ତୃତୀୟ ସ୍କନ୍ଧ
ଦ୍ୱାବିଂଶ ଅଧ୍ୟାୟ
ମୈତ୍ରେୟ ଉବାଚ
ଏମନ୍ତେ ରାଜା ଗୁଣଗ୍ରାମ । ଆନନ୍ଦେ ବର୍ଣ୍ଣିଲେ କର୍ଦ୍ଦମ ॥ ୧
ଶୁଣିଣ ଆପଣା ସୁଖ୍ୟାତି । ଲଜ୍ଜିତ ହୋଇଲେ ଭୂପତି ॥ ୨
ବୋଇଲେ ମୁନି ମୁଖ ଚାହିଁ । ଶୁଣ କର୍ଦ୍ଦମ ଦୟାବହି ॥ ୩
ମନୁ ଉବାଚ
ସେ ବେଦମୟ ବ୍ରହ୍ମାଆଗେ । ବେଦ ପ୍ରବୃତ୍ତି ଇଚ୍ଛାଯୋଗେ ॥ ୪
ତପସ୍ୟା ବିଦ୍ୟା ଯୋଗଯୁକ୍ତ । ଲମ୍ପଟ ଭାବ ବିରହିତ ॥ ୫
କରି ସୃଜିଲେ ଲୋକଗୁରୁ । ତୁମ୍ଭମାନଙ୍କୁ ସ୍ୱମୁଖରୁ ॥ ୬
ଏଣୁ ପବିତ୍ର ତୁମ୍ଭ ଦେହୀ । ସୁବିଦ୍ୟାତପ ଛନ୍ଦମୟୀ ॥ ୭
ଯୋଗ ସାଧନେ ଅଲମ୍ପଟ । ତୁମ୍ଭ ସାଧନ ସ୍ୱର୍ଗ-ବାଟ ॥ ୮
ଏ ତୁମ୍ଭ ଧର୍ମରକ୍ଷା ଅର୍ଥେ । ସେ ପିତାମହ ଏ ଜଗତେ ॥ ୯
ସହସ୍ରେ ଭୁଜ ତେଜ ଘେନି । ସୃଷ୍ଟି ପାଳନେ ପଦ୍ମଯୋନି ॥ ୧୦
କ୍ଷତ୍ରିୟ ଜାତି ଭିଆଇଲା । ସେ ତେଜ ସୃଷ୍ଟି ଆବୋରିଲା ॥ ୧୧
ଏ ବେନି ତେଜେ ବେନି ରହେ । ଧର୍ମ ପାଳନେ ଦେହ ବହେ ॥ ୧୨
ଏଣୁ ତୁମ୍ଭର ଦରଶନେ । ସଂଶୟ ନରହେ ମୋ ମନେ ॥ ୧୩
ଯେଣୁ ଅନେକ ଭାଗ୍ୟ ମୋର । ଦେଖିଲି ତୁମ୍ଭର ଶରୀର ॥ ୧୪
ତୁମ୍ଭ ଚରଣରଜ-ନୀର । ପବିତ୍ର କଲା ମୋ ଶରୀର ॥ ୧୫
ପ୍ରାକୃତଜନ ମାନଙ୍କର । ଯେ ରୂପ ଅଟେ ଅଗୋଚର ॥ ୧୬
ତୁମ୍ଭର ଅନୁଗ୍ରହ ପାଇ । ପବିତ୍ର କଲି ନିଜ ଦେହୀ ॥ ୧୭
ତୁମ୍ଭର ବାକ୍ୟେ କର୍ଣ୍ଣପଥ । ନିଶ୍ଚଳ ହୋଏ କୃତକୃତ୍ୟ ॥ ୧୮
ମୁଁ ଏ ଦୁହିତା ସ୍ନେହେ ଜଡି । ଏ ମାୟାମୋହ ବନ୍ଧେ ପଡି ॥ ୧୯
ଏଣୁ ମୋହର ଦୁଃଖ ମନେ । କହିବି ଶୁଣ ସାବଧାନେ ॥ ୨୦
ମୋହର ଜ୍ୟେଷ୍ଠ ବେନିସୁତ । ଉତ୍ତାନପାଦ ପ୍ରିୟବ୍ରତ ॥ ୨୧
