ତୃତୀୟ ସ୍କନ୍ଧ

ଉନବିଂଶ ଅଧ୍ୟାୟ

ମୈତ୍ରେୟ ଉବାଚ

ଏମନ୍ତ ବ୍ରହ୍ମାର ବଚନ । ଶୁଣି ସନ୍ତୋଷ ଭଗବାନ ॥

ଅମୃତ ପ୍ରାୟ ଶୁଣି କର୍ଣ୍ଣେ । ଅସୁରବଧେ ସାବଧାନେ ॥

ଦକ୍ଷିଣକରେ ଗଦାଧରି । ହୁଁକାର ନାଦେ ଦଇତ୍ୟାରି ॥

ନିର୍ଭୟ ଦେଖି ତା ନିକଟେ । ପ୍ରହାର କଲେ କ‰ର୍ଣ୍ଣତଟେ ॥

ତକ୍ଷଣେ ଦୈତ୍ୟ ଗଦାବଳେ । ଗଦା ପଡ଼ିଲା ହସ୍ତୁ ତଳେ ॥

ବିଷ୍ଣୁଙ୍କୁ ହିରଣ୍ୟାକ୍ଷ ଚାହିଁ । କ୍ଷତ୍ରିୟଧର୍ମ ବିଚାରଇ ॥

ଆୟୁଧ ନାହିଁ ଏହା ହସ୍ତେ । ଏହାକୁ ମାରିବି କେମନ୍ତେ ॥

ଏମନ୍ତେ ବିଚାରୁ ଅସୁର । ଶୂନ୍ୟେ ଶୁଭିଲା ହାହାକାର ॥

ତା ଶୁଣି ପ୍ରଭୁ ଗଦାଧର । ସମ୍ଭ୍ରମେ ତୋଳି ବେନିକର ॥

ବୋଲନ୍ତି ଦେବଗଣେ ଚାହିଁ । ଭୟ ନ କର ତୁମ୍ଭେ କେହି ॥ ୧୦

ଏମନ୍ତେ କହି ଦେବରାଜ । ଉର୍ଦ୍ଧ୍ୱେ ତୋଳିଲେ ଦକ୍ଷଭୁଜ ॥ ୧୧

ନିଜ ଆୟୁଧେ କଲେ ମନ । ତକ୍ଷଣେ ଜାଣି ସୁଦର୍ଶନ ॥ ୧୨

ବେଗେ ଧାଇଁଲା ଶୂନ୍ୟେ ବ୍ୟାପି । ତେଜ ବିରାଜେ ବିଶ୍ୱରୂପୀ ॥ ୧୩

ମିଳିଲା ବିଷ୍ଣୁକରେ ଯାଇ । ତା ଦିତିପୁତ୍ର ନ ଜାଣଇ ॥ ୧୪

ଦେବେ ଦେଖନ୍ତି ଶୂନ୍ୟପଥେ । ଚକ୍ରକୁ ଚାହିଁ ବିଷ୍ଣୁହସ୍ତେ ॥ ୧୫

କହନ୍ତି ବିଚିତ୍ର ବଚନ । ଭୋ ଦେବ ହେଉ ତୋ କଲ୍ୟାଣ ॥ ୧୬

ଭୋ ନାଥ ତୋ’ର ଦ୍ୱାରପାଳ । ଏ ଦୁଷ୍ଟ ତେଜେ ଅନର୍ଗଳ ॥ ୧୭

ଏହାର ପ୍ରାଣ ବେଗେ ହର । ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର ॥ ୧୮

ଦେବଙ୍କ ବାକ୍ୟ କ‰ର୍ଣ୍ଣେ ଶୁଣି । କୋପେ ଧାଇଁଲା ବୀରମଣି ॥ ୧୯

ସମୀପେ ଦେଖି ଚକ୍ରପାଣି । ଓଷ୍ଠ କାମୋଡ଼େ ପୁଣପୁଣି ॥ ୨୦

ନିଃଶ୍ୱାସ ଖରତର ବହେ । କୋପେ କମ୍ପଇ ତାର କାୟେ ॥ ୨୧

କରାଳ ଦିଶେ ତା ବଦନ । ନୟନୁ ପ୍ରକାଶେ ଦହନ ॥ ୨୨

