ତୃତୀୟ ସ୍କନ୍ଧ
ଏକବିଂଶ ଅଧ୍ୟାୟ
ମୈତ୍ରେୟ ମୁନି ପାଦେ ପଡି । ବିଦୁର କହେ କରଯୋଡି ॥ ୧
ବିଦୁର ଉବାଚ
ବୋଇଲେ ଶୁଣ ହେ ମୈତ୍ରେୟ । ମୋହର ପ୍ରତି ତୁ ସଦୟ ॥ ୨
ସେ ସ୍ୱାୟମ୍ଭୂବ-ମନୁବଂଶ । ମୋ ଆଗେ କର ହେ ପ୍ରକାଶ ॥ ୩
ଯାର ପ୍ରଶଂସା ସାଧୁଲୋକ । କରନ୍ତି ସଦା ଅତିରେକ ॥ ୪
ବ୍ରହ୍ମାର ତହୁଁ ଯାର ତନୁ । ଯେ ପୂର୍ବେ ସ୍ୱାୟମ୍ଭୂବମନୁ ॥ ୫
ତାହାର ବଂଶ ଏ ଜଗତେ । କି ରୂପେ ପ୍ରସରିଲେ କେତେ ॥ ୬
ମୈଥୁନ ମତେ କଲା ପ୍ରଜା । ଯେ ପୁଣି ମନୁବଂଶେ ରାଜା ॥ ୭
ସେ ସ୍ୱାୟମ୍ଭୂବ ମନୁ ସୁତ । ଉତ୍ତାନପାଦ ପ୍ରିୟବ୍ରତ ॥ ୮
ତେଜେ ପ୍ରଚଣ୍ତ ସେ ବିରାଜେ । ଏ ସପ୍ତଦ୍ୱୀପା ମହୀ ଭୁଞ୍ଜେ ॥ ୯
ଯେମନ୍ତେ ଧର୍ମ ଏ ସଂସାରେ । ରଖିଲେ କହ ମୁନିବରେ ॥ ୧୦
ତାର ଦୁହିତା ଅନୁପମ । ଯାହାର ଦେବହୂତି ନାମ ॥ ୧୧
କର୍ଦ୍ଦମ ତାର ନିଜ ପତି । ତାର ଭୂବନେ ଦେବହୂତି ॥ ୧୨
ସେବା କରଇ ଅନୁବ୍ରତେ । ଯେ ଧର୍ମ ପତିବ୍ରତା ମତେ ॥ ୧୩
ସ୍ୱାମୀ ସୁହାଗେ ସଉଭାଗ୍ୟେ । ମୈଥୁନ ଭାବେ ରତିରଙ୍ଗେ ॥ ୧୪
ତାହାର ଗର୍ଭେ ପୁତ୍ର କେତେ । ଜନ୍ମିଲେ କହ ମୋ ଅଗ୍ରତେ ॥ ୧୫
ତାହା ଶ୍ରବଣେ ଇଚ୍ଛା ମୋର । କହ ସଦୟେ ମୁନିବର ॥ ୧୬
ମନୁ ତନୟା ଯେ ଆକୂତି । ତାହାଙ୍କୁ ରୁଚି ପ୍ରଜାପତି ॥ ୧୭
ବ୍ରହ୍ମଜ ଦକ୍ଷ ପ୍ରଜାପତି । ସେ ପୁଣ ଲଭିଣ ପ୍ରସୂତି ॥ ୧୮
ସୃଷ୍ଟି ସୃଜିଲେ କେଉଁଭାବେ । ଭୋ ମୁନି ତାହା କହ ଏବେ ॥ ୧୯
ଏମନ୍ତ ବିଦୁରର ବାଣୀ । ମୈତ୍ରେୟ ବୋଲେ ତାହାଶୁଣି ॥ ୨୦
ମୈତ୍ରେୟ ଉବାଚ
କର୍ଦ୍ଦମେ ରାଇ ବେଦବର । ବୋଇଲେ ପ୍ରଜା ସୃଷ୍ଟିକର ॥ ୨୧
ବ୍ରହ୍ମାର ଆଜ୍ଞା ଘେନି ଶିରେ । ମିଳିଲେ ସରସ୍ୱତୀ ତୀରେ ॥ ୨୨
