ତୃତୀୟ ସ୍କନ୍ଧ
ଦ୍ୱାତ୍ରିଂଶ ଅଧ୍ୟାୟ
ମୈତ୍ରେୟ ଉବାଚ
ଶୁଣ ବିଦୁର ତୋଷମନ । କପିଳରୂପେ ଭଗବାନ ॥ ୧
କହନ୍ତି ମାତା ମୁଖ ଚାହିଁ । ଶୁଣ ଜନନୀ ମନ ଦେଇ ॥ ୨
କପିଳ ଉବାଚ
ଭୋ ମାତ ଶୁଣ ସାବଧାନେ । ସଂଶୟ ତେଜି ଶୁଦ୍ଧମନେ ॥ ୩
ପ୍ରାଣୀ ଯାତନା ଗତି ଯେତେ । କହିଲି ତୁମ୍ଭର ଅଗ୍ରତେ ॥ ୪
କାମୀର କର୍ମ ଗତି ଯେତେ । ବିଧି ନିଷେଧ ବେନି ମତେ ॥ ୫
ଯେ ପ୍ରାଣୀ ଗୃହଧର୍ମେ ଥାଇ । ସ୍ୱଧର୍ମ ନିତ୍ୟେ ଆଚରଇ ॥ ୬
ତହିଁ ସୁସିଦ୍ଧ କାମ ଅର୍ଥ । ଏ ଆଶେ ଭ୍ରମୁଥାଇ ବ୍ୟର୍ଥ ॥ ୭
ପୁଣି ସେ ଧର୍ମ ଆଚରଇ । ସେ ଧର୍ମେ କାମ ଅର୍ଥ ପାଇ ॥ ୮
କାମର ମୂଢ଼ମତି ନର । କୃଷ୍ଣଭକତି କରେ ଦୂର ॥ ୯
ଅର୍ଥ ସଞ୍ଚଇ ଅବିରତ । ଯଜ୍ଞରେ ଦେଇଥାଇ ଚିତ୍ତ ॥ ୧୦
କରଇ ଯଜ୍ଞ-ଅନୁଷ୍ଠାନ । ତହିଁ ପୂଜଇ ଦେବମାନ ॥ ୧୧
ତଦନ୍ତେ ପିତୃ ତୋଷ ଅର୍ଥେ । ପୂଜଇ ଶ୍ରାଦ୍ଧେ ଶୁଦ୍ଧଚିତ୍ତେ ॥ ୧୨
ଶ୍ରଦ୍ଧାରେ ସେ ଧର୍ମ ଆଚରେ । ପିତୃ-ଦେବତା ପୂଜା କରେ ॥ ୧୩
ସେ ପ୍ରାଣୀ ଗମେ ଚନ୍ଦ୍ରସ୍ଥାନ । ସେଠାରେ କରେ ସୋମପାନ ॥ ୧୪
ଭୋଗର ଅନ୍ତ ଯେବେ ହୋଇ । ଲେଉଟି ସେ ସ୍ଥାନୁ ଆସଇ ॥ ୧୫
ଯେ କାଳେ ଅନନ୍ତ ଶଯ୍ୟାରେ । ବିଜୟେ ହରି ସମୁଦ୍ରରେ ॥ ୧୬
ସେ ଯୋଗନିଦ୍ରାରେ ଶୟନ । ସକଳ ଚେଷ୍ଟା କରି ଲୀନ ॥ ୧୭
ଲୟ ହୁଅନ୍ତି ଲୋକ ତିନି । ଏ ମଧ୍ୟେ ଛନ୍ତି ଯେତେ ପ୍ରାଣୀ ॥ ୧୮
ସେ ସର୍ବେ ତାଙ୍କ ଦେହେ ଥାନ୍ତି । ସେହରି ଉଠିଲେ ଆସନ୍ତି ॥ ୧୯
କାମ୍ୟ-କର୍ମରୁ ଏହି ଗତି । କେବେ ନଯାଇ ଗତାଗତି ॥ ୨୦
