ତୃତୀୟ ସ୍କନ୍ଧ

ଚତୁŸର୍ଦ୍ଦଶ ଅଧ୍ୟାୟ

ଶୁକ ଉବାଚ

ମୈତ୍ରେୟ ବାଣି ଶୁଣି କ‰ର୍ଣ୍ଣେ । ତୋଷ ନୋହିଲା ତା’ର ମନେ ॥

କୃଷ୍ଣ ଶୂକରରୂପ କଥା । ଅମୃତ ରସମୟ ଗାଥା ॥

ଆନନ୍ଦେ ଶିରେ କର ଦେଇ । ପୁଣି ବିଦୁର ପଚାରଇ ॥

ବିଦୁର ଉବାଚ

ଯଜ୍ଞବରାହ ରୂପ ହରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି ॥

ଜଳୁ ଆସନ୍ତେ ଊର୍ଦ୍ଧ୍ୱଗତେ । ଆଦି ଅସୁର ତା’ ଅଗ୍ରତେ ॥

ମିଳିଲା ଗଦା କରେ ଧରି । ତା’ ଦେହ ଦଶନେ ବିଦାରି ॥

ଏ କଥା ଶୁଣି ତୁମ୍ଭ ମୁଖେ । ଏବେ ପଚାରେ ମନସୁଖେ ॥

ସେ ଦୈତ୍ୟ ତେଜେ ଅନର୍ଗଳା । କି ହେତୁ ଗଦାଯୁଦ୍ଧ କଲା ॥

ତାହାର ଜନ୍ମ କର୍ମ ଯେତେ । ବିସ୍ତାରି କହ ମୁନି ମୋତେ ॥

ପରମ କୁତୂହଳ ବାଣୀ । ଜୀବ ନିସ୍ତରେ ଯାହା ଶୁଣି ॥ ୧୦

ମୈତ୍ରେୟ ଉବାଚ

ତୁ ଧନ୍ୟ ଧନ୍ୟ କୁରୁବୀର । ଏ ସାଧୁ ପ୍ରଶ୍ନ ଯେ ତୋହର ॥ ୧୧

ହରି-ଚରିତ ଗୁର କଥା । ଅମୃତ ରସମୟ-ଗାଥା ॥ ୧୨

ଯାହା ଶୁଣନ୍ତେ ମୃତ୍ୟୁପାଶ । ସୁତୀକ୍ଷ୍ ଣ ଚକ୍ରେ ହୋଏ ନାଶ ॥ ୧୩

ସେ ସ୍ୱାୟମ୍ଭୁବ ମୁନି ସୁତ । ଉତ୍ତାନପାଦ-ସୁତ ଖ୍ୟାତ ॥ ୧୪

ତପର ବଳେ ସେ ପ୍ରଚଣ୍ତେŠ । ଚରଣ ଦେଇ ମୃତ୍ୟୁମୁଣ୍ତେ ॥ ୧୫

ସ୍ୱଭାବେ ତେଜେ ଅନର୍ଗଳା । ପରମପଦେ ସେ ପଶିଲା ॥ ୧୬

ତୁ ଯେବେ ପଚାରିଲୁ ମୋତେ । ବିଦୁର ଶୁଣ ଏକଚିତ୍ତେ ॥ ୧୭

ପ୍ରସ୍ତାବେ ଇତିହାସ ବାଣୀ । ଦେବଙ୍କ ସଭାମଧ୍ୟେ ଶୁଣି ॥ ୧୮

ଦେବ ସମୀପେ ଦେବଦେବ । ବ୍ରହ୍ମା କହିଲେ ଯେ ପ୍ରସ୍ତାବ ॥ ୧୯