ଅତି କଠୋର ତପ କଲା । ଶୁଣ ହେ ଯେତେ ଦିନ ଗଲା ॥ ୨୩
ଦେବଙ୍କ ଅୟୂତ ବରଷେ । ବସିଲା ଆତ୍ମାର ବିଶ୍ୱାସେ ॥ ୨୪
ସମାଧି ଯୋଗରେ କର୍ଦ୍ଦମ । ସେବିଲେ ପୁରୁଷଉତ୍ତମ ॥ ୨୫
ତପ ସମାଧି କ୍ରିୟା ଯୋଗେ । ନିଶ୍ଚଳ ଭକ୍ତି ଅନୁରାଗେ ॥ ୨୬
ତାର ସମୀପେ ହୃଷୀକେଶ । ତକ୍ଷଣେ ହୋଇଲେ ପ୍ରବେଶ ॥ ୨୭
ଶୁକ୍ଳ-କମଳ-ମାଳ ଗଳେ । ବଦନ ଶୋଭିତ କୁଣ୍ତଳେ ॥ ୨୮
ଶବଦବ୍ରହ୍ମ ରୂପ ଧରି । ଶତେ ଆଦିତ୍ୟ ନୋହେ ସରି ॥ ୨୯
ଲୋଚନ ପୁଣ୍ତରୀକଦଳେ । ସୁନ୍ଦର ଅଳକା କପୋଳେ ॥ ୩୦
ନିର୍ମଳ ବସ୍ତ୍ର ପରିଧାନ । ସୁନ୍ଦର ମସ୍ତକ ଭୂଷଣ ॥ ୩୧
କିରୀଟ କୁଣ୍ତଳ ବିରାଜେ । ଶଙ୍ଖ କମଳ ଗଦା ସାଜେ ॥ ୩୨
ଚକ୍ର ବିରାଜେ ଦକ୍ଷକରେ । ତେଜେଣ ଦଶଦିଗ ପୁରେ ॥ ୩୩
ଅଧରେ ସ୍ମିତହାସ୍ୟ ଯାର । ବିରାଜେ ଅତି ମନୋହର ॥ ୩୪
ସ୍ମିତ ବାରିକ ଚକ୍ଷୁ ବେନି । ବିରାଜେ ନିଜ ତେଜ ଘେନି ॥ ୩୫
ସୁନ୍ଦର ହାସ୍ୟେ ମନ ମୋହେ । କୋଟି କନ୍ଦର୍ପ ସମ ନୋହେ ॥ ୩୬
ଗରୁଡ ସ୍କନ୍ଧେ ଆରୋହଣ । ଅମୂଲ୍ୟ ରତ୍ନ ବିଭୂଷଣ ॥ ୩୭
ଭ୍ରୂଭଙ୍ଗେ ରୁଚିର ଶ୍ରୀମୁଖ । ଦେଖନ୍ତେ ହରେ ଭବଦୁଃଖ ॥ ୩୮
ଶ୍ରୀବତ୍ସଚିହ୍ନ ହୃଦେ ସାଜେ । କୌସ୍ତୁଭମଣି କଣ୍ଠମାଝେ ॥ ୩୯
ଶୁକ୍ଳ ଶରୀର ଶୂନ୍ୟମାର୍ଗେ । ଯେ ରୂପ ବହେ ସତ୍ୟଯୁଗେ ॥ ୪୦
ଶୂନ୍ୟ-ମଣ୍ତଳେ ବିଷ୍ଣୁ ଦେଖି । ଉଠିଲା ଆସନ ଉପେକ୍ଷି ॥ ୪୧
ବହୁ ବରଷ ତପ ଶ୍ରମ । ଦେଖନ୍ତେ ଗଲା ମନ ଭ୍ରମ ॥ ୪୨
ରୋମ ହରଷ କଳେବର । ନୟନୁ ବହେ ଅଶ୍ରୁଧାର ॥ ୪୩
କର ଅଞ୍ଜଳି ଦେଇ ମାଥେ । ଦଣ୍ତ ପ୍ରଣାମ ଭୂମିଗତେ ॥ ୪୪
ଆନନ୍ଦେ ପ୍ରାପ୍ତ ମନୋରଥ । ଅନ୍ତରେ ହୋଇ କୃତକୃତ୍ୟ ॥ ୪୫
