ତୃତୀୟ ସ୍କନ୍ଧ

ପଞ୍ଚଦଶ ଅଧ୍ୟାୟ

ମୈତ୍ରେୟ ଉବାଚ

ସେ ପ୍ରଜାପତି ତେଜବୀର୍ଯ୍ୟ । ଦିତି ଉଦରେ ସେ ଆତ୍ମଜ ॥

ଶତେବରଷ ବେଦମତେ । ଗର୍ଭେ ଧଇଲା ଭୟଚିତ୍ତେ ॥

ଦେବଦଳନ ତେଜ ଶୁଣି । ଅନ୍ତରେ ଭାଳଇ ତରୁଣୀ ॥

ନ ଜାଣି କଲି ଏଡ଼େ କର୍ମ । କାମେ ହୋଇଲି ମତିଭ୍ରମ ॥

ଦଇବବଳ ବଳୀୟାର । କି କରିପାରେ ସୁରନର ॥

ଗଭୀର ତେଜ ବଳେ କରି । ଲୋକେ ଦିଶିଲେ ହତଶିରୀ ॥

ଏବେ ହୋ ଶୁଣ କୁରୁବୀର । ସଂସାର ଦିଶେ ଅନ୍ଧକାର ॥

ଇନ୍ଦ୍ରାଦି ଦିଗପାଳେ ମିଳି । ସକଳେ ଏକମନେ ଭାଳି ॥

ବ୍ରହ୍ମାର ନିକଟେ ମିଳିଲେ । ଭୟେ ଅନେକ ସ୍ତୁତି କଲେ ॥

ଦେବଗଣ ଉବାଚ

ଭୋ ଦେବଦେବ ପ୍ରଜାପତି । ଦିଗେ ଦିଶନ୍ତି ଭୟାକୃତି ॥ ୧୦

ଏ ଘୋର ଅନ୍ଧକାର ଯେଣୁ । ଆମ୍ଭେ ତ ଭଲେ ନ ପ୍ରମାଣୁ ॥ ୧୧

କୁଶଳ ନୋହେ ଏ ସଂସାର । ଅଦ୍ଭୁତ ଘୋର ଅନ୍ଧକାର ॥ ୧୨

ଏ କଥା ତୁମ୍ଭଙ୍କୁ ଗୋଚର । କି ଅଗୋଚର ବା ତୁମ୍ଭର ॥ ୧୩

ଏ କାଳ ମହିମା କେ ଜାଣେ । ଆଗମ ନିଗମ ପ୍ରମାଣେ ॥ ୧୪

ହେ ଦେବଦେବ ଜଗନ୍ନାଥ । ଆମ୍ଭେ ସକଳେ ତୋ’ର ଭୃତ୍ୟ ॥ ୧୫

ତୁ ପରାତ୍ପର ଭାବଗ୍ରାହୀ । ଜଗତ ମାୟାବଳେ ମୋହି ॥ ୧୬

ଗୃହୀତ ରଜୋଗୁଣେ ଦେହୀ । ତୋ ରୂପ ନ ଜାଣନ୍ତି କେହି ॥ ୧୭

ଅନନ୍ୟଭାବେ ଆତ୍ମାଲାଭେ । ଯେ ପ୍ରାଣୀ ତୋ ଚରଣ ସେବେ ॥ ୧୮

ତା’ର ଅଶୁଭ ଲେଶ ନାହିଁ । ସତ ଅସତ ପର ତୁହି ॥ ୧୯

ନିର୍ଜନେ ବସି ଯୋଗୀଜନେ । ନିଶ୍ଚଳ ଚିତ୍ତେ ଯୋଗଧ୍ୟାନେ ॥ ୨୦

ମନ ପବନ ହୃଦେ ରୁନ୍ଧି । ଇନ୍ଦ୍ରିୟ ସମୂହ ନିରୋଧି ॥ ୨୧

ତୋ’ର ପ୍ରସାଦ ଯେ ଲଭନ୍ତି । ତାହାଙ୍କ ନାହିଁ ଭୟଭ୍ରାନ୍ତି ॥ ୨୨

ଯା’ର ବଚନେ ପ୍ରଜାଗଣେ । ଭାବେ ସେବନ୍ତି ଅନୁକ୍ଷଣେ ॥ ୨୩

ତରନ୍ତି ଭବଭୟ ତ୍ରାସ । ତୁ ନାଥ ଅନାଦି-ପୁରୁଷ ॥ ୨୪

ଆମ୍ଭର ସୁଖ ଗଲା କ୍ଷୟ । ଭୋ ନାଥ କର ତୁ ଉପାୟ ॥ ୨୫

ଦେଖ କଶ୍ୟପ ପ୍ରଜାପତି । ଦିତି ସଂଯୋଗେ କଲା ମତି ॥ ୨୬

ଦିତିର ଗର୍ଭେ ବୀର୍ଯ୍ୟ ଦେଲା । ତମେ ଭୁବନ ଆଚ୍ଛାଦିଲା ॥ ୨୭

