ତୃତୀୟ ସ୍କନ୍ଧ

ଷୋଡ଼ଶ ଅଧ୍ୟାୟ

ବ୍ରହ୍ମା ଉବାଚ

ଏମନ୍ତେ ମୁନିଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥

ମୁନିଙ୍କ ମୁଖ ଚାହିଁ ଭଣି । ମଞ୍ଜୁ କୋମଳ ଶୁଭବାଣୀ ॥

ଭଗବାନ ଉବାଚ

ଜୟ ବିଜୟ ବେନିଭ୍ରାତେ । ମୋ ଦ୍ୱାରେ ଥାନ୍ତି ଅବିରତେ ॥

ମୋ ପାରିଷଦ ବେନିଜନେ । ଦ୍ୱାରେ ଖଟନ୍ତି ମୋ ଭୁବନେ ॥

କଦର୍ଥ କରି ଯେବେ ମୋତେ । କୋପ ବସାଇ ତୁମ୍ଭ ଚିତ୍ତେ ॥

ଯେ ବ୍ରହ୍ମଦଣ୍ତŠ ଏ ପାଇଲେ । ଅନ୍ୟଥା ନୋହେ କାହା ବୋଲେ ॥

ଅସାଧୁ କାର୍ଯ୍ୟ ଯେ କରନ୍ତି । ସେ ଅପରାଧେ ଦŠଣ୍ତ ପା’ନ୍ତି ॥

ମୁହିଁ ସମ୍ମତ କଲି ଚିତ୍ତେ । ଦେବହେଳନ ଅନୁମତେ ॥

ଯେଣୁ ବ୍ରାହ୍ମଣ ଈଷ୍ଟ ମୋର । ତେଣୁ ସୁଦୟା ତୁମ୍ଭେ କର ॥

ତୁମ୍ଭେ ପ୍ରସନ୍ନ ହୁଅ ଚିତ୍ତେ । ଏହାଙ୍କ ଦୋଷ କ୍ଷମ ମୋତେ ॥ ୧୦

ଅଯଶ ସଂସାରେ ପ୍ରକାଶେ । ବ୍ୟାଧି ଯେସନେ ରୂପନାଶେ ॥ ୧୧

ଯାହାର ଗୁଣ ଯଶ ସାର । ଯେହ୍ନେ ନିର୍ମଳ ସୁଧାଧାର ॥ ୧୨

ଶ୍ରବଣପୁଟେ କରି ପାନ । ସଂସାରୁ ତରେ ସର୍ବଜନ ॥ ୧୩

ସେ ବଇକୁଣ୍ଠନାଥ ମୁହିଁ । ତୁମ୍ଭର ଭାବ ହୃଦେ ବହି ॥ ୧୪

ତୁମ୍ଭର କୋପ ଅତିରେକେ । ମିଳିଲି ତୁମ୍ଭର ସମୀପେ ॥ ୧୫

ତୁମ୍ଭେ ମୋ’ ଭାବ ଦୂରକରି । ଅତ୍ୟନ୍ତ କୋପ ହୃଦେଧରି ॥ ୧୬

ବହିଲ ଦ୍ୱାରପାଳେ ଦଣ୍ତŠ । ବ୍ରାହ୍ମଣ ତେଜ ପରଚŠଣ୍ତ ॥ ୧୭

ଯେଉଁ ବ୍ରାହ୍ମଣ ସେବାକାଳେ । ପବିତ୍ର ରେଣୁ ମୋ’ ପୟରେ ॥ ୧୮

ସଦ୍ୟ ପ୍ରସଙ୍ଗେ ମଳହରେ । ସକଳ ପ୍ରାଣୀଙ୍କି ନିସ୍ତାରେ ॥ ୧୯

ସେ ପାଦ କମଳା ନିରତେ । ପ୍ରେମେ ନ ଛାଡ଼େ କଦାଚିତେ ॥ ୨୦

ଯାର କଟାକ୍ଷ ଲେଶ ପାଇଁ । ବ୍ରହ୍ମାଦି ଦେବ ତପଧ୍ୟାୟି ॥ ୨୧

