ତୃତୀୟ ସ୍କନ୍ଧ

ଦ୍ୱାତ୍ରିଂଶ ଅଧ୍ୟାୟ

ମୈତ୍ରେୟ ଉବାଚ

ଶୁଣ ବିଦୁର ତୋଷମନ । କପିଳରୂପେ ଭଗବାନ ॥

କହନ୍ତି ମାତା ମୁଖ ଚାହିଁ । ଶୁଣ ଜନନୀ ମନ ଦେଇ ॥

କପିଳ ଉବାଚ

ଭୋ ମାତ ଶୁଣ ସାବଧାନେ । ସଂଶୟ ତେଜି ଶୁଦ୍ଧମନେ ॥

ପ୍ରାଣୀ ଯାତନା ଗତି ଯେତେ । କହିଲି ତୁମ୍ଭର ଅଗ୍ରତେ ॥

କାମୀର କର୍ମ ଗତି ଯେତେ । ବିଧି ନିଷେଧ ବେନି ମତେ ॥

ଯେ ପ୍ରାଣୀ ଗୃହଧର୍ମେ ଥାଇ । ସ୍ୱଧର୍ମ ନିତ୍ୟେ ଆଚରଇ ॥

ତହିଁ ସୁସିଦ୍ଧ କାମ ଅର୍ଥ । ଏ ଆଶେ ଭ୍ରମୁଥାଇ ବ୍ୟର୍ଥ ॥

ପୁଣି ସେ ଧର୍ମ ଆଚରଇ । ସେ ଧର୍ମେ କାମ ଅର୍ଥ ପାଇ ॥

କାମର ମୂଢ଼ମତି ନର । କୃଷ୍ଣଭକତି କରେ ଦୂର ॥

ଅର୍ଥ ସଞ୍ଚଇ ଅବିରତ । ଯଜ୍ଞରେ ଦେଇଥାଇ ଚିତ୍ତ ॥ ୧୦

କରଇ ଯଜ୍ଞ-ଅନୁଷ୍ଠାନ । ତହିଁ ପୂଜଇ ଦେବମାନ ॥ ୧୧

ତଦନ୍ତେ ପିତୃ ତୋଷ ଅର୍ଥେ । ପୂଜଇ ଶ୍ରାଦ୍ଧେ ଶୁଦ୍ଧଚିତ୍ତେ ॥ ୧୨

ଶ୍ରଦ୍ଧାରେ ସେ ଧର୍ମ ଆଚରେ । ପିତୃ-ଦେବତା ପୂଜା କରେ ॥ ୧୩

ସେ ପ୍ରାଣୀ ଗମେ ଚନ୍ଦ୍ରସ୍ଥାନ । ସେଠାରେ କରେ ସୋମପାନ ॥ ୧୪

ଭୋଗର ଅନ୍ତ ଯେବେ ହୋଇ । ଲେଉଟି ସେ ସ୍ଥାନୁ ଆସଇ ॥ ୧୫

ଯେ କାଳେ ଅନନ୍ତ ଶଯ୍ୟାରେ । ବିଜୟେ ହରି ସମୁଦ୍ରରେ ॥ ୧୬

ସେ ଯୋଗନିଦ୍ରାରେ ଶୟନ । ସକଳ ଚେଷ୍ଟା କରି ଲୀନ ॥ ୧୭

ଲୟ ହୁଅନ୍ତି ଲୋକ ତିନି । ଏ ମଧ୍ୟେ ଛନ୍ତି ଯେତେ ପ୍ରାଣୀ ॥ ୧୮

ସେ ସର୍ବେ ତାଙ୍କ ଦେହେ ଥାନ୍ତି । ସେହରି ଉଠିଲେ ଆସନ୍ତି ॥ ୧୯

କାମ୍ୟ-କର୍ମରୁ ଏହି ଗତି । କେବେ ନଯାଇ ଗତାଗତି ॥ ୨୦

ଯେ ପ୍ରାଣୀ ପŠଣ୍ତିତ ହୁଅନ୍ତି । ସେ କେବେ ଧର୍ମ ନ ଛାଡ଼ନ୍ତି ॥ ୨୧

