ତୃତୀୟ ସ୍କନ୍ଧ
ତ୍ରୟୋବିଂଶ ଅଧ୍ୟାୟ
ମୈତ୍ରେୟ ଉବାଚ
ଏମନ୍ତେ କନ୍ୟା ବିଭା ଦେଇ । ମନୁ ଯେ ଗଲେ ରଥ ବାହି ॥ ୧
ଏବେ ହୋ ଶୁଣ କୁରୁନାଥ । କର୍ଦ୍ଦମମୁନୀଙ୍କ ଚରିତ ॥ ୨
ସେ ନଦୀତୀରେ ପୁଣ୍ୟ ବନେ । ଦୃଢେ ରହିଲେ ତପସ୍ଥାନେ ॥ ୩
ତାହାଙ୍କ ପତ୍ନୀ ଦେବହୂତି । ସୁନ୍ଦର ସୁଗୁଣ ସୁମତି ॥ ୪
ସ୍ୱାମୀର ମନ ଜାଣି ଚିତ୍ତେ । ସେବା କରଇ ଅନୁବ୍ରତେ ॥ ୫
ଇଙ୍ଗିତ ମାତ୍ରେ ଆଜ୍ଞା ବହେ । ଭବାନୀ ଭବସେବା ପ୍ରାୟେ ॥ ୬
ବିଶ୍ୱାସ ଆତ୍ମ-ଶୌଚ ଧର୍ମେ । ଧୀର ଗୌରବ ସମ ଦମେ ॥ ୭
ଶୁଶୂଷା ସହୃଦୟ ପ୍ରେମେ । ମଧୁରବାକ୍ୟେ ସୁସଂଭ୍ରମେ ॥ ୮
ବର୍ଜିତ କାମ ମଦ ହିଂସା । ଦମ୍ଭ ଗର୍ବିତ ମିଥ୍ୟାଭାଷା ॥ ୯
ଉଦ୍ୟମ ନିରଳସ ମତି । ସ୍ୱାମୀ ସନ୍ତୋଷେ ମନ ସ୍ଥିତି ॥ ୧୦
ମନୁ ତନୟା ଦେବହୂତି । ଦେବ ସମାନେ ମଣେ ପତି ॥ ୧୧
ପତିର ଆଶୀର୍ବାଦ ଲାଭ । କରିବା ପାଇଁ ତାର ଲୋଭ ॥ ୧୨
ତେଣୁ ପତିର ସେବା ନିତ୍ୟେ । କରଇ ଭକ୍ତିଭାବେ ଚିତ୍ତେ ॥ ୧୩
ଏମନ୍ତେ ଦେବହୂତି ଚାହିଁ । ମୁନି ସାନନ୍ଦେ ସ୍ନେହ ବହି ॥ ୧୪
ପତି ଦେବତାର ଆଶିଷେ । ନିରତେ ସେବେ ସ୍ୱାମୀ ପାଶେ ॥ ୧୫
ତାହାର ପତିବ୍ରତା ଧର୍ମ । ଦେଖି ବିଚାରଇ କର୍ଦ୍ଦମ ॥ ୧୬
ଏ ପତବ୍ରତାଙ୍କର ସାର । ସୁଶୀଳ ସୁଗୁଣ ଗମ୍ଭୀର ॥ ୧୭
ଏମନ୍ତ ଗୁଣ ମନେ ଗୁଣି । ସପ୍ରେମେ ଗଦଗଦ ବାଣୀ ॥ ୧୮
ନିଜ କାମିନୀ ସୁଖ ଚାହିଁ । କର୍ଦ୍ଦମ କହେ ପ୍ରେମ ବହି ॥ ୧୯
କର୍ଦ୍ଦମ ଉବାଚ
ଶୁଣ ସୁନ୍ଦରି ମୋ ବଚନ । ମୋର ବିଷୟେ ତୋର ମନ ॥ ୨୦
ଦେଖି ସନ୍ତୋଷ ମୋର ଚିତ୍ତ । ତୁ ଅନୁବ୍ରତେ ମୋର ଭକ୍ତ ॥ ୨୧
