ତୃତୀୟ ସ୍କନ୍ଧ

ଅଷ୍ଟବିଂଶ ଅଧ୍ୟାୟ

ଭଗବାନ ଉବାଚ

ଶୁଣ ନୃପତିସୁତା ତୁମ୍ଭେ । ଯୋଗଲକ୍ଷଣ କହୁ ଆମ୍ଭେ ॥

ମନ ପ୍ରସନ୍ନ ଯେଣେ ହୋଇ । ସତ୍ପଥେ ସର୍ବଦା ଗମଇ ॥

ଏଣୁ ଏ ଗ୍ରାମ୍ୟଧର୍ମ ଛାଡ଼ି । ନିବୃତ୍ତିମାର୍ଗେ ଚିତ୍ତ ବଢ଼ି ॥

ନିଶ୍ଚଳ ସ୍ଥାନେ ଅବସ୍ଥାନ । କରିବ ପବିତ୍ର ଭୋଜନ ॥

ଅହିଂସା ସତ୍ୟମାର୍ଗେ ଭଜି । ଅଧିକ ପ୍ରତିଗ୍ରହ ତେଜି ॥

ଯେ ବ୍ରହ୍ମଚର୍ଯ୍ୟ ଆଚରଣ । ତପ ଶଉଚ ଅଧ୍ୟୟନ ॥

ପରମ-ପୁରୁଷ ଅର୍ଚ୍ଚନ । ତା ପାଦେ ଦେଇ ବାକ୍ୟମନ ॥

ନିଶ୍ଚଳେ ଆସନେ ବସିବ । ମଉନ ବ୍ରତ ଆଚରିବ ॥

ମନକୁ ନିର୍ବିକ୍ଷୟ କରି । ଇନ୍ଦ୍ରିୟ ସମୂହ ନିବାରି ॥

ଆହାର ଜିଣି ପ୍ରତ୍ୟାହାରେ । ପ୍ରାଣକୁ ସ୍ଥାପିବ ନିଶ୍ଚଳେ ॥ ୧୦

ଆତ୍ମାରେ ଆତ୍ମାକୁ ଚିନ୍ତିବ । ବୈକୁଣ୍ଠଲୀଳାକୁ ଭାବିବ ॥ ୧୧

ବୁଦ୍ଧିର ବଳେ କର୍ମସାଧି । ନିଶ୍ଚଳ ଯୋଗରେ ସମାଧି ॥ ୧୨

ଏ ବିନୁ ଅନ୍ୟ ମାର୍ଗ ନାହିଁ । ଶୁଣ ଗୋ ମାତ ମନ ଦେଇ ॥ ୧୩

ବିଶୁଦ୍ଧ ଦେଶରେ ଆସନ । କୁଶ କମ୍ବଳ କୃଷ୍ଣାଜିନ ॥ ୧୪

ସ୍ୱସ୍ତିକ ଆସନେ ବସିବ । ଆନନ୍ଦେ ଯୋଗ ଅଭ୍ୟାସିବ ॥ ୧୫

ଯେ ପ୍ରାଣମାର୍ଗ ବିଶୋଧକ । ପୂରକ କୁମ୍ଭକ ରେଚକ ॥ ୧୬

ଏ ମାର୍ଗେ ପ୍ରାଣକୁ ଶୋଧିବ । ନିଶ୍ଚଳ ଚିତ୍ତରେ ଚିନ୍ତିବ ॥ ୧୭

ଯେମନ୍ତେ ବାୟୁ ଅଗ୍ନି ଲାଗି । ଲୋହ ଦଗଧେ ମଳତ୍ୟାଗି ॥ ୧୮

ସେ ରୂପେ ପ୍ରାଣାୟମ କଲେ । ଆତ୍ମା ନିର୍ମଳ ହୁଏ ଭଲେ ॥ ୧୯

ସମସ୍ତ ଦୋଷ ଏଣେ ହରେ । ଯେବ ପାତକ ପୂର୍ବାପରେ ॥ ୨୦

ପ୍ରତ୍ୟାହାରର ବଳେ ମନ । ଧ୍ୟାନରେ ଜିଣଇ ତ୍ରିଗୁଣ ॥ ୨୧

