ତୃତୀୟ ସ୍କନ୍ଧ

ଉନତ୍ରିଂଶ ଅଧ୍ୟାୟ

ଦେବହୂତି ଉବାଚ

ଭୋନାଥ ପ୍ରଭୁ ଭଗବାନ । କହ ତୁ ପରମାର୍ଥଜ୍ଞାନ ॥

ଯେ ଜ୍ଞାନେ ଭକ୍ତି ପ୍ରକାଶଇ । ଅଜ୍ଞାନ-ତିମିର ନାଶଇ ॥

ମହତ ଆଦି ଯେ ପ୍ରମାଣ । ପ୍ରକୃତି ପୁରୁଷ ଲକ୍ଷଣ ॥

ଯଥା ସାଂଖ୍ୟରେ ଅଛ କହି । ତୋ ଭକ୍ତିମାର୍ଗକୁ ଚିହ୍ନାଇ ॥

ବିସ୍ତାରି କହ ପ୍ରଭୁ ମୋତେ । ସଂଶୟ ନ ରହୁ ମୋ ଚିତ୍ତେ ॥

ଯାହା ଶୁଣିଲେ ପ୍ରାଣୀ-ପ୍ରାଣ । ବିରକ୍ତେ ଭଜେ ନାରାୟଣ ॥

ଜୀବର ଜନ୍ମ ମୃତ୍ୟୁ ଦୁଇ । ଏ ଲୋକମାନଙ୍କର ହୋଇ ॥

ତାହା କହିବା ମହାବାହୁ । କାଳସ୍ୱରୂପ ଆଦି କେହୁ ॥

କାଳସ୍ୱରୂପ ଯେ ଈଶ୍ୱର । ସମସ୍ତ ଆତ୍ମାରେ ଗୋଚର ॥

ମହାପ୍ରଭାବ ହିଁ ଯାହାର । ଯା ଭୟେ ପୁଣ୍ୟ କରେ ନର ॥ ୧୦

ସେ କଥା ନି‰ର୍ଣ୍ଣୟ କରିଣ । କହିବା ହେଉ ନାରାୟଣ ॥ ୧୧

ଏ ଦେହ ମିଥ୍ୟା ବୋଲି ପୁଣି । ସ୍ତ୍ରୀ ପୁତ୍ର ସତ୍ୟପ୍ରାୟ ମଣି ॥ ୧୨

ଏ ଭବ-ସଂସାରର ତମେ । ଜ୍ଞାନଚକ୍ଷୁକୁ ଢାଙ୍କି ଭ୍ରମେ ॥ ୧୩

ଏ କର୍ମମାର୍ଗରେ ଆସକ୍ତ । ମିଥ୍ୟା-ସଂସାର ମଣି ସତ୍ୟ ॥ ୧୪

ଏ ଲୋକ ଉଦ୍ଧାର ନିମନ୍ତେ । ଆପଣ ସୂର୍ଯ୍ୟ ଏ ଜଗତେ ॥ ୧୫

କୃପାରେ ଉଦେ ହୋଇଅଛ । ଏ ଘେନି ଦିଶୁଛ ପ୍ରତ୍ୟକ୍ଷ ॥ ୧୬

କାଳରୁ ନିସ୍ତାର ଉପାୟ । କହ ହେ ପ୍ରଭୁ ଦେବରାୟ ॥ ୧୭

ତୋ ଜ୍ଞାନ ଦେଇ ନରହରି । ବିନାଶ ଅଜ୍ଞାନ-ତିମିରି ॥ ୧୮

ମୈତ୍ରେୟ ଉବାଚ

ଶୁଣ ବିଦୁର ମନଦେଇ । ମାତା ବଚନେ ଭାବଗ୍ରାହୀ ॥ ୧୯

କହନ୍ତି ଅମୃତ ବଚନ । ଯେଣେ ସନ୍ତୋଷ ମାତାମନ ॥ ୨୦

