ତୃତୀୟ ସ୍କନ୍ଧ

ପଞ୍ଚବିଂଶ ଅଧ୍ୟାୟ

ମୈତ୍ରେୟ ଉବାଚ

ମୁନି ଅନ୍ତରେ ଦେବହୂତି । ସ୍ୱଭାବେ ସୁଗୁଣ ସୁମତି ॥

ତକ୍ଷଣେ ପୁତ୍ରପାଶେ ଯାଇ । କହଇ ଶିରେ କରି ଦେଇ ॥

ଦେବହୂତି ଉବାଚ

ତୁ ଅଜ ନିର୍ଗୁଣ ନିର୍ଲକ୍ଷ୍ୟ । ତୋ ଭକ୍ତଜନେ ତୁ ପ୍ରତ୍ୟକ୍ଷ ॥

ଆଦିପୁରୁଷ ତୁ ଈଶ୍ୱର । ଯେ ଅନ୍ଧତମ ପ୍ରାଣୀଙ୍କର ॥

ଜୀବର ପରିତ୍ରାଣ ଅର୍ଥେ । ତୋ ଅବତାର ଏ ଜଗତେ ॥

ସ୍ତିରୀ ସ୍ୱଭାବ ମୁହିଁ ମନ୍ଦ । ନ ଜାଣେ ଆତ୍ମା ଭଲମନ୍ଦ ॥

କି ରୂପେ ସଂସାର ତୁଟଇ । ଜୀବନ-ବନ୍ଧନ ଫିଟଇ ॥

ମୁଁ ଯେ ଅଜ୍ଞାନ ମୂଢମତି । ସ୍ୱଭାବେ ଅଟଇ ଯୁବତୀ ॥

ତୁ ମୋତେ ଜ୍ଞାନଚକ୍ଷୁ ଦେଇ । ଉଦ୍ଧର ଦୁର୍ଗତି ଖŠଣ୍ତାଇ ॥

ତୁ ନାଥ ମୋତେ ଦୟାକର । ଏ ଘୋରସଂସାରୁ ଉଦ୍ଧର ॥ ୧୦

ମାତୃଭାବେ କର ଦୟା । ଯେମନ୍ତେ ତୁଟେ ତୋର ମାୟା ॥ ୧୧

ମୈତ୍ରେୟ ଉବାଚ

ମାତା ବଚନେ ହୃଷୀକେଶ । ଅଳପ ହୋଇ ହସହସ ॥ ୧୨

ଅଶେଷ ଜୀବ ଦେହବାସୀ । କହନ୍ତି ପ୍ରଭୁ ବ୍ରହ୍ମରାଶି ॥ ୧୩

ଭଗବାନ କପିଳ ଉବାଚ

ଶୁଣ ଜନନୀ କହୁଁ ତୋତେ । ଯେ ପ୍ରଶ୍ନ କଲୁ ତୁହି ମୋତେ ॥ ୧୪

ଯାହାର ଚିତ୍ତେ ଭକ୍ତିଯୋଗ । ଭଜଇ ମୋ ଚରଣଯୁଗ ॥ ୧୫

ତେବେ ବିଷୟେ ବଇରାଗ୍ୟ । ଉପୁଜେ ପୂର୍ବେ ଥିଲେ ଭାଗ୍ୟ ॥ ୧୬

ଏ ଆତ୍ମନିଷ୍ଠା ଯୋଗ ଜାଣ । ପୁରୁଷ ମୋକ୍ଷର କାରଣ ॥ ୧୭

ଭୋ ମାତ ତୁମ୍ଭେ ଏବେ ଶୁଣ । ନିର୍ଗୁଣଭକ୍ତିର କାରଣ ॥ ୧୮

ପୂର୍ବେ ମୁଁ ଋଷିଙ୍କର ମଧ୍ୟେ । ଯେ ଯୋଗ କହିଲଇଁ ସାଧ୍ୟେ ॥ ୧୯

ଯେତେଣ ଏ ମାୟା ଘୋରବନେ ।ନିସ୍ତାର ଭକ୍ତି-କରଷଣେ ॥ ୨୦

ଶୁଣ ଜନନୀ ସେ ଲକ୍ଷଣ । କହିବା ଯେ ଭକ୍ତି ନିର୍ଗୁଣ ॥ ୨୧

ଚିତ୍ତ ସଂଯମ ବ୍ୟତିରେକେ । ଯୋଗର ସିଦ୍ଧି ନୋହେ ଲୋକେ ॥ ୨୨

ବନ୍ଧ-ମୋକ୍ଷର ହେତୁ ଚିତ୍ତ । ଏ ଆତ୍ମଜ୍ଞାନୀଙ୍କ ସମ୍ମତ ॥ ୨୩

