ଚତୁର୍ଥ ସ୍କନ୍ଧ
ଦ୍ୱିତୀୟ ଅଧ୍ୟାୟ
ବିଦୁର ଉବାଚ
ଯେ ଶିବ ସାଧୁଙ୍କର ଶ୍ରେଷ୍ଠ । ତା ସଙ୍ଗେ ଦକ୍ଷ କଲା ହଟ ॥ ୧
ଦୁହିତାବତ୍ସଳ ସ୍ୱଭାବେ । ସତୀକୁ ଦେଇଅଛି ପୂର୍ବେ ॥ ୨
କିମ୍ପା ଅନୀତି ଆଚରିଲା । ସତୀକୁ ଅନାଦର କଲା ॥ ୩
ସଚରାଚର-ଗୁରୁ ହର । ସେ ଆତ୍ମାରାମେ ଯୋଗେଶ୍ୱର ॥ ୪
ଶାନ୍ତ-ବିଗ୍ରହ ନିର୍ବିକାର । ଅଦ୍ଭୁତ ମହିମା ଯାହାର ॥ ୫
ସମସୁହୃଦ ଶୁଦ୍ଧଚିତ୍ତ । ଜଗତବନ୍ଧୁ ବିଶ୍ୱନାଥ ॥ ୬
ତାଙ୍କୁ ଅବଜ୍ଞା କିମ୍ପାକଲା । କେବା ତାହାକୁ ଶିକ୍ଷା ଦେଲା ॥ ୭
ଶ୍ୱଶୁର-ଜାମାତାର ସ୍ନେହ । କିମ୍ପା ଭାଙ୍ଗିଲା ଏହା କହ ॥ ୮
ଶିବଙ୍କୁ ଅନାଦର କଲା । ସେ ଦୁଃଖେ ସତୀ ପ୍ରାଣ ଦେଲା ॥ ୯
ଏ ବାଣୀ ଶୁଣି ମୋର ମନ । ଚଞ୍ଚଳ ଭାବେ ଛନଛନ ॥ ୧୦
ଭୋମୁନି କର ଅନୁଗ୍ରହ । କହ ହେ ନ ରହୁ ସନ୍ଦେହ ॥ ୧୧
ମୈତ୍ରେୟ ଉବାଚ
ଶୁଣ ବିଦୁର ଶାସ୍ତ୍ରଯୋଗେ । ସେ ବିଶ୍ୱସ୍ରଷ୍ଟାଙ୍କର ଯାଗେ ॥ ୧୨
ଯଜ୍ଞ ଆରମ୍ଭ ଆଚରଣେ । ମିଳିଲେ ସର୍ବ ଦେବଗଣେ ॥ ୧୩
ଅଶେଷ ମୁନିଙ୍କର ମେଳେ । ମିଳିଲେ ଦଶ ଦିଗପାଳେ ॥ ୧୪
ଯକ୍ଷ କିନ୍ନର ନାଗକୁଳ । ମିଳିଲେ ଜ୍ୱଳନ୍ତ ଅନଳ ॥ ୧୫
ପିତୃ ଦେବତାଗଣ ଆଦି । ଯେଣେ ଯେ ଯଜ୍ଞକୁ ସମ୍ପାଦି ॥ ୧୬
ଏମନ୍ତେ ସୁରଗଣ ଯେତେ । ମିଳିଲେ ବ୍ରହ୍ମାଙ୍କ ଅଗ୍ରତେ ॥ ୧୭
ସୁର କିନ୍ନର ବ୍ରହ୍ମମୁନି । ଦକ୍ଷଙ୍କୁ ସର୍ବେ ସଙ୍ଗେ ଘେନି ॥ ୧୮
ସେ ଦକ୍ଷ ନିଜ ବ୍ରହ୍ମତେଜେ । ସୁନ୍ଦରେ ତ୍ରିଭୁବନ ଗଞ୍ଜେ ॥ ୧୯
ଆଦିତ୍ୟପ୍ରାୟେ ଦେହ କାନ୍ତି । ମଣିକଙ୍କଣ ଝଟକନ୍ତି ॥ ୨୦
ବ୍ରହ୍ମାର ସଭା ମଧ୍ୟଗତେ । ଥିଲା ଯେ ତିମିର ଆୟତ୍ତେ ॥ ୨୧
ଦକ୍ଷର ତେଜେ ତମ ଗଲା । ସେ ସଭା ନିର୍ମଳ ଦିଶିଲା ॥ ୨୨
