ତୃତୀୟ ସ୍କନ୍ଧ

ତ୍ରିଂ‌ଶ ଅଧ୍ୟାୟ

ଭଗବାନ ଉବାଚ

କହନ୍ତି ପ୍ରଭୁ ଭଗବାନ । ଭୋ ମାତ ହୁଅ ସାବଧାନ ॥

ସେ କାଳ ପୁରୁଷପୁରାଣ । ସେ ପୁଣି ଅତି ବଳବାନ ॥

ସେ କାଳ ପରାକ୍ରମ ଯେତେ । କେ କହିପାରିବ ଜଗତେ ॥

ଏ ଯେତେ ଜୀବଲୋକେ ଛନ୍ତି । ତା ଗତି କେହି ନଜାଣନ୍ତି ॥

ସେ କାଳ ସକଳ ନାଶଇ । ଏଣୁ ତା ଗତି କେ ଜାଣଇ ॥

ଏ ଚରାଚର ଦେହଧାରୀ । ଯେ ସ୍ଥୂଳ ସୂକ୍ଷ୍ମ ଆଦି କରି ॥

ସକଳ କରଇ ଭକ୍ଷଣ । କ୍ଷୁଧାର୍ତ୍ତେ ଯେସନେ କୃପଣ ॥

ଯେହ୍ନେ ସମୀର ବଳୀୟାର । ଜୀମୂତ କରଇ ସଞ୍ଚାର ॥

ସେ ଘନ ତା ଗତି ନଜାଣେ । ତେସନେ ହୋଇ ଜୀବଗଣେ ॥

କାଳର ଗତି ନ ଜାଣନ୍ତି । ସେ କାଳବଶେ ଭ୍ରମୁଥାନ୍ତି ॥ ୧୦

ଏ ଜୀବ ସୁଖଭୋଗ ପାଇଁ । ଅର୍ଥ ଉପାର୍ଜନେ ଭ୍ରମଇ ॥ ୧୧

ବିବିଧ ଦୁଃଖେ ତା ସଞ୍ଚଇ । ସେ ଅର୍ଥ କାଳ ଯେ ହରଇ ॥ ୧୨

ତ୍ରିଲୋକ ଶୋଚେ ଯାହାପାଇଁ । ସେ ଅର୍ଥ କାଳ ବିନାଶଇ ॥ ୧୩

ସେ କାଳ ଅତି ବଳିୟାର । କେ ଜାଣିପାରେ ଗତି ତାର ॥ ୧୪

ସୂକ୍ଷ୍ମ ସ୍ୱରୂପେ ବିହରଇ । ମନ ବଚନେ ଭେଦ ନୋହି ॥ ୧୫

କୃଷକଜନ ପ୍ରାୟେ ହୋଇ । ସଂସାର ପାଳି ବିନାଶଇ ॥ ୧୬

ସେ କାଳମୁଖେ ଜୀବ ରହି । ନାନା ବିବାଦେ ହିଂସା ବହି ॥ ୧୭

କରନ୍ତି ନାନା ଛନ୍ଦ ମାୟା । ହୃଦେ ନ ବସେ ଜୀବେ ଦୟା ॥ ୧୮

ନିŸର୍ଦ୍ଦୟ ଭାବେ ମୂଢ଼ପଣେ । କାଳ ଗ୍ରାସଇ ପୂଣ୍ୟହୀନେ ॥ ୧୯

ତାହାର ନାହିଁ ପକ୍ଷାପକ୍ଷ । ସକଳ କରଇ ସେ ଭକ୍ଷ୍ୟ ॥ ୨୦

ଏ ଜୀବ ଅତି ମତିହୀନ । ଅର୍ଥ ସଞ୍ଚଇ ପ୍ରତିଦିନ ॥ ୨୧

ଯେ ଅର୍ଥେ ମୃତ୍ୟୁ ଉପଗତ । ନ ଜାଣେ ଏ ମୂଢ଼ ସମସ୍ତ ॥ ୨୨

ଅନିତ୍ୟ ଦେହ ନ ବୁଝଇ । ବ୍ୟାପାର କରେ ଦୁଃଖ ସହି ॥ ୨୩

ଗୃହ କଳତ୍ର ଧନ ଆଦି । ଏଣେ କରଇ ନିତ୍ୟ ବୁଦ୍ଧି ॥ ୨୪

ଏ ଦେହ ସୁତ ଦାରା ମୋହେ । ମୋହର ବୋଲି ନିତ୍ୟ କହେ ॥ ୨୫

ଏ ମାୟାମୋହେ ପଡ଼ିଅଛି । ଏଣୁ ନବୁଝଇ କିଛି ॥ ୨୬

ସଂସାର ମଧ୍ୟେ ଜୀବମାନେ । ନିରତେ ଭ୍ରମନ୍ତି ଅଜ୍ଞାନେ ॥ ୨୭

ଯାବତ ଯୋନିରେ ଭ୍ରମନ୍ତି । ସର୍ବତ୍ର ଫୁଟିଣ ମରନ୍ତି ॥ ୨୮

ଏ ଘୋର ଦୁଃଖ ସୁଖମନେ । ବୈରାଗ୍ୟ ନଜନ୍ମେ ଅଜ୍ଞାନେ ॥ ୨୯

ଯେବେ ନରକେ କୀଟ ହୋଇ । ଅତ୍ୟନ୍ତ ସୁଖ ତା ମଣଇ ॥ ୩୦

କରଇ ନରକ ଆହାର । ତଥାପି ଦୁଃଖ ନୋହେ ତାର ॥ ୩୧

