ତୃତୀୟ ସ୍କନ୍ଧ
ଷୋଡ଼ଶ ଅଧ୍ୟାୟ
ବ୍ରହ୍ମା ଉବାଚ
ଏମନ୍ତେ ମୁନିଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୧
ମୁନିଙ୍କ ମୁଖ ଚାହିଁ ଭଣି । ମଞ୍ଜୁ କୋମଳ ଶୁଭବାଣୀ ॥ ୨
ଭଗବାନ ଉବାଚ
ଜୟ ବିଜୟ ବେନିଭ୍ରାତେ । ମୋ ଦ୍ୱାରେ ଥାନ୍ତି ଅବିରତେ ॥ ୩
ମୋ ପାରିଷଦ ବେନିଜନେ । ଦ୍ୱାରେ ଖଟନ୍ତି ମୋ ଭୁବନେ ॥ ୪
କଦର୍ଥ କରି ଯେବେ ମୋତେ । କୋପ ବସାଇ ତୁମ୍ଭ ଚିତ୍ତେ ॥ ୫
ଯେ ବ୍ରହ୍ମଦଣ୍ତ ଏ ପାଇଲେ । ଅନ୍ୟଥା ନୋହେ କାହା ବୋଲେ ॥ ୬
ଅସାଧୁ କାର୍ଯ୍ୟ ଯେ କରନ୍ତି । ସେ ଅପରାଧେ ଦଣ୍ତ ପାନ୍ତି ॥ ୭
ମୁହିଁ ସମ୍ମତ କଲି ଚିତ୍ତେ । ଦେବହେଳନ ଅନୁମତେ ॥ ୮
ଯେଣୁ ବ୍ରାହ୍ମଣ ଈଷ୍ଟ ମୋର । ତେଣୁ ସୁଦୟା ତୁମ୍ଭେ କର ॥ ୯
ତୁମ୍ଭେ ପ୍ରସନ୍ନ ହୁଅ ଚିତ୍ତେ । ଏହାଙ୍କ ଦୋଷ କ୍ଷମ ମୋତେ ॥ ୧୦
ଅଯଶ ସଂସାରେ ପ୍ରକାଶେ । ବ୍ୟାଧି ଯେସନେ ରୂପନାଶେ ॥ ୧୧
ଯାହାର ଗୁଣ ଯଶ ସାର । ଯେହ୍ନେ ନିର୍ମଳ ସୁଧାଧାର ॥ ୧୨
ଶ୍ରବଣପୁଟେ କରି ପାନ । ସଂସାରୁ ତରେ ସର୍ବଜନ ॥ ୧୩
ସେ ବଇକୁଣ୍ଠନାଥ ମୁହିଁ । ତୁମ୍ଭର ଭାବ ହୃଦେ ବହି ॥ ୧୪
ତୁମ୍ଭର କୋପ ଅତିରେକେ । ମିଳିଲି ତୁମ୍ଭର ସମୀପେ ॥ ୧୫
ତୁମ୍ଭେ ମୋ ଭାବ ଦୂରକରି । ଅତ୍ୟନ୍ତ କୋପ ହୃଦେଧରି ॥ ୧୬
ବହିଲ ଦ୍ୱାରପାଳେ ଦଣ୍ତ । ବ୍ରାହ୍ମଣ ତେଜ ପରଚଣ୍ତ ॥ ୧୭
ଯେଉଁ ବ୍ରାହ୍ମଣ ସେବାକାଳେ । ପବିତ୍ର ରେଣୁ ମୋ ପୟରେ ॥ ୧୮
ସଦ୍ୟ ପ୍ରସଙ୍ଗେ ମଳହରେ । ସକଳ ପ୍ରାଣୀଙ୍କି ନିସ୍ତାରେ ॥ ୧୯
ସେ ପାଦ କମଳା ନିରତେ । ପ୍ରେମେ ନ ଛାଡ଼େ କଦାଚିତେ ॥ ୨୦
ଯାର କଟାକ୍ଷ ଲେଶ ପାଇଁ । ବ୍ରହ୍ମାଦି ଦେବ ତପଧ୍ୟାୟି ॥ ୨୧
