ତୃତୀୟ ସ୍କନ୍ଧ

ଏକତ୍ରିଂଶ ଅଧ୍ୟାୟ

କପିଳ ଉବାଚ

ଶୁଣ ଜନନୀ ତଦନ୍ତରେ । ପୁଣ୍ୟ ପାତକ ସୁବିଚାରେ ॥

ଏ ପୁଣ୍ୟ ପାପ ଅନୁସାରେ । ମନୁଷ୍ୟ ଦେହ ପ୍ରାଣୀ ଧରେ ॥

ମନୁଷ୍ୟ ଦେହ ଯେଣୁ ସ୍ଥିତି । ତେଣୁ ସେ ରାଜସିକ ମତି ॥

ଏହା କହିବା ତୋ ଆଗରେ । ସୁଜନେ ଶୁଣ ହେତୁଦ୍ୱାରେ ॥

ବୋଲନ୍ତି ପ୍ରଭୁ ଭଗବାନ । ଭୋ ମାତ ସାବଧାନେ ଶୁଣ ॥

ଏ ଜୀବ ଯେ କର୍ମ ଇଚ୍ଛଇ । ଈଶ୍ୱର ତହିଁ ନିଯୋଜଇ ॥

ଏ ଜୀବ ସ୍ୱକର୍ମ ବଶରେ । ପୁରୁଷ ରେତ ଆଶା କରେ ॥

ପୁଣି ଏ ଦେହ ଧରିବାକୁ । ପ୍ରବେଶ ଜନନୀ ଗର୍ଭକୁ ॥

ପୁରୁଷ ଦେହର ସ୍ୱରୂପେ । ପଶଇ ଆତ୍ମାର ସଙ୍କଳ୍ପେ ॥

ଯେ ଜନ୍ମେ ଯେ ଗର୍ଭ ସଂଯୋଗ । ପଶଇ ରଜ-ବୀର୍ଯ୍ୟ ଯୋଗ ॥ ୧୦

ସେ ରେତ ପ୍ରଥମ ଦିନରେ । ମିଶଇ ଶୋଣିତ ସଙ୍ଗରେ ॥ ୧୧

ତାହାକୁ ବୋଲିଟି କଲ୍ଲୋଳ । ପଞ୍ଚମ ଦିନେ ସେ ବର୍ତ୍ତୁଳ ॥ ୧୨

ସେ ପୁଣି ବଦରୀ ସମାନେ । କଠିନ ହୁଏ ଦଶଦିନେ ॥ ୧୩

ତା ପରେ ହୋଇ ମାଂସ ପିŠଣ୍ତ । ତଦନ୍ତେ ପ୍ରକାଶଇ ଅŠଣ୍ତ ॥ ୧୪

ମସ୍ତକ ପ୍ରଥମ ମାସରେ । ପ୍ରକାଶ ହୁଅଇ କନ୍ଧରେ ॥ ୧୫

ସମ୍ପୂ‰ର୍ଣ୍ଣ ବେନିମା ଯାଏ । କର ଚରଣ ଆଦି ହୋଏ ॥ ୧୬

ଅଙ୍ଗୁଳି ନଖ ତନୁ ରୋମ । ଅସ୍ଥି ହୃଦୟ ନାଡ଼ିମାନ ॥ ୧୭

ଲିଙ୍ଗ ଇନ୍ଦି୍ରୟ ଛିଦ୍ର ଆଦି । ତୃତୀୟମାସେ ଏ ପ୍ରସିଦ୍ଧି ॥ ୧୮

ଚତୁର୍ଥମାସେ ଧାତୁ ହୋଏ । ପଞ୍ଚମେ କ୍ଷୁଧା ତୃଷା ବହେ ॥ ୧୯

ତଦନ୍ତେ ଷଷ୍ଠ ପରିମିତ । କ୍ଷୁଧା ତୃଷାରେ ସେ ପୀଡ଼ିତ ॥ ୨୦

ଗର୍ଭ ବେଷ୍ଟନେ ବଦ୍ଧ ହୋଇ । ଦକ୍ଷିଣ କୁକ୍ଷିରେ ଭ୍ରମଇ ॥ ୨୧

ଜନନୀ ଯେ ଦ୍ରବ୍ୟ ଭକ୍ଷଇ । ସେ ରସେ ତା ଧାତୁ ବଢ଼ଇ ॥ ୨୨

ମୂତ୍ର ପୁରୀଷ ରକ୍ତ ଲାଳେ । କୃମି ପୀଡ଼ିତ ସମାକୁଳେ ॥ ୨୩

ତହିଁ ଯନ୍ତ୍ରିତେ ଶୋଇ ଥାଇ । କୃମି ସଂକୁଳ ମଧ୍ୟେ ରହି ॥ ୨୪

ଅତି କୋମଳ କଳେବର । କୃମି ଭକ୍ଷଣେ ନୋହେ ସ୍ଥିର ॥ ୨୫

ଅଙ୍ଗ କାଟନ୍ତେ କୃମିମାନେ । ପ୍ରଜ୍ୱଳେ ଦେହ ପ୍ରତିକ୍ଷଣେ ॥ ୨୬

ବହୁତ କ୍ଳେଶ ତହିଁ ପାଇ । କ୍ଷଣ କ୍ଷଣକେ ମୂର୍ଚ୍ଛା ଯାଇ ॥ ୨୭

ଉଷ୍ଣ ଲବଣ କଟୁ ତୀକ୍ଷ୍ଣ । କ୍ଷାର ଆମ୍ବିଳ ଯା ଭକ୍ଷଣ ॥ ୨୮

ଜନନୀ ଆହାର କରଇ । ସେ ରସେ ସର୍ବାଙ୍ଗ ପୀଡ଼ଇ ॥ ୨୯

କରଇ ବେଦନାକୁ ଜାତ । ତେଣେ ତା ସର୍ବାଙ୍ଗ ପୀଡ଼ିତ ॥ ୩୦

ନିବାସ ଜରାୟୁ ଭିତରେ । ନାଡ଼ିରେ ବେଷ୍ଟିତ ନିର୍ଭରେ ॥ ୩୧

କୁଟିଳ ଭାବେ ଶିରୋଧର । ପୃଷ୍ଠ କୁଟିଳ କଳେବର ॥ ୩୨

ମାତୃକୁକ୍ଷିରେ ଦେଇ ଶିର । ପଡ଼ି ଯେ ଥାଇ ନୋହେ ସ୍ଥିର ॥ ୩୩

ଶରୀର ଚାଲି ନପାରଇ । ପିଞ୍ଜର-ପକ୍ଷୀ ପ୍ରାୟ ହୋଇ ॥ ୩୪

ସେ ଗର୍ଭେ ପୂର୍ବକର୍ମ ବଶେ । ବହୁତ ଜନ୍ମ ତାକୁ ଦିଶେ ॥ ୩୫

ଶତେଜନ୍ମର କର୍ମ ଯେତେ । ସୁମରୁ ଥାଏ ଗର୍ଭଗତେ ॥ ୩୬

ସେ ପାପ ପୁଣ୍ୟ ମନେ ଧ୍ୟାଇ । ବହୁତ ନିଃଶ୍ୱାସ ଛାଡ଼ଇ ॥ ୩୭

ତା ଫେଡ଼ି ନ ପାରଇ କେହି । କର୍ମଆୟତ୍ତେ ବଶ ହୋଇ ॥ ୩୮

ସୁମରି ପୂର୍ବଜନ୍ମ ଦୁଃଖ । ସୁଖ ନ ଲଭି ସେ ବିମୁଖ ॥ ୩୯

