ତୃତୀୟ ସ୍କନ୍ଧ
ବିଂଶ ଅଧ୍ୟାୟ
ଶୌନକ ଉବାଚ
ବରାହରୂପୀ ଭାବଗ୍ରାହୀ । ଜଳେ ଧରଣୀ ଗଲେ ଥୋଇ ॥ ୧
ସେ ସ୍ୱାୟମ୍ଭୁବ ମନୁବଳା । ଧରଣୀ ପୃଷ୍ଠେ ଯାହା କଲା ॥ ୨
ନାନା ପ୍ରକାରେ ଜନ୍ତୁ ଯେତେ । ତାହାଙ୍କୁ ସାଧିଲା କେମନ୍ତେ ॥ ୩
ଜ୍ୟେଷ୍ଠଭ୍ରାତା ଯେ ଧୃତରାଷ୍ଟ୍ର । ତା ପୁତ୍ର ଦୁର୍ଯେ୍ୟାଧନ ଦୁଷ୍ଟ ॥ ୪
କର୍ ଶକୁନି ଦୁଃଶାସନ । ଏହାଙ୍କ ତୁଲେ ଯେତେ ଜନ ॥ ୫
ପାବ ହିତେ ସେ ବିଶ୍ୱାସେ । ବର୍ଇ ବୋଲି ମହାରୋଷେ ॥ ୬
ରାଜୁ୍ୟ ବାହାର କରିଦେଲା । ଯେଣୁ ସେ ବ୍ୟାସଙ୍କର ବଳା ॥ ୭
କୃଷ୍ଣ ଚରଣେ ଆଶ୍ରେ କରି । ଛାଡ଼ିଲା ହସ୍ତିନା ନଗରୀ ॥ ୮
ତୀର୍ଥ ସାଧନ ପୁଣ୍ୟବଳେ । ଏକାନ୍ତେ ବିଷ୍ଣୁଭକ୍ତି ଫଳେ ॥ ୯
ଗୋବିନ୍ଦ ଭକ୍ତ ସେ ନିଶ୍ଚଳେ । ବର୍ଇ ଭକ୍ତଜନ ମେଳେ ॥ ୧୦
ବିଦୁର ଭ୍ରମୀ ତୀର୍ଥମାର୍ଗେ । କାନନେ ମୈତ୍ରେୟଙ୍କ ଆଗେ ॥ ୧୧
ବନ ଗହନେ ଗଙ୍ଗାକୂଳେ । ସେ ବେନିଜନ ଏକମେଳେ ॥ ୧୨
ବିଦୁର କିବା ପ୍ରଶ୍ନ କଲା । କହିବା ମୋତେ ବିଷ୍ଣୁଲୀଳା ॥ ୧୩
ସେ ବିଷ୍ଣୁକଥା ବାକ୍ୟସାର । ଶ୍ରୁତିଯୁଗଳେ ସୁଧାଧାର ॥ ୧୪
ଯେସନେ ଗଙ୍ଗାସ୍ନାନ କଲେ । ସେ ତିନିତାପରୁ ଉଦ୍ଧରେ ॥ ୧୫
ଗୋବିନ୍ଦ କଥା ସେହି ମତେ । ପାନ ନ ରହେ ଅନ୍ତର୍ଗତେ ॥ ୧୬
କୃଷ୍ଣ ଚେଷ୍ଟିତ ଭାବ ଯେତେ । ଭୋ ମୁନି କହ ମୋ ଅଗ୍ରତେ ॥ ୧୭
କୃଷ୍ଣର ଲୀଳାମୃତ ରସେ । ରସଇ ଯାର ଶ୍ରୁତି ଗ୍ରାସେ ॥ ୧୮
ସେ କାହିଁ ଛାଡ଼େ କୃଷ୍ଣକଥା । ଯେଣେ ହରଇ ଭବବ୍ୟଥା ॥ ୧୯
ନୈମିଷ୍ୟାରଣ୍ୟେ ମୁନିଗଣେ । ସେ ଉଗ୍ରଶ୍ରବାର ଚରଣେ ॥ ୨୦