ମୋତେ ବ୍ରାହ୍ମଣେ ବେଦମାର୍ଗେ । ଯଜ୍ଞେ ପୂଜନ୍ତି ହବିର୍ଭାଗେ ॥ ୨୨

ଦଧି ଓଦନ ଘୃତପ୍ଳୁତେ । ମଧୁ ସଂଯୁକ୍ତ ବେଦମତେ ॥ ୨୩

ଏଣେ ସନ୍ତୋଷ ମୋର ନାହିଁ । ବ୍ରାହ୍ମଣ ଦେହେ ମୁଁ ବସଇ ॥ ୨୪

ବ୍ରାହ୍ମଣ ମୁଖେ ଯେବେ ଭକ୍ଷେ । ମୁହିଁ ଭୁଞ୍ଜଇ ତା ପ୍ରତ୍ୟକ୍ଷେ ॥ ୨୫

ବ୍ରାହ୍ମଣ ପାଦରଜ ବଳେ । ମୁଁ ଏ ସଂସାର ଜନ ମେଳେ ॥ ୨୬

ମାୟା ବିଭୂତି ଅଇଶ୍ୱର୍ଯ୍ୟେ । ଭୁଞ୍ଜଇ ସର୍ବଦେହ ମାଝେ ॥ ୨୭

ମୋ ପାଦଜଳ ଅଘ ଦହେ । ଚନ୍ଦ୍ରଶେଖର ଶିରେ ବହେ ॥ ୨୮

ପବିତ୍ର ହୋନ୍ତି ତିନିଲୋକେ । ଏମନ୍ତ ହେଲେହେଁ ମସ୍ତକେ ॥ ୨୯

କିରୀଟେ ଯାର ରେଣୁ ବହେ । ବ୍ରାହ୍ମଣ ଦୋଷ କେ ନ ସହେ ॥ ୩୦

ବିପ୍ର-ଶରୀର ମୋର ତନୁ । ଏଣୁ ଦୁଃସହ ବିପ୍ର-ମନ୍ୟୁ ॥ ୩୧

ଯେ ଭେଦବୁଦ୍ଧିଟି ବିଚାରି । ମୋତେ ଚିନ୍ତନ୍ତି ଭିନ୍ନକରି ॥ ୩୨

ସେ ମୋରେ ଅପରାଧ କରେ । କେବେହେଁ ସଂସାରୁ ନ ତରେ ॥ ୩୩

ଯମର ଗୃଧ୍ରରୂପୀ ଦୂତ । ଚଞ୍ଚୁରେ ନାଶେ ଦୃଷ୍ଟିପଥ ॥ ୩୪

ବ୍ରାହ୍ମଣ ଦେହେ ଦ୍ରୋହ ଚିନ୍ତି । ଏ ଭବସିଦ୍ଧୁ ନ ତରନ୍ତି ॥ ୩୫

ବିପ୍ର ଭକତି ତେଜି ନିତ୍ୟେ । ଭ୍ରମନ୍ତି ଘୋର ମାୟା ପଥେ ॥ ୩୬

ସ୍ୱଭାବ କର୍ମ ଦୂର କରି । ବିକର୍ମ ମତ ଅନୁସରି ॥ ୩୭

ପାଷଣ୍ତŠବାଦ ଅନୁକ୍ଷଣେ । କରନ୍ତି ବିଦ୍ୟାଗର୍ବ ପଣେ ॥ ୩୮

ନୁହଁନ୍ତି ମୋହରେ ବିଶ୍ୱାସ । ଏଣୁ ସଂସାରେ ହୋନ୍ତି ନାଶ ॥ ୩୯

ବ୍ରାହ୍ମଣ କ୍ରୋଧ କଲେ ଚିତ୍ତେ । ଯେ ଶାନ୍ତ କରେ ଯଥୋଚିତେ ॥ ୪୦

କଟୁ ଭାଷଣ ବ୍ରାହ୍ମଣର । ଶୁଣି ସନ୍ତୋଷ ଯେଉଁ ନର ॥ ୪୧

ପୁତ୍ରର ପ୍ରାୟେ କରେ ସ୍ନେହ । ତା ବଶୀଭୂତ ମୋର ଦେହ ॥ ୪୨

ବିପ୍ର ଭକ୍ତିରେ ମୋ ସନ୍ତୋଷ । ମୁହିଁ ନିଶ୍ଚୟ ତାର ବଶ ॥ ୪୩