ବେଳକୁ ବେଳ ବଢ଼େ ତେଜ । ସମିଧେ ଯେହ୍ନେ ଅଗ୍ନିତେଜ ॥ ୨୮

ମୈତ୍ରେୟ ଉବାଚ

ଏମନ୍ତେ ଦେବସ୍ତୁତି ଶୁଣି । ସଂଭ୍ରମ ଚିତ୍ତେ କୁଶପାଣି ॥ ୨୯

ଶବଦବ୍ରହ୍ମେ ବେଦବର । ଦେବଙ୍କୁ କହନ୍ତି ମଧୁର ॥ ୩୦

ବ୍ରହ୍ମା ଉବାଚ

ଶୁଣ ସକଳ ଦେବଗଣ । କହିବା ଏଥିର କାରଣ ॥ ୩୧

ତୁମ୍ଭର ପୂର୍ବସୃଷ୍ଟି ଲାଭେ । ମୁଁ ଯେ ବସିଲି ଧ୍ୟାନଭାବେ ॥ ୩୨

ସନକ ଆଦି ଚାରିଭ୍ରାତେ । ଜନ୍ମିଲେ ମୋର ଶୁଦ୍ଧଚିତ୍ତେ ॥ ୩୩

ଉର୍ଦ୍ଧ୍ୱେ ଜନ୍ମିଲେ ଶୁଦ୍ଧଚେତା । ତେଣୁ ହୋଇଲେ ଊର୍ଦ୍ଧ୍ୱରେତା ॥ ୩୪

ଗଗନମାର୍ଗେ ତାଙ୍କ ଗତି । ସକଳ ଭୁବନେ ଭ୍ରମନ୍ତି ॥ ୩୫

ବିଗତସ୍ପୃହା ତାଙ୍କ ଶିକ୍ଷା । ନିତ୍ୟେ ପରମହଂସ ଦୀକ୍ଷା ॥ ୩୬

ଧୂଳି ଧୂସର ଦିଗମ୍ବର । ନିତ୍ୟ ନିର୍ବିଷୟ ଗୋଚର ॥ ୩୭

ସେ ମୁନିଗଣେ ଏକଦିନେ । ମିଳିଲେ ବିଷ୍ଣୁର ଭୁବନେ ॥ ୩୮

ଯେ ନାମ ବୈକୁଣ୍ଠ ବିଦିତ । ସର୍ବ ଦେବତା ନମସ୍କୃତ ॥ ୩୯

ଯହିଁ ପୁରୁଷେ ମହାସୁଖେ । ବସନ୍ତି ବିଷ୍ଣୁର ସମ୍ମୁଖେ ॥ ୪୦

ସର୍ବେ ଦିଶନ୍ତି ବିଷ୍ଣୁରୂପେ । ବିନାଶ ନାହିଁ କାଳକଳ୍ପେ ॥ ୪୧

ନିମିତ୍ତାନିମିତ୍ତ ଆଚାରେ । ହରିଙ୍କି ଭଜନ୍ତି ବେଭାରେ ॥ ୪୨

ଆଦି ପୁରୁଷ ଯହିଁ ହରି । ବସନ୍ତି ଧର୍ମରୂପ ଧରି ॥ ୪୩

ସର୍ବ ଗୋଚର ଦୃଷ୍ଟିମାତ୍ରେ । ବିଶ୍ୱ ସଂସାରେ ଅବିରତେ ॥ ୪୪

ନିର୍ମଳ ସତ୍ତ୍ବମୂର୍ତ୍ତି ବହି । ସୁଖେ ଅଛନ୍ତି ଯହିଁ ରହି ॥ ୪୫

ଯହିଁ କୈବଲ୍ୟ ନାମେ ବନ । ବିରାଜେ କଳ୍ପଦ୍ରୁମମାନ ॥ ୪୬

ବା‚ଞ୍ଚିତ ଲତା ବୃକ୍ଷବନ । ଯହିଁ ଅଛନ୍ତି ବିଦ୍ୟମାନ ॥ ୪୭

ସକଳ ଋତୁ ଯହିଁ ବସେ । କୈବଲ୍ୟ ମୂର୍ତ୍ତିମନ୍ତ କି ସେ ॥ ୪୮

ଯହିଁ ବିମାନ ଶତ ଶତେ । ଦିବ୍ୟକାମିନୀ ଯୂଥ ଯୂଥେ ॥ ୪୯

ବିଷ୍ଣୁ ମହିମା ଗୁଣ ଗାନ୍ତି । କୋଟି-ଶଶାଙ୍କ ରୂପକାନ୍ତି ॥ ୫୦

ବିକାଶ ପୁଷ୍ପ ଜଳାଶୟେ । ମଧୁ ମାଧବୀ ଗନ୍ଧବହେ ॥ ୫୧

ସେ ଗନ୍ଧ ସର୍ବମନୋହର । ତାହାକୁ କରି ଅନାଦର ॥ ୫୨

