ତୃତୀୟ ସ୍କନ୍ଧ
ଚତୁବିଂଶ ଅଧ୍ୟାୟ
ମୈତ୍ରେୟ ଉବାଚ
ଏମନ୍ତ ପତ୍ନୀର ବଚନେ । କର୍ଦ୍ଦମ ଅତି ସାବଧାନେ ॥ ୧
ଗୋବିନ୍ଦପାଦେ ମନଦେଇ । କହିଲେ ପତ୍ନୀ ମୁଖ ଚାହିଁ ॥ ୨
ଶୁକ୍ଳ ବଚନ ସ୍ମରି ମନେ । କହନ୍ତି ଅମୃତ ବଚନେ ॥ ୩
କର୍ଦ୍ଦମ ଉବାଚ
ହେ ପ୍ରିୟ ଶୁଣ ମୋ ଉତ୍ତର । ମନରେ ଖେଦ ତୁ ନ କର ॥ ୪
ଏହି ନିକଟେ ତୋ ଉଦରେ । ଗୋବିନ୍ଦ ନର କଳେବରେ ॥ ୫
ଜାତ ହୋଇବେ ତୋର ଭାବେ । ତୋ ବ୍ରତ ତପର ପ୍ରସ୍ତାବେ ॥ ୬
ତୁ ବ୍ରତ ଦାନ ଧ୍ୟାନ କରି । ବିଷ୍ଣୁଚରଣ ହୃଦେ ଧରି ॥ ୭
ଏ ମାୟାମୟ ସୁଖ ତେଜ । ତପେ ଗୋବିନ୍ଦପାଦେ ଭଜ ॥ ୮
ସେ ଶୁକ୍ଳବର୍ଣ୍ଣ ତୋର ଭାବେ । ମୋହର ତପ ଫଳ ଲାଭେ ॥ ୯
ସଂଶୟ ଗ୍ରନ୍ଥି ତୋର ଚିତ୍ତେ । ସେ ଦୃଢ଼ବନ୍ଧ କର୍ମଗତେ ॥ ୧୦
ସେ ହରି ଜ୍ଞାନ ଉପଦେଶେ । ସର୍ବ ଛେଦିରେ ଅବଶେଷେ ॥ ୧୧
ମୈତ୍ରେୟ ଉବାଚ
ସେ ପ୍ରଜାପତିର ସନ୍ଦେଶ । ବିଶ୍ୱାସ ଗୌରବ ପ୍ରକାଶ ॥ ୧୨
କରି ଭଜିଲେ ଶ୍ରଦ୍ଧାଭାବେ । ଜଗତଗୁରୁ ହରିପାଦେ ॥ ୧୩
ଏମନ୍ତେ ବହୁକାଳ ଗଲା । ହରିର ଅନୁଗ୍ରହ ହେଲା ॥ ୧୪
ଏ ବେନିଭାବ ହୃଦେ ଧରି । ଅଶେଷ-ମଙ୍ଗଳ-ମୁରାରି ॥ ୧୫
ପ୍ରବେଶ ପ୍ରଜାପତି ଅଙ୍ଗେ । ପତି କାମିନୀ ଅଙ୍ଗ ସଙ୍ଗେ ॥ ୧୬
ଗର୍ଭ ସଂଯୋଗେ ଦେହଧରି । ଜନ୍ମ ହୋଇଲେ ନରହରି ॥ ୧୭
ସଂସାର ନିସ୍ତାରଣ ସାଧେ । ଅନଳ ଯେହ୍ନେ ଦାରୁମଧ୍ୟେ ॥ ୧୮
ଆକାଶେ ଶୁଭେ ନାନାବାଦ୍ୟ । ଶୁଭ ମଙ୍ଗଳ ବେଦନାଦ ॥ ୧୯
ଗନ୍ଧର୍ବ ଗାନ ସୁଲଳିତ । ନାଚନ୍ତି ଅପସରା ଯୂଥ ॥ ୨୦
ଦେବେ କରନ୍ତି ପୁଷ୍ପବୃଷ୍ଟି । ମହୀମଙ୍ଗଳ ଶୁଭସୃଷ୍ଟି ॥ ୨୧
ପ୍ରସନ୍ନ ଦଶଦିଗ ଦିଶେ । ଜଳଧି ଉଲ୍ଲୋଳ ପ୍ରକାଶେ ॥ ୨୨
