ତୃତୀୟ ସ୍କନ୍ଧ
ଷଡ଼୍ବିଂଶ ଅଧ୍ୟାୟ
ମୈତ୍ରେୟ ଉବାଚ
ଶୁଣ ବିଦୁର ତତ୍ତ୍ୱ ବାଣୀ । ଏ ଜୀବ ତରେ ଯାହା ଶୁଣି ॥ ୧
କପିଳରୂପେ ପ୍ରିୟଭାବେ । ଜନନୀ ପ୍ରବୋଧ ପ୍ରସ୍ତାବେ ॥ ୨
ଯାହା କହିଲେ ନାରାୟଣ । ନିଶ୍ଚଳଚିତ୍ତେ ଏବେ ଶୁଣ ॥ ୩
ବିଷ୍ଣୁ କହନ୍ତି ତୋଷମନେ । ମନୁତନୟା ସନ୍ନିଧାନେ ॥ ୪
କପିଳ ଉବାଚ
ଶୁଣ ଜନନୀ ମୋର ବଚନ । ଯେ ତତ୍ତ୍ୱଜ୍ଞାନର ଲକ୍ଷଣ ॥ ୫
ଏବେ ତୁ ତତ୍ତ୍ୱଜ୍ଞାନ ଶୁଣ । ଯେଣେ ଜୀବର ପରିତ୍ରାଣ ॥ ୬
ଏ ଜ୍ଞାନ ଜନ୍ମିଲେ ପୁରୁଷ । କାଟଇ ମୋହଗୁଣପାଶ ॥ ୭
ଯେ ଭାବେ ଏ ସଂସାର ତୁଟେ । ସୁଦୃଢ-ହୃଦଗଣ୍ଠି ଫିଟେ ॥ ୮
ତତ୍ତ୍ୱତପନ ତମ ନାଶେ । ନିର୍ମଳ ଜ୍ଞାନ ହିଁ ପ୍ରକାଶେ ॥ ୯
ଏଣୁ ଏ ତତ୍ତ୍ୱଜ୍ଞାନ କହି । ଶୁଣ ଜନନୀ ମନ ଦେଇ ॥ ୧୦
ଯେମନ୍ତ ତତ୍ତ୍ୱଜ୍ଞାନ ଜାଣି । ଯେ ଭାବେ ଲଭି ଚକ୍ରପାଣି ॥ ୧୧
ନିଶ୍ଚଳଭାବେ କରି ଧ୍ୟାନ । ଆତ୍ମାକୁ କରନ୍ତି ଦର୍ଶନ ॥ ୧୨
ଅଶେଷ-ବନ୍ଧନ ଫିଟାଇ । ବିବେକ ଜ୍ଞାନ ପ୍ରକାଶଇ ॥ ୧୩
ମାୟା ଯନ୍ତ୍ରିତ ଅହଙ୍କାର । ହୃଦରୁ ତାହା ହୁଏ ଦୂର ॥ ୧୪
କହିବା ଶୁଣ ମନଦେଇ । ଯେ ମାର୍ଗେ ସଂଶୟ ନ ଥାଇ ॥ ୧୫
ଯେ ଆତ୍ମା ଅନାଦି-ପୁରୁଷ । ପ୍ରକୃତି ପରେ ଯାର ବାସ ॥ ୧୬
ସ୍ୱଭାବେ ନିର୍ଗୁଣ ଅଟଇ । ଜ୍ୟୋତି-ସ୍ୱରୂପେ ପ୍ରକାଶଇ ॥ ୧୭
ବ୍ୟାପିଛି ଏ ବିଶ୍ୱ ସଂସାରେ । ପ୍ରାଣୀଙ୍କ ବାହ୍ୟ-ଅଭ୍ୟନ୍ତରେ ॥ ୧୮
ଏ ରୂପେ ପ୍ରକୃତି-ପୁରୁଷ । ସୂକ୍ଷ୍ମ ସ୍ୱରୂପରେ ପ୍ରକାଶ ॥ ୧୯
