ତୃତୀୟ ସ୍କନ୍ଧ
ଅଷ୍ଟାଦଶ ଅଧ୍ୟାୟ
ମୈତ୍ରେୟ ଉବାଚ
ବରୁଣ ବାକ୍ୟ ଶୁଣି କର୍ଣ୍ଣେ । ଅସୁର ବିଚାରଇ ମନେ ॥ ୧
ବରୁଣ ତୁଲେ ଯୁଦ୍ଧ ମୋର । ଏ ତ ନୁହଇ ଯଶସ୍କର ॥ ୨
ନାରଦ କହିଛନ୍ତି ମୋତେ । ବିଷ୍ଣୁର ଗତି ଏ ଜଗତେ ॥ ୩
ଶୂକର ରୂପେ ସେ ଧରଣୀ । ସ୍ଥାପିବ ଦନ୍ତଅଗ୍ରେ ଆଣି ॥ ୪
ତାହାର ତୁଲେ ମୋ ସମର । ନାମ ଯାହାର ଗଦାଧର ॥ ୫
ମୋ ଭୁଜକଣ୍ତୁ ସେ ହରିବ । ଦେବଙ୍କୁ ସଙ୍କଟୁ ତାରିବ ॥ ୬
ଏମନ୍ତ ମନେ ବିଚାରିଲା । ତକ୍ଷଣେ ପାତାଳେ ପଶିଲା ॥ ୭
ଦେଖଇ ଗୋବିନ୍ଦର ଗତି । ଦଶନ ଅଗ୍ରେ ବସୁମତୀ ॥ ୮
କୋଟି ଆଦିତ୍ୟ ତେଜ ଦେଖି । ଭୟେ ବୁଜିଲା ବେନିଆଖି ॥ ୯
ପୁଣି କ୍ଷଣକେ ଚକ୍ଷୁଫେଇ । ବିଷ୍ଣୁଙ୍କୁ ଦେଖି ବିଚାରଇ ॥ ୧୦
ନାରଦ ବାକ୍ୟ ଯେବେ ସତ୍ୟ । ମୁହିଁ ଦେଖଇ ବିପରୀତ ॥ ୧୧
ଶୂକର କାନନେ ଗୋଚର । ପଙ୍କେ ଦୂଷିତ କଳେବର ॥ ୧୨
ଏମନ୍ତ ବୋଲିଣ ହସିଲା । ବରାହ ନିକଟକୁ ଗଲା ॥ ୧୩
ବୋଲେ ଶୂକର ମୁଖ ଚାହିଁ । ଦଶନୁ ବେଗେ ଥୁଅ ମହୀ ॥ ୧୪
ପାତାଳ ଲୋକଙ୍କୁ ମେଦିନୀ । ପୂର୍ବେ ଦେଇଛି ପଦ୍ମଯୋନି ॥ ୧୫
ଯେବେ ମେଦିନୀ ନ ଛାଡ଼ିବୁ । ମୋ ମୁଖୁ ଭଲେ ନ ବର୍ତ୍ତିବୁ ॥ ୧୬
ସୁର ଅଧମ ତୁ ବୋଲାଉ । ଯେଣୁ ଶୂକର ରୂପ ବହୁ ॥ ୧୭
ମୋର ରିପୁଙ୍କ ଶୁଭ ଚିନ୍ତି । ତୁ ବହୁ ଶୂକର ଆକୃତି ॥ ୧୮
ରେ ମୂଢ଼ ଶୁଣ ମୋ ଉତ୍ତର । ଆମ୍ଭର ହସ୍ତେ ମୃତ୍ୟୁ ତୋର ॥ ୧୯
ମାୟାରେ ମାରୁ ତୁ ଅସୁର । କପଟ ଧର୍ମ ଏ ତୋହର ॥ ୨୦
ଆଜି ତୋ ସଂହାର କରିବି । ସୁହୃଦ-ଶୋକ ନିବାରିବି ॥ ୨୧
ତୋର ମୋହର ଗଦାଯୁଦ୍ଧେ । ତ୍ରିଦଶେ ଦେଖନ୍ତୁ ଆନନ୍ଦେ ॥ ୨୨
ତୋର ମସ୍ତକ ଗଦାଘାତେ । ବେଗେ ଉଡ଼ିବ ମହାବାତେ ॥ ୨୩
ବଳି ହରନ୍ତି ଯେତେ ଦେବେ । ତୋହର ମରଣ ଦେଖିବେ ॥ ୨୪
ମୂଳ ବିନାଶେ ବୃକ୍ଷ ଯେହ୍ନେ । ତ୍ରିଦଶେ ହୋଇବେ ତେସନେ ॥ ୨୫
ଏମନ୍ତ ଅସୁରର ବାଣୀ । ଶୁଣିଣ କମ୍ପିଲା ଧରଣୀ ॥ ୨୬
ଗୋବିନ୍ଦ ଦେଖି ଭୂମି ଭୟେ । ଜଳେ ବଢ଼ିଲେ ମହାକାୟେ ॥ ୨୭
