ତୃତୀୟ ସ୍କନ୍ଧ

ତ୍ରୟତ୍ରିଂ‌ଶ ଅଧ୍ୟାୟ

ମୈତ୍ରେୟ ଉବାଚ

ବୋଲନ୍ତି ମୈତ୍ରେୟ ବ୍ରାହ୍ମଣ । ବିଦୁର ସାବଧାନେ ଶୁଣ ॥

କŸର୍ଦ୍ଦମ-ପତ୍ନୀ ଦେବହୂତି । ସ୍ୱଭାବେ ମନୁର ଦୁହିତୀ ॥

କପିଳ ବଚନ ଶୁଣିଲେ । ମୋହପଟଳ ପ୍ରତେଜିଲେ ॥

ତ‌ତ୍ତ୍ବବିଷୟ ସଂଖ୍ୟଜ୍ଞାନ । କହିଲେ ଯେଣୁ ଭଗବାନ ॥

ତାହାଙ୍କୁ କଲେ ପ୍ରଣିପାତ । ବିନୟ ଯୋଡ଼ି ବେନିହସ୍ତ ॥

ଚାହିଁଣ କପିଳ-ବଦନ । ଆନନ୍ଦେ କରନ୍ତି ସ୍ତବନ ॥

ଦେବହୂତି ଉବାଚ

ତୁ ନାଥ ଲୀଳା-ଅବସାନେ । କାଳକୁ ନିବେଶି ନୟନେ ॥

ଶୟନ ସଲିଳ ଭିତରେ । ସର୍ପଙ୍କ ବିରାଟ-ଶରୀରେ ॥

ଭୂତ ଇନ୍ଦ୍ରିୟ ମନୋମୟ । ଯହିଁରେ ଗୁଣଙ୍କ ପ୍ରବାହ ॥

ଅଶେଷ କାରଣ-କରଣ । ତୋ କଳେବର ନାରାୟଣ ॥ ୧୦

ଜଠର-ପଦ୍ମରୁ ଯାହାର । ଜାତ ହୋଇଲା ବେଦବର ॥ ୧୧

ତୋ ରୂପ ଦେଖିବା ନିମନ୍ତେ । ସେ ଅଜ ବିଚାରିଲା ଚିତ୍ତେ ॥ ୧୨

ଅନେକ ବ୍ୟାପାର ସେ କଲା । କେବେହେଁ ଦେଖି ନପାରିଲା ॥ ୧୩

କେବଳ ଧ୍ୟାନେ ସେ ଦେଖିଲା । ଏ ବିଶ୍ୱସୃଷ୍ଟି ତହୁଁ କଲା ॥ ୧୪

ତୁ ପ୍ରଭୁ ବହୁରୂପ ଧରି । ନିଜ ଶକ୍ତିରେ ମାୟା କରି ॥ ୧୫

କଲୁ ଏ ବିଶ୍ୱ ସରଜନ । ସ୍ୱଭାବେ ତୁ ଯେ କର୍ମ ଭିନ୍ନ ॥ ୧୬

ସତ୍ୟ-ସଂକଳ୍ପ ତୁମ୍ଭେ ହରି । ଜୀବଙ୍କ ଭୋଗ ଅନୁସରି ॥ ୧୭

ସୃଷ୍ଟ୍ୟାଦି କରିଛ ବିଧାନ । ଏ ତୁମ୍ଭ ମାୟାର ଭିଆଣ ॥ ୧୮

ଅନନ୍ତଶକ୍ତି ଏ ତୁମ୍ଭର । ତୋ ମାୟା କେ କରୁ ଗୋଚର ॥ ୧୯

ପ୍ରଳୟକାଳେ ତୁମ୍ଭେ ହରି । ଏ ବିଶ୍ୱ ଉଦରେ ସଂହରି ॥ ୨୦

ଶୟନ ବଟପତ୍ରେ ତୋର । ବାଳମୁକୁନ୍ଦ ରୂପଧର ॥ ୨୧

ଚରଣ ଅଙ୍ଗୁଳି ବଦନେ । ଭରି ଶୟନ ଶିଶୁ ଯେହ୍ନେ ॥ ୨୨

ଏ ବିଶ୍ୱ ଯାହାର ଉଦରେ । ମୁଁ ତାକୁ କେମନ୍ତେ ଜଠରେ ॥ ୨୩

