ତୃତୀୟ ସ୍କନ୍ଧ

ସପ୍ତବିଂଶ ଅଧ୍ୟାୟ

ଭଗବାନ ଉବାଚ

ବିଷ୍ଣୁ କହନ୍ତି ତୋଷମନେ । ମନୁ ତନୟା ସନ୍ନିଧାନେ ॥

ଶୁଣି ଜନନୀ ଏକମନ । ଯେ ହରି ଅଜ-ନିରଞ୍ଜନ ॥

ନିର୍ଗୁଣ ନିର୍ବିକାରମୟେ । ବସଇ ଆତ୍ମାରୂପେ ଦେହେ ॥

ପ୍ରକୃତିଗୁଣେ ନୋହେ ସଙ୍ଗ । ଜଳ ଯେସନେ ଅର୍କବିମ୍ବ ॥

ସେ ଦେହଧର୍ମେ ବଦ୍ଧ ହୋଇ । ଆତ୍ମାଙ୍କୁ ଅହଙ୍କାର ବହି ॥

ଆତ୍ମାର ଦୁଃଖ ସୁଖ ମଣେ । କର୍ମକରତା ମୁଁ ପ୍ରମାଣେ ॥

ଆତ୍ମାର ବନ୍ଧ କର୍ମ ପାକେ । ନିତ୍ୟେ ଭ୍ରମଇ ଦୁଃଖ ସୁଖେ ॥

ଦେହକୁ କରେ ଅଭିମାନ । ଏଣୁ ହରଇ ନିଜ ଜ୍ଞାନ ॥

ନିରତେ ଅହଙ୍କାର ଘେନି । ଏମନ୍ତେ ଭ୍ରମେ ନାନା ଯୋନି ॥

ଯେସନେ ଜଳେ ପ୍ରାଣୀ ପଶେ । ପୁଣି ଉଠନ୍ତେ ଶିର ଦିଶେ ॥ ୧୦

ଜନ୍ମ ମରଣ ଏହି ମତ । ଅର୍ଜିଲା କର୍ମର ଆୟତ୍ତ ॥ ୧୧

ଆତ୍ମାର କର୍ମଫଳ ଘେନି । ଜୀବ ଭ୍ରମଇ ନାନା ଯୋନି ॥ ୧୨

ଅଜ୍ଞାନେ ଏ ଘୋର ସଂସାରେ । ଜୀବ ଭ୍ରମଇ ଅହଂକାରେ ॥ ୧୩

ଦୁଃଖ ଲଭଇ ବାରେବାରେ । ଆତ୍ମାର ଗତି ନବିଚାରେ ॥ ୧୪

ସ୍ୱପ୍ନେ ଅନର୍ଥ ଯେତେ ଦେଖି । ନାନା ପ୍ରପେଞ୍ଚେ ଉପଲକ୍ଷି ॥ ୧୫

ଦେଖନ୍ତେ ମଣେ ତା ପ୍ରତ୍ୟକ୍ଷ । ଯେହ୍ନେ ଜାଗରେ ହୋଏ ମିଛ ॥ ୧୬

ଏ ରୂପେ ଜୀବର ସଞ୍ଚାର । ଏମନ୍ତ ମାୟା ଏ ସଂସାର ॥ ୧୭

ଏ ଜୀବ ମୋହିତ ଅଜ୍ଞାନେ । ଏ ରୂପେ ପଡ଼ଇ ବନ୍ଧନେ ॥ ୧୮

ଏଣୁ ସଂଯମଚିତ୍ତ କରି । ବିଷୟ-ବିଷରୁ ଉଦ୍ଧରି ॥ ୧୯

ଭକ୍ତି-ବିରକ୍ତି ଯୋଗବଳେ । ମନକୁ ବଶ କରି ହେଳେ ॥ ୨୦

ନିୟମେ ମାପି ସୁନିଶ୍ଚଳେ । ଛାଡ଼ି ଇନ୍ଦ୍ରିୟ ସଙ୍ଗ ମେଳେ ॥ ୨୧

ବିଷ୍ଣୁ-ବିଷୟେ ମନ ଧରି । ସାଧିବ ଶରୀର ପାଶୋରି ॥ ୨୨

ଯତ୍ନେ ସାଧିବ ଯୋଗ ତପ । ସତ୍ୟ-ଶଉଚ-ଶ୍ରଦ୍ଧା କଳ୍ପ ॥ ୨୩

ମୋହର ଗୁଣ କର୍ମ ଯଶ । ଶ୍ରବଣ କୀର୍ତ୍ତନେ ହରଷ ॥ ୨୪

