ତୃତୀୟ ସ୍କନ୍ଧ
ପଞ୍ଚବିଂଶ ଅଧ୍ୟାୟ
ମୈତ୍ରେୟ ଉବାଚ
ମୁନି ଅନ୍ତରେ ଦେବହୂତି । ସ୍ୱଭାବେ ସୁଗୁଣ ସୁମତି ॥ ୧
ତକ୍ଷଣେ ପୁତ୍ରପାଶେ ଯାଇ । କହଇ ଶିରେ କରି ଦେଇ ॥ ୨
ଦେବହୂତି ଉବାଚ
ତୁ ଅଜ ନିର୍ଗୁଣ ନିର୍ଲକ୍ଷ୍ୟ । ତୋ ଭକ୍ତଜନେ ତୁ ପ୍ରତ୍ୟକ୍ଷ ॥ ୩
ଆଦିପୁରୁଷ ତୁ ଈଶ୍ୱର । ଯେ ଅନ୍ଧତମ ପ୍ରାଣୀଙ୍କର ॥ ୪
ଜୀବର ପରିତ୍ରାଣ ଅର୍ଥେ । ତୋ ଅବତାର ଏ ଜଗତେ ॥ ୫
ସ୍ତିରୀ ସ୍ୱଭାବ ମୁହିଁ ମନ୍ଦ । ନ ଜାଣେ ଆତ୍ମା ଭଲମନ୍ଦ ॥ ୬
କି ରୂପେ ସଂସାର ତୁଟଇ । ଜୀବନ-ବନ୍ଧନ ଫିଟଇ ॥ ୭
ମୁଁ ଯେ ଅଜ୍ଞାନ ମୂଢମତି । ସ୍ୱଭାବେ ଅଟଇ ଯୁବତୀ ॥ ୮
ତୁ ମୋତେ ଜ୍ଞାନଚକ୍ଷୁ ଦେଇ । ଉଦ୍ଧର ଦୁର୍ଗତି ଖଣ୍ତାଇ ॥ ୯
ତୁ ନାଥ ମୋତେ ଦୟାକର । ଏ ଘୋରସଂସାରୁ ଉଦ୍ଧର ॥ ୧୦
ମାତୃଭାବେ କର ଦୟା । ଯେମନ୍ତେ ତୁଟେ ତୋର ମାୟା ॥ ୧୧
ମୈତ୍ରେୟ ଉବାଚ
ମାତା ବଚନେ ହୃଷୀକେଶ । ଅଳପ ହୋଇ ହସହସ ॥ ୧୨
ଅଶେଷ ଜୀବ ଦେହବାସୀ । କହନ୍ତି ପ୍ରଭୁ ବ୍ରହ୍ମରାଶି ॥ ୧୩
ଭଗବାନ କପିଳ ଉବାଚ
ଶୁଣ ଜନନୀ କହୁଁ ତୋତେ । ଯେ ପ୍ରଶ୍ନ କଲୁ ତୁହି ମୋତେ ॥ ୧୪
ଯାହାର ଚିତ୍ତେ ଭକ୍ତିଯୋଗ । ଭଜଇ ମୋ ଚରଣଯୁଗ ॥ ୧୫
ତେବେ ବିଷୟେ ବଇରାଗ୍ୟ । ଉପୁଜେ ପୂର୍ବେ ଥିଲେ ଭାଗ୍ୟ ॥ ୧୬
ଏ ଆତ୍ମନିଷ୍ଠା ଯୋଗ ଜାଣ । ପୁରୁଷ ମୋକ୍ଷର କାରଣ ॥ ୧୭
ଭୋ ମାତ ତୁମ୍ଭେ ଏବେ ଶୁଣ । ନିର୍ଗୁଣଭକ୍ତିର କାରଣ ॥ ୧୮
ପୂର୍ବେ ମୁଁ ଋଷିଙ୍କର ମଧ୍ୟେ । ଯେ ଯୋଗ କହିଲଇଁ ସାଧ୍ୟେ ॥ ୧୯
ଯେତେଣ ଏ ମାୟା ଘୋରବନେ ।ନିସ୍ତାର ଭକ୍ତି-କରଷଣେ ॥ ୨୦
ଶୁଣ ଜନନୀ ସେ ଲକ୍ଷଣ । କହିବା ଯେ ଭକ୍ତି ନିର୍ଗୁଣ ॥ ୨୧
ଚିତ୍ତ ସଂଯମ ବ୍ୟତିରେକେ । ଯୋଗର ସିଦ୍ଧି ନୋହେ ଲୋକେ ॥ ୨୨
ବନ୍ଧ-ମୋକ୍ଷର ହେତୁ ଚିତ୍ତ । ଏ ଆତ୍ମଜ୍ଞାନୀଙ୍କ ସମ୍ମତ ॥ ୨୩
