ଚତୁର୍ଥ ସ୍କନ୍ଧ

ପ୍ରଥମ ଅଧ୍ୟାୟ

ମୈତ୍ରେୟ ଉବାଚ

ଏବେ ହେ ଶୁଣ ଏକଚିତ୍ତେ । ଚତୁର୍ଥସ୍କନ୍ଧେ ଭାଗବତେ ॥

ପୂର୍ବେ ଯେ ପଦ୍ମଯୋନି-ତନୁଁ । ଜନ୍ମିଲେ ସ୍ୱାୟମ୍ଭୁବମନୁ ॥

ତା ନାରୀ ଶତରୂପା ନାମ । ପବିତ୍ର-ସର୍ବ-ଗୁଣ-ଧାମ ॥

ତାହାଙ୍କ ଠାରୁ ସୁତା ତିନି । ପରେ ଜନ୍ମିଲେ ସୁତବେନି ॥

ଆକୂତି ଦେବହୂତି ବେନି । ପ୍ରସୂତି ନାମେ କନ୍ୟା ତିନି ॥

ଆକୂତି ରୁଚିକି ବରିଲା । ପୁତ୍ରିକା ଧର୍ମେ ବିଭା ଦେଲା ॥

ଯେ ଧର୍ମବିଧି ବେଦମାର୍ଗେ । ବିଚାରି ଶତରୂପା ସଙ୍ଗେ ॥

ସେ ପ୍ରଜାପତି ଗୃହେ ଆଣି । ସ୍ୱଧର୍ମେ ଆକୂତି ଘରଣୀ ॥

ସେ କନ୍ୟା ଗର୍ଭେ ରୁଚି ବୀର୍ଯ୍ୟେ । ପୁତ୍ର ଦୁହିତା ମହାତେଜେ ॥

ଜନ୍ମିଲେ ଅତି ସୁଲକ୍ଷଣ । ତାହାଙ୍କ ନାମ ଏବେ ଶୁଣ ॥ ୧୦

ଯଜ୍ଞପୁରୁଷ ତାଙ୍କ ବଂଶେ । ଜନ୍ମ ହୋଇଲେ ବିଷ୍ଣୁ ଅଂଶେ ॥ ୧୧

କନ୍ୟା ସୁରୂପା ସୁଲକ୍ଷଣା । ତା ନାମ କଳ୍ପିଲା ଦକ୍ଷିଣା ॥ ୧୨

ତହୁଁ କନ୍ୟାର ପୁତ୍ର ଆଣି । ସ୍ୱଗୃହେ ମନୁଙ୍କ ଘରଣୀ ॥ ୧୩

ନିଜ ଅପତ୍ୟ ପ୍ରିୟଭାବେ । ପାଳନ୍ତି ମନୁବଂଶ ଲାଭେ ॥ ୧୪

ରୁଚିର ଘରେ କନ୍ୟା ରହି । ଦକ୍ଷିଣା ନାମ ଯାର ହୋଇ ॥ ୧୫

ଏମନ୍ତେ ଗଲା ଦିନାକେତେ । ସେ ରୁଚି କନ୍ୟା ଅଭିମତେ ॥ ୧୬

ସେ ଯଜ୍ଞରୂପୀ ବିଷ୍ଣୁହସ୍ତେ । କନ୍ୟା ଅର୍ପିଲେ ବିଧିମତେ ॥ ୧୭

ସେ ଯଜ୍ଞପତି କନ୍ୟା ପାଇ । ଗୃହସ୍ଥ-ଧର୍ମ-ବିଧି ବହି ॥ ୧୮

ସ୍ୱଧର୍ମ ସାଧନାର ଅର୍ଥେ । ସୁବୁଦ୍ଧି ଘେନି ଶୁଦ୍ଧଚିତ୍ତେ ॥ ୧୯

ଦକ୍ଷିଣା ଗର୍ଭେ ମୁନିବଳା । ଦ୍ୱାଦଶପୁତ୍ର ଜନ୍ମ କଲା ॥ ୨୦

ତୋଷ ପ୍ରତୋଷ ପୁତ୍ରବେନି । ସନ୍ତୋଷ ଭଦ୍ର ଶାନ୍ତି ଘେନି ॥ ୨୧

ଷଷ୍ଠ ପୁତ୍ର ଯେ ଇଡଷ୍ପତି । ବେଦେ ଅଧିକ ଯାର ମତି ॥ ୨୨

ଇଦୁ କବି ଯେ ବିଭୂ ସ୍ୱାହ୍ନ । ସୁଦେବ ଦ୍ୱାଦଶେ ରୋଚନ ॥ ୨୩

ସେ ସ୍ୱାୟମ୍ଭୁବ ସୁଶାସନେ । ଏହି ଦ୍ୱାଦଶ ଭ୍ରାତୃଗଣେ ॥ ୨୪

ତୁଷିତ ନାମେ ଦେବଗଣ । ହୋଇଲେ ସୃଷ୍ଟିର କାରଣ ॥ ୨୫

ମରୀଚି ଆଦି ସପ୍ତମୁନି । ଯଜ୍ଞକୁ ଇନ୍ଦ୍ରପଦେ ଘେନି ॥ ୨୬

ଉତ୍ତାନପାଦ ପ୍ରିୟବ୍ରତ । ଏ ବେନି ମନୁରାଜା ସୁତ ॥ ୨୭

ଏହାଙ୍କ ବଂଶେ ରାଜା ଯେତେ । ପୁତ୍ର ପଉତ୍ର ଅପ୍ରମିତେ ॥ ୨୮

ଏହାଙ୍କ ବଂଶେ ରାଜା ଯେତେ । ପୁତ୍ର ପଉତ୍ର ଅପ୍ରମିତେ ॥ ୨୯

ତାହାର ନବକନ୍ୟା ଗର୍ଭେ । ଯେ ଅବା ଉପୁଜିଲେ ପୂର୍ବେ ॥ ୩୦

ସେ କଥା କହିବଇଁ ତୋତେ । ତୁ ଯେଣୁ ପଚାରିଲୁ ମୋତେ ॥ ୩୧

ପ୍ରସୂତି କନ୍ୟା ମନୁରାଜା । ଦେଇ ଦକ୍ଷକୁ କଲା ପୂଜା ॥ ୩୨

