ତୃତୀୟ ସ୍କନ୍ଧ
ପଞ୍ଚଦଶ ଅଧ୍ୟାୟ
ମୈତ୍ରେୟ ଉବାଚ
ସେ ପ୍ରଜାପତି ତେଜବୀର୍ଯ୍ୟ । ଦିତି ଉଦରେ ସେ ଆତ୍ମଜ ॥ ୧
ଶତେବରଷ ବେଦମତେ । ଗର୍ଭେ ଧଇଲା ଭୟଚିତ୍ତେ ॥ ୨
ଦେବଦଳନ ତେଜ ଶୁଣି । ଅନ୍ତରେ ଭାଳଇ ତରୁଣୀ ॥ ୩
ନ ଜାଣି କଲି ଏଡ଼େ କର୍ମ । କାମେ ହୋଇଲି ମତିଭ୍ରମ ॥ ୪
ଦଇବବଳ ବଳୀୟାର । କି କରିପାରେ ସୁରନର ॥ ୫
ଗଭୀର ତେଜ ବଳେ କରି । ଲୋକେ ଦିଶିଲେ ହତଶିରୀ ॥ ୬
ଏବେ ହୋ ଶୁଣ କୁରୁବୀର । ସଂସାର ଦିଶେ ଅନ୍ଧକାର ॥ ୭
ଇନ୍ଦ୍ରାଦି ଦିଗପାଳେ ମିଳି । ସକଳେ ଏକମନେ ଭାଳି ॥ ୮
ବ୍ରହ୍ମାର ନିକଟେ ମିଳିଲେ । ଭୟେ ଅନେକ ସ୍ତୁତି କଲେ ॥ ୯
ଦେବଗଣ ଉବାଚ
ଭୋ ଦେବଦେବ ପ୍ରଜାପତି । ଦିଗେ ଦିଶନ୍ତି ଭୟାକୃତି ॥ ୧୦
ଏ ଘୋର ଅନ୍ଧକାର ଯେଣୁ । ଆମ୍ଭେ ତ ଭଲେ ନ ପ୍ରମାଣୁ ॥ ୧୧
କୁଶଳ ନୋହେ ଏ ସଂସାର । ଅଦ୍ଭୁତ ଘୋର ଅନ୍ଧକାର ॥ ୧୨
ଏ କଥା ତୁମ୍ଭଙ୍କୁ ଗୋଚର । କି ଅଗୋଚର ବା ତୁମ୍ଭର ॥ ୧୩
ଏ କାଳ ମହିମା କେ ଜାଣେ । ଆଗମ ନିଗମ ପ୍ରମାଣେ ॥ ୧୪
ହେ ଦେବଦେବ ଜଗନ୍ନାଥ । ଆମ୍ଭେ ସକଳେ ତୋର ଭୃତ୍ୟ ॥ ୧୫
ତୁ ପରାତ୍ପର ଭାବଗ୍ରାହୀ । ଜଗତ ମାୟାବଳେ ମୋହି ॥ ୧୬
ଗୃହୀତ ରଜୋଗୁଣେ ଦେହୀ । ତୋ ରୂପ ନ ଜାଣନ୍ତି କେହି ॥ ୧୭
ଅନନ୍ୟଭାବେ ଆତ୍ମାଲାଭେ । ଯେ ପ୍ରାଣୀ ତୋ ଚରଣ ସେବେ ॥ ୧୮
ତାର ଅଶୁଭ ଲେଶ ନାହିଁ । ସତ ଅସତ ପର ତୁହି ॥ ୧୯
ନିର୍ଜନେ ବସି ଯୋଗୀଜନେ । ନିଶ୍ଚଳ ଚିତ୍ତେ ଯୋଗଧ୍ୟାନେ ॥ ୨୦
ମନ ପବନ ହୃଦେ ରୁନ୍ଧି । ଇନ୍ଦ୍ରିୟ ସମୂହ ନିରୋଧି ॥ ୨୧
ତୋର ପ୍ରସାଦ ଯେ ଲଭନ୍ତି । ତାହାଙ୍କ ନାହିଁ ଭୟଭ୍ରାନ୍ତି ॥ ୨୨
ଯାର ବଚନେ ପ୍ରଜାଗଣେ । ଭାବେ ସେବନ୍ତି ଅନୁକ୍ଷଣେ ॥ ୨୩
ତରନ୍ତି ଭବଭୟ ତ୍ରାସ । ତୁ ନାଥ ଅନାଦି-ପୁରୁଷ ॥ ୨୪
ଆମ୍ଭର ସୁଖ ଗଲା କ୍ଷୟ । ଭୋ ନାଥ କର ତୁ ଉପାୟ ॥ ୨୫
ଦେଖ କଶ୍ୟପ ପ୍ରଜାପତି । ଦିତି ସଂଯୋଗେ କଲା ମତି ॥ ୨୬