ସଭାର ଜନେ ଦକ୍ଷ ଦେଖି । ଉଠିଲେ ଆସନ ଉପେକ୍ଷି ॥ ୨୩
ମଧ୍ୟେ ଯେ ବ୍ରହ୍ମା ଶିବ ଥିଲେ । ଦକ୍ଷକୁ ଦେଖି ନ ଉଠିଲେ ॥ ୨୪
ସେ ସଭାମଧ୍ୟେ ମୁନି ଯେତେ । ସାନନ୍ଦ ଭାବେ ଶୁଦ୍ଧ ଚିତ୍ତେ ॥ ୨୫
ଅଞ୍ଜଳି କରି ନିଜ ମାଥେ । ରୋମାଞ୍ଚ ଅଶ୍ରୁଜଳ ନେତ୍ରେ ॥ ୨୬
ଦକ୍ଷଙ୍କୁ ସାଧୁ ସାଧୁବାଣୀ । ଭାବେ କହନ୍ତି ପୁଣ ପୁଣି ॥ ୨୭
ସେ ଦକ୍ଷ ସଭାମଧ୍ୟେ ଗଲା । ବ୍ରହ୍ମା ଚରଣେ ପ୍ରଣମିଲା ॥ ୨୮
ସେ ବ୍ରହ୍ମା କୃତକୃତ୍ୟ ହୋଇ । ଦକ୍ଷକୁ ଆଲିଙ୍ଗନ ଦେଇ ॥ ୨୯
ନିଜ ସମୀପେ ବସାଇଲେ । ଅନେକ ପୁରସ୍କାର କଲେ ॥ ୩୦
ରୁଦ୍ର ଯେ ସଭା ମଧ୍ୟେ ଥିଲେ । ଦକ୍ଷଙ୍କୁ ମାନ୍ୟ ସେ ନ କଲେ ॥ ୩୧
ଦେଖି ରୁଦ୍ରର ଅସମ୍ମାନ । ଦକ୍ଷର ଚିତ୍ତେ ଗରୁ-ତମ ॥ ୩୨
ସେ ଦକ୍ଷ ସ୍ୱଭାବେ ଶ୍ୱଶୁର । ତାଙ୍କୁ ନ ଗଣିଲେ ଈଶ୍ୱର ॥ ୩୩
ଅବଜ୍ଞା ଦୋଷେ ସେ ପ୍ରଚଣ୍ତ । ଯେହ୍ନେ ଉଦିତ ମାରତଣ୍ତ ॥ ୩୪
ଅତିହିଁ କୋପଭର ଚିତ୍ତେ । ବୋଲନ୍ତି ସଭଗାର ଅଗ୍ରତେ ॥ ୩୫
କର ପ୍ରସାରି ସଭା ମଧ୍ୟେ । କୋପେ ବୋଲନ୍ତି ଶାସ୍ତ୍ରବାଦୋ ॥ ୩୬
ଶୁଣ ହେ ବ୍ରହ୍ମଋଷିଗଣେ । ଆଗମ ନିଗମ ପ୍ରମାଣେ ॥ ୩୭
ତୁମ୍ଭେ ତ ସଭାମଧ୍ୟେ ଅଛ । ଏହାର ଆଚାର ଦେଖୁଛ ॥ ୩୮
ଶାସ୍ତ୍ରେ ତୁମ୍ଭର ବାକ୍ୟ ଯେତେ । ଯେ ସାଦଚାର ଏ ଜଗତେ ॥ ୩୯
କେଲଂଘି ପାରେ ତାହା ବଳେ । ଏ ତିନି-ଭୁବନମଣ୍ତଳେ ॥ ୪୦
ଦେଖ ଏ ତୁମ୍ଭର ବଚନ । ଲଘିଂଲା ମର୍କଟ-ଲୋଚନ ॥ ୪୧
ରୁଦ୍ର ବୋଲାଇ ଗର୍ବ କଲା । ଏ ମୋତେ ଦେଖି ନ ଉଠିଲା ॥ ୪୨
ଦେଖ ଏ ଲୋକପାଳ ମଧ୍ୟେ । ଯଶ ନାଶିଲା ଅପବାଦେ ॥ ୪୩
ଯେ ସାଧୁ ସନ୍ଥ ଆଚରଣ । କି ଭାବେ କଲାକ ଦୂଷଣ ॥ ୪୪
ମୋହର ଶିଷ୍ୟ ଏ ବୋଲାଇ । ଯେଣୁ ଦୁହିତା ଦେଲି ମୁହିଁ ॥ ୪୫