ଧଇଲି ବୁଝି ନପାରଇ । କେବଳ ତୋ ମାୟା ଗୋସାଇଁ ॥ ୨୪

ତୁ ଦୁଷ୍ଟ ନିବାରିବା ପାଇଁ । ସାଧୁ ରକ୍ଷଣେ ତୋର ଦେହୀ ॥ ୨୫

ଏଣୁ ତୁମ୍ଭର କଳେବର । ଅନ୍ୟଥା କିକାର୍ଯ୍ୟ ତୋହର ॥ ୨୬

ତୁମ୍ଭେ କୋଳାଦି ରୂପଧରି । ଧର୍ମ ସ୍ଥାପିଲ ଦୁଷ୍ଟ ମାରି ॥ ୨୭

ଏ ତ‌ତ୍ତ୍ବଜ୍ଞାନ ଦେବା ପାଇଁ । ଏ ରୂପ ଧଇଲ ଗୋସାଇଁ ॥ ୨୮

ଏଣୁ କୃତାର୍ଥ ମୋତେ କଲ । ପୁତ୍ର ସ୍ୱରୂପେ ପ୍ରକାଶିଲ ॥ ୨୯

ଯା ନାମ କରିଣ ଶ୍ରବଣ । ଅଥବା କରି ସଂକୀର୍ତ୍ତନ ॥ ୩୦

ଯା ପାଦେ କରି ନମସ୍କାର । ସ୍ମରଣ କରି ନାମ ଯାର ॥ ୩୧

ଚŠଣ୍ତାଳ ସୋମଯୋଗ୍ୟ ହୋଏ । ଜାତି ବିଚାର ଭ୍ରାନ୍ତି ନୋହେ ॥ ୩୨

ଯେ ପ୍ରାଣୀ ନୟନେ ଦେଖିଲା । ସେ କିବା କୃତାର୍ଥ ନୋହିଲା ॥ ୩୩

ଏଣୁ ମୁଁ ସୁଗତି ଲଭିଲି । ନୟନେ ତୋ ରୂପ ଦେଖିଲି ॥ ୩୪

ମୋ ଭାଗ୍ୟ କେ କରୁ ପ୍ରମାଣ । ମୋତେ ଗୋଚର କାହିଁ ପୁଣ ॥ ୩୫

ଚŠଣ୍ତାଳ ଏଣୁ ଶ୍ରେଷ୍ଠ ହେଲା । ଜିହ୍ୱାରେ ତୋନାମ ଧଇଲା ॥ ୩୬

ଯେଣୁ ତୋ ନାମ ଉଚ୍ଚାରିଲା । ସକଳ ତପ ସେହୁ କଲା ॥ ୩୭

ହୋମାଦି କଲା ବେଦମନ୍ତ୍ରେ । ସ୍ନାନ ସେ କଲା ନାନା ତୀର୍ଥେ ॥ ୩୮

ଅପରେ ନାହିଁ ସଦାଚାର । ତୋନାମ ଜିହ୍ୱାରେ ଯାହାର ॥ ୩୯

ସମଗ୍ର ବେଦ ସେ ପଢ଼ିଲା । ଯେ ତୁମ୍ଭ ନାମ ଉଚ୍ଚାରିଲା ॥ ୪୦

ତୁମ୍ଭେ ଯେ ପୁରୁଷ ପୁରାଣ । ସକଳ-ଜଗତ ନିଦାନ ॥ ୪୧

ତୁମ୍ଭଙ୍କୁ ନିଶ୍ଚଳ ମନରେ । ଯୋଗୀ ଭାବନ୍ତି ନିରନ୍ତରେ ॥ ୪୨

ଗୁଣମାନଙ୍କୁ ନିଜ ତେଜେ । ବିନାଶ କରିଛ ସହଜେ ॥ ୪୩

ତୁ ବ୍ରହ୍ମ ପରମ-ପୁରୁଷ । ଯୋଗୀଙ୍କ ମନେ ତୁ ପ୍ରକାଶ ॥ ୪୪

ତୁମ୍ଭେ କପିଳ ବେଦଗର୍ଭ । ତୁ ବିଷ୍ଣୁ ବ୍ୟାପିଅଛୁ ସର୍ବ ॥ ୪୫

ବନ୍ଦଇ ତୁମ୍ଭର ଚରର । ତୋ ବିନୁ ନ ଜାଣଇ ଆନ ॥ ୪୬