ଦିତିର ଗର୍ଭେ ବୀର୍ଯ୍ୟ ଦେଲା । ତମେ ଭୁବନ ଆଚ୍ଛାଦିଲା ॥ ୨୭
ବେଳକୁ ବେଳ ବଢ଼େ ତେଜ । ସମିଧେ ଯେହ୍ନେ ଅଗ୍ନିତେଜ ॥ ୨୮
ମୈତ୍ରେୟ ଉବାଚ
ଏମନ୍ତେ ଦେବସ୍ତୁତି ଶୁଣି । ସଂଭ୍ରମ ଚିତ୍ତେ କୁଶପାଣି ॥ ୨୯
ଶବଦବ୍ରହ୍ମେ ବେଦବର । ଦେବଙ୍କୁ କହନ୍ତି ମଧୁର ॥ ୩୦
ବ୍ରହ୍ମା ଉବାଚ
ଶୁଣ ସକଳ ଦେବଗଣ । କହିବା ଏଥିର କାରଣ ॥ ୩୧
ତୁମ୍ଭର ପୂର୍ବସୃଷ୍ଟି ଲାଭେ । ମୁଁ ଯେ ବସିଲି ଧ୍ୟାନଭାବେ ॥ ୩୨
ସନକ ଆଦି ଚାରିଭ୍ରାତେ । ଜନ୍ମିଲେ ମୋର ଶୁଦ୍ଧଚିତ୍ତେ ॥ ୩୩
ଉର୍ଦ୍ଧ୍ୱେ ଜନ୍ମିଲେ ଶୁଦ୍ଧଚେତା । ତେଣୁ ହୋଇଲେ ଊର୍ଦ୍ଧ୍ୱରେତା ॥ ୩୪
ଗଗନମାର୍ଗେ ତାଙ୍କ ଗତି । ସକଳ ଭୁବନେ ଭ୍ରମନ୍ତି ॥ ୩୫
ବିଗତସ୍ପୃହା ତାଙ୍କ ଶିକ୍ଷା । ନିତ୍ୟେ ପରମହଂସ ଦୀକ୍ଷା ॥ ୩୬
ଧୂଳି ଧୂସର ଦିଗମ୍ବର । ନିତ୍ୟ ନିର୍ବିଷୟ ଗୋଚର ॥ ୩୭
ସେ ମୁନିଗଣେ ଏକଦିନେ । ମିଳିଲେ ବିଷ୍ଣୁର ଭୁବନେ ॥ ୩୮
ଯେ ନାମ ବୈକୁଣ୍ଠ ବିଦିତ । ସର୍ବ ଦେବତା ନମସ୍କୃତ ॥ ୩୯
ଯହିଁ ପୁରୁଷେ ମହାସୁଖେ । ବସନ୍ତି ବିଷ୍ଣୁର ସମ୍ମୁଖେ ॥ ୪୦
ସର୍ବେ ଦିଶନ୍ତି ବିଷ୍ଣୁରୂପେ । ବିନାଶ ନାହିଁ କାଳକଳ୍ପେ ॥ ୪୧
ନିମିତ୍ତାନିମିତ୍ତ ଆଚାରେ । ହରିଙ୍କି ଭଜନ୍ତି ବେଭାରେ ॥ ୪୨
ଆଦି ପୁରୁଷ ଯହିଁ ହରି । ବସନ୍ତି ଧର୍ମରୂପ ଧରି ॥ ୪୩
ସର୍ବ ଗୋଚର ଦୃଷ୍ଟିମାତ୍ରେ । ବିଶ୍ୱ ସଂସାରେ ଅବିରତେ ॥ ୪୪
ନିର୍ମଳ ସତ୍ତ୍ବମୂର୍ତ୍ତି ବହି । ସୁଖେ ଅଛନ୍ତି ଯହିଁ ରହି ॥ ୪୫
ଯହିଁ କୈବଲ୍ୟ ନାମେ ବନ । ବିରାଜେ କଳ୍ପଦ୍ରୁମମାନ ॥ ୪୬
ବାଞ୍ଚିତ ଲତା ବୃକ୍ଷବନ । ଯହିଁ ଅଛନ୍ତି ବିଦ୍ୟମାନ ॥ ୪୭
ସକଳ ଋତୁ ଯହିଁ ବସେ । କୈବଲ୍ୟ ମୂର୍ତ୍ତିମନ୍ତ କି ସେ ॥ ୪୮
ଯହିଁ ବିମାନ ଶତ ଶତେ । ଦିବ୍ୟକାମିନୀ ଯୂଥ ଯୂଥେ ॥ ୪୯
ବିଷ୍ଣୁ ମହିମା ଗୁଣ ଗାନ୍ତି । କୋଟି-ଶଶାଙ୍କ ରୂପକାନ୍ତି ॥ ୫୦
ବିକାଶ ପୁଷ୍ପ ଜଳାଶୟେ । ମଧୁ ମାଧବୀ ଗନ୍ଧବହେ ॥ ୫୧
ସେ ଗନ୍ଧ ସର୍ବମନୋହର । ତାହାକୁ କରି ଅନାଦର ॥ ୫୨