ବିଷ୍ଣୁର ପାଦେ ମନ ଦେଇ । ଆନନ୍ଦେ ତୁଣ୍ତେŠ ନାମ ଗାଇ ॥ ୫୩

କୋକିଳ ପାରାବତ ହଂସ । ଡାହୁକ ତିତ୍ତିର ସାରସ ॥ ୫୪

ଚକ୍ରବାକ ଯେ ବରହିଣ । ସୁସ୍ୱରନାଦେ ଅନୁକ୍ଷଣ ॥ ୫୫

ସର୍ବେ ଗାୟନ୍ତି ହରିକଥା । ଯେ ଭାବେ ଖଣ୍ତେŠ ଭବବ୍ୟଥା ॥ ୫୬

ମନ୍ଦାର କୁରୁବକ କୁନ୍ଦ । ଉତ୍ପଳ ଚମ୍ପକ କୁମୁଦ ॥ ୫୭

ପୁନ୍ନାଗ ନାଗ ପାରିଜାତ । ତୁଳସୀଦଳ ସୁଲଳିତ ॥ ୫୮

ନାନା କୁସୁମ ପରିମଳ । ସୁଗନ୍ଧ ସମୀର ଶୀତଳ ॥ ୫୯

ମର୍କତ ବଇଡୁର୍ଯ୍ୟ ହେମ । ସହସ୍ର ସହସ୍ର ବିମାନ ॥ ୬୦

ପ୍ରଣାମ କରି ହରିପାଦେ । ଭକତେ ବସନ୍ତି ଆନନ୍ଦେ ॥ ୬୧

ସୁନ୍ଦରୀ ଶତଶତ ଯହିଁ । ବସନ୍ତି ହରିକଥା ଗାଇ ॥ ୬୨

ପରମଲକ୍ଷ୍ମୀ ଯହିଁ ନିତ୍ୟେ । ନୀଳ ଲୋହିତ ପଦ୍ମ ହସ୍ତେ ॥ ୬୩

ସ୍ଫଟିକ ପୁରମଧ୍ୟେ ବସେ । ପଦେ ନୂପୁର ଧ୍ୱନି ଘୋଷେ ॥ ୬୪

ସୁବ‰ର୍ଣ୍ଣସ୍ତମ୍ଭ ଗୃହମଧ୍ୟେ । ବିରାଜେ ଭୁବନ ଆନନ୍ଦେ ॥ ୬୫

ପଦ୍ମ କଳ୍ପିତ ସମ୍ମାର୍ଜନୀ । ମାର୍ଜନା କଲା ପ୍ରାୟେ ମାନି ॥ ୬୬

ଯହିଁରେ ଲକ୍ଷ୍ମୀ କୁତୂହଳେ । ସକଳ ପରିଚାରୀ ମେଳେ ॥ ୬୭

ଯଦ୍ୟପି ଧୂଳି ତହିଁ ନାହିଁ । ବିନୟ ଭକ୍ତି ପ୍ରକାଶଇ ॥ ୬୮

ଗୋବିନ୍ଦ ଅନୁଗ୍ରହ ଆଶେ । ସ୍ୱବନେ ତୁଳସୀର ବାସେ ॥ ୬୯

ପୂଜନ୍ତି କୃଷ୍ଣର ଚରଣ । ତେଣେ ସନ୍ତୋଷ ଭଗବାନ ॥ ୭୦

ସେ ବନେ ବାପୀ ପୁଷ୍କରିଣୀ । ତୀରେ ବିଦ୍ରୁମଘାଟ ଶ୍ରେଣୀ ॥ ୭୧

ସେ ଶୁଦ୍ଧଜଳେ ମୁଖ ଚାହିଁ । ବିଷ୍ଣୁ ଚୁମ୍ବନ ମନେ ବହି ॥ ୭୨

ସେ ବିଷ୍ଣୁପୁରେ ପାପୀଜନ । ପ୍ରବେଶେ ନୁହନ୍ତି ଭାଜନ ॥ ୭୩

ଯେ ଅର୍ଥେ କାମେ ରତି କରେ । ଗୋବିନ୍ଦ ଗୁଣ ନ ସୁମରେ ॥ ୭୪

ଦୁଷ୍କୃତ ମାର୍ଗେ ଯେ ରମନ୍ତି । ନରକମାର୍ଗେ ଯାର ଗତି ॥ ୭୫

ସେ କାହିଁ ପଶିବେ ସେ ପୁରେ । ନରକେ ପଡ଼ନ୍ତି ନିର୍ଭରେ ॥ ୭୬

ସେ ଦେହ ପାଇ ଯେଉଁ ଜନ । ନ କରେ ହରିର ସେବନ ॥ ୭୭

ଏ ଅତି ଦୁଃଖ ହିଁ ବିଦିତ । ସେ ବିଷ୍ଣୁମାୟା ବିମୋହିତ ॥ ୭୮