ଜାଣଇ ଏଥିର କାରଣ । କହିବି ଏକଚିତ୍ତେ ଶୁଣ ॥ ୨୦

ଦକ୍ଷ ଦୁହିତା ଦିତି ନାମା । କଶ୍ୟପ ଋଷିଙ୍କର ବାମା ॥ ୨୧

ସେ ଏକଦିନେ ସନ୍ଧ୍ୟାକାଳେ । ଏକା ପଶିଲା ଯଜ୍ଞଶାଳେ ॥ ୨୨

ମିଳିଲା ନିଜ ପତି ପାଶେ । କାମେ ପୀଡ଼ିତ ରତି ଆଶେ ॥ ୨୩

ସେ ମହାଋଷି ଯଜ୍ଞଘରେ । ମନ୍ତ୍ରେ ଆହୁତି ଘୃତଧାରେ ॥ ୨୪

ଯଜ୍ଞପୁରୁଷ ପ୍ରୀତି ଅର୍ଥେ । ଅସ୍ତ ପର୍ବତେ ସୂର୍ଯ୍ୟ ଯାନ୍ତେ ॥ ୨୫

ହବିରେ ଅଗ୍ନିକି ପୂଜନ । କରନ୍ତି ହୋଇ ତୋଷମନ ॥ ୨୬

ନିବିଡ଼ ସନ୍ଧ୍ୟା ଆଗମନେ । ମିଳିଲା ସ୍ୱାମୀ ସନ୍ନିଧାନେ ॥ ୨୭

ସମାଧିସ୍ଥିତ ସ୍ୱାମୀ ପାଶେ । କାମ ପୀଡ଼ିତା ଦିତି ବସେ ॥ ୨୮

କରଅଞ୍ଜଳି ଶିରେ ଦେଇ । ବୋଲେ କଶ୍ୟପ ମୁଖ ଚାହିଁ ॥ ୨୯

ଦିତି ଉବାଚ

ଭୋ ନାଥ ଶୁଣ ତପୋଧନ । ଅନଙ୍ଗ ଘେନି ଶରାସନ ॥ ୩୦

ତା ପଞ୍ଚବାଣେ ମୋର ମନେ । ଦହଇ ତୁମ୍ଭର ବିହୁନେ ॥ ୩୧

କଦଳୀବନ ଯେହ୍ନେ ଗଜ । ଦନ୍ତେ ବିଦାରେ ମହାତେଜ ॥ ୩୨

ସମୃଦ୍ଧି ଦେଖି ସପତ୍ନୀର । ମୋ ମନ ଦଗ୍ଧ ନିରନ୍ତର ॥ ୩୩

ତୁ ପ୍ରଜାପତିଙ୍କ ଈଶ୍ୱର । ସର୍ବ କଳ୍ପନା ସୁଖଘର ॥ ୩୪

ଏବେ ମୋ’ଠାରେ ଅନୁଗ୍ରହ । କରି ସକଳ ସୁଖ ଦିଅ ॥ ୩୫

ଯାହାକୁ ସ୍ୱାମୀ ହୋଏ ତୋଷ । ସଂସାରେ ରହେ ତାର ଯଶ ॥ ୩୬

ଆପଣା ରୂପେ ପ୍ରତ୍ରଜାତ । ହୁଅଇ ଯାର ଗର୍ଭଗତ ॥ ୩୭

ଆମ୍ଭର ଗର୍ଭେ ପୁତ୍ରହେଲେ । ତୋ ଯଶ ବିସ୍ତାରିବ ଭଲେ ॥ ୩୮

ମୋ ପିତା ଦକ୍ଷ ପ୍ରଜାପତି । ପ୍ରଜା ସର୍ଜନେ ତା’ର ମତି ॥ ୩୯

ଆମ୍ଭର ଗର୍ଭେ ପୁତ୍ର ଯେତେ । ଧର୍ମେ ପାଳିବେ ଏ ଜଗତେ ॥ ୪୦

