ତୃତୀୟ ସ୍କନ୍ଧ
ସପ୍ତଦଶ ଅଧ୍ୟାୟ
ମୈତ୍ରେୟ ଉବାଚ
ବ୍ରହ୍ମା ବଚନେ ଦେବଗଣ । ଶୁଣିଲେ ଅଦ୍ଭୁତ କାରଣ ॥ ୧
ବିଧାତା ପାଦେ ପ୍ରଣମିଲେ । ଆନନ୍ଦେ ନିଜପୁରେ ଗଲେ ॥ ୨
ଦିତି କଶ୍ୟପ ଆଜ୍ଞା ପାଇ । ପୁତ୍ରଙ୍କ ଜନ୍ମେ ଶଙ୍କା ବହି ॥ ୩
ଶତେବରଷ ପୂର୍ଣ୍ଣ ହେଲା । ବେନିବାଳକ ପ୍ରସବିଲା ॥ ୪
ସେ ବେନିପୁତ୍ର ଜନ୍ମକାଳେ । ଦିବି ମେଦିନୀ ଅନ୍ତରାଳେ ॥ ୫
ଘୋର ଉତ୍ପାତ ଭୟଙ୍କର । ଦେଖି କମ୍ପିଲେ ସୁରନର ॥ ୬
ଚଳ ଅଚଳ ସଙ୍ଗେ ମହୀ । କମ୍ପିଲେ ମହାଭୟ ପାଇ ॥ ୭
ଦହିଲା ପ୍ରାୟ ଅଷ୍ଟଦିଗେ । ଦିଶନ୍ତି ଅନଳ ସଂଯୋଗେ ॥ ୮
ଉଲ୍କା ସଙ୍କୁଳ ବଜ୍ର ଯୋଗେ । ସମୁଦ୍ର କମ୍ପିଲା ତରଙ୍ଗେ ॥ ୯
କର୍କଶେ ବହଇ ପବନ । ଉଚ୍ଚେ ଶୁଭଇ ଘୋରସ୍ୱନ ॥ ୧୦
ଘୋର ପ୍ରଚଣ୍ତ ବାତ ବଳେ । ବୃକ୍ଷେ ଉଡ଼ିଲେ ଅନ୍ତରାଳେ ॥ ୧୧
ଧୂଳି ପୂରିଲା ଦଶଦିଶେ । ନିବିଡ଼ ଅନ୍ଧାର ପ୍ରକାଶେ ॥ ୧୨
ଉଚ୍ଚେ ହସିଲାପ୍ରାୟ ହୋଇ । ତଡ଼ିତ ମେଘେ ଆଚ୍ଛାଦଇ ॥ ୧୩
ଗଗନେ ଯେତେ ଜ୍ୟୋତି ଥିଲେ । ଘୋର ତିମିରେ ନ ଦିଶିଲେ ॥ ୧୪
ଗଗନେ ନ ଦିଶଇ ପଥ । ତମ ଆକାଶ କଲା ଗ୍ରସ୍ତ ॥ ୧୫
ସମୁଦ୍ର ଗର୍ଜିଲା ତରଙ୍ଗେ । କ୍ଷୁଭିତ ମକରାଦି ସଙ୍ଗେ ॥ ୧୬
ନଦୀରୁ ଜଳ ଶୁଖିଗଲା । ନିବିଡ଼ ପଙ୍କ ପ୍ରକାଶିଲା ॥ ୧୭
ଆକାଶେ ଚନ୍ଦ୍ର ଦିବାକର । ମଣ୍ତଳେ ଦିଶନ୍ତି ଧୂସର ॥ ୧୮
ବିନା ମେଘରେ ଯେ ନିର୍ଘାତ । ହୋଇଲା ଘୋର ବଜ୍ରପାତ ॥ ୧୯
ଫେରବଗଣ ପୂର୍ବମୁଖେ । ନାଦ କରନ୍ତି ଅତିଦୁଃଖେ ॥ ୨୦
କରନ୍ତି ଅତିଘୋର ସ୍ୱନ । ତୁଣ୍ତେ କି ଜଳେ ହୁତାଶନ ॥ ୨୧
ଶୃଗାଳୀ ଉଲ୍ଲୁକ ହୁଙ୍କାରେ । ନାଦ କରନ୍ତି ଅତିଖରେ ॥ ୨୨