ପ୍ରାଣୀମାନଙ୍କ ନିଜ ଦେହ । ସୁହୃଦ ପ୍ରିୟ ଅତି ସ୍ନେହ ॥ ୨୨
ସେ ଦେହେ ତୋର ଯତ୍ନ ନାହିଁ । ମୋହରି ଅର୍ଥେ ମନ ଦେଇ ॥ ୨୩
ସ୍ୱଧର୍ମ ରତ ପ୍ରାଣୀଙ୍କର । ତପ ସମାଧି ବିଦ୍ୟାସାର ॥ ୨୪
ସୁଦୃଢ କର୍ମ ଆତ୍ମଧ୍ୟାନ । ଜୀବଙ୍କ ହିତ ତତ୍ତ୍ବଜ୍ଞାନ ॥ ୨୫
ଏ ସର୍ବ ଗୋବିନ୍ଦ ପ୍ରସାଦେ । ମୁଁ ଯେ ସାଧିଲି ନିରାପଦେ ॥ ୨୬
ତୋତେ ମୁଁ ଦିବ୍ୟଚକ୍ଷୁ ଦାନ । କଲି ତୁ ଦେଖ ବିଦ୍ୟମାନ ॥ ୨୭
ଏ ସର୍ବ ତୋହର ସୁସାଧ୍ୟ । ତୁ ଏବେ ଭଜ ବିଷ୍ଣୁପାଦ ॥ ୨୮
ଗୋବିନ୍ଦୁ ଯେବା ଭୋଗ ପାଇ । ସେ ଭୋଗେ ଭୟ ଶୋକ ନାହିଁ ॥ ୨୯
ଅନ୍ୟ ଅନେକ ଅଛି ଭୋଗ । କିନ୍ତୁ ସେ ତୋର ନୋହେ ଯୋଗ୍ୟ ॥ ୩୦
ତୁ ସିଦ୍ଧ ହେଲୁ ନିଜ କର୍ମେ । ଆପଣା ପତିବ୍ରତା ଧର୍ମେ ॥ ୩୧
ଏଣୁ ତୁ ଦିବ୍ୟଭୋଗ କର । ଯାହା ଦୁଷ୍ପ୍ରାପ୍ୟ ମାନବର ॥ ୩୨
ଏ ବିନେ ଅନ୍ୟ ଭୋଗ ଯେହି । କି କାର୍ଯ୍ୟ ତୁଚ୍ଛ ସେ ଅଟଇ ॥ ୩୩
ଅଧିକ ଗୁଣ କିବା କହି । ସର୍ବ ସମ୍ପଦ ଯେଣେ ପାଇ ॥ ୩୪
ସେ ହରି-ଚରଣପଙ୍କଜ । ନିର୍ମଳଚିତ୍ତେ ଏବେ ଭଜ ॥ ୩୫
ମୈତ୍ରେୟ ଉବାଚ
ଏମନ୍ତ କର୍ଦ୍ଦମ ବଚନେ । ସେ ଦେବହୂତି ତୋଷମନେ ॥ ୩୬
ଭର୍ତ୍ତା ବଦନ ଚାହିଁ କହେ । ଗଭୀର ବାକ୍ୟ ସୁଧାମୟେ ॥ ୩୭
ଦେବହୂତି ଉବାଚ
ଭୋ ନାଥ ତୁମ୍ଭର ପ୍ରସାଦେ । ତୁମ୍ଭ ଚରଣେ ଅପ୍ରମାଦେ ॥ ୩୮
ନିରତେ ହେଉ ମୋର ସେବା । ପ୍ରସନ୍ନେ ମୋତେ ଆଜ୍ଞା ଦେବା ॥ ୩୯
ତୁମ୍ଭେ ମୋହାର ତୁଲେ ଏବେ । ଗୃହସ୍ଥ ଧର୍ମେ ପ୍ରିୟଭାବେ ॥ ୪୦
ଅତୁଲ୍ୟ ଧର୍ମ ଭୋଗ କର । ଯେ ଧର୍ମ କାମଧେନୁ ସାର ॥ ୪୧
ମୈତ୍ରେୟ ଉବାଚ
ଏମନ୍ତେ ପତ୍ନୀର ବଚନ । କର୍ଦ୍ଦମ ଶୁଣି ତୋଷମନ ॥ ୪୨