ଜୀବର ଜନ୍ମ-ବନ୍ଧ-ପାଶ । ଯେ ଭାବେ ହୋଇବ ଉଶ୍ୱାସ ॥ ୨୪
ବିଷୟାରତ ଚିତ୍ତ ଯେବେ । ଜୀବର ବଦ୍ଧଭାବ ତେବେ ॥ ୨୫
ଈଶ୍ୱରେ ଦେଲେ ସେହି ଚିତ୍ତ । ବନ୍ଧନୁ ହୁଅଇ ମୁକତ ॥ ୨୬
ମୁହିଁ ମୋହର ଭାବୁଁ ଜାତ । କାମାଦି ତେଜେ ଯେବେ ଚିତ୍ତ ॥ ୨୭
ନିର୍ମଳ ହୁଅଇଟି ଜାଣ । ମଣଇ ସୁଖ ଦୁଃଖ ସମ ॥ ୨୮
ଏ ରୂପେ ଚିତ୍ତଶୁଦ୍ଧ ଯେବେ । ଜୀବ ଈଶ୍ୱର ଏକ ଭାବେ ॥ ୨୯
ଦେଖାଇ ପ୍ରକୃତିରୁ ଭିନ୍ନ । ସ୍ୱୟଂପ୍ରକାଶ ପରିପୂର୍ଣ୍ଣ ॥ ୩୦
ପ୍ରକୃତି ବଳ ହୋଏ ହତ । ଜ୍ଞାନ ବୈରାଗ୍ୟ ଭକ୍ତି ଜାତ ॥ ୩୧
ଅଖିଳ ଆତ୍ମା ପାଦଯୁଗେ । ଭଜିଲେ ଦୃଢ଼େ ଭକ୍ତିଯୋଗେ ॥ ୩୨
ଏଣୁ ସେ ଲଭେ ବ୍ରହ୍ମଜ୍ଞାନ । ଏଥହୁଁ ପଥ ନାହିଁ ଆନ ॥ ୩୩
ଏ ଭବ-ଜଳଧି-ତରଙ୍ଗ । ହରଇ ସାଧୁଙ୍କର ସଙ୍ଗ ॥ ୩୪
ଭଜଇ କୈବଲ୍ୟ କାରଣେ । ମନ ନ ଭ୍ରମେ ଭବବଣେ ॥ ୩୫
ଶୁଣ ଜନନୀ ସାଧୁଗୁଣ । ଯେ ଅବା ସାଧୁଙ୍କ ଲକ୍ଷଣ ॥ ୩୬
ପ୍ରାଣୀବିଷୟେ ଆତ୍ମାବତ । କରଇ ତ୍ୟାଗ ଦୟା ଚିତ୍ତ ॥ ୩୭
ଜଗତ ନିର୍ବଇର ଦେଖେ । ନିଶ୍ଚଳେ ରହେ ଆତ୍ମାସୁଖେ ॥ ୩୮
ନିରତେ ଗୋବିନ୍ଦ ଚରଣେ । ସ୍ତୁତି କୀର୍ତ୍ତନ ଅନୁକ୍ଷଣେ ॥ ୩୯
ଦାରା ସ୍ୱଜନ ସୁତ ଧନ । ଗୃହ ଉପେକ୍ଷି ଚଳେ ବନ ॥ ୪୦
ସକଳ କର୍ମ ତେଜି ଦୃଢେ ।ମୋ ଭାବେ ମଜ୍ଜେ ଅତି ଗାଢେ ॥ ୪୧
ମୋ ରୂପ ଗୁଣ କର୍ମ ଯେତେ । ଶ୍ରବଣ କୀର୍ତ୍ତନ ନିରତେ ॥ ୪୨
ଏମନ୍ତ ଭାବ ନିତ୍ୟେ କରି । ଏ ମାୟାଭବୁ ଯାନ୍ତି ତରି ॥ ୪୩
ଏ ରୂପେ ସାଧୁଙ୍କ ଚରିତ । ସମସ୍ତ ସଙ୍ଗ ବିବର୍ଜିତ ॥ ୪୪
ଏମନ୍ତ ଭକ୍ତଜନ ସଙ୍ଗ । କରି ତୁ ତର ଏ ତରଙ୍ଗ ॥ ୪୫
ଭକତଜନ ସଙ୍ଗ ଯେବେ । କରଇ ଭ୍ରମ ଖଣ୍ତେ ତେବେ ॥ ୪୬
ମୋର ଚରିତ ଗୁଣଗାଥା । ଏକ ଆନରେ କରେ ଚିନ୍ତା ॥ ୪୭
