ତୃତୀୟ ସ୍କନ୍ଧ
ଚତୁର୍ଦ୍ଦଶ ଅଧ୍ୟାୟ
ଶୁକ ଉବାଚ
ମୈତ୍ରେୟ ବାଣି ଶୁଣି କର୍ଣ୍ଣେ । ତୋଷ ନୋହିଲା ତାର ମନେ ॥ ୧
କୃଷ୍ଣ ଶୂକରରୂପ କଥା । ଅମୃତ ରସମୟ ଗାଥା ॥ ୨
ଆନନ୍ଦେ ଶିରେ କର ଦେଇ । ପୁଣି ବିଦୁର ପଚାରଇ ॥ ୩
ବିଦୁର ଉବାଚ
ଯଜ୍ଞବରାହ ରୂପ ହରି । ଦନ୍ତାଗ୍ରେ ଧରଣୀ ଉଦ୍ଧରି ॥ ୪
ଜଳୁ ଆସନ୍ତେ ଊର୍ଦ୍ଧ୍ୱଗତେ । ଆଦି ଅସୁର ତା ଅଗ୍ରତେ ॥ ୫
ମିଳିଲା ଗଦା କରେ ଧରି । ତା ଦେହ ଦଶନେ ବିଦାରି ॥ ୬
ଏ କଥା ଶୁଣି ତୁମ୍ଭ ମୁଖେ । ଏବେ ପଚାରେ ମନସୁଖେ ॥ ୭
ସେ ଦୈତ୍ୟ ତେଜେ ଅନର୍ଗଳା । କି ହେତୁ ଗଦାଯୁଦ୍ଧ କଲା ॥ ୮
ତାହାର ଜନ୍ମ କର୍ମ ଯେତେ । ବିସ୍ତାରି କହ ମୁନି ମୋତେ ॥ ୯
ପରମ କୁତୂହଳ ବାଣୀ । ଜୀବ ନିସ୍ତରେ ଯାହା ଶୁଣି ॥ ୧୦
ମୈତ୍ରେୟ ଉବାଚ
ତୁ ଧନ୍ୟ ଧନ୍ୟ କୁରୁବୀର । ଏ ସାଧୁ ପ୍ରଶ୍ନ ଯେ ତୋହର ॥ ୧୧
ହରି-ଚରିତ ଗୁର କଥା । ଅମୃତ ରସମୟ-ଗାଥା ॥ ୧୨
ଯାହା ଶୁଣନ୍ତେ ମୃତ୍ୟୁପାଶ । ସୁତୀକ୍ଷ୍ ଣ ଚକ୍ରେ ହୋଏ ନାଶ ॥ ୧୩
ସେ ସ୍ୱାୟମ୍ଭୁବ ମୁନି ସୁତ । ଉତ୍ତାନପାଦ-ସୁତ ଖ୍ୟାତ ॥ ୧୪
ତପର ବଳେ ସେ ପ୍ରଚଣ୍ତେ । ଚରଣ ଦେଇ ମୃତ୍ୟୁମୁଣ୍ତେ ॥ ୧୫
ସ୍ୱଭାବେ ତେଜେ ଅନର୍ଗଳା । ପରମପଦେ ସେ ପଶିଲା ॥ ୧୬
ତୁ ଯେବେ ପଚାରିଲୁ ମୋତେ । ବିଦୁର ଶୁଣ ଏକଚିତ୍ତେ ॥ ୧୭
ପ୍ରସ୍ତାବେ ଇତିହାସ ବାଣୀ । ଦେବଙ୍କ ସଭାମଧ୍ୟେ ଶୁଣି ॥ ୧୮
ଦେବ ସମୀପେ ଦେବଦେବ । ବ୍ରହ୍ମା କହିଲେ ଯେ ପ୍ରସ୍ତାବ ॥ ୧୯
ଜାଣଇ ଏଥିର କାରଣ । କହିବି ଏକଚିତ୍ତେ ଶୁଣ ॥ ୨୦