ଶ୍ରୁତି ବଚନ ମୁଖେ କହି । ବୋଲଇ ବିଷ୍ଣୁ ରୂପ ଚାହିଁ ॥ ୪୬
କର୍ଦ୍ଦମ ଉବାଚ
ଭୋ ନାଥ ତବ ଦରଶନ । ସଫଳ କଲା ମୋ ନୟନ ॥ ୪୭
ଯେ ରୂପ ଦେଖିବାର ଅର୍ଥେ । ଯୋଗ ସାଧନ୍ତି ମୁନିସନ୍ଥେ ॥ ୪୮
ଭୋ ନାଥ ତୋହର ଚରଣ । ଜୀବର ପରମ କାରଣ ॥ ୪୯
ତୋ ପାଦପଦ୍ମ ନାବ କରି । ଭବସାଗରୁ ଯାନ୍ତି ତରି ॥ ୫୦
ଏ ଭାବ ଛାଡ଼ି ଯେ ସଂସାରେ । ବିଷୟରସ ଆଶ୍ରେ କରେ ॥ ୫୧
ତାହାର ମୋକ୍ଷ ଆଉ କାହିଁ । ସଂସାରେ ନିୟତ ଭ୍ରମଇ ॥ ୫୨
ନରକେ ଯାନ୍ତି ସେହି ମତେ । ସେ ତୋତେ ପାଇବେ କେମନ୍ତେ ॥ ୫୩
ସେହି ପ୍ରକାରେ ମନ ମୋର । କଳ୍ପଇ ବିଷୟା ଗୋଚର ॥ ୫୪
ତୋର ଆଦେଶେ ସୃଷ୍ଟି ଧର୍ମେ । କଳ୍ପଇ ଗୃହସ୍ଥ ଆଶ୍ରମେ ॥ ୫୫
ଯେ ଗୃହ କାମଧେନୁ ପ୍ରାୟେ । କୁଟୁମ୍ବ ଜନ ମନ ମୋହେ ॥ ୫୬
ତୋର ଚରଣ କଳ୍ପଦ୍ରୁମ । ଆଶ୍ରେ ଲଭିବି ସର୍ବକାମ ॥ ୫୭
ତୋ ଅନୁଗ୍ରହେ ମନୁରାଜା । କଳ୍ପିବ ତାହାର ତନୁଜା ॥ ୫୮
ମୁଁ ପୁଣି ସର୍ବପ୍ରାଣୀ ହିତେ । ଯେମନ୍ତେ ତୋ ଚରଣାଗତେ ॥ ୫୯
ବଳି ନିବେଦି ଗୃହଧର୍ମେ । ଯେମନ୍ତେ ରମିବି ଆଶ୍ରମେ ॥ ୬୦
ତୋ ପଦ ବିନୁ ଚକ୍ରଧର । ସେବିବି କାହାର ପୟର ॥ ୬୧
ତୋ ପାଦ ତାପତ୍ରୟ-ଛତ୍ର । ଏ କଥା ଜଗତେ ବିଦିତ ॥ ୬୨
ତୋ ରୂପ ଗୁଣ ଅବତାର । ନିର୍ମଳ ବହେ ସୁଧାଧାର ॥ ୬୩
ତେଣେ ଲୋଭିତ ଯାର ଚିତ୍ତ । ସେ ନୋହେ କାଳଚକ୍ରେ ଗ୍ରସ୍ତ ॥ ୬୪
ତୋ କାଳଚକ୍ରର ମହିମା । କେ କରିପାରେ ଗୁଣ ସୀମା ॥ ୬୫
ଯାହାର ବ୍ରହ୍ମରୂପୀ ଅକ୍ଷ୍ୟ । ଭ୍ରମଣେ କେବା କରୁ ଲକ୍ଷ୍ୟ ॥ ୬୬
ତୃତୀୟ ଦଶ ଥର ହୋଇ । ତ୍ରିଶତଷଷ୍ଠୀ ପର୍ବ ଯହିଁ ॥ ୬୭
ଅନନ୍ତ ପତ୍ର ଷଟନେମୀ । ତ୍ରିନାଭି ଯେହୁ ବ୍ୟଗ୍ରଗାମୀ ॥ ୬୮