ଅଗ୍ନିଦେବତା ବିପ୍ର ସ୍ଥାନେ । ଦୁହିତା ଦେଇଛି ପ୍ରସନ୍ନେ ॥ ୪୬
ବେଦବାକ୍ୟରେ ସନମତ । କରିଣ ବଚନ ଉଚିତ ॥ ୪୭
ଏଣୁ ମୁଁ ଏହାର ଶ୍ୱଶୁର । ଗୁରୁଙ୍କ ମଧ୍ୟେ ଗୁରୁବର ॥ ୪୮
ଅଭିବାଦନ ସ୍ତୁତିବାଦେ । ଧର୍ମେ ନବିବ ମୋର ପାଦେ ॥ ୪୯
ଏହା ନ କରି ମୋ ଚରଣେ । ଅବଜ୍ଞା କଲା ମୂଢ଼ପଣେ ॥ ୫୦
ଏ ଲୁପ୍ତକ୍ରିୟା ହୀନାଚାର । ଅଶୁଚି ଶରୀର ଏହାର ॥ ୫୧
ମର୍ଯ୍ୟାଦା ଭେଦେ ଅଭିମାନୀ । ବର୍ତ୍ତଇ ଶୂଦ୍ରଦେହ ଘେନି ॥ ୫୨
ଏହା ନ ଜାଣି ମୁଁ ଅଜ୍ଞାନେ । ବିଶ୍ୱାସି ବ୍ରହ୍ମାର ବଚନେ ॥ ୫୩
ଦୁହିତା ଦାନ ଦେଲି ମୁହିଁ । ଶୂଦ୍ରକୁ ଯେହ୍ନେ ବେଦ କହି ॥ ୫୪
ଅପାତ୍ରେ ଦେଲା ଫଳ ମୋର । କ୍ରିୟା-କଳାପ ଶୁଣ ତାର ॥ ୫୫
ଶ୍ମଶାନବାସୀ ଏ ନିରତେ । ବର୍ତ୍ତଇ ଭୂତ ପ୍ରେତ ସାଥେ ॥ ୫୬
ଉନ୍ମତ୍ତ ପ୍ରାୟେ ନଗ୍ନ ହୋଇ । ଶ୍ମଶାନୁ ଶ୍ମଶାନେ ଭ୍ରମଇ ॥ ୫୭
ଜଟାକଳାପ ମୁକ୍ତକେଶ । ଶ୍ମଶାନ ଚିତାଭସ୍ମ ବେଶ ॥ ୫୮
ଚିତାଭସ୍ମରେ କରେ ସ୍ନାନ । ଶରୀରେ ଅସ୍ଥିର ଭୂଷଣ ॥ ୫୯
ଉନ୍ମତ୍ତ ଭୋଳେ ହାସ୍ୟ ମୁଖେ । ନିତ୍ୟେ ବଞ୍ଚଇ ଆତ୍ମ ସୁଖେ ॥ ୬୦
ପତ୍ନୀର ଉପଦେଶ ଫଳେ । ନିତ୍ୟେ ଭ୍ରମଇ ଅନ୍ତରାଳେ ॥ ୬୧
ଏହାର ନାମ ମାତ୍ର ଶିବ । ସ୍ୱଭାବେ ଅଟଇ ଅଶିବ ॥ ୬୨
ପ୍ରମତ୍ତ-ମତ୍ତଜନ-ପ୍ରିୟ । ଏଣୁ ଅଶୂଚି ଏହା କାୟ ॥ ୬୩
ପ୍ରଥମ-ଭୂତଗଣ-ପ୍ରିୟ । ନିତ୍ୟେ ତାମସ ବହେ ମତି ॥ ୬୪
ଯେଣୁ ତାମସଜନ ପ୍ରିୟ । ନିତ୍ୟେ ନିନ୍ଦିତ ଏହା ଦେହ ॥ ୬୫
ନିର୍ଗୁଣଭୂତେ ଏ ଦୁର୍ମତି । ସୁହୃଦ ପ୍ରାୟେ ବହେ ମତି ॥ ୬୬
ଅଶୌଚ-ହୃଦୟ ଏହାର । କେବଳ ମନ୍ଦ-ବୁଦ୍ଧି-ପର ॥ ୬୭
ମୁଁ ମୂଢ ନ ଜାଣି ଅଜ୍ଞାନେ । ବିଶ୍ୱାସି ବ୍ରହ୍ମାର ବଚନେ ॥ ୬୮
ଏହାକୁ ସତୀ କନ୍ୟା ଦେଲି । ଅତି ଅନୀତି ଆଚରିଲି ॥ ୬୯