ତାର ସନ୍ତତି ତିନିଲୋକେ । ବିସ୍ତାର ହୋଇଲେ ଅନେକେ ॥ ୩୩

କହିବି ଏଥିର କାରଣ । ତୁ ଏବେ ସାବଧାନେ ଶୁଣ ॥ ୩୪

ଶୁଣନ୍ତେ ନବମୁନି - ବଂଶ । ହରଇ ଅଶେଷ କଳୁଷ ॥ ୩୫

କର୍ଦ୍ଦମ କନ୍ୟା ନାମ କଳା । ମରୀଚି ମୁନିଙ୍କୁ ଅର୍ପିଲା ॥ ୩୬

ମରୀଚି ବୀର୍ଯ୍ୟେ ତା ଉଦରେ । ଜନ୍ମିଲେ ଯେ ବେନି କୁମରେ ॥ ୩୭

କଶ୍ୟପ ପୂର୍ଣ୍ଣିମାନ ଦୁଇ । ଶୁଚି ସୁନ୍ଦର ବେନିଭାଇ ॥ ୩୮

ଏ ବେନିଭାଇଙ୍କର ବଂଶ । ଜଗତେ ଅନେକ ପ୍ରକାଶ ॥ ୩୯

ବିରଜ ପୂର୍ଣ୍ଣିମାର ସୁତ । ଅପର ବିଶ୍ୱଗ ବିଦିତ ॥ ୪୦

ତା ଦେବକୁଲ୍ୟା ନାମେ କନ୍ୟା । ପୂର୍ବେ ଯେ ଗଙ୍ଗା ନାମେ ଧନ୍ୟା ॥ ୪୧

ଅତ୍ରିର ଅନସୂୟା ନାରୀ । ଅତି ସୁନ୍ଦରୀ ସୁକୁମାରୀ ॥ ୪୨

ତାହାର ଗର୍ଭେ ତିନିସୁତ । ହୋଇଲେ ଜଗତେ ବିଦିତ ॥ ୪୩

ଦତ୍ତ ଦୂର୍ବାସା ସୋମ ତିନି । ତିନି ଦେବଙ୍କ ଅଂଶ ଘେନି ॥ ୪୪

ବିଦୁର ଉବାଚ

ଅତ୍ରିର ପତ୍ନୀ ଗର୍ଭଗତେ । ତ୍ରିଦେବ ଜନ୍ମିଲେ କେମନ୍ତେ ॥ ୪୫

ଯେ ବ୍ରହ୍ମା ବିଷ୍ଣୁ ତ୍ରିପୁରାରି । ସୃଷ୍ଟି ପାଳନ ଅନ୍ତକାରୀ ॥ ୪୬

କି ହେତୁ କି କର୍ମ ବିଚାରି । କିମ୍ପା ଜନ୍ମିଲେ ଦେହଧରି ॥ ୪୭

ଏ କଥା ସଂଶୟ ତ ମୋତେ । ଭୋ ମୁନି କହ ଶୁଦ୍ଧଚିତ୍ତେ ॥ ୪୮

ବିଦୁର-ତହୁଁ ଏହା ଶୁଣି । କହେ ମୈତ୍ରେୟ ମନେ ଶୁଣି ॥ ୪୯

ମୈତ୍ରେୟ ଉବାଚ

ଶୁଣ ବିଦୁର ଧୀରମନ । ଅତ୍ରି ଯେ ବ୍ରହ୍ମାର ନନ୍ଦନ ॥ ୫୦

ସ୍ୱଭାବେ ବ୍ରହ୍ମଜ୍ଞାନୀ ବର । ବ୍ରହ୍ମା ବୋଇଳେ ତପ କର ॥ ୫୧

ଯେ ତପେ ଯେବା ଦେବ ସେବି । ତାର ପ୍ରସନ୍ନେ ଫଳ ଲଭି ॥ ୫୨

ଏମନ୍ତ ପିତା ବାକ୍ୟ ମାନି । ଧର୍ମପତ୍ନୀକି ସଙ୍ଗେ ଘେନି ॥ ୫୩

ସେ ପତିବ୍ରତା ଅନସୂୟା । ତାକୁ ନ ଲାଗେ ବିଷ୍ଣୁମାୟା ॥ ୫୪

ସେ ସାଧୁ ପତ୍ନୀ ସଙ୍ଗମେଳେ । ମିଳିଲେ ଋକ୍ଷ କୁଳାଚଳେ ॥ ୫୫

ସେ ଗିରିଶିଖେ ନାନା ଫୁଲ । ସୁରଙ୍ଗ ସୁଗନ୍ଧ ଅମୂଲ ॥ ୫୬

ଦିବ୍ୟ ସୁସଞ୍ଚ ପନ୍ତିପନ୍ତି । ମନମୋହନ ବୃକ୍ଷେ ଛନ୍ତି ॥ ୫୭

ଚନ୍ଦନ ଚମ୍ପକ ଅଶୋକ । ପାରଜାତକ କୁରୁବକ ॥ ୫୮

ନିର୍ବିନ୍ଧ୍ୟା ନାମେ ନଦୀ ବହେ । ସ୍ନାନେ ସକଳ ପାପ ଦହେ ॥ ୫୯

ସେ ବନେ ପଶି ବେନିଜନେ । ତପ ସମାଧଇ ଯୋଗଧ୍ୟାନେ ॥ ୬୦

ମନୁକ ଧରି ଆତ୍ମାବଳେ । ପବନ ଇନ୍ଦ୍ରିୟ ନିଶ୍ଚଳେ ॥ ୬୧

ଏକ ଚରଣେ ଉଭାହୋଇ । ଉର୍ଦ୍ଧ୍ୱ ବଦନେ ଶୂନ୍ୟେ ଧ୍ୟାୟି ॥ ୬୨

ଶତେ ବରଷ ଯୋଗଧ୍ୟାନେ । ବିଞ୍ଚିଲେ ପବନ ଅଶନେ ॥ ୬୩

ନିଶ୍ଚଳ ଯୋଗଧ୍ୟାନେ ଚିନ୍ତା । ଚିତ୍ତେ ଏମନ୍ତ ବିଚାରନ୍ତି ॥ ୬୪

ଜଗତପ୍ରଭୁ ଯେ ଈଶ୍ୱର । ସୃଷ୍ଟି-ପାଳନ-ନାଶକର ॥ ୬୫