ମୈତ୍ରେୟ ଉବାଚ

ବୋଲନ୍ତି ମୈତ୍ରେୟ ଗୋସାଇଁ । ଶୁଣ ବିଦୁର ମନଦେଇ ॥ ୪୭

ଏମନ୍ତେ ଦିବ୍ୟସ୍ତୁତି କରି । ଆନନ୍ଦ ମନେ ମୋଦଭରି ॥ ୪୮

ଶୁଣ ହେ ବିଦୁର ତଦନ୍ତେ । ଜନନୀ ସ୍ତବନ କରନ୍ତେ ॥ ୪୯

ଯେ ଯେ କପିଳ ଭଗବାନ । ସାକ୍ଷାତେ ପରମ ପୁମାନ ॥ ୫୦

ଗଭୀର ବଚନେ ସଧୀରେ । କହିଲେ ଜନନୀ ଛାମୁରେ ॥ ୫୧

କପିଳ ଉବାଚ

ଭୋ ମାତ ଘେନ ମୋ ବଚନ । ମୋହର ବାକ୍ୟେ ଦିଅ ମନ ॥ ୫୨

ଯେ ମାର୍ଗ ଭଜନ ପ୍ରକାର । କହିଲୁ ଅଗ୍ରତେ ତୁମ୍ଭର ॥ ୫୩

ଯେବେ ଏ ମାର୍ଗେ ତୁମ୍ଭେ ଯିବ । ଏକାନ୍ତେ କୃଷ୍ଣଙ୍କୁ ଲଭିବ ॥ ୫୪

ଅଚିରେ ଲଭିବ ମୁକତି । ପାଇଣ ନିଶ୍ଚଳ ଭକତି ॥ ୫୫

ଏ ମାର୍ଗେ ଶ୍ରଦ୍ଧା ତୁମ୍ଭେ କର । ଲଭିବ ଗୋବିନ୍ଦ-ପୟର ॥ ୫୬

ଏମନ୍ତେ ବ୍ରହ୍ମବାଦୀମାନେ । ମୋତେ ଲଭନ୍ତି ସାବଧାନେ ॥ ୫୭

ଯହିଁରେ ମୃ‌ତ୍ୟୁ‌ଭୟ ନାହିଁ । ଶୁଣ ଜନନୀ ମନ ଦେଇ ॥ ୫୮

ତୁମ୍ଭେ ପାଇବ ସେହିମତେ । ଏଣୁ କହିଲି ତୁମ୍ଭ ହିତେ ॥ ୫୯

ଏମନ୍ତ ଯେହୁ ନ ଜାଣନ୍ତି । ସେ ପ୍ରାଣୀ ମୋତେ ନଭଜନ୍ତି ॥ ୬୦

ମୈତ୍ରେୟ ଉବାଚ

ଏମନ୍ତ ଭାବେ ଆତ୍ମାଗତି । ଦେଖାଇ ଦେଲେ ରମାପତି ॥ ୬୧

ମାତାଙ୍କ ଅନୁମତି ନେଲେ । ତପ ସାଧନେ ବନେ ଗଲେ ॥ ୬୨

ବ୍ରହ୍ମବାଦିନୀ ଦେବହୂତି । ଯୋଗମାର୍ଗରେ ଦେଲେ ମତି ॥ ୬୩

ଆଶ୍ରମ ସରସ୍ୱତୀତୀରେ । ଯୋଗ ସାଧିଲେ ସେ ନିଶ୍ଚଳେ ॥ ୬୪

ରହିଲେ ପୁତ୍ରବାକ୍ୟ ଘେନି । ସେ ସ୍ଥାନେ କŸର୍ଦ୍ଦମ-ଘରଣୀ ॥ ୬୫

ସେ କାଳତ୍ରୟେ ସ୍ନାନ କରି । ବିହିତ ସକଳ ଆଚରି ॥ ୬୬

କୁଟିଳ-ଅଳକ ସକଳ । ସେ ହେଲା କପିଳ ଜଟିଳ ॥ ୬୭

କୃଶିତ ଲାବଣ୍ୟ ଶରୀର । ପିନ୍ଧନ୍ତି ବକଳ ଅମ୍ବର ॥ ୬୮