ମନ ନିର୍ମଳ ଯେତେବେଳେ । ଯୋଗକୁ ସାଧିବ ନିଶ୍ଚଳେ ॥ ୨୨

କଳା କାଷ୍ଠା ବା ଦଣ୍ତ କ୍ଷଣେ । ନାସିକା ଅଗ୍ର ଦରଶନେ ॥ ୨୩

ଧ୍ୟାନେ ଚିନ୍ତିବ ଭଗବାନ । ଅନାଦି-ପରମ-କାରଣ ॥ ୨୪

ଶ୍ୟାମସୁନ୍ଦର କଳେବର । ବଚନ ଅମୃତ ମଧୁର ॥ ୨୫

ସୁନ୍ଦର ପ୍ରସନ୍ନ ବଦନ । ପଦ୍ମର ପ୍ରାୟେ ଯା ନୟନ ॥ ୨୬

ପଙ୍କଜ କିଞ୍ଜଳ୍କର ପ୍ରାୟେ । ପୀତବସନ କଟୀ ଶୋହେ ॥ ୨୭

ଯେ ଶଙ୍ଖଚକ୍ର ଗଦାଧର । ପଦ୍ମ ବିରାଜେ ଭୁଜେ ତାର ॥ ୨୮

ଶ୍ରୀବତ୍ସ› ଚିହ୍ନ ବକ୍ଷସ୍ଥଳେ । କିବା ଉପମା ଦେବା ଭଲେ ॥ ୨୯

ମୁକୁତା ଚାପସରି ଶୋହେ । କଣ୍ଠେ କୌସ୍ତୁଭମଣି ମୋହେ ॥ ୩୦

ଲମ୍ବିତ ତାର ପୃଷ୍ଠଦେଶେ । ପାଟଝୁମ୍ପାଏ ସେ ପ୍ରକାଶେ ॥ ୩୧

ଅମଳ ବନମାଳା ଗଳେ । ମତ୍ତ ଭ୍ରମର ମଧୁ ଭୋଳେ ॥ ୩୨

ମଧୁର ଧ୍ୱନି ସେ କରନ୍ତି । ଆନନ୍ଦେ ଉଡ଼ି ପନ୍ତି ପନ୍ତି ॥ ୩୩

କିରୀଟ ଅଙ୍ଗଦ ବିରାଜେ । ଅମୂଲ୍ୟ ହାର ହୃଦେ ସାଜେ ॥ ୩୪

ରତ୍ନ ନୂପୁର ପାଦେ ଶୋହି । କିବା ଉପମା ଦେବା ତହିଁ ॥ ୩୫

କଟିରେ କାଞ୍ଚିଗୁଣ ସାଜେ । ଭକ୍ତଙ୍କ ମନରେ ବିରାଜେ ॥ ୩୬

ତାହାଙ୍କ କ‰ର୍ଣ୍ଣରେ କୁଣ୍ତŠଳ । ଶୋଭିତ କରେ ଗଣ୍ତŠସ୍ଥଳ ॥ ୩୭

ଏମନ୍ତ ରୂପ ଭକ୍ତଜନେ । ହୃଦେ ଚିନ୍ତନ୍ତି ଅନୁକ୍ଷଣେ ॥ ୩୮

ଆନନ୍ଦେ ଦର୍ଶନ କରନ୍ତି । ନିର୍ମଳ ନୟନେ ଦେଖନ୍ତି ॥ ୩୯

କିଶୋର ତରୁଣ ବୟସ । ଅତି ସୁନ୍ଦର ସୁପ୍ରକାଶ ॥ ୪୦

ସର୍ବଲୋକଙ୍କ ନମସ୍କୃତ । ଅବ୍ୟୟ ସୁଶାନ୍ତ ମହତ ॥ ୪୧

ଭକ୍ତାନୁଗ୍ରହୀ ସେ ଅଟନ୍ତି । ଭକ୍ତର କଷ୍ଟ ନ ସହନ୍ତି ॥ ୪୨