ଯେ ପ୍ରାଣୀ ପଣ୍ତିତ ହୁଅନ୍ତି । ସେ କେବେ ଧର୍ମ ନ ଛାଡ଼ନ୍ତି ॥ ୨୧
କରନ୍ତି ସ୍ୱଧର୍ମ ଆଚର । ସଂସର୍ଗ ତେଜି ସର୍ବଠାର ॥ ୨୨
ସାଧନ୍ତି ନାହିଁ ଅର୍ଥ କାମ । ଦେଖନ୍ତି ସର୍ବ ମାୟାଭ୍ରମ ॥ ୨୩
କର୍ମାଦି କୃଷ୍ଣେ ସମର୍ପନ୍ତି । ସେ ବେଦ-ବିଧି ନଛାଡ଼ନ୍ତି ॥ ୨୪
ହୁଅନ୍ତି ଶାନ୍ତଧର୍ମେ ରତ । ନିଜ ଧର୍ମରେ ଶ୍ରଦ୍ଧାଚିତ୍ତ ॥ ୨୫
ନିବୃତ୍ତି ଧର୍ମପରାୟଣ । ହୁଅନ୍ତି ଅହଙ୍କାରହୀନ ॥ ୨୬
ମାୟାରୁ ସ୍ନେହ ଦୂର କରି । କୃଷ୍ଣ-ଭଜନେ ପ୍ରିୟଭରି ॥ ୨୭
ଏ ଧର୍ମ ସତ୍ତ୍ବ-ଗୁଣମୟେ । ବିଶୁଦ୍ଧଚିତ୍ତ ତହୁଁ ହୋଏ ॥ ୨୮
ଏମନ୍ତ ଯେବା ପ୍ରାଣୀ ମନ । ତାଙ୍କ ପ୍ରୟାଣ ମାତ ଶୁଣ ॥ ୨୯
ସେ ସୂର୍ଯ୍ୟରଶ୍ମି ଦ୍ୱାରେ ଯାନ୍ତି । ପରମ-ପୁରୁଷ ଲଭନ୍ତି ॥ ୩୦
ପର ଅପର ଈଶ ଯେହି । ଏ ବିଶ୍ୱ ପ୍ରକୃତିଟି ସେହି ॥ ୩୧
ସେ ବିଶ୍ୱମୁଖ ନାରାୟଣ । ଯେ କରେ ସର୍ଜନ ପାଳନ ॥ ୩୨
ଏମନ୍ତ ଯେହୁ ଭଗବାନ । ତାଙ୍କୁ ଲଭନ୍ତି ଭକ୍ତଜନ ॥ ୩୩
ସେ ଇଚ୍ଛେ ମୁକ୍ତି ଲଭିବାକୁ । ଭଜଇ ହିରଣ୍ୟଗର୍ଭକୁ ॥ ୩୪
ସେ ମୋକ୍ଷ ଗୁଣ ଶୁଣ ମାୟେ । କହିବା ତୁମ୍ଭଙ୍କୁ ଥୋକାୟେ ॥ ୩୫
ବେନିପରାର୍ଦ୍ଧ କାଳ ଅନ୍ତେ । ବ୍ରହ୍ମପ୍ରଳୟ ଏ ଜଗତେ ॥ ୩୬
ତାବତ କାଳ ବ୍ରହ୍ମଲୋକେ । ହିରଣ୍ୟଗର୍ଭର ସାଧକେ ॥ ୩୭
ସୁଖେଣ ବିହାର କରନ୍ତି । ବ୍ରହ୍ମାର ସଙ୍ଗେ ଲୟ ଯାନ୍ତି ॥ ୩୮
ଭୂଆଦି ପଞ୍ଚ ମହାଭୂତ । ଏ ଦଶ ଇନ୍ଦ୍ରିୟ ସହିତ ॥ ୩୯
ପଞ୍ଚ ବିଷୟ ଅହଙ୍କାରେ । ଏ ସର୍ବ ବ୍ରହ୍ମାଣ୍ତ ଆକାରେ ॥ ୪୦
ଏମାନ୍ତେ ରହନ୍ତି ପ୍ରଧାନେ । ପରାର୍ଦ୍ଧକାଳ ଅବସାନେ ॥ ୪୧