ପ୍ରିୟା କଳ୍ପିତ ମନ ଜାଣି । ଚିତ୍ତେ ବିଚାରି ବିପ୍ରମଣି ॥ ୪୩
ବିଶ୍ୱକର୍ମାଙ୍କୁ ନେ ସ୍ମରି । ବିମାନ ତପବଳେ କରି ॥ ୪୪
ଯହିଁ କଳ୍ପିତ ବସ୍ତୁଯୁତ । ଅଶେଷ ରତ୍ନେ ସେ ନିର୍ମିତ ॥ ୪୫
ମଣି ନିର୍ମିତ ସ୍ତମ୍ଭକୂଳେ । ସକଳ ଋତୁ ପୁଷ୍ପ ଫଳେ ॥ ୪୬
ଦେବଙ୍କ ଦିବ୍ୟଭୋଗ ଯହିଁ । ସର୍ବଦାକାଳ ସୁଖମୟୀ ॥ ୪୭
ବିଚିତ୍ର ଚିତ୍ର ହେମମୟେ । ଚିତ୍ର ପତାକା ଧ୍ୱଜ ଶୋହେ ॥ ୪୮
ସୁଗନ୍ଧ ପୁଷ୍ପ ମାଳେମାଳେ । ଯେ ରଥେ ଲମ୍ବଇ ଗହଳେ ॥ ୪୯
ଗଭୀର ଭୃଙ୍ଗନାଦ ଶୋହେ । ପାଟବସନ ମନ ମୋହେ ॥ ୫୦
ଉପରେ ନୀଳ ରତ୍ନମଣି । ବିରାଜେ ରବିତେଜ ଜିଣି ॥ ୫୧
ସେ ରଥେ ସୁବର୍ଣ୍ଣ ପଲଙ୍କେ ।କୋମଳ ଶଯ୍ୟା ଶୋହେ ରଙ୍ଗେ ॥ ୫୨
ବିଶ୍ୱକର୍ମାର ଶିଳ୍ପୀପଣ । ଯେ ରଥ କରିଛି ଘଟଣ ॥ ୫୩
ମହାମର୍କତ ସ୍ତମ୍ଭ ଯହିଁ । ବିଦ୍ରୁମ-ବେଦୀ ବିରାଜଇ ॥ ୫୪
ଯେଦ୍ୱାରେ ବିଦ୍ରୁମ ଦେହଳୀ । ହୀରା କବାଟ ଯହିଁ କିଳି ॥ ୫୫
ଶିଖରମାନ ସ୍ୱର୍ଣ୍ଣକୁମ୍ଭେ । ବିରାଜେ ଇନ୍ଦ୍ରନୀଳ-ସ୍ତମ୍ଭେ ॥ ୫୬
ଜଳନ୍ତି ପଦ୍ମରାଗ-ଦୀପେ । ବିଚିତ୍ରଚିତ୍ରେ ଚନ୍ଦ୍ରାତପେ ॥ ୫୭
ହେମତୋରଣେ ହାର ଲମ୍ବେ । ପାଟ-ଦୋଳିକା ରତ୍ନସ୍ତମ୍ଭେ ॥ ୫୮
ଶ୍ୱେତ ହଂସକ ପାରାବତ । ରାବ କହନ୍ତି ଉନମତ୍ତ ॥ ୫୯
ବିମାନଶିଖେ ଜଳାରନ୍ଧ୍ରେ । ଧୂମ ନିର୍ଗତ ଧୂପ ଗନ୍ଧେ ॥ ୬୦
ବିହାର ଶଯ୍ୟା ଆଦି ସ୍ଥାନ । ସୁବର୍ଣ୍ଣ ନିର୍ମିତ ପ୍ରାଙ୍ଗଣ ॥ ୬୧
ନାନା ବିଶ୍ରାମ ସ୍ଥାନ ଶୋହେ । ଦେଖି ଦେବଙ୍କ ମନ ମୋହେ ॥ ୬୨
ଏମନ୍ତ ଦିବ୍ୟପୁର ଚାହିଁ । ସନ୍ତୋଷ ଲଭେ ନେତ୍ରଦୁଇ ॥ ୬୩
ଆପଣା ଦେହ ହୀନ କାନ୍ତି । ତୋଷ ନୋହିଲା ଦେବହୂତି ॥ ୬୪
କର୍ଦ୍ଦମମୁନି ପତ୍ନୀ ଚାହିଁ । ଅମୃତ ବଚନ ବୋଲଇ ॥ ୬୫