ଅନାଦି-ପରମ-କାରଣ । ଦୁର୍ଲ୍ଲଭ ଯାହାର ବରଣ ॥ ୬୬

ଆମ୍ଭର ସନ୍ତତି କାରଣେ । ଶରଣ ଗଲୁ ତା ଚରଣେ ॥ ୬୭

ଏମନ୍ତ ଚିତ୍ତେ ବିଚାରନ୍ତି । ହରିହୁଁ ଆନ ନା ଜାଣନ୍ତି ॥ ୬୮

ସେ ହରି ଯେବେ ଦୟାକରେ । ଜନ୍ମ ଲଭିବେ ଆମ୍ଭ ଘରେ ॥ ୬୯

ସଫଳ ଜୀବନ ମୋହର । ସେ ହରି ଶରଣ-ସୋଦର ॥ ୭୦

ଏମନ୍ତ ଚିତ୍ତେ ନିତ୍ୟେ ଚିନ୍ତି । ସେ ବନେ ତପ ସେ ସାଧନ୍ତି ॥ ୭୧

ଉର୍ଦ୍ଧ୍ୱ-ବଦନେ ଯେ ନିଶ୍ଚଳ । ଏମନ୍ତେ ଗଲା ଦୀର୍ଘକାଳ ॥ ୭୨

ପ୍ରାଣ ସଂଯମ ଶ୍ରମବଳେ । ଶିରେ ଅନଳ ଉପୁଜିଲେ ॥ ୭୩

ତେଜେ ତାପିଲା ତିନିପୁର । ଦେଖି କମ୍ପିଲେ ସୁର-ନର ॥ ୭୪

ବିଶ୍ୱ କମ୍ପିତ ତେଜମୟେ । ଦେଖି ଗୋବିନ୍ଦ କଲେ ଭୟେ ॥ ୭୫

ତାହାଙ୍କ ତପର ସନ୍ତୋଷେ । ଗୋବିନ୍ଦ ମନର ହରଷେ ॥ ୭୬

ତକ୍ଷଣେ ପ୍ରଭୁ ନରହରି । ଭବ-ବିରଞ୍ଚି ସଙ୍ଗେ କରି ॥ ୭୭

ବେଗେ ମିଳିଲେ ଶୂନ୍ୟପଥେ । ଗନ୍ଧର୍ବ ବିଦ୍ୟାଧର ଯୁତେ ॥ ୭୮

ଉରଗ ସିଦ୍ଧ ମୁନିବୁନ୍ଦେ । ଅସ୍ପରା ନୃତ୍ୟନ୍ତି ଆନନ୍ଦେ ॥ ୭୯

ସୁସ୍ୱର ଯନ୍ତ୍ରେ ଗୀତ ଗାନ । ଯେଣେ ସନ୍ତୋଷ ଆତ୍ମାମନ ॥ ୮୦

ସେ ମୁନି ଯଶ-ଗୁଣ ଗାଈ । ତପ ପ୍ରଭାବ ହୃଦେ ବହି ॥ ୮୧

ସେ ହରି କମଳ-ଲୋଚନ । ଅଶେଷ ଭବ-ବିମୋଚନ ॥ ୮୨

ହରଷ ମନ ଅତି ଶ୍ରମେ । ମିଳିଲେ ମୁନିଙ୍କ ଆଶ୍ରମେ ॥ ୮୩

ଦେବଙ୍କ ଆଗମନ ଦେଖି । ସେ ମୁନି ଆସନ ଉପେକ୍ଷି ॥ ୮୪

ସମାଧି ତପ ଆଚରଣେ । ଥିଲେ ଯେ ଏକଇ ଚରଣେ ॥ ୮୫

ବେନିଚରଣ ତଳେ ଥୋଇ । କପୋଳେ ବେନିକର ଦେଇ ॥ ୮୬

ହୃଦୟେ ପୁଲକିତ ଭାବ । ଯେଣୁ ଗୋବିନ୍ଦ-ଅନୁରାଗ ॥ ୮୭

ହରଷ-ଅଶ୍ରୁଜଳ ନେତ୍ରେ । ପ୍ରଣାମ କରି ଦଣ୍ତବତେ ॥ ୮୮

ଉଠି ଚାହଁଇ ଶୂନ୍ୟମାର୍ଗେ । ତିନି ମୂରତି ଦେଖି ଆଗେ ॥ ୮୯

ବୃଷଭ ପକ୍ଷିରାଜ-ଯାନେ । ପରମହଂସର ବିମାନେ ॥ ୯୦

ତିନିଦେବଙ୍କ ଚିହ୍ନ ଦେଖି । ନିଶ୍ଚଳ କଲା ବେନିଆଖି ॥ ୯୧

ଦେଖଇ ବ୍ରହ୍ମ ବିଷ୍ଣୁହର । ନିଜ ଆୟୁଧ ଧରି କର ॥ ୯୨

ପ୍ରସନ୍ନ ଦିଶେ ମୁଖକାନ୍ତି । ଈଷିତ ହାସ୍ୟେ ଶୋଭାପାନ୍ତି ॥ ୯୩

ଏମନ୍ତେ ଦେଖି ତିନିମୁଖ । ମୁନି ଛାଡିଲେ ମନୁ ଦୁଃଖ ॥ ୯୪

କଣ୍ଠ-କୁଣ୍ଠିତ ଗଦଗଦେ । ପ୍ରଣାମ କରି ପଦ୍ମପାଦେ ॥ ୯୫

କରଅଞ୍ଜଳି ଶିରେ ଦେଇ । ବୋଲଇ ତାଙ୍କ ମୁଖ ଚାହିଁ ॥ ୯୬

ଅତ୍ରି ଉବାଚ

ସୃଷ୍ଟି ପାଳନ ସଂହାରଣେ । ତୁମ୍ଭର ଶରୀର ପ୍ରମାଣେ ॥ ୯୭

ଭକ୍ତଜନଙ୍କ ପ୍ରୀତି ଯୋଗେ । ଶରୀର ବହ ଯୁଗେ ଯୁଗେ ॥ ୯୮

ତୁମ୍ଭେ ଯେ ବ୍ରହ୍ମା ବିଷ୍ଣୁ ହର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୯୯