ଜୀବର ଜନ୍ମ-ବନ୍ଧ-ପାଶ । ଯେ ଭାବେ ହୋଇବ ଉଶ୍ୱାସ ॥ ୨୪

ବିଷୟାରତ ଚିତ୍ତ ଯେବେ । ଜୀବର ବଦ୍ଧଭାବ ତେବେ ॥ ୨୫

ଈଶ୍ୱରେ ଦେଲେ ସେହି ଚିତ୍ତ । ବନ୍ଧନୁ ହୁଅଇ ମୁକତ ॥ ୨୬

ମୁହିଁ ମୋହର ଭାବୁଁ ଜାତ । କାମାଦି ତେଜେ ଯେବେ ଚିତ୍ତ ॥ ୨୭

ନିର୍ମଳ ହୁଅଇଟି ଜାଣ । ମଣଇ ସୁଖ ଦୁଃଖ ସମ ॥ ୨୮

ଏ ରୂପେ ଚିତ୍ତଶୁଦ୍ଧ ଯେବେ । ଜୀବ ଈଶ୍ୱର ଏକ ଭାବେ ॥ ୨୯

ଦେଖାଇ ପ୍ରକୃତିରୁ ଭିନ୍ନ । ସ୍ୱୟଂପ୍ରକାଶ ପରିପୂ‰ର୍ଣ୍ଣ ॥ ୩୦

ପ୍ରକୃତି ବଳ ହୋଏ ହତ । ଜ୍ଞାନ ବୈରାଗ୍ୟ ଭକ୍ତି ଜାତ ॥ ୩୧

ଅଖିଳ ଆତ୍ମା ପାଦଯୁଗେ । ଭଜିଲେ ଦୃଢ଼େ ଭକ୍ତିଯୋଗେ ॥ ୩୨

ଏଣୁ ସେ ଲଭେ ବ୍ରହ୍ମଜ୍ଞାନ । ଏଥହୁଁ ପଥ ନାହିଁ ଆନ ॥ ୩୩

ଏ ଭବ-ଜଳଧି-ତରଙ୍ଗ । ହରଇ ସାଧୁଙ୍କର ସଙ୍ଗ ॥ ୩୪

ଭଜଇ କୈବଲ୍ୟ କାରଣେ । ମନ ନ ଭ୍ରମେ ଭବବଣେ ॥ ୩୫

ଶୁଣ ଜନନୀ ସାଧୁଗୁଣ । ଯେ ଅବା ସାଧୁଙ୍କ ଲକ୍ଷଣ ॥ ୩୬

ପ୍ରାଣୀବିଷୟେ ଆତ୍ମାବତ । କରଇ ତ୍ୟାଗ ଦୟା ଚିତ୍ତ ॥ ୩୭

ଜଗତ ନିର୍ବଇର ଦେଖେ । ନିଶ୍ଚଳେ ରହେ ଆତ୍ମାସୁଖେ ॥ ୩୮

ନିରତେ ଗୋବିନ୍ଦ ଚରଣେ । ସ୍ତୁତି କୀର୍ତ୍ତନ ଅନୁକ୍ଷଣେ ॥ ୩୯

ଦାରା ସ୍ୱଜନ ସୁତ ଧନ । ଗୃହ ଉପେକ୍ଷି ଚଳେ ବନ ॥ ୪୦

ସକଳ କର୍ମ ତେଜି ଦୃଢେ ।ମୋ ଭାବେ ମଜ୍ଜେ ଅତି ଗାଢେ ॥ ୪୧

ମୋ ରୂପ ଗୁଣ କର୍ମ ଯେତେ । ଶ୍ରବଣ କୀର୍ତ୍ତନ ନିରତେ ॥ ୪୨

ଏମନ୍ତ ଭାବ ନିତ୍ୟେ କରି । ଏ ମାୟାଭବୁ ଯାନ୍ତି ତରି ॥ ୪୩

ଏ ରୂପେ ସାଧୁଙ୍କ ଚରିତ । ସମସ୍ତ ସଙ୍ଗ ବିବର୍ଜିତ ॥ ୪୪

ଏମନ୍ତ ଭକ୍ତଜନ ସଙ୍ଗ । କରି ତୁ ତର ଏ ତରଙ୍ଗ ॥ ୪୫

ଭକତଜନ ସଙ୍ଗ ଯେବେ । କରଇ ଭ୍ରମ ଖଣ୍ତେŠ ତେବେ ॥ ୪୬

ମୋର ଚରିତ ଗୁଣଗାଥା । ଏକ ଆନରେ କରେ ଚିନ୍ତା ॥ ୪୭

ଶୁଣି ଶୁଣାଇ ଅଶ୍ରୁଧାରେ । ଆନନ୍ଦେ ପୁଲକ ଶରୀରେ ॥ ୪୮