ଗର୍ଦ୍ଦଭ ସଙ୍ଗେ ଶ୍ୱାନେ ମିଳି । କାନ୍ଦନ୍ତି ଉର୍ଦ୍ଧ୍ୱେ ମୁଖ ତୋଳି ॥ ୨୩
ବୃକ୍ଷୁ ପଡ଼ନ୍ତି ପକ୍ଷୀଗଣେ । ଅରଣ୍ୟ ପଶୁ ଘୋରବନେ ॥ ୨୪
ମୂତ୍ର ପରୀଷ ଉତ୍ସର୍ଗନ୍ତି । ରାସଭସ୍ୱନେ ମହାଭୀତି ॥ ୨୫
ଗାବ ଦୋହନେ ରକ୍ତ ସ୍ରବେ । ଗଗନେ ଘୋରନାଦ ଶୁଭେ ॥ ୨୬
ଆକାଶେ ପୂରି ମେଘମାଳେ । ପୂଜ ବରଷନ୍ତି ଗହଳେ ॥ ୨୭
ଲିଙ୍ଗେ କାନ୍ଦନ୍ତି ଶକ୍ତି ଯୁକ୍ତେ । ବୃକ୍ଷେ ପଡ଼ନ୍ତି ବିନା ବାତେ ॥ ୨୮
ଆକାଶେ ଗ୍ରହଗଣ ମିଳି । ଶୂନ୍ୟେ ନାଚନ୍ତି ତାରାବଳି ॥ ୨୯
ଗ୍ରହେ କରନ୍ତି ଘୋରରଣ । ପ୍ରହାରେ ଦିଶେ ଅଗ୍ନିକଣ ॥ ୩୦
ଉତ୍ପାତ ଦେଖି ଗୁରୁତରେ । ପ୍ରଜାଏ କମ୍ପିଲେ ନିର୍ଭରେ ॥ ୩୧
ସନକ ଆଦି ଚାରିଭାଇ । ଦେଖନ୍ତି ଶୂନ୍ୟମାର୍ଗେ ରହି ॥ ୩୨
ବିଶ୍ୱ-ସଂସାରେ ମହାତ୍ରାସେ । ସୃଷ୍ଟି ପ୍ରଳୟପ୍ରାୟ ଦିଶେ ॥ ୩୩
ଏମନ୍ତେ କଶ୍ୟପ ଭୁବନେ । ପୁତ୍ରେ ବଢ଼ନ୍ତି ଦିନେ ଦିନେ ॥ ୩୪
ସ୍ୱଭାବେ କର୍କଶ ଶରୀର । ଦିଶନ୍ତି ମହାଭୟଙ୍କର ॥ ୩୫
ପର୍ବତପ୍ରାୟ ଦିନେ ଦିନେ । ବଢ଼ିଲେ କଶ୍ୟପ ଭୁବନେ ॥ ୩୬
ଶିରେ କିରୀଟ ହେମମୟେ । ଉଚ୍ଚେ ଗଗନ କିବା ଛୁଏଁ ॥ ୩୭
ରବି କି ଜିଣି କଟୀ ମାଝେ । ସୁବର୍ଣ୍ଣ-ମେଖଳା ବିରାଜେ ॥ ୩୮
ବଜ୍ର ସମାନ ଗଦା ହସ୍ତେ । ନିତ୍ୟେ ଧାବନ୍ତି ନାନାପଥେ ॥ ୩୯
ଗୃହେ ମିଳନ୍ତି ଘୋରନାଦେ । ଭୂମି କମ୍ପଇ ବାଜି ପାଦେ ॥ ୪୦
ଏମନ୍ତେ ପୁତ୍ରଙ୍କର ଗତି । ଦେଖି କଶ୍ୟପ ପ୍ରଜାପତି ॥ ୪୧
ନାମକରଣ ହୋମ କଲା । ବେନିପୁତ୍ରଙ୍କ ନାମ ଦେଲା ॥ ୪୨
ବଜ୍ର-କଠିନ ଦେଖି ବପୁ । ବଡ଼ ଯେ ହିରଣ୍ୟକଶିପୁ ॥ ୪୩
ଅନୁଜ ତାହା ତହୁଁ ଦକ୍ଷ । କଳ୍ପିଲା ନାମ ହିରଣ୍ୟାକ୍ଷ ॥ ୪୪