ଏ କଥା ମନେ ବିଚାରିଲା । ଯତ୍ନେ ଆମ୍ଭଙ୍କୁ ପଚାରିଲା ॥ ୪୧

ସମ୍ମତି ଦେଖିଣ ଆମ୍ଭର । ତେଣୁ ବରିଲା ତୋତେ ବର ॥ ୪୨

ଆମ୍ଭେ ଯେ ଭଗ୍ନୀ ତ୍ରୟୋଦଶ । ତୁମ୍ଭର ଚରଣେ ବିଶ୍ୱାସ ॥ ୪୩

ଆମ୍ଭର ରୂପ ଶୀଳ ଗୁଣ । ତୁମ୍ଭେ ତ ପ୍ରତ୍ୟକ୍ଷ ପ୍ରମାଣ ॥ ୪୪

ଭୋ ନାଥ ନଳିନଲୋଚନ । ଏବେ ତୁ କର ମୋ ବଚନ ॥ ୪୫

ମୋ ସଙ୍ଗେ କର ଏବେ ରତି । ସୌଭାଗ୍ୟେ ହେଉ ମୋ ସନ୍ତତି ॥ ୪୬

ମୈତ୍ରେୟ ଉବାଚ

ଏମନ୍ତେ ଶୁଣି ତା ବଚନ । କଶ୍ୟପ ହୋଇ ଦୁଃଖ ମନ ॥ ୪୭

ଚାହିଁଲେ ଦିତିର ବଦନ । ଅନଙ୍ଗବାଣେ ଛନଛନ ॥ ୪୮

ଦେଖି ତାହାର ଦୁଷ୍ଟଚିତ୍ତ । କହନ୍ତି ମରୀଚିଙ୍କ ସୁତ ॥ ୪୯

କଶ୍ୟପ ଉବାଚ

ଶୁଣ ସୁନ୍ଦରି ମୋ ବଚନ । ମୁହିଁ ଜାଣଇ ତୋର ମନ ॥ ୫୦

ଏ ସନ୍ଧ୍ୟାକାଳେ ମୋର ପାଶେ । ତୁ ଯେ ମିଳିଲୁ ରତି ଆଶେ ॥ ୫୧

ଏ ଧର୍ମ-ପ୍ରମାଣ ସ୍ୱଭାବ । କେ ତାହା ଅନ୍ୟଥା କରିବ ॥ ୫୨

ଏଣୁ ତୋହର ପ୍ରିୟଯେତେ । କରିବି ତୋହର ଆୟତ୍ତେ ॥ ୫୩

ସଂସାର ସ୍ୱଭାବଟି ଏହି । ଯେ ଧର୍ମକର୍ମେ ରହେ ଗୃହୀ ॥ ୫୪

ସର୍ବ ଆଶ୍ରମ ମଧ୍ୟେ ସାର । ପୁତ୍ର କଳତ୍ର ଘେନି ଘର ॥ ୫୫

ଏଣୁ ହୁଅଇ ଦୁଃଖ ପାର । ବୋଇତେ ଯେହ୍ନେ ପାରାବାର ॥ ୫୬

ଆତ୍ମାର ଅର୍ଦ୍ଧସମ ନାରୀ । ଅନ୍ୟଥା କେବା ତାହା କରି ॥ ୫୭

ତାହାର ତହିଁ ଗୃହଭାର । ଦେଇ ନିଶ୍ଚିନ୍ତେ ଥାଇ ନର ॥ ୫୮

ଯାହାର ଆଶ୍ରେ ପ୍ରାଣୀ ଥାଇ । ଇନ୍ଦ୍ରିୟ-ଶତ୍ରୁକୁ ଜିଣଇ ॥ ୫୯

ଏଣୁ ତୁମ୍ଭର ଉପକାର । ଶୁଝା ଯେ ନ ଯିବ ଆମ୍ଭର ॥ ୬୦