ଏମନ୍ତେ ତପସ୍ୱିନୀ ବେଶେ । ସେ ଦେବହୂତି ରହେତୋଷେ ॥ ୬୯

ରେଚକ କୁମ୍ଭକ ପୂରକେ । ଉଗ୍ର ତପସ୍ୟା ଅତିରେକେ ॥ ୭୦

ଗୃହ ସମ୍ପଦ ଦୂର କରି । ତପସ୍ୱୀ ବେଶେ ବନଚାରୀ ॥ ୭୧

କŸର୍ଦ୍ଦମ ଅଚଳ ବିଭୂତି । ଚିତ୍ତୁ ତ୍ୟାଗିଲା ଦେବହୂତି ॥ ୭୨

ତା ଛାଡ଼ି ଚିତ୍ତ ବଇରାଗେ । ଭଜନମାର୍ଗେ ଅନୁରାଗେ ॥ ୭୩

ପୂର୍ବେ କŸର୍ଦ୍ଦମ ପ୍ରଜାପତି । ସମ୍ପାଦି ଥିଲେ ଯେ ସମ୍ପତ୍ତି ॥ ୭୪

ଗୃହସ୍ଥଧର୍ମ କରିଥିଲେ । ଉପମା ନାହିଁ ଭୂମଣ୍ତŠଳେ ॥ ୭୫

ସୁଦିବ୍ୟ-ବିମାନେ ବିହରି । ଉପମା ନାହିଁ ତିନିପୁରି ॥ ୭୬

ଯହିଁ କଳ୍ପିତ ବସ୍ତୁ ଯେତେ । ଅଶେଷ ରତ୍ନେ ସୁନିର୍ମିତେ ॥ ୭୭

ମନ୍ଦିରେ ସ୍ଫଟିକର କାନ୍ଥ । ଭୂମି ରଚିତ ମରକତ ॥ ୭୮

ରତ୍ନେ ଜଳନ୍ତି ଦୀପ ପ୍ରାୟେ । ଶୋଭନେ ଯୋଗୀମନ ମୋହେ ॥ ୭୯

ଲଳନା-କୁଳ-ଶିରୋମଣି । ସେ ଦିବ୍ୟପୁରେ ନିବାସିନୀ ॥ ୮୦

ଭୁବନ ବେଢ଼ି ଉପବନ । ତହିଁ କୁସୁମ ଦ୍ରୁମମାନ ॥ ୮୧

ସକଳଋତୁ ପୁଷ୍ପଫଳ । ମଣି ନିର୍ମିତ ସ୍ତମ୍ଭକୁଳ ॥ ୮୨

ଦେବଙ୍କ ଦିବ୍ୟଭୋଗ ଯହିଁ । ସର୍ବଦା କାଳ ସୁଖମୟୀ ॥ ୮୩

ବିଚିତ୍ର ଚିତ୍ର ହେମମୟେ । ଚିତ୍ର-ପତାକା-ଧ୍ୱଜ ଶୋହେ ॥ ୮୪

ସୁଗନ୍ଧପୁଷ୍ପ ମାଳେମାଳେ । ଯେ ରଥେ ଲମ୍ବେ ସୁଗହଳେ ॥ ୮୫

ଗଭୀର ଭୃଙ୍ଗନାଦ ଶୋହେ । ପାଟବସନ ମନ ମୋହେ ॥ ୮୬

ଉପରେ ନୀଳ ରତ୍ନମଣି । ବିରାଜେ ରବିତେଜ ଜିଣି ॥ ୮୭

ସେ ରଥେ ସୁବ‰ର୍ଣ୍ଣ ପଲଙ୍କ । ବିଚିତ୍ର ରଜ ପୁŠଣ୍ତରୀକ ॥ ୮୮

ତା ଶଯ୍ୟା ଦୁଗ୍‌ଧ-ଫେନ-ନିଭ । ଦେଖି ଦେବଙ୍କ ହୋଏ ଲାଭ ॥ ୮୯

ବିଶ୍ୱକର୍ମାର ଶିଳ୍ପୀପଣ । ଯେ ରଥେ ହୋଇଛି ଘଟଣ ॥ ୯୦

ମହାମର୍କତସ୍ଥଳୀ ଯହିଁ । ବିଦ୍ରୁମବେଦୀ ବିରାଜଇ ॥ ୯୧

ଯେ ଦ୍ୱାରେ ବିକ୍ରୁମ-ଦେହଳୀ । ହୀରା କବାଟ ଯହିଁ କିଳି ॥ ୯୨