ସେ ବିଷ୍ଣୁ ସୃଷ୍ଟି ଇଚ୍ଛା କରି । ଆଦିପ୍ରକୃତି ରୂପ ଧରି ॥ ୨୦
ତ୍ରିଗୁଣ ଜାତ ସେ କରଇ । ରଜ ସାତ୍ତ୍ୱକ ତମ ଦେହୀ ॥ ୨୧
ରଜେ ସର୍ଜଇ ପାଳେ ସତ୍ତ୍ବେ । ତମ ସ୍ୱରୂପେ ହରେ ନିତ୍ୟେ ॥ ୨୨
ଏ ରୂପେ ଲୀଳା ସେ କରଇ । ଦଇବୀ ମାୟା ଗୁଣମୟୀ ॥ ୨୩
ଜୀବର ନାନାରୂପ କରେ । ଚିତ୍ର ବିଚିତ୍ର ଏ ସଂସାରେ ॥ ୨୪
ପ୍ରଜା ସର୍ଜଇ ନାନାକଳ୍ପେ । ସ୍ଥାବର ଜଙ୍ଗମାଦି ରୂପେ ॥ ୨୫
ଅଜ୍ଞାନେ ଆବୃତ୍ତ ତା ଦେହୀ । ସାକ୍ଷୀ ସ୍ୱରୂପେ ସେ ଦେଖଇ ॥ ୨୬
ଏ ରୂପେ ପୂର୍ବରୁ ଭିଆଣ । ପ୍ରକୃତି କରଇ ନିର୍ମାଣ ॥ ୨୭
କର୍ମରେ ଗତାଗତ ହୋଇ । ଉଚ୍ଚ-ନୀଚକୁ ସେ ନିଅଇ ॥ ୨୮
ପ୍ରବୃତ୍ତିମାର୍ଗେ କରି କର୍ମ । ପ୍ରାଣୀ ଲଭନ୍ତି ପଥଶ୍ରମ ॥ ୨୯
ନିବୃତ୍ତିମାର୍ଗେ ମୋକ୍ଷ ହୋଇ । ଏ ବେନିମାର୍ଗ ସେ ଭିଆଇ ॥ ୩୦
ସାକ୍ଷୀ ସ୍ୱରୂପେ ସର୍ବଦେହୀ । ଦେଖଇ ହୃଦପଦ୍ମେ ରହି ॥ ୩୧
କାର୍ଯ୍ୟ-କାରଣେ କର୍ତ୍ତା ହୋଇ । ପ୍ରକୃତି ଯେତେକ ଅର୍ଜଇ ॥ ୩୨
ସୁକୃତ-ଦୁଷ୍କୃତାଦି ଯେତେ । ଜୀବ ଭୁଞ୍ଜଇ ତାହା ନିତ୍ୟେ ॥ ୩୩
ଏମନ୍ତ ଶୁଣି ଦେବହୂତି । ସଂଶୟେ ପୁଣି ପଚାରନ୍ତି ॥ ୩୪
ଦେବହୂତି ଉବାଚ
କହ ହେ ପୁରୁଷ-ଉତ୍ତମ । କି ରୂପେ ବିଶ୍ୱ ସ୍ଥୂଳ ସୂକ୍ଷ୍ମ ॥ ୩୫
କି ରୂପେ ପ୍ରକୃତି ପୁରୁଷ । ଜଗତେ ହୋଇଛି ପ୍ରକାଶ ॥ ୩୬
ଏମନ୍ତ ଶୁଣି ଭଗବାନ । କହନ୍ତି ଅମୃତ ବଚନ ॥ ୩୭
ଭଗବାନ ଉବାଚ
ଯେତେ ଏ ତ୍ରିଗୁଣ-ବନ୍ଧନେ । ସତ ଅସତ ଯେ ଯେମାନେ ॥ ୩୮
ଆତ୍ମା ଯେ ଜ୍ୟୋତିରୂପେ ଥାଇ। ଅବ୍ୟକ୍ତରୂପେ ପ୍ରକାଶଇ ॥ ୩୯