ଭଗବାନ ଉବାଚ

ଶୁଣ ଜନନି ସ୍ଥିରମନେ । ଯେ ଜ୍ଞାନ ଭକ୍ତିର ଲକ୍ଷଣେ ॥ ୨୧

ବହୁ ପ୍ରକାରେ ଭକ୍ତିଯୋଗ । ଜ୍ଞାନୀ ସାଧନ୍ତି ମୋକ୍ଷମାର୍ଗ ॥ ୨୨

ସ୍ୱଭାବଗୁଣେ ଯୁକ୍ତ ହୋଇ । ନାନା ସଂକଳ୍ପ ମନେ ଧ୍ୟାୟି ॥ ୨୩

ସା‌ତ୍ତ୍ବିକ ରାଜସ ତାମସ । ଗୁଣପ୍ରବାହେ ଯେ ପ୍ରକାଶ ॥ ୨୪

ଦମ୍ଭ ମ›ତ୍ସର ଭାବ ବହି । ପ୍ରାଣୀ ହିଂସାରେ ଯୁକ୍ତ ହୋଇ ॥ ୨୫

ପର ଅପର ଭେଦ ବୁଦ୍ଧି । ତାମସ ଗୁଣ ଏ ପ୍ରସିଦ୍ଧି ॥ ୨୬

ଏ ଭାବେ ମୋତେ ଯେ ଭଜଇ । ତାମସ ଭକ୍ତି ତାକୁ କହି ॥ ୨୭

ବିଷୟଭୋଗ ସେ ବାଞ୍ଛ‚ଇ । ଏ ଘେନି ଭୋଗାସକ୍ତ ହୋଇ ॥ ୨୮

ଯଶ ଐଶ୍ୱର୍ଯ୍ୟ ଯେ ବାଞ୍ଛ‚ଇ । ସେ ବୁଦ୍ଧି ଭେଦ ପର ହୋଇ ॥ ୨୯

ପ୍ରେମରେ ପ୍ରତିମାରେ ମୋତେ । ଯେ ପୂଜେ ଭକ୍ତିଭାବେ ନିତ୍ୟେ ॥ ୩୦

ସେ ଭକ୍ତି ରାଜସ ବୋଲାଇ । ଯେଣୁ ସେ ରାଜପଦ ପାଇ ॥ ୩୧

ବାହ୍ୟ ଅନ୍ତରେ ମାୟା ତେଜେ । କେବଳ ବିଷ୍ଣୁ ଭାବେ ଭଜେ ॥ ୩୨

ଫଳ ନବା‚ଞ୍ଛି କର୍ମ କରେ । ଭେଦଦରଶୀ ନୋହେ ପରେ ॥ ୩୩

ଈଶ୍ୱର ଅର୍ଥେ କର୍ମ କରେ । ଧର୍ମ ମାର୍ଗରେ ଯେ ପ୍ରଚରେ ॥ ୩୪

ସର୍ବତ୍ର ଦେଖଇ ସମାନ । ସା‌ତ୍ତ୍ବିକ ଭକ୍ତି ତାକୁ ଜାଣ ॥ ୩୫

ଅଧମ ମଧ୍ୟମ ଉତ୍ତମ । ଏଣେ ତ୍ରିବିଧ ଭକ୍ତି କ୍ରମ ॥ ୩୬

ଶ୍ରବଣ କୀର୍ତ୍ତନ ସ୍ମରଣ । ଚରଣସେବନ ଅର୍ଚ୍ଚନ ॥ ୩୭

ବଦନ ଦାସ୍ୟ ସଖ୍ୟଭାବ । ଆତ୍ମଅର୍ପଣ ଅଙ୍ଗ ନବ ॥ ୩୮

ଏହି ପ୍ରକାରେ ନବ ନବ । ସଗୁଣା ଏକାଅଶି ଭାବ ॥ ୩୯

ଏବେ କହିବା ମାତା ଶୁଣ । ନିର୍ଗୁଣ ଭକ୍ତିର ଲକ୍ଷଣ ॥ ୪୦