ତୁମ୍ଭର ରୂପ ଏସଂସାରେ । ପ୍ରକାଶ ଜନ-ଉପକାରେ ॥ ୧୦୦

ମୁଁ ଧ୍ୟାନ କଲି ଯାହାରୂପ । କହ ହେ ମୋତେ ତା ସ୍ୱରୂପ ॥ ୧୦୧

ସନ୍ତାନ ପାଇଁ ଭଗବାନ । ତପେ ମୁଁ କଲି ଆରାଧନ ॥ ୧୦୨

ପ୍ରଜାର୍ଥେ ଧ୍ୟାନ କରି ଯାର । ସେ ଦେହୀଙ୍କର ଅଗୋଚର ॥ ୧୦୩

ଏବେ ତ୍ରିତୟ-ରୂପ ଧରି । ତୁମ୍ଭେ ବିଜୟ ମୋର ପୁରୀ ॥ ୧୦୪

କି ରୂପେ ତୁମ୍ଭେ ତିନିଜଣ । ଏ ସ୍ଥାନେ କଲ ଆଗମନ ॥ ୧୦୫

ଏଥିରେ ମୋହର ବିସ୍ମୟ । ସନ୍ଦେହ ଫେଡ ଦୟାମୟ ॥ ୧୦୬

ଏ ବଡ ବିଚିତ୍ର ମଣଇ । ସଂଶୟ ଫେଡ ଦୟାବହି ॥ ୧୦୭

ମୈତ୍ରେୟ ଉବାଚ

ବିଦୁର ସାବଧାନେ ଶୁଣ । ତ୍ରିଦେବ ହୋଇଣ ପ୍ରସନ୍ନ ॥ ୧୦୮

ଏମନ୍ତ ଅତ୍ରି ବାକ୍ୟ ଶୁଣି । ବିଷ୍ଣୁ ଶଙ୍କର ପଦ୍ମଯୋନି ॥ ୧୦୯

ବୋଲନ୍ତ ଅତ୍ରି ମୁଖ ଚାହିଁ । ଭୋମୁନି ଭାଗ୍ୟବନ୍ତ ତୁହି ॥ ୧୧୦

ତୋହର ପ୍ରାୟେ ତପଘୋରେ । ତପସ୍ୱୀ ନାହିଁ ଏ ସଂସାରେ ॥ ୧୧୧

ପତ୍ନୀ ସହିତେ ଦୁଃଖ ସହି । ଯେ ତପ କଲୁ ବନେ ରହି ॥ ୧୧୨

ଚିତ୍ତେ ତୁ କଳ୍ପିଅଛୁ ଯାହା । ତେଣୁ ଆମ୍ଭର ତୋତେ ଦୟା ॥ ୧୧୩

ଚିତ୍ତେ ତୁ କଲୁ ଯାର ଧ୍ୟାନ । ସେ ଆମ୍ଭ ତିନିରୂପ ଜାଣ ॥ ୧୧୪

ମନେ ତୁ ସଂଶୟ ନ କର । ହୋଇବୁ ତୋହର କୁମର ॥ ୧୧୫

ତୋହର ଯଶ ଏ ଜଗତେ । ନିଶ୍ଚଳ ରହିବ ଯେମନ୍ତେ ॥ ୧୧୬

କରିବୁଁ ସତ୍ୟ ଏ ବଚନ । କହି ହୋଇଲେ ଅନ୍ତର୍ଦ୍ଧାନ ॥ ୧୧୭

ନିଜ ଭୁବନେ ଗଲେ ଦେବେ । ଶୁଣ ବିଦୁର କହୁଁ ଏବେ ॥ ୧୧୮

ସେ ମୁନିପତ୍ନୀ ଗର୍ଭ ଯୋଗେ । ଜନ୍ମ ହୋଇଲେ ତିନିଦେବେ ॥ ୧୧୯

ନୟନ ମଧ୍ୟୁ ସୋମ ଜାତ । ଉଦରୁ ଦତ୍ତ ଯେ ସମ୍ଭୂତ ॥ ୧୨୦

ଦୁର୍ବାସା ଧ୍ୱର୍ଜଟିର ଅଂଶେ । ଜନ୍ମ ହୋଇଲେ ପୃଷ୍ଠଦେଶେ ॥ ୧୨୧

ତପର ପ୍ରଭାବ ଏ ପୁଣ । ଏବେ ଅଙ୍ଗିରା ବଂଶ ଶୁଣ ॥ ୧୨୨

ଶ୍ରଦ୍ଧା ଯେ ଅଙ୍ଗିରା ଯୁବତୀ । ତାର ସଙ୍ଗମେ ପ୍ରଜାପତି ॥ ୧୨୩

ଚାରି-କୁମାରୀ ଜନ୍ମ କଲା । ସୁନ୍ଦର-ରୂପ-ଗୁଣ-ଶୀଳା ॥ ୧୨୪

ତୁଳନା ନାହିଁ ଅନୁପମ । ଶୁଣ ହୋ ତାହାଙ୍କର ନାମ ॥ ୧୨୫

ପ୍ରଥମ କନ୍ୟା ସିନୀବାଲୀ । ଅପରେ କୁହୁ ରାକାବାଳୀ ॥ ୧୨୬

ଚତୁର୍ଥ କନ୍ୟା ଅନୁମତି । ଏମନ୍ତେ କନ୍ୟାଙ୍କର ଖ୍ୟାତି ॥ ୧୨୭