ବରାହ ରୂପୀ କୋପମନେ । ମର୍ମ ପ୍ରହାରେ ହସ୍ତୀ ଯେହ୍ନେ ॥ ୨୮
ଜଳୁ ଉଠନ୍ତେ ମହାରୋଷେ । ପର୍ବତ ପ୍ରାୟ ଦେହ ଦିଶେ ॥ ୨୯
ସେ ହିରଣ୍ୟାକ୍ଷ ଦେଖି କୋପେ । ମିଳିଲା ବରାହ ସମୀପେ ॥ ୩୦
ସିଂହ ଯେସନେ ହସ୍ତୀ ଆଗେ । ମିଳିଲା ପବନହୁଁ ବେଗେ ॥ ୩୧
କରାଳଦନ୍ତ ଗଦାପାଣି । ବଜ୍ର-ନିଃସ୍ୱନ ପ୍ରାୟ ବାଣୀ ॥ ୩୨
ବୋଲେ ବରାହ ମୁଖ ଚାହିଁ । ତୋର ବଦନେ ଲଜ୍ଜା ନାହିଁ ॥ ୩୩
ଦେବଙ୍କ ଈଶ୍ୱର ବୋଲାଉ । ଶୂକର ରୂପ କିପାଁ ବହୁ ॥ ୩୪
ଏମନ୍ତ ଅସୁର ବଚନେ । କୋପ ବସିଲା ବିଷ୍ଣୁମନେ ॥ ୩୫
ଧରଣୀ ସମୁଦ୍ରର କୋଳେ । ଦନ୍ତୁ ଥୋଇଲେ ବିଷ୍ଣୁତଳେ ॥ ୩୬
ନିଜ ମୂରତି ଗଦାଧର । କି ଅବା ଦେବା ପଟାନ୍ତର ॥ ୩୭
ଦେଖି ସାନନ୍ଦ ଦେବଗଣ । କରନ୍ତି ପୁଷ୍ପ ବରଷଣ ॥ ୩୮
ବ୍ରହ୍ମାଦି ଦେବଗଣେ ମିଳି । ସ୍ତୁତି କରନ୍ତି ଭୁଜ ତୋଳି ॥ ୩୯
ଅସୁର ଦେବସ୍ତୁତି ଶୁଣି । କୋପେ କମ୍ପଇ ଶିର ଝୁଣି ॥ ୪୦
ତାହାର ହସ୍ତେ ଗଦା ସାଜେ । କାଞ୍ଚନ-କବଚ ବିରାଜେ ॥ ୪୧
ଶୁଣି ଅସୁର ଦୁର୍ବଚନ । କୋପେ କମ୍ପିଲେ ଭଗବାନ ॥ ୪୨
ପ୍ରଚଣ୍ତତେଜ ମନ୍ଦହାସେ । ଅସୁର ମୁଖ ଚାହିଁ ରୋଷେ ॥ ୪୩
ତା ଉପହାସ ପ୍ରତ୍ୟୁତ୍ତର । ସହାସ୍ୟେ କଲେ ଗଦାଧର ॥ ୪୪
ଭଗବାନ ଉବାଚ ବୋଲନ୍ତି ପ୍ରଭୁ ଦୟାନିଧି । ଶୁଣ ହୋ ଅସୁର ଦୁର୍ବୁଦ୍ଧି ॥ ୪୫
ବନ ଶୂକର ମୁଁ ସ୍ୱଭାବେ । ମୋର ମହିମା ଶୁଣ ଏବେ ॥ ୪୬
ତୋହର ପ୍ରାୟ ଶ୍ୱାନଗଣ । ମୋ ତୁଲେ କେ କରିବ ରଣ ॥ ୪୭
ତୁ ମୃତ୍ୟୁପାଶେ ବଦ୍ଧ ହୋଇ । ବିଶେଷେ କହୁ ଦମ୍ଭ ବହି ॥ ୪୮
ଯେଣୁ ଅଳପ ବଳ ମୋର । କିବା କହିବି ତୋ ଆଗର ॥ ୪୯
ଯେ ବୀରଗଣ ଏ ସଂସାରେ । ତୋର ପ୍ରଶଂସା କେବା କରେ ॥ ୫୦
ଆସ ମୋ ପରାଭବ କର । ତୁ ଯୂଥପତିଙ୍କ ପ୍ରବର ॥ ୫୧
କରି ତୁ ଆମ୍ଭର ନିଧନ । ତୋ ଯୁଦ୍ଧଆଶା କର ପୂର୍ଣ୍ଣ ॥ ୫୨
ପ୍ରତିଜ୍ଞା ପୂର୍ଣ୍ଣ ଯେ ନ କରେ । ଅସାଧୁ ବୋଲାନ୍ତି ସଂସାରେ ॥ ୫୩