ବାମ ଦକ୍ଷିଣେ ପୂ‰ର୍ଣ୍ଣକୁମ୍ଭ । ବିରାଜେ ଇନ୍ଦ୍ରନୀଳସ୍ତମ୍ଭ ॥ ୯୩

ଜଳନ୍ତି ପଦ୍ମରାଗ ଦୀପେ । ବିଚିତ୍ର ଶିଖେ ଚନ୍ଦ୍ରତପେ ॥ ୯୪

ମୌକ୍ତିକ ହେମମାଳା ଲମ୍ବେ । ପାଟଦୋଳିକା ରତ୍ନ‌ସ୍ତମ୍ଭେ ॥ ୯୫

ଶ୍ୱେତହଂସକ ପାରାବତ । ନାଦ କରନ୍ତି ଉନମତ୍ତ ॥ ୯୬

ବିମାନଶିଖେ ଜଳାରନ୍ଧ୍ରେ । ଧୂମ ନିର୍ଗତ ଧୂପ ଗନ୍ଧେ ॥ ୯୭

ବିହାର ସ୍ଥାନ ସୁମŠଣ୍ତନ । ସୁବ‰ର୍ଣ୍ଣ ନିର୍ମିତ ପ୍ରାଙ୍ଗଣ ॥ ୯୮

ନାନା ବିଶ୍ରାମ ସ୍ଥାନ ଶୋହେ । ଦେଖି ଯୋଗୀଙ୍କ ମନ ମୋହେ ॥ ୯୯

ବିମାନେ ଯେବେ ବିହରନ୍ତି । ସେ ସୁଖ ସେମାନେ ବା‚ଞ୍ଛନ୍ତି ॥ ୧୦୦

ନାନା ବିଚିତ୍ର କର୍ମମୟେ । ଦିବ୍ୟପୁରରେ ଶୋଭା ପାଏ ॥ ୧୦୧

ଶୋହେ ସୁବ‰ର୍ଣ୍ଣ ପୀଢ଼ମାନ । ସରସ ସୁଖ ଉପାଧାନ ॥ ୧୦୨

ଭୁବନ ବେଢ଼ିଣ ଉଦ୍ୟାନ । ଯହିଁ ଅମର ଦ୍ରୁମମାନ ॥ ୧୦୩

ଫଳପୁଷ୍ପରେ ପରିପୂ‰ର୍ଣ୍ଣ । ତହିଁ ଲମ୍ବିତ ଲତାମାନ ॥ ୧୦୪

ବିହଙ୍ଗ-ମିଥୁନେ କ୍ରୀଡ଼ନ୍ତି । ମତ୍ତ-ମଧୁପେ ଗୁଞ୍ଜରନ୍ତି ॥ ୧୦୫

ବିବୁଧ-ଅନୁଚର ମାନେ । ବିହରୁଥାନ୍ତି ଉପବନେ ॥ ୧୦୬

ସେ ଦେବହୂତି ଯଶ-କୀର୍ତ୍ତି । ସୁସ୍ୱରେ ଗୀତ ସେ ଗାବନ୍ତି ॥ ୧୦୭

ଦିବ୍ୟ ବିଚିତ୍ର ବାପୀମାନ । କମଳ ଗନ୍ଧେ ସୁବାସନ ॥ ୧୦୮

କŸର୍ଦ୍ଦମ ତହିଁ ବିହରନ୍ତି । ସଙ୍ଗେ ସୁନ୍ଦରୀ ଦେବହୂତି ॥ ୧୦୯

ଏମନ୍ତ ରମ୍ୟ ସୁଖ ସ୍ଥାନ । ବା‚ଞ୍ଛନ୍ତି ଇନ୍ଦ୍ର ପତ୍ନୀମାନ ॥ ୧୧୦

ସେ ପୁର ତେଜି ଦେବହୂତି । ଯୋଗସାଧନେ କଲେ ମତି ॥ ୧୧୧

ପ୍ରତେଜି ସ୍ୱାମୀ ପୁତ୍ର ଗଲେ । ତେଣୁ ବିରହେ ନିମଜ୍ଜିଲେ ॥ ୧୧୨

ଶୋକରେ ବିଷ‰ର୍ଣ୍ଣ-ବଦନ । ତଥାପି ଯୋଗେ ଦୃଢ଼ମନ ॥ ୧୧୩

