ଚତୁର୍ଥ ସ୍କନ୍ଧ
ତୃତୀୟ ଅଧ୍ୟାୟ
ମୈତ୍ରେୟ ମୁନି ତୋଷ ହୋଇ । କହେ ବିଦୁର ମୁଖ ଚାହିଁ ॥ ୧
ମୈତ୍ରେୟ ଉବାଚ
ଶୁଣ ବିଦୁର ଏକମନେ । ରୁଦ୍ର ଯେ ଗଲେ କୋପମନେ ॥ ୨
ଏମନ୍ତେ ଜାମାତା ଶ୍ୱଶୁର । ବିବାଦେ ଗଲା ବହୁକାଳ ॥ ୩
ପ୍ରଜାପତିଙ୍କ ମଧ୍ୟେ ପୂର୍ବେ । ଦକ୍ଷକୁ ସ୍ଥାପି ରାଜପଦେ ॥ ୪
ଦକ୍ଷକୁ ଅଭିଷେକ କରି । ବ୍ରହ୍ମା ବୋଇଲେ ହସ୍ତ ଧରି ॥ ୫
ତୁ ହୁଅ ପ୍ରଜାପତି ଶ୍ରେଷ୍ଠ । ଅପରେ ସର୍ବେ ତୋ କନିଷ୍ଠ ॥ ୬
କମଳଯୋନି ଯେତେବେଳେ । ଦକ୍ଷକୁ ଶୁଭଲଗ୍ନ ଦେଲେ ॥ ୭
ସକଳ ମୁନି ମନୁଗଣେ । ସ୍ଥାପିଲେ ପ୍ରଜାପତି ପଣେ ॥ ୮
ଦକ୍ଷକୁ ପୂଜି ଅଭିଷେକେ । ମାନ୍ୟ ସେ କଲେ ଏକେଏକେ ॥ ୯
ତୁମ୍ଭ ସକଳମଧ୍ୟେ ଏହୁ । ପାଳନେ ଅଧିପତି ହେଉ ॥ ୧୦
ଦକ୍ଷକୁ ବୋଲେ ବେଦବର । ତୁ ବାଜପେୟ ଯଜ୍ଞ କର ॥ ୧୧
ସେ ଦକ୍ଷ ମନେ ଗର୍ବ କଲା । ରୋଷେ ରୁଦ୍ରଙ୍କୁ ନ ବରିଲା ॥ ୧୨
ଭୃଗୁଙ୍କୁ କଲେ ପୁରୋହିତ । ସଙ୍ଗେ ଘେନିଣ ମୁନିସନ୍ଥ ॥ ୧୩
ଯେ ଯଜ୍ଞ ବୃହସ୍ପତି ନାମ । ଶୁଣିଲା ଯଜ୍ଞଙ୍କ ଉତ୍ତମ ॥ ୧୪
ତେଣୁ ନିବେଶି ମନବୁଦ୍ଧି । ସକଳ ସମ୍ଭାର ନିବେଦି ॥ ୧୫
ସେ ଯଜ୍ଞ ଆରମ୍ଭର କାଳେ । ସକଳ ମୁନି ଏକମେଳେ ॥ ୧୬
ଯେ ବ୍ରହ୍ମଋଷି ଦେବଋଷି । ସର୍ବଦେବଙ୍କ ସଙ୍ଗେ ମିଶି ॥ ୧୭
ପିତୃ-ଦେବତାଗଣ ଶୂନ୍ୟେ । ପତ୍ନୀଙ୍କି ଘେନି ଦିବ୍ୟଯାନେ ॥ ୧୮
ମନର ଉଲ୍ଲାସେ ଗମନ୍ତି । ଦିଗ-ଭୁବନେ ବିରାଜନ୍ତି ॥ ୧୯
ଯଜ୍ଞେ ଗମନ୍ତି ଯୂଥେ ଯୂଥେ । ଗୀତ ସୁବାଦ୍ୟ ଶୂନ୍ୟପଥେ ॥ ୨୦
