ତୃତୀୟ ସ୍କନ୍ଧ
ସପ୍ତବିଂଶ ଅଧ୍ୟାୟ
ଭଗବାନ ଉବାଚ
ବିଷ୍ଣୁ କହନ୍ତି ତୋଷମନେ । ମନୁ ତନୟା ସନ୍ନିଧାନେ ॥ ୧
ଶୁଣି ଜନନୀ ଏକମନ । ଯେ ହରି ଅଜ-ନିରଞ୍ଜନ ॥ ୨
ନିର୍ଗୁଣ ନିର୍ବିକାରମୟେ । ବସଇ ଆତ୍ମାରୂପେ ଦେହେ ॥ ୩
ପ୍ରକୃତିଗୁଣେ ନୋହେ ସଙ୍ଗ । ଜଳ ଯେସନେ ଅର୍କବିମ୍ବ ॥ ୪
ସେ ଦେହଧର୍ମେ ବଦ୍ଧ ହୋଇ । ଆତ୍ମାଙ୍କୁ ଅହଙ୍କାର ବହି ॥ ୫
ଆତ୍ମାର ଦୁଃଖ ସୁଖ ମଣେ । କର୍ମକରତା ମୁଁ ପ୍ରମାଣେ ॥ ୬
ଆତ୍ମାର ବନ୍ଧ କର୍ମ ପାକେ । ନିତ୍ୟେ ଭ୍ରମଇ ଦୁଃଖ ସୁଖେ ॥ ୭
ଦେହକୁ କରେ ଅଭିମାନ । ଏଣୁ ହରଇ ନିଜ ଜ୍ଞାନ ॥ ୮
ନିରତେ ଅହଙ୍କାର ଘେନି । ଏମନ୍ତେ ଭ୍ରମେ ନାନା ଯୋନି ॥ ୯
ଯେସନେ ଜଳେ ପ୍ରାଣୀ ପଶେ । ପୁଣି ଉଠନ୍ତେ ଶିର ଦିଶେ ॥ ୧୦
ଜନ୍ମ ମରଣ ଏହି ମତ । ଅର୍ଜିଲା କର୍ମର ଆୟତ୍ତ ॥ ୧୧
ଆତ୍ମାର କର୍ମଫଳ ଘେନି । ଜୀବ ଭ୍ରମଇ ନାନା ଯୋନି ॥ ୧୨
ଅଜ୍ଞାନେ ଏ ଘୋର ସଂସାରେ । ଜୀବ ଭ୍ରମଇ ଅହଂକାରେ ॥ ୧୩
ଦୁଃଖ ଲଭଇ ବାରେବାରେ । ଆତ୍ମାର ଗତି ନବିଚାରେ ॥ ୧୪
ସ୍ୱପ୍ନେ ଅନର୍ଥ ଯେତେ ଦେଖି । ନାନା ପ୍ରପେଞ୍ଚେ ଉପଲକ୍ଷି ॥ ୧୫
ଦେଖନ୍ତେ ମଣେ ତା ପ୍ରତ୍ୟକ୍ଷ । ଯେହ୍ନେ ଜାଗରେ ହୋଏ ମିଛ ॥ ୧୬
ଏ ରୂପେ ଜୀବର ସଞ୍ଚାର । ଏମନ୍ତ ମାୟା ଏ ସଂସାର ॥ ୧୭
ଏ ଜୀବ ମୋହିତ ଅଜ୍ଞାନେ । ଏ ରୂପେ ପଡ଼ଇ ବନ୍ଧନେ ॥ ୧୮
ଏଣୁ ସଂଯମଚିତ୍ତ କରି । ବିଷୟ-ବିଷରୁ ଉଦ୍ଧରି ॥ ୧୯
ଭକ୍ତି-ବିରକ୍ତି ଯୋଗବଳେ । ମନକୁ ବଶ କରି ହେଳେ ॥ ୨୦
ନିୟମେ ମାପି ସୁନିଶ୍ଚଳେ । ଛାଡ଼ି ଇନ୍ଦ୍ରିୟ ସଙ୍ଗ ମେଳେ ॥ ୨୧
ବିଷ୍ଣୁ-ବିଷୟେ ମନ ଧରି । ସାଧିବ ଶରୀର ପାଶୋରି ॥ ୨୨
ଯତ୍ନେ ସାଧିବ ଯୋଗ ତପ । ସତ୍ୟ-ଶଉଚ-ଶ୍ରଦ୍ଧା କଳ୍ପ ॥ ୨୩
ମୋହର ଗୁଣ କର୍ମ ଯଶ । ଶ୍ରବଣ କୀର୍ତ୍ତନେ ହରଷ ॥ ୨୪