ବିଷ୍ଣୁର ପାଦେ ମନ ଦେଇ । ଆନନ୍ଦେ ତୁଣ୍ତେ ନାମ ଗାଇ ॥ ୫୩
କୋକିଳ ପାରାବତ ହଂସ । ଡାହୁକ ତିତ୍ତିର ସାରସ ॥ ୫୪
ଚକ୍ରବାକ ଯେ ବରହିଣ । ସୁସ୍ୱରନାଦେ ଅନୁକ୍ଷଣ ॥ ୫୫
ସର୍ବେ ଗାୟନ୍ତି ହରିକଥା । ଯେ ଭାବେ ଖଣ୍ତେ ଭବବ୍ୟଥା ॥ ୫୬
ମନ୍ଦାର କୁରୁବକ କୁନ୍ଦ । ଉତ୍ପଳ ଚମ୍ପକ କୁମୁଦ ॥ ୫୭
ପୁନ୍ନାଗ ନାଗ ପାରିଜାତ । ତୁଳସୀଦଳ ସୁଲଳିତ ॥ ୫୮
ନାନା କୁସୁମ ପରିମଳ । ସୁଗନ୍ଧ ସମୀର ଶୀତଳ ॥ ୫୯
ମର୍କତ ବଇଡୁର୍ଯ୍ୟ ହେମ । ସହସ୍ର ସହସ୍ର ବିମାନ ॥ ୬୦
ପ୍ରଣାମ କରି ହରିପାଦେ । ଭକତେ ବସନ୍ତି ଆନନ୍ଦେ ॥ ୬୧
ସୁନ୍ଦରୀ ଶତଶତ ଯହିଁ । ବସନ୍ତି ହରିକଥା ଗାଇ ॥ ୬୨
ପରମଲକ୍ଷ୍ମୀ ଯହିଁ ନିତ୍ୟେ । ନୀଳ ଲୋହିତ ପଦ୍ମ ହସ୍ତେ ॥ ୬୩
ସ୍ଫଟିକ ପୁରମଧ୍ୟେ ବସେ । ପଦେ ନୂପୁର ଧ୍ୱନି ଘୋଷେ ॥ ୬୪
ସୁବର୍ଣ୍ଣସ୍ତମ୍ଭ ଗୃହମଧ୍ୟେ । ବିରାଜେ ଭୁବନ ଆନନ୍ଦେ ॥ ୬୫
ପଦ୍ମ କଳ୍ପିତ ସମ୍ମାର୍ଜନୀ । ମାର୍ଜନା କଲା ପ୍ରାୟେ ମାନି ॥ ୬୬
ଯହିଁରେ ଲକ୍ଷ୍ମୀ କୁତୂହଳେ । ସକଳ ପରିଚାରୀ ମେଳେ ॥ ୬୭
ଯଦ୍ୟପି ଧୂଳି ତହିଁ ନାହିଁ । ବିନୟ ଭକ୍ତି ପ୍ରକାଶଇ ॥ ୬୮
ଗୋବିନ୍ଦ ଅନୁଗ୍ରହ ଆଶେ । ସ୍ୱବନେ ତୁଳସୀର ବାସେ ॥ ୬୯
ପୂଜନ୍ତି କୃଷ୍ଣର ଚରଣ । ତେଣେ ସନ୍ତୋଷ ଭଗବାନ ॥ ୭୦
ସେ ବନେ ବାପୀ ପୁଷ୍କରିଣୀ । ତୀରେ ବିଦ୍ରୁମଘାଟ ଶ୍ରେଣୀ ॥ ୭୧
ସେ ଶୁଦ୍ଧଜଳେ ମୁଖ ଚାହିଁ । ବିଷ୍ଣୁ ଚୁମ୍ବନ ମନେ ବହି ॥ ୭୨
ସେ ବିଷ୍ଣୁପୁରେ ପାପୀଜନ । ପ୍ରବେଶେ ନୁହନ୍ତି ଭାଜନ ॥ ୭୩
ଯେ ଅର୍ଥେ କାମେ ରତି କରେ । ଗୋବିନ୍ଦ ଗୁଣ ନ ସୁମରେ ॥ ୭୪
ଦୁଷ୍କୃତ ମାର୍ଗେ ଯେ ରମନ୍ତି । ନରକମାର୍ଗେ ଯାର ଗତି ॥ ୭୫
ସେ କାହିଁ ପଶିବେ ସେ ପୁରେ । ନରକେ ପଡ଼ନ୍ତି ନିର୍ଭରେ ॥ ୭୬
ସେ ଦେହ ପାଇ ଯେଉଁ ଜନ । ନ କରେ ହରିର ସେବନ ॥ ୭୭
ଏ ଅତି ଦୁଃଖ ହିଁ ବିଦିତ । ସେ ବିଷ୍ଣୁମାୟା ବିମୋହିତ ॥ ୭୮