ଦକ୍ଷ ଦୁହିତା ଦିତି ନାମା । କଶ୍ୟପ ଋଷିଙ୍କର ବାମା ॥ ୨୧
ସେ ଏକଦିନେ ସନ୍ଧ୍ୟାକାଳେ । ଏକା ପଶିଲା ଯଜ୍ଞଶାଳେ ॥ ୨୨
ମିଳିଲା ନିଜ ପତି ପାଶେ । କାମେ ପୀଡ଼ିତ ରତି ଆଶେ ॥ ୨୩
ସେ ମହାଋଷି ଯଜ୍ଞଘରେ । ମନ୍ତ୍ରେ ଆହୁତି ଘୃତଧାରେ ॥ ୨୪
ଯଜ୍ଞପୁରୁଷ ପ୍ରୀତି ଅର୍ଥେ । ଅସ୍ତ ପର୍ବତେ ସୂର୍ଯ୍ୟ ଯାନ୍ତେ ॥ ୨୫
ହବିରେ ଅଗ୍ନିକି ପୂଜନ । କରନ୍ତି ହୋଇ ତୋଷମନ ॥ ୨୬
ନିବିଡ଼ ସନ୍ଧ୍ୟା ଆଗମନେ । ମିଳିଲା ସ୍ୱାମୀ ସନ୍ନିଧାନେ ॥ ୨୭
ସମାଧିସ୍ଥିତ ସ୍ୱାମୀ ପାଶେ । କାମ ପୀଡ଼ିତା ଦିତି ବସେ ॥ ୨୮
କରଅଞ୍ଜଳି ଶିରେ ଦେଇ । ବୋଲେ କଶ୍ୟପ ମୁଖ ଚାହିଁ ॥ ୨୯
ଦିତି ଉବାଚ
ଭୋ ନାଥ ଶୁଣ ତପୋଧନ । ଅନଙ୍ଗ ଘେନି ଶରାସନ ॥ ୩୦
ତା ପଞ୍ଚବାଣେ ମୋର ମନେ । ଦହଇ ତୁମ୍ଭର ବିହୁନେ ॥ ୩୧
କଦଳୀବନ ଯେହ୍ନେ ଗଜ । ଦନ୍ତେ ବିଦାରେ ମହାତେଜ ॥ ୩୨
ସମୃଦ୍ଧି ଦେଖି ସପତ୍ନୀର । ମୋ ମନ ଦଗ୍ଧ ନିରନ୍ତର ॥ ୩୩
ତୁ ପ୍ରଜାପତିଙ୍କ ଈଶ୍ୱର । ସର୍ବ କଳ୍ପନା ସୁଖଘର ॥ ୩୪
ଏବେ ମୋଠାରେ ଅନୁଗ୍ରହ । କରି ସକଳ ସୁଖ ଦିଅ ॥ ୩୫
ଯାହାକୁ ସ୍ୱାମୀ ହୋଏ ତୋଷ । ସଂସାରେ ରହେ ତାର ଯଶ ॥ ୩୬
ଆପଣା ରୂପେ ପ୍ରତ୍ରଜାତ । ହୁଅଇ ଯାର ଗର୍ଭଗତ ॥ ୩୭
ଆମ୍ଭର ଗର୍ଭେ ପୁତ୍ରହେଲେ । ତୋ ଯଶ ବିସ୍ତାରିବ ଭଲେ ॥ ୩୮
ମୋ ପିତା ଦକ୍ଷ ପ୍ରଜାପତି । ପ୍ରଜା ସର୍ଜନେ ତାର ମତି ॥ ୩୯
ଆମ୍ଭର ଗର୍ଭେ ପୁତ୍ର ଯେତେ । ଧର୍ମେ ପାଳିବେ ଏ ଜଗତେ ॥ ୪୦