ଆକାଶେ ବିମାନ ଗହଳ । ଚଳନ୍ତେ ଶୁଭେ ମୁଖଗୋଳ ॥ ୨୧
ଏମନ୍ତେ ଈଶ୍ୱର ଘରଣୀ । ଆକାଶେ ଶୁଣି ଦେବବାଣୀ ॥ ୨୨
ନିଜ ସଖୀଙ୍କି ପଚାରିଲା । ତାହାଙ୍କ ବଦନୁ ଶୁଣିଲା ॥ ୨୩
ଶୁଣ ଗୋ ଈଶ୍ୱର ଭାମିନି । ଯେଣେ ଗମନ୍ତି ସୁର ମୁନି ॥ ୨୪
ତୁମ୍ଭ ପିତାର ମହାଯଜ୍ଞେ । ଦେବେ ଗମନ୍ତି ଶୂନ୍ୟମାର୍ଗେ ॥ ୨୫
ନିଜ କାମିନୀ ଘେନି ସଙ୍ଗେ । ବିମାନ ଯାନ୍ତି ନାନାରଙ୍ଗେ ॥ ୨୬
ତିନି ଭୁବନେ ଯେତେ ଜନେ । ଯଜ୍ଞ ଗମନ୍ତି ତେସମନେ ॥ ୨୭
ଦିବ୍ୟ ଅଳଙ୍କାର ଭୂଷଣେ । ବିମାନେ ବସି ବଧୂଗଣେ ॥ ୨୮
ଅନେକ ପରିଜନ ଘେନି । ହରଷ ସୁବେଶେ କାମିନୀ ॥ ୨୯
ସ୍ୱାମୀଙ୍କ ସଙ୍ଗତେ ଚଳନ୍ତି । ଦେଖ ଗଗନେ ପନ୍ତି ପନ୍ତି ॥ ୩୦
ନକ୍ଷତ୍ରଗଣ ପ୍ରାୟ ଶୋଭା । କି ଅବା ପଟାନ୍ତର ଦେବା ॥ ୩୧
ତା ଶୁଣି ଗଗନକୁ ଚାହିଁ । ଅମ୍ବିକା ମନେ ବିଚାରଇ ॥ ୩୨
ଦେଖ ଅଭାଗ୍ୟ କର୍ମ ମୋର । ମୋହର ସ୍ୱାମୀ ମହେଶ୍ୱର ॥ ୩୩
ମୋହର ପିତା ଯଜ୍ଞକାଳେ । ମୁହିଁ ନିରାଶ କର୍ମ-ଫଳେ ॥ ୩୪
ମୋର ସ୍ୱାମୀଙ୍କି ନ ବରିଲା । ଅବହେଳଣ ମୋତେ କଲା ॥ ୩୫
ମୋର ମାତାର ଦୟା ନାହିଁ । କେ ଏହା ସହୁ ଦେହ ବହି ॥ ୩୬
ନିନ୍ଦିତ-କର୍ମ ଏ ସଂସାରେ । ନ ଥିବା ଯୋଗାଇ ବେଭାରେ ॥ ୩୭
ଏମନ୍ତ ଭାଳି ଦେବୀ ମନେ । ମିଳିଲେ ସ୍ୱାମୀ ସନ୍ନିଧାନେ ॥ ୩୮
ହୃଦୟେ ଶୋକଭର ହୋଇ । ବୋଲନ୍ତି ରୁଦ୍ରମୁଖ ଚାହିଁ ॥ ୩୯
ସତୀଉବାଚ
ଭୋନାଥ ଶୁଣ ପଶୁପତି । ତୁମ୍ଭ ଶ୍ୱଶୁର ମୂଢ଼ମତି ॥ ୪୦
ଯଜ୍ଞ ଆରମ୍ଭେ ପୁଣ୍ୟକାଳେ । ତା ଶୁଣି ସର୍ବଦେବେ ଚଳେ ॥ ୪୧