ସେ ଦେହତ୍ୟାଗ ନ ଇଚ୍ଛଇ । ଅଜ୍ଞାନ ମୋହେ ସ୍ନେହ ବହି ॥ ୩୨

ଦେହ କଳତ୍ର ସୁତ ଘର । ପଶୁ ଭୃତ୍ୟାଦି ବନ୍ଧୁ ମୋର ॥ ୩୩

ମନକୁ ଏଣେ ଦୃଢ଼ କରେ । ସୁଖ ମଣଇ ଦୁଃଖ ଘୋରେ ॥ ୩୪

ମଣଇ କୃତାର୍ଥ ହୋଇଲି । ଅନେକ ସୁଖ ମୁଁ ଲଭିଲି ॥ ୩୫

ମୋ ତୁଲ୍ୟ ନାହିଁ ଭାଗ୍ୟବନ୍ତ । କେ ଅଛି ମୋ ସମ ମହତ ॥ ୩୬

ତହିଁରେ ଯେତେ ଦୁଃଖ ହୁଏ । ନ ବୁଝେ ପଡ଼ି ମାୟାମୋହେ ॥ ୩୭

ଘୋର-ଗହନ ମାର୍ଗେ ହୁଡ଼ି । ଅଜ୍ଞାନେ ଭ୍ରମେ ଦୁଃଖ ପଡ଼ି ॥ ୩୮

ସେ ସର୍ବ ସୁଖପ୍ରାୟେ ମଣେ । କୃଷ୍ଣ ନଭଜେ ଏକ କ୍ଷଣେ ॥ ୩୯

କୁଟୁମ୍ବ-ପୋଷଣ ଉପାୟେ । ନିରତେ ଆକୁଳ ହୃଦୟେ ॥ ୪୦

ତାଙ୍କ ପୋଷଣେ ଚିନ୍ତା କରେ । ଦଗଧି ମରେ ଦୁଃଖ ଘୋରେ ॥ ୪୧

କ୍ଷଣେ ନପାରେ ଗୃହେ ବହି । ବାଣିଜ୍ୟ-ନାବ ପ୍ରାୟେ ହୋଇ ॥ ୪୨

ସ୍ନେହ ବନ୍ଧନେ ଦିବା ନିଶେ । ସ୍ୱବଶ ନୋହେ ଅବକାଶେ ॥ ୪୩

କରେ ଦୁରିତ କର୍ମମାନ । ଏମନ୍ତ ଏ ମୂଢ଼ ଅଜ୍ଞାନ ॥ ୪୪

ଅସତୀ ଦୁଷ୍ଟା ନାରୀ ଘରେ । ବିବିଧ ଛନ୍ଦ ମାୟା କରେ ॥ ୪୫

ତାର ବଶରେ ନିତ୍ୟେ ଥାଇ । ସେବକ ଜନ ପ୍ରାୟ ହୋଇ ॥ ୪୬

ତା ବାକ୍ୟ ଶୁଣି ତୋଷମନେ । ଲଂଘି ନପାରେ ରାତ୍ର ଦିନେ ॥ ୪୭

ନୟନ ଥାଉଁ ନଦେଖଇ । ଅନ୍ଧ ଜଳକା ପ୍ରାୟ ହୋଇ ॥ ୪୮

ସେ ମନ-ଇନ୍ଦ୍ରି‌ୟ-ହାରିଣୀ । ତାର ସନ୍ତୋଷେ ନିତ୍ୟେ ପ୍ରାଣୀ ॥ ୪୯

ସେ ନାରୀ ସଙ୍ଗେ ବିହରଇ । ନିଶି ଦିବସେ ମନ ଦେଇ ॥ ୫୦

ତାହାଙ୍କ ସୁଖ ଭୋଗ ପ୍ରୀତି । ଓଟାରି ନରକେ ପକାନ୍ତି ॥ ୫୧

ନରକ ବୋଲି ଯାକୁ କହି । ସ୍ତ୍ରିରୀ ସମ୍ଭୋଗ ସୁଖ ଏହି ॥ ୫୨

ଏହା ନଜାଣି ମୂଢ଼ପ୍ରାଣୀ । ଦୁଃଖକୁ ସୁଖ ପରିମାଣି ॥ ୫୩

ବାଳକ କୋମଳ ବଚନ । ତା ଶୁଣି ଅତି ତୋଷମନ ॥ ୫୪

ବାଳକଗୀତେ ହୋଇ ପ୍ରୀତ । ତହିଁ ଅର୍ପିତ କରେ ଚିତ୍ତ ॥ ୫୫

ଏ ସର୍ବ ସୁଖ କରି ମଣେ । ଯେ ହିତ ଅଜ୍ଞାନେ ନ ଜାଣେ ॥ ୫୬

ଏ ଗୃହ ଅତି କୂଟ-ଧର୍ମ । କରାଏ ଅତି ଛନ୍ଦ-କର୍ମ ॥ ୫୭

କେବଳ ଦୁଃଖର ଏ ମୂଳ । ତହିଁ ପଡ଼ିଣ ସେ ବ୍ୟାକୁଳ ॥ ୫୮

ସେ ଦୁଃଖ ପ୍ରତିକାର ପାଇଁ । ନାନା ବ୍ୟାପାରେ ଦୁଃଖେ ଧାଇଁ ॥ ୫୯

ସେ କ୍ଳେଶ ଅତି ସୁଖ ମଣେ । କେବଳ ମୋହେ ନ ପ୍ରମାଣେ ॥ ୬୦

କୁଟୁମ୍ବ-ପୋଷଣରେ ଥାଇ । ବହୁତ ଧନ ଉପୁଜାଇ ॥ ୬୧

ବହୁତ ହିଂସା କର୍ମ କରେ । ଅର୍ଥ-ଅର୍ଜନେ ନିରନ୍ତରେ ॥ ୬୨