ସକଳ ପ୍ରାଣୀଙ୍କର ମନ । ସ୍ୱଭାବେ ହୁଏ ସୁପ୍ରସନ୍ନ ॥ ୨୩
କର୍ଦ୍ଦମ ଆଶ୍ରମ-ମଣ୍ତଳ । ବେଷ୍ଟିତ ସରସ୍ୱତୀ ଜଳ ॥ ୨୪
ମରୀଚି ଆଦି ସପ୍ତଋଷି । ବ୍ରହ୍ମାର ତୁଲେ ସର୍ବେ ଆସି ॥ ୨୫
ପରମବ୍ରହ୍ମ ସର୍ବବ୍ୟାପୀ । ସାତ୍ତ୍ବିକ ଅଂଶେ ସର୍ବରୂପୀ ॥ ୨୬
ସେ ତତ୍ତ୍ବ ସାଂଖ୍ୟାଜ୍ଞାନ ଅର୍ଥେ । ବିରାଜ ରୂପ ଏ ଜଗତେ ॥ ୨୭
ବିଶୁଦ୍ଧ ଚିତ୍ତ ନରହରି । କର୍ଦ୍ଦମ ଭକ୍ତି ହୃଦେ ଧରି ॥ ୨୮
ପ୍ରବେଶ କର୍ଦ୍ଦମ ମନ୍ଦିରେ । ଅଶେଷଜନ ଉପକାରେ ॥ ୨୯
କର୍ଦ୍ଦମ ମୁଖ ଚାହିଁ ଭଣି । ଆନନ୍ଦମନେ କୁଶପାଣି ॥ ୩୦
ବ୍ରହ୍ମା ଉବାଚ
ତୁ ଯେ ମୋହର ଆଜ୍ଞା ଶିରେ । ଘେନି ଏ ସଂସାର-ସାଗରେ ॥ ୩୧
ତପ ସାଧିଲୁ ଘୋରଦୁଃଖେ । ରମିଲୁ ଗୃହମେଧି ସୁଖେ ॥ ୩୨
ପୁତ୍ରର ଧର୍ମଟି ଏମନ୍ତ । ଯାହା ବୋଲନ୍ତି ମାତା ତାତ ॥ ୩୩
ଆଦରେ ସର୍ବଦା କରଇ । ତେବେ ସେ ବିଷ୍ଣୁଙ୍କୁ ତୋଷଇ ॥ ୩୪
ତାହାର ଇହପରଲୋକେ । ସକଳ କାଳ ଯାଏ ସୁଖେ ॥ ୩୫
ଏ ନବକୁମାରୀ ତୋହର । ପରମ ସୁଗୁଣ ସୁନ୍ଦର ॥ ୩୬
ଏ ସୃଷ୍ଟି ସର୍ଜନ କାରଣ । ତୁ ଏବେ ମୋର ବୋଲ ଶୁଣ ॥ ୩୭
ମରୀଚି ଆଦି ମୁନି ଯେତେ । ତାହାଙ୍କୁ ବରି ଶୁଦ୍ଧ ଚିତ୍ତେ ॥ ୩୮
ଯଥା ଉଚିତେ କରି ଶୋଭା । ନିଗମମାର୍ଗେ ଦିଅ ବିଭା ॥ ୩୯
ତୋହର ଯଶ ସର୍ବକାଳେ । ଅଶେଷ ଭୁବନ ମଣ୍ତଳେ ॥ ୪୦
ଏବେ ତୋହର ଘରେ ହରି । ଅଂଶେ ଜନ୍ମିଲେ ଦେହ ଧରି ॥ ୪୧
ଜୀବର ନିସ୍ତାରଣ ଅର୍ଥେ । କପିଳ ରୂପେ ଏ ଜଗତେ ॥ ୪୨
ଏ ବାକ୍ୟ କର୍ଦ୍ଦମକୁ କହି । ସେ ଦେବହୂତି ମୁଖ ଚାହିଁ ॥ ୪୩
କହନ୍ତି ପ୍ରଭୁ ବେଦବର । ଧନ୍ୟ ଜୀବନ ମାତ ତୋର ॥ ୪୪
ହେ ଦେବହୂତି ଶୁଣ ତୁହି । ତୋ ପୁତ୍ର ସାମାନ୍ୟ ନୁହଇ ॥ ୪୫