ମୁନିଏ ସପତ୍ନକୀ ହୋଇ । ଶୂନ୍ୟେ ଗମନ୍ତି ରଥବାହି ॥ ୪୨
ଦେଖ ଏ ମୁଖରାବଗୋଳ । ପୂରିଛି ଗଗନମଣ୍ତଳ ॥ ୪୩
ଦେଖ ଆନନ୍ଦେ ଦେବଗଣେ । ଚଳନ୍ତି ଯଜ୍ଞର କାରଣେ ॥ ୪୪
ଭୋନାଥ ଚାଲ ଆମ୍ଭେ ଯିବା । ପିତାର ଉତ୍ସବ ଦେଖିବା ॥ ୪୫
ଯଜ୍ଞ-ଉତ୍ସବ ପିତାପୁରେ । ମୋର ଭଗିନୀ ସହୋଦରେ ॥ ୪୬
ଯାଆନ୍ତି ସ୍ୱାମୀ ଘେନି ସଙ୍ଗେ । ଯଜ୍ଞ ଦେଖିବେ ନାନାରଙ୍ଗେ ॥ ୪୭
ମୁଁ ଏବେ ତୁମ୍ଭ ସଙ୍ଗେ ଯିବି । ପିତାର ଉତ୍ସବ ଦେଖିବି ॥ ୪୮
ମାତାକୁ ଦେଖିବି ନୟନେ । ଭଗିନୀଗଣ ସୁଖ ମନେ ॥ ୪୯
ମୋ ପିତା-ଦତ୍ତ ଉପହାର । ସନ୍ତୋଷ ହୋଇବ ଆମ୍ଭର ॥ ୫୦
ଭୋନାଥ ଆଜ୍ଞାଦେବା ମାତେ । ଯିବଇଁ ତୁମ୍ଭର ସହିତେ ॥ ୫୧
ଭୋଦେବଦେବ ପଶୁପତି । କେ ଜାଣିପାରେ ତୁମ୍ଭ ଗତି ॥ ୫୨
ତୁମ୍ଭ ଗୋଚରେ ବିଷ୍ଣୁମାୟା । କେ ଜାଣିପାରେ ନାଥ ଏହା ॥ ୫୩
ହେ ଅଜ ତୋହର ମାୟାରେ । ଆଶ୍ଚର୍ଯ୍ୟ ନିର୍ମାଣ ସଂସାରେ ॥ ୫୪
ତଥାପି ସ୍ତିରୀଜନ୍ମ ମୋର । ମୁଁ କାହିଁ କରିବି ଗୋଚର ॥ ୫୫
ମୋ ଜନ୍ମଭୂମିର ଦର୍ଶନେ । ଇଚ୍ଛା ବଳିଲା ମୋର ମନେ ॥ ୫୬
ହେ ଭବ ତୁମ୍ଭେ ତ ଅଭବ । କି ରୂପେ ହେବ ଅନୁଭବ ॥ ୫୭
ବନ୍ଧୁ ବିରହେ ଯେତେ ଦୁଃଖ । ତହିଁରେ ତୁମ୍ଭେ ତ ବିମୁଖ ॥ ୫୮
ଦେଖ ହେ ପ୍ରଭୁ ଶୂନ୍ୟପଥେ । ଦେବେ ଗମନ୍ତି ଯୂଥେଯୂଥେ ॥ ୫୯
ଯେସନେ ରାଜହଂସ-ପନ୍ତି । ବିମାନମାନ ଶୂନ୍ୟେ ଯାନ୍ତି ॥ ୬୦
ମୋର ପିତା ପୁରେ ଯାଇ । ଯଜ୍ଞ ଦେଖିବେ ସୁଖବହି ॥ ୬୧
ଭୋନାଥ ଶୁଣ ପଶୁପତି । ତୁମ୍ଭ ଚରଣେ ମୋର ମତି ॥ ୬୨