ଦହିଲା ପ୍ରାୟ ଦଶଦିଶେ । ବେଗେ ଧାଇଁଲା ମହାରୋଷେ ॥ ୨୩

ଡାକଇ ପୂରିଲା ତୋ କାଳ । ମୋ ଗଦାପ୍ରହାର ସମ୍ଭାଳ ॥ ୨୪

ଏମନ୍ତ ବୋଲି କୋପଭରେ । ପିଟିଲା ବିଷ୍ଣୁର ଉପରେ ॥ ୨୫

ପବନବତ ଜଗନ୍ନାଥ । ପାଦେ ହରିଲେ ଗଦାଘାତ ॥ ୨୬

ଦୈତ୍ୟକୁ ବୋଲନ୍ତି ଉତ୍ତର । ଯେବେ ଜିଣିବା ଇଚ୍ଛା ତୋ’ର ॥ ୨୭

ଉତ୍ତମ ଶସ୍ତ୍ର ଧରି ହସ୍ତେ । ପ୍ରହାର କର ତୁହି ମୋତେ ॥ ୨୮

ଏମନ୍ତ ଶୁଣିଣ ବଚନ । କୋପେ କମ୍ପଇ ଅପଘନ ॥ ୨୯

ଗୋବିନ୍ଦ ଶିରେ ଗଦାଘାତ । ପଡ଼ି ଶୁଭିଲା ବଜ୍ରାଘାତ ॥ ୩୦

ଶବଦେ ଭୁବନ କମ୍ପିଲା । ତକ୍ଷଣେ ଭୂମିରେ ପଡ଼ିଲା ॥ ୩୧

ଭାଜିଲା ଶତେଖŠଣ୍ତ ହୋଇ । ଦେବେ ଦେଖନ୍ତି ଶୂନ୍ୟେ ରହି ॥ ୩୨

ଗଦା ଯାଚିଲେ ନାରାୟଣ । ଅସୁର ନ ନେଲା ତା ପୁଣ ॥ ୩୩

ଗଦା ବିଭଙ୍ଗେ କୋପଭରେ । ତୀକ୍ଷ୍ଣ ତ୍ରିଶୂଳ ଧରି କରେ ॥ ୩୪

ଅନଳ ପ୍ରାୟ ଶୂଳ ଜଳେ । ଦେଖି କମ୍ପିଲେ ଦିଗପାଳେ ॥ ୩୫

ଯଜ୍ଞ-ସ୍ୱରୂପୀ ବିଷ୍ଣୁ ଦେହେ । ବ୍ରାହ୍ମଣେ ଅଭିଚାର ପ୍ରାୟେ ॥ ୩୬

ଉଚ୍ଚେ ଧଇଲା ଶୂଳ ତୋଳି । ପିଟିଲା ନେଇ ମହାବଳୀ ॥ ୩୭

ତା ଦେଖି ପ୍ରଭୁ ଜଗନ୍ନାଥ । ସୁତୀକ୍ଷ୍ଣ ଚକ୍ର ଘେନି ହସ୍ତ ॥ ୩୮

ସେ ଶୂଳ ଗଗନେ ପ୍ରକାଶେ । ଜ୍ୱଳନ୍ତ ଅଗ୍ନିପ୍ରାୟ ଦିଶେ ॥ ୩୯

ଶୂଳ ଛେଦିଲେ ମହାଶୂନ୍ୟେ । ଗରୁଡ଼ ପକ୍ଷ ଇନ୍ଦ୍ର ଯେହ୍ନେ ॥ ୪୦

ତ୍ରିଶୂଳ ଭଗ୍ନ ଦେଖି ରୋଷେ । ବେଗେ ମିଳିଲା ବିଷ୍ଣୁପାଶେ ॥ ୪୧

ମୁଷ୍ଟି ଉଞ୍ଚାଇ ବଜ୍ର ପ୍ରାୟେ । ପ୍ରହାରେ ଯଜ୍ଞରୂପୀ ଦେହେ ॥ ୪୨

ମାୟାବୀ ହିରଣ୍ୟାକ୍ଷ ବୀର । ଶରୀର କଲା ଯେ ଅନ୍ତର ॥ ୪୩

କେହି ନ ଦେଖେ କେଣେ ଗଲା । ଅଦ୍ଭୁତ ଶବଦ ଶୁଭିଲା ॥ ୪୪