ଏ ରୂପେ ଧାମେ ଅବିରତେ । ପ୍ରାଣୀ ଆୟୁଷ ହରେ ନିତ୍ୟେ ॥ ୬୯
ଏମନ୍ତ କାଳ ରୂପ ଯେହି । ତୋ ଭକ୍ତେ ନ ପାରଇ ସେହି ॥ ୭୦
ତୁ ଏକରୂପୀ ଛନ୍ନଦେହା । ଜଗନ୍ମୋହିନୀ ତୋର ମାୟା ॥ ୭୧
ତେଣେ ଏ ସୃଷ୍ଟି ସ୍ଥିତି ଅନ୍ତ । ଯେସନେ ଉର୍ଣ୍ଣନାଭି ବତ ॥ ୭୨
କାମୀ ଅକାମୀ ମନ ପୂର୍ଣ୍ଣ । କରେ ତୋ ପାଦ କଳ୍ପଦ୍ରୁମ ॥ ୭୩
ତୋତେ ଜାଣନ୍ତି ଯେତେ ଜୀବେ । କର୍ମର ଭୋଗନାଶ ତେବେ ॥ ୭୪
ଆପଣେ ଆପଣା ମାୟାରୁ । ଏ ବିଶ୍ୱ ଆବର୍ତ୍ତିତ କରୁ ॥ ୭୫
ତୁହି ସକଳ କାମଦାତା । ନିଷ୍କାମ ଜନ ମୋକ୍ଷଦାତା ॥ ୭୬
ଏଣୁ ମୁଁ ନିଷ୍ଠା କାମ ବଳେ । ନମଇ ତୋ ପାଦ କମଳେ ॥ ୭୭
ଯେଣୁ ତୁ ଭକ୍ତି-ମୁକ୍ତିଦାତା । ତୋ ପାଦେ ନମୁଁ ଦୁଃଖ ହର୍ତ୍ତା ॥ ୭୮
ଭୋ ନାଥ ତୋହର ମହିମା । କେ କହିପାରେ ଗୁଣସୀମା ॥ ୭୯
ମୈତ୍ରେୟ ଉବାଚ
ଏମନ୍ତ ମୁନି ବାକ୍ୟ ଶୁଣି । ଗରୁଡ ସ୍କନ୍ଧେ ଚକ୍ରପାଣି ॥ ୮୦
ଜ୍ୟୋତି ସ୍ୱରୂପ ଶୂନ୍ୟେ ଥାଇ । କହନ୍ତି ମୁନି ମୁଖ ଚାହିଁ ॥ ୮୧
ଭଗବାନ ଉବାଚ
ଶୁଣ ହୋ ପ୍ରଜାପତି ସୁତ । ମୁହିଁ ଜାଣିଲି ତୋର ଚିତ୍ତ ॥ ୮୨
ତୁ ଯେଣୁ ପୂଜି ମୋ ଚରଣ । କଳ୍ପିଲୁ ସୃଷ୍ଟିର କାରଣ ॥ ୮୩
ଯହିଁ ତୋହାର ମନଯୋଗ । ପୂର୍ବେ କରିଛି ତା ସଂଯୋଗ ॥ ୮୪
ଅବଶ୍ୟ ତାହା କରିବଇଁ । ମୋ ପୂଜା ବିଅର୍ଥେ ନ ଯାଇ ॥ ୮୫
ତୁ ଏବେ ସାବଧାନେ ଶୁଣ । କହିବା ତହିଁର କାରଣ ॥ ୮୬
ଯେ ପୂର୍ବେ ପଦ୍ମଯୋନି ତନୁ । ସମ୍ଭୂତ ସ୍ୱାୟମ୍ଭୁବମନୁ ॥ ୮୭
ଯେ ପ୍ରଜାପତିଙ୍କର ପତି । ଯାହାର ସଦାଚାର ଖ୍ୟାତି ॥ ୮୮
ଏ ବ୍ରହ୍ମାବର୍ତ୍ତେ ରାଜା ହୋଇ । ପାଳଇ ସପ୍ତଦ୍ୱୀପା ମହୀ ॥ ୮୯