ଏ କଥା ମନେ ବିଚାରିଲା । ଯତ୍ନେ ଆମ୍ଭଙ୍କୁ ପଚାରିଲା ॥ ୪୧
ସମ୍ମତି ଦେଖିଣ ଆମ୍ଭର । ତେଣୁ ବରିଲା ତୋତେ ବର ॥ ୪୨
ଆମ୍ଭେ ଯେ ଭଗ୍ନୀ ତ୍ରୟୋଦଶ । ତୁମ୍ଭର ଚରଣେ ବିଶ୍ୱାସ ॥ ୪୩
ଆମ୍ଭର ରୂପ ଶୀଳ ଗୁଣ । ତୁମ୍ଭେ ତ ପ୍ରତ୍ୟକ୍ଷ ପ୍ରମାଣ ॥ ୪୪
ଭୋ ନାଥ ନଳିନଲୋଚନ । ଏବେ ତୁ କର ମୋ ବଚନ ॥ ୪୫
ମୋ ସଙ୍ଗେ କର ଏବେ ରତି । ସୌଭାଗ୍ୟେ ହେଉ ମୋ ସନ୍ତତି ॥ ୪୬
ମୈତ୍ରେୟ ଉବାଚ
ଏମନ୍ତେ ଶୁଣି ତା ବଚନ । କଶ୍ୟପ ହୋଇ ଦୁଃଖ ମନ ॥ ୪୭
ଚାହିଁଲେ ଦିତିର ବଦନ । ଅନଙ୍ଗବାଣେ ଛନଛନ ॥ ୪୮
ଦେଖି ତାହାର ଦୁଷ୍ଟଚିତ୍ତ । କହନ୍ତି ମରୀଚିଙ୍କ ସୁତ ॥ ୪୯
କଶ୍ୟପ ଉବାଚ
ଶୁଣ ସୁନ୍ଦରି ମୋ ବଚନ । ମୁହିଁ ଜାଣଇ ତୋର ମନ ॥ ୫୦
ଏ ସନ୍ଧ୍ୟାକାଳେ ମୋର ପାଶେ । ତୁ ଯେ ମିଳିଲୁ ରତି ଆଶେ ॥ ୫୧
ଏ ଧର୍ମ-ପ୍ରମାଣ ସ୍ୱଭାବ । କେ ତାହା ଅନ୍ୟଥା କରିବ ॥ ୫୨
ଏଣୁ ତୋହର ପ୍ରିୟଯେତେ । କରିବି ତୋହର ଆୟତ୍ତେ ॥ ୫୩
ସଂସାର ସ୍ୱଭାବଟି ଏହି । ଯେ ଧର୍ମକର୍ମେ ରହେ ଗୃହୀ ॥ ୫୪
ସର୍ବ ଆଶ୍ରମ ମଧ୍ୟେ ସାର । ପୁତ୍ର କଳତ୍ର ଘେନି ଘର ॥ ୫୫
ଏଣୁ ହୁଅଇ ଦୁଃଖ ପାର । ବୋଇତେ ଯେହ୍ନେ ପାରାବାର ॥ ୫୬
ଆତ୍ମାର ଅର୍ଦ୍ଧସମ ନାରୀ । ଅନ୍ୟଥା କେବା ତାହା କରି ॥ ୫୭
ତାହାର ତହିଁ ଗୃହଭାର । ଦେଇ ନିଶ୍ଚିନ୍ତେ ଥାଇ ନର ॥ ୫୮
ଯାହାର ଆଶ୍ରେ ପ୍ରାଣୀ ଥାଇ । ଇନ୍ଦ୍ରିୟ-ଶତ୍ରୁକୁ ଜିଣଇ ॥ ୫୯
ଏଣୁ ତୁମ୍ଭର ଉପକାର । ଶୁଝା ଯେ ନ ଯିବ ଆମ୍ଭର ॥ ୬୦
ଏ କଥା କେ କରିବ ଆନ । ଯାହା ସଞ୍ଚିଲେ ଭଗବାନ ॥ ୬୧