ପ୍ରଣତ ହୋଇଣ କହିଲେ । ବିଷ୍ଣୁର କଥା କହ ଭଲେ ॥ ୨୧
ସେ ଉଗ୍ରଶ୍ରବା ବିଷ୍ଣୁ ପଦେ । ମନକୁ ନିବେଶି ଆନନ୍ଦେ ॥ ୨୨
କହିଲେ ଶୁଣି ମୁନିଗଣ । କହିବି ଶ୍ରୀହରିର ଗୁଣ ॥ ୨୩
ସୂତ ଉବାଚ
ବିଷ୍ଣୁ ଶୂକର ରୂପ ଧରି । ଧରଣୀ ପାତାଳୁ ଉଦ୍ଧରି ॥ ୨୪
ଲୀଳା ବିହାରେ ହିରଣ୍ୟାକ୍ଷ । ଗୋବିନ୍ଦ ମାଇଲେ ପ୍ରତ୍ୟକ୍ଷ ॥ ୨୫
ସେ କଥା ଶୁଣି ତୋଷ ଚିତ୍ତେ । ଅଶ୍ରୁ ପୁଲକ ରୋମ ଗାତ୍ରେ ॥ ୨୬
ମୈତ୍ରେୟ ପାଦେ ଦେଇ ଶିର । ଆନନ୍ଦେ ପୁଚ୍ଛଇ ବିଦୁର ॥ ୨୭
ବିଦୁର ଉବାଚ
ନାଭିରୁ ବ୍ରହ୍ମା ଅବତାର । ସେ ପ୍ରଜାପତିଙ୍କ ଈଶ୍ୱର ॥ ୨୮
ପ୍ରଜାପତିଙ୍କୁ ଜାତ କଲା । ସୃଷ୍ଟି ସର୍ଜନେ ଆଜ୍ଞା ଦେଲା ॥ ୨୯
ମରୀଚି ଆଦି ସପ୍ତତନୁ । ଅପରେ ସ୍ୱାୟମ୍ଭୁବ ମନୁ ॥ ୩୦
ପିତାର ଆଦେଶେ ସମସ୍ତେ । ଏ ସୃଷ୍ଟି ସର୍ଜିଲେ କେମନ୍ତେ ॥ ୩୧
ଭାର୍ଯ୍ୟା ସହିତେ ଯୋଗମତେ । କି ଅବା ସର୍ଜିଲେ ସ୍ୱତନ୍ତ୍ରେ ॥ ୩୨
କିବା ସକଳ ଏକମେଳେ । ସୃଷ୍ଟି ସର୍ଜିଲେ ଅନ୍ତରାଳେ ॥ ୩୩
କିବା ଧରଣୀ ଜଳେ ସ୍ଥାପି । ପ୍ରଜା ସର୍ଜିଲେ ବିଶ୍ୱରୂପୀ ॥ ୩୪
ସେ ପୁଣି କିବା କଲେ ପରେ । ତୋ ବିନୁ କେବା କହିପାରେ ॥ ୩୫
ତୁମ୍ଭେ ଆଗତ ଅନାଗତ । ସକଳ ବିଷୟେ ବିଦିତ ॥ ୩୬
ବ୍ରହ୍ମାଙ୍କ ଆଜ୍ଞା ଘେନି ଶିରେ । ଜଗତ କଲେ କି ପ୍ରକାରେ ॥ ୩୭
ମୈତ୍ରେୟ ଉବାଚ
ଶୁଣ ବିଦୁର ଏକଚିତ୍ତେ । ଯେ ସୃଷ୍ଟି ପଦ୍ମକଳ୍ପ ଅନ୍ତେ ॥ ୩୮
ଯେ କାଳରୂପୀ ବିଶ୍ୱନାଥ । ଯା ମାୟାବଳେ ଏ ଜଗତ ॥ ୩୯
ସ୍ୱ ମାୟାବଳେ କ୍ଷୋଭ ପାଇ । ମହତ ରୂପ ସେ ଧରଇ ॥ ୪୦
ରଜ ପ୍ରଧାନେ ତିନିଗୁଣେ । କଳ୍ପିଲା ଦଇବ ପ୍ରେରଣେ ॥ ୪୧