ସେହି ଧର୍ମଜ୍ଞ ମନୁ ତୋତେ । ଆସିବେ ଦେଖିବା ନିମନ୍ତେ ॥ ୯୦
ତାହାର ଶତରୂପା ନାରୀ । ରୂପେ କମଳା ନୋହେ ସରି ॥ ୯୧
ସେ ବେନିଜନେ ଏକ ରଥେ । ତୋ ରୂପ ଦେଖିବାର ଅର୍ଥେ ॥ ୯୨
ତୋହର ସମୀପେ ସାକ୍ଷତେ । ମିଳିବେ ବେନିଦିନ ଅନ୍ତେ ॥ ୯୩
ତାର ଦୁହିତା ଦେବହୂତି । ରୂପେ ସମାନ ନୋହେ ରତି ॥ ୯୪
ତାର ବୟସ ରୂପ ଗୁଣେ । ଅପରେ କେ ଅଛି ପ୍ରମାଣେ ॥ ୯୫
ତା ରୂପ ଅତି ମନୋହର । ତୁ ତାହା ଅନୁରୂପେ ବର ॥ ୯୬
ସେ କନ୍ୟା ସମର୍ପିବ ତୋତେ । ଯେ ବିଧିବିଧାନ ଉକତେ ॥ ୯୭
ତୁ ମୋ ଚରଣେ ଚିତ୍ତ ଦେଇ । ଯେତେ ବରଷ ତପ ଦାହି ॥ ୯୮
ନିରତେ କଲୁ ଆତ୍ମଯୋଗ । ଏବେ ବିଷୟ ଅନୁଭୋଗ ॥ ୯୯
ମନୁ-ଦୁହିତା ତୋର ସଙ୍ଗେ । ନିରତେ ଭଜୁ ଅନୁରାଗେ ॥ ୧୦୦
ସେ ତୋର ତୁଲେ କରି ଭାବ । ନବଧା-ଗର୍ଭ ପ୍ରସବିବ ॥ ୧୦୧
ତୋହର ବୀର୍ଯ୍ୟେ ଯେତେ କନ୍ୟା । ଜନ୍ମିବେ ରୂପଗୁଣେ ଧନ୍ୟା ॥ ୧୦୨
ତାହାଙ୍କ ଗର୍ଭେ ଋଷିଗଣ । କଳ୍ପିବେ ବହୁତ ସନ୍ତାନ ॥ ୧୦୩
ତୋହର ଗୁଣ ଅନୁପମ । ହୋଇବେ ଅନୁମତ ନାମ ॥ ୧୦୪
ତୁ ଯେ ମୋ ଆଜ୍ଞା ଶିରେ ଧରି ।ମୋତେ ତୁ ତୀର୍ଥପ୍ରାୟ କରି ॥ ୧୦୫
ଅଶେଷ କର୍ମଫଳ ଦେଇ । ମୋତେ ପାଇବୁ ତେଣୁ ତୁହି ॥ ୧୦୬
ଅଶେଷଭୂତେ ତୋର ଦୟା । ତୋତେ ନ ଲାଗୁ ବିଷ୍ଣୁ ମାୟା ॥ ୧୦୭
ଆତ୍ମାରେ ଜଗତ ଆରୋପି । ତୁ ଯେ ମୋହାର ଭାବେ ବ୍ୟାପି ॥ ୧୦୮
ଆତ୍ମା ସହିତେ ସର୍ବଭୂତ । ମୋଠାରେ ହୋଇଛି ମିଳିତ ॥ ୧୦୯
ତପ ସାଧିଲୁ ଚିରକାଳେ । ଏ ଘୋର ସଂସାର ଉଲ୍ଲୋଳେ ॥ ୧୧୦
ତୁ ମୋତେ ଆତ୍ମାରେ ଦେଖିବୁ । ଜୀବନ ସଫଳ ଲଭିବୁ ॥ ୧୧୧
ମୁଁ ପୁଣି ପଶି ତୋର ବୀର୍ଯ୍ୟେ। ସ୍ୱଭାବେ ବିଷ୍ଣୁଅଂଶ ତେଜେ ॥ ୧୧୨