ସକଳଜୀବେ ନିଜ ପ୍ରାୟେ । ସମେ ଦେଖିବ ବିଷ୍ଣୁମୟେ ॥ ୨୫
ପ୍ରାଣୀଙ୍କ ହିତେ ଥିବ ନିତ୍ୟେ । ଚଞ୍ଚଳ-ଇନ୍ଦ୍ରିୟ ସଂଯତେ ॥ ୨୬
ଈଶ୍ୱରେ ସ୍ଥାପି କର୍ମଫଳ । ସ୍ୱଧର୍ମ ସାଧିବ ନିଶ୍ଚଳ ॥ ୨୭
ପ୍ରଥମ-ଆଶ୍ରମର ମତେ । ସ୍ୱଧର୍ମ ମୌନ ସତ୍ୟଯୁତେ ॥ ୨୮
କରି ଛାଡ଼ିବ ଗୃହ ସ୍ନେହ । ଯେ ଅହଙ୍କାର ମାୟାମୋହ ॥ ୨୯
ଆହାରେ ଭଲ ମନ୍ଦ ନାହିଁ । ଯେବା ମିଳିବ ଯାହା ଯହିଁ ॥ ୩୦
ଅଳ୍ପ ଭୋଜନେ ମତ ତୋଷି । ଏକାନ୍ତ ଜ୍ଞାନେ ନିତ୍ୟେ ବସି ॥ ୩୧
କରୁଣ ଶାନ୍ତ ଶିଷ୍ଟ ଗୁଣ । ସକଳ ଭୂତେ ମିତ୍ରପଣ ॥ ୩୨
ସୁହୃଦ ସୁତ ଗୃହ ନାରୀ । ଏ ଦେହେ ମମତା ନକରି ॥ ୩୩
ପ୍ରକୃତି ପୁରୁଷ ବିଚାର । ଜ୍ଞାନର ତତ୍ତ୍ବ ଅବଧାର ॥ ୩୪
ତେଣେ ନିବୃତ୍ତ ବୁଦ୍ଧିଭାବ । ଜାଗ୍ରତ ସ୍ୱପ୍ନ ଆଦିଭାବ ॥ ୩୫
ସମସ୍ତ ହୁଅଇ ନିବୃତ୍ତ । ବିଷୟ-ଚିନ୍ତା ଦୂରୀଭୂତ ॥ ୩୬
ଅନ୍ୟ ଦର୍ଶନ ତାର ନାହିଁ । ଆତ୍ମାରେ ଆତ୍ମାକୁ ଦେଖଇ ॥ ୩୭
ଚକ୍ଷୁର ଅର୍କେ ଅର୍କ ପ୍ରାୟେ । ଦେଖଇ ସର୍ବ ବ୍ରହ୍ମମୟେ ॥ ୩୮
ସେ ବ୍ରହ୍ମ ନିତ୍ୟ ଲିଙ୍ଗମୁକ୍ତ । ଆଭାସେ ଅହଙ୍କାରେ ସ୍ଥିତ ॥ ୩୯
ଏଣୁ ଯେ ଅହଙ୍କାରୀ ଜୀବ । କି ରୂପେ ବ୍ରହ୍ମଙ୍କୁ ଦେଖିବ ॥ ୪୦
ଭୋ ମାତ ସଂଶୟ ନକର । ପ୍ରମାଣ କହିବା ତାହାର ॥ ୪୧
ଯେସନେ ରବିବିମ୍ବ ଜଳେ । ଆଭାସୁ ପୁଣି ଲକ୍ଷି ସ୍ଥଳେ ॥ ୪୨
ପୁଣି ସେ ଜଳବିମ୍ବ-ବଳେ । ଆକାଶ-ରବି ଦେଖି ଡୋଳେ ॥ ୪୩
ତେସନେ ଦେହେନ୍ଦ୍ରିୟ ମନେ । ଏ ଜୀବ ଥାଇଣ ପ୍ରଚ୍ଛନ୍ନେ ॥ ୪୪
ଏ ଯେ ତ୍ରିଗୁଣ ଅହଙ୍କାର । ଆଭାସ ଯହିଁରେ ବ୍ରହ୍ମର ॥ ୪୫
ତହୁଁ ବ୍ରହ୍ମଙ୍କୁ ଉପଲକ୍ଷି । ପୁଣି ପତ୍ୟେକ୍ଷେ ତାକୁ ଦେଖି ॥ ୪୬
ଆତ୍ମା ଅଟଇ ଶୁଦ୍ଧଜ୍ଞାନ । ଅନୁଭବରେ ତା ପ୍ରମାଣ ॥ ୪୭
ସୁଷୁପ୍ତି ଅବସ୍ଥାରେ ଯେବେ । ଭୂତାଦି ରହେ ଲୀନ ଭାବେ ॥ ୪୮