ନିରତେ ଶ୍ରଦ୍ଧାଭକ୍ତି ବଢେ । ଭବ-ବନ୍ଧନ-ପାଶ ଛିଡେ ॥ ୪୯

ଅଶେଷ ଜନ୍ମ ଭାଗ୍ୟୋଦୟେ । ଭକତଜନେ ଶ୍ରଦ୍ଧା ବହେ ॥ ୫୦

ତହୁଁ ଉପୁଜେ ରତି ଭକ୍ତି । ମୋହର ଲୀଳା କର୍ମ ଚିନ୍ତି ॥ ୫୧

ବୈରାଗ୍ୟ ହୁଅଇ ପ୍ରକାଶ । ପ୍ରକୃତି ଗୁଣ ଯାଇ ନାଶ ॥ ୫୨

ଜ୍ଞାନ ବୈରାଗ୍ୟ ଭକ୍ତିବଳେ । ସକଳ ସମର୍ପେ ମୋ ଠାରେ ॥ ୫୩

ତେବେ ଏ ଦେହେ ମୋତେ ପାଇ । ଶୁଣ ଜନନୀ ମନ ଦେଇ ॥ ୫୪

ମୋ ନାମ ନାବ କରି ଭାବେ । ବସି ତରିବୁ ଭକ୍ତିଭାବେ ॥ ୫୫

ଭକତ ସଙ୍ଗେ ନାବେ ବସି । ଏ ସିନ୍ଧୁ ତରଣେ ସାହସୀ ॥ ୫୬

ଯେଣୁ ଭକତପ୍ରିୟ ହରି । ତା ଭାବେ ଭବସିନ୍ଧୁ ତରି ॥ ୫୭

ମୈତ୍ରେୟ ଉବାଚ

ଏମନ୍ତେ ପୁତ୍ର ବାକ୍ୟ ଶୁଣି । ଆନନ୍ଦେ କŸର୍ଦ୍ଦମ ଘରଣୀ ॥ ୫୮

ଆନନ୍ଦରସେ ହରଷିତ । ତକ୍ଷଣେ ହୋଇ କୃତକୃତ୍ୟ ॥ ୫୯

ଆକୁଳେ ପୁତ୍ର ପାଦେ ପଡି । ପୁଣି ପଚାରେ କରଯୋଡି ॥ ୬୦

ଦେବହୂତି ଉବାଚ

କି ରୂପେ ଭକ୍ତିଯୋଗ ଜାଣି । ଭକତି କିରୂପେ ପ୍ରମାଣି ॥ ୬୧

ଯେ ଭକ୍ତିବଳେ ଅନାୟାସେ । ଜୀବ ନିର୍ବାଣପଦେ ପଶେ ॥ ୬୨

ଯେ ଯୋଗ ମୁଖ୍ୟ ପ୍ରୟୋଜନ । ଶୁଣିଲି ତୁମ୍ଭର ବଚନ ॥ ୬୩

ସେ ଯୋଗ କେମନ୍ତ ଅଟଇ । କେମନ୍ତ ସାଧନ ତା ହୋଇ ॥ ୬୪

ମୁଁ ସ୍ତିରୀ ଅଟେ ମନ୍ଦବୁଦ୍ଧି । ଦୁର୍ବୋଧ୍ୟ ଯୋଗ ଦୟାନିଧି ॥ ୬୫

ଏଣୁ ମୋ ଚିତ୍ତରେ ସଂଶୟ । କହ ହେ ପ୍ରଭୁ ଦୟାମୟ ॥ ୬୬

ମୈତ୍ରେୟ ଉବାଚ

ଏମନ୍ତ ମାତାବାକ୍ୟ ଶୁଣି । କପିଳବେଶେ ଚକ୍ରପାଣି ॥ ୬୭

କହନ୍ତି ଜନନୀର ଆଗେ । ପରମ-ଜ୍ଞାନ ସଂଖ୍ୟଯୋଗେ ॥ ୬୮

କପିଳ ଉବାଚ

ଶୁଣ ଜନନୀ ବାକ୍ୟ ସାର । ଆଗମ ନିଗମ ପ୍ରକାର ॥ ୬୯

ଯେବା ଇନ୍ଦ୍ରିୟ ଦେବଗଣ । ଯା’ର ଯେ ସ୍ୱାଭାବିକ କର୍ମ ॥ ୭୦

ଯେ ଧର୍ମ କର୍ମ ଅଛି ବେଦେ । ତାହା ଇନ୍ଦ୍ରିୟ ଯେବେ ସାଧୋ ॥ ୭୧