ସକଳଜୀବେ ନିଜ ପ୍ରାୟେ । ସମେ ଦେଖିବ ବିଷ୍ଣୁମୟେ ॥ ୨୫

ପ୍ରାଣୀଙ୍କ ହିତେ ଥିବ ନିତ୍ୟେ । ଚଞ୍ଚଳ-ଇନ୍ଦ୍ରିୟ ସଂଯତେ ॥ ୨୬

ଈଶ୍ୱରେ ସ୍ଥାପି କର୍ମଫଳ । ସ୍ୱଧର୍ମ ସାଧିବ ନିଶ୍ଚଳ ॥ ୨୭

ପ୍ରଥମ-ଆଶ୍ରମର ମତେ । ସ୍ୱଧର୍ମ ମୌନ ସତ୍ୟଯୁତେ ॥ ୨୮

କରି ଛାଡ଼ିବ ଗୃହ ସ୍ନେହ । ଯେ ଅହଙ୍କାର ମାୟାମୋହ ॥ ୨୯

ଆହାରେ ଭଲ ମନ୍ଦ ନାହିଁ । ଯେବା ମିଳିବ ଯାହା ଯହିଁ ॥ ୩୦

ଅଳ୍ପ ଭୋଜନେ ମତ ତୋଷି । ଏକାନ୍ତ ଜ୍ଞାନେ ନିତ୍ୟେ ବସି ॥ ୩୧

କରୁଣ ଶାନ୍ତ ଶିଷ୍ଟ ଗୁଣ । ସକଳ ଭୂତେ ମିତ୍ରପଣ ॥ ୩୨

ସୁହୃଦ ସୁତ ଗୃହ ନାରୀ । ଏ ଦେହେ ମମତା ନକରି ॥ ୩୩

ପ୍ରକୃତି ପୁରୁଷ ବିଚାର । ଜ୍ଞାନର ତ‌ତ୍ତ୍ବ ଅବଧାର ॥ ୩୪

ତେଣେ ନିବୃତ୍ତ ବୁଦ୍ଧିଭାବ । ଜାଗ୍ରତ ସ୍ୱପ୍ନ ଆଦିଭାବ ॥ ୩୫

ସମସ୍ତ ହୁଅଇ ନିବୃତ୍ତ । ବିଷୟ-ଚିନ୍ତା ଦୂରୀଭୂତ ॥ ୩୬

ଅନ୍ୟ ଦର୍ଶନ ତାର ନାହିଁ । ଆତ୍ମାରେ ଆତ୍ମାକୁ ଦେଖଇ ॥ ୩୭

ଚକ୍ଷୁର ଅର୍କେ ଅର୍କ ପ୍ରାୟେ । ଦେଖଇ ସର୍ବ ବ୍ରହ୍ମମୟେ ॥ ୩୮

ସେ ବ୍ରହ୍ମ ନିତ୍ୟ ଲିଙ୍ଗମୁକ୍ତ । ଆଭାସେ ଅହଙ୍କାରେ ସ୍ଥିତ ॥ ୩୯

ଏଣୁ ଯେ ଅହଙ୍କାରୀ ଜୀବ । କି ରୂପେ ବ୍ରହ୍ମଙ୍କୁ ଦେଖିବ ॥ ୪୦

ଭୋ ମାତ ସଂଶୟ ନକର । ପ୍ରମାଣ କହିବା ତାହାର ॥ ୪୧

ଯେସନେ ରବିବିମ୍ବ ଜଳେ । ଆଭାସୁ ପୁଣି ଲକ୍ଷି ସ୍ଥଳେ ॥ ୪୨

ପୁଣି ସେ ଜଳବିମ୍ବ-ବଳେ । ଆକାଶ-ରବି ଦେଖି ଡୋଳେ ॥ ୪୩

ତେସନେ ଦେହେନ୍ଦ୍ରିୟ ମନେ । ଏ ଜୀବ ଥାଇଣ ପ୍ରଚ୍ଛନ୍ନେ ॥ ୪୪

ଏ ଯେ ତ୍ରିଗୁଣ ଅହଙ୍କାର । ଆଭାସ ଯହିଁରେ ବ୍ରହ୍ମର ॥ ୪୫

ତହୁଁ ବ୍ରହ୍ମଙ୍କୁ ଉପଲକ୍ଷି । ପୁଣି ପତ୍ୟେକ୍ଷେ ତାକୁ ଦେଖି ॥ ୪୬

ଆତ୍ମା ଅଟଇ ଶୁଦ୍ଧଜ୍ଞାନ । ଅନୁଭବରେ ତା ପ୍ରମାଣ ॥ ୪୭

ସୁଷୁପ୍ତି ଅବସ୍ଥାରେ ଯେବେ । ଭୂତାଦି ରହେ ଲୀନ ଭାବେ ॥ ୪୮