କୀର୍ତ୍ତନ-ଯୋଗ୍ୟ ଯଶ ଯାର । ତୀର୍ଥ ସମାନ ପାପହର ॥ ୪୩

ଯାହାରକୀର୍ତ୍ତି ପୁଣ୍ୟଶ୍ଳୋକେ । ଗାୟନ କରୁଥାନ୍ତି ମୁଖେ ॥ ୪୪

ଏରୂପେ ତା ଅଙ୍ଗ ସମଗ୍ରେ । ମନରେ ଚିନ୍ତିବେ ଏକାଗ୍ରେ ॥ ୪୫

ଆସନେ ବସି ଏକାନ୍ତରେ । ଗମନ ଶୟନ ଗୁହାରେ ॥ ୪୬

ଅଙ୍ଗକୁ ଅଙ୍ଗପ୍ରତି ଧ୍ୟାନ । ଚିନ୍ତିବ ବିଷ୍ଣୁର ଚରଣ ॥ ୪୭

ଧ୍ୱଜ ଅଙ୍କୁଶ ବଜ୍ର ଚିହ୍ନ । ପଦ୍ମ ସହିତେ ଯେ ଲା‚ଞ୍ଛନ ॥ ୪୮

ତୁଙ୍ଗ ସୁରଙ୍ଗ ପାଦ ଦୁଇ । ନଖ ଚନ୍ଦ୍ରିକା ବିରାଜଇ ॥ ୪୯

ଖŠଣ୍ତଇ ହୃଦ ଅନ୍ଧକାର । ଧ୍ୟାନେ ଭଜିବ ନିରନ୍ତର ॥ ୫୦

ଯା ପାଦୋଦକ ଗଙ୍ଗାନୀର । ଶିରରେ ରହିଛନ୍ତି ହର ॥ ୫୧

ସେ ନୀରେ ବ୍ରହ୍ମାଣ୍ତŠ ମଧ୍ୟରେ । ସ୍ନାନେ ତରନ୍ତି ସୁରନରେ ॥ ୫୨

ପାପ-ଶଇଳ ବଜ୍ରପ୍ରାୟେ । ଯା ପାଦ ନାଶଇ ନିର୍ଭୟେ ॥ ୫୩

ସେ ପାଦପଦ୍ମେ ଧ୍ୟାନ କରି । ନିତ୍ୟେ ବାନ୍ଧିବ ଚିତ୍ତେ ଧରି ॥ ୫୪

ସେ ପାଦପଦ୍ମର ମହିମା । କେ କହିପାରେ ଗୁଣସୀମା ॥ ୫୫

ଯେ ପାଦଯୁଗ ମନୋହର । ଲକ୍ଷ୍ମୀ ସେବଇ ନିରନ୍ତର ॥ ୫୬

ସୁନ୍ଦର ଜାନୁଲମ୍ବମାନ । ଗରୁଡ଼ସ୍କନ୍ଧରେ ଶୋଭନ ॥ ୫୭

ଅତସୀ କୁସୁମର ପ୍ରାୟେ । ଅଙ୍ଗ ତାହାର ଶୋଭାପାଏ ॥ ୫୮

ତଡ଼ିତ ଜିଣି ପୀତମ୍ବର । କାଞ୍ଚି ନିତମ୍ବେ ମନୋହର ॥ ୫୯

ଏ ବିଶ୍ୱ ଯାହାର ଉଦର । ସପ୍ତସମୁଦ୍ର ଦ୍ୱୀପବର ॥ ୬୦

ଯା ନାଭିପଦ୍ମୁ ବ୍ରହ୍ମଜାତ । ଅଖିଳ-ବ୍ରହ୍ମାŠଣ୍ତର ନାଥ ॥ ୬୧

ଏମନ୍ତ ଭାବେ ଏହା ଚିନ୍ତି । ଅପରେ ହୃଦୟ ଆକୃତି ॥ ୬୨

ମର୍କତମଣି ପ୍ରାୟେ ଶୋଭା । ସ୍ତନଯୁଗଳ ଦିବ୍ୟପ୍ରଭା ॥ ୬୩