ଯେ ବର୍ଣ୍ଣେ ଯେବା ଧର୍ମ କର୍ମ । ଇନ୍ଦ୍ରିୟ କରେ ସେହି କର୍ମ ॥ ୭୨

ସେ ସର୍ବକର୍ମ ଯେବେ ମୋତ। ଦେଇ ଭଜଇ ଏକଚିତ୍ତେ ॥ ୭୩

ଆପଣେ ଅକିଞ୍ଚନ ରୂପେ । ଭ୍ରମଇ ମାୟାମୟ କଳ୍ପେ ॥ ୭୪

ଭକତ ମଧ୍ୟେ ଏ ପ୍ରଧାନ । ଲଭଇ କଇବଲ୍ୟ-ସ୍ଥାନ ॥ ୭୫

ଜୀବ-ବାସନା-ବନ୍ଧ ହରେ । ନ ବୁଡେ ସଂସାର-ସାଗରେ ॥ ୭୬

ବ୍ୟାଧି ଯେସନେ ସ୍ଥାନେସ୍ଥାନେ । ହରଇ ଅଉଷଧ ପାନେ ॥ ୭୭

ଏ ଭାବେ ଯେ କରେ ବିଚାର । କୈବଲ୍ୟ କିବା ବସ୍ତୁତାର ॥ ୭୮

ନିତ୍ୟେ ଭକତଜନ ମଧ୍ୟେ । ହରିଚରିତ ନାନାଛନ୍ଦେ ॥ ୭୯

ନିରତେ କରେ ଅନୁପାନ । ଆନନ୍ଦ-ଅଶ୍ରୁ-ଜଳେ ସ୍ଥାନ ॥ ୮୦

ତାର ସମାନ ଆନ ଜନେ । ନ ଦେଖି ଏ ତିନିଭୁବନେ ॥ ୮୧

ଏମନ୍ତେ ବଞ୍ଚେ ଦୁଃଖ ସୁଖେ । ସେ ମୋର ନିଜରୂପ ଦେଖେ ॥ ୮୨

ସୁନ୍ଦର ପ୍ରସନ୍ନ ବଦନ । ବିକଚ କମଳ ଲୋଚନ ॥ ୮୩

ସର୍ବ ସୁନ୍ଦର ମନୋହର । ମୋ ଶ୍ୟାମସୁନ୍ଦର ଶରୀର ॥ ୮୪

ମୋର ଅମୃତମୟ ବାଣୀ । ତନୁ ରୋମାଞ୍ଚ କରେ ଶୁଣି ॥ ୮୫

ଏ ରୂପ ଛାଡି ତାର ମନ । କୈବଲ୍ୟେ କିବା ପ୍ରୟୋଜନ ॥ ୮୬

ଏ ରୂପ ଦେଖି ଚିତ୍ତ ହରେ । କୈବଲ୍ୟ ଲଭେ ଅଭ୍ୟନ୍ତରେ ॥ ୮୭

ଅଷ୍ଟ ଐଶ୍ୱର୍ଯ୍ୟ ଯାହା ଚିନ୍ତ । ଅନନ୍ତ ଅନନ୍ତ ବିଭୂତି ॥ ୮୮

ସେ ସର୍ବେ ଖଟନ୍ତି ତା ପାୟେ । ମୋ ଭକ୍ତଜନେ ଦୂର ନୋହେ ॥ ୮୯

ଏଣୁ ଭକତ ରଖେ ହରି । କାଳ ନ ପାରେ ଗ୍ରସ୍ତ କରି ॥ ୯୦

ମୁଁ ତାର ପ୍ରିୟ ଆତ୍ମା ସୁତ । ସଖା ସୁହୃଦ ଗୁରୁବତ ॥ ୯୧

ତାହାର ଗୁରୁଦେବ ମୁହିଁ । ଯେ ମୋତେ ଏ ଭାବେ ଭାବଇ ॥ ୯୨

ତାହାର ଈଷ୍ଟ ବନ୍ଧୁ ମୁହିଁ । ଯେ ମୋତେ ସର୍ବ ସମର୍ପଇ ॥ ୯୩

ନାହିଁ ତା ଇହ ପର ଲୋକ । ନ ମାନେ ଆତ୍ମା ଦୁଃଖ ସୁଖ ॥ ୯୪

ଏକାନ୍ତ ଭକ୍ତିବଳେ ମୋତେ । ମନ ବଚନେ ନିତ୍ୟେ ଚିନ୍ତେ ॥ ୯୫

