ତୃତୀୟ ସ୍କନ୍ଧ
ତ୍ରିଂଶ ଅଧ୍ୟାୟ
ଭଗବାନ ଉବାଚ
କହନ୍ତି ପ୍ରଭୁ ଭଗବାନ । ଭୋ ମାତ ହୁଅ ସାବଧାନ ॥ ୧
ସେ କାଳ ପୁରୁଷପୁରାଣ । ସେ ପୁଣି ଅତି ବଳବାନ ॥ ୨
ସେ କାଳ ପରାକ୍ରମ ଯେତେ । କେ କହିପାରିବ ଜଗତେ ॥ ୩
ଏ ଯେତେ ଜୀବଲୋକେ ଛନ୍ତି । ତା ଗତି କେହି ନଜାଣନ୍ତି ॥ ୪
ସେ କାଳ ସକଳ ନାଶଇ । ଏଣୁ ତା ଗତି କେ ଜାଣଇ ॥ ୫
ଏ ଚରାଚର ଦେହଧାରୀ । ଯେ ସ୍ଥୂଳ ସୂକ୍ଷ୍ମ ଆଦି କରି ॥ ୬
ସକଳ କରଇ ଭକ୍ଷଣ । କ୍ଷୁଧାର୍ତ୍ତେ ଯେସନେ କୃପଣ ॥ ୭
ଯେହ୍ନେ ସମୀର ବଳୀୟାର । ଜୀମୂତ କରଇ ସଞ୍ଚାର ॥ ୮
ସେ ଘନ ତା ଗତି ନଜାଣେ । ତେସନେ ହୋଇ ଜୀବଗଣେ ॥ ୯
କାଳର ଗତି ନ ଜାଣନ୍ତି । ସେ କାଳବଶେ ଭ୍ରମୁଥାନ୍ତି ॥ ୧୦
ଏ ଜୀବ ସୁଖଭୋଗ ପାଇଁ । ଅର୍ଥ ଉପାର୍ଜନେ ଭ୍ରମଇ ॥ ୧୧
ବିବିଧ ଦୁଃଖେ ତା ସଞ୍ଚଇ । ସେ ଅର୍ଥ କାଳ ଯେ ହରଇ ॥ ୧୨
ତ୍ରିଲୋକ ଶୋଚେ ଯାହାପାଇଁ । ସେ ଅର୍ଥ କାଳ ବିନାଶଇ ॥ ୧୩
ସେ କାଳ ଅତି ବଳିୟାର । କେ ଜାଣିପାରେ ଗତି ତାର ॥ ୧୪
ସୂକ୍ଷ୍ମ ସ୍ୱରୂପେ ବିହରଇ । ମନ ବଚନେ ଭେଦ ନୋହି ॥ ୧୫
କୃଷକଜନ ପ୍ରାୟେ ହୋଇ । ସଂସାର ପାଳି ବିନାଶଇ ॥ ୧୬
ସେ କାଳମୁଖେ ଜୀବ ରହି । ନାନା ବିବାଦେ ହିଂସା ବହି ॥ ୧୭
କରନ୍ତି ନାନା ଛନ୍ଦ ମାୟା । ହୃଦେ ନ ବସେ ଜୀବେ ଦୟା ॥ ୧୮
ନିର୍ଦ୍ଦୟ ଭାବେ ମୂଢ଼ପଣେ । କାଳ ଗ୍ରାସଇ ପୂଣ୍ୟହୀନେ ॥ ୧୯
ତାହାର ନାହିଁ ପକ୍ଷାପକ୍ଷ । ସକଳ କରଇ ସେ ଭକ୍ଷ୍ୟ ॥ ୨୦
ଏ ଜୀବ ଅତି ମତିହୀନ । ଅର୍ଥ ସଞ୍ଚଇ ପ୍ରତିଦିନ ॥ ୨୧
ଯେ ଅର୍ଥେ ମୃତ୍ୟୁ ଉପଗତ । ନ ଜାଣେ ଏ ମୂଢ଼ ସମସ୍ତ ॥ ୨୨
ଅନିତ୍ୟ ଦେହ ନ ବୁଝଇ । ବ୍ୟାପାର କରେ ଦୁଃଖ ସହି ॥ ୨୩
ଗୃହ କଳତ୍ର ଧନ ଆଦି । ଏଣେ କରଇ ନିତ୍ୟ ବୁଦ୍ଧି ॥ ୨୪
ଏ ଦେହ ସୁତ ଦାରା ମୋହେ । ମୋହର ବୋଲି ନିତ୍ୟ କହେ ॥ ୨୫
ଏ ମାୟାମୋହେ ପଡ଼ିଅଛି । ଏଣୁ ନବୁଝଇ କିଛି ॥ ୨୬
ସଂସାର ମଧ୍ୟେ ଜୀବମାନେ । ନିରତେ ଭ୍ରମନ୍ତି ଅଜ୍ଞାନେ ॥ ୨୭
ଯାବତ ଯୋନିରେ ଭ୍ରମନ୍ତି । ସର୍ବତ୍ର ଫୁଟିଣ ମରନ୍ତି ॥ ୨୮
ଏ ଘୋର ଦୁଃଖ ସୁଖମନେ । ବୈରାଗ୍ୟ ନଜନ୍ମେ ଅଜ୍ଞାନେ ॥ ୨୯
ଯେବେ ନରକେ କୀଟ ହୋଇ । ଅତ୍ୟନ୍ତ ସୁଖ ତା ମଣଇ ॥ ୩୦
କରଇ ନରକ ଆହାର । ତଥାପି ଦୁଃଖ ନୋହେ ତାର ॥ ୩୧