ତା ମଧ୍ୟେ ବିଶଦ ଯେ ହାର । ଅତ୍ୟନ୍ତ ଶୋଭା ସେ ହୃଦର ॥ ୬୪

ଲକ୍ଷ୍ମୀ ଭୂଷଣ ବକ୍ଷସ୍ଥଳେ । କୌସ୍ତୁଭମଣି ଶୋଭେ ଗଳେ ॥ ୬୫

ଅଖିଳଲୋକ ନମସ୍କୃତ । ରୂପ ଚିନ୍ତିବ ଜଗନ୍ନାଥ ॥ ୬୬

ମନ୍ଦରଗିରି ଶୃଙ୍ଖ ପ୍ରାୟେ । ତା ଭୁଜଦଣ୍ତŠ ଶୋଭାପାଏ ॥ ୬୭

ଯେ ଚକ୍ର ଧରିଛନ୍ତି କର । ଅତି ଅସହ୍ୟ ତେଜ ତାର ॥ ୬୮

ତା କରପଦ୍ମେ ଶଙ୍ଖ ପ୍ରଭା । ରାଜହଂସର ପ୍ରାୟେ ଶୋଭା ॥ ୬୯

ଦାନବ ରୁଧିରେଣ ଯୁକ୍ତ । ଗଦାଏ ଅଛି ତାର ହସ୍ତ ॥ ୭୦

ମାଳାରେ ତାକଣ୍ଠ ଶୋଭିତ । ଭ୍ରମର ଗୁଞ୍ଜନେ ଶବ୍ଦିତ ॥ ୭୧

ତା ମଧ୍ୟ୍ୟେ କୌସ୍ତୁଭ ଖଚିତ । ଯାହା ଅଟଇ ଜୀବତ‌ତ୍ତ୍ବ ॥ ୭୨

ଭୃତ୍ୟାନୁଗ୍ରହେ ତା ଶ୍ରୀମୁଖ । ସୁସ୍ମିତ ସୁରଙ୍ଗ ସୁରେଖ ॥ ୭୩

ସୁନ୍ଦର ବଦନାରବିନ୍ଦ । ପରେ ଚିନ୍ତିବେ ଯୋଗୀବୃନ୍ଦ ॥ ୭୪

ଶ୍ରବଣେ ମକର କୁଣ୍ତŠଳ । ଚଳନ୍ତେ ଶୋହେ ଗŠଣ୍ତସ୍ଥଳ ॥ ୭୫

ତୁଙ୍ଗନାସିକା ଦିବ୍ୟଶୋଭା । କୁଟିଳ ଅଳକ ସୁପ୍ରଭା ॥ ୭୬

ଲୋଚନଯୁଗ ପଦ୍ମପ୍ରାୟେ । ତହିଁରେ ଭୃଙ୍ଗ କିବା ଶୋହେ ॥ ୭୭

ଏମନ୍ତ ରୂପ ଯେବା ଧ୍ୟାନ । ଆନନ୍ଦେ କରେ ଅନୁକ୍ଷଣ ॥ ୭୮

ତାହାକୁ ପ୍ରଭୁ କୃପା କରେ । ଏ ଘୋର ତାପତ୍ରୟ ହରେ ॥ ୭୯

ଏଣୁ ଏ ରୂପ ଗୁଣ ଧ୍ୟାନେ । ନିତ୍ୟେ ଚିନ୍ତିବ ଦୃଢ଼ମନେ ॥ ୮୦

ଅଖିଳଲୋକ ତାପ ହରେ । ଯେ ମନ୍ଦହାସ ଶ୍ରୀମୁଖରେ ॥ ୮୧

ମକରଧ୍ୱଜ-ଚାପ ପ୍ରାୟେ । ଭ୍ରୁଜଙ୍ଗଯୁଗ ତାର ଶୋହେ ॥ ୮୨

କଟାକ୍ଷ ଶରପନ୍ତି ହୋଇ । ମୁନିଜନଙ୍କ ମନ ମୋହି ॥ ୮୩