ସର୍ବ ସମର୍ପି ଅବିରତେ । ପଶଇ ମୋର ପାଦଗତେ ॥ ୯୬

ମୁଁ ଈଶ ପୁରୁଷପ୍ରଧାନ । ମୋ ବିନୁ ବନ୍ଧୁ ନାହିଁ ଆନ ॥ ୯୭

ଦେଖ ମୋହର ମାୟାଗତେ । ଯନ୍ତ୍ରିତ ଅଛନ୍ତି ସମସ୍ତେ ॥ ୯୮

ମୋ ଆଜ୍ଞା କରୁଥାନ୍ତି ନିତ୍ୟେ । ନିତ୍ୟେ ଯନ୍ତ୍ରିତ ଭୟଚିତ୍ତେ ॥ ୯୯

ଦେଖ ପବନ ମୋର ଡରେ । ବହଇ ବାହ୍ୟ ଅଭ୍ୟନ୍ତରେ ॥ ୧୦୦

ମୋ ଭୟେ ଉଦେ ଦିନକର । ମୋ ଡରେ ବର୍ଷେ ସୁନାସୀର ॥ ୧୦୧

ମୋ ଭୟେ ଯମ ଦŠଣ୍ତ ଧରେ । ମୃତ୍ୟୁ ସକଳ ପ୍ରାଣ ହରେ ॥ ୧୦୨

ମୋ ଡରେ ଯେବା ଯାହା ଭକ୍ଷେ । ଅଗ୍ନି ଦହଇ ଅପ୍ରତ୍ୟକ୍ଷେ ॥ ୧୦୩

ଶଶାଙ୍କ ଦିଶଇ ଆକାଶେ । ପ୍ରାଣୀଙ୍କ ମନ ସେ ଆଶ୍ୱାସେ ॥ ୧୦୪

ଏମନ୍ତେ ମହାଯୋଗୀଜନେ । ଯନ୍ତ୍ରିତ ମୋହର ବଚନେ ॥ ୧୦୫

ସେବନ୍ତି ମୋହର ଚରଣେ । ସଂସାର ପାର ଇଚ୍ଛି ମନେ ॥ ୧୦୬

କରନ୍ତି ପ୍ରାଣୀହିତ ନିତ୍ୟେ । ଅନ୍ୟୋନ୍ୟାଭାବେ ଏ ଜଗତେ ॥ ୧୦୭

ଏବେ ତୁ ଭକ୍ତିଯୋଗ ଶୁଣ । ଯେତେ ଜୀବର ପରିତ୍ରାଣ ॥ ୧୦୮

ଯେ ଭାବେ ଏ ସଂସାର ତୁଟେ । ସୁଦୃଢ କର୍ମଗ୍ରନ୍ଥି ଫିଟେ ॥ ୧୦୯

ତ‌ତ୍ତ୍ବ-ତପନ-ତମ ନାଶେ । ନିର୍ମଳଜ୍ଞାନ ହିଁ ପ୍ରକାଶେ ॥ ୧୧୦

ଏଣୁ ଏ ତ‌ତ୍ତ୍ବଜ୍ଞାନ କହି । ଶୁଣ ଜନନୀ ମନଦେଇ ॥ ୧୧୧

ଏମନ୍ତ ତ‌ତ୍ତ୍ବଜ୍ଞାନ ଜାଣି । ଯେ ଭାବେ ଭଜେ ଚକ୍ରପାଣି ॥ ୧୧୨

ଯେ ଦୟାସାଗର ମୁରାରି । ମାତା ବିଷୟେ ଦୟାକରି ॥ ୧୧୩

ଯେତେ କହିଲେ ଉପଦେଶ । ସୁଜନ ଜନେ ଏଣେ ରସ ॥ ୧୧୪

ତା ପାଦେ ମନ କରି ସ୍ଥିର । ମୋକ୍ଷେ ଉଦୟ ଲଭେ ନର ॥ ୧୧୫

ତୃତୀୟସ୍କନ୍ଧେ ଭାଗବତେ । ଜୀବର ପରିତ୍ରାଣ ଅର୍ଥେ ॥ ୧୧୬

ହରିଚରିତ ସୁଧାରସ । କହଇ ଜଗନ୍ନାଥ ଦାସ ॥ ୧୧୭

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟଷ୍କନ୍ଧେ କାପିଳେୟୋପାଖ୍ୟାନେ ପଞ୍ଚବିଂଶୋଽଧ୍ୟାୟଃ ॥

* * *