ତୃତୀୟ ସ୍କନ୍ଧ
ତ୍ରୟତ୍ରିଂଶ ଅଧ୍ୟାୟ
ମୈତ୍ରେୟ ଉବାଚ
ବୋଲନ୍ତି ମୈତ୍ରେୟ ବ୍ରାହ୍ମଣ । ବିଦୁର ସାବଧାନେ ଶୁଣ ॥ ୧
କର୍ଦ୍ଦମ-ପତ୍ନୀ ଦେବହୂତି । ସ୍ୱଭାବେ ମନୁର ଦୁହିତୀ ॥ ୨
କପିଳ ବଚନ ଶୁଣିଲେ । ମୋହପଟଳ ପ୍ରତେଜିଲେ ॥ ୩
ତତ୍ତ୍ବବିଷୟ ସଂଖ୍ୟଜ୍ଞାନ । କହିଲେ ଯେଣୁ ଭଗବାନ ॥ ୪
ତାହାଙ୍କୁ କଲେ ପ୍ରଣିପାତ । ବିନୟ ଯୋଡ଼ି ବେନିହସ୍ତ ॥ ୫
ଚାହିଁଣ କପିଳ-ବଦନ । ଆନନ୍ଦେ କରନ୍ତି ସ୍ତବନ ॥ ୬
ଦେବହୂତି ଉବାଚ
ତୁ ନାଥ ଲୀଳା-ଅବସାନେ । କାଳକୁ ନିବେଶି ନୟନେ ॥ ୭
ଶୟନ ସଲିଳ ଭିତରେ । ସର୍ପଙ୍କ ବିରାଟ-ଶରୀରେ ॥ ୮
ଭୂତ ଇନ୍ଦ୍ରିୟ ମନୋମୟ । ଯହିଁରେ ଗୁଣଙ୍କ ପ୍ରବାହ ॥ ୯
ଅଶେଷ କାରଣ-କରଣ । ତୋ କଳେବର ନାରାୟଣ ॥ ୧୦
ଜଠର-ପଦ୍ମରୁ ଯାହାର । ଜାତ ହୋଇଲା ବେଦବର ॥ ୧୧
ତୋ ରୂପ ଦେଖିବା ନିମନ୍ତେ । ସେ ଅଜ ବିଚାରିଲା ଚିତ୍ତେ ॥ ୧୨
ଅନେକ ବ୍ୟାପାର ସେ କଲା । କେବେହେଁ ଦେଖି ନପାରିଲା ॥ ୧୩
କେବଳ ଧ୍ୟାନେ ସେ ଦେଖିଲା । ଏ ବିଶ୍ୱସୃଷ୍ଟି ତହୁଁ କଲା ॥ ୧୪
ତୁ ପ୍ରଭୁ ବହୁରୂପ ଧରି । ନିଜ ଶକ୍ତିରେ ମାୟା କରି ॥ ୧୫
କଲୁ ଏ ବିଶ୍ୱ ସରଜନ । ସ୍ୱଭାବେ ତୁ ଯେ କର୍ମ ଭିନ୍ନ ॥ ୧୬
ସତ୍ୟ-ସଂକଳ୍ପ ତୁମ୍ଭେ ହରି । ଜୀବଙ୍କ ଭୋଗ ଅନୁସରି ॥ ୧୭
ସୃଷ୍ଟ୍ୟାଦି କରିଛ ବିଧାନ । ଏ ତୁମ୍ଭ ମାୟାର ଭିଆଣ ॥ ୧୮
ଅନନ୍ତଶକ୍ତି ଏ ତୁମ୍ଭର । ତୋ ମାୟା କେ କରୁ ଗୋଚର ॥ ୧୯
ପ୍ରଳୟକାଳେ ତୁମ୍ଭେ ହରି । ଏ ବିଶ୍ୱ ଉଦରେ ସଂହରି ॥ ୨୦
ଶୟନ ବଟପତ୍ରେ ତୋର । ବାଳମୁକୁନ୍ଦ ରୂପଧର ॥ ୨୧
ଚରଣ ଅଙ୍ଗୁଳି ବଦନେ । ଭରି ଶୟନ ଶିଶୁ ଯେହ୍ନେ ॥ ୨୨
ଏ ବିଶ୍ୱ ଯାହାର ଉଦରେ । ମୁଁ ତାକୁ କେମନ୍ତେ ଜଠରେ ॥ ୨୩