ଏଣେ ମୋହିତ ମୁନିଜନେ । ଧ୍ୟାନ କରନ୍ତି ଅନୁକ୍ଷଣେ ॥ ୮୪

ତା ଉଚ୍ଚହାସ୍ୟ ଧ୍ୟାନ କର । ଅରୁଣବ‰ର୍ଣ୍ଣ ଓଷ୍ଠାଧାର ॥ ୮୫

କୁନ୍ଦ-କୋରକ ପ୍ରାୟେ ହୋଇ । ତା ଦନ୍ତପଙ୍‌କ୍ତି ବିରାଜଇ ॥ ୮୬

ପ୍ରେମାନୁବନ୍ଧେ ଏହା ଚିନ୍ତି । ସେ ଅନ୍ୟ କିଛି ନବାଛନ୍ତି ॥ ୮୭

ଏ ରୂପ ଧ୍ୟାନଯୋଗ ଭାବେ । ଭକ୍ତ ହୃଦୟ ଯହୁଁ ଦ୍ରବେ ॥ ୮୮

ଉତ୍କଣ୍ଠା ଅଶ୍ରୁ ପୁନଃ ପୁନଃ । ପୁଲକ ହୋଏ ତନୁଲୋମ ॥ ୮୯

ଆନନ୍ଦସାଗରେ ବୁଡ଼ଇ । ଆଉ ବା ଧ୍ୟାନ ତାର କାହିଁ ॥ ୯୦

ଏ ରୂପେ ନିର୍ବିଷୟ ହୋଇ । ନିଷ୍କାମମାର୍ଗେ ଯୋଗଧ୍ୟାୟି ॥ ୯୧

ପରମାନନ୍ଦ ରୂପ ଚିନ୍ତି । ବ୍ରହ୍ମ ନିର୍ବାଣ ସେ ଲଭନ୍ତି ॥ ୯୨

ଜ୍ୟୋତିସ୍ୱରୂପେ ଆତ୍ମା ଏକ । ସର୍ବତ୍ର ଦେଖଇ ପ୍ରତ୍ୟକ୍ଷ ॥ ୯୩

ଗୁଣ ପ୍ରବାହକୁ ନାଶଇ । ଅଗମ୍ୟ ଦିବ୍ୟସ୍ଥାନ ପାଇ ॥ ୯୪

ଏ ରୂପେ ଭକ୍ତିଯୋଗ ସାଧି । ତରଇ ସଂସାର ଜଳଧି ॥ ୯୫

ନ ଜାଣେ ସୁଖ ଦୁଃଖ ଭାବ । ଜନ୍ମ ମୃତ୍ୟୁର ପରାଭବ ॥ ୯୬

ମଦିରାପାନେ ଭୋଳ ହୋଇ । ଯେମନ୍ତ ବିବଶ ହୁଅଇ ॥ ୯୭

ବସନ କଟିତଟେ ଅଛି । ଅଥବା ଭୂତଳେ ପଡ଼ିଛି ॥ ୯୮

ଅଜ୍ଞାନେ କିଛି ନ ଜାଣନ୍ତି । ସେ ରୂପେ ଯୋଗୀ ଦେହବୃତ୍ତି ॥ ୯୯

ଏ ଦେହ କର୍ମବଶ ହୋଇ । ସର୍ବ ସଂକଳ୍ପ କରୁଥାଇ ॥ ୧୦୦

ଯାବତ ଯୋଗସିଦ୍ଧି ନୋହି । ତାବତ ବିଷୟେ ଭ୍ରମଇ ॥ ୧୦୧

ପୁତ୍ର କଳତ୍ର ଗୃହ ଧନ । ସ୍ନେହେ ବନ୍ଧନ ପ୍ରାଣୀ ମନ ॥ ୧୦୨

ସ୍ୱପ୍ନର ପ୍ରାୟ ତାହା ମଣି । ପୁରୁଷ ନ ମଜ୍ଜଇ ପୁଣି ॥ ୧୦୩

ଅତି ସ୍ନେହରେ ପୁତ୍ର ବିତ୍ତ । ଆତ୍ମ ସ୍ୱରୂପେ ହିଁ କଳ୍ପିତ ॥ ୧୦୪