ଯେ ଯୋଗମାର୍ଗେ ଅନୁବାଦେ । କଠୋର ତପକର୍ମ ସାଧେ ॥ ୭୯
ମନ-ପବନ ହୃଦେ ଛନ୍ଦି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି ॥ ୮୦
ଯେବେ ଗୋବିନ୍ଦଭାବ ନାହିଁ । ସେ ପୁରେ ପଶିବେ ସେ କାହିଁ ॥ ୮୧
ବିଷ୍ଣୁର ମାୟାବଳେ ଜଡ଼ି । ଜନ୍ମ-ମରଣେ ଥାନ୍ତି ପଡ଼ି ॥ ୮୨
ମୋ ଆଦି ଦେବେ ଯା ଚରଣେ । ଭଲେ ଖଟନ୍ତି ଅନୁକ୍ଷଣେ ॥ ୮୩
ନମନ୍ତି ଭୃତ୍ୟପ୍ରାୟ ହୋଇ । ପାଦେ ଖଟନ୍ତି ବଳି ଦେଇ ॥ ୮୪
ବିଷ୍ଣୁର ଯଶ ଗୁଣଗାଥା । ନିତ୍ୟେ କରନ୍ତି ମନେ ଚିନ୍ତା ॥ ୮୫
ଆନନ୍ଦେ ଅଶ୍ରୁବହେ ନେତ୍ରେ । ରୋମହରଷ ସର୍ବଗାତ୍ରେ ॥ ୮୬
ହରିଭକତି ଭାବେ କରି । କାରୁଣ୍ୟ ହିଂସା ପରିହରି ॥ ୮୭
ସେମାନେ ଯାନ୍ତି ଆମ୍ଭ ଊର୍ଦ୍ଧ୍ୱେ । ସୁଖେ ବସନ୍ତି ବିଷ୍ଣୁପଦେ ॥ ୮୮
ଏମନ୍ତ ବିଷ୍ଣୁର ଭୁବନେ । ପଶିଲେ ମୋହର ନନ୍ଦନେ ॥ ୮୯
ଦେଖିଲେ ଅପୂର୍ବ-ଭୁବନ । ଜଗତଗୁରୁର ଯେ ସ୍ଥାନ ॥ ୯୦
ବିବିଧ ଶ୍ରେଷ୍ଠ ଦେବମାନେ । ବିମାନେ ଦୀପ୍ତ ଏ ଭୁବନେ ॥ ୯୧
ଯହିଁ ପୁରାଣ ଇତିହାସ । ଆଗମ ନିଗମ ପ୍ରକାଶ ॥ ୯୨
ତର୍କ ବେଦାନ୍ତ ଯୋଗଶାସ୍ତ୍ରେ । ନ୍ୟାୟ ମୀମାଂସା ଆଦି ଯେତେ ॥ ୯୩
ସ୍ତୁତି କରନ୍ତି ଅବଧାନେ । କୃଷ୍ଣଚରିତ ଗୁଣଗାନେ ॥ ୯୪
ଏମନ୍ତେ ଶାସ୍ତ୍ରେ ମୂର୍ତ୍ତିମନ୍ତେ । ଯହିଁ ସେବନ୍ତି ଅବିରତେ ॥ ୯୫
ସେ ପୁରେ ପଶି ମନସୁଖେ । କୃଷ୍ଣ ମହିମା ଗାଇ ମୁଖେ ॥ ୯୬
ନିରତେ ହରିଗୁଣ ଚିନ୍ତି । କୃଷ୍ଣମାୟାରେ ନ ପଡ଼ନ୍ତି ॥ ୯୭
ଚାରିକୁମରେ ଏକମେଳେ । ଆନନ୍ଦେ ଷଡ଼ଦ୍ୱାରେ ଗଲେ ॥ ୯୮
ସପତଦ୍ୱାରେ ଯାନ୍ତେ ବଳେ । ଆଗେ ମିଳିଲେ ଦ୍ୱାରପାଳେ ॥ ୯୯
କିରୀଟ କୁଣ୍ତଳ କେୟୂର । ଅମୂଲ୍ୟବେଶେ ଶୋଭାକର ॥ ୧୦୦
ଉଚ୍ଚ ସୁନ୍ଦର ବକ୍ଷସ୍ଥଳ । କଣ୍ଠେ ଲମ୍ବଇ ବନମାଳ ॥ ୧୦୧
ଦିଶନ୍ତି କୃଷ୍ଣରୂପ ତେଜେ । ସୁବର୍ଣ୍ଣବେତ ଧରି ଭୁଜେ ॥ ୧୦୨
ଏମନ୍ତେ ବେନି ଦ୍ୱାରପାଳ । ଦେଖିଣ ମୋହର କୁମର ॥ ୧୦୩