ସେ ସର୍ବ ପ୍ରାଣୀ ଚିତ୍ତ ଜାଣେ । ତପ ସମାଧି ବିଦ୍ୟା ଗୁଣେ ॥ ୬୬
କର୍ଦ୍ଦମ ଉବାଚ
ସୁନ୍ଦରୀ ଶୁଣ ମୋ ବଚନ । ଏ ତୀର୍ଥେ ତୋଷେ କର ସ୍ନାନ ॥ ୬୭
ବିମାନେ ସୁଖେ ବିଜେ କର । ଚିତ୍ତେ ଗୋବିନ୍ଦ ନାମ ସ୍ମର ॥ ୬୮
ଶୁକ୍ଳ ନିର୍ମିତ ତୀର୍ଥ ଏହି । ପ୍ରାଣୀଙ୍କି ସୁଖ ଫଳ ଦେଇ ॥ ୬୯
ଏମନ୍ତ ସ୍ୱାମୀର ବଚନେ । ସେ ଦେବହୂତି ତୋଷମନେ ॥ ୭୦
ମଳିନ ବସ୍ତ୍ର ପରିଧାନ । ହୃଦେ ଆଚ୍ଛାଦି ତୁଙ୍ଗ ସ୍ତନ ॥ ୭୧
ଶିରେ ଶୋଭିତ ଜଟାବେଣୀ । ସୁଗନ୍ଧ ଅଙ୍ଗେ ଲେପେ ଆଣି ॥ ୭୨
ପଶିଲା ସରସ୍ୱତୀ ନୀରେ । ଯେ ନୀର ସର୍ବପାପ ହରେ ॥ ୭୩
ଜଳେ ପ୍ରବେଶ କରି ପୁଣି । ଆଶ୍ଚର୍ଯ୍ୟେ ଦେଖିଲା ତରୁଣୀ ॥ ୭୪
ତକ୍ଷଣେ ସରୋବର ଜଳେ । ସହସ୍ରେ କନ୍ୟା ଏକମେଳେ ॥ ୭୫
ଉଠିଲେ ଦିବ୍ୟରୂପ ଧରି । ଜୟ ଶବଦ ମୁଖେ କରି ॥ ୭୬
ରୂପେ କି ଦେବା ପଟାନ୍ତର । ମୋହନ୍ତି ବ୍ରହ୍ମା ସୁର ନର ॥ ୭୭
କିଶୋର ବୟସୀ ଆନନ୍ଦେ । ବାସନ୍ତି ନୀଳୋତ୍ପଳ ଗନ୍ଧେ ॥ ୭୮
କନ୍ୟାଏ ଦେଖି ଜଳମଧ୍ୟେ । ସେ ଦେବହୂତିଙ୍କୁ ଆନନ୍ଦେ ॥ ୭୯
କପୋଳେ ଦେଇ ବେନିକର । ସ୍ୱଭାବେ କହନ୍ତି ମଧୁର ॥ ୮୦
ଆମ୍ଭେ ତୋହର ଦାସୀ ପଣେ । ସେବିବୁ ତୋହର ଚରଣେ ॥ ୮୧
ଏ ଯେ ତୋହର ଦିବ୍ୟକାୟ । କିବା କରିବୁ ଆଜ୍ଞା ଦିଅ ॥ ୮୨
ଏମନ୍ତ କହି କନ୍ୟାଗଣେ । ସେ ଦେବହୂତିର ଚରଣେ ॥ ୮୩
ତକ୍ଷଣେ ନମସ୍କାର କରି । ସର୍ବେ ହୋଇଲେ ପରିଚାରୀ ॥ ୮୪
ସୁଗନ୍ଧ ତାର ଅଙ୍ଗେ ବୋଳି । ଆନନ୍ଦେ ଦେଲେ ହୁଳହୁଳୀ ॥ ୮୫
ସ୍ନାନ କରାଇ ପୁଣ୍ୟନୀରେ । ମଣ୍ତିଲେ ନାନା ଉପହାରେ ॥ ୮୬
ନୂତନ ବସ୍ତ୍ରଯୁଗ ଦେଲେ । ବିବିଧ ଅଳଙ୍କାର ତୁଲେ ॥ ୮୭