ସେ ଦେହତ୍ୟାଗ ନ ଇଚ୍ଛଇ । ଅଜ୍ଞାନ ମୋହେ ସ୍ନେହ ବହି ॥ ୩୨
ଦେହ କଳତ୍ର ସୁତ ଘର । ପଶୁ ଭୃତ୍ୟାଦି ବନ୍ଧୁ ମୋର ॥ ୩୩
ମନକୁ ଏଣେ ଦୃଢ଼ କରେ । ସୁଖ ମଣଇ ଦୁଃଖ ଘୋରେ ॥ ୩୪
ମଣଇ କୃତାର୍ଥ ହୋଇଲି । ଅନେକ ସୁଖ ମୁଁ ଲଭିଲି ॥ ୩୫
ମୋ ତୁଲ୍ୟ ନାହିଁ ଭାଗ୍ୟବନ୍ତ । କେ ଅଛି ମୋ ସମ ମହତ ॥ ୩୬
ତହିଁରେ ଯେତେ ଦୁଃଖ ହୁଏ । ନ ବୁଝେ ପଡ଼ି ମାୟାମୋହେ ॥ ୩୭
ଘୋର-ଗହନ ମାର୍ଗେ ହୁଡ଼ି । ଅଜ୍ଞାନେ ଭ୍ରମେ ଦୁଃଖ ପଡ଼ି ॥ ୩୮
ସେ ସର୍ବ ସୁଖପ୍ରାୟେ ମଣେ । କୃଷ୍ଣ ନଭଜେ ଏକ କ୍ଷଣେ ॥ ୩୯
କୁଟୁମ୍ବ-ପୋଷଣ ଉପାୟେ । ନିରତେ ଆକୁଳ ହୃଦୟେ ॥ ୪୦
ତାଙ୍କ ପୋଷଣେ ଚିନ୍ତା କରେ । ଦଗଧି ମରେ ଦୁଃଖ ଘୋରେ ॥ ୪୧
କ୍ଷଣେ ନପାରେ ଗୃହେ ବହି । ବାଣିଜ୍ୟ-ନାବ ପ୍ରାୟେ ହୋଇ ॥ ୪୨
ସ୍ନେହ ବନ୍ଧନେ ଦିବା ନିଶେ । ସ୍ୱବଶ ନୋହେ ଅବକାଶେ ॥ ୪୩
କରେ ଦୁରିତ କର୍ମମାନ । ଏମନ୍ତ ଏ ମୂଢ଼ ଅଜ୍ଞାନ ॥ ୪୪
ଅସତୀ ଦୁଷ୍ଟା ନାରୀ ଘରେ । ବିବିଧ ଛନ୍ଦ ମାୟା କରେ ॥ ୪୫
ତାର ବଶରେ ନିତ୍ୟେ ଥାଇ । ସେବକ ଜନ ପ୍ରାୟ ହୋଇ ॥ ୪୬
ତା ବାକ୍ୟ ଶୁଣି ତୋଷମନେ । ଲଂଘି ନପାରେ ରାତ୍ର ଦିନେ ॥ ୪୭
ନୟନ ଥାଉଁ ନଦେଖଇ । ଅନ୍ଧ ଜଳକା ପ୍ରାୟ ହୋଇ ॥ ୪୮
ସେ ମନ-ଇନ୍ଦ୍ରିୟ-ହାରିଣୀ । ତାର ସନ୍ତୋଷେ ନିତ୍ୟେ ପ୍ରାଣୀ ॥ ୪୯
ସେ ନାରୀ ସଙ୍ଗେ ବିହରଇ । ନିଶି ଦିବସେ ମନ ଦେଇ ॥ ୫୦
ତାହାଙ୍କ ସୁଖ ଭୋଗ ପ୍ରୀତି । ଓଟାରି ନରକେ ପକାନ୍ତି ॥ ୫୧
ନରକ ବୋଲି ଯାକୁ କହି । ସ୍ତ୍ରିରୀ ସମ୍ଭୋଗ ସୁଖ ଏହି ॥ ୫୨
ଏହା ନଜାଣି ମୂଢ଼ପ୍ରାଣୀ । ଦୁଃଖକୁ ସୁଖ ପରିମାଣି ॥ ୫୩
ବାଳକ କୋମଳ ବଚନ । ତା ଶୁଣି ଅତି ତୋଷମନ ॥ ୫୪
ବାଳକଗୀତେ ହୋଇ ପ୍ରୀତ । ତହିଁ ଅର୍ପିତ କରେ ଚିତ୍ତ ॥ ୫୫
ଏ ସର୍ବ ସୁଖ କରି ମଣେ । ଯେ ହିତ ଅଜ୍ଞାନେ ନ ଜାଣେ ॥ ୫୬
ଏ ଗୃହ ଅତି କୂଟ-ଧର୍ମ । କରାଏ ଅତି ଛନ୍ଦ-କର୍ମ ॥ ୫୭
କେବଳ ଦୁଃଖର ଏ ମୂଳ । ତହିଁ ପଡ଼ିଣ ସେ ବ୍ୟାକୁଳ ॥ ୫୮
ସେ ଦୁଃଖ ପ୍ରତିକାର ପାଇଁ । ନାନା ବ୍ୟାପାରେ ଦୁଃଖେ ଧାଇଁ ॥ ୫୯
ସେ କ୍ଳେଶ ଅତି ସୁଖ ମଣେ । କେବଳ ମୋହେ ନ ପ୍ରମାଣେ ॥ ୬୦
କୁଟୁମ୍ବ-ପୋଷଣରେ ଥାଇ । ବହୁତ ଧନ ଉପୁଜାଇ ॥ ୬୧