ଅପରେ ବେନିପୁତ୍ର ଜାତ । ଉତଥ୍ୟ ବୃହସ୍ପତି ଖ୍ୟାତ ॥ ୧୨୮

ଏ ସ୍ୱାରୋଚିଷ ମନ୍ୱନ୍ତରେ । ଗୁଣେ ବିଖ୍ୟାତ ତିନିପୁରେ ॥ ୧୨୯

ବ୍ରହ୍ମା ବନ୍ଦିତ ତାଙ୍କ ଗୁଣ । ପୁଲସ୍ତ୍ୟ ବଂଶ ଏବେ ଶୁଣ ॥ ୧୩୦

ଅଗସ୍ତ୍ୟ ହବିର୍ଭୁ ଉଦରେ । ଜନ୍ମିଲେ ପୁଲସ୍ତ୍ୟ ବୀର୍ଯ୍ୟରେ ॥ ୧୩୧

ଏ ଅନ୍ୟ ଜନ୍ମରେ ଜଠର । ଅଗ୍ନିରେ ଖ୍ୟାତ ତିନିପୁର ॥ ୧୩୨

ବିଶ୍ରବା ନାମେ ଆର ସୁତ । ଯା ଯଶ ତିନିପୁରେ ଖ୍ୟାତ ॥ ୧୩୩

ତା ପତ୍ନୀ ନାମ ଇଡବିଡା । ଦୁର୍ଜୟ ପୁତ୍ର ପ୍ରସବିଲା ॥ ୧୩୪

ବିଶ୍ରବା ଦେଖି ତା ଶରୀର । ତା ନାମ କଳ୍ପିଲା କୁବେର ॥ ୧୩୫

ପୁଣି ବିଶ୍ରବା ତେଜ ଘେନି । କେଶିନୀ ଗର୍ଭେ ପୁତ୍ରତିନି ॥ ୧୩୬

ରାବଣ କୁମ୍ଭକର୍ଣ୍ଣ ନାମ । ତେଜେ ତ୍ରୈଲୋକ୍ୟ ନାହିଁ ସମ ॥ ୧୩୭

ଜନ୍ମ ହୋଇଲେ ବିଭୀଷଣ । ବିଷ୍ଣୁ ଭକତ ମହାଜନ ॥ ୧୩୮

ପୁଲହ-ବଂଶ ଏବେ ଶୁଣ । କହିବା ତାହାଙ୍କର ଗୁଣ ॥ ୧୩୯

ପୁଲହ-ଭାର୍ଯ୍ୟା ଗତି ଗର୍ଭେ । ତିନି-ବାଳକ ଜନ୍ମ ଲଭେ ॥ ୧୪୦

କେ ପାରେ ତାଙ୍କ ଗୁଣଚିନ୍ତି । ଅନଳ ପ୍ରାୟେ ତେଜ କାନ୍ତି ॥ ୧୪୧

ଜ୍ୟେଷ୍ଠର ନାମ କର୍ମଶ୍ରେଷ୍ଠ । ଦ୍ୱିତୀୟ ବରୀୟସ ଶିଷ୍ଟ ॥ ୧୪୨

ସହିଷ୍ଣୁ ତୃତୀୟ ପ୍ରକାଶ । ଏବେ ତୁ ଶୁଣ କ୍ରତୁବଂଶ ॥ ୧୪୩

କ୍ରତୁର ପତ୍ନୀ କ୍ରିୟା ନାମ । ତା ପୁତ୍ର ଶୁଣ ପୁଣ୍ୟଧାମ ॥ ୧୪୪

ଷଷ୍ଟି ସହସ୍ର ବାଳଖିଲ୍ୟା । ତା ଗର୍ଭେ ପୁତ୍ର ଉପୁଜିଲା ॥ ୧୪୫

କେ ପାରେ ତାଙ୍କ ଗୁଣ ଚିନ୍ତି । ଅନଳ ପ୍ରାୟେ ବିରାଜନ୍ତି ॥ ୧୪୬

ଶୁଣ କହିବା ବିଷ୍ଣୁଭାବେ । ବଶିଷ୍ଠ ବୀର୍ଯ୍ୟେ ଉର୍ଜ୍ଜା ଗର୍ଭେ ॥ ୧୪୭

ନିର୍ମଳ ଗୁଣ ସପ୍ତଋଷି । ମନୁଅନ୍ତରେ ଯାହା ଘୋଷି ॥ ୧୪୮

ଶୁଣ ବିଦୁର ମନ ସୁଖେ । ତାହାଙ୍କ ନାମ କହୁଁ ମୁଖେ ॥ ୧୪୯

ଜ୍ୟେଷ୍ଠ ଚିତ୍ରକେତୁ ସୁରୋଚି । ବିରଜା ମିତ୍ର ବେନି ବତ୍ସି ॥ ୧୫୦

ଉଲ୍ୱଣ ବସୁଭୃତ ଯାନ । ଦ୍ୟୁମାନ ଶକ୍ତି ଆଦି ଅନ୍ୟ ॥ ୧୫୧

ଚିତିର ବଂଶ ଏବେ କହି । ଶୁଣ ବିଦୁର ମନ ଦେଇ ॥ ୧୫୨

ଚିତି ଯେ ଅଥର୍ବଣ ପତ୍ନୀ । ତା ଗର୍ଭେ ଏକପୁତ୍ର ଜନ୍ମି ॥ ୧୫୩

ଦଧୀଚି ନାମେ ମହାଧୀର । ତା ଅନ୍ୟନାମ ଅଶ୍ୱଶିର ॥ ୧୫୪