ସେସ୍ଥାନେ ଯେତେ ଯୋଗୀଥାନ୍ତି । ବ୍ରହ୍ମାଙ୍କ ଶରୀରେ ପଶନ୍ତି ॥ ୪୨
ଆୟୁଷଶେଷେ ପ୍ରଜାପତି । ପରମଆତ୍ମାରେ ମିଳନ୍ତି ॥ ୪୩
ଯେଣୁ ତାହାଙ୍କ ଅଭିମାନ । ଦେହରେ ନୋହେ ଅବସାନ ॥ ୪୪
ଏଣୁ ସାକ୍ଷାତେ ମୁକ୍ତି ନୋହେ । ବ୍ରହ୍ମାସଙ୍ଗତେ ହୋନ୍ତି ଲୟେ ॥ ୪୫
ଯେମାନେ ହରିର ଭକତ । ହରି ଭଜନ୍ତି ଅବିରତ ॥ ୪୬
ସେ ସର୍ବ ହରିଙ୍କୁ ଲଭନ୍ତି । ଦେହାଦିଭାବ ନ ଜାଣନ୍ତି ॥ ୪୭
ସମ ଦେଖନ୍ତି ସର୍ବଜୀବ । ମିତ୍ର ଅମିତ୍ର ଏକ ଭାବ ॥ ୪୮
ଏଣୁ ଭୋ ମାତ ହରି ଭଜ । ଭୋଗ-ବାସନା ସର୍ବ ତେଜ ॥ ୪୯
ଏ ସର୍ବଭୂତଙ୍କ ହୃଦରେ । ହରି ଅଛନ୍ତି ସର୍ବଠାରେ ॥ ୫୦
ତାହାଙ୍କ ମହିମା ସୁମରି । ମନକୁ ଯୋଗେ ଦୃଢ଼ କରି ॥ ୫୧
ତାହାଙ୍କୁ ଭଜିଲେ ତରିବ । ଏ ଦେହ ପୁଣି ନହୋଇବ ॥ ୫୨
ଯେ ଆଦ୍ୟ ଚରାଚରଙ୍କର । ଯାହାଙ୍କୁ ବୋଲି ସୁରେଶ୍ୱର ॥ ୫୩
କୁମାରଆଦି ସିଦ୍ଧ ଯେତେ । ଯୋଗ କରନ୍ତି ଅବିରତେ ॥ ୫୪
ନିଃସଙ୍ଗ କର୍ମ ହିଁ କରନ୍ତି । ତଥାପି ଭେଦ ନଛାଡ଼ନ୍ତି ॥ ୫୫
ଯେଣୁ କରନ୍ତି ଅଭିମାନ । ଏଣୁ ନ ପାନ୍ତି ଶୁଦ୍ଧଜ୍ଞାନ ॥ ୫୬
ସେମାନେ ପ୍ରଳୟ କାଳରେ । ପଶନ୍ତି ଈଶ୍ୱର ଦେହରେ ॥ ୫୭
ହୋଇଲେ ସୃଷ୍ଟିର ଜାଗର । ପୁଣି ଘେନନ୍ତି ଅବତାର ॥ ୫୮
ଲଭନ୍ତି ନିଜ ନିଜ ସ୍ଥାନ । ଭୋଗ କରନ୍ତି କର୍ମମାନ ॥ ୫୯
ଯେମାନେ କାମ୍ୟକର୍ମେ ରତ । କର୍ମ କରନ୍ତି ଅବିରତ ॥ ୬୦
ନିନ୍ଦିତ କର୍ମ ନ କରନ୍ତି । ବେଦବିଧିରେ ଆଚରନ୍ତି ॥ ୬୧
ଇନ୍ଦ୍ରିୟ ନ ଜିଣିଲେ ଯେଣୁ । ସକାମ କର୍ମ କଲେ ତେଣୁ ॥ ୬୨
ରଜଗୁଣରେ ତାଙ୍କ ମନ । ଆସକ୍ତ ଥାଇ ଅନୁକ୍ଷଣ ॥ ୬୩