ଏ ହରି ତୋହର ନନ୍ଦନ । ଛେଦିବ ହୃଦୟ-ବନ୍ଧନ ॥ ୪୬
ଜ୍ଞାନ-ବିଜ୍ଞାନ ଯୋଗେ କର୍ମ । ନାଶିବ ଧରି ଯତିଧର୍ମ ॥ ୪୭
ଶିରେ ଅରୁଣ ଜଟାଭାର । ସ୍ୱରୂପେ ଜଗତ ସୁନ୍ଦର ॥ ୪୮
ନେତ୍ର ଚରଣେ ପଦ୍ମଚିହ୍ନ । ସୁନ୍ଦର ଜଗତ ମୋହନ ॥ ୪୯
ଜ୍ଞାନେ ବିଜ୍ଞାନେ ଏହି ଦେବ । କର୍ମମୂଳକୁ ଉପାଡ଼ିବ ॥ ୫୦
ପରମଜ୍ଞାନ ତୋତେ କହି । ଇଚ୍ଛାଏ ଭ୍ରମିବ ଏ ମହୀ ॥ ୫୧
ଏ ସିନ୍ଧଗଣଙ୍କ ଈଶ୍ୱର । ସୁସାଂଖ୍ୟଯୋଗୀଙ୍କର ସାର ॥ ୫୨
ତୋ ଯଶ କୀର୍ତ୍ତିର ବର୍ଦ୍ଧନ । ହୋଇବ କପିଳ ୟା ନାମ ॥ ୫୩
ମୈତ୍ରେୟ ଉବାଚ
କର୍ଦ୍ଦମ ଦେବହୂତି ବେନି । ଆଶ୍ୱାସ କରି ପଦ୍ମଯୋନି ॥ ୫୪
ନାରଦ ଆଦି ପୁତ୍ର ମେଳେ । ଅନେକ ମୁନିଙ୍କ ଗହଳେ ॥ ୫୫
ସେ ହଂସମୟ ଦିବ୍ୟଯାନେ । ତକ୍ଷଣେ ଗଲେ ନିଜ ସ୍ଥାନେ ॥ ୫୬
ବ୍ରହ୍ମା ଅନ୍ତରେ ସେ କର୍ଦ୍ଦମ । ହରଷ ଚିତ୍ତେ ସୁସଂଭ୍ରମ ॥ ୫୭
ବ୍ରହ୍ମାର ଆଜ୍ଞା ଘେନି ଶିରେ । ଋଷିଙ୍କି ଆଣି ନିଜ ପୁରେ ॥ ୫୮
ମଙ୍ଗଳ ଦୂର୍ବାସୂତ୍ର ରକ୍ଷେ । ବର ବରିଲେ ଏକେ ଏକେ ॥ ୫୯
ମରୀଚି ମୁନି ହସ୍ତ ଧରି । କଳା କନ୍ୟାକୁ ବର ବରି ॥ ୬୦
ଆନନ୍ଦ ମନେ କରି ବିଭା । କିଅବା ପଟାନ୍ତର ଦେବା ॥ ୬୧
ତ୍ରିଦଶେ ଦେଖନ୍ତି ଆକାଶେ । ହରଗଉରୀ ପ୍ରାୟ ଦିଶେ ॥ ୬୨
ଦ୍ୱିତୀୟ କନ୍ୟା ଅନସୂୟା । ଅତ୍ରି ମୁନିଙ୍କି ଦେଲା ତାହା ॥ ୬୩
ଶ୍ରଦ୍ଧାକୁ ଅଙ୍ଗିରସ ମୁନି । ବରିଲା କରେ ଅର୍ଘ୍ୟ ଘେନି ॥ ୬୪
ପୁଲସ୍ତ୍ୟେ ହବି ଦେଲା ଦାନ । ପୁଲହେ ଗତି ବିଦ୍ୟମାନ ॥ ୬୫
କ୍ରତୁଙ୍କୁ ଦେଲା କ୍ରିୟା ସତୀ । ଭୃଭୁଙ୍କୁ ସମର୍ପିଲା ଖ୍ୟାତି ॥ ୬୬
ବଶିଷ୍ଠେ ବରି ଅରୁନ୍ଧତୀ । ଅଥର୍ବେ ସମର୍ପିଲା ଶାନ୍ତି ॥ ୬୭