ମୁଁ ଏହା ସହିବି କେମନ୍ତେ । ଶରୀର ବହି ଏ ଜଗତେ ॥ ୬୩
ପିତା ଜନନୀ ଭଗ୍ନୀଗଣେ । ଦିବ୍ୟଭୂଷଣ ଆଭରଣେ ॥ ୬୪
ଯଜ୍ଞ ଆରମ୍ଭେ ସୁଖଭୋଳେ । ଥିବେ ସକଳେ ଏକମେଳେ ॥ ୬୫
ପିତା ଭର୍ତ୍ତା ଗୁରୁ ସଦନେ । ଯୋଗାଇ ଯିବା ଅବରଣେ ॥ ୬୬
ଭୋନାଥ ଶୁଣ ସଦାଶିବ । ତୁମ୍ଭେ ଅବରଣେ ନ ଯିବ ॥ ୬୭
ଯାହାର ଆବାହନ ନାହିଁ । ତାହାର ଯିବା ଯୋଗ୍ୟ ନୋହି ॥ ୬୮
ତୋହର ଜ୍ଞାନ ନୋହେ ଅଳ୍ପ । ମୁଁ ତୋର ଅର୍ଦ୍ଧଅଙ୍ଗରୂପ ॥ ୬୯
ତେଣୁ ତୁ ଅର୍ଦ୍ଧନାରୀଶ୍ୱର । ଖ୍ୟାତି ଲଭିଲୁ ମହେଶ୍ୱର ॥ ୭୦
ଭୋନାଥ ମୋର କଥା କର । ମୋହର ବାଞ୍ଛା ପୂର୍ଣ୍ଣକର ॥ ୭୧
ମୁଁ ଯିବି ଆଜ୍ଞା ଦେବା ମୋତେ । ଆନନ୍ଦମନେ ଶୁଦ୍ଧ ଚିତ୍ତେ ॥ ୭୨
ମୈତ୍ରେୟ ଉବାଚ
ଏମନ୍ତ ପ୍ରିୟା ମୁଖୁ ଶୁଣି । ଈଶ୍ୱର ସ୍ଥିର-ଚିତ୍ତେ ଗୁଣି ॥ ୭୩
ସ୍ୱଭାବେ ଜଗତ ଈଶ୍ୱର । ଜଗତ ଯାର ଖେଡଘର ॥ ୭୪
ଅଳପ ଅପମାନ ବହି । କହନ୍ତି ପତ୍ନୀ-ମୁଖ ଚାହିଁ ॥ ୭୫
ଈଶ୍ୱର ଉବାଚ
ଶୁଣ ସୁନ୍ଦରରୀ କହୁଁ ତୋତେ । ତୁ ଯେଣୁ ପଚାରିଲୁ ମୋତେ ॥ ୭୬
ସାଧୁବିଚାର ଏ ତୋହୋର । ଶୁଦ୍ଧ-ସୁନ୍ଦର-ମନୋହର ॥ ୭୭
ବୋଲୁ ଏ ବନ୍ଧୁ-ଅପମାନ । କେ ସହିପାରେ ଦୁର୍ବଚନ ॥ ୭୮
ବନ୍ଧୁକୁ ବନ୍ଧୁ ଭାବଭୋଳେ । ଅମାନ୍ୟ କଲେ ଅବହେଳେ ॥ ୭୯
ତହିଁ ନଥାଇ ଅପମାନ । କେ ସହୁ ପୁଣି ଦୁର୍ବଚନ ॥ ୮୦
ବିଦ୍ୟାର ବଳେ ତପଦାହେ । ସୁନ୍ଦର ବପୁ ବୟ ରହେ ॥ ୮୧
ଉତ୍ତମକୁଳେ ଯେହୁ ଜାତ । ସକଳଗୁଣେ ଯେ ବିଖ୍ୟାତ ॥ ୮୨