ଧଇଲି ବୁଝି ନପାରଇ । କେବଳ ତୋ ମାୟା ଗୋସାଇଁ ॥ ୨୪
ତୁ ଦୁଷ୍ଟ ନିବାରିବା ପାଇଁ । ସାଧୁ ରକ୍ଷଣେ ତୋର ଦେହୀ ॥ ୨୫
ଏଣୁ ତୁମ୍ଭର କଳେବର । ଅନ୍ୟଥା କିକାର୍ଯ୍ୟ ତୋହର ॥ ୨୬
ତୁମ୍ଭେ କୋଳାଦି ରୂପଧରି । ଧର୍ମ ସ୍ଥାପିଲ ଦୁଷ୍ଟ ମାରି ॥ ୨୭
ଏ ତତ୍ତ୍ବଜ୍ଞାନ ଦେବା ପାଇଁ । ଏ ରୂପ ଧଇଲ ଗୋସାଇଁ ॥ ୨୮
ଏଣୁ କୃତାର୍ଥ ମୋତେ କଲ । ପୁତ୍ର ସ୍ୱରୂପେ ପ୍ରକାଶିଲ ॥ ୨୯
ଯା ନାମ କରିଣ ଶ୍ରବଣ । ଅଥବା କରି ସଂକୀର୍ତ୍ତନ ॥ ୩୦
ଯା ପାଦେ କରି ନମସ୍କାର । ସ୍ମରଣ କରି ନାମ ଯାର ॥ ୩୧
ଚଣ୍ତାଳ ସୋମଯୋଗ୍ୟ ହୋଏ । ଜାତି ବିଚାର ଭ୍ରାନ୍ତି ନୋହେ ॥ ୩୨
ଯେ ପ୍ରାଣୀ ନୟନେ ଦେଖିଲା । ସେ କିବା କୃତାର୍ଥ ନୋହିଲା ॥ ୩୩
ଏଣୁ ମୁଁ ସୁଗତି ଲଭିଲି । ନୟନେ ତୋ ରୂପ ଦେଖିଲି ॥ ୩୪
ମୋ ଭାଗ୍ୟ କେ କରୁ ପ୍ରମାଣ । ମୋତେ ଗୋଚର କାହିଁ ପୁଣ ॥ ୩୫
ଚଣ୍ତାଳ ଏଣୁ ଶ୍ରେଷ୍ଠ ହେଲା । ଜିହ୍ୱାରେ ତୋନାମ ଧଇଲା ॥ ୩୬
ଯେଣୁ ତୋ ନାମ ଉଚ୍ଚାରିଲା । ସକଳ ତପ ସେହୁ କଲା ॥ ୩୭
ହୋମାଦି କଲା ବେଦମନ୍ତ୍ରେ । ସ୍ନାନ ସେ କଲା ନାନା ତୀର୍ଥେ ॥ ୩୮
ଅପରେ ନାହିଁ ସଦାଚାର । ତୋନାମ ଜିହ୍ୱାରେ ଯାହାର ॥ ୩୯
ସମଗ୍ର ବେଦ ସେ ପଢ଼ିଲା । ଯେ ତୁମ୍ଭ ନାମ ଉଚ୍ଚାରିଲା ॥ ୪୦
ତୁମ୍ଭେ ଯେ ପୁରୁଷ ପୁରାଣ । ସକଳ-ଜଗତ ନିଦାନ ॥ ୪୧
ତୁମ୍ଭଙ୍କୁ ନିଶ୍ଚଳ ମନରେ । ଯୋଗୀ ଭାବନ୍ତି ନିରନ୍ତରେ ॥ ୪୨
ଗୁଣମାନଙ୍କୁ ନିଜ ତେଜେ । ବିନାଶ କରିଛ ସହଜେ ॥ ୪୩
ତୁ ବ୍ରହ୍ମ ପରମ-ପୁରୁଷ । ଯୋଗୀଙ୍କ ମନେ ତୁ ପ୍ରକାଶ ॥ ୪୪
ତୁମ୍ଭେ କପିଳ ବେଦଗର୍ଭ । ତୁ ବିଷ୍ଣୁ ବ୍ୟାପିଅଛୁ ସର୍ବ ॥ ୪୫