ବିଷ୍ଣୁର ଗୁଣ ଗୁଣି ଯେବେ । ରୋମ ପୁଲକେ ତନୁ ଦ୍ରବେ ॥ ୪୧

ଆନନ୍ଦେ ଅଶ୍ରୁ ନେତ୍ରୁ ବହେ । କଣ୍ଠ ଗଦ୍‌ଗଦେ ବାଣୀ କହେ ॥ ୪୨

ଚେତନା ବୁଦ୍ଧି ଅହଙ୍କାର । ଯେ ଭୂତ ଭବିଷ୍ୟ ଗୋଚର ॥ ୪୩

ମୋହର ଗୁଣ କୀର୍ତ୍ତିମାନ । ନିତ୍ୟେ ଯେ କରଇ ଶ୍ରବଣ ॥ ୪୪

ମୁହିଁ ଯେ ସର୍ବ ଗୁହାଶ୍ରୟ । ବିଚ୍ଛେଦ ନାହିଁ କିବା ମୋହ ॥ ୪୫

ଏମନ୍ତ ଭାବେ ଯେ ଭଜଇ । କର୍ମ-ବନ୍ଧନୁ ମୋକ୍ଷ ହୋଇ ॥ ୪୬

ଏ ସର୍ବ ହରିଭାବେ ମାନେ । ଗଙ୍ଗା ସମୁଦ୍ରେ ମିଳେ ଯେହ୍ନେ ॥ ୪୭

ସେ ରୂପେ ମୋର ଦେହେ ଲୀନ । ଭକ୍ତି ଭାବରେ ହୋନ୍ତି ଜନ ॥ ୪୮

ନିଷ୍କାମମାର୍ଗେ ଆତ୍ମଜ୍ଞାନ । ସର୍ବତ୍ର ଦେଖଇ ସମାନ ॥ ୪୯

ପୁରୁଷୋତ୍ତମ ଭାବେ ଭଜି । ପରମଆତ୍ମା ମନେ ହେଜି ॥ ୫୦

ନିର୍ଗୁଣ ଭକ୍ତି ଏହା କହି । ଅପରେ ଶୁଣ ମନଦେଇ ॥ ୫୧

ସାମୀପ୍ୟ ସାରୂପ୍ୟ ଏକତ୍ୱ । ସାଲୋକ୍ୟ ଅଇଶ୍ୱର୍ଯ୍ୟ ମତ ॥ ୫୨

ଏ ଆଦି ଯେତେମେତେ ମୁକ୍ତି । ତେଣେ ସନ୍ତୋଷ ନୋହେ ମତି ॥ ୫୩

ମୋର ସେବନ ବିନା କେହି । ଭକ୍ତ ସନ୍ତୋଷ ମୋର ନାହିଁ ॥ ୫୪

ଏତେ ପ୍ରକାରେ ଭକ୍ତି ଯୋଗ । ସାଧନ୍ତି ପ୍ରାଣୀ ମୋକ୍ଷମାର୍ଗ ॥ ୫୫

ଯେବେ ତ୍ରି‌ଗୁଣକୁ ଜିଣଇ । ମୋହର ଭାବକୁ ଲଭଇ ॥ ୫୬

କ୍ରି‌ୟାଯୋଗରେ ନିଷ୍କାମରେ । ମୋତେ ସେବନ୍ତି ଯେବା ନରେ ॥ ୫୭

ହିଂସା ବିହୀନ ଯେ ନିଷ୍କାମ । ନିତ୍ୟେ ଭଜଇ ମୋର ନାମ ॥ ୫୮

କେ ଅବା ମୋତେ ପୂଜା କରେ । ସ୍ତୁତି ବନ୍ଦନେ ନିରନ୍ତରେ ॥ ୫୯

ଦର୍ଶନ ସ୍ପର୍ଶନ ପ୍ରମାଣ । ମୋର ପ୍ରତିମା ଆରାଧନ ॥ ୬୦