ଦିନକୁ ଦିନ ମହାବପୁ । ବଢ଼ିଲା ହିରଣ୍ୟକଶିପୁ ॥ ୪୫
ତପେ ବ୍ରହ୍ମାଙ୍କୁ ତୋଷ କଲା । ସ୍ୱଭାବେ ତେଜ ଅନର୍ଗଳା ॥ ୪୬
ଗଦା ବୁଲାଇ ମହାରୋଷେ । ବେଗେ ଧାଇଁଲା ଦଶଦିଶେ ॥ ୪୭
ଦେଖି ତାହାର ଦୁଷ୍ଟପଣ । ଭୟେ କମ୍ପିଲେ ଦେବଗଣ ॥ ୪୮
ବେଗେ ମିଳିଲେ ତାର ପାଶେ । ଖଟିଲେ ଜୀବନର ଆଶେ ॥ ୪୯
ତାର ଅନୁଜ ହିରଣ୍ୟାକ୍ଷ । ଗଦା-ସମରେ ମହାଦକ୍ଷ ॥ ୫୦
ଜ୍ୟେଷ୍ଠ-ଭ୍ରାତାର ପ୍ରିୟକାରୀ । ଯୁଦ୍ଧେ ବୁଲଇ ଗଦା ଧରି ॥ ୫୧
ବଳେ ପଶିଲା ସ୍ୱର୍ଗପୁରେ । ସୁବର୍ଣ୍ଣ ନୂପୁର ପୟରେ ॥ ୫୨
ଚାଲନ୍ତେ ରୁଣୁଝୁଣୁ ବାଜେ । କୁସୁମମାଳା ଗଳେ ସାଜେ ॥ ୫୩
କନ୍ଧେ ପକାଇ ଗଦାବର । କି ଅବା ଦେବା ପଟାନ୍ତର ॥ ୫୪
ତାର ଗମନ ଅତିବେଗେ । ଅତି ଉତ୍କଟ ମତ୍ତଗର୍ବେ ॥ ୫୫
ଦେଖି ପଳାନ୍ତି ରିପୁଯୂଥେ । ନିର୍ଭୟେ ଭ୍ରମଇ ଜଗତେ ॥ ୫୬
ଦେବେ ତାହାର ରୂପ ଦେଖି । ଭାଜିଲେ ତ୍ରିଦିବ ଉପେକ୍ଷି ॥ ୫୭
ଆକାଶ ତେଜି ଦେବଗଣେ । ଭୟେ ଲୁଚିଲେ ଘୋରବଣେ ॥ ୫୮
ବନେ ବୁଲିଲେ ତାର ଦର୍ପେ । ଗରୁଡ଼ ଭୟେ ଯେହ୍ନେ ସର୍ପେ ॥ ୫୯
ସ୍ୱର୍ଗେ ପଶିଲା ବେଗେ ଯାଇ । ଦେଖିଲା ସ୍ୱର୍ଗେ ଲୋକ ନାହିଁ ॥ ୬୦
ଦେବତା ଇନ୍ଦ୍ରରାଜ ମେଳେ । ସ୍ୱର୍ଗ ସମ୍ପଦ ଛାଡ଼ି ଗଲେ ॥ ୬୧
ଦେଖିଲା ସ୍ୱର୍ଗେ କେହି ନାହିଁ । ଗର୍ଜନ କଲା ମତ୍ତ ହୋଇ ॥ ୬୨
ଦେଖିଣ ଇନ୍ଦ୍ରର ସମ୍ପଦ । ଅନେକ କଲା ଘୋରନାଦ ॥ ୬୩
ମୁହୂର୍ତ୍ତେ ସ୍ୱର୍ଗପୁରେ ବସି । ପୁଣି ମିଳିଲା ମର୍ତ୍ତ୍ୟେ ଆସି ॥ ୬୪
ଅସୁର ବିଚାରଇ ମନେ । ପଶିବି ବରୁଣ ଭୁବନେ ॥ ୬୫
ମୋହର ପ୍ରାୟ ଗଦା ବଳେ । କେ ଅବା ଅଛଇ ପାତାଳେ ॥ ୬୬