ବନ୍ଦଇ ତୁମ୍ଭର ଚରର । ତୋ ବିନୁ ନ ଜାଣଇ ଆନ ॥ ୪୬
ମୈତ୍ରେୟ ଉବାଚ
ବୋଲନ୍ତି ମୈତ୍ରେୟ ଗୋସାଇଁ । ଶୁଣ ବିଦୁର ମନଦେଇ ॥ ୪୭
ଏମନ୍ତେ ଦିବ୍ୟସ୍ତୁତି କରି । ଆନନ୍ଦ ମନେ ମୋଦଭରି ॥ ୪୮
ଶୁଣ ହେ ବିଦୁର ତଦନ୍ତେ । ଜନନୀ ସ୍ତବନ କରନ୍ତେ ॥ ୪୯
ଯେ ଯେ କପିଳ ଭଗବାନ । ସାକ୍ଷାତେ ପରମ ପୁମାନ ॥ ୫୦
ଗଭୀର ବଚନେ ସଧୀରେ । କହିଲେ ଜନନୀ ଛାମୁରେ ॥ ୫୧
କପିଳ ଉବାଚ
ଭୋ ମାତ ଘେନ ମୋ ବଚନ । ମୋହର ବାକ୍ୟେ ଦିଅ ମନ ॥ ୫୨
ଯେ ମାର୍ଗ ଭଜନ ପ୍ରକାର । କହିଲୁ ଅଗ୍ରତେ ତୁମ୍ଭର ॥ ୫୩
ଯେବେ ଏ ମାର୍ଗେ ତୁମ୍ଭେ ଯିବ । ଏକାନ୍ତେ କୃଷ୍ଣଙ୍କୁ ଲଭିବ ॥ ୫୪
ଅଚିରେ ଲଭିବ ମୁକତି । ପାଇଣ ନିଶ୍ଚଳ ଭକତି ॥ ୫୫
ଏ ମାର୍ଗେ ଶ୍ରଦ୍ଧା ତୁମ୍ଭେ କର । ଲଭିବ ଗୋବିନ୍ଦ-ପୟର ॥ ୫୬
ଏମନ୍ତେ ବ୍ରହ୍ମବାଦୀମାନେ । ମୋତେ ଲଭନ୍ତି ସାବଧାନେ ॥ ୫୭
ଯହିଁରେ ମୃତ୍ୟୁଭୟ ନାହିଁ । ଶୁଣ ଜନନୀ ମନ ଦେଇ ॥ ୫୮
ତୁମ୍ଭେ ପାଇବ ସେହିମତେ । ଏଣୁ କହିଲି ତୁମ୍ଭ ହିତେ ॥ ୫୯
ଏମନ୍ତ ଯେହୁ ନ ଜାଣନ୍ତି । ସେ ପ୍ରାଣୀ ମୋତେ ନଭଜନ୍ତି ॥ ୬୦
ମୈତ୍ରେୟ ଉବାଚ
ଏମନ୍ତ ଭାବେ ଆତ୍ମାଗତି । ଦେଖାଇ ଦେଲେ ରମାପତି ॥ ୬୧
ମାତାଙ୍କ ଅନୁମତି ନେଲେ । ତପ ସାଧନେ ବନେ ଗଲେ ॥ ୬୨
ବ୍ରହ୍ମବାଦିନୀ ଦେବହୂତି । ଯୋଗମାର୍ଗରେ ଦେଲେ ମତି ॥ ୬୩
ଆଶ୍ରମ ସରସ୍ୱତୀତୀରେ । ଯୋଗ ସାଧିଲେ ସେ ନିଶ୍ଚଳେ ॥ ୬୪
ରହିଲେ ପୁତ୍ରବାକ୍ୟ ଘେନି । ସେ ସ୍ଥାନେ କର୍ଦ୍ଦମ-ଘରଣୀ ॥ ୬୫
ସେ କାଳତ୍ରୟେ ସ୍ନାନ କରି । ବିହିତ ସକଳ ଆଚରି ॥ ୬୬
କୁଟିଳ-ଅଳକ ସକଳ । ସେ ହେଲା କପିଳ ଜଟିଳ ॥ ୬୭
କୃଶିତ ଲାବଣ୍ୟ ଶରୀର । ପିନ୍ଧନ୍ତି ବକଳ ଅମ୍ବର ॥ ୬୮