ମୋତେ ବ୍ରାହ୍ମଣେ ବେଦମାର୍ଗେ । ଯଜ୍ଞେ ପୂଜନ୍ତି ହବିର୍ଭାଗେ ॥ ୨୨
ଦଧି ଓଦନ ଘୃତପ୍ଳୁତେ । ମଧୁ ସଂଯୁକ୍ତ ବେଦମତେ ॥ ୨୩
ଏଣେ ସନ୍ତୋଷ ମୋର ନାହିଁ । ବ୍ରାହ୍ମଣ ଦେହେ ମୁଁ ବସଇ ॥ ୨୪
ବ୍ରାହ୍ମଣ ମୁଖେ ଯେବେ ଭକ୍ଷେ । ମୁହିଁ ଭୁଞ୍ଜଇ ତା ପ୍ରତ୍ୟକ୍ଷେ ॥ ୨୫
ବ୍ରାହ୍ମଣ ପାଦରଜ ବଳେ । ମୁଁ ଏ ସଂସାର ଜନ ମେଳେ ॥ ୨୬
ମାୟା ବିଭୂତି ଅଇଶ୍ୱର୍ଯ୍ୟେ । ଭୁଞ୍ଜଇ ସର୍ବଦେହ ମାଝେ ॥ ୨୭
ମୋ ପାଦଜଳ ଅଘ ଦହେ । ଚନ୍ଦ୍ରଶେଖର ଶିରେ ବହେ ॥ ୨୮
ପବିତ୍ର ହୋନ୍ତି ତିନିଲୋକେ । ଏମନ୍ତ ହେଲେହେଁ ମସ୍ତକେ ॥ ୨୯
କିରୀଟେ ଯାର ରେଣୁ ବହେ । ବ୍ରାହ୍ମଣ ଦୋଷ କେ ନ ସହେ ॥ ୩୦
ବିପ୍ର-ଶରୀର ମୋର ତନୁ । ଏଣୁ ଦୁଃସହ ବିପ୍ର-ମନ୍ୟୁ ॥ ୩୧
ଯେ ଭେଦବୁଦ୍ଧିଟି ବିଚାରି । ମୋତେ ଚିନ୍ତନ୍ତି ଭିନ୍ନକରି ॥ ୩୨
ସେ ମୋରେ ଅପରାଧ କରେ । କେବେହେଁ ସଂସାରୁ ନ ତରେ ॥ ୩୩
ଯମର ଗୃଧ୍ରରୂପୀ ଦୂତ । ଚଞ୍ଚୁରେ ନାଶେ ଦୃଷ୍ଟିପଥ ॥ ୩୪
ବ୍ରାହ୍ମଣ ଦେହେ ଦ୍ରୋହ ଚିନ୍ତି । ଏ ଭବସିଦ୍ଧୁ ନ ତରନ୍ତି ॥ ୩୫
ବିପ୍ର ଭକତି ତେଜି ନିତ୍ୟେ । ଭ୍ରମନ୍ତି ଘୋର ମାୟା ପଥେ ॥ ୩୬
ସ୍ୱଭାବ କର୍ମ ଦୂର କରି । ବିକର୍ମ ମତ ଅନୁସରି ॥ ୩୭
ପାଷଣ୍ତବାଦ ଅନୁକ୍ଷଣେ । କରନ୍ତି ବିଦ୍ୟାଗର୍ବ ପଣେ ॥ ୩୮
ନୁହଁନ୍ତି ମୋହରେ ବିଶ୍ୱାସ । ଏଣୁ ସଂସାରେ ହୋନ୍ତି ନାଶ ॥ ୩୯
ବ୍ରାହ୍ମଣ କ୍ରୋଧ କଲେ ଚିତ୍ତେ । ଯେ ଶାନ୍ତ କରେ ଯଥୋଚିତେ ॥ ୪୦
କଟୁ ଭାଷଣ ବ୍ରାହ୍ମଣର । ଶୁଣି ସନ୍ତୋଷ ଯେଉଁ ନର ॥ ୪୧
ପୁତ୍ରର ପ୍ରାୟେ କରେ ସ୍ନେହ । ତା ବଶୀଭୂତ ମୋର ଦେହ ॥ ୪୨
ବିପ୍ର ଭକ୍ତିରେ ମୋ ସନ୍ତୋଷ । ମୁହିଁ ନିଶ୍ଚୟ ତାର ବଶ ॥ ୪୩