ଏବେ ତୁ ଧୀର ଆତ୍ମମନେ । ମୁହୂର୍ତ୍ତେ ରହ ମୋ ବଚନେ ॥ ୬୨
ଦେଖ ଏ ଭୟଙ୍କର ବେଳା । ପ୍ରେତ-ପିଶାଚଗଣ ମେଳା ॥ ୬୩
ଭୂତ-ବେତାଳ ଘେନି ସଙ୍ଗେ । ରମନ୍ତି ଭୂତପତି ରଙ୍ଗେ ॥ ୬୪
ଦେଖ ଏ ଘୋର-ସନ୍ଧ୍ୟାକାଳେ । ଘୋର ଶବଦ ଗଣମେଳେ ॥ ୬୫
ଶ୍ମଶାନ-ଧୂଳିରେ ଧୂସର । ଜଟାକଳାପେ ଭୟଙ୍କର ॥ ୬୬
ଭସ୍ମଲେପନ ସର୍ବଅଙ୍ଗେ । ଭୂତାଦିଗଣ ଘେନି ସଙ୍ଗେ ॥ ୬୭
ବୃଷଭେ ବସି ଭୂତପତି । ଦେଖଇ ସର୍ବଜନ ଗତି ॥ ୬୮
ତୋହର ଦେବର ସ୍ୱଭାବେ । ମୁହୂର୍ତ୍ତେ ରହ ସଖି ଏବେ ॥ ୬୯
ପର ଅପର ଯାର ନାହିଁ । ବନ୍ଦନ ନିନ୍ଦନ ବା କାହିଁ ॥ ୭୦
ଆମ୍ଭେ ସକଳେ ଯା ଚରଣେ । ସେବୁ ସୁବ୍ରତ ଆଚରଣେ ॥ ୭୧
ତାର ପ୍ରସାଦ ଶେଷଭୋଗ । ଭୁଞ୍ଜୁ ଅତୁଲ୍ୟ ସଉଭାଗ୍ୟ ॥ ୭୨
ଯାର ନିର୍ମଳ ଗୁଣ ଚିନ୍ତି । ମାୟା-ପଟଳେ ସର୍ବ ଯତି ॥ ୭୩
ଚିନ୍ତନ୍ତି ନିର୍ଲେପ ଶରୀର । ଅଚିନ୍ତ୍ୟ ଗୁଣ ଯେ ଗଭୀର ॥ ୭୪
ନିର୍ମଳଚେତା ମୁନିଗଣେ । ଧ୍ୟାନେ ଚିନ୍ତନ୍ତି ଯା ଚରଣେ ॥ ୭୫
ତପ ସାଧନେ ଯୋଗେ ଚିନ୍ତି । ଅଶେଷ ସମ୍ପଦ ଲଭନ୍ତି ॥ ୭୬
ପିଶାଚ-ମାର୍ଗ ଦେଖି ତାର । ସୁଜନେ କରନ୍ତି ବିଚାର ॥ ୭୭
ଊଣା ଅଧିକେ ଯାର ନାହିଁ । ପିଶାଚ-ଚେଷ୍ଟାରେ ଭ୍ରମଇ ॥ ୭୮
ତାଙ୍କୁ ଯେ ଦୁର୍ଭଗା ହସନ୍ତି । ସେ ତା ମହିମା ନ ଜାଣନ୍ତି ॥ ୭୯
ବ୍ରହ୍ମାଦି ଦେବେ ଯା କିଙ୍କର । ଯା ମାୟାବଳେ ଏ ସଂସାର ॥ ୮୦
ସୃଷ୍ଟି ପାଳନ ସଂହାରଣ । ଯେ ବିଶ୍ୱ ପରମ-କାରଣ ॥ ୮୧