ନିଦ୍ରାରେ ଅହଙ୍କାର ଶୂନ୍ୟ । ଆତ୍ମା ସ୍ୱରୂପେ ବର୍ତ୍ତମାନ ॥ ୪୯
ଦ୍ରଷ୍ଟାସ୍ୱରୂପେ ଥାଇ ଦେହେ । ନିଜକୁ ମଣେ ନଷ୍ଟ ପ୍ରାୟେ ॥ ୫୦
ଉପାଧି ନାଶ ହେବା ଜାଣି । ଆପଣା ନାଶ ପରିମାଣି ॥ ୫୧
ଧନବିନାଶେ ଲୋକ ଯେହ୍ନେ । ଆପଣ ନାଶ ପ୍ରାୟ ମଣେ ॥ ୫୨
ସୁଷୁପ୍ତି ଅବସ୍ଥାରେ ପୁଣ । ବିଷୟ ମାତ୍ର ନୁହେଁ ଜ୍ଞାନ ॥ ୫୩
ଏ ରୂପେ ସଂଶୟ ନକର । ଭୋ ମାତ ମନରେ ବିଚାର ॥ ୫୪
ସୁଷୁପ୍ତି ଭଙ୍ଗରେ ପୁରୁଷ । ଏ ରୂପ କରଇ ପ୍ରକାଶ ॥ ୫୫
ମୁଁ ଆଜି ସୁଖେ ନିଦ୍ରା ଗଲି । କିଛି ମାତ୍ର ହିଁ ନଜାଣିଲି ॥ ୫୬
ଯେଣୁ ଏ ରୂପେ ମନେ ଥାଇ । ଆତ୍ମ ନଥିଲେ ଜ୍ଞାନ କାହିଁ ॥ ୫୭
ପ୍ରକାଶେ ଯେ କାର୍ଯ୍ୟକାରଣ । ସେ ଦ୍ରଷ୍ଟାରୂପେ ବର୍ତ୍ତମାନ ॥ ୫୮
ଦେବହୂତି ଉବାଚ
ହେ ପ୍ରଭୁ ପୁରୁଷ ପ୍ରକୃତି । କେହି କାହାକୁ ନଛାଡ଼ନ୍ତି ॥ ୫୯
ଅନ୍ୟୋନ୍ୟ ଆଶ୍ରୟ ସେ ନିତ୍ୟ । କେବେହେଁ ନୁହଁନ୍ତି ସେ ଚ୍ୟୁତ ॥ ୬୦
ଯେମନ୍ତେ ଭୂମି ଗନ୍ଧ ଦୁଇ । କେହି କାହାକୁ ନଛାଡ଼ଇ ॥ ୬୧
ଅଥବା ଦେଖ ଜଳ ରସ । ଏକ ଅଭାବେ ଏକ ନାଶ ॥ ୬୨
ସେ ରୂପେ ପ୍ରକୃତି ପୁରୁଷେ । ବିୟୋଗ କି ରୂପେ ପ୍ରକାଶେ ॥ ୬୩
ଅକର୍ତ୍ତା ପୁରୁଷ ବିଚାର । ତ୍ରିଗୁଣେ ପ୍ରକୃତି ସଞ୍ଚାର ॥ ୬୪
ଏ କର୍ମବନ୍ଧ ଯେଣୁ ତାର । କେମନ୍ତେ ମୋକ୍ଷ ଏହାଙ୍କର ॥ ୬୫
କେହି ବିବେକ ଜ୍ଞାନ ତତ୍ତ୍ବେ । ସଂସାର ଯେବେ ବା ନିବର୍ତ୍ତେ ॥ ୬୬
ହେତୁ ତାହାର ଯେଣୁ ଥାଇ । କି ରୂପେ ମୋକ୍ଷ ବା ଘଟଇ ॥ ୬୭
ଏମନ୍ତ ଦେଖଇ ବହୁତ । ତୁ ମୋତେ କହ ଯଥା ତତ୍ତ୍ବ ॥ ୬୮
ଭଗବାନ ଉବାଚ
ଶୁଣ ଜନନି ଦେଇ ଚିତ୍ତ । ଯେବା ଜୀବର ବନ୍ଧ-ମୁକ୍ତ ॥ ୬୯
ନିଷ୍କାମେ ସ୍ୱଧର୍ମରେ ଥାଇ । ମନ ନିର୍ମଳେ ମୋତେ ଧ୍ୟାଇ ॥ ୭୦
ମୋହର ଦୃଢ଼ଭକ୍ତି ଯୋଗ । ସେ ତତ୍ତ୍ବଜ୍ଞାନ ସୁବୈରାଗ୍ୟ ॥ ୭୧