ଅମୂଲ୍ୟ ମାଳ ରତ୍ନପନ୍ତି । ଚନ୍ଦ୍ରକିରଣେ ଝଟକନ୍ତି ॥ ୮୮
ଅନ୍ନ ବ୍ୟଞ୍ଜନ ଷଡ଼ରସେ । ଭୋଜନ କରାଇ ହରଷେ ॥ ୮୯
ସୁବାସ ଜଳେ ଆଚମନ । କରାଇ ସୁମୁଖ ବାସନ ॥ ୯୦
ଉତ୍ତମ ଶଯ୍ୟାରେ ବସାଇ । ଦର୍ପଣ ସମର୍ପିଲେ ନେଇ ॥ ୯୧
ମୁକୁରେ ଚାହିଁ ମୁଖଶୋଭା । ଶିରେ ଖଞ୍ଜିଲେ ପୁଷ୍ପଗଭା ॥ ୯୨
କର୍ପୂର କୁଙ୍କୁମ ସୁଗନ୍ଧେ । ଅଙ୍ଗେ ଲେପିଲେ ସେ ଆନନ୍ଦେ ॥ ୯୩
ଦୂର୍ବା ଅକ୍ଷତ ଗନ୍ଧ ଆଣି । ଆଶିଷ କନ୍ୟାଗଣେ ଭଣି ॥ ୯୪
ଏମନ୍ତେ ସର୍ବ ପରିବାରୀ । ସୁଲଗ୍ନେ ଶୁଦ୍ଧସ୍ନାନ କରି ॥ ୯୫
ଗଳେ ଆରୋପି ରତ୍ନହାର । ଚରଣେ ବାଜେଣି ନୂପୁର ॥ ୯୬
କଟୀ ଶୋଭିତ କାଞ୍ଚୀ ଦାମ । ହୃଦେ କାଞ୍ଚଲା ଅନୁପମ ॥ ୯୭
ଅମୂଲ୍ୟ ହାର ହୃଦେ ଶୋହେ । ରୂପେ କାମିନୀ ମନ ମୋହେ ॥ ୯୮
ଦେଖିଲେ ଭ୍ରୂଦ୍ୱୟ ସୁନ୍ଦର । ଶୋଭନ ଦଶନ ନିକର ॥ ୯୯
ନୟନେ ପଦ୍ମ ପରାଜିତ । ସୁନ୍ଦର ଅପାଙ୍ଗ ସଂଯୁତ ॥ ୧୦୦
ସୁନୀଳ ଅଳକା କପୋଳେ । ଶୋଭିତ ବଦନ ମଣ୍ତଳେ ॥ ୧୦୧
ଦର୍ପଣେ ନିଜ ଶୋଭା ଦେଖି । ସ୍ୱାମୀ ସ୍ମରିଲା ଶଶିମୁଖୀ ॥ ୧୦୨
ରୂପ ମୋହନ ପ୍ରିୟ ଭାବେ । ବାକ୍ୟ କହନ୍ତି ପିକ ରବେ ॥ ୧୦୩
ତକ୍ଷଣେ କନ୍ୟାଗଣ ତୁଲେ । ପ୍ରଜାପତିର ପାଶେ ମିଳେ ॥ ୧୦୪
ସ୍ୱାମୀର ଯୋଗଗତି ଦେଖି । ସଂଶୟ ଚିତ୍ତେ ଅଧୋମୁଖୀ ॥ ୧୦୫
ସମସ୍ତ ହେଲା କି ପ୍ରକାରେ । ଭାବି ବିସ୍ମୟ ତା ମନରେ ॥ ୧୦୬
ସଂଶୟ ଦେଖି ତାର ମନେ । ମୁନି ଜାଣିଲେ ଯୋଗଧ୍ୟାନେ ॥ ୧୦୭
ଅପୂର୍ବ ଶୋଭା ଦେଖି ତାର । ପ୍ରେମ ଜନ୍ମିଲା କର୍ଦ୍ଦମର ॥ ୧୦୮
ଆବୃତ ତୁଙ୍ଗ ବେନିସ୍ତନ । ଦେଖି ସନ୍ତୋଷ ମୁନି ମନ ॥ ୧୦୯