ସେ ବ୍ରହ୍ମଋଷି ପ୍ରତିଦ୍ୱାରେ । ଯେମନ୍ତେ ଗଲେ ବିଷ୍ଣୁପୁରେ ॥ ୧୦୪
ତେମନ୍ତେ ତାଙ୍କୁ ନ ପଚାରି । ସପ୍ତମେ ଯାନ୍ତେ ଭାଇଚାରି ॥ ୧୦୫
ଦ୍ୱାରେ କବାଟ ହେମମୟେ । ପ୍ରାଣୀ ନୟନ ମନ ମୋହେ ॥ ୧୦୬
ସେ ଦ୍ୱାରେ ମିଳି ବେନିଭାଇ । ଦ୍ୱାର ରୁନ୍ଧିଲେ ରୋଷବହି ॥ ୧୦୭
ସେ ଚାରିଭାଇ ମୋର ସୁତ । ଦେବଙ୍କ ପୂର୍ବସର୍ଗେ ଜାତ ॥ ୧୦୮
ସ୍ୱଭାବେ ବୃଦ୍ଧ ସେ ଅଟନ୍ତି । ବାଳକ ପ୍ରାୟ ତନୁକାନ୍ତି ॥ ୧୦୯
ପଞ୍ଚବରଷ ପୁତ୍ରପ୍ରାୟେ । ଦିଶନ୍ତି ବସ୍ତ୍ର ନାହିଁ ଦେହେ ॥ ୧୧୦
ଉଲଗ୍ନ ଦେଖି ତାଙ୍କ ବେଶ । ତାହାଙ୍କୁ କଲେ ଉପହାସ ॥ ୧୧୧
ତକ୍ଷଣେ ବେତ୍ର ଧରି କରେ । ନିଷେଧ କଲେ ସପ୍ତଦ୍ୱାରେ ॥ ୧୧୨
ଦେବେ ଦେଖନ୍ତି ଶୂନ୍ୟେ ରହି । ନିରୋଧ କଲେ ବେନିଭାଇ ॥ ୧୧୩
ସେ ଚାରିଋଷି ରହି ଦ୍ୱାରେ । ମନେ ବିଚାରି କୋପଭରେ ॥ ୧୧୪
ବିଷ୍ଣୁର ଅତି ପ୍ରିୟପଣେ । ପାଦେ ଖଟନ୍ତି ଅନୁକ୍ଷଣେ ॥ ୧୧୫
ଦେଖି ନ ପାରି କୃଷ୍ଣରୂପ । ହୃଦେ ବସିଲା ଗରୁତାପ ॥ ୧୧୬
ବୋଲନ୍ତି ଅନ୍ୟୋଅନ୍ୟେ ଚାହିଁ । ଏ ଭାବ ଏ ପୁରେ ତ ନାହିଁ ॥ ୧୧୭
ଏ ଦ୍ୱାରପାଳ ପଣେ ଥାଇ । କୁହୁକ ଜନପ୍ରାୟ ହୋଇ ॥ ୧୧୮
ଯେ ବଇକୁଣ୍ଠପୁରେ ଥାନ୍ତି । ତାଙ୍କୁ ନ ଲାଗେ ରିପୁ ଭ୍ରାନ୍ତି ॥ ୧୧୯
କାମାଦି ଶତ୍ରୁ ଷଡ଼ଭାଇ । ଏ ପୁରେ ସମ୍ଭବିବେ କାହିଁ ॥ ୧୨୦
ସ୍ୱଭାବେ ସର୍ବପ୍ରାଣୀ ହୃଦେ । ହରି ବସନ୍ତି ଆତ୍ମାପଦେ ॥ ୧୨୧
ବାହ୍ୟ ଅନ୍ତରେ ବିଶ୍ୱରୂପୀ । ଘଟ ଆକାଶ ପ୍ରାୟ ବ୍ୟାପି ॥ ୧୨୨
କରନ୍ତି ଆତ୍ମାର ପ୍ରକାଶ । ପଣ୍ତିତେ ଯହିଁରେ ସନ୍ତୋଷ ॥ ୧୨୩
ସମ ବିଷମ ଯହିଁ ନାହିଁ । ଅନ୍ୟାୟ କଲେ ବେନିଭାଇ ॥ ୧୨୪
ବିଷ୍ଣୁର ଦ୍ୱାରପାଳ ଭାବେ । ଦୁଷ୍ଟ ହୋଇଲେ ମତ୍ତଗର୍ବେ ॥ ୧୨୫
କପଟଧର୍ମୀ ବେନିଭାଇ । ଏ ପୁରେ ଥିବା ନ ଯୋଗାଇ ॥ ୧୨୬
ବେଗେ ପଡ଼ନ୍ତୁ ମହୀତଳେ । ଜନ୍ମିବେ ଅସୁରଙ୍କ କୁଳେ ॥ ୧୨୭
ତୃତୀୟ ଜନ୍ମ ଭୋଗ ସାରି । ପୁଣି ଲଭିବେ ବିଷ୍ଣୁପୁରୀ ॥ ୧୨୮