ସେ ଭୂତ ଆଦି ଯେ ମହତ । ଅଗ୍ରେ ସର୍ଜିଲା ପଞ୍ଚଭୂତ ॥ ୪୨
ଶବଦ ଆଦି ପଞ୍ଚଗୁଣେ । ମିଳିଲେ ସୃଷ୍ଟିର କାରଣେ ॥ ୪୩
ଯେ ଜ୍ଞାନେନ୍ଦ୍ରିୟ ଚକ୍ଷୁ ଆଦି । ଯେ କର୍ମେନ୍ଦ୍ରିୟ ହିଁ ବାଗାଦି ॥ ୪୪
ଶବ୍ଦାଦି ଯେତେକ ହୋଇଲେ । ସୃଜନେ ଅସମର୍ଥ ହେଲେ ॥ ୪୫
ସେ ପୁଣି ଏକରୁଣ୍ତ ହୋଇ । ଦୈବଶକ୍ତିର ବଳପାଇ ॥ ୪୬
କଳ୍ପିଲା ହେକମୟ ଅଣ୍ତ । ଯାହାକୁ ବୋଲନ୍ତି ବ୍ରହ୍ମାଣ୍ତ ॥ ୪୭
ସେ ଅଣ୍ତକୋଷ ମହାଜଳେ । ପଡ଼ି ଭାସଇ କାଳବଳେ ॥ ୪୮
ସେ ପୁଣି ସହସ୍ର ବରଷେ । ସେ ମହାର୍ଣ୍ଣବ ଜଳେ ଭାସେ ॥ ୪୯
ସେ ଅଣ୍ତକୋଷ ମଧ୍ୟେ ହରି । ଶୋଏ ଅନନ୍ତ ଶଯ୍ୟା କରି ॥ ୫୦
ତା ନାଭିପଦ୍ମୁ ପଦ୍ମକୋଷ । ସଲିଳେ ହୋଇଲା ପ୍ରକାଶ ॥ ୫୧
ସେ ପଦ୍ମ ନିଜ ତେଜ ପୁଞ୍ଜେ । ସହସ୍ରେ ରବିରଶ୍ମି ଗଞ୍ଜେ ॥ ୫୨
ସେ ପଦ୍ମ ମଧ୍ୟେ ସର୍ବଜନ୍ତୁ । ପ୍ରକାଶେ ନିଜ କର୍ମ ହେତୁ ॥ ୫୩
ବିରାଜ ରୂପ ତାର ମଧ୍ୟେ । ଜନ୍ମିଲା ନିଜ କାର୍ଯ୍ୟ ସାଧ୍ୟେ ॥ ୫୪
ସେ ପୁଣି ବିଷ୍ଣୁ ଉପଦେଶେ । ସୃଷ୍ଟି ସର୍ଜିଲା ଅଣ୍ତକୋଷେ ॥ ୫୫
ପୂର୍ବେ ଯେମତେ ସୃଷ୍ଟି ଥିଲା । ସେ ନାନାରୂପେ ସମ୍ପାଦିଲା ॥ ୫୬
କାଳର ବଳେ କୋପମନେ । ନିଃଶ୍ୱାସ ଛାଡ଼େ ଘନଘନେ ॥ ୫୭
ତାର ନିଃଶ୍ୱାସୁ ତତକ୍ଷଣେ । ଅବିଦ୍ୟା ସଙ୍ଗେ ପଞ୍ଚଗଣେ ॥ ୫୮
ତାମିସ୍ର ଅନ୍ଧତମ ତମ । ମୋହ ମହାମୋହ ପଞ୍ଚମ ॥ ୫୯
ଏ ପଞ୍ଚତମ ଏକାବେଳେ । ଜନ୍ମିଲେ ଅନ୍ଧକାର ବଳେ ॥ ୬୦
ଦେଖି ସେ ଛାୟାରୂପ ସୃଷ୍ଟି । ତୁଷ୍ଟ ନୋହିଲା ପରମେଷ୍ଠୀ ॥ ୬୧