ଏମନ୍ତେ ତପସ୍ୱିନୀ ବେଶେ । ସେ ଦେବହୂତି ରହେତୋଷେ ॥ ୬୯
ରେଚକ କୁମ୍ଭକ ପୂରକେ । ଉଗ୍ର ତପସ୍ୟା ଅତିରେକେ ॥ ୭୦
ଗୃହ ସମ୍ପଦ ଦୂର କରି । ତପସ୍ୱୀ ବେଶେ ବନଚାରୀ ॥ ୭୧
କର୍ଦ୍ଦମ ଅଚଳ ବିଭୂତି । ଚିତ୍ତୁ ତ୍ୟାଗିଲା ଦେବହୂତି ॥ ୭୨
ତା ଛାଡ଼ି ଚିତ୍ତ ବଇରାଗେ । ଭଜନମାର୍ଗେ ଅନୁରାଗେ ॥ ୭୩
ପୂର୍ବେ କର୍ଦ୍ଦମ ପ୍ରଜାପତି । ସମ୍ପାଦି ଥିଲେ ଯେ ସମ୍ପତ୍ତି ॥ ୭୪
ଗୃହସ୍ଥଧର୍ମ କରିଥିଲେ । ଉପମା ନାହିଁ ଭୂମଣ୍ତଳେ ॥ ୭୫
ସୁଦିବ୍ୟ-ବିମାନେ ବିହରି । ଉପମା ନାହିଁ ତିନିପୁରି ॥ ୭୬
ଯହିଁ କଳ୍ପିତ ବସ୍ତୁ ଯେତେ । ଅଶେଷ ରତ୍ନେ ସୁନିର୍ମିତେ ॥ ୭୭
ମନ୍ଦିରେ ସ୍ଫଟିକର କାନ୍ଥ । ଭୂମି ରଚିତ ମରକତ ॥ ୭୮
ରତ୍ନେ ଜଳନ୍ତି ଦୀପ ପ୍ରାୟେ । ଶୋଭନେ ଯୋଗୀମନ ମୋହେ ॥ ୭୯
ଲଳନା-କୁଳ-ଶିରୋମଣି । ସେ ଦିବ୍ୟପୁରେ ନିବାସିନୀ ॥ ୮୦
ଭୁବନ ବେଢ଼ି ଉପବନ । ତହିଁ କୁସୁମ ଦ୍ରୁମମାନ ॥ ୮୧
ସକଳଋତୁ ପୁଷ୍ପଫଳ । ମଣି ନିର୍ମିତ ସ୍ତମ୍ଭକୁଳ ॥ ୮୨
ଦେବଙ୍କ ଦିବ୍ୟଭୋଗ ଯହିଁ । ସର୍ବଦା କାଳ ସୁଖମୟୀ ॥ ୮୩
ବିଚିତ୍ର ଚିତ୍ର ହେମମୟେ । ଚିତ୍ର-ପତାକା-ଧ୍ୱଜ ଶୋହେ ॥ ୮୪
ସୁଗନ୍ଧପୁଷ୍ପ ମାଳେମାଳେ । ଯେ ରଥେ ଲମ୍ବେ ସୁଗହଳେ ॥ ୮୫
ଗଭୀର ଭୃଙ୍ଗନାଦ ଶୋହେ । ପାଟବସନ ମନ ମୋହେ ॥ ୮୬
ଉପରେ ନୀଳ ରତ୍ନମଣି । ବିରାଜେ ରବିତେଜ ଜିଣି ॥ ୮୭
ସେ ରଥେ ସୁବର୍ଣ୍ଣ ପଲଙ୍କ । ବିଚିତ୍ର ରଜ ପୁଣ୍ତରୀକ ॥ ୮୮
ତା ଶଯ୍ୟା ଦୁଗ୍ଧ-ଫେନ-ନିଭ । ଦେଖି ଦେବଙ୍କ ହୋଏ ଲାଭ ॥ ୮୯
ବିଶ୍ୱକର୍ମାର ଶିଳ୍ପୀପଣ । ଯେ ରଥେ ହୋଇଛି ଘଟଣ ॥ ୯୦
ମହାମର୍କତସ୍ଥଳୀ ଯହିଁ । ବିଦ୍ରୁମବେଦୀ ବିରାଜଇ ॥ ୯୧