ଶୁଣି ଶୁଣାଇ ଅଶ୍ରୁଧାରେ । ଆନନ୍ଦେ ପୁଲକ ଶରୀରେ ॥ ୪୮
ନିରତେ ଶ୍ରଦ୍ଧାଭକ୍ତି ବଢେ । ଭବ-ବନ୍ଧନ-ପାଶ ଛିଡେ ॥ ୪୯
ଅଶେଷ ଜନ୍ମ ଭାଗ୍ୟୋଦୟେ । ଭକତଜନେ ଶ୍ରଦ୍ଧା ବହେ ॥ ୫୦
ତହୁଁ ଉପୁଜେ ରତି ଭକ୍ତି । ମୋହର ଲୀଳା କର୍ମ ଚିନ୍ତି ॥ ୫୧
ବୈରାଗ୍ୟ ହୁଅଇ ପ୍ରକାଶ । ପ୍ରକୃତି ଗୁଣ ଯାଇ ନାଶ ॥ ୫୨
ଜ୍ଞାନ ବୈରାଗ୍ୟ ଭକ୍ତିବଳେ । ସକଳ ସମର୍ପେ ମୋ ଠାରେ ॥ ୫୩
ତେବେ ଏ ଦେହେ ମୋତେ ପାଇ । ଶୁଣ ଜନନୀ ମନ ଦେଇ ॥ ୫୪
ମୋ ନାମ ନାବ କରି ଭାବେ । ବସି ତରିବୁ ଭକ୍ତିଭାବେ ॥ ୫୫
ଭକତ ସଙ୍ଗେ ନାବେ ବସି । ଏ ସିନ୍ଧୁ ତରଣେ ସାହସୀ ॥ ୫୬
ଯେଣୁ ଭକତପ୍ରିୟ ହରି । ତା ଭାବେ ଭବସିନ୍ଧୁ ତରି ॥ ୫୭
ମୈତ୍ରେୟ ଉବାଚ
ଏମନ୍ତେ ପୁତ୍ର ବାକ୍ୟ ଶୁଣି । ଆନନ୍ଦେ କର୍ଦ୍ଦମ ଘରଣୀ ॥ ୫୮
ଆନନ୍ଦରସେ ହରଷିତ । ତକ୍ଷଣେ ହୋଇ କୃତକୃତ୍ୟ ॥ ୫୯
ଆକୁଳେ ପୁତ୍ର ପାଦେ ପଡି । ପୁଣି ପଚାରେ କରଯୋଡି ॥ ୬୦
ଦେବହୂତି ଉବାଚ
କି ରୂପେ ଭକ୍ତିଯୋଗ ଜାଣି । ଭକତି କିରୂପେ ପ୍ରମାଣି ॥ ୬୧
ଯେ ଭକ୍ତିବଳେ ଅନାୟାସେ । ଜୀବ ନିର୍ବାଣପଦେ ପଶେ ॥ ୬୨
ଯେ ଯୋଗ ମୁଖ୍ୟ ପ୍ରୟୋଜନ । ଶୁଣିଲି ତୁମ୍ଭର ବଚନ ॥ ୬୩
ସେ ଯୋଗ କେମନ୍ତ ଅଟଇ । କେମନ୍ତ ସାଧନ ତା ହୋଇ ॥ ୬୪
ମୁଁ ସ୍ତିରୀ ଅଟେ ମନ୍ଦବୁଦ୍ଧି । ଦୁର୍ବୋଧ୍ୟ ଯୋଗ ଦୟାନିଧି ॥ ୬୫
ଏଣୁ ମୋ ଚିତ୍ତରେ ସଂଶୟ । କହ ହେ ପ୍ରଭୁ ଦୟାମୟ ॥ ୬୬
ମୈତ୍ରେୟ ଉବାଚ
ଏମନ୍ତ ମାତାବାକ୍ୟ ଶୁଣି । କପିଳବେଶେ ଚକ୍ରପାଣି ॥ ୬୭
କହନ୍ତି ଜନନୀର ଆଗେ । ପରମ-ଜ୍ଞାନ ସଂଖ୍ୟଯୋଗେ ॥ ୬୮
କପିଳ ଉବାଚ
ଶୁଣ ଜନନୀ ବାକ୍ୟ ସାର । ଆଗମ ନିଗମ ପ୍ରକାର ॥ ୬୯
ଯେବା ଇନ୍ଦ୍ରିୟ ଦେବଗଣ । ଯାର ଯେ ସ୍ୱାଭାବିକ କର୍ମ ॥ ୭୦
ଯେ ଧର୍ମ କର୍ମ ଅଛି ବେଦେ । ତାହା ଇନ୍ଦ୍ରିୟ ଯେବେ ସାଧୋ ॥ ୭୧