ଏ କଥା କେ କରିବ ଆନ । ଯାହା ସଞ୍ଚିଲେ ଭଗବାନ ॥ ୬୧

ଏବେ ତୁ ଧୀର ଆତ୍ମମନେ । ମୁହୂର୍ତ୍ତେ ରହ ମୋ ବଚନେ ॥ ୬୨

ଦେଖ ଏ ଭୟଙ୍କର ବେଳା । ପ୍ରେତ-ପିଶାଚଗଣ ମେଳା ॥ ୬୩

ଭୂତ-ବେତାଳ ଘେନି ସଙ୍ଗେ । ରମନ୍ତି ଭୂତପତି ରଙ୍ଗେ ॥ ୬୪

ଦେଖ ଏ ଘୋର-ସନ୍ଧ୍ୟାକାଳେ । ଘୋର ଶବଦ ଗଣମେଳେ ॥ ୬୫

ଶ୍ମଶାନ-ଧୂଳିରେ ଧୂସର । ଜଟାକଳାପେ ଭୟଙ୍କର ॥ ୬୬

ଭସ୍ମଲେପନ ସର୍ବଅଙ୍ଗେ । ଭୂତାଦିଗଣ ଘେନି ସଙ୍ଗେ ॥ ୬୭

ବୃଷଭେ ବସି ଭୂତପତି । ଦେଖଇ ସର୍ବଜନ ଗତି ॥ ୬୮

ତୋହର ଦେବର ସ୍ୱଭାବେ । ମୁହୂର୍ତ୍ତେ ରହ ସଖି ଏବେ ॥ ୬୯

ପର ଅପର ଯାର ନାହିଁ । ବନ୍ଦନ ନିନ୍ଦନ ବା କାହିଁ ॥ ୭୦

ଆମ୍ଭେ ସକଳେ ଯା ଚରଣେ । ସେବୁ ସୁବ୍ରତ ଆଚରଣେ ॥ ୭୧

ତାର ପ୍ରସାଦ ଶେଷଭୋଗ । ଭୁଞ୍ଜୁ ଅତୁଲ୍ୟ ସଉଭାଗ୍ୟ ॥ ୭୨

ଯାର ନିର୍ମଳ ଗୁଣ ଚିନ୍ତି । ମାୟା-ପଟଳେ ସର୍ବ ଯତି ॥ ୭୩

ଚିନ୍ତନ୍ତି ନିର୍ଲେପ ଶରୀର । ଅଚିନ୍ତ୍ୟ ଗୁଣ ଯେ ଗଭୀର ॥ ୭୪

ନିର୍ମଳଚେତା ମୁନିଗଣେ । ଧ୍ୟାନେ ଚିନ୍ତନ୍ତି ଯା ଚରଣେ ॥ ୭୫

ତପ ସାଧନେ ଯୋଗେ ଚିନ୍ତି । ଅଶେଷ ସମ୍ପଦ ଲଭନ୍ତି ॥ ୭୬

ପିଶାଚ-ମାର୍ଗ ଦେଖି ତା’ର । ସୁଜନେ କରନ୍ତି ବିଚାର ॥ ୭୭

ଊଣା ଅଧିକେ ଯାର ନାହିଁ । ପିଶାଚ-ଚେଷ୍ଟାରେ ଭ୍ରମଇ ॥ ୭୮

ତାଙ୍କୁ ଯେ ଦୁର୍ଭଗା ହସନ୍ତି । ସେ ତା ମହିମା ନ ଜାଣନ୍ତି ॥ ୭୯

ବ୍ରହ୍ମାଦି ଦେବେ ଯା କିଙ୍କର । ଯା ମାୟାବଳେ ଏ ସଂସାର ॥ ୮୦

ସୃଷ୍ଟି ପାଳନ ସଂହାରଣ । ଯେ ବିଶ୍ୱ ପରମ-କାରଣ ॥ ୮୧