ପତି-ବିଚ୍ଛେଦ ଦୁଃଖାକୁଳେ । ପୁତ୍ର ସୁସଙ୍ଗେ ସୁଖେ ଥିଲେ ॥ ୧୧୪

ସେ ପୁତ୍ର ତେଜି ଗଲେ ବନ । ଏଣୁ ବିଚ୍ଛେଦେ ଦୁଃଖ ମନ ॥ ୧୧୫

ବ›ତ୍ସା ବିୟୋଗେ ଯେହ୍ନେ ଗାଈ । ଯେମନ୍ତେ ବ୍ୟାକୁଳେ ରୋଦଇ ॥ ୧୧୬

ସେ ରୂପେ ଆକୁଳ ହୋଇଲେ । ହା ପୁତ୍ର ବୋଲି ମୋହଗଲେ ॥ ୧୧୭

ଜନ୍ମିଲା ହୃଦେ ତ‌ତ୍ତ୍ବଜ୍ଞାନ । ତଥାପି ଶୋକ ବିଦ୍ୟମାନ ॥ ୧୧୮

ପୁତ୍ରର ଗୁଣ ଅନୁକ୍ଷଣେ । ସ୍ମରଣ କରନ୍ତି ରୋଦନେ ॥ ୧୧୯

ଦୁଃଖେ ତୃଷିତ ତଷାନନ । ଦେ ଦେହହୂତି ପ୍ରତିଦିନ ॥ ୧୨୦

ଧ୍ୟାନେ ନିରୋପି କପିଳଙ୍କୁ । ସନ୍ତତି ଡାକନ୍ତି ତାହାଙ୍କୁ ॥ ୧୨୧

ସ୍ନେହ ଛାଡ଼ିଲା ଧନାଗାରେ । ଚିତ୍ତ ରହିଲା ପୁତ୍ରଠାରେ ॥ ୧୨୨

ମନକୁ କ୍ରମେ ସ୍ଥିର କଲେ । ନିଶ୍ଚଳେ ସୁଦୃଢ଼େ ବସିଲେ ॥ ୧୨୩

ଯେ ଜ୍ଞାନ ପୁତ୍ର କହିଥିଲେ । ସେ ରୂପେ ନିତ୍ୟେ ଧ୍ୟାନ କଲେ ॥ ୧୨୪

ବିଶୁଦ୍ଧ ହୋଇଅଛି ମନ । ତେଣୁ ନିଶ୍ଚଳରୂପେ ଧ୍ୟାନ ॥ ୧୨୫

ଭକ୍ତିଯୋଗରେ ଦୃଢ଼ ହେଲେ । ଶାସ୍ତ୍ରବିଧିରେ ଆରାଧିଲେ ॥ ୧୨୬

ବୈରାଗ୍ୟଭାବେ ତ‌ତ୍ତ୍ବଜ୍ଞାନ । ତେଣୁ ଭାବନ୍ତି ଭଗବାନ ॥ ୧୨୭

ଆତ୍ମାକୁ ମାନସେ ଦେଖିଲେ । ତା ବିନୁ ଆନ ନ ଭାବିଲେ ॥ ୧୨୮

ଯେ ଆତ୍ମା ହୋଏ ବିଶ୍ୱମୁଖ । ବିନାଶି ମାୟାଗୁଣ ଦୁଃଖ ॥ ୧୨୯

ଏ ଜୀବ ଆଶ୍ରୟଯେ ବ୍ରହ୍ମ । ତହିଁ ରଖିଲେ ମତି ଧ୍ୟାନ ॥ ୧୩୦

ତାହାଙ୍କ ଗଲା ଜୀବଭାବ । ହୋଇଲା ଆତ୍ମତ‌ତ୍ତ୍ବ ଲାଭ ॥ ୧୩୧

ସଂସାର-କ୍ଳେଶ ନିବର୍ତ୍ତିଲା । ତା ଗୁଣଭ୍ରମ ଦୂରେ ଗଲା ॥ ୧୩୨

ଆପଣା ଦେହ ପାଶୋରିଲେ । ସେ ବ୍ରହ୍ମସ୍ୱରୂପେ ରହିଲେ ॥ ୧୩୩

ଯେସନେ ସ୍ୱପ୍ନ ଦେଖୁଥାଇ । ନିଦ୍ରା ପ୍ରବୋଧେ ନ ଦିଶଇ ॥ ୧୩୪

ସେ ରୂପେ ଦେହ ପାଶୋରିଲେ । କେବଳ ବ୍ରହ୍ମକୁ ଲଭିଲେ ॥ ୧୩୫