ମୈତ୍ରେୟ କହେ ତୋଷମନେ । ଶୁଣ ବିଦୁର ଏକମନେ ॥ ୭୦
ମୈତ୍ରେୟ ଉବାଚ
ଏମନ୍ତେ କୁତ୍ସିତ ବଚନେ । ସେ ପ୍ରଜାପତି କୋପମନେ ॥ ୭୧
ଦୁବିୁଦ୍ଧିପଣ ଆଚରିଲା । ଗିରିଶେ ବହୁ ନିନ୍ଦା କଲା ॥ ୭୨
ତକ୍ଷଣେ ଉଠି କୋପାନଳେ । ହସ୍ତ ଅଞ୍ଜଳି ଭରି ଜଳେ ॥ ୭୩
ଭୃଗୁର ବଚନ ସମ୍ମତେ । ହରଙ୍କୁ ଶାପଦେବା ଅର୍ଥେ ॥ ୭୪
ମନରେ ମହାକ୍ରୋଧ ଧରି । ଶିବେ ବୋଲନ୍ତି ଦୃଢକରି ॥ ୭୫
ଦକ୍ଷ ଉବାଚ
ଇନ୍ଦ୍ର ଉପେନ୍ଦ୍ର ଆଦି ଯେତେ । ଅଶେଷ ଦେବଙ୍କ ସମେତେ ॥ ୭୬
ଅଶେଷ-ଯଜ୍ଞେ ଯଜ୍ଞଭାଗ । କେବେହେଁ ହର ନ ଲଭିବ ॥ ୭୭
ଏକଥା ମୋହର ପ୍ରମାଣ । ଏଥକୁ ସାକ୍ଷ୍ୟ ନାରାୟଣ ॥ ୭୮
ଏ ଦେବଗଣଙ୍କ ଅଧମ । ଆତ୍ମାକୁ ମଣେ ସର୍ବସମ ॥ ୭୯
ଦକ୍ଷର ଏ ବଚନ ଶୁଣି । ସେ ଦେବସଭା ମଧ୍ୟେ ପୁଣି ॥ ୮୦
ଦକ୍ଷକୁ ଚାହିଁ ସର୍ବଲୋକେ । ନିଷେଧ କଲେ ଏକେ ଏକେ ॥ ୮୧
ସେ ଦକ୍ଷ କୋପେ ଅଭିମାନୀ । ଦେବଙ୍କ ବଚନ ନ ମାନି ॥ ୮୨
ଅତ୍ୟନ୍ତ କୋପେ ଶାପ ଦେଲା । ଋଷିଙ୍କ ବଚନ ନ ମାନି ॥ ୮୩
ସର୍ବ ମଣିଲା ଅଣହିତ । ତେଣୁ କ୍ରୋଧରେ ଭ୍ରମଚିତ୍ତ ॥ ୮୪
ଶିବଙ୍କୁ କୋପେ ଶାପ ଦେଇ । ଅତ୍ୟନ୍ତ ଅଭିମାନ ବହି ॥ ୮୫
ବ୍ରହ୍ମାର ସଭାରୁ ବାହାର । ତକ୍ଷଣେ ଯାନ୍ତେ ନିଜପୁର ॥ ୮୬
ନନ୍ଦି ଯେ ରୁଦ୍ର ପାଶେ ଥିଲା । ଦକ୍ଷର ଶାପ ସେ ଶୁଣିଲା ॥ ୮୭
ହୃଦୟେ କମ୍ପମାନ ହୋଇ । ମନରେ ଦୁଃଖ-ଖେଦ ବହି ॥ ୮୮
ରୋଷେଣ କଷାୟ-ଲୋଚନ । ଦକ୍ଷର ବାକ୍ୟେ କୋପମନ ॥ ୮୯
ଦକ୍ଷକୁ ପ୍ରତି-ଶାପ ଦେଇ । ବୋଲଇ ସଭାଜନେ ଚାହିଁ ॥ ୯୦
ଦକ୍ଷର ମତେ ଯେତେ ଥିବେ । ଦକ୍ଷକୁ ଯେବା ଆରାଧିବେ ॥ ୯୧
ବିଷ୍ଣୁରେ ଦୋରେହା ହୋଇବେ । ଏ ଦୋଷେ କୁମ୍ଭୀପାକେ ଯିବେ ॥ ୯୨