ପିଶାଚଚେଷ୍ଟା ତାର ଦେଖି । ସାଧବ ଜନେ ହୋନ୍ତି ଦୁଃଖୀ ॥ ୮୨

ଚରିତ ବିଡ଼ମ୍ବନ ତା’ର । ଦେବ ମାନବେ ଅଗୋଚର ॥ ୮୩

ମୈତ୍ରେୟ ଉବାଚ

ଇନ୍ଦ୍ରିୟଗଣ ସେ ଦିତିର । କାମରେ ହୋଇଲା ଅସ୍ଥିର ॥ ୮୪

ଏମନ୍ତେ ସ୍ୱାମୀ ବାକ୍ୟ ଶୁଣି । ସ୍ୱଭାବେ ଉନ୍ମତ୍ତ ତରୁଣୀ ॥ ୮୫

ମଦନବାଣେ ଭୋଳ ଚିତ୍ତ । ବେଗେ ଧଇଲା ସ୍ୱାମୀ ହସ୍ତ ॥ ୮୬

ବସ୍ତ୍ର କରଷି ବାମକରେ । କଟାକ୍ଷେ ଚାହେଁ କାମଭରେ ॥ ୮୭

ବୃଷଳୀ ପ୍ରାୟେ ଲଜ୍ଜା ଛାଡ଼ି । ରମଣରସେ ଚିତ୍ତ ବଢ଼ି ॥ ୮୮

ପତ୍ନୀ ନିର୍ବନ୍ଧ ମୁନି ଦେଖି । ଧର୍ମ ବିଷୟେ ମନେ ଦୁଃଖୀ ॥ ୮୯

ଦଇବ ରୂପ ଯେ ଈଶ୍ୱର । ତାହାଙ୍କୁ କରି ନମସ୍କାର ॥ ୯୦

ଏକାନ୍ତେ ଯାଇ ତା’ର ସଙ୍ଗେ । ମେଳ ହୋଇଲେ ରତିରଙ୍ଗେ ॥ ୯୧

ପତ୍ନୀ ରମଣରସ ସାରି । ତକ୍ଷଣେ ଆଚମନ କରି ॥ ୯୨

କର ଚରଣ ଧୋଇ ଜଳେ । ଆସନେ ବସିଲେ ନିଶ୍ଚଳେ ॥ ୯୩

ଗାୟତ୍ରୀମନ୍ତ୍ର ପ୍ରାଣାୟାମ । କରି ଚିନ୍ତିଲେ ବିଷ୍ଣୁନାମ ॥ ୯୪

ନିର୍ମଳ ଜ୍ୟୋତିରୂପେ ମନ । ନିବେଶି ହୋଇଲେ ମଉନ ॥ ୯୫

ତକ୍ଷଣେ ଉଠି ଦିତି ବେଗେ । ବସ୍ତ୍ର ଆଚ୍ଛାଦି ସର୍ବଅଙ୍ଗେ ॥ ୯୬

ସଲ୍ଲଜ୍ଜେ ଅଧୋମୁଖେ ରହି । କହେ କଶ୍ୟପ ମୁଖ ଚାହିଁ ॥ ୯୭

ଦିତି ଉବାଚ

ଭୋ ନାଥ ଶୁଣ ମୋ ବଚନ । ମୋହର କର୍ମଫଳ ହୀନ ॥ ୯୮

ଯେ ଗର୍ଭ ହୋଇବ ମୋହର । ଯେମନ୍ତେ ନାଶ ନୋହେ ତା’ର ॥ ୯୯

ଅବଜ୍ଞା କରି ଭୂତପତି । ମୁଁ ଯେ ଆଚରିଲି ଅନୀତି ॥ ୧୦୦

ଭୋ ରୁଦ୍ର ନମୁଁ ତୋ ଚରଣେ । ତୋର ବିହାର ଭୂତଗଣେ ॥ ୧୦୧

ହେ ଶିବ ଶିବ ଦଣ୍ତŠଧର । ଉŸŠଦ୍ଦଣ୍ତ ଦŠଣ୍ତ ତୋର କର ॥ ୧୦୨