କେ କହିପାରେ ତାଙ୍କ ଗୁଣ । ଏବେ ତୁ ଭୃଗୁବଂଶ ଶୁଣ ॥ ୧୫୫

ଭୃଗୁର ପତ୍ନୀ ଖ୍ୟାତି ଗର୍ଭେ । ତିନି ଅପତ୍ୟ ଜନ୍ମ ଲଭେ ॥ ୧୫୬

ଧାତା ବିଧାତା ବେନି ସୁତ । କନ୍ୟା ଏ କମଳା ସମ୍ଭୂତ ॥ ୧୫୭

କମଳା ବିଷ୍ଣୁକୁ ବରିଲା । ସେ ଅନୁରୂପ ପତି ଗଲା ॥ ୧୫୮

ଧାତା ବିଧାତା ବେନିବାଳେ । ସୁନ୍ଦରରୂପ ବାଳକାଳେ ॥ ୧୫୯

ମେରୁ ଋଷିର ଯେ ଦୁହିତା । ଆୟତି ନିୟତି ସମ୍ଭୂତା ॥ ୧୬୦

ଏ ବେନିକନ୍ୟା ବେନିଭାଇ । ବିଭା ହୋଇଲେ ଭାବ ବହି ॥ ୧୬୧

ସେ ବେନିକନ୍ୟା ଗର୍ଭଗତେ । ଜନ୍ମ ଲଭିଲେ ବେନିସ୍ରୁତେ ॥ ୧୬୨

ମୁକଣ୍ତ ପ୍ରାଣ ତାଙ୍କ ନାମ । ସୁନ୍ଦରେ ସମ ନୋହେ କାମ ॥ ୧୬୩

ମୁକଣ୍ତ ସୁତ ମାର୍କଣ୍ତେୟ । ପ୍ରାଣର ଏକଇ ତନୟ ॥ ୧୬୪

ତା ନାମ ବେଦଶିରା ହୋଏ । ମୁନିଙ୍କ ମଧ୍ୟେ ମହାଶୟେ ॥ ୧୬୫

ଭୃଗୁର କବି ନାମେ ପୁତ୍ର । ଉଶନାମୁନି ତାର ସୁତ ॥ ୧୬୬

ଏ ସର୍ବମୁନି ମହାଜନ । ସ୍ୱଭାବେ ତ୍ରୈଲୋକ୍ୟ-ଭାବନ ॥ ୧୬୭

ଏମନ୍ତେ କର୍ଦ୍ଦମ ଦୁହିତୀ । କହିଲି ମୁନିବଂଶ ଖ୍ୟାତି ॥ ୧୬୮

ଯେ ଏହା ଶୁଣନ୍ତି ସଂସାରେ । ଜ୍ଞାନ-ଅଜ୍ଞାନ ପାପ ହରେ ॥ ୧୬୯

ଯେ ସ୍ୱାୟମ୍ଭୁବ ମନୁସୁତା । ପ୍ରସୂତି ନାମେ ପତିବ୍ରତା ॥ ୧୭୦

ତାହାର ପତି ଶୁଦ୍ଧମତି । ଯା ନାମ ଦକ୍ଷ ପ୍ରଜାପତି ॥ ୧୭୧

ତା ବୀର୍ଯ୍ୟେ ପ୍ରସୂତିର ଗର୍ଭେ । ଷୋଡଶ କନ୍ୟା ସେ ପ୍ରସବେ ॥ ୧୭୨

ଜନ୍ମିଲେ ନାରୀ ସୁଲୋଚନୀ । ରୂପେ ତ୍ରିଭୁବନ-ମୋହିନୀ ॥ ୧୭୩

ଧର୍ମକୁ ତ୍ରୟୋଦଶ ନାରୀ । ଦେଲା ସେ ଅଳଙ୍କାର ଭରି ॥ ୧୭୪

ଅଗ୍ନିକି ଏକକନ୍ୟା ଦେଲା । ପିତୃପୁରୁଷେ ଏକ ବାଳା ॥ ୧୭୫

ଅପରା ସତୀ ନାମେ କନ୍ୟା । ସୁଶୀଳା ପତିବ୍ରତା ଧନ୍ୟା ॥ ୧୭୬

ଭବଙ୍କୁ କଲେ ସମ୍ପ୍ରଦାନ । ଯା ନାମ ଭବ-ବିନାଶନ ॥ ୧୭୭

ବିଦୁର ହୋଇ ଶୁଦ୍ଧମନ । ଧର୍ମ-ପତ୍ନୀଙ୍କ ନାମ ଶୁଣ ॥ ୧୭୮

ଶ୍ରଦ୍ଧା ମଇତ୍ରୀ ଦୟାଶାନ୍ତି । ତୁଷ୍ଟି ପୁଷ୍ଟି କ୍ରିୟା ଉନ୍ନତି ॥ ୧୭୯

ତିତିକ୍ଷା ଲଜ୍ଜା ବୁଦ୍ଧି ମେଧା । ମୂିର୍ତ୍ତି ସହିତେ ଯେ ପ୍ରସିଦ୍ଧା ॥ ୧୮୦

ଏ ତ୍ରୟୋଦଶ ଧର୍ମନାରୀ । ଦକ୍ଷ ସୁମନେ ବିଭା କରି ॥ ୧୮୧