ତାହାଙ୍କୁ ପୋଷି ଦୁଃଖେ ନିତ୍ୟେ । ନରକ ଭୁଞ୍ଜେ ଦେହ ଅନ୍ତେ ॥ ୬୩

ତାହାଙ୍କୁ ସତତ ପୋଷଇ । ଆପଣା ସୁଖ ନବାଞ୍ଛ‚ଇ ॥ ୬୪

ଯେବେ କ୍ଷୁଧାରେ ମରୁଥାଇ । ତାହାଙ୍କୁ ଅଗ୍ରତେ ଭୁଞ୍ଜାଇ ॥ ୬୫

ତେବେ ଭୁଞ୍ଜଇ ଅବଶେଷ । ଏକର୍ମେ ଧର୍ମ ହୁଏ ନାଶ ॥ ୬୬

ଅନ୍ତେ ସେ ଲଭେ ଅଧୋଗତି । ଏହା ନ ବୁଝେ ମୂଢ଼ମତି ॥ ୬୭

ଜୀବିକା ଦଇବ ସଂଯୋଗେ । ବିନିଷ୍ଟ ହେଲେ କର୍ମଯୋଗେ ॥ ୬୮

ପୁଣି ଜୀବିକା ଆରମ୍ଭଇ । ସେହି ଯଦ୍ୟପି ନାଶ ପାଇ ॥ ୬୯

ପୁଣି ଆରମ୍ଭେ ବାରମ୍ବାର । କୁଟୁମ୍ବ ଅର୍ଥେ ମୂଢ଼ନର ॥ ୭୦

ସମର୍ଥପଣ ଥିବା ଯାଏ । ତାବତ କରଇ ଉପାୟେ ॥ ୭୧

ତହୁଁ ହୋଇଲେ ଅସମର୍ଥ । ଲୋଭେ ଚିନ୍ତଇ ପର-ବିତ୍ତ ॥ ୭୨

ଲୋଭ ବଢ଼ାଇ ପରଧନେ । ନରକ ଭୟକୁ ନ ମାନେ ॥ ୭୩

ନିନ୍ଦିତ-କର୍ମେ ହରେ ଦିନ । କୁଟୁମ୍ବ ଅର୍ଥେ ମୂଢ଼ଜନ ॥ ୭୪

କେବଳ ମନ୍ଦଭାଗ୍ୟ ହୋଇ । କୁଟୁମ୍ବ ପୋଷି ନପାରଇ ॥ ୭୫

ଏଣୁ ହରଇ ପରଧନ । ନାଶଇ ପୂର୍ବ-ଜନ୍ମ-ପୁଣ୍ୟ ॥ ୭୬

ଦରିଦ୍ର ଜୀବନେ ବଞ୍ଚଇ । ନାନା ଆପଦ ପୀଡ଼ା ପାଇ ॥ ୭୭

ବୃଥା ଉଦ୍ୟମେ ଫୁଟି ରହେ । ଆଉ ସମ୍ପଦ କେବେ ନୋହେ ॥ ୭୮

ସର୍ବଦା ହୁଅଇ କୃପଣ । କରଇ ନିତ୍ୟେ ଅର୍ଥଧ୍ୟାନ ॥ ୭୯

ଅର୍ଥ ବିହୀନେ ଚିନ୍ତାକୁଳ । ଶରୀର ଦୁଃଖେ ତା ନିର୍ବଳ ॥ ୮୦

ଶ୍ୱାସ ଉଠଇ ନିରନ୍ତର । ଏମନ୍ତେ ନାଶଇ ଶରୀର ॥ ୮୧

ଅତ୍ୟନ୍ତ ବୃଦ୍ଧଭାବ ପାଇ । କୁଟୁମ୍ପ ପୋଷି ନପାରଇ ॥ ୮୨

ସାମର୍ଥ୍ୟ ହୀନେ ନିଜଘରେ । ବଞ୍ଚଇ ଅତିଥି ବେଭାରେ ॥ ୮୩

ଭବବନ୍ଧନେ ଅଙ୍ଗ ଫୁଟେ । କଫ ନିରୋଧେ କଣ୍ଠତଟେ ॥ ୮୪

ସ୍ମରଣ ବିସ୍ମରଣ କରେ । ଶୋଏ ଶିଥିଳ କଳେବରେ ॥ ୮୫

ଉଠି ନ ପାରି ଅସମର୍ଥେ । ତା ଦେଖି ପୁତ୍ର ଦାରା ଭୃତ୍ୟେ ॥ ୮୬

କରନ୍ତି ଅତି ଅପମାନ । ବୋଲନ୍ତି ନିନ୍ଦିତ ବଚନ ॥ ୮୭

ତାହାକୁ କେହି ନଗଣନ୍ତି । ନାନା ବଚନେ ଗାଳିଦ୍ୟନ୍ତି ॥ ୮୮

ବନ୍ଦୀ ଚୌରର ପ୍ରାୟେ ହୋଇ । ପ୍ରାଭବ ଭ›ର୍ତ୍ସନା ସହଇ ॥ ୮୯

କିଛି ନ ପାରେ ତୁଣ୍ତେ କହି । ଅନ୍ତରେ ଅପମାନ ବହି ॥ ୯୦

ଦାରା ତନୟ ଆଦି ଯେତେ । ଆଦର ଛାଡ଼ନ୍ତି ତୁରିତେ ॥ ୯୧

ଯେବା ଆଦର ପୂର୍ବେ ଥିଲା । ସେ ପୂର୍ବ ସ୍ନେହ ସବୁ ଗଲା ॥ ୯୨

ତାହାଙ୍କୁ ଜ୍ଞାତି ବନ୍ଧୁଜନେ । ଦୂରେ ତେଜନ୍ତି ଦୁଃଖମନେ ॥ ୯୩