ବହୁତ ହିଂସା କର୍ମ କରେ । ଅର୍ଥ-ଅର୍ଜନେ ନିରନ୍ତରେ ॥ ୬୨
ତାହାଙ୍କୁ ପୋଷି ଦୁଃଖେ ନିତ୍ୟେ । ନରକ ଭୁଞ୍ଜେ ଦେହ ଅନ୍ତେ ॥ ୬୩
ତାହାଙ୍କୁ ସତତ ପୋଷଇ । ଆପଣା ସୁଖ ନବାଞ୍ଛଇ ॥ ୬୪
ଯେବେ କ୍ଷୁଧାରେ ମରୁଥାଇ । ତାହାଙ୍କୁ ଅଗ୍ରତେ ଭୁଞ୍ଜାଇ ॥ ୬୫
ତେବେ ଭୁଞ୍ଜଇ ଅବଶେଷ । ଏକର୍ମେ ଧର୍ମ ହୁଏ ନାଶ ॥ ୬୬
ଅନ୍ତେ ସେ ଲଭେ ଅଧୋଗତି । ଏହା ନ ବୁଝେ ମୂଢ଼ମତି ॥ ୬୭
ଜୀବିକା ଦଇବ ସଂଯୋଗେ । ବିନିଷ୍ଟ ହେଲେ କର୍ମଯୋଗେ ॥ ୬୮
ପୁଣି ଜୀବିକା ଆରମ୍ଭଇ । ସେହି ଯଦ୍ୟପି ନାଶ ପାଇ ॥ ୬୯
ପୁଣି ଆରମ୍ଭେ ବାରମ୍ବାର । କୁଟୁମ୍ବ ଅର୍ଥେ ମୂଢ଼ନର ॥ ୭୦
ସମର୍ଥପଣ ଥିବା ଯାଏ । ତାବତ କରଇ ଉପାୟେ ॥ ୭୧
ତହୁଁ ହୋଇଲେ ଅସମର୍ଥ । ଲୋଭେ ଚିନ୍ତଇ ପର-ବିତ୍ତ ॥ ୭୨
ଲୋଭ ବଢ଼ାଇ ପରଧନେ । ନରକ ଭୟକୁ ନ ମାନେ ॥ ୭୩
ନିନ୍ଦିତ-କର୍ମେ ହରେ ଦିନ । କୁଟୁମ୍ବ ଅର୍ଥେ ମୂଢ଼ଜନ ॥ ୭୪
କେବଳ ମନ୍ଦଭାଗ୍ୟ ହୋଇ । କୁଟୁମ୍ବ ପୋଷି ନପାରଇ ॥ ୭୫
ଏଣୁ ହରଇ ପରଧନ । ନାଶଇ ପୂର୍ବ-ଜନ୍ମ-ପୁଣ୍ୟ ॥ ୭୬
ଦରିଦ୍ର ଜୀବନେ ବଞ୍ଚଇ । ନାନା ଆପଦ ପୀଡ଼ା ପାଇ ॥ ୭୭
ବୃଥା ଉଦ୍ୟମେ ଫୁଟି ରହେ । ଆଉ ସମ୍ପଦ କେବେ ନୋହେ ॥ ୭୮
ସର୍ବଦା ହୁଅଇ କୃପଣ । କରଇ ନିତ୍ୟେ ଅର୍ଥଧ୍ୟାନ ॥ ୭୯
ଅର୍ଥ ବିହୀନେ ଚିନ୍ତାକୁଳ । ଶରୀର ଦୁଃଖେ ତା ନିର୍ବଳ ॥ ୮୦
ଶ୍ୱାସ ଉଠଇ ନିରନ୍ତର । ଏମନ୍ତେ ନାଶଇ ଶରୀର ॥ ୮୧
ଅତ୍ୟନ୍ତ ବୃଦ୍ଧଭାବ ପାଇ । କୁଟୁମ୍ପ ପୋଷି ନପାରଇ ॥ ୮୨
ସାମର୍ଥ୍ୟ ହୀନେ ନିଜଘରେ । ବଞ୍ଚଇ ଅତିଥି ବେଭାରେ ॥ ୮୩
ଭବବନ୍ଧନେ ଅଙ୍ଗ ଫୁଟେ । କଫ ନିରୋଧେ କଣ୍ଠତଟେ ॥ ୮୪
ସ୍ମରଣ ବିସ୍ମରଣ କରେ । ଶୋଏ ଶିଥିଳ କଳେବରେ ॥ ୮୫
ଉଠି ନ ପାରି ଅସମର୍ଥେ । ତା ଦେଖି ପୁତ୍ର ଦାରା ଭୃତ୍ୟେ ॥ ୮୬
କରନ୍ତି ଅତି ଅପମାନ । ବୋଲନ୍ତି ନିନ୍ଦିତ ବଚନ ॥ ୮୭
ତାହାକୁ କେହି ନଗଣନ୍ତି । ନାନା ବଚନେ ଗାଳିଦ୍ୟନ୍ତି ॥ ୮୮
ବନ୍ଦୀ ଚୌରର ପ୍ରାୟେ ହୋଇ । ପ୍ରାଭବ ଭର୍ତ୍ସନା ସହଇ ॥ ୮୯
କିଛି ନ ପାରେ ତୁଣ୍ତେ କହି । ଅନ୍ତରେ ଅପମାନ ବହି ॥ ୯୦
ଦାରା ତନୟ ଆଦି ଯେତେ । ଆଦର ଛାଡ଼ନ୍ତି ତୁରିତେ ॥ ୯୧
ଯେବା ଆଦର ପୂର୍ବେ ଥିଲା । ସେ ପୂର୍ବ ସ୍ନେହ ସବୁ ଗଲା ॥ ୯୨