ଶ୍ରଦ୍ଧାର ସୁତ ସତ୍ୟ ଖ୍ୟାତ । ପ୍ରସାଦ ମୈତ୍ରୀ ତହୁ ଜାତ ॥ ୧୮୨

ଦୟାର ସୁତ ଯେ ଅଭୟ । ସୁଖ ଯେ ଶାନ୍ତିର ତନୟ ॥ ୧୮୩

ହର୍ଷକୁ ପ୍ରସବିଲା ତୁଷ୍ଟି । ଗର୍ବ ପ୍ରସବ କଲା ପୁଷ୍ଟି ॥ ୧୮୪

କ୍ରିୟାର ତହୁଁ ଯୋଗ ହୋଇ । ଉନ୍ନତି ଦର୍ପ ପ୍ରସବଇ ॥ ୧୮୫

ତିତିକ୍ଷା ତହୁଁ କ୍ଷେମ ହେଲା । ଲଜ୍ଜା ବିନୟ ଜାତ କଲା ॥ ୧୮୬

ବୁଦ୍ଧିର ପୁତ୍ର ଅର୍ଥ ପୁଣ । ମେଧା ତନୟ ସ୍ମରଣ ॥ ୧୮୭

ମୂର୍ତ୍ତିର ସୁତ ଏବେ କହି । ଆଶ୍ରିତ ସର୍ବଗୁଣ ଯହିଁ ॥ ୧୮୮

ସେ ବେନି ନର-ନାରାୟଣ । ତାହାଙ୍କ ଜନ୍ମ-କର୍ମ ଶୁଣ ॥ ୧୮୯

ଏ ମୂର୍ତ୍ତିପୁତ୍ର ଜନ୍ମଦିନେ । ଆନନ୍ଦ ଏ ତିନିଭୁବନେ ॥ ୧୯୦

ଦିଗ ପବନ ଗିରି ନଦୀ । ଆନନ୍ଦେ ଉଛୁଳେ ଜଳଧି ॥ ୧୯୧

ଆକାଶ ପୂରେ ତୂର୍ଯ୍ୟ ଘୋଷେ । ନିର୍ମେଘେ କୁସୁମ ବରଷେ ॥ ୧୯୨

ସକଳ ମୁନି ସ୍ତୁତି କଲେ । ଅପ୍ସରାମାନେ ନୃତ୍ୟ ଭୋଳେ ॥ ୧୯୩

ଗନ୍ଧର୍ବ କିନ୍ନର ଆନନ୍ଦେ । ଗାଇଲେ ବିଧ୍ୟାଧରବୃନ୍ଦେ ॥ ୧୯୪

ସକଳ-ଗ୍ରହେ ଅନୁକୂଳ । ଉତ୍ସବ ପରମ-ମଙ୍ଗଳ ॥ ୧୯୫

ହରଷେ ହର-ପଦ୍ମଯୋନି । ସଙ୍ଗେ ଦେବତାବୃନ୍ଦ ଘେନି ॥ ୧୯୬

ମିଳିଲେ ଧର୍ମର ଭୁବନେ । ଆନନ୍ଦ ମନେ ସର୍ବଜନେ ॥ ୧୯୭

ଦେବଗଣ ଉବାଚ

ଯେ ନିଜ ମାୟାଗୁଣେ ହରି । ବିଶ୍ୱ ସଂସାରେ ରୂପ ଧରି ॥ ୧୯୮

ବିଶ୍ୱର ଯୋଗ-କ୍ଷେମ ଅର୍ଥେ । ଭାରତ ଭୂମି ମଧ୍ୟଗତେ ॥ ୧୯୯

ଧର୍ମର ଗୃହେ ଅବତରି । ପ୍ରକଟ ଋଷିରୂପ ଧରି ॥ ୨୦୦

ତପ ଆଚରେ ଜନହିତେ । ସେ ହରି ଚରଣେ ନମସ୍ତେ ॥ ୨୦୧

ଯେ ହରି ସୃଷ୍ଟି-ସ୍ଥିତି ଅର୍ଥେ । ଆମ୍ଭଙ୍କୁ ସୃଜି ଏ ଜଗତେ ॥ ୨୦୨

ସର୍ବ-ରକ୍ଷଣ ଅର୍ଥେ ହରି । ଆତ୍ମାକୁ ବେନିରୂପ କରି ॥ ୨୦୩

ପରିପାଳନ ତପବଳେ । ଆସନ ଧରଣୀମଣ୍ତଳେ ॥ ୨୦୪

ଶ୍ରୀନିକେତନ ଜିଣି ନେତ୍ର । କିିଞ୍ଚିତ ଦର୍ଶନେ ପବିତ୍ର ॥ ୨୦୫

ଯେ ପ୍ରାଣ ତୋତେ ଆଶ୍ରେକରେ । ଭବ-ଅର୍ଣ୍ଣବୁ ସୁଖେ ତରେ ॥ ୨୦୬

ଏମନ୍ତ ସୁରଗଣେ କହି । ସ୍ତୁତି କରନ୍ତି ମୁଖ ଚାହିଁ ॥ ୨୦୭

ସେ ଦେବସ୍ତୁତି ପୂଜା ଘେନି । ସେ ନର-ନାରାୟଣ ବେନି ॥ ୨୦୮

ଗମିଲେ ଜନ-ଉପକାରେ । ସଂସାର ଏଡିଣ ନିର୍ଭରେ ॥ ୨୦୯

ଜଗତଜନ ହିତ ଅର୍ଥେ । ସେ ଗନ୍ଧମାର୍ଦ୍ଦନ ପର୍ବତେ ॥ ୨୧୦