ଶ୍ରୀକୃଷ୍ଣ ଶ୍ରବଣ-କୀର୍ତ୍ତନେ । ଭକ୍ତିରେ ସାଧିବ ଯତନେ ॥ ୭୨
ତତ୍ତ୍ବ ଦର୍ଶନ ଜ୍ଞାନବଳେ । ଦୃଢ଼ବୈରାଗ୍ୟ ତପବଳେ ॥ ୭୩
ଆତ୍ମାର ପ୍ରାପ୍ତି ଉପାୟରେ । ଚିତ୍ତ ଏକାଗ୍ର ସମାଧିରେ ॥ ୭୪
ଏ ସର୍ବ ପ୍ରକାର ସାଧନ । ଖଣ୍ତଇ ଜୀବର ବନ୍ଧନ ॥ ୭୫
ପ୍ରକୃତି ପରାଭବ ପାଇ । ବିରହଭାବ ସେ ଲଭଇ ॥ ୭୬
ଯେସନେ ଅରଣୀରୁ ଅଗ୍ନି । ଜନମି ଦହଇ ଅରଣୀ ॥ ୭୭
ପ୍ରକୃତି ଭୋଗ ଶେଷ ହେଲେ । ତାହାର ଦୋଷ ଦିଶେ ଭଲେ ॥ ୭୮
କାଟିଣ ସବୁ ବନ୍ଧ ପାଶ । ଆନନ୍ଦେ ବିହରେ ପୁରୁଷ ॥ ୭୯
ଯେସନେ ସ୍ୱପନେ ଅନର୍ଥ । ଜାଗିଲେ ହୁଅଇ ଅସତ୍ୟ ॥ ୮୦
ତେସନେ ସଂସାର ଦିଶଇ । ମୋ ମାୟା ତାକୁ ନଲାଗଇ ॥ ୮୧
ବହୁତ ଜନ୍ମ ଭାଗ୍ୟବଳେ । ଅଧ୍ୟାତ୍ମଜ୍ଞାନ ହୁଏ କାଳେ ॥ ୮୨
ଏ ରୂପେ ଆତ୍ମାରାମମୁନି । ବ୍ରହ୍ମଲୋକକୁ ତୁଚ୍ଛ ମଣି ॥ ୮୩
ମୋ ଭକ୍ତ ହୋଇ ମୋ ପ୍ରସାଦେ । ଆତ୍ମାକୁ ଜାଣେ ଅପ୍ରମାଦେ ॥ ୮୪
କୈବଲ୍ୟଧାମ ମୋ ଆଶ୍ରୟ । ଲଭେ ମୁକତି ଆଦି ଶ୍ରେୟ ॥ ୮୫
ଲିଙ୍ଗ-ଶରୀର ନାଶ ଯାଇ । ଆଉ ଲେଉଟି ନ ଆସଇ ॥ ୮୬
ଯାହାର ଚିତ୍ତ ଯୋଗୁ ଆନ । ମାୟାରେ ନୁହଇ ବିଭ୍ରମ ॥ ୮୭
ସେ ଆତ୍ୟନ୍ତିକୀ ଗତି ପାଇ । ଯହିଁରେ ମୃତ୍ୟୁଭୟ ନାହିଁ ॥ ୮୮
ମୈତ୍ରେୟ ବିଦୁର ଅଗ୍ରତେ । ବହୁ ସାଧନ ଯୋଗମତେ ॥ ୮୯
କହିଲେ କପିଳଙ୍କ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୯୦
ସଂସାରଜନ ହିତ ଅର୍ଥେ । ତୃତୀୟସ୍କନ୍ଧେ ଭାଗବତେ ॥ ୯୧
ସୁଜନେ ଚିନ୍ତ ମନେ ଏହା । ଯେବେ ଖଣ୍ତିବ ଭବମାୟା ॥ ୯୨
ହରିଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୯୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
କାପିଳାୟ ଉପାଖ୍ୟାନେ ସପ୍ତବିଂଶୋଽଧ୍ୟାୟଃ ॥
* * *