ତାହାଙ୍କୁ ଜ୍ଞାତି ବନ୍ଧୁଜନେ । ଦୂରେ ତେଜନ୍ତି ଦୁଃଖମନେ ॥ ୯୩
ଯେହ୍ନେ କୃଷକ ବୃଦ୍ଧ ଗାବେ । ମାରି ତେଜନ୍ତି ଅନ୍ୟଠାବେ ॥ ୯୪
ତେସନେ ଦାରାଦି ସକଳେ । ବୃଦ୍ଧକୁ ନ ସେବନ୍ତି ହେଳେ ॥ ୯୫
ତଥାପି ସ୍ନେହ ନଛାଡ଼ଇ । ଗୃହାଦି ବାରତ ପୁଛଇ ॥ ୯୬
ତଥାପି ଦୟା ନକରନ୍ତି । ନିଷ୍ଠୁର ବାକ୍ୟେ ଗାଳି ଦ୍ୟନ୍ତି ॥ ୯୭
ଦୁଃଖେଣ ପୋଷିଲା ଯାହାକୁ । ସେ ସର୍ବ ଛାଡ଼ିଲେ ତାହାକୁ ॥ ୯୮
ଜରା ହରନ୍ତେ ରୂପକାନ୍ତି । ତେବେ ନଛାଡ଼େ ସ୍ନେହ ଅତି ॥ ୯୯
ମରଣ ନିକଟ ହୋଇଲା । ବୈରାଗ୍ୟ କେବେ ନସ୍ଫୁରିଲା ॥ ୧୦୦
ଦାରା ତନୟ ଭକ୍ଷ୍ୟ ତାରେ । ଦିଅନ୍ତି ଅତି ହତାଦରେ ॥ ୧୦୧
କର୍ମ ଆୟତ୍ତେ ଯେବା ପାଇ । ସନ୍ତୋଷ ନେହେ ତାହା ଖାଇ ॥ ୧୦୨
ଭୁଞ୍ଜଇ ଗୃହାନ୍ତରେ ଯାଇ । ଶଙ୍କିତେ ଶ୍ୱାନ ପ୍ରାୟେ ହୋଇ ॥ ୧୦୩
ଚିନ୍ତା-ପ୍ରଜ୍ୱରେ ଦୁଃଖମନ । ରୋଗ ବଢ଼ଇ ପ୍ରତିଦିନ ॥ ୧୦୪
କ୍ଷୁଧାରେ କମ୍ପଇ ଶରୀର । ଭକ୍ଷଇ ଅଳପ ଆହାର ॥ ୧୦୫
କିଛି ନ ବୋଲେ ଅହଙ୍କାରେ । ଭିତରେ ପକ୍ଷୀ ପ୍ରାୟେ ଝୁରେ ॥ ୧୦୬
ଦିନକୁ ଦିନ ତନୁ କ୍ଷୀଣ । ଯେସନେ ପୁରୁଣା ବସନ ॥ ୧୦୭
ଆହାର ହୀନେ ଚିନ୍ତାଛନ୍ନେ । ନ ପଚେ ମନ୍ଦ-ହୁତାଶନେ ॥ ୧୦୮
ଆହାର ଅଳପ ଭକ୍ଷଇ । ଦୁର୍ବଳେ ଉଠି ନ ପାରଇ ॥ ୧୦୯
ଖର ପବନ ନାସାଦ୍ୱାରେ । ବହଇ ଅତି ଦୀର୍ଘତରେ ॥ ୧୧୦
ଶବଦ ଅତି ଭୟଙ୍କର । ଯେହ୍ନେ ଗଭୀର କମ୍ବୁସ୍ୱର ॥ ୧୧୧
ଗୃହ ବାହାରେ ଆସି ରହେ । କଫ ନିବାରେ ଶକ୍ତି ନୋହେ ॥ ୧୧୨
କଫେ ପୂରିତ ନାଡ଼ିମାନ । ଶ୍ୱାସ ନଚଳଇ ସମାନ ॥ ୧୧୩
କାଶରେ ବାୟୁ ଉର୍ଦ୍ଧ୍ୱଗତ । ତେଣୁ ନୟନ ବହିର୍ଗତ ॥ ୧୧୪
ଯେଣୁ ପବନ ମନ୍ଦ ହୋଇ । ବଚନ ନପାରଇ କହି ॥ ୧୧୫
ସର୍ବଦା ଉଠେ କାଶ ଶ୍ୱାସ । ଏଣେ ଲଭଇ ବହୁ କ୍ଳେଶ ॥ ୧୧୬
କଣ୍ଠ ହୁଅଇ ଘୁର-ଘୁର । ବଚନ ନୁହଇ ବାହାର ॥ ୧୧୭
ପ୍ରାଣ ହୁଅଇ କଣ୍ଠତଟ । ଜୀବନ ହୋଏ ଛଟପଟ ॥ ୧୧୮
କାନ୍ଦଇ ବନ୍ଧୁ ମୁଖ ଚାହିଁ । ବଦନୁ ବାକ୍ୟ ନ ସ୍ଫୁରଇ ॥ ୧୧୯
ଚିନ୍ତଇ କି ରୂପେ ମରିବି । କାହିଁ କେବଳ ମାର୍ଗେ ଯିବି ॥ ୧୨୦
ମୋର ମରଣେ ପୁତ୍ର ନାରୀ । କେମନ୍ତେ ଥିବେ ଗୃହ କରି ॥ ୧୨୧
ଦୁଃଖେ ସଞ୍ଚିଲି ଯେତେ ଧନ । ମୋ ମଲେ ଏହା ନେବ ଆନ ॥ ୧୨୨
ଏ ଯେ ହୋଇବେ ଅରକ୍ଷିତ । ଏଣୁ ବ୍ୟାକୁଳ ହୁଏ ଚିତ୍ତ ॥ ୧୨୩