ତକ୍ଷଣେ ଧରି କନ୍ୟା ହସ୍ତ । ମୁନି ଆରୋହୀ ଦିବ୍ୟରଥ ॥ ୧୧୦
ସହସ୍ରେ ନାରୀଗଣ ମଧ୍ୟେ । ଉର୍ଦ୍ଧ୍ୱେ ଗମନ ବିଷ୍ଣୁପଦେ ॥ ୧୧୧
ସ୍ୱର୍ଗେ ଦେଖନ୍ତି ସୁରଦେବା । କି ଅବା ପଟାନ୍ତର ଦେବା ॥ ୧୧୨
ଯେସନେ ତାରାଗଣ ମଧ୍ୟେ । ଚନ୍ଦ୍ର ବିରାଜେ ବିଷ୍ଣୁପଦେ ॥ ୧୧୩
ଦେଖନ୍ତି ଅଷ୍ଟଦିଗପାଳେ । ବିମାନ ଅତି ଅନ୍ତରାଳେ ॥ ୧୧୪
ଇନ୍ଦ୍ରାଦି ଅଷ୍ଟଲୋକସ୍ଥାନେ । ମେରୁ ପର୍ବତ ଘୋରବନେ ॥ ୧୧୫
ସିଦ୍ଧ କିନ୍ନର କ୍ରୀଡ଼ା ଦେଶେ । ଗିରି ଗହ୍ୱର ଅଧିବାସେ ॥ ୧୧୬
ଏମନ୍ତେ ନାନା କ୍ରୀଡ଼ା ସ୍ଥାନେ । ବିମାନେ ମୁନି ତୋଷମନେ ॥ ୧୧୭
କୁବେର ପ୍ରାୟ ଅଷ୍ଟଦିଗେ । ଗମି ଭ୍ରମନ୍ତି ଅତିବେଗେ ॥ ୧୧୮
ଦେବ ଉଦ୍ୟାନ ବନ ଯେତେ । ମାନସସରର ସମେତେ ॥ ୧୧୯
ଏମନ୍ତେ ସନ୍ତୋଷେ ବିହରି । କାମିନୀ ସଙ୍ଗେ ସଙ୍ଗ କରି ॥ ୧୨୦
ରତ୍ନ ବିମାନ କାମଗତି । ଯେ ଭାବେ ଯେବା ପ୍ରଚରନ୍ତି ॥ ୧୨୧
ପବନ ଯେହ୍ନେ ସର୍ବଦେଶେ । କାମଗ ବିମାନ ପ୍ରକାଶେ ॥ ୧୨୨
ବିଷ୍ଣୁ ସନ୍ତୋଷ ପ୍ରାଣୀଙ୍କର । କିବା ସମ୍ପଦ ଅଗୋଚର ॥ ୧୨୩
ଏମନ୍ତେ ଦଶଦିଗ ଭ୍ରମି । ପଥିକ ପ୍ରାୟେ ପଥ ଶ୍ରମି ॥ ୧୨୪
ପୁଣି ମିଳିଲେ ନିଜଘରେ । ଗୃହସ୍ଥ ଧର୍ମର ବେଭାରେ ॥ ୧୨୫
ସେ ମୁନି ତପେ ଅନର୍ଗଳା । ଆତ୍ମାକୁ ନବରୂପ କଲା ॥ ୧୨୬
ପତ୍ନୀ ସଂଯୋଗେ ହୋଇ କାମୀ । ଅନେକ ସମ୍ବତ୍ସର ରମି ॥ ୧୨୭
କେବେହେଁ କାମ ନ ପୂରିଲା । ମୁହୂର୍ତ୍ତେ ପ୍ରାୟ ଦିନ ଗଲା ॥ ୧୨୮
ଏମନ୍ତେ ଯୋଗର ପ୍ରଭାବେ । ରମିଲେ ଦମ୍ପତି ସ୍ୱଭାବେ ॥ ୧୨୯
ଶତେବରଷ ଦେବ ମତେ । ସୁଚିତ୍ତେ ରମିଲେ ନିଶ୍ଚିନ୍ତେ ॥ ୧୩୦
ଏମନ୍ତେ ପ୍ରଜାପତି ରେତେ । ସେ ଦେବହୂତି ଗର୍ଭଗତେ ॥ ୧୩୧