ସ୍ୱର୍ଗରେ ଦେବଗଣ ଯେତେ । ଦେଖି ତୋହର ଗଦାହସ୍ତେ ॥ ୫୪
ଆକାଶ ଛାଡ଼ି ପଳାଇଲେ । ମୋହର ସମୀପେ ମିଳିଲେ ॥ ୫୫
କେମନ୍ତେ ସଂଗ୍ରାମ ନ ଦେବି । ପଳାଇ କାହିଁ ବା ପଶିବି ॥ ୫୬
ତୋତେ ମୁଁ ସଂଗ୍ରାମେ ନାଶିବି । ଦେବଙ୍କୁ ସଙ୍କଟୁ ତାରିବି ॥ ୫୭
ଗଦା ପ୍ରହାରି ତୋର ହୃଦେ । ଦେବେ ସ୍ଥାପିବି ନିଜ ପଦେ ॥ ୫୮
ମୈତ୍ରେୟ ଉବାଚ
ଏମନ୍ତେ ବରାହ ବଚନେ । ସେ ହିରଣ୍ୟାକ୍ଷ କୋପମନେ ॥ ୫୯
ସ୍ୱଭାବେ ଦୁଷ୍ଟ ମହାବଳୀ । ଗର୍ଜଇ ହସ୍ତେ ଗଦା ତୋଳି ॥ ୬୦
ଶବଦେ ବ୍ରହ୍ମାଣ୍ତ କମ୍ପିଲା । ବରାହ ଅଙ୍ଗେ ପ୍ରହାରିଲା ॥ ୬୧
ସେ ହରି ନିଜ ମାୟାବଳେ । ଦୃଢ଼-ପ୍ରହାର ବଞ୍ଚାଇଲେ ॥ ୬୨
ପୁଣି ଅସୁର ଗଦାହସ୍ତେ । ମଣ୍ତଳଗତି ଶୂନ୍ୟପଥେ ॥ ୬୩
ଗଦା ବୁଲାଇ ଅତି ରୋଷେ । ପିଟିଲା ବିଷ୍ଣୁ ପୃଷ୍ଠଦେଶେ ॥ ୬୪
ଶୁଭିଲା ବଜ୍ର ଘଡ଼ଘଡ଼ି । ଅଧର ଦଶନେ କାମୋଡ଼ି ॥ ୬୫
ସେ ଗଦା ବଞ୍ଚାଇ ମୁରାରି । ଦକ୍ଷିଣଭୁଜେ ଗଦାଧରି ॥ ୬୬
ପିଟିଲେ ଅସୁରର ମୁଣ୍ତେ । ବଜ୍ର ଯେସନେ ଗିରିଖଣ୍ତେ ॥ ୬୭
ଏମନ୍ତେ ହରି-ହିରଣ୍ୟାକ୍ଷ । ସମରେ ବେନିଜନ ଦକ୍ଷ ॥ ୬୮
ବେନି ଶରୀରେ ଗଦାଘାତ । ଶୁଭଇ ଯେହ୍ନେ ବଜ୍ରପାତ ॥ ୬୯
ଜିଣିବା ଆଶେ ଅନ୍ୟୋଅନ୍ୟେ । ଯୁଦ୍ଧ କରନ୍ତି କୋପମନେ ॥ ୭୦
ଏମନ୍ତେ ହରି ହିରଣ୍ୟାକ୍ଷେ । ଗଦା ପ୍ରହାରେ ଜାନୁ ବକ୍ଷେ ॥ ୭୧
ଫାଟି ବହଇ ଶୋଣୀ ଧାର । ବିଶେଷେ ଯୁଦ୍ଧ ମହାଘୋର ॥ ୭୨
ଗଦା ବିଚିତ୍ରଗତି କରି । ବେଗେ ପିଟନ୍ତେ କୋପଭରି ॥ ୭୩
ଶବଦ ଶୁଭଇ ପ୍ରଚଣ୍ତ । ଯେହ୍ନେ ଯୁଝନ୍ତି ବେନିଷଣ୍ଢ ॥ ୭୪
ଏମନ୍ତେ ହରି-ହିରଣ୍ୟାକ୍ଷେ । ଦେବେ ଦେଖନ୍ତି ଅନ୍ତରୀକ୍ଷେ ॥ ୭୫
ମିଳିଲେ ଦେବ ଋଷିମେଳେ । ଅଞ୍ଜଳି ନିବେଶି କପୋଳେ ॥ ୭୬
ବିଧାତା ଶୂନ୍ୟପଥେ ଥାଇ । ସ୍ତୁତି କରନ୍ତି ବିଷ୍ଣୁ ଚାହିଁ ॥ ୭୭
ବ୍ରହ୍ମା ଉବାଚ
ହେ ଦେବଦେବ ତୋ ଚରଣ । ଆମ୍ଭେ ଯେ ପଶିଲୁ ଶରଣ ॥ ୭୮
ଆମ୍ଭ ସକାଶୁ ବର ପାଇ । ଏ ଦୈତ୍ୟ ଶତ୍ରୁଶୂନ୍ୟ ହୋଇ ॥ ୭୯