ଏ ସୃଷ୍ଟି ଦେଖି ତମୋମୟ । ଧାତା ଛାଡ଼ିଲା ନିଜଦେହ ॥ ୬୨
ସେ ପିଣ୍ତ ଦେଖି ତମୋଗଣେ । ବେଗେ ଧାଇଁଲେ ତତକ୍ଷଣେ ॥ ୬୩
ସେ ଦେହମଧ୍ୟେ ସନ୍ଧ୍ୟା ମିଶି । ତମେ ରଜନୀ ପ୍ରାୟ ଦିଶି ॥ ୬୪
କ୍ଷୁଧା ତୃଷାର ଅତିବଳେ । ସର୍ବେ ମିଳିଲେ ଏକମେଳେ ॥ ୬୫
ଥୋକେ ବୋଲନ୍ତି ରଖ ରଖ । ଥୋକେ ବୋଲନ୍ତି ବେଗେ ଭକ୍ଷ ॥ ୬୬
ତକ୍ଷଣେ ବ୍ରହ୍ମା ଭୟପାଇ । ବୋଲେ ତାହାଙ୍କ ମୁଖଚାହିଁ ॥ ୬୭
ଏ ପିଣ୍ଡ ରଖ ହୋ ନ ଭକ୍ଷ । ଏଣୁ ହୋଇବ ଯକ୍ଷ ରକ୍ଷ ॥ ୬୮
ତୁମ୍ଭେ ଯେ ଯକ୍ଷ-ରକ୍ଷ-ଗଣ । ମୋର ବଚନ ଏବେ ଶୁଣ ॥ ୬୯
ତୁମ୍ଭେ ମୋହର ପ୍ରଜା ହୁଅ । ଏମନ୍ତ କହି ପିତାମହ ॥ ୭୦
ସୃଜିଲା ଅପସରାଗଣ । ଦେବଙ୍କ ଭୋଗ୍ୟ ଯେ ପ୍ରମାଣ ॥ ୭୧
ଦିବସ ରୂପା ସେ ସାକ୍ଷାତେ । ସର୍ଜିଲା କ୍ରୀଡ଼ାର ନିମନ୍ତେ ॥ ୭୨
ବ୍ରହ୍ମା ସାତ୍ତ୍ବିକ ମନୋଭାବ । ତହୁଁ ଦେବଙ୍କ ଆବିର୍ଭାବ ॥ ୭୩
ପୁଣି ଜଘନୁ ବେଦପତି । ଅସୁର କଲା ଉତ୍ପତ୍ତି॥ ୭୪
ସ୍ତିରୀ ଲମ୍ପଟ ସେ ଯୁକତେ । ନାରୀଙ୍କୁ ଦେଖିଲେ ଅଗ୍ରତେ ॥ ୭୫
ତାହାଙ୍କୁ ଦେଖି ତତକ୍ଷଣେ । ଧାଇଁଲେ ସେ ଅସୁରଗଣେ ॥ ୭୬
ମୈଥୁନ ଲୋଭ ବନ୍ଧେ ଧାଇଁ । ବେଗେ ବେଢ଼ିଲେ ଲୋଭବହି ॥ ୭୭
ନିର୍ଲଜ୍ଜପଣ ତାହାଙ୍କର । ଦେଖି ହସିଲେ ବେଦବର ॥ ୭୮
ବ୍ରହ୍ମାର ହାସ୍ୟ ଦେଖି କୋପେ । ମିଳିଲେ ତାଙ୍କର ସମୀପେ ॥ ୭୯
ଚାହାଁନ୍ତେ କୋପିତ ବଦନେ । ଭୟ ପଶିଲା ବ୍ରହ୍ମା ମନେ ॥ ୮୦
ଶୂନ୍ୟେ ଗୋବିନ୍ଦପଦ ଧ୍ୟାୟୀ । ବୋଲଇ ଶିରେ କର ଦେଇ ॥ ୮୧
ପ୍ରାଣୀଙ୍କ ଅନୁଗ୍ରହ ଅର୍ଥେ । ତୁ ନାଥ ଆଜ୍ଞାଦେଲୁ ମୋତେ ॥ ୮୨
ସୃଷ୍ଟି କରଇ ତୋର ବୋଲେ । ତୋ ଅନୁରୂପ ଏ ଶୟଳେ ॥ ୮୩