ପିଶାଚଚେଷ୍ଟା ତାର ଦେଖି । ସାଧବ ଜନେ ହୋନ୍ତି ଦୁଃଖୀ ॥ ୮୨
ଚରିତ ବିଡ଼ମ୍ବନ ତାର । ଦେବ ମାନବେ ଅଗୋଚର ॥ ୮୩
ମୈତ୍ରେୟ ଉବାଚ
ଇନ୍ଦ୍ରିୟଗଣ ସେ ଦିତିର । କାମରେ ହୋଇଲା ଅସ୍ଥିର ॥ ୮୪
ଏମନ୍ତେ ସ୍ୱାମୀ ବାକ୍ୟ ଶୁଣି । ସ୍ୱଭାବେ ଉନ୍ମତ୍ତ ତରୁଣୀ ॥ ୮୫
ମଦନବାଣେ ଭୋଳ ଚିତ୍ତ । ବେଗେ ଧଇଲା ସ୍ୱାମୀ ହସ୍ତ ॥ ୮୬
ବସ୍ତ୍ର କରଷି ବାମକରେ । କଟାକ୍ଷେ ଚାହେଁ କାମଭରେ ॥ ୮୭
ବୃଷଳୀ ପ୍ରାୟେ ଲଜ୍ଜା ଛାଡ଼ି । ରମଣରସେ ଚିତ୍ତ ବଢ଼ି ॥ ୮୮
ପତ୍ନୀ ନିର୍ବନ୍ଧ ମୁନି ଦେଖି । ଧର୍ମ ବିଷୟେ ମନେ ଦୁଃଖୀ ॥ ୮୯
ଦଇବ ରୂପ ଯେ ଈଶ୍ୱର । ତାହାଙ୍କୁ କରି ନମସ୍କାର ॥ ୯୦
ଏକାନ୍ତେ ଯାଇ ତାର ସଙ୍ଗେ । ମେଳ ହୋଇଲେ ରତିରଙ୍ଗେ ॥ ୯୧
ପତ୍ନୀ ରମଣରସ ସାରି । ତକ୍ଷଣେ ଆଚମନ କରି ॥ ୯୨
କର ଚରଣ ଧୋଇ ଜଳେ । ଆସନେ ବସିଲେ ନିଶ୍ଚଳେ ॥ ୯୩
ଗାୟତ୍ରୀମନ୍ତ୍ର ପ୍ରାଣାୟାମ । କରି ଚିନ୍ତିଲେ ବିଷ୍ଣୁନାମ ॥ ୯୪
ନିର୍ମଳ ଜ୍ୟୋତିରୂପେ ମନ । ନିବେଶି ହୋଇଲେ ମଉନ ॥ ୯୫
ତକ୍ଷଣେ ଉଠି ଦିତି ବେଗେ । ବସ୍ତ୍ର ଆଚ୍ଛାଦି ସର୍ବଅଙ୍ଗେ ॥ ୯୬
ସଲ୍ଲଜ୍ଜେ ଅଧୋମୁଖେ ରହି । କହେ କଶ୍ୟପ ମୁଖ ଚାହିଁ ॥ ୯୭
ଦିତି ଉବାଚ
ଭୋ ନାଥ ଶୁଣ ମୋ ବଚନ । ମୋହର କର୍ମଫଳ ହୀନ ॥ ୯୮
ଯେ ଗର୍ଭ ହୋଇବ ମୋହର । ଯେମନ୍ତେ ନାଶ ନୋହେ ତାର ॥ ୯୯
ଅବଜ୍ଞା କରି ଭୂତପତି । ମୁଁ ଯେ ଆଚରିଲି ଅନୀତି ॥ ୧୦୦
ଭୋ ରୁଦ୍ର ନମୁଁ ତୋ ଚରଣେ । ତୋର ବିହାର ଭୂତଗଣେ ॥ ୧୦୧
ହେ ଶିବ ଶିବ ଦଣ୍ତଧର । ଉଦ୍ଦଣ୍ତ ଦଣ୍ତ ତୋର କର ॥ ୧୦୨
