ତୃତୀୟ ସ୍କନ୍ଧ

ଅଷ୍ଟାଦଶ ଅଧ୍ୟାୟ

ମୈତ୍ରେୟ ଉବାଚ

ବରୁଣ ବାକ୍ୟ ଶୁଣି କର୍ଣ୍ଣେ । ଅସୁର ବିଚାରଇ ମନେ ॥

ବରୁଣ ତୁଲେ ଯୁଦ୍ଧ ମୋର । ଏ ତ ନୁହଇ ଯଶସ୍କର ॥

ନାରଦ କହିଛନ୍ତି ମୋତେ । ବିଷ୍ଣୁର ଗତି ଏ ଜଗତେ ॥

ଶୂକର ରୂପେ ସେ ଧରଣୀ । ସ୍ଥାପିବ ଦନ୍ତଅଗ୍ରେ ଆଣି ॥

ତାହାର ତୁଲେ ମୋ ସମର । ନାମ ଯାହାର ଗଦାଧର ॥

ମୋ ଭୁଜକŠଣ୍ତୁ ସେ ହରିବ । ଦେବଙ୍କୁ ସଙ୍କଟୁ ତାରିବ ॥

ଏମନ୍ତ ମନେ ବିଚାରିଲା । ତକ୍ଷଣେ ପାତାଳେ ପଶିଲା ॥

ଦେଖଇ ଗୋବିନ୍ଦର ଗତି । ଦଶନ ଅଗ୍ରେ ବସୁମତୀ ॥

କୋଟି ଆଦିତ୍ୟ ତେଜ ଦେଖି । ଭୟେ ବୁଜିଲା ବେନିଆଖି ॥

ପୁଣି କ୍ଷଣକେ ଚକ୍ଷୁଫେଇ । ବିଷ୍ଣୁଙ୍କୁ ଦେଖି ବିଚାରଇ ॥ ୧୦

ନାରଦ ବାକ୍ୟ ଯେବେ ସତ୍ୟ । ମୁହିଁ ଦେଖଇ ବିପରୀତ ॥ ୧୧

ଶୂକର କାନନେ ଗୋଚର । ପଙ୍କେ ଦୂଷିତ କଳେବର ॥ ୧୨

ଏମନ୍ତ ବୋଲିଣ ହସିଲା । ବରାହ ନିକଟକୁ ଗଲା ॥ ୧୩

ବୋଲେ ଶୂକର ମୁଖ ଚାହିଁ । ଦଶନୁ ବେଗେ ଥୁଅ ମହୀ ॥ ୧୪

ପାତାଳ ଲୋକଙ୍କୁ ମେଦିନୀ । ପୂର୍ବେ ଦେଇଛି ପଦ୍ମଯୋନି ॥ ୧୫

ଯେବେ ମେଦିନୀ ନ ଛାଡ଼ିବୁ । ମୋ ମୁଖୁ ଭଲେ ନ ବର୍ତ୍ତିବୁ ॥ ୧୬

ସୁର ଅଧମ ତୁ ବୋଲାଉ । ଯେଣୁ ଶୂକର ରୂପ ବହୁ ॥ ୧୭

ମୋର ରିପୁଙ୍କ ଶୁଭ ଚିନ୍ତି । ତୁ ବହୁ ଶୂକର ଆକୃତି ॥ ୧୮

ରେ ମୂଢ଼ ଶୁଣ ମୋ ଉତ୍ତର । ଆମ୍ଭର ହସ୍ତେ ମୃତ୍ୟୁ ତୋର ॥ ୧୯

ମାୟାରେ ମାରୁ ତୁ ଅସୁର । କପଟ ଧର୍ମ ଏ ତୋହର ॥ ୨୦

ଆଜି ତୋ ସଂହାର କରିବି । ସୁହୃଦ-ଶୋକ ନିବାରିବି ॥ ୨୧

ତୋର ମୋହର ଗଦାଯୁଦ୍ଧେ । ତ୍ରିଦଶେ ଦେଖନ୍ତୁ ଆନନ୍ଦେ ॥ ୨୨

ତୋର ମସ୍ତକ ଗଦାଘାତେ । ବେଗେ ଉଡ଼ିବ ମହାବାତେ ॥ ୨୩

ବଳି ହରନ୍ତି ଯେତେ ଦେବେ । ତୋହର ମରଣ ଦେଖିବେ ॥ ୨୪

ମୂଳ ବିନାଶେ ବୃକ୍ଷ ଯେହ୍ନେ । ତ୍ରିଦଶେ ହୋଇବେ ତେସନେ ॥ ୨୫

ଏମନ୍ତ ଅସୁରର ବାଣୀ । ଶୁଣିଣ କମ୍ପିଲା ଧରଣୀ ॥ ୨୬

ଗୋବିନ୍ଦ ଦେଖି ଭୂମି ଭୟେ । ଜଳେ ବଢ଼ିଲେ ମହାକାୟେ ॥ ୨୭