ଜାଣଇ ଶ୍ରୁତି ସ୍ମୃତି ଧର୍ମ । ଆଗମ ନିଗମ ଯେ କର୍ମ ॥ ୮୩
ସେ ପୁଣି ଅବିବେକ ବଳେ । ବନ୍ଧୁ ନିନ୍ଦଇ ଅବହେଳେ ॥ ୮୪
ମହତ ତେଜ ଯେ ନ ସହେ । ନିରତେ ମନେ ଗର୍ବ ବହେ ॥ ୮୫
ଅଜ୍ଞାନବାଦୀ ବୋଲି ତାରେ । ସୁଖ ନ ଲଭେ ଏ ସଂସାରେ ॥ ୮୬
ଯେ ପ୍ରାଣୀ ଅଭ୍ୟାଗତ ଦେଖି । ବକ୍ର-ବଦନେ ବୁଜେ ଆଖି ॥ ୮୭
ବନ୍ଧୁ ହେଲେ ହେଁ ଜାଣ ତୁହି । ତା ଗୃହେ ଯିବା ନ ଯୋଗାଇ ॥ ୮୮
ସମରେ ଅରି-ବାଣ ଘାଏ । ଅଙ୍ଗରେ ତେଡେ ପୀଡା ନୋହେ ॥ ୮୯
ବନ୍ଧୁର କୁବଚନ-ବାଣ । ଅନିଶେ ଦହେ ମନ ପ୍ରାଣ ॥ ୯୦
ତୁ ପୁଣି ପିତାପ୍ରିୟ ବହୁ । ତାର ସୁହୃଦ-ଧର୍ମ କହୁ ॥ ୯୧
ତଥାପି ପିତାଗୃହେ ଗଲେ । ମାନ ତୁ ନ ପାଇବୁ ଭଲେ ॥ ୯୨
ସାଧୁଙ୍କ ସଙ୍ଗେ ଯେ ବସଇ । ତାହାର ରିପୁ ମିତ୍ର ନାହିଁ ॥ ୯୩
ଏଣୁ ଅସାଧୁ ସଙ୍ଗେ ଥିଲେ । ପ୍ରାଣ ଇନ୍ଦ୍ରିୟ ବୁଦ୍ଧିବଳେ ॥ ୯୪
ପରର ଆତ୍ମାକୁ ନିନ୍ଦଇ । ଅସାଧୁ ବାକ୍ୟେ ଭାବବହି ॥ ୯୫
ଅସାଧୁଜନଙ୍କ ସ୍ୱଭାବ । ନିରତେ ଅସହଣି ଭାବ ॥ ୯୬
ସାଧୁଙ୍କ ସୁପୁଣ୍ୟ ସମ୍ପଦ । ଦେଖି ବହନ୍ତି ମନେ ଖେଦ ॥ ୯୭
ହିଂସନ୍ତି ତାଙ୍କୁ ଅକାରଣେ । ହରିଙ୍କି ଯେହ୍ନେ ପୁଣ୍ୟଜନେ ॥ ୯୮
ସଭାର ମଧ୍ୟେ ତୋ ପିତାରେ । ଅବଜ୍ଞା କଲି ମୁଁ ବେଭାରେ ॥ ୯୯
ଏମନ୍ତ ନ ବିଚାର ମନେ । ଶୁଣ କହୁଛି ସୁମଧ୍ୟମେ ॥ ୧୦୦
ଯେ ବନ୍ଧୁ ଆଗମନ ଦେଖି । ଉଠନ୍ତି ଆସନ ଉପେକ୍ଷି ॥ ୧୦୧
ଭାବେ ଆସନ୍ତି କିଛି ଦୂର । ବଚନ କହନ୍ତି ମଧୁର ॥ ୧୦୨
ଅତି ହିଁ ସ୍ନେହ କରି ଚିତ୍ତେ । ପୁଲକ ହୋଇ ହୃଦଗତେ ॥ ୧୦୩