ତୁ ମୋତେ ରଖ ଚକ୍ରଧର । ଏ ଗଣେ ମହାଭୟଙ୍କର ॥ ୮୪
ଏ ଯେବେ ଭକ୍ଷିବେଟି ମୋତେ । କେମନ୍ତେ ସର୍ଜିବି ଜଗତେ ॥ ୮୫
ବ୍ରହ୍ମା ବିକଳ କର୍ଣ୍ଣେ ଶୁଣି । ବୋଇଲେ ପ୍ରଭୁ ଚକ୍ରପାଣି ॥ ୮୬
ଏ ଦେହ ଘୋର ଭୟଙ୍କର । ବେଗେ ତୁ ଛାଡ଼ ଏ ଶରୀର ॥ ୮୭
ଶୁଣି ଗୋବିନ୍ଦର ବଚନ । ତକ୍ଷଣେ ଛାଡ଼ିଲା ଜୀବନ ॥ ୮୮
ସେ ଦେହ ସନ୍ଧ୍ୟାରୂପ ହୋଇ । ରୂପେ ଅସୁର ମନମୋହି ॥ ୮୯
ଯେ ଅପସରାଗଣ ଥିଲେ । ତା ରୂପ ଦେଖି ମୋହ ଗଲେ ॥ ୯୦
ନାନା ଅଳଙ୍କାର ସାଜେଣୀ । ଚରଣେ ନୂପୁର ବାଜେଣୀ ॥ ୯୧
ମଦ ବିହ୍ୱଳିତ ଲୋଚନ । ଦୁକୂଳେ କଟୀ ଶୋଭାବନ ॥ ୯୨
କଟୀ ମେଖଳା ରତ୍ନସାର । ହୃଦୟେ ତୁଙ୍ଗ ପୟୋଧର ॥ ୯୩
ସୁନ୍ଦର ନାସିକା ବିରାଜେ । ଦନ୍ତ ଡାଳିମ୍ବ ବୀଜ ଗଞ୍ଜେ ॥ ୯୪
ସୁନ୍ଦର ହାସ ମନୋହର । ସଂଭ୍ରମ କଟାକ୍ଷ ସୁନ୍ଦର ॥ ୯୫
ବସ୍ତ୍ରେ ଆଚ୍ଛାଦି କଳେବର । ପଥେ ଚାଲଇ ଲାଜଭର ॥ ୯୬
ତାର କୁନ୍ତଳ ମନୋହର । ଶୁଣ ହେ ଧର୍ମାତ୍ମା ବିଦୁର ॥ ୯୭
ଅସୁରେ ଦେଖି ତା ଗମନ । ସର୍ବେ ହୋଇଲେ ହତଜ୍ଞାନ ॥ ୯୮
କହନ୍ତି ଏକ ଏକେ ଚାହିଁ । ଏମନ୍ତ ଦେଖିଲାତ ନାହିଁ ॥ ୯୯
ନବୀନ ବୟସ ଏହାର । ରୂପ-ଲାବଣ୍ୟ ମନୋହର ॥ ୧୦୦
ଏ ଆମ୍ଭ ମନମଧ୍ୟେ ରମେ । ଅକାମୀଜନ ପ୍ରାୟ ଭ୍ରମେ ॥ ୧୦୧
ଏମନ୍ତେ ସନ୍ଧ୍ୟାରୂପ ଦେଖି । ପ୍ରମଦା ପ୍ରାୟ ଉପଲକ୍ଷି ॥ ୧୦୨
ନୟନ ଦେଇ ତା ବଦନେ । ଭାବେ ପୁଚ୍ଛନ୍ତି ଅନ୍ୟୁଅନ୍ୟେ ॥ ୧୦୩
ଏମନ୍ତ ବହୁତ ବିଚାର । କରିଣ ସକଳ ଅସୁର ॥ ୧୦୪
ପ୍ରଣୟବଶେ ପ୍ରମଦାର । କରିଣ ବହୁତ ସତ୍କାର ॥ ୧୦୫
