ତୃତୀୟ ସ୍କନ୍ଧ
ଏକତ୍ରିଂଶ ଅଧ୍ୟାୟ
କପିଳ ଉବାଚ
ଶୁଣ ଜନନୀ ତଦନ୍ତରେ । ପୁଣ୍ୟ ପାତକ ସୁବିଚାରେ ॥ ୧
ଏ ପୁଣ୍ୟ ପାପ ଅନୁସାରେ । ମନୁଷ୍ୟ ଦେହ ପ୍ରାଣୀ ଧରେ ॥ ୨
ମନୁଷ୍ୟ ଦେହ ଯେଣୁ ସ୍ଥିତି । ତେଣୁ ସେ ରାଜସିକ ମତି ॥ ୩
ଏହା କହିବା ତୋ ଆଗରେ । ସୁଜନେ ଶୁଣ ହେତୁଦ୍ୱାରେ ॥ ୪
ବୋଲନ୍ତି ପ୍ରଭୁ ଭଗବାନ । ଭୋ ମାତ ସାବଧାନେ ଶୁଣ ॥ ୫
ଏ ଜୀବ ଯେ କର୍ମ ଇଚ୍ଛଇ । ଈଶ୍ୱର ତହିଁ ନିଯୋଜଇ ॥ ୬
ଏ ଜୀବ ସ୍ୱକର୍ମ ବଶରେ । ପୁରୁଷ ରେତ ଆଶା କରେ ॥ ୭
ପୁଣି ଏ ଦେହ ଧରିବାକୁ । ପ୍ରବେଶ ଜନନୀ ଗର୍ଭକୁ ॥ ୮
ପୁରୁଷ ଦେହର ସ୍ୱରୂପେ । ପଶଇ ଆତ୍ମାର ସଙ୍କଳ୍ପେ ॥ ୯
ଯେ ଜନ୍ମେ ଯେ ଗର୍ଭ ସଂଯୋଗ । ପଶଇ ରଜ-ବୀର୍ଯ୍ୟ ଯୋଗ ॥ ୧୦
ସେ ରେତ ପ୍ରଥମ ଦିନରେ । ମିଶଇ ଶୋଣିତ ସଙ୍ଗରେ ॥ ୧୧
ତାହାକୁ ବୋଲିଟି କଲ୍ଲୋଳ । ପଞ୍ଚମ ଦିନେ ସେ ବର୍ତ୍ତୁଳ ॥ ୧୨
ସେ ପୁଣି ବଦରୀ ସମାନେ । କଠିନ ହୁଏ ଦଶଦିନେ ॥ ୧୩
ତା ପରେ ହୋଇ ମାଂସ ପିଣ୍ତ । ତଦନ୍ତେ ପ୍ରକାଶଇ ଅଣ୍ତ ॥ ୧୪
ମସ୍ତକ ପ୍ରଥମ ମାସରେ । ପ୍ରକାଶ ହୁଅଇ କନ୍ଧରେ ॥ ୧୫
ସମ୍ପୂର୍ଣ୍ଣ ବେନିମା ଯାଏ । କର ଚରଣ ଆଦି ହୋଏ ॥ ୧୬
ଅଙ୍ଗୁଳି ନଖ ତନୁ ରୋମ । ଅସ୍ଥି ହୃଦୟ ନାଡ଼ିମାନ ॥ ୧୭
ଲିଙ୍ଗ ଇନ୍ଦି୍ରୟ ଛିଦ୍ର ଆଦି । ତୃତୀୟମାସେ ଏ ପ୍ରସିଦ୍ଧି ॥ ୧୮
ଚତୁର୍ଥମାସେ ଧାତୁ ହୋଏ । ପଞ୍ଚମେ କ୍ଷୁଧା ତୃଷା ବହେ ॥ ୧୯
ତଦନ୍ତେ ଷଷ୍ଠ ପରିମିତ । କ୍ଷୁଧା ତୃଷାରେ ସେ ପୀଡ଼ିତ ॥ ୨୦
ଗର୍ଭ ବେଷ୍ଟନେ ବଦ୍ଧ ହୋଇ । ଦକ୍ଷିଣ କୁକ୍ଷିରେ ଭ୍ରମଇ ॥ ୨୧
ଜନନୀ ଯେ ଦ୍ରବ୍ୟ ଭକ୍ଷଇ । ସେ ରସେ ତା ଧାତୁ ବଢ଼ଇ ॥ ୨୨
ମୂତ୍ର ପୁରୀଷ ରକ୍ତ ଲାଳେ । କୃମି ପୀଡ଼ିତ ସମାକୁଳେ ॥ ୨୩
ତହିଁ ଯନ୍ତ୍ରିତେ ଶୋଇ ଥାଇ । କୃମି ସଂକୁଳ ମଧ୍ୟେ ରହି ॥ ୨୪
ଅତି କୋମଳ କଳେବର । କୃମି ଭକ୍ଷଣେ ନୋହେ ସ୍ଥିର ॥ ୨୫
ଅଙ୍ଗ କାଟନ୍ତେ କୃମିମାନେ । ପ୍ରଜ୍ୱଳେ ଦେହ ପ୍ରତିକ୍ଷଣେ ॥ ୨୬
ବହୁତ କ୍ଳେଶ ତହିଁ ପାଇ । କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଇ ॥ ୨୭
ଉଷ୍ଣ ଲବଣ କଟୁ ତୀକ୍ଷ୍ଣ । କ୍ଷାର ଆମ୍ବିଳ ଯା ଭକ୍ଷଣ ॥ ୨୮
ଜନନୀ ଆହାର କରଇ । ସେ ରସେ ସର୍ବାଙ୍ଗ ପୀଡ଼ଇ ॥ ୨୯
କରଇ ବେଦନାକୁ ଜାତ । ତେଣେ ତା ସର୍ବାଙ୍ଗ ପୀଡ଼ିତ ॥ ୩୦
ନିବାସ ଜରାୟୁ ଭିତରେ । ନାଡ଼ିରେ ବେଷ୍ଟିତ ନିର୍ଭରେ ॥ ୩୧
କୁଟିଳ ଭାବେ ଶିରୋଧର । ପୃଷ୍ଠ କୁଟିଳ କଳେବର ॥ ୩୨
ମାତୃକୁକ୍ଷିରେ ଦେଇ ଶିର । ପଡ଼ି ଯେ ଥାଇ ନୋହେ ସ୍ଥିର ॥ ୩୩
ଶରୀର ଚାଲି ନପାରଇ । ପିଞ୍ଜର-ପକ୍ଷୀ ପ୍ରାୟ ହୋଇ ॥ ୩୪
ସେ ଗର୍ଭେ ପୂର୍ବକର୍ମ ବଶେ । ବହୁତ ଜନ୍ମ ତାକୁ ଦିଶେ ॥ ୩୫
ଶତେଜନ୍ମର କର୍ମ ଯେତେ । ସୁମରୁ ଥାଏ ଗର୍ଭଗତେ ॥ ୩୬
ସେ ପାପ ପୁଣ୍ୟ ମନେ ଧ୍ୟାଇ । ବହୁତ ନିଃଶ୍ୱାସ ଛାଡ଼ଇ ॥ ୩୭
ତା ଫେଡ଼ି ନ ପାରଇ କେହି । କର୍ମଆୟତ୍ତେ ବଶ ହୋଇ ॥ ୩୮
ସୁମରି ପୂର୍ବଜନ୍ମ ଦୁଃଖ । ସୁଖ ନ ଲଭି ସେ ବିମୁଖ ॥ ୩୯
ସପ୍ତମମାସ ଆଦି କରି । ତା ଦେହେ ଜ୍ଞାନ ଥାଇ ପୁରି ॥ ୪୦
ପ୍ରସୂତିବାତ ବଳୀୟାର । ତେଣେ କମ୍ପଇ ତା ଶରୀର ॥ ୪୧
ଦେହକୁ ଅସ୍ଥିର କରଇ । କୃମି ଯେସନେ ଭ୍ରମୁଥାଇ ॥ ୪୨
ସେ ରୂପେ ଗର୍ଭେ ତା ଭ୍ରମଣ । ଦୁଃସହ ସେ ଦୁଃଖ କଷଣ ॥ ୪୩
ତଦନ୍ତେ ଶୁଣ ଗୋ ଜନନୀ । ଭାଳଇ ଦିବସ ରଜନୀ ॥ ୪୪
ଅତି ବିମୁଖେ କଷ୍ଟ ସହି । ସେ ଗର୍ଭେ ଆତ୍ମାକୁ ଦେଖଇ ॥ ୪୫
ତା ରୂପ ଅତି ମନୋହର । ଧ୍ୟାନେ ଜାଣଇ ତା ଶରୀର ॥ ୪୬
ନିରତେ ଭାଳେ ଏକଚିତ୍ତେ । ଭକ୍ତିରେ ମନ ପ୍ରମୋଦିତେ ॥ ୪୭
ସପ୍ତଧାତୁରେ ବଦ୍ଧ ହୋଇ । ଅଞ୍ଜଳି କରିଣ ପ୍ରାର୍ଥଇ ॥ ୪୮
ଭୟେ ବିଚାରଇ ମନର । କେମନ୍ତେ ଏଥୁଁ ହେବି ପାର ॥ ୪୯
ଏଥୁଁ ନିସ୍ତାର ମୋ କେମନ୍ତେ । ଆତଙ୍କେ ଚିନ୍ତଇ ନିରତେ ॥ ୫୦
ଯେମନ୍ତେ ଆଉ ପୁନର୍ବାର । ଏ ଗର୍ଭ ଦୁଃଖ ନୋହୁ ମୋର ॥ ୫୧
ଶ୍ରୀକୃଷ୍ଣପାଦେ କରି ଧ୍ୟାନ । ଅତି ଆନନ୍ଦ ସୁଖେ ମଗ୍ନ ॥ ୫୨
ଏଥୁଁ ନିର୍ଗତ ମୋ କେମନ୍ତେ । ତାହାକୁ ଭାବେ ଅବିରତେ ॥ ୫୩
ସେ ଦୁଃଖ ନ ଘେନଇ ଚିତ୍ତେ । ଅନାଥ ମୁଁ ଯେ ଗର୍ଭଗତେ ॥ ୫୪
ବେଦନା ପାଉଅଛି ଯେତେ । ଏଥୁ ଉଦ୍ଧର ନାଥ ମୋତେ ॥ ୫୫
ଏ ଦୁଃଖ ଯେମନ୍ତେ ନୋହିବ । ଏମନ୍ତ କୃପା ମୋତେ ହେବ ॥ ୫୬
ଏ ରୂପେ ବ୍ୟାକୁଳେ କଷଣେ । ସ୍ତୁତି କରଇ ଅନୁକ୍ଷଣେ ॥ ୫୭
ଜୀବ ଉବାଚ
ତୁ ନାଥ ପୂର୍ଣ୍ଣଜ୍ଞାନମୟେ । ଆତ୍ମା ସ୍ୱରୂପେ ବସୁ ଦେହେ ॥ ୫୮
ସକଳ ହୃଦୟେ ପ୍ରକାଶ । ଗଗନେ ଯେହ୍ନେ ରବି ତ୍ରାସ ॥ ୫୯
ଏବେ ପ୍ରଣମୁଁ ତୋର ପାୟେ । ଭୋ ନାଥ କର ମୋତେ ଦୟେ ॥ ୬୦
ଏ ଗର୍ଭବାସ ଦୁଃଖ ମୋତେ । ଯେମନ୍ତେ ନଲାଗେ ଜଗତେ ॥ ୬୧
ନିର୍ଲେପ ନିରଞ୍ଜନ ତୁହି । ତୋ ରୂପ ନଜାଣନ୍ତି କେହି ॥ ୬୨
ତୋ ପାଦ ନଭଜିଲି ମୁହିଁ । ଅଶେଷ ଗର୍ଭେ ଦେହ ବହି ॥ ୬୩
ତେଣୁ ସକଳ ଗର୍ଭବାସ । ଜନ୍ମିଣ ପୁଣି ଯାଇ ନାଶ ॥ ୬୪
ତୁ ଏବେ ମୋତେ ଦୟାକର । ଏ ଗର୍ଭସଙ୍କଟୁ ଉଦ୍ଧର ॥ ୬୫
ଏ ମହାଗର୍ଭର କଷଣ । ଏଥୁ ଉଦ୍ଧର ନାରାୟଣ ॥ ୬୬
ଏ ଗର୍ଭୁ ହୋଇଲେ ନିସ୍ତାର । ତୋର ଚରଣେ ଚକ୍ରଧର ॥ ୬୭
ମୁଁ ପାପୀ ଭଜିବି ନିରତେ । ଏ ଦୁଃଖ ନ ଲଭି ଯେମନ୍ତେ ॥ ୬୮
ଭୋନାଥ ତୋହର ଚରଣ । ପଶିଲି ଆଜି ମୁଁ ଶରଣ ॥ ୬୯
ଜଗତ ରକ୍ଷାର ନିମିତ୍ତ । ଇଚ୍ଛାଏ ନାନା ତନୁଭୂତ ॥ ୭୦
ମୁହିଁ ତ ଅଟଇ ଅସତ । ଏ ଗର୍ଭକଷ୍ଟ ମୋ ଉଚିତ ॥ ୭୧
ତୋ ରୂପ ଦେଖାଇଲୁ ଦେବ । ଅପୂର୍ବ ଦୟାଳୁ ସ୍ୱଭାବ ॥ ୭୨
ଗର୍ଭକୁ ଆଣିଲା ଯେ ମୋତେ । ତା ପାଦେ ସ୍ତୁତି ମୋ ନିରତେ ॥ ୭୩
ତା ପାଦେ ପଶିଲି ଶରଣ । ସେ ମୋତେ କରୁ ପରିତ୍ରାଣ ॥ ୭୪
ସେବଇ ତାର ପାଦଗତେ । ଅଶେଷ କର୍ତ୍ତା ଯେ ଜଗତେ ॥ ୭୫
ଯେ ପ୍ରଭୃ ସୃଷ୍ଟି ରକ୍ଷା ପାଇଁ । ଇଚ୍ଛାରେ ଶରୀର ଧରଇ ॥ ୭୬
ଯେ କଲା ଏତାଦୃଶ ଗତି । ମୁଁ ପାପୀ ଅତୀବ ଦୁର୍ମତି ॥ ୭୭
ସେ ପ୍ରଭୁ ଏକଷ୍ଟୁ ରଖିବେ । ତା ବିନୁ ଆଶ୍ରା ନାହିଁ ଜୀବେ ॥ ୭୮
ତାହାଙ୍କ ଅଭୟ ଚରଣେ । ଶରଣ ଗଲି ଏ କଷଣେ ॥ ୭୯
ସେ ପାଦେ ଯେ ପ୍ରାଣୀ ପ୍ରପନ୍ନ । ନ ଲାଗେ ଏ ଦୁଃଖ ବୃଜିନ ॥ ୮୦
ମୁଁ କଷ୍ଟେ ଜନନୀ ଗର୍ଭରେ । ଅଛଇ ମାୟା କଳେବରେ ॥ ୮୧
ଜୀବ ସ୍ୱରୂପେ ଅଛି ମୁହିଁ । ମୋ ନିଜକମେ ବନ୍ଦୀ ହୋଇ ॥ ୮୨
ଅଛଇ ବନ୍ଧନ ପରାୟେ । ଏ ଗର୍ଭପୀଡ଼ା ଅତି ଭୟେ ॥ ୮୩
ନମଇଁ ତାହାଙ୍କ ପୟରେ । ଯେ ଦେବ ଛନ୍ତି ମୋ ହୃଦରେ ॥ ୮୪
ବିଶୁଦ୍ଧ ବିକାର-ବିହୀନ । ଅଖଣ୍ତବୋଧ ଅନୁଦିନ ॥ ୮୫
ତ୍ରିବିଧ ସନ୍ତାପେ ତାପିତ । ହୃଦୟେ ହୁଅଇ ପ୍ରତୀତ ॥ ୮୬
ନମଇଁ ତାହାଙ୍କ ଚରଣେ । ସେ ନାଥ ରଖୁ ଏ କଷଣେ ॥ ୮୭
ଏ ପଞ୍ଚଭୂତେ ବିରଚିତ । ଏମନ୍ତ ଦେହେ ମୁହିଁ ସ୍ଥିତ ॥ ୮୮
ମିଥ୍ୟାରେ ଆଚ୍ଛନ୍ନ ହୋଇଛି । ବୁଝିଲେ ସତ୍ୟ ନୋହେ କିଛି ॥ ୮୯
ଇନ୍ଦ୍ରିୟ ଅର୍ଥେ ଗୁଣେ ଚିତ୍ତ । ଏଥେଁ ମୁଁ ବଦ୍ଧ ଅବିରତ ॥ ୯୦
ବନ୍ଦଇ ସେ ପ୍ରଭୁ ଚରଣ । ଏ କଷ୍ଟୁ କରିବେ ତାରଣ ॥ ୯୧
ଅକୁଣ୍ଠ ମହିମା ତାହାର । କେବେ ହେଁ ନଥାଇ ବିକାର ॥ ୯୨
ଯେଣୁ ସେ ଆଦି ନିରଞ୍ଜନ । ପ୍ରକୃତି ପୁରୁଷହୁଁ ଭିନ୍ନ ॥ ୯୩
ସେ ପ୍ରଭୁ ପରମ-ପୁମାନ । ଦିଅନ୍ତୁ ମୋତେ ଦିବ୍ୟଜ୍ଞାନ ॥ ୯୪
ଯା ମାୟା ଆବୋରି ରହିଛି । ଏଣୁ ମୁଁ ସବୁ ବିସ୍ମରୁଛି ॥ ୯୫
ତେଣୁ ଭ୍ରମଇ ଏ ସଂସାରେ । ଶ୍ରମେ କାତର ନିରନ୍ତରେ ॥ ୯୬
ତାହାଙ୍କୁ ଭଜିବଇଁ ଯେବେ । ଏ ଦୁଃଖୁ ନିସ୍ତାରିବେ ତେବେ ॥ ୯୭
ଭଜିଲେ ନିଜରୂପ ପାଇ । ନ ଭଜି ପାରହେବି କାହିଁ ॥ ୯୮
ସେ ପ୍ରଭୁ ବିନୁ ଏହି ଜ୍ଞାନ । କେ ଦେଇ ପାରି ମୋତେ ଆନ ॥ ୯୯
ତା ତହୁଁ ଜ୍ଞାନ ମୁଁ ପାଇଛି । ଯେଣୁ ମୁଁ ତ୍ରିକାଳ ଦେଖୁଛି ॥ ୧୦୦
ଏଣୁ ଏ ଗର୍ଭଦୁଃଖ ଘୋର । ନ ଜାଣେ ଶରୀର ମୋହର ॥ ୧୦୧
ଏଣୁ ଯେ ତାହାଙ୍କୁ ଭଜିବି । ତେବେ ସେ କର୍ମକୁ ଜିଣିବି ॥ ୧୦୨
ଯାହାର ଅଂଶ ସ୍ଥିରଚରେ । ବ୍ୟାପିଛି ଭବନ ଭିତରେ ॥ ୧୦୩
ବନ୍ଦଇ ତାହାଙ୍କ ଚରଣ । ଭୋ ନାଥ ଦେବା ଦିବ୍ୟଜ୍ଞାନ ॥ ୧୦୪
ବାଳ ଚଞ୍ଚଳ ଭାବ ମୁହିଁ । ତୋ ପାଦ-କମଳେ ପୁଛଇ ॥ ୧୦୫
ଜନନୀ-ଉଦର-ଗୁହାରେ । ପୁରୀଷ ମୂତ୍ରାଦି କୁପରେ ॥ ୧୦୬
ଅବଶେ ତହିଁ ମୁଁ ପଡ଼ିଛି । ଜଠରଅଗ୍ନି ଦହୁ ଅଛି ॥ ୧୦୭
ତହୁଁ ବାହାର ହେବା ପାଇଁ । ସଭୟେ ମାସ ଗଣୁଛଇଁ ॥ ୧୦୮
କେବେ ସେ କରିବେ ବାହାର । ସେ ପ୍ରଭୁ କୃପା-ପାରାବାର ॥ ୧୦୯
ଯେ କଲା ଏତାଦୃଶ ଗତି । ଲଭିଲି ଦିବ୍ୟଜ୍ଞାନ ମତି ॥ ୧୧୦
ସେ ବଡ଼ କରୁଣାସାଗର । ଯେ ମୋତେ ଦେଲେ ଜ୍ଞାନପର ॥ ୧୧୧
ମୁଁ ତାଙ୍କୁ କିସେବା କରିବି । କି ଦ୍ରବ୍ୟ ଦେଇଣ ତୋଷିବି ॥ ୧୧୨
ସେ ନାଥ ଦୀନବନ୍ଧୁ ଯେବେ । ସ୍ୱଗୁଣେ ତୁଷ୍ଟ ହେବେ ତେବେ ॥ ୧୧୩
ଅଞ୍ଜଳି ବିନୁ ନାରାୟଣ । ମୋହର ଦ୍ରବ୍ୟ ନାହିଁ ଆନ ॥ ୧୧୪
ଏ ଯେତେ ଜୀବପଶୁ ଆଦି । ଅଜ୍ଞାନ ଦେହେ ନିରବଧି ॥ ୧୧୫
ଦେଖନ୍ତି ସୁଖ ଦୁଃଖ ମାତ୍ର । ଏଣୁ ହୁଅନ୍ତି କ୍ଳେଶପାତ୍ର ॥ ୧୧୬
ଯେ ଦିବ୍ୟଜ୍ଞାନ ଦେଲେ ମୋତେ । ଯେ ବୁଦ୍ଧି ଘେନି ଅବିରତେ ॥ ୧୧୭
ଏ ଦେହ ଭିତର ବାହାରେ । ପ୍ରତ୍ୟକ୍ଷ ଦେଖୁଛି ତାହାରେ ॥ ୧୧୮
ଏ ଘେନି ସୁଖେ ଆଶା ନାହିଁ । ଦୁଃଖକୁ ଭୟ ଅବା କାହିିଁ ॥ ୧୧୯
ଯେ ମୋତେ ଦେଲେ ଦିବ୍ୟଜ୍ଞାନ । ସେ ପାଦେ ମୋହର ବନ୍ଦନ ॥ ୧୨୦
ସେ ପ୍ରଭୁ ରୂପ ମନୋହର । ଦର୍ଶନେ ଲୋଭ ଚିତ୍ତ ମୋର ॥ ୧୨୧
ସେ ରୂପ-ସୁଧା ଆପ୍ୟାୟନେ । ତୃଷିତ ଲୋଚନ ସଘନେ ॥ ୧୨୨
କେବେ ହେଁ ନପାରଇ ଛାଡ଼ି । ଆନନ୍ଦେ ସୁଧାର୍ଣ୍ଣବେ ବୁଡ଼ି ॥ ୧୨୩
ବହୁତ ଦୁଃଖର ଆବାସ । ଏହି ମୋହର ଗର୍ଭବାସ ॥ ୧୨୪
ମୁଁ ଦୁଃଖେ ବଞ୍ଚିବି ଗର୍ଭରେ । କେବେ ହେଁ ନଯିବି ବାହାରେ ॥ ୧୨୫
ସଂସାର ଅନ୍ଧକୂପ ଅତି । ତହିଁକି ଯେ ଜୀବେ ଗମନ୍ତି ॥ ୧୨୬
ତୋ ମାୟା ଘୋଟଇ ତାହାକୁ । ସେ ସତ୍ୟ ମଣଇଁ ମିଥ୍ୟାକୁ ॥ ୧୨୭
ପଡ଼ଇ ସଂସାର-ଚକ୍ରରେ । ପୁତ୍ର କଳତ୍ର ମାୟା-ଘୋରେ ॥ ୧୨୮
ଏଣୁ ବାହାରେ ନ ଯିବଇଁ । ମୁଁ ଗର୍ଭେ ମୋକ୍ଷ ସାଧିବଇଁ ॥ ୧୨୯
ବ୍ୟାକୁଳ ନୋହି ଏ ଗର୍ଭର । ସହିବି ଦୁଃଖ ମହାଘୋର ॥ ୧୩୦
ଆତ୍ମାକୁ ତାରିବି ଏଠାରେ । ମନ ନିବେଶି ଆତ୍ମାଠାରେ ॥ ୧୩୧
ସାରଥି ବୁଦ୍ଧି ବିବେକକୁ । କରିଣ ତାରିବି ଆତ୍ମାକୁ ॥ ୧୩୨
ଗର୍ଭ ନିବାସ ଦୁଃଖ ଆର । ଯେମନ୍ତ ନୋହିବ ମୋହର ॥ ୧୩୩
ବିଷ୍ଣୁର ଚରଣେ ପଶିବି । ଅଶେଷ ଗର୍ଭେ ମୁଁ ନ ଯିବି ॥ ୧୩୪
ମୈତ୍ରେୟ ଉବାଚ
ଏମନ୍ତେ ନାନା ସ୍ତୁତି କରି । ଗର୍ଭ-ଯାତନା ଦୁଃଖେ ଡରି ॥ ୧୩୫
ସେ ଜୀବ ଅତି ଦୁଃଖେ ଛନ୍ନ । ଦୁର୍ଗନ୍ଧ ଆଘ୍ରାଣେ ଅଜ୍ଞାନ ॥ ୧୩୬
କହନ୍ତି କପିଳ ଗୋସାଇଁ । ସେ ଦେବହୂତି ମୁଖ ଚାହିଁ ॥ ୧୩୭
କପିଳ ଉବାଚ
ବିନୟ ଭାବେ ସ୍ତୁତି କରେ । ଏ ଜୀବ ଜନନୀ ଉଦରେ ॥ ୧୩୮
କେବେ ହେଁ ନୋହେ ତା ଉଶ୍ୱାସ । ଦୁଃଖେ ପୀଡ଼ିତ ଦଶମାସ ॥ ୧୩୯
ଏମନ୍ତ ଦୁଃଖ ଅବଶେଷେ । ଶରୀରୁ ପବନ ପ୍ରକାଶେ ॥ ୧୪୦
ତାହାକୁ ପ୍ରସବ ମାରୁତ । ପ୍ରେରଣ କରଇ ବହୁତ ॥ ୧୪୧
ତକ୍ଷଣେ ଅଧୋମୁଖ କରି । ପକାଇ ଯୋନିଦ୍ୱାର ଭରି ॥ ୧୪୨
ଗର୍ଭ ଭିତରୁ ତାକୁ ହେଳେ । ପବନ ଝାଙ୍କି ମହାବଳେ ॥ ୧୪୩
ସେ ଯୋନିଦ୍ୱାର ମାର୍ଗଗତେ । ବାହାର କରଇ ତୁରିତେ ॥ ୧୪୪
ଅତି ସଂକୀର୍ଣ୍ଣ ଜନ୍ମଦ୍ୱାର । କଷ୍ଟରେ ହୁଅଇ ବାହାର ॥ ୧୪୫
ସ୍ତମ୍ଭିତେ ଶ୍ୱାସ ନିରୋଧଇ । ସେ ଗର୍ଭଜ୍ଞାନ ପାଶୋରଇ ॥ ୧୪୬
ଅଜ୍ଞାନେ ପଡ଼ଇ ଭୂମିରେ । ରକ୍ତ-ଜର୍ଜର କଳେବରେ ॥ ୧୪୭
କୃମିର ପ୍ରାୟେ ଚେଷ୍ଟା କରେ । ରୋଦନ କରଇ କାତରେ ॥ ୧୪୮
ଲଭଇ ବିପରୀତ ଗତି । ସେ ଜ୍ଞାନ ଆଉ ନ ସ୍ମରତି ॥ ୧୪୯
ପାଳନ୍ତି ଜ୍ଞାତି ବନ୍ଧୁଜନେ । ତା ଅଭିମତ କେହୁ ଜାଣେ ॥ ୧୫୦
କ୍ଷୁଧାରେ ତକ୍ଷଣେ ରୋଦଇ । ତା କେହି ବୁଝି ନପାରଇ ॥ ୧୫୧
ବୋଲନ୍ତି ପେଟ ବଥାଇଲା । ଏଣୁ ଏ ବ୍ୟାକୁଳେ ରୋଦିଲା ॥ ୧୫୨
ମୁଖେ ଦିଅନ୍ତି ନିମ୍ବରସ । ଜୀବ ତ ପିଅଇ ଅବଶ ॥ ୧୫୩
ନିଷେଧି ତାହା ନ ପାରଇ । ଯାହା ଦିଅନ୍ତି ତାହା ଖାଇ ॥ ୧୫୪
ଅଶୁଚି ଶଯ୍ୟାରେ ଶୟନ । କରନ୍ତି ତାକୁ ପରିଜନ ॥ ୧୫୫
ତହିଁ ଅବଶେ ପଡ଼ିଥାଇ । ପିମ୍ପୁଡ଼ି ମାଛି କୀଟ ଖାଇ ॥ ୧୫୬
ନିବାରେ ନୋହଇ ସମର୍ଥ । ଯେଣୁ ନଚଳେ ପଦ ହସ୍ତ ॥ ୧୫୭
ଉଠି ବସିତେ ଶକ୍ୟ ନାହିଁ । ବନ୍ଧନ ଜୀବ ପ୍ରାୟ ହୋଇ ॥ ୧୫୮
କୋମଳ ଚର୍ମ ତା ଶରୀରେ । କାଟନ୍ତି ମଶକ ନିର୍ଭରେ ॥ ୧୫୯
ଦଶନ ବିକାଶି କାଟନ୍ତି । ଶୋଷିଣ ଶୋଣିତ ପିବନ୍ତି ॥ ୧୬୦
ତହୁଁ ସେ ଜ୍ଞାନହୀନ ହୋଇ । ସର୍ବଦା ରୋଦନ କରଇ ॥ ୧୬୧
ଏ ରୂପେ ପାଞ୍ଚବର୍ଷ ଯାଏ । ଶୈଶବେ ଦୁଃଖ ଭୋଗ ହୁଏ ॥ ୧୬୨
ପୌଗଣ୍ତ କାଳେ ମହା ଦୁଃଖ । ତହିଁ ନପାଇ କିଛି ସୁଖ ॥ ୧୬୩
ତଦନ୍ତେ ବିଦ୍ୟା ପ୍ରପଠନେ । ଭୟେ ତରସ୍ତ ପ୍ରତିଦିନେ ॥ ୧୬୪
ମରଣୁ ସେ ଦୁଃଖ ବଳଇ । ନିର୍ଭୟସ୍ଥାନେ ପଶେ ଯାଇ ॥ ୧୬୫
ଏମନ୍ତେ ଜୀବ ଲଭେ କ୍ଳେଶ । ନ ପାଇ ଜ୍ଞାନ ଉପଦେଶ ॥ ୧୬୬
ଯୌବନାବସ୍ଥା ପ୍ରବେଶେଷ । ତହିଁ ପୀଡ଼ିତ କାମବାଣ ॥ ୧୬୭
ମନେ କଳ୍ପିତ ଯା କରଇ । ସେ ଯେବେ ଆସି ନଘଟଇ ॥ ୧୬୮
ଶୋକରେ ହୁଅଇ ବାଧିତ । କ୍ରୋଧିତ ହୋଏ ଅବିରତ ॥ ୧୬୯
ଏମନ୍ତ ପ୍ରତି ସମ୍ବତ୍ସରେ । କାମ ବଢ଼ଇ ନିରନ୍ତରେ ॥ ୧୭୦
ଯେ ରୂପେ ଶରୀର ବଢ଼ଇ । ତା ସଙ୍ଗେ କାମାଦି ବଢ଼ଇ ॥ ୧୭୧
ପ୍ରକୋପ ବଢ଼େ କଳେବରେ । କାମିନୀ ସଙ୍ଗେ କେଳୀ କରେ ॥ ୧୭୨
ଅତ୍ୟନ୍ତ କାମେ ହୋଇ ବାଇ । ଆପଣା ନାଶ ନ ଜାଣଇ ॥ ୧୭୩
ନାନା ଯୋନିରେ ଆଶା କରେ । ଏ ଯୁବା ବୟସ ବେଭାରେ ॥ ୧୭୪
ଏମନ୍ତେ ବଢ଼େ ଦିନେ ଦିନେ । ଯେ ରୂପେ ପ୍ରୌଢ଼ ସେ ଯୌବନେ ॥ ୧୭୫
ବ୍ୟାକୁଳ ଧନ ଅରଜନେ । ଚିତ୍ତ ବ୍ୟାକୁଳ ଦୁଃଖମନେ ॥ ୧୭୬
ଦିନକୁ ଦିନ କାମ ଗାଢ଼େ । ନିରତେ ଅହଙ୍କାର ବଢ଼େ ॥ ୧୭୭
ସନ୍ତତି ଜନମ ବ୍ୟାକୁଳେ । କାମିନୀ ସଙ୍ଗେ ରତି ମେଳେ ॥ ୧୭୮
ବଞ୍ଚଇ ସୁଖ ପ୍ରାୟ ମଣି । ଆତ୍ମାର ଦୁଃଖ ନ ପ୍ରମାଣି ॥ ୧୭୯
ଏ ପଞ୍ଚଭୂତ କଳେବରେ । ଆପଣା ବୋଲି ଯା ଆଦରେ ॥ ୧୮୦
ମୁଁ ହର୍ତ୍ତା କର୍ତ୍ତା ସର୍ବଠାରେ । ଏ ମୋର ଛନ୍ତି ଯେତେ ଘରେ ॥ ୧୮୧
ଏହି କୁମତି ଭାବୁଥାଇ । ଆପଣା ହିତ ନଜାଣଇ ॥ ୧୮୨
ଚର୍ମ ଶୋଣିତ ଗାଢ଼ ଭିତ୍ତି । ଅଶେଷ ରୋଗ ଯହିଁ ସ୍ଥିତି ॥ ୧୮୩
ଏ ମୋ ଶରୀର ବୋଲି ଜାଣେ । କ୍ଷଣ-ବିଧ୍ୱଂସ ନ ପ୍ରମାଣେ ॥ ୧୮୪
ଏ ଦେହ ଅସତ୍ୟ ସ୍ୱଭାବେ । ଯେ ଆତ୍ମବୁଦ୍ଧି ଅନୁଭବେ ॥ ୧୮୫
ପରମହିଂସନେ କରେ ମତି । ନିଜ ଶରୀର ସୁଖ ଚିନ୍ତି ॥ ୧୮୬
ଅସାଧୁ ସଙ୍ଗେ ନିତ୍ୟେ ଥାଇ । ସୁସାଧୁ ସଙ୍ଗ ନ ଇଚ୍ଛଇ ॥ ୧୮୭
ନିତ୍ୟେ ବିଷୟା ସଙ୍ଗ ଚିନ୍ତି । ଏ ଯେ ନ ଭଲେ ଆତ୍ମଗତି ॥ ୧୮୮
ଆହାର ଶୃଙ୍ଗାର ଇଚ୍ଛଇ । ନିବେଦେ ନିତ୍ୟେ ମନଦେଇ ॥ ୧୮୯
ତାର ବିଶ୍ୱାସେ ନିତ୍ୟେ ମଜ୍ଜେ । ଜିହ୍ୱା ଇନ୍ଦ୍ରିୟ ରସେ ମଜ୍ଜେ ॥ ୧୯୦
ଭଜଇ ବିଷୟ ତରଙ୍ଗ । କେବେହେଁ ନୋହେ ସାଧୁ ସଙ୍ଗ ॥ ୧୯୧
ଆତ୍ମାକୁ ନକରେ ବିଚାର । ଏଣୁ ଏ ଦୁଃଖ ମହାଘୋର ॥ ୧୯୨
ଯେ ଦେହେ ନାନା କ୍ଳେଶ ଦେଇ । କର୍ମ କରଇ ତାର ପାଇଁ ॥ ୧୯୩
ଯେ କର୍ମେ ବଦ୍ଧ ପ୍ରାୟ ହୋଇ । ଅଜ୍ଞାନେ ପୁଣ ଜନ୍ମ ହୋଇ ॥ ୧୯୪
ଶିଶୁ ଉଦର ସୁଖାତୁରେ । ଉଦ୍ୟମ କରେ ନିରନ୍ତରେ ॥ ୧୯୫
ଏମନ୍ତ ଅସତ ଯେ ଜନ । ତାର ସଙ୍ଗତେ କରେ ମନ ॥ ୧୯୬
ତାଙ୍କ ସ୍ୱକର୍ମ ଆଚରଇ । ଯେ ମାର୍ଗେ ନରକେ ପଡ଼ଇ ॥ ୧୯୭
ଭୋମାତ ଶୁଣ ତଦନ୍ତରେ । ପୂର୍ବେ କହିଛୁ ଯେ ପ୍ରକାରେ ॥ ୧୯୮
ସେ ଭାବେ ପୁଣି ନର୍କେପାଇ । ଯାତନା ଅନେକ ଭୁଞ୍ଜଇ ॥ ୧୯୯
ଏଣୁ ଅସତ ସଙ୍ଗ କଲେ । ବିନାଶ ହୋଇ ଅବହେଳେ ॥ ୨୦୦
ଅସତ ସଙ୍ଗ ସତ୍ୟ ନାଶେ । ଶଉଚ ତପ ନ ପ୍ରକାଶେ ॥ ୨୦୧
ମଉନ ବ୍ରତାଦି ନ ରହେ । ବୁଦ୍ଧି-ବିବେକ ହୋନ୍ତି କ୍ଷୟେ ॥ ୨୦୨
ଲଜ୍ଜା ଛାଡ଼ଇ କାନ୍ତି ଯଶ । କ୍ଷମାଦି ଅଯଶେ ବିନାଶ ॥ ୨୦୩
ବିନାଶ ହୋନ୍ତି ସମ ଦମ । ଐଶ୍ୱର୍ଯ୍ୟ ହୋଏ ଉପଶମ ॥ ୨୦୪
ଅଶାନ୍ତ ଜନେ ସଙ୍ଗ ହୋଇ । ଯେ ମୂଢ଼ ଭାବେ ନିତ୍ୟେ ରହି ॥ ୨୦୫
ଜ୍ଞାନ ନ ବୁଝେ ଦମ୍ଭ ପଣେ । ମିଥ୍ୟା ଭାଷଇ ଅନୁକ୍ଷଣେ ॥ ୨୦୬
ଯେ ଦେହେ ଆତ୍ମବୁଦ୍ଧି କରେ । ସାଧୁଜନଙ୍କୁ ନ ଆଦରେ ॥ ୨୦୭
ବୋଲଇ ମୋ ତହୁଁ ଅପରେ । କେ ଭାଗ୍ୟବନ୍ତ ଏ ସଂସାରେ ॥ ୨୦୮
ମୁଁ ଧର୍ମ ଜାଣଇ ସକଳ । ଏଣୁ ପୂଜିତ ଏ ଶୟଳ ॥ ୨୦୯
ମୋ ତହୁଁ ଧନବନ୍ତ କେହି । ପ୍ରତୁଲ୍ୟ ନୋହିବ ଏ ମହୀ ॥ ୨୧୦
ମୋ ଧନ ଉପାୟେ ମିଳଇ । ଏଣୁ ମୋହର ଭୟ ନାହିଁ ॥ ୨୧୧
ଏମନ୍ତେ ଯେବା ଗର୍ବ କରେ । ଦେହାନ୍ତେ ନରକେ ସଞ୍ଚରେ ॥ ୨୧୨
ହୁଅନ୍ତି ନାରୀଙ୍କ ଅଧୀନ । ଖେଳିବା ହରିଣ ଯେସନ ॥ ୨୧୩
ଏମନ୍ତ ସଙ୍ଗ ନକରିବ । ଯେବେ ସୁଭାଗ୍ୟେ ଇଚ୍ଛା ଥିବ ॥ ୨୧୪
ଆବର ଶୁଣସି ଗୋ ମାଏ । ଯେମନ୍ତେ ପ୍ରାଣୀ ନାଶ ପାଏ ॥ ୨୧୫
ଯେଣୁ ଯୁବତୀ ସଙ୍ଗେ ମନ । ପ୍ରାଣୀର ହୋଏ ନିବନ୍ଧନ ॥ ୨୧୬
ଏମନ୍ତ ଅନ୍ୟ ସଙ୍ଗ ନାହିଁ । ଏଣୁ ଯୁବତୀ ସଙ୍ଗୀ ନୋହି ॥ ୨୧୭
ତାହାଙ୍କ ସଙ୍ଗୀ ଯେତେ ଜନ । ସେ ସଙ୍ଗ ନକରିବ ମନ ॥ ୨୧୮
ସେ ସର୍ବେ ମୋହିତ କରନ୍ତି । ସେ ସଙ୍ଗେ ପ୍ରାଣୀ ନାଶଯାନ୍ତି ॥ ୨୧୯
ପୂର୍ବେ ବିଧାତା କନ୍ୟା ଚାହିଁ । ତା ରୂପ ଦେଖି ବନ୍ଦୀ ହୋଇ ॥ ୨୨୦
ସେ କନ୍ୟା ପିତାର ଅଜ୍ଞାନେ । ପଳାଇ ଗଲା ଘୋରବନେ ॥ ୨୨୧
ହରିଣୀ ରୂପ ସେ ଧଇଲା । ଛଦ୍ରମେ ବନସ୍ତେ ପଶିଲା ॥ ୨୨୨
ବିଧାତା ତ ଗତି ବିଚାରି । ସେହି ହରିଣ ରୂପ ଧରି ॥ ୨୨୩
ଲଜ୍ଜା ଛାଡ଼ିଲେ ବେଦବ୍ରହ୍ମା । ନାରୀଙ୍କ ଏମନ୍ତ ମହିମା ॥ ୨୨୪
ଏଣୁ କେ ତା ମୁଖୁଁ ତରିବ । ଯହିଁ ମୋହିତ ବ୍ରହ୍ମାଶିବ ॥ ୨୨୫
ସେ ସଙ୍ଗ ଛାଡ଼ିବ ଯତନେ । ଶ୍ରେୟକୁ ବାଞ୍ଛା ଥିଲେ ମନେ ॥ ୨୨୬
ସେ ବ୍ରହ୍ମା ଯାହାକୁ ସର୍ଜିଲା । ତା ହେତୁ ଆପେ ମୋହଗଲା ॥ ୨୨୭
ସେ ସଙ୍ଗ ଯେତେ ପ୍ରାଣୀ କଲେ । ଦେବ ମାୟାରେ ମୋହଗଲେ ॥ ୨୨୮
ଏମନ୍ତ କେହୁ ପ୍ରାଣୀ ଅଛି । ନାରୀମାୟାରେ ନ ପଡ଼ିଛି ॥ ୨୨୯
ବିନାଶେ ପ୍ରଭୁ ଭଗବାନ । ନାରୀଙ୍କି ନ ଜିଣିଲେ ଆନ ॥ ୨୩୦
ଦେଖ ମୋ ଯୋଗମାୟା ବଳ । ଯୁବତୀ ସ୍ୱରୂପେ ପ୍ରବଳ ॥ ୨୩୧
ସେ ଯାକୁ ଅପାଙ୍ଗେ ଇଚ୍ଛଇ । ସେ ପ୍ରାଣୀ ପଡ଼ି ମୋହଯାଇ ॥ ୨୩୨
ଦିଗ ବିଜୟୀ ଯେବେ ହୋନ୍ତି । ତଥାପି ନାରୀବଶେ ଥାନ୍ତି ॥ ୨୩୩
ସେବନ୍ତି ନାରୀଙ୍କ ପୟର । ଏମନ୍ତ ମାୟାବଳ ମୋର ॥ ୨୩୪
ଯେ ମୋକ୍ଷସାଧନ ଇଚ୍ଛିବ । ସେ ନାରୀସଙ୍ଗ ନକରିବ ॥ ୨୩୫
ସେବିଣ ସାଧୁ ସୁଜ୍ଞଜନ । ଲଭି ଯେ ଥାଇ ଆତ୍ମଜ୍ଞାନ ॥ ୨୩୬
ଏମନ୍ତ ଯୋଗୀ ସେବା ହୋନ୍ତି । ତାହାଙ୍କୁ ଯୁବତୀ ନାଶନ୍ତି ॥ ୨୩୭
ନାରୀ ଅଜ୍ଞାନ ତମଦ୍ୱାର । ଯୋଗୀ ଛାଡ଼ିବେ ସଙ୍ଗ ତାର ॥ ୨୩୮
କେବଳ ମାୟାରେ ଯୁବତୀ । ନିର୍ମାଣ କଲା ପ୍ରଜାପତି ॥ ୨୩୯
ସେ ସେବା କରିବାର ଛଳେ । ପାଶକୁ ଆସୁଥାଇ ବଳେ ॥ ୨୪୦
କପଟେ ବିନୟ ବଚନ । କହି ବୋଧଇ ପ୍ରାଣୀମନ ॥ ୨୪୧
ବ୍ୟାଧ ଯେସନେ ଛନ୍ଦ କରି । ଜୀବ ବିନାଶେ ପାଶେ ଭରି ॥ ୨୪୨
ତେସନ ନାରୀଙ୍କ ବଚନ । ବିଶ୍ୱାସୀ ହରେ ପ୍ରାଣୀ ମନ ॥ ୨୪୩
ତୃଣଆଚ୍ଛନ୍ନ କୂପେ ଥାଇ । ପ୍ରାଣୀ ବିନାଶ ଚିତ୍ତେ ଧ୍ୟାଇ ॥ ୨୪୪
ନିଶି ଦିବସେ କୂପଦ୍ୱାରେ । ଜାଗ୍ରତେ ରହେ ନିରନ୍ତରେ ॥ ୨୪୫
ସେ ପଥେ ଯେ ପ୍ରାଣୀ ଗମନ୍ତି । ସେ କୂପେ ପଡ଼ି ନାଶଯାନ୍ତି ॥ ୨୪୬
ସେ କୂପ ଅତି ତମଘୋର । ଦେଖି ଭ୍ରମନ୍ତି ସୁରନର ॥ ୨୪୭
ତାହାର ଅନ୍ତଃ ପାର ନାହିଁ । ଗଭୀର କେ ପାରିବ କହି ॥ ୨୪୮
ଯହିଁ ଅଶେଷ ଉଦେ ଅସ୍ତ । ପ୍ରାଣୀ ନଜାଣେ ତାର ତତ୍ତ୍ବ ॥ ୨୪୯
ସେ କୂପେ ପ୍ରାଣୀ ସୁଖଭରେ । ପଡ଼ି ବୃକ୍ଷାଦି ଯେବେ ଧରେ ॥ ୨୫୦
ସେ ସର୍ବେ ଉପୁଡ଼ି ପଡ଼ନ୍ତି । ସେ କୂପେ ପଡ଼ି ନବର୍ତ୍ତନ୍ତି ॥ ୨୫୧
ବୃକ୍ଷାଦି ଉପଲକ୍ଷ୍ୟ ଯେତେ । ଧର୍ମାଦି ପୁଣ୍ୟ ଏ ସମସ୍ତେ ॥ ୨୫୨
ସେ କୂପ ପୁଣ୍ୟ-ବିନାଶିନୀ । ନିର୍ମିତ କଲେ ପଦ୍ମଯୋନି ॥ ୨୫୩
ସେ ଜ୍ଞାନମାର୍ଗ ଆଚ୍ଛାଦଇ । ଅଜ୍ଞାନୀଜନେ ସୁଖମୟୀ ॥ ୨୫୪
ସେ ସଙ୍ଗେ ପୁଣ୍ୟକର୍ମ କଲେ । ସକଳ ନାଶ ଯାଇ ଭଲେ ॥ ୨୫୫
ଏ ଘେନି କୂପ ମାର୍ଗ ଗତେ । ଜ୍ଞାନୀ ନ ଗମେ ଭୟ ଚିତ୍ତେ ॥ ୨୫୬
ଦୁର୍ଗମ-ଦ୍ୱାର କୂପ କହି । ତୃଣ ଆଚ୍ଛାଦି ରୂପ ଯହିଁ ॥ ୨୫୭
ଯେବେ ଅଗ୍ୟାନେ ଭ୍ରମେ ଜୀବ । ତା ମୃତ୍ୟୁ ପ୍ରାୟେକ ଭାବିବ ॥ ୨୫୮
ମୋ ମାୟା ନାରୀରୂପ ହୋଇ । ପୁରୁଷ ପ୍ରାଣ ବିନାଶଇ ॥ ୨୫୯
ତାହାକୁ ବୋଲେ ମୋ ଯୁବତୀ । ତା ଶିରେ ଗୃହଧର୍ମ ଦ୍ୟନ୍ତି ॥ ୨୬୦
ଧନ ଜୀବନ ଆଦି ଯେତେ । ସମର୍ପି ଥାଇ ସ୍ନେହ ଚିତ୍ତେ ॥ ୨୬୧
ଗୁରୁଜନଙ୍କୁ ମାୟା କରେ । ତାର ବିଶ୍ୱାସେ ଦିନ ହରେ ॥ ୨୬୨
ସେବକଜନ ପ୍ରାୟ ହୋଇ । ନିରତେ ସେବେ ସୁଖ ପାଇ ॥ ୨୬୩
ଏ ଜୀବ ପ୍ରାଣ ଅନ୍ତଃକାଳେ । ତା ରୂପ ଧ୍ୟାନେ ସୁନିଶ୍ଚଳେ ॥ ୨୬୪
ସେ ନାରୀ ସ୍ୱରୂପ ଧରଇ । ପୁରୁଷଅଙ୍ଗ ପ୍ରତେଜଇ ॥ ୨୬୫
ସେ ମାୟାରୂପ ହୋଏ ପତି । ଗୃହ ତନୟ ସୁତା ନାତି ॥ ୨୬୬
ତାହାଙ୍କ ସ୍ନେହେ ବଶ ହୋଇ । ସେ ମୃତ୍ୟୁ ବୋଲି ନ ଜାଣଇ ॥ ୨୬୭
ଯେସନେ ବ୍ୟାଧ ଗୀତ ଗାଇ । ମୃଗ ତା ଶୁଣି ତୋଷ ହୋଇ ॥ ୨୬୮
ଗୀତରେ ଦେଇଥାଇ ମନ । ନ ଜାଣେ ଆତ୍ମା ବିନାଶନ ॥ ୨୬୯
ଏ ଜୀବ ରୂପ କଳେବର । କର୍ମ କରଇ ନିରନ୍ତର ॥ ୨୭୦
ଲୋକରୁ ଅନ୍ୟ ଲୋକ ଯାଇ । ସଞ୍ଚିତ କର୍ମ ସେ ଭୁଞ୍ଜଇ ॥ ୨୭୧
ସେ କର୍ମବଶେ ଗତାଗତ । କର୍ମ କରଇ ଅବିରତ ॥ ୨୭୨
କର୍ମର ସମାପତ ନାହିଁ । ଯେଣୁ ସନ୍ତତ କରଇ ॥ ୨୭୩
ଯେ ସୂକ୍ଷ୍ମଲିଙ୍ଗ କଳେବର । ସେହିଟି ଉପାଧି ଜୀବର ॥ ୨୭୪
ସ୍ଥୂଳ ଶରୀର ଭୋଗସ୍ଥାନ । ସେ ପଞ୍ଚଭୂତେ ସୁଘଟନ ॥ ୨୭୫
ଏ ବେନି କଳେବର ଯେବେ । କାର୍ଯ୍ୟକୁ କ୍ଷମ ଏ ନୋହିବେ ॥ ୨୭୬
ଜୀବର ଏହିଟି ମରର । ଜନ୍ମଟି ଦେହ ଦରଶନ ॥ ୨୭୭
ଏହାକୁ ବୋଲି ମୃତ୍ୟୁ ଜନ୍ମ । ମାୟା କରିଛି ଏତେ ଭ୍ରମ ॥ ୨୭୮
ଏଥକୁ ଦୃଷ୍ଟାନ୍ତ କହିବା । ଜନ୍ମ ମରଣେ ବୁଝାଇବା ॥ ୨୭୯
ନେତ୍ର ଗୋଲକ ଯେତେବେଳେ । ବ୍ୟାଧିରେ ପୀଡ଼ିତ ଆକୁଳେ ॥ ୨୮୦
ଦେଖିତେ ସମର୍ଥ ନୁହଇ । ଚକ୍ଷୁ ହିଁ ଅଯୋଗ୍ୟ ହୁଅଇ ॥ ୨୮୧
ସ୍ଥାନ ଇନ୍ଦ୍ରିୟ ଯେବେ ଦୁଇ । ଦେଖିତେ ସମର୍ଥ ନୁହଇ ॥ ୨୮୨
ଏଠାରେ ଦ୍ରଷ୍ଟାରୂପ ଜୀବ । କେମନ୍ତେ ରୂପ ସେ ଦେଖିବ ॥ ୨୮୩
ଏହି ପ୍ରକାରେ ସ୍ଥୂଳ ଦେହେ । କର୍ମଯୋଗ୍ୟତା ଯେବେ ନୋହେ ॥ ୨୮୪
ତେବେ ସେ ଲିଙ୍ଗ କଳେବର । କରି ନ ପାରଇ ବ୍ୟାପାର ॥ ୨୮୫
ଏହିଟି ଜୀବର ମରଣ । ଏ ଜୀବ ଜନ୍ମ ମୃତ୍ୟୁ ହୀନ ॥ ୨୮୬
ଯେବେ ତା ଜନ୍ମ ମୃତ୍ୟୁ ନାହିଁ । ଏବେନି ଭୟ ଆଉ କାହିଁ ॥ ୨୮୭
ମୃତ୍ୟୁକୁ ଭୟ ନକରିବ । ଜୀଇବା ବ୍ୟାପାର ଛାଡ଼ିବ ॥ ୨୮୮
ସାଧୁ ସଙ୍ଗତେ ଯାର ଚିତ୍ତ । କେବେ ହେଁ ନୋହେ ବିମୋହିତ ॥ ୨୮୯
ଏ କଥା ପୂର୍ବପୁଣ୍ୟ ଗାଢ଼େ । ଆନନ୍ଦେ ବଢ଼ଇ ନିବିଡ଼େ ॥ ୨୯୦
ଯାହାର ପୂର୍ବେ ତପ ନାହିଁ । ସୁସଙ୍ଗ ସେ ପାଇବ କାହିଁ ॥ ୨୯୧
ଅଚେତେ ଅସାଧୁ ସଙ୍ଗମ । ମିଳେ ଅନୀତି ଭାବପ୍ରେମ ॥ ୨୯୨
ଯେ ସଙ୍ଗେ ଭକ୍ତିଯୋଗ ମିଳେ । ଯତ୍ନ କରିବ ସଙ୍ଗ ମେଳେ ॥ ୨୯୩
ଭକ୍ତି ମିଳନ୍ତେ ମୁକ୍ତି ଭାବ । ଭବଜଳଧିତଟେ ନାବ ॥ ୨୯୪
ସେ ନାବେ ବସ ଦୃଢ଼ କରି । ମାୟା-ଜଳଧି ଯେଣେ ତରି ॥ ୨୯୫
ଏମନ୍ତ ଜୀବଗତି ଜାଣି । ଛାଡ଼ିବ ସବୁ ସଙ୍ଗ ପୁଣି ॥ ୨୯୬
ଗୋବିନ୍ଦପାଦେ ଦେଇ ଚିତ୍ତ । ଯେ ପ୍ରାଣୀ ଥିବ ଅବିରତ ॥ ୨୯୭
ମାୟାବନ୍ଧନେ ନପଡ଼ିବ । ତେବେ ସେ ମୁକତି ଲଭିବ ॥ ୨୯୮
ବୈରାଗ୍ୟ ଯୋଗାଭ୍ୟାସ କରି । ବୁଦ୍ଧି-ବିବେକ ସୁବିଚାରି ॥ ୨୯୯
ମାୟା ରଚିତ ଏ ସଂସାରେ । ସ୍ନେହ ଛାଡ଼ିବ କଳେବରେ ॥ ୩୦୦
କେବଳ ଶରୀର ରଖିବ । ଅଧିକ ଦ୍ରବ୍ୟ ପ୍ରତ୍ୟେଜିବ ॥ ୩୦୧
ହରିଚରଣେ କରି ଧ୍ୟାନ । ଲଭିବ ଏହୁ ତତ୍ତ୍ବଜ୍ଞାନ ॥ ୩୦୨
ଏମନ୍ତ କହି ନାରାୟଣ । ବନ୍ଦିଲେ ଜନନୀ ଚରଣ ॥ ୩୦୩
ସେ ହରି ଚରଣ ପଙ୍କଜ । ସୁଜନ-ଜନ ନିତ୍ୟେ ଭଜ ॥ ୩୦୪
ତୃତୀୟ ସ୍କନ୍ଧେ ଭାଗବତ । କପିଳଯୋଗବିଧି ଖ୍ୟାତ ॥ ୩୦୫
ହରି କହିଲେ ଜୀବଗତି । ଶୁଣି ତରିବେ ମୂଢ଼ମତି ॥ ୩୦୬
ଭଣଇ ଜଗନ୍ନାଥ ଦାସ । ସାଧୁଙ୍କ ହିତେ ଏ ପ୍ରକାଶ ॥ ୩୦୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟ ଉପାଖ୍ୟାନେ ଜୀବଗତି ର୍ନାମ ଏକତ୍ରିଂଶୋଽଧ୍ୟାୟଃ ॥
* * *