ସେ ବେଗେ ଭବନଦୀ ତରେ । ଏ ଭାବେ ମୋତେ ବଶ କରେ ॥ ୪୪
ତୁମ୍ଭର ଭାବେ ଯେହୁ ଭାବି । ଶେଷେ ତରନ୍ତି ଭବନଦୀ ॥ ୪୫
ତୁମ୍ଭର ମତ ଯେ ଆଚରି । ମାୟାସମୂହ ପରିହରି ॥ ୪୬
ବ୍ରହ୍ମନିର୍ବାଣେ ପଶେ ଯାଇ । ଉଦୟ ଅସ୍ତ ତାର ନାହିଁ ॥ ୪୭
ଏମନ୍ତ କହି ଭଗବାନ । ମୋହିଲେ ସନକାଦି ମନ ॥ ୪୮
ତୁମ୍ଭର ବ୍ରହ୍ମଶାପ ଫଳେ । ତୃତୀୟ ଜନ୍ମ ରବିତଳେ ॥ ୪୯
ଦୁଷ୍ଟଆଚାର କର୍ମ କରି । ଧର୍ମ ଅଧର୍ମ ନ ବିଚାରି ॥ ୫୦
ଏବେ ଏ ତୁମ୍ଭର ସନ୍ତୋଷେ । ପୁଣି ମିଳିବେ ମୋର ପାଶେ ॥ ୫୧
ମୁଁ ପୁଣି ତାଙ୍କ ଉପକାରେ । ଶରୀର ବହିବି ସଂସାରେ ॥ ୫୨
କରିବି ତାହାଙ୍କୁ ନିସ୍ତାର । କହିଲେ ପ୍ରଭୁ ଚକ୍ରଧର ॥ ୫୩
ବ୍ରହ୍ମା ଉବାଚ
ଏମନ୍ତ କୃଷ୍ଣ ମଞ୍ଜୁବାଣୀ । ସନ୍ତୋଷ ବିପ୍ରବରେ ଶୁଣି ॥ ୫୪
ବିଷ୍ଣୁର ଭକ୍ତି ହୃଦେ ବହି । ବୋଲନ୍ତି ଶିରେ କର ଦେଇ ॥ ୫୫
ଋଷିଗଣ ଉବାଚ
ଭୋ ଦେବଦେବ ଲକ୍ଷ୍ମୀପତି । ଆମ୍ଭେ ନ ଜାଣୁ ତୋର ଗତି ॥ ୫୬
ଆମ୍ଭଙ୍କୁ ଅନୁଗ୍ରହ କରି । ଯାହା ବୋଇଲୁ ନରହରି ॥ ୫୭
ବ୍ରହ୍ମଣ୍ୟଦେବ ତୋ ମହିମା । ତୋ ଗତି ନ ଜାଣନ୍ତି ବ୍ରହ୍ମା ॥ ୫୮
ତୁ ପୁଣି ଦେବ ବିପ୍ରଙ୍କର । ଆତ୍ମା ସୁହୃଦ ଶକ୍ତିଧର ॥ ୫୯
ଧର୍ମ ତୋ ଶରୀରୁ ପ୍ରକାଶେ । ଯେ ଧର୍ମ ସୃଷ୍ଟି ପାପ ନାଶେ ॥ ୬୦
ତୁ ନାଥ ନିର୍ବିକାର ଧର୍ମ । ତାର ରକ୍ଷଣ ତୋର କର୍ମ ॥ ୬୧
ଯାହାର ଅନୁଗ୍ରହେ ଜନ । ଧର୍ମ ସଞ୍ଚୟେ ଦ୍ୟନ୍ତି ମନ ॥ ୬୨
ତୋ ପାଦପଦ୍ମ ସେବାଫଳେ । ମୃତ୍ୟୁ ଜିଣନ୍ତି ଅବହେଳେ ॥ ୬୩
ତୁ ଅଟୁ ଏମନ୍ତ ପୁରୁଷ । ଆମ୍ଭର ଅନୁଗ୍ରହେ ଆଶ ॥ ୬୪
ଏ ତୋର ଗତି ବିପରୀତ । କେ ଅବା ଜାଣିବ କିଞ୍ଚିତ ॥ ୬୫