ତୁ ଉଗ୍ର ଭୀମ ଉମାପତି । ତୋ ଅନୁଗ୍ରହେ ନାହିଁ ଭୀତି ॥ ୧୦୩

ଅପ୍ରାଧ ନାଶେ ତୋର ଦୟା । ତାକୁ ନ ଲାଗେ ବିଷ୍ଣୁମାୟା ॥ ୧୦୪

ତୁ ଉଗ୍ରରୂପ କ୍ଷମାକର । ନମୋ ନମସ୍ତେ ତୋ ପୟର ॥ ୧୦୫

ସଂହାରେ କ୍ରୋଧ ରୂପ ତୋର । ତୋ ପଦେ ମୋର ନମସ୍କାର ॥ ୧୦୬

ଗର୍ଭ ମୋ ରଖ ହେ ଗୋସାଇଁ । ପ୍ରସନ୍ନ ହୁଅ ଦୟା ବହି ॥ ୧୦୭

ହେ ପ୍ରଭୁ ଦେବ ଭଗବାନ । ଆମ୍ଭଙ୍କୁ ହୋଇବା ପ୍ରସନ୍ନ ॥ ୧୦୮

ମୁଁ ଯେ ସ୍ୱଭାବେ ସ୍ତିରୀଜାତି । ନମୋ ନମସ୍ତେ ସତୀପତି ॥ ୧୦୯

ପତ୍ନୀ-ସ୍ୱଭାବ ଭଲେ ଜାଣ । ବିଚାରି ହୁଅ ତୁ ପ୍ରସନ୍ନ ॥ ୧୧୦

ମୈତ୍ରେୟ ଉବାଚ

ଗର୍ଭ ଆଶିଷେ ମନ ଦେଇ । କମ୍ପେ କଶ୍ୟପ ମୁଖ ଚାହିଁ ॥ ୧୧୧

ତକ୍ଷଣେ ଧ୍ୟାନ ବେଗେ । ମୁନି କହନ୍ତି ପତ୍ନୀ ଆଗେ ॥ ୧୧୨

କଶ୍ୟପ ଉବାଚ

ଭୋ ସଖି ଶୁଣ ଶୁଦ୍ଧଚିତ୍ତେ । ଏ କର୍ମ ତୋହର ଆୟତ୍ତେ ॥ ୧୧୩

ମୁହୂର୍ତ୍ତ ଦୋଷ ଭୟଙ୍କର । ଦେବହେଳନ କର୍ମ ତୋ’ର ॥ ୧୧୪

ଏ ଦୋଷୁ ତୋ’ର ଗର୍ଭଗତେ । ଜନ୍ମ ହୋଇବେ ବେନିସୁତେ ॥ ୧୧୫

ଦୁଷ୍ଟ ହୋଇବେ ଏ ଶୟଳେ । ତପ ସାଧନ କର୍ମଫଳେ ॥ ୧୧୬

ଏ ତିନିପୁର ରାଜାଗଣେ । ବିକଳେ ଖଟିବେ ଚରଣେ ॥ ୧୧୭

ଧନଜୀବନ ସେ ହରିବେ । ପ୍ରାଣୀଙ୍କି ଦୁଃଖଶୋକ ଦେବେ ॥ ୧୧୮

ନିର୍ଦ୍ଦୋଷ ପ୍ରାଣୀଙ୍କି ମାରଣେ । ପର ରମଣୀ କରଷଣେ ॥ ୧୧୯

ଏ ଆଦି ଯେତେ ପାପକର୍ମେ । ବଳେ କରିବେ ମତିଭ୍ରମେ ॥ ୧୨୦

ମହତଜନେ କୋପ ଜାତ । କରିବେ ସେହି ବେନିଭ୍ରାତ ॥ ୧୨୧

ତାହାଙ୍କ ଦେଖି ଦୁଷ୍ଟକର୍ମ । କୋପିବେ ଶ୍ରୀପୁରୁଷୋତ୍ତମ ॥ ୧୨୨