ସେ ଦେବହୂତି ଦପ-କ୍ଳେଶେ । ଶରୀର ମଳିନ ପ୍ରକାଶେ ॥ ୧୩୬

ଅମର-ଯୁବତୀ-ସକଳେ । ଯେ ଅଙ୍ଗ ସମ୍ମାର୍ଜୁଣ ଥିଲେ ॥ ୧୩୭

ସେ ଦେହ ମଳିନ ଦିଶିଲା । ତହିଁ ତା ଆଦର ନୋହିଲା ॥ ୧୩୮

ଯେଣୁ ତା ମନୁ ତାପ ଗଲା । ଏଣୁ ସେ ଅକୃଶ ହୋଇଲା ॥ ୧୩୯

ସଧୂମ-ପାବକର ପ୍ରାୟେ । ତେବେ ହେଁ ଅଙ୍ଗ ଶୋଭାପାଏ ॥ ୧୪୦

ମନ ନିବେଶି କୃଷ୍ଣଭାବେ । ବସି ରହିଲେ ଶାନ୍ତିଲାଭେ ॥ ୧୪୧

ଦେହ ହୋଇଲା ଯୋଗେ ଲୟ । ଆବର କାହିଁ ଲଜ୍ଜା ଭୟ ॥ ୧୪୨

ସୁକେଶ ବନ୍ଧନ ଫିଟିଲା । ଅଙ୍ଗେ ବସନ ନ ରହିଲା ॥ ୧୪୩

ପ୍ରାର୍‌ବଧ କର୍ମ ଭୋଗ ଯାଏ । ଏ ଦେହବନ୍ଧ ମାତ୍ର ଥାଏ ॥ ୧୪୪

ଏଣୁ ସେ ଦେହ ମାତ୍ର ଅଛି । ତା ପାଇଁ ନ ସ୍ମରଇ କିଛି ॥ ୧୪୫

ଶୁଣ ହେ ବିଦୁର ତଦନ୍ତେ । ସେ ଦେବୀ ଯୋଗରେ ରହନ୍ତେ ॥ ୧୪୬

ଲଭିଲେ ସେ ବ୍ରହ୍ମ-ନିର୍ବାଣ । ଯେସନେ ଜଳେ ଜଳ ଲୀନ ॥ ୧୪୭

ଶୁଣ ବିଦୁର ଯେଉଁସ୍ଥଳେ । ସେ ଦେବୀ ସୁସିଦ୍ଧି ଲଭିଲେ ॥ ୧୪୮

ସେ ସ୍ଥଳ ପୁଣ୍ୟକ୍ଷେତ୍ର ହେଲା । ଭୁବନେ ବିଦିତ ହୋଇଲା ॥ ୧୪୯

ତା ନାମ ସିଦ୍ଧପଦ କହି । ସିଦ୍ଧେ ସୁସିଦ୍ଧ ଯହିଁ ହୋଇ ॥ ୧୫୦

ସେ ଦେବହୂତି କଳେବର । ଯୋଗେ ସୁସିଦ୍ଧ ପୁଣ୍ୟତର ॥ ୧୫୧

କୃଷ୍ଣ ଭାବନା ଧ୍ୟାନ ନିତ୍ୟେ । ଆନନ୍ଦ ଭକ୍ତି ଯୋଗ ଯୁତେ ॥ ୧୫୨

ସେ ଧ୍ୟାନେ ଶରୀର ମିଳାଇ । ନଦୀ ସ୍ୱରୂପେ ଗଲେ ବହି ॥ ୧୫୩

ନଦୀଙ୍କ ଶ୍ରେଷ୍ଠ ସେ ହୋଇଲା । ସୁପୁଣ୍ୟ ତୀର୍ଥ ବୋଲାଇଲା ॥ ୧୫୪

ଯାହାଙ୍କୁ ସେବି ସିଦ୍ଧମାନେ । ସିଦ୍ଧି ଲଭନ୍ତି ସେହୁ ସ୍ଥାନେ ॥ ୧୫୫

ନାମ ତା ସିଦ୍ଧିକା ହୋଇଲା । ସ୍ପରଶେ ପାପ ବିନାଶିଲା ॥ ୧୫୬

ସେ ଯେ କପିଳ ମହାଯୋଗୀ । ବିଷୟେ ହୋଇ ବଇରାଗୀ ॥ ୧୫୭