ସପ୍ତମମାସ ଆଦି କରି । ତା ଦେହେ ଜ୍ଞାନ ଥାଇ ପୁରି ॥ ୪୦

ପ୍ରସୂତିବାତ ବଳୀୟାର । ତେଣେ କମ୍ପଇ ତା ଶରୀର ॥ ୪୧

ଦେହକୁ ଅସ୍ଥିର କରଇ । କୃମି ଯେସନେ ଭ୍ରମୁଥାଇ ॥ ୪୨

ସେ ରୂପେ ଗର୍ଭେ ତା ଭ୍ରମଣ । ଦୁଃସହ ସେ ଦୁଃଖ କଷଣ ॥ ୪୩

ତଦନ୍ତେ ଶୁଣ ଗୋ ଜନନୀ । ଭାଳଇ ଦିବସ ରଜନୀ ॥ ୪୪

ଅତି ବିମୁଖେ କଷ୍ଟ ସହି । ସେ ଗର୍ଭେ ଆତ୍ମାକୁ ଦେଖଇ ॥ ୪୫

ତା ରୂପ ଅତି ମନୋହର । ଧ୍ୟାନେ ଜାଣଇ ତା ଶରୀର ॥ ୪୬

ନିରତେ ଭାଳେ ଏକଚିତ୍ତେ । ଭକ୍ତିରେ ମନ ପ୍ରମୋଦିତେ ॥ ୪୭

ସପ୍ତଧାତୁରେ ବଦ୍ଧ ହୋଇ । ଅଞ୍ଜଳି କରିଣ ପ୍ରାର୍ଥଇ ॥ ୪୮

ଭୟେ ବିଚାରଇ ମନର । କେମନ୍ତେ ଏଥୁଁ ହେବି ପାର ॥ ୪୯

ଏଥୁଁ ନିସ୍ତାର ମୋ କେମନ୍ତେ । ଆତଙ୍କେ ଚିନ୍ତଇ ନିରତେ ॥ ୫୦

ଯେମନ୍ତେ ଆଉ ପୁନର୍ବାର । ଏ ଗର୍ଭ ଦୁଃଖ ନୋହୁ ମୋର ॥ ୫୧

ଶ୍ରୀକୃଷ୍ଣପାଦେ କରି ଧ୍ୟାନ । ଅତି ଆନନ୍ଦ ସୁଖେ ମଗ୍ନ ॥ ୫୨

ଏଥୁଁ ନିର୍ଗତ ମୋ କେମନ୍ତେ । ତାହାକୁ ଭାବେ ଅବିରତେ ॥ ୫୩

ସେ ଦୁଃଖ ନ ଘେନଇ ଚିତ୍ତେ । ଅନାଥ ମୁଁ ଯେ ଗର୍ଭଗତେ ॥ ୫୪

ବେଦନା ପାଉଅଛି ଯେତେ । ଏଥୁ ଉଦ୍ଧର ନାଥ ମୋତେ ॥ ୫୫

ଏ ଦୁଃଖ ଯେମନ୍ତେ ନୋହିବ । ଏମନ୍ତ କୃପା ମୋତେ ହେବ ॥ ୫୬

ଏ ରୂପେ ବ୍ୟାକୁଳେ କଷଣେ । ସ୍ତୁତି କରଇ ଅନୁକ୍ଷଣେ ॥ ୫୭

ଜୀବ ଉବାଚ

ତୁ ନାଥ ପୂର୍ଣ୍ଣଜ୍ଞାନମୟେ । ଆତ୍ମା ସ୍ୱରୂପେ ବସୁ ଦେହେ ॥ ୫୮

ସକଳ ହୃଦୟେ ପ୍ରକାଶ । ଗଗନେ ଯେହ୍ନେ ରବି ତ୍ରାସ ॥ ୫୯

ଏବେ ପ୍ରଣମୁଁ ତୋର ପାୟେ । ଭୋ ନାଥ କର ମୋତେ ଦୟେ ॥ ୬୦

ଏ ଗର୍ଭବାସ ଦୁଃଖ ମୋତେ । ଯେମନ୍ତେ ନଲାଗେ ଜଗତେ ॥ ୬୧

ନିର୍ଲେପ ନିରଞ୍ଜନ ତୁହି । ତୋ ରୂପ ନଜାଣନ୍ତି କେହି ॥ ୬୨

ତୋ ପାଦ ନଭଜିଲି ମୁହିଁ । ଅଶେଷ ଗର୍ଭେ ଦେହ ବହି ॥ ୬୩

ତେଣୁ ସକଳ ଗର୍ଭବାସ । ଜନ୍ମିଣ ପୁଣି ଯାଇ ନାଶ ॥ ୬୪

ତୁ ଏବେ ମୋତେ ଦୟାକର । ଏ ଗର୍ଭସଙ୍କଟୁ ଉଦ୍ଧର ॥ ୬୫

ଏ ମହାଗର୍ଭର କଷଣ । ଏଥୁ ଉଦ୍ଧର ନାରାୟଣ ॥ ୬୬

ଏ ଗର୍ଭୁ ହୋଇଲେ ନିସ୍ତାର । ତୋର ଚରଣେ ଚକ୍ରଧର ॥ ୬୭

ମୁଁ ପାପୀ ଭଜିବି ନିରତେ । ଏ ଦୁଃଖ ନ ଲଭି ଯେମନ୍ତେ ॥ ୬୮

ଭୋନାଥ ତୋହର ଚରଣ । ପଶିଲି ଆଜି ମୁଁ ଶରଣ ॥ ୬୯

ଜଗତ ରକ୍ଷାର ନିମିତ୍ତ । ଇଚ୍ଛାଏ ନାନା ତନୁଭୂତ ॥ ୭୦

ମୁହିଁ ତ ଅଟଇ ଅସତ । ଏ ଗର୍ଭକଷ୍ଟ ମୋ ଉଚିତ ॥ ୭୧

ତୋ ରୂପ ଦେଖାଇଲୁ ଦେବ । ଅପୂର୍ବ ଦୟାଳୁ ସ୍ୱଭାବ ॥ ୭୨

ଗର୍ଭକୁ ଆଣିଲା ଯେ ମୋତେ । ତା ପାଦେ ସ୍ତୁତି ମୋ ନିରତେ ॥ ୭୩

ତା ପାଦେ ପଶିଲି ଶରଣ । ସେ ମୋତେ କରୁ ପରିତ୍ରାଣ ॥ ୭୪

ସେବଇ ତାର ପାଦଗତେ । ଅଶେଷ କର୍ତ୍ତା ଯେ ଜଗତେ ॥ ୭୫

ଯେ ପ୍ରଭୃ ସୃଷ୍ଟି ରକ୍ଷା ପାଇଁ । ଇଚ୍ଛାରେ ଶରୀର ଧରଇ ॥ ୭୬

ଯେ କଲା ଏତାଦୃଶ ଗତି । ମୁଁ ପାପୀ ଅତୀବ ଦୁର୍ମତି ॥ ୭୭

ସେ ପ୍ରଭୁ ଏକଷ୍ଟୁ ରଖିବେ । ତା ବିନୁ ଆଶ୍ରା ନାହିଁ ଜୀବେ ॥ ୭୮