ଏମନ୍ତେ ନବ-ବିପ୍ରବରେ । କନ୍ୟା ବିବାହେ ନିଜ ପୁରେ ॥ ୬୮
ଧନେ ସନ୍ତୋଷୀ ତାଙ୍କ ମନ । ଗଲେ ସେ ଯେ ଯାହା ଭୁବନ ॥ ୬୯
ମୁନିଙ୍କି କରି ଅନୁଯାନ । ସଂଭ୍ରମ କର୍ଦ୍ଦମର ମନ ॥ ୭୦
ଗୃହେ ଯେ ପୁତ୍ର ଉପୁଜିଲା । କପିଳ ନାମେ ବିଷ୍ଣୁକଳା ॥ ୭୧
ବେଗେ ମିଳିଲା ପୁତ୍ର ପାଶେ । ସ୍ୱଭାବେ ଜନକ ବିଶ୍ୱାସେ ॥ ୭୨
ବିଷ୍ଣୁର ଜନ୍ମ ପତ୍ନୀ ଗର୍ଭେ । ସୁମରେ ଶୁକ୍ଳ-ବାକ୍ୟ ଭାବେ ॥ ୭୩
ଏକାନ୍ତେ ପୁତ୍ର ପାଶେ ଯାଇ । ବୋଲେ କପାଳେ କରଦେଇ ॥ ୭୪
କର୍ଦ୍ଦମ ଉବାଚ
ଦେଖ ମୋହର ଦୁଷ୍ଟପଣ । ନ ସେବି ତୁମ୍ଭର ଚରଣ ॥ ୭୫
ଏ ଗୃହ-ଅନ୍ଧକୂପ ପଥେ । ପଡ଼ିଲି ଅମଙ୍ଗଳ ଯନ୍ତ୍ରେ ॥ ୭୬
ଅନେକ ଜନ୍ମେ ଯୋଗସାଧ୍ୟେ । ଯୋଗସମ୍ପାଦି ଅନୁବାଦେ ॥ ୭୭
ଯେ ପ୍ରାଣୀ ଗୃହବନ୍ଧ ତେଜେ । ବନସ୍ତେ ତୋ ଚରଣେ ଭଜେ ॥ ୭୮
ପର୍ଣ୍ଣକୁଟୀର ମଧ୍ୟେ ଥାଇ । ବଞ୍ଚନ୍ତି ତୋ ଚରଣ ଧ୍ୟାୟି ॥ ୭୯
ତୋ ପାଦ ଦେଖିବାର ଆଶେ । ସାଧନ୍ତି ଅନେକ ବରଷେ ॥ ୮୦
ଏମନ୍ତ ପ୍ରଭୁ ତୁମ୍ଭେ ହରି । ମୋର ଭୁବନେ ଅବତରି ॥ ୮୧
ତୋର ଭକତ ରକ୍ଷାଅର୍ଥେ । ତୋ ଅବତାର ଏ ଜଗତେ ॥ ୮୨
ନିଜ ବଚନ ସତ୍ୟ କରି । ତୁ ମୋର ଗୃହେ ଅବତରି ॥ ୮୩
ସ୍ୱଭାବେ ସର୍ବଭୂତେ ଥାଉ । ଭକତଜନେ ବଶ ହେଉ ॥ ୮୪
ଭକତହିତେ ନାନାଯୋନି । ଉପୁଜୁ ନିଜତେଜ ଘେନି ॥ ୮୫
ପଣ୍ତିତଜନେ ତୋ ବିଶ୍ୱାସେ । ତୋ ପାଦପଦ୍ମଗନ୍ଧାବାସେ ॥ ୮୬
ସଂସାର ତେଜି ସେ ଭଜନ୍ତି । ଅନ୍ତେ ତୋ ଶରୀରେ ପଶନ୍ତି ॥ ୮୭
ତୁ ପୂର୍ଣ୍ଣବ୍ରହ୍ମ ନରହରି । ପ୍ରକାଶୁ ଜ୍ୟୋତିରୂପ ଧରି ॥ ୮୮
ଐଶ୍ୱର୍ଯ୍ୟ ବୀର୍ଯ୍ୟ ଯଶ ଜ୍ଞାନ । ତୁ ଶ୍ରୀ ବୈରାଗ୍ୟ ପରିପୂର୍ଣ୍ଣ ॥ ୮୯