ଯେହ୍ନେ କୃଷକ ବୃଦ୍ଧ ଗାବେ । ମାରି ତେଜନ୍ତି ଅନ୍ୟଠାବେ ॥ ୯୪

ତେସନେ ଦାରାଦି ସକଳେ । ବୃଦ୍ଧକୁ ନ ସେବନ୍ତି ହେଳେ ॥ ୯୫

ତଥାପି ସ୍ନେହ ନଛାଡ଼ଇ । ଗୃହାଦି ବାରତ ପୁଛଇ ॥ ୯୬

ତଥାପି ଦୟା ନକରନ୍ତି । ନିଷ୍ଠୁର ବାକ୍ୟେ ଗାଳି ଦ୍ୟନ୍ତି ॥ ୯୭

ଦୁଃଖେଣ ପୋଷିଲା ଯାହାକୁ । ସେ ସର୍ବ ଛାଡ଼ିଲେ ତାହାକୁ ॥ ୯୮

ଜରା ହରନ୍ତେ ରୂପକାନ୍ତି । ତେବେ ନଛାଡ଼େ ସ୍ନେହ ଅତି ॥ ୯୯

ମରଣ ନିକଟ ହୋଇଲା । ବୈରାଗ୍ୟ କେବେ ନସ୍ଫୁରିଲା ॥ ୧୦୦

ଦାରା ତନୟ ଭକ୍ଷ୍ୟ ତାରେ । ଦିଅନ୍ତି ଅତି ହତାଦରେ ॥ ୧୦୧

କର୍ମ ଆୟତ୍ତେ ଯେବା ପାଇ । ସନ୍ତୋଷ ନେହେ ତାହା ଖାଇ ॥ ୧୦୨

ଭୁଞ୍ଜଇ ଗୃହାନ୍ତରେ ଯାଇ । ଶଙ୍କିତେ ଶ୍ୱାନ ପ୍ରାୟେ ହୋଇ ॥ ୧୦୩

ଚିନ୍ତା-ପ୍ରଜ୍ୱରେ ଦୁଃଖମନ । ରୋଗ ବଢ଼ଇ ପ୍ରତିଦିନ ॥ ୧୦୪

କ୍ଷୁଧାରେ କମ୍ପଇ ଶରୀର । ଭକ୍ଷଇ ଅଳପ ଆହାର ॥ ୧୦୫

କିଛି ନ ବୋଲେ ଅହଙ୍କାରେ । ଭିତରେ ପକ୍ଷୀ ପ୍ରାୟେ ଝୁରେ ॥ ୧୦୬

ଦିନକୁ ଦିନ ତନୁ କ୍ଷୀଣ । ଯେସନେ ପୁରୁଣା ବସନ ॥ ୧୦୭

ଆହାର ହୀନେ ଚିନ୍ତାଛନ୍ନେ । ନ ପଚେ ମନ୍ଦ-ହୁତାଶନେ ॥ ୧୦୮

ଆହାର ଅଳପ ଭକ୍ଷଇ । ଦୁର୍ବଳେ ଉଠି ନ ପାରଇ ॥ ୧୦୯

ଖର ପବନ ନାସାଦ୍ୱାରେ । ବହଇ ଅତି ଦୀର୍ଘତରେ ॥ ୧୧୦

ଶବଦ ଅତି ଭୟଙ୍କର । ଯେହ୍ନେ ଗଭୀର କମ୍ବୁସ୍ୱର ॥ ୧୧୧

ଗୃହ ବାହାରେ ଆସି ରହେ । କଫ ନିବାରେ ଶକ୍ତି ନୋହେ ॥ ୧୧୨

କଫେ ପୂରିତ ନାଡ଼ିମାନ । ଶ୍ୱାସ ନଚଳଇ ସମାନ ॥ ୧୧୩

କାଶରେ ବାୟୁ ଉର୍ଦ୍ଧ୍ୱଗତ । ତେଣୁ ନୟନ ବହିର୍ଗତ ॥ ୧୧୪

ଯେଣୁ ପବନ ମନ୍ଦ ହୋଇ । ବଚନ ନପାରଇ କହି ॥ ୧୧୫

ସର୍ବଦା ଉଠେ କାଶ ଶ୍ୱାସ । ଏଣେ ଲଭଇ ବହୁ କ୍ଳେଶ ॥ ୧୧୬

କଣ୍ଠ ହୁଅଇ ଘୁର-ଘୁର । ବଚନ ନୁହଇ ବାହାର ॥ ୧୧୭

ପ୍ରାଣ ହୁଅଇ କଣ୍ଠତଟ । ଜୀବନ ହୋଏ ଛଟପଟ ॥ ୧୧୮

କାନ୍ଦଇ ବନ୍ଧୁ ମୁଖ ଚାହିଁ । ବଦନୁ ବାକ୍ୟ ନ ସ୍ଫୁରଇ ॥ ୧୧୯

ଚିନ୍ତଇ କି ରୂପେ ମରିବି । କାହିଁ କେବଳ ମାର୍ଗେ ଯିବି ॥ ୧୨୦

ମୋର ମରଣେ ପୁତ୍ର ନାରୀ । କେମନ୍ତେ ଥିବେ ଗୃହ କରି ॥ ୧୨୧

ଦୁଃଖେ ସଞ୍ଚିଲି ଯେତେ ଧନ । ମୋ ମଲେ ଏହା ନେବ ଆନ ॥ ୧୨୨

ଏ ଯେ ହୋଇବେ ଅରକ୍ଷିତ । ଏଣୁ ବ୍ୟାକୁଳ ହୁଏ ଚିତ୍ତ ॥ ୧୨୩