ତାହାଙ୍କ ଅଭୟ ଚରଣେ । ଶରଣ ଗଲି ଏ କଷଣେ ॥ ୭୯

ସେ ପାଦେ ଯେ ପ୍ରାଣୀ ପ୍ରପନ୍ନ । ନ ଲାଗେ ଏ ଦୁଃଖ ବୃଜିନ ॥ ୮୦

ମୁଁ କଷ୍ଟେ ଜନନୀ ଗର୍ଭରେ । ଅଛଇ ମାୟା କଳେବରେ ॥ ୮୧

ଜୀବ ସ୍ୱରୂପେ ଅଛି ମୁହିଁ । ମୋ ନିଜକମେ ବନ୍ଦୀ ହୋଇ ॥ ୮୨

ଅଛଇ ବନ୍ଧନ ପରାୟେ । ଏ ଗର୍ଭପୀଡ଼ା ଅତି ଭୟେ ॥ ୮୩

ନମଇଁ ତାହାଙ୍କ ପୟରେ । ଯେ ଦେବ ଛନ୍ତି ମୋ ହୃଦରେ ॥ ୮୪

ବିଶୁଦ୍ଧ ବିକାର-ବିହୀନ । ଅଖଣ୍ତŠବୋଧ ଅନୁଦିନ ॥ ୮୫

ତ୍ରିବିଧ ସନ୍ତାପେ ତାପିତ । ହୃଦୟେ ହୁଅଇ ପ୍ରତୀତ ॥ ୮୬

ନମଇଁ ତାହାଙ୍କ ଚରଣେ । ସେ ନାଥ ରଖୁ ଏ କଷଣେ ॥ ୮୭

ଏ ପଞ୍ଚଭୂତେ ବିରଚିତ । ଏମନ୍ତ ଦେହେ ମୁହିଁ ସ୍ଥିତ ॥ ୮୮

ମିଥ୍ୟାରେ ଆଚ୍ଛନ୍ନ ହୋଇଛି । ବୁଝିଲେ ସତ୍ୟ ନୋହେ କିଛି ॥ ୮୯

ଇନ୍ଦ୍ରିୟ ଅର୍ଥେ ଗୁଣେ ଚିତ୍ତ । ଏଥେଁ ମୁଁ ବଦ୍ଧ ଅବିରତ ॥ ୯୦

ବନ୍ଦଇ ସେ ପ୍ରଭୁ ଚରଣ । ଏ କଷ୍ଟୁ କରିବେ ତାରଣ ॥ ୯୧

ଅକୁଣ୍ଠ ମହିମା ତାହାର । କେବେ ହେଁ ନଥାଇ ବିକାର ॥ ୯୨

ଯେଣୁ ସେ ଆଦି ନିରଞ୍ଜନ । ପ୍ରକୃତି ପୁରୁଷହୁଁ ଭିନ୍ନ ॥ ୯୩

ସେ ପ୍ରଭୁ ପରମ-ପୁମାନ । ଦିଅନ୍ତୁ ମୋତେ ଦିବ୍ୟଜ୍ଞାନ ॥ ୯୪

ଯା ମାୟା ଆବୋରି ରହିଛି । ଏଣୁ ମୁଁ ସବୁ ବିସ୍ମରୁଛି ॥ ୯୫

ତେଣୁ ଭ୍ରମଇ ଏ ସଂସାରେ । ଶ୍ରମେ କାତର ନିରନ୍ତରେ ॥ ୯୬

ତାହାଙ୍କୁ ଭଜିବଇଁ ଯେବେ । ଏ ଦୁଃଖୁ ନିସ୍ତାରିବେ ତେବେ ॥ ୯୭

ଭଜିଲେ ନିଜରୂପ ପାଇ । ନ ଭଜି ପାରହେବି କାହିଁ ॥ ୯୮

ସେ ପ୍ରଭୁ ବିନୁ ଏହି ଜ୍ଞାନ । କେ ଦେଇ ପାରି ମୋତେ ଆନ ॥ ୯୯

ତା ତହୁଁ ଜ୍ଞାନ ମୁଁ ପାଇଛି । ଯେଣୁ ମୁଁ ତ୍ରିକାଳ ଦେଖୁଛି ॥ ୧୦୦

ଏଣୁ ଏ ଗର୍ଭଦୁଃଖ ଘୋର । ନ ଜାଣେ ଶରୀର ମୋହର ॥ ୧୦୧

ଏଣୁ ଯେ ତାହାଙ୍କୁ ଭଜିବି । ତେବେ ସେ କର୍ମକୁ ଜିଣିବି ॥ ୧୦୨

ଯାହାର ଅଂଶ ସ୍ଥିରଚରେ । ବ୍ୟାପିଛି ଭବନ ଭିତରେ ॥ ୧୦୩

ବନ୍ଦଇ ତାହାଙ୍କ ଚରଣ । ଭୋ ନାଥ ଦେବା ଦିବ୍ୟଜ୍ଞାନ ॥ ୧୦୪

ବାଳ ଚଞ୍ଚଳ ଭାବ ମୁହିଁ । ତୋ ପାଦ-କମଳେ ପୁଛଇ ॥ ୧୦୫

ଜନନୀ-ଉଦର-ଗୁହାରେ । ପୁରୀଷ ମୂତ୍ରାଦି କୁପରେ ॥ ୧୦୬

ଅବଶେ ତହିଁ ମୁଁ ପଡ଼ିଛି । ଜଠରଅଗ୍ନି ଦହୁ ଅଛି ॥ ୧୦୭

ତହୁଁ ବାହାର ହେବା ପାଇଁ । ସଭୟେ ମାସ ଗଣୁଛଇଁ ॥ ୧୦୮

କେବେ ସେ କରିବେ ବାହାର । ସେ ପ୍ରଭୁ କୃପା-ପାରାବାର ॥ ୧୦୯

ଯେ କଲା ଏତାଦୃଶ ଗତି । ଲଭିଲି ଦିବ୍ୟଜ୍ଞାନ ମତି ॥ ୧୧୦

ସେ ବଡ଼ କରୁଣାସାଗର । ଯେ ମୋତେ ଦେଲେ ଜ୍ଞାନପର ॥ ୧୧୧

ମୁଁ ତାଙ୍କୁ କିସେବା କରିବି । କି ଦ୍ରବ୍ୟ ଦେଇଣ ତୋଷିବି ॥ ୧୧୨

ସେ ନାଥ ଦୀନବନ୍ଧୁ ଯେବେ । ସ୍ୱଗୁଣେ ତୁଷ୍ଟ ହେବେ ତେବେ ॥ ୧୧୩

ଅଞ୍ଜଳି ବିନୁ ନାରାୟଣ । ମୋହର ଦ୍ରବ୍ୟ ନାହିଁ ଆନ ॥ ୧୧୪

ଏ ଯେତେ ଜୀବପଶୁ ଆଦି । ଅଜ୍ଞାନ ଦେହେ ନିରବଧି ॥ ୧୧୫

ଦେଖନ୍ତି ସୁଖ ଦୁଃଖ ମାତ୍ର । ଏଣୁ ହୁଅନ୍ତି କ୍ଳେଶପାତ୍ର ॥ ୧୧୬

ଯେ ଦିବ୍ୟଜ୍ଞାନ ଦେଲେ ମୋତେ । ଯେ ବୁଦ୍ଧି ଘେନି ଅବିରତେ ॥ ୧୧୭