କରନ୍ତି ସ୍ୱଧର୍ମ ଆଚର । ସଂସର୍ଗ ତେଜି ସର୍ବଠାର ॥ ୨୨

ସାଧନ୍ତି ନାହିଁ ଅର୍ଥ କାମ । ଦେଖନ୍ତି ସର୍ବ ମାୟାଭ୍ରମ ॥ ୨୩

କର୍ମାଦି କୃଷ୍ଣେ ସମର୍ପନ୍ତି । ସେ ବେଦ-ବିଧି ନଛାଡ଼ନ୍ତି ॥ ୨୪

ହୁଅନ୍ତି ଶାନ୍ତଧର୍ମେ ରତ । ନିଜ ଧର୍ମରେ ଶ୍ରଦ୍ଧାଚିତ୍ତ ॥ ୨୫

ନିବୃତ୍ତି ଧର୍ମପରାୟଣ । ହୁଅନ୍ତି ଅହଙ୍କାରହୀନ ॥ ୨୬

ମାୟାରୁ ସ୍ନେହ ଦୂର କରି । କୃଷ୍ଣ-ଭଜନେ ପ୍ରି‌ୟଭରି ॥ ୨୭

ଏ ଧର୍ମ ସ‌ତ୍ତ୍ବ-ଗୁଣମୟେ । ବିଶୁଦ୍ଧଚିତ୍ତ ତହୁଁ ହୋଏ ॥ ୨୮

ଏମନ୍ତ ଯେବା ପ୍ରାଣୀ ମନ । ତାଙ୍କ ପ୍ରୟାଣ ମାତ ଶୁଣ ॥ ୨୯

ସେ ସୂର୍ଯ୍ୟରଶ୍ମି ଦ୍ୱାରେ ଯାନ୍ତି । ପରମ-ପୁରୁଷ ଲଭନ୍ତି ॥ ୩୦

ପର ଅପର ଈଶ ଯେହି । ଏ ବିଶ୍ୱ ପ୍ରକୃତିଟି ସେହି ॥ ୩୧

ସେ ବିଶ୍ୱମୁଖ ନାରାୟଣ । ଯେ କରେ ସର୍ଜନ ପାଳନ ॥ ୩୨

ଏମନ୍ତ ଯେହୁ ଭଗବାନ । ତାଙ୍କୁ ଲଭନ୍ତି ଭକ୍ତଜନ ॥ ୩୩

ସେ ଇଚ୍ଛେ ମୁକ୍ତି ଲଭିବାକୁ । ଭଜଇ ହିରଣ୍ୟଗର୍ଭକୁ ॥ ୩୪

ସେ ମୋକ୍ଷ ଗୁଣ ଶୁଣ ମାୟେ । କହିବା ତୁମ୍ଭଙ୍କୁ ଥୋକାୟେ ॥ ୩୫

ବେନିପରାର୍ଦ୍ଧ କାଳ ଅନ୍ତେ । ବ୍ରହ୍ମପ୍ରଳୟ ଏ ଜଗତେ ॥ ୩୬

ତାବତ କାଳ ବ୍ରହ୍ମଲୋକେ । ହିରଣ୍ୟଗର୍ଭର ସାଧକେ ॥ ୩୭

ସୁଖେଣ ବିହାର କରନ୍ତି । ବ୍ରହ୍ମାର ସଙ୍ଗେ ଲୟ ଯାନ୍ତି ॥ ୩୮

ଭୂଆଦି ପଞ୍ଚ ମହାଭୂତ । ଏ ଦଶ ଇନ୍ଦ୍ରିୟ ସହିତ ॥ ୩୯

ପଞ୍ଚ ବିଷୟ ଅହଙ୍କାରେ । ଏ ସର୍ବ ବ୍ରହ୍ମାŠଣ୍ତ ଆକାରେ ॥ ୪୦

ଏମାନ୍ତେ ରହନ୍ତି ପ୍ରଧାନେ । ପରାର୍ଦ୍ଧକାଳ ଅବସାନେ ॥ ୪୧