ତେଣୁ ଶରଣାଗତ ମୁହିଁ । ମୋ ଦୋଷ କ୍ଷମ ଭାବଗ୍ରାହୀ ॥ ୯୦
ତୁ ନାଥ ପରମ-ପୁରୁଷ । ପ୍ରକୃତି ମଧ୍ୟେ ତୋ ପ୍ରକାଶ ॥ ୯୧
ମହତଆଦି ରୂପ ତୋର । ଭୂତଙ୍କ ସୂକ୍ଷ୍ମ ଅହଙ୍କାର ॥ ୯୨
ତ୍ରିଗୁଣମୟୀ କାଳରୂପୀ । ତୁ କବି ସର୍ବଭୂତେ ବ୍ୟାପି ॥ ୯୩
ତୋ ରୂପ ଆତ୍ମାଜ୍ଞାନ ଅର୍ଥେ । କପିଳରୂପେ ଏ ଜଗତେ ॥ ୯୪
ଶରଣାଗତ ତୋ ଚରଣେ । ମୋ ମନେ ରହ ଅନୁକ୍ଷଣେ ॥ ୯୫
ତୁ ପ୍ରଜାପତିଙ୍କର ନାଥ । ତୁ ଯେ ହୋଇଲୁ ମୋର ସୁତ ॥ ୯୬
ତୁ ଅବତୀର୍ଣ୍ଣ ହେଲା ମାତ୍ରେ । ମୋ ଋଣତ୍ରୟ ନାହିଁ ଗାତ୍ରେ ॥ ୯୭
ପୂର୍ଣ୍ଣ ହୋଇଲା ମନୋରଥ । ସନ୍ନ୍ୟାସାମାର୍ଗେ ଏବେ ଚିତ୍ତ ॥ ୯୮
ତେଣୁ ମାଗଇ ଆତ୍ମା ଅର୍ଥେ । ତୋ ପାଦଧ୍ୟାନ ହୃଦଗତେ ॥ ୯୯
ଧରିଣ ବୁଲିବି ଜଗତେ । ଏମନ୍ତ ଆଜ୍ଞା ଦିଅ ମୋତେ ॥ ୧୦୦
ଏମନ୍ତ କର୍ଦ୍ଦମ ବଚନ । ଶୁଣି କହନ୍ତି ଭଗବାନ ॥ ୧୦୧
ଭଗବାନ ଉବାଚ
ତୋହର ତପ ତେଜ ବଳେ । ମୋ ଅବତାର ଏ ଶୟଳେ ॥ ୧୦୨
ନିଜ ବଚନ ସତ୍ୟ କରି । ତୋ ପତ୍ନୀ-ଗର୍ଭେ ଅବତରି ॥ ୧୦୩
କେ ଲଭିପାରେ ମୋର ଭାବ । ମୋ ରୂପ ଯୋଗୀଙ୍କି ଦୁର୍ଲ୍ଲଭ ॥ ୧୦୪
ମୁଁ ଏବେ ସଂସାରର ଅର୍ଥେ । ଜ୍ଞାନପ୍ରକାଶି ଏ ଜଗତେ ॥ ୧୦୫
ଏ ସିଦ୍ଧଦେହେ ଥିବି ମୁହିଁ । ଯାବତ ସୂର୍ଯ୍ୟ ଚନ୍ଦ୍ର ମହୀ ॥ ୧୦୬
ଯେ ତତ୍ତ୍ବଜ୍ଞାନ ପୂର୍ବେ ଥିଲା । କାଳର ବଳେ ନାଶ ଗଲା ॥ ୧୦୭
ସେ ତତ୍ତ୍ବ ପ୍ରକାଶିବା ଅର୍ଥେ । ମୋ ଅବତାର ଏ ଜଗତେ ॥ ୧୦୮
ତୋହର ସାଧୁକ୍ରିୟା ଯେତେ । ସବୁ ସମର୍ପି ଦିଅ ମୋତେ ॥ ୧୦୯
ମୋର ଚରଣେ ଭାବେ ବଢି । ଚଳ ତୁ ଗୃହବନ୍ଧ ଏଡ଼ି ॥ ୧୧୦
ସୁହୃଢେ ମୋ ପଦ ଭଜିବୁ । ଦୁର୍ଜୟ-ମରଣୁ ତରିବୁ ॥ ୧୧୧
ଅନ୍ତେ ପଶିବୁ ମୋ ଚରଣେ । ବେଗେ ଯା ତପ ସାଧ ବନେ ॥ ୧୧୨