ନିଦ୍ରାରେ ଅହଙ୍କାର ଶୂନ୍ୟ । ଆତ୍ମା ସ୍ୱରୂପେ ବର୍ତ୍ତମାନ ॥ ୪୯

ଦ୍ରଷ୍ଟାସ୍ୱରୂପେ ଥାଇ ଦେହେ । ନିଜକୁ ମଣେ ନଷ୍ଟ ପ୍ରାୟେ ॥ ୫୦

ଉପାଧି ନାଶ ହେବା ଜାଣି । ଆପଣା ନାଶ ପରିମାଣି ॥ ୫୧

ଧନବିନାଶେ ଲୋକ ଯେହ୍ନେ । ଆପଣ ନାଶ ପ୍ରାୟ ମଣେ ॥ ୫୨

ସୁଷୁପ୍ତି ଅବସ୍ଥାରେ ପୁଣ । ବିଷୟ ମାତ୍ର ନୁହେଁ ଜ୍ଞାନ ॥ ୫୩

ଏ ରୂପେ ସଂଶୟ ନକର । ଭୋ ମାତ ମନରେ ବିଚାର ॥ ୫୪

ସୁଷୁପ୍ତି ଭଙ୍ଗରେ ପୁରୁଷ । ଏ ରୂପ କରଇ ପ୍ରକାଶ ॥ ୫୫

ମୁଁ ଆଜି ସୁଖେ ନିଦ୍ରା ଗଲି । କିଛି ମାତ୍ର ହିଁ ନଜାଣିଲି ॥ ୫୬

ଯେଣୁ ଏ ରୂପେ ମନେ ଥାଇ । ଆତ୍ମ ନଥିଲେ ଜ୍ଞାନ କାହିଁ ॥ ୫୭

ପ୍ରକାଶେ ଯେ କାର୍ଯ୍ୟକାରଣ । ସେ ଦ୍ରଷ୍ଟାରୂପେ ବର୍ତ୍ତମାନ ॥ ୫୮

ଦେବହୂତି ଉବାଚ

ହେ ପ୍ରଭୁ ପୁରୁଷ ପ୍ରକୃତି । କେହି କାହାକୁ ନଛାଡ଼ନ୍ତି ॥ ୫୯

ଅନ୍ୟୋନ୍ୟ ଆଶ୍ରୟ ସେ ନିତ୍ୟ । କେବେହେଁ ନୁହଁନ୍ତି ସେ ଚ୍ୟୁତ ॥ ୬୦

ଯେମନ୍ତେ ଭୂମି ଗନ୍ଧ ଦୁଇ । କେହି କାହାକୁ ନଛାଡ଼ଇ ॥ ୬୧

ଅଥବା ଦେଖ ଜଳ ରସ । ଏକ ଅଭାବେ ଏକ ନାଶ ॥ ୬୨

ସେ ରୂପେ ପ୍ରକୃତି ପୁରୁଷେ । ବିୟୋଗ କି ରୂପେ ପ୍ରକାଶେ ॥ ୬୩

ଅକର୍ତ୍ତା ପୁରୁଷ ବିଚାର । ତ୍ରିଗୁଣେ ପ୍ରକୃତି ସଞ୍ଚାର ॥ ୬୪

ଏ କର୍ମବନ୍ଧ ଯେଣୁ ତାର । କେମନ୍ତେ ମୋକ୍ଷ ଏହାଙ୍କର ॥ ୬୫

କେହି ବିବେକ ଜ୍ଞାନ ତତ୍ତ୍ବେ । ସଂସାର ଯେବେ ବା ନିବର୍ତ୍ତେ ॥ ୬୬

ହେତୁ ତାହାର ଯେଣୁ ଥାଇ । କି ରୂପେ ମୋକ୍ଷ ବା ଘଟଇ ॥ ୬୭

ଏମନ୍ତ ଦେଖଇ ବହୁତ । ତୁ ମୋତେ କହ ଯଥା ତତ୍ତ୍ବ ॥ ୬୮

ଭଗବାନ ଉବାଚ

ଶୁଣ ଜନନି ଦେଇ ଚିତ୍ତ । ଯେବା ଜୀବର ବନ୍ଧ-ମୁକ୍ତ ॥ ୬୯

ନିଷ୍କାମେ ସ୍ୱଧର୍ମରେ ଥାଇ । ମନ ନିର୍ମଳେ ମୋତେ ଧ୍ୟାଇ ॥ ୭୦

ମୋହର ଦୃଢ଼ଭକ୍ତି ଯୋଗ । ସେ ତତ୍ତ୍ବଜ୍ଞାନ ସୁବୈରାଗ୍ୟ ॥ ୭୧