ସେସ୍ଥାନେ ଯେତେ ଯୋଗୀଥାନ୍ତି । ବ୍ରହ୍ମାଙ୍କ ଶରୀରେ ପଶନ୍ତି ॥ ୪୨

ଆୟୁଷଶେଷେ ପ୍ରଜାପତି । ପରମଆତ୍ମାରେ ମିଳନ୍ତି ॥ ୪୩

ଯେଣୁ ତାହାଙ୍କ ଅଭିମାନ । ଦେହରେ ନୋହେ ଅବସାନ ॥ ୪୪

ଏଣୁ ସାକ୍ଷାତେ ମୁକ୍ତି ନୋହେ । ବ୍ରହ୍ମାସଙ୍ଗତେ ହୋନ୍ତି ଲୟେ ॥ ୪୫

ଯେମାନେ ହରିର ଭକତ । ହରି ଭଜନ୍ତି ଅବିରତ ॥ ୪୬

ସେ ସର୍ବ ହରିଙ୍କୁ ଲଭନ୍ତି । ଦେହାଦିଭାବ ନ ଜାଣନ୍ତି ॥ ୪୭

ସମ ଦେଖନ୍ତି ସର୍ବଜୀବ । ମିତ୍ର ଅମିତ୍ର ଏକ ଭାବ ॥ ୪୮

ଏଣୁ ଭୋ ମାତ ହରି ଭଜ । ଭୋଗ-ବାସନା ସର୍ବ ତେଜ ॥ ୪୯

ଏ ସର୍ବଭୂତଙ୍କ ହୃଦରେ । ହରି ଅଛନ୍ତି ସର୍ବଠାରେ ॥ ୫୦

ତାହାଙ୍କ ମହିମା ସୁମରି । ମନକୁ ଯୋଗେ ଦୃଢ଼ କରି ॥ ୫୧

ତାହାଙ୍କୁ ଭଜିଲେ ତରିବ । ଏ ଦେହ ପୁଣି ନହୋଇବ ॥ ୫୨

ଯେ ଆଦ୍ୟ ଚରାଚରଙ୍କର । ଯାହାଙ୍କୁ ବୋଲି ସୁରେଶ୍ୱର ॥ ୫୩

କୁମାରଆଦି ସିଦ୍ଧ ଯେତେ । ଯୋଗ କରନ୍ତି ଅବିରତେ ॥ ୫୪

ନିଃସଙ୍ଗ କର୍ମ ହିଁ କରନ୍ତି । ତଥାପି ଭେଦ ନଛାଡ଼ନ୍ତି ॥ ୫୫

ଯେଣୁ କରନ୍ତି ଅଭିମାନ । ଏଣୁ ନ ପାନ୍ତି ଶୁଦ୍ଧଜ୍ଞାନ ॥ ୫୬

ସେମାନେ ପ୍ରଳୟ କାଳରେ । ପଶନ୍ତି ଈଶ୍ୱର ଦେହରେ ॥ ୫୭

ହୋଇଲେ ସୃଷ୍ଟିର ଜାଗର । ପୁଣି ଘେନନ୍ତି ଅବତାର ॥ ୫୮

ଲଭନ୍ତି ନିଜ ନିଜ ସ୍ଥାନ । ଭୋଗ କରନ୍ତି କର୍ମମାନ ॥ ୫୯

ଯେମାନେ କାମ୍ୟକର୍ମେ ରତ । କର୍ମ କରନ୍ତି ଅବିରତ ॥ ୬୦

ନିନ୍ଦିତ କର୍ମ ନ କରନ୍ତି । ବେଦବିଧିରେ ଆଚରନ୍ତି ॥ ୬୧

ଇନ୍ଦ୍ରିୟ ନ ଜିଣିଲେ ଯେଣୁ । ସକାମ କର୍ମ କଲେ ତେଣୁ ॥ ୬୨

ରଜଗୁଣରେ ତାଙ୍କ ମନ । ଆସକ୍ତ ଥାଇ ଅନୁକ୍ଷଣ ॥ ୬୩