ଗୃହକର୍ମରେ ହୋଇ ରତ । ପିତୃଙ୍କୁ ପୂଜେ ଅବିରତ ॥ ୬୪
ବିମୁଖ ଶ୍ରୀକୃଷ୍ଣ କଥାରେ । ରହନ୍ତି ଗୃହାଦି ବ୍ୟାପାରେ ॥ ୬୫
ଛାଡ଼ି ଅମୃତ କୃଷ୍ଣ କଥା । ନିତ୍ୟେ ଗୁଣନ୍ତି ଗ୍ରାମ୍ୟଗାଥା ॥ ୬୬
ତାଙ୍କୁ ବିଧାତା ବାମ ହେଲା । ବିଅର୍ଥେ ତାଙ୍କ ଜନ୍ମଗଲା ॥ ୬୭
ସକଳ ଅନର୍ଥ ଯେତେକ । ଏକତ୍ୱେ କଲା ଅବିବେକ ॥ ୬୮
ଯେସନେ ବିଷ୍ଠା ଭୋଜୀମାନେ । ବିଷ୍ଠା ଭକ୍ଷନ୍ତି ହତ ଜ୍ଞାନେ ॥ ୬୯
ଏ ମୂଢ଼ଲୋକେ ସେହି ରୂପେ । ପଡ଼ି ଯନ୍ତ୍ରିତ ଭବକୂପେ ॥ ୭୦
ସେ ପୁଣ କର୍ମଭୋଗ ଅନ୍ତେ । ଚଳନ୍ତି ଶୁଣ ଯେଉଁ ପଥେ ॥ ୭୧
ସୂର୍ଯ୍ୟଙ୍କ ଦକ୍ଷିଣ ମାର୍ଗରେ । ବସନ୍ତି ସେ ପିତୃଲୋକରେ ॥ ୭୨
ସେ ଭୋଗଅନ୍ତେ ଗୋ ଜନନୀ । ସଂସାରେ ପଡ଼େ ଦେହ ଘେନି ॥ ୭୩
ପୁତ୍ରାଦି ଗୃହେ ଜାତ ହୋଇ । ପୂର୍ବବାସନା ନଛାଡ଼ଇ ॥ ୭୪
ଗର୍ଭ-ଆଧାନ ଆଦି କର୍ମ । ଦେହାନ୍ତେ ଶମଶାନଧର୍ମ ॥ ୭୫
ଏ କର୍ମମାନ କରୁଥାନ୍ତି । ସଂସାର ଛାଡ଼ି ନପାରନ୍ତି ॥ ୭୬
ଗମନ୍ତି ଦେବ-ପିତୃସ୍ଥାନ । ତହିଁ କରନ୍ତି ଭୋଗମାନ ॥ ୭୭
ପୁଣି ଲଭନ୍ତି ନରଦେହ । ଏମନ୍ତେ କାମ୍ୟକର୍ମସ୍ନେହ ॥ ୭୮
ଏଣୁ ସୁସ୍ଥିରେ ତୁମ୍ଭେ ମାଏ । ମନ ନିବେଶ କୃଷ୍ଣପାୟେ ॥ ୭୯
ଶ୍ରବଣେ ଶୁଣ ତାଙ୍କ ଗୁଣ । କୀର୍ତ୍ତନ କର ଅନୁକ୍ଷଣ ॥ ୮୦
ସ୍ମରଣ ଅର୍ଚ୍ଚନ ବନ୍ଦନ । ଯେ ନବଭକ୍ତିର ବିଧାନ ॥ ୮୧
ପାଦ ସେବନ ଦାସ୍ୟଭାବ । ସଖ୍ୟାଦି ଆତ୍ମା ନିବେଦିବ ॥ ୮୨
ଏତେ ପ୍ରକାରେ କୃଷ୍ଣପାଦେ । ଭକତି କର ଅପ୍ରମାଦେ ॥ ୮୩
କୃଷ୍ଣରେ କଲେ ଭକ୍ତିଯୋଗ । ତହୁଁ ଲଭଇ ବଇରାଗ୍ୟ ॥ ୮୪