ଶ୍ରୀକୃଷ୍ଣ ଶ୍ରବଣ-କୀର୍ତ୍ତନେ । ଭକ୍ତିରେ ସାଧିବ ଯତନେ ॥ ୭୨

ତତ୍ତ୍ବ ଦର୍ଶନ ଜ୍ଞାନବଳେ । ଦୃଢ଼ବୈରାଗ୍ୟ ତପବଳେ ॥ ୭୩

ଆତ୍ମାର ପ୍ରାପ୍ତି ଉପାୟରେ । ଚିତ୍ତ ଏକାଗ୍ର ସମାଧିରେ ॥ ୭୪

ଏ ସର୍ବ ପ୍ରକାର ସାଧନ । ଖŠଣ୍ତଇ ଜୀବର ବନ୍ଧନ ॥ ୭୫

ପ୍ରକୃତି ପରାଭବ ପାଇ । ବିରହଭାବ ସେ ଲଭଇ ॥ ୭୬

ଯେସନେ ଅରଣୀରୁ ଅଗ୍ନି । ଜନମି ଦହଇ ଅରଣୀ ॥ ୭୭

ପ୍ରକୃତି ଭୋଗ ଶେଷ ହେଲେ । ତାହାର ଦୋଷ ଦିଶେ ଭଲେ ॥ ୭୮

କାଟିଣ ସବୁ ବନ୍ଧ ପାଶ । ଆନନ୍ଦେ ବିହରେ ପୁରୁଷ ॥ ୭୯

ଯେସନେ ସ୍ୱପନେ ଅନର୍ଥ । ଜାଗିଲେ ହୁଅଇ ଅସତ୍ୟ ॥ ୮୦

ତେସନେ ସଂସାର ଦିଶଇ । ମୋ ମାୟା ତାକୁ ନଲାଗଇ ॥ ୮୧

ବହୁତ ଜନ୍ମ ଭାଗ୍ୟବଳେ । ଅଧ୍ୟାତ୍ମଜ୍ଞାନ ହୁଏ କାଳେ ॥ ୮୨

ଏ ରୂପେ ଆତ୍ମାରାମମୁନି । ବ୍ରହ୍ମଲୋକକୁ ତୁଚ୍ଛ ମଣି ॥ ୮୩

ମୋ ଭକ୍ତ ହୋଇ ମୋ ପ୍ରସାଦେ । ଆତ୍ମାକୁ ଜାଣେ ଅପ୍ରମାଦେ ॥ ୮୪

କୈବଲ୍ୟଧାମ ମୋ ଆଶ୍ରୟ । ଲଭେ ମୁକତି ଆଦି ଶ୍ରେୟ ॥ ୮୫

ଲିଙ୍ଗ-ଶରୀର ନାଶ ଯାଇ । ଆଉ ଲେଉଟି ନ ଆସଇ ॥ ୮୬

ଯାହାର ଚିତ୍ତ ଯୋଗୁ ଆନ । ମାୟାରେ ନୁହଇ ବିଭ୍ରମ ॥ ୮୭

ସେ ଆତ୍ୟନ୍ତିକୀ ଗତି ପାଇ । ଯହିଁରେ ମୃତ୍ୟୁଭୟ ନାହିଁ ॥ ୮୮

ମୈତ୍ରେୟ ବିଦୁର ଅଗ୍ରତେ । ବହୁ ସାଧନ ଯୋଗମତେ ॥ ୮୯

କହିଲେ କପିଳଙ୍କ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୯୦

ସଂସାରଜନ ହିତ ଅର୍ଥେ । ତୃତୀୟସ୍କନ୍ଧେ ଭାଗବତେ ॥ ୯୧

ସୁଜନେ ଚିନ୍ତ ମନେ ଏହା । ଯେବେ ଖŠଣ୍ତିବ ଭବମାୟା ॥ ୯୨

ହରିଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୯୩

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

କାପିଳାୟ ଉପାଖ୍ୟାନେ ସପ୍ତବିଂଶୋଽଧ୍ୟାୟଃ ॥

* * *