ଗୃହକର୍ମରେ ହୋଇ ରତ । ପିତୃଙ୍କୁ ପୂଜେ ଅବିରତ ॥ ୬୪

ବିମୁଖ ଶ୍ରୀକୃଷ୍ଣ କଥାରେ । ରହନ୍ତି ଗୃହାଦି ବ୍ୟାପାରେ ॥ ୬୫

ଛାଡ଼ି ଅମୃତ କୃଷ୍ଣ କଥା । ନିତ୍ୟେ ଗୁଣନ୍ତି ଗ୍ରାମ୍ୟଗାଥା ॥ ୬୬

ତାଙ୍କୁ ବିଧାତା ବାମ ହେଲା । ବିଅର୍ଥେ ତାଙ୍କ ଜନ୍ମଗଲା ॥ ୬୭

ସକଳ ଅନର୍ଥ ଯେତେକ । ଏକତ୍ୱେ କଲା ଅବିବେକ ॥ ୬୮

ଯେସନେ ବିଷ୍ଠା ଭୋଜୀମାନେ । ବିଷ୍ଠା ଭକ୍ଷନ୍ତି ହତ ଜ୍ଞାନେ ॥ ୬୯

ଏ ମୂଢ଼ଲୋକେ ସେହି ରୂପେ । ପଡ଼ି ଯନ୍ତ୍ରିତ ଭବକୂପେ ॥ ୭୦

ସେ ପୁଣ କର୍ମଭୋଗ ଅନ୍ତେ । ଚଳନ୍ତି ଶୁଣ ଯେଉଁ ପଥେ ॥ ୭୧

ସୂର୍ଯ୍ୟଙ୍କ ଦକ୍ଷିଣ ମାର୍ଗରେ । ବସନ୍ତି ସେ ପିତୃଲୋକରେ ॥ ୭୨

ସେ ଭୋଗଅନ୍ତେ ଗୋ ଜନନୀ । ସଂସାରେ ପଡ଼େ ଦେହ ଘେନି ॥ ୭୩

ପୁତ୍ରାଦି ଗୃହେ ଜାତ ହୋଇ । ପୂର୍ବବାସନା ନଛାଡ଼ଇ ॥ ୭୪

ଗର୍ଭ-ଆଧାନ ଆଦି କର୍ମ । ଦେହାନ୍ତେ ଶମଶାନଧର୍ମ ॥ ୭୫

ଏ କର୍ମମାନ କରୁଥାନ୍ତି । ସଂସାର ଛାଡ଼ି ନପାରନ୍ତି ॥ ୭୬

ଗମନ୍ତି ଦେବ-ପିତୃସ୍ଥାନ । ତହିଁ କରନ୍ତି ଭୋଗମାନ ॥ ୭୭

ପୁଣି ଲଭନ୍ତି ନରଦେହ । ଏମନ୍ତେ କାମ୍ୟକର୍ମସ୍ନେହ ॥ ୭୮

ଏଣୁ ସୁସ୍ଥିରେ ତୁମ୍ଭେ ମାଏ । ମନ ନିବେଶ କୃଷ୍ଣପାୟେ ॥ ୭୯

ଶ୍ରବଣେ ଶୁଣ ତାଙ୍କ ଗୁଣ । କୀର୍ତ୍ତନ କର ଅନୁକ୍ଷଣ ॥ ୮୦

ସ୍ମରଣ ଅର୍ଚ୍ଚନ ବନ୍ଦନ । ଯେ ନବଭକ୍ତିର ବିଧାନ ॥ ୮୧

ପାଦ ସେବନ ଦାସ୍ୟଭାବ । ସଖ୍ୟାଦି ଆତ୍ମା ନିବେଦିବ ॥ ୮୨

ଏତେ ପ୍ରକାରେ କୃଷ୍ଣପାଦେ । ଭକତି କର ଅପ୍ରମାଦେ ॥ ୮୩

କୃଷ୍ଣରେ କଲେ ଭକ୍ତିଯୋଗ । ତହୁଁ ଲଭଇ ବଇରାଗ୍ୟ ॥ ୮୪