ତାଙ୍କ ଭଗିନୀ ଏ ସୁମୁଖୀ । ଏ ଦେବହୂତି ଚନ୍ଦ୍ରମୁଖୀ ॥ ୨୨
ଏହାର ଗୁଣ ଶୀଳ ସମେ । ପତି ଇଚ୍ଛଇ ନିଜ ଧର୍ମେ ॥ ୨୩
ତୁମ୍ଭର ରୂପ ଗୁଣ ଯେତେ । ନାରଦ ଏହାର ଅଗ୍ରତେ ॥ ୨୪
କହିଲେ ମୋହର ସାକ୍ଷାତେ । ତେଣୁ କଳ୍ପିଲା ଏହା ଚିତ୍ତେ ॥ ୨୫
ମୁଁ ଏବେ ଶ୍ରଦ୍ଧା ପ୍ରୀତି ଚିତ୍ତେ । ଘେନି ମିଳିଲି ତୋ ଅଗ୍ରତେ ॥ ୨୬
କନ୍ୟା ଗ୍ରହଣ ତୁମ୍ଭେ କର । ଶ୍ରଦ୍ଧାରେ ଦେଲି ଉପହାର ॥ ୨୭
ତୁ ଧର୍ମଜ୍ଞାନୀଙ୍କର ବର । ଗୃହସ୍ଥଧର୍ମ ଏବେ କର ॥ ୨୮
ତୋ ଗୃହାଶ୍ରମ କର୍ମମାନ । ସୁନ୍ଦର କରିବ ସାଧନ ॥ ୨୯
ଏଣେ ତୋ ପ୍ରତିବାଦ ନାହିଁ । ପୁଷ୍କଳଧର୍ମେ ଏହା କହି ॥ ୩୦
ଉଦ୍ୟତଭୋଗ ଯେବେ ଛାଡି । ଯେ ଯାନ୍ତି ଭିକ୍ଷୁପଥ ମାଡି ॥ ୩୧
ଯେ ଯଶମାନ ତାର ଥାଇ । ଅବଜ୍ଞା ବଶେ ନ ରହଇ ॥ ୩୨
ତୁମ୍ଭର ବ୍ରହ୍ମଚର୍ଯ୍ୟବ୍ରତ । ଅବଧି ହେଲା ସମାପତ ॥ ୩୩
ବିବାହ କରିବାର ପାଇଁ । ଶୁଣିଲୁ ଇଚ୍ଛା ବଳିଛଇଁ ॥ ୩୪
ଏବେ ତୁ ଗୃହମେଧି ଧର୍ମ । କର ସଫଳ ଏ ଉଦ୍ୟମ ॥ ୩୫
ଏ ଦେବହୂତି କନ୍ୟା ମୋର । ବେଦ ପ୍ରମାଣେ ବିଭାକର ॥ ୩୬
ଏମନ୍ତ ମନୁବାକ୍ୟ ଶୁଣି । କର୍ଦ୍ଦମ ହୃଦେ ପରିମାଣି ॥ ୩୭
ବୋଲନ୍ତ ମନୁ ମୁଖ ଚାହିଁ । ଆନନ୍ଦଚିତ୍ତେ ଦେହ ବହି ॥ ୩୮
କର୍ଦ୍ଦମ ଉବାଚ
ତୁମ୍ଭର ଆଜ୍ଞା ଶିରୋ ଧରି । ଏ ଦେବହୂତି ବିଭାକରି ॥ ୩୯
ରମିବି ସଂସାର ଧାରଣେ । ଆତ୍ମାର ଉତ୍ପତ୍ତି କାରଣେ ॥ ୪୦
ଯେ ମନୁରାଜାର ଦୁହିତ । ଉତ୍ତାନପାଦ ଯାର ଭ୍ରାତ ॥ ୪୧
ଏ ଗୁଣବତୀ କନ୍ୟାସାର । କି ଅବା ଦେବା ପଟାନ୍ତର ॥ ୪୨