ମାତାଙ୍କ ସ୍ନେହ ତ୍ୟାଗି ଗଲେ । ଐଶାନ୍ୟ-ଦିଗେ ପ୍ରବେଶିଲେ ॥ ୧୫୮

ସମୁଦ୍ର-ତୀରେ ଘୋରବନେ । ବସେ ନିର୍ମଳ ଯୋଗ ଧ୍ୟାନେ ॥ ୧୫୯

ସମୁଦ୍ର ତାହାଙ୍କୁ ଦେଖିଲେ । ଆନନ୍ଦମନେ ପୂଜା କଲେ ॥ ୧୬୦

ସେ ତାଙ୍କୁ ଦେଲେ ଦିବ୍ୟସ୍ଥାନ । ତହିଁ ରହିଲେ ଭଗବାନ ॥ ୧୬୧

ଯହିଁ ସକଳ ସୁରଗଣ । ସେବନ୍ତି ଯେଝା ନିଯୋଗଣ ॥ ୧୬୨

ସିଦ୍ଧ ଚାରଣ ମୁନିଜନେ । ଗନ୍ଧର୍ବ ଅପସରା ଗଣେ ॥ ୧୬୩

ସ୍ତୁତି କରନ୍ତି କପିଳଙ୍କୁ । ସଭୟେ ନିତ୍ୟେ ସେବି ତାଙ୍କୁ ॥ ୧୬୪

ଯୋଗେ ରହିଲେ ମହାମୁନି । ସାଂଖ୍ୟ ଆଚାର୍ଯ୍ୟମାନ ଘେନି ॥ ୧୬୫

ତ୍ରି‌ଲୋକଜନ ଶାନ୍ତି ପାଇଁ । ଯୋଗେ ରହିଲେ ଯୋଗସାଇଁ ॥ ୧୬୬

ରହିଲେ ବ୍ରହ୍ମକଳ୍ପ ଯାଏ । ଲୋକଶିକ୍ଷାରେ ଦେବରାଏ ॥ ୧୬୭

ବିଦୁର ପଚାରିଲୁ ଯାହା । ସମ୍ପାଦି କହିଲି ମୁଁ ତାହା ॥ ୧୬୮

କପିଳ-ଦେବହୂତିଙ୍କର । ପବିତ୍ର ସୁଜ୍ଞାନ ବିଚାର ॥ ୧୬୯

ଏହା ଯେ ଶ୍ରବଣ କରନ୍ତି । କି ଅବା ବଦନେ ଗୁଣନ୍ତି ॥ ୧୭୦

ଆନନ୍ଦେ ସଭାମଧ୍ୟେ କହେ । ଅଶେଷଜନ୍ମ ପାପ ଦହେ ॥ ୧୭୧

ସେ ସର୍ବେ ଗୋବିନ୍ଦ-ଚରଣେ । ଭକ୍ତି ଲଭନ୍ତି ଅନୁକ୍ଷଣେ ॥ ୧୭୨

ଅନ୍ତେ ଲଭନ୍ତି ହରି-ସ୍ଥାନ । କେ କରିପାରେ ତାହା ଆନ ॥ ୧୭୩

ତୃତୀୟସ୍କନ୍ଧେ ଭାଗବତ । କପିଳ-ଜ୍ଞାନ ଉପଗତ ॥ ୧୭୪

ତେତିଶଅଧ୍ୟା ସମାପତ । ମୈତ୍ରେୟ-ବିଦୁର ଚରିତ ॥ ୧୭୫

ଶ୍ରୀକୃଷ୍ଣ ମୁଖରୁ ସମ୍ଭୂତ । ଭାବେ ହୋଇଲା ଭାଗବତ ॥ ୧୭୬

ଏ ଭାବେ ରସ ସାଧୁଜନ । ତୁମ୍ଭ ଚରଣେ ମୋର ଧ୍ୟାନ ॥ ୧୭୭

କହଇ ଜଗନ୍ନାଥ ଦାସ । ତ୍ରାହି କରିବେ ପୀତବାସ ॥ ୧୭୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ କାପିଳେୟ ଉପାଖ୍ୟାନେ ତ୍ରୟତ୍ରିଂଶୋଽଧ୍ୟାୟଃ ॥

* * *