ଏମନ୍ତ ଶାପ ତାଙ୍କୁ ଦ୍ୟନ୍ତେ । ଦ୍ୱାରେ ଶୁଣିଲେ ବେନିଭ୍ରାତେ ॥ ୧୨୯
ଏ ବ୍ରହ୍ମଦଣ୍ତ ଅନିର୍ବାର । କେବେହେଁ ନାହିଁ ପ୍ରତିକାର ॥ ୧୩୦
ମୁନି ବଚନେ ଦ୍ୱାରପାଳ । ମନରେ ହୋଇଲେ ବିକଳ ॥ ୧୩୧
ଏମନ୍ତେ ଅତିଭୟ ମନେ । ପାଦେ ପଡ଼ିଲେ ବେନିଜନେ ॥ ୧୩୨
ଉଠିଣ ଶିରେ କର ଦେଇ । କହନ୍ତି ମୁନିଙ୍କି ଅନାଇଁ ॥ ୧୩୩
ଏ ଦଣ୍ତ ଉଚିତ ଆମ୍ଭର । ଏଥି ବା କି ଦୋଷ ତୁମ୍ଭର ॥ ୧୩୪
ଦେବ ହେଳେନ କର୍ମ କରି । ଅସୁର ଦେହେ ଅବତରି ॥ ୧୩୫
ତହିଁକି ନାହିଁ ଆମ୍ଭ ଡର । କେବଳ କୃପା ଏତେ କର ॥ ୧୩୬
ଅର୍ଜିଲା କର୍ମର ଆୟତ୍ତେ । ଜନ୍ମ ମରଣ ଏ ଜଗତେ ॥ ୧୩୭
ବୋଲନ୍ତି ଶୁଣ ମୁନିବର । କରିବ ପାପୀ ପ୍ରତିକାର ॥ ୧୩୮
କୃଷ୍ଣର ସ୍ମରଣ ଆମ୍ଭର । ଯେମନ୍ତେ ନୋହିବ ବିସ୍ମର ॥ ୧୩୯
ମୁନି ବୋଲନ୍ତି ଦୟାଚିତ୍ତେ । ସ୍ୱଭାବେ ଥିବ ଦୁଷ୍ଟମତେ ॥ ୧୪୦
ତୁମ୍ଭର ଦେହେ ବିଷ୍ଣୁଭାବ । କଳାଏ ଅଂଶମାତ୍ର ଥିବ ॥ ୧୪୧
ଏବେ ହୋ ଶୁଣ ସୁରଗଣ । ତାହା ଜାଣିଲେ ନାରାୟଣ ॥ ୧୪୨
ମୁନିହେଳନ କର୍ମ ଶୁଣି । ପୁରୁ ବାହାର ଚକ୍ରପାଣି ॥ ୧୪୩
ଦ୍ୱାରପାଳଙ୍କୁ ଦୟା ବହି । ଭୃତ୍ୟବତ୍ସଳ ଭାବଗ୍ରାହୀ ॥ ୧୪୪
ଲକ୍ଷ୍ମୀର କରେ ଦେଇ କର । ଗୋବିନ୍ଦ ହୋଇଲେ ବାହାର ॥ ୧୪୫
ଗୋବିନ୍ଦ ଚଳନ୍ତି ଚରଣେ । ଯହିଁ ଅଛନ୍ତି ମୁନିଗଣେ ॥ ୧୪୬
ପରମହଂସ ଦୀକ୍ଷା ବହି । ତେଜେ ପ୍ରଚଣ୍ତ ଚାରିଭାଇ ॥ ୧୪୭
କୋପେ କମ୍ପନ୍ତି ମହାତାପେ । ଗୋବିନ୍ଦ ମିଳିଲେ ସମୀପେ ॥ ୧୪୮
ଯାହାର ଦରଶନ ଅର୍ଥେ । ଯୋଗ ସାଧନ୍ତି ମୁନି-ସନ୍ଥେ ॥ ୧୪୯
ଲକ୍ଷ୍ମୀଦେବୀଙ୍କ ପରିବାରୀ । କରେ ଚାମର ଛନ୍ତି ଧରି ॥ ୧୫୦
କେ ଶୁକ୍ଳ ପାଟଛତ୍ର କରେ । ଘେନି ଚଳନ୍ତି ଧୀରେ ଧୀରେ ॥ ୧୫୧
ଛତ୍ରେ ମୁକୁତାମାଳ ଶୋହେ । ହିମ ଶୀକର କଣା ବହେ ॥ ୧୫୨
ପ୍ରସନ୍ନମୁଖ ଭଗବାନ । କିବା ସୁନ୍ଦର ଅନୁପମ ॥ ୧୫୩
ସ୍ନେହ ଦୟାରେ ସର୍ବଜନ । ମନ ମୋହିଲେ ଭଗବାନ ॥ ୧୫୪