ମୋହର କର୍ମେ ଏ ବିଦିତ । ସୁନ୍ଦର ଗୁଣ ବର୍ଣ୍ଣଯୁକ୍ତ ॥ ୪୩
ଏଣୁ ଏ ଲଳନା ଲଲାମ । ଏହାର ଗୁଣ ଅନୁପମ ॥ ୪୪
କେ ତାହା ଛାଡି ଅବା ପାରେ । ଶରୀର ବହି ଏ ସଂସାରେ ॥ ୪୫
କରିବି ଦାର ପରିଗ୍ରହ । ତୁମ୍ଭେ ମୋହରେ ସ୍ନେହ ବହ ॥ ୪୬
କିନ୍ତୁ ଏ ନିୟମ ମୋହର । ଶୁଣ ହେ ଧର୍ମପାଳ ବର ॥ ୪୭
ଯାବତ ଏହା କୋଳେ ଜାତ । ସୁନ୍ଦର ଗୁଣବନ୍ତ ପୁତ୍ର ॥ ୪୮
ତାବତ ଗୃହାଶ୍ରମ ରହି । ତହୁଁ ସନ୍ନ୍ୟାସ କରିବଇଁ ॥ ୪୯
ତୁମ୍ଭ ବଚନ ମାନ୍ୟ ମୋର । ଯେ ଭାବେ ଜନ ଉପକାର ॥ ୫୦
ପିତ୍ରାଦି ଋଣ ଶୋଧ କରି । ପରେ ସନ୍ନ୍ୟାସ ଅନୁସରି ॥ ୫୧
ଏମନ୍ତ ବିଷ୍ଣୁ ଅନୁମତି । ତୁମ୍ଭଙ୍କୁ କହିଲି ସମ୍ପ୍ରତି ॥ ୫୨
ମୈତ୍ରେୟ ଉବାଚ
ଏମନ୍ତେ ବିପ୍ର ବାକ୍ୟ ଶୁଣି । ସନ୍ତୋଷ ଚିତ୍ତେ ରାଜା-ରାଣୀ ॥ ୫୩
ମୁନିଙ୍କି ବରବେଶ କରି । ବେଦ-ବିଧାନେ କନ୍ୟା ବରି ॥ ୫୪
ତାପସ ଶ୍ରେଷ୍ଠ ମୁନିବରେ । ହରଷେ ପ୍ରଫୁଲ୍ଲ ଅନ୍ତରେ ॥ ୫୫
ବିବାହ ଦେଇ ସେ ଉତ୍ସୁକ । ଅନେକ ଦେଲେ ଯଉତୁକ ॥ ୫୬
ଅମୂଲ୍ୟ ବସନ ଭୂଷଣ । ଗୃହ ପୁଷ୍କଳ ମହୀ ଧନ ॥ ୫୭
ଝିଅ ଜୁଆଇଁ ପ୍ରୀତି ଅର୍ଥେ । ସେ ରାଣୀ ଦେଲେ ବହୁମତେ ॥ ୫୮
ସକଳ ଦେଇ ମୁନିଜନେ । ବୋଧିଲେ ଅମୃତ ବଚନେ ॥ ୫୯
ଆନନ୍ଦ ଚିତ୍ତେ ଦଣ୍ତଧାରୀ । ମୁନିଙ୍କି ଆଲିଙ୍ଗନ କରି ॥ ୬୦
କଣ୍ଠ କୁଣ୍ଠିତ ଅଶ୍ରୁ ମୁଖେ । ଦୁହିତା ସ୍ନେହଭଙ୍ଗ ଦୁଃଖେ ॥ ୬୧
ହେ ମାତ ବୋଲି ଅଶ୍ରୁ ମୁଖ । ଦୁହିତା ଦୁଃଖେ ଅତି ଦଃଖ ॥ ୬୨
ଦୁହିତା କେଶ ନେତ୍ର ଜଳେ । ଅତି କାତରେ ଆର୍ଦ୍ର କଲେ ॥ ୬୩