ଯେ ଦ୍ୱାରେ ବିକ୍ରୁମ-ଦେହଳୀ । ହୀରା କବାଟ ଯହିଁ କିଳି ॥ ୯୨
ବାମ ଦକ୍ଷିଣେ ପୂର୍ଣ୍ଣକୁମ୍ଭ । ବିରାଜେ ଇନ୍ଦ୍ରନୀଳସ୍ତମ୍ଭ ॥ ୯୩
ଜଳନ୍ତି ପଦ୍ମରାଗ ଦୀପେ । ବିଚିତ୍ର ଶିଖେ ଚନ୍ଦ୍ରତପେ ॥ ୯୪
ମୌକ୍ତିକ ହେମମାଳା ଲମ୍ବେ । ପାଟଦୋଳିକା ରତ୍ନସ୍ତମ୍ଭେ ॥ ୯୫
ଶ୍ୱେତହଂସକ ପାରାବତ । ନାଦ କରନ୍ତି ଉନମତ୍ତ ॥ ୯୬
ବିମାନଶିଖେ ଜଳାରନ୍ଧ୍ରେ । ଧୂମ ନିର୍ଗତ ଧୂପ ଗନ୍ଧେ ॥ ୯୭
ବିହାର ସ୍ଥାନ ସୁମଣ୍ତନ । ସୁବର୍ଣ୍ଣ ନିର୍ମିତ ପ୍ରାଙ୍ଗଣ ॥ ୯୮
ନାନା ବିଶ୍ରାମ ସ୍ଥାନ ଶୋହେ । ଦେଖି ଯୋଗୀଙ୍କ ମନ ମୋହେ ॥ ୯୯
ବିମାନେ ଯେବେ ବିହରନ୍ତି । ସେ ସୁଖ ସେମାନେ ବାଞ୍ଛନ୍ତି ॥ ୧୦୦
ନାନା ବିଚିତ୍ର କର୍ମମୟେ । ଦିବ୍ୟପୁରରେ ଶୋଭା ପାଏ ॥ ୧୦୧
ଶୋହେ ସୁବର୍ଣ୍ଣ ପୀଢ଼ମାନ । ସରସ ସୁଖ ଉପାଧାନ ॥ ୧୦୨
ଭୁବନ ବେଢ଼ିଣ ଉଦ୍ୟାନ । ଯହିଁ ଅମର ଦ୍ରୁମମାନ ॥ ୧୦୩
ଫଳପୁଷ୍ପରେ ପରିପୂର୍ଣ୍ଣ । ତହିଁ ଲମ୍ବିତ ଲତାମାନ ॥ ୧୦୪
ବିହଙ୍ଗ-ମିଥୁନେ କ୍ରୀଡ଼ନ୍ତି । ମତ୍ତ-ମଧୁପେ ଗୁଞ୍ଜରନ୍ତି ॥ ୧୦୫
ବିବୁଧ-ଅନୁଚର ମାନେ । ବିହରୁଥାନ୍ତି ଉପବନେ ॥ ୧୦୬
ସେ ଦେବହୂତି ଯଶ-କୀର୍ତ୍ତି । ସୁସ୍ୱରେ ଗୀତ ସେ ଗାବନ୍ତି ॥ ୧୦୭
ଦିବ୍ୟ ବିଚିତ୍ର ବାପୀମାନ । କମଳ ଗନ୍ଧେ ସୁବାସନ ॥ ୧୦୮
କର୍ଦ୍ଦମ ତହିଁ ବିହରନ୍ତି । ସଙ୍ଗେ ସୁନ୍ଦରୀ ଦେବହୂତି ॥ ୧୦୯
ଏମନ୍ତ ରମ୍ୟ ସୁଖ ସ୍ଥାନ । ବାଞ୍ଛନ୍ତି ଇନ୍ଦ୍ର ପତ୍ନୀମାନ ॥ ୧୧୦
ସେ ପୁର ତେଜି ଦେବହୂତି । ଯୋଗସାଧନେ କଲେ ମତି ॥ ୧୧୧
ପ୍ରତେଜି ସ୍ୱାମୀ ପୁତ୍ର ଗଲେ । ତେଣୁ ବିରହେ ନିମଜ୍ଜିଲେ ॥ ୧୧୨
ଶୋକରେ ବିଷର୍ଣ୍ଣ-ବଦନ । ତଥାପି ଯୋଗେ ଦୃଢ଼ମନ ॥ ୧୧୩