ଏ ଦେହ ଭିତର ବାହାରେ । ପ୍ରତ୍ୟକ୍ଷ ଦେଖୁଛି ତାହାରେ ॥ ୧୧୮

ଏ ଘେନି ସୁଖେ ଆଶା ନାହିଁ । ଦୁଃଖକୁ ଭୟ ଅବା କାହିିଁ ॥ ୧୧୯

ଯେ ମୋତେ ଦେଲେ ଦିବ୍ୟଜ୍ଞାନ । ସେ ପାଦେ ମୋହର ବନ୍ଦନ ॥ ୧୨୦

ସେ ପ୍ରଭୁ ରୂପ ମନୋହର । ଦର୍ଶନେ ଲୋଭ ଚିତ୍ତ ମୋର ॥ ୧୨୧

ସେ ରୂପ-ସୁଧା ଆପ୍ୟାୟନେ । ତୃଷିତ ଲୋଚନ ସଘନେ ॥ ୧୨୨

କେବେ ହେଁ ନପାରଇ ଛାଡ଼ି । ଆନନ୍ଦେ ସୁଧା‰ର୍ଣ୍ଣବେ ବୁଡ଼ି ॥ ୧୨୩

ବହୁତ ଦୁଃଖର ଆବାସ । ଏହି ମୋହର ଗର୍ଭବାସ ॥ ୧୨୪

ମୁଁ ଦୁଃଖେ ବଞ୍ଚିବି ଗର୍ଭରେ । କେବେ ହେଁ ନଯିବି ବାହାରେ ॥ ୧୨୫

ସଂସାର ଅନ୍ଧକୂପ ଅତି । ତହିଁକି ଯେ ଜୀବେ ଗମନ୍ତି ॥ ୧୨୬

ତୋ ମାୟା ଘୋଟଇ ତାହାକୁ । ସେ ସତ୍ୟ ମଣଇଁ ମିଥ୍ୟାକୁ ॥ ୧୨୭

ପଡ଼ଇ ସଂସାର-ଚକ୍ରରେ । ପୁତ୍ର କଳତ୍ର ମାୟା-ଘୋରେ ॥ ୧୨୮

ଏଣୁ ବାହାରେ ନ ଯିବଇଁ । ମୁଁ ଗର୍ଭେ ମୋକ୍ଷ ସାଧିବଇଁ ॥ ୧୨୯

ବ୍ୟାକୁଳ ନୋହି ଏ ଗର୍ଭର । ସହିବି ଦୁଃଖ ମହାଘୋର ॥ ୧୩୦

ଆତ୍ମାକୁ ତାରିବି ଏଠାରେ । ମନ ନିବେଶି ଆତ୍ମାଠାରେ ॥ ୧୩୧

ସାରଥି ବୁଦ୍ଧି ବିବେକକୁ । କରିଣ ତାରିବି ଆତ୍ମାକୁ ॥ ୧୩୨

ଗର୍ଭ ନିବାସ ଦୁଃଖ ଆର । ଯେମନ୍ତ ନୋହିବ ମୋହର ॥ ୧୩୩

ବିଷ୍ଣୁର ଚରଣେ ପଶିବି । ଅଶେଷ ଗର୍ଭେ ମୁଁ ନ ଯିବି ॥ ୧୩୪

ମୈତ୍ରେୟ ଉବାଚ

ଏମନ୍ତେ ନାନା ସ୍ତୁତି କରି । ଗର୍ଭ-ଯାତନା ଦୁଃଖେ ଡରି ॥ ୧୩୫

ସେ ଜୀବ ଅତି ଦୁଃଖେ ଛନ୍ନ । ଦୁର୍ଗନ୍ଧ ଆଘ୍ରାଣେ ଅଜ୍ଞାନ ॥ ୧୩୬

କହନ୍ତି କପିଳ ଗୋସାଇଁ । ସେ ଦେବହୂତି ମୁଖ ଚାହିଁ ॥ ୧୩୭

କପିଳ ଉବାଚ

ବିନୟ ଭାବେ ସ୍ତୁତି କରେ । ଏ ଜୀବ ଜନନୀ ଉଦରେ ॥ ୧୩୮

କେବେ ହେଁ ନୋହେ ତା ଉଶ୍ୱାସ । ଦୁଃଖେ ପୀଡ଼ିତ ଦଶମାସ ॥ ୧୩୯

ଏମନ୍ତ ଦୁଃଖ ଅବଶେଷେ । ଶରୀରୁ ପବନ ପ୍ରକାଶେ ॥ ୧୪୦

ତାହାକୁ ପ୍ରସବ ମାରୁତ । ପ୍ରେରଣ କରଇ ବହୁତ ॥ ୧୪୧

ତକ୍ଷଣେ ଅଧୋମୁଖ କରି । ପକାଇ ଯୋନିଦ୍ୱାର ଭରି ॥ ୧୪୨

ଗର୍ଭ ଭିତରୁ ତାକୁ ହେଳେ । ପବନ ଝାଙ୍କି ମହାବଳେ ॥ ୧୪୩

ସେ ଯୋନିଦ୍ୱାର ମାର୍ଗଗତେ । ବାହାର କରଇ ତୁରିତେ ॥ ୧୪୪

ଅତି ସଂକୀ‰ର୍ଣ୍ଣ ଜନ୍ମଦ୍ୱାର । କଷ୍ଟରେ ହୁଅଇ ବାହାର ॥ ୧୪୫

ସ୍ତମ୍ଭିତେ ଶ୍ୱାସ ନିରୋଧଇ । ସେ ଗର୍ଭଜ୍ଞାନ ପାଶୋରଇ ॥ ୧୪୬

ଅଜ୍ଞାନେ ପଡ଼ଇ ଭୂମିରେ । ରକ୍ତ-ଜର୍ଜର କଳେବରେ ॥ ୧୪୭

କୃମିର ପ୍ରାୟେ ଚେଷ୍ଟା କରେ । ରୋଦନ କରଇ କାତରେ ॥ ୧୪୮

ଲଭଇ ବିପରୀତ ଗତି । ସେ ଜ୍ଞାନ ଆଉ ନ ସ୍ମରତି ॥ ୧୪୯

ପାଳନ୍ତି ଜ୍ଞାତି ବନ୍ଧୁଜନେ । ତା ଅଭିମତ କେହୁ ଜାଣେ ॥ ୧୫୦

କ୍ଷୁଧାରେ ତକ୍ଷଣେ ରୋଦଇ । ତା କେହି ବୁଝି ନପାରଇ ॥ ୧୫୧

ବୋଲନ୍ତି ପେଟ ବଥାଇଲା । ଏଣୁ ଏ ବ୍ୟାକୁଳେ ରୋଦିଲା ॥ ୧୫୨

ମୁଖେ ଦିଅନ୍ତି ନିମ୍ବରସ । ଜୀବ ତ ପିଅଇ ଅବଶ ॥ ୧୫୩

ନିଷେଧି ତାହା ନ ପାରଇ । ଯାହା ଦିଅନ୍ତି ତାହା ଖାଇ ॥ ୧୫୪

ଅଶୁଚି ଶଯ୍ୟାରେ ଶୟନ । କରନ୍ତି ତାକୁ ପରିଜନ ॥ ୧୫୫