ତା’ର ପ୍ରହାରେ ପଦ୍ମମୁଖ । ସହଜେ ନୋହିଲେ ବିମୁଖ ॥ ୪୫

ଗଜକୁ ପୁଷ୍ପମŠଣ୍ତା ଯେହ୍ନେ । ପ୍ରହାରେ ଦୁଃଖ ନାହିଁ ମନେ ॥ ୪୬

ପୁଣି କ୍ଷଣକେ ମହାରୋଷେ । ଅସୁର ମିଳି ବିଷ୍ଣୁ ପାଶେ ॥ ୪୭

ମାୟା ସର୍ଜିଲା ଅପ୍ରମିତେ । ଶ୍ରୀମାୟାଧରଙ୍କ ଅଗ୍ରତେ ॥ ୪୮

ସେ ମାୟା ଦେଖି ଦେବଗଣେ । ହସ୍ତ ଆଚ୍ଛାଦିଲେ ନୟନେ ॥ ୪୯

ଶରୀର କମ୍ପେ ମହାଭୟେ । ମଣିଲେ ପ୍ରଳୟର ପ୍ରାୟେ ॥ ୫୦

ପ୍ରଚଣ୍ତŠ-ବାତ ବହେ ଖରେ । ଶୂନ୍ୟୁ ପାଷାଣ ବୃଷ୍ଟି କରେ ॥ ୫୧

ପାଂଶୁ ପୂରିଲା ଦଶଦିଶେ । ନିଷ୍ଠୁର ତମ ଯେ ପ୍ରକାଶେ ॥ ୫୨

ଘୋର ଗର୍ଜନ ମାୟା ମେଘେ । ବିଜୁଳି ଲୁଚିଲେ ଦଶଦିଗେ ॥ ୫୩

ବିଷମ ମେଘର ଆଚ୍ଛନ୍ନେ । ଶୂନ୍ୟେ ଲୁଚିଲେ ଜ୍ୟୋତିର୍ଗଣେ ॥ ୫୪

ପୂଯ ପୁରୀଷ ମୂତ୍ର ଅସ୍ଥି । ରୁଧିର ସଙ୍ଗେ ବରଷନ୍ତି ॥ ୫୫

ପର୍ବତ ପ୍ରାୟ ଦେହ କରି । ରାକ୍ଷସୀ ନାନା ଶସ୍ତ୍ର ଧରି ॥ ୫୬

ଧାମନ୍ତି ଅତି ମହାରୋଷେ । କଟୀ ବିବସ୍ତ୍ର ମୁକ୍ତ କେଶେ ॥ ୫୭

ହସ୍ତେ ବିରାଜେ ତୀକ୍ଷ୍ଣ ଶୂଳ । ଶୁଭଇ ମୁଖ ରାବ ଗୋଳ ॥ ୫୮

ପ୍ରଳୟ-କାଳ ପ୍ରାୟ ମଣି । ଅଦ୍ଭୁତେ କମ୍ପଇ ଧରଣୀ ॥ ୫୯

ଯକ୍ଷ ରାକ୍ଷସ ପନ୍ତି-ପନ୍ତି । ରଥ ତୁରଙ୍ଗ ନର ହସ୍ତୀ ॥ ୬୦

କୁ›ତ୍ସିତ ବାକ୍ୟେ ରାବ ଶୁଭେ । ଶୂନ୍ୟେ କମ୍ପନ୍ତି ସର୍ବଦେବେ ॥ ୬୧

ଏମନ୍ତ ମାୟା ଦେଖି ହରି । ନିଶ୍ଚୟ ଜାଣିଲେ ଆସୁରୀ ॥ ୬୨

ମାୟାବୀ ଦର୍ପ ବିନାଶନେ । କୋପ ବସିଲା ବିଷ୍ଣୁମନେ ॥ ୬୩

ସୁଦରଶନ ଧରି କରେ । ହରି ଧାଇଁଲେ ଧାତିକାରେ ॥ ୬୪

ତକ୍ଷଣେ କଶ୍ୟପ-ଭୁବନେ । ଭୟ ପଶିଲା ଦିତିମନେ ॥ ୬୫

ହୃଦୟ କମ୍ପଇ କାତରେ । ବାକ୍ୟ ନ ସ୍ଫୁରେ କମ୍ପ-ଜ୍ୱରେ ॥ ୬୬

ସ୍ୱାମୀର ବଚନ ସୁମରେ । ସ୍ତନୁ ରୁଧିର ଧାରା ଝରେ ॥ ୬୭