ଯେ ଯୋଗମାର୍ଗେ ଅନୁବାଦେ । କଠୋର ତପକର୍ମ ସାଧେ ॥ ୭୯

ମନ-ପବନ ହୃଦେ ଛନ୍ଦି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି ॥ ୮୦

ଯେବେ ଗୋବିନ୍ଦଭାବ ନାହିଁ । ସେ ପୁରେ ପଶିବେ ସେ କାହିଁ ॥ ୮୧

ବିଷ୍ଣୁର ମାୟାବଳେ ଜଡ଼ି । ଜନ୍ମ-ମରଣେ ଥାନ୍ତି ପଡ଼ି ॥ ୮୨

ମୋ ଆଦି ଦେବେ ଯା ଚରଣେ । ଭଲେ ଖଟନ୍ତି ଅନୁକ୍ଷଣେ ॥ ୮୩

ନମନ୍ତି ଭୃତ୍ୟପ୍ରାୟ ହୋଇ । ପାଦେ ଖଟନ୍ତି ବଳି ଦେଇ ॥ ୮୪

ବିଷ୍ଣୁର ଯଶ ଗୁଣଗାଥା । ନିତ୍ୟେ କରନ୍ତି ମନେ ଚିନ୍ତା ॥ ୮୫

ଆନନ୍ଦେ ଅଶ୍ରୁବହେ ନେତ୍ରେ । ରୋମହରଷ ସର୍ବଗାତ୍ରେ ॥ ୮୬

ହରିଭକତି ଭାବେ କରି । କାରୁଣ୍ୟ ହିଂସା ପରିହରି ॥ ୮୭

ସେମାନେ ଯାନ୍ତି ଆମ୍ଭ ଊର୍ଦ୍ଧ୍ୱେ । ସୁଖେ ବସନ୍ତି ବିଷ୍ଣୁପଦେ ॥ ୮୮

ଏମନ୍ତ ବିଷ୍ଣୁର ଭୁବନେ । ପଶିଲେ ମୋହର ନନ୍ଦନେ ॥ ୮୯

ଦେଖିଲେ ଅପୂର୍ବ-ଭୁବନ । ଜଗତଗୁରୁର ଯେ ସ୍ଥାନ ॥ ୯୦

ବିବିଧ ଶ୍ରେଷ୍ଠ ଦେବମାନେ । ବିମାନେ ଦୀପ୍ତ ଏ ଭୁବନେ ॥ ୯୧

ଯହିଁ ପୁରାଣ ଇତିହାସ । ଆଗମ ନିଗମ ପ୍ରକାଶ ॥ ୯୨

ତର୍କ ବେଦାନ୍ତ ଯୋଗଶାସ୍ତ୍ରେ । ନ୍ୟାୟ ମୀମାଂସା ଆଦି ଯେତେ ॥ ୯୩

ସ୍ତୁତି କରନ୍ତି ଅବଧାନେ । କୃଷ୍ଣଚରିତ ଗୁଣଗାନେ ॥ ୯୪

ଏମନ୍ତେ ଶାସ୍ତ୍ରେ ମୂର୍ତ୍ତିମନ୍ତେ । ଯହିଁ ସେବନ୍ତି ଅବିରତେ ॥ ୯୫

ସେ ପୁରେ ପଶି ମନସୁଖେ । କୃଷ୍ଣ ମହିମା ଗାଇ ମୁଖେ ॥ ୯୬

ନିରତେ ହରିଗୁଣ ଚିନ୍ତି । କୃଷ୍ଣମାୟାରେ ନ ପଡ଼ନ୍ତି ॥ ୯୭

ଚାରିକୁମରେ ଏକମେଳେ । ଆନନ୍ଦେ ଷଡ଼ଦ୍ୱାରେ ଗଲେ ॥ ୯୮

ସପତଦ୍ୱାରେ ଯାନ୍ତେ ବଳେ । ଆଗେ ମିଳିଲେ ଦ୍ୱାରପାଳେ ॥ ୯୯

କିରୀଟ କୁଣ୍ତŠଳ କେୟୂର । ଅମୂଲ୍ୟବେଶେ ଶୋଭାକର ॥ ୧୦୦

ଉଚ୍ଚ ସୁନ୍ଦର ବକ୍ଷସ୍ଥଳ । କଣ୍ଠେ ଲମ୍ବଇ ବନମାଳ ॥ ୧୦୧

ଦିଶନ୍ତି କୃଷ୍ଣରୂପ ତେଜେ । ସୁବ‰ର୍ଣ୍ଣବେତ ଧରି ଭୁଜେ ॥ ୧୦୨

ଏମନ୍ତେ ବେନି ଦ୍ୱାରପାଳ । ଦେଖିଣ ମୋହର କୁମର ॥ ୧୦୩

ସେ ବ୍ରହ୍ମଋଷି ପ୍ରତିଦ୍ୱାରେ । ଯେମନ୍ତେ ଗଲେ ବିଷ୍ଣୁପୁରେ ॥ ୧୦୪