ଭିତରେ ଆକୁଳେ କାନ୍ଦଇ । ତା ମନ କେହି ନ ଜାଣଇ ॥ ୧୨୪

ଜୀବନ ଦହେ ଦାରା-ଧନେ । ଗୋବିନ୍ଦ ନସ୍ଫୁରେ ଅଜ୍ଞାନେ ॥ ୧୨୫

ବାଲିଶଯ୍ୟାରେ ଶୋଇ ଦେଇ । ବନ୍ଧୁ ବାନ୍ଧବେ ବେଢ଼ି ତହିଁ ॥ ୧୨୬

ସକଳେ କରନ୍ତି ରୋଦନ । ଶ୍ରବଣେ ଡାକନ୍ତି ସଘନ ॥ ୧୨୭

ହେ ତାତ ବୋଲି କେ ଡାକଇ । ତା ଗୁଣ ଭାଳି କେ ରୋଦଇ ॥ ୧୨୮

କେହୁ ଡାକନ୍ତି ପୁତ୍ର ଭାଇ । ପତ୍ନୀ ଡାକଇ ହେ ଗୋସାଇଁ ॥ ୧୨୯

ନାନା ପ୍ରକାରେ ସେ ରୋଦନ୍ତି । ତା ଦୁଃଖ କେହି ନ ଘେନନ୍ତି ॥ ୧୩୦

ସେ କାଳପାଶେ ବନ୍ଦୀ ହୋଇ । କିଞ୍ଚିତେ ବାକ୍ୟ ନ ଭାଷଇ ॥ ୧୩୧

ପୀଡ଼ିତ ମୃତ୍ୟୁ ଦୁଃଖ-ଘୋରେ । କୁଟୁମ୍ବ ଭରଣ ବ୍ୟାପାରେ ॥ ୧୩୨

ଶୁଣ ଜନନୀ ଏକ ଚିତ୍ତେ । ସଂସାର ଦୁଃଖସୁଖ ଏତେ ॥ ୧୩୩

ମନ ନିବିଷ୍ଟ ତହିଁ କଲା । ଇନ୍ଦ୍ରି‌ୟ ଜିଣି ନପାରିଲା ॥ ୧୩୪

ତେଣୁ ହୋଇଲା ମୃତ୍ୟୁ ତାର । ଏ ଦଣ୍ତŠ ଅତି ଭୟଙ୍କର ॥ ୧୩୫

ବନ୍ଧୁ-ସ୍ୱଜନେ ସର୍ବେ ଥାଇ । ତା ଦୁଃଖଭାରୀ କେହି ନୋହି ॥ ୧୩୬

ବ୍ୟର୍ଥେ ପୋଷିଲା ତାଙ୍କୁ ଦୁଃଖେ । ଏବେ ସେ ତେଜିଲେ ବିମୁଖେ ॥ ୧୩୭

ପ୍ରାଣ ଯିବାର ବେଳେ ମାଏ । ଅତି ବେଦନା ଜୀବ ପାଏ ॥ ୧୩୮

ଘୋର ବ୍ୟଥାରେ ନଷ୍ଟ ମତି । ଚେତନା ରହିତ ହୁଅନ୍ତି ॥ ୧୩୯

ଏମନ୍ତେ ଜୀବନର ଅନ୍ତେ । ବେଗେ ମିଳନ୍ତି ଯମ ଦୂତେ ॥ ୧୪୦

ପ୍ରଚଣ୍ତŠ-ରୂପ ଭୟଙ୍କର । ଉଦ୍ଦଣ୍ତŸŠ ଦଣ୍ତŠ ପାଶଧର ॥ ୧୪୧

ତାହାଙ୍କ ରୂପକୁ ଅନାଇଁ । ଅଜ୍ଞାନେ ବିକଳେ କମ୍ପଇ ॥ ୧୪୨

ପାପୀଙ୍କି ଘେନି ଯିବା ପାଇଁ । ସକ୍ରୋଧ-ନୟନେ ଅନାଇ ॥ ୧୪୩

ତାଙ୍କୁ ଦେଖନ୍ତି ପାପୀଜନ । ହୃଦୟ ଭୟେ କମ୍ପମାନ ॥ ୧୪୪

ଆରତେ ଛାଡ଼େ ମଳମୂତ୍ର । ସର୍ବତ୍ର କମ୍ପମାନ ଗାତ୍ର ॥ ୧୪୫

ଯମ-ଡଗରେ ଆଗସରି । ଯାତନା-ପୁରୁଷକୁ ଧରି ॥ ୧୪୬

ବନ୍ଧନେ ନ କରନ୍ତି ଦୟେ । ତର୍ଜନ୍ତି ରାଜଭଟ୍ଟ ପ୍ରାୟେ ॥ ୧୪୭

ବନ୍ଧନ କରି ଚର୍ମପାଶେ । ଦଣ୍ତŠ ପ୍ରହାରି ମହାରୋଷେ ॥ ୧୪୮

ସେ ରୂପ କେହି ନଦେଖନ୍ତି । ଅନ୍ଧାରପଥେ ଘେନିଯାନ୍ତି ॥ ୧୪୯

ପଥରେ ଗମନ୍ତି କୁକୁର । ରୋଷେ କାଟନ୍ତି ତା ଶରୀର ॥ ୧୫୦

ତାହାଙ୍କ ରୂପ ଦେଖି ଡରି । କାନ୍ଦଇ ଉଚ୍ଚ ନାଦ କରି ॥ ୧୫୧

ତୀକ୍ଷ୍‌ଣ ଦଂଶନେ ଖଣ୍ତŠ ଖŠଣ୍ତ । ବେଗେ କରନ୍ତି ତାର ପିŠଣ୍ତ ॥ ୧୫୨