ତୁ ଉଗ୍ର ଭୀମ ଉମାପତି । ତୋ ଅନୁଗ୍ରହେ ନାହିଁ ଭୀତି ॥ ୧୦୩
ଅପ୍ରାଧ ନାଶେ ତୋର ଦୟା । ତାକୁ ନ ଲାଗେ ବିଷ୍ଣୁମାୟା ॥ ୧୦୪
ତୁ ଉଗ୍ରରୂପ କ୍ଷମାକର । ନମୋ ନମସ୍ତେ ତୋ ପୟର ॥ ୧୦୫
ସଂହାରେ କ୍ରୋଧ ରୂପ ତୋର । ତୋ ପଦେ ମୋର ନମସ୍କାର ॥ ୧୦୬
ଗର୍ଭ ମୋ ରଖ ହେ ଗୋସାଇଁ । ପ୍ରସନ୍ନ ହୁଅ ଦୟା ବହି ॥ ୧୦୭
ହେ ପ୍ରଭୁ ଦେବ ଭଗବାନ । ଆମ୍ଭଙ୍କୁ ହୋଇବା ପ୍ରସନ୍ନ ॥ ୧୦୮
ମୁଁ ଯେ ସ୍ୱଭାବେ ସ୍ତିରୀଜାତି । ନମୋ ନମସ୍ତେ ସତୀପତି ॥ ୧୦୯
ପତ୍ନୀ-ସ୍ୱଭାବ ଭଲେ ଜାଣ । ବିଚାରି ହୁଅ ତୁ ପ୍ରସନ୍ନ ॥ ୧୧୦
ମୈତ୍ରେୟ ଉବାଚ
ଗର୍ଭ ଆଶିଷେ ମନ ଦେଇ । କମ୍ପେ କଶ୍ୟପ ମୁଖ ଚାହିଁ ॥ ୧୧୧
ତକ୍ଷଣେ ଧ୍ୟାନ ବେଗେ । ମୁନି କହନ୍ତି ପତ୍ନୀ ଆଗେ ॥ ୧୧୨
କଶ୍ୟପ ଉବାଚ
ଭୋ ସଖି ଶୁଣ ଶୁଦ୍ଧଚିତ୍ତେ । ଏ କର୍ମ ତୋହର ଆୟତ୍ତେ ॥ ୧୧୩
ମୁହୂର୍ତ୍ତ ଦୋଷ ଭୟଙ୍କର । ଦେବହେଳନ କର୍ମ ତୋର ॥ ୧୧୪
ଏ ଦୋଷୁ ତୋର ଗର୍ଭଗତେ । ଜନ୍ମ ହୋଇବେ ବେନିସୁତେ ॥ ୧୧୫
ଦୁଷ୍ଟ ହୋଇବେ ଏ ଶୟଳେ । ତପ ସାଧନ କର୍ମଫଳେ ॥ ୧୧୬
ଏ ତିନିପୁର ରାଜାଗଣେ । ବିକଳେ ଖଟିବେ ଚରଣେ ॥ ୧୧୭
ଧନଜୀବନ ସେ ହରିବେ । ପ୍ରାଣୀଙ୍କି ଦୁଃଖଶୋକ ଦେବେ ॥ ୧୧୮
ନିର୍ଦ୍ଦୋଷ ପ୍ରାଣୀଙ୍କି ମାରଣେ । ପର ରମଣୀ କରଷଣେ ॥ ୧୧୯
ଏ ଆଦି ଯେତେ ପାପକର୍ମେ । ବଳେ କରିବେ ମତିଭ୍ରମେ ॥ ୧୨୦
ମହତଜନେ କୋପ ଜାତ । କରିବେ ସେହି ବେନିଭ୍ରାତ ॥ ୧୨୧
ତାହାଙ୍କ ଦେଖି ଦୁଷ୍ଟକର୍ମ । କୋପିବେ ଶ୍ରୀପୁରୁଷୋତ୍ତମ ॥ ୧୨୨