ନବକୁମାରୀ ଉପୁଜିଲେ । ଶୁଭ ମଙ୍ଗଳ ଲଗ୍ନବେଳେ ॥ ୧୩୨
ସର୍ବେ ସୁରୂପା ରୂପ ମଧ୍ୟେ । ଶୋଣିତ ଉତ୍ପଳ ସୁଗନ୍ଧେ ॥ ୧୩୩
ଏମନ୍ତେ ନବକନ୍ୟା ଚାହିଁ । ସେ ଦେବହୂତି ବିଚାରଇ ॥ ୧୩୪
ଏ କି ଅଦ୍ଭୁତ କର୍ମ ମୋର । ଦଇବ ବଳେ ବଳିଆର ॥ ୧୩୫
ଏମନ୍ତ ସମୟେ ସେ ମୁନି । ସନ୍ନ୍ୟାସାଶ୍ରମ ମନେ ଗୁଣୀ ॥ ୧୩୬
ଗମନେ ହୋଇଲେ ପ୍ରବୃତ୍ତ । ତା ଦେଖି ଦେବହୂତି ଚିତ୍ତ ॥ ୧୩୭
ଅତୀବ ବ୍ୟାକୁଳିତ ହେଲା । ବାହ୍ୟେ ବିସ୍ମୟ ପ୍ରକାଶିଲା ॥ ୧୩୮
ବିକଳେ ପତି ପାଶେ ଯାଇ । ରହିଲା ଅଧୋମୁଖୀ ହୋଇ ॥ ୧୩୯
ଅଶ୍ରୁ ପୂରିତ ସେ ଲୋଚନେ । ବୋଲଇ ବିନୟ ବଚନେ ॥ ୧୪୦
ଦେବହୂତି ଉବାଚ
ଭୋନାଥ ତୁମ୍ଭର ପ୍ରସାଦେ । ସକଳ ସୁଖ ମୁଁ ଆନନ୍ଦେ ॥ ୧୪୧
ଭୁଞ୍ଜଇ ତବ ପାଦ ଧ୍ୟାୟି । ମୋହର ଚିତ୍ତେ ଚିନ୍ତା ନାହିଁ ॥ ୧୪୨
ଏବେ ମୋ ଗର୍ଭେ କନ୍ୟା ଦେଖି । ହୋଇଲି ମନଦୁଃଖେ ଦୁଃଖୀ ॥ ୧୪୩
ଯାହା ପ୍ରତିଜ୍ଞା ତୋର ଥିଲା । ତାହାତ ସମ୍ପୂର୍ଣ୍ଣ ହୋଇଲା ॥ ୧୪୪
ତୋ ପାଦେ ପଶିଲି ଶରଣ । ମୋତେ ଅଭୟ ଦିଅ ପୁଣ ॥ ୧୪୫
ସେବଇଁ ଚରଣେ ତୁମ୍ଭର । ମୋହର ମନଦୁଃଖ ହର ॥ ୧୪୬
ପୁତ୍ର ନୋହିଲା ମୋର ଗର୍ଭେ । ଏଣୁ ମୋ ମନ ଦୁଃଖେ ଭାବେ ॥ ୧୪୭
ଯେବା ହୋଇଲେ ନବନାରୀ । ଏ ଅନୁରୂପେ ବର ବରି ॥ ୧୪୮
ବିବାହ ଦିଅ ତୁମ୍ଭେ ସୁଖେ । ମୋ ଦୀନଭାବ ଯାଉ ସୁଖେ ॥ ୧୪୯
ତୁମ୍ଭେ ଯେ ବନେ ତପ କଲେ । ମୋ ମନ ନ ରହିବ ଭଲେ ॥ ୧୫୦
ଏଣୁ ମୋ ମନଦୁଃଖ ଭାବେ । ପୁତ୍ର ସମ୍ପାଦ ମୋର ଗର୍ଭେ ॥ ୧୫୧
ମୁଁ ଏତେ କାଳ ତୁମ୍ଭ ତୁଲେ । ବଞ୍ଚିଲି ନାନା ଭୋଗ ଭୋଳେ ॥ ୧୫୨
ଇନ୍ଦ୍ରିୟ ଭୋଗର ଲାଳସେ । ବଞ୍ଚିଲି ନାନା ଭୋଗ ରସେ ॥ ୧୫୩