ତେବେ ଲଭିବ ଦିବ୍ୟଜ୍ଞାନ । ପାଇବ ପରଂବ୍ରହ୍ମସ୍ଥାନ ॥ ୮୫
ଭକ୍ତିରେ ଚିତ୍ତ ଯେତେବେଳେ । ରହଇ କୃଷ୍ଣ ସୁନିଶ୍ଚଳେ ॥ ୮୬
ତେବେ ସେ ବିଷୟ ଛାଡ଼ଇ । ପ୍ରିୟ ଅପ୍ରିୟ ନ ଜାଣଇ ॥ ୮୭
ଇନ୍ଦ୍ରିୟ ବୃତ୍ତିଭେଦ ନାହିଁ । ସମ ବିଷମ ଆର କାହିଁ ॥ ୮୮
ଏମନ୍ତ ଭାବ ଜନ୍ମେ ଯେବେ । ଦେହେ ଆତ୍ମାକୁ ଦେଖେ ତେବେ ॥ ୮୯
ପରମାନନ୍ଦ ସୁଖ ପାଇ । ଆନନ୍ଦେ ସଂସାର ଭ୍ରମଇ ॥ ୯୦
ଛାଡ଼ଇ ସର୍ବ ସଙ୍ଗମାନ । ପରମାନନ୍ଦେ ରହେ ମନ ॥ ୯୧
ସେ ବ୍ରହ୍ମ ପରମପୁମାନ । ରୂପ ବିହୀନ ଦିବ୍ୟଜ୍ଞାନ ॥ ୯୨
ସେ ପରମାତ୍ମା ପରମେଶ । ତା ନାମ ପରମ-ପୁରୁଷ ॥ ୯୩
ସେ ଏକ ନାନା ରୂପ ଧରେ । ଭ୍ରମ ଜନ୍ମାଇଛି ସଂସାରେ ॥ ୯୪
ଯୋଗୀଙ୍କ ଯୋଗସାଧ୍ୟ ଏହି । ଏକାନ୍ତେ ସଙ୍ଗ ଯେ ଛାଡ଼ଇ ॥ ୯୫
ପରମପଦ ଲଭେ ତେବେ । ତାବିନୁ ଭ୍ରମୁଥାଇ ଭବେ ॥ ୯୬
ବ୍ରହ୍ମ ନିର୍ଗୁଣ ନିରାକାର । କେବଳ ଜ୍ଞାନରୂପ ତାର ॥ ୯୭
ଶବ୍ଦାଦି ଧର୍ମ ଯାର ମାଏ । ସେ ଧର୍ମେ ପ୍ରକାଶ ସେ ହୋଏ ॥ ୯୮
ଆଭାସ ଦିଶଇ ଭ୍ରାନ୍ତିରେ । ଏ ବାହ୍ୟ ଇନ୍ଦ୍ରିୟଙ୍କ ଦ୍ୱାରେ ॥ ୯୯
ପ୍ରତ୍ୟକ୍ଷେ ଦେଖୁ ଯେତେ କିଛି । ଏକା ସେ ସବୁ ହୋଇଅଛି ॥ ୧୦୦
କହିବା ସେ ହେତୁ ପ୍ରକାର । ଯେ ରୂପେ ବ୍ରହ୍ମାଣ୍ତ ସଞ୍ଚାର ॥ ୧୦୧
ପ୍ରଥମେ ମହତ ହୋଇଲା । ତହୁଁ ସେ ଅହଙ୍କାର ହେଲା ॥ ୧୦୨
ତ୍ରିବିଧ ହୋଏ ଅହଙ୍କାର । ଏ ପଞ୍ଚଭୂତ ରୂପ ତାର ॥ ୧୦୩
ମନ ଇନ୍ଦ୍ରିୟ ଏକାଦଶ । ଏଥୁଁ ବ୍ରହ୍ମାଣ୍ତ ପରକାଶ ॥ ୧୦୪
ଜୀବରୂପରେ ସେହି ତହିଁ । ସ୍ୱରୂପ ତାହାରଟି ଏହି ॥ ୧୦୫