ମିତ୍ରଭାବରେ ସର୍ବଜନ । ଦେଖଇ ଆତ୍ମାର ସମାନ ॥ ୬୧

ଯମ ନିୟମ ମାର୍ଗ ସାଧି । ମହତଜନେ ମାନ୍ୟ ବିଧି ॥ ୬୨

ଦୀନରେ ଅନୁକମ୍ପା ବହି । ମୋ ବିନୁ ଅନ୍ୟ ନ ଜାଣଇ ॥ ୬୩

ମୋହର ନାମ ସଂକୀର୍ତ୍ତନ । ଶ୍ରବଣ ଆଧ୍ୟାତ୍ମ ଦର୍ଶନ ॥ ୬୪

ଆର୍ଜବ ସାଧୁସଙ୍ଗ ପୁଣ । ଅହିଂସା ଧର୍ମ ପରାୟଣ ॥ ୬୫

ମୋହର ଧର୍ମ ଆଚରଣ । ଏ ରୂପେ ଚିତ୍ତ ଶୁଦ୍ଧ ଜାଣ ॥ ୬୬

ମୋହର ଗୁଣ ଶୁଣି କ‰ର୍ଣ୍ଣେ । ମୋତେ ଲଭନ୍ତି ପ୍ରାଣୀମାନେ ॥ ୬୭

ଯେମନ୍ତେ ପବନର ବଳେ । ଗନ୍ଧ ଆସିଣ ଘ୍ରାଣେ ମିଳେ ॥ ୬୮

ସେ ରୂପ ନିର୍ବିକାର ଚିତ୍ତ । ଆତ୍ମାକୁ କରଇ ଆୟତ୍ତ ॥ ୬୯

ମୁଁ ସର୍ବଭୂତର ଈଶ୍ୱର । ଆତ୍ମା ସ୍ୱରୂପରେ ଗୋଚର ॥ ୭୦

ଏମନ୍ତ ଭାବ ମୋର ଛାଡ଼ି । ଯେ ପୂଜେ ଅନ୍ୟଭାବେ ପଡ଼ି ॥ ୭୧

ଯେ ଜୀବେ ଦୟା ନକରଇ । ପ୍ରତିମା ପୂଜେ ମନେ ଧ୍ୟାୟି ॥ ୭୨

ଭସ୍ମରେ ହୋମ ସେ ଯେମନ୍ତ । ତାହାର ପୂଜା ସେହି ମତ ॥ ୭୩

ମୁଁ ସର୍ବବ୍ୟାପୀ ଯେ ଅଟଇ । ଏମନ୍ତ ଭାବ ନଜାଣଇ ॥ ୭୪

ଯେ ଜୀବେ ବଦ୍ଧ-ବୈର ହୋଇ । ସେ ଶାନ୍ତି କେବେ ନଲଭଇ ॥ ୭୫

ମୋତେ ପୂଜଇ ଯେବେ ସେହି । ତାର ପୂଜାରେ ତୋଷ ନୋହି ॥ ୭୬

ସର୍ବଭୂତରେ ସ୍ଥିତ ମୁହିଁ । ଯାବତ ପ୍ରାଣୀ ନଜାଣଇ ॥ ୭୭

ତାବତ ଥାଇ ସ୍ୱଧର୍ମରେ । ପୂଜିବ ପ୍ରତିମା ଆଦରେ ॥ ୭୮

ପର ଅପର ଏକ ଆତ୍ମା । ଅନ୍ତର କରେ ଯେ ଦୁରାତ୍ମା ॥ ୭୯

ସେ ମୃତ୍ୟୁ‌ପଥୁଁ ନ ତରଇ । ସଂସାରମାର୍ଗେ ଭ୍ରମୁଥାଇ ॥ ୮୦

ମୁଁ ଆତ୍ମା ସର୍ବଭୂତ ମଧ୍ୟେ । ଅର୍ଚ୍ଚନା କରେ ଯେ ସୁସାଧ୍ୟେ ॥ ୮୧