ଯେ ବର୍ଣ୍ଣେ ଯେବା ଧର୍ମ କର୍ମ । ଇନ୍ଦ୍ରିୟ କରେ ସେହି କର୍ମ ॥ ୭୨
ସେ ସର୍ବକର୍ମ ଯେବେ ମୋତ। ଦେଇ ଭଜଇ ଏକଚିତ୍ତେ ॥ ୭୩
ଆପଣେ ଅକିଞ୍ଚନ ରୂପେ । ଭ୍ରମଇ ମାୟାମୟ କଳ୍ପେ ॥ ୭୪
ଭକତ ମଧ୍ୟେ ଏ ପ୍ରଧାନ । ଲଭଇ କଇବଲ୍ୟ-ସ୍ଥାନ ॥ ୭୫
ଜୀବ-ବାସନା-ବନ୍ଧ ହରେ । ନ ବୁଡେ ସଂସାର-ସାଗରେ ॥ ୭୬
ବ୍ୟାଧି ଯେସନେ ସ୍ଥାନେସ୍ଥାନେ । ହରଇ ଅଉଷଧ ପାନେ ॥ ୭୭
ଏ ଭାବେ ଯେ କରେ ବିଚାର । କୈବଲ୍ୟ କିବା ବସ୍ତୁତାର ॥ ୭୮
ନିତ୍ୟେ ଭକତଜନ ମଧ୍ୟେ । ହରିଚରିତ ନାନାଛନ୍ଦେ ॥ ୭୯
ନିରତେ କରେ ଅନୁପାନ । ଆନନ୍ଦ-ଅଶ୍ରୁ-ଜଳେ ସ୍ଥାନ ॥ ୮୦
ତାର ସମାନ ଆନ ଜନେ । ନ ଦେଖି ଏ ତିନିଭୁବନେ ॥ ୮୧
ଏମନ୍ତେ ବଞ୍ଚେ ଦୁଃଖ ସୁଖେ । ସେ ମୋର ନିଜରୂପ ଦେଖେ ॥ ୮୨
ସୁନ୍ଦର ପ୍ରସନ୍ନ ବଦନ । ବିକଚ କମଳ ଲୋଚନ ॥ ୮୩
ସର୍ବ ସୁନ୍ଦର ମନୋହର । ମୋ ଶ୍ୟାମସୁନ୍ଦର ଶରୀର ॥ ୮୪
ମୋର ଅମୃତମୟ ବାଣୀ । ତନୁ ରୋମାଞ୍ଚ କରେ ଶୁଣି ॥ ୮୫
ଏ ରୂପ ଛାଡି ତାର ମନ । କୈବଲ୍ୟେ କିବା ପ୍ରୟୋଜନ ॥ ୮୬
ଏ ରୂପ ଦେଖି ଚିତ୍ତ ହରେ । କୈବଲ୍ୟ ଲଭେ ଅଭ୍ୟନ୍ତରେ ॥ ୮୭
ଅଷ୍ଟ ଐଶ୍ୱର୍ଯ୍ୟ ଯାହା ଚିନ୍ତ । ଅନନ୍ତ ଅନନ୍ତ ବିଭୂତି ॥ ୮୮
ସେ ସର୍ବେ ଖଟନ୍ତି ତା ପାୟେ । ମୋ ଭକ୍ତଜନେ ଦୂର ନୋହେ ॥ ୮୯
ଏଣୁ ଭକତ ରଖେ ହରି । କାଳ ନ ପାରେ ଗ୍ରସ୍ତ କରି ॥ ୯୦
ମୁଁ ତାର ପ୍ରିୟ ଆତ୍ମା ସୁତ । ସଖା ସୁହୃଦ ଗୁରୁବତ ॥ ୯୧
ତାହାର ଗୁରୁଦେବ ମୁହିଁ । ଯେ ମୋତେ ଏ ଭାବେ ଭାବଇ ॥ ୯୨
ତାହାର ଈଷ୍ଟ ବନ୍ଧୁ ମୁହିଁ । ଯେ ମୋତେ ସର୍ବ ସମର୍ପଇ ॥ ୯୩
ନାହିଁ ତା ଇହ ପର ଲୋକ । ନ ମାନେ ଆତ୍ମା ଦୁଃଖ ସୁଖ ॥ ୯୪
ଏକାନ୍ତ ଭକ୍ତିବଳେ ମୋତେ । ମନ ବଚନେ ନିତ୍ୟେ ଚିନ୍ତେ ॥ ୯୫