ତେମନ୍ତେ ତାଙ୍କୁ ନ ପଚାରି । ସପ୍ତମେ ଯାନ୍ତେ ଭାଇଚାରି ॥ ୧୦୫

ଦ୍ୱାରେ କବାଟ ହେମମୟେ । ପ୍ରାଣୀ ନୟନ ମନ ମୋହେ ॥ ୧୦୬

ସେ ଦ୍ୱାରେ ମିଳି ବେନିଭାଇ । ଦ୍ୱାର ରୁନ୍ଧିଲେ ରୋଷବହି ॥ ୧୦୭

ସେ ଚାରିଭାଇ ମୋର ସୁତ । ଦେବଙ୍କ ପୂର୍ବସର୍ଗେ ଜାତ ॥ ୧୦୮

ସ୍ୱଭାବେ ବୃଦ୍ଧ ସେ ଅଟନ୍ତି । ବାଳକ ପ୍ରାୟ ତନୁକାନ୍ତି ॥ ୧୦୯

ପଞ୍ଚବରଷ ପୁତ୍ରପ୍ରାୟେ । ଦିଶନ୍ତି ବସ୍ତ୍ର ନାହିଁ ଦେହେ ॥ ୧୧୦

ଉଲଗ୍ନ ଦେଖି ତାଙ୍କ ବେଶ । ତାହାଙ୍କୁ କଲେ ଉପହାସ ॥ ୧୧୧

ତକ୍ଷଣେ ବେତ୍ର ଧରି କରେ । ନିଷେଧ କଲେ ସପ୍ତଦ୍ୱାରେ ॥ ୧୧୨

ଦେବେ ଦେଖନ୍ତି ଶୂନ୍ୟେ ରହି । ନିରୋଧ କଲେ ବେନିଭାଇ ॥ ୧୧୩

ସେ ଚାରିଋଷି ରହି ଦ୍ୱାରେ । ମନେ ବିଚାରି କୋପଭରେ ॥ ୧୧୪

ବିଷ୍ଣୁର ଅତି ପ୍ରିୟପଣେ । ପାଦେ ଖଟନ୍ତି ଅନୁକ୍ଷଣେ ॥ ୧୧୫

ଦେଖି ନ ପାରି କୃଷ୍ଣରୂପ । ହୃଦେ ବସିଲା ଗରୁତାପ ॥ ୧୧୬

ବୋଲନ୍ତି ଅନ୍ୟୋଅନ୍ୟେ ଚାହିଁ । ଏ ଭାବ ଏ ପୁରେ ତ ନାହିଁ ॥ ୧୧୭

ଏ ଦ୍ୱାରପାଳ ପଣେ ଥାଇ । କୁହୁକ ଜନପ୍ରାୟ ହୋଇ ॥ ୧୧୮

ଯେ ବଇକୁଣ୍ଠପୁରେ ଥାନ୍ତି । ତାଙ୍କୁ ନ ଲାଗେ ରିପୁ ଭ୍ରାନ୍ତି ॥ ୧୧୯

କାମାଦି ଶତ୍ରୁ ଷଡ଼ଭାଇ । ଏ ପୁରେ ସମ୍ଭବିବେ କାହିଁ ॥ ୧୨୦

ସ୍ୱଭାବେ ସର୍ବପ୍ରାଣୀ ହୃଦେ । ହରି ବସନ୍ତି ଆତ୍ମାପଦେ ॥ ୧୨୧

ବାହ୍ୟ ଅନ୍ତରେ ବିଶ୍ୱରୂପୀ । ଘଟ ଆକାଶ ପ୍ରାୟ ବ୍ୟାପି ॥ ୧୨୨

କରନ୍ତି ଆତ୍ମାର ପ୍ରକାଶ । ପŠଣ୍ତିତେ ଯହିଁରେ ସନ୍ତୋଷ ॥ ୧୨୩

ସମ ବିଷମ ଯହିଁ ନାହିଁ । ଅନ୍ୟାୟ କଲେ ବେନିଭାଇ ॥ ୧୨୪

ବିଷ୍ଣୁର ଦ୍ୱାରପାଳ ଭାବେ । ଦୁଷ୍ଟ ହୋଇଲେ ମତ୍ତଗର୍ବେ ॥ ୧୨୫

କପଟଧର୍ମୀ ବେନିଭାଇ । ଏ ପୁରେ ଥିବା ନ ଯୋଗାଇ ॥ ୧୨୬

ବେଗେ ପଡ଼ନ୍ତୁ ମହୀତଳେ । ଜନ୍ମିବେ ଅସୁରଙ୍କ କୁଳେ ॥ ୧୨୭

ତୃତୀୟ ଜନ୍ମ ଭୋଗ ସାରି । ପୁଣି ଲଭିବେ ବିଷ୍ଣୁପୁରୀ ॥ ୧୨୮

ଏମନ୍ତ ଶାପ ତାଙ୍କୁ ଦ୍ୟନ୍ତେ । ଦ୍ୱାରେ ଶୁଣିଲେ ବେନିଭ୍ରାତେ ॥ ୧୨୯