ବରାହ ରୂପୀ କୋପମନେ । ମର୍ମ ପ୍ରହାରେ ହସ୍ତୀ ଯେହ୍ନେ ॥ ୨୮

ଜଳୁ ଉଠନ୍ତେ ମହାରୋଷେ । ପର୍ବତ ପ୍ରାୟ ଦେହ ଦିଶେ ॥ ୨୯

ସେ ହିରଣ୍ୟାକ୍ଷ ଦେଖି କୋପେ । ମିଳିଲା ବରାହ ସମୀପେ ॥ ୩୦

ସିଂହ ଯେସନେ ହସ୍ତୀ ଆଗେ । ମିଳିଲା ପବନହୁଁ ବେଗେ ॥ ୩୧

କରାଳଦନ୍ତ ଗଦାପାଣି । ବଜ୍ର-ନିଃସ୍ୱନ ପ୍ରାୟ ବାଣୀ ॥ ୩୨

ବୋଲେ ବରାହ ମୁଖ ଚାହିଁ । ତୋ’ର ବଦନେ ଲଜ୍ଜା ନାହିଁ ॥ ୩୩

ଦେବଙ୍କ ଈଶ୍ୱର ବୋଲାଉ । ଶୂକର ରୂପ କିପାଁ ବହୁ ॥ ୩୪

ଏମନ୍ତ ଅସୁର ବଚନେ । କୋପ ବସିଲା ବିଷ୍ଣୁମନେ ॥ ୩୫

ଧରଣୀ ସମୁଦ୍ରର କୋଳେ । ଦନ୍ତୁ ଥୋଇଲେ ବିଷ୍ଣୁତଳେ ॥ ୩୬

ନିଜ ମୂରତି ଗଦାଧର । କି ଅବା ଦେବା ପଟାନ୍ତର ॥ ୩୭

ଦେଖି ସାନନ୍ଦ ଦେବଗଣ । କରନ୍ତି ପୁଷ୍ପ ବରଷଣ ॥ ୩୮

ବ୍ରହ୍ମାଦି ଦେବଗଣେ ମିଳି । ସ୍ତୁତି କରନ୍ତି ଭୁଜ ତୋଳି ॥ ୩୯

ଅସୁର ଦେବସ୍ତୁତି ଶୁଣି । କୋପେ କମ୍ପଇ ଶିର ଝୁଣି ॥ ୪୦

ତାହାର ହସ୍ତେ ଗଦା ସାଜେ । କାଞ୍ଚନ-କବଚ ବିରାଜେ ॥ ୪୧

ଶୁଣି ଅସୁର ଦୁର୍ବଚନ । କୋପେ କମ୍ପିଲେ ଭଗବାନ ॥ ୪୨

ପ୍ରଚଣ୍ତŠତେଜ ମନ୍ଦହାସେ । ଅସୁର ମୁଖ ଚାହିଁ ରୋଷେ ॥ ୪୩

ତା ଉପହାସ ପ୍ରତ୍ୟୁତ୍ତର । ସହାସ୍ୟେ କଲେ ଗଦାଧର ॥ ୪୪

ଭଗବାନ ଉବାଚ ବୋଲନ୍ତି ପ୍ରଭୁ ଦୟାନିଧି । ଶୁଣ ହୋ ଅସୁର ଦୁର୍ବୁଦ୍ଧି ॥ ୪୫

ବନ ଶୂକର ମୁଁ ସ୍ୱଭାବେ । ମୋର ମହିମା ଶୁଣ ଏବେ ॥ ୪୬

ତୋହର ପ୍ରାୟ ଶ୍ୱାନଗଣ । ମୋ ତୁଲେ କେ କରିବ ରଣ ॥ ୪୭

ତୁ ମୃତ୍ୟୁପାଶେ ବଦ୍ଧ ହୋଇ । ବିଶେଷେ କହୁ ଦମ୍ଭ ବହି ॥ ୪୮

ଯେଣୁ ଅଳପ ବଳ ମୋର । କିବା କହିବି ତୋ ଆଗର ॥ ୪୯

ଯେ ବୀରଗଣ ଏ ସଂସାରେ । ତୋର ପ୍ରଶଂସା କେବା କରେ ॥ ୫୦

ଆସ ମୋ ପରାଭବ କର । ତୁ ଯୂଥପତିଙ୍କ ପ୍ରବର ॥ ୫୧

କରି ତୁ ଆମ୍ଭର ନିଧନ । ତୋ ଯୁଦ୍ଧଆଶା କର ପୂ‰ର୍ଣ୍ଣ ॥ ୫୨

ପ୍ରତିଜ୍ଞା ପୂ‰ର୍ଣ୍ଣ ଯେ ନ କରେ । ଅସାଧୁ ବୋଲାନ୍ତି ସଂସାରେ ॥ ୫୩

ସ୍ୱର୍ଗରେ ଦେବଗଣ ଯେତେ । ଦେଖି ତୋହର ଗଦାହସ୍ତେ ॥ ୫୪