ପତି-ବିଚ୍ଛେଦ ଦୁଃଖାକୁଳେ । ପୁତ୍ର ସୁସଙ୍ଗେ ସୁଖେ ଥିଲେ ॥ ୧୧୪
ସେ ପୁତ୍ର ତେଜି ଗଲେ ବନ । ଏଣୁ ବିଚ୍ଛେଦେ ଦୁଃଖ ମନ ॥ ୧୧୫
ବତ୍ସା ବିୟୋଗେ ଯେହ୍ନେ ଗାଈ । ଯେମନ୍ତେ ବ୍ୟାକୁଳେ ରୋଦଇ ॥ ୧୧୬
ସେ ରୂପେ ଆକୁଳ ହୋଇଲେ । ହା ପୁତ୍ର ବୋଲି ମୋହଗଲେ ॥ ୧୧୭
ଜନ୍ମିଲା ହୃଦେ ତତ୍ତ୍ବଜ୍ଞାନ । ତଥାପି ଶୋକ ବିଦ୍ୟମାନ ॥ ୧୧୮
ପୁତ୍ରର ଗୁଣ ଅନୁକ୍ଷଣେ । ସ୍ମରଣ କରନ୍ତି ରୋଦନେ ॥ ୧୧୯
ଦୁଃଖେ ତୃଷିତ ତଷାନନ । ଦେ ଦେହହୂତି ପ୍ରତିଦିନ ॥ ୧୨୦
ଧ୍ୟାନେ ନିରୋପି କପିଳଙ୍କୁ । ସନ୍ତତି ଡାକନ୍ତି ତାହାଙ୍କୁ ॥ ୧୨୧
ସ୍ନେହ ଛାଡ଼ିଲା ଧନାଗାରେ । ଚିତ୍ତ ରହିଲା ପୁତ୍ରଠାରେ ॥ ୧୨୨
ମନକୁ କ୍ରମେ ସ୍ଥିର କଲେ । ନିଶ୍ଚଳେ ସୁଦୃଢ଼େ ବସିଲେ ॥ ୧୨୩
ଯେ ଜ୍ଞାନ ପୁତ୍ର କହିଥିଲେ । ସେ ରୂପେ ନିତ୍ୟେ ଧ୍ୟାନ କଲେ ॥ ୧୨୪
ବିଶୁଦ୍ଧ ହୋଇଅଛି ମନ । ତେଣୁ ନିଶ୍ଚଳରୂପେ ଧ୍ୟାନ ॥ ୧୨୫
ଭକ୍ତିଯୋଗରେ ଦୃଢ଼ ହେଲେ । ଶାସ୍ତ୍ରବିଧିରେ ଆରାଧିଲେ ॥ ୧୨୬
ବୈରାଗ୍ୟଭାବେ ତତ୍ତ୍ବଜ୍ଞାନ । ତେଣୁ ଭାବନ୍ତି ଭଗବାନ ॥ ୧୨୭
ଆତ୍ମାକୁ ମାନସେ ଦେଖିଲେ । ତା ବିନୁ ଆନ ନ ଭାବିଲେ ॥ ୧୨୮
ଯେ ଆତ୍ମା ହୋଏ ବିଶ୍ୱମୁଖ । ବିନାଶି ମାୟାଗୁଣ ଦୁଃଖ ॥ ୧୨୯
ଏ ଜୀବ ଆଶ୍ରୟଯେ ବ୍ରହ୍ମ । ତହିଁ ରଖିଲେ ମତି ଧ୍ୟାନ ॥ ୧୩୦
ତାହାଙ୍କ ଗଲା ଜୀବଭାବ । ହୋଇଲା ଆତ୍ମତତ୍ତ୍ବ ଲାଭ ॥ ୧୩୧
ସଂସାର-କ୍ଳେଶ ନିବର୍ତ୍ତିଲା । ତା ଗୁଣଭ୍ରମ ଦୂରେ ଗଲା ॥ ୧୩୨
ଆପଣା ଦେହ ପାଶୋରିଲେ । ସେ ବ୍ରହ୍ମସ୍ୱରୂପେ ରହିଲେ ॥ ୧୩୩
ଯେସନେ ସ୍ୱପ୍ନ ଦେଖୁଥାଇ । ନିଦ୍ରା ପ୍ରବୋଧେ ନ ଦିଶଇ ॥ ୧୩୪
ସେ ରୂପେ ଦେହ ପାଶୋରିଲେ । କେବଳ ବ୍ରହ୍ମକୁ ଲଭିଲେ ॥ ୧୩୫