ଯେବେ କରଇ ଯୋଗାଭ୍ୟାସ । ଶ୍ରଦ୍ଧାରେ ଭଜଇ ବିଶେଷ ॥ ୧୦୬
ବୈରାଗ୍ୟେ ସଙ୍ଗ ତ୍ୟାଗ କରେ । ମନ ନିବେଶି କୃଷ୍ଣଠାରେ ॥ ୧୦୭
ତେବେ ସେ ପ୍ରପଞ୍ଚ ଲେଛଇ । ପରମଆତ୍ମାଙ୍କୁ ଚିହ୍ନଇ ॥ ୧୦୮
ଭୋ ମାତ ସାବଧାନେ ଘେନ । ତୁମ୍ଭଙ୍କୁ କହିଦେଲୁ ଜ୍ଞାନ ॥ ୧୦୯
ଏ ଜ୍ଞାନେ ବ୍ରହ୍ମ ଦରଶନ । ଏହା ବୁଝଇ ଯେଉଁଜନ ॥ ୧୧୦
ପ୍ରକୃତି ପୁରୁଷଙ୍କ ତତ୍ତ୍ବ । ସେ ପ୍ରାଣୀ ଦେଖଇ ବ୍ୟଜତ ॥ ୧୧୧
ଜ୍ଞାନଯୋଗରେ ତାଙ୍କୁ ପାଇ । ଭକ୍ତିଯୋଗରେ ଲଭ୍ୟ ସେହି ॥ ୧୧୨
କେବଳ ମାର୍ଗ ମାତ୍ର ଭେଦ । ନବୁଝି ପାଏ ବହୁ ଖେଦ ॥ ୧୧୩
ଜ୍ଞାନରେ ନିର୍ଗୁଣ ଭଜଇ । ଭକ୍ତିରେ ସଗୁଣ ଲଭଇ ॥ ୧୧୪
ସେ ଆତ୍ମା ଏକ ନାନା ହୋଏ । ଦୃଷ୍ଟାନ୍ତ କହେ ଶୁଣ ମାଏ ॥ ୧୧୫
ଦେଖ ଶାକର କ୍ଷୀର ଆଦି । ଧରନ୍ତି ନାନା ଗୁଣ ବିଧି ॥ ୧୧୬
କିନ୍ତୁ ପଦାର୍ଥ ଏକ ମାଏ । ଇନ୍ଦ୍ରିୟଭେଦେ ଭିନ୍ନ ହୋଏ ॥ ୧୧୭
ଚକ୍ଷୁରେ ଶୁକ୍ଳବର୍ଣ୍ଣ ଦିଶେ । ରସନେ ମଧୁର ବିଶେଷେ ॥ ୧୧୮
ତ୍ୱଚରେ ଶୀତ ଉଷ୍ଣ ଭେଦ । ନାସାରେ ସୁବାସ ଆମୋଦ ॥ ୧୧୯
ଭୋ ମାତ ଆତ୍ମା ବ୍ରହ୍ମ ଏକ । ଗୁଣରେ ଦିଶଇ ଅନେକ ॥ ୧୨୦
ଯେ ତାକୁ ଯେ ରୂପେ ଭଜଇ । ସେ ତାକୁ ସେ ରୂପେ ଦିଶଇ ॥ ୧୨୧
ତାକୁ ଜାଣିବ ଏକ ବୋଲି । ନବୁଝି କରୁଥାନ୍ତି କଳି ॥ ୧୨୨
ଶାସ୍ତ୍ରମାର୍ଗରେ ନାନା କହେ । ସେ ପୁଣି ଏକ ନାନା ନୋହେ ॥ ୧୨୩
ଶୁଣ ଜନନୀ ଶାସ୍ତ୍ରଭେଦ । ଯେଣେ ଛାଡ଼ିବ ସର୍ବଖେଦ ॥ ୧୨୪
ଯେ କ୍ରିୟାପୂର୍ତ୍ତି ଆଦି କରି । ଯେ ଯାହା କରନ୍ତି ଆଦରି ॥ ୧୨୫
ତହୁଁ ଯେ ହୋଏ ଭୋଗମାନ । ସେ ସବୁ ରୂପ ଭଗବାନ ॥ ୧୨୬