ମିତ୍ରଭାବରେ ସର୍ବ ଦେଖେ । ସଂସାରୁ ତରେ ସେ ପ୍ରତ୍ୟକ୍ଷେ ॥ ୮୨

ଅଜୀବ ତହୁଁ ଜୀବ ଶ୍ରେଷ୍ଠ । ଜୀବରେ ପ୍ରାଣ ଯେ ଗରିଷ୍ଠ ॥ ୮୩

ପ୍ରାଣରୁ ଚେତନା ବିଶିଷ୍ଟ । ତହୁଁ ଇନ୍ଦ୍ରି‌ୟ ବୃତ୍ତି ଶ୍ରେଷ୍ଠ ॥ ୮୪

ସ୍ପର୍ଶ ଗୁଣରେ ବୃକ୍ଷ ଆଦି । ରସ ଗ୍ରହଣେ ମ›ତ୍ସ୍ୟ ଆଦି ॥ ୮୫

ଗନ୍ଧ ଗ୍ରହଣେ ଭ୍ରମରାଦି । ତହୁଁ ସର୍ପାଦି ଶବ୍ଦଭେଦୀ ॥ ୮୬

ରୂପରେ କାକ ଆଦି ଯେତେ । ତହୁଁ ଉଦୟ ଦନ୍ତବନ୍ତେ ॥ ୮୭

ଅପାଦଠାରୁ ବହୁପାଦ । ବହୁ ପାଦରୁ ଚତୁଃଷ୍ପଦ ॥ ୮୮

ଦ୍ୱିପଦ ମନୁଷ୍ୟାଦି ଜାଣ । ଏକୁ ଆରେକ ଏ ପ୍ରଧାନ ॥ ୮୯

ମନୁଷ୍ୟ ମଧ୍ୟେ ଚାରିବ‰ର୍ଣ୍ଣ । ଏଥିରେ ବ୍ରାହ୍ମଣ ଉତ୍ତମ ॥ ୯୦

ବ୍ରାହ୍ମଣ ମଧ୍ୟରେ ବେଦଜ୍ଞ । ତହୁଁ ଅଧିକ ଯେ ଅର୍ଥଜ୍ଞ ॥ ୯୧

ତହୁଁ ସଂଶୟ-ଦୂରକାରୀ । ତହିଁରୁ ସ୍ୱଧର୍ମ-ଆଚାରୀ ॥ ୯୨

ତହୁଁ ଅଧିକ ଅଟେ ସେହି । ବିଷୟ-ସଙ୍ଗ ଯାର ନାହିଁ ॥ ୯୩

ମୋହର ପ୍ରିୟ କର୍ମ କରେ । ଆତ୍ମାରେ ଭାବ ନିରନ୍ତରେ ॥ ୯୪

ସକଳ କର୍ମ ସମର୍ପଇ । ମନ ସହିତେ ମୋର ତହିଁ ॥ ୯୫

ଏ ସର୍ବଭୂତେ ବିଜେ ମୁହିଁ । ବହୁ-ମାନନାରେ ନମଇ ॥ ୯୬

ଏମନ୍ତ ଭାବେ ଯେ ଭଜଇ । ତା ହୃଦେ ବିଜେ ଭାବଗ୍ରାହୀ ॥ ୯୭

ଆନନ୍ଦେ ଦର୍ଶନ ଦିଅନ୍ତି । ତା ଅଘତିମିର ନାଶନ୍ତି ॥ ୯୮

ହେ ମନୁତନୟା ଗୋ ଶୁଣ । ଯେ ଭକ୍ତିଯୋଗର ଲକ୍ଷଣ ॥ ୯୯

ଭକ୍ତିଯୋଗରେ ମୋତେ ଧ୍ୟାୟି । ଯେ ମୋତେ ହୃଦୟେ ଦେଖଇ ॥ ୧୦୦

ପରମବ୍ରହ୍ମକୁ ଲଭଇ । ତେଣୁ ଏକାଗ୍ରଭାବେ ଧ୍ୟାୟି ॥ ୧୦୧