ଏମନ୍ତ ମୁନିଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୬୬
ବ୍ରାହ୍ମଣ ଭାବ ଚିତ୍ତେ ବହି । କହନ୍ତି ବିପ୍ରଙ୍କୁ ଅନାଇ ॥ ୬୭
ଭଗବାନ ଉବାଚ
ଜୟ ବିଜୟ ବେନିଭାଇ । ତୁମ୍ଭର ଚିତ୍ତେ କ୍ରୋଧ ଦେଇ ॥ ୬୮
ଅସୁରଯୋନି ଏ ପାଇବେ । ଦୁଷ୍କୃତ କର୍ମ ଆଚରିବେ ॥ ୬୯
ପୁଣି ଆସିବେ ମୋର ପୁରେ । ସୁବର୍ଣ୍ଣ ବେତ୍ର ଧରି କରେ ॥ ୭୦
ଏ ବଇକୁଣ୍ଠ ପୁରେ ବାସ । ଯେବେ ତୁମ୍ଭର ମନ ତୋଷ ॥ ୭୧
ବ୍ରହ୍ମା ଉବାଚ
ଏ ଚାରି ମୋହର ନନ୍ଦନେ । ତକ୍ଷଣେ ଆନନ୍ଦ ଲୋଚନେ ॥ ୭୨
ବିଷ୍ଣୁର ମୁଖ ଦେଖି ତୋଷେ । ବେଗେ ମିଳିଲେ କୃଷ୍ଣପାଶେ ॥ ୭୩
ସ୍ୱଭାବେ ବିଷ୍ଣୁର ଭୁବନ । ଯହିଁ ନ ଥାନ୍ତି ଦୁଷ୍ଟଜନ ॥ ୭୪
ବିଷ୍ଣୁଙ୍କୁ କରି ପ୍ରଦକ୍ଷିଣ । ଆଜ୍ଞା ମାଗିଣ ମୁନିଗଣ ॥ ୭୫
ବିଷ୍ଣୁର ପାଦେ ସେ ନମିଲେ । ଆନନ୍ଦେ ନିଜସ୍ଥାନେ ଗଲେ ॥ ୭୬
ଦ୍ୱାରପାଳଙ୍କ ମୁଖ ଚାହିଁ । କହନ୍ତି ପ୍ରଭୁ ଭାବଗ୍ରାହୀ ॥ ୭୭
ତୁମ୍ଭେ ଯେ ଧରଣୀମଣ୍ତଳେ । ଜନ୍ମିବ ଅସୁରଙ୍କ କୁଳେ ॥ ୭୮
ତୁମ୍ଭ କୁଶଳ ମୁଁ କରିବି । ତୃତୀୟ ଜନ୍ମ ଉଦ୍ଧରିବି ॥ ୭୯
ବ୍ରାହ୍ମଣ ଶାପ ନାଶ ପାଇଁ । ମୁଁ ଅବା ସମର୍ଥ ଅଟଇ ॥ ୮୦
ହେଲେହେଁ ସମ୍ମତ ମୋହର । ଭୟ ନ କର ବେନିବୀର ॥ ୮୧
ଏ କଥା କମଳା ସମୀପେ । କହିଁ ମୁଁ ଅଛି ପୂର୍ବକଳ୍ପେ ॥ ୮୨
ମୋର ଏକାନ୍ତେ ଲକ୍ଷ୍ମୀ ଯାନ୍ତେ । ଯେବେ ନିରୋଧ କଲ ପଥେ ॥ ୮୩
ବ୍ରହ୍ମହେଳନ ଯେ କରନ୍ତି । ମୋ ହୃଦେ ଶଲ୍ୟ ସମର୍ପନ୍ତି ॥ ୮୪
ତୁମ୍ଭର ତାରଣ ନିମନ୍ତେ । ମୁଁ ଦେହ ବହିବି ଜଗତେ ॥ ୮୫
ଭୁବନେ ରହିବ ମୋ ଯଶ । ଶୁଣନ୍ତେ ପାପ ଯିବ ନାଶ ॥ ୮୬
ମୋ କଥା ଭୁବନ-ପାବନୀ । ଏ ଭୂମିମଧ୍ୟେ ଦେହ ଘେନି ॥ ୮୭