ମୁନିଙ୍କି କନ୍ୟାଦାନ ଦେଇ । ଆନନ୍ଦେ କୃତକୃତ୍ୟ ହୋଇ ॥ ୬୪
ରଥ ଆରୋହୀ ବେନି ଜନେ । ଗଲେ ସେ ଆପଣା ଭୁବନେ ॥ ୬୫
ସେ ପୁଣ୍ୟନଦୀ ସରସ୍ୱତୀ । ଅତି ଶୋଭନ ତଟବତୀ ॥ ୬୬
ସେ ଋଷିକୂଲ୍ୟା ନଦୀ ତଟେ । ଅନେକ ଋଷି ଯା ନିକଟେ ॥ ୬୭
ପର୍ଣ୍ଣ କୁଟୀର ସେ ଭିଆଇ । ସୁଦୃଢେ କୁଶ କାଶ ଛାଇ ॥ ୬୮
ସେ ନଦୀତୀରେ ସୁଖେ ରହି । ବିଷ୍ଣୁ ଭଜନେ ଯଜ୍ଞ ଦାହି ॥ ୬୯
ତା ତଟେ ମୁନିଙ୍କ ଆଶ୍ରମ । ଦେଖି ତା ଶୋଭା ଅନୁପମ ॥ ୭୦
ମନୁର ଚିତ୍ତ ତୃପ୍ତ ହେଲା । ସ୍ୱଗୃହ ମାର୍ଗେ ଚଳିଗଲା ॥ ୭୧
ସେ ବ୍ରହ୍ମାବର୍ତ୍ତ ପ୍ରଜାଜନେ । ମନୁ ଆସନ୍ତେ ସ୍ୱଭୁବନେ ॥ ୭୨
ହରଷେ ରାଜାର ଅଗ୍ରତେ । ମିଳିଲେ ବାଦ୍ୟ ସ୍ତୁତି ରୀତେ ॥ ୭୩
ଯା ନା ବର୍ହିଷୃତି ପୁରୀ । ତହିଁ ବିଜୟେ ଦଣ୍ତଧାରୀ ॥ ୭୪
ବରାହ ଅଙ୍ଗର କମ୍ପନେ । ରୋମ ପଡ଼ିଲା ଯେଉଁ ସ୍ଥାନେ ॥ ୭୫
ସେ କୁଶ କାଶ ହୋଇ ଯହିଁ । ନିତ୍ୟେ ହରିର ତେଜ ବହି ॥ ୭୬
ପୂର୍ବେ ଋଷିଏ ଯେଣେ କରି । ଅସୁରଙ୍କର ଦର୍ପ ହରି ॥ ୭୭
ଯେ ଯଜ୍ଞ ବିଷ୍ଣୁ ପାଦତଳେ । ଯଜ୍ଞେ ପୂଜିଲେ ଏକ ମେଳେ ॥ ୭୮
ସେ ମନୁ ସ୍ଥାନ ତହିଁ ପାଇ । ଯଜ୍ଞପୁରୁଷ ଯଜ୍ଞେ ଦାହି ॥ ୭୯
ପୁର ନିର୍ମିତ କୁଶ କାଶେ । ସେ ସ୍ଥାନେ ତାପତ୍ରୟ ନାଶେ ॥ ୮୦
ସେ ଗୃହେ ପତ୍ନୀ ତୁଲେ ରହି । ସନ୍ତତି ସହ ପ୍ରିୟ ବହି ॥ ୮୧
କଳ୍ପିତ ସୁଖ ବଇଭୋଗେ । ସେ ପ୍ରଜାଅର୍ଥେ ରତି ରଙ୍ଗେ ॥ ୮୨
ସୁସ୍ୱର ଗୀତ ନାଦ ଧ୍ୱନି । ଗନ୍ଧିର୍ବେ ସ୍ତୀରୀବୃନ୍ଦ ଘେନି ॥ ୮୩
ସଙ୍ଗୀତ ରସ ବୀଣା ନାଦେ । ଲଳିତ ଗୀତ ଅନୁବାଦେ ॥ ୮୪