କୁବୁଦ୍ଧି ପଣରେ ଅସୁର । ପୁଚ୍ଛିଲେ ତାଙ୍କୁ ବାରବାର ॥ ୧୦୬
ଆହେ ରମ୍ଭୋରୁ ସୁକଲ୍ୟାଣି । ପ୍ରମଦାକୂଳ ଶିରୋମଣି ॥ ୧୦୭
କାହାର ପତ୍ନୀ ତୁ ବୋଲାଉ । କହ ତୁ ଉପୁଜିଲୁ କାହୁଁ ॥ ୧୦୮
କହ ତୁ ତୋର କିସ ନାମ । କି ପ୍ରୟୋଜନେ ତୋ ଗମନ ॥ ୧୦୯
ତୋ ରୂପ ଗୁଣେ ହୋଇ ଛନ୍ନ । ଆମ୍ଭର ସ୍ଥଗିତ ଲୋଚନ ॥ ୧୧୦
ତୋହର ରୂପଗୁଣ ରାଶି । ଆମ୍ଭର ପ୍ରଭାକୁ ବିନାଶି ॥ ୧୧୧
ଆମ୍ଭର ପୂର୍ବଭାଗ୍ୟ ଫଳେ । ମିଳିଲୁ ଆମ୍ଭର ଛାମୁରେ ॥ ୧୧୨
କନ୍ଦୁକ କ୍ରୀଡ଼ା ତୋ ନୟନ । ରୂପେ ହରିଲୁ ଆମ୍ଭମନ ॥ ୧୧୩
ତୋର ଚରଣ ପଦ୍ମଯୁଗ । ଗମନ ଚଞ୍ଚଳ ତରଙ୍ଗ ॥ ୧୧୪
ହସ୍ତେ କନ୍ଦୁକ ତୋର ସାଜେ । ତୋ ମଝା ସିଂହମଧ୍ୟ ଗଞ୍ଜେ ॥ ୧୧୫
ସେ ପୁଣି ସ୍ତନଭାର ଖିନ୍ନେ । ଭାଜିଲା ପ୍ରାୟ ଅନୁମାନେ ॥ ୧୧୬
ଏମନ୍ତ ସନ୍ଧ୍ୟା ରୂପ ଚାହିଁ । ଅସୁରଗଣ ଲୋଭ ବହି ॥ ୧୧୭
ସନ୍ଧ୍ୟାକୁ ଧରି ବାହୁବଳେ । ମୋହେ ମଜ୍ଜିଲେ କାମଭୋଳେ ॥ ୧୧୮
ଭାବ ଗମ୍ଭୀର ମଗ୍ନଚିତ୍ତ । ଦେଖି ବିଧାତା ହରଷିତ ॥ ୧୧୯
ବ୍ରହ୍ମାର ଶରୀର ବିରାଜେ । ତକ୍ଷଣେ ନିଜ କାନ୍ତି ତେଜେ ॥ ୧୨୦
ସ୍ୱଭାବେ ବ୍ରହ୍ମା ସେ ଆନନ୍ଦ । ଗନ୍ଧର୍ବ ଅପସରା ବୃନ୍ଦ ॥ ୧୨୧
ବ୍ରହ୍ମାର ଶରୀରୁ ବାହାର । ଯେ ରୂପ ମୋହେ ସୁରନର ॥ ୧୨୨
ଗନ୍ଧର୍ବ ବିଶ୍ୱାବସୁ ଆଦି । ସୁନ୍ଦର ରୂପରେ ପ୍ରସିଦ୍ଧି ॥ ୧୨୩
ଆବୋରି ଅପସରାଗଣେ । ସୁଖେ ରହିଲେ ଜଣେଜଣେ ॥ ୧୨୪
ତଦନ୍ତେ ଆତ୍ମତନ୍ଦ୍ରା ଧରି । ଭୂତ ପିଶାଚଗଣ କରି ॥ ୧୨୫
ସେ ମୁକ୍ତକେଶ ଦିଗମ୍ବର । ଦେଖି କମ୍ପିଲେ ସୁରନର ॥ ୧୨୬