ଭିତରେ ଆକୁଳେ କାନ୍ଦଇ । ତା ମନ କେହି ନ ଜାଣଇ ॥ ୧୨୪
ଜୀବନ ଦହେ ଦାରା-ଧନେ । ଗୋବିନ୍ଦ ନସ୍ଫୁରେ ଅଜ୍ଞାନେ ॥ ୧୨୫
ବାଲିଶଯ୍ୟାରେ ଶୋଇ ଦେଇ । ବନ୍ଧୁ ବାନ୍ଧବେ ବେଢ଼ି ତହିଁ ॥ ୧୨୬
ସକଳେ କରନ୍ତି ରୋଦନ । ଶ୍ରବଣେ ଡାକନ୍ତି ସଘନ ॥ ୧୨୭
ହେ ତାତ ବୋଲି କେ ଡାକଇ । ତା ଗୁଣ ଭାଳି କେ ରୋଦଇ ॥ ୧୨୮
କେହୁ ଡାକନ୍ତି ପୁତ୍ର ଭାଇ । ପତ୍ନୀ ଡାକଇ ହେ ଗୋସାଇଁ ॥ ୧୨୯
ନାନା ପ୍ରକାରେ ସେ ରୋଦନ୍ତି । ତା ଦୁଃଖ କେହି ନ ଘେନନ୍ତି ॥ ୧୩୦
ସେ କାଳପାଶେ ବନ୍ଦୀ ହୋଇ । କିଞ୍ଚିତେ ବାକ୍ୟ ନ ଭାଷଇ ॥ ୧୩୧
ପୀଡ଼ିତ ମୃତ୍ୟୁ ଦୁଃଖ-ଘୋରେ । କୁଟୁମ୍ବ ଭରଣ ବ୍ୟାପାରେ ॥ ୧୩୨
ଶୁଣ ଜନନୀ ଏକ ଚିତ୍ତେ । ସଂସାର ଦୁଃଖସୁଖ ଏତେ ॥ ୧୩୩
ମନ ନିବିଷ୍ଟ ତହିଁ କଲା । ଇନ୍ଦ୍ରିୟ ଜିଣି ନପାରିଲା ॥ ୧୩୪
ତେଣୁ ହୋଇଲା ମୃତ୍ୟୁ ତାର । ଏ ଦଣ୍ତ ଅତି ଭୟଙ୍କର ॥ ୧୩୫
ବନ୍ଧୁ-ସ୍ୱଜନେ ସର୍ବେ ଥାଇ । ତା ଦୁଃଖଭାରୀ କେହି ନୋହି ॥ ୧୩୬
ବ୍ୟର୍ଥେ ପୋଷିଲା ତାଙ୍କୁ ଦୁଃଖେ । ଏବେ ସେ ତେଜିଲେ ବିମୁଖେ ॥ ୧୩୭
ପ୍ରାଣ ଯିବାର ବେଳେ ମାଏ । ଅତି ବେଦନା ଜୀବ ପାଏ ॥ ୧୩୮
ଘୋର ବ୍ୟଥାରେ ନଷ୍ଟ ମତି । ଚେତନା ରହିତ ହୁଅନ୍ତି ॥ ୧୩୯
ଏମନ୍ତେ ଜୀବନର ଅନ୍ତେ । ବେଗେ ମିଳନ୍ତି ଯମ ଦୂତେ ॥ ୧୪୦
ପ୍ରଚଣ୍ତ-ରୂପ ଭୟଙ୍କର । ଉଦ୍ଦଣ୍ତ ଦଣ୍ତ ପାଶଧର ॥ ୧୪୧
ତାହାଙ୍କ ରୂପକୁ ଅନାଇଁ । ଅଜ୍ଞାନେ ବିକଳେ କମ୍ପଇ ॥ ୧୪୨
ପାପୀଙ୍କି ଘେନି ଯିବା ପାଇଁ । ସକ୍ରୋଧ-ନୟନେ ଅନାଇ ॥ ୧୪୩
ତାଙ୍କୁ ଦେଖନ୍ତି ପାପୀଜନ । ହୃଦୟ ଭୟେ କମ୍ପମାନ ॥ ୧୪୪
ଆରତେ ଛାଡ଼େ ମଳମୂତ୍ର । ସର୍ବତ୍ର କମ୍ପମାନ ଗାତ୍ର ॥ ୧୪୫
ଯମ-ଡଗରେ ଆଗସରି । ଯାତନା-ପୁରୁଷକୁ ଧରି ॥ ୧୪୬
ବନ୍ଧନେ ନ କରନ୍ତି ଦୟେ । ତର୍ଜନ୍ତି ରାଜଭଟ୍ଟ ପ୍ରାୟେ ॥ ୧୪୭
ବନ୍ଧନ କରି ଚର୍ମପାଶେ । ଦଣ୍ତ ପ୍ରହାରି ମହାରୋଷେ ॥ ୧୪୮
ସେ ରୂପ କେହି ନଦେଖନ୍ତି । ଅନ୍ଧାରପଥେ ଘେନିଯାନ୍ତି ॥ ୧୪୯
ପଥରେ ଗମନ୍ତି କୁକୁର । ରୋଷେ କାଟନ୍ତି ତା ଶରୀର ॥ ୧୫୦
ତାହାଙ୍କ ରୂପ ଦେଖି ଡରି । କାନ୍ଦଇ ଉଚ୍ଚ ନାଦ କରି ॥ ୧୫୧
ତୀକ୍ଷ୍ଣ ଦଂଶନେ ଖଣ୍ତ ଖଣ୍ତ । ବେଗେ କରନ୍ତି ତାର ପିଣ୍ତ ॥ ୧୫୨