ଯାଗକର୍ମରେ ପ୍ରାପ୍ୟ ସେହି । ଦାନରେ ଅନ୍ୟ ନାହିଁ କେହି ॥ ୧୨୭
କେହୁ କରନ୍ତି ତପମାନ । ସେ ସବୁ ତହୁଁ ନୋହେ ଆନ ॥ ୧୨୮
ସେହିଟି ବେଦ-ଅଧ୍ୟୟନେ । ମୀମାଂସାଶାସ୍ତ୍ର ତାହା ଭଣେ ॥ ୧୨୯
ନିଷିଦ୍ଧ କର୍ମ ତ୍ୟାଗ ଯେହି । ସେ ଧର୍ମ ଜାଣିଥିବ ସେହି ॥ ୧୩୦
ସନ୍ନ୍ୟାସ କାହାର ବା ଧର୍ମ । ଯହିଁ ଛାଡ଼ନ୍ତି କାମ୍ୟକର୍ମ ॥ ୧୩୧
ବିବିଧ ଅଙ୍ଗ ଯୋଗ ସେହି । ଭକ୍ତିଯୋଗରେ ପ୍ରାପ୍ୟ ଏହି ॥ ୧୩୨
ଜ୍ଞାନଯୋଗ ହିଁ ତାକୁ କହି । ସେ ଏକବସ୍ତୁ ସର୍ବମୟୀ ॥ ୧୩୩
ସକାମ ନିଷ୍କାମ ଯେ ଧର୍ମ । ସଗୁଣରୂପ ସବୁ ବ୍ରହ୍ମ ॥ ୧୩୪
ଆତ୍ମତତ୍ତ୍ବରେ ଗମ୍ୟ ଏହି । ବୈରାଗ୍ୟ ଧର୍ମେ ତାକୁ ପାଇ ॥ ୧୩୫
ଏମନ୍ତେ ନାନା ଶାସ୍ତ୍ରମତେ । ଯେ ପ୍ରାଣୀ ଭଜଇ ଯେମନ୍ତେ ॥ ୧୩୬
ସଗୁଣ ନିର୍ଗୁଣଟି ସେହି । ତା ବିନୁ ଅନ୍ୟ ନାହିଁ କେହି ॥ ୧୩୭
ଏ ଭକ୍ତିଯୋଗ ଚାରିମତ । ସ୍ୱରୂପ କରିଲୁଁ ବ୍ୟକତ ॥ ୧୩୮
ଯେ କାଳ ଅନ୍ତରେ ଧାବଇ । ସୃଜନ ଆଦି ଯେ କରଇ ॥ ୧୩୯
କହିଲୁଁ ସ୍ୱରୂପ ତାହାର । ଭୋ ମାତ କରତୁ ବିଚାର ॥ ୧୪୦
ଗତି ଏ ଜୀବମାନଙ୍କର । ଅବିଦ୍ୟାକର୍ମରେ ପ୍ରଚୁର ॥ ୧୪୧
ଏ ଆତ୍ମା ତହିଁ ପଶିଥାଇ । ଆପଣା ଗତି ନ ବୁଝଇ ॥ ୧୪୨
ଏମନ୍ତେ ଜୀବ ଗତାଗତି । କହିଲୁ ଛାଡ଼ ମନୁ ଭ୍ରାନ୍ତି ॥ ୧୪୩
ଏ ଯୋଗ ନ କରି ପ୍ରକାଶ । କହିଲେ ଧର୍ମ ହୋଏ ନାଶ ॥ ୧୪୪
କେବେହେଁ ଖଳେ ନ କହିବ । ବିନୟ ଯେ ପ୍ରାଣୀ ନୋହିବ ॥ ୧୪୫
ନ କହି ଦୁର୍ଜନ ଅଗ୍ରତେ । ଅପରେ ଧର୍ମଧ୍ୱଜୀ ଯେତେ ॥ ୧୪୬
ଦାମ୍ଭିକ ଅଗ୍ରତେ ନ କହି । ପ୍ରଲୋଭୀ ପ୍ରାଣୀ ଅଟେ ଯେହି ॥ ୧୪୭