ତେବେ ଲଭିବ ଦିବ୍ୟଜ୍ଞାନ । ପାଇବ ପରଂବ୍ରହ୍ମସ୍ଥାନ ॥ ୮୫

ଭକ୍ତିରେ ଚିତ୍ତ ଯେତେବେଳେ । ରହଇ କୃଷ୍ଣ ସୁନିଶ୍ଚଳେ ॥ ୮୬

ତେବେ ସେ ବିଷୟ ଛାଡ଼ଇ । ପ୍ରିୟ ଅପ୍ରିୟ ନ ଜାଣଇ ॥ ୮୭

ଇନ୍ଦ୍ରିୟ ବୃତ୍ତିଭେଦ ନାହିଁ । ସମ ବିଷମ ଆର କାହିଁ ॥ ୮୮

ଏମନ୍ତ ଭାବ ଜନ୍ମେ ଯେବେ । ଦେହେ ଆତ୍ମାକୁ ଦେଖେ ତେବେ ॥ ୮୯

ପରମାନନ୍ଦ ସୁଖ ପାଇ । ଆନନ୍ଦେ ସଂସାର ଭ୍ରମଇ ॥ ୯୦

ଛାଡ଼ଇ ସର୍ବ ସଙ୍ଗମାନ । ପରମାନନ୍ଦେ ରହେ ମନ ॥ ୯୧

ସେ ବ୍ରହ୍ମ ପରମପୁମାନ । ରୂପ ବିହୀନ ଦିବ୍ୟଜ୍ଞାନ ॥ ୯୨

ସେ ପରମାତ୍ମା ପରମେଶ । ତା ନାମ ପରମ-ପୁରୁଷ ॥ ୯୩

ସେ ଏକ ନାନା ରୂପ ଧରେ । ଭ୍ରମ ଜନ୍ମାଇଛି ସଂସାରେ ॥ ୯୪

ଯୋଗୀଙ୍କ ଯୋଗସାଧ୍ୟ ଏହି । ଏକାନ୍ତେ ସଙ୍ଗ ଯେ ଛାଡ଼ଇ ॥ ୯୫

ପରମପଦ ଲଭେ ତେବେ । ତାବିନୁ ଭ୍ରମୁଥାଇ ଭବେ ॥ ୯୬

ବ୍ରହ୍ମ ନିର୍ଗୁଣ ନିରାକାର । କେବଳ ଜ୍ଞାନରୂପ ତାର ॥ ୯୭

ଶବ୍ଦାଦି ଧର୍ମ ଯାର ମାଏ । ସେ ଧର୍ମେ ପ୍ରକାଶ ସେ ହୋଏ ॥ ୯୮

ଆଭାସ ଦିଶଇ ଭ୍ରାନ୍ତିରେ । ଏ ବାହ୍ୟ ଇନ୍ଦ୍ରି‌ୟଙ୍କ ଦ୍ୱାରେ ॥ ୯୯

ପ୍ରତ୍ୟକ୍ଷେ ଦେଖୁ ଯେତେ କିଛି । ଏକା ସେ ସବୁ ହୋଇଅଛି ॥ ୧୦୦

କହିବା ସେ ହେତୁ ପ୍ରକାର । ଯେ ରୂପେ ବ୍ରହ୍ମାŠଣ୍ତ ସଞ୍ଚାର ॥ ୧୦୧

ପ୍ରଥମେ ମହତ ହୋଇଲା । ତହୁଁ ସେ ଅହଙ୍କାର ହେଲା ॥ ୧୦୨

ତ୍ରିବିଧ ହୋଏ ଅହଙ୍କାର । ଏ ପଞ୍ଚଭୂତ ରୂପ ତାର ॥ ୧୦୩

ମନ ଇନ୍ଦ୍ରିୟ ଏକାଦଶ । ଏଥୁଁ ବ୍ରହ୍ମାଣ୍ତŠ ପରକାଶ ॥ ୧୦୪

ଜୀବରୂପରେ ସେହି ତହିଁ । ସ୍ୱରୂପ ତାହାରଟି ଏହି ॥ ୧୦୫

ଯେବେ କରଇ ଯୋଗାଭ୍ୟାସ । ଶ୍ରଦ୍ଧାରେ ଭଜଇ ବିଶେଷ ॥ ୧୦୬