ସେ ବେଗେ ଭବନଦୀ ତରେ । ଏ ଭାବେ ମୋତେ ବଶ କରେ ॥ ୪୪

ତୁମ୍ଭର ଭାବେ ଯେହୁ ଭାବି । ଶେଷେ ତରନ୍ତି ଭବନଦୀ ॥ ୪୫

ତୁମ୍ଭର ମତ ଯେ ଆଚରି । ମାୟାସମୂହ ପରିହରି ॥ ୪୬

ବ୍ରହ୍ମନିର୍ବାଣେ ପଶେ ଯାଇ । ଉଦୟ ଅସ୍ତ ତାର ନାହିଁ ॥ ୪୭

ଏମନ୍ତ କହି ଭଗବାନ । ମୋହିଲେ ସନକାଦି ମନ ॥ ୪୮

ତୁମ୍ଭର ବ୍ରହ୍ମଶାପ ଫଳେ । ତୃତୀୟ ଜନ୍ମ ରବିତଳେ ॥ ୪୯

ଦୁଷ୍ଟଆଚାର କର୍ମ କରି । ଧର୍ମ ଅଧର୍ମ ନ ବିଚାରି ॥ ୫୦

ଏବେ ଏ ତୁମ୍ଭର ସନ୍ତୋଷେ । ପୁଣି ମିଳିବେ ମୋର ପାଶେ ॥ ୫୧

ମୁଁ ପୁଣି ତାଙ୍କ ଉପକାରେ । ଶରୀର ବହିବି ସଂସାରେ ॥ ୫୨

କରିବି ତାହାଙ୍କୁ ନିସ୍ତାର । କହିଲେ ପ୍ରଭୁ ଚକ୍ରଧର ॥ ୫୩

ବ୍ରହ୍ମା ଉବାଚ

ଏମନ୍ତ କୃଷ୍ଣ ମଞ୍ଜୁବାଣୀ । ସନ୍ତୋଷ ବିପ୍ରବରେ ଶୁଣି ॥ ୫୪

ବିଷ୍ଣୁର ଭକ୍ତି ହୃଦେ ବହି । ବୋଲନ୍ତି ଶିରେ କର ଦେଇ ॥ ୫୫

ଋଷିଗଣ ଉବାଚ

ଭୋ ଦେବଦେବ ଲକ୍ଷ୍ମୀପତି । ଆମ୍ଭେ ନ ଜାଣୁ ତୋର ଗତି ॥ ୫୬

ଆମ୍ଭଙ୍କୁ ଅନୁଗ୍ରହ କରି । ଯାହା ବୋଇଲୁ ନରହରି ॥ ୫୭

ବ୍ରହ୍ମଣ୍ୟଦେବ ତୋ ମହିମା । ତୋ ଗତି ନ ଜାଣନ୍ତି ବ୍ରହ୍ମା ॥ ୫୮

ତୁ ପୁଣି ଦେବ ବିପ୍ରଙ୍କର । ଆତ୍ମା ସୁହୃଦ ଶକ୍ତିଧର ॥ ୫୯

ଧର୍ମ ତୋ ଶରୀରୁ ପ୍ରକାଶେ । ଯେ ଧର୍ମ ସୃଷ୍ଟି ପାପ ନାଶେ ॥ ୬୦

ତୁ ନାଥ ନିର୍ବିକାର ଧର୍ମ । ତାର ରକ୍ଷଣ ତୋର କର୍ମ ॥ ୬୧

ଯାହାର ଅନୁଗ୍ରହେ ଜନ । ଧର୍ମ ସଞ୍ଚୟେ ଦ୍ୟନ୍ତି ମନ ॥ ୬୨

ତୋ ପାଦପଦ୍ମ ସେବାଫଳେ । ମୃତ୍ୟୁ ଜିଣନ୍ତି ଅବହେଳେ ॥ ୬୩

ତୁ ଅଟୁ ଏମନ୍ତ ପୁରୁଷ । ଆମ୍ଭର ଅନୁଗ୍ରହେ ଆଶ ॥ ୬୪

ଏ ତୋର ଗତି ବିପରୀତ । କେ ଅବା ଜାଣିବ କିଞ୍ଚିତ ॥ ୬୫