ଏ ମହୀତଳେ ଦେହ ବହି । ବିଷ୍ଣୁ ମାରିବେ ବେନିଭାଇ ॥ ୧୨୩
ଇନ୍ଦ୍ର ଯେସନେ ଦେହ ଧରି । ଘୋର ପର୍ବତ ଦର୍ପ ହରି ॥ ୧୨୪
ଏମନ୍ତେ କଶ୍ୟପ ବଚନ । ବିଷାଦ ଶୁଣି ଦିତି ମନ ॥ ୧୨୫
ସ୍ୱାମୀ ଚରଣ ତଳେ ପଡ଼ି । ବୋଲଇ ବେନିକର ଯୋଡ଼ି ॥ ୧୨୬
ଦିତି ଉବାଚ
ଭୋ ନାଥ ମୋର ପୁତ୍ର ଯେବେ । ସଂସାରେ ଦୁଷ୍ଟକର୍ମ ଭାବେ ॥ ୧୨୭
ବିଷ୍ଣୁର ହସ୍ତେ ଯିବେ ନାଶ । ଏଣେ ମୋହର ନାହିଁ ତ୍ରାସ ॥ ୧୨୮
ତହିଁକି ମୋର ଭୟ ନାହିଁ । ବ୍ରାହ୍ମଣ କୋପେ ମୁଁ ଡରଇ ॥ ୧୨୯
ବ୍ରାହ୍ମଣ କୋପେ ଯେ ମରନ୍ତି । ପ୍ରାଣୀଙ୍କ ବଧ ଆଚରନ୍ତି ॥ ୧୩୦
ତାହାଙ୍କ ନାହିଁ ସୁଖ ଲେଶ । ନରକେ ହୁଅନ୍ତି ପ୍ରବେଶ ॥ ୧୩୧
କର୍ମର ବଳେ ଯେତେ ଯୋନି । ଜନ୍ମ ଲଭନ୍ତି ଦେହ ଘେନି ॥ ୧୩୨
ଅଶେଷ ଦୁଃଖ ଫଳ ଭୋଗେ । ଭୁଞ୍ଜନ୍ତି ଜୀବନ ସଂଯୋଗେ ॥ ୧୩୩
ଏମନ୍ତେ ଦିତିର ବଚନ । ଶୁଣି କଶ୍ୟପ ତପୋଧନ ॥ ୧୩୪
ବୋଲନ୍ତି ଦିତି ମୁଖ ଚାହିଁ । ଭୋ ସଖି ଶୁଣ ମନଦେଇ ॥ ୧୩୫
ଯେ ଅପରାଧ ତୋର କୃତ । ତେଣୁ ଯେ ଶୋକ ଅନୁତାପ ॥ ୧୩୬
ଯେ ଭଲମନ୍ଦର ବିଚାର । ତକ୍ଷଣେ ହୋଇଲା ତୋହର ॥ ୧୩୭
ଯେ ଭାବ ହେଲା ହରିଠାରେ । ଯେବା ଆଦର ତୋର ମୋରେ ॥ ୧୩୮
ଏଣୁ ତୋହର ବେନିପୁତ୍ରେ । ଯନ୍ତ୍ରିତ ନିଜ କର୍ମସୂତ୍ରେ ॥ ୧୩୯
ବିଷ୍ଣୁର ହସ୍ତେ ପ୍ରାଣ ଦେଇ । ଶାପୁ ତରିବେ ବେନିଭାଇ ॥ ୧୪୦
ତାହାଙ୍କ ପୁତ୍ରଙ୍କର ମଧ୍ୟେ । ବିଷ୍ଣୁ ଭକତି ଅନୁବାଦେ ॥ ୧୪୧
ହୋଇବ ବିଷ୍ଣୁଭକ୍ତ ସାର । ଅତୁଲ୍ୟ ଗୁଣ ସୁବିଚାର ॥ v ୧୪୨