ଚକ୍ରର ତେଜେ ମାୟା ଗଲା । ରବି କିରଣ ପ୍ରକାଶିଲା ॥ ୬୮

କ୍ଷେପି ଅସୁର ମହାକୋପେ । ମିଳିଲା ବିଷ୍ଣୁର ସମୀପେ ॥ ୬୯

ରୋଷେ ଅରୁଣ ଦିଶେ ଦୃଷ୍ଟି । ଉର୍ଦ୍ଧ୍ୱେ ତୋଳିଲା ବେନି ମୁଷ୍ଟି ॥ ୭୦

ଗୋବିନ୍ଦ ହୃଦେ ପ୍ରହାରିଲା । ଶବଦେ ଭୁବନ କମ୍ପିଲା ॥ ୭୧

ମୁଷ୍ଟି ବାଜିଲା ବଜ୍ର ପ୍ରାୟେ । ଦେଖି କୋପିଲେ ଦେବରାୟେ ॥ ୭୨

କର ପ୍ରସାରି କ‰ର୍ଣ୍ଣମୂଳେ । ଗୋବିନ୍ଦ ପ୍ରହାରିଲେ ବଳେ ॥ ୭୩

ପୂର୍ବେ ଯେସନେ ସୁରରାୟେ । ବିଶ୍ୱକର୍ମାର ପୁତ୍ର ଦେହେ ॥ ୭୪

ଯଜ୍ଞ-ବରାହ ଅବହେଳେ । ପାଦ ପ୍ରହାରେ କ‰ର୍ଣ୍ଣମୂଳେ ॥ ୭୫

କେବଳ ଏକ ପଦାଘାତେ । ଘୂ‰ର୍ଣ୍ଣିତ ଲୋଚନ ସହିତେ ॥ ୭୬

ତା ହସ୍ତପାଦ ହେଲା ଶୀ‰ର୍ଣ୍ଣ । ହୋଇଲା ଶରୀର ବିବ‰ର୍ଣ୍ଣ ॥ ୭୭

ମୁଷ୍ଟି ପ୍ରହାରେ ମୁŠଣ୍ତ ଫାଟି । ପଡ଼ିଲା ମହୀତଳେ ଲୋଟି ॥ ୭୮

ବୃକ୍ଷ ଯେସନେ ବାୟୁ ବଳେ । ଉପୁଡ଼ି ପଡ଼ଇ ଭୂତଳେ ॥ ୭୯

ତେସନେ ଭୂମିତଳେ ପଡ଼ି । ଦଶନେ ଅଧର କାମୋଡ଼ି ॥ ୮୦

ସେ ନାଦ କଲା ଘୋରତର । ପ୍ରାଣ ଛାଡ଼ିଲା ମହାବୀର ॥ ୮୧

ଅସୁର ମୃତ୍ୟୁ ଦେବେ ଦେଖି । ମିଳିଲେ ଗଗନ ଉପେକ୍ଷି ॥ ୮୨

ଦେଖିଲେ ଅସୁର ବଦନ । ଭ୍ରୂକୁଟୀ କୁଟୀଳ ନୟନ ॥ ୮୩

ବିଧାତା ଆଦି ସୁରବୃନ୍ଦ । କରନ୍ତି ଜୟ ଜୟ ନାଦ ॥ ୮୪

ବୋଲନ୍ତି ଧନ୍ୟ ଏ ଅସୁର । ବିଷ୍ଣୁର ହସ୍ତେ ଗଲା ମାର ॥ ୮୫

ଏମନ୍ତେ କେ ଲଭେ ମରଣ । ଲଭିଲା ବିଷ୍ଣୁର ଚରଣ ॥ ୮୬

ଯେ ପାଦ ଅର୍ଥେ ଯୋଗୀଜନ । ନିର୍ଜନେ ଯୋଗ କରେ ଧ୍ୟାନ ॥ ୮୭

ସେ ପଦାଘାତେ ଏ ଅସୁର । ତେଜିଲା ନିଜ କଳେବର ॥ ୮୮

ଧନ୍ୟ ଜୀବନଟି ଏହାର । ବ୍ରାହ୍ମଣ ଶାପୁଁ ହେଲା ପାର ॥ ୮୯