ଏ ବ୍ରହ୍ମଦŠଣ୍ତ ଅନିର୍ବାର । କେବେହେଁ ନାହିଁ ପ୍ରତିକାର ॥ ୧୩୦

ମୁନି ବଚନେ ଦ୍ୱାରପାଳ । ମନରେ ହୋଇଲେ ବିକଳ ॥ ୧୩୧

ଏମନ୍ତେ ଅତିଭୟ ମନେ । ପାଦେ ପଡ଼ିଲେ ବେନିଜନେ ॥ ୧୩୨

ଉଠିଣ ଶିରେ କର ଦେଇ । କହନ୍ତି ମୁନିଙ୍କି ଅନାଇଁ ॥ ୧୩୩

ଏ ଦŠଣ୍ତ ଉଚିତ ଆମ୍ଭର । ଏଥି ବା କି ଦୋଷ ତୁମ୍ଭର ॥ ୧୩୪

ଦେବ ହେଳେନ କର୍ମ କରି । ଅସୁର ଦେହେ ଅବତରି ॥ ୧୩୫

ତହିଁକି ନାହିଁ ଆମ୍ଭ ଡର । କେବଳ କୃପା ଏତେ କର ॥ ୧୩୬

ଅର୍ଜିଲା କର୍ମର ଆୟତ୍ତେ । ଜନ୍ମ ମରଣ ଏ ଜଗତେ ॥ ୧୩୭

ବୋଲନ୍ତି ଶୁଣ ମୁନିବର । କରିବ ପାପୀ ପ୍ରତିକାର ॥ ୧୩୮

କୃଷ୍ଣର ସ୍ମରଣ ଆମ୍ଭର । ଯେମନ୍ତେ ନୋହିବ ବିସ୍ମର ॥ ୧୩୯

ମୁନି ବୋଲନ୍ତି ଦୟାଚିତ୍ତେ । ସ୍ୱଭାବେ ଥିବ ଦୁଷ୍ଟମତେ ॥ ୧୪୦

ତୁମ୍ଭର ଦେହେ ବିଷ୍ଣୁଭାବ । କଳାଏ ଅଂଶମାତ୍ର ଥିବ ॥ ୧୪୧

ଏବେ ହୋ ଶୁଣ ସୁରଗଣ । ତାହା ଜାଣିଲେ ନାରାୟଣ ॥ ୧୪୨

ମୁନିହେଳନ କର୍ମ ଶୁଣି । ପୁରୁ ବାହାର ଚକ୍ରପାଣି ॥ ୧୪୩

ଦ୍ୱାରପାଳଙ୍କୁ ଦୟା ବହି । ଭୃତ୍ୟବତ୍ସ›ଳ ଭାବଗ୍ରାହୀ ॥ ୧୪୪

ଲକ୍ଷ୍ମୀର କରେ ଦେଇ କର । ଗୋବିନ୍ଦ ହୋଇଲେ ବାହାର ॥ ୧୪୫

ଗୋବିନ୍ଦ ଚଳନ୍ତି ଚରଣେ । ଯହିଁ ଅଛନ୍ତି ମୁନିଗଣେ ॥ ୧୪୬

ପରମହଂସ ଦୀକ୍ଷା ବହି । ତେଜେ ପ୍ରଚଣ୍ତŠ ଚାରିଭାଇ ॥ ୧୪୭

କୋପେ କମ୍ପନ୍ତି ମହାତାପେ । ଗୋବିନ୍ଦ ମିଳିଲେ ସମୀପେ ॥ ୧୪୮

ଯାହାର ଦରଶନ ଅର୍ଥେ । ଯୋଗ ସାଧନ୍ତି ମୁନି-ସନ୍ଥେ ॥ ୧୪୯

ଲକ୍ଷ୍ମୀଦେବୀଙ୍କ ପରିବାରୀ । କରେ ଚାମର ଛନ୍ତି ଧରି ॥ ୧୫୦

କେ ଶୁକ୍ଳ ପାଟଛତ୍ର କରେ । ଘେନି ଚଳନ୍ତି ଧୀରେ ଧୀରେ ॥ ୧୫୧

ଛତ୍ରେ ମୁକୁତାମାଳ ଶୋହେ । ହିମ ଶୀକର କଣା ବହେ ॥ ୧୫୨

ପ୍ରସନ୍ନମୁଖ ଭଗବାନ । କିବା ସୁନ୍ଦର ଅନୁପମ ॥ ୧୫୩

ସ୍ନେହ ଦୟାରେ ସର୍ବଜନ । ମନ ମୋହିଲେ ଭଗବାନ ॥ ୧୫୪

ଶ୍ୟାମସୁନ୍ଦର ବକ୍ଷସ୍ଥଳେ । କମଳା ବସନ୍ତି ନିଶ୍ଚଳେ ॥ ୧୫୫