ସର୍ବ ସମର୍ପି ଅବିରତେ । ପଶଇ ମୋର ପାଦଗତେ ॥ ୯୬
ମୁଁ ଈଶ ପୁରୁଷପ୍ରଧାନ । ମୋ ବିନୁ ବନ୍ଧୁ ନାହିଁ ଆନ ॥ ୯୭
ଦେଖ ମୋହର ମାୟାଗତେ । ଯନ୍ତ୍ରିତ ଅଛନ୍ତି ସମସ୍ତେ ॥ ୯୮
ମୋ ଆଜ୍ଞା କରୁଥାନ୍ତି ନିତ୍ୟେ । ନିତ୍ୟେ ଯନ୍ତ୍ରିତ ଭୟଚିତ୍ତେ ॥ ୯୯
ଦେଖ ପବନ ମୋର ଡରେ । ବହଇ ବାହ୍ୟ ଅଭ୍ୟନ୍ତରେ ॥ ୧୦୦
ମୋ ଭୟେ ଉଦେ ଦିନକର । ମୋ ଡରେ ବର୍ଷେ ସୁନାସୀର ॥ ୧୦୧
ମୋ ଭୟେ ଯମ ଦଣ୍ତ ଧରେ । ମୃତ୍ୟୁ ସକଳ ପ୍ରାଣ ହରେ ॥ ୧୦୨
ମୋ ଡରେ ଯେବା ଯାହା ଭକ୍ଷେ । ଅଗ୍ନି ଦହଇ ଅପ୍ରତ୍ୟକ୍ଷେ ॥ ୧୦୩
ଶଶାଙ୍କ ଦିଶଇ ଆକାଶେ । ପ୍ରାଣୀଙ୍କ ମନ ସେ ଆଶ୍ୱାସେ ॥ ୧୦୪
ଏମନ୍ତେ ମହାଯୋଗୀଜନେ । ଯନ୍ତ୍ରିତ ମୋହର ବଚନେ ॥ ୧୦୫
ସେବନ୍ତି ମୋହର ଚରଣେ । ସଂସାର ପାର ଇଚ୍ଛି ମନେ ॥ ୧୦୬
କରନ୍ତି ପ୍ରାଣୀହିତ ନିତ୍ୟେ । ଅନ୍ୟୋନ୍ୟାଭାବେ ଏ ଜଗତେ ॥ ୧୦୭
ଏବେ ତୁ ଭକ୍ତିଯୋଗ ଶୁଣ । ଯେତେ ଜୀବର ପରିତ୍ରାଣ ॥ ୧୦୮
ଯେ ଭାବେ ଏ ସଂସାର ତୁଟେ । ସୁଦୃଢ କର୍ମଗ୍ରନ୍ଥି ଫିଟେ ॥ ୧୦୯
ତତ୍ତ୍ବ-ତପନ-ତମ ନାଶେ । ନିର୍ମଳଜ୍ଞାନ ହିଁ ପ୍ରକାଶେ ॥ ୧୧୦
ଏଣୁ ଏ ତତ୍ତ୍ବଜ୍ଞାନ କହି । ଶୁଣ ଜନନୀ ମନଦେଇ ॥ ୧୧୧
ଏମନ୍ତ ତତ୍ତ୍ବଜ୍ଞାନ ଜାଣି । ଯେ ଭାବେ ଭଜେ ଚକ୍ରପାଣି ॥ ୧୧୨
ଯେ ଦୟାସାଗର ମୁରାରି । ମାତା ବିଷୟେ ଦୟାକରି ॥ ୧୧୩
ଯେତେ କହିଲେ ଉପଦେଶ । ସୁଜନ ଜନେ ଏଣେ ରସ ॥ ୧୧୪
ତା ପାଦେ ମନ କରି ସ୍ଥିର । ମୋକ୍ଷେ ଉଦୟ ଲଭେ ନର ॥ ୧୧୫
ତୃତୀୟସ୍କନ୍ଧେ ଭାଗବତେ । ଜୀବର ପରିତ୍ରାଣ ଅର୍ଥେ ॥ ୧୧୬
ହରିଚରିତ ସୁଧାରସ । କହଇ ଜଗନ୍ନାଥ ଦାସ ॥ ୧୧୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ କାପିଳେୟୋପାଖ୍ୟାନେ ପଞ୍ଚବିଂଶୋଽଧ୍ୟାୟଃ ॥
* * *