ଆକାଶ ଛାଡ଼ି ପଳାଇଲେ । ମୋହର ସମୀପେ ମିଳିଲେ ॥ ୫୫

କେମନ୍ତେ ସଂଗ୍ରାମ ନ ଦେବି । ପଳାଇ କାହିଁ ବା ପଶିବି ॥ ୫୬

ତୋତେ ମୁଁ ସଂଗ୍ରାମେ ନାଶିବି । ଦେବଙ୍କୁ ସଙ୍କଟୁ ତାରିବି ॥ ୫୭

ଗଦା ପ୍ରହାରି ତୋର ହୃଦେ । ଦେବେ ସ୍ଥାପିବି ନିଜ ପଦେ ॥ ୫୮

ମୈତ୍ରେୟ ଉବାଚ

ଏମନ୍ତେ ବରାହ ବଚନେ । ସେ ହିରଣ୍ୟାକ୍ଷ କୋପମନେ ॥ ୫୯

ସ୍ୱଭାବେ ଦୁଷ୍ଟ ମହାବଳୀ । ଗର୍ଜଇ ହସ୍ତେ ଗଦା ତୋଳି ॥ ୬୦

ଶବଦେ ବ୍ରହ୍ମାଣ୍ତŠ କମ୍ପିଲା । ବରାହ ଅଙ୍ଗେ ପ୍ରହାରିଲା ॥ ୬୧

ସେ ହରି ନିଜ ମାୟାବଳେ । ଦୃଢ଼-ପ୍ରହାର ବଞ୍ଚାଇଲେ ॥ ୬୨

ପୁଣି ଅସୁର ଗଦାହସ୍ତେ । ମŠଣ୍ତଳଗତି ଶୂନ୍ୟପଥେ ॥ ୬୩

ଗଦା ବୁଲାଇ ଅତି ରୋଷେ । ପିଟିଲା ବିଷ୍ଣୁ ପୃଷ୍ଠଦେଶେ ॥ ୬୪

ଶୁଭିଲା ବଜ୍ର ଘଡ଼ଘଡ଼ି । ଅଧର ଦଶନେ କାମୋଡ଼ି ॥ ୬୫

ସେ ଗଦା ବଞ୍ଚାଇ ମୁରାରି । ଦକ୍ଷିଣଭୁଜେ ଗଦାଧରି ॥ ୬୬

ପିଟିଲେ ଅସୁରର ମୁଣ୍ତେŠ । ବଜ୍ର ଯେସନେ ଗିରିଖଣ୍ତେ ॥ ୬୭

ଏମନ୍ତେ ହରି-ହିରଣ୍ୟାକ୍ଷ । ସମରେ ବେନିଜନ ଦକ୍ଷ ॥ ୬୮

ବେନି ଶରୀରେ ଗଦାଘାତ । ଶୁଭଇ ଯେହ୍ନେ ବଜ୍ରପାତ ॥ ୬୯

ଜିଣିବା ଆଶେ ଅନ୍ୟୋଅନ୍ୟେ । ଯୁଦ୍ଧ କରନ୍ତି କୋପମନେ ॥ ୭୦

ଏମନ୍ତେ ହରି ହିରଣ୍ୟାକ୍ଷେ । ଗଦା ପ୍ରହାରେ ଜାନୁ ବକ୍ଷେ ॥ ୭୧

ଫାଟି ବହଇ ଶୋଣୀ ଧାର । ବିଶେଷେ ଯୁଦ୍ଧ ମହାଘୋର ॥ ୭୨

ଗଦା ବିଚିତ୍ରଗତି କରି । ବେଗେ ପିଟନ୍ତେ କୋପଭରି ॥ ୭୩

ଶବଦ ଶୁଭଇ ପ୍ରଚŠଣ୍ତ । ଯେହ୍ନେ ଯୁଝନ୍ତି ବେନିଷ‹ଣ୍ଢ ॥ ୭୪

ଏମନ୍ତେ ହରି-ହିରଣ୍ୟାକ୍ଷେ । ଦେବେ ଦେଖନ୍ତି ଅନ୍ତରୀକ୍ଷେ ॥ ୭୫

ମିଳିଲେ ଦେବ ଋଷିମେଳେ । ଅଞ୍ଜଳି ନିବେଶି କପୋଳେ ॥ ୭୬

ବିଧାତା ଶୂନ୍ୟପଥେ ଥାଇ । ସ୍ତୁତି କରନ୍ତି ବିଷ୍ଣୁ ଚାହିଁ ॥ ୭୭

ବ୍ରହ୍ମା ଉବାଚ

ହେ ଦେବଦେବ ତୋ’ ଚରଣ । ଆମ୍ଭେ ଯେ ପଶିଲୁ ଶରଣ ॥ ୭୮

ଆମ୍ଭ ସକାଶୁ ବର ପାଇ । ଏ ଦୈତ୍ୟ ଶତ୍ରୁଶୂନ୍ୟ ହୋଇ ॥ ୭୯

