଛି ॥ ୧୦୯

ଏ ରୂପେ କଲି ମୁଁ ସମ୍ମାନ । ନକରି ତାଙ୍କ ଅପମାନ ॥ ୧୧୦

ଏ ଦେହେ ଅଭିମାନ କରି । ଦକ୍ଷ ତା ଜାଣିବ କିପରି ॥ ୧୧୧

ଯେଣୁ ଯେ ଦକ୍ଷ ପ୍ରଜାପତି । ମୋ ଭାବେ ଚିନ୍ତଇ ଅନୀତି ॥ ୧୧୨

ଯେଣୁ ମୋ ଆଶ୍ରେ ଯେତେ ଛନ୍ତି । ଦକ୍ଷର ପ୍ରିୟ ସେ ନୁହଁନ୍ତି ॥ ୧୧୩

ନିରପରାଧ ମୁଁ ତାହାର । ଦୁର୍ବାକ୍ୟେ କଲା ତିରସ୍କାର ॥ ୧୧୪

ପିତା ହେଲେ ହେଁ ତାର ତହିଁ । ଯିବା ତୋହର ନ ଯୋଗାଇ ॥ ୧୧୫

ତୁ ଯେବେ ମୋହର ବଚନ । ଅଜ୍ଞାନେ କରିବୁ ଲଂଘନ ॥ ୧୧୬

ପିତା ଭୁବନେ ଯିବୁ ତୁହି । କେବେହେଁ ତୋର ଭଲ ନାହିଁ ॥ ୧୧୭

ତୋହର ଅମଙ୍ଗଳ ପଳ । ମୋହୃଦେ ହୋଇବ ବିକଳ ॥ ୧୧୮

ଉତ୍ତମଜନ ଜାଣ ଯେବେ । ସ୍ୱଜନୁଁ ପରାଭବ ଲଭେ ॥ ୧୧୯

କେବେହେଁ ତାର ଭଲ ନାହିଁ । ଏମନ୍ତ ଦେବୀ ଆଗେ କହି ॥ ୧୨୦

ସ୍ଥିର ହୋଇଲେ ଉମାକାନ୍ତ । କହଇ ଦାସ ଜଗନ୍ନାଥ ॥ ୧୨୧

ଇତିଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟା

ଚୁତୁର୍ଥସ୍କନ୍ଧେ ଉମାରୁଦ୍ର ସମ୍ବାଦେ ନାମ ତୃତୀୟୋଽଧ୍ୟାୟଃ ॥

* * *