ବିକ୍ରମି କରନ୍ତି ଭକ୍ଷଣ । କରଇ କାତରେ ରୋଦନ ॥ ୧୫୩

ସେ ଅତି କଷ୍ଟେ ପୀଡ଼ା ପାଇ । ନିଜ ପାତକ ସୁମରଇ ॥ ୧୫୪

ଉଠି ପଡ଼ଇ ସେ ଭୂତଳେ । ଘୋର ପ୍ରହାର ଭୟାକୁଳେ ॥ ୧୫୫

କ୍ଷୁଧା-ପିପାସା-ଦୁଃଖାକୁଳେ । ପଥରେ ନିଅନ୍ତି ସତ୍ୱରେ ॥ ୧୫୬

ବଇତରଣୀ ନଦୀକୂଳେ । ବାଲୁକା ଜଳଇ ଅନଳେ ॥ ୧୫୭

ତପ୍ତ ବାଲୁକାମୟ ପଥ । ସେ ଉଷ୍ଣବାୟୁ ସନ୍ତାପିତ ॥ ୧୫୮

ସୂର୍ଯ୍ୟକିରଣ ଦାବାନଳ । ସନ୍ତପ୍ତ କରେ ଅତିବେଳ ॥ ୧୫୯

ଜଳି ତାପଇ ଅତିଘୋରେ । ସେ ତାପ କେ ସହୁ ଶରୀରେ ॥ ୧୬୦

ତହୁଁ ତପତ ବାଲୁକାରେ । ପ୍ରବେଶ କରାନ୍ତି ସତ୍ୱରେ ॥ ୧୬୧

ଯେବେ ନ ପଶେ ଭୟ କରି । ତକ୍ଷଣେ ଶିରେ ଯଷ୍ଟି ମାରି ॥ ୧୬୨

କ୍ଷଣେ ବିଶ୍ରାମ ନ କରାନ୍ତି । ଅନେକ ଘୋର ଶାସ୍ତି ଦ୍ୟନ୍ତି ॥ ୧୬୩

ଯେ ମାର୍ଗେ ଜଳ ବୃକ୍ଷ ନାହିଁ । ପ୍ରାଣ ସମ୍ଭାଳିବ ସେ କାହିଁ ॥ ୧୬୪

ଆଶ୍ରୟ ଉଦକ ନ ମିଳେ । ସମର୍ଥ ହୀନେ ଭୟେ ଚଳେ ॥ ୧୬୫

ଏମନ୍ତ ପଥେ ନ୍ୟନ୍ତି ଧରି । ଏକାନ୍ତେ ନିଜ କର୍ମ ସ୍ମରି ॥ ୧୬୬

ପଡ଼ି ଉଠଇ ଦୁଃଖେ ଶ୍ରମେ । ମୂର୍ଚ୍ଛିତ ହୋଏ ଜ୍ଞାନ ଭ୍ରମେ ॥ ୧୬୭

ମାରନ୍ତେ ସତ୍ୱରେ ଉଠଇ । ଅଜ୍ଞାନେ ପୁଣି ସେ ପଡ଼ଇ ॥ ୧୬୮

ସେ ଦୂତେ ଦୟା ନକରନ୍ତି । ଦୁଃସହ ମାର୍ଗେ ଘେନିଯାନ୍ତି ॥ ୧୬୯

ଗହନ ଘୋର ଅନ୍ଧକାରେ । ନିଅନ୍ତି ପାପୀକୁ ଯତ୍ନରେ ॥ ୧୭୦

ପଥ ଅଦୃଶ୍ୟେ ହୁଡ଼ି ପଡ଼େ । ମୁଣ୍ତେŠ ପ୍ରହାରନ୍ତି ନିବିଡ଼େ ॥ ୧୭୧

ଏମନ୍ତ ଦୁଃଖେ ପାପୀଜନ । ପ୍ରବେଶ ଯମର ଭୁବନ ॥ ୧୭୨

ନବ ନବତି ପରିମିତ । ସହସ୍ର ଯୋଜନ ସେ ପଥ ॥ ୧୭୩

ବେନି ବା ତିନି ମୁହୂର୍ତ୍ତରେ । ପ୍ରବେଶ କରାନ୍ତି ସେଠାରେ ॥ ୧୭୪

ଯମ ନିକଟେ ତାକୁ ନେଇ । ବୋଲନ୍ତି ଶିରେ କରଦେଇ ॥ ୧୭୫

ଭୋ ଧର୍ମରାଜ ତୋ ବଚନେ । ଆଣିଲୁ ତୋର ସନ୍ନିଧାନେ ॥ ୧୭୬

ସେ ଯମ କରଣେ ହକାରି । ତା ପାପ ସୁକୃତ ବିଚାରି ॥ ୧୭୭

ସୁକୃତୀ ରହେ ସ୍ୱର୍ଗଲୋକେ । ନାରକୀ ପଡ଼ଇ ନରକେ ॥ ୧୭୮

କହନ୍ତି ପ୍ରଭୁ ନାରାୟଣ । ପାପୀ ଯାତନା ମାତା ଶୁଣ ॥ ୧୭୯

ଯେ ପ୍ରାଣୀ ନରକେ ପଡ଼ନ୍ତି । ଦୁର୍ଗମ ତାହାଙ୍କ ଦୁର୍ଗତି ॥ ୧୮୦

ତହିଁ ଦଣ୍ତŠନ୍ତି ଅନୁକ୍ଷଣ । ମସ୍ତାକ ସର୍ବାଙ୍ଗ ଚରଣ ॥ ୧୮୧

ତଦନ୍ତେ ଦହନ୍ତି ଅନଳେ । ରୋଦଇ ନିର୍ଘାତ ଚହଳେ ॥ ୧୮୨