ପ୍ରଧାନରୂପରେ ପ୍ରକୃତି । ସମସ୍ତକର୍ମେ ଅଧିପତି ॥ ୪୦
ସମସ୍ତରୂପ ସେ ବହଇ । ମହତ ଆଦି ଯେତେ ଦେହୀ ॥ ୪୧
ଶୁଣ ଜନନୀ ଏକଚିତ୍ତେ । ଚତୁର୍ବିଂଶତି ତତ୍ତ୍ୱ ଯେତେ ॥ ୪୨
ପଞ୍ଚ ପଞ୍ଚ ଯେ ଚତୁର୍ଦ୍ଦଶ । ପ୍ରତ୍ୟେକେ କରିବା ପ୍ରକାଶ ॥ ୪୩
ପୃଥିବୀ ଆପ ତେଜ ବାତ । ଆକାଶ ଆଦି ପଞ୍ଚଭୂତ ॥ ୪୪
ଗନ୍ଧ ରୂପ ଯେ ରସ ଶବ୍ଦ । ସ୍ପର୍ଶାଦି ତନମାତ୍ର ଭେଦ ॥ ୪୫
ଜିହ୍ୱା ନାସିକା ଚକ୍ଷୁ କର୍ଣ୍ଣ । ଚର୍ମ ପାଣି ପାଦ ବଚନ ॥ ୪୬
ବୃଷଣ ପାୟୁ ଏ ଦଶମ । ଇନ୍ଦ୍ରିୟ ବୋଲି ଏହା ନାମ ॥ ୪୭
ମନ ବୁଦ୍ଧି ଯେ ଅହଂଚିତ୍ତ । ଚତର୍ବିଂଶତି ଏହୁ ତ ॥ ୪୮
ପଞ୍ଚବିଂଶତି କାଳ କହି । ଏ ରୂପେ ସଂଖ୍ୟାକ୍ରମ ହୋଇ ॥ ୪୯
ପ୍ରକୃତି ଏତେରୂପ ହୋଇ । କାର୍ଯ୍ୟ-କାରଣେ ପ୍ରବର୍ତ୍ତଇ ॥ ୫୦
କାଳସ୍ୱରୂପରେ ପୁରୁଷ । ସକଳ କରାଇ ପ୍ରକାଶ ॥ ୫୧
ଏ ଦେହୀ ମୁଗ୍ଧ ଅହଙ୍କାରେ । ସେ କାଳେ ଡରେ ନିରନ୍ତରେ ॥ ୫୨
ଏ ଦେହେ କର୍ତ୍ତା ସେ ହୁଅଇ । ସମସ୍ତ ଭୋଗ ସେ କରଇ ॥ ୫୩
ପ୍ରକୃତି ଯାର ଚେଷ୍ଟା ବଳେ । ସର୍ଜି ନାଶଇ ଭୂମିତଳେ ॥ ୫୪
କାଳ-ସ୍ୱରୂପୀ ଭଗବାନ । ଆତ୍ମା-ମାୟାରେ କରେ ଲୀନ ॥ ୫୫
ଏ ପଞ୍ଚବିଂଶରୂପ ହୋଇ । ଅପରେ ଶୁଣ ମନ ଦେଇ ॥ ୫୬
ପୁଣି ସେ ପରମ-ପୁରୁଷ । ପ୍ରକୃତି ମଧ୍ୟେ ତା ପ୍ରକାଶ ॥ ୫୭
ସେ ସର୍ବଭୂତେ ପରିପୂର୍ଣ୍ଣ । ଜଳରେ ଚନ୍ଦ୍ରମା ଯେସନ ॥ ୫୮
ପ୍ରକୃତି ତାର ତହୁଁ ଜାତ । ତା ତହୁଁ ହୋଏ ମହତ୍ତତ୍ତ୍ବ ॥ ୫୯
ହିରଣ୍ୟମୟ ତାର ଦେହୀ । ବ୍ରହ୍ମାଣ୍ତମଧ୍ୟେ ବିରାଜଇ ॥ ୬୦