ଏମନ୍ତ ମନେ ବିଚାରିଲା । ଜଳଧି ମଧ୍ୟେ ସେ ପଶିଲା ॥ ୬୭
ସେ ମଦମତ୍ତ-ହସ୍ତୀ ପ୍ରାୟେ । ଜଳଧି ମଧ୍ୟେ ଅବଗାହେ ॥ ୬୮
ଏମନ୍ତେ ହିରଣ୍ୟାକ୍ଷ ବୀର । ଜଳେ ପଶିଲା କ୍ରୋଧଭର ॥ ୬୯
ଜଳେ ପଶନ୍ତେ ମହାସୁର । କମ୍ପିଲା ବରୁଣର ପୁର ॥ ୭୦
ଭାଜିଲେ ଜଳଜନ୍ତୁ ଗଣେ । କେବା ବଳିବ ତାକୁ ରଣେ ॥ ୭୧
ସଭୟେ ସର୍ବେ ପଳାଇଲେ । ଗଭୀର-ଜଳେ ସେ ପଶିଲେ ॥ ୭୨
ଏମନ୍ତ ବରୁଣ-ଭୁବନେ । ବହୁ ବରଷ କୋପମନେ ॥ ୭୩
ସେ ବିଭାବରୀ ନାମ ପୁରୀ । ତା ମଧ୍ୟେ ବିଚରଣ କରି ॥ ୭୪
ଭ୍ରମଇ କରେ ଗଦା ଧରି । କେ ତାକୁ ସମରେ ଉଭାରି ॥ ୭୫
ତାର ନିଃଶ୍ୱାସ-ବାୟୁ ବେଗେ । ବହୁ ତରଙ୍ଗ ଜଳଭାଗେ ॥ ୭୬
ସେ ଲୌହମୟ ଗଦା ନେଇ । ତାହା ଉପରେ ପ୍ରହାରଇ ॥ ୭୭
ରାତ୍ରି ଆଗମେ ଏକଦିନେ । ମିଳି ବରୁଣ ସନ୍ନିଧାନେ ॥ ୭୮
ଅଳପ ହସି ଉପହାସେ । ପ୍ରଣାମ କରି ତାର ପାଶେ ॥ ୭୯
ନୀଚଜନଙ୍କ ପ୍ରାୟେ ହୋଇ । ବୋଲଇ ଶିରେ କର ଦେଇ ॥ ୮୦
ହେ ରାଜା ଶୁଣ ମୋର ବୋଲ । ତୁ ଯୁଦ୍ଧ କର ମୋର ତୁଲ ॥ ୮୧
ବୋଲଇ କରେ ଗଦା ତୋଳି । ଘୋରଶବଦେ ମହାବଳୀ ॥ ୮୨
ମୁଁ ଏବେ ଭୁବନେ ତୋହର । ରହିଲି ବହୁ ସମ୍ବତ୍ସର ॥ ୮୩
ତୁ ମୋତେ ଗଦାଯୁଦ୍ଧ ଦେବୁ । ନ ଦେଲେ ଭୁବନେ ନ ଥିବୁ ॥ ୮୪
ତୁ ଲୋକପାଳ ଅଧିପତି । ଦୁଷ୍ଟ ନାଶନେ ତୋର ଖ୍ୟାତି ॥ ୮୫
ଦୈତ୍ୟ-ଦାନବ ନାଶ କରି । ରାଜସୂୟରେ ଅଧିକାରୀ ॥ ୮୬
ମୋ ସଙ୍ଗେ ଯୁଦ୍ଧ କର ତୁହି । ନ ହେଲେ ସୁଖ ତୋର ନାହିଁ ॥ ୮୭
ତୁ ଲୋକପାଳ ଶିରୋମଣି । ତୋର ମହିମା ମୁହିଁ ଜାଣି ॥ ୮୮
ମିଳିଲି ତୋହର ସମ୍ମୁଖେ । ସମର କର ଆତ୍ମସୁଖେ ॥ ୮୯
ତୁ ଧର୍ମଦାତା ମଧ୍ୟେ ମେରୁ । ବୀରମାନଙ୍କ ଦର୍ପ ହରୁ ॥ ୯୦