ପୁଣି ହୋଇବ ଜନ୍ମଦୁଇ । ଏମନ୍ତ ବୋଲି ବିଷ୍ଣୁ ଚାହିଁ ॥ ୯୦

ବ୍ରହ୍ମାଦିଦେବେ କରଯୋଡ଼ି । ସ୍ତୁତି କରନ୍ତି ପାଦେ ପଡ଼ି ॥ ୯୧

ଦେବଗଣ ଉବାଚ

ନମୋ ଅଖିଳ ଯଜ୍ଞ-ତନ୍ତୁ । ତୋ ଅବତାର ଭକ୍ତ ହେତୁ ॥ ୯୨

ନିର୍ମଳ ସତ୍ତ୍ବ ମୂର୍ତ୍ତି ଧରି । ସଂସାର ପାଳୁ ନରହରି ॥ ୯୩

ଆମ୍ଭର ଭାଗ୍ୟେ ଭଗବାନ । ଏ ଦୁଷ୍ଟ କଲୁ ତୁ ନିଧନ ॥ ୯୪

ତୋର ପ୍ରସନ୍ନେ ଜଗନ୍ନାଥ । ଆମ୍ଭେ ଯେ ହୋଇଲୁ ନିଶ୍ଚିନ୍ତ ॥ ୯୫

ତୋର ସଂସାର ପାଳ ଏବେ । ଏମନ୍ତ କହି ସର୍ବଦେବେ ॥ ୯୬

ଆନନ୍ଦେ ଗଲେ ନିଜ ପୁର । ସୁମନେ ଶୁଣ ହେ ବିଦୁର ॥ ୯୭

ମୈତ୍ରେୟ ଉବାଚ

ଏମନ୍ତେ ହିରଣ୍ୟାକ୍ଷ ମାରି । ଯଜ୍ଞବରାହ ରୂପ ଧରି ॥ ୯୮

ନିଜ ଭୁବନେ ହରି ଗଲେ । ଉତ୍ସ›ବ ପରମ ମଙ୍ଗଳେ ॥ ୯୯

ବ୍ରହ୍ମାଦି ଦେବେ କଲେ ସ୍ତୁତି । ନିଜ ଭୁବନେ ଲକ୍ଷ୍ମୀପତି ॥ ୧୦୦

ଭକ୍ତ ଉଦ୍ଧରି ମହାତୋଷେ । ମିଳିଲେ କମଳିନୀ ପାଶେ ॥ ୧୦୧

ତୁ ଯାହା ପଚାରିଲୁ ମୋତେ । ପ୍ରସନ୍ନେ କହିଲି ମୁଁ ତୋତେ ॥ ୧୦୨

ବିଷ୍ଣୁର ଲୀଳା ଅବତାର । ହିରଣ୍ୟାକ୍ଷର ଯେ ଉଦ୍ଧାର ॥ ୧୦୩

ସୂତ ଉବାଚ

ଏମନ୍ତେ ମଇତ୍ରେୟ ବାଣୀ । ବିଦୁର ସାବଧାନେ ଶୁଣି ॥ ୧୦୪

ପରମାନନ୍ଦ ସେ ଲଭିଲା । କାନନେ ପରାଶର-ବଳା ॥ ୧୦୫

ଅନ୍ୟ ଯେ ପୁଣ୍ୟଶ୍ଳୋକ ଜନେ । ନାନାପ୍ରକାରେ ଏ ଭୁବନେ ॥ ୧୦୬

ତାହାଙ୍କ ଯଶ କର୍ଣ୍ଣେ ଶୁଣି । ଭବସାଗରୁ ତରେ ପ୍ରାଣୀ ॥ ୧୦୭

କୃଷ୍ଣର ଗୁଣ-ଅବତାର । କର୍ଣ୍ଣେ ଅମୃତ-ରସ-ଧାର ॥ ୧୦୮

ଶୁଣି ସୁଜନେ କର୍ଣ୍ଣ‰ଦ୍ବାରେ । କିପାଁ ନ ତରିବେ ସଂସାରେ ॥ ୧୦୯

ବନସ୍ତ ଗଜ ଜଳେ ପଶି । କରିଣୀ-ପଲ ମଧ୍ୟେ ମିଶି ॥ ୧୧୦

ଜଳେ ଚରନ୍ତେ ପଦ୍ମବନେ । କୁମ୍ଭୀର ଗ୍ରାସିଲା ଚରଣେ ॥ ୧୧୧