ଏ ବିଶ୍ୱ ଆତ୍ମା ଯେ ଅଟଇ । ସୂକ୍ଷ୍ମ ସ୍ୱରୂପେ ଅଛି ରହି ॥ ୬୧
ଆତ୍ମାରେ ପ୍ରକାଶ ସେ ହୋଇ । ଏ ଘୋରତିମିର ନାଶଇ ॥ ୬୨
ଯେ ସ୍ଥାନେ ରାଗ ଦ୍ୱେଷ ନାହିଁ । ପର ଅପର ନ ଜାଣଇ ॥ ୬୩
ସତ୍ତ୍ବଗୁଣରେ ପ୍ରକାଶଇ । ନିର୍ମଳ-ଜ୍ୟୋତିର୍ମୟ ଦେହୀ ॥ ୬୪
ସେ ବିଷ୍ଣୁଭକ୍ତି ଲାଭ ସ୍ଥାନ । ବାସୁଦେବଟି ଯାର ନାମ ॥ ୬୫
ଅଧ୍ୟାତ୍ମରୂପୀ ସେ ଚୈତନ୍ୟ । ମହତ ବୋଲି ତାର ନାମ ॥ ୬୬
ପର ଅପରେ ବ୍ୟାପିଛଇଁ । ବିକାରଭାବ ଯାର ନାହିଁ ॥ ୬୭
ସ୍ୱଚ୍ଛ ସୁଶାନ୍ତ ଭାବ ବହି । ଅମୃତମୟ ତାର ଦେହୀ ॥ ୬୮
ମହତ ତହୁଁ ଜାତ ହୋଇ । ଯେ କ୍ରିୟାଶକ୍ତି ରୂପ ବହି ॥ ୬୯
ସେ ଅହଂକାର ରୂପ ତିନି । ଜନ୍ମଇ ଶୁଣ ଗୋ ଜନନି ॥ ୭୦
ସାତ୍ତ୍ବିକ ରାଜସ ତାମସ । ଏ ତିନି ହୁଅନ୍ତି ପ୍ରକାଶ ॥ ୭୧
ମନ ଇନ୍ଦ୍ରିୟ ପଭୂତ । ଏ ତିନିଗୁଣେ ହୋନ୍ତି ଜାତ ॥ ୭୨
ସହସ୍ର ଶିର ବାହୁ ହୋଇ । ସଙ୍କରଷଣ ଯାକୁ କହି ॥ ୭୩
ଅନନ୍ତ ବୋଲି ଯାର କାୟ । ଭୂତ ଇନ୍ଦ୍ରିୟ ମନୋମୟ ॥ ୭୪
କର୍ତ୍ତାରସ୍ବରୂପେ ଦେବେ ଜାତ । କାରଣେ ଇନ୍ଦ୍ରିୟ ସମ୍ଭୂତ ॥ ୭୫
କାର୍ଯ୍ୟସ୍ୱରୂପେ ଭୂତଦେହୀ । ତ୍ରିଗୁଣେ ପ୍ରାଣୀ ମୋହ ହୋଇ ॥ ୭୬
ସାତ୍ତ୍ବିକଅଂଶୁ ମନ ଜାତ । ସଙ୍କଳ୍ପ ବିକଳ୍ପରେ ସ୍ଥିତ ॥ ୭୭
ହୃଷୀକମାନଙ୍କ ଈଶ୍ୱର । ଶ୍ୟାମସୁନ୍ଦର କଳେବର ॥ ୭୮
ତା ଭକ୍ତି ସାଧି ଯୋଗୀ ସିଦ୍ଧ । ଯାହାର ନାମ ଅନିରୁଦ୍ଧ ॥ ୭୯
ରଜୋଗୁଣରୁ ବୁଦ୍ଧି ଜାତ । ଦ୍ରବ୍ୟ ବିଜ୍ଞାନ ଇନ୍ଦ୍ରିଯୁତ ॥ ୮୦