ମୁଁ ଆତ୍ମାନନ୍ଦଜ୍ୟୋତି ପଦେ । ପ୍ରକାଶ ସର୍ବଭୂତହୃଦେ ॥ ୧୧୩
ଆତ୍ମାର ମଧ୍ୟେ ଆତ୍ମା ଦେଖ । ମୃତ୍ୟୁ ସକାଶୁ ଆତ୍ମା ରଖ ॥ ୧୧୪
ଅଧ୍ୟାତ୍ମ-ବିଦ୍ୟା ସାଧ୍ୟ କର । ଏ ମାୟା-ବନ୍ଧନୁ ନିସ୍ତର ॥ ୧୧୫
ଯେ ବିଦ୍ୟାବଳେ ଦେବହୂତି । ହେବ ପରମାନନ୍ଦ ପ୍ରାପ୍ତି ॥ ୧୧୬
ମୈତ୍ରେୟ ଉବାଚ
ଏମନ୍ତ ହରି ଆଜ୍ଞା ପାଇ । ଅଭୟପଦେ ମନ ଦେଇ ॥ ୧୧୭
ବିଷ୍ଣୁଙ୍କ ପ୍ରଦକ୍ଷିଣ କଲା । ମଉନବ୍ରତେ ବନ ଗଲା ॥ ୧୧୮
ଅହିଂସାବ୍ରତ ଆଚରଣ । କେବଳ ଆତ୍ମାରେ ଶରଣ ॥ ୧୧୯
ନିଃସଙ୍ଗ ଗୃହ ନିରପେକ୍ଷ । ଅନଳ ଛାଡ଼ି ସେ ପ୍ରତ୍ୟକ୍ଷ ॥ ୧୨୦
ନିର୍ଗୁଣବ୍ରହ୍ମେ ମନ ଦେଇ । ସତ ଅସତ ପର ସେହି ॥ ୧୨୧
ଏକାନ୍ତଭକ୍ତିରସେ ରସି । ଜିଣିଲା କାଳଦଣ୍ତଫାସି ॥ ୧୨୨
ଭ୍ରମଇ ବନ ଘନ ଗିରି । ଦେଖଇ ସର୍ବଭୂତେ ହରି ॥ ୧୨୩
ଇନ୍ଦ୍ରିୟଗଣଙ୍କୁ ନିରୋଧି । ଯେସନେ ନିଶ୍ଚଳ ଜଳଧି ॥ ୧୨୪
ସର୍ବଜ୍ଞେ ସର୍ବ ଆତ୍ମାଭାବେ । ଯେ ଭଗବାନ ବାସୁଦେବେ ॥ ୧୨୫
ଯେ ଭାବେ ରହି ଧୀରପଣେ । ନିର୍ବାଣମୁକ୍ତିର ଭିଆଣେ ॥ ୧୨୬
ଦେଖଇ ସର୍ବଭୂତେ ହରି । ଆତ୍ମା ସ୍ୱରୂପେ ଅଛି ପୂରି ॥ ୧୨୭
ହରିର ଦେହେ ଏ ଜଗତ । ଦେଖେ ଅଭେଦେ ଦୃଷ୍ଟିଗତ ॥ ୧୨୮
ଅନ୍ତେ ଲଭିଲା ହରିଭାବ । ଯେ ହରି ଦେବଙ୍କୁ ଦୁର୍ଲଭ ॥ ୧୨୯
ଏମନ୍ତ ବିଦୁରର ଆଗେ । ମୈତ୍ରେୟ କହେ ପ୍ରିୟଭାବେ ॥ ୧୩୦
ନିର୍ମଳ-ଭାଗବତବାଣୀ । ଭାଷାପ୍ରବନ୍ଧେ ପରିମାଣି ॥ ୧୩୧
ତୃତୀୟସ୍କନ୍ଧେ କୃଷ୍ଣରସ । କହିଲା ଜଗନ୍ନାଥ ଦାସ ॥ ୧୩୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ କାପିଳେୟେ ଚତୁର୍ବିଂଶୋଽଧ୍ୟାୟଃ ॥
* * *