ବୈରାଗ୍ୟେ ସଙ୍ଗ ତ୍ୟାଗ କରେ । ମନ ନିବେଶି କୃଷ୍ଣଠାରେ ॥ ୧୦୭

ତେବେ ସେ ପ୍ରପଞ୍ଚ ଲେଛଇ । ପରମଆତ୍ମାଙ୍କୁ ଚିହ୍ନଇ ॥ ୧୦୮

ଭୋ ମାତ ସାବଧାନେ ଘେନ । ତୁମ୍ଭଙ୍କୁ କହିଦେଲୁ ଜ୍ଞାନ ॥ ୧୦୯

ଏ ଜ୍ଞାନେ ବ୍ରହ୍ମ ଦରଶନ । ଏହା ବୁଝଇ ଯେଉଁଜନ ॥ ୧୧୦

ପ୍ରକୃତି ପୁରୁଷଙ୍କ ତତ୍ତ୍ବ । ସେ ପ୍ରାଣୀ ଦେଖଇ ବ୍ୟଜତ ॥ ୧୧୧

ଜ୍ଞାନଯୋଗରେ ତାଙ୍କୁ ପାଇ । ଭକ୍ତିଯୋଗରେ ଲଭ୍ୟ ସେହି ॥ ୧୧୨

କେବଳ ମାର୍ଗ ମାତ୍ର ଭେଦ । ନବୁଝି ପାଏ ବହୁ ଖେଦ ॥ ୧୧୩

ଜ୍ଞାନରେ ନିର୍ଗୁଣ ଭଜଇ । ଭକ୍ତିରେ ସଗୁଣ ଲଭଇ ॥ ୧୧୪

ସେ ଆତ୍ମା ଏକ ନାନା ହୋଏ । ଦୃଷ୍ଟାନ୍ତ କହେ ଶୁଣ ମାଏ ॥ ୧୧୫

ଦେଖ ଶାକର କ୍ଷୀର ଆଦି । ଧରନ୍ତି ନାନା ଗୁଣ ବିଧି ॥ ୧୧୬

କିନ୍ତୁ ପଦାର୍ଥ ଏକ ମାଏ । ଇନ୍ଦ୍ରି‌ୟଭେଦେ ଭିନ୍ନ ହୋଏ ॥ ୧୧୭

ଚକ୍ଷୁରେ ଶୁକ୍ଳବ‰ର୍ଣ୍ଣ ଦିଶେ । ରସନେ ମଧୁର ବିଶେଷେ ॥ ୧୧୮

ତ୍ୱଚରେ ଶୀତ ଉଷ୍ଣ ଭେଦ । ନାସାରେ ସୁବାସ ଆମୋଦ ॥ ୧୧୯

ଭୋ ମାତ ଆତ୍ମା ବ୍ରହ୍ମ ଏକ । ଗୁଣରେ ଦିଶଇ ଅନେକ ॥ ୧୨୦

ଯେ ତାକୁ ଯେ ରୂପେ ଭଜଇ । ସେ ତାକୁ ସେ ରୂପେ ଦିଶଇ ॥ ୧୨୧

ତାକୁ ଜାଣିବ ଏକ ବୋଲି । ନବୁଝି କରୁଥାନ୍ତି କଳି ॥ ୧୨୨

ଶାସ୍ତ୍ରମାର୍ଗରେ ନାନା କହେ । ସେ ପୁଣି ଏକ ନାନା ନୋହେ ॥ ୧୨୩

ଶୁଣ ଜନନୀ ଶାସ୍ତ୍ରଭେଦ । ଯେଣେ ଛାଡ଼ିବ ସର୍ବଖେଦ ॥ ୧୨୪

ଯେ କ୍ରିୟାପୂର୍ତ୍ତି ଆଦି କରି । ଯେ ଯାହା କରନ୍ତି ଆଦରି ॥ ୧୨୫

ତହୁଁ ଯେ ହୋଏ ଭୋଗମାନ । ସେ ସବୁ ରୂପ ଭଗବାନ ॥ ୧୨୬