ତୋହାର କ୍ଷେତ୍ରେ ମୁଁ ସମ୍ଭୂତ । ହୋଇବି ଦେବହୂତି ସୁତ ॥ ୧୧୩
ତତ୍ତ୍ବ ସଂହିତା ପ୍ରଣୟନ । କରିବି ହୋଇ ଅବତୀର୍ଣ୍ଣ ॥ ୧୧୪
ମୈତ୍ରେୟ ଉବାଚ
ଏମନ୍ତ କହି ମୁନି ଆଗେ । ହରି ଚଳିଲେ ଶୂନ୍ୟମାର୍ଗେ ॥ ୧୧୫
ଗମିଲେ ବିନ୍ଦୁସରୋବରୁ । ନିର୍ମଳ ସରସ୍ୱତୀ ତୀରୁ ॥ ୧୧୬
ସେ ନଦୀତୀରେ ପୁଷ୍ପବନେ । ଗରୁଡ ପକ୍ଷୀ ନାଦ ସ୍ୱନେ ॥ ୧୧୭
ଭୃଙ୍ଗ ସମୂହେ ବାୟୁ ବହେ । ଶୁଭଇ ସାମଗାନ ପ୍ରାୟେ ॥ ୧୧୮
ଏମନ୍ତେ ଶୁଣ ହୋ ବିଦୁର । ସେ ସ୍ୱାୟମ୍ଭୁବ ମନୁବର ॥ ୧୧୯
ସୁବର୍ଣ୍ଣ ଆଚ୍ଛାଦିତ ରଥେ । ଆରୋହି ପାରିଷଦ ଯେତେ ॥ ୧୨୦
ସଙ୍ଗତେ ଘେନି ଦେବହୂତି । ଭୂମି ପର୍ଯ୍ୟଟନ କରନ୍ତି ॥ ୧୨୧
ମିଳିଲେ କର୍ଦ୍ଦମ ଆଶ୍ରମେ । ବିଷ୍ଣୁର କହିଥିବା ଦିନେ ॥ ୧୨୨
ନିର୍ମଳ ସରସ୍ୱତୀ ତୀରେ । ମିଳିଲେ ବିନ୍ଦୁ ସରୋବରେ ॥ ୧୨୩
ଦେଖିଲେ କର୍ଦ୍ଦମ ଶରୀର । ତପ ସାଧନେ କୃଶତର ॥ ୧୨୪
ପୂର୍ବେ ଯେ ସରସ୍ୱତୀ କୂଳେ । ବିଷ୍ଣୁ ମିଳିଲେ ଋଷିମେଳେ ॥ ୧୨୫
ଦେଖି ତାହାଙ୍କ ଭକ୍ତିଭାବ । ତନୁ ପୁଲକ ପଦ୍ମନାଭ ॥ ୧୨୬
ସ୍ୱଭାବେ ଭକ୍ତଜନବନ୍ଧୁ । ନୟନୁ ଅଶ୍ରୁ ଜଳବିନ୍ଦୁ ॥ ୧୨୭
ପଡିଲା ସରସ୍ୱତୀ ନୀର । ତେଣୁ ବୋଲାଇ ବିନ୍ଦୁସର ॥ ୧୨୮
ସେ ବନ ସାମାନ୍ୟ ନୋହର । ଯହିଁରେ ପ୍ରଭୁ ଭାବଗ୍ରାହୀ ॥ ୧୨୯
କର୍ଦ୍ଦମ ପ୍ରତି ଦୟା କରି । ପତିତ କଲେ ନେତ୍ର ବାରି ॥ ୧୩୦
ପୁଣ୍ୟ ପବିତ୍ର ସୁଧା ଜଳ । ସ୍ୱଭାବେ ନିର୍ମଳ ଶୀତଳ ॥ ୧୩୧
ଯେ ପୁଣ୍ୟଜଳ ମୁନିଗଣେ । ସେବା କରନ୍ତି ଅନୁକ୍ଷଣେ ॥ ୧୩୨
ପବିତ୍ର ଦ୍ରୁମଲତା ଘନେ । ନାଦ କରନ୍ତି ପକ୍ଷୀଗଣେ ॥ ୧୩୩
କ୍ରୀଡନ୍ତି ନାନା ବନଜୀବେ । ଗଭୀର ଶୁଭେ ଭୃଙ୍ଗରବେ ॥ ୧୩୪