ଈଶ୍ୱର ସର୍ବ-ଅନ୍ତର୍ଯ୍ୟାମୀ । ଏଭାବେ ପ୍ରାଣୀଙ୍କୁ ପ୍ରଣମି ॥ ୧୦୨

ମନରେ ବହୁମାନ କରି । ପ୍ରାଣୀ ତରିବେ ଭବବାରି ॥ ୧୦୩

ସେ ଯେ ପରମବ୍ରହ୍ମସାର । ପ୍ରଧାନପୁରୁଷଙ୍କ ପର ॥ ୧୦୪

ତାର ଉପରେ କେହି ନାହିଁ । ସୃଷ୍ଟିର ଆଦି ଅନ୍ତ ସେହି ॥ ୧୦୫

ତାହାଙ୍କ ପ୍ରେରିତ ସମସ୍ତ । ସେ ଦୈବ ବୋଲିଣ କଥିତ ॥ ୧୦୬

ବସ୍ତୁ ଭେଦର ଯେ କାରଣ । ତାହାଙ୍କୁ କାଳ ବୋଲି ଜାଣ ॥ ୧୦୭

ଅଦ୍ଭୁତ କାଳର ମହିମା । ଭୋ ମାତ ନିଶ୍ଚଳେ ଜାଣିମା ॥ ୧୦୮

ମହତ ଆଦି ଯେତେ ଭୂତେ । ଯେତେକ ଅଛନ୍ତି ଜଗତେ ॥ ୧୦୯

ସମସ୍ତ ଆତ୍ମା ମଧ୍ୟଗତ । ନିରତେ କରୁଅଛି ଗ୍ରସ୍ତ ॥ ୧୧୦

ତାହାର ତହୁଁ ଭୟପାଇ । ନିରତେ କମ୍ପୁଅଛି ଦେହୀ ॥ ୧୧୧

ବିଷ୍ଣୁର ନାମାନ୍ତର କାଳ । ସେହି ବିତରେ ଯଜ୍ଞଫଳ ॥ ୧୧୨

ହେ ମାତ କାଳର ମହିମା । କେ କହିପାରେ ଗୁଣ ସୀମା ॥ ୧୧୩

ଜଗତ ବଶ ଯେ କରନ୍ତି । ସେ ପୁଣି କାଳବଳେ ଥାନ୍ତି ॥ ୧୧୪

ପ୍ରିୟ ଅପ୍ରି‌ୟ ଯାର ନାହିଁ । ବିନାଶ କରେ ସର୍ବଦେହୀ ॥ ୧୧୫

ଯେ କାଳପୁରୁଷର ଭୟେ । ନିରତେ ପବନଟି ବହେ ॥ ୧୧୬

ଯେ କାଳଭୟେ ସୂର୍ଯ୍ୟ ତାପେ । ଭ୍ରମେ ବ୍ରହ୍ମାŠଣ୍ତ ମଧ୍ୟେ ଆପେ ॥ ୧୧୭

ଯାହାର ଭୟେ ମେଘଗଣ । ବୃଷ୍ଟି କରନ୍ତି ଯଥାକ୍ଷଣ ॥ ୧୧୮

ଯାହାର ଭୟେ ତାରାଗଣେ । ଉଦିତ ହୁଅନ୍ତି ଗଗନେ ॥ ୧୧୯

ଯାହାର ଭୟେ ବୃକ୍ଷଗଣ । ଲତା ଔଷଧି ଶସ୍ୟମାନ ॥ ୧୨୦

ଯଥାକାଳରେ ପୁଷ୍ପଫଳ । ଫଳନ୍ତି ଫୁଟନ୍ତି ନିର୍ମଳ ॥ ୧୨୧

ଯାହାର ଭୟେ ନଦୀଗଣ । ବହୁଅଛନ୍ତି ଅନୁକ୍ଷଣ ॥ ୧୨୨