ବିକ୍ରମି କରନ୍ତି ଭକ୍ଷଣ । କରଇ କାତରେ ରୋଦନ ॥ ୧୫୩
ସେ ଅତି କଷ୍ଟେ ପୀଡ଼ା ପାଇ । ନିଜ ପାତକ ସୁମରଇ ॥ ୧୫୪
ଉଠି ପଡ଼ଇ ସେ ଭୂତଳେ । ଘୋର ପ୍ରହାର ଭୟାକୁଳେ ॥ ୧୫୫
କ୍ଷୁଧା-ପିପାସା-ଦୁଃଖାକୁଳେ । ପଥରେ ନିଅନ୍ତି ସତ୍ୱରେ ॥ ୧୫୬
ବଇତରଣୀ ନଦୀକୂଳେ । ବାଲୁକା ଜଳଇ ଅନଳେ ॥ ୧୫୭
ତପ୍ତ ବାଲୁକାମୟ ପଥ । ସେ ଉଷ୍ଣବାୟୁ ସନ୍ତାପିତ ॥ ୧୫୮
ସୂର୍ଯ୍ୟକିରଣ ଦାବାନଳ । ସନ୍ତପ୍ତ କରେ ଅତିବେଳ ॥ ୧୫୯
ଜଳି ତାପଇ ଅତିଘୋରେ । ସେ ତାପ କେ ସହୁ ଶରୀରେ ॥ ୧୬୦
ତହୁଁ ତପତ ବାଲୁକାରେ । ପ୍ରବେଶ କରାନ୍ତି ସତ୍ୱରେ ॥ ୧୬୧
ଯେବେ ନ ପଶେ ଭୟ କରି । ତକ୍ଷଣେ ଶିରେ ଯଷ୍ଟି ମାରି ॥ ୧୬୨
କ୍ଷଣେ ବିଶ୍ରାମ ନ କରାନ୍ତି । ଅନେକ ଘୋର ଶାସ୍ତି ଦ୍ୟନ୍ତି ॥ ୧୬୩
ଯେ ମାର୍ଗେ ଜଳ ବୃକ୍ଷ ନାହିଁ । ପ୍ରାଣ ସମ୍ଭାଳିବ ସେ କାହିଁ ॥ ୧୬୪
ଆଶ୍ରୟ ଉଦକ ନ ମିଳେ । ସମର୍ଥ ହୀନେ ଭୟେ ଚଳେ ॥ ୧୬୫
ଏମନ୍ତ ପଥେ ନ୍ୟନ୍ତି ଧରି । ଏକାନ୍ତେ ନିଜ କର୍ମ ସ୍ମରି ॥ ୧୬୬
ପଡ଼ି ଉଠଇ ଦୁଃଖେ ଶ୍ରମେ । ମୂର୍ଚ୍ଛିତ ହୋଏ ଜ୍ଞାନ ଭ୍ରମେ ॥ ୧୬୭
ମାରନ୍ତେ ସତ୍ୱରେ ଉଠଇ । ଅଜ୍ଞାନେ ପୁଣି ସେ ପଡ଼ଇ ॥ ୧୬୮
ସେ ଦୂତେ ଦୟା ନକରନ୍ତି । ଦୁଃସହ ମାର୍ଗେ ଘେନିଯାନ୍ତି ॥ ୧୬୯
ଗହନ ଘୋର ଅନ୍ଧକାରେ । ନିଅନ୍ତି ପାପୀକୁ ଯତ୍ନରେ ॥ ୧୭୦
ପଥ ଅଦୃଶ୍ୟେ ହୁଡ଼ି ପଡ଼େ । ମୁଣ୍ତେ ପ୍ରହାରନ୍ତି ନିବିଡ଼େ ॥ ୧୭୧
ଏମନ୍ତ ଦୁଃଖେ ପାପୀଜନ । ପ୍ରବେଶ ଯମର ଭୁବନ ॥ ୧୭୨
ନବ ନବତି ପରିମିତ । ସହସ୍ର ଯୋଜନ ସେ ପଥ ॥ ୧୭୩
ବେନି ବା ତିନି ମୁହୂର୍ତ୍ତରେ । ପ୍ରବେଶ କରାନ୍ତି ସେଠାରେ ॥ ୧୭୪
ଯମ ନିକଟେ ତାକୁ ନେଇ । ବୋଲନ୍ତି ଶିରେ କରଦେଇ ॥ ୧୭୫
ଭୋ ଧର୍ମରାଜ ତୋ ବଚନେ । ଆଣିଲୁ ତୋର ସନ୍ନିଧାନେ ॥ ୧୭୬
ସେ ଯମ କରଣେ ହକାରି । ତା ପାପ ସୁକୃତ ବିଚାରି ॥ ୧୭୭
ସୁକୃତୀ ରହେ ସ୍ୱର୍ଗଲୋକେ । ନାରକୀ ପଡ଼ଇ ନରକେ ॥ ୧୭୮
କହନ୍ତି ପ୍ରଭୁ ନାରାୟଣ । ପାପୀ ଯାତନା ମାତା ଶୁଣ ॥ ୧୭୯
ଯେ ପ୍ରାଣୀ ନରକେ ପଡ଼ନ୍ତି । ଦୁର୍ଗମ ତାହାଙ୍କ ଦୁର୍ଗତି ॥ ୧୮୦
ତହିଁ ଦଣ୍ତନ୍ତି ଅନୁକ୍ଷଣ । ମସ୍ତାକ ସର୍ବାଙ୍ଗ ଚରଣ ॥ ୧୮୧
ତଦନ୍ତେ ଦହନ୍ତି ଅନଳେ । ରୋଦଇ ନିର୍ଘାତ ଚହଳେ ॥ ୧୮୨