ମୋହର ଦର୍ପ ଏବେ ହର । ସୁଖେ ରାଜୁସି ଯାଗ କର ॥ ୯୧
ଏମନ୍ତ ଶୁଣି ତା ବଚନ । ଜଳଧିପତି କୋପେ ଛନ୍ନ ॥ ୯୨
ପୁଣି ସେ କୋପ କରି ସ୍ଥିର । କହଇ ମଚନ ମଧୁର ॥ ୯୩
ବୋଲେ ଶୁଣ ଭୋ ବୀରମଣି । ମୁଁ ତୋର ରିପୁ ନୋହେ ପୁଣି ॥ ୯୪
ତୁ ବୀର କହୁ ମୋର ହିତେ । ମୁଁ ତୋତେ ଯୁଝିବି କେମନ୍ତେ ॥ ୯୫
ତୁ ମହାବୀରଙ୍କର ବୀର । ମୋ ବୋଲେ କୋପ ତୁ ସଂହର ॥ ୯୬
ଭୋ ବୀର ରହ ଦିନାକେତେ । ଇଚ୍ଛା ତୋ ଯେବେ ଯୁଦ୍ଧ ଅର୍ଥେ ॥ ୯୭
ଯେ ତୋର ତୁଲେ ଯୁଦ୍ଧକାରୀ । ମିଳିବେ ମୋତେ ଦୟାକରି ॥ ୯୮
ତୁ ଯୁଦ୍ଧମାର୍ଗରେ ନିପୁଣ । ତୋ ତୁଲେ ସମ ନାରାୟଣ ॥ ୯୯
ତୁ ବୀର ରଣେ ସୁପଣ୍ତିତ । କେ ରଣେ ତୋଷିବ ତୋ ଚିତ୍ତ ॥ ୧୦୦
କେବଳ ପୁରାଣପୁରୁଷ । ସେ ବିଷ୍ଣୁ କରିପାରେ ତୋଷ ॥ ୧୦୧
ତୋତେ ମାରିବେ ସେ ସମରେ । ତୁ ପୁଣି ସଂଗ୍ରାମ ଭୂମିରେ ॥ ୧୦୨
ବୀର ଶୟନେ ତୁ ଆନନ୍ଦେ । ଶୋଇବୁ କୁକୁରଙ୍କ ମଧ୍ୟେ ॥ ୧୦୩
ସେ ରୂପ ବହେ ଏ ଜଗତେ । ତୋହର ପ୍ରାୟ ଦୁଷ୍ଟ ଯେତେ ॥ ୧୦୪
ତାହାଙ୍କ ଗର୍ବ ଚୂର କରେ । ସଂସାର ହିତେ ସେ ବିହରେ ॥ ୧୦୫
ସାଧୁଙ୍କ ଅନୁଗ୍ରହ ଅର୍ଥେ । ତା ଅବତାର ଏ ଜଗତେ ॥ ୧୦୬
ତୋପରି ଅସାଧୁ ବିନାଶେ । ଜଗତେ ସେ ରୂପ ପ୍ରକାଶେ ॥ ୧୦୭
ଏମନ୍ତ ଅସୁରକୁ କହି । ମନେ ଚିନ୍ତଇ ଭାବଗ୍ରାହୀ ॥ ୧୦୮
ସେ ହରି ଚରଣାରବିନ୍ଦେ । ସୁଜନେ ପ୍ରଣମ ଆନନ୍ଦେ ॥ ୧୦୯
ତୃତୀୟସ୍କନ୍ଧେ ଭାଗବତ । କହଇ ଦାସ ଜଗନ୍ନାଥ ॥ ୧୧୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ହିରଣ୍ୟାକ୍ଷ-ଦିଗ୍ବିଜୟେ ସପ୍ତଦଶୋଽଧ୍ୟାୟଃ ॥
* * *