ସ୍ୱଭାବେ ବିଭିନ୍ନ ଅଟଇ । ସେ ରୂପେ ଦେହେ ଆତ୍ମା ହୋଇ ॥ ୧୦୫

ଯେମନ୍ତେ ଅଗ୍ନି ଧୂମ ବଳେ । କେବେ ହେଁ ନଦିଶେ ନିର୍ମଳେ ॥ ୧୦୬

ସେ ରୂପେ ବିଷୟାରେ ପ୍ରାଣୀ । କେବେ ହେଁ ଆତ୍ମାକୁ ନ ଚିହ୍ନି ॥ ୧୦୭

କାଷ୍ଠରୁ ଧୂମ ଅଗ୍ନି ଜାତ । ସେ କାଷ୍ଠ ଦହଇ ଯେମନ୍ତ ॥ ୧୦୮

ଅଜ୍ଞାନୁ ଜ୍ଞାନ ଜାତ ହୋଇ । ବିଷୟ-ବାସନା ଦହଇ ॥ ୧୦୯

ଭୂତ ଇନ୍ଦ୍ରିୟଗଣ ଯେତେ । ପ୍ରଧାନ-ପୁରୁଷ ସହିତେ ॥ ୧୧୦

ଏକୁ ଅନେକ ରୂପ ହୋଇ । ବ୍ରହ୍ମାଣ୍ତେ ଲୀଳା ସେ କରଇ ॥ ୧୧୧

ଏମନ୍ତ ଭାବେ ବ୍ରହ୍ମଜ୍ଞାନ । ପ୍ରାଣୀ ଚିନ୍ତନ୍ତି ଅନୁକ୍ଷଣ ॥ ୧୧୨

ଏ ସର୍ବଭୂତ ତାର ଦେହି । ସେ ସର୍ବଭୂତ ମଧ୍ୟେ ଥାଇ ॥ ୧୧୩

ଏମନ୍ତ ଭାବେ ସର୍ବଭୂତେ । ଅନନ୍ୟଭାବେ ଦେଖେ ନିତ୍ୟେ ॥ ୧୧୪

ସେ ଜ୍ୟୋତିର୍ମୟ ଆତ୍ମଯୋନି । ଗୁଣ ପ୍ରବାହ ଭେଦ ଘେନି ॥ ୧୧୫

ଆଭାସେ ଯତା ଭିନ୍ନେ ଭିନ୍ନେ । ଆଧାର ଭେଦେ ଅଗ୍ନି ଯେହ୍ନେ ॥ ୧୧୬

ସତ୍ ଅସତ୍ ଆତ୍ମା ସେହି । ତା ବିନୁ ଅନ୍ୟ ନାହିଁ କେହି ॥ ୧୧୭

ପରମ ଭକ୍ତିଭାବ ଏହି । ଏ ଭାବେ ଚିନ୍ତ ମନ ଦେଇ ॥ ୧୧୮

ତେବେ ଏ ସଂସାରୁ ତରିବ । ଶ୍ରୀକୃଷ୍ଣ-ଚରଣ ଲଭିବ ॥ ୧୧୯

ଭୋ ମାତ ସାଧ ଏହି ଯୋଗ । ହେଳେ ତରିବ କର୍ମଭୋଗ ॥ ୧୨୦

ଏଣୁ ସଂସାରୁ ତରିଯିବ । ନାହିଁ ଯାତନା ପରାଭବ ॥ ୧୨୧

କହଇ ବିପ୍ର ଜଗନ୍ନାଥ । ସୁଜନେ ଚିନ୍ତ ଏହିପଥ ॥ ୧୨୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ କାପିଳେୟେ ସାଧନାନୁଷ୍ଠାନଂ ନାମ ଅଷ୍ଟାବିଂଶେଽଧ୍ୟାୟଃ ॥

* * *