ଚରଣ ନ ପାରିଲା ଆଣି । ଅନେକ ହସ୍ତୀ ତାକୁ ପୁଣି ॥ ୧୧୨

ଧଇଲେ ଉଦ୍ଧରିବା ବଳେ । ତିଳେ ହେଁ ଟାଲି ନ ପାରିଲେ ॥ ୧୧୩

ନ ପାରି ହୋଇଲେ ବିଷାଦ । ଚିତ୍ତେ ଚିନ୍ତିଲେ ବିଷ୍ଣୁପଦ ॥ ୧୧୪

ହସ୍ତୀଗଣଙ୍କ ଆର୍ତ୍ତନାଦ । ଶୁଣି ସଦୟ ସେ ମୁକୁନ୍ଦ ॥ ୧୧୫

ତକ୍ଷଣେ ପ୍ରଭୁ ଚକ୍ରପାଣି । ଗଜ ରଖିଲେ ଗ୍ରାହା ହାଣି ॥ ୧୧୬

ତାର ଚରଣେ ମୁନିବୃନ୍ଦେ । ନାନା ପ୍ରକାର ଯୋଗ ସାଧ୍ୟେ ॥ ୧୧୭

ଅଭୟପଦେ ସେ ପଶନ୍ତି । ସେ ଅନ୍ୟଭାବ ନ ଚିନ୍ତନ୍ତି ॥ ୧୧୮

ଯେ ଜନ ଦେଇ ମନପ୍ରାଣ । ସୁଖେ ଆରାଧେ ତା ଚରଣ ॥ ୧୧୯

ହିରଣ୍ୟାକ୍ଷର ବଧ ତତ୍ତ୍ବ । ଅମୀୟ ରସ ଭାଗବତ ॥ ୧୨୦

ନିଜ ଭକତ ଉଦ୍ଧାରିଣ । ଶୂକର ରୂପେ ନାରାୟଣ ॥ ୧୨୧

ଧରଣୀ ଉଦ୍ଧରିଲେ ଦନ୍ତେ । କ୍ରୀଡ଼ା ବିହାର ଏ ଜଗତେ ॥ ୧୨୨

ଏ କଥା ଶ୍ରବଣ କୀର୍ତ୍ତନ । କରି ବଞ୍ଚନ୍ତି ଯେଉଁ ଜନ ॥ ୧୨୩

ବ୍ରାହ୍ମଣ ବଧ କରିଥିଲେ । ଦୋଷ ନ ଲାଗେ ତା’କୁ ଭଲେ ॥ ୧୨୪

ଏ ପୁଣ୍ୟଯଶ ହରିକଥା । ଧନ ଆୟୁଷ ମୋକ୍ଷଦାତା ॥ ୧୨୫

ପ୍ରାଣ ଇନ୍ଦ୍ରିୟ ସୁଖ ବଢ଼େ । ଦୁର୍ଗତି ରିଷ୍ଟ ବାଧା ଛାଡ଼େ ॥ ୧୨୬

ସୁଜନ ସଙ୍ଗେ ଯେବେ ମିଶେ । ଅନ୍ତେ ଗୋବିନ୍ଦ ପାଦେ ପଶେ ॥ ୧୨୭

ଏ କଥା ଶୁଣି ସାଧୁଜନେ । ବଞ୍ଚିବ ଶ୍ରବଣ କୀର୍ତ୍ତନେ ॥ ୧୨୮

ତୃତୀୟସ୍କନ୍ଧେ ଭାଗବତ । ମୈତ୍ରେୟ ବିଦୁର ଚରିତ ॥ ୧୨୯

ଯେତେ କହିଲେ ହରିବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୩୦

ଭାଷା ପ୍ରବନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ ॥ ୧୩୧

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ହିରଣ୍ୟାକ୍ଷବଧୋ ନାମ ଉନବିଂଶୋଽଧ୍ୟାୟଃ ॥

* * *