ଗୋରୁ ବ୍ରାହ୍ମଣ ଦେବଙ୍କର । ଅନିଷ୍ଟ କରଇ ଅସୁର ॥ ୮୦
ନିର୍ଭୟେ ଗଦା ଘେନି କରେ । ଯୁଦ୍ଧର ଅର୍ଥେ ତିନିପୁରେ ॥ ୮୧
ଭ୍ରମଇଁ ଏହୁ ମହାରୋଷେ । ବାରଣ ଯେହ୍ନେ ନିରଙ୍କୁଶେ ॥ ୮୨
ସର୍ପର ଲାଞ୍ଜ ଧରି କରେ । ବାଳକ ଯେହ୍ନେ କ୍ରୀଡ଼ାକରେ ॥ ୮୩
ଏହି ମାୟାବୀ ଦୈତ୍ୟ ଘେନି । କ୍ରୀଡ଼ା ନ କର ଗଦାପାଣି ॥ ୮୪
ଦିନକୁ ଦିନ ଏ ବଢ଼ନ୍ତେ । କେ ସୁଖେ ଥିବ ଏ ଜଗତେ ॥ ୮୫
ଆସୁରୀ-ବେଳା ପ୍ରାପ୍ତ ହୋଇ । ଯାବତ ଏହି ନ ବଢ଼ଇ ॥ ୮୬
ତାବତ ନିଜ ମାୟାବଳେ । ଏ ଦୁଷ୍ଟ ନଷ୍ଟକରେ ହେଳେ ॥ ୮୭
ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର । ଏହାର ପ୍ରାଣ ବେଗେ ହର ॥ ୮୮
ଦେଖ ଏ ସନ୍ଧ୍ୟା ବିଭାବରୀ । ଏ ଭୂମି ଅନ୍ଧକାର କରି ॥ ୮୯
ଆସଇ ମହାଘୋର ରୂପେ । ଭୋ ନାଥ ଦେଖ ତୋ ସମୀପେ ॥ ୯୦
ଆମ୍ଭ ବିପକ୍ଷ ଦିତିବଳା । କିବା ତୋହର ବିଷ୍ଣୁଲୀଳା ॥ ୯୧
ବେଗେ ଅସୁର ଏବେ ମାର । ଆମ୍ଭର ଜୟ ଉଦେକର ॥ ୯୨
ମୁହୂର୍ତ୍ତ ଅଭିଜିତ ନାମ । ସର୍ବମଙ୍ଗଳ ଶୁଭଧାମ ॥ ୯୩
ଏ ଶୁଭବେଳେ ଚକ୍ରଧର । ଆମ୍ଭଙ୍କୁ ସଙ୍କଟୁ ଉଦ୍ଧର ॥ ୯୪
ଦୁରନ୍ତ-ଦାନବ ବିନାଶ । ଏ ଋଷି-ଦେବଙ୍କୁ ଉଶ୍ୱାସ ॥ ୯୫
ଏହାଙ୍କ ଅଭିଶାପ କାଳେ । ତୁ ଅନୁଗ୍ରହ କଲୁ ହେଳେ ॥ ୯୬
ଏହାର ମୃତ୍ୟୁ ତୁ ସାକ୍ଷାତେ । ଭାଗ୍ୟେ ମିଳିଲା ତୋ ଅଗ୍ରତେ ॥ ୯୭
ଏମନ୍ତେ ଅସୁରର ଲକ୍ଷ୍ୟେ । ଋଷି-ଦେବତା ଅନ୍ତରୀକ୍ଷେ ॥ ୯୮
ଅତି ବିକଳେ ସ୍ତୁତି କଲେ । ବରାହରୂପୀ ପାଦତଳେ ॥ ୯୯
ସେ ଯଜ୍ଞବରାହ ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ ॥ ୧୦୦
ତୃତୀୟସ୍କନ୍ଧେ ହରିବାଣୀ । ସନ୍ତୋଷ ଶ୍ରୁତିପଥେ ଶୁଣି ॥ ୧୦୧
ହରି ଚରଣେ କରି ଆଶ । କହଇ ଜଗନ୍ନାଥ ଦାସ ॥ ୧୦୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ହିରଣ୍ୟାକ୍ଷଯୁଦ୍ଧେ ଅଷ୍ଟାଦଶୋଽଧ୍ୟାୟଃ ॥
* * *