ଶ୍ୟାମସୁନ୍ଦର ବକ୍ଷସ୍ଥଳେ । କମଳା ବସନ୍ତି ନିଶ୍ଚଳେ ॥ ୧୫୫
କୌସ୍ତୁଭମଣି କଣ୍ଠେ ଶୋହେ । ଅଶେଷ ଜନମନ ମୋହେ ॥ ୧୫୬
ପୀତବସନ କଟୀମାଝେ । କନକମେଖଳା ବିରାଜେ ॥ ୧୫୭
ଉରେ ଲମ୍ବଇ ବନମାଳ । ସୁନ୍ଦର ଅଳକ କପୋଳ ॥ ୧୫୮
କେୟୂର କଙ୍କଣ ବିରାଜେ । ରୂପେ କୋଟିଏ କାମଗଞ୍ଜେ ॥ ୧୫୯
ଲୀଳାଅମ୍ବୁଜ ଏକକରେ । ଚଳନ୍ତେ ଭ୍ରମଇ ସେ କରେ ॥ ୧୬୦
ବିଜୁଳି ପ୍ରାୟେ ଗଣ୍ତସ୍ଥଳେ । ଶୋଭଇ ମକରକୁଣ୍ତଳେ ॥ ୧୬୧
ଶିରେ ମୁକୁଟମଣି ଶୋହେ । ଅଧିକେ ଜଗୁଜନ ମୋହେ ॥ ୧୬୨
ଚତୁର ବାହୁର ମଧ୍ୟର । ସୁସଞ୍ଚ ମନୋହର ହାର ॥ ୧୬୩
କଣ୍ଠେ ଲମ୍ବଇ ମଣିହାର । ମଧ୍ୟେ କୌସ୍ତୁଭ ରତ୍ନସାର ॥ ୧୬୪
ଏମନ୍ତେ ନାନାରତ୍ନ ପୁଞ୍ଜେ । ତେଜେ କମଳାରୂପ ଗଞ୍ଜେ ॥ ୧୬୫
ବ୍ରହ୍ମା-ଶଙ୍କର-ଦେବ ମନ । ମୋହନ ରୂପେ ହୋଏ ଛନ୍ନ ॥ ୧୬୬
ସ୍ଥିରଲୋଚନେ ସ୍ତମ୍ଭୀଭୂତେ । ଦେଖି ତୃପତ ନୋହେ ଚିତ୍ତେ ॥ ୧୬୭
ଆନନ୍ଦେ ସର୍ବ ମୁନିବରେ । ନମିଲେ କୃଷ୍ଣଙ୍କ ପୟରେ ॥ ୧୬୮
ସେ ହରି ଚରଣାବହିନ୍ଦ । କିଞ୍ଜଳ୍ କ ତୁଳସୀ ଆମୋଦ ॥ ୧୬୯
ପବନ ନାସାଦ୍ୱାରେ ପୂରେ । ଚିତ୍ତ ଶରୀର କ୍ଷୋଭ କରେ ॥ ୧୭୦
କୃଷ୍ଣ ସୁନ୍ଦର ମୁଖତ୍ରାସ । ଯେହ୍ନେ ସୁନୀଳ ପଦ୍ମକୋଷ ॥ ୧୭୧
ବିମ୍ବଅଧରେ କୁନ୍ଦହାସ । ଅଶେଷ ଜନମନ ତୋଷ ॥ ୧୭୨
ସେ ରୂପ ଦେଖି ପୁଣି ଚିତ୍ତେ । ଧ୍ୟାନ ନିରୋପି ପାଦଗତେ ॥ ୧୭୩
ଅରୁଣ ମଣି ନଖକାନ୍ତି । ନିଶ୍ଚଳ ଲୋଚନେ ଧରନ୍ତି ॥ ୧୭୪
ଯାହାର ଗତି ଯୋଗମାର୍ଗେ । ଧ୍ୟାନେ ଚିନ୍ତନ୍ତି ମୁନିବର୍ଗେ ॥ ୧୭୫
ସେ ରୂପ ନୟନଗୋଚରେ । ଦେଖିଲେ ମୋହର କୁମରେ ॥ ୧୭୬
ଅଷ୍ଟ ଐଶ୍ୱର୍ଯ୍ୟ ମୁକ୍ତକଳ୍ପ । ଦେଖନ୍ତେ ପ୍ରଭୁ ନିଜରୂପ ॥ ୧୭୭
ତକ୍ଷଣେ ଶିରେ କର ଦେଇ । ବୋଲନ୍ତି କୃଷ୍ଣ ମୁଖ ଚାହିଁ ॥ ୧୭୮
ଯେ ହରି ପ୍ରାଣୀଙ୍କ ଶରୀରେ । ଅନନ୍ତ ହୃଦୟେ ବିହରେ ॥ ୧୭୯
ସାଧୁ ଅସାଧୁ ଯାର ନାହିଁ । ତାର ମହିମା କେବା କହି ॥ ୧୮୦
ସେ ହରି ଆମ୍ଭ ଦୃଷ୍ଟି ପଥେ । ପ୍ରତ୍ୟକ୍ଷେ ମିଳିଲେ ଅଗ୍ରତେ ॥ ୧୮୧