ପଥେ ତାହାଙ୍କ ରୂପ ଦେଖି । ବ୍ରହ୍ମା ବୁଜିଲେ ବେନିଆଖି ॥ ୧୨୭
ଭୟେ ଅଳସ ତାର ମୁଖେ । କ୍ଷଣେ ଶୋଇଲା ନିଦ୍ରାସୁଖେ ॥ ୧୨୮
ସେ ଦେହ ନିଦ୍ରାବଶ ଚାହିଁ । ପୁଣି ଛାଡ଼ିଲା ନିଜ ଦେହୀ ॥ ୧୨୯
ପରୋକ୍ଷ ପୁଣି ସତ୍ତ୍ବଗୁଣେ । ସର୍ଜିଲା ସାଧ୍ୟ ପିତୃଗଣେ ॥ ୧୩୦
ସେ ସାଧ୍ୟ ପିତୃ ବେନିଗଣ । ସେ ଯହୁଁ ହୋଇଲେ ଜନମ ॥ ୧୩୧
ସେ ଦେହ ପାଇ ତୋଷ ଚିତ୍ତ । କର୍ମକୋବିଦେ ଯେ ବିଦିତ ॥ ୧୩୨
ସେ ସିଦ୍ଧ ବିଦ୍ୟାଧର ଗଣେ । ଜାତ ହୋଇଲେ ତତକ୍ଷଣେ ॥ ୧୩୩
ସ୍ୱଭାବେ ତେଜ ଅନର୍ଗଳା । ତାହାଙ୍କୁ ଅନ୍ତର୍ଦ୍ଧାନ ଦେଲା ॥ ୧୩୪
ବିଧାତା ପ୍ରତିବିମ୍ବ ବଳେ । ଦେଖିଣ ମନର ନିଶ୍ଚଳେ ॥ ୧୩୫
କିନ୍ନର କିଂପୁରୁଷ ଜାତି । ପୁଣି ସର୍ଜିଲା ପ୍ରଜାପତି ॥ ୧୩୬
ମିଥୁନ ଭାବେ ବୀଣା ବାଇ । ଦେବଙ୍କ ତୋଷେ ଗୀତଗାଇ ॥ ୧୩୭
ଏବେ ତୁ ଶୁଣ ହେ ବିଦୁର । ବ୍ରହ୍ମାର ସୃଷ୍ଟିର ପ୍ରକାର ॥ ୧୩୮
ସେ ସୃଷ୍ଟି ଚାହିଁ ପ୍ରଜାନାଥ । ମନରେ ହୋଇଲା ଚିନ୍ତିତ ॥ ୧୩୯
ଏ ସୃଷ୍ଟି ବୃଦ୍ଧି ତ ନୋହିଲା । ଚିନ୍ତାରେ ବହୁତ ଶୋଇଲା ॥ ୧୪୦
ତାହାଙ୍କୁ ସର୍ଜି ବେଦବର । ତକ୍ଷଣେ ଛାଡି ସେ ଶରୀର ॥ ୧୪୧
ଦେହ ଅନ୍ତରେ ଶୂନ୍ୟେ ରହି । ଶରୀର ଦେଖି ବିଚାରଇ ॥ ୧୪୨
ସର୍ଜନେ ଯୋଗ୍ୟ ଏ ନୁହନ୍ତି । ଏମନ୍ତେ କ୍ରୋଧେ ବହୁ ଚିନ୍ତି ॥ ୧୪୩
କ୍ରୋଧର ବଶେ ପଦ୍ମଯୋନି । ସେ ଭୋଗଦେହ ତ୍ୟଜେ ପୁଣି ॥ ୧୪୪
ତହୁଁ ସେ କେଶ ଗଲା ଖସି । ତହୁଁ ଜନ୍ମିଲେ ସର୍ପରାଶି ॥ ୧୪୫
ତକ୍ଷଣେ ତମ ଗୁଣୁ ଜାତ । ଗରଳ ତେଜେ ବଳବନ୍ତ ॥ ୧୪୬
ତାହାଙ୍କୁ ଚାହିଁ ପ୍ରଜାନାଥ । ସନ୍ତୋଷେ ହେଲା କୃତକୃତ୍ୟ ॥ ୧୪୭