ଏ ମହୀତଳେ ଦେହ ବହି । ବିଷ୍ଣୁ ମାରିବେ ବେନିଭାଇ ॥ ୧୨୩

ଇନ୍ଦ୍ର ଯେସନେ ଦେହ ଧରି । ଘୋର ପର୍ବତ ଦର୍ପ ହରି ॥ ୧୨୪

ଏମନ୍ତେ କଶ୍ୟପ ବଚନ । ବିଷାଦ ଶୁଣି ଦିତି ମନ ॥ ୧୨୫

ସ୍ୱାମୀ ଚରଣ ତଳେ ପଡ଼ି । ବୋଲଇ ବେନିକର ଯୋଡ଼ି ॥ ୧୨୬

ଦିତି ଉବାଚ

ଭୋ ନାଥ ମୋ’ର ପୁତ୍ର ଯେବେ । ସଂସାରେ ଦୁଷ୍ଟକର୍ମ ଭାବେ ॥ ୧୨୭

ବିଷ୍ଣୁର ହସ୍ତେ ଯିବେ ନାଶ । ଏଣେ ମୋହର ନାହିଁ ତ୍ରାସ ॥ ୧୨୮

ତହିଁକି ମୋ’ର ଭୟ ନାହିଁ । ବ୍ରାହ୍ମଣ କୋପେ ମୁଁ ଡରଇ ॥ ୧୨୯

ବ୍ରାହ୍ମଣ କୋପେ ଯେ ମରନ୍ତି । ପ୍ରାଣୀଙ୍କ ବଧ ଆଚରନ୍ତି ॥ ୧୩୦

ତାହାଙ୍କ ନାହିଁ ସୁଖ ଲେଶ । ନରକେ ହୁଅନ୍ତି ପ୍ରବେଶ ॥ ୧୩୧

କର୍ମର ବଳେ ଯେତେ ଯୋନି । ଜନ୍ମ ଲଭନ୍ତି ଦେହ ଘେନି ॥ ୧୩୨

ଅଶେଷ ଦୁଃଖ ଫଳ ଭୋଗେ । ଭୁଞ୍ଜନ୍ତି ଜୀବନ ସଂଯୋଗେ ॥ ୧୩୩

ଏମନ୍ତେ ଦିତିର ବଚନ । ଶୁଣି କଶ୍ୟପ ତପୋଧନ ॥ ୧୩୪

ବୋଲନ୍ତି ଦିତି ମୁଖ ଚାହିଁ । ଭୋ ସଖି ଶୁଣ ମନଦେଇ ॥ ୧୩୫

ଯେ ଅପରାଧ ତୋର କୃତ । ତେଣୁ ଯେ ଶୋକ ଅନୁତାପ ॥ ୧୩୬

ଯେ ଭଲମନ୍ଦର ବିଚାର । ତକ୍ଷଣେ ହୋଇଲା ତୋହର ॥ ୧୩୭

ଯେ ଭାବ ହେଲା ହରିଠାରେ । ଯେବା ଆଦର ତୋର ମୋରେ ॥ ୧୩୮

ଏଣୁ ତୋହର ବେନିପୁତ୍ରେ । ଯନ୍ତ୍ରିତ ନିଜ କର୍ମସୂତ୍ରେ ॥ ୧୩୯

ବିଷ୍ଣୁର ହସ୍ତେ ପ୍ରାଣ ଦେଇ । ଶାପୁ ତରିବେ ବେନିଭାଇ ॥ ୧୪୦

ତାହାଙ୍କ ପୁତ୍ରଙ୍କର ମଧ୍ୟେ । ବିଷ୍ଣୁ ଭକତି ଅନୁବାଦେ ॥ ୧୪୧

ହୋଇବ ବିଷ୍ଣୁଭକ୍ତ ସାର । ଅତୁଲ୍ୟ ଗୁଣ ସୁବିଚାର ॥ v ୧୪୨