କୌସ୍ତୁଭମଣି କଣ୍ଠେ ଶୋହେ । ଅଶେଷ ଜନମନ ମୋହେ ॥ ୧୫୬

ପୀତବସନ କଟୀମାଝେ । କନକମେଖଳା ବିରାଜେ ॥ ୧୫୭

ଉରେ ଲମ୍ବଇ ବନମାଳ । ସୁନ୍ଦର ଅଳକ କପୋଳ ॥ ୧୫୮

କେୟୂର କଙ୍କଣ ବିରାଜେ । ରୂପେ କୋଟିଏ କାମଗଞ୍ଜେ ॥ ୧୫୯

ଲୀଳାଅମ୍ବୁଜ ଏକକରେ । ଚଳନ୍ତେ ଭ୍ରମଇ ସେ କରେ ॥ ୧୬୦

ବିଜୁଳି ପ୍ରାୟେ ଗଣ୍ତŠସ୍ଥଳେ । ଶୋଭଇ ମକରକୁŠଣ୍ତଳେ ॥ ୧୬୧

ଶିରେ ମୁକୁଟମଣି ଶୋହେ । ଅଧିକେ ଜଗୁଜନ ମୋହେ ॥ ୧୬୨

ଚତୁର ବାହୁର ମଧ୍ୟର । ସୁସଞ୍ଚ ମନୋହର ହାର ॥ ୧୬୩

କଣ୍ଠେ ଲମ୍ବଇ ମଣିହାର । ମଧ୍ୟେ କୌସ୍ତୁଭ ରତ୍ନସାର ॥ ୧୬୪

ଏମନ୍ତେ ନାନାରତ୍ନ ପୁଞ୍ଜେ । ତେଜେ କମଳାରୂପ ଗଞ୍ଜେ ॥ ୧୬୫

ବ୍ରହ୍ମା-ଶଙ୍କର-ଦେବ ମନ । ମୋହନ ରୂପେ ହୋଏ ଛନ୍ନ ॥ ୧୬୬

ସ୍ଥିରଲୋଚନେ ସ୍ତମ୍ଭୀଭୂତେ । ଦେଖି ତୃପତ ନୋହେ ଚିତ୍ତେ ॥ ୧୬୭

ଆନନ୍ଦେ ସର୍ବ ମୁନିବରେ । ନମିଲେ କୃଷ୍ଣଙ୍କ ପୟରେ ॥ ୧୬୮

ସେ ହରି ଚରଣାବହିନ୍ଦ । କିଞ୍ଜଳ୍ କ ତୁଳସୀ ଆମୋଦ ॥ ୧୬୯

ପବନ ନାସାଦ୍ୱାରେ ପୂରେ । ଚିତ୍ତ ଶରୀର କ୍ଷୋଭ କରେ ॥ ୧୭୦

କୃଷ୍ଣ ସୁନ୍ଦର ମୁଖତ୍ରାସ । ଯେହ୍ନେ ସୁନୀଳ ପଦ୍ମକୋଷ ॥ ୧୭୧

ବିମ୍ବଅଧରେ କୁନ୍ଦହାସ । ଅଶେଷ ଜନମନ ତୋଷ ॥ ୧୭୨

ସେ ରୂପ ଦେଖି ପୁଣି ଚିତ୍ତେ । ଧ୍ୟାନ ନିରୋପି ପାଦଗତେ ॥ ୧୭୩

ଅରୁଣ ମଣି ନଖକାନ୍ତି । ନିଶ୍ଚଳ ଲୋଚନେ ଧରନ୍ତି ॥ ୧୭୪

ଯାହାର ଗତି ଯୋଗମାର୍ଗେ । ଧ୍ୟାନେ ଚିନ୍ତନ୍ତି ମୁନିବର୍ଗେ ॥ ୧୭୫

ସେ ରୂପ ନୟନଗୋଚରେ । ଦେଖିଲେ ମୋହର କୁମରେ ॥ ୧୭୬

ଅଷ୍ଟ ଐଶ୍ୱର୍ଯ୍ୟ ମୁକ୍ତକଳ୍ପ । ଦେଖନ୍ତେ ପ୍ରଭୁ ନିଜରୂପ ॥ ୧୭୭

ତକ୍ଷଣେ ଶିରେ କର ଦେଇ । ବୋଲନ୍ତି କୃଷ୍ଣ ମୁଖ ଚାହିଁ ॥ ୧୭୮

ଯେ ହରି ପ୍ରାଣୀଙ୍କ ଶରୀରେ । ଅନନ୍ତ ହୃଦୟେ ବିହରେ ॥ ୧୭୯

ସାଧୁ ଅସାଧୁ ଯାର ନାହିଁ । ତାର ମହିମା କେବା କହି ॥ ୧୮୦

ସେ ହରି ଆମ୍ଭ ଦୃଷ୍ଟି ପଥେ । ପ୍ରତ୍ୟକ୍ଷେ ମିଳିଲେ ଅଗ୍ରତେ ॥ ୧୮୧