କରିବେ ଶ୍ରବଣ କୀର୍ତ୍ତନ । ଶୁଣି ତରିବେ ସର୍ବଜନ ॥ ୮୮
ବ୍ରହ୍ମା ଉବାଚ
ଏମନ୍ତେ ଦ୍ୱାରପାଳେ କହି । ନିଜ ଭୁବନେ ଭାବଗ୍ରାହୀ ॥ ୮୯
ବସିଲେ କମଳାର ମେଳେ । ଆବୃତ ବିମାନ ସଙ୍କୁଳେ ॥ ୯୦
ସେ ଦ୍ୱାରପାଳ ବେନିଭାଇ । ଭାଳନ୍ତି ଦଶଦିଗ ଚାହିଁ ॥ ୯୧
ତକ୍ଷଣେ ଅଧର ଶୁଖିଲା । ଆତ୍ମାରୁ ବିଷ୍ଣୁତେଜ ଗଲା ॥ ୯୨
ଦୁସ୍ତର ବ୍ରହ୍ମଶାପୁ କରି । ବେଗେ ହୋଇଲେ ହତଶିରୀ ॥ ୯୩
ତକ୍ଷଣେ ହତଗର୍ବ ହୋଇ । ଅଧୋବଦନେ ବେନିଭାଇ ॥ ୯୪
ବିଷ୍ଣୁର ଭୁବନୁ ପଡ଼ନ୍ତେ । ହାହା ଶବଦ ଶୂନ୍ୟ ପଥେ ॥ ୯୫
ସେ ବେନିବୀର ଏକଭାବେ । ତକ୍ଷଣେ ପଶି ଦିତିଗର୍ଭେ ॥ ୯୬
କଶ୍ୟପବୀର୍ଯ୍ୟ ଆଶ୍ରେ କରି । ଏଣୁ ଭୁବନଲୋକେ ଡରି ॥ ୯୭
ସେ ବେନି ଅସୁରଙ୍କ ତେଜ । ତୁମ୍ଭଙ୍କୁ କରିଛି ନିସ୍ତେଜ ॥ ୯୮
ସେ ବେନିଭାଇଙ୍କର ଦର୍ପେ । ତିନିଭୁବନ ଦିଶ କମ୍ପେ ॥ ୯୯
ଏଥକୁ ନାହିଁ ପ୍ରତିକାର । ତ୍ରାହି କରିବେ ଚକ୍ରଧର ॥ ୧୦୦
ଯେ ବିଶ୍ୱସୃଷ୍ଟିର କାରଣ । ଅନାଦି ପ୍ରଭୁ ନାରାୟଣ ॥ ୧୦୧
ତା ମାୟା ନ ଜାଣନ୍ତି କେହି । ସଂସାରମଧ୍ୟେ ଦେହ ବହି ॥ ୧୦୨
ଆମ୍ଭେ ସକଳେ ତା ଚରଣେ । ଆଶ୍ରୟ କରୁଁ ଭୃତ୍ୟପଣେ ॥ ୧୦୩
ଏ ଘୋରଭୟ ହିଁ ଆମ୍ଭର । ଖଣ୍ତିବେ ପ୍ରଭୁ ଚକ୍ରଧର ॥ ୧୦୪
ଏମନ୍ତେ ଦେବଗଣ ମଧ୍ୟେ । ବିଧାତା କହିଲେ ଆନନ୍ଦେ ॥ ୧୦୫
ସେ ହରି ଚରଣ କମଳେ । ସୁଜନେ ଚିନ୍ତ ହେ ନିଶ୍ଚଳେ ॥ ୧୦୬
ସେ ହରି ବ୍ରାହ୍ମଣ-ବତ୍ସଳ । କରୁଣାସିନ୍ଧୁ ଆଦିମୂଳ ॥ ୧୦୭
ତାହାଙ୍କ ଚରଣ-ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୧୦୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଷୋଡ଼ଶୋଽଧ୍ୟାୟଃ ॥
* * *