ଏମନ୍ତ ମୁନିଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୬୬

ବ୍ରାହ୍ମଣ ଭାବ ଚିତ୍ତେ ବହି । କହନ୍ତି ବିପ୍ରଙ୍କୁ ଅନାଇ ॥ ୬୭

ଭଗବାନ ଉବାଚ

ଜୟ ବିଜୟ ବେନିଭାଇ । ତୁମ୍ଭର ଚିତ୍ତେ କ୍ରୋଧ ଦେଇ ॥ ୬୮

ଅସୁରଯୋନି ଏ ପାଇବେ । ଦୁଷ୍କୃତ କର୍ମ ଆଚରିବେ ॥ ୬୯

ପୁଣି ଆସିବେ ମୋର ପୁରେ । ସୁବ‰ର୍ଣ୍ଣ ବେତ୍ର ଧରି କରେ ॥ ୭୦

ଏ ବଇକୁଣ୍ଠ ପୁରେ ବାସ । ଯେବେ ତୁମ୍ଭର ମନ ତୋଷ ॥ ୭୧

ବ୍ରହ୍ମା ଉବାଚ

ଏ ଚାରି ମୋହର ନନ୍ଦନେ । ତକ୍ଷଣେ ଆନନ୍ଦ ଲୋଚନେ ॥ ୭୨

ବିଷ୍ଣୁର ମୁଖ ଦେଖି ତୋଷେ । ବେଗେ ମିଳିଲେ କୃଷ୍ଣପାଶେ ॥ ୭୩

ସ୍ୱଭାବେ ବିଷ୍ଣୁର ଭୁବନ । ଯହିଁ ନ ଥାନ୍ତି ଦୁଷ୍ଟଜନ ॥ ୭୪

ବିଷ୍ଣୁଙ୍କୁ କରି ପ୍ରଦକ୍ଷିଣ । ଆଜ୍ଞା ମାଗିଣ ମୁନିଗଣ ॥ ୭୫

ବିଷ୍ଣୁର ପାଦେ ସେ ନମିଲେ । ଆନନ୍ଦେ ନିଜସ୍ଥାନେ ଗଲେ ॥ ୭୬

ଦ୍ୱାରପାଳଙ୍କ ମୁଖ ଚାହିଁ । କହନ୍ତି ପ୍ରଭୁ ଭାବଗ୍ରାହୀ ॥ ୭୭

ତୁମ୍ଭେ ଯେ ଧରଣୀମଣ୍ତŠଳେ । ଜନ୍ମିବ ଅସୁରଙ୍କ କୁଳେ ॥ ୭୮

ତୁମ୍ଭ କୁଶଳ ମୁଁ କରିବି । ତୃତୀୟ ଜନ୍ମ ଉଦ୍ଧରିବି ॥ ୭୯

ବ୍ରାହ୍ମଣ ଶାପ ନାଶ ପାଇଁ । ମୁଁ ଅବା ସମର୍ଥ ଅଟଇ ॥ ୮୦

ହେଲେହେଁ ସମ୍ମତ ମୋହର । ଭୟ ନ କର ବେନିବୀର ॥ ୮୧

ଏ କଥା କମଳା ସମୀପେ । କହିଁ ମୁଁ ଅଛି ପୂର୍ବକଳ୍ପେ ॥ ୮୨

ମୋର ଏକାନ୍ତେ ଲକ୍ଷ୍ମୀ ଯାନ୍ତେ । ଯେବେ ନିରୋଧ କଲ ପଥେ ॥ ୮୩

ବ୍ରହ୍ମହେଳନ ଯେ କରନ୍ତି । ମୋ ହୃଦେ ଶଲ୍ୟ ସମର୍ପନ୍ତି ॥ ୮୪

ତୁମ୍ଭର ତାରଣ ନିମନ୍ତେ । ମୁଁ ଦେହ ବହିବି ଜଗତେ ॥ ୮୫

ଭୁବନେ ରହିବ ମୋ ଯଶ । ଶୁଣନ୍ତେ ପାପ ଯିବ ନାଶ ॥ ୮୬

ମୋ କଥା ଭୁବନ-ପାବନୀ । ଏ ଭୂମିମଧ୍ୟେ ଦେହ ଘେନି ॥ ୮୭