ଯାହାର ଗୁଣ କର୍ମ ଗାଥା । ଏକାନ୍ତେ ବସି ଆମ୍ଭ ପିତା ॥ ୧୮୨

କହିଲେ ପରମ ଆନନ୍ଦେ । ବ୍ରହ୍ମବିଗ୍ରହ ଅନୁବାଦେ ॥ ୧୮୩

ସେ ପଶି ଆମ୍ଭ କ‰ର୍ଣ୍ଣଦ୍ବାରେ । ରହିଲା ହୃଦୟ-ବିବରେ ॥ ୧୮୪

ତୁ ନାଥ ପରମାର୍ଥ-ତତ୍ତ୍ବ । ଯୋଗେ ସାଧନ୍ତି ମୁନିସନ୍ଥ ॥ ୧୮୫

ତୋ ଧ୍ୟାନ ରଚି ସତ୍ତ୍ବଗୁଣେ । ଯେବା ଚିନ୍ତନ୍ତି ଅନୁକ୍ଷଣେ ॥ ୧୮୬

ସଂସାର ଅନୁତାପେ ଯନ୍ତ୍ରି । ସୁହୃଦ ଭକ୍ତିଭାବେ ଚିନ୍ତି ॥ ୧୮୭

ହୃଦରେ ସ୍ଥାପି ତୋର ରୂପ । ବେଗେ ଛାଡ଼ନ୍ତି ତିନିତାପ ॥ ୧୮୮

ତୋର ପ୍ରସାଦ ଆତ୍ୟନ୍ତିକେ । ମନେ ଚିନ୍ତନ୍ତି ଯେବା ଲୋକେ ॥ ୧୮୯

କି ଅବା ଅନ୍ୟ ଇଚ୍ଛାତାର । ଅଛି ଏ ସଂସାର ଭିତର ॥ ୧୯୦

ଭୋ ଦେବ ତୋହର ଚରଣେ । ଯେ ପ୍ରାଣୀ ପଶନ୍ତି ଶରଣେ ॥ ୧୯୧

ତୋର କଥାରେ ଯାର ରତି । ଘୋର ସଂସାରୁ ତରିଯା’ନ୍ତି ॥ ୧୯୨

ଆମ୍ଭେ ତୋ ଭକ୍ତେ ଶାପ ଦେଇ । ଯେ ପାପ ଅର୍ଜିଲୁ ଗୋସାଇଁ ॥ ୧୯୩

ସେ ପାପେ ନାନା ଯୋନିଗତେ । ଜନମ ଲଭି ଭୂମିଗତେ ॥ ୧୯୪

ତୋ ଯଶ ଶୁଣି କ‰ର୍ଣ୍ଣମାର୍ଗେ । ତୋ ନାମ ଗୁଣି ଜିହ୍ୱାଅଗ୍ରେ ॥ ୧୯୫

ତୋର ଚରଣେ ହେଉ ରତି । ଆମ୍ଭର ଜଡ଼ବୁଦ୍ଧି ମତି ॥ ୧୯୬

ବଚନ ତୋ ଚରଣେ ରହୁ । ତୁଳସୀ ପ୍ରାୟ ଶୋଭା ପାଉ ॥ ୧୯୭

ତୋ ଗୁଣଗଣେ କ‰ର୍ଣ୍ଣପଥ । ଶ୍ରବଣେ ପୂରୁ ଜଗନ୍ନାଥ ॥ ୧୯୮

ତୁ ରୂପ ଦେଖାଇ ପବିତ୍ର । କୃତାର୍ଥ କଲୁ ଆମ୍ଭ ନେତ୍ର ॥ ୧୯୯

ଭୋ ନାଥ କମଳାରମଣ । ଅନାଦି ପରମ କାରଣ ॥ ୨୦୦

ଅଜିତ ଇନ୍ଦ୍ରିୟ ଜନର । ତୋ ରୂପ ଅଟେ ଅଗୋଚର ॥ ୨୦୧

ଏମନ୍ତେ କହି ମୋର ସୁତେ । ନମିଲେ ବିଷ୍ଣୁ ପାଦଗତେ ॥ ୨୦୨

ସେ ହରି ଚରଣ କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୨୦୩

ତୃତୀୟସ୍କନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ ॥ ୨୦୪

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ଜୟବିଜୟୟୋଃ ସନକାଦିଶାପୋ ନାମ ପଞ୍ଚଦଶୋଽଧ୍ୟାୟଃ ॥

* * *