ତହିଁ ଅବଶେ ପଡ଼ିଥାଇ । ପିମ୍ପୁଡ଼ି ମାଛି କୀଟ ଖାଇ ॥ ୧୫୬

ନିବାରେ ନୋହଇ ସମର୍ଥ । ଯେଣୁ ନଚଳେ ପଦ ହସ୍ତ ॥ ୧୫୭

ଉଠି ବସିତେ ଶକ୍ୟ ନାହିଁ । ବନ୍ଧନ ଜୀବ ପ୍ରାୟ ହୋଇ ॥ ୧୫୮

କୋମଳ ଚର୍ମ ତା ଶରୀରେ । କାଟନ୍ତି ମଶକ ନିର୍ଭରେ ॥ ୧୫୯

ଦଶନ ବିକାଶି କାଟନ୍ତି । ଶୋଷିଣ ଶୋଣିତ ପିବନ୍ତି ॥ ୧୬୦

ତହୁଁ ସେ ଜ୍ଞାନହୀନ ହୋଇ । ସର୍ବଦା ରୋଦନ କରଇ ॥ ୧୬୧

ଏ ରୂପେ ପାଞ୍ଚବର୍ଷ ଯାଏ । ଶୈଶବେ ଦୁଃଖ ଭୋଗ ହୁଏ ॥ ୧୬୨

ପୌଗŠଣ୍ତ କାଳେ ମହା ଦୁଃଖ । ତହିଁ ନପାଇ କିଛି ସୁଖ ॥ ୧୬୩

ତଦନ୍ତେ ବିଦ୍ୟା ପ୍ରପଠନେ । ଭୟେ ତରସ୍ତ ପ୍ରତିଦିନେ ॥ ୧୬୪

ମରଣୁ ସେ ଦୁଃଖ ବଳଇ । ନିର୍ଭୟସ୍ଥାନେ ପଶେ ଯାଇ ॥ ୧୬୫

ଏମନ୍ତେ ଜୀବ ଲଭେ କ୍ଳେଶ । ନ ପାଇ ଜ୍ଞାନ ଉପଦେଶ ॥ ୧୬୬

ଯୌବନାବସ୍ଥା ପ୍ରବେଶେଷ । ତହିଁ ପୀଡ଼ିତ କାମବାଣ ॥ ୧୬୭

ମନେ କଳ୍ପିତ ଯା କରଇ । ସେ ଯେବେ ଆସି ନଘଟଇ ॥ ୧୬୮

ଶୋକରେ ହୁଅଇ ବାଧିତ । କ୍ରୋଧିତ ହୋଏ ଅବିରତ ॥ ୧୬୯

ଏମନ୍ତ ପ୍ରତି ସମ୍ବତ୍ସ›ରେ । କାମ ବଢ଼ଇ ନିରନ୍ତରେ ॥ ୧୭୦

ଯେ ରୂପେ ଶରୀର ବଢ଼ଇ । ତା ସଙ୍ଗେ କାମାଦି ବଢ଼ଇ ॥ ୧୭୧

ପ୍ରକୋପ ବଢ଼େ କଳେବରେ । କାମିନୀ ସଙ୍ଗେ କେଳୀ କରେ ॥ ୧୭୨

ଅତ୍ୟନ୍ତ କାମେ ହୋଇ ବାଇ । ଆପଣା ନାଶ ନ ଜାଣଇ ॥ ୧୭୩

ନାନା ଯୋନିରେ ଆଶା କରେ । ଏ ଯୁବା ବୟସ ବେଭାରେ ॥ ୧୭୪

ଏମନ୍ତେ ବଢ଼େ ଦିନେ ଦିନେ । ଯେ ରୂପେ ପ୍ରୌଢ଼ ସେ ଯୌବନେ ॥ ୧୭୫

ବ୍ୟାକୁଳ ଧନ ଅରଜନେ । ଚିତ୍ତ ବ୍ୟାକୁଳ ଦୁଃଖମନେ ॥ ୧୭୬

ଦିନକୁ ଦିନ କାମ ଗାଢ଼େ । ନିରତେ ଅହଙ୍କାର ବଢ଼େ ॥ ୧୭୭

ସନ୍ତତି ଜନମ ବ୍ୟାକୁଳେ । କାମିନୀ ସଙ୍ଗେ ରତି ମେଳେ ॥ ୧୭୮

ବଞ୍ଚଇ ସୁଖ ପ୍ରାୟ ମଣି । ଆତ୍ମାର ଦୁଃଖ ନ ପ୍ରମାଣି ॥ ୧୭୯

ଏ ପଞ୍ଚଭୂତ କଳେବରେ । ଆପଣା ବୋଲି ଯା ଆଦରେ ॥ ୧୮୦

ମୁଁ ହର୍ତ୍ତା କର୍ତ୍ତା ସର୍ବଠାରେ । ଏ ମୋର ଛନ୍ତି ଯେତେ ଘରେ ॥ ୧୮୧

ଏହି କୁମତି ଭାବୁଥାଇ । ଆପଣା ହିତ ନଜାଣଇ ॥ ୧୮୨

ଚର୍ମ ଶୋଣିତ ଗାଢ଼ ଭିତ୍ତି । ଅଶେଷ ରୋଗ ଯହିଁ ସ୍ଥିତି ॥ ୧୮୩

ଏ ମୋ ଶରୀର ବୋଲି ଜାଣେ । କ୍ଷଣ-ବିଧ୍ୱଂସ ନ ପ୍ରମାଣେ ॥ ୧୮୪

ଏ ଦେହ ଅସତ୍ୟ ସ୍ୱଭାବେ । ଯେ ଆତ୍ମବୁଦ୍ଧି ଅନୁଭବେ ॥ ୧୮୫

ପରମହିଂସନେ କରେ ମତି । ନିଜ ଶରୀର ସୁଖ ଚିନ୍ତି ॥ ୧୮୬

ଅସାଧୁ ସଙ୍ଗେ ନିତ୍ୟେ ଥାଇ । ସୁସାଧୁ ସଙ୍ଗ ନ ଇଚ୍ଛଇ ॥ ୧୮୭

ନିତ୍ୟେ ବିଷୟା ସଙ୍ଗ ଚିନ୍ତି । ଏ ଯେ ନ ଭଲେ ଆତ୍ମଗତି ॥ ୧୮୮

ଆହାର ଶୃଙ୍ଗାର ଇଚ୍ଛଇ । ନିବେଦେ ନିତ୍ୟେ ମନଦେଇ ॥ ୧୮୯

ତାର ବିଶ୍ୱାସେ ନିତ୍ୟେ ମଜ୍ଜେ । ଜିହ୍ୱା ଇନ୍ଦ୍ରିୟ ରସେ ମଜ୍ଜେ ॥ ୧୯୦

ଭଜଇ ବିଷୟ ତରଙ୍ଗ । କେବେହେଁ ନୋହେ ସାଧୁ ସଙ୍ଗ ॥ ୧୯୧

ଆତ୍ମାକୁ ନକରେ ବିଚାର । ଏଣୁ ଏ ଦୁଃଖ ମହାଘୋର ॥ ୧୯୨

ଯେ ଦେହେ ନାନା କ୍ଳେଶ ଦେଇ । କର୍ମ କରଇ ତାର ପାଇଁ ॥ ୧୯୩

ଯେ କର୍ମେ ବଦ୍ଧ ପ୍ରାୟ ହୋଇ । ଅଜ୍ଞାନେ ପୁଣ ଜନ୍ମ ହୋଇ ॥ ୧୯୪