ସଂଶୟ ବିପର୍ଯ୍ୟସ ବେନି । ନିଶ୍ଚୟ ସ୍ମୃତି ନିଦ୍ରା ତିନି ॥ ୮୧
ଏ ପାଞ୍ଚବୁଦ୍ଧିର ଲକ୍ଷଣ । ଏବେ ତୁ ଜନନି ଗୋ ଶୁଣ ॥ ୮୨
ରାଜସ ଅହଙ୍କାରୁ ପୁଣ । ଜାତ ହୁଅନ୍ତି ଇନ୍ଦ୍ରିଗଣ ॥ ୮୩
କ୍ରିୟା ଜ୍ଞାନରେ ଇନ୍ଦ୍ରିଗଣ । ଯେ ଯାହା ମାର୍ଗେ ପ୍ରବର୍ତ୍ତନ ॥ ୮୪
ସେ ପ୍ରାଣ କ୍ରିୟାଶକ୍ତି ବଳେ । ଭୋଗ ଭଞ୍ଜଇ କୁତୂହଳେ ॥ ୮୫
ବୁଦ୍ଧି ବିଜ୍ଞାନ ଶକ୍ତିବଳେ । ଧାରଣା କରେ ସୁନିଶ୍ଚଳେ ॥ ୮୬
ତାମସ ଗୁଣେ ପଞ୍ଚମାତ୍ର । ବିଷ୍ଣୁର ଅଂଶେ ସେ ସମ୍ଭୂତ ॥ ୮୭
ଆକାଶ ଗୁଣୁ ଶ୍ରୋତ୍ର ହୋଇ । ଶବଦ ସଂଗ୍ରହ କରଇ ॥ ୮୮
ଶବଦ ତନ୍ମାତ୍ର ଗଗନ । ଅର୍ଥ ଆଶ୍ରୟ ଯେବା ସ୍ଥାନ ॥ ୮୯
ଆତ୍ମା ଲିଙ୍ଗକୁ ପ୍ରକାଶଇ । ସ୍ୱଭାବେ ଅଦୃଶ୍ୟ ଅଟଇ ॥ ୯୦
ପ୍ରାଣୀଙ୍କ ବାହ୍ୟ ଅଭ୍ୟନ୍ତର । ପ୍ରାଣ ଇନ୍ଦ୍ରିୟ ଯେ ମନର ॥ ୯୧
ଆଶ୍ରୟ ହୋଇ ନ ଦିଶଇ । ଆକାଶଗୁଣ ଏହୁ ହୋଇ ॥ ୯୨
ଆକାଶ ତହୁଁ ସ୍ପର୍ଶ ମାତ୍ର । କାଳର ଗତିବଳେ ଜାତ ॥ ୯୩
ସ୍ପର୍ଶମାତ୍ରାରୁ ବାୟୁ ହୋଇ । ଚର୍ମ ତା ସଂଗ୍ରହ କରଇ ॥ ୯୪
ମୃଦୁ କଠିନ ତ୍ୱଚ ହୋଇ । ଶୀତ ତପତି ସେ ଜଣାଇ ॥ ୯୫
ବୃକ୍ଷ-ଶାଖାଦି ତୃଣମାନ । ବାୟୁର ବଳେ ସେ ଚଳନ ॥ ୯୬
ଇନ୍ଦ୍ରିୟେ ସ୍ପର୍ଶ ଶବ୍ଦ ଗନ୍ଧ । ପ୍ରାଣୀଙ୍କି କରାଏ ଯେ ବୋଧ ॥ ୯୭
ସକଳଇନ୍ଦ୍ରିମାନଙ୍କର । ଆତ୍ମା ସ୍ୱରୂପେ ତା ବିହାର ॥ ୯୮
ପବନ ଦଇବ ପ୍ରେରିତ । ରୂପ ତନମାତ୍ର ସମ୍ଭୂତ ॥ ୯୯
ତହୁଁ ହୋଇଲା ତେଜ ଜାତ । ସେ ତେଜୁ ଚକ୍ଷୁ ଯେ ସମ୍ଭୂତ ॥ ୧୦୦