ଯାଗକର୍ମରେ ପ୍ରାପ୍ୟ ସେହି । ଦାନରେ ଅନ୍ୟ ନାହିଁ କେହି ॥ ୧୨୭

କେହୁ କରନ୍ତି ତପମାନ । ସେ ସବୁ ତହୁଁ ନୋହେ ଆନ ॥ ୧୨୮

ସେହିଟି ବେଦ-ଅଧ୍ୟୟନେ । ମୀମାଂସାଶାସ୍ତ୍ର ତାହା ଭଣେ ॥ ୧୨୯

ନିଷିଦ୍ଧ କର୍ମ ତ୍ୟାଗ ଯେହି । ସେ ଧର୍ମ ଜାଣିଥିବ ସେହି ॥ ୧୩୦

ସନ୍ନ୍ୟାସ କାହାର ବା ଧର୍ମ । ଯହିଁ ଛାଡ଼ନ୍ତି କାମ୍ୟକର୍ମ ॥ ୧୩୧

ବିବିଧ ଅଙ୍ଗ ଯୋଗ ସେହି । ଭକ୍ତିଯୋଗରେ ପ୍ରାପ୍ୟ ଏହି ॥ ୧୩୨

ଜ୍ଞାନଯୋଗ ହିଁ ତାକୁ କହି । ସେ ଏକବସ୍ତୁ ସର୍ବମୟୀ ॥ ୧୩୩

ସକାମ ନିଷ୍କାମ ଯେ ଧର୍ମ । ସଗୁଣରୂପ ସବୁ ବ୍ରହ୍ମ ॥ ୧୩୪

ଆତ୍ମତ‌ତ୍ତ୍ବ‌ରେ ଗମ୍ୟ ଏହି । ବୈରାଗ୍ୟ ଧର୍ମେ ତାକୁ ପାଇ ॥ ୧୩୫

ଏମନ୍ତେ ନାନା ଶାସ୍ତ୍ରମତେ । ଯେ ପ୍ରାଣୀ ଭଜଇ ଯେମନ୍ତେ ॥ ୧୩୬

ସଗୁଣ ନିର୍ଗୁଣଟି ସେହି । ତା ବିନୁ ଅନ୍ୟ ନାହିଁ କେହି ॥ ୧୩୭

ଏ ଭକ୍ତିଯୋଗ ଚାରିମତ । ସ୍ୱରୂପ କରିଲୁଁ ବ୍ୟକତ ॥ ୧୩୮

ଯେ କାଳ ଅନ୍ତରେ ଧାବଇ । ସୃଜନ ଆଦି ଯେ କରଇ ॥ ୧୩୯

କହିଲୁଁ ସ୍ୱରୂପ ତାହାର । ଭୋ ମାତ କରତୁ ବିଚାର ॥ ୧୪୦

ଗତି ଏ ଜୀବମାନଙ୍କର । ଅବିଦ୍ୟାକର୍ମରେ ପ୍ରଚୁର ॥ ୧୪୧

ଏ ଆତ୍ମା ତହିଁ ପଶିଥାଇ । ଆପଣା ଗତି ନ ବୁଝଇ ॥ ୧୪୨

ଏମନ୍ତେ ଜୀବ ଗତାଗତି । କହିଲୁ ଛାଡ଼ ମନୁ ଭ୍ରାନ୍ତି ॥ ୧୪୩

ଏ ଯୋଗ ନ କରି ପ୍ରକାଶ । କହିଲେ ଧର୍ମ ହୋଏ ନାଶ ॥ ୧୪୪

କେବେହେଁ ଖଳେ ନ କହିବ । ବିନୟ ଯେ ପ୍ରାଣୀ ନୋହିବ ॥ ୧୪୫

ନ କହି ଦୁର୍ଜନ ଅଗ୍ରତେ । ଅପରେ ଧର୍ମଧ୍ୱଜୀ ଯେତେ ॥ ୧୪୬

ଦାମ୍ଭିକ ଅଗ୍ରତେ ନ କହି । ପ୍ରଲୋଭୀ ପ୍ରାଣୀ ଅଟେ ଯେହି ॥ ୧୪୭