ଅତ୍ୟନ୍ତ ପୀଡ଼ାରେ ବ୍ୟାକୁଳ । କ୍ଷୁଧାରେ ହୋଏ ଜ୍ଞାନଭୋଳ ॥ ୧୮୩

ଆପଣ ହସ୍ତେ ଦେହ ମାଂସ । କାଟିଣ କରୁଥାଇ ଗ୍ରାସ ॥ ୧୮୪

ଅଥବା କାଟି ଦ୍ୟନ୍ତି ପର । ତହା ଭକ୍ଷଇ ପାପୀ ନର ॥ ୧୮୫

ଗୃଧ୍ର କୁକୁର ଯମପୁରେ । ପାପୀଙ୍କି ବେଢ଼ିଣ ସତ୍ୱରେ ॥ ୧୮୬

ଓଟାରି ନ୍ୟନ୍ତି ନାଡ଼ିଗଣ । ତଥାପି ନ ଛାଡ଼ଇ ପ୍ରାଣ ॥ ୧୮୭

ମିଳନ୍ତି ମହା ମହା ସର୍ପେ । ଦଂଶନ୍ତି ତାର ଦେହେ କୋପେ ॥ ୧୮୮

ମ›ର୍ତ୍ସ କଚ୍ଛପ ତା ଶରୀର । ବେଢ଼ି ଭକ୍ଷନ୍ତି ନିରନ୍ତର ॥ ୧୮୯

କ୍ଷୁର ପ୍ରହାରେ ତାର ପିŠଣ୍ତ । କାଟି କରନ୍ତି ଖŠଣ୍ତ ଖଣ୍ତŠ ॥ ୧୯୦

ଉତ୍ତାନେ ପକାଇ ଧରଣୀ । ଗଜେ ମାରନ୍ତି ଦନ୍ତ ଆଣି ॥ ୧୯୧

ଦଶନେ ଶରୀର ଚିରନ୍ତି । ପର୍ବତ ଶିଖରୁ ପକାନ୍ତି ॥ ୧୯୨

ତଦନ୍ତେ ଖାତଖୋଳି ରୁନ୍ଧି । ଧୂମ ପୁରାନ୍ତି ନିରବଧି ॥ ୧୯୩

ବୁଡ଼ାଇ ରଖନ୍ତି ଜଳରେ । ପଥର ଲଦି ତା ଉପରେ ॥ ୧୯୪

ଆକୁଳେ ରୋଦଇ ବିକଳେ । ମୁଖେ ପିଟନ୍ତି କୋପାନଳେ ॥ ୧୯୫

ଏମନ୍ତେ କର୍ମର ଆୟତ୍ତେ । ନାନା ଯାତନା ଦŠଣ୍ତ ଯେତେ ॥ ୧୯୬

ଚତୁରଅଶୀତି ନରକେ । ନେଇ ଭୁଞ୍ଜାନ୍ତି ଏକେ ଏକେ ॥ ୧୯୭

ଏମନ୍ତେ ସଂସାର ଭ୍ରମଣେ । ବ୍ୟାକୁଳ କୁଟୁମ୍ବ ପୋଷଣେ ॥ ୧୯୮

ଅନ୍ତେ ଯମର ପୁରେ ଯାନ୍ତେ । କେହି ନଯାନ୍ତି ତାର ସାଥେ ॥ ୧୯୯

ବନ୍ଧୁବାନ୍ଧବ ପରିଜନେ । ଦହନ କରି ଶମଶାନେ ॥ ୨୦୦

ବିମୁଖେ ନିଜ ପୁରେ ଯାନ୍ତି । ତା ସଙ୍ଗେ କେହି ନ ରହନ୍ତି ॥ ୨୦୧

ଅର୍ଜିଲା ପାପପୁଣ୍ୟ ବେନି । ପଥେ ଗମନ୍ତି ତାକୁ ଘେନି ॥ ୨୦୨

ଏ ଦୁଇବଳେ ପରଲୋକେ । ଭୋଗ କରଇ ଏକେ ଏକେ ॥ ୨୦୩

ଅଧର୍ମେ ଧନାର୍ଜନ କରି । କୁଟୁମ୍ବ ପ୍ରପୋଷଣ କରି ॥ ୨୦୪

ଧର୍ମ ନ ସଞ୍ଚେ ରେଣୁ ମାତ୍ରେ । ନିତ୍ୟେ ମଜ୍ଜଇ ଦାରା-ସୁତେ ॥ ୨୦୫

ତାହାର ନାହିଁ ଇହପର । ଅନ୍ତେ ନରକ ମାତ୍ର ସାର ॥ ୨୦୬

ଏମନ୍ତେ କର୍ମର ଆୟତ୍ତେ । ଚଳନ୍ତି ସ୍ୱର୍ଗ-ନର୍କ ପଥେ ॥ ୨୦୭

ତାମିସ୍ର ଆଦି ଯେ ଯାତନା । କେତେ ତା କରିବି ବ‰ର୍ଣ୍ଣନା ॥ ୨୦୮

ପାତକୀ ସକଳ ଭୁଞ୍ଜଇ । ସ୍ୱକର୍ମ-ପାଶେ ବଦ୍ଧ ହୋଇ ॥ ୨୦୯

ଯେତେ ଅଛନ୍ତି ନରନାରୀ । ସର୍ବେ ଯାତନା ଅଧିକାରୀ ॥ ୨୧୦

ଉଭୟ ସଙ୍ଗେ ଏ ନରକ । ଭୁଞ୍ଜଇ ସଦା ପାପୀଲୋକ ॥ ୨୧୧