ଅତ୍ୟନ୍ତ ପୀଡ଼ାରେ ବ୍ୟାକୁଳ । କ୍ଷୁଧାରେ ହୋଏ ଜ୍ଞାନଭୋଳ ॥ ୧୮୩
ଆପଣ ହସ୍ତେ ଦେହ ମାଂସ । କାଟିଣ କରୁଥାଇ ଗ୍ରାସ ॥ ୧୮୪
ଅଥବା କାଟି ଦ୍ୟନ୍ତି ପର । ତହା ଭକ୍ଷଇ ପାପୀ ନର ॥ ୧୮୫
ଗୃଧ୍ର କୁକୁର ଯମପୁରେ । ପାପୀଙ୍କି ବେଢ଼ିଣ ସତ୍ୱରେ ॥ ୧୮୬
ଓଟାରି ନ୍ୟନ୍ତି ନାଡ଼ିଗଣ । ତଥାପି ନ ଛାଡ଼ଇ ପ୍ରାଣ ॥ ୧୮୭
ମିଳନ୍ତି ମହା ମହା ସର୍ପେ । ଦଂଶନ୍ତି ତାର ଦେହେ କୋପେ ॥ ୧୮୮
ମର୍ତ୍ସ କଚ୍ଛପ ତା ଶରୀର । ବେଢ଼ି ଭକ୍ଷନ୍ତି ନିରନ୍ତର ॥ ୧୮୯
କ୍ଷୁର ପ୍ରହାରେ ତାର ପିଣ୍ତ । କାଟି କରନ୍ତି ଖଣ୍ତ ଖଣ୍ତ ॥ ୧୯୦
ଉତ୍ତାନେ ପକାଇ ଧରଣୀ । ଗଜେ ମାରନ୍ତି ଦନ୍ତ ଆଣି ॥ ୧୯୧
ଦଶନେ ଶରୀର ଚିରନ୍ତି । ପର୍ବତ ଶିଖରୁ ପକାନ୍ତି ॥ ୧୯୨
ତଦନ୍ତେ ଖାତଖୋଳି ରୁନ୍ଧି । ଧୂମ ପୁରାନ୍ତି ନିରବଧି ॥ ୧୯୩
ବୁଡ଼ାଇ ରଖନ୍ତି ଜଳରେ । ପଥର ଲଦି ତା ଉପରେ ॥ ୧୯୪
ଆକୁଳେ ରୋଦଇ ବିକଳେ । ମୁଖେ ପିଟନ୍ତି କୋପାନଳେ ॥ ୧୯୫
ଏମନ୍ତେ କର୍ମର ଆୟତ୍ତେ । ନାନା ଯାତନା ଦଣ୍ତ ଯେତେ ॥ ୧୯୬
ଚତୁରଅଶୀତି ନରକେ । ନେଇ ଭୁଞ୍ଜାନ୍ତି ଏକେ ଏକେ ॥ ୧୯୭
ଏମନ୍ତେ ସଂସାର ଭ୍ରମଣେ । ବ୍ୟାକୁଳ କୁଟୁମ୍ବ ପୋଷଣେ ॥ ୧୯୮
ଅନ୍ତେ ଯମର ପୁରେ ଯାନ୍ତେ । କେହି ନଯାନ୍ତି ତାର ସାଥେ ॥ ୧୯୯
ବନ୍ଧୁବାନ୍ଧବ ପରିଜନେ । ଦହନ କରି ଶମଶାନେ ॥ ୨୦୦
ବିମୁଖେ ନିଜ ପୁରେ ଯାନ୍ତି । ତା ସଙ୍ଗେ କେହି ନ ରହନ୍ତି ॥ ୨୦୧
ଅର୍ଜିଲା ପାପପୁଣ୍ୟ ବେନି । ପଥେ ଗମନ୍ତି ତାକୁ ଘେନି ॥ ୨୦୨
ଏ ଦୁଇବଳେ ପରଲୋକେ । ଭୋଗ କରଇ ଏକେ ଏକେ ॥ ୨୦୩
ଅଧର୍ମେ ଧନାର୍ଜନ କରି । କୁଟୁମ୍ବ ପ୍ରପୋଷଣ କରି ॥ ୨୦୪
ଧର୍ମ ନ ସଞ୍ଚେ ରେଣୁ ମାତ୍ରେ । ନିତ୍ୟେ ମଜ୍ଜଇ ଦାରା-ସୁତେ ॥ ୨୦୫
ତାହାର ନାହିଁ ଇହପର । ଅନ୍ତେ ନରକ ମାତ୍ର ସାର ॥ ୨୦୬
ଏମନ୍ତେ କର୍ମର ଆୟତ୍ତେ । ଚଳନ୍ତି ସ୍ୱର୍ଗ-ନର୍କ ପଥେ ॥ ୨୦୭
ତାମିସ୍ର ଆଦି ଯେ ଯାତନା । କେତେ ତା କରିବି ବର୍ଣ୍ଣନା ॥ ୨୦୮
ପାତକୀ ସକଳ ଭୁଞ୍ଜଇ । ସ୍ୱକର୍ମ-ପାଶେ ବଦ୍ଧ ହୋଇ ॥ ୨୦୯
ଯେତେ ଅଛନ୍ତି ନରନାରୀ । ସର୍ବେ ଯାତନା ଅଧିକାରୀ ॥ ୨୧୦
ଉଭୟ ସଙ୍ଗେ ଏ ନରକ । ଭୁଞ୍ଜଇ ସଦା ପାପୀଲୋକ ॥ ୨୧୧