କରିବେ ଶ୍ରବଣ କୀର୍ତ୍ତନ । ଶୁଣି ତରିବେ ସର୍ବଜନ ॥ ୮୮

ବ୍ରହ୍ମା ଉବାଚ

ଏମନ୍ତେ ଦ୍ୱାରପାଳେ କହି । ନିଜ ଭୁବନେ ଭାବଗ୍ରାହୀ ॥ ୮୯

ବସିଲେ କମଳାର ମେଳେ । ଆବୃତ ବିମାନ ସଙ୍କୁଳେ ॥ ୯୦

ସେ ଦ୍ୱାରପାଳ ବେନିଭାଇ । ଭାଳନ୍ତି ଦଶଦିଗ ଚାହିଁ ॥ ୯୧

ତକ୍ଷଣେ ଅଧର ଶୁଖିଲା । ଆତ୍ମାରୁ ବିଷ୍ଣୁତେଜ ଗଲା ॥ ୯୨

ଦୁସ୍ତର ବ୍ରହ୍ମଶାପୁ କରି । ବେଗେ ହୋଇଲେ ହତଶିରୀ ॥ ୯୩

ତକ୍ଷଣେ ହତଗର୍ବ ହୋଇ । ଅଧୋବଦନେ ବେନିଭାଇ ॥ ୯୪

ବିଷ୍ଣୁର ଭୁବନୁ ପଡ଼ନ୍ତେ । ହାହା ଶବଦ ଶୂନ୍ୟ ପଥେ ॥ ୯୫

ସେ ବେନିବୀର ଏକଭାବେ । ତକ୍ଷଣେ ପଶି ଦିତିଗର୍ଭେ ॥ ୯୬

କଶ୍ୟପବୀର୍ଯ୍ୟ ଆଶ୍ରେ କରି । ଏଣୁ ଭୁବନଲୋକେ ଡରି ॥ ୯୭

ସେ ବେନି ଅସୁରଙ୍କ ତେଜ । ତୁମ୍ଭଙ୍କୁ କରିଛି ନିସ୍ତେଜ ॥ ୯୮

ସେ ବେନିଭାଇଙ୍କର ଦର୍ପେ । ତିନିଭୁବନ ଦିଶ କମ୍ପେ ॥ ୯୯

ଏଥକୁ ନାହିଁ ପ୍ରତିକାର । ତ୍ରାହି କରିବେ ଚକ୍ରଧର ॥ ୧୦୦

ଯେ ବିଶ୍ୱସୃଷ୍ଟିର କାରଣ । ଅନାଦି ପ୍ରଭୁ ନାରାୟଣ ॥ ୧୦୧

ତା ମାୟା ନ ଜାଣନ୍ତି କେହି । ସଂସାରମଧ୍ୟେ ଦେହ ବହି ॥ ୧୦୨

ଆମ୍ଭେ ସକଳେ ତା ଚରଣେ । ଆଶ୍ରୟ କରୁଁ ଭୃତ୍ୟପଣେ ॥ ୧୦୩

ଏ ଘୋରଭୟ ହିଁ ଆମ୍ଭର । ଖŠଣ୍ତିବେ ପ୍ରଭୁ ଚକ୍ରଧର ॥ ୧୦୪

ଏମନ୍ତେ ଦେବଗଣ ମଧ୍ୟେ । ବିଧାତା କହିଲେ ଆନନ୍ଦେ ॥ ୧୦୫

ସେ ହରି ଚରଣ କମଳେ । ସୁଜନେ ଚିନ୍ତ ହେ ନିଶ୍ଚଳେ ॥ ୧୦୬

ସେ ହରି ବ୍ରାହ୍ମଣ-ବତ୍ସ›ଳ । କରୁଣାସିନ୍ଧୁ ଆଦିମୂଳ ॥ ୧୦୭

ତାହାଙ୍କ ଚରଣ-ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୧୦୮

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ଷୋଡ଼ଶୋଽଧ୍ୟାୟଃ ॥

* * *