ଦ୍ରବ୍ୟ ଆକାର ଗୁଣଜ୍ଞାନ । ରୂପର ବୁତ୍ତି ଏ ଲକ୍ଷଣ ॥ ୧୦୧
ପ୍ରକାଶ ପାଚନ ଶୋଷଣ । କ୍ଷୁଧା ତୃଷାର ଉତପନ୍ନ ॥ ୧୦୨
ଭୋଜନ ପାନ ପରିପାକ । ଆବର ଶୀତ ନିବାରକ ॥ ୧୦୩
ତେଜର ବୃତ୍ତି ଅଟେ ଏତେ । ଶୁଣ ଜନନୀ ଶୁଦ୍ଧ ଚିତ୍ତେ ॥ ୧୦୪
ତେଜ ବିକାରେ ରସ ଜାତ । ରସରୁ ଜଳ ଯେ ସମ୍ଭୂତ ॥ ୧୦୫
ତହୁଁ ରସନା ଇନ୍ଦ୍ରି ହୋଇ । ଯେ ସର୍ବସ୍ୱାଦକୁ ଘେନଇ ॥ ୧୦୬
କଟୁ କଷାୟ ଯେ ଆମ୍ବିଳ । ତିକ୍ତ ଲବଣ ଯେ ମଧୁର ॥ ୧୦୭
ଏ ରୂପେ ଭେଦଭାବ କହି । ଏକଇ ରସ ନାନା ଥାଇ ॥ ୧୦୮
ତିନ୍ତା ଏ ମାଟି ପିଣ୍ତୁଳାଏ । ଜୀବନ ରଖେ ତୃପ୍ତି ଦିଏ ॥ ୧୦୯
ତାପ ନିବାରେ ମୃଦୁ କରେ । ବହନ୍ତେ ପୁଣ ପୃଣ ଭରେ ॥ ୧୧୦
ଜଳର ସାଧାରଣ ଗୁଣ । ଏବେ କହିବା ମାତ ଶୁଣ ॥ ୧୧୧
ରସ ବିକାରୁ ଗନ୍ଧ ଜାତ । ପୃଥିବୀ ଗନ୍ଧରୁ ସମ୍ଭୂତ ॥ ୧୧୨
ଗନ୍ଧ ଗ୍ରହଣେ ଇନ୍ଦ୍ରି ଘ୍ରାଣ । ତହୁଁ ହୋଇଲା ଉତପନ୍ନ ॥ ୧୧୩
ଦୁର୍ଗନ୍ଧ ମିଶ୍ରଗନ୍ଧ ହୋଇ । ସୌରଭ ଶାନ୍ତ ଉଗ୍ର ଯେହି ॥ ୧୧୪
ଏକଇ ଗନ୍ଧ ଭେଦ ଭାବ । ଦ୍ରବ୍ୟ ସଂଯୋଗେ ତା ସମ୍ଭବ ॥ ୧୧୫
ଭୋ ମାତ ଶୁଣ ଭୂମି ଗୁଣ । ଯେ ଭୂମି ବ୍ରହ୍ମାର ଭାବନ ॥ ୧୧୬
ବ୍ରହ୍ମପ୍ରତିମା ନିରୂପଣ । ସର୍ବ ଆଧାର ସର୍ବସ୍ଥାନ ॥ ୧୧୭
ସକଳଭୂତ ଭେଦକରେ । ଭୂମି ଲକ୍ଷଣ ଏ ବେଭାରେ ॥ ୧୧୮
ଆକାଶ ଗୁଣ ଯେ ବିଶେଷ । ଶବଦରୂପେ ସେ ପ୍ରକାଶ ॥ ୧୧୯
ସେ ଯାର ବିଷୟ ଅଟଇ । ତାହାକୁ କର୍ଣ୍ଣ ଇନ୍ଦ୍ରି କହି ॥ ୧୨୦
ପବନ ଗୁଣ ଯେ ବିଶେଷ । ସ୍ପରଶ ରୂପେ ସେ ପ୍ରକାଶ ॥ ୧୨୧