ଭୋ ମାତ ଦେଖ ସୁବିଚାରେ । ନରକ ସ୍ୱର୍ଗ ଏହିଠାରେ ॥ ୨୧୨
ନରକ ରାଜଦଣ୍ତ ଆଦି । ଏହା ବୋଲନ୍ତି ଶାସ୍ତ୍ରବାଦୀ ॥ ୨୧୩
ଯେ ଉପଭୋଗ ସ୍ୱର୍ଗସୁଖ । ଏଠାରେ ଦେଖ ତା ପ୍ରତ୍ୟକ୍ଷ ॥ ୨୧୪
ଏ ବେନି ବୁଝ ପରିମାଣି । ବିବେକ ମୁଖେ ଶାସ୍ତ୍ର ଶୁଣି ॥ ୨୧୫
ଏରୂପେ କୁଟୁମ୍ବ ଯେ ପୋଷେ । ନିଜ ଉଦର ପରିତୋଷେ ॥ ୨୧୬
ଏ ବେନି ସଙ୍ଗତେ ନଯାଇ । ଛାଡ଼ିଣ ଏକା ସେ ଚଳଇ ॥ ୨୧୭
ଭୂଞ୍ଜଇ ଆପେ କର୍ମଫଳ । ଯାଠାରୁ ନାହିଁ ବଳୀୟାର ॥ ୨୧୮
ତେଜିଣ ନିଜ କଳେବର । ଏକା ସେ ଗମେ ଯମପୁର ॥ ୨୧୯
ଅଧର୍ମେ ପ୍ରାଣୀ ହିଂସା କରି । ଯେ ଦେହ ପୋଷେ ସ୍ନେହ ଭରି ॥ ୨୨୦
ସେ ଦେହ ତେଜିଣ ସେ ଯାଇ । ପାପକୁ ପୃଷ୍ଠରେ ବସାଇ ॥ ୨୨୧
ଏକା ସେ ନରକ ଭୁଞ୍ଜଇ । ଦ୍ୱିତୀୟ ସଙ୍ଗତେ ନଯାଇ ॥ ୨୨୨
କୁଟୁମ୍ବ-ପୋଷଣର ଫଳ । ତାହାର ଯେତେକ ଶମଳ ॥ ୨୨୩
ସେ ଫଳ ଈଶ୍ୱର ଦିଅନ୍ତି । ପାପୀ ହିଁ ଏକାନ୍ତେ ଭୁଞ୍ଜନ୍ତି ॥ ୨୨୪
ଧନ ହରାଇ ଯେହ୍ନେ ନର । ମନରେ ହୁଅଇ ଆତୁର ॥ ୨୨୫
ତେସନ ପାପ କରେ ପ୍ରାଣୀ । ବ୍ୟାକୁଳେ ଭୁଞ୍ଜେ ପୁଣ ପୁଣି ॥ ୨୨୬
ସେ ଦୁଃଖ ନ ଭୁଞ୍ଜଇ ପର । ତେସନେ ନରକ ଆହାର ॥ ୨୨୭
କେବଳ ଅଧର୍ମ ଆଚରି । କୁଟୁମ୍ବ ପୋଷଣ ଯେ କରି ॥ ୨୨୮
ଗମଇ ଅନ୍ଧ-ତାମିସ୍ରକୁ । ଉଦ୍ଧାର ନାହିଁ କାହିଁ ତାକୁ ॥ ୨୨୯
ଅନ୍ଧ-ତାମିସ୍ର ଯାର ନାମ । ତାହା ହିଁ ନରମ ଚରମ ॥ ୨୩୦
ସେ ତହିଁ ଗମନ କରଇ । ବହୁତ କାଳ ତହିଁ ଥାଇ ॥ ୨୩୧
ତାର ନରକ ଭୋଗ ଅନ୍ତେ । ଆପଣା କର୍ମର ଆୟେତ୍ତେ ॥ ୨୩୨
ଯେତେକ ଯାତନା ଅଛଇ । କ୍ରମେଣ ସକଳ ଭୁଞ୍ଜଇ ॥ ୨୩୩
ସେ ପାପପୁଣ୍ୟ ଅବଶେଷ । କର୍ମେ ସେ ଉଦରେ ପ୍ରବେଶ ॥ ୨୩୪
ଶ୍ୱାନ ଶୂକର ଆଦି ଯୋନି । ପାପୀ ଲଭଇ କର୍ମ ଘେନି ॥ ୨୩୫
ଭୁଞ୍ଜନ୍ତି ପ୍ରାଣୀ ଦେହ ଘେନି । କହିବା ଶୁଣ ଗୋ ଜନନୀ ॥ ୨୩୬
କ୍ରମେ ତା ପାପ କ୍ଷୀଣ ହୋଇ । ପୁଣି ସେ ନରଜନ୍ମ ପାଇ ॥ ୨୩୭
ଏମନ୍ତେ ମାତାର ସମୀପେ । ଗୋବିନ୍ଦ କପିଳ ସ୍ୱରୂପେ ॥ ୨୩୮
ଯେତେ କହିଲେ ଜ୍ଞାନବାଣୀ । ସୁଜନଜନେ ଏହା ଶୁଣି ॥ ୨୩୯
ତରିବ ଭବବନ୍ଧ-ପାଶ । କହଇ ଜଗନ୍ନାଥ ଦାସ ॥ ୨୪୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ କାପିଳେୟ ଉପାଖ୍ୟାନେ କର୍ମବିପାକୋ ନାମ ତ୍ରିଂଶୋଽଧ୍ୟାୟଃ ॥
* * *