ଭୋ ମାତ ଦେଖ ସୁବିଚାରେ । ନରକ ସ୍ୱର୍ଗ ଏହିଠାରେ ॥ ୨୧୨

ନରକ ରାଜଦŠଣ୍ତ ଆଦି । ଏହା ବୋଲନ୍ତି ଶାସ୍ତ୍ରବାଦୀ ॥ ୨୧୩

ଯେ ଉପଭୋଗ ସ୍ୱର୍ଗସୁଖ । ଏଠାରେ ଦେଖ ତା ପ୍ରତ୍ୟକ୍ଷ ॥ ୨୧୪

ଏ ବେନି ବୁଝ ପରିମାଣି । ବିବେକ ମୁଖେ ଶାସ୍ତ୍ର ଶୁଣି ॥ ୨୧୫

ଏରୂପେ କୁଟୁମ୍ବ ଯେ ପୋଷେ । ନିଜ ଉଦର ପରିତୋଷେ ॥ ୨୧୬

ଏ ବେନି ସଙ୍ଗତେ ନଯାଇ । ଛାଡ଼ିଣ ଏକା ସେ ଚଳଇ ॥ ୨୧୭

ଭୂଞ୍ଜଇ ଆପେ କର୍ମଫଳ । ଯାଠାରୁ ନାହିଁ ବଳୀୟାର ॥ ୨୧୮

ତେଜିଣ ନିଜ କଳେବର । ଏକା ସେ ଗମେ ଯମପୁର ॥ ୨୧୯

ଅଧର୍ମେ ପ୍ରାଣୀ ହିଂସା କରି । ଯେ ଦେହ ପୋଷେ ସ୍ନେହ ଭରି ॥ ୨୨୦

ସେ ଦେହ ତେଜିଣ ସେ ଯାଇ । ପାପକୁ ପୃଷ୍ଠରେ ବସାଇ ॥ ୨୨୧

ଏକା ସେ ନରକ ଭୁଞ୍ଜଇ । ଦ୍ୱିତୀୟ ସଙ୍ଗତେ ନଯାଇ ॥ ୨୨୨

କୁଟୁମ୍ବ-ପୋଷଣର ଫଳ । ତାହାର ଯେତେକ ଶମଳ ॥ ୨୨୩

ସେ ଫଳ ଈଶ୍ୱର ଦିଅନ୍ତି । ପାପୀ ହିଁ ଏକାନ୍ତେ ଭୁଞ୍ଜନ୍ତି ॥ ୨୨୪

ଧନ ହରାଇ ଯେହ୍ନେ ନର । ମନରେ ହୁଅଇ ଆତୁର ॥ ୨୨୫

ତେସନ ପାପ କରେ ପ୍ରାଣୀ । ବ୍ୟାକୁଳେ ଭୁଞ୍ଜେ ପୁଣ ପୁଣି ॥ ୨୨୬

ସେ ଦୁଃଖ ନ ଭୁଞ୍ଜଇ ପର । ତେସନେ ନରକ ଆହାର ॥ ୨୨୭

କେବଳ ଅଧର୍ମ ଆଚରି । କୁଟୁମ୍ବ ପୋଷଣ ଯେ କରି ॥ ୨୨୮

ଗମଇ ଅନ୍ଧ-ତାମିସ୍ରକୁ । ଉଦ୍ଧାର ନାହିଁ କାହିଁ ତାକୁ ॥ ୨୨୯

ଅନ୍ଧ-ତାମିସ୍ର ଯାର ନାମ । ତାହା ହିଁ ନରମ ଚରମ ॥ ୨୩୦

ସେ ତହିଁ ଗମନ କରଇ । ବହୁତ କାଳ ତହିଁ ଥାଇ ॥ ୨୩୧

ତାର ନରକ ଭୋଗ ଅନ୍ତେ । ଆପଣା କର୍ମର ଆୟେତ୍ତେ ॥ ୨୩୨

ଯେତେକ ଯାତନା ଅଛଇ । କ୍ରମେଣ ସକଳ ଭୁଞ୍ଜଇ ॥ ୨୩୩

ସେ ପାପପୁଣ୍ୟ ଅବଶେଷ । କର୍ମେ ସେ ଉଦରେ ପ୍ରବେଶ ॥ ୨୩୪

ଶ୍ୱାନ ଶୂକର ଆଦି ଯୋନି । ପାପୀ ଲଭଇ କର୍ମ ଘେନି ॥ ୨୩୫

ଭୁଞ୍ଜନ୍ତି ପ୍ରାଣୀ ଦେହ ଘେନି । କହିବା ଶୁଣ ଗୋ ଜନନୀ ॥ ୨୩୬

କ୍ରମେ ତା ପାପ କ୍ଷୀଣ ହୋଇ । ପୁଣି ସେ ନରଜନ୍ମ ପାଇ ॥ ୨୩୭

ଏମନ୍ତେ ମାତାର ସମୀପେ । ଗୋବିନ୍ଦ କପିଳ ସ୍ୱରୂପେ ॥ ୨୩୮

ଯେତେ କହିଲେ ଜ୍ଞାନବାଣୀ । ସୁଜନଜନେ ଏହା ଶୁଣି ॥ ୨୩୯

ତରିବ ଭବବନ୍ଧ-ପାଶ । କହଇ ଜଗନ୍ନାଥ ଦାସ ॥ ୨୪୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ କାପିଳେୟ ଉପାଖ୍ୟାନେ କର୍ମବିପାକୋ ନାମ ତ୍ରିଂଶୋଽଧ୍ୟାୟଃ ॥

* * *