ତାହାର ଯଶ ଇହଲୋକେ । ବିଷ୍ଣୁଭକତ ମନସୁଖେ ॥ ୧୪୩
ଶୁଣି ଶ୍ରବଣେ ନିରନ୍ତର । ତରିବେ ଏ ଭବସାଗର ॥ ୧୪୪
ତାର ସ୍ୱଭାବ ପାଇବାରେ । ଯୋଗୀଏ ସାଧିବେ ସଂସାରେ ॥ ୧୪୫
ହୋଇବ ହୃଦୟ ନିର୍ମଳ । ଅଗ୍ନିରେ ଯେହ୍ନେ ହେମ-ମଳ ॥ ୧୪୬
ଯେ ହରି ସର୍ବଘଟେ ପୂରି । ସେ ହରି ତାରେ ଦୟାକରି ॥ ୧୪୭
ତାର ପ୍ରସନ୍ନେ ଏ ସଂସାର । ଯେଣୁ ତା ନାହିଁ ନିଜ ଘର ॥ ୧୪୮
ସେ ମହାଭାଗବତ ପୁଣି । ତା ଯଶ ଗାଇ ତରେ ପ୍ରାଣୀ ॥ ୧୪୯
ମହାତ୍ମା ମହତେ ମହତ । ଭକତି ବଳେ ଶୋଧି ଚିତ୍ତ ॥ ୧୫୦
ବିଷ୍ଣୁ ଭକତି ଅତିରେକେ । ଅନ୍ତେ ମିଳିବ ବିଷ୍ଣୁଲୋକେ ॥ ୧୫୧
ପର ସମ୍ପଦେ ସେ ସୁଖିତ । ଦୁଃଖରେ ହୋଇବ ଦୁଃଖିତ ॥ ୧୫୨
ହରିବ ଜନଶୋକରାଶି । ନିଦାଘ-ତାପ ଯେହ୍ନେ ଶଶୀ ॥ ୧୫୩
ଦେଖିବ ତୋ ପୁତ୍ର ନନ୍ଦନ । ଅନ୍ତର ବାହ୍ୟେ ଭଗବାନ ॥ ୧୫୪
ସୁନ୍ଦର-ବର-ସୁକୁମାର । କର୍ଣ୍ଣେ କୁଣ୍ତଳ ହୃଦେ ହାର ॥ ୧୫୫
ମୈତ୍ରେୟ ଉବାଚ
ପୌତ୍ରର ଗୁଣମାନ ଶୁଣି । ବୈଷ୍ଣବ-ଗୁଣେ ଶିରୋମଣି ॥ ୧୫୬
ସଂସାର କରିବ ପବିତ୍ର । ଶୁଣି ଆନନ୍ଦ ଦିତି ଚିତ୍ତ ॥ ୧୫୭
ଅନ୍ତର ଆତ୍ମା ଅତିତୋଷେ । ସ୍ୱାମୀଙ୍କି ନମିଲା ହରଷେ ॥ ୧୫୮
ଦିତି-କଶ୍ୟପର ସମ୍ବାଦ । ଶୁଣ ସୁଜନେ ଜ୍ଞାନଭେଦ ॥ ୧୫୯
ତୃତୀୟସ୍କନ୍ଧ ଭାଗବତ । କହିଲା ଦାସ ଜଗନ୍ନାଥ ॥ ୧୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ତୃତୀୟସ୍କନ୍ଧେ ଦିତି-କଶ୍ୟପ-ସମ୍ବାଦେ ଚତୁର୍ଶୋଽଧ୍ୟାୟଃ ॥
* * *