ସେ ଦେବହୂତି ଦପ-କ୍ଳେଶେ । ଶରୀର ମଳିନ ପ୍ରକାଶେ ॥ ୧୩୬
ଅମର-ଯୁବତୀ-ସକଳେ । ଯେ ଅଙ୍ଗ ସମ୍ମାର୍ଜୁଣ ଥିଲେ ॥ ୧୩୭
ସେ ଦେହ ମଳିନ ଦିଶିଲା । ତହିଁ ତା ଆଦର ନୋହିଲା ॥ ୧୩୮
ଯେଣୁ ତା ମନୁ ତାପ ଗଲା । ଏଣୁ ସେ ଅକୃଶ ହୋଇଲା ॥ ୧୩୯
ସଧୂମ-ପାବକର ପ୍ରାୟେ । ତେବେ ହେଁ ଅଙ୍ଗ ଶୋଭାପାଏ ॥ ୧୪୦
ମନ ନିବେଶି କୃଷ୍ଣଭାବେ । ବସି ରହିଲେ ଶାନ୍ତିଲାଭେ ॥ ୧୪୧
ଦେହ ହୋଇଲା ଯୋଗେ ଲୟ । ଆବର କାହିଁ ଲଜ୍ଜା ଭୟ ॥ ୧୪୨
ସୁକେଶ ବନ୍ଧନ ଫିଟିଲା । ଅଙ୍ଗେ ବସନ ନ ରହିଲା ॥ ୧୪୩
ପ୍ରାର୍ବଧ କର୍ମ ଭୋଗ ଯାଏ । ଏ ଦେହବନ୍ଧ ମାତ୍ର ଥାଏ ॥ ୧୪୪
ଏଣୁ ସେ ଦେହ ମାତ୍ର ଅଛି । ତା ପାଇଁ ନ ସ୍ମରଇ କିଛି ॥ ୧୪୫
ଶୁଣ ହେ ବିଦୁର ତଦନ୍ତେ । ସେ ଦେବୀ ଯୋଗରେ ରହନ୍ତେ ॥ ୧୪୬
ଲଭିଲେ ସେ ବ୍ରହ୍ମ-ନିର୍ବାଣ । ଯେସନେ ଜଳେ ଜଳ ଲୀନ ॥ ୧୪୭
ଶୁଣ ବିଦୁର ଯେଉଁସ୍ଥଳେ । ସେ ଦେବୀ ସୁସିଦ୍ଧି ଲଭିଲେ ॥ ୧୪୮
ସେ ସ୍ଥଳ ପୁଣ୍ୟକ୍ଷେତ୍ର ହେଲା । ଭୁବନେ ବିଦିତ ହୋଇଲା ॥ ୧୪୯
ତା ନାମ ସିଦ୍ଧପଦ କହି । ସିଦ୍ଧେ ସୁସିଦ୍ଧ ଯହିଁ ହୋଇ ॥ ୧୫୦
ସେ ଦେବହୂତି କଳେବର । ଯୋଗେ ସୁସିଦ୍ଧ ପୁଣ୍ୟତର ॥ ୧୫୧
କୃଷ୍ଣ ଭାବନା ଧ୍ୟାନ ନିତ୍ୟେ । ଆନନ୍ଦ ଭକ୍ତି ଯୋଗ ଯୁତେ ॥ ୧୫୨
ସେ ଧ୍ୟାନେ ଶରୀର ମିଳାଇ । ନଦୀ ସ୍ୱରୂପେ ଗଲେ ବହି ॥ ୧୫୩
ନଦୀଙ୍କ ଶ୍ରେଷ୍ଠ ସେ ହୋଇଲା । ସୁପୁଣ୍ୟ ତୀର୍ଥ ବୋଲାଇଲା ॥ ୧୫୪
ଯାହାଙ୍କୁ ସେବି ସିଦ୍ଧମାନେ । ସିଦ୍ଧି ଲଭନ୍ତି ସେହୁ ସ୍ଥାନେ ॥ ୧୫୫
ନାମ ତା ସିଦ୍ଧିକା ହୋଇଲା । ସ୍ପରଶେ ପାପ ବିନାଶିଲା ॥ ୧୫୬
ସେ ଯେ କପିଳ ମହାଯୋଗୀ । ବିଷୟେ ହୋଇ ବଇରାଗୀ ॥ ୧୫୭