ଯେ ଗୃହଧର୍ମେ ହୋଇ ରତ । ତାରେ ନ କହି କଦାଚିତ ॥ ୧୪୮

ନ ସହେ ଯେ ଭକତଜନେ । ନ କହ ଭକ୍ତିହୀନ ଜନେ ॥ ୧୪୯

ଏମନ୍ତ ଲୋକେ ନ କହିବ । ଗର୍ବିତ ଭାବ ଯାର ଥିବ ॥ ୧୫୦

ମୋ ଭକ୍ତିହୀନେ ନ କହିବ । ମୋ ଭକ୍ତେ ଦ୍ୱେଷ ଯାର ଥିବ ॥ ୧୫୧

ଯାହାର ଶ୍ରଦ୍ଧା ଏଥି ଥିବ । ତାହାକୁ ଏ ମାର୍ଗ କହିବ ॥ ୧୫୨

ଭକତଜନେ ଏହା କହି । ଯେ ଭକ୍ତଜନରେ ସେବଇ ॥ ୧୫୩

ଯେ ପ୍ରାଣୀ ଏଥେ ସ୍ପୃହା କରେ । ଏ ଧର୍ମ କହିବ ତାହାରେ ॥ ୧୫୪

ଯେ ପ୍ରାଣୀ ସର୍ବଭୂତେ ମିତ୍ର । ତାହାକୁ କହି ଏ ଚରିତ ॥ ୧୫୫

ଯେ ପ୍ରାଣୀ ଗୁରୁଙ୍କୁ ସେବଇ । ଏ ଦୀକ୍ଷା ତାରେ ଶିକ୍ଷା ଦେଇ ॥ ୧୫୬

ବିଷୟେ ବୈରାଗ୍ୟ ଯାହାର । ଯେ ପ୍ରାଣୀ ଶାନ୍ତଚିତ୍ତ ଧୀର ॥ ୧୫୭

ଯେ ପ୍ରାଣୀ ହୋଏ ନିର୍ମ›ତ୍ସର । ବିନୀତ ଶୁଚି ନିରନ୍ତର ॥ ୧୫୮

ପ୍ରି‌ୟମାନଙ୍କ ଅତିପ୍ରି‌ୟ । କରଇ ମୋର ଠାରେ ସ୍ନେହ ॥ ୧୫୯

ଏମନ୍ତ ପ୍ରାଣୀଙ୍କି କହିବ । ଅଧର୍ମଠାରେ ଲୁଚାଇବ ॥ ୧୬୦

ଶ୍ରଦ୍ଧାରେ ଯେ ଏହା ଶୁଣନ୍ତି । ଅଥବା ଆଦରେ ଭଣନ୍ତି ॥ ୧୬୧

ମୋହର ପଦବୀ ସେ ପାଏ । ସତ୍ୟ କହିଲୁ ଏହା ମାଏ ॥ ୧୬୨

ତୃତୀୟସ୍କନ୍ଧେ ଭାଗବତ । କପିଳମୁନି ଯୋଗ ଖ୍ୟାତ ॥ ୧୬୩

ମାତାଙ୍କୁ ଦେଲେ ଜ୍ଞାନବାଣୀ । ସୁଜନେ ତର ଏହା ଶୁଣି ॥ ୧୬୪

କର୍ମବିପାକ ପ୍ରାଣୀଙ୍କର । ଦ୍ୱାତ୍ରିଂ‌ଶ ଅଧ୍ୟାୟ ସଞ୍ଚାର ॥ ୧୬୫

ଶ୍ରବଣ କର ସାଧୁଜନେ । ବ୍ରାହ୍ମଣ ଜଗନ୍ନାଥ ଭଣେ ॥ ୧୬୬

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ କାପିଳେୟେ ଦ୍ୱାତ୍ରିଂ‌ଶୋଽଧ୍ୟାୟଃ ॥

* * *