ପୁଣି କଳ୍ପିଲା ମନୋରଥେ । ଆବର ସୃଷ୍ଟିଭାବ ଯେତେ ॥ ୧୪୮
ମନୁଙ୍କୁ କଲା ଉତପତ୍ତି । ମନର ତହୁଁ ବେଦପତି ॥ ୧୪୯
ନିଜ ପୁରୁଷ ରୂପ ଦେହ । ତାଙ୍କୁ ଅର୍ପିଲା ପିତାମହ ॥ ୧୫୦
ସ୍ତିରୀ ପୁରୁଷ କଳ୍ପେ ମନେ । ଯେ ସୃଷ୍ଟି ଉପୁଜେ ମୈଥୁନେ ॥ ୧୫୧
ଯେ ଅଗ୍ରେ ଜାତ ହୋଇଥିଲେ । ତାଙ୍କୁ ପ୍ରଶଂସା ବହୁ କଲେ ॥ ୧୫୨
ଏମନ୍ତେ ବ୍ରହ୍ମା ସୃଷ୍ଟି ଚାହିଁ । ବିବୁଧେ ତାର ଗୁଣ ଗାଇ ॥ ୧୫୩
ବୋଲନ୍ତି ଧନ୍ୟ ବେଦପତି । ସୃଷ୍ଟି ସର୍ଜନେ ଦୃଢମତି ॥ ୧୫୪
ଅନେକ ତପ ଯେଣୁ କଲୁ । ଗୋବିନ୍ଦ ଆଜ୍ଞା ତୁ ଲଭିଲୁ ॥ ୧୫୫
ନିଜ ସାଧନା ତପଫଳେ । ଏ ସୃଷ୍ଟି କଲୁ ବୁଦ୍ଧିବଳେ ॥ ୧୫୬
ଏଣେ ହୋଇବ ସର୍ବଯୋଗ । ଆମ୍ଭେ ଲଭିବୁ ହବିର୍ଭାଗ ॥ ୧୫୭
ତପସ୍ୟା ବିଦ୍ୟା ଆସନାଦି । ଅଷ୍ଟାଙ୍ଗଯୋଗ ସୁସମାଧି ॥ ୧୫୮
ପୁଣି ସର୍ଜିଲା ଋଷିଗଣ । ସ୍ୱବଶ କରି ଇନ୍ଦ୍ରଗଣ ॥ ୧୫୯
ଏମନ୍ତ ଋଷି ସୃଷ୍ଟି କଲା । ଆପଣା ଦେହ ଅଂଶ ହେଲା ॥ ୧୬୦
ଏମନ୍ତେ ସୃଷ୍ଟିର କାରଣ । ବିଧାତା ରୂପେ ନାରାୟଣ ॥ ୧୬୧
କରଇ ପୁଣ ପୁଣ ଭାବେ । ତାର ଭକତଜନ ଲାଭେ ॥ ୧୬୨
ଏମନ୍ତେ ଭାଗବତ ବାଣୀ । ମୈତ୍ରେୟ ମୁନି ଆଗେ ଭଣି ॥ ୧୬୩
ବନେ ପିପ୍ପଳ ବୃକ୍ଷ ମୂଳେ । ଶ୍ରୀକୃଷ୍ଣ ରୂପ ତ୍ୟାଗ କାଳେ ॥ ୧୬୪
ସେ କଥା ପରୀକ୍ଷିତ ଆଗେ । ମୁନି କହିଲେ ପ୍ରିୟ ଭାବେ ॥ ୧୬୫
ହରି ଚରିତ ଭାଗବତ । କହିଲା ଦାସ ଜଗନ୍ନାଥ ॥ ୧୬୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟଷ୍କନ୍ଧେ ବିଂଶୋଽଧ୍ୟାୟଃ ॥
* * *