ସକଳ ଋତୁ ଫଳ ନାହିଁ । ପୁଷ୍ପ ପଲ୍ଲବ ବିରାଜଇ ॥ ୧୩୫
ମତ୍ତ-ମୟୂର ଯୂଥ ଯୂଥ । କୋକିଳ ରାବ ସୁଲଳିତ ॥ ୧୩୬
ପ୍ରମତ୍ତ ଭ୍ରମର ନିକରେ । ନାନା ପ୍ରକାରେ କ୍ରୀଡ଼ା କରେ ॥ ୧୩୭
କଦମ୍ବ ଚମ୍ପକ ଅଶୋକ । ନାଗକେଶ୍ୱର କୁରୁବକ ॥ ୧୩୮
କରଞ୍ଜ ପନସ ଅସନ । କୁନ୍ଦ ମନ୍ଦାର ଚୂତବନ ॥ ୧୩୯
ହଂସ ସାରସ ବକପନ୍ତି । ଜଳକୁକ୍କୁଟ ରାବ ଦ୍ୟନ୍ତି ॥ ୧୪୦
ଚକୋର ଚକ୍ରବାକ ବାଣୀ । ଅତି ଗଭୀର ପରିମାଣି ॥ ୧୪୧
ଗୟଳ ଶଲ୍ଲକ କୁଞ୍ଜର । କୁରଙ୍ଗ ହରିଣ ଶୂକର ॥ ୧୪୨
ବାନର ଗୋଲାଙ୍ଗୁଳ ସାଜେ । ନକୁଳ କସ୍ତୁରୀ ବିରାଜେ ॥ ୧୪୩
ସେ ତୀର୍ଥବରେ ଆଦିରାଜା । ରଥେ ମିଳିଲେ ମହାତେଜା ॥ ୧୪୪
କଳତ୍ର ଦୁହିତା ସମେତେ । ପ୍ରବେଶ ହେଲା ରତ୍ନପଥେ ॥ ୧୪୫
ଦେଖିଲା ମୁନିଙ୍କ ବଦନ । ସ୍ୱଭାବେ ଦ୍ରୁତ ହୁତାଶନ ॥ ୧୪୬
ସ୍ୱଭାବେ ଘୋରତପ ତେଜେ । ସୁନ୍ଦର ଶରୀର ବିରାଜେ ॥ ୧୪୭
ବିଷ୍ଣୁ ଜନ୍ମିବେ ଯା ଶରୀରେ । ସୁନ୍ଦର କେତେକ ମାତରେ ॥ ୧୪୮
ଅମୃତ ତୁଲ୍ୟ ବିଷ୍ଣୁବାଣୀ । ସେ ମୁନି କର୍ଣ୍ଣପଥେ ଶୁଣି ॥ ୧୪୯
ରୋମ ପୁଲକ କଳେବର । ନେତ୍ରେ ଆନନ୍ଦ ଅଶ୍ରୁଧାର ॥ ୧୫୦
ଶିରେ ସୁନ୍ଦର ଶୋହେ ଜଟା । ବସନ ଚିରାଣି କାଛଟା ॥ ୧୫୧
ସେ ମୁନି ମଳିନ ଯେ ଗାତ୍ର । ରତ୍ନ ଯେସନେ ଅସଂସ୍କୃତ ॥ ୧୫୨
ଏମନ୍ତ ଦେଖି ନୃପମଣି । ସଙ୍ଗତେ ନିଜ ପତ୍ନୀ ଘେନି ॥ ୧୫୩
ରଥୁ ତୁରିତେ ଅବତରି । ମୁନି ସମୀପେ ଦଣ୍ତଧାରୀ ॥ ୧୫୪
ମିଳିଲେ ଯୋଡି ବେନିପାଣି । ପାଦେ ପ୍ରଣାମ କଲେ ପୁଣି ॥ ୧୫୫
ଦେଖି ଉଠିଲେ ମୁନି ବେଗେ । ଆଶିଷ କଲେ ମନ୍ତ୍ରଯୋଗେ ॥ ୧୫୬