ସେ ଯାର ବିଷୟ ଅଟଇ । ତାହାକୁ ଚମ ଇନ୍ଦ୍ରି କହି ॥ ୧୨୨
ତେଜର ଗୁଣ ରୂପ ହୋଇ । ଚକ୍ଷୁର ବିଷୟଟି ସେହି ॥ ୧୨୩
ଜଳର ଗୁଣ ରସ ହୋଇ । ସେ ପୁଣି ଜିହ୍ୱାରେ ବସଇ ॥ ୧୨୪
ପୃଥିବୀ ଗୁଣ ଗନ୍ଧ ଜାଣ । ତାହାର ଇନ୍ଦ୍ରି ଅଟେ ଘ୍ରାଣ ॥ ୧୨୫
ଏ ଭୂତଗଣ ପରେ ପରେ । ପୂର୍ବର ଗୁଣମାନ ଧରେ ॥ ୧୨୬
ଏଣୁ ଭୂମିରେ ଶବ୍ଦ ସ୍ପର୍ଶ । ରୂପ ରସ ଗନ୍ଧ ପ୍ରକାଶ ॥ ୧୨୭
ଏ ମାର୍ଗେ ପ୍ରାଣୀଏ ଭ୍ରମନ୍ତି । ଦଣ୍ତେ ହେଁ ସ୍ଥିର ସେ ନୁହଁନ୍ତି ॥ ୧୨୮
ଏ ରୂପେ କାରଣ ଉତ୍ପତ୍ତି । ଏବେ ଗୋ ଶୁଣ କାର୍ଯ୍ୟୋତ୍ପତ୍ତି ॥ ୧୨୯
ଯେ କାଳେ ପ୍ରଳୟ ହୁଅଇ । ଏ ସର୍ବରୂପ ଭଙ୍ଗ ଯାଇ ॥ ୧୩୦
ଯା ଠାରୁ ହୁଅଇ ଉତ୍ପନ୍ନ । ତାଠାରେ ହୁଅଇ ସେ ଲୀନ ॥ ୧୩୧
ସେକାଳେ ପ୍ରଭୁ ଭଗବାନ । ଯୋଗନିଦ୍ରାରେ ଅବଧାନ ॥ ୧୩୨
ପୁଣି ଏ ସୃଷ୍ଟି ଆଦି କାଳେ । ସ୍ୱଭାବ କାଳ କର୍ମ ବଳେ ॥ ୧୩୩
ସକଳେ ଉତ୍ପତ୍ତି ହୁଅନ୍ତେ । ଈଶ୍ୱର ତହିଁ ପ୍ରବେଶନ୍ତେ ॥ ୧୩୪
ଅନ୍ୟୋନ୍ୟେ ଏକତ୍ୱ ହୁଅନ୍ତି । ତକ୍ଷଣେ ରୂପକୁ ଲଭନ୍ତି ॥ ୧୩୫
ଜଳେ ହିରଣ୍ୟକୋଷ ପ୍ରାୟେ । ପଡି ଭାସନ୍ତି ମହାକାୟେ ॥ ୧୩୬
କେତେହେଁ କାଳେ ତହୁଁଜାତ । ସହସ୍ର-ଶିର ସେ ଅନନ୍ତ ॥ ୧୩୭
ଜଳେ ଶୟନ ସେ ଆନନ୍ଦେ । ବ୍ରହ୍ମା ଜନ୍ମିଲେ ନାଭିପଦ୍ମେ ॥ ୧୩୮
ସୃଷ୍ଟିର ଅଧିପତି ସେହି । ବିଷ୍ଣୁର ଆଦିରୂପ ଯେହି ॥ ୧୩୯
ଯେ ଅଂଶୁ ତାର ଯେବା ଜାତ । ବିରାଟରୂପ ଶୁଣ ମାତ ॥ ୧୪୦
ବଚନୁ ଅଗ୍ନି ଜାତ ହୋଇ । ନାସାରୁ ପ୍ରାଣ ଉପୁଜଇ ॥ ୧୪୧