ତାହାର ଯଶ ଇହଲୋକେ । ବିଷ୍ଣୁଭକତ ମନସୁଖେ ॥ ୧୪୩

ଶୁଣି ଶ୍ରବଣେ ନିରନ୍ତର । ତରିବେ ଏ ଭବସାଗର ॥ ୧୪୪

ତା’ର ସ୍ୱଭାବ ପାଇବାରେ । ଯୋଗୀଏ ସାଧିବେ ସଂସାରେ ॥ ୧୪୫

ହୋଇବ ହୃଦୟ ନିର୍ମଳ । ଅଗ୍ନିରେ ଯେହ୍ନେ ହେମ-ମଳ ॥ ୧୪୬

ଯେ ହରି ସର୍ବଘଟେ ପୂରି । ସେ ହରି ତା’ରେ ଦୟାକରି ॥ ୧୪୭

ତା’ର ପ୍ରସନ୍ନେ ଏ ସଂସାର । ଯେଣୁ ତା ନାହିଁ ନିଜ ଘର ॥ ୧୪୮

ସେ ମହାଭାଗବତ ପୁଣି । ତା ଯଶ ଗାଇ ତରେ ପ୍ରାଣୀ ॥ ୧୪୯

ମହାତ୍ମା ମହତେ ମହତ । ଭକତି ବଳେ ଶୋଧି ଚିତ୍ତ ॥ ୧୫୦

ବିଷ୍ଣୁ ଭକତି ଅତିରେକେ । ଅନ୍ତେ ମିଳିବ ବିଷ୍ଣୁଲୋକେ ॥ ୧୫୧

ପର ସମ୍ପଦେ ସେ ସୁଖିତ । ଦୁଃଖରେ ହୋଇବ ଦୁଃଖିତ ॥ ୧୫୨

ହରିବ ଜନଶୋକରାଶି । ନିଦାଘ-ତାପ ଯେହ୍ନେ ଶଶୀ ॥ ୧୫୩

ଦେଖିବ ତୋ ପୁତ୍ର ନନ୍ଦନ । ଅନ୍ତର ବାହ୍ୟେ ଭଗବାନ ॥ ୧୫୪

ସୁନ୍ଦର-ବର-ସୁକୁମାର । କର୍ଣ୍ଣେ କୁଣ୍ତŠଳ ହୃଦେ ହାର ॥ ୧୫୫

ମୈତ୍ରେୟ ଉବାଚ

ପୌତ୍ରର ଗୁଣମାନ ଶୁଣି । ବୈଷ୍ଣବ-ଗୁଣେ ଶିରୋମଣି ॥ ୧୫୬

ସଂସାର କରିବ ପବିତ୍ର । ଶୁଣି ଆନନ୍ଦ ଦିତି ଚିତ୍ତ ॥ ୧୫୭

ଅନ୍ତର ଆତ୍ମା ଅତିତୋଷେ । ସ୍ୱାମୀଙ୍କି ନମିଲା ହରଷେ ॥ ୧୫୮

ଦିତି-କଶ୍ୟପର ସମ୍ବାଦ । ଶୁଣ ସୁଜନେ ଜ୍ଞାନଭେଦ ॥ ୧୫୯

ତୃତୀୟସ୍କନ୍ଧ ଭାଗବତ । କହିଲା ଦାସ ଜଗନ୍ନାଥ ॥ ୧୬୦

ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ

ତୃତୀୟସ୍କନ୍ଧେ ଦିତି-କଶ୍ୟପ-ସମ୍ବାଦେ ଚତୁŸର୍ଶୋଽଧ୍ୟାୟଃ ॥

* * *