ଶିଶୁ ଉଦର ସୁଖାତୁରେ । ଉଦ୍ୟମ କରେ ନିରନ୍ତରେ ॥ ୧୯୫

ଏମନ୍ତ ଅସତ ଯେ ଜନ । ତାର ସଙ୍ଗତେ କରେ ମନ ॥ ୧୯୬

ତାଙ୍କ ସ୍ୱକର୍ମ ଆଚରଇ । ଯେ ମାର୍ଗେ ନରକେ ପଡ଼ଇ ॥ ୧୯୭

ଭୋମାତ ଶୁଣ ତଦନ୍ତରେ । ପୂର୍ବେ କହିଛୁ ଯେ ପ୍ରକାରେ ॥ ୧୯୮

ସେ ଭାବେ ପୁଣି ନର୍କେପାଇ । ଯାତନା ଅନେକ ଭୁଞ୍ଜଇ ॥ ୧୯୯

ଏଣୁ ଅସତ ସଙ୍ଗ କଲେ । ବିନାଶ ହୋଇ ଅବହେଳେ ॥ ୨୦୦

ଅସତ ସଙ୍ଗ ସତ୍ୟ ନାଶେ । ଶଉଚ ତପ ନ ପ୍ରକାଶେ ॥ ୨୦୧

ମଉନ ବ୍ରତାଦି ନ ରହେ । ବୁଦ୍ଧି-ବିବେକ ହୋନ୍ତି କ୍ଷୟେ ॥ ୨୦୨

ଲଜ୍ଜା ଛାଡ଼ଇ କାନ୍ତି ଯଶ । କ୍ଷମାଦି ଅଯଶେ ବିନାଶ ॥ ୨୦୩

ବିନାଶ ହୋନ୍ତି ସମ ଦମ । ଐଶ୍ୱର୍ଯ୍ୟ ହୋଏ ଉପଶମ ॥ ୨୦୪

ଅଶାନ୍ତ ଜନେ ସଙ୍ଗ ହୋଇ । ଯେ ମୂଢ଼ ଭାବେ ନିତ୍ୟେ ରହି ॥ ୨୦୫

ଜ୍ଞାନ ନ ବୁଝେ ଦମ୍ଭ ପଣେ । ମିଥ୍ୟା ଭାଷଇ ଅନୁକ୍ଷଣେ ॥ ୨୦୬

ଯେ ଦେହେ ଆତ୍ମବୁଦ୍ଧି କରେ । ସାଧୁଜନଙ୍କୁ ନ ଆଦରେ ॥ ୨୦୭

ବୋଲଇ ମୋ ତହୁଁ ଅପରେ । କେ ଭାଗ୍ୟବନ୍ତ ଏ ସଂସାରେ ॥ ୨୦୮

ମୁଁ ଧର୍ମ ଜାଣଇ ସକଳ । ଏଣୁ ପୂଜିତ ଏ ଶୟଳ ॥ ୨୦୯

ମୋ ତହୁଁ ଧନବନ୍ତ କେହି । ପ୍ରତୁଲ୍ୟ ନୋହିବ ଏ ମହୀ ॥ ୨୧୦

ମୋ ଧନ ଉପାୟେ ମିଳଇ । ଏଣୁ ମୋହର ଭୟ ନାହିଁ ॥ ୨୧୧

ଏମନ୍ତେ ଯେବା ଗର୍ବ କରେ । ଦେହାନ୍ତେ ନରକେ ସଞ୍ଚରେ ॥ ୨୧୨

ହୁଅନ୍ତି ନାରୀଙ୍କ ଅଧୀନ । ଖେଳିବା ହରିଣ ଯେସନ ॥ ୨୧୩

ଏମନ୍ତ ସଙ୍ଗ ନକରିବ । ଯେବେ ସୁଭାଗ୍ୟେ ଇଚ୍ଛା ଥିବ ॥ ୨୧୪

ଆବର ଶୁଣସି ଗୋ ମାଏ । ଯେମନ୍ତେ ପ୍ରାଣୀ ନାଶ ପାଏ ॥ ୨୧୫

ଯେଣୁ ଯୁବତୀ ସଙ୍ଗେ ମନ । ପ୍ରାଣୀର ହୋଏ ନିବନ୍ଧନ ॥ ୨୧୬

ଏମନ୍ତ ଅନ୍ୟ ସଙ୍ଗ ନାହିଁ । ଏଣୁ ଯୁବତୀ ସଙ୍ଗୀ ନୋହି ॥ ୨୧୭

ତାହାଙ୍କ ସଙ୍ଗୀ ଯେତେ ଜନ । ସେ ସଙ୍ଗ ନକରିବ ମନ ॥ ୨୧୮

ସେ ସର୍ବେ ମୋହିତ କରନ୍ତି । ସେ ସଙ୍ଗେ ପ୍ରାଣୀ ନାଶଯାନ୍ତି ॥ ୨୧୯

ପୂର୍ବେ ବିଧାତା କନ୍ୟା ଚାହିଁ । ତା ରୂପ ଦେଖି ବନ୍ଦୀ ହୋଇ ॥ ୨୨୦

ସେ କନ୍ୟା ପିତାର ଅଜ୍ଞାନେ । ପଳାଇ ଗଲା ଘୋରବନେ ॥ ୨୨୧

ହରିଣୀ ରୂପ ସେ ଧଇଲା । ଛଦ୍ରମେ ବନସ୍ତେ ପଶିଲା ॥ ୨୨୨

ବିଧାତା ତ ଗତି ବିଚାରି । ସେହି ହରିଣ ରୂପ ଧରି ॥ ୨୨୩

ଲଜ୍ଜା ଛାଡ଼ିଲେ ବେଦବ୍ରହ୍ମା । ନାରୀଙ୍କ ଏମନ୍ତ ମହିମା ॥ ୨୨୪

ଏଣୁ କେ ତା ମୁଖୁଁ ତରିବ । ଯହିଁ ମୋହିତ ବ୍ରହ୍ମାଶିବ ॥ ୨୨୫

ସେ ସଙ୍ଗ ଛାଡ଼ିବ ଯତନେ । ଶ୍ରେୟକୁ ବା‚ଞ୍ଛା ଥିଲେ ମନେ ॥ ୨୨୬

ସେ ବ୍ରହ୍ମା ଯାହାକୁ ସର୍ଜିଲା । ତା ହେତୁ ଆପେ ମୋହଗଲା ॥ ୨୨୭

ସେ ସଙ୍ଗ ଯେତେ ପ୍ରାଣୀ କଲେ । ଦେବ ମାୟାରେ ମୋହଗଲେ ॥ ୨୨୮

ଏମନ୍ତ କେହୁ ପ୍ରାଣୀ ଅଛି । ନାରୀମାୟାରେ ନ ପଡ଼ିଛି ॥ ୨୨୯

ବିନାଶେ ପ୍ରଭୁ ଭଗବାନ । ନାରୀଙ୍କି ନ ଜିଣିଲେ ଆନ ॥ ୨୩୦

ଦେଖ ମୋ ଯୋଗମାୟା ବଳ । ଯୁବତୀ ସ୍ୱରୂପେ ପ୍ରବଳ ॥ ୨୩୧

ସେ ଯାକୁ ଅପାଙ୍ଗେ ଇଚ୍ଛଇ । ସେ ପ୍ରାଣୀ ପଡ଼ି ମୋହଯାଇ ॥ ୨୩୨