ଯାହାର ଗୁଣ କର୍ମ ଗାଥା । ଏକାନ୍ତେ ବସି ଆମ୍ଭ ପିତା ॥ ୧୮୨
କହିଲେ ପରମ ଆନନ୍ଦେ । ବ୍ରହ୍ମବିଗ୍ରହ ଅନୁବାଦେ ॥ ୧୮୩
ସେ ପଶି ଆମ୍ଭ କର୍ଣ୍ଣଦ୍ବାରେ । ରହିଲା ହୃଦୟ-ବିବରେ ॥ ୧୮୪
ତୁ ନାଥ ପରମାର୍ଥ-ତତ୍ତ୍ବ । ଯୋଗେ ସାଧନ୍ତି ମୁନିସନ୍ଥ ॥ ୧୮୫
ତୋ ଧ୍ୟାନ ରଚି ସତ୍ତ୍ବଗୁଣେ । ଯେବା ଚିନ୍ତନ୍ତି ଅନୁକ୍ଷଣେ ॥ ୧୮୬
ସଂସାର ଅନୁତାପେ ଯନ୍ତ୍ରି । ସୁହୃଦ ଭକ୍ତିଭାବେ ଚିନ୍ତି ॥ ୧୮୭
ହୃଦରେ ସ୍ଥାପି ତୋର ରୂପ । ବେଗେ ଛାଡ଼ନ୍ତି ତିନିତାପ ॥ ୧୮୮
ତୋର ପ୍ରସାଦ ଆତ୍ୟନ୍ତିକେ । ମନେ ଚିନ୍ତନ୍ତି ଯେବା ଲୋକେ ॥ ୧୮୯
କି ଅବା ଅନ୍ୟ ଇଚ୍ଛାତାର । ଅଛି ଏ ସଂସାର ଭିତର ॥ ୧୯୦
ଭୋ ଦେବ ତୋହର ଚରଣେ । ଯେ ପ୍ରାଣୀ ପଶନ୍ତି ଶରଣେ ॥ ୧୯୧
ତୋର କଥାରେ ଯାର ରତି । ଘୋର ସଂସାରୁ ତରିଯାନ୍ତି ॥ ୧୯୨
ଆମ୍ଭେ ତୋ ଭକ୍ତେ ଶାପ ଦେଇ । ଯେ ପାପ ଅର୍ଜିଲୁ ଗୋସାଇଁ ॥ ୧୯୩
ସେ ପାପେ ନାନା ଯୋନିଗତେ । ଜନମ ଲଭି ଭୂମିଗତେ ॥ ୧୯୪
ତୋ ଯଶ ଶୁଣି କର୍ଣ୍ଣମାର୍ଗେ । ତୋ ନାମ ଗୁଣି ଜିହ୍ୱାଅଗ୍ରେ ॥ ୧୯୫
ତୋର ଚରଣେ ହେଉ ରତି । ଆମ୍ଭର ଜଡ଼ବୁଦ୍ଧି ମତି ॥ ୧୯୬
ବଚନ ତୋ ଚରଣେ ରହୁ । ତୁଳସୀ ପ୍ରାୟ ଶୋଭା ପାଉ ॥ ୧୯୭
ତୋ ଗୁଣଗଣେ କର୍ଣ୍ଣପଥ । ଶ୍ରବଣେ ପୂରୁ ଜଗନ୍ନାଥ ॥ ୧୯୮
ତୁ ରୂପ ଦେଖାଇ ପବିତ୍ର । କୃତାର୍ଥ କଲୁ ଆମ୍ଭ ନେତ୍ର ॥ ୧୯୯
ଭୋ ନାଥ କମଳାରମଣ । ଅନାଦି ପରମ କାରଣ ॥ ୨୦୦
ଅଜିତ ଇନ୍ଦ୍ରିୟ ଜନର । ତୋ ରୂପ ଅଟେ ଅଗୋଚର ॥ ୨୦୧
ଏମନ୍ତେ କହି ମୋର ସୁତେ । ନମିଲେ ବିଷ୍ଣୁ ପାଦଗତେ ॥ ୨୦୨
ସେ ହରି ଚରଣ କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୨୦୩
ତୃତୀୟସ୍କନ୍ଧେ ଭାଗବତ । କହିଲା ଦାସ ଜଗନ୍ନାଥ ॥ ୨୦୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଜୟବିଜୟୟୋଃ ସନକାଦିଶାପୋ ନାମ ପଞ୍ଚଦଶୋଽଧ୍ୟାୟଃ ॥
* * *