ଯେବା ଗାଇବ ଏହା ବାଣୀ । ହୀନ ପ୍ରାଣୀଙ୍କ ମଧ୍ୟେ ଗଣି ॥ ୯୩
ଏ କୂଟ-ଗୃହଧର୍ମ ମଧ୍ୟେ । ବିଷୟଭୋଗ ଇଚ୍ଛା ସଧେ ॥ ୯୪
ବିସ୍ତାରି ଯଜ୍ଞ କର୍ମକାଣ୍ତେ । ଦମ୍ଭେ ଆରମ୍ଭି ଏ ପାଷଣ୍ତେ ॥ ୯୫
ଦେହକୁ ସ୍ୱାର୍ଥ ପ୍ରାୟେ ମଣି । ଆତ୍ମାର ଗତି ନ ପ୍ରମାଣି ॥ ୯୬
ପଶୁଙ୍କ ପ୍ରାୟେ କରି ଆଶ । ସର୍ବଦା ହେଉ ନାରୀବଶ ॥ ୯୭
ଏ ଦକ୍ଷ ଛାଗମୁଖ ହେଉ । ଆମ୍ଭର ଶାପ ଆନ ନୋହୁ ॥ ୯୮
ଅବିଦ୍ୟାମାର୍ଗେ ବିଦ୍ୟା କଳ୍ପି । ଅଲାଭେ ଲାଭ ବୁଦ୍ଧି ସ୍ଥାପି ॥ ୯୯
ଏଣୁ ଏ ଛାଗର ସମାନ । ଅତିଶୟରେ ଜ୍ଞାନହୀନ ॥ ୧୦୦
ଦକ୍ଷଙ୍କ ପ୍ରାୟେ ଯେ ବ୍ରାହ୍ମଣ । ସଂସାରେ ଭ୍ରମୁ ପୁଣପୁଣ ॥ ୧୦୧
ଜୀବିକା ପାଇଁ ଧୃତବ୍ରତ । ଅଜ୍ଞାନବଳେ ଏ ମୋହିତ ॥ ୧୦୨
ଅଶେଷ ଯୋନି ସେ ପାଇବେ । ଜନ୍ମ ମରଣ ସଞ୍ଚରିବେ ॥ ୧୦୩
ପାତ୍ର ନ ବୁଝି ଅବିଗୁଣେ । ଯେ ମନ୍ଦବୁଦ୍ଧି ମୂଢ଼ପଣେ ॥ ୧୦୪
ପଶୁ ହିଂସିବେ କର୍ମମତେ । ଅଜ୍ଞାନବଳେ ବିମୋହିତେ ॥ ୧୦୫
ଅଶେଷ-ଯଜ୍ଞ-କର୍ମ କରି । ଏଭକ୍ଷ୍ୟାଭକ୍ଷ୍ୟ ନ ବିଚାରି ॥ ୧୦୬
ଏ ବିପ୍ରେ ତପ-ବିଦ୍ୟା-ବ୍ରତ । ଅଶେଷ କାମ୍ୟଫଳେ ରତ ॥ ୧୦୭
ଚିତ୍ତ ଇନ୍ଦ୍ରିୟ ଦେହେ ରମି । ଯାଚକ ପ୍ରାୟେ ଶ୍ରମେ ଭ୍ରମି ॥ ୧୦୮
ଭ୍ରମିବେ ଇହପରଲୋକେ । ଅରୁଦ୍ର ମାର୍ଗେ ଅତିରେକେ ॥ ୧୦୯
ଏମନ୍ତ ଶାପ ବିପ୍ରକୁଳେ । ସେ ନନ୍ଦୀଶ୍ୱର କୋପାନଳେ ॥ ୧୧୦
ଭୃଗୁ ଯେ ସଭା ମଧ୍ୟେ ଥିଲେ । ନନ୍ଦୀର ଶାପ ସେ ଶୁଣିଲେ ॥ ୧୧୧
ଦକ୍ଷର ମତେ ପକ୍ଷ ଧରି । ରୁଦ୍ର ବିଷୟେ କୋପକରି ॥ ୧୧୨
ଯେ ବ୍ରହ୍ମଦଣ୍ତ ଦୁରତ୍ୟୟ । ସ୍ୱଭାବେ ଭୃଗୁ ମହାଶୟ ॥ ୧୧୩
ସେ ଅନୁଖେଦ ମନେ ଘେନି । ଶିବେ ଅଭାବ ମନେ ଗୁଣି ॥ ୧୧୪
ଦକ୍ଷିଣ-ହସ୍ତେ ଜଳଘେନି । ସଭା ସମୂହେ ଉଚ୍ଚେ ବାଣୀ ॥ ୧୧୫