ପ୍ରତି ଦିବସ ରାତ୍ରି ଅନ୍ତେ । କୃଷ୍ଣଚରିତ ହୃଦଗତେ ॥ ୮୫
କର୍ଣ୍ଣେ ଶୁଣନ୍ତି ଧ୍ୟାନ କରି । ଚିତ୍ତେ ଗୋବିନ୍ଦ ଭାବ ଭରି ॥ ୮୬
ନିରତେ କୃଷ୍ଣନାମ ଘୋଷେ । ସେ ବେନିଜନେ ଗୃହବାସେ ॥ ୮୭
ବିଷ୍ଣୁ ଚରିତ ହୃଦେ ଭରି । ନାମ ଶ୍ରବଣେ ଆଶା କରି ॥ ୮୮
ସେ ମନୁ ଯୋଗମାୟା ଭୋଗେ । ଥିଲେ ହେଁ ତାହାଙ୍କୁ ନ ଲାଗେ ॥ ୮୯
ଜାଗ୍ରତ ସ୍ୱପ୍ନ ଯେ ସୁଷୁପ୍ତି । ତାହାକୁ କେହି ନ ବାଧନ୍ତି ॥ ୯୦
ଯେଣୁ ସେ ହରି ପରାୟଣ । ଅଟଇ ମନୁ ନୃପରାଣ ॥ ୯୧
କୃଷ୍ଣର କତା କର୍ଣ୍ଣେ ଶୁଣେ । ତା ରୂପ ଧ୍ୟାନେ ପରିମାଣେ ॥ ୯୨
ମୁଖେ ରଟନ୍ତି ନାମ ତାର । ତା କଥା କହି ନିରନ୍ତର ॥ ୯୩
ଏମନ୍ତେ ନିଜ ମନ୍ୱନ୍ତର । ଯେ ଯୁଗଗଣନା ବେଭାର ॥ ୯୪
ଏକସପ୍ତତି ଚତୁର୍ଯୁଗେ । ହୋଇଲା ମନ୍ୱନ୍ତର ଭୋଗେ ॥ ୯୫
ଏମନ୍ତେ ହରିଭାବ କରି । ତୃତୀୟ ତାପୁଁ ଯେ ନିସ୍ତରି ॥ ୯୬
ସେ ପୁଣି ମୁନିଙ୍କର ବୋଲେ । ବିବିଧ ଜ୍ଞାନ ହିଁ କହିଲେ ॥ ୯୭
ତ୍ରିବିଧ ବାଧା ଲୋକେ ଅଛି । ଭକ୍ତଙ୍କୁ ନ ଲାଗଇ କିଛି ॥ ୯୮
ମନୁର ବାଧା ହିଁ ନ ଥିଲା । ଯେଣୁ ହରିଙ୍କି ଆଶ୍ରେ କଲା ॥ ୯୯
ଶୁଣ ବିଦୁର ପୁଣ୍ୟଦେହା । କହିଲି ପଚାରିଲୁ ଯାହା ॥ ୧୦୦
ସେ ଆଦିରାଜ ମନୁ କଥା । ଶୁଣନ୍ତେ ତୁଟେ ଭବ ବ୍ୟାଥା ॥ ୧୦୧
ଏ ସୃଷ୍ଟି ଆଦିର କାରଣ । ଏବେ ହୋଇ ମନୁବଂଶ ଶୁଣ ॥ ୧୦୨
ତୃତୀୟ ସ୍କନ୍ଧେ ଭାବବତ । କହିଲା ଦାସ ଜଗନ୍ନାଥ ॥ ୧୦୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ ଦ୍ୱାବିଂଶୋଽଧ୍ୟାୟଃ ॥
* * *