ତୁମ୍ଭର ଅଙ୍ଗ ସଙ୍ଗ ମେଳେ । ଏ ଜନ୍ମ ଗଲା ମୋର ଭୋଳେ ॥ ୧୫୪
ଏ କର୍ମଭୂମି ମଧ୍ୟେ ମୁହିଁ । ଉତ୍ତମ-କୁଳେ ଜନ୍ମ ହୋଇ ॥ ୧୫୫
ଆତ୍ମାର ଗତି ନ ଜାଣଇଁ । ଏ ଦୁଃଖ ସୁଖ ମୁଁ ମଣଇଁ ॥ ୧୫୬
ତୁମ୍ଭ ସଙ୍ଗତେ ସଙ୍ଗ କରି । ହରି-ଭଜନ ମୁଁ ପାଶୋରି ॥ ୧୫୭
ହେ କାନ୍ତ ମୋତେ ଦୟା କର । ଏ ଭବସାଗରୁ ଉଦ୍ଧର ॥ ୧୫୮
ଭୟ ନିବାର ମୋର ଚିତ୍ତେ । ଏ ମାୟା ତରିବି ଯେମନ୍ତେ ॥ ୧୫୯
ବିଷୟା-ରସେ ଯାର ସଙ୍ଗ । ଆବୋରେ ସଂସାର-ତରଙ୍ଗ ॥ ୧୬୦
ତାର ନିସ୍ତାର ଆର କାହିଁ । କର୍ମ-ବନ୍ଧନେ ସେ ପଡ଼ଇ ॥ ୧୬୧
ବୁଡ଼ଇ ସଂସାର-ସାଗରେ । ସମ୍ଭବେ ଅଶେଷ ଉଦରେ ॥ ୧୬୨
ଏ ଭାବ ଜାଣି ଯାର ମନ । ବିଷ୍ଣୁ-ଭଜନେ ସାବଧାନ ॥ ୧୬୩
ସେ ଜୀବ ଆତ୍ମକୁ ଉଦ୍ଧରେ । ନ ବୁଡେ ସଂସାର-ସାଗରେ ॥ ୧୬୪
ଯେ ଇହଜନ୍ମ କର୍ମ-ଧର୍ମେ । ହରି ନ ଭଜେ ମାୟା ଭ୍ରମେ ॥ ୧୬୫
ଯେ ତୀର୍ଥପଦ ନ ସେବଇ । ଜୀବନ ଥାଉଁ ସେ ମରଇ ॥ ୧୬୬
ମୁଁ ଏ ଇନ୍ଦ୍ରିୟ ଭୋଗ ବଳେ । ବଞ୍ଚିଲି ବିଷ୍ଣୁମାୟା ଭୋଳେ ॥ ୧୬୭
ମୁଁ ତୁମ୍ଭ ପାଦେ ସେବା କରି । ମୋକ୍ଷେ ନୋହିଲି ଅଧିକାରୀ ॥ ୧୬୮
ଏବେ ଉପାୟ କହ ମୋତେ । ଏ ମାୟା ତରିବି ଯେମନ୍ତେ ॥ ୧୬୯
ମୈତ୍ରେୟ ଉବାଚ
ଏମନ୍ତେ କର୍ଦ୍ଦମ ସମ୍ମୁଖେ । ସେ ଦେବହୂତି ମନଦୁଃଖେ ॥ ୧୭୦
ଯେତେ କହିଲା ମନ-ତ୍ରାସ । ସୁଜନ ଜନେ ଏଥେଁ ରସ ॥ ୧୭୧
ତୃତୀୟସ୍କନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ ॥ ୧୭୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ କାପିଳେୟୋପଖ୍ୟାନେ ତ୍ରୟୋବିଂଶୋଽଧ୍ୟାୟଃ ॥
* * *