ମାତାଙ୍କ ସ୍ନେହ ତ୍ୟାଗି ଗଲେ । ଐଶାନ୍ୟ-ଦିଗେ ପ୍ରବେଶିଲେ ॥ ୧୫୮
ସମୁଦ୍ର-ତୀରେ ଘୋରବନେ । ବସେ ନିର୍ମଳ ଯୋଗ ଧ୍ୟାନେ ॥ ୧୫୯
ସମୁଦ୍ର ତାହାଙ୍କୁ ଦେଖିଲେ । ଆନନ୍ଦମନେ ପୂଜା କଲେ ॥ ୧୬୦
ସେ ତାଙ୍କୁ ଦେଲେ ଦିବ୍ୟସ୍ଥାନ । ତହିଁ ରହିଲେ ଭଗବାନ ॥ ୧୬୧
ଯହିଁ ସକଳ ସୁରଗଣ । ସେବନ୍ତି ଯେଝା ନିଯୋଗଣ ॥ ୧୬୨
ସିଦ୍ଧ ଚାରଣ ମୁନିଜନେ । ଗନ୍ଧର୍ବ ଅପସରା ଗଣେ ॥ ୧୬୩
ସ୍ତୁତି କରନ୍ତି କପିଳଙ୍କୁ । ସଭୟେ ନିତ୍ୟେ ସେବି ତାଙ୍କୁ ॥ ୧୬୪
ଯୋଗେ ରହିଲେ ମହାମୁନି । ସାଂଖ୍ୟ ଆଚାର୍ଯ୍ୟମାନ ଘେନି ॥ ୧୬୫
ତ୍ରିଲୋକଜନ ଶାନ୍ତି ପାଇଁ । ଯୋଗେ ରହିଲେ ଯୋଗସାଇଁ ॥ ୧୬୬
ରହିଲେ ବ୍ରହ୍ମକଳ୍ପ ଯାଏ । ଲୋକଶିକ୍ଷାରେ ଦେବରାଏ ॥ ୧୬୭
ବିଦୁର ପଚାରିଲୁ ଯାହା । ସମ୍ପାଦି କହିଲି ମୁଁ ତାହା ॥ ୧୬୮
କପିଳ-ଦେବହୂତିଙ୍କର । ପବିତ୍ର ସୁଜ୍ଞାନ ବିଚାର ॥ ୧୬୯
ଏହା ଯେ ଶ୍ରବଣ କରନ୍ତି । କି ଅବା ବଦନେ ଗୁଣନ୍ତି ॥ ୧୭୦
ଆନନ୍ଦେ ସଭାମଧ୍ୟେ କହେ । ଅଶେଷଜନ୍ମ ପାପ ଦହେ ॥ ୧୭୧
ସେ ସର୍ବେ ଗୋବିନ୍ଦ-ଚରଣେ । ଭକ୍ତି ଲଭନ୍ତି ଅନୁକ୍ଷଣେ ॥ ୧୭୨
ଅନ୍ତେ ଲଭନ୍ତି ହରି-ସ୍ଥାନ । କେ କରିପାରେ ତାହା ଆନ ॥ ୧୭୩
ତୃତୀୟସ୍କନ୍ଧେ ଭାଗବତ । କପିଳ-ଜ୍ଞାନ ଉପଗତ ॥ ୧୭୪
ତେତିଶଅଧ୍ୟା ସମାପତ । ମୈତ୍ରେୟ-ବିଦୁର ଚରିତ ॥ ୧୭୫
ଶ୍ରୀକୃଷ୍ଣ ମୁଖରୁ ସମ୍ଭୂତ । ଭାବେ ହୋଇଲା ଭାଗବତ ॥ ୧୭୬
ଏ ଭାବେ ରସ ସାଧୁଜନ । ତୁମ୍ଭ ଚରଣେ ମୋର ଧ୍ୟାନ ॥ ୧୭୭
କହଇ ଜଗନ୍ନାଥ ଦାସ । ତ୍ରାହି କରିବେ ପୀତବାସ ॥ ୧୭୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟ ଉପାଖ୍ୟାନେ ତ୍ରୟତ୍ରିଂଶୋଽଧ୍ୟାୟଃ ॥
* * *