ଯେ ଗୃହଧର୍ମେ ହୋଇ ରତ । ତାରେ ନ କହି କଦାଚିତ ॥ ୧୪୮
ନ ସହେ ଯେ ଭକତଜନେ । ନ କହ ଭକ୍ତିହୀନ ଜନେ ॥ ୧୪୯
ଏମନ୍ତ ଲୋକେ ନ କହିବ । ଗର୍ବିତ ଭାବ ଯାର ଥିବ ॥ ୧୫୦
ମୋ ଭକ୍ତିହୀନେ ନ କହିବ । ମୋ ଭକ୍ତେ ଦ୍ୱେଷ ଯାର ଥିବ ॥ ୧୫୧
ଯାହାର ଶ୍ରଦ୍ଧା ଏଥି ଥିବ । ତାହାକୁ ଏ ମାର୍ଗ କହିବ ॥ ୧୫୨
ଭକତଜନେ ଏହା କହି । ଯେ ଭକ୍ତଜନରେ ସେବଇ ॥ ୧୫୩
ଯେ ପ୍ରାଣୀ ଏଥେ ସ୍ପୃହା କରେ । ଏ ଧର୍ମ କହିବ ତାହାରେ ॥ ୧୫୪
ଯେ ପ୍ରାଣୀ ସର୍ବଭୂତେ ମିତ୍ର । ତାହାକୁ କହି ଏ ଚରିତ ॥ ୧୫୫
ଯେ ପ୍ରାଣୀ ଗୁରୁଙ୍କୁ ସେବଇ । ଏ ଦୀକ୍ଷା ତାରେ ଶିକ୍ଷା ଦେଇ ॥ ୧୫୬
ବିଷୟେ ବୈରାଗ୍ୟ ଯାହାର । ଯେ ପ୍ରାଣୀ ଶାନ୍ତଚିତ୍ତ ଧୀର ॥ ୧୫୭
ଯେ ପ୍ରାଣୀ ହୋଏ ନିର୍ମତ୍ସର । ବିନୀତ ଶୁଚି ନିରନ୍ତର ॥ ୧୫୮
ପ୍ରିୟମାନଙ୍କ ଅତିପ୍ରିୟ । କରଇ ମୋର ଠାରେ ସ୍ନେହ ॥ ୧୫୯
ଏମନ୍ତ ପ୍ରାଣୀଙ୍କି କହିବ । ଅଧର୍ମଠାରେ ଲୁଚାଇବ ॥ ୧୬୦
ଶ୍ରଦ୍ଧାରେ ଯେ ଏହା ଶୁଣନ୍ତି । ଅଥବା ଆଦରେ ଭଣନ୍ତି ॥ ୧୬୧
ମୋହର ପଦବୀ ସେ ପାଏ । ସତ୍ୟ କହିଲୁ ଏହା ମାଏ ॥ ୧୬୨
ତୃତୀୟସ୍କନ୍ଧେ ଭାଗବତ । କପିଳମୁନି ଯୋଗ ଖ୍ୟାତ ॥ ୧୬୩
ମାତାଙ୍କୁ ଦେଲେ ଜ୍ଞାନବାଣୀ । ସୁଜନେ ତର ଏହା ଶୁଣି ॥ ୧୬୪
କର୍ମବିପାକ ପ୍ରାଣୀଙ୍କର । ଦ୍ୱାତ୍ରିଂଶ ଅଧ୍ୟାୟ ସଞ୍ଚାର ॥ ୧୬୫
ଶ୍ରବଣ କର ସାଧୁଜନେ । ବ୍ରାହ୍ମଣ ଜଗନ୍ନାଥ ଭଣେ ॥ ୧୬୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟେ ଦ୍ୱାତ୍ରିଂଶୋଽଧ୍ୟାୟଃ ॥
* * *