ତପ କରନ୍ତି ଅତିରେକେ । ଯା ତପେ ପୁରନ୍ଦର କମ୍ପେ ॥ ୨୧୧

ଏବେ ସେ ଭାରତଭୂମିରେ । ମିଲିଲେ ଶୁଭଲଗ୍ନ ବେଳେ ॥ ୨୧୨

ସେ ବେନିରୂପେ ବିଷ୍ଣୁଅଂଶେ । ଜନ୍ମ ଲଭିଲେ ଧର୍ମବଂଶେ ॥ ୨୧୩

ଭୂମିର ଭାରା-ନିବାରଣେ । ଜଗତ ପରମ-କାରଣେ ॥ ୨୧୪

ସମ୍ଭୂତ ଯଦୁ-କୁରୁବଂଶେ । କୃ୍ଷ୍ଣ ଅର୍ଜୁନ ବିଷ୍ଣୁ ଅଂଶେ ॥ ୨୧୫

ଅଗ୍ନିର ସ୍ୱାହା ନାମେ ନାରୀ । ତିନିକୁମର ଜାତକରି ॥ ୨୧୬

ପାପକ ପବମାନ ଶୁଚି । ଦ୍ରୁତ ଭୋଜନେ ତାଙ୍କ ରୁଚି ॥ ୨୧୭

ଏ ତିନିବୀର୍ଯ୍ୟେ ଅଗ୍ନିଗଣେ । ଜନ୍ମିଲେ ସଂସାର ଧାରଣେ ॥ ୨୧୮

ପଞ୍ଚଚାଳିଶ ରୂପ ହୋଇ । ତେଜେ ଗଞ୍ଜନ୍ତି ସ୍ୱର୍ଗ ମହୀ ॥ ୨୧୯

ସେ ପୁଣି ପିତୃପିତାମହ । ସଙ୍ଗତେ ଅଣଚାଶ ଦେହ ॥ ୨୨୦

ସ୍ୱଚ୍ଛନ୍ଦେ ପିତୃଗଣ ସଙ୍ଗେ । ମିଳନ୍ତି ବୈତାନିକ-ରଙ୍ଗେ ॥ ୨୨୧

ଯେ ବ୍ରହ୍ମବାଦୀ ବିପ୍ରଗଣେ । ସେ ଯଜ୍ଞେ ମନ୍ତ୍ର ଉଚ୍ଚାରଣେ ॥ ୨୨୨

ଅଗ୍ନିରେ କରନ୍ତି ହବନ । ପିତୃଙ୍କ ନାମ ଏବେ ଶୁଣ ॥ ୨୨୩

ଅନଳ ସ୍ୱାତ୍ତ ବର୍ହିଷଦ । ସୌମ୍ୟ ଆଜ୍ୟପା ଆଦି ଭେଦ ॥ ୨୨୪

ସାଗ୍ନିକ ନିରଗ୍ନିକ ଦୁଇ । ଏହାଙ୍କ ପତ୍ନୀ ସ୍ୱଧା ହୋଇ ॥ ୨୨୫

ତାର ଉଦରେ କନ୍ୟା ବେନି । ଜନ୍ମିଲେ ପିତୃରୂପ ଘେନି ॥ ୨୨୬

ଯା ନାମ ବୟୁନା ଧାରିଣୀ । ସ୍ୱଭାବେ ସେ ବ୍ରହ୍ମବାଦିନୀ ॥ ୨୨୭

ଏ ଅନ୍ତେ ଦକ୍ଷ ପ୍ରଜାପତି । ତାର ଦୁହିତା ନାମ ସତୀ ॥ ୨୨୮

ଈଶ୍ୱର ପତ୍ନୀ ସେ ସ୍ୱଭାବେ । ତାର ଚରିତ ଶୁଣ ଏବେ ॥ ୨୨୯

ଆତ୍ମସଦୃଶ ପୁତ୍ର ଗର୍ଭେ । ସେ ସତୀ କେବେହେଁ ନଲଭେ ॥ ୨୩୦

ପିତା-ଅବଜ୍ଞା ସ୍ୱାମୀ-ତୁଲେ । ଚିତ୍ତେ ସେ ନ ସହିଲା ଭଲେ ॥ ୨୩୧

ପିତାର ଯଜ୍ଞଶାଳେ ଯାଇ । ସ୍ୱାମୀର ଛଳେ କୋପ ବହି ॥ ୨୩୨

ଦେବଙ୍କ ମଧ୍ୟେ ଯଜ୍ଞଶାଳେ । ଜୀବନ ଛାଡେ ଯୋଗବଳେ ॥ ୨୩୩

ଚତୁର୍ଥସ୍କନ୍ଧେ ଭାଗବତେ । ଭାଷାପ୍ରବନ୍ଧ ଅର୍ଥଯୁତେ ॥ ୨୩୪

ସୁଜନଜନ ହିତ ଅର୍ଥେ । କହିଲେ ଦାସ ଜଗନ୍ନାଥେ ॥ ୨୩୫

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ଚତୁର୍ଥସ୍କନ୍ଧେ ବିଦୁରମୈତ୍ରେୟ ସମ୍ବାଦେ ନାମ ପ୍ରଥମୋଽଧ୍ୟାୟଃ ॥

* * *