ଉଦଧି ଯାହାର ଭୟରେ । ଅଦ୍ୟାପି କେବେ ନ ଉଛୁଳେ ॥ ୧୨୩

ଅଗ୍ନି ଯାହାର ଭୟେ ପୁଣ । ସମସ୍ତ କରଇ ଦହନ ॥ ୧୨୪

ଯାହାର ଭୟେ ଗିରିବର । ଧରା ସହିତେ ସେ ନିଶ୍ଚଳ ॥ ୧୨୫

ଯାହାର ଆଜ୍ଞା ପରିମାଣେ । ଆକାଶ ଭୟକରି ମନେ ॥ ୧୨୬

ସ୍ୱଦେହ ବିସ୍ତାର ସେ କଲା । ସପ୍ତଲୋକକୁ ଠାବ ଦେଲା ॥ ୧୨୭

ଯାର ଆଜ୍ଞାରେ ମହତ୍ତ‌ତ୍ତ୍ବ । ସପତାବରଣ ସମେତ ॥ ୧୨୮

ଦେହକୁ ବିସ୍ତାର କରିଛି । ପ୍ରାଣକୁ ଧରିଣ ବହିଛି ॥ ୧୨୯

ବ୍ରହ୍ମାଦି ଯେତେ ଦେବଗଣ । ସଚରାଚର ଯେ ଭିଆଣ ॥ ୧୩୦

ଯାହାର ଭୟେ ବାରେବାରେ । ସର୍ଜନା ହୁଅନ୍ତି ସତ୍ୱରେ ॥ ୧୩୧

ଯେ କାଳଭୟରେ ତ୍ରି‌ଗୁଣ । ସୃଷ୍ଟି ପାଳନ ସଂହାରଣ ॥ ୧୩୨

ସେ କାଳରୂପୀ ଯେ ଅନନ୍ତ । ଅନାଦି ଅବ୍ୟୟ ଅଚ୍ୟୁତ ॥ ୧୩୩

ସମସ୍ତ ଉପ୍ତତ୍ତି କରଇ । ଗୁଣ ପ୍ରବାହ ଭାବ ବହି ॥ ୧୩୪

ଯେ କାଳରୂପେ ଅନ୍ତ କରେ । ଏଣୁ ଅନନ୍ତ ନାମ ଧରେ ॥ ୧୩୫

ଏଣୁ ଏ କାଳର ମହିମା । କେ ଜାଣିପାରେ ଗୁଣସୀମା ॥ ୧୩୬

ମୋର ଭକତଜନେ ଯହିଁ । କାଳର ଅଧିକାର ନାହିଁ ॥ ୧୩୭

ସୁଜନେ ଏଣେ କର ମତି । ତୁଟିବ ସଂସାର ଦୁର୍ଗତି ॥ ୧୩୮

ଏ ମାତା-ପୁତ୍ରଙ୍କ ସମ୍ବାଦ । ଶୁଣନ୍ତେ ନଲାଗେ ପ୍ରମାଦ ॥ ୧୩୯

ପୁରାଣ ରସମୟ ଗୀତ । ହରିବ ସକଳ ଦୁରିତ ॥ ୧୪୦

କହଇ ଦାସ ଜଗନ୍ନାଥ । ତୃତୀୟ ସ୍କନ୍ଧେ ଭାଗବତ ॥ ୧୪୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ କାପିଳେୟେ ସାଧନାନୁଷ୍ଠାନଂ ନାମ ଅଷ୍ଟାବିଂଶେଽଧ୍ୟାୟଃ ॥

* * *