ଗୋରୁ ବ୍ରାହ୍ମଣ ଦେବଙ୍କର । ଅନିଷ୍ଟ କରଇ ଅସୁର ॥ ୮୦

ନିର୍ଭୟେ ଗଦା ଘେନି କରେ । ଯୁଦ୍ଧର ଅର୍ଥେ ତିନିପୁରେ ॥ ୮୧

ଭ୍ରମଇଁ ଏହୁ ମହାରୋଷେ । ବାରଣ ଯେହ୍ନେ ନିରଙ୍କୁଶେ ॥ ୮୨

ସର୍ପର ଲାଞ୍ଜ ଧରି କରେ । ବାଳକ ଯେହ୍ନେ କ୍ରୀଡ଼ାକରେ ॥ ୮୩

ଏହି ମାୟାବୀ ଦୈତ୍ୟ ଘେନି । କ୍ରୀଡ଼ା ନ କର ଗଦାପାଣି ॥ ୮୪

ଦିନକୁ ଦିନ ଏ ବଢ଼ନ୍ତେ । କେ ସୁଖେ ଥିବ ଏ ଜଗତେ ॥ ୮୫

ଆସୁରୀ-ବେଳା ପ୍ରାପ୍ତ ହୋଇ । ଯାବତ ଏହି ନ ବଢ଼ଇ ॥ ୮୬

ତାବତ ନିଜ ମାୟାବଳେ । ଏ ଦୁଷ୍ଟ ନଷ୍ଟକରେ ହେଳେ ॥ ୮୭

ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର । ଏହାର ପ୍ରାଣ ବେଗେ ହର ॥ ୮୮

ଦେଖ ଏ ସନ୍ଧ୍ୟା ବିଭାବରୀ । ଏ ଭୂମି ଅନ୍ଧକାର କରି ॥ ୮୯

ଆସଇ ମହାଘୋର ରୂପେ । ଭୋ ନାଥ ଦେଖ ତୋ’ ସମୀପେ ॥ ୯୦

ଆମ୍ଭ ବିପକ୍ଷ ଦିତିବଳା । କିବା ତୋହର ବିଷ୍ଣୁଲୀଳା ॥ ୯୧

ବେଗେ ଅସୁର ଏବେ ମାର । ଆମ୍ଭର ଜୟ ଉଦେକର ॥ ୯୨

ମୁହୂର୍ତ୍ତ ଅଭିଜିତ ନାମ । ସର୍ବମଙ୍ଗଳ ଶୁଭଧାମ ॥ ୯୩

ଏ ଶୁଭବେଳେ ଚକ୍ରଧର । ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର ॥ ୯୪

ଦୁରନ୍ତ-ଦାନବ ବିନାଶ । ଏ ଋଷି-ଦେବଙ୍କୁ ଉଶ୍ୱାସ ॥ ୯୫

ଏହାଙ୍କ ଅଭିଶାପ କାଳେ । ତୁ ଅନୁଗ୍ରହ କଲୁ ହେଳେ ॥ ୯୬

ଏହାର ମୃତ୍ୟୁ ତୁ ସାକ୍ଷାତେ । ଭାଗ୍ୟେ ମିଳିଲା ତୋ’ ଅଗ୍ରତେ ॥ ୯୭

ଏମନ୍ତେ ଅସୁରର ଲକ୍ଷ୍ୟେ । ଋଷି-ଦେବତା ଅନ୍ତରୀକ୍ଷେ ॥ ୯୮

ଅତି ବିକଳେ ସ୍ତୁତି କଲେ । ବରାହରୂପୀ ପାଦତଳେ ॥ ୯୯

ସେ ଯଜ୍ଞବରାହ ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ ॥ ୧୦୦

ତୃତୀୟସ୍କନ୍ଧେ ହରିବାଣୀ । ସନ୍ତୋଷ ଶ୍ରୁତିପଥେ ଶୁଣି ॥ ୧୦୧

ହରି ଚରଣେ କରି ଆଶ । କହଇ ଜଗନ୍ନାଥ ଦାସ ॥ ୧୦୨

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ହିରଣ୍ୟାକ୍ଷଯୁଦ୍ଧେ ଅଷ୍ଟାଦଶୋଽଧ୍ୟାୟଃ ॥

* * *