କୋପେ ବୋଲଇ ଭୃଗୁଋଷି । ବ୍ରାହ୍ମକୁ ସେ ଚିତ୍ତେ ନିବେଶି ॥ ୧୧୬
ଯେ ଶିବବ୍ରତ ଏ ଜଗତେ । କରିବ ଚିତ୍ତର ଆୟତ୍ତେ ॥ ୧୧୭
ସେ ଶାସ୍ତ୍ରମତ ନ ଆଦରି । ପାଷଣ୍ତ ହୋନ୍ତୁ ତମ ଧରି ॥ ୧୧୮
ଦୁଷ୍ଟ ଅଶ୍ରୁଚି ମୂଢ଼ବୁଦ୍ଧି । ପାଷଣ୍ତପଣେ ଯେ ପ୍ରସିଦ୍ଧି ॥ ୧୧୯
ଭୂଷଣ ଜଟା ଭସ୍ମ ଅସ୍ଥି । ଶିବ ପୂଜନେ ଦୃଢ଼ମତି ॥ ୧୨୦
ବହନ୍ତୁ ଶିବଦୀକ୍ଷା ହୃଦେ । ଯହିଁ ଦେବତା ସୁରାମଦେ ॥ ୧୨୧
ବ୍ରହ୍ମା ବ୍ରାହ୍ମଣେ ନିନ୍ଦା କରି । ନିରତେ ଶିବଦୀକ୍ଷା ଧରି ॥ ୧୨୨
ଶିବର ପଥ ସନାତନ । ଯେ ଅବା ଆଚରିବେ ଜନ ॥ ୧୨୩
ବିଷ୍ଣୁ-ନିନ୍ଦନ ଫଳ ପାଉ । ଅନ୍ତେ ପାଷଣ୍ତ ଗତି ହେଉ ॥ ୧୨୪
ମୈତ୍ରେୟ ଉବାଚ
ଏମନ୍ତ ଭୃଗୁବାକ୍ୟ ଶୁଣି । ସଭାର ମଧ୍ୟ ଶୂଳପାଣି ॥ ୧୨୫
ବିମନା ହୋଇ ବେଗେ ଉଠି । ଅନଳ ପ୍ରାୟ କୋପଦୃଷ୍ଟି ॥ ୧୨୬
ନିଜ ଗଣଙ୍କୁ ଘେନି ସଙ୍ଗେ । ଗମିଲେ ନିଜ ସ୍ଥାନ ମାର୍ଗେ ॥ ୧୨୭
ଶିବ ଗମନେ ମୁନିଗଣେ । ଆଗମ ନିଗମ ପ୍ରମାଣେ ॥ ୧୨୮
ତଦନ୍ତେ ବିଶ୍ୱସ୍ରଷ୍ଟାମାନେ । ସହସ୍ରବତ୍ସର ପ୍ରମାଣେ ॥ ୧୨୯
ଯଥା ବିଧାନେ ଯଜ୍ଞସାରି । ସେ ଅବଭୃତ ସ୍ନାନ କରି ॥ ୧୩୦
ପ୍ରୟାଗେ ଯମୁନା ସହିତ । ଜାହ୍ନବୀ ହୋଇଛି ମିଳିତ ॥ ୧୩୧
ତହିଁ ସକଳେ ସ୍ନାନ ସାରି । ଗମିଲେ ନିଜ ନିଜ ପୁରୀ ॥ ୧୩୨
ସେ ବ୍ରହ୍ମଯଜ୍ଞ ନମସ୍ତୁତେ । ଭାଷା ପ୍ରବନ୍ଧେ ଭାଗବତେ ॥ ୧୩୩
ଚତୁର୍ଥସ୍କନ୍ଧେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୩୪
ବିଷ୍ଣୁଚରିତ ସୁଧାରସ । କହଇ ଜଗନ୍ନାଥ ଦାସ ॥ ୧୩୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ଚତୁର୍ଥସ୍କନ୍ଧେ ଦକ୍ଷଶାପୋନାମ ଦ୍ଵିତୀୟୋଽଧ୍ୟାୟଃ ॥
* * *