ଅଭିବାଦନ ମୃଦୁ ବାଣୀ । ପୂଜନ୍ତି ନିଜ ଗୃହେ ଆଣି ॥ ୧୦୪
ବିଷ୍ଣୁର ଭାବେ ପୂଜା କରି । ଆନନ୍ଦେ ପ୍ରିୟଭାବେ ଭରି ॥ ୧୦୫
ଲୋକେ କରନ୍ତି ପରସ୍ପର । ତା ନୋହେ ପ୍ରାଜ୍ଞଙ୍କ ଆଚାର ॥ ୧୦୬
ସେ ବିଷ୍ଣୁ ଶୁଦ୍ଧ-ସ୍ୱତ୍ତ୍ୱମୟ । ପ୍ରକାଶେ ଜୀବର ହୃଦୟ ॥ ୧୦୭
ତେଣୁ ବୋଲାଏ ବାସୁଦେବ । ସେ ଯେ ମୋହର ନିତ୍ୟ ସେବ୍ୟ ॥ ୧୦୮
ଦକ୍ଷ ହୃଦୟେ ତାଙ୍କୁ ଲକ୍ଷି । ମୁଁ ନମସ୍କାର କରିଅଛି ॥ ୧୦୯
ଏ ରୂପେ କଲି ମୁଁ ସମ୍ମାନ । ନକରି ତାଙ୍କ ଅପମାନ ॥ ୧୧୦
ଏ ଦେହେ ଅଭିମାନ କରି । ଦକ୍ଷ ତା ଜାଣିବ କିପରି ॥ ୧୧୧
ଯେଣୁ ଯେ ଦକ୍ଷ ପ୍ରଜାପତି । ମୋ ଭାବେ ଚିନ୍ତଇ ଅନୀତି ॥ ୧୧୨
ଯେଣୁ ମୋ ଆଶ୍ରେ ଯେତେ ଛନ୍ତି । ଦକ୍ଷର ପ୍ରିୟ ସେ ନୁହଁନ୍ତି ॥ ୧୧୩
ନିରପରାଧ ମୁଁ ତାହାର । ଦୁର୍ବାକ୍ୟେ କଲା ତିରସ୍କାର ॥ ୧୧୪
ପିତା ହେଲେ ହେଁ ତାର ତହିଁ । ଯିବା ତୋହର ନ ଯୋଗାଇ ॥ ୧୧୫
ତୁ ଯେବେ ମୋହର ବଚନ । ଅଜ୍ଞାନେ କରିବୁ ଲଂଘନ ॥ ୧୧୬
ପିତା ଭୁବନେ ଯିବୁ ତୁହି । କେବେହେଁ ତୋର ଭଲ ନାହିଁ ॥ ୧୧୭
ତୋହର ଅମଙ୍ଗଳ ପଳ । ମୋହୃଦେ ହୋଇବ ବିକଳ ॥ ୧୧୮
ଉତ୍ତମଜନ ଜାଣ ଯେବେ । ସ୍ୱଜନୁଁ ପରାଭବ ଲଭେ ॥ ୧୧୯
କେବେହେଁ ତାର ଭଲ ନାହିଁ । ଏମନ୍ତ ଦେବୀ ଆଗେ କହି ॥ ୧୨୦
ସ୍ଥିର ହୋଇଲେ ଉମାକାନ୍ତ । କହଇ ଦାସ ଜଗନ୍ନାଥ ॥ ୧୨୧
ଇତିଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟା
ଚୁତୁର୍ଥସ୍କନ୍ଧେ ଉମାରୁଦ୍ର ସମ୍ବାଦେ ନାମ ତୃତୀୟୋଽଧ୍ୟାୟଃ ॥
* * *