ବିଷ୍ଣୁ ଆଦେଶ ଗୁଣି ମନେ । ଆନନ୍ଦ ଉଲ୍ଲୋଳ ଲୋଚନେ ॥ ୧୫୭
ପୂଜିଲେ ବସାଇ ଆସନେ । କହନ୍ତି ଅମୃତ ବଚନେ ॥ ୧୫୮
ରାଜ କୁଶଳ ପ୍ରଶ୍ନବାଣୀ । ସନ୍ତୋଷେ ପୁଚ୍ଛେ ବିପ୍ରମଣି ॥ ୧୫୯
କର୍ଦ୍ଦମ ଉବାଚ
ତୋ ଆଗମନେ ନୃପବର । ଧନ୍ୟ ଏ ଆଶ୍ରମ ମୋହର ॥ ୧୬୦
ତୁମ୍ଭ ଭ୍ରମଣ ଏ ଜଗତେ । ସାଧୁଜନଙ୍କ ରକ୍ଷା ଅର୍ଥେ ॥ ୧୬୧
ଅସାଧୁଜନ ବିନାଶନେ । ନିଶ୍ଚଳେ ଧର୍ମର ସ୍ଥାପନେ ॥ ୧୬୨
ରବି ଶଶାଙ୍କ ଅଗ୍ନି ଯମ । ଇନ୍ଦ୍ର ବରୁଣ ବାତ ଧର୍ମ ॥ ୧୬୩
ଏ ଅଷ୍ଟ-ଦିଗପାଳ ତେଜ । ଏଣୁ କ୍ଷତ୍ରିୟ ଅଷ୍ଟଭୁଜ ॥ ୧୬୪
ଏଣୁ ତୁମ୍ଭଙ୍କୁ ନମସ୍କାର । ତୁ ଧର୍ମମୂର୍ତ୍ତି ନୃପବର ॥ ୧୬୫
ରଥ ଆରୋହି ତୋ ବିହାର । ଅସତଜନ ଗର୍ବ ହର ॥ ୧୬୬
ଘୋର-ଗର୍ଜନ ଧନୁ-ରବେ । ଉଦ୍ଦଣ୍ତ ସଂଗ୍ରାମ ଉତ୍ସବେ ॥ ୧୬୭
ବେଷ୍ଟିତ ଚତୁରଙ୍ଗ ବଳେ । କମ୍ପାଇ ଅବନୀ ମଣ୍ତଳେ ॥ ୧୬୮
ସୂର୍ଯ୍ୟର ପ୍ରାୟେ ତେଜ ଧରି । ଖେଟ ଖର୍ବଟ ବନଗିରି ॥ ୧୬୯
ଶତ୍ରୁ ବିନାଶେ ସାବଧାନେ । କ୍ଷତ୍ରିୟଧର୍ମ ଏ ପ୍ରମାଣେ ॥ ୧୭୦
ଏହା ନ କରି ଯେବେ ଘରେ । ସୁଖଶୟନେ ନିଦ୍ରା କରେ ॥ ୧୭୧
ତେବେ ଅସତ ରିପୁ ବଳ । ନାଶନ୍ତି ଭୁବନ ମଣ୍ତଳ ॥ ୧୭୨
ତଥାପି ଶୁଣ ହେ ରାଜନ । ଯେ ଅର୍ଥେ ତୁମ୍ଭ ଆଗମନ ॥ ୧୭୩
ତୁମ୍ଭର ପ୍ରିୟଭାବ ବହି । ସୁହୃଦ ଭାବେ କରିବଇଁ ॥ ୧୭୪
ଏମନ୍ତ କହି ରାଜା ଆଗେ । କର୍ଦ୍ଦମ ଅତି ସଉଭାଗ୍ୟେ ॥ ୧୭୫
ବିଷ୍ଣୁର ବଚନ ସୁମରି । ଅଧିକ ପ୍ରିୟଭାବ ଭାରି ॥ ୧୭୬
ସେ ମୁନି ଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୧୭୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ ଏକବିଂଶୋଽଧ୍ୟାୟଃ ॥
* * *