ଘ୍ରାଣରୁ ବାୟୁ ଉତପନ୍ନ । ଚକ୍ଷୁରୁ ଜନ୍ମିଲା ତପନ ॥ ୧୪୨
କର୍ଣ୍ଣରୁ ଦିଗମାନ ହୋଇ । ଇନ୍ଦ୍ରାଦି ଦଶଦେବେ ଯହିଁ ॥ ୧୪୩
ଚର୍ମ ଉପରେ ଲୋମମାନ । ଔଷଧିଗଣ ତାକୁ ଜାଣ ॥ ୧୪୪
ତା ରେତ ଆପ ଯେ ଅଟଇ । ଗୁହ୍ୟ ତା ମୃତ୍ୟୁଲୋକ କହି ॥ ୧୪୫
ଭୁଜେ ତାହାର ଇନ୍ଦ୍ର ବସେ । ତା ସର୍ବଗତି ହୃଷୀକେଶେ ॥ ୧୪୬
ନାଭି ଆଶ୍ରିତ ଶିରାକୁଳ । ଏ ସର୍ବନଦୀଙ୍କର ମୂଳ ॥ ୧୪୭
ଉଦରେ ସମୁଦ୍ର ଅଛଇ । କ୍ଷୁଧା ପିପାସା ଅଗ୍ନି ବହି ॥ ୧୪୮
ମନ ହୃଦରୁ ଜାତ ହୋଇ । ବିଷୟ ଭେଦ ସେ କରଇ ॥ ୧୪୯
ମନର ପରେ ବୁଦ୍ଧିଜାତ । ସେ ବୁଦ୍ଧି ମହତୁଁ ସମ୍ଭୂତ ॥ ୧୫୦
ଏତେ ପ୍ରକାରେ ଜାତ ହୋଇ । ବିରାଟ ତେବେ ନ ଉଠଇ ॥ ୧୫୧
ଏ ଚତୁର୍ଦ୍ଦଶଲୋକ-ସ୍ଥିତି । ବିରାଟ ଅଙ୍ଗରେ ରହନ୍ତି ॥ ୧୫୨
ଯେ ସ୍ଥାନୁ ଯେବା ଜାତ ହୋଇ । ସେ ଅଙ୍ଗେ ସେହୁ ବିଶ୍ରାମଇ ॥ ୧୫୩
କ୍ଷେତ୍ରଜ୍ଞରୂପେ ଆତ୍ମା ଥାଇ । ଯେବେ ସେ ଶରୀରେ ପଶଇ ॥ ୧୫୪
ତେବେ ସେ ଚେତନାକୁ ପାଇ । ବିରାଟ ଜଳରୁ ଉଠଇ ॥ ୧୫୫
କାର୍ଯ୍ୟ କାରଣେ ଇନ୍ଦ୍ରିଗଣ । ଆତ୍ମାକୁ କରାନ୍ତି ଭ୍ରମଣ ॥ ୧୫୬
ଏ ଭାବେ ଜାଣି ମୋର ପାଦ । ଯେବା ଭଜଇ ଅପ୍ରମାଦେ ॥ ୧୫୭
ଏ ଭବଜଳକୁ ସେ ତରଇ । ଏ ମାୟା ତାକୁ ନ ଲାଗଇ ॥ ୧୫୮
ତୃତୀୟସ୍କନ୍ଧେ ଭାଗବତ । ଅମୃତ ରସମୟ ଗୀତ ॥ ୧୫୯
ସୁଜନଜନେ ଏଣେ ରସ । କହିଲା ଜଗନ୍ନାଥ ଦାସ ॥ ୧୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ କାପିଳେୟେ ତତ୍ତ୍ବସମାମ୍ନାୟେ ଷଡ୍ବିଂଶୋଽଧ୍ୟାୟଃ ॥
* * *