ଦିଗ ବିଜୟୀ ଯେବେ ହୋନ୍ତି । ତଥାପି ନାରୀବଶେ ଥାନ୍ତି ॥ ୨୩୩

ସେବନ୍ତି ନାରୀଙ୍କ ପୟର । ଏମନ୍ତ ମାୟାବଳ ମୋର ॥ ୨୩୪

ଯେ ମୋକ୍ଷସାଧନ ଇଚ୍ଛିବ । ସେ ନାରୀସଙ୍ଗ ନକରିବ ॥ ୨୩୫

ସେବିଣ ସାଧୁ ସୁଜ୍ଞଜନ । ଲଭି ଯେ ଥାଇ ଆତ୍ମଜ୍ଞାନ ॥ ୨୩୬

ଏମନ୍ତ ଯୋଗୀ ସେବା ହୋନ୍ତି । ତାହାଙ୍କୁ ଯୁବତୀ ନାଶନ୍ତି ॥ ୨୩୭

ନାରୀ ଅଜ୍ଞାନ ତମଦ୍ୱାର । ଯୋଗୀ ଛାଡ଼ିବେ ସଙ୍ଗ ତାର ॥ ୨୩୮

କେବଳ ମାୟାରେ ଯୁବତୀ । ନିର୍ମାଣ କଲା ପ୍ରଜାପତି ॥ ୨୩୯

ସେ ସେବା କରିବାର ଛଳେ । ପାଶକୁ ଆସୁଥାଇ ବଳେ ॥ ୨୪୦

କପଟେ ବିନୟ ବଚନ । କହି ବୋଧଇ ପ୍ରାଣୀମନ ॥ ୨୪୧

ବ୍ୟାଧ ଯେସନେ ଛନ୍ଦ କରି । ଜୀବ ବିନାଶେ ପାଶେ ଭରି ॥ ୨୪୨

ତେସନ ନାରୀଙ୍କ ବଚନ । ବିଶ୍ୱାସୀ ହରେ ପ୍ରାଣୀ ମନ ॥ ୨୪୩

ତୃଣଆଚ୍ଛନ୍ନ କୂପେ ଥାଇ । ପ୍ରାଣୀ ବିନାଶ ଚିତ୍ତେ ଧ୍ୟାଇ ॥ ୨୪୪

ନିଶି ଦିବସେ କୂପଦ୍ୱାରେ । ଜାଗ୍ରତେ ରହେ ନିରନ୍ତରେ ॥ ୨୪୫

ସେ ପଥେ ଯେ ପ୍ରାଣୀ ଗମନ୍ତି । ସେ କୂପେ ପଡ଼ି ନାଶଯାନ୍ତି ॥ ୨୪୬

ସେ କୂପ ଅତି ତମଘୋର । ଦେଖି ଭ୍ରମନ୍ତି ସୁରନର ॥ ୨୪୭

ତାହାର ଅନ୍ତଃ ପାର ନାହିଁ । ଗଭୀର କେ ପାରିବ କହି ॥ ୨୪୮

ଯହିଁ ଅଶେଷ ଉଦେ ଅସ୍ତ । ପ୍ରାଣୀ ନଜାଣେ ତାର ତ‌ତ୍ତ୍ବ ॥ ୨୪୯

ସେ କୂପେ ପ୍ରାଣୀ ସୁଖଭରେ । ପଡ଼ି ବୃକ୍ଷାଦି ଯେବେ ଧରେ ॥ ୨୫୦

ସେ ସର୍ବେ ଉପୁଡ଼ି ପଡ଼ନ୍ତି । ସେ କୂପେ ପଡ଼ି ନବର୍ତ୍ତନ୍ତି ॥ ୨୫୧

ବୃକ୍ଷାଦି ଉପଲକ୍ଷ୍ୟ ଯେତେ । ଧର୍ମାଦି ପୁଣ୍ୟ ଏ ସମସ୍ତେ ॥ ୨୫୨

ସେ କୂପ ପୁଣ୍ୟ-ବିନାଶିନୀ । ନିର୍ମିତ କଲେ ପଦ୍ମଯୋନି ॥ ୨୫୩

ସେ ଜ୍ଞାନମାର୍ଗ ଆଚ୍ଛାଦଇ । ଅଜ୍ଞାନୀଜନେ ସୁଖମୟୀ ॥ ୨୫୪

ସେ ସଙ୍ଗେ ପୁଣ୍ୟକର୍ମ କଲେ । ସକଳ ନାଶ ଯାଇ ଭଲେ ॥ ୨୫୫

ଏ ଘେନି କୂପ ମାର୍ଗ ଗତେ । ଜ୍ଞାନୀ ନ ଗମେ ଭୟ ଚିତ୍ତେ ॥ ୨୫୬

ଦୁର୍ଗମ-ଦ୍ୱାର କୂପ କହି । ତୃଣ ଆଚ୍ଛାଦି ରୂପ ଯହିଁ ॥ ୨୫୭

ଯେବେ ଅଗ୍ୟାନେ ଭ୍ରମେ ଜୀବ । ତା ମୃତ୍ୟୁ ପ୍ରାୟେକ ଭାବିବ ॥ ୨୫୮

ମୋ ମାୟା ନାରୀରୂପ ହୋଇ । ପୁରୁଷ ପ୍ରାଣ ବିନାଶଇ ॥ ୨୫୯

ତାହାକୁ ବୋଲେ ମୋ ଯୁବତୀ । ତା ଶିରେ ଗୃହଧର୍ମ ଦ୍ୟନ୍ତି ॥ ୨୬୦

ଧନ ଜୀବନ ଆଦି ଯେତେ । ସମର୍ପି ଥାଇ ସ୍ନେହ ଚିତ୍ତେ ॥ ୨୬୧

ଗୁରୁଜନଙ୍କୁ ମାୟା କରେ । ତାର ବିଶ୍ୱାସେ ଦିନ ହରେ ॥ ୨୬୨

ସେବକଜନ ପ୍ରାୟ ହୋଇ । ନିରତେ ସେବେ ସୁଖ ପାଇ ॥ ୨୬୩

ଏ ଜୀବ ପ୍ରାଣ ଅନ୍ତଃକାଳେ । ତା ରୂପ ଧ୍ୟାନେ ସୁନିଶ୍ଚଳେ ॥ ୨୬୪

ସେ ନାରୀ ସ୍ୱରୂପ ଧରଇ । ପୁରୁଷଅଙ୍ଗ ପ୍ରତେଜଇ ॥ ୨୬୫

ସେ ମାୟାରୂପ ହୋଏ ପତି । ଗୃହ ତନୟ ସୁତା ନାତି ॥ ୨୬୬

ତାହାଙ୍କ ସ୍ନେହେ ବଶ ହୋଇ । ସେ ମୃତ୍ୟୁ ବୋଲି ନ ଜାଣଇ ॥ ୨୬୭

ଯେସନେ ବ୍ୟାଧ ଗୀତ ଗାଇ । ମୃଗ ତା ଶୁଣି ତୋଷ ହୋଇ ॥ ୨୬୮

ଗୀତରେ ଦେଇଥାଇ ମନ । ନ ଜାଣେ ଆତ୍ମା ବିନାଶନ ॥ ୨୬୯

ଏ ଜୀବ ରୂପ କଳେବର । କର୍ମ କରଇ ନିରନ୍ତର ॥ ୨୭୦

ଲୋକରୁ ଅନ୍ୟ ଲୋକ ଯାଇ । ସଞ୍ଚିତ କର୍ମ ସେ ଭୁଞ୍ଜଇ ॥ ୨୭୧

ସେ କର୍ମବଶେ ଗତାଗତ । କର୍ମ କରଇ ଅବିରତ ॥ ୨୭୨

କର୍ମର ସମାପତ ନାହିଁ । ଯେଣୁ ସନ୍ତତ କରଇ ॥ ୨୭୩

ଯେ ସୂକ୍ଷ୍ମଲିଙ୍ଗ କଳେବର । ସେହିଟି ଉପାଧି ଜୀବର ॥ ୨୭୪

ସ୍ଥୂଳ ଶରୀର ଭୋଗସ୍ଥାନ । ସେ ପଞ୍ଚଭୂତେ ସୁଘଟନ ॥ ୨୭୫

ଏ ବେନି କଳେବର ଯେବେ । କାର୍ଯ୍ୟକୁ କ୍ଷମ ଏ ନୋହିବେ ॥ ୨୭୬

ଜୀବର ଏହିଟି ମରର । ଜନ୍ମଟି ଦେହ ଦରଶନ ॥ ୨୭୭

ଏହାକୁ ବୋଲି ମୃତ୍ୟୁ ଜନ୍ମ । ମାୟା କରିଛି ଏତେ ଭ୍ରମ ॥ ୨୭୮

ଏଥକୁ ଦୃଷ୍ଟାନ୍ତ କହିବା । ଜନ୍ମ ମରଣେ ବୁଝାଇବା ॥ ୨୭୯

ନେତ୍ର ଗୋଲକ ଯେତେବେଳେ । ବ୍ୟାଧିରେ ପୀଡ଼ିତ ଆକୁଳେ ॥ ୨୮୦

ଦେଖିତେ ସମର୍ଥ ନୁହଇ । ଚକ୍ଷୁ ହିଁ ଅଯୋଗ୍ୟ ହୁଅଇ ॥ ୨୮୧

ସ୍ଥାନ ଇନ୍ଦ୍ରିୟ ଯେବେ ଦୁଇ । ଦେଖିତେ ସମର୍ଥ ନୁହଇ ॥ ୨୮୨

ଏଠାରେ ଦ୍ରଷ୍ଟାରୂପ ଜୀବ । କେମନ୍ତେ ରୂପ ସେ ଦେଖିବ ॥ ୨୮୩

ଏହି ପ୍ରକାରେ ସ୍ଥୂଳ ଦେହେ । କର୍ମଯୋଗ୍ୟତା ଯେବେ ନୋହେ ॥ ୨୮୪

ତେବେ ସେ ଲିଙ୍ଗ କଳେବର । କରି ନ ପାରଇ ବ୍ୟାପାର ॥ ୨୮୫

ଏହିଟି ଜୀବର ମରଣ । ଏ ଜୀବ ଜନ୍ମ ମୃତ୍ୟୁ ହୀନ ॥ ୨୮୬

ଯେବେ ତା ଜନ୍ମ ମୃତ୍ୟୁ ନାହିଁ । ଏବେନି ଭୟ ଆଉ କାହିଁ ॥ ୨୮୭

ମୃତ୍ୟୁକୁ ଭୟ ନକରିବ । ଜୀଇବା ବ୍ୟାପାର ଛାଡ଼ିବ ॥ ୨୮୮

ସାଧୁ ସଙ୍ଗତେ ଯାର ଚିତ୍ତ । କେବେ ହେଁ ନୋହେ ବିମୋହିତ ॥ ୨୮୯

ଏ କଥା ପୂର୍ବପୁଣ୍ୟ ଗାଢ଼େ । ଆନନ୍ଦେ ବଢ଼ଇ ନିବିଡ଼େ ॥ ୨୯୦

ଯାହାର ପୂର୍ବେ ତପ ନାହିଁ । ସୁସଙ୍ଗ ସେ ପାଇବ କାହିଁ ॥ ୨୯୧

ଅଚେତେ ଅସାଧୁ ସଙ୍ଗମ । ମିଳେ ଅନୀତି ଭାବପ୍ରେମ ॥ ୨୯୨

ଯେ ସଙ୍ଗେ ଭକ୍ତିଯୋଗ ମିଳେ । ଯତ୍ନ କରିବ ସଙ୍ଗ ମେଳେ ॥ ୨୯୩

ଭକ୍ତି ମିଳନ୍ତେ ମୁକ୍ତି ଭାବ । ଭବଜଳଧିତଟେ ନାବ ॥ ୨୯୪

ସେ ନାବେ ବସ ଦୃଢ଼ କରି । ମାୟା-ଜଳଧି ଯେଣେ ତରି ॥ ୨୯୫

ଏମନ୍ତ ଜୀବଗତି ଜାଣି । ଛାଡ଼ିବ ସବୁ ସଙ୍ଗ ପୁଣି ॥ ୨୯୬

ଗୋବିନ୍ଦପାଦେ ଦେଇ ଚିତ୍ତ । ଯେ ପ୍ରାଣୀ ଥିବ ଅବିରତ ॥ ୨୯୭

ମାୟାବନ୍ଧନେ ନପଡ଼ିବ । ତେବେ ସେ ମୁକତି ଲଭିବ ॥ ୨୯୮

ବୈରାଗ୍ୟ ଯୋଗାଭ୍ୟାସ କରି । ବୁଦ୍ଧି-ବିବେକ ସୁବିଚାରି ॥ ୨୯୯

ମାୟା ରଚିତ ଏ ସଂସାରେ । ସ୍ନେହ ଛାଡ଼ିବ କଳେବରେ ॥ ୩୦୦

କେବଳ ଶରୀର ରଖିବ । ଅଧିକ ଦ୍ରବ୍ୟ ପ୍ରତ୍ୟେଜିବ ॥ ୩୦୧

ହରିଚରଣେ କରି ଧ୍ୟାନ । ଲଭିବ ଏହୁ ତତ୍ତ୍ବଜ୍ଞାନ ॥ ୩୦୨

ଏମନ୍ତ କହି ନାରାୟଣ । ବନ୍ଦିଲେ ଜନନୀ ଚରଣ ॥ ୩୦୩

ସେ ହରି ଚରଣ ପଙ୍କଜ । ସୁଜନ-ଜନ ନିତ୍ୟେ ଭଜ ॥ ୩୦୪

ତୃତୀୟ ସ୍କନ୍ଧେ ଭାଗବତ । କପିଳଯୋଗବିଧି ଖ୍ୟାତ ॥ ୩୦୫

ହରି କହିଲେ ଜୀବଗତି । ଶୁଣି ତରିବେ ମୂଢ଼ମତି ॥ ୩୦୬

ଭଣଇ ଜଗନ୍ନାଥ ଦାସ । ସାଧୁଙ୍କ ହିତେ ଏ ପ୍ରକାଶ ॥ ୩୦୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ କାପିଳେୟ ଉପାଖ୍ୟାନେ ଜୀବଗତି ର୍ନାମ ଏକତ୍